Unknown

 

 

 

 

 

 

 

 

 

 

 

ଦିଗ ଦିହୁଡ଼ି

ଶ୍ରୀ ଗୋପୀନାଥ ମହାନ୍ତି

 

ଦିଗ ଦିହୁଡ଼ି

(ଏକ)

 

ସଞ୍ଜବତିଟି ଚଉରା ମୂଳେ ନିଭି ନିଭି ଆସୁଥାଏ । କନ୍ଦିବାଟେ ରମା ସେ ଅଗଣା ଭିତରକୁ ଛାଇ ପରି ପଶି ଆସି ପାଚିରି ଚାଳତଳ ଅନ୍ଧାରରେ କାନ୍ଥକୁ ଆଉଜି ତୁନି ହୋଇ ଠିଆହୋଇ ରହିଲା । ପାଦ ଚଳୁ ନଥାଏ । ଛାତି ଭିତର ଶୁଖିଲା ଶୁଖିଲା । ଟିକିଏ ଭାବିନେଲା, ବୋଉ ମୁହଁ କେମିତି ଦିଶିବ । ମନ କହୁଥାଏ, ଟିକିଏ ମାଣ୍ଟେଇ ଯାଆନ୍ତି କି, ଅନ୍ତତଃ ଏ ସଞ୍ଜ ସଳିତାଟା ନିଭି ଯିବା ଯାକେ । ସତେକି ସେହି ବେଳତକରେ ସବୁ ସମସ୍ୟାର ସମାଧାନ ହୋଇଯିବ-। କିନ୍ତୁ ଝଙ୍କା କାଗେଜି ଗଛମୂଳ ବହଳ ଅନ୍ଧାର ତଳେ ବାଘା କୁକୁର ଅତର୍ଚ୍ଛ ବିକଳ ବୋବାଳି ଛାଡ଼ିଲା । ଅନ୍ଧାରି ପିଣ୍ଡା ଉପରୁ ମାୟା ଦେବୀ ପାଟି କଲେ “କିଏ ମ ? କିଏ ମ ?” ଆଉ ତଳକୁ ଓହ୍ଲେଇ ପଡ଼ି ଠିଆ ହେଲେ । ବାଘା କୁକୁର ଭୟ ଛାଡ଼ି ବୀର ବୋବାଳି ଦେଇ ଦୁଆର ମଝିକି ଧାଇଁ ଆସିଲା, ତା’ପରେ କୁଁ କୁଁ ହୋଇ ସ୍ନେହ ସମ୍ଭାଷଣ ଜଣାଇ ରମା ପାଖକୁ ଆସି ଗୋଡ଼ରେ ଗୁରେଇ ହେଲା ।

 

“କି ଲୋ, ରମା କି ଲୋ !” ମାୟା ଦେବୀ ଡାକ ମାରିଲେ ।

 

“ସେମିତି ଛକି ଛକି ହଉଚୁ କାଇଁକି ବା ? ଆଣିଲୁ ?”

 

ଛାଇ ଆଲୁଅରେ ଅଗଣା ସେକରେ ବୋଉର ଚେହେରା ଅସ୍ପଷ୍ଟ ହୋଇ ବାରି ହେଉଥାଏ, ରମା ଗୋଟିଏ ଗୋଟିଏ ଆଗେଇ ଯାଇ ନିର୍ଜୀବ ସ୍ୱରରେ କହିଲା,

 

“ଖୁଡ଼ୀ ମନା କଲେ ।”

 

“ଦାମ ଥିଲେ ?”

 

“ଦାଦି ନ ଥିଲେ ।”

 

ମାୟା ଦେବୀ ଦୀର୍ଘଶ୍ୱାସ ପକାଇ ମୁଣ୍ଡ ପୋତିଲେ । କହିଲେ, “ହେ ଭଗବାନ, କାଳ କ’ଣ ହେଲା, ଚାଉଳ ସେରେ ଉଧାର ଦେବାକୁ ଅଧରୀ ବୋଉ ମନା କରିଦେଲା, ଝିଅଟା ରାତି ପାହିଲେ ପର ଘରକୁ ଯିବ, ଟିକିଏ ମୁହଁ ଉପରୋଧ ବି ରଖିଲା ନାହିଁ ।”

 

ରମା ଅଭିମାନ କରି କହିଲା, ମୁଁ ତ ତତେ କହେଁ, ଥିଲେ ଖାଇବା, ନଇଁଲେ ଉପାସ ଶୋଇବା ଲୋ ବୋଉ, କାହା ପାଖେ ହାତ ପତେଇବା ନାଇଁ ।”

 

ମାୟା ଦେବୀ କହିଲେ, “ପାଟିରେ ସିନା ବାଟୁଳି ବାଜୁନାଇଁ କହିଦଉଚୁ ଲୋ, ନିଆଁ ନଗା ପେଟ ଚାଖଣ୍ଡକ କ’ଣ ବୁଝିବ ? ତା’ ଯଦି ବୁଝନ୍ତା, ତେବେ ଏଡ଼େ ଦହଗଞ୍ଜ ଆଉ କାଇଁକି ? ହାକୁ ହାକୁ ପାଞ୍ଚଟା ପେଟ ଏ ଘରେ । ଅଇଚ୍ଛା ଜଗୁ ଆସିବ, ରଘୁ ଆସିବ, ତିଳ ଆସିବ; କ’ଣ ଅଛି ଯେ ଚୁଲି ଲଗେଇବି ! ଅଥୟ କରିବେ, କ’ଣ ଖାଇବାକୁ ଦେବି ? କାଳ ତ ଏଇଆ ଲୋ ! ନହେଲେ ସାଧୁଆ ମୋର ପଥର ହୁଅନ୍ତା ? ମାସର ଦଶ ତାରିଖ ପୂରି ଏଗାର ତାରିଖ ଚାଲିଲା, ନା ଟଙ୍କା, ନା ଭାଷା ଖଣ୍ଡେ ! ହାରେ କପାଳ !”

 

ରମା କିଛି କହିଲା ନାହିଁ । ବାପ ମରି ତିନି ବର୍ଷ ହେଲାଣି । କେତେ ଭୋକ ଉପାସ ଧିଏ ଧିଏ ଯାଇଛି, ତଥାପି ଚଳିଯାଇଛି, ଆଜି ବି ଚଳିଯିବ ।

 

ମାୟା ଦେବୀ କହିଲେ, “ତୁ ବା କେମିତି ଝିଅଟାଏ ଲୋ ମା’ । ଅଧରୀ ବୋଉ ମନାକଲା, ହଉ, ମୂଷା ଭାରିଯାକୁ ମାଗିଲୁନାଇଁ ? ଆମେ କ’ଣ ଭିକ ମାଗୁଛୁ କି ? ଆଜି ଆଣିଲେ କାଲି ଦେଇଦେବାକୁ ପଡ଼ିବ । କିଏ କହିବ, ସାଧୁବୋଉ କାହାର ପଢ଼ିସାରି ବୁଡ଼େଇଦେଇଚି ? ସାପଖିଆ ବୁଲା ସୋଇଁ ପେଇଁ ଏତେ କଥା । କହିଥିଲି, ଧାନ ପାଞ୍ଚଗୌଣି ଦେଇଥିବୁରେ ବୁଲା, ଭାଗ ଧାନରୁ ପଛେ କାଟିନବୁ । ଆଜି ଆଜି କହି କେତେ ଆଜି ବିତେଇଦେଇ ପୁଣି ଆଜି ଆଣି ଦେବ କହି ଯାଇଥିଲା । କାହିଁ ତା’ର ଦେଖା ନା ଦରଶନ ! ଯା ମୋ ସୁନାଟି ପରା, ମୂଷା ଭାରିଯାକୁ କହିବୁ । ଦଧିଙ୍କ ଘର ତ ଆମଠୁଁ ଆହୁରି ବଳେ, ତହିଁରେ କୁଳିଆବୋଉ ପଡ଼ିଛି ବେମାର-। ଆନ୍ଦ ତ ଏବେ ଦେଇଥିଲେ, ଆମ ଉପରେ ତାଙ୍କର ପାଞ୍ଚସେର ଚାଉଳ ହେଲାଣି, ଶାନ୍ତିବୋଉକୁ ଦେଖିଲେ ମତେ ମାଡ଼ିପଡ଼ୁଛି । ଯା, ଯା ମୂଷା ଭାରିଯାକୁ କହି ଆଣିଥା ।’

 

ରମା ନଥକିନା ପିଣ୍ଡାରେ ବସିପଡ଼ିଲା, କହିଲା, “ଆଉ ଯୋଉଠିକି କହିଲେ ପଛେ ଯିବି, ସେ ଯୋଉ ମୂଷାଭାଇ ଭାରିଯା, ସେ ହସିଦେଲେ ହାଡ଼ରୁ ମାଉଁସ ଝଡ଼ିପଡ଼ିବ, ତା’ର ଯୋଉ କଥା-।” ଅଳିକଲା ଭଙ୍ଗୀରେ ରମା କହିଲା, “ଯିବୁ ତ ତୁ ଯା, ମୁଁ ଯିବିନାଇଁ ।”

 

ମାୟା ଦେବୀ ଚିଡ଼ି ଉଠିଲେ । କହିଲେ, “ହଁ, ନ କହିବୁ କାହିଁକି ? ସବୁ କଥାକୁ ପରା ମୁଇଁ ଲଗା, ଆଉ କିଏ କି ? ଯେତେ ଅନିଭୋଗ, ସବୁ ମୋରି କପାଳରେ । ନ ହେଲେ କେତେ ସୁଖରେ ଭୋଗ ଭାଗ୍ୟ କରି ସେ ଚାଲିଗଲେ, ଯମ ମତେ ପାସୋରିଗଲା ।” ତାଙ୍କର ସ୍ୱର ଫସା ଓଦା ଓଦା ଶୁଭିଲା, ନାକ ପୋଛିଲେ ।

 

କାନ୍ଦୁରା ପାଟିରେ ମନକୁ ମନ ଅଭିଯୋଗ ବଖାଣିଲେ “ଜୀବନଯାକ ଯାହା କମେଇଥିଲେ, ଗଞ୍ଜେଇ ଧୂଆଁରେ ସବୁ ଉଡ଼େଇଲେ, ଆଜି ଖାସି କଟାହବ, କାଲି ଖିରି ଖେଚେଡ଼ି, ଆରିସା କାକରା, ୟା’କୁ ଡାକ, ତାକୁ ଡାକ, ସମସ୍ତେ ଖାଇବେ । ଝୁଙ୍କ ତ ଯାହା ମନ ହେଲା । ଜମି ବିକି ବିକି ସରିଲା । ଆଉ ତିନିମାଣ, ସେ କାହିଁକି ପାଏ । ଜମିଦାର ଉଠିଗଲା ଯେ ଟଙ୍କା ଗଣ୍ଡାଏ ଯାହା ମିଳିଲା, ମନେ ପଡ଼ିଗଲା, ୟାଡ଼େ ଯିବି, ସ୍ୟାଡ଼େ ଯିବି, ୟା’କୁ ଦେବି, ତାକୁ ଦେବି, ଗଲା ସେତକ ବି ଫୁସ୍ । କେତେ ହାତ ଓଠ ଧରି ରାତିଦିନ ବୁଝେଇଲି, ଛୁଆ ପାଞ୍ଚଟା ଜନ୍ମଦେଇଛ, ତାଙ୍କ ପାଇଁ କିଛି ଥାଉ । କହିଲେ, ସଞ୍ଚି କ’ଣ ହେବ, କୋଉ ଧନ କାହାର ରହେ, ଠାକୁରେ ଅଛନ୍ତି । ଆଉ ଆଜି, ଏଡ଼େ ବଡ଼ ଖରାଦିନେ ପିଲାଏ ମୋର ଭୋକ ଉପାସରେ ହାଁ ହାଁ ।”

 

ବୋଉ ଲୁହ କାନ୍ଦୁ ନାହିଁ ରକ୍ତ କାନ୍ଦୁଛି । ଏଇ ଯେଉଁ ଭଙ୍ଗା ଭଙ୍ଗା ରହି ରହିକା ପଦେ ପଦେ କେତେବେଳେ ନାକ ଭିତରୁ କେତେବେଳେ ତଣ୍ଟି ଭିତରୁ ତା’ ଆଢ଼ୁଆଳରେ ଅଛି ରାଉ ରାଉ ଝାଞ୍ଜି ତୋଫାନ । ରମାକୁ ଚାଲିଛି ଅଠର, ସେ ପିଲା ନୁହେଁ, ବୁଝିପାରେ । ନିଃସହାୟ ହୋଇ ସେ ତା’ ବୋଉ ଆଡ଼କୁ ଅନାଇଁ ରହିଲା । ଶୁଖି ଶୁଖି ହାଡ଼ମାଳ, ଆକାରରେ ବାଙ୍ଗର ଥିଲା, ରମାର ଭୁଲତା ଖାଏ, ଆହୁରି ସରୁ ହୋଇଯାଇ ସେ ଦିଶୁଛି ରମାର ସାନଭଉଣୀ ପରି । ବେଶି ଧନ୍ଦି ହେଲେ ମୁଣ୍ଡ ଝାଇଁ ମାରିଦିଏ, ସେ ଶୋଇରହେ, ଏଥର ପୁଣି କାଳେ ସେମିତି ହେବ ! ବୋଉ ପ୍ରତି କରୁଣ ସହାନୁଭୂତିରେ ଭାସି ଯାଉ ଯାଉ ରମାର ଆଖିରୁ ଲୁହ ଝରିଲା । ଲୁହ ଜାଲ ଜାଲ ଆଖିରେ ସେ ଚାରିଆଡ଼କୁ ଅନେଇଲା । ଘରେ ଆଲୁଅ ଜଳୁ ନାହିଁ । ଜହ୍ନ ଆଲୁଅ ଓ ଛାତତଳ ଛାଇ ମିଶି ଗୋଟିଏ ବିଚିତ୍ର ପରିବେଶ, ସତେଅବା ୟେ ସତ ନୁହେଁ ସ୍ୱପ୍ନ । ମଝିଘର ଦୁଆରମୁହଁ ଆଡ଼କୁ ଦୃଷ୍ଟି ଗଲା । ଯେପରିକି ଗୋଟାଏ ନୂଆ ଦୃଷ୍ଟି ଖୋଲିଗଲା । ଲୁହ ଅଟକିଲା । ବଡ଼ ବଡ଼ ଆଖି ଫାଡ଼ି ଫାଡ଼ି ହୋଇ ସେହି ଆଡ଼କୁ ଅନାଇଁ ଥମ୍ବିଯାଇ ସେ ରହିଗଲା । କାଲି ପରି ଲାଗୁଛି । ପଦାକୁ କାଢ଼ି ସେଇଠି ତାଙ୍କୁ ଶୁଆଇ ଦେଇଥିଲେ । ସତେ ଯେମିତି ନିଘୋଡ଼ ନିଦରେ ଶୋଇଛନ୍ତି । ହେଇ ତ ଶୋଇଛନ୍ତି । ସେହି ଡେଙ୍ଗା ଦେହ, ଶୁଆଥଣ୍ଟିଆ ଲମ୍ବା ନାକ, ଓସାର ମୁହଁ, ସରୁ ଢିଲା ଓଠ, ଅଳ୍ପ ବଙ୍କା, ଯେମିତି କେଉଁ କଥାକୁ ପୂରେଇ ନାହିଁ, ଯେତେ ବଡ଼ କଥା ହେଉ ହସି ଉଡ଼େଇଦେବାର ଶକ୍ତି ଅଛି । ନିଶ୍ଚିନ୍ତ ଥିଲେ ନିଶ୍ଚିନ୍ତ ହୋଇ ଚାଲିଗଲେ । କଷ୍ଟରେ ବି ମରିନାହାନ୍ତି । ଏମିତି ଖରାଦିନ-। କୁଆଡ଼ୁ ବୁଲିଆସିଲେ କହିଲେ, ସାଧୁ ବୋଉ ମୋ ଦେହଟା କ’ଣ କେମିତି ଲାଗୁଚି, ଟିକିଏ ଶୋଇପଡ଼େ । ତିନିବର୍ଷ ପୂରି ଚାରିବର୍ଷ ଚାଲିଛି । ବୋଉ ଅଭିଯୋଗ ଅଜାଡ଼ୁଛି ତାଙ୍କରି ଉପରେ, ବିଚରା ଗଞ୍ଜେଇ ଟିକିଏ କେବେ ଟାଣୁଥିଲେ ଭଲ ଜିନିଷ ଖାଇବାକୁ ମନ କରୁଥିଲେ ବୋଲି ବୋଉ ସେହି କଥାକୁ ଉଲୁଗୁଣା ଦେଉଛି ।

 

ଝିଅର ଅକୁହା ମନ କଥା ସତେ ଯେପରି ମାୟା ଦେବୀଙ୍କ ମନରେ ପ୍ରତିଧ୍ୱନି କଲା । ସେ କହିଲେ: ସୁଖୀ ଲୋକ, ତାଙ୍କର ସେ ବାଉନ ବର୍ଷରେ ସରଗ ପୁରକୁ ଚାଲିଗଲେ, ତାଙ୍କୁ କାହିଁକି ନିନ୍ଦିବା, ନିନ୍ଦିବା ଆମ କର୍ମକୁ ।”

 

ରମା କହିଲା, “ତୁ ଆଉ ବ୍ୟସ୍ତ ହ’ନା ବୋଉ, ଡିବିଟା ଲଗା, ଚୁଲି ଲଗା, ମୁଁ ଯାଉଛି ମୂଷା ଭାଇ ଘରୁ ଆସେଁ ।”

 

ଲାଗୁଛି ବାପା ପିଣ୍ଡାରେ ବସି ହସୁଛନ୍ତି । “ମୋର ଝିଅ ନୋହୁଁ ପୁଅଟାଏ ତୁ ରମା” ସେ ବାରମ୍ବାର କହନ୍ତି ।

 

ରମା ପୁଣି ଏକରୁ ସେକର ଦୃଷ୍ଟି ବୁଲେଇ ଆଣିଲା । ଏକା ବାପା ନୁହଁନ୍ତି । ଅଜା, ଆଈ, ବୁଢ଼ୀ ବିଧବା ପିଇସୀ ଜେମି ଅପା ଯେ ଏ ଘରକୁ ଆପଣାର କରି ଆଦରି ରହିଥିଲେ ଆୟୁଷ ଥିବାଯାକେ, ପିଲାମାନଙ୍କୁ ମା’ଠୁଁ ବଳି ସ୍ନେହ କରୁଥିଲେ । ରମାର ନିଜ ଦେଖନ୍ତାରେ ସେମାନେ ଗୋଟି ଗୋଟି ହୋଇ ମରିଛନ୍ତି । ପିଲାଟି ଦିନୁଁ ଜେମି ଅପା ପାଖେ ସେ ଶୁଏ, ବାପ ମା’ ବଡ଼ଭାଇଙ୍କ ଗାଳି କି ଆକଟକୁ ସେହି ଏକା ଥିଲା ତା’ର ରକ୍ଷା କବଚ । ମନେ ପଡ଼େ, ଜେମି ଅପା କେମିତି ତାକୁ ଗେଲ ଆଦର କରେ, ନିଠେଇ ନିଠେଇ ମୁଣ୍ଡ କୁଣ୍ଡେଇ ଦିଏ, ଆପଣା ମୁଣ୍ଡରୁ ଧଳା ବାଳ ଓଟାରିପକାଇ ତା’ ମୁଣ୍ଡରେ ଗେଞ୍ଜିଦେଇ କହେ, ପାକେଲା ବୁଢ଼ୀ ହେବୁ, ବିଶା ଶହେ ବରଷ ବଞ୍ଚିବୁ, ଗୁଣ୍ଡା ବଳି ଘିଅଗିନାରେ ବୁଡ଼େଇ ଖୁଆଇ ଦିଏ, ଯୁଆଡ଼େ ଥିଲେ ବୁଢ଼ୀର ଡାକ ଶୁଭୁଥାଏ–ରମା ଲୋ ! ରମା ଲୋ !

 

ଏତେ ସ୍ନେହ ଆଦର କରୁଥିଲେ ଯେଉଁମାନେ, ମୋର ମୋର ବୋଲି ସତେ ଯେମିତି ଏ ମାଟିର ପ୍ରତି ଧୂଳିକଣାକୁ କୁଣ୍ଢେଇ ଧରିଥିଲେ, କୁଆଡ଼େ ଅନ୍ତର୍ଦ୍ଧାନ ହୋଇଗଲେ !

 

ଏତିକିବେଳେ ଯେତେବେଳେ ମୁଣ୍ଡ ଝାଇଁ ଝାଇଁ ହୋଇଯାଉଛି ଭୋକରେ ଆଉ ଦୁଃଖରେ, ବୋଉର ସନ୍ତାପ ହୃଦଭିତର ଜାଳି ଦେଉଛି, ଇଚ୍ଛା ଡାକୁଛି, ସେମାନେ ଥାଆନ୍ତେ କି । ଦୁଃଖ ଶୋକ ଅଭାବ ଯାତନା ବେଳେ ସମସ୍ତେ ଥାଆନ୍ତେ ଭାଗ ନେଇ ନେଇ ସବୁ ହାଲୁକା କରିଦେବାକୁ ।

 

ଭୁସ୍ କରି ଉଠିପଡ଼ିଲା, ଜାଣିଶୁଣି ଗୋଟାଏ ଅରୁଚିକର କାମ କରିବାକୁ ମନ ଟାଣ କଲାବେଳେ ଦେହ ଯେମିତି କାଠ ହୋଇଯାଏ, ରମା ସେମିତି ଆପଣାକୁ ଟାଣ ଆଉ ଥୋବରା କରି ଗୋଟିଏ ଗୋଟିଏ ହୋଇ ବାହାରିଗଲା । ସେ ମୂଷାଭାଇ ଘରକୁ ଯିବ ଚାଉଳ ଉଧାର ମାଗି । ମୂଷାଭାଇ ଘର,–ବୋଉ ତ ଜାଣେ ନାହିଁ ।

 

(ଦୁଇ)

 

ଘର ଲାଗୁଥିଲା ରୁନ୍ଧିଲା ରୁନ୍ଧିଲା, ସତେ ଯେମିତି ତଣ୍ଟି ଚିପି ହୋଇ ଯାଉଥିଲା । ଦାଣ୍ଡପିଣ୍ଡାକୁ ବାହାରି ପଡ଼ି ସେ ସାମ୍ନାକୁ ଅନାଇଁଲା, ଜହ୍ନ ରାତିର କଅଁଳିଆ ସଞ୍ଜ, ଦୁଲୁକି ଦୁଲୁକି ପବନ, ସେହି ଚିତ୍ରବିଚିତ୍ର ଗଛଗୁଡ଼ିକ ଉପରେ, ସାମ୍ନାର ବସ୍ତି ଉପରେ, ଗାଁ ଗୋଟାକର ବିସ୍ତୃତି ଉପରେ ତା’ର ଅନ୍ତର ଖେଳେଇ ହୋଇ ପଡ଼ୁଛି । ଗୋଟିପୁଅ କଣ୍ଠରୁ ସଙ୍ଗୀତ ଭାସିଆସୁଛି, ତା’ ସଙ୍ଗରେ ହାରମୋନିଆଁ ଓ ପଖୋଉଜ ବାଜା । ଗାଁ’ରେ ଆଜି ଯାତ ହେଉଛି, ଭେଦାଉଠେଇ ଚାଳିଶି ଟଙ୍କା ଦର ତୁଟେଇ ଗୋଟିପୁଅ ପଞ୍ଝାଏ ଅଣା ହୋଇଛି । ତା’ ଭାଇଭଉଣୀ ବି ସେଇଠି । ଘର ଘର ଖାଲି ।

 

ଜହ୍ନରେ ପାଲିସ୍ ଚିତ୍ର କାଳର ଆକାଶ, ସେଠି ସତେ ଯେମିତି ଅସଂଖ୍ୟ ଫୁଲ ପାଖକୁ ପାଖ ହୋଇ ସଜ୍ଜାହୋଇ ରହିଛି, ତା’ର ପାଖୁଡ଼ାରେ କଳା, ନେଳି, ଧଳା, ନାରଙ୍ଗି । ସେହି ଦୃଶ୍ୟରେ ଆପଣାକୁ ହଜାଇଦେଇ ରମା ଠିଆହୋଇ ରହିଲା । ତା’ପରେ ଅନୁଭବ କଲା, ମନ ଭିତର ଠାଏ ରୁଗୁ ରୁଗୁ ହେଉଛି । ବାରିବାକୁ ଚେଷ୍ଟା କଲା । ଯେଉଁ ଦୁଶ୍ଚିନ୍ତାର ବେଢ଼ା ଭିତରୁ ସେ ପଦାକୁ ବାହାରି ଆସିଛି ସେଥିପାଇଁ ନୁହେଁ । ଘରେ ଚାଉଳ ନାହିଁ ବୋଲି ନୁହେଁ, ଏମିତି କେତେଥର ହୁଏ, କେମିତି କେମିତି ହୋଇ ଚଳିଯାଏ, ବୋଉ ଚଳେଇଦିଏ, ସତେ ଯେମିତି କ’ଣ କିମିଆଁ ଜାଣେ । ହଁ, ମନେପଡ଼ିଲା, ବୋଉ କହୁ କହୁ କହିଥିଲା, ରାତି ପାହିଲେ ଝିଅଟା ପରଘରକୁ ଯିବ ।

 

ସେ ପରଘରକୁ ଯିବ । କେଉଁଠି ସେ ପରଘର ? ସେମାନେ ଠିକଣା କରୁଥିବେ, ବୋଉ ଆଉ ଭାଇ । ଛୁଟିରେ ଘରକୁ ଆସିଲେ, ଯେଡ଼େ ଗେହ୍ଲାରେ ତାକୁ ପାଖକୁ ଡାକିଲେ, ସ୍ନେହ ଆଦର କଲେ ବି ସେ ଦେଖେ ଭାଇଙ୍କ ମୁହଁରେ ଚିନ୍ତାର ଛାଇ । ସାଧୁଭାଇ ତାଠୁଁ ଛ’ବର୍ଷ ବଡ଼ । ତାଙ୍କର ବିଭା ହେବା ଦରକାର । ବିଦେଶରେ କେଉଁଠି ଖାଉଥିବେ କିଏ ଯତ୍ନ ନେଉଥିବ । ‘ଏ ବୋଝ ଉଠିଲେ ତ ! ବୋଉ ପଡ଼ିଶାମାନଙ୍କୁ କହେ । କେବେ କେବେ ଘରେ ଚୁଲି ଜଳେନାହିଁ ଅଥଚ ସେମାନେ ତା’ର ବିଭାଘର କରିବେ । ପୁଣି ବୋଧହୁଏ ମାଣେ ଜମି ବିକା ହେବ । ଶତ୍ରୁ ତ ସେ ନିଜେ !

 

ଏ ଘର ଚଳିବ କେମିତି ! ଆଖି ଆଗରେ ସବୁ ଦିଶିଯାଉଛି । ପିଲାଦିନେ ସେ ଦେଖିଛି ଏଇ ଘରର ଭିନେ ରୂପ । ଚାକର, ଚାକରାଣୀ, ହଳିଆ, କୋଠିଆ, ଗୁମାସ୍ତା, ତା’ଛଡ଼ା ଗୋଡ଼ାଣିଆ ଅନୁସରଣିଆ କେତେ । ଶଗଡ଼ରେ ବୋଝେଇ ହୋଇ ଧାନ ଆସେ, ପୋଖରୀରୁ ମାଛ, ହାଣ୍ଡି ହାଣ୍ଡି ଚୁଡ଼ା, ଦହି, ଗୁଡ଼, ଟୋକେଇ ଟୋକେଇ ପନିପରିବା, ଯାହା ଦରକାର ସବୁ । ଧାଡ଼ି ହୋଇ ଏହି ଯେଉଁ ଘରଗୁଡ଼ାକ ଏକା ପିଣ୍ଡା କରେ କରେ, ସବୁ ଘରେ ସେତେବେଳେ ଥିଲା ସମୃଦ୍ଧି, ଘର ଫାଟିପଡ଼ୁଥିଲା ମଣିଷ ଆଉ ଚହଳରେ । ସେତେବେଳେ ତାଙ୍କର ଗୋ ଗାଈ ଥିଲେ । ବଳଦ ମୁଣ୍ଡ ହଲେଇ ହଲେଇ ଏକର ସେକର ବୁଲୁଥିଲେ, ଗାଈ ବାଛୁରୀ ହମ୍ବା ରଡ଼ି ଦେଉଥିଲେ । ମୋଟ ମୋଟ ଚେରକୁ ଆଙ୍ଗୁଠି ଛକିରେ ଚିପିଧରି ନଦିଆ ଗଉଡ଼ ଦୁଧ ଦୁହୁଁଥିଲା ଗୋଟାଏ ବଡ଼ ଠେକିରେ-। ସେ ଦୃଶ୍ୟ ବି ଦିଶିଯାଉଛି । ନରୁଅଜା, ସେ ଅଜାଙ୍କ ବଡ଼ଭାଇ, ଝୋଟପରି ମୁଣ୍ଡବାଳ ବହଳ ହୋଇ ବଡ଼ ଚଟା ମୁଣ୍ଡଟାକୁ ଛାଉଣି କରିଥାଏ, ପାକେଲା ଆମ୍ବପରି ଗୋରା, ଦେହଯାକ ଚନ୍ଦନ ଛପା ଖାଲି ‘ଗୋରା’ ‘ଗୋରା’ ‘ଗୋରା’, ପିଣ୍ଡାରେ ବସିଥାନ୍ତି,–ନାଲି ନାଲି ଆଖି, ହାତରେ ମାଳି କୋଥଳି । ମନେପଡ଼େ, ଗୋଟା ଗୋଟା ଢିଙ୍କିଆ ପଣସ, ଘର ଭର୍ତ୍ତିକରି ନଡ଼ିଆଗଦା, କେତେବେଳେ ବଡ଼ ବଡ଼ ରୋହି ଭାକୁର କଟା ହେଉଥିବା ଦୃଶ୍ୟ, ପନିକିରେ ନୁହେଁ, ଟାଙ୍ଗିଆରେ ହଣାହୁଏ । ଆଉ ହାଣ୍ଡି ହାଣ୍ଡି ଆରିସା ପିଠା, ଘିଅ ପୁଚୁପୁଚୁ, କେଡ଼େ ନରମ, ସୁଆଦ ।

 

ଧ୍ୟାତ୍, ଘରେ ଚାଉଳ ନାଇଁ ପରା ! ରମା ଭାବି ଚଞ୍ଚଳ ହେଲା । ସେ ଘରର ଛାଇମାନଙ୍କ ସଙ୍ଗେ ଛାଇଟିଏ ପରି ବୋଉ ମିଶିଯାଇଥିବ, ପାଣି ତତୋଉଥିବ । ଯାଉ ଯାଉ ପିଣ୍ଡା ଉପରେ ଠାଏ ଅଟକି ଠିଆହୋଇ ରମା ସେହି ପୁରୁଣା କଥା ଭାବୁଛି ।

 

ନିଜକୁ ଚେତାଇଦେଲା । ତା’ପରେ ପୁଣି ଅଟକିଗଲା ଭାବୁଭାବୁ । ସୁଖର ଅତୀତର ଭୂତ ଦେଖି ସେ ମନକୁ ଭୁଲାଇଛି । ସେମିତି ଜେମିଅପା କହୁଥିଲା ସରଗପୁରର କଥା, ସେପୁରରେ କୁଆଡ଼େ କଷ୍ଟ ନାହିଁ, ଦକ ନାହିଁ, ଯେତେବେଳେ ଯାହା ମନକଲେ ତାହା ଆ’ କହିଲେ ଯେତେ ଦାମୀ ଦାମୀ ଭୋଗର ଚିଜ୍‍ସବୁ ହାତକୁ ପାଟିକି ଚାଲିଆସେ, ମନ ସବୁବେଳେ ହସଖୁସିରେ ଫୁଲି ଉଠୁଥାଏ । ଏ ଜନ୍ମଟା ଯେଡ଼େ ଦହଗଞ୍ଜରେ ଯିବ ଯାଉ, ଏ ଜୀବ ଏଠୁ ଗଲେ ସିଧା ସରଗପୁର । କିନ୍ତୁ ସେଥିପାଇଁ ଆଗରୁ ବାଟ କାଟିବାକୁ ପଡ଼ିବ । ସେଇଥିପାଇଁ ଏତେ ପୂଜାଓଝା ଓଷାବାର, ଉପାସ ବ୍ରତ । ଏକାଦଶୀ ପଡ଼ିଥିବ, ଜେମି ଅପାର ଭୋକରେ ନିଆଁ ଜଳୁଥିବ, ମୁହଁକୁ କୁମ୍ପି କରି ଦେହକୁ ଶୁଖୁଆ କରି ସେ ପୂଜା ସରିବାଯାକେ ଅପେକ୍ଷା କରି ରହିଥିବ, କାହିଁକି ? ସେହି ସରଗପୁର ପାଇବ ବୋଲି ତ ! ବାପା ନିଜେ ଏଡ଼େ ଫୂର୍ତ୍ତି ମଉଜି ଲୋକ ଥିଲେ, ଦିନେ କେବେ ନିଜ ମୁଣ୍ଡକୁ ଚିନ୍ତା ନେଇନାହାନ୍ତି, ଉପାସ ବ୍ରତ କରିବା ଲୋକଙ୍କୁ, ପୂଜା ଓଝାକୁ କେତେଥର ହସରେ ଉଡ଼ାନ୍ତି, କିନ୍ତୁ ନିଜେ ବି କେତେ ପୂଜା ସେ ଆପଣା ଘରେ କରାଇଛନ୍ତି, ବ୍ରାହ୍ମଣଭୋଜନ କରାଇଛନ୍ତି, ତାଙ୍କର ସେ ଯେଉଁ ପଦ୍ମପତ୍ର ପରି ନିଶ୍ଚିନ୍ତ ପ୍ରଫୁଲ୍ଲ ଠାଣି, ଯେଉଁଠି ବାହାରର କିଛି ଅଟକି ରହିବାର ଦେଖାଯାଏ ନାହିଁ ସେଠି ଯେତେବେଳେ ସେ ଅସ୍ୱାଭାବିକ ଭକ୍ତିର ଛବି ଦେଖେ ସେତେବେଳେ ବିହ୍ଵଳ ହୋଇ ଚାହିଁରହେ । କ’ଣ ସେ ? ଅଜଣା ଅଦେଖା କୌଣସି ଶକ୍ତିକୁ ଶ୍ରଦ୍ଧା ? ଡର ? ଖାଲି ସେତିକି ନୁହେଁ, ଗୋଟାଏ ବଡ଼ ଆଶା, ଏ ଜନ୍ମଟା ସୁଖରେ କଟୁ, ଆର ଜନ୍ମରେ ସରଗପୁର । ନିଜପାଇଁ ଓ ନିଜର ବଉଁଶ କୁଟୁମ୍ବ ସମସ୍ତଙ୍କ ପାଇଁ । ସେହି ଆଶାରେ ଏ ଜନ୍ମର ସବୁ ଅଭାବ ଅନିଭୋଗ ପାର କରିହେବ, ଘରେ ନଥାଉ ଚାଉଳ । ଦୁଃଖ କଷ୍ଟ ବି ଏଇ ଥରଟିଏ ନୁହେଁ, କେତେ ଆସିଛି, ଆସିବ ।

 

ସେହି ସୁଖର ଦିନ ପରେ, ଆସିଲା କଷ୍ଟ ଅଭାବର ଦିନ, ଆଉ ଘରେ ଘରେ କଳିଗୋଳ । ଖୁଡ଼ୀ ନେଲେ ଦୀକ୍ଷା, ଅତ୍ରପଡ଼ା ବାବାଜି ଆସିଥିଲେ । ହଠାତ କାହିଁକି ଖୁଡ଼ୀଙ୍କର ଏତେ ଧର୍ମଭାବ ଉଛୁଳିପଡ଼ିଲା ତା’ କହିହେବ ନାହିଁ । ସେଥିପାଇଁ ଦାମ ଦାଦିଙ୍କର ବାପାଙ୍କର କେତେ କଳିଗୋଳ ଲାଗିଲା । ସେପାଖେ ଖୁଡ଼ୀ ଉପାସ ଶୋଇଲେ, ଏପାଖେ ବାପା । ଶେଷରେ ଖୁଡ଼ୀ ଜିତିଲେ, ଦୀକ୍ଷା ନେଲେ । ଦୀକ୍ଷାର ଅର୍ଥ ଯଦି ଖାଲି ସକାଳେ ଥରେ ସଞ୍ଜରେ ଥରେ ଚେକାମହୁଲି ପକାଇ ବସି ସ୍ୱର ଥରେଇ ଥରେଇ ନାକବାଟେ ଭଜନ ଗାଇବା ହୋଇଥାନ୍ତା, ଚିନ୍ତା ନଥିଲା । ଦିନାକେତେ ପିଲାଏ ପାଳି ଧରିଥିଲେ । କିନ୍ତୁ ସେତିକି ନୁହେଁ । ଦୀକ୍ଷିତା ଖୁଡ଼ୀ ମାଛ ମାଂସ ଖାଇବେ ନାହିଁ । ବଡ଼ମାଛ ତ ବଡ଼ମାଛ, ପିତା ଶୁଖୁଆର ବାସ୍ନା ଯଦି ତାଙ୍କ ନାକରେ ବାଜିଗଲା ତେବେ ସେ ଅଥୟ । ପିଆଜ ରସୁଣ ବି ସ୍ୱର୍ଗଦ୍ୱାରକୁ ଆଗୁଳ, ସେଥିରେ ଧର୍ମହାନି ହୁଏ-। ଯେଉଁମାନେ ମାଛ ମାଂସ ପିଆଜ ରସୁଣ ଖାଆନ୍ତି କୌଣସି ବାସନରେ ସେମାନେ ଖାଇଲେ କି ପିଇଲେ ସେ ଦୂଷିତ ହୋଇଯାଏ, ଖୁଡ଼ୀ ତାକୁ ଛୁଇଁବେ ନାହିଁ । କେତେଥର ଏହି କାରଣରୁ କଳି ଲାଗିଛି, ଖୁଡ଼ୀ ଭାତ ଖାଇନାହାନ୍ତି, ରାଗ ଶୁଝେଇବାକୁ ପିଲାଛୁଆଙ୍କୁ ବାଡ଼େଇଛନ୍ତି, ଘରେ ଭେଁ ଭେଁ ଫୋପଡ଼ା କଚଡ଼ା । ତା’ପରେ ଦିନେ ବାପାଙ୍କ ତୁଣ୍ଡରୁ ହିଁ ବାହାରିଗଲା,–“ଆରେ ଦାମ, ବୋହୂଟା ତ ଅସୁଖ ପାଉଛି, ତା’ପାଇଁ ଅଲଗା ରୋଷେଇ ହେଉ ।” ଭାଇ ଲଖ୍ଵଣ ସତେ ଯେମିତି ସେହି ଉପଦେଶ ପାଇଁ ଅପେକ୍ଷା କରିଥିଲେ, ଅବଶ୍ୟ ତା’ ଆଗରୁ ବି କେତେ କେତେବେଳେ ଠାକୁରଙ୍କୁ ପାଣି ଛଡ଼େଇବା ବାହାନାରେ ଖୁଡ଼ୀ ଅଲଗା ରାନ୍ଧନ୍ତି, କେବେକେବେ ଚଣ୍ଡ ବି ଦିଅନ୍ତି । ଏଥର ହୋଇଗଲା ଅଲଗା ରୋଷେଇ, ନାଁ’କୁ ଖୁଡ଼ୀ ପାଇଁ, କାର୍ଯ୍ୟତଃ ଦାଦିଖୁଡ଼ୀ ଓ ସେମାନଙ୍କର ସବୁ ପିଲାଛୁଆଙ୍କ ପାଇଁ । ତା’ପରେ ଦେଖାଗଲା ମଝିରେ ମଝିରେ ଦୁଇ ବିଲେଇ କଳି କଲାପରି ବୋଉର ଖୁଡ଼ୀର ଗରଗର ତମତମ, କାନ୍ଥକୁ ବାଡ଼କୁ ଉପଲକ୍ଷ ଦେଇ କଥା ଫୋପଡ଼ା ଫୋପଡ଼ି, ପାଚିରି ଡିଆଇଁ, ଅଗଣା ଡିଆଇଁ । ସେଉଠୁ ଦିନେ ବାପା ଦାଦିଙ୍କର ବୋଲାବୋଲି ଶୁଣାଗଲା, ଯେମିତି ବୁଢ଼ୀଅସୁରୀ ଗାଳିଲା ପୂର୍ବରୁ ନଇମୁଣ୍ଡ ଡାକେ । କେତେ ଉଘାଉଘି ଗଇ ଖୋଳାଖୋଳି, କେତେ ଅଭିଯୋଗ କରାକରି,–“ତମେ ଉଜାଡ଼ିଚ”, “ତୁ ଖାଇଗଲୁ” ଏମିତି କେତେ ବଚନିକା, ଆଉ ତହିଁରେ କେତେ ଜମିବାଡ଼ି ହିସାବକିତାପର ଉଲ୍ଲେଖ, ଯାହା ସାଧାରଣଙ୍କୁ ଅଜଣା । ତହିଁର ଅଳ୍ପଦିନେ ବାପା ଦାଦି ଭିନେ ହୋଇଗଲେ, ଯାହା ପରୋକ୍ଷରେ ଥିଲା ତା’ ପ୍ରତ୍ୟକ୍ଷ ହେଲା । କୋଠଚଳଣି ଭାଙ୍ଗି ସମ୍ପତ୍ତିବାଡ଼ି ଫଡ଼ାଫଡ଼ା କରିବାକୁ ‘ଭଲଲୋକ’ ଆସିଲେ, ବସିଲେ, ପାନ ଖାଇଲେ, ଲେଖା ପଢ଼ି ଦସ୍ତଖତ ଦିଆଦେଇ ସରିଗଲା, ଗଲା ।

 

ସାଧୁଭାଇଙ୍କ କାନ୍ଧ ଥାପୁଡ଼େଇ ବାପା କହିଲେ, “କିଛି ଚିନ୍ତା ନାଇଁରେ ସାଧୁ ! ତୁଇ ମୋର ଟଙ୍କାଗଛ । ତୁ ଫଳିଲେ ଏ ବଂଶଯାକର ଦୁଃଖ ଯିବ !” ସତେ ଯେପରି ସମ୍ପତ୍ତି ଭାଗ ହୋଇଯିବାରୁ ନିରାଶା ଆସିଲା ବୋଲି ବାପା ସାଧୁଭାଇଙ୍କ ମୁହଁକୁ ଦେଖି ଆଶା ଗଢ଼ୁଥିଲେ । ନିରାଶା ଫଳିଗଲା, ବାପା ଏଡ଼େ ହିସାବୀ କି ଉଦ୍ୟୋଗୀ ନୁହଁନ୍ତି, ହିସାବପତ୍ରରେ ଢିଲାଢିଲା, ଆୟ ଆମଦାନି କମିଗଲା, କିନ୍ତୁ ଆଶା ଫଳିଲା ନାହିଁ । ଦୁଇଥର ଉଦ୍ୟମ କରି ସୁଦ୍ଧା ସାଧୁଭାଇ ବି.ଏ. ପାସ୍ କରିପାରିଲେ ନାହିଁ । ଅବଶ୍ୟ ଆଇ.ଏ. ବି ସେ ଥରେ ଫେଲ୍ ହୋଇଥିଲେ ଯେ । ତା’ପରେ ସାଧୁଭାଇ ଖଣ୍ଡେ ଷାଠିଏ ଟଙ୍କିଆ କିରାଣି ଚାକିରି ଧରିନେଲେ ସହରରେ । ବାପା ଉତ୍ସାହ ଦେଇ କହିଲେ, “କପାଳ ଥିଲେ ଏତିକିରୁ ଉପରକୁ ଉଠିଯିବୁରେ ସାଧୁ, ମୁହଁ ଶୁଖା ନାହିଁ, ମନଦେଇ କାମ କର” । ପାଠ ପଢ଼ିଲାବେଳେ ମାସକୁ ମାସ ଯାହାଙ୍କ ପିଛା ଖର୍ଚ୍ଚ ହେଉଥିଲା ପଚାଶ ଷାଠିଏ, ସେ ତାଙ୍କ ଆୟର ଜୀବନ ଆରମ୍ଭ କଲେ ସେହି ଷାଠିଏ ଟଙ୍କାରେ । ବଳେ ନାହିଁ । କେବେ କଦବା ଦି’ମାସରେ ତିନି ମାସରେ କୋଡ଼ିଏ ତିରିଶ ଟଙ୍କା ଘରକୁ ପଠାନ୍ତି । ବାପା ଆହୁରି ଆହୁରି ଜମି ବିକନ୍ତି, ଭାଇ ଫେରାଦ ହୋଇ ବୋଉ ପାଖକୁ ଚିଠି ଲେଖନ୍ତି, ବାପା ଶୁଣି ବି ଶୁଣନ୍ତି ନାହିଁ, ଦୁଗୁଣେଇ ହୋଇ ଖର୍ଚ୍ଚ ବଢ଼ାନ୍ତି ।

 

ତା’ପରେ ହଠାତ ବାପା ଚାଲିଗଲେ ।

 

ତାଙ୍କ ସଙ୍ଗେ ସଙ୍ଗେ ସତେକି ଶିରୀ ଚାଲିଗଲା, ଖାଲରେ ପଡ଼ୁ, ଢିପରେ ପଡ଼ୁ ଆଗ ପଛ ନ ଭାବି ଆଖିବୁଜି ଖର୍ଚ୍ଚ କରିଯିବାର ମନବଳ ଆଉ କାହାରି ନାହିଁ । ଚିରାଫଟା ଖାଲଖମା ଉପରେ ଯେଉଁ ସୁନ୍ଦର ସଫା ଚାଦରଟି ପଡ଼ିଥିଲା ସେ ଗଲା ଉଡ଼ି ।

 

ବେଳ ନଷ୍ଟ କରି ପିଣ୍ଡାଟାରେ କାନ୍ଥକୁ ଆଉଜି ଠିଆହୋଇ ସେ କ’ଣ ଗୁଡ଼ାଏ ଭାବି ଲାଗିଛି ? ନିଜକୁ ନିଜେ ଗଞ୍ଜି ହେଲା । କିନ୍ତୁ ଆପଣା ପ୍ରତି ଧିକ୍‍କାର ସେହି ଉପର ମନରେ ହିଁ ଅଟକିଗଲା, ଭିତରକୁ ଭେଦିଲା ନାହିଁ ।

 

ସେ ଦାୟୀ ନୁହେଁ ସେହି ମନ-ଗହୀରର ଛପିଲା ମୁଁ ତା’ର ଉତ୍ତର ସଞ୍ଚରିଲା । ସେ ତ ନିର୍ଲିପ୍ତ ନିର୍ବିକାର । ଯେତେଦିନ ପାରିବ ସେତେଦିନ ବଞ୍ଚି ରହିବାକୁ ସେ ଜନ୍ମ ହୋଇଛି । ଯେତିକି ତା’ଦେଇ ହୋଇପାରିବ ସେତିକି । କଳପଣା ବି ସୁଆଦ, ନିମ୍ବପିତା ବି ସୁଆଦ, ଯାହାଥିବ କର୍ମରେ-

 

ଝାଙ୍କି ହୋଇ ଆଗକୁ ଚାଲିଲା ।

 

ପିଣ୍ଡା ଉପରେ ମୂଷାଭାଇ ଘରର ଖଞ୍ଜା କବାଟ ପଡ଼ିଛି । କବାଟରେ ବାଡ଼େଇ ବାଡ଼େଇ ଡାକିଲା, “ନୂଆବୋହୂ” ।

 

(ତିନି)

 

ମୂଷାଭାଇ ଭାରିଯାକୁ ଚାଉଳ ଉଧାର ମାଗିଲେ ସେ ତା’ର କ’ଣ ଉତ୍ତର ଦେବ ଝକ୍ କରି ଆଖି ଆଗରେ ଦିଶିଯାଉଛି, କବାଟ ଫାଳକ କେଁ କରି ଶବ୍ଦ କରି ଭିତରକୁ ଖୋଲୁ ଖୋଲୁ । ସେ ଯାହା କହିବ ସେତକ ସେତେ ଛଳ ନାହିଁ, ଯାହା ନ କହିବ ତାକୁ ବେଶି ଡର । ତା’ର ବଡ଼ ବଡ଼ ଡବ ଡବ ଆଖିକୁ ସେ ନାନା ବାଗରେ ଛାଟି ପାରେ ଆଉ ଖଞ୍ଜି ପାରେ । ତାକୁ ଯାହା ପଚାରିବ ସତେ ଯେମିତି ନିଜର ପ୍ରଶ୍ନ ନିଜଠି ବାଜିବ ଓଲଟି, ଆଉ ତା’ ମୁଣ୍ଡରୁ ବାହାରିବ ପଦେ କଥା–“ହୁଁ”, ଲମ୍ବି ଲମ୍ବି, ନାନା ସ୍ୱରରେ ।

 

ସେହି ‘ହୁଁ’ ପଦକ ହିଁ ଚେତେଇଦିଏ–ଆଜି ଆସିଛ ଅକାରଣ ହୋଇ ମୋର ସାହାଯ୍ୟ ମାଗି, ଭୁଲିଗଲ କାଲିକା କଥା ?

 

ସତେ ତ, ମଣିଷ ଯାହାର ଅନିଷ୍ଟ କରିଥାଏ ତା’ରି ପାଖରେ ତ ମୁଣ୍ଡ ନଇଁପଡ଼େ, ସରମ ଲାଗେ । ସବୁ ଦକ ଦକ ସବୁ ସନ୍ଦେହ ସେଇଠି । ମାଡ଼ ଖାଇଲେ ପଛେ କାଟେ ନାହିଁ । ମାଡ଼ ମାରିଲେ ଆପଣାଠିଁ କେଉଁ କଣରେ ଛପି ରହିଯାଏ ଅନିଭା କଟାଦାଗ, ବେଳ ପଡ଼ିଲେ ହାକୁ ହାକୁ ଜଳେ ।

 

ମୂଷାଭାଇ ରକ୍ତର ଭାଇ ନୁହେଁ, ଖଞ୍ଜାର ଭାଇ, ତା’ରି ଭାରିଯା ଏ ରେବ । ପାଞ୍ଚବର୍ଷର ବୋହୂପଣ, ବଡ଼ଝିଅ ମୀନା, ଚାରିବର୍ଷ ପୂରିବ, ତା’ ତଳକୁ ପୁଅଟି କୁନା, ତିନିବର୍ଷ ଚାଲୁଛି । ରେବତୀ ରମାଠୁଁ ତିନିବର୍ଷରୁ ବେଶି ବଡ଼ ନୁହେଁ କିନ୍ତୁ ଚେହେରାରେ ଠାଣିରେ ସେ ତା’ଠୁଁ ତିନିବର୍ଷ ସାନ ପରି ଦିଶେ । ଡଉଲ ଡାଉଲ ଗୋଲଗାଲ, ବହଳ ଅଣ୍ଟା, ପୂରିଲା ପୂରିଲା ଗୋଲ ମୁହଁ, ଭାସିଲା ଭାସିଲା ଆଖି, ମୁଣ୍ଡରେ ବହୁତ ବାଳ, ଘଞ୍ଚ କଳା ମିଶ୍ ମିଶ୍ । ବର୍ଣ୍ଣ ଠିକ୍ ସେତିକି ଯାହାକୁ କଳା କୁହାଯିବ ନାହିଁ, ଯାହାକୁ କହନ୍ତି ମଧୁର ବର୍ଣ୍ଣ । ସେ ଆପଣା ଦେହର ଯତ୍ନ ନିଏ, ଘଷି ମାଜି ପରିଷ୍କାର ରଖେ, କିନ୍ତୁ କେବଳ ସେତିକି ନୁହେଁ, ସେ ଦେହକୁ ସଜାଏ, ସତେ ଯେମିତି କୁଆଡ଼େ ବୁଲି ବାହାରିଛି । ତା’ ବେଣୀପରା, ମୁଣ୍ଡବନ୍ଧା, ଡାହାଣପଟ ଖୋଷଣି, ତିନିଥାକ କରି ଗୋଲ ବୁଲାଇ ଶାଢ଼ି ପିନ୍ଧା ଅନେକ ବୋହୂ ଝିଅଙ୍କର ଅନୁକରଣୀୟ ହୋଇଥିଲା । ସେମିତି ତା’ର ମୁଣ୍ଡରେ ଫୁଲ ପିନ୍ଧିବା ସଉକ । ସେ ଉପରେ ପଡ଼ି ବୋହୂ ଝିଅଙ୍କୁ ସଜେଇଦିଏ, ପୋଷାକ କି ଠାଣି ତା’ ଆଖିକି ଅସୁନ୍ଦର ଦିଶିଲେ ଖୁଣି ଖୁଣି ବାଗରେ ପକାଇଦିଏ । ହଂସ ଚାଲିଲା ପରି ତା’ ଚାଲି, ତା’ର ଖଲେଇ ଖଲେଇ ମିଠା ହସ ଯେ ମଝିରୁ ଭାଙ୍ଗିଯାଇ ସରୁ ସରୁ ଢେଉ ହୋଇ ମିଳାଇଯାଏ । ତା’ର ସରଳ ପ୍ରସାଧନର ସୁଗନ୍ଧ, ସବୁବେଳେ ତା’ର ହସ ହସ ମୁହଁ, ଏସବୁ ଲକ୍ଷ୍ୟ କରି ନ ଥିବେ ଏପରି କେହି ଲୋକ ହିଁ ନ ଥିଲେ ।

 

କିନ୍ତୁ ଲୋକେ ସେହିପରି ଗୋଛି ଉଣ୍ଡି ଉଣ୍ଡି ଲକ୍ଷ୍ୟ କରିବାଟା ହିଁ କାଳ ହେଲା । ଆଗ ଉଠାଇଲେ ଜାତିରେ ପ୍ରକୃତରେ ସେ କରଣ ନୁହେଁ, କରଣଙ୍କ ଅନ୍ତର ଘର ଝିଅ, ଭାଇମାନେ ପାରିଗଲେ, ବାପ ପର କଲା । ମୀନା ଜନ୍ମ ହେଲା ସେ ଏ ଘରେ ଗୋଡ଼ ଦେବାର ସାତମାସରେ, ସୁନ୍ଦର ସୁସ୍ଥ ପିଲା । ସାହି ଲୋକେ ଦୋଷ ଧରିଲେ–ଛ’ ସାତ ମାସରେ ପିଲା ଜନ୍ମହେଲା କିପରି ଆଉ ସେ ବଞ୍ଚିଲା ବା କାହିଁକି । ଏ ଗାଁ’ରେ ଲୋକଙ୍କ ହେତୁ ପାଇଲାଦିନୁଁ ଏପରି ନଜିର୍ ନଥିଲା । ତେଣୁ ଚାଲିଲା ଟୁପୁରୁ ଟାପୁରୁ । କେବେ କେବେ କୁଣିଆ ହୋଇ ଆସି ପହଞ୍ଚିଯାଏ ବୋହୂର କେଉଁ ପିଇସୀପୁଅ ଭାଇ ହର । କଳା ମିଶି ମିଶି ଆବୁଆବୁଆ ଦେହ, ସତେକି ମାଛି ଖସିପଡ଼ିବ । କୋଡ଼ିଏ ବାଇଶିବର୍ଷର ଭେଣ୍ଡା, ଥରେ ଦେଖିଲେ ଅନାଇଁବାକୁ ମନ ହୁଏ । ଆଜିକାଲି କେଉଁ ଭାଇ କାହାର । କିଏ ସେ ୟେ ଆଳିଆ ଲେଖାରେ ବାଳିଆ ବନ୍ଧୁ । ସତେ କେଉଁ ପିଇସୀ ନା ତୁଚ୍ଛା ମିଛିମିଛିକିଆ ! କାହିଁକି ସେ ବୋହୂପାଇଁ କେବେ ମୁଣ୍ଡ ତେଲଟାଏ କେବେ ଶାଢ଼ି ଖଣ୍ଡେ ଘେନିଆସେ-! କାହିଁକି ବୋହୂ ତାକୁ ଦେଖିଲେ କାନ୍ଦେ । ଘର ଭିତରକୁ ଡାକିନେଇ କେତେ କ’ଣ ଦୁଃଖ ସୁଖ ହୁଏ । ହସି ହସି ଟୋକାଟା ଭିତରକୁ ପଶେ, ବାହାରିଲାବେଳକୁ ମୁହଁ ଗମ୍ଭୀର, କେବେ କେବେ ଆଖି ଛଳ ଛଳ ! ଲାଗିଲା ରେବୀ ବିଷୟରେ ଚର୍ଚ୍ଚା, ଚର୍ଚ୍ଚIରୁ ଚୋଟ ହଣା, ଆଗ ଆସ୍ତେ ଆସ୍ତେ, ତା’ପରେ ବେଶି ବେଶି ଜୋର୍‍ରେ କାଟିଲା ଭଳି । ମୂଷାଭାଇ ଶୁଣି ନ ଶୁଣିଲା ପରି ବସି ବସି ବିଡ଼ି ଟାଣେ । ମୁରୁକି ହସା ଦେଲାପରି ମୁହଁଟା ରହିଥାଏ ଏକା ଠାଣିରେ, ପେଟଟି ଟୁମୁକା ଟୁମୁକା । ମୂଷାର କପାଳ ତେଜ, ଏକା ସାଙ୍ଗରେ ଗାଈ ବାଛୁରୀ ଘରକୁ ଆଣିଲା । ମୂଷାଟା ଅମଣିଷ, ପିମ୍ପୁଡ଼ିର ହେଲେ ରାଗ ଅଛି, କାମୁଡ଼ି ଦେବ, ମୂଷାର ତା’ ନାହିଁ ।” ମୂଷା ଯେଉଁ ମାଦଳକୁ ସେହି ମାଦଳ । ବାଉଁଶବଣ ସେକରେ ଗାଁ ଗୋହିରୀ ଉପରେ ସାନ ଦୋକାନ ଖଣ୍ଡିଏ ମୂଷା କରିଛି-। ଦିନେ ଦିନେ ଯାଉଁଳି କବାଟରେ ଖଣ୍ଡିଆ ତାଲା ଝୁଲୁଥାଏ, ମୂଷା ଯାଏନାହିଁ । ଦୋକାନ ବି କଲା ବୋହୂ ଘରକୁ ଆସିଲା ପରେ, ସେଥିପାଇଁ ବି ରେବୀ ନାଁ’ରେ ବାର କଥା ଉଠିଲା, ସେ ଖୋଜୁଛି ମୂଷା ବାହାରେ ବାହାରେ ଥାଉ, ସେଇଥିପାଇଁ ଘଇତାକୁ ଦୋକାନ କରେଇଲା ପରା, ନହେଲେ ଯେଡ଼େ ଗରିବ ହେଲେ କେବେ ଶୁଣାଥିଲା ସାଆନ୍ତ କୁଟୁମ୍ବ ଭିତରର କେହିଜଣେ ଦଣ୍ଡୀ ତରାଜୁ ଧରିଛି ବୋଲି ? କେବଳ ସେତିକି ନୁହେଁ, ମୂଷା ଓଡ଼ିଆ ବଙ୍ଗଳା ହୋମିପାଥି କବିରାଜି ବହି ସବୁ ବି ପଢ଼ୁଛି, କୁଆଡ଼େ କହୁଛି ଚାଷରେ ଆଉ କିଛି ନାହିଁ ନିଜ ହାତରେ ତ ହଳ ବୁଲେଇ ହେବ ନାହିଁ, ଆଉ ଏଣିକି ନିଜେ ଯେ ହଳ ନ କଲା ସେ ତ କିଛି ପାଇବ ନାହିଁ । ତେଣୁ ସେ ‘କୁଆକ୍ ହେବ’ । ‘ପ୍ରାଃଟିସ୍’ କରିବ, ତେଣୁ ସେ ପଢ଼ୁଛି, ବିଲ ବୁଲିଗଲେ ବି ହାତରେ ବହି ଖଣ୍ଡେ । ଖବର ପାଇ ଲୋକ ବି ଆସୁଛନ୍ତି ‘ଏ ନାଳଝାଡ଼ା ମତେ ସାରିଦେଲା ମୂଷା’ ଟିକିଏ ଭଲ କରି ବହିଟା ଦେଖି ଓଷଦ ପାନେ ଦବ ।” “ଏ ଦାନ୍ତମୂଳ ବିନ୍ଧା ମୋର ଭଲ ହେଲା ନାହିଁ ମୂଷୁରେ, ଟିକିଏ ଦେଖିବୁ ତ-।” “ଯାହା ଖାଇଲେ ଅଜୀର୍ଣ୍ଣ ବାବୁ ମୂଷିବାବୁ, ପୋଥିରେ କି କି ଚେରମୂଳିକା ଲେଖିଚି ଟିକିଏ ଘାଣ୍ଟି ଦେଖିବଟି” ମୂଷାଭାଇ ଏବେ ବି ପଢ଼ୁଛି ।

 

ଚୋଟ ହାଣି ଫଳ କିଛି ନ ହେବାର ଦେଖି ଲୋକେ ନିରସ୍ତ ହେଲେ, କିନ୍ତୁ କଥା ରହିଗଲା ଆପଣା ମନ ଭିତରେ । ତେଣୁ ତ ରମାକୁ ମାଡ଼ିପଡ଼େ । ସେତେବେଳେ ବାହାଦୁରି କୁହାଯାଉଥିଲା ଏହି ବିଚିତ୍ର ସଜାସଜି ହସ ହସ ବୋହୂଟି ବିଷୟରେ କିଛି ଖବର ସଂଗ୍ରହ କରି ପଦାରେ ବାଣ୍ଟିବାକୁ । ରମାକୁ ରେବ ଗେହ୍ଲା କରେ, ଦେହଘଷା ହେବାକୁ ଅଳି କରେ । ସେହି ଆଗ ଖବର କହିଥିଲା ଯେ, ମୂଷାଭାଇ ଭାରିଯା ପାଖରେ ସେ ଦି’ଖଣ୍ଡ ବହି ଓ ଖଣ୍ଡେ ପୋଥି ଦେଖିଆସିଛି, ତା’ର ଫୁଲପକା ଲୁହା ବାକ୍‍ସରେ ଥାଏ, ଖଣ୍ଡେ ତ ସରୁ ବହିଟିଏ ତା’ ନାଁ’ ନଟୁଚୋରି, ଆଉ ଖଣ୍ଡେ ଲାବଣ୍ୟବତୀ, ଆଉ ସେ ପୋଥି ଖଣ୍ଡକରେ ଏମିତି ଛବି ସବୁ ଅଙ୍କା ହୋଇଛି ଯେ ତାକୁ ଅନାଇଁ ହେବ ନାହିଁ । କିଏ ଦେଇଥିବ ? କେମିତି ସେ ପୋଥି କି ବହି ହାବୁଡ଼େ ପଡ଼ିବ ? ଚେଷ୍ଟା ବିଫଳ ହେଲା । କିନ୍ତୁ ରମା ତା’ର ବୁଦ୍ଧି ପାଇଁ ପ୍ରଶଂସା ପାଇଲା ।

 

ତା’ପରେ ଧୂଷାଭାଇ କଥା, ମୂଷାଭାଇଠୁଁ ଦି’ବର୍ଷ ସାନ, ଠାଣି କି ଢାଞ୍ଚାରେ ତା’ର ଠିକ୍ ଓଲ୍‍ଟା । ଧୂଷI ସେକେଣ୍ଡ୍ କ୍ଲାସ୍ ଯାକେ ପାଠ ପଢ଼ିଛି । ସହରରେ ଛାପାଖାନାରେ ବର୍ଷେ କରିଥିଲା-। ଟିଣ ଅମେଳାପି, ଟିକିଏ ସରୁଆ, ଡେଙ୍ଗା, ସବୁବେଳେ ଦିଶୁଥାଏ ଯେମିତି କ’ଣ ଗୋଟାଏ ଭାବୁଛି, କାହାକୁ କଥା କହିଲେ ସତେ ଯେମିତି ନିଦରୁ ଉଠି ଝାଙ୍କି ହୋଇ କଥା କହୁଛି । ହଠାତ ବଡ଼ ପାଟି କରି କହିଉଠିବ “ହେଇ ରମା, କୁଆଡ଼େ ଆସିଛୁ ?” ଯେମିତି ଧମକୋଉଛି । ବସି ବସି କ’ଣ ଗୁଡ଼ାଏ ଗାରୋଉଥାଏ । ମଣିଷ ଦେଖିଲେ ଲୁଚାଏ ।

 

ତା’ ଆଖିରେ ରମାର ଦୃଷ୍ଟି ବାଜିଲେ ଧକ୍‍କା ଖାଇ ଫେରିଆସେ–ପ୍ରବେଶ ନିଷେଧ ।

 

ଧୂଷାକୁ ସେ ସ୍ନେହ କରେ ନାହିଁ ।

 

ସେହି ଧୂଷା ଭାଇ ଭାଉଜଠୁଁ ସତେ କି ଜାଣି ଜାଣି ଦୂରେଇ ରହେ । ଭାଉଜ ସେ ବାଟେ ଚାଲିଗଲେ ସେ ପିଠି ବୁଲେଇ ଦିଏ, ପାଟି ଫିଟାଏ ନାହିଁ । ମା’ତ ନାହିଁ, ବିଭା ଘରକୁ ଆସିଥିଲେ ବୁଢ଼ୀ ମାଉସୀ ରାଧା ଦେଇ ଯେ ସେ ପାଞ୍ଚ ମାସ ରହି ଆପଣା ଗାଁ’କୁ ଚାଲିଗଲେ । ତା’ପରେ ତ ଯାହା କିଛି ଦରକାର ହେଲେ ସିଧା ଭାଉଜକୁ ମାଗିବାକୁ ପଡ଼ିବ । ରମା ଏ ଘରକୁ ବୁଲି ଆସିଲେ ଆଖି ରହିଥାଏ ଧୂଷାଭାଇ କେମିତି ହଟହଟା ହେଉଛି ସେ ଦେଖିବ । ଏଡ଼େ ତ ଟାଣ ଦେଖାଯାଉଥିଲା ଯେ ଭାଉଜକୁ ସେ କଥା କହିବି ନାହିଁ,–ସତେ ଯେମିତି ଭାଉଜ ତା’ ପାଖେ ଗୋରୁମରା ଅପରାଧ କରିଛି କି ଶହେ ଷାଠିଏ ଧାରିଛି । ରାଧା ଅପା ତ ଗଲାଣି, ଏଥର ପଖାଳ ଗଣ୍ଡାଏ ଦରକାର ହେଲେ କି ଘରୁ କିଛି ପଦାର୍ଥ ପଦାକୁ ନେବାକୁ ଦରକାର ପଡ଼ିଲେ ସେ ଭାଉଜକୁ ମାଗିବ କି ନାହିଁ ? କିନ୍ତୁ ଧୂଷାଭାଇ ଘରେ ଦେଖାଯାଏ ନାହିଁ । ବାହାରେ ବାହାରେ ବୁଲୁଥାଏ, ତା’ର କ’ଣ ସେ କରେ, ସେ ଜାଣେ ।

 

ଆଉ ସେଦିନ ଦିପହରେ ତାଙ୍କ ଘରକୁ ବୁଲିଯାଇ ରମା ନିଜ ଆଖିରେ ଦେଖି ଆସିଥିଲା ଧୂଷାଭାଇ ଲମ୍ବ ହୋଇ ଶୋଇଛି, ତା’ ମୁଣ୍ଡକୁ କୋଡ଼ରେ ପୂରେଇ ଭାଉଜ ତା’ ମୁଣ୍ଡ ଚିପିଦେଉଛି । ଧୂଷାଭାଇ ଆଖି ବୁଜିଦେଇଛି । ଦେଖା ପଡ଼ିଗଲାରୁ ରେବ ତାକୁ ଡାକଟାଏ ଦେଇ କହିଲା, “ରମା ଆସିବ କି ? ହେଇ ଦେଖ ଜଞ୍ଜାଳ, ତମ ଧୂଷାଭାଇଙ୍କର ମୁଣ୍ଡ ବିନ୍ଧୁଛି ଯେ ଘରେ ତ ବିଲେଇ ଛୁଆଟିଏ ବୋଲି ନାହିଁ, କାଲି ସକାଳେ ଏ ଘରକୁ ଆସି ମୁଁ ହେବି ଭାଉଜ, ମୁଁ ହେବି ମା’ !”

 

ଧୂଷାଭାଇ ତାଙ୍କ କୋଡ଼ରେ ମୁଣ୍ଡଟିକି ରଖି ବିଲେଇ ଛୁଆ ପରି ଘୁଡ଼ୁରୁ ଘୁଡ଼ୁରୁ ହେଉଥିଲା”, ନିଜ ସାମ୍ବାଦଦାତା ହୋଇ ସେ ଖବର ଶୁଣାଳିମାନଙ୍କୁ ଖବର କହିଥିଲା, “ମୁଁ ମନେ ମନେ କହିଲି ଭାରି ଛଟା ଗାଳୁଥିଲ ଧୂଷାଭାଇ, ଭାଉଜକୁ ତମର ଭାରି ଲାଜ, ଏଥର ଧରା ତ ପଡ଼ିଲ ! ତମର ଉପର ଖୋଳପାଟା ସିନା ଖର ଆଉ କାଠୁଆ, ତମ ଭିତରଟା ଖାଲି ନରମ ପୁଚୁ ପୁଚୁ–”

 

ତହିଁ ଆରଦିନ କଥାଟା ଲେଉଟି ଫୋପଡ଼ ପରି ରେବ ଦେହରେ ଆସି ବାଜିଲା, ଉପଦେଶ ଦେବାକୁ ଆସି ପହଞ୍ଚିଗଲେ ନିଜେ ଶାନ୍ତିବୋଉ ଖୁଡ଼ୀ, ଖଞ୍ଜାର କୁଟୁମ୍ବ ଆନ୍ଦଦାଦାଙ୍କ ସ୍ତ୍ରୀ କହିଲେ, “ବୋହୂ, ମୂଷା ଆଉ ଧୂଷା ପରା ମୋଟେ ଯୋଡ଼ାଏ ବରଷ ବଡ଼ ସାନ, ଦିଅରକୁ ଏଡ଼େ ପିଲା ଭାବି ବେଭାର କଲେ ଦାଣ୍ଡ ଲୋକେ ସଜ ମାଛରୁ ପୋକ ବାଛିବେ । ତେମେ ବୁଝୁନା, ବାପ ମା’ ମରିଗଲେ ବୋଲି ସିନା, ମୂଷାର ବାହାଘର ଡେରିରେ ହେଲା, ନ ହେଲେ ଧୂଷା ସାଙ୍ଗରେ ବି ତମର” ।

 

ଜିଭ କାଢ଼ିପକାଇ ତାଙ୍କ ପାଟିରେ ହାତମାରି ରେବ କହିଲା, “ଛି ଛି ଖୁଡ଼ୀ, ତେମେ କ’ଣ ଏଗୁଡ଼ା ତୁଣ୍ଡରେ ଧରୁଚି ! ଧୂଷା ଶୁଣିଲେ କ’ଣ ଭାବିବେ । କାହା ବୟସରୁ ଆମୁକୁ କ’ଣ ମିଳିବ ? ସେ ମୋ ଦିଅର ମୁଁ ତା ବଡ଼ଭାଉଜ, ତା’ର ମା’ ନାଇଁ, ଆମେ ତ ତା’ର ବାପ ମା, ତା’ ଦେହ ବାଧିକାକୁ କିଏ ଆଉ ଅଛି ଦେଖିବ !”

 

“ତମ ଭଲକୁ ସିନା କହିବାକୁ ଆସିଥିଲି ଗୋ ମୋର କି ଯାଏ ! ମୁଁ ଯାଉଚି ଲୋ ମା’, କହିଦେଇ ଶାନ୍ତିବୋଉ ସତେ କି ଚିଲାମାରି ଛୁ । ବାଟଘରେ ପଶିଗଲା ଉତ୍ତାରୁ ଶୁଣେଇ ଶୁଣେଇ କହି କହି ଯାଉଥାନ୍ତି– “ୟେ ଦିଅରଙ୍କ ଧିଅ ବାଧିକା ବୁଝିବାକୁ ଏକା ତୋ’ରି ପେଟ ବଥୋଉଚି ଲୋ ମା’ ରାଣି, ହଉ ଲୋ ମା, କାଇଲୁ ମାନିହଉଚି, ଆମ କଥା ଆମେ ଫେରେଇ ନଉଚୁଁ ପଛେ ।”

 

ମୁଣ୍ଡ ବଥୋଉଥିବା ଧୂଷାଭାଇ ଧଡ଼ ପଡ଼ ହୋଇ ଉଠିପଡ଼ି ନାଲି ନାଲି ଆଖି କରି ତା’ଆଡ଼କୁ ଅନାଇଁଥିଲା । ଡର ମାଡ଼ୁଥାଏ କାଳେ ଥୋଇବ ପିଠିରେ ଗୋଟାଏ ଦି’ଟା, ସେ ପଳାଇ ଆସିଥିଲା ।

 

ଶୁଣାଗଲା ଦି’ଦିନ ଧୂଷାଭାଇକୁ ହେଲା ଜର, ମୂଷାଭାଇ ବି ଘରୁ ପଦାକୁ ବାହାରିଲା ନାହିଁ । ତାଙ୍କରି ଦୁଆରୁ ମୂଷାଭାଇ କାଗେଜି ଓ କାଗେଜିପତ୍ର ତୋଳି ନେଇଗଲା । ଆନ୍ଦଦାଦିଙ୍କ ଘରେ ମାଗୁଥିଲା ପୁରୁଣା ଉଷୁନାଚାଉଳ ।

 

ଶାନ୍ତିବୋଉ ଖୁଡ଼ୀ ସେ କଥାକୁ ବି ହସରେ ଉଡ଼ାଇ ଦେଇ କହିଲେ “ଜର ହେବା ଯେମିତି ସତରେ ଗୋଟାଏ ଭାରି ଅସମ୍ଭବ କଥାଟାଏ । ଆମେ କ’ଣ ଜାଣିନାହୁଁ ? କାଖରେ ରସୁଣ ଯାକି ଦି’ଘଣ୍ଟା ଖରାରେ ଶୋଇ ରହିଲେ ହେଲା ଜର, ଛଟା-ଗଳାଙ୍କୁ କ’ଣ ସେକଥା ଅଜଣା ଥିବ !” ଗୀତ ବୋଲିଲା ପରି ଘୋଷା ଧରିଥିଲେ “ମଲା ଛିଆକର ! ଛିଆକର !”

 

ରମା ଆଉ ଗଲାନାହିଁ ତାଙ୍କ ଘରକୁ ଦି’ମାସ ଯାକେ । ତା’ ମନରେ କେମିତି ଗୋଟାଏ ଛାନିଆ ପଶିଯାଇଥାଏ କାଳେ ହାବୁଡ଼େ ପଡ଼ିଲେ ଧୂଷା ତାକୁ ମାଡ଼ ମାରିବ । ଆଉ ରେବର ମୁହଁକୁ ଚାହିଁବାକୁ ବି ତା’ଠିଁ ଶକ୍ତି ନଥାଏ । ଧୂଷା ଥିଲା ଥିଲା ମଝିରେ ଦିନେ ଦେଖିଲାବେଳକୁ ସେ ଜାମା ଲୁଗା ପିନ୍ଧି ଗଉବାଉରିକୁ ବିଛଣା ବାକ୍‍ସ ବୁହାଇ ବାହାରିପଡ଼ିଲା ଚଉଦ୍ୱାର, ସେଠି କ’ଣ ତାକୁ ଚାକିରି ମିଳିଯାଉଥିଲା । ତା’ପରେ ସେଦିନ ଖରାବେଳେ, ବାଁରେଇ ହୋଇ ରମା ଯାଇ ତାଙ୍କ ଘରେ ପହଞ୍ଚିଲା, ଦେବୀପ୍ରତିମା ପରି ମୂଷାଭାଇ ଭାରିଯା ନିଶ୍ଚଳ ହୋଇ ତା’ଆଡ଼କୁ ଅନାଇଁ ଠିଆହୋଇଛି, ସତେକି ଆଖିରେ କଳିନେଉଛି, ଏଣ୍ଡୁଅ ପରି ମୁଣ୍ଡକୁ ତଳକୁ ଉପରକୁ ତିନି ଚାରିଥର ଟୁଙ୍ଗାରି ଟୁଙ୍ଗାରି ଆଗ ଆରମ୍ଭ କଲା ତା’ର ସେହି ସ୍ୱାଭାବିକ ସମ୍ଭାଷଣ– “ହୁଁ” । ଗୋଟିଏ ଗୋଟିଏ ହୋଇ ପାଖକୁ ଚାଲିଆସି ବାଁ ହାତରେ ତା’ ବେକକୁ ବେଢ଼େଇ ଧରି ଆଖିରେ ଆଖି ଲଗାଇଦେଇ କହିଲା–

 

“ମନେପଡ଼ିଲା ଏତେ ଦିନକେ ?”

 

କଥାରେ କେମିତି ଟିକିଏ ଇଙ୍ଗିତ ଦେଇ କହିଲା, “ଦେଖୁନା, ଘରେ କେହି ନାହିଁମ ।” ତା’ର ପଦେ ପଦେ କଥାରେ ଛାତିରେ ଛୁରି ଚାଲିଯାଉଥାଏ । ରମା ତୁନିହୋଇ ଠିଆହୋଇଥାଏ ।

 

ତା’ପରେ ହସିଦେଇ ତାକୁ କୁଣ୍ଢେଇପକାଇ ତୁନି ତୁନି ହୋଇ କହିଲା “ତୁମେ ଭାବିଲ ତୁମେ ପଦାରେ ଏଣୁ ତେଣୁ ଗୁଡ଼ାଏ ଗପିଲ ବୋଲି ନୂଆବୋଉ ତୁମ ଉପରେ ରାଗିଚି ? ମୋଟେ ନୁହେଁ । ତୁମେ ତ ପିଲାଲୋକ, ତୁମର କି ଦୋଷ ? ଯେଉଁମାନେ କଥା ନେବାପାଇଁ ତୁମର ପିଛା ଧରିଥିବେ ଦୋଷ ତାଙ୍କରି, ତାଙ୍କ ପେଟ ଭିତରଯାକ ମଇଳା କି ନା, ଦେହରେ ଅସନା ନ ବୋଳିଲେ ତାଙ୍କ ମନ ଶାନ୍ତି ପାଇବ କାହୁଁ ? ଏଥର ପଚାରିଲେ କହିଦେବ ଏଇଆ ମୁଁ କହୁଥିଲି ବୋଲି । ଆଚ୍ଛା ରମା, ଗୋଟିଏ କଥା ପଚାରିବି, ଯାହାଙ୍କର ବଳ ବୟସ ଗଲାଣି ମୁହଁ ଆମ୍ବିଳା ପଡ଼ିଗଲାଣି କିଏ ଟିକିଏ ଖୁସି ମଉଜ କରୁଛି ଦେଖିଲେ ସେମାନେ ମୁରବିପଣିଆ ଦେଖାଇ ଖୁଣିବେ ଧରିବେ ବାଛିବେ ହୁରି ପକାଇବେ, ତୁମେ ଟୋକୀଟା କାହିଁରୁ କିଛି ହୋଇନା ତୁମର ଅଇଛା ଶିଖିବା ଚାଖିବା ବେଳ ତୁମେ ୟେ ବୁଢ଼ୀ ମାଇପଙ୍କ ପରି ଚମକୁଛ, ଦଉଡ଼ି ଦେଖିଲେ ସାପ ବୋଲି କହୁଛ କାହିଁକି ବା ?”

 

ତା’ର କଥାରେ ଯେଉଁ ଭର୍ତ୍ସନା ଲୁଚିଥିଲା ରମାର ମୁହଁ ସେଥିରେ କଳାକାଠ ପଡ଼ିଗଲା, ସେ ତଳକୁ ମୁହଁ ପୋତିଲା । ହଠାତ ଶୁଣିଲା ରେବର ପାଟିରୁ ଯେମିତି ଗୋଟାଏ କଇଁ ଉଠିଲା ସେ ତାକୁ ଢୋକିଦେଲା । ମୁହଁ ଟେକି ରେବର ଆଖିକୁ ଅନାଇଁଲା, ଦେଖିଲା ତା’ର ତଳିଓଠ ଥରି ଉଠିଲା-। ତା’ର ତଳ ଥୋମଣି ହୁଗୁଳା ହୋଇ ଥରିଲା, ଆଖିରୁ ଦି’ଧାର ଲୁହ ଗଡ଼ିପଡ଼ିଲା । ହସୁ ହସୁ କାନ୍ଦିଲା ପରି ରେବ କହିଲା– “ଲୋକଙ୍କ କଥା ମାଡ଼ଠୁଁ ବେଶି କାଟେ ରମା, କିଏ ଟିକିଏ ଜିଭ ହଲ ହଲ କରିଦିଏ ଆଉ ତହିଁରେ ଆଉକାହାର ଚାରିପଟେ ନିଆଁ ଜଳିଉଠେ, ହଂସା ଉଡ଼ିଯାଏ । ମନକଥା କେତେ ଅଛି ତମଆଗେ କହନ୍ତି, ଦୁନିଆକୁ ଚିହ୍ନିସାରିଲେ ଯେତେବେଳେ ପରର ହୃଦୟ ବୁଝିପାରିବ, ସେତେବେଳେ କହିବି ଅଇଛା ନୁହେଁ ।”

 

(ଚାରି)

 

ସେ ହେଲାଣି ଚାରିବର୍ଷର କଥା । ସେଇଠି ଯଦି ସରିଥାନ୍ତା ! କିନ୍ତୁ ରେବ ତାକୁ କ୍ଷମା ଦେଲା ବୋଲି ମୁକ୍ତି ଦେଇ ନଥିଲା; ସେହି ଦି’ଟୋପା ଲୁହ, ସେହି ତତଲା ନିଶ୍ୱାସର ଝାଞ୍ଜି, ସେହି ଅଭିମାନ ଢଳ ଢଳ ଆହତ ସଙ୍କୁଚିତ ଠାଣି ସେ ସତେ ଯେମିତି ଗୋଟାଏ କଇଦିଖାନାର ଲୁହା ବାଡ଼ । ତାହାରି ଭିତରେ ତାକୁ ବନ୍ଦୀ କରି ରଖି ରେବ ତାକୁ ଆପଣା ଗୋପନ ବିଶ୍ୱାସର ଅନ୍ଧାରି ଗହ୍ୱର ଭିତରକୁ ଓଟାରି ନେଲା, ତା’ଠୁଁ ଶପଥ ନେଲା ନାହିଁ ଯେ ପଦାରେ କିଛି ସେ କହିବ ନାହିଁ ବୋଲି, ଶପଥଟା ରମାର ମନେ ମନେ ଆପେ ଆପେ ହୋଇଯାଇଥିଲା ।

 

ରମା ବୋକା ପରି ଚାହେଁ, ରେବ ତା’ର କାନରେ କହିଯାଏ ନୂଆ ଭାଷା, ସେ ଭାଷାର ଅର୍ଥ ସେ ବୁଝିପାରେ ନାହିଁ । ଏତିକି ବୁଝେ ଯେ ତହିଁରେ ରକ୍ତରେ ନିଆଁ ଲାଗେ । ଆଉ ତା’ର ଲହ ଲହ ଧାସ ତା’ରି ଦେଖନ୍ତାରେ ଆଖି ଆଗେ ଆଗେ ଆକାଶରେ ବିଛେଇ ହୋଇଯାଏ ।

 

ରେବ ଲୋଡ଼େ ତାକୁ କୁଣ୍ଢେଇ କରି ତା’ ସାଙ୍ଗରେ ଖେଳିବାକୁ, ତା’ର ମୁଣ୍ଡ ବାନ୍ଧିଦିଏ । ମଲ୍ଲୀଫୁଲ ଆଉ କେରା କେରା ମୁଣ୍ଡବାଳ ଏକାଠି ମିଶାଇ ଗୁନ୍ଥି ଗୁନ୍ଥି ଅଦ୍ଭୁତ ବେଣୀ, ଅଦ୍ଭୁତ ଖୋଷା ଗାଲପାଖେ ଗାଲ ଘଷି ସାମ୍ନାରେ ଦର୍ପଣ ଥୋଇ କହେ, ଏଥର ଦେଖିଲ ?

 

କେବେ କହେ ତୁମେ ବର ମୁଁ କନିଆଁ, କେବେ କହେ ମୁଁ ବର ତୁମେ କନିଆଁ, କେବେ କହେ ଆମେ ଦି’ଭଉଣୀ ଯାଆଁଳା, ହସି ହସି ଗେଲକରି ଭିଡ଼ି ଧରି ତାକୁ ଉଦୁମୁଦା କରିଦିଏ, ରମା ଆଶ୍ଚର୍ଯ୍ୟ ହୋଇ ଆଖିପିଛୁଡ଼ା ନ ପକାଇ ତାକୁ ଅନାଇଁଥାଏ, ଶୁଣୁଥାଏ ତା’ ତୁଣ୍ଡରୁ ଅତି ଅଦ୍ଭୁତ କଥା । କ’ଣ ଗୋଟାଏ ଅଜଣା ଭୟ ଗୋଟାଏ ଅଜଣା ଅଶାନ୍ତି ରମାର ମନ ଭିତରେ କୁହୁଳିଉଠେ, ସେ ଛାଟିପିଟି ହୁଏ । ପଳାଇ ଆସିଲେ ଲାଗେ ଯେମିତି ଖରାଦିନେ ସେ ଦିପହରଯାକ ଜଳନ୍ତା ଚୁଲିପାଖେ ବସିଥିଲା ବସିଥିଲା ହେଇ ବାହାରି ଆସିଛି, ତା’ପରେ ଏକୁଟିଆ ଥିଲାବେଳେ ମନେ ମନେ କଲି ମେଲୁଥାଏ କେତେ ଉଦ୍ଭଟ କଳ୍ପନା, ଆଉ ହଠାତ ମନ ଦବି ଦବି ଯାଏ ।

 

ଯେତେ ସେ ଭାବେ ଯିବନାହିଁ ମଝିରେ ଦିନ ଦିନ ଗାଲ ପାରି ଦେଇ ବିତେଇଦିଏ ପୁଣି ଆପେ ଗୋଡ଼ ଓଟାରି ହୋଇଯାଏ, ନିଛାଟିଆ ଦି’ପହରବେଳେ, ଘରର କାମଦାମ ସାରି ଘରଣୀମାନେ ହାଲିଆ ହୋଇ ସପ ପାରି ପଡ଼ିଯାଇଥାନ୍ତି, କବାଟ ପଡ଼ିଥାଏ, ଦାଣ୍ଡରେ କେହି ନାହିଁ-। ଖାଲି ଘୁ’ ଘୁ’ ହାଉ ହାଉ ପବନ, ବେଳେ ବେଳେ ଶୁଖିଲା ପତ୍ରର ଚେକା ଭଉଁରି । ଆଉ ରେବ ଯେମିତିକି ଟାକି ବସିଥାଏ, ତା’ର ଗେଲ ଆଦର, ତା’ର ରସରସିଆ କାହାଣି, ତା’ର ଅଧେ ଦେଖା ଅଧେ ଲୁଚା କଥା, ତା’ର ସବୁ ଛଇ ଛଟକ କ୍ଷେପା ଜାଲ ପରି ରମା ଉପରେ ଛାଟି ମାରିବାକୁ-। ପଦା ପବନରେ ନଣନ୍ଦଭାଉଜଙ୍କ ହି ହି ହସର ଶବ୍ଦ ମିଶିଯାଏ, ସତେକି ପବନ ବି ହସେ ହିହି ହିହି-

 

ରେବର ନୂଆ ନୂଆ ଖିଆଲ, ଯେମିତି କି ପାଠ ପଢ଼ାଇବାକୁ ନୂଆ ନୂଆ ଅଧ୍ୟାୟ । ସେଥର ସେ କହିଲା–“ଆସ ଆଜି ଚିଠି ଲେଖିବା ରମା । ମିଛିମିଛିକିଆ ଚିଠି । ଶିଖିଲେ ସିନା ପଛେ ଲେଖିବ । ଧର ତମର ସେ ରହିଛନ୍ତି ବିଦେଶରେ, ଚିଠିପତ୍ର ନାହିଁ । କାଗଜରେ କଲମ ମୁନରେ ଆଞ୍ଚୁଡ଼ିଲେ ତାଙ୍କ ଛାତିରେ ତୁମେ ଗାର ପକାଇପାରିବ ନାହିଁ ? କ’ଣ ବୋଲି ଆରମ୍ଭ କରିବ ? ବନ ପୋଡ଼ିଲେ ସମସ୍ତେ ଜାଣନ୍ତି, ମନ ପୋଡ଼ିଲେ କେହି ଜାଣନ୍ତି ନାହିଁ ।’ ଏଇଆ କହିବ-? ଭାରି ପୁରୁଣା କଥା, ଯେମିତି ଗୋଟାଏ ଚିଟାଲଗା ପୁରୁଣା ପଖଳକରା ଯାହାକୁ ସମସ୍ତେ ବଦଳନ୍ତି । ନାଇଁ ଲେଖ–“ସେଥରକ ଯୋଗୀଟିଏ ନିଛାଟିଆବେଳେ ଦାଣ୍ଡଦୁଆରେ କେନ୍ଦେରା ବଜେଇଲା ବୋଲି ତୁମେ କେମିତି ଚମକି ପଡ଼ିଥିଲ ମୋର ମନେପଡ଼େ, ଦଉଡ଼ି ଯାଇ ଦାଣ୍ଡଝରକାଟା ବନ୍ଦ କରିଦେଇଥିଲ । ଝାଳ ଫିଟିଯାଉଥାଏ । ସେଠି କ’ଣ ଅନହୁତି ଯୋଗୀ ଆସି ଦାଣ୍ଡରେ କେନ୍ଦେରା ବଜାଏ ଆଉ ତୁମେ ଚମକିପଡ଼ ?”

 

“ହେ ନୂଆବୋଉ ! ତୁମେ ଏଡ଼ିକି ଫାଙ୍ଗୁଳୀ ।” “ଚିଠି ଅଛି, ଦେଖିବ ? ତାଡ଼ା ତାଡ଼ା ଚିଠି । ନାଇଁ ଥାଉ ଆଉ କେବେ । ଯେତେବେଳେ ତୁମେ ପର ଘରେ ଥିବ, କେହି ନ ଥିଲାବେଳେ ଡବ ଡବ ଆଖିରେ ପଦାକୁ ଅନାଇଁ ରହିଥିବ, ଚିଠି କ’ଣ ତୁମେ ସେତେବେଳେ ବୁଝିପାରିବ । ଆଉ ଶୁଭ କାଉକୁ ଆଧାର ଯାଚୁଥିବ, ସଞ୍ଜରେ ଚଉରାମୂଳେ ଶଳିତା ଥୋଉଥିବ । ଅଇଚ୍ଛା ତୁମେ କଞ୍ଚା-।”

 

ଉତ୍ତରରେ ସେ ରେବକୁ ଖାଲି ଚୁମୁଟି ପକାଇଥିଲା ।

 

ଲାଗିଥାଉ ତା’ର ଘର ଧନ୍ଦା, ପିଲାଛୁଆ ଜଞ୍ଜାଳ, ସେ ତା’ର ବୟସ ଆଉ ପରିସ୍ଥିତିକୁ ପଛକୁ ପେଲିଦେଇ ସଜ ଫୁଲଟିଏ ପରି ଆସି ଢଳ ଢଳ ହୋଇପାରେ ।

 

କିନ୍ତୁ ରମା ଭାବେ, ଖାଲି ସଜ ଫୁଲଟିଏ ନୁହେଁ । କେଉଁ ପାଖୁଡ଼ାରେ କି ପାଖୁଡ଼ା ତଳେ ଆଉ କେଉଁଠି ସେଠି ଟିକିଏ ଦାଗ ଲାଗିଛି । କି ଦାଗ ସେ ଜାଣିପାରେ ନାହିଁ । କ’ଣ ସେ ଚିଆଁ କି ଝିଞ୍ଜରା କେଉଁ ଗୋପନ ଅତୀତରେ ଯେ ତାକୁ ଯନ୍ତ୍ରଣାଦିଏ, ରମା ପଚାରିବି ପଚାରିବି ହୁଏ ପଚାରି ପାରେନାହିଁ, ଭାଷା ପାଏନାହିଁ । ସତେ ଯେମିତି ତା’ ଘର ଯେତେ ମେଲା ଖୋଲା ପଡ଼ିଥିଲେ ବି କେଉଁଠି ଗୋଟାଏ ବୁଜI କବାଟରେ ପଡ଼ିଥାଏ ଗୋଟାଏ ବଡ଼ ତାଲା, ସେ ତାଲା ଖୋଲେନାହିଁ । ସେହି ସେ ଫୁଲର ଦୁଃଖ, ମନ ଗହୀରରେ କେଉଁ ସାତତାଳ ପାଣି ତଳେ । ଯେମିତି ତା’ର ସୌରଭ ଠିକ୍ କେଉଁଠୁ ବାହାରେ ତା’ ଜାଣି ହୁଏନାହିଁ ଅଥଚ ତାକୁ ଘରି ରହେ, ଅନୁଭବ କରିହୁଏ, ପଦା ଲୋକକୁ ଆନନ୍ଦଦିଏ । ସେମିତି ସେହି ଛପିଲା ବେଦନା ପ୍ରକୃତରେ କେଉଁଠି ତା’ ରମା ବାରି ପାରେନାହିଁ ଅଥଚ ସେ ଦେଖେ ସେହି ହସିଲା ହସିଲା କଉତୁକୀ ମୁହଁରେ ତା’ର ଅସ୍ପଷ୍ଟ ଛାଇ, ଆଉ ନିଜେ ସେ ଦୁଃଖରେ ଧନ୍ଦିହୁଏ । ହଁ, ଦୁଃଖ ହିଁ ତ ।

 

ରେବର ଯେ ଯେଉଁ କ୍ଷଣିକ ଉତ୍ତେଜନା, ପାଗଳୀପରି ହାବଭାବ ବେଭାର କି କଥା, ସେହି ଯେତେବେଳେ ଦୁନିଆର ସାଧାରଣ ସୁସ୍ଥ ବ୍ୟବହାରର ସଳଖଦାଣ୍ଡି ଟପି ସେ ଅମଡ଼ା ମାଡ଼ି ଧାଇଁ ପଳାଏ, ସେ ତ ସତେ ସେହି ଦୁଃଖର ପ୍ରଳାପ କି ବିକାର, ନ ହେଲେ ସେ ମଣିଷଟା ଏମିତି କ’ଣ ?

 

ତାକୁ ହିଁ ଚାଉଳ ଗଣ୍ଡିଏ ମାଗିବାକୁ ପଡ଼ିବ ବୋଉ ଅନାଇଛି । ଯେ ତାକୁ ଟେକିନେଇ ଆପଣା ସଙ୍ଗେ ସମାନ ଆସନରେ ବସାଇଛି, ଆପଣାକୁ ତା’ଆଗରେ ନିଉଛାଳି କରିଛି ତାକୁ ଦେଖାଇବାକୁ ପଡ଼ିବ ଆପଣାର ଦରିଦ୍ର ଥାଳ । ଛିଃ ।

 

(ପାଞ୍ଚ)

 

କବାଟ ଯେ ଖୋଲିଦେଲା ସେ ମୂଷାଭାଇ ନୁହେଁ କି ତା’ ସ୍ତ୍ରୀ ନୁହେଁ । ରମା ତା’ଆଡ଼କୁ ଥରେ ଚାହିଁଦେଇ ଧାଇଁଲା ପରି ରେବକୁ ଖୋଜିବାକୁ ଭିତରକୁ ଚାଲିଗଲା ।

 

ପଛେ ପଛେ ସେ ଲୋକଟାର ହସ ଶୁଭିଲା, ଧଡ଼୍‍କିନା ସେ ଦାଣ୍ଡକବାଟରେ ଆଗୁଳ କାଠଟା ଲଗାଇଦେଲା ଆଉ କହିଲା, “ବୋପା-ଲୋ ! ପେଟ ଭିତରେ ପିଆଦା ବାଡ଼ୋଉଚି ପରା-!”

 

“ଏଡ଼େ ଅପୁରୁବ କୁଆଡ଼େ ମ !” କହି ରେବତୀ ଘର ଭିତରୁ ବାହାରି ଆସିଲାମାତ୍ରେ ଗଇଁସଇଁ ହୋଇ ରମା କହିଲା, ତମର ସେ ପିଇସୀ ପୁଅ ଭାଇ ହର ଆସିଚି ପରା ନୂଆବୋଉ, ମୁଁ ତ ଜାଣିନାଇଁ, ଡରିଲି ।”

 

ଥୁଃ–ଥୁଃ–ଥୁଃ–ଥୁଃ–କେହି ଚମକିଲେ, ଆଉ ଜଣେ ଯେମିତି ତା’ ଉପରେ ଥୁ ଥୁ କରେ, ରେବ ସେମିତି କୃତ୍ରିମ ଅଧୀରତା ଦେଖାଇ ତା’ ହାତ ଧରିପକାଇ କହିଲା, “ମରିଯାଉଥାଏଁଟି ! ଡରିଗଲ !

 

“କାଇଁ ଆମ ଭାଇ କ’ଣ ତମ ଭାଇମାନଙ୍କ ପରି ଭୂତ କି ପିଶାଚ କି ବ୍ରହ୍ମଦୈତ୍ୟ ହୋଇଛନ୍ତି ଯେ ତୁମେ ଭେଟେଣା ହେଲ ବା ? ହେଇ, ଦେଖିନିଅ ପେଟ ପୂରେଇ ଦେଖିନିଅ କି ଶୋଭା ରୂପ, ମନକୁ ପାଉନାହିଁ ?”

 

କେଡ଼େ ନିର୍ଲଜ୍ଜ ମଣିଷଟା ଓଳିତଳେ ଅନ୍ଧାରରେ ଚୁପ୍‍ କିନା ଠିଆହୋଇ ଏଣିକି ଚାହିଁଛି ଆଉ ନଲ୍‍ଟଣ ଆଲୁଅ ତା’ ମୁହଁରେ ହାଲୁକା ହୋଇ ପଡ଼ିଛି ଯେ ଦିଶୁଛି ତା’ର ଦି’ ପାଟି ଧଳା ଧଳା ବଡ଼ ବଡ଼ ଦାନ୍ତ ।

 

“ତୁମେ ଦେଖୁଥା ବସି, ରୂପ ! ଆଃ ! କାଳିଆ କୃଷ୍ଣ !” ସତେ କି ସେ ତାକୁ ଦେଖୁନାଇଁ-

 

ମଲା ମର, ମରିଯାଉନାହିଁ କାହିଁକି ବା ? ଶୁଣୁଛ । ଦେଖୁଛ ।

 

“ସେଇ କଳା ରୂପକୁ ତ ତୁମେ ଝୁରି ହେଉଥିବ, ଆଉ କହୁଚ କ’ଣ ?”

 

“ଆରେ, ମତେ କାଇଁକି ପେଲି ପକୋଉଚ ମ ।”

 

“ଶୁଣ ମ ନୂଆବୋଉ, କଥା ଅଛି ଶୁଣ–” କହିଦେଇ ରମା କାବା କାବା ହେଲା । ଏ ଲୋକଟା ଯେ ଅନ୍ଧାରରେ ଛପି ଥାଉ ଥାଉ ସେ କି କଥା ତାକୁ କହିବ ! କିନ୍ତୁ ରେବ ତାକୁ କଥା କୁହାଇ ଦେବାକୁ କି ଛୁଟି ଦେବାକୁ ନାରାଜ, ତା’ହାତକୁ ଖପ୍ କରି ଧରିପକାଇ କହିଲା, “ରଇଥା...ରଇଥା, ଏଡ଼େ ସହଜରେ ଛାଡ଼ୁଚି ? କୁଆଡ଼େ ଗଲୁରେ ହର, କିରେ ଆସନ୍ତୁ ୟାଡ଼ୁକୁ–” ରମାର ହାତକୁ ଧରି ଘିଡ଼ିଘାଡ଼ିଆ କରି ଭିତରକୁ ଓଟାରି ନେଲା, ଗୋଟିଏ ନାଡ଼ ଲଗା ଆଲୁମିନିଅମ୍ ପାତ୍ରର ଢାଙ୍କୁଣି ଖୋଲି ହାତ ଗଳେଇ ଗୋଟିଏ ରସଗୋଲା କାଢ଼ି ରମାର ପାଟି ଭିତରେ ପୂରାଇ ଦେଇ କହିଲା, “ହର ଆଣିଚି ।”

 

ହସି ହସି ହର ଭିତରକୁ ଆସୁଛି । ରମାର ପାପୁଲି ରେବର ମୁଠା ଭିତରେ ଥରୁଛି । କଣେଇ କଣେଇ ରମା ହରର ମୁହଁକୁ ଅନାଁଉଛି । କୁଞ୍ଚୁ କୁଞ୍ଚୁ ହୋଇ ଲହଡ଼ି ଖେଳାଇ ତା’ ମୁଣ୍ଡବାଳ ଢେଉଢେଉକା ହୋଇ ଠିଆହୋଇଛି, ନଲ୍‍ଟଣ ଆଲୁଅ ପଡ଼ି ଆଖି ଦିଶୁଛି ସୋରିଷ ତେଲ ପରି, ଡହ ଡହ ଆଖି, ଫଣ ଫଣ ନାକ, ଅଧ ଖୋଲା ମୋଟା ଓଠ କରକୁ ବାଙ୍କିଛି, କୁନ୍ଦା ହୋଇଥିବା ମୁଗୁନିପଥର ପରି ଦେହ । ନିଶ୍ଚଳ ହୋଇ ହର ଠିଆହୋଇଛି । ହେତୁ ପଡ଼ିଗଲା, ତାଙ୍କ ହୁମୁରା ଗାଁ’ ବସ୍ତି ସେକରେ ମଝିରେ ଅରାଏ ବିଲମାଳ ଛାଡ଼ି ଉଡ୍ରେଶର, ସେଠି ନଈକୂଳେ ସେ ଯେଉଁ ମାଧବ ଅଛନ୍ତି, ସଞ୍ଜ ପହରେ ଗମ୍ଭୀରା ଭିତରେ ଦୀପ ଜଳୁଥିବ, ଆଉଜା କବାଟ ପେଲିଦେଇ ସେ ଅନାଇଁ ଦେଇଥିଲା ଆଉ ଦେଖି ଚମକି ପଡ଼ିଥିଲା । ଲମ୍ବହୋଇ ଗୋଡ଼ ତଳେ ପଡ଼ିଥିଲା । ସତେ ଯେମିତି ମାଧବ ଉଠି ଆସିଛନ୍ତି ମଣିଷ ରୂପରେ ।

 

ପୁଣି ରମାର ଅନ୍ତର ଭିତରୁ ପ୍ରତିରୋଧ ଉଠିଆସିଲା, ଶିଳାରୂପୀ ସେ ମାଧବଙ୍କ ମୁହଁରେ ଅଛି ଅଖଣ୍ଡ ଶାନ୍ତି, କିନ୍ତୁ ଏଇଟା ତ ଟାଉକା ମୁହଁ, କାଳିଆ ଭୁଆ ଟାକି ରହିଛି ଟିକିଏ ଏ ମଣିଷ ଅଣହୁସିଆର ହେଲେ ଥାଳିଆ ଉପରୁ ମାଛଭଜା ଖଣ୍ଡକ ଝାମ୍ପିନେଇ ଛୁ’ କରିବ ।” ରେବ ହରକୁ କହିଲା, “କିରେ ପଥର ହେଲୁ କିରେ, ୟେ ପରା ମୋ ନଣନ୍ଦ, ପଡ଼୍ ତା’ ଗୋଡ଼ତଳେ ପଡ଼୍” ହର ବୁଝିଲା ରମାକୁ ଥଟ୍ଟା କରିବାକୁ ୟେ ତାକୁ ଆମନ୍ତ୍ରଣ, କହିଲା, ଲାଜକୁଳୀ ଲତା, ଲାଜ ଯେତିକି କଣ୍ଟା ସେତିକି ।” ରମା ମୁହଁ ମୋଡ଼ିଦେଇ କହିଲା “କାଳିଆ ଭୁଆ” । ହର ଆଉ ରେବ ହୋ ହୋ ହସିଲେ । ରମା ରେବକୁ ଅନାଇଁଲା । ତା’ ମୁହଁରେ କୌତୁକ, ଆଖିରେ ଦୁଷ୍ଟାମି, କାନ୍ଧ ତଳକୁ ଲୁଗା ଖସି ପଡ଼ିଛି, ସତେକି ଆପଣା ଉପରେ ତା’ର ନିଘା ନାଇଁ, ନିଘା ଖାଲି ଥଟ୍ଟା ପରିହାସ ଉପରେ ।

 

ରେବ କହିଲା, “ସେମିତି କାଇଁକି ଛଟପଟ ହଉଚ, ଆଚ୍ଛା ଆଇଲ ମାପି ହେବା କିଏ ବଡ଼ କିଏ ଛୋଟ, କାନ୍ଥ କରକୁ ଆଉଜିଯାଇ ରମାକୁ କୁଣ୍ଢେଇ ଧରି କାନ୍ଥରେ ଆଉଜାଇ କହିଲା, “ତୁ କଣ୍ଟିଲୁରେ ହର–” ।

 

ହରର ଆଗ୍ରହ ବଢ଼ିଉଠିଲା କହିଲା, “ସଳଖ ହୋଇ ଠିଆ ହ ରେବ । ସଳଖ ନ ହେଲେ ମାପିବି କେମିତି !” ସମ୍ବୋଧନ ପଦଟାକୁ ରମା ତା’ ମନେ ମନେ ନିଠେଇ ଧରିଛି, ହର ‘ଅପା’ ବୋଲି କହିଲା ନାହିଁ । କହିଲା ‘ରେବ’ । ହେଇ ତା’ର ହାତ ପାପୁଲି ମୁଣ୍ଡ ଉପରେ ଆସ୍ତେ ମାଡ଼ି ମାଡ଼ି ଆସୁଛି ଯେମିତି ମାଡ଼ିଆସେ କଳା ବଉଦ ଖଣ୍ଡେ । ରମା ରେବ କାନ୍ଧ ଉପରେ ତା’ ବେକକୁ ଭାଙ୍ଗିଦେଇ ବଙ୍କା ହୋଇ ଲୁଚିପଡ଼ିଲା, ହର ହସି ହସି ଆଗକୁ କ୍ଷେପିଆସି କହିଲା, “ଧର୍ ମ ରେବ, ଆଉ ମାପିବି କୋଉଠା–” ରେବ ଡାକ ଦି’ଥର ହେଲା । ‘ରେବ’ ଦାନ୍ତରେ ତଳଓଠକୁ କାମୁଡ଼ି ଆକଟ କଲା ପରି ତାକୁ କଟମଟ କରି ଅନାଇଁଦେଲା ମାତ୍ରେ ହରର ମୁହଁରେ ଭାବ ବଦଳିଗଲା । ସେ ହସିଦେଇ ଅଳିକଲା ପରି କହିଲା, “ଅପା ତୁ କହୁଛୁ କଣ୍ଟ କିଏ କାହାର କେତେ ଯାକେ, ଠା’କେ ଥିରି ହୋଇ ଠିଆ ହେଲେ ସିନା ମାପିବି ଲୋ ଅପା ।” ନଲ୍‍ଟଣ ବତିରେ ଫୁଲ ହେଲାଣି ଯେ ଦି’କେନିଆ ହୋଇ ଆଲୁଅଟା ଜଳୁଛି ଜଳୁ ଦପ ଦପ ନାଚୁଛି, ଲାଗିଆସୁଛି ପାଖ ପାଖ ହୋଇ କତିକି କତି, ସଁ ସଁ ହେଉଛି ତା’ର ଆଖିରେ ନଲ୍‍ଟଣ ଆଲୁଅର ଧାସ ଝକ ଝକ ନାଚୁଛି, ଦାନ୍ତ ଉପରେ ମାଉଁସିଆ ଓଠର କେର କେମିତି କୁଞ୍ଚୁକୁଞ୍ଚିଆ ହୋଇଯାଉଛି, ତା’ର ତଣ୍ଟି ଦି’କରରେ ଶାବଳ ପରି ଦି’ଟା ମାଂସ ନଉଡ଼ି ଫୁଲି ଫୁଲି ଉଠୁଛି ଆଉ କାନ୍ଧ କେମିତି ଟାଙ୍କିହୋଇ ଉଠୁଛି, ତା’ର ଛାତି ଉଠୁଛି ପଡ଼ୁଛି ରମା ଭାବିଲା କାନେଇଲେ ତା’ର ଦମଦମ ସେ ଶୁଣିପାରିବ । ହେଇ ତା’ର ଫରଚା ମୁହଁରେ ଗଜୁରା ଗଜୁରା ନିଶ ଆଉ କପାଳରେ ବେକରେ ଜିକିଜିକି ଦମ ଦମ ଝାଳ, ଆଉ ସେହି ଦେହର ଯେମିତି ଗୋଟାଏ ବିଚିତ୍ର ପ୍ରକାରେ ଝଳି ତା’ର ଅଦେଖା ତେଜର ଝାଞ୍ଜି ପଡ଼ିଛି ତା’ ଦେହ ଉପରେ । ଆଉ କ’ଣ ସେ ଦେହର ଗୋଟାଏ ଅଚିହ୍ନା ବାସ୍ନା, ଫୁଲର ନୁହେଁ କି ମାଉଁସ ଝୋଳର ନୁହେଁ କି ଝାଳର ନୁହେଁ ତଥାପି ସେଥିରେ ଅଛି ଗୋଟିଏ ଆକର୍ଷଣର ମୋହ, ଭିତରେ ଭିତରେ ଘାରୁଛି । ଆଉ ରମା ନିର୍ଲଜ୍ଜ ପରି ସଳଖ ହେଉଛି ରେବର ଦେହରେ ଘଷିହୋଇ ଯେପରିକି ବାଦବୁଦିଆ ହୋଇ ରେବଠୁଁ ସେ ଆପଣାକୁ ଅଧିକ ବୋଲି ଦେଖାଇଦେବାକୁ ଚାହେଁ, ଆଉ ତା’ର ଦମଦମ ଛାତି ତା’ର କପାଳରେ ଏକରୁ ସେକର ସରି ସରି ହାର ପରି ହରଡ଼ଫାଳିଆ ବୁନ୍ଦା ବୁନ୍ଦା ଝାଳ, ତା’ର ମନରେ କ’ଣ ଅଜଣା ଆଶଙ୍କା ଆଉ ସେ ଆଶଙ୍କାକୁ ତଳକୁ ଦାବିରଖି ଗୋଟାଏ ଉତ୍ତେଜନାପୂର୍ଣ୍ଣ କୁତୂହଳ, ଆଉ ସେ ବାରମ୍ବାର ମନେ ମନେ କହିହେଉଛି, “ନିଭିଯାଉ ଏ ନଲ୍‍ଟଣ, ଘୋଟୁ ନିବିଡ଼ ହୋଇ କଳା କିଟି କିଟି ଅନ୍ଧାର– ।

 

ଆଉ ରେବ ବି ଚାହିଁଛି ହର ଆଡ଼କୁ ତା’ର ହସଢ଼ୋକା ମୁହଁରେ ଉତ୍ତେଜେନା, ତା’ର ଦେହ ହୁଗୁଳା ଫୁଙ୍ଗୁଳା, ରମାକୁ ଆପଣାଠିଁ ଯାକି ଧରିବାକୁ ବଳ ଖଟାଇ ସେ ଯେମିତି ତୋଫାନ ସଙ୍ଗେ ଲଢ଼ି ଝାଞ୍ଜି ହୋଇଛି ଏହିପରି ତା’ର ଅବସ୍ଥା, ମାପ ଆଉ କଳା କଳିର ଉତ୍ତର କ’ଣ ହେବ ସେ ସତେକି ମନେ ମନେ ଜାଣିଥିଲା, କିନ୍ତୁ ହରର ମୁହଁକୁ ଚାହିଁ ସେ ମୁହଁରେ ଭୋଟ୍‍ର ଫଳାଫଳ ଲେଖାହୋଇଛି ଆଉ ସେ ତା’ର ଅଶାର ବିପରୀତ ଏହିପରି ବୁଝି ସେ ଆହୁରି ଉଦ୍‍ବିଘ୍ନା ଅଧୀରା ହୋଇପଡ଼ିଛି । ଏହିପରି ତା’ର ମନର ଭାବ ଆଉ ସେ କରୁଣ ଭାବେ ତା’ର ଗୋଲ ଗୋଲ ଗୋରା ବାହାକୁ ବୁଲାଉଛି, ତା’ର ଗୋରା ତକ ତକ ଦେହକୁ ବୁଲାଇଁ ବଙ୍କାଇ ଅବତାର ହେଉଛି ମାୟାରେ ତା’ର ପ୍ରକାଶ ।

 

ଆଉ ହର ଦେଖୁଚି ପାଖକୁ ପାଖ ଏ ଦୁଇଟି ନାରୀ, ରମା ଶ୍ୟାମଳୀ କିନ୍ତୁ ସୁନ୍ଦର ତା’ର କାଟ, କେଡ଼େ ଛନଛନିଆ, ଆଉ ହେଇତ ରେବ ! ରେବ ତା’ର ଖଞ୍ଜାର ଖୁଡ଼ୀର ଭାଇର ଝିଅ । ପିଲାଟିଦିନୁ ଚିହ୍ନା, ଖୁଡ଼ୀ ବାପ ଘର ବୋଉ ବାପଘର ଏକା ଗାଁ’ ସେହି ଥେରପାଟଣା, ମାମୁମାନଙ୍କର ଭଣଜାକୁ ଭାରି ଶରଧା ଓ ହରର ବହୁତଦିନ କଟିଛି ସେଠି । କାନ୍ଥରେ ରମା ଦେହକୁ ଲାଗି ରେବ । ଚମ୍ପାଗୋରୀ, ମୁଣ୍ଡରେ ସିନ୍ଦୂର ଝକ ଝକ ଦିଶୁଛି, ହାତରେ ଶଙ୍ଖା, ରୁପା ଖଡ଼ୁ, ଆଗଠୁଁ ଡଉଲଡାଉଲ, କିନ୍ତୁ ଟିକିଏ କେମିତି ଢିଲା ଢିଲା ନୁତୁପୁତୁ ଥାକୁଲୁ ଥାକୁଲୁ, ଆଉ ତା’ର ଧାର ଆଖି କେମିତି ମିଞ୍ଜି ମିଞ୍ଜି ଦିଶୁଛି, ମୁହଁ ଦିଶୁଛି ବିବର୍ଣ୍ଣ ଆଉ କି ବିଚିତ୍ର ଉତ୍ତେଜନାରେ ସେହି ପାନପାତ୍ର ପରି ମୁହଁ କେମିତି ଲମ୍ବାଳିଆ ହୋଇଯାଇଛି, କ’ଣ ରାଗୁଛି ନା କ’ଣ ?

 

କାହାର ଗୋଡ଼ ବାଜି ଦପ ଦପ ନଲ୍‍ଟଣଟା ଉଗୁଡ଼େଇ ହୋଇପଡ଼ି ହୁତ୍‍କିନା ଜଳିଉଠି ଗଲା ନିଭି । ଘର ଭିତର କିଟି କିଟି ଅନ୍ଧାର । ରମା ଅନୁଭବ କଲା ତା’ ଆଖି ଉପରେ ଜଳନ୍ତା ନିଃଶ୍ୱାସ, ଗାଲ ଯେମିତିକି କେଉଁ କଣ୍ଟାବାଡ଼ରେ ଆଞ୍ଚୁଡ଼ି ହୋଇଗଲା । ରେବ ପାଟିକଲା, “ଆରେ ଏ କ’ଣ ହେଲା ମ ଦିଆସିଲି କାହିଁଗଲା ?” ଆଉ ରମା ଅନୁଭବ କଲା ତା’ଉପରୁ ରେବର ଜାବ ହୁଗୁଳା ହୋଇ ଖସିଗଲା । ରେବର ପାଟି ଆଉ ଶୁଭିଲା ନାହିଁ, ଖାଲି ଦୁମୁ ଦୁମୁ ଶବ୍ଦ । ରମାର ଛାତିରେ ଅଜଣା ଭୟ ମାଡ଼ିବସିଲା । ସେ ଯେମିତି ପାଣିରେ ବୁଡ଼ି ପାଣି ପିଇଯାଇଛି ଆଉ ଉଦମୁଦା ହୋଇ ପାଣିତଳେ ମୁଣ୍ଡରେ ଠେଲି ପଳାଇଦେଇଛି ଏମିତି ଛାଟିପିଟି ହୋଇ କୁଆଡ଼େ ଧାଉଁ ଧାଉଁ ଚେଁ ଚେଁ ହୋଇ ଚୁଚୁନ୍ଦ୍ରା ଦଉଡ଼ି ପଳାଇଲା, କାହାର ନରମ ଦେହରେ ସେ ଥରେ ବାଜିଯାଇ ପୁଣି ବାଜିଲା କାହାର ଟାଣୁଆ ଦେହରେ ଆଉଥରେ କାନ୍ଥରେ, ତା’ପରେ ତା’ର ନିଘା ପଡ଼ିଗଲା ସାମ୍ନାରେ ଖୋଲା ଦୁଆରମୁହଁ ସେପଟେ ଜହ୍ନଆଲୁଅରେ ଗୋଳିଆଗୋଳି ପାଣିଚିଆ ଅନ୍ଧାର । ମୁକ୍ତିର ବାଟ ଖୋଲାଥିଲା, ଅଛି, ସେ ବୃଥା ନିଜେ ନିଜେ ଧନ୍ଦି ହୋଉଥିଲା । ସେ ସେହିବାଟେ ଦୁଆରକୁ ଦଉଡ଼ିଆସି ପାଟିକଲା “ନୂଆବୋଉ” ।

 

ଥଣ୍ଡା ସ୍ୱରରେ ଭିତରୁ ଉତ୍ତର ଆସିଲା, “ପାଇଲିଣି ରଇଥା ଯା ନାହିଁମ ରମା ଆଗ ଡିବିଟା ଲଗାଇ ଦିଏଁ” ।

 

ଆଉ ସେ ଦେଖିଲା ଛାଇଟାଏ ବାହାରି ଚାଲିଗଲା, ତା’ପରେ ଦାଣ୍ଡକବାଟ ଖୋଲିବାର ଶବ୍ଦ ଶୁଭିଲା ଆଉ ଏଣେ ଡିବିଟା ବି ବାଜିଲା । ମୁଣ୍ଡ ଉପରେ ଓଢ଼ଣାଦେଇ ରେବ କହିଲା, “ଆସ ଭିତରକୁ । ନଲ୍‍ଟଣଟା ପଛେ ଜଳିବ । ଆଗ ଡିବିଟାରେ କାମ ଚଳୁ ।”

 

ଯେପରିକି ଅସ୍ୱାଭାବିକ ହୋଇ କିଛି ହୋଇନାହିଁ, ରେବର ସ୍ୱର ଓ ହାବଭାବ ସେହିପରି ଗୋଟିଏ ବିଶ୍ୱାସ ସୃଷ୍ଟି କଲା । ନା, କେଉଁଠି କିଛି ଅଖଞ୍ଜ ନାହିଁ ଅଡ଼ୁଆ ନାହିଁ । ଭିତରେ ମୂଷାଭାଇ ଭାରିଯା, ପାନଡାଲା ପାଖେ ବସିଛି, କାଚଖଡ଼ୁ ଶୁଭୁଛି ଝଣଝଣ । ବାହାରେ ସେ । ସେମିତି ଅନ୍ଧାର ଘରଗୁଡ଼ାକ । ଉପରେ ଜହ୍ନୁଆ ଆକାଶ, ସୁନ୍ଦର ସୁସ୍ଥ ।

 

ଲାଗିଲା, ବେଳ ଯାଇନାହିଁ । ସେ ସେଘରେ ଥିଲା, ଏ ଘରକୁ ଆସିଛି, ସିଧା ଏଇ ଗୋଡ଼େ ଗୋଡ଼େ । ଚାଉଳ ମାଗି ଆସିଛି । ଭିତରକୁ ଗଲା । ରେବର ମୁହଁ ଗମ୍ଭୀର । ସେ ଗୋଟେଇ ପୋଟେଇ ଆପଣାଠିଁ ଠୂଳ କରିଛି । ଛାତି ଓଲଟପାଲଟ କଲା ଭଳି ସେ ଆଉ ସେହି ବିଚିତ୍ର ହୁଁ ପଦ କହିବ ନାହିଁ, ପଛେ ପୁଣି କେବେ ଜିତି ପାରେ, କିନ୍ତୁ ଲାଗୁଛି ଏହି ମୁହୂର୍ତ୍ତରେ ରେବ ହାରିଯାଇଛି । ମନେ ମନେ ସନ୍ଧି । ସେ ରମାକୁ ଖୁଞ୍ଚିଲା ପରି କିଛି କହିବ ନାହିଁ ।

 

ଚାଉଳ ନାହିଁ ଶୁଣି ରେବ ଘୁମରୁ କାଢ଼ି ଗଉଣିରେ ପାଞ୍ଚସେର ଚାଉଳ ମାପିଦେଲା, ମାମୁଲି ସହାନୁଭୂତି ଦେଖାଇଲା ଭଳି ଆହା ଚୁ ଚୁ ବି କଲାନାହିଁ, ସେତେବେଳେ ବି ତା’ର ବ୍ୟବହାର ସମାନ ସହିତ ସମାନର । କାନିରେ ଚାଉଳ ଗୁରେଇ ଗଣ୍ଠି ପକାଇଲାବେଳେ ରମା ଯେତେବେଳେ କହିଲା, “ଟିକିଏ ଡେରିହେଲେ ଗାଳିଦବ ନାଇଁ ନୂଆବୋଉ, ଭାଇ ଟଙ୍କା ପଠେଇଲେ ଲେଉଟାଇଦେବୁଁ” ସେତେବେଳେ ବି ଅଭିନୟ ନ କରି ସିଧା ସିଧା କଥା କହି ସେ ତାକୁ ବିଦା କଲା, କହିଲା, ଦୁଃଖରେ ସୁଖରେ ତ ସମସ୍ତେ ଘର କରୁଥାଇଁ, ଆମର ନିଅଣ୍ଟ ପାଇଲେ ତୁମର ଥିଲେ ତୁମେ କ’ଣ ଦେବନାହିଁ ଯେ କେଉଁ ବଡ଼ କଥାଟାଏ ୟେ–”

 

ମନ ଉସତ ଲାଗୁଥାଏ ରମା ପଦାକୁ ଗଲା, ପାଦ କେଡ଼େ ହାଲୁକା । ମନ ହେଉଥାଏ ଚାଉଳ ଗଣ୍ଡିକ ବୋଉକୁ ବଢ଼େଇଦେଇ ମୁଁ ବି ଯିବି ସଙ୍ଗୀତ ଶୁଣି, ସାହି ବୁଲି । ଖଞ୍ଜା ଦାଣ୍ଡକବାଟ ମେଲା ଥାଏ । ବାହାରି ଗଲା ବେଳକୁ ଦାଣ୍ଡ ପିଣ୍ଡା ସେମୁଣ୍ଡରୁ କାହାର ଖଣ୍ଡିକାଶ ଶୁଭୁଥାଏ । କିଏ ଫୁସ୍‍ ଫୁସ୍ କରି ଡାକିଲା, “ଶୁଣମ ଶୁଣମ” । ରମାର ସତେ ଯେମିତି ନିଶ୍ୱାସ ଅଟକିଗଲା । ଲାଗିଲା ଏ ଡାକ ଦିନଆଲୁଅ ସହି ପାରିବ ନାହିଁ, ଏ ଡାକ ରାତିର । ନଡ଼ିଆଗଛ ମହୁଡ଼ ଉପରେ ଜହ୍ନଆଲୁଅ ଆଉଜିଛି, ତଳକୁ ନିଗିଡ଼ିଆସିଛି ଶିରାଏ ଶିରାଏ । ବିବିଧ ମୁଦ୍ରା କରି ପବନରେ ନଡ଼ିଆ ବାହୁଙ୍ଗାମାନେ ଓଡ଼ିଶୀ ନାଚୁଛନ୍ତି । ସେହି ଫୁସ୍‍ ଫଚସ୍ ଡାକ ପାଖେଇ ପାଖେଇ ଆସୁଛି, ସେଥିରେ ଥଟ୍ଟା ନକଲ ନାହିଁ, ସହାନୁଭୂତି ଅଛି– “ଶୁଣ, କୁଆଡ଼େ ଆସିଥିଲ କହିଲ ? ମୋ ଦେଇ କିଛି ହେବ ନାଇଁ ?” । ବାଟରେ ଅଖଞ୍ଜ ହୋଇ ପଡ଼ିଥିବା ଗାଡ଼ି ଦେଖିଲେ ଆପଣା ଗାଡ଼ି ରୋକି ଓହ୍ଲେଇପଡ଼ି ସେମିତି ସେ କହେ, ଲୋକେ କହନ୍ତି, ହର ଡ୍ରାଇଭରକୁ ମଟର ଦଉଡ଼େଇବାରେ କେହି ଯେମିତି ଟପିପାରିବେ ନାହିଁ ଯଦି ତା’ ମନ ହୋଇଯାଇଥିବ ତେବେ କେହି ବି ତାକୁ ଟପିପାରିବେ ନାହିଁ ତା’ ଜୀବନ ମୂର୍ଛା ଉପକାରିଆ ପଣରେ । ବାଟରେ କିଏ ବିପଦ ଆପଦରେ ପଡ଼ିଥିଲେ ହର ନଜରରେ ପଡ଼ିଗଲେ ସେ ନିସ୍ତରିଗଲା ଜାଣ ।”

 

(ଛଅ)

 

ହର ଶୁଣିଥିଲା । ଆପଣା ଅଭିଜ୍ଞତା ଭିତରେ ଦେଖିଥିଲା ତା’ର ଚିହ୍ନା ରୂପ, ବସି ଖାଇ ନଈବାଲି ସରିଛି, ଘରେ ଚାଉଳ ନାହିଁ, ଖାଇବାକୁ ବଉଁଶ ପଲେ । ସେମାନେ ଗପି ଜାଣନ୍ତି ପାନ ଭାଙ୍ଗି ଜାଣନ୍ତି ସବୁ ସରଞ୍ଜାମ ଠିକଣା କରି କତିରେ ଥୋଇ ଦେଲେ ନିକୁଟି ନାକୁଟି ରନ୍ଧା ବଢ଼ା କରି ଜାଣନ୍ତି । ରଜ ପାନ କେତେ ଛଇରେ ଭାଙ୍ଗିହେବ, ଯେମିତି ପାନ ନୁହେଁ ଗୋଟାଏ ଗୋଟାଏ ଡେମ୍ଫରୁ କମକୂଟ ହୋଇଥିବା ନାନା ଜାତିର ଫୁଲ ଏକାଠି ଝୁଲୁଛି । ବଡ଼ି କେମିତି ପାରିବାକୁ ହୁଏ ଯେ ଖାଇବ ସେ ଖାଇବ କ’ଣ ଆଗ ଘଡ଼ିଏ କାଳ ଦେଖୁଥିବ ତା’ କାରୁକାର୍ଯ୍ୟ ଯେମିତି ସେ ବଡ଼ି ନୁହେଁ । ତାରକସି କାମ କି ନାଲି ପଥରରେ ଛୁଞ୍ଚି କାମ, ଗୁଣ୍ଡିଟା କେମିତି ପାଗ କରିବାକୁ ହୁଏ ଯେ ପାଟିରେ ପକାଇଦେଲେ ଜିଭ ଓଠ ପାଟି କ’ଣ ଆତ୍ମାଟା ବି ସନ୍ତୋଷ ହୋଇଯିବ, ମଣିଷ କପାଳରେ ଗାଲରେ ଚନ୍ଦନ ଚିତାରେ କି ଶିଳ୍ପ ଫୁଟିପାରେ, ଘର ଚଟାଣରେ କି କାନ୍ଥରେ ଚିତାପକା କାହାକୁ କହନ୍ତି ସେ କି ଦୃଶ୍ୟ କି ଭାବ ଏସବୁ ସେମାନେ ଭଲ ଜାଣନ୍ତି । ଗାମୁଛା ପଚେଇବା, ଚୁଡ଼ାଘଷା ତିଆରି କରିବା, ମାଛ ମହୁର ରାନ୍ଧିବା, ଛବି ଆଙ୍କିବା, ଛନ୍ଦ ଗାଇବା, ନାନା ବିଦ୍ୟାରେ ସେମାନେ ଧୁରନ୍ଧର ସତ ! ପୁରୁଣା ପରମ୍ପରା ଦୃଷ୍ଟିରେ ସାମାଜିକ ଆଚରଣରେ କେଉଁ କଥାଟା ଠିକ୍ କେଉଁ କଥାଟା ଭୁଲ୍ ସେ ବିଷୟରେ କାହା ଆଗରେ କଥା କହି ବସିଲେ ସେମାନଙ୍କ ତୁଣ୍ଡରେ ଖଇ ଫୁଟିବ, ଶ୍ରୋତା ପଞ୍ଝାଏ ମିଳିଗଲେ ସଂସାରରେ ଆଉ କିଛି ଦରକାର ନାହିଁ, ନିଶ୍ଚିନ୍ତ ।

 

କିନ୍ତୁ କ’ଣ କଲେ ଘରର ଆୟ ବଢ଼ିବ, କିଛି ହେଲେ ଉପକାରରେ କେଉଁ କାମଟା ଆସିବ ସେ ବିଷୟରେ କାହାରି କାଣିଚାକର ସାହାଯ୍ୟ ନାହିଁ । ଆଶା କରିଥିବେ ଘରକୁ କୁଆଡ଼ୁ କୁଆଡ଼ୁ ଜିନିଷ ଆସୁଥିବ, କିଏ ଆସି ବେଠିରେ କାମ କରିଦେଇଯାଉଥିବେ ।

 

ଏମିତି କରୁ କରୁ ଧୂଳିଆପିଟା ଘର ଧାଉଡ଼ିକ ବସିଗଲା, କେତେ ଘରର କାନ୍ଥ ପାଚିରି କାନ୍ଥ ପଡ଼ିଗଲା, ଦୁଆରେ ଅରମା ହେଲା ଯେ ସାପ କାମୁଡ଼ାରେ ଦିଜଣ ମଲେ, ବାରି ହେଲା ବଣ-

 

ଆଉ ସେ ନିଜେ, ଉଜଳଗଡ଼ ଦଳବେହେରା ଘର ବଡ଼ ପୁଅ । ସେ ହେଲା ମଟର ଡ୍ରାଇଭର, ରୋଜଗାର କଲା, ଆପଣା ଘର କୁଟୁମ୍ବ ପାଞ୍ଚ ପ୍ରାଣୀଙ୍କି ପୋଷିଲା ମାନିଆଁ, ଆଉ ଅରଜିଲା ଦୁର୍ନାମ, ଆଗ ତା’ର ଘରଲୋକଙ୍କଠୁଁ,– “ଛତରାଟା କିଛି ନ ହୋଇ ହୋଇଛି ଡ୍ରାଇଭରଟାଏ, ବାପ ଅଜାଙ୍କ ନାଁ ବୁଡ଼େଇଲା ।” ହଁ, ସେଇ ଘରର ତ ସେ ! ଜମିଦାରି ନିଲାମରେ ଉଠିଛି । ଦୟାକରି ଇଂରେଜ କିଲଟର କହିଲେ ରାଜସ୍ୱ ପଇଠ କରି ଦେବାକୁ । ମହଲତ ମାଗି ଦରଖାସ୍ତ ଦେଲେ ମହଲତ ମିଳିବ । “ଉଜଳଗଡ଼ ଦଳବେହେରା କାହାଠୁଁ ଅନୁଗ୍ରହ ନିଅନ୍ତି ନାହିଁ ।” ମହାପାତ୍ର ରାଏ କହିଥିଲେ, “ଫିରିଙ୍ଗିର ମନ ହେଉଛି ତ ଯାଚି ମହଲତ ଦେଉ, ମୁଁ ଆବେଦନ କରି ନ ପାରେଁ ।” କିଲଟର ଯାଚି ମହଲତ ଦେଲେ, ଆହୁରି ଛ’ ମାସ । କିନ୍ତୁ ଟଙ୍କା ଦେଉଛି କିଏ ? ଆସିଲେ ଅନନ୍ତ ଛାଟୋଇ, ବେପାର କରି ଲକ୍ଷପତି । କିନ୍ତୁ ପୁରୁଣା ଅମଳର ମଣିଷ, ପ୍ରାଚୀନ ରୀତି ନୀତି ଆଚାର ବିଚାରକୁ ମୁଣ୍ଡପାତି ମାନନ୍ତି । ଉଜଳଗଡ଼ ଜମିଦାରିରେ ତାଙ୍କର ବହୁତ ଜମି । କହିଲେ, “ସୁନିଆକୁ ଆମଘରୁ ସାରୁ ବୋଝେ ଭେଟି ଦେବାକୁ ଯେଉଁ ପ୍ରଥାଟା ରହିଛି ସେଇଟା ଉଠେଇ ଦିଅନ୍ତୁ । କଚିରିରେ କିସ୍ତି ବାକି ଟଙ୍କାତକ ସବୁ ମୁଁ ବାନ୍ଧିଦେବି ।” ମହାପାତ୍ର ରାଏ ତାଙ୍କ ବୋଉଙ୍କୁ ପଚାରିଲେ । ବୋଉ କାନ୍ଦିପକାଇ କହିଲେ, “ହଇରେ, ତୁ ଉଜଳଗଡ଼ ଦଳବେହେରା ପୁଅଟି ? ଆପଣା ହାତରେ ବାପ ଅଜା ଚଉଦ ପୁରୁଷର ମହତ ବିକି କଉଡ଼ି ଆଣିବୁ ତାଙ୍କ ଆତ୍ମା କ’ଣ କହିବେରେ !” ମହତ ରହିଲା । ଜମିଦାରି ନିଲାମରେ ଗଲା, କିଣିଲେ ଅନନ୍ତ ଛାଟୋଇ ।

 

ପଦବିଟା ଆଗେ ଭାରି ଲମ୍ବା ଥିଲା, “ଅଇରିଗଞ୍ଜନ ଭ୍ରମରବର ମାନଧାତା ମହାପାତ୍ର ରାଏ ।’ ବାପାଙ୍କ ଅମଳରେ ମହାପାତ୍ର ରାଏ ହୋଇଥିଲା । ରାଏ ପଦବିକୁ ତାଳପତ୍ର ଭଉଁରିଆ ଭିତରେ ଛାଡ଼ି ଦେଇ ଜନତା ସଙ୍ଗେ ଏକ ହୋଇ ହରେନ୍ଦ୍ର ମହାପାତ୍ର ହୋଇ ସେ ପଦାକୁ ବାହାରି ପଡ଼ି ମଟର ଡ୍ରାଇଭର ହୋଇଥିଲା, ସେହି ଯେଉଁ ବର୍ଷ ତା’ରି ସାଙ୍ଗରେ ବୀରା ନାହାକ ଇସ୍କୁଲ୍‍ରୁ ବାହାରିଥିଲା । ବୀରପ୍ରତାପ ମର୍ଦ୍ଦରାଜ ସିଂହ ବର୍ମା ଉପାଧି ଧରି ଆଉ କଲେଜରେ ନାଁ ଲେଖାଇଥିଲା ।

 

ଜୀବନର ଯେଉଁ ଇସ୍କୁଲର ଶ୍ରେଣୀ ଉଠି ଉଠି ହର ଉଜଳଗଡ଼ର ଦଳବେହେରାର ପଦବିରୁ ଆସି କଣ୍ଡୁରି ପଲେଇର ମଟର ଟ୍ରକ୍‍ର ଡ୍ରାଇଭର ହୋଇଥିଲା ସେଠି ସେ ବୁଝିଥିଲା ଭୋକ, ଉପାସ କ’ଣ, କି ଅବସ୍ଥାରେ ପଡ଼ିଲେ ବୟସ୍କା ଝିଅ ସଞ୍ଜ ପହରେ ପର ଘରକୁ ଯାଏ ଚାଉଳ ଉଧାର ମାଗି । ତେଣୁ ତା’ର ସହାନୁଭୂତି ଆସିଥିଲା, ମନ ଡାକିଥିଲା...ସାହାଯ୍ୟ କରେଁ ।

 

କିଏ ୟେ କାହାର ଗାତ ଚୁଲି, ରମା ଭାବିଥିଲା କ’ଣ ତା’ର ମୋ’ଠିଁ ଦରକାର ? ସେ ସିଧା ଚାଲିଯାଇଥିଲା ତା’ ଘରକୁ ତା’ ଅଣ୍ଟିରେ ଉଧାର ଚାଉଳ ନୁହେଁ ସେ ତା’ର ଇଜ୍ଜତର ଆହତ ଅଭିମାନ ।

 

(ସାତ)

 

ପୁଣି ବାଘା କୁକୁର ସମ୍ଭାଷଣ ଜଣାଇଲା ଆଉ ନାଚି ନାଚିକା ତା’ର ଦଶ ବର୍ଷ ବୟସର ଭାଇ ରଘୁ ଆସି ତାକୁ କୁଣ୍ଢେଇ ଧରି କହିଲା “ହେଇଟି ତ ଅପା । ଅପା ଆଳୁ ଖାଇବୁ ?” ଅଛଡ଼ା ସିଝା ଆଳୁଟିଏ ତା’ ପାଟିରେ ଗୁଞ୍ଜିବାକୁ ଚେଷ୍ଟା କଲା, ତା’ପରେ ଦେଖିପାରିଲା ଅପା କ’ଣ କାନିରେ ଗୁଡ଼େଇଛି, କହିଲା “ୟେ କ’ଣ ଅପା ?” ଅପା ଅପା ଡାକି ତିଳ ଦଉଡ଼ି ଆସିଲା, ସାତ ବର୍ଷର ଝିଅ, ଚାଉଳ ପୁରାକୁ ଚାରିଆଡ଼ୁ ଚିପି ଚିପି ପାଟିକଲା “ଦେଖା କ’ଣ ଆଣିଚୁ ।” ଆସିଲା ନାହିଁ ଜଗୁ, ରମା ଦେଖିଲା ରୋଷେଇ ଘରେ ଡିବିଟି ଜଳୁଛି, ଡିବି ପାଖେ ନଇଁପଡ଼ି କ’ଣ ବହି ଖଣ୍ଡେ ପଢ଼ୁଛି ଜଗୁ, ତା’ ମୁହଁ ଗମ୍ଭୀର, ମୁହଁ ଉପରେ ଚୁଲି ଧାସ ପଡ଼ିଛି । ବସି ବସି ତା’ ବୋଉ ନଡ଼ିଆ ପତ୍ର ଜାଳୁଛି । ଚୁଲିରେ ହାଣ୍ଡି ବସେଇଛି । ପାଖକୁ ଗଲାରୁ କହିଲା “ଏତେ ଡେରି ! ଏକାଥରେ ଦି’ ଘଣ୍ଟା ! ଯାଇଚୁ ଯେ ଯାଇଚୁ ! ହଉ ତୋ ମନ !”

 

ରମା ବୁଝେଇବାକୁ ଚେଷ୍ଟାକଲା, ମୂଷା ଭାଇ ଭାରିଯାର ସେ ପିଇସୀ ପୁଅ ଭାଇ ଜଣକ ଆସିଛି, ସୁବିଧା ନ ମିଳିଲେ କେମିତି ସେ କଥାଟା ପକାନ୍ତା, ଇତ୍ୟାଦି । ତା’ ବୋଉ କିଛି କହିଲେ ନାହିଁ । ଟିକିଏ କୁତୂହଳ ବି ନ ଥିଲା । ରମା ଚାଉଳତକ ଅଜାଡ଼ି ରଖିଲା, ତା’ ବୋଉ ତେଣିକି ଅନାଇଁଲା ବି ନାହିଁ । ଯେମିତି ତା’ ବେକପଟୁ କଥା ଶୁଭିଲା “ଆଜିକି ଗଲାଣି, କାଲି କାମରେ ଲାଗିବ, ଥାଉ ।”

 

“ଆଜି କ’ଣ କଲୁ ବୋଉ ?”

 

“ଖାଇଲେ ବୁଝିବୁ ।”

 

ରଘୁ କହିଲା “ଆଜି ଭାରି ସୁଆଦ । ପଇତି ହଉଚି । ନଡ଼ିଆ କୋରା ପଡ଼ିଚି ।”

 

ତା’ ବୋଉ ହସିଦେଲେ । ଝିଅ ଆଗରେ କୈଫିୟତ ଦେଲା ପରି ବୁଝାଇଲେ, “କୋଳଥ ଚୂନା ଗଣ୍ଡିଏ ପଡ଼ିଥିଲା, ଦରାଣ୍ଡି ଦରାଣ୍ଡି ପାଇଲି । ଆଳୁ ଦୋଟି କଞ୍ଚା କଦଳୀ ଦୋଟି ନଡ଼ିଆ ଫାଳେ ବି ହାବୁଡ଼ିଲା । ଭାବିଲି ଆଜି ତ ଏତେ ଡେରି ହେଲାଣି ଏକାଠି ସିଝେଇ ଦେଲେ ଯାଏ । ପିଲାମାନେ ଆଳୁ ସିଝାରୁ ଅଧକ ପାଟିରେ ପକାଇ ଦେଲେ । କହିଲି ହଉ ଖାଅ, ପଛେ ଖାଇଥାନ୍ତ ଆଗେ ଖାଇଲ, କ’ଣ ହେଲା ! ସେଇଆ କହୁଛି ।”

 

କଣ୍ଡିଆ ଜମିରେ ଭାଗରେ କୋଳଥ ହୁଏ, ଗୋରୁଙ୍କ ପାଇଁ ନୁହେଁ । ମଣିଷ ଖାଆନ୍ତି । କୋଳଥ ଡାଲି, କୋଳଥ ଛତୁ, କୋଳଥ ଜାଉ ଅର୍ଥାତ୍ ପଇତି । ସେହି ଅମଳ ବେଳର କୋଳଥ ଗଣ୍ଡିଏ, ଓଳିକ ଖୋରାକ ଚଳିଯିବ । ବୋଉର ମନ ସେଥିପାଇଁ ଉସତ । ସାମ୍ନା ଓଳିକ ପାଇଁ ଥିଲେ ସେହି ଯଥେଷ୍ଟ, ତା’ପରେ ଅନିଶ୍ଚିତ । ସେଥିପାଇଁ ଭଗବାନ ଭରସା । ଦର୍ଶନ ତଥ୍ୟ ନୁହେଁ, ବିଚାର ନୁହେଁ, ଯୋଜନା ନୁହେଁ, କେବଳ ବିଶ୍ୱାସ । ସେହି ବିଶ୍ୱାସ ଉପରେ ନିର୍ଭର କରି ସେ ମଣିଷ ଅସମ୍ଭବ ସମ୍ଭବ ହେବ ବୋଲି ଆଶା କରେ । ଆର ଓଳିକୁ ଖାଇବାକୁ ନାହିଁ କିନ୍ତୁ ସେ ଆଶା କରିଛି ତା’ ଝିଅ ପାଇଁ ଘରୁଆ ଘରର ପାଠୁଆ ବର ସେ ପାଇବ, ଚରିତ୍ର ବଳ, ସ୍ୱାସ୍ଥ୍ୟ, ରୂପ, କୁଳ, ସବୁଥିବ ତା’ର, ତା’ ପିଲାଏ ବଡ଼ ମଣିଷ ହେବେ, ଘର କରିବେ, ତା’ର ସବୁ ଭଲ ମାଡ଼ିଯିବ ।

 

ରମା କାବା ହୋଇ ତା’ ବୋଉକୁ ଅନାଇଁଲା । ଦି’ଘଣ୍ଟା ତଳେ ସେ କି ବିକଳ କି ଅଶାନ୍ତ ହେଉଥିଲା, ବର୍ତ୍ତମାନ ସେ କେଡ଼େ ଶାନ୍ତ, ନିଶ୍ଚିନ୍ତ, ଖୁସି ଖୁସି । ପାଖରେ ପିଲାଏ ଅଛନ୍ତି, ଚୁଲି ଜଳୁଛି, ଉପରେ ଖଣ୍ଡେ ଚାଳ ଅଛି । ସମସ୍ତିଙ୍କ ଶରୀର ନିରୋଗ ଅଛି । ତା’ବୋଉର ଆଉ କିଛି ଦରକାର ନାହିଁ ।

 

ତା’ ନିଜର କ’ଣ ହେବ ? ରମା ଆପେ ଆପେ ଭାବିହେଲା । ବେଳେ ବେଳେ ଏମିତି ସେ ଲୁଚେଇ ଲୁଚେଇ ଭାବେ । ସେ ଜାଣେ ସେ ଘରେ ଥାଇ ବି ପର, ତା’ର ସ୍ଥାନ ଆଉ କେଉଁଠି । ଯେମିତି ଏ ସମାଜରେ ବୁଢ଼ା ବୁଢ଼ୀ ବେଳେ ବେଳେ ଭାବନ୍ତି ବୋଲି ଲୋକେ କହନ୍ତି ଯେ ତାଙ୍କର ଏ ଜୀବନଟା ଅସଲ ନୁହେଁ ୟେ ମାୟା, ଅସଲ ସେହି ଆରଟା ଯେଉଁଟା ଏ ଜୀବନ ସରିଲେ ସେପୁରେ ଆରମ୍ଭ ହେବ ।

 

ସେ ଘରେ ସେ କ’ଣ ତା’ ବୋଉ ପରି ଏମିତି ଶୂନ୍ୟ ଉପରେ ଭରା ଦେଇ ନିଶ୍ଚିନ୍ତ ହୋଇ ଚଳିପାରିବ ? ଏମିତି ବିନା ଆପତ୍ତିରେ ଗ୍ରହଣ କରି ପାରିବ ଭଲ ଆଉ ମନ୍ଦ ସବୁ ? ଲାଗିଲା, ସତେ ଯେମିତି ସେ ଏ ଘରୁ ବିଦା ହୋଇଯାଉଛି ଆଉ ଏତିକିବେଳେ ତା’ ବୋଉ ଦିଶୁଛି ନୂଆ ରୂପରେ ! ନାକ କାନ୍ଦୁରା ସକ ଆସୁନାହିଁ ଯେଉଁଥିରେ ଆଖି ଜଳ ଜଳ ହୋଇ କାକର ଝାଡ଼େ-। ତା’ର ଅନ୍ତର ଭିତରୁ କେଉଁ ଗହୀରରୁ ତା’ ବୋଉ ପ୍ରତି ଉବୁକି ଉଠୁଛି ସହାନୁଭୂତି, କୃତଜ୍ଞତା, ସମ୍ଭ୍ରମ-

 

ଏଇ ଟିକି ମଣିଷଟି, ଲୁହାଠୁଁ ବଳି ଟାଣ, ଲୁହାକୁ ପଛେ ମୁରୁଚା ଖାଏ, ତା’ର କ୍ଷୟ ନାହିଁ-। ସୁଖରେ ବଢ଼ିଛି, ଦୁଃଖରେ ଭାଙ୍ଗି ପଡ଼ି ନାହିଁ । ଛୁଆ ପାଳିବା ସଂସାର ବୁଲେଇବା ତା’ର କଠୋର ତପସ୍ୟା । ସକାଳୁ ରାତିଯାକେ ହାତ ଥୟ ହୁଏ ନାହିଁ । ଯାହା କରେ ତା’ ନିଜ ପାଇଁ ନୁହେଁ, ତାଙ୍କରିମାନଙ୍କ ପାଇଁ । କେତେ ଆଘାତ ଏ ଦେହେ ଦେହେ ସେ ହଜମ କରିଛି ! ଏଇ ମୁହଁଟି,–କେଉଁଠି ମୁଣ୍ଡରେ ବାଳ ପାଚିଛି, କେଉଁଠି କପାଳରେ ଛାଇ ଛାଇଆ । ଆଖି ତଳେ କାଳିଚା ଗାଲ, ଗାଲରେ ଟୋଲା କି ଚେପା, ଗାଡ଼ କି ହାଡ଼, ଏତ ସେହି ଯୁଦ୍ଧର ହିଁ କ୍ଷତ ଚିହ୍ନ ।

 

ରମା ହଠାତ୍ ଯାଇ ତା’ ବୋଉର ବେକକୁ କୁଣ୍ଢେଇ ଧରି ତାକୁ ଗେଲ କଲା ଆଉ ତା’ କୋଡ଼ରେ ମୁଣ୍ଡ ଗେଞ୍ଜି ଦେଲା । ରଘୁ ତିଳ ହସି ହସି ଗଡ଼ିଗଲେ । ବୋଉ ହସି ହସି କହିଲା “କିଲୋ ! କିଲୋ !” ରମା କହିଲା “ବୋଉ ମତେ ସେ ପଇତି ଉପରର ସରଟା” ଜଗୁ ଆଶ୍ଚର୍ଯ୍ୟ ହୋଇ ତା’ ପଢ଼ା ବହି ଉପରୁ ମୁହଁ କାଢ଼ି ସେ ଆଡ଼କୁ ଅନାଇଁ ଥିଲା, ଏ ପ୍ରସ୍ତାବ ଶୁଣି ଦୃଢ଼ ଆପତ୍ତି ଜଣାଇଁ କହିଲା “ନାଇଁ ବୋଉ ନାଇଁ, ସେମିତି ହେଲେ ସେ ପଇତି ମୁଁ ଖାଇବି ନାଇଁ ।” ହସି ହସି ତା’ ବୋଉ କହିଲେ “ହଇରେ, ଏଡ଼ୁଟି ଦିନୁ ଅପା ସଙ୍ଗରେ ବାଦ !” ରମା କହିଲା “ନାଇଁରେ ଜଗୁ ତୁ ସବୁଯାକ ଖା । ଆମ ସମସ୍ତିଙ୍କ ଭାଗ ଖାଇ ଖାଇ ତୁ ମୋଟା ହ, ତୁ ତ ଭଲ ପଢ଼ୁଚୁ, ତୁ ବଡ଼ ହେଲେ ବହୁତ ଟଙ୍କା ରୋଜଗାର କରିବୁ, ସେଇଠୁ ଆମ ସମସ୍ତିଙ୍କୁ ଦେବୁ ।” ଜଗୁ ଭିଡ଼ି ମୋଡ଼ି ହୋଇ ହସି ହସି ହାଇ ମାରିଲା । ପାଖ ଗାଁ ଉଡ୍ରେଶ୍ଵରରେ ହାଇସ୍କୁଲ, ତା’ର ନବମ ଶ୍ରେଣୀରେ ଯେଉଁ କୋଡ଼ିଏ ଜଣ ପିଲା ପଢ଼ନ୍ତି ତାଙ୍କ ଭିତରେ ତା’ ସ୍ଥାନ ପ୍ରଥମ । ମନେ ମନେ ତା’ର ଆଦର୍ଶ ତା’ର ହେଡ଼ମାଷ୍ଟର, କେଡ଼େ ବିଦ୍ୱାନ ! କେଡ଼େ ସରଳ ! କେତେ ସମ୍ମାନ ! କେଡ଼େ ପରୋପକାରୀ-! ତାଙ୍କ ଚାଲି, କଥା, ଆଖିଛଟା, ହସିଥିଲେ ତାଙ୍କର ଭାବିଲା ଭାବିଲା ମୁହଁଠାଣି, ସବୁ ସେ ଅନୁକରଣ କରେ । ଆଉ ସେହି ସରଳତା ଭିତରେ ଗୋଟାଏ ଟାଣୁଆ ସ୍ୱାଧୀନତା, ଯେମିତି ସେ ଖାଲି ନିଜ କର୍ତ୍ତବ୍ୟ ଓ ଆଦର୍ଶର ଚାକର, ଆଉ କାହାରି ଚାକର ନୁହନ୍ତି । ସେ ମନେ ମନେ ତାଙ୍କୁ ହିଁ ପୂଜା କରେ, ବଡ଼ ଦିନେ ସେମିତି ସେ ହେବ, ଏହିପରି ତା’ର କଳ୍ପନା ।

 

ରଘୁ କହିଲା “ବୋଉ ମୁଁ ନାଚ ଶିଖିବି ଗୀତ ଗାଇ ଶିଖିବି ।” ତିଳ କହିଲା “ବୋଉ ମୁଁ ବି ।” ରଘୁ କହିଲା “ଜାଣିଚୁ ବୋଉ, ସେ ଯେଉଁ ପିଲାଏ ନାଚୁ ନ ଥିଲେ, ମୋରି ପରି ପରା, ମୋରି ବୟସର ଆଉ ମୋଠୁଁ ସାନ । ମୁଁ ଜଣକ ସଙ୍ଗରେ କଥାବାର୍ତ୍ତା ହେଲି ଯେ କହିଲା କେତେ ମିଠେଇ ତାଙ୍କୁ ଖାଇବାକୁ ଦିଆହୁଏ । କେତେ ପୋଷାକ ମିଳେ, କିଛି କାମ ନାହିଁ ଲୋ ବୋଉ, ଖାଲି ସବୁବେଳେ ନାଚୁଥା ଗାଉଥା । ମାସକୁ ଚାଳିଶି ପଚାଶ ଟଙ୍କା । ପଚାଶ ଟଙ୍କା ମିଳିଲେ କାମରେ ଲାଗନ୍ତା ନାହିଁ ବୋଉ !” ରମା ତାକୁ ଗେଲ ଆଦର କରି କହିଲା “କହୁଚୁ ଆଉ, ତୋରି ପଚାଶ ଟଙ୍କାକୁ ତ ବୋଉ ଅନେଇଚି, ଆଉ କାହାକୁ କି ?” ତିଳ ଆସି ତା’ କୋଡ଼ରେ ଅଜାଡ଼ି ହେଲା, ରମା କହିଲା “ନିଦ ମାଡ଼ିଲାଣି, ନା ? ରଇଥା ଓହ୍ଲେଇ ପକାଇ ଖାଇବାକୁ ଦେଉଛି ।”

 

ଥାଳିରେ ମାଣ୍ଡିଆ ଜାଉ ଅଜଡ଼ା ହେଲା, ପିଲାଏ ବସି ପଡ଼ିଲେ । ମାୟା ଦେବୀ ଝିଅକୁ ପିଣ୍ଡାକୁ ଡାକି ତୁନି ତୁନି କରି କହିଲେ, “ତୋର ବୁଦ୍ଧି ହେଲାଣି ତୁ ବୁଝିବୁ ମା, ଏମିତି ଆଉ କେତେ ଦିନ ଚଳିବ କହ ? ଗୋଟାଏ କିଛି ଆମୁକୁ କରିବାକୁ ପଡ଼ିବ ।” ରମାର ଛାତି ଦବି ଗଲା । ବୋଉ ତା’ ହେଲେ ଭୁଲି ନାହିଁ ।

 

ମାୟା ଦେବୀ କହିଲେ “ସାଧୁଆ କାହିଁକି ଚାକିରି କରୁଛି ସେ ଜାଣେ, ଗାଁରେ ଲୋକ ତ ଘର ଆବୁରି ଦୁଃଖେ ସୁଖେ ଚଳି ଯାଉଛନ୍ତି । ସେ ବି ଚଳି ଯାଇପାରିଥାନ୍ତା । ଘରେ ତ ଯାହା କହନ୍ତି ସମସ୍ତେ ଗଡ଼ି ମଲେ, ତା’ ଚାକିରି କରିବା ସ୍ୱାର୍ଥ କ’ଣ ?”

 

ରମା କହିଲା “ବଢ଼ିବ ନାହିଁ ପଛେ ? ସେତେବେଳେ ନିଜ ଖର୍ଚ୍ଚ ଯାଇ ବଳିବ ।”

 

ମାୟା ଦେବୀ କହିଲେ “ସେତେବେଳେ ଯାକେ ଆୟୁଷ ଥିଲେ ହେଲା ।”

 

ରମା କହିଲା “କ’ଣ ତେବେ କହୁଚୁ ?”

 

ମାୟା ଦେବୀ କହିଲେ “ଆମେ ଖାଇବୁ ପିନ୍ଧିବୁ, ଘର ଛୁଆଣି ହେବ । ପୁଣି ପିଲାଏ ପାଠ ପଢ଼ିବେ ମଣିଷ ହେବେ ! ଆସିବ କୋଉଠୁ ? ମାଗି ଯାଚି ତ ଆଉ କୁଟୁମ୍ବ ପୋଷି ହେବ ନାହିଁ-!”

 

ରମା କହିଲା “ହଉ, ବ୍ୟସ୍ତ କାହିଁକି ହେଉଛୁ, ଭାଇଙ୍କଠୁଁ ଟଙ୍କା ଆସୁଥିବ ଯେ । ନ ହେଲେ କାଲି ଆଉ ଖଣ୍ଡେ ଚିଠି ଲେଖି ଦେବା ।”

 

ମାୟା ଦେବୀ ଶୁଖିଲା ହସ ହସି କହିଲେ “ଯାହା ଦେଉଛି କେଉଁଥିକି ଅବା ପାଉଛି ? ଦେଇ ଦେଇ କେତେ ଦେବ ?”

 

ରମା କହିଲା “ହଉ ଏବେ, ଯାହାର ନ ଥାଏ ସେମାନେ କ’ଣ କରନ୍ତି ?”

 

ମାୟା ଦେବୀ କାଠୁଆ ପାଟିରେ କହିଲେ, “କରନ୍ତି । କରନ୍ତି ଆଉ କ’ଣ ? ରୋଜଗାରର ବାଟ ଦେଖନ୍ତି, ନ ହେଲେ ଯିଏ କୁଆଡ଼େ ଉଡ଼ିଯାଆନ୍ତି । ମଝି ମଝିକିଆ ନାହିଁ ।”

 

ରମାର ଦେହ ଶୀତେଇ ଉଠିଲା । ସେହି ଅନ୍ଧାର ଭିତରେ ରମା ଯେପରିକି ତା’ ବୋଉର ମୁହଁକୁ ନିକୁଟି ନିକୁଟି ଦେଖିବାକୁ ଚେଷ୍ଟା କଲା । ଖାଲି ତା’ କଥା ନୁହେଁ, କଥା ଉହାଡ଼ରେ ଥିବା ତା’ ମୁହଁର ଗୋଟାଏ ବିଶିଷ୍ଟ ଛବି, ଯେଉଁଠି କରୁଣା ପାଲଟିଥିବ ଶୁଖିଲା ମରୁବାଲି । ସେହି ଚାହାଣିର ଆଘାତ ଲୋଡ଼ୁଛି ରମା, ସାନ୍ତ୍ୱନା ନୁହେଁ ଆଘାତ ପାଇଲେ ତା’ ମନ ବୋଧ ହେବ । ମନେ ପଡ଼ି ଯାଉଛି ପିଲାଦିନର ଚିହ୍ନା ଅନୁଭୂତି, ସେ କ’ଣ ଦୁଷ୍ଟାମି କରିଥିବ, ଛକିଥିବ ଉଣ୍ଡୁଥିବ କେତେବେଳେ ବୋଉ ଆସିବ, ଗାଳି ଦେବ ପିଟିବ । ଆଉ ଯଦି ବୋଉ କିଛି ନ କହିବ, ତା’ର ଦୁଷ୍ଟାମିକୁ ଉପେକ୍ଷା କରି କାମ କରିଯିବ, ଓଲଟି ରମାର ଭିତରେ ଚୋଟ ବସେ, ଅଶାନ୍ତ ଅଶାନ୍ତ ଲାଗେ । ସେମିତି ।

 

ଘର ଭିତରୁ ଜଗୁ ପାଟି କଲା, “ଆଚ୍ଛା ଗପରେ ରହିଲୁ, ଆଉ କିଛି ଦେଇ ଯିବୁ ନାଇଁ ବୋଉ ।”

 

‘‘ଇଲୋ ମୋ ପୁଅକୁ ଯମ ପାଶୋରୁ ଲୋ ! ଇଲୋ ମତେ ମରଣ ହେଇଯାଉ ଲୋ ! ଉଠ ନାହିଁ ବସିଥା ମୁଁ ଯାଉଚି ଚାଲ୍ ।”

 

ରମା ଏକୁଟିଆ ବସି ରହିଲା । ବାଘା କୁକୁର ନାକେଇଛି, ତା’ର ଭାଗକ ତା’ର ଦରକାର-। ଦୁନିଆରେ ସମସ୍ତିଙ୍କର ଆଶା ଆପଣା ଆପଣା ଭାଗକୁ ।

 

କେମିତି ଜହ୍ନ ଝିଲି ଝିଲି ରାତି । ଆଉ ଏତେବେଳେ ମୂଷାଭାଇ ଘରେ ହର କ’ଣ ଭାବୁଥିବ । କେତେଦିନ ସେ ରହିବ ।

 

ଆକାଶରେ ବଉଦର ଫୁଲ ପାଖୁଡ଼ା କୁଆଡ଼େ ପଡ଼ିଲାଣି । ସେଠି ଅଚିହ୍ନା ଦେଶର ଛବି, ଜହ୍ନ ଆଲୁଅରେ ଝଲ ଝଲ ହୋଇ କେଉଁ ପର୍ବତ–ନା, କିଏ ଜଣେ ଘୋଡ଼ିଘାଡ଼ି ହୋଇ ଲମ୍ବ ହୋଇ ଶୋଇ ରହିଛି, ସେଠି ତୋଟା, ଗାଁ, ସଡ଼କ, ଆଉ ଉଡ଼ୁଥିବା ଭାସୁଥିବା କେତେପ୍ରକାର ଅଚିହ୍ନା ଜୀବଜନ୍ତୁ, ହେଇ ଯେମିତି ଏ କିମ୍ଭୀରମୁହାଁ ଗାଈ, ଆଉ ତା’ର ପଖି ଅଛି । ତାକୁ ବି ଭଲ ଲାଗନ୍ତା, ଏ ଜହ୍ନ ଆଲୁଅରେ ଜୁଡ଼ୁବୁଡ଼ୁ ହୋଇ ସେହି ମାୟା ରାଇଜରେ ପହଁରି ବୁଲିବାକୁ । ସେହି ଯେଉଁଠି କାନ୍ଥ ନାହିଁ ବାଡ଼ ନାହିଁ ଖାଲି ଖୋଲା ବିସ୍ତୃତି, ସତେ ଯେମିତି ଆକାଶ ସିଙ୍ଗରେ ଛାତିକୁ ଛାତି ମିଶାଇ ଦେଇ ସେ ଏହି ଅନନ୍ତ ଶୂନ୍ୟ ଭିତରେ ଚାଲିଥାନ୍ତା ।

 

କେତେଥର ଲାଗେ ଏମିତି ଛନ ଛନ । କିନ୍ତୁ ଅନୁଭବ କରିଛି ଯେମିତି ସେ ଠିପିଦିଆ ବୋତଲ ଭିତରେ ଜୀଅନ୍ତା ବଢ଼ନ୍ତା ଛୁଆ ବରଗଛ, ଜେଲ୍‍ଖାନାଟା ଭାଙ୍ଗିବା ଆଖିକି ସହଜ ଦିଶେ, କିନ୍ତୁ ଭାଙ୍ଗି ହୁଏ ନାହିଁ ।

 

ମାୟା ଦେବୀ ପୁଣି ଲେଉଟି ଆସିଲେ; ସତେ ଯେମିତି ତାଙ୍କ ମନ ଭିତରେ ଚିନ୍ତାଗୁଡ଼ାକ ତାଙ୍କୁ ଅଥୟ କରିଛି, ପଦାକୁ ନ କାଢ଼ିଲାଯାକେ ଶାନ୍ତି ନାହିଁ । ବଉଦ ଢାଙ୍କିଲାଣି । କାଳିଚା ଜହ୍ନରାତି-। ସାମ୍ନାରେ ୟେ ଯେ ସେ ଝିଅ ନୁହେଁ, ସାଙ୍ଗ ସରିସା ।

 

ମାୟା ଦେବୀ କ୍ଲାନ୍ତ ନିଃସହାୟପଣରେ ସେହି ଜହ୍ନ ରାତିକୁ ଚାହିଁ ରହିଲେ । ରମା ଅପେକ୍ଷା କରିଛି, କାଳେ ସେ କଅଣ କହିବେ । କିନ୍ତୁ ତାଙ୍କର ଯେମିତି ଅବସ୍ଥିତି ହିଁ ଅଛି, ଚେତନା ନାହିଁ । କେଉଁ ଢେଉ ଉପରେ ଭରା ଦେଉ ଦେଉ ସେ ଢେଉଟା ଚାଲି ଯାଉଛି, ପୁଣି ଆସୁଛି ଆଉ ଗୋଟାଏ । ତଥାପି ସେ ଆଶ୍ରା ଖୋଜୁଛନ୍ତି, ଯେମିତି ପୋଖରୀରେ ପାଣି ଉପରେ ଖାଲି ଚିତ୍ ହୋଇ ଶୋଇ ରହିବାକୁ, ମେଲା ଆଖିରେ କାହାର କି ଛାଇ ପଡ଼ୁଛି ତା’ ମନ ଘେନୁନାହିଁ ।

 

ଦେହରେ ସେହି ସୁଲୁ ସୁଲିଆ ପବନ ବାଜୁଛି, କିନ୍ତୁ ଭାବନା ଉପୁଜାଉନାହିଁ, ସ୍ୱାପ୍ନ ମେଲୁ ନାହିଁ । ଆଖିରେ କିଛି ରୂପ ଦିଶୁନାହିଁ । କାନକୁ ଶୁଭୁନାହିଁ କିଛି ସଙ୍ଗୀତ କିମ୍ବା ମନ ଉଲୁସାଇଲା ଭଳି କାହାର ପାଦଶବ୍ଦ । ଅତୀତରେ ଥିଲା । ଭୁଲି ହୋଇଯାଇଛି କ’ଣ ଥିଲା, କିପରି ଲାଗୁଥିଲା । ତୁଚ୍ଛା ସାଇଁ ସାଇଁ ଶବ୍ଦ । ରେଡ଼ିଓ ଷ୍ଟେସନଗୁଡ଼ାକ ବନ୍ଦ ହୋଇ ଯାଇଛି ।

 

(ଆଠ)

 

ରୋଜଗାର ! ତା’ର ବାଟ କ’ଣ ?

 

ମାୟା ଦେବୀ ପିଣ୍ଡାରେ ସପ ପାରି ଶୋଇ ଫାଙ୍କା ଦୁଆରକୁ ଚାହିଁ ଚାହିଁ ଭାବୁଥାନ୍ତି । ଜନ୍ମରୁ କେବେ କେହି ତାକୁ ବତେଇ ନାହିଁ, ରୋଜଗାର କର, ତା’ର ଏଇ ବାଟ । ସେ ତ ଖାଲି ଶିଖିଥିଲେ ଘର ଚଳାଇବାକୁ ଆଉ ଖର୍ଚ୍ଚ କରିବାକୁ । କି ରୋଜଗାରର ବାଟ ଏଠି କେଉଁ ସ୍ତ୍ରୀଲୋକକୁ ଜଣା ?

 

ଦେହ ମେହନତ୍ । ହାତପାଆନ୍ତି ସିଧା ବାଟ । ବାଉରାଣୀ କଣ୍ଡୁରୁଣୀଏ ମୂଲ ଲାଗନ୍ତି, ଧୋବଣୀ ଲୁଗା କାଚେ, କେଉଟୁଣୀ ଚୁଡ଼ା କୁଟେ, ତେଲୁଣୀ ଲୁଣ ତେଲ ପସରା ମୁଣ୍ଡେଇ ବୁଲେ । ଖାନ୍ଦାନି ଜମିଦାର ଘରର ବୋହୂ କ’ଣ କରେ ?

 

ହାତ ଗୋଡ଼ରୁ ବଳ ତୁଟି ନାହିଁ, କରି ହୁଅନ୍ତା କିଛି, କ’ଣ ସେ କାମ କିଛି ଜଣାନାହିଁ ? ପୁରୁଷ ପୁରୁଷର ସମାଜ ସେ ଧାରଣା ଦେଇନାହିଁ, ଖାଲି ଏତିକି ଶିଖାଇଛି ଯେ ପଦାକୁ ଯାଇ ଖଟିବା ମନା ।

 

ତା’ହେଲେ କ’ଣ ଜୁଳୁଜୁଳୁ କରି ଚାହିଁ ଚାହିଁ ଶେଷଦିନକୁ ଅପେକ୍ଷା କରିବାକୁପଡ଼ିବ ? ଦୀର୍ଘଶ୍ୱାସ ପକାଇ ସେ ଭାବିଲେ, ମରଣ ହେଉନାହିଁ କାହିଁକି ? ନିରାଶା ଭିତରେ ହଠାତ ଯେପରିକି ଆଲୁଅ ଝଲକିଲା, ମରଣ ଦିଶିଲା ଭିନେ ଆଖିରେ ।

 

ଦେହରେ ଚନ୍ଦନ ପରି ଶୀତଳ ପବନ ବାଜୁଛି, ମୁଣ୍ଡ ଝାଇଁ ଝାଇଁ କମି କମି ଆସୁଛି, ଆଖିପତା ମାଡ଼ି ମାଡ଼ି ପଡ଼ୁଛି, କ୍ଲାନ୍ତି ଭିତରେ ଭୁଲିଯିବା ଗାଲେଇପଡ଼ିବାର ସୁଖ ଅନୁଭୂତି । ସେ ଭାବୁଥାନ୍ତି, ମରଣ ଏମିତି ଗୋଟାଏ ଅବସ୍ଥା । ସୁଖ ଭୁଲିହେଲା ବୋଲି କ୍ଷୋଭ ନାହିଁ, ଦୁଃଖ ବି ଭୁଲି ହୋଇଯିବ । କାଲି ସକାଳୁ ଉଠି ଚିନ୍ତା କରିବାକୁ ନଥିବ, ସକାଳୁ ପଛେ ନ ଉଠେଁ । ଅଭାବ ନାହିଁ, ଅପମାନ ନାହିଁ, ଶୋକ ନାହିଁ, ମରଣର ନିରନ୍ଧ୍ର ଅନ୍ଧାର ଭିତରେ ନିଘୋଡ଼ ନିଦ, ସେ ନିଦ ତୁଟିବ ନାହିଁ । ସେତିକି ତ ସାନ୍ତ୍ୱନା ।

 

ଆଗପଛ କରି ଆଖି ବୁଲେଇ ଆଣିଲେ ଦିଶିଯାଉଛି, ଅନେକେ ଅଛନ୍ତି ଯେଉଁମାନେ ନ ଥିଲେ ନିସ୍ତରି ଥା’ନ୍ତେ । ଯେଉଁ ଜୀବନରେ ମୁହୂର୍ତ୍ତେ ସୁଖ ଶାନ୍ତି ନାହିଁ, ଖାଲି କଲବଲ ଛଟପଟ, ସେମିତି ନିଲଠା ଅଲଣା ଅଲୋଡ଼ା ଜୀବନ ଖାଲି ଗୋଟାଏ ଅଦରକାରୀ ବୋଝ, ଗଲେ ଯାଏ । ଘରେ ଘରେ କେତେ ତ ଏମିତି ସୁକୁସୁକୁ ହେଉଛନ୍ତି, ତଥାପି ଜୀବନକୁ ଏଡ଼େ ଲୋଭ । ସକାଳ ପାହୁଛି, ରାତି ହେଉଛି, ନିତି ସେହି ଅନିଭୋଗ ଦହଗଞ୍ଜ । ସେ ଘରେ ଥାଳ ପୂରିବ ନାହିଁ, ଚିନ୍ତା ସରିବ ନାହିଁ, ଚୁଲି ଉପରେ ତାତିଲା କରେଇରେ ଜୀଅନ୍ତା ମାଛ, କାହିଁକି ସେମାନେ ଅଛନ୍ତି !

 

ପିଲାଙ୍କ ପାଇଁ ଯେତେ ଧନ୍ଦି ହେଲେ ବି ସେମାନେ ବାହାଦୁରି ଦେବେ ନାହିଁ, ଓଲଟି କହିବେ ବାପା ମା’ ସୁଖରେ ରଖିଲେ ନାହିଁ । ସମ୍ପତ୍ତି ଛାଡ଼ିଗଲେ ନାହିଁ । ପୁଅ କହିବ ପାଠ ପଢ଼ାଇଲେ ନାହିଁ, ଝିଅ କହିବ ଭଲ ଘରେ ଦେଲେନାହିଁ, ମଣିଷ ଯେତେ ଖଟିଖଟି ମଲେ ବି ନିନ୍ଦା ଶୁଣୁଥିବ, ଏଇତ ସଂସାର !

 

ଅହଲୀ ବୋଉ ଏଇ ଖଞ୍ଜାରେ କନିଅର ମଞ୍ଜି ଖାଇ ମଲା, ଗଙ୍ଗାଧର ତାକୁ ବାର କଥା କହି ଶୋଧନ୍ତି, ଶେଷରେ ଦିନେ ଗୋଇଠାଏ ପକାଇଲେ । ସେ ଆଗରୁ ଚଜିଥିଲା, ଯେତେ ଗାଳିଦେବ ଦିଅ ପଛେ, ଦେହରେ ଟିପ ଛୋଇଁଲେ ଆଉ ମତେ ପାଇବ ନାହିଁ । ସେତେବେଳେ ଲାଗୁଥିଲା ସେ ଖରାପ କାମ କଲା, ଆତ୍ମହତ୍ୟା ମହାପାପ, ଏବେ ଲାଗୁଛି ସେ କ’ଣ ନାଙ୍କରା କଲା । ଅହଲୀ ତ ବାହା ହୋଇ ଯାଇଥିଲା । ବିମ୍ବାଧର ଏ ଡିହରୁ ଉଠିଗଲା, ଘରଜୋଇଁଆ ହୋଇ ଶ୍ୱଶୁର ଘରେ ରହିଛି, କେଉଁ ଛାପାଖାନାରେ ଚାକିରି କରିଛି । ରଙ୍ଗାଧର ସବୁ ବିକିଭାଙ୍ଗି ଖାଇ ଖାଇ ଶେଷରେ କି ଅବସ୍ଥାରେ ମଲେ ! ଅଫିମ ଟିକିଏ ପାଇଁ ପାଟି ଟକ ଟକ, ପେଟପୂରା ଭୋଜନ ମୁଠାଏ ବି ମିଳେନାହିଁ ।

 

ଗୋଲ ମାଉଁସିଆ ମୁହଁ, ଶେଥା ଗୋରୀ । ଚେପ୍‍ଟା ନାକର ଅଗଟି ମାଠିଲା ପରି ଗୋଲଗାଲ, ତଣ୍ଟି ବସେଇ ବସେଇ ଡାକେ–“ଅପା” ।

 

(ନଅ)

 

କିନ୍ତୁ ସକାଳୁ ନିଦ ଭାଙ୍ଗିଲା ମାତ୍ରେ ସେ ଅନୁଭବ କଲେ, ଜୀବନ ତାଙ୍କୁ ସହସ୍ରେ ଚେରରେ ଏଇ ମାଟି ସଙ୍ଗେ ବାନ୍ଧି ରଖିଛି । ଚୁଲିରୁ ପାଉଁଶ କଢ଼ା ହୋଇ ପଡ଼ିବ ହେଇ ସେ ସଜନା ଗଛ ମୂଳରେ, ଦୁଆର ଘର ପହଁରା, ରୋଷଘରେ ଛୁଞ୍ଚୁ କନା, ଲାଗିଲା ଘରକାମ । ଘରେ କିଛି ଥାଉ ନ ଥାଉ ସେ ତ ଭିନେ କଥା, ଦେହର ନିତ୍ୟକର୍ମ ପରି ଘରର ନିତ୍ୟକର୍ମ ଅଛି ।

 

ହୁମୁରା ଗାଁରେ ବିଶାଶହେ ଘର ପ୍ରାଣୀ ଥାଇ କାଲି ରାତିରେ ତାଙ୍କ ପିଲାଏ ଉପାସ ରହୁଥିଲେ, ତା’ଛଡ଼ା ଏ ଖଞ୍ଜାରେ ଅଛନ୍ତି ଆପଣାର କୁଟୁମ୍ବ । କାହା ସହିତ କେତେ ଦୁଃଖ ସୁଖର ସମ୍ବନ୍ଧ, କିନ୍ତୁ ଯାହା ଘରେ ଯେ । ଭୁଲି ହେଉନାହିଁ ଯେ ଆପଣାର ଦିଅର ଦାମଙ୍କ ଘର ବି ମନାକରିଦେଲେ ଚାଉଳ ଗଣ୍ଡିଏ ଉଧାର ଦେବାକୁ । ଅଥଚ ଏଇ ସକାଳ ପାହିଲା, ପାଞ୍ଚ ଘରର କୁଟୁମ୍ବ ମୁହଁ ଦେଖାଦେଖି, ସାଙ୍ଗସାଥୀ, କଥାଭାଷା, ପଦାରୁ ଦିଶିବ ୟେ ଗୋଟାଏ ଘର ।

 

ଆଖିରୁ ନିଦ ଛାଡ଼ିନାହିଁ ସାନପୁଅ ରଘୁ ଆସି ଭିତର ପିଣ୍ଢାରେ ବସି ମୁତୁଛି । ସେ ପାଟିକରି ଉଠିଲେ, “କିରେ-କିରେ ଏଡ଼ିଟାରେ କ’ଣ ? ଛି ଦୁଆର ଅସନା ହେବ– “ରଘୁ ଠିଆହୋଇପଡ଼ି ହାଇ ମାରିଲା । ଭଦ୍ରଲୋକ ପରି କହିଲା “ଦେଖ ସମସ୍ତେ ଶୋଇଛନ୍ତି ମୁଁ ଆଗ ଉଠିଲି ।”

 

ତା’ପରେ ରାତିର ଗୋଟିପୁଅ ନାଚ ତା’ର ମନେ ପଡ଼ିଗଲା, ଯେପରି ତା’ ବୋଉ ସଙ୍ଗରେ କଥାଭାଷା ତା’ର ସଂପୂର୍ଣ୍ଣ ହୋଇନାହିଁ, ପଚାରିଲା “କ’ଣ କହୁଚୁ ବୋଉ, ମୁଁ ନାଚ ଗୀତ ଶିଖିବି । ସେ ଯେଉଁ ଗୁରୁ ଆସିଥିଲା ତାକୁ ପଚାରିଲି ଯେ କହିଲା ମୋ ଦେଇ ଭଲ ହେବ, ତୁ କହିଲେ ସେ ମତେ ଶିଖାନ୍ତା ।”

 

“ହଉ, ସେ ଗୁରୁକୁ ମୋ ପାଖକୁ ଡାକିଦେବୁ ଯେ ଏ ଛାଞ୍ଚୁଣି ପାହାରରେ ତା’ କଥାର ଜବାବ ଦେବି । ସବୁ ତ ଶିଖି ପକାଇଲେ, ଆଉ ଖାଲି ନାଚଣା ନ ଶିଖିଲେ ନ ଚଳେ ।”

 

ରମା ଉଠିଲା, କାମରେ ମିଶିଗଲା । ଜଗୁ ଉଠିଲା, ଦାନ୍ତ ନ ଘସି ଲାଗିଗଲା ବହି ଘୋଷିବାରେ । “କି ରେ କି ରେ–” ସେ ପାଟିକରି ଉଠିଲେ “ଯା ତୋ କାମ ଛିଡ଼ା, ବହି କ’ଣ କୁଆଡ଼େ ପଳେଇ ଯାଉଚି ?” ବେଳ ପଳୋଉଚି ବୋଉ”, ସେ କହିଲା, “ଏଇ ଯେଉଁ ପାହାନ୍ତା ବେଳ, ଥରେ ପାଟିକରି ପଢ଼ିଲେ ସବୁ ଦିନକୁ ମନେ ରହିଯିବ ।”

 

ଏମିତି ତାଙ୍କ ଚାରିକରେ ସମସ୍ତେ ଅଛନ୍ତି । ଏମାନଙ୍କ ଉପରେ ତାଙ୍କର ବଳ ଖଟେ, ତାଙ୍କରି ମୁହଁକୁ ଚାହିଁ ସମସ୍ତେ ଚଳୁଛନ୍ତି । କାହାର ଅଭିମାନ, ରୁଷା, କାହାର ଆବେଦନ କି ଅଳି, କାହାର ଫେରାଦ୍, ତାହାରି ପ୍ରମାଣ ସେସବୁ । କାହିଁ ଏଠୁ ତାଙ୍କର ଛୁଟି ? ସମ୍ପର୍କରେ ଦିଅର ହେବେ ଦଧି, ଦଧିଙ୍କ ପୁଅ କୁଳିଆ ସେଣୁ ପାଟି କରି କରି ଆସିଲା “ବଡ଼ମା, ବଡ଼ମା କୁଆଡ଼େ ଗଲ-?”

 

ଡେଙ୍ଗା ଧେଡ଼େଙ୍ଗା ହାଡ଼ୁଆ ହୋଇ କୁଳମଣି, ପଚିଶି ବର୍ଷର ଭେଣ୍ଡା, ଆଖି କୋରଡ଼ରେ ପଶିଛି, ବାଳ ଫୁରୁଫୁରୁ, ଗୋରା ଦେହଟା ନିରକ୍ତିଆ ହୋଇ ଦିଶୁଛି ପାଉଁଶିଆ । କାନ୍ଦ କାନ୍ଦ ହୋଇ କହିଲା “ବୋଉର କ’ଣ ହୋଇଯାଉଚି ବଡ଼ମା, ବାଉଳି ଚାଉଳି ହଉଚି, ତମ ନାଁ ଧରି ଡାକୁଥିଲା । ଆସିବ ନାଇଁ ଟିକିଏ ?”

 

“କିରେ ମୂଷାକୁ ଡାକିନେଲୁ ନାଇଁ ?”

 

“ମୂଷାଭାଇ ଦେଖୁଥିଲେ ବଡ଼ମା, କାଲି କହିଲେ ମୁଁ ବା କ’ଣ ଜାଣେ ମିଛରେ ଠକିବି କାହିଁକି ? ୟେ ମୋ’ଦେଇ ହବନାଇଁ । ରାତିରେ ତ ଖଇ ଫୁଟୁଥିଲା, ଅନ୍ଧାରୁଆରୁ ଦେହଟା କାକର, ହାତରୁ ଗୋଡ଼ରୁ ପାଣି, ଅଇଛା ତ ଏମିତି । କ’ଣ କହୁଛ ବଡ଼ମା, ବୋଉ ମୋର ବଞ୍ଚିବନାଇଁ ?” କୁଳିଆ କାନ୍ଦିପକାଇଲା । ମାୟା ଦେବୀ କହିଲେ, “ତୁ ଏମିତି କାହିଁକି ହଉଚୁ ମୋ ବାଇଆଟା, ବୋଉ ତୋର ଭଲ ହୋଇଯିବନାଇଁ ? ଚାଲ୍ ମୁଁ ଯାଉଚି ।”

 

ବାଟରେ କୁଳିଆ କହିଲା, “କାଲି ରାତିରେ ମୁଁ ପାଖରେ ବସିରହିଥିଲି । ମୁଁ ଦି’ଥର ତାକୁ ଦେଖିଚି ବଡ଼ମା, ଥରେ ବୋଉ ମୁଣ୍ଡ ଉପରେ ବସିଥିଲା । ଆଉଥରେ ତା’ ପାଦ ପାଖେ, ମୁଁ ପାଖକୁ ଗଲେ ସେ କୁଆଡ଼େ ଉଭେଇଯାଏ । ଦି’ବର୍ଷ ପୂରିନାଇଁ ସେ ତ ଗଲା, ଆଉ ଅଇଛା ଲଗେଇଚି ମୋ ବୋଉକୁ ନେଇଯିବାକୁ ।” କୁଳିଆର ଲୁହ ଭିତରୁ ନିଆଁ ଜଳୁଛି ରାଗରେ ।

 

ଦୁଇବର୍ଷ ହେଲା ତା’ର ସ୍ତ୍ରୀ ମରିଛି, ଆଉ ସେ ବିଭା ହୋଇନାହିଁ ! “ଆହା, କାହା କଥା କହୁଚୁରେ କୁଳ”, ମାୟା ଦେବୀ କହିଲେ, “ବିଚରା ଅହ୍ୟସୁଲକ୍ଷଣୀ ସରଗପୁରେ ରହିଲାଣି, ବୋହୂ ନୁହେଁ ହୀରା ଖଣ୍ଡେ ଥିଲା । କି ଲୋଭ, କି ସ୍ନେହ ! ସେ ସିନା ତମର ହିତ ମନାସନ୍ତା, ସେ କାଇଁକି ତୋ ବୋଉକୁ ନେବାକୁ ଆସିବରେ । କ’ଣ ଗୁଡ଼ାଏ ଭାବୁଚୁ, ସେଇଥିପାଇଁ ସ୍ୱପ୍ନ ଦେଖିଲୁ । ଯା ଆଗରେ ଯା, ମୁଁ ଯାଉଛି ।”

 

ମୁହଁଟାଣ ମୁହଁରେ ରହିଲା କିନ୍ତୁ ପେଟ ଲେଉଟିପଡ଼ିଲା । ଭାବିଲେ କୁଳିଆ ଯାହା କହିଲା ଯଦି ସତ ହୋଇଥିବ, ତେବେ ସତକୁ ସତ କୁଳିଆବୋଉ ଚାଲିଲା । ନିଆଁ ନଗା ଜର କି ଜର ସେ ଭଗବାନ ଜାଣନ୍ତି, କୋଡ଼ିଏ ଦିନ ହୋଇଗଲା ଜର ଓହ୍ଲାଉନାହିଁ, ତା’ ସାଙ୍ଗରେ ତରଳ ଝାଡ଼ା, ଦି’ଦିନ ହେଲା ରକ୍ତ ପଡ଼ୁଥିଲା କହୁଥିଲେ । ଏ ମଫସଲରେ ଡାକ୍ତରଖାନା ନାହିଁ, ଡାକ୍ତର ନାହିଁ, ଦେଖିଲେ ଦେଖିବ ଦି’କୋଣ ଦୂରରେ ରହୁଥିବା ବଇଦ, ନ ହେଲେ ମୂଷା, ସେ ବି ବୁଲୁଥାଏ-

 

ଖବର ପାଇ ରମା ଧାଇଁ ପଳାଇଲାଣି । ସେ ଯାଉଛନ୍ତି । ଇଚ୍ଛା ହେଲା, ଦାମଙ୍କୁ କହିଦେଇ ଯାଏଁ, ଯେତେହେଲେ ଏ ଡିହର ଜଣେ ଟାଣୁଆ ମୁରବି । ତାଙ୍କ ପୁଅ ଭୂପ କଲେଜରେ ପଢ଼େ, ଛୁଟିରେ ଆସିଛି, ମନକଲେ ସାଇକେଲ ଚଢ଼ି ଯାଇ ବଇଦକୁ ଡାକିଆଣିବ । ଅଧରୀବୋଉ ଅର୍ଥାତ୍ ଦାମଙ୍କ ଭାରିଯା ତାଙ୍କ ଦୁଆରେ ବସି ଦାନ୍ତ ଘଷୁଥିଲା, ମାୟା ଦେବୀଙ୍କି ଅନାଇଁଲେ ମୁହଁ ଭୁର୍କୁଣ୍ଡା କଲା । ପାଟିଯାକ କଳା ଅଙ୍ଗାର, ତା’ ଉପରେ ଗୁଡ଼ାଖୁ ଘଷି ଘଷି ନାଳ ବୋହୁଛି । ତା’ର ଲମ୍ବାଳିଆ ମୁହଁଟି ଆହୁରି ଲମ୍ବା ଦିଶିଲା । ସେ ହୁଏତ ଭାବିଲା ସକାଳୁ ଆସିଲେଣି ପୁଣି, କାଲି ରାତିରେ ଚାଉଳ ମଗାଇ ପଠାଇଥିଲେ ସେ ଫେରାଇଦେଇଥିଲା । ‘ଦାମ ଅଛନ୍ତି ?’ ସେ ପଚାରିଲେ । ଦାମଙ୍କ ଭାରିଯା ସକାଳୁ ସତ କହିବ ବୋଲି କରାର୍ ଲେଖି ଦେଇନାହିଁ, କହିଲା, “କୁଆଡ଼େ ଯାଇଚନ୍ତି ।” “ଭୂପ ଅଛି ?” ମୁହଁରେ ଆଞ୍ଜୁଳା ଆଞ୍ଜୁଳା ପାଣି ଛାଟି ଛାଟି ସେ କହିଲେ, “ତା’ ମୁଣ୍ଡ ବଥୋଉଚି ଯେ ସେ ଆଖି ଖୋଲିପାରୁନାହିଁ । ଶୋଇଚି ।” ମୁହଁ ଆହୁରି ଅପ୍ରସନ୍ନ ଦିଶିଲା, ହୁଏତ ମନେ ମନେ ଭାବିଲେ, ମୋଠୁଁ ଝଡ଼େଇ ନ ପାରିଲେ ବୋଲି ପୁଅକୁ ଫୁସୁଲେଇବାକୁ ଚାହାଁନ୍ତି, ଭାରି ଚାଲାଖି । କୁଳିଆବୋଉର ଅବସ୍ଥା କଥା ସେ ତାକୁ କହିଲେ, ଅଧରୀବୋଉ ଆଉ ଟିକିଏ ଚଞ୍ଚଳ ହେଲାପରି ଦିଶିଲା । କାଲି ଦଧିଙ୍କ ଘରକୁ ଦାମ ଯାଇଥିଲେ । ଦାଣ୍ଡରେ ଜମି ଗୁଣ୍ଠକ ଚାଳିଶି ଟଙ୍କା ହୋଇଥିବାବେଳେ ଗୁଣ୍ଠ ପନ୍ଦର ଟଙ୍କା ଦରରେ ଦଧିଙ୍କର ଛଅମାଣ ଜମି ଦାମ କିଣି ସାରିଛନ୍ତି । ଏକା ଦିନକେ ଏ କାମ ହୋଇ ନ ଥିଲା, ଦରକାରବେଳେ କିଛି କିଛି ଟଙ୍କା ଦେଇ କାଗଜ କରାଇ ନେଇ ଏମିତି ଧୀରେ ଧୀରେ ଜାଲ ବୁଣି ବୁଣି ଘେର ପକାଇଥିଲେ । ବାକି କିଛି ବାରିତଳ ଆମ୍ବତୋଟାଖଣ୍ଡିକ । କୁଳିଆବୋଉ ଚିକିତ୍ସା ସକାଶେ ଦଧିଙ୍କର ନିଶ୍ଚୟ ଟଙ୍କା ଦରକାର ହୋଇଥିଲା ଓ ଦାମ ବି ବେଳେବେଳେ ଯା’ଆସ କରୁଥିଲେ ସେହି ଉଦ୍ଦେଶ୍ୟରେ । ଅଧରୀବୋଉକୁ ସେହି ତ କହିଥିଲେ–”ଟାଇଫଏଡ଼୍ । ଗୋଳମାଳ ହୋଇଗଲା, ଚିହ୍ନା ପଡ଼ିଲା ନାହିଁ ନ ହେଲେ ଆଜିକାଲି ଟାଇଫଏଡ଼୍‍ ଜ୍ୱରରେ ମରିବା କ୍ଵଚିତ୍ । ଡାକ୍ତରଖାନା ଯାଇଥାନ୍ତା, ଚିକିତ୍ସା ହୋଇଥାନ୍ତା, ଭଲହୋଇ ଅସିଥାନ୍ତା ।” ଆପଣା ଭାରିଯା ଆଗରେ ଏ ତଥ୍ୟ ବଖାଣି ସେ ବହୁତ ଆତ୍ମପ୍ରସାଦ ଅନୁଭବ କରିଥିଲେ, କ’ଣ ହୋଇଥିଲେ ଭଲ ହୋଇଥାନ୍ତା ଏଇତକ କହିବାଦ୍ୱାରା ତାଙ୍କ ଅନ୍ତର ଭିତରର ପରୋପକାରୀ ମନୋବୃତ୍ତି ସତେ ଯେପରିକି ପୂର୍ଣ୍ଣ ପରିସରରେ ଖେଳିବୁଲି ଆସିଥିଲା । ଆଉ ସେ ମୁହଁ ଶୁଖେଇ କହିଥିଲେ, “ହେଲାବେଳେ ହେଲାନାହିଁ, ଅଇଛା ସବୁ ଗୋଳମାଳ ଧରିଲାଣି, ହତଭାଗା ଦଧିଭାଇ, ଯେଉଁ ଡାଳ ଧରୁଛି ସେ ଡାଳ ଛିଣ୍ଡୁଛି । ଦେଖାଯାଉ, ଡାକୁଥିବା ଭଗବାନଙ୍କୁ ।” ଆଉ ସେତେବେଳେ ଅଧରୀବୋଉ ଚିନ୍ତିତ ଠାଣିରେ ଅନାଇଁ ରହି ହଠାତ୍ ପଚାରିଥିଲେ, “ସାଆନ୍ତେ ଏମିତି ଦୋଦୋପାଞ୍ଚ ହେଉଥିଲେ କାହିଁକି ? ମୂଳରୁ ତୋଟାଟା ବିକ୍ରି କରିଦେଇ ସେହି ଟଙ୍କାରେ ଅପାଙ୍କୁ ତ ସହରକୁ ନେଇଯାଇ ଚିକିତ୍ସା କରାଇ ପାରିଥାନ୍ତେ, ପୁରୁଣା ତୋଟା ଖଣ୍ଡକର ମୋହ କ’ଣ କୁଳିଆବୋଉ ଅପାଙ୍କ ଜୀବନ ସଉଦାଠୁଁ ବଳେଇଲା ?” ସେହି ତୋଟା ଖଣ୍ଡକ ପାଇଁ ଆଗେ କେତେ ଗଣ୍ଡଗୋଳ ଲାଗିଥିଲା, ଅନାମ ସୋଇଁ ଘର ସଙ୍ଗେ ମକଦ୍ଦମା ଲାଗୁ ଲାଗୁ ଟିକିକେ ରହିଯାଇଥିଲା, ତା’ରି ଭାଇ ସୁଦାମଠୁଁ ଦଧିଙ୍କ ବାପା ବାବନ କେମିତି କୌଶଳରେ ସେ ଜମି ଖଣ୍ଡକ ଲେଖାଇ ନେଇଥିଲେ, ସୁଦାମକୁ ଲୋକେ କହୁଥିଲେ ମାଈ ନୁହେଁ କି ଗାଈ ନୁହେଁ, ଟିକିଏ ଆଡ଼ପାଗଳିଆ, ଅନ୍ୟ ବେଳେ ଓଲାଆଂଶିଆ । ତୋଟା ଲଗାଇବାକୁ ବାବନ ବୁଢ଼ାଙ୍କର କି ଝୁଙ୍କ କି ଉତ୍ସାହ, ସେ କାଳର ସାଆନ୍ତ ହେଲେ ବି ସେ ମୂଲିଆଙ୍କ ସଙ୍ଗେ ନିଜେ କୋଡ଼ି ଧରି ପକାଉଥିଲେ । ଜାତି ଜାତିକା ଆମ୍ବର ତାଡ଼ ସଂଗ୍ରହ କରି ପକାଇଥିଲେ, ବାଇଗଣ ପଲେଇ, ମାଲ୍‍ଦା, କଖାରୁଆ, ଲକ୍ଷ୍ମୀଭୋଗ, ଦିଲ୍‍ଖୁସ୍, କେତେ କ’ଣ । ଗଛରୁ ପତ୍ରଟିଏ କାହାକୁ ନେବାକୁ ଦିଅନ୍ତି ନାହିଁ ତାଙ୍କ ଘର-। ପ୍ରତି ପାଞ୍ଚ ବର୍ଷରେ ଗଛମୂଳୁ ପୁରୁଣା ମାଟି କାଢ଼ିନେଇ ନୂଆ ମାଟି ପଙ୍କ ଭର୍ତ୍ତି କରାଯାଏ । ଫଳ ଯେଉଁ ବର୍ଷ ଆସେ, ଲୋକେ ଦେଖିବାକୁ ଆସନ୍ତି । ସେହି ସେ ଆମ୍ବତୋଟା । କୁଳିଆବୋଉ କହେ ସେ ତୋଟାରେ ବସିଥିଲେ ତା’ ଶ୍ୱଶୁରଙ୍କ ମୁହଁଟି ତା’ ଆଖି ଆଗରେ ଭାସିଉଠେ, ସେ ତୋଟା ବିକିବା କଥା ପଡ଼ିଲେ ସେ ନାଗସାପ ପରି ଫଁ ଫଁ ହୁଏ, ସ୍ୱାମୀକୁ ପୁଅକୁ ଝିଙ୍ଗାସେ । କହେ ଏତେ ଲୋକ ଏତେ ଫିକର କରି ଧନ ଅରଜୁଛନ୍ତି, ତମେ ଦି’ ଦି’ଟା ମଣିଷ ଅଛ କ’ଣ ନାଇଁ କ’ଣ କରୁଥାନ୍ତ । ଖାଲି ବିକିଭାଙ୍ଗି ହୋଇ ଚଳିବା ଛଡ଼ା ତମ ଆଖିକି କିଛି ଦିଶୁନାହିଁ ?

 

ମାୟା ଦେବୀ ସମ୍ବାଦ ଦେଉଛନ୍ତି କୁଳିଆ ଆସି କହୁଥିଲା ତା’ ବୋଉ ବାଉଳା ଚାଉଳା ହେଲାଣି । ତୋଟା ବିକା ହେବାର ଶେଷ ପ୍ରତିବନ୍ଧକ ଆପେ ଆପେ ତା’ ସୁଖେ ଚାଲିଯିବାକୁ ବସିଛି-

 

ଅଧରୀ ବୋଉ ଲୁଗା କାନିରେ ଆଖିକୁ ରଗଡ଼ି ରଗଡ଼ି କହିଲେ “ଆହା ।”

 

ମାୟା ଦେବୀ ଚାଲିଯିବାର ଦେଖି ପିଲାମାନଙ୍କୁ କହିଲେ “ଆରେ, ଅଳସୋଉଚ କ’ଣ, ପେଟେ ପେଟେ ପଖାଳ ଖାଇନିଅ, ଆଜି କ’ଣ ହେଉଛି କେଜାଣି ।”

 

ଅଧରୀ ବିଭା ହୋଇ ଯାଇଛି । ରଙ୍ଗୀ ବେଙ୍ଗୀ ଦୁଇଝିଅ, ତେର ବର୍ଷର, ଏଗାର ବର୍ଷର-। ତା’ ତଳକୁ ବଗୁଲା ଚଗଲା ଦୁଇପୁଅ, ନଅବର୍ଷ ସାତବର୍ଷ । ଅଧରୀ ତଳେ ଉପେନ୍ଦ୍ର ଭୂପେନ୍ଦ୍ର, ଉପେନ୍ଦ୍ର କିରାଣି, ତା’ର ସ୍ତ୍ରୀ, ଗୋଟିଏ ଦୁଇ ବର୍ଷର ପୁଅ ଓ ସେ ସହରରେ ବସାଘରେ ଥାଆନ୍ତି, ଭୁପେନ୍ଦ୍ର ବି.ଏ. ପଢ଼େ, ମା’ ହସି ହସି କହନ୍ତି ତା’ର ତ ବଡ଼ ଆଖି, ବଡ଼ କଥା, କେତେବେଳେ କହୁଚି ବିଲାତ ଯିବି, କେତେବେଳେ କହୁଛି କିଲଟର ହେବି କ’ଣ ସେ ହେବ କେଜାଣି ! ଅଧରୀ ବୋଉ ଗଲେ ଚୁଲି ଲଗାଇ ସନ୍ତୁଳା କରିବାକୁ ।

 

(ଦଶ)

 

ଦୁଆରେ ସଜନାଗଛ ଉପରେ କାଉ ଗୁଡ଼ାଏ ବସି କର୍କଶ ରାବ ଛାଡ଼ୁଛନ୍ତି । ଓଳିତଳେ ଠାଏ କାଳୀ କୁତ୍ତୀଟା ଆମ୍ପୁଡ଼ି ଆମ୍ପୁଡ଼ି ଗାଡ଼ ଖୋଳିବାରେ ଲାଗିଛି । ପିଣ୍ଡାରେ ସାହିଯାକ ଲୋକଙ୍କ ଭିଡ଼ । ହେଇ, ମୂଷା, ଓଢ଼ଣା ପକାଇ ତା’ର ସ୍ତ୍ରୀ ଆସୁଛି, ଆନନ୍ଦ, ମୁକୁନ୍ଦ, ବଢ଼େଇ ସାହିର ଭଗତ ସେ କୁଳିଆବୋଉର ଧରମଭାଇ, ବୁଢ଼ା ଅନାମ ସୋଇଁ, ବଟି ନାହାକ, ଏ ଘରର ଅନ୍ତରପୁଅ ଜଟି ଦାସ, ହଟ ଦାସ, କାନ୍ଧରେ ଖଣ୍ଡେ ଖଣ୍ଡେ ନାଲି ଗାମୁଛା ପକାଇ ଦାମ । ମାୟା ଦେବୀ ଭିତରକୁ ଗଲେ । ଅନ୍ଧାରୁଆ ଦିଶୁଛି, ସାନ ଖିଡ଼ିକି ସେପାଖେ ବି ଲୋକ ଭିଡ଼, ଭିତରେ ମାଇପେ ଗହଳି କରିଛନ୍ତି । କେତେକେ କାନ୍ଦୁଛନ୍ତି । ଦଧି ଆଉ କୁଳିଆ, କୁଳିଆବୋଉର ବିଛଣା ଦିକରେ ବସିଛନ୍ତି । ଦଧିଙ୍କ ମୁହଁ ସତେକି ମରିଯାଇ ହୋଇଛି ପଥରର ଖୋଳ, ଖାଲି ଆଖିକଣରେ ଲୁହ ଜିକି ଜିକି, କୁଳିଆ କାନ୍ଦି କାନ୍ଦି ପାଟି କରୁଚି “ବୋଉଲୋ ! ବୋଉଲୋ ! କଥା କହ, କ’ଣ କହ ।” କୁଳିଆବୋଉ ସ୍ଥିର ହୋଇ ଶୋଇଛି । ତା’ର ଆଖି ଦିଶୁଛି ବଡ଼ ବଡ଼ ତତଲା ଜିକି ଜିକି, ପଲକ ପଡ଼ୁ ନାହିଁ । କିନ୍ତୁ ସେ ଆଖିର ଦୃଷ୍ଟି କୌଣସି ମଣିଷକୁ ଦେଖୁନାହିଁ, କୌଣସି ପଦାର୍ଥକୁ ଦେଖୁ ନାହିଁ ଅଥଚ ଦେଖୁଛି କାହାକୁ ଗୋଟାଏ । ଓଠ ଥରିଲା ପରି ଲାଗୁଛି । କିଏ ଗୋଟିଏ କହିଲା “ଇଲୋ ପାଟିରେ ମାହାର୍ଦ୍ଦ ଦିଅ ଲୋ !” କୁଳିଆ ବୋଉର ମୁହଁ ଉପରେ ଯେମିତି କ’ଣ ଗୋଟାଏ ଅନ୍ଧାର ଚହଲିଗଲା, ଯେମିତି ସ୍ଥିର ପୋଖରୀ ଉପରେ ହଠାତ ଖଣ୍ଡେ ବଉଦ ଚାଲିଗଲା, ଆଉ ପାଣି ଉପରେ କେଉଁଠି ଗୋଟାଏ ଟେକା ପଡ଼ିଯାଇଥିଲା ଯେ ଗୋଟିଏ ସରୁ ଲହଡ଼ି ଚହଲିଗଲା । ତଣ୍ଟି ଘଡ଼ ଘଡ଼ ଆରମ୍ଭ ହେଲା, ଘର ଭିତରେ ଖେଳିଗଲା ଚଞ୍ଚଳତା, କିଏ କିଏ ବାହୁନି ଉଠିଲେ । ବେକ କରକୁ ଢଳିପଡ଼ିଲା, ପାଟି ଅଳ୍ପ ଆଁ, ଦଧି ତାଙ୍କ ମୁଣ୍ଡଟାକୁ ଢାଇକିନା ତଳେ ପିଟିଦେଲେ ଆଉ କୁଳିଆ ତା’ ବୋଉ ଛାତିରେ ମୁଣ୍ଡ ଥୋଇକରି କାନ୍ଦିଉଠିଲା “ବୋଉଲୋ ତୁ କୁଆଡ଼େ ଗଲୁ !” ଆଉ ଘରଯାକ ସମସ୍ତେ ବାହୁନି ଉଠିଲେ ଯେମିତି ସମସ୍ତେ ଅପେକ୍ଷା କରିଥିଲେ ସେଇଥିପାଇଁ ।

 

(ଏଗାର)

 

ହାତରେ ରୁପା ଖଡ଼ୁ, ଜଉ ଶଙ୍ଖା, ବଟଫଳ, ବେକରେ ସରିଏ ସୋରିଷିଆ ସୁନାହାର ଯେ ନାଁ’କୁ ସୁନା, କଳା ପଡ଼ିଯାଇଛି, ଦି’କାନରେ ଦି’ଟା ନାଲି ପଥରବସା ସୁନାଫୁଲ, ଗୋଟାଏ ନାକପୁଡ଼ାରେ ନାଲି ପଥରବସା ମାଛିଟାଏ, ହାତ ଆଙ୍ଗୁଠିରେ ଗୋଡ଼ ଆଙ୍ଗୁଠିରେ ମୁଦି, ମୁଣ୍ଡରେ ଦାଉ ଦାଉ ସିନ୍ଦୂର ଗାର, ମୁଣ୍ଡ ଉପରେ ବାଳ ପତଳା ହୋଇଯାଇ ଯେଉଁ ଗୋହି ଚାଲିଯାଇଛି ସେହି ଧାରେ ଧାରେ । ବୟସ ତେୟାଳିଶି ହେବ । ଦାନ୍ତ ପଡ଼ି ନାହିଁ, ମୁଣ୍ଡବାଳ ଧଳା ହୋଇ ନାହିଁ, ଯୌବନ ମାଉଳିଲେ ବି ସେଥିରେ ଫିମ୍ପି ମାରିନାହିଁ । ନାଳଝାଡ଼ା ତା’ର ସବୁଦିନେ ଥିଲା, କେବେ କେବେ ଅଇ ଉଠେ, ହଜମ ହୁଏ ନାହିଁ, ସରୁ ସରୁ ହାତ ଗୋଡ଼ । କଣ୍ଟା ପଖି ଲାଗି ଆସୁଥିବା ବଣୀ-ଚଢ଼େଇ-ଛୁଆ ଆଖି ପରି ଆଖି, ହାଡ଼ୁଆ ଗାଇଆଳିଆ ମୁହଁ । ଛିଣ୍ଡା କନା ଏକାଠି ସିଇଁ ଆପେ କନ୍ଥା ସିଇଁଥିଲା, ତା’ରି ଉପରେ ମଇଳା ଚିରା ଫଟା ପରା ହୋଇ ସେ ଶୋଇ ରହିଛି । ଚବରଚାଉଳିଟା, କଂସା ପିଟିଲା ଶବ୍ଦ ପରି ତା’ ସ୍ୱର, ଟାଇଁ ଟାଇଁଆଁ, ପାଟି ମୁହୂର୍ତ୍ତେ ଥକେ ନାହିଁ, ଓଃ, ଏତେ ଗପ !

 

ମାୟା ଦେବୀ କାବା ହୋଇ ତା’ ମୁହଁକୁ ଅନାଇଁ ରହିଛନ୍ତି । କେତେ ସାଙ୍ଗ ସୁଖ । ଏକାଠି ଗାଧୋଇ ଯିବା, ଏକାଠି ଖାଇ ବସିବା, ପର ନାଁରେ ଏକାଠି ଖଚ ମିଛ ଆଲୋଚନା କରି ସୁଖ ପାଇବା, ଏକାଠି ସ୍ୱପ୍ନ ଦେଖିବା–ଟିକି ମୁଣ୍ଡି ହୁଙ୍କାର ସ୍ୱପ୍ନ, ଯେ ଖରା ବର୍ଷା ଖାଇ ସେମିତି ପଡ଼ି ରହିଥାଏ ବର୍ଷ ବର୍ଷ, ଭାଙ୍ଗେ ନାହିଁ, ଧୋଇ ଯାଏ ନାହିଁ, ସାନ ସାନ ଲଟା ଗୁଳ୍ମ ଧରୁ ଧରୁ ଅକସ୍ମାତ୍ କେବେ ତହିଁରୁ ଗୋଟାଏ ବାହାରେ ମୁଣ୍ଡି ସାହାଡ଼ା, ଅତି ବଡ଼ ନହେଲେ ବି ଝଙ୍କା ହୁଏ, ଆଉ ତା’ର ଡାଳପତ୍ର ଟାଣ ଟାଆଁସିଆ, ନରମ ନୁହେଁ କି ସୁକୁମାରିଆ ନୁହେଁ ।

 

ତାଙ୍କ ପେଡ଼ିରେ ଓସାରିଆ ଗୁଆକାତି ଖଣ୍ଡକ କୁଳିଆବୋଉ ଭାରି ଶରଧା କରୁଥିଲା, ମାଗିଥିଲା ଥରେ ଦିଥର । ଏଥର ଯାଉ ସେଇଟା ତା’ ସଙ୍ଗରେ ମଶାଣିକି ।

 

ଏଇ ଦେହଟା କୁଳିଆବୋଉ, ସାକ୍ଷାତ୍ ଯେମିତି ସେ ଶୋଇ ରହିଛି । ଅଥଚ କୁଳିଆବୋଉ ଏଠି ନାହିଁ, ଏଇଟା ତା’ର ମୃତପିଣ୍ଡ, ଏ ମୁହଁର ଠାଣି ଭିନେ ଦିଶୁଛି । କ’ଣ ଗୋଟାଏ ଝଳି ଏ ଦେହରେ ଲାଗିଥିଲା, ଯେଉଁଟା ଜୀଅନ୍ତା ଲୋକଙ୍କଠିଁ ଥାଏ, ମୁର୍ଦ୍ଦାରଠିଁ ନଥାଏ । ସେ ଝଳି ଚାଲିଯାଇଛି । କୁଳିଆ ବୋଉ ଏ ଦେହଟାକୁ ଫୋପାଡ଼ି ଦେଇ ଚାଲିଯାଇଛି । ଗଲା କେଉଁ ବାଟେ-? ଏତେ ଲୋକତ ଥିଲେ ? କେମିତି ତା’ର ଚେହେରା ! ଏତେ ବର୍ଷର ଘନିଷ୍ଠ ପରିଚୟ ଭିତରେ ସେ ଚେହେରାଟା ରହିଗଲା ଅଜଣା, ଅଛପା, ଯାହା ସଙ୍ଗରେ ଚିହ୍ନା ଥିଲା, ସେ ନିଜକୁ ପ୍ରକଟ କରୁଥିଲା ଏଇ ଦେହ ବାଟେ । ଗଲା, ସରିଗଲା ! ଏ ଜନ୍ମରେ ଏ ସାଙ୍ଗ ସୁଖ ଏତିକି ।

 

ପଦାରେ ସମସ୍ତିଙ୍କ ମୁହଁରେ ମରଣର ଛୁଆଁ ତା’ ଲାଗି ଯାଇଛି । ଉଦାସ ନିଷ୍ପ୍ରଭ ଦୃଷ୍ଟି ପଦାକୁ ନୁହେଁ ଆପଣା ଭିତରକୁ ଆସନ୍ତା କେତେ ବର୍ଷର ବ୍ୟବଧାନ ଡେଇଁ ସେ ସେହି ଅନ୍ତିମ ପରିଣତିକୁ ଯେପରି କି ହଲାଇ ହଲାଇ ନିଦରୁ ଉଠାଇ ଦେଇଛି । ହୃଦୟ ସ୍ୱୀକାର କରୁଛି, ସେ ଅଛି-। ଯେତେ କୋଠାତୋଳା, ଧନ ସାଇତା, ଫନ୍ଦି ଫିକର, ମାନ ଅପମାନ, ଧନ୍ଦିମରା, ସାତପାଞ୍ଚ ଯୋଜନା, ମିଛ, ନିଷ୍ଠୁରତା, ସ୍ୱାର୍ଥପରତା, ତଣ୍ଟି କଟାକଟିକୁ ପାପୁଲି ଛିଞ୍ଚଡ଼ାକେ ମିଛ କରିଦେଇ ସେ ଅଛି, ସେ ଅଛି, ସେ ଅଛି ।

 

ସେହି ଚେତନା ଏକ କରିଛି ଏତେ ଲୋକଙ୍କୁ, ମୁଣ୍ଡ ନଇଁପଡ଼ିଛି, ଆଖି ତଳକୁ । ଦାମ ବି ବସିଛନ୍ତି ହେଠମୁଖ ହୋଇ, ଗୋରା ଗେଧକା ମାଉଁସିଆ ଦେହ, ମୋଟା ବେକ, ଓସାର କାନ୍ଧ, ବଡ଼ ଚେକା ମୁହଁ, ଟାଣୁଆ ମାମଲତକାର ଥିଲାବାଲା, କୂଟ କପଟ ଲନ୍ଦଫନ୍ଦରେ ପାରିଲାବାଲା, ଜିତିଲାବାଲା ମଣିଷ, ଯେ ମଣିଷର ମୂଲ କଷିଦିଅନ୍ତି ତା’ ଧନବଳ ମାପରେ । ଆଉ ତାଙ୍କ ଯୋଗ୍ୟପୁତ୍ର ଭୂପେନ୍ଦ୍ର, ଯାହାକୁ ମଣିଷ ଗନ୍ଧାନ୍ତି, କାହାରି କଥା ପସନ୍ଦ ହୁଏ ନାହିଁ, କାହାରି ସାଙ୍ଗସୁଖ ଭଲଲାଗେ ନାହିଁ, ଯେ ଇଂରେଜ କାଗଜ ହାତରେ ଧରି, ସିଗାରେଟ ପାଟିରେ ଗେଞ୍ଜି, ଚଟିମାଡ଼ି, ଲୁଙ୍ଗି ଗେଞ୍ଜି ପିନ୍ଧି ଗାଁ ଗୋହରିରେ ଯାଏ ଆଉ ଦିପାଖକୁ ଚାହିଁ ଚାହିଁ ନାକ ଟେକେ, ସେ ବି ଦୁଆରେ ଠିଆହୋଇ ରହିଛି ମୁହଁକୁ ତଳକୁ ପୋତି ।

 

କିଏ ଜଣେ କହିଲା, “ଆଉ ଡେରି କାହିଁକି ?” ଏକା ଥରକେ ସମସ୍ତିଙ୍କି ସେହି ଚିନ୍ତା ଲାଗିଗଲା । କୁଳିଆବୋଉ ବଞ୍ଚିଥିଲା ବେଳେ ଯେ ତା’ ଭଲମନ୍ଦ କଥା ସ୍ୱପ୍ନରେ ବି ଭାବୁ ନ ଥିଲେ ସେମାନେ ଚଞ୍ଚଳ ହୋଇ ପଡ଼ିଲେ କେମିତି ମଡ଼ାଟା ଶୀଘ୍ର ଯାଉ । ଅଧରୀବୋଉ ଭୂପ ପାଖକୁ ଯାଇ କହିଲେ “ତୋ ଦେହ ଭଲ ନଥିଲାରେ ଓଲା, ଆଉ କାହିଁକି ଏଠିଟାରେ ଠିଆ ହୋଇଛୁ, ଘରକୁ ଯା ।” ମୁକୁନ୍ଦ ପାଟିକଲେ “ଉଠା ଉଠା”, ତାଙ୍କର ବାତଜରରେ ବାଁ’ ଗୋଡ଼ ଫୁଲିଛି, ବାତକୋଷ, ନିରକ୍ତିଆ ମଣିଷ, ଚିଁ ଚିଁ କରି କହିଲେ “ଆଉ କୋଉଥି ପାଇଁ ଅପେକ୍ଷା ? ଗଲା ଲୋକ ତ ଗଲା, ଅହ୍ୟ ସୁଲକ୍ଷଣୀ ହୋଇ ଚାଲିଗଲା, ଆମେ କାନ୍ଦିଲେ କେତେ, ମୁଣ୍ଡ ବାଡ଼େଇଲେ କେତେ, ଉଠା ଉଠା ।”

 

ବଞ୍ଚିଥିଲା ବେଳେ କେହି ତାକୁ ମଣିଷ ଭଳିଆ ମଣିଷ ବୋଲି ପଚାରି ନାହିଁ । କିନ୍ତୁ ତା’ର ବର୍ତ୍ତମାନ ଭିନେ ସ୍ତର । ସ୍ୱାମୀ ଥାଉ ଥାଉ ସେ ଆଗ ମରିଛି । ସେହି ବାହାଦୁରି ପାଇଁ ସେ ସମସ୍ତିଙ୍କର ପୂଜ୍ୟା ।

 

ଯେ କେବେ ତାକୁ ପାନ ଖଣ୍ଡିଏ ଦେବା ପାଇଁ କୁନ୍ତୁ କୁନ୍ତୁ ହେଉଥିଲେ ସେମାନେ ତା’ର ମୁର୍ଦ୍ଦାରର ମୁଣ୍ଡ ବାନ୍ଧି ଦେବେ, ପାଦରେ ଦେବେ ଅଳତା ।

 

ରମାକୁ କାବା ଲାଗୁଥାଏ । କ’ଣ ଏ ଭେଳିକି ! କାଲି ଥିଲା, ଆଉ ଟିକିକ ଆଗରୁ ଥିଲା, ଆଉ ସେ ନାହିଁ । ବୋଉ କହେ, କୁଳିଆବୋଉଲୋ ତୁ କ’ଣ ? ବାଡ଼ିଟିଏ, ବାଡ଼ି ଚାରିକରେ ଶାଢ଼ିଟିଏ । ଆସିଲା ବେଳେ କେଡ଼େ ସୁନ୍ଦର ଡାଉଲ ଡାଉଲ ହୋଇଥିଲୁ । ଅଇଛା ଦେହରେ ମାଉଁସ ପୁଳେ ନାହିଁ ! ସେ ହସିଦିଏ । କେତେବେଳେ ଦିଶୁଥିବ, ଦୁଆରେ ନଇଁପଡ଼ି ସେ ସାନ କୋଡ଼ି ଖଣ୍ଡେ ଧରି ଖୋଳି ଲାଗିଥିବ । ତା’ ଲଙ୍କା ମରିଚ ଗଛ ଅଣ୍ଟାଏ ଉଞ୍ଚ ବଢ଼େ, ତା’ହାତର ଲାଉ କଖାରୁ ପିଢ଼ାକୁ ପିଢ଼ା ବିଛେଇ ହୋଇ ମାଡ଼ିଯାଏ, ଫଳ ଅଜାଡ଼େ । ତା’ ବାରିରେ ଛନଛନିଆ ହୋଇ ଶାଗ ବଢ଼େ । କେତେବେଳେ କାନ୍ଥରେ ଘଷି ଫରା ପାରୁଥିବ । କେତେବେଳେ ଦିଶୁଥିବ, ଧାନ ଉଷୋଉଁଛି, କେତେବେଳେ ଆପେ ଘର ଲିପୁଛି । ଶ୍ରମ କରିବାକୁ ତାକୁ ଲାଜ ନଥିଲା, ବାଛନ୍ତୁ, ଥଟ୍ଟା କରନ୍ତୁ ଯେ ଯେତେ । ଚୁଟିଆ ମୂଷା ପରି କେତେ ଦରବ ସେ ସାଇତୁଥିଲା । ପେଡ଼ି ବୁଣିବ ବୋଲି କାଇଁଚ, ଗରଗଡ଼, ଦୁଆରେ ଶିମ ଲଟା ମଡ଼େଇବ ବୋଲି ଜାଲ କରିବାକୁ କନାଧଡ଼ି, ପୁରୁଣା ଆଚାର, ପୁରୁଣା ଜଡ଼ା ତେଲ, ବଡ଼ି । ଯାହା ପଡ଼ିଥାଏ ତାକୁ ସେ ଆଦରରେ ସାଇତି ରଖେ-। ସେମିତି କେତେ ଛିଣ୍ଡା କନା, ବୋତଲ, ଟିଣ ଖୋଳ, କାଗଜ ଖୋଳ ତା’ ଘରେ । କେଡ଼େ ଆଶାରେ ବୋହୂ ଆଣିଥିଲା, ବୋହୂ ମଲା ପୁଣି ବୋହୂଟିଏ କରିବ ବୋଲି ଖୋଜା ଲୋଡ଼ା ଲଗାଇଥିଲା । ମଣିଷର ଏତେ ଆଶା, ସ୍ନେହ ଶରଧା, ଲୋଭ ସୋଗ, ଆଉ ହଠାତ୍ ଏମିତି ସେ ପବନରେ ମିଳେଇଯାଏ । ତାହେଲେ ଏ ଦୁନିଆ କ’ଣ ? ରମା ଭାବୁଥାଏ । ତା’ ବୋଉ ଭାବୁଥାଏ-। ସମସ୍ତେ ଭାବୁଥାନ୍ତି ।

 

(ବାଆର)

 

ବାରିରେ ଠିଆହୋଇ ବାଡ଼ର ତାଟି କବାଟ ବାଟେ ଦିଶେ, ବାଟ ପଡ଼ିଛି ମଶାଣିକି । ଅହ୍ୟ ଡେଙ୍ଗୁରା ବାଜିଲା, ହୁଳହୁଳି ପଡ଼ିଲା, ଖଇ କଉଡ଼ି ବିଞ୍ଚା ହୋଇ ହୋଇ ପଟୁଆରଟିଏ ଚାଲିଗଲା । କୁଳିଆବୋଉ ଚାଲିଗଲା ସେ ପଟୁଆରରେ । ଖଞ୍ଜାର ମାଇପେ ଖୁନ୍ଦା ଖୁନ୍ଦି ହୋଇ ସେହି ଆଡ଼କୁ ଅନାଇଁ ରହିଥିଲେ, ପଟୁଆର ଅଦୃଶ୍ୟ ହେଲା ପରେ ବି ।

 

ବାଟ ଦିଶୁଛି, ସାପେଇ ସାପେଇ ପାଦ ଧଡ଼ସା । ତୋଟା ମାଳ । ଦୂର ବସ୍ତିର ଚାଳ । ତମ୍ବାଳିଆ ଆକାଶ । ପବନରେ ଗଛ ଦୋହଲୁଛି । ଗୋରୁ ଚରୁଛନ୍ତି । ନଡ଼ିଆ ଗଛରେ ଲାଖି ରହି କାଠହଣା ଚଢ଼େଇଟିଏ ହାଣି ଲାଗିଛି । ନଡ଼ିଆ ବାହୁଙ୍ଗାରୁ ବାୟାବସା ଓହଳିଛି, ଦୋହଲୁଛି, ଚଢ଼େଇ ମାଳ ମାଳ ଧରପର ହେଲା ପରି ଉଡ଼ୁଛନ୍ତି । ଫଁ କରି ଦୀର୍ଘଶ୍ୱାସ ପକାଇ ମାୟା ଦେବୀ ମୁହଁ ବୁଲାଇନେଲେ । ଗୋଟାଏ ଚିନ୍ତା ଖେଳିଗଲା, କେମିତି ଏମାନେ ବଞ୍ଚିବେ ?

 

କୁଳିଆବୋଉ କହୁଥିଲା ବୁଧିଆ କଥା ପଦେ ପଦେ,–ଦେଖିବ ଅପା, ଏଣିକି ଠ’ ଠା ଠି-। ଏଇ ଜମି ଆମୁକୁ ବି ପୋଷୁଥିଲା, ଆମେ ମୂଲ ଲାଗୁ ନ ଥିଲୁଁ, ଅନ୍ୟ ଲୋକ ଆମ ପାଇଁ ଖଟୁଥିଲେ-। ଏଥର ଦେଖୁନା କ’ଣ ହେଲାଣି, ସମସ୍ତିଙ୍କର ମୁଣ୍ଡକୁ ହାତ ପାଇଲାଣି, ବୁଧି ହେଲାଣି-। ବାହାରେ ଏତେ ଚଢ଼ା ମୂଲ, ଏତେ କାମ ଧନ୍ଦା, ସେମାନେ ନିଜ ପାଇଁ ନ ଖଟି ଆମକୁ କାହିଁକି ପଚାରିବେ ? ଆପେ କାଦୁଅ ଚକଟିଲେ, ଖରା ବର୍ଷା ସହିଲେ, ଝାଳ ନାଳ ହୋଇ ଫସଲ କଲେ, ଆମର କେଉଁ ପୁରୁଷରେ କିଏ ଜମିଖଣ୍ଡ କିଣିଥିଲା ବୋଲି କାହିଁକି ସେମାନେ ଏତେ କଷ୍ଟରେ ତିଆରି ଫସଲର ବଡ଼ ଭାଗକ ଆମୁକୁ ଆଣି ଦେଇଯିବେ ? ଗଉଡ଼ ସବାରି କାନ୍ଧେଇବା ବନ୍ଦ କଲେଣି, ଧୋବା ମାସକେ ଥରେ ଆସୁଛି କି ନାହିଁ, ଭଣ୍ଡାରି ମୁଠି ଛାଡ଼ି ଧରିଲେଣି ବେଉସା, କାହାର କିଏ ଗୁରୁ ଗୋସେଇଁ ହୋଇଛି ଯେ ମାସୁଲ୍ ଅସୁଲ୍ କରୁଥିବ ? ଆଉ ଏ ଠା ଠାକେ ଗାଁ ଗାଁକେ ଯେଉଁ ସାଆନ୍ତପଣିଆ ଘର ସବୁ ଥିଲା, କିଏ ବ୍ରାହ୍ମଣ କିଏ କରଣ କିଏ ଖଣ୍ଡେଇତ କ୍ଷତ୍ରିୟ, ଉଞ୍ଚ ପିଣ୍ଡାରେ ବସି ତଳକୁ ଅନାଇଁ ଅନାଇଁ ହାକୁଟି ମାରିବା ଘର, ଦେଖୁନା କେମିତି ଅଇରି ଖପରା ବଇରି ବାଆ-। ଖଣ୍ଡିଆ କାନ୍ଥ, ଭଙ୍ଗା ଘର, ତୁଚ୍ଛା ଢିଅ, ସେଠି କିଏ ବାଇଗଣ ଲଗାଉଛି, କିଏ ଶାଗପଟାଳି କରୁଛି, ସୁକୁ ସୁକୁ ହୋଇ ମଣିଷ କେଇଟା ଯେ ସକାଳୁ ସଞ୍ଜଯାକେ ଅଳସୁଆ ନିକମା ପଣରେ ଦିନ କଟୁଛି, ନହେଲେ ମୁହଁକୁ ମୁହଁ ଯୋଡ଼ି ଦେଇ କହୁଥିବେ ଆମ ବାପ ୟା ଥିଲେ ଅଜା ୟା ଥିଲେ । କାମ କହିଲେ ବାଦ ଛେଦ, କଳି କଜିଆ, ଭିଡ଼ା ଓଟରା । ନଈକେ ବାଙ୍କ୍ ଦେଶ୍‍କେ ଫାଙ୍କ୍ କେବେ ଆଗେ ଥିଲା, ଏବେ ସାହି ସାହିକେ କଣ ଖଞ୍ଜା ଖଞ୍ଜାକେ ଫାଙ୍କ୍, ଖାଲି ଦଳ ଗଢ଼ା ଗଢ଼ି, କେହି କାହା ଶିରୀ ଦେଖିପାରୁ ନାହିଁ, କଥା ପଦେ କହିଦେଲେ ଲୋକେ କଳିବାକୁ ଚେଷ୍ଟା କରିବେ ତୁମେ କେଉଁ ଦଳର କେଉଁ ବାଡ଼ର ।

 

ସେଥିପାଇଁ କହୁଛି ଲୋ ଅପା, ବେଳ କାଳତ ବଦଳିଲା, ଆଉ ପୁରୁଣା ଗୁମାନ ପୁରୁଣା ବାଛ ବାଛନ୍ଦକୁ ଧରିଲେ କ’ଣ ହେବ ? ରଖିଥା ତମ ଜାତିଗଉଁ, ତମ ବଡ଼ଲୋକି ଗଉଁ ପେଡ଼ି ଭିତରେ, ଅଜା କାଳରେ କିଏ ଡାମ୍ଫଣ ଆଗରେ ଘିଅ ଖାଉଥିଲା ଆମର କି ଯାଏ ।

 

ଯେ ଏଠି ଆପଣା ହାତରେ କାମ କରିବ ସେ ଏ ଗାଁରେ ରହିବ ଚଳିବ ମ ଅପା, ଆଉ ଯେ ସେ ତ କୁଆଡ଼େ ଉଡ଼ିଯିବେ । ବକର ବକର ବକର ବକର ।

 

ସେ ପାଟି ସବୁଦିନ ପାଇଁ ତୁନି ହେଲା, ବାଜେଣି ଘଣ୍ଟ ।

 

କୁଳିଆବୋଉ ବାପଘର ଥିଲା ଜାତିରେ ଛୋଟ ଗାଁ ଗଡ଼ ଓଡ଼ପଡ଼ା, ତା’ ବାପର ବାଟିଏ ତାଷ, ହାତଚାଷୀ, କଣ୍ଡିଆରେ ପନି ପରିବା କରନ୍ତି । ଜମିରେ ଧାନ ନଳିତା, ମୁଗ ବିରି କରନ୍ତି, ଅମାର, ଗୋଠ, ପ୍ରତି ଜିନିଷ ବିକନ୍ତି ।

 

ଝିଅ ଆଣି ବୋହୂ ଦେଇ ସାଆନ୍ତରା ଘର କେଉଁ କାଳୁ କରଣ ହେଲେଣି ସତ, ତେବେ ସେ ଘରେ ଖଣ୍ଡାଏତ ଘର ସମ୍ବନ୍ଧ ବି ଅଛି । ଖଣ୍ଡାଏତ ପଣରେ ନିଦା କ୍ଷତ୍ରିୟ ଖଣ୍ଡାୟତ, ଚାରିକର୍ମରେ ବଡ଼ୁ ହୁଅନ୍ତି ପଇତା ପକାନ୍ତି । ସେମାନେ ବୋଲାନ୍ତି ଗଡ଼ୁଆ କରଣ । କିନ୍ତୁ ଲୋକେ କହନ୍ତି କୁଳିଆବୋଉ ବାପଘର ଲୋକେ ମୁଣ୍ଡରେ ଠେକା ଭିଡ଼ିଦେଇ ଆପେ ହଳ ପେଲନ୍ତି, ଭୂଇଁ ତାଡ଼ନ୍ତି, ବିଲ, ବାଛନ୍ତି, ପାଣି କାଦୁଅ ହୋଇ ଘରକୁ ଲେଉଟି ଧୁଆ ପୋଛା ହୋଇ ପିଢ଼ାରେ ବସି ଚୁଡ଼ା ପଖାଳ ମଣୋହି ସାରନ୍ତି । କୁଳିଆବୋଉ ବାପ ଡେଙ୍ଗା ନିଶୁଆ ବୁଢ଼ା ଫରଚା କପାଳ, ଶୁଆଥଣ୍ଟିଆ ନାକ ଏଡ଼େ ମୁଣ୍ଡ ତ୍ରିପଣ୍ଡ କଳା ମାଲବିନ୍ଧା ସାଧି ଦେହ ତିଆରି କରିଥିଲା । ଝିଅ ଘରକୁ ଆସିଥିଲା ଯେ ଥଟ୍ଟା କରି ଏ ଗାଁ ଲୋକେ କୁହା କୋହି ହେଲେ ଡକାଏତ ସର୍ଦ୍ଦାର ! ପୁଅରୁ ଦି’ଜଣ ଅପାକୁ ସଙ୍ଖୋଳି ଆସିଥିଲେ ଯେ ବାପ ପରି ଚେହେରା, ଭେଣ୍ଡା ଭେଣ୍ଡା ଦେହଯାକ ଯେମିତି ଲୁହା ଗୋବ, ତାଙ୍କୁ ଥଟ୍ଟା କରି କହିଲେ ୟେ ସାକ୍ଷାତ୍ ଖଣ୍ଟ । ଥଟ୍ଟା ବୁଝି ନ ପାରି ବଡ଼ଟା ଦାନ୍ତରେ ତଳି ଓଠକୁ କାମୁଡ଼ୁଥିଲା ଆଉ ଆଖିତରାଟି ତରାଟି ଅନାଉଁଥିଲା । ସାନ୍ତରା ଏ ଘରେ ଝିଅ ଦେଇଥିଲା, ଜାତି ପାଇଁ, ଶ୍ରୀ ଶ୍ରୀ ଶ୍ରୀ ତଡ଼ାଉ କରଣ ବଂଶ, ଆଉ ଖ୍ୟାତି ପାଇଁ, କିଏ ନ ଜାଣେ ଉର୍ଦ୍ଧବ ମହାନ୍ତିଙ୍କର ଘୋଡ଼ାଶାଳ ଥିଲା, କଚିରି ଘର ଥିଲା, ରୁପା ଛୁଆଣି ମଗରମୁହାଁ ପାଲିଙ୍କି ଥିଲା, ଆଲଟ ଛତ୍ରି ଥିଲା, ସୁନାର ଲେଖନ, ସୁନାର କଟାରି ଥିଲା । ସାତଖଣ୍ଡି ଗାଁର ଭୋକୀ ରଙ୍କିଙ୍କି ସମ୍ଭାଳିବା ଛଡ଼ା କେତେ ବାବାଜି ବୈଷ୍ଣବ ନାଗା ଜମାଉତ ଅତିଥି ଅଭ୍ୟାଗତ ସବୁବେଳେ ତାଙ୍କ ଘରେ ବସା କରୁଥିଲେ, ପଦାରେ ତାଙ୍କ ନାଁ ଗାଉଥିଲେ । ଏବେବି ପାଲାବାଲା ଆଉ ବାଉଁଶରାଣୀ ଦେଖାଇବା କେଳା ତାଙ୍କ ଦାତାପଣ ବିଷୟରେ ଗୀତ ଗାଆନ୍ତି । ସାନ୍ତରା ଝିଅ ଦେଇଥିଲେ । କେତେ ବୋହି ଦେଇଥିଲେ । ଓଲଟି ପାଇଲେ ହତାଦର ସେ ଜାତିରେ ଛୋଟ, ସେ ହଳୁଆ, ଆଉ ଆସିଲେ ନାହିଁ । ତା’ପରେ କୁଳିଆବୋଉର ବୋଉ ମଲା, ସାଆନ୍ତରା ଆଉ ଗୋଟିଏ ବାହା ହେଲା, ନୂଆ ସଂସାରରେ ମନ ଭୁଲିଗଲା, ସତେଅବା ଏଠୁ ଡୋର କଟିଗଲା-। କୁଳିଆର ମାମୁମାନେ ଏବେ ଖାନ୍ଦାନ, ବଡ଼ ଲୋକ, ଗାଁ ତାଷ ଗାଁରେ ଥାଇ ସହରରେ ସେମାନେ ବ୍ୟବସାୟୀ, ତାଙ୍କ ପିଲାଏ ବଡ଼ ବଡ଼ ପାଠ ପଢ଼ିଲେଣି । କୁଳିଆ ସେହି ଧାଉଡ଼ି ଧାଉଡ଼ି ବଡ଼ ବଡ଼ କୋଠାକୁ ଡବ ଡବ ଆଖିରେ ଅନାଏଁ, ଲାଜରା ହୁଏ ଆଉ ଯାଏ ନାହିଁ ।

 

କୁଳିଆବୋଉ କହିଥିଲା– ତମେ ପୂର୍ବର ଚଳଣିକି କୁଣ୍ଢେଇ ଧରି ପଦାକୁ ଗୋଡ଼ ନ ବଢ଼େଇ ଘରେ ବସିଥା ଅପା, କେଉଁ କାମଟା ଦାଣ୍ଡକୁ ଲାଜ କେଉଁ କାମଟା ଦାଣ୍ଡକୁ ସୁନ୍ଦର, କେଉଁ ଲୋକଟା ଜାତି କିଏ ଅଜାତି ବସି ଭାବୁଥା, ତୁମେ ନ ବଦଳିଲେ ବି ଦୁନିଆ ତା’ ଛାଆଁକୁ ବଦଳିଯିବ-। ସେଇଠୁ ତୁମେ ପଛବୁଧିଆ ହୋଇ ହନ୍ତସନ୍ତ ହେବ ଆହା ମୁଁ ଆଗ କରିଥିଲେ ହୋଇଥାନ୍ତାରେ !

 

କିଛି ନ ପାରିଲେ ଖଣ୍ଡେ ଦୋକାନ ଛିଡ଼ା କର ଅପା, କେତେ ଦରବ ବିକି ହେବ ।

 

କାଲି ରାତିରେ ଘରେ ଚାଉଳ ନଥିଲା ।

 

ସାଧୁଠୁଁ କ’ଣ ଆଜି ଟଙ୍କା ଆସୁଥିବ !

 

କୁଳିଆବୋଉ ଦେଖାଇଥିଲା ନୂଆ ବାଟ । ମାୟା ଦେବୀଙ୍କର ଛାତି ଉଠିଲା ପଡ଼ିଲା, ଦୀର୍ଘଶ୍ୱାସ ସଙ୍ଗେ ସଙ୍ଗେ ଗଳିପଡ଼ିଲା ଟପ ଟପ ଲୁହ ।

 

(ତେର)

 

ହଁ, ଜୀଇଥିବା ଯାକେ ସେ ହୋଇଥିଲା ଗୋଟାଏ ଶରୀର, ମଲା ଉତ୍ତାରୁ ସେ ହେଲା ବାଣୀ, ଯେମିତିକି ବଞ୍ଚିଥିଲେ ଲକ୍ଷ୍ମୀ ମଲେ ସରସ୍ୱତୀ ।

 

ସେହି ବାଣୀ, କଥା କଥାକେ ମନେପଡ଼ିବ, କୁଳିଆବୋଉ ଏମିତି କହୁଥିଲା କୁଳିଆବୋଉ ସେମିତି କହୁଥିଲା । ସେତିକି ତା’ର ସ୍ମୃତି । ସେ କାବ୍ୟ ଲେଖି ଥୋଇଦେଇ ଯାଇନାହିଁ ଯେ ଯୁଗ ଯୁଗକୁ ଲୋକେ ପଢ଼ୁଥିବେ । ଯେ ଶୁଣିଛି ତାହାରି ସ୍ମୃତି ଭିତରେ ସେ ବାଣୀ, ଯେ ନ ଶୁଣିଛି ତାକୁ କିଛି ନାହିଁ ।

 

ସେଦିନ ଦ୍ୱିପ୍ରହର ଗଡ଼ି ଯାଇଥାଏ । ଏକୁଟିଆ ଗାଲରେ ହାତଦେଇ ମାୟା ଦେବୀ ଘର ଭିତରେ ବସି ଭାବୁଥାନ୍ତି । ତାଳବରଡ଼ା ବିଞ୍ଚଣାଟା କତିରେ ପଡ଼ି ରହିଥାଏ । ପିଲାଏ ନାହାନ୍ତି । ହୁ ହୁ ହୋଇ ମଝିରେ ମଝିରେ ପବନ ମାଡ଼ିଆସୁଛି ଚାଳଟାକୁ ସତେଅବା ଉଠୋଉଛି ପକାଉଛି ।

 

ଏତିକିବେଳେ ସେ ପଢ଼ନ୍ତି ପୁରାଣ, ଆଉ ଯେ ଥାଉ ନ ଥାଉ କୁଳିଆବୋଉ ନିଶ୍ଚୟ ଶ୍ରୋତା ଭିତରୁ ଜଣେ । ଗୁଆ କାଟୁଥିବ, ପାନରେ ଚୂନ ଲଗାଉଥିବ, ଖାଇ ବସିଥିଲେ କୁକୁର ଯେମିତି ମୁହଁକୁ ଅନାଇଁ ରହିଥାଏ ସେମିତି ମୁହଁକୁ ଅନାଇଁ ଅନାଇଁ କଥାଗୁଡ଼ାକ ସବୁ ପିଇ ଯାଉଥିବ-। ତା’ପରେ ମଝିରେ ମଝିରେ ପଚାରି ଦେଉଥିବ ପଦେ ଲେଖାଁ–

 

“ଆଚ୍ଛା କହିଲ, ଅଙ୍ଗଦ ଭାରିଯା ନାଁ କ’ଣ ?”

 

“ଯାବାଳି ଋଷି କାହା ପୁଅଟି ?”

 

“କଇକେଇ ପୂର୍ବଜନ୍ମରେ କ’ଣ ଥିଲା ?”

 

“ଏଥର ମଲେ ତମର ତ ନିଶ୍ଚେ ମୋକ୍ଷ ହେବ ଆଉ ମୁଁ ତ ନିଶ୍ଚେ ପଡ଼ିବି ନରକରେ । ତେବେ ମତେ ଗୋଟାଏ କଥା ବୁଝାଇ ଦିଅ, ମାହାପୁରୁ ତ ସବୁ ଜାଣିଥିଲେ, ପରକଥାକୁ ଡରି ସୀତାଙ୍କୁ ବନବାସ ଦଣ୍ଡ ଦେଲେ କାହିଁକି ? ଯେ ଯେଉଁ କଥାଟା ଠିକଣା ବୋଲି ଜାଣିଥିବ ୟେ ଦୁନିଆଁ ପ୍ରଳୟ ହୋଇଗଲେ ସେ ସେଥିରୁ ଚଙ୍କିବ କାହିଁକି ? ଯେ ଯାହା କହିଦେଲା ଆମେ ମାହାପୁରୁ ହୋଇ ସେ କଥାରେ ଭାସିଯିବା ?”

 

ନ ହେଲେ କହିବ, “ବାଳିକା ମାରିବା କ’ଣ ଠିକ୍ ହେଲା ? ତାଙ୍କର ସିନା ଭାଇତିରିଆ କଳିରେ ଚୁଟି ଧରାଧରି ବାଳି ସୁଗିରି, ତେମେ ସେଥିରେ ମୁଣ୍ଡ ଗୁଞ୍ଜିଲ କାହିଁକି, ଯଦିବା ମୁଣ୍ଡ ଗୁଞ୍ଜିଲ ଗୋଟିକୁ ଜୀବନରୁ ମାରିଦେଲ କାହିଁକି ? ତାରା ଯାହା ପଚାରିଲା ତା’ ଉତ୍ତର କିଏ ଦେଲା-?”

 

ପଚାରିବ, “ଲୋକ କେଡ଼େ ଦୁଷ୍ଟ ହେଉ ତାକୁ ପ୍ରାଣରେ ମାରିଦେବା ମତେ ଖରାପ ଲାଗେ । ଶାହାସ୍ତ୍ର ପୁରାଣରେ ଅଛି ଅସୁର ଯେ ଯୋଉଠି ଅଛନ୍ତି ଯାହାଙ୍କ ମତ ତମ ମତଠୁଁ ଭିନେ କି ଯାହାଙ୍କ ଆଚାର ତୁମ ଆଚାରଠୁଁ ନିଆରା ତାଙ୍କୁ ଖାଲି ଜୀବନରୁ ମାରିପକା, ତାଙ୍କ ବଉଁଶ ପଦାକର । ପୁଣି ବଳରେ ହେଉ କି ବୁଦ୍ଧିରେ ହେଉ ଯେ ଦେବତାଙ୍କଠୁଁ ଟପିଗଲା ସେ ହେଲା ଶତ୍ରୁ । କୂଟକର କପଟ କର ମେଣ୍ଟହୁଅ ଯେକୌଣସି ମତେ ତାକୁ ମାରିପକା । ତାକୁ ପ୍ରାଣରୁ ନ ମାରି ତା’ ସ୍ଵଭାବ ବଦଳାଇଥିଲେ ସିନା ନାଁ ରହିଥାନ୍ତା, ସେ ମାରଣାକୁ ତେମେ ମାରଣା ହେଲେ ଆଉ ବଳକା କ’ଣ ହେଲା ? ଖାଲି ସେହି ପୁରୁଣା କଥା, ଜୋର୍ ଯାହାର ମୁଲକ ତା’ର । ୟାଙ୍କ ମାରିଲା ପଣ ବେଶି, ୟେ ମାରିଲେ ପୁଣି ବଦନାମ ଦେଲେ ୟାଙ୍କ ପାଳିଆମାନେ ଗୀତ ଲେଖି ପ୍ରଚାର କରୁଛନ୍ତି । କିଏ ବୁଝୁଛି ସତ କି ମିଛ ? ଅସୁରର ଏଡ଼େ ଏଡ଼େ ଦାନ୍ତ, ସେ ମଣିଷ ଧରି ଧରି ଖାଏ । ସତେ ସେମିତିଆ ଅସୁର ଥିଲେ ତ ଗୋଟିଏ ବି ନଥାନ୍ତା ଏବ ଯାକେ ? ଏତେ ଲୋକ ବଣ ଜଙ୍ଗଲ ଅନ୍ଦି କନ୍ଦି ବୁଲୁଛନ୍ତି କିଏ ଗୋଟିଏ ଅସୁର ଛୁଆ ହେଲେ ପାଉଚି ?

ଲାଗେ ଘମାଘୋଟ ଆଲୋଚନା । ଶାସ୍ତ୍ର ପୁରାଣରୁ କୌଣସି ଘଟଣାକୁ ଧରି ଆପଣା ଜୀବନ କି ଅଭିଜ୍ଞତା ଅନୁସାରେ ଦଶପାଞ୍ଚ ମିଳି ଆଲୋଚନା କରିବା ତ ମଫସଲରେ ମାଇପି ମହଲରେ ଘରେ ଘରେ ଚାଲେ, କିନ୍ତୁ କୁଳିଆବୋଉ ପଚାରେ ମୌଳିକ ପ୍ରଶ୍ନ । ସେ ଜଣାଇଦିଏ ଯେ ପ୍ରଥା କି ବିଶ୍ୱାସ ନ ମାନିବାକୁ ତା’ର ଆୟତ୍ତ ନାହିଁ ସତ, କିନ୍ତୁ ଅନେକ କଥାରେ ତା’ର ବିଶ୍ୱାସ ନାହିଁ । ଆଚାରରେ ସେ ପରାଶ୍ରିତା, ବିଚାରରେ ସେ ସ୍ଵାଧୀନା । ସେଥିପାଇଁ ତା’ର ଅଡ଼ୁଆ ଲାଗିଯାଏ ଅଧରୀବୋଉ ସହିତ, ସେ କାହାରି ବଡ଼ଲୋକି ଦେଖି ଡରେ ନାହିଁ କି ଦବେ ନାହିଁ, ହସି ହସି ପାନେ ଦିଏ ଯେ ଦାମ ଭାରିଯା ରାଗି ମାଗି ଚିଡ଼ିମିଡ଼ି ଅସ୍ଥିର । ଆଲୋଚନା ହୁଏ ଅଧରୀବୋଉ ଧର୍ମ ବିଷୟରେ । ଅଧରୀବୋଉ କହେ ଅତ୍ରପଡ଼ା ବାବାଜି କୁଆଡ଼େ ଜଣେ ଅବତାର, ଗୋପ୍ୟରେ ଅଛନ୍ତି, ବେଳ ଆସିବ ସେତେବେଳେ ସେ ନିଜକୁ ପ୍ରକଟ କରିବେ । ଅତ୍ରପଡ଼ା ମଠରେ ତାଙ୍କୁ ଠାକୁର କରି ପୂଜା କରନ୍ତି ।

 

“ଆମ ପେଟରେ ଯାହା ଅଛି ତମ ବାବାଜୀଙ୍କ ପେଟରେ ସେଇଆ ଅଛିଟି, ଆଉ ସେ ଅବତାର କେମିତି ହେଲେ ? ସେ କୁଆଡ଼େ ବଇଁଶୀଟିଏ ଧରି ତ୍ରିଭଙ୍ଗୀ ଠାଣିରେ ଠିଆ ହୁଅନ୍ତି ଆଉ ତୁମେ ସବୁ ତାଙ୍କୁ ଆଳତି କର, ତାଙ୍କ ପାଦରେ ତୁଳସୀ ଚନ୍ଦନ ଚଢ଼ାଅ । ମଣିଷଟାକୁ ଠାକୁର ବୋଲି ପୂଜା କଲେ ସେ କ’ଣ ଅଜର ଅମର ହେବ ? ତାଙ୍କର ବୋଧେ ତୁଳସୀକି ବିଶ୍ୱାସ ନାହିଁ ନ ହେଲେ ସେ ତାକୁ ପାଦରେ ଦିଆଇ ଦିଅନ୍ତେ କେମିତି ? ଆଚ୍ଛା କହିଲ, ଆମ ଲୋକେ ତ ତେତିଶି କୋଟି ଦେବତା ଥାପିଗଲେ, ଆଉ ନୂଆ ନୂଆ ଦେବତା ନ କଲେ କ’ଣ ଚଳନ୍ତା ନାହିଁ ?”

ମାୟା ଦେବୀ କହିଲେ “କୁଳିଆବୋଉ, ତୁ ଗୋଟିଏ ଦେବତା ହେଲେ ଭଲ ହୁଅନ୍ତା ନାହିଁ-?”

“ଇଲୋ ବୋପାଲୋ, ସେକଥା ମତେ କହନା ଅପା, ଦେବତା ହେଲେ ଦେହକୁ ମନକୁ କାଠ କରି ରହିବାକୁ ପଡ଼ିବ, ଦେଖୁଥିବ ପାଟିକି ନବ ନାଇଁ ।

ଆଖିରେ ପଲକ ପଡ଼ିବ ନାଇଁ, ପାଦ ମାଟିରେ ଲାଗିବ ନାଇଁ । ଦେହରୁ ଛାଇ ପଡ଼ିବ ନାହିଁ, ଦମୟନ୍ତୀ କି ବାହା ହେବାକୁ ପରା ଦେବତାମାନେ ଆସିଥିଲେ, ଦେଖିନ କେଡ଼େ ହଟହଟା-!”

ତୁଇ ତ ଠିଆହୋଇ ଦେଖୁଥିଲୁ ଆଉ–“ସତେ ମ ଅପା, ଦେବତା ହେଲେ କ’ଣ ଭଲ ? ଲୋକେ ତମ ଗୋଡ଼େ ଗୋଡ଼େ ଉଣ୍ଡୁଥିବେ, କ’ଣ କଲ କି ନ କଲ, ସେଇଠୁ ହାଉ ଉଠିବ । ନାଇଁଲୋ ମା’ ରାଣୀ, ମୁଁ ହେବି ଜହ୍ନିଫୁଲ, ସଞ୍ଜରେ ଫୁଟି ସକାଳକୁ ଝଡ଼ି ପଡ଼ୁଥିବ ।”

ଅଧରୀବୋଉ କହେ, “ତମର ଆଦୌ ବିଶ୍ୱାସ ନାହିଁ, ବିଶ୍ୱାସ ନ ଥିଲେ ତତ୍ତ୍ୱ ବୁଝିବ କୁଆଡ଼ୁ ? ଏ ଗହନ କଥା ସବୁ କ’ଣ ଏମିତି ହାତରେ ପଡ଼ି ଦାଣ୍ଡରେ ଗଡ଼ଗଡ଼ାଏ ? ବିଶ୍ୱାସ ନ ଥିଲେ ତେମେ ତରିବ କୁଆଡ଼ୁ ?”

ସେ କହେ, “ହଁ ଲୋ, ମୂଢ଼େ ତରନ୍ତି କି ଦୃଢ଼େ ତରନ୍ତି, ମଝି-ମଝିକିଆ ବୁଡ଼ି ମରନ୍ତି । ତରିବା ନ ତରିବା ବୋଲି ଯେବେ କିଛି ଗୋଟାଏ ଥିବ ମୁଁ ମୋର ମୂଢ଼ପଣରେ ତରିବି । ମୁଁ ଚାହେଁ ରାବଣ ପରି ତରିବି, ଏଡ଼େ ବୀର, ସେ କହୁଥିଲା ଦେଖିବା ସେ ଯତୀଟା କେମିତିଆ । ପରଖିବା । ପରଖି ପରଖି ମଲା । ବ୍ରହ୍ମ-ସୁଆଦ ବୋଲି ଯେବେ କିଛି ଅଛି ସେ ତାକୁ ଚାଖି ଚାଖି ସେଇଥିରେ ଲୀନ ହେଲା ।”

ଯେତେ କାମରେ ଲୋଟୁଥିଲେ ବି ତା’ ଆଖିରେ ସେ କୌତୁକ ହସ ଟିକିକ ଲାଗିଥିଲା ସଦାବେଳେ, ଆଖିର ଆଲୁଅ ଜିକିଜିକି, ଏକର ସେକର ହେଉଥାଏ, କେବେ ଗମ୍ଭୀର ହୋଇ ଓହଳି ରହେ ନାହିଁ ।

ଜଳି ସାରିବଣି । କ’ଣ ଆଉ ଥିଲା ! ହାଡ଼ କେଇଖଣ୍ଡ । ଗୁଆକାତିଟା ତା’ ନାଁ କହି କିଆବୁଦାରେ ପକାଇଦେଇ ଆସିଲେ ଚଳିବ । ମାୟା ଦେବୀ ଭାବିଲେ,–ନିରୀହା କୁଳିଆବୋଉ ଥିଲା ତାଙ୍କର ମନ୍ତ୍ରୀ । ବେକ ଚାରିପାଖେ ବୁଦ୍ଧି । ଆଉ ସାହସ ଦେବ କିଏ, ବୁଦ୍ଧି ଦେବ କିଏ ?

କହୁଥିଲା,–ଏ ଦେହ ଚଳୁଥିବା ଯାକେ ସମସ୍ତେ ମୋର ମୋର । ସେଇଥିପାଇଁ ସକାଳୁ ଗାଧୋଇ ସାରି ଠେଁସିଦିଅ ପେଟେ ପଖାଳ । ମୁଁ ସେଇଆ କରେଁ । ପଖାଳ ନ ଥିଲେ ତୋରାଣି ମନ୍ଦିଏ ।

କୋଉ କଥାକୁ ଡର ଭୟ ମ ଅପା, ସବୁ ଫୋପାଡ଼ି ଦେଇ ଚାଲିଯିବି ତ ଦିନେ ! ପିଲାଝିଲା ତାଙ୍କ କର୍ମ କପାଳ ନେଇ ଯାହା ହେବେ, କିଏ ଆନ କରିବ ? ଝିଅ ବାହାଘର ପାଇଁ ଧନ୍ଦି ହେଉଛ ? ଝିଅଟାଏ ଜନ୍ମ ହୋଇଛି ତା’ପାଇଁ ବିଧାତା ବରଟାଏ ଜନ୍ମ କରିନାହିଁ ? ଛୁଆ ଜନମ ହେଉ ହେଉ ପରା ମାଠିଁ ବିଧାତା ଖିର ଦିଏ ? ସେ ଏତକ କରିନଥିବ ? ତୁମେ ଖୋଜିବ ଜାତି, ଧନ ଦରବ, ବି.ଏ.ପାସ୍, ଖୋଜୁଥା । ଏ ସଂସାରରେ ଗୋଳିଆ ମିଶା ହୋଇ ସବୁ ଚାଲି ଯାଉଛି, ଯେ ବାଛୁଛନ୍ତି ସେ ବାଛୁଛନ୍ତି ।

ଧର ବାହା ନ ହେଲା କୋଉ ଝୁଅଟା, ତା’ପାଇଁ କ’ଣ କିଛି କାମ ଧନ୍ଦା ନାଇଁ ? ଓଥରୀ ରହିଲେ କ’ଣ ହୋଇଯିବ ? କଥାରେ କହନ୍ତି, ସବୁ ଫଳ ଖାଇ ଗୋଟାଏ ଫଳ ନ ଖାଇଲା, ଭାସିଗଲା କ’ଣ ?

 

(ଚଉଦ)

 

ହୁମରା ଗାଁ ପଛିମ ମୁଣ୍ଡରେ ସଡ଼କ କରରେ ଛକ । ଗୋଟାଏ କେଉଁ କାଳର ପୁରୁଣା ବରଗଛ, ଦି’ମାଣ ଜମି ବସିଛି । ତା’ ତଳେ ଶହ ଶହ ବର୍ଷର ପୁରୁଣା ଇଟାଦେଉଳ ଭାଙ୍ଗିପଡ଼ି ଗୋଟିଏ କୁଦ ହୋଇଥିଲା, ଅଳ୍ପ ଛାଡ଼ି ମୁଗୁନି ପଥରର ଆସ୍ଥାନ, ତଳେ କ’ଣ ଖୋଲା ହୋଇ ଲେଖା ହୋଇଛି କେହି ପଢ଼ିପାରନ୍ତି ନାହିଁ । ଆସ୍ଥାନ ଉପରେ ଚିକ୍‍କଣ ମୁଗୁନି ପଥରରେ ହରପାର୍ବତୀଙ୍କ ଯୁଗଳ ମୂର୍ତ୍ତି, ବାଘ ଛାଲ ଉପରେ ଗୋଡ଼ ଲମ୍ବେଇ ବସିଛନ୍ତି, ନଖର ଦାଢ଼ ଆଉ ଭୂଲତାର ବାଳ ବି ଗୋଟି ଗୋଟି ହୋଇ ବାରି ହେଉଛି, ଚିକ୍‍କଣ ଦେହର ଆଭା ଫୁଟିଉଠୁଛି । ଅଧା ହସ ହୋଇ ପରସ୍ପରଆଡ଼କୁ ଚାହିଁ ରହିଛନ୍ତି ସେ କି ବିଚିତ୍ର ଭଙ୍ଗୀରେ, ଏତେ ଖରା କାକର ବାଆ ବତାସି ଦେହେ ଦେହେ ଚାଲିଯାଉଛି ସେ ହସ ଝାଉଁଳୁ ନାହିଁ ଟିକିଏ ବୋଲି । ପାର୍ବତୀଙ୍କର ପାତଳ ଶାଢ଼ି, ସେହି ଯାହାକୁ ଆଗେ ବାଉଁଶ ନଳରେ ପୂରାଇ ରଖୁଥିଲେ, ଭାଙ୍ଗିଦେଲେ କୁଆଡ଼େ ମୁଦି ଭିତରେ ଗଳାଇ ଦେଇ ହେବ, ପଥରରେ ସେ ବି ବାରି ହୋଇପଡ଼ୁଛି । ସରୁ ଛୁଞ୍ଚିକାମରେ ଫୁଟି ଉଠିଛି ନାହିଁ ନଥିବା ଶିଳ୍ପଚାତୁରୀ ।

 

ବାଟର ବାଟୋଇ ଝାଳମାରେ ଆଉ ସେହି ଚମତ୍କାର ମୂର୍ତ୍ତି ଯୋଡ଼ିକୁ ଅନାଇଁ ରହିଥାଏ-

 

କିନ୍ତୁ ସେ ଦିଅଁ ଅପୂଜା ।

 

ଯେଉଁ ଦେଶରେ ଗଛର ଗଣ୍ଡିରେ ବି ଲୋକେ ସିନ୍ଦୂର ବୋଳି ପୂଜା କରନ୍ତି ସେଠି ଏଡ଼େ ସୁନ୍ଦର ଜୀଅନ୍ତା ମୂର୍ତ୍ତିକୁ କେହି ପୂଜା କରନ୍ତି ନାହିଁ । କେବେ ତାଙ୍କ ପାଇଁ କ’ଣ ଖଞ୍ଜା ଥିଲା ନ ଥିଲା କେହି କହିପାରିବ ନାହିଁ, ଏବେ ତାଙ୍କ ପାଇଁ କିଛି ବନ୍ଦୋବସ୍ତ ନାହିଁ ।

 

କିଏ କହେ ସେ ଯୁଗେଶ୍ଵର, ଯୁଗ ଓଲଟିଲେ ସେ ଆସ୍ଥାନ ତଳୁ ଭୈରବ ରଡ଼ି ଛାଡ଼ିବ, ସେଇଠୁ ସମସ୍ତେ ଆସି ତାଙ୍କ ପୂଜା କରିବେ, ସେପର୍ଯ୍ୟନ୍ତ ତାଙ୍କର ପୂଜା ହେବ ନାହିଁ ।

 

କିଏ କହେ ସେ ହରପାର୍ବତୀ ହିଁ ନୁହନ୍ତି, ମହାଦେବଙ୍କ ବୃଷଭ ନାହିଁ କି ପାର୍ବତୀଙ୍କ ସିଂହ ନାହିଁ, ସେ କେଉଁ କାଳର ରାଜାରାଣୀ, ଏଇ ଖଣ୍ଡକ ଆଗେ ବଡ଼ ନଅର ଥିଲା, ଏଠିସେଠି ବିଲରୁ କୂଅରୁ ବାହାରୁଛି ବଡ଼ ବଡ଼ ପଥର, ସେ କାଳର ପଥର, ପୋଡ଼ା ମାଟିର ଅଳଙ୍କାର, ସାନବଡ଼ ହୋଇ କେତେ ମୂର୍ତ୍ତି । ଖଣ୍ଡେ ଦୂରରେ ଗଡ଼ ପାଚିରିର ଖଣ୍ଡ ଖଣ୍ଡ କୁଦ କୁଦ ହୋଇ ବାରିହୋଇପଡ଼େ ।

 

ପୂଜା ହୁଏ ନାହିଁ, କାହିଁକି ନ ହୁଏ ତା’ର କାରଣ ଯାହା ହୋଇଥାଉ, ସେ ମୂର୍ତ୍ତି ଉପରେ ଚଢ଼େଇ ଅସନା କରନ୍ତି, ଫିମ୍ପି ଲାଗେ, ଶିଉଳି ବସେ ପୁଣି ଛାଡ଼େ ।

 

ସେହି ପାଖର ଇଟାକୁଦକୁ ଖେଳାଇ ଚଉଡ଼ାଇ ତା’ଉପରେ ମାଟିପକାଇ ତା’ଉପରେ ଟେକା ହୋଇଥିଲା ଖଣ୍ଡିଏ ସାନ ଦୋକାନ ଚାଳିଆ, କୁଳିଆ ଓ ମାୟା ଦେବୀ ଏକାଠି ମିଶି କରାଇଥିଲେ । ଦଧିଙ୍କ ହାତୀଅନ୍ଧ ସେପାଖ ଭଙ୍ଗା ଘରର କାଠସେଣୀ ଓ ମାୟା ଦେବୀଙ୍କ ଭଙ୍ଗା ଘରର ପୁରୁଣା କବାଟ ସେଥିରେ ଯୋଖା ହୋଇଥିଲା । ରମା ଓ ମାୟା ଦେବୀ ଲାଗିପାଗି ବରା, ପିଆଜି, ଚକୁଳିପିଠା, ଏଣ୍ଡୁରି ପିଠା ନାନା ପଦାର୍ଥ ତିଆରି କରି ସେଠିକି ପଠାଉଥିଲେ, କୁଳିଆ ଥୋଇଥିଲା ଗୋଟିଏ ଉଠାଚୁଲି, ଚାହା କରୁଥିଲା, ଦୋକାନରେ ବସି ବିକୁଥିଲା ।

 

ଟିକିଏ ଛାଡ଼ି ବାଉରିସାହି, ସେମାନେ ସକାଳୁ ମୂଲଲାଗି ଗଲାବେଳେ ଛକ ପାଖେ ସଡ଼କକୁ ଧରନ୍ତି । ଛକପାଖେ ଚଷାସାହି, ଗଉଡ଼ ସାହି । ଦିନାକେତେ ହେବ ଦେଖାଯାଉଛି ସେବାଟେ ମଟର ଟ୍ରକ୍ ଛୁଟିଛି, ମଟରବାଲା ଗାଡ଼ି ଅଟକାଇ ଚାହା ଜଳଖିଆ ଖାଇଯାଆନ୍ତି, ଆଉ ଛାଇ ତଳେ ଆସି ଅପେକ୍ଷା କରନ୍ତି କାହିଁ ଦୂରର ଦୂରର ରିକ୍‍ସାବାଲା, ମଫସଲି ସଡ଼କର ଗଣ୍ଠିଟିଏ, ବାଟୋଇ ଆସନ୍ତି । କଚା ସଡ଼କ ଚାଲିଛି ପାଖେ ଆନନ୍ଦପୁର ପାଖେ ଅଭୟପୁର ପାଖେ ସୁନାମୁଖୀ-। ଆଗେ ନିଛାଟିଆ ଥିଲା, କେତେବେଳେ ଖଣ୍ଡେ ଖଣ୍ଡେ ଶଗଡ଼ଗାଡ଼ି, କିନ୍ତୁ ଏବେ ଦିନୁଦିନ ଗହଳି ବଢ଼ୁଛି । ଲୋକେ କହୁଛନ୍ତି ଏ ସଡ଼କ ଅଭୟପୁର ଆଡ଼କୁ ପକ୍କା ହେବ, ସଡ଼କ କରେ କରେ ବିଜୁଳି ଯିବ, କେତେଠିଁ ନଈ ନାଳ ଉପରେ ସାନ ବଡ଼ ହୋଇ ପୋଲସବୁ ତିଆରି ହେଉଛି । ଆଉ ସଡ଼କଠିଁ ଖଣ୍ଡେ ଛଡ଼ାରେ ଖୋଳା ହୋଇ ଆସୁଛି ଗୋଟାଏ ନାଳ, ଜମିରେ ପାଣି ମାଡ଼ିବ । ସଡ଼କ ଆଉ ମଟରଗାଡ଼ିର ଯୁଗ ଆସିଲା, ଏଇ ବଡ଼ ସଡ଼କଠୁଁ କେତେ ହାଟକୁ ଗାଁ’କୁ କେତେ ସାନ ସାନ ସଡ଼କ ହୋଇଗଲାଣି ।

 

କୁଳିଆ ଦୋକାନ ଘରେ ଭାଡ଼ି ଉପରେ ବସେ, ସଡ଼କକୁ ଅନିଷା ରଖେ । ଗାଡ଼ି ତ ଗାଡ଼ି, କେତେ ସାଇକଲ ଚାଲିଲାଣି ଏବାଟେ । ତୁଚ୍ଛା କୁଣିଆଁ ଘର ଯିବାବାଲା କି ବାବୁଆନିଆ ବୁଲାଳି ନୁହଁନ୍ତି, ଏମାନେ କାମିକା ଲୋକ, ଆଗରେ ପଛରେ ଲଦାଲଦି ଜିନିଷ, ମଝିରେ ମଣିଷ । ପଛରେ ମାଟିକୁଣ୍ଡ କି ଟିଣଡବାରେ ମାଛ ଥିବ, କାହାର ପିଠିଆଡ଼େ ବଡ଼ ବାଉଁଶିଆରେ ପରିବା, ସାଇକଲ ଦୁଇକରରେ କଦଳୀକାନ୍ଦି ଓହଳିଥିବ, କିଏବା ପଛଆଡ଼େ ପଟା ପାରି ପୁରୁଷେ ଉଚ୍ଚ ନଡ଼ିଆ ବୋଝେଇ କରିଛି । କିଏ ଲଦିଛି ବସ୍ତା, କାହା ପଛଆଡ଼େ ପେଡ଼ି, ବାକ୍‍ସ କେତେ ଜାତି ଜିନିଷ । ମହଣ ମହଣ ଜିନିଷ ସାଇକଲରେ ବୋହି ଏହିମାନେ ହିଁ ପ୍ରକୃତରେ ସାଇକଲକୁ କାମରେ ଲଗାଉଛନ୍ତି ।

 

କୁଳିଆ ସେହି ଦୋକାନ ଭାଡ଼ିରୁ ଅନାଇଁ ଅନାଇଁ ଦେଖୁଥାଏ ଆଉ ମନେ ମନେ ଭାବୁଥାଏ । ଆଗେ ଏ ସଡ଼କ ଆଡ଼େ ତା’ର ଆତଯାତ କମ୍ ଥିଲା । ସେ ଭାବୁଥିଲା, ସେ ଯେତେବେଳେ ତା’ ସାଙ୍ଗସରିସାମାନଙ୍କ ସଙ୍ଗରେ ତାସ୍ ପକୋଉଥିଲା ପଶାପାଲି ମେଲାଉଥିଲା ଗପ କରୁଥିଲା, କି ଅବା ସପରେ ଲମ୍ବ ହୋଇପଡ଼ି ପାନ ଚୋବାଉଥିଲା ଆଉ ଉପରେ ରୁଅ ସେଣୀକୁ ଅନାଉଁଥିଲା, ଦେଖୁଥିଲା କେମିତି ସେଥିରେ ଚିତିସାପ ବୁଲେ, ଚାଳ ତଳେ ମୂଷା ବସା କରେ, ଆଉ ଯେତେବେଳେ ବାରିଆଡ଼ୁ ଟୁବିଗାଡ଼ିଆ ହୁଡ଼ାରେ ତେନ୍ତୁଳି ଗଛ ଛାଇ ତଳେ ବସି ଜିଆ ଗୁନ୍ଥି ଗୁନ୍ଥି ଦଣ୍ଡିଖିରି କି କେରାଣ୍ଡି ଧରୁଥିଲା, କି ଅବା ନଡ଼ିଆ ଗଛର ମାଙ୍କଡ଼ଙ୍କୁ ଲାଖ କରିବାଲାଗି ବାଟୁଳି ଗଢ଼ି ଖରାରେ ଶୁଖାଉଥିଲା କି ଅବା ସବୁ ବିଧି ବିଧାନ ଲଗାଇ ଗାମୁଛା ପଚୋଉଥିଲା, ସେ ବିଦ୍ୟାରେ ସେ ଭାରି ପାରିବାର, ଯେତେବେଳେ ତା’ର ସାଙ୍ଗସାଥୀମାନେ ଆଖଡ଼ାଘରେ ମୃଦଙ୍ଗ ବଜାଉଥିଲେ ଆଉ ରାସଲୀଳା ଶିଖୁଥିଲେ, ସେତେବେଳେ ବାହାରେ ଗୋଟାଏ ବିରାଟ ପରିବର୍ତ୍ତନ ହୋଇଯାଇଛି, ସେମାନେ ସଡ଼କକୁ ଚାହିଁଦେଇ ବି ଦେଖିନାହାଁନ୍ତି, ସଡ଼କଠୁଁ ପାଏ ବାଟରେ ଥାଇ ବି ସେମାନେ ସତେକି ଗୋଟାଏ ପୁରୁଣା ଗଡ଼ ଭିତରେ ରହିଯାଇଛନ୍ତି । ଆଗେ ଗାଁ’କୁ ପଇସା ଆସିବାଟା ଥିଲା କାଁ ଭାଁ, କେବେ କଦବା କାହା କପାଳରେ ତେଣୁ ଆପଣା ଗାଁ’ରେ ଆପଣା ଘେର ପହଞ୍ଚ ଭିତରେ ଯାହା ମିଳିପାରିବ ଯାହା ଆମଦାନି ହେବ ସେଇଆକୁ ଆଶ୍ରା କରି ଲୋକେ ଚଳୁଥିଲେ ପଡ଼ିରହିଥିଲେ ଆଉ କଞ୍ଚା ପଇସା ବୋଲି ଯେଉଁତକ ମିଳୁଥିଲା ତାକୁ ମୁଠେଇ ରଖୁଥିଲେ ସୁନା କି ଜମି କରିଦେଇ । କଞ୍ଚା ପଇସା ଖରଚ ଥିଲା ଊଣା । ଜିନିଷ ବହକିଲେ ବାଣ୍ଟୁଥିଲେ ବଦଳୋଉଥିଲେ । ଖାଇ ଉଡ଼ୋଉଥିଲେ, ଭୋଜି ମଉଛବ କରୁଥିଲେ, ମାଇପେ ଯେ ଯେତେ ପାରିଲା ସୁନା ଲଦି ହେଉଥିଲେ । ଏବେ ଯେମିତି ସେସବୁ ବଦଳିଯାଉଛି । ଲୋକଙ୍କ ଆଖିରେ ପଇସାର ଲାଳସା ଯେମିତିକି ଧକ୍‍ଧକ୍ ହୋଇ ଜଳୁଛି ଆଉ ସେମାନେ ଖରାଏ ତରାଏ ବୁଲୁଛନ୍ତି ସେହି ପଇସା କମେଇବାକୁ ।

 

ସେଥିପାଇଁ ଜିନିଷ ପଳାଇଯାଉଛି ଅନ୍ୟ ଜିନିଷ ଆସୁଛି ରାସ୍ତାରେ ଧାର ଲାଗିଯାଉଛନ୍ତି ମଣିଷ ଆଉ ଗାଡ଼ି । ଲୋକଙ୍କ ହାତକୁ କଞ୍ଚା ପଇସା ଆସୁଥିବ ତ, ଭେକ କହିଦେଉଛି । ଆଗେ ଯେଉଁମାନେ ଛିଣ୍ଡା ମଇଳା ପିନ୍ଧି ଖାଲି ପାଦରେ ଯା’ଆସ ହେଉଥିଲେ କେତେ ତହିଁରୁ ପିନ୍ଧୁଛନ୍ତି ପାଇଜାମା ହାୱାଇନ୍ ଧୋବ ଲୁଗାରଙ୍ଗ ରଙ୍ଗର କାମିଜ୍, ଜୋତା ମାଡ଼ୁଛନ୍ତି, ହାତରେ ଛତା, ଚମଡ଼ା କି କନାର ମୁଣି । ମାଇପେ ପିନ୍ଧୁଛନ୍ତି ରଙ୍ଗ ରଙ୍ଗର ଶାଢ଼ି, ବ୍ଲାଉଜ୍, ସାୟା । ଆଗେ ସାଆନ୍ତମାନଙ୍କ ଘରେ ଯେଉଁ ଅଳଙ୍କାର ପିନ୍ଧୁଥିଲେ ସେମାନଙ୍କ ଦେହରେ ସେହିପରି, ତାଠୁଁ ବେଶି, ଆଉ ସେଥିରେ ନୂଆ ଫେସନ୍, ଗାଁ’ ସୁନାରିର ହାତ ତିଆରି ଜିନିଷ ନୁହେଁ । କୁଳିଆ ବୁଝେ । ସେମାନେ ସାଆନ୍ତ ସଂପ୍ରଦାୟର ସ୍ତ୍ରୀ ପୁରୁଷ ନୁହଁନ୍ତି । ଚାଷୀ, ସାନ ବେପାରୀ, କିଏ କେଉଁ କଳକାରଖାନାର ଚାକିରିଆ-। ଜାତିରେ ଦେଶର ସର୍ବସାଧାରଣ, ଚଷା, ଗଉଡ଼, କେଉଟ, ବଢ଼େଇ, କମାର, ଏପରିକି ହରିଜନ । ସେମାନେ ଚାହା ଆଉ ପିଠା ଖାଇବାକୁ ତା’ ଦୋକାନକୁ ଗଡ଼ିପଡ଼ନ୍ତି, ସରଳ ଅକପଟ ଭାବରେ ନିଜ ନିଜର ବେଉସା ବାଡ଼ି କଥା ଗାଇ ଯାଆନ୍ତି । କିଏ ଚାଲିଛି କେଉଁ ଧନ୍ଦାରେ । କିଏ ଯାଉଛନ୍ତି ସହରରେ କେଉଁ ନୂଆ ମଜା ହେଉଛି ଦେଖିବାକୁ, ସିନେମା, ଥିଏଟର, ସରକସ୍, କୁଞ୍ଜ, ଏପରିକି ନାନା ଖେଳ କସରତ୍ । ଆଉ ଚାଲିଛନ୍ତି ଜମିକିଣା ହେବ ରେଜିଷ୍ଟ୍ରି କରିବେ, ନହେଲେ ମକଦ୍ଦମା ଲଢ଼ିବେ, ଶତ୍ରୁ ଉପରେ ଦାଉ ସାଧିବେ । ସେମାନେ ଠିଆ ଠିଆ ଖାଇବାକୁ ଆପତ୍ତି କରନ୍ତି ନାହିଁ, ଖାଇ ସାରି ପତରକୁ ଉଠାଇ ନେଇ ଫୋପାଡ଼ନ୍ତି ଖଣ୍ଡେ ଦୂରରେ, ପଇସା ଦେଲାବେଳେ ମୂଲ୍ୟ ବିଷୟରେ ବି ତର୍କ କରନ୍ତି ନାହିଁ । ପଇସା ମୁଣି ଖୋଲିଲେ ରେଜ୍‍କି ସହିତ ଦଶଟଙ୍କିଆ ନୋଟ୍ ବି ବାହାରେ । ସେମାନେ ଅଶୁଚିବାରନ୍ତି ନାହିଁ । ଚାହା କପ୍ ସେଡ଼େ ଭଲ କରି ଧୁଆ ହୋଇ ନାହିଁ ବୋଲି, ନିଜେ ଧୋଇ ଥୋଇ ଦେଇଯିବାକୁ ଆପତ୍ତି କରନ୍ତି ନାହିଁ, କିନ୍ତୁ ମଣିଷକୁ ମଣିଷ ଛଡ଼ା ଆଉ କିଛି ଅଧିକା ଭାବି ବଳକା ମର୍ଯ୍ୟାଦା ଦେବାକୁ ସେମାନଙ୍କର ଆପତ୍ତି ଅଛି । ତାଙ୍କ ଆଖିରେ କୁଳିଆ ଗୋଟିଏ ଚାହା-ଜଳଖିଆ ଦୋକାନି ମାତ୍ର, ସେ ଶ୍ରୀଶ୍ରୀଶ୍ରୀ ତଡ଼ାଉକରଣ ସାମନ୍ତ କୁଳଶେଖର ମହାନ୍ତି ପ୍ରାଚୀନ ଜମିଦାର ପରିବାରର କୁଳତିଳକ ବୋଲି ଭୁଲ୍‍ରେ ବି କେହି ଭାବେ ନାହିଁ, କୁଳିଆ ବି କେବେ ଆଶା କରେ ନାହିଁ, ସେପରି ବ୍ୟବହାର । ପ୍ରଥମେ କାଟୁଥିଲା, ତା’ପରେ ଦେହସହା ହୋଇଗଲା ।

 

ସେଥର ଆସିଥିଲା ଆଳୁପଡ଼ା ପାଣସାହିର ମାଗୁଣି ଗୋଛେଇତ । ପଚିଶି ବର୍ଷର ଭେଣ୍ଡା କେଉଁ କଳରେ କାମ କରେ । ସାତ ବର୍ଷ ତଳେ ଜେମା ଅପା ବାହାଘରକୁ ଏଇ ପିଲା ଆସିଥିଲା ବେକରେ ଢୋଲ ପକାଇ ବାଜାଦାରମାନଙ୍କ ସଙ୍ଗରେ । ସେତେବେଳେ ତା’ ଚେହେରା ମଢ଼ିଆ ଦିଶୁଥିଲା, ମୁଣ୍ଡରେ ବେତାଏ କୁଞ୍ଚୁକୁଞ୍ଚିଆ ବାଳ ଫୁରୁଫୁରୁ ଉଡ଼ୁଥିଲା । ପୋଷେଇଲା ନାହିଁ । ମାମୁ ସଙ୍ଗରେ ଗଲା ବିଦେଶ । ସେ ଛାଣ୍ଟ୍ ଛନଛନିଆ ଦିଶୁଛି । ଜୋତା, ପ୍ୟାଣ୍ଟ୍, ହାୱାଇ ପିନ୍ଧିଛି । ପକେଟରେ ଫାଉଣ୍ଟେନ୍ ପେନ୍ । କାନ୍ଧ ଟେକି ବେକ ଟାଙ୍କି ସେ ମଚ୍ ମଚ୍ ମାଡ଼ି ଆସୁଛି । ଉଦ୍ଧତ ଠାଣିରେ କୁଳିଆକୁ ଚାହିଁ ଦେଇ ଦୋକାନ ଭିତରକୁ ପଶିଗଲା । ଖଣ୍ଡେ ସାନ କଳା ବାଡ଼ି ଧରିଥିଲା-। ପିଠା ଥାକ ଆଡକୁ ବାଡ଼ି ବଢ଼ାଇ ଦେଇ କହିଲା “ଆଜି ଚାଖିବା ମାହାନ୍ତି ଘର ଆରିସା ପିଠା କେମିତି ଲାଗେ । ଘିଅ ନା ଦାଲ୍‍ଦା ? ଗୋଟା କେତେ ?”

 

କୁଳିଆର ମୁହଁ ଜଳିଗଲା । କହିଲା, “ଜୋତା ମାଡ଼ି ଭିତରକୁ ପଶି ଆସିଲ ? କେତେ ଲୋକ ଖାଇବେ, ବ୍ରାହ୍ମଣ, ବୈଷମ–”

 

ମାଗୁଣି ହୋ ହୋ ହୋଇ ବଡ଼ପାଟିରେ ହସି ଉଠି କହିଲା “ତେବେ ପଦାରେ ଖଣ୍ଡେ ଲେଖି ମାରିଦିଅ । ଏଠି ବ୍ରାହ୍ମଣ ବୈଷମ ଖାଇବେ ଆଉ କେହି ନାହିଁ । କିହୋ ଦୋକାନଟେ ତ ପକେଇଚ, ଯେ ଆସିବ ପଇସା ଦବ ଖାଇବ, ଭିତରକୁ ପଶି ଆସିଲେ କ’ଣ ମାରା ହେଲା ? ସହରରେ ଦୋକାନ ଦେଖିନା ? ଖାଆନ୍ତି ଭିତରେ ନା ବାହାରେ ? ତମର ଏଇଟା ସାନ ଚାଳିଆ ବକଟେ ବୋଲି ସିନା !”

 

କୁଳିଆ ତା’ ମୁହଁକୁ ଚାହିଁଲା । ତା’ର ଅତୀତର ସାଆନ୍ତ ମର୍ଯ୍ୟାଦାର ପ୍ରତିବାଦ ତଣ୍ଟିଯାକେ ଉଠି ଆସୁ ଆସୁ ସେ ତାକୁ ତଳକୁ ଦାବିଲା । ସେ ମାଗୁଣିଆ ହାତକୁ ପିଠା ବଢ଼େଇ ଦେଲା, ମାଗୁଣିଆ ତା’ର ହାତ ଚକି ଉପରେ ମାଡ଼ି ମାଡ଼ି ପଇସା ଗଣିଦେଲା । କହିଲା, “ଗୋଟା ଦି’ଦି ଅଣା କ’ଣ କରିଚ ? ମାହାନ୍ତି ଘର ପିଠା, ଗୋଟା ଚାରି ଚାରିଅଣା କରନ୍ତ ।”

 

“କାହା ଘର ପିଠା ସେଥିରେ ତମର କ’ଣ ଅଛି ? ଦୋକାନ ପିଠା ତ” ! କୁଳିଆ ମୁହଁ ଉପରେ ଠୋ ଠୋ ହସି ଦେଇ ଆଖିମିଟିକା ମାରି ମାଗୁଣିଆ କହିଲା “ଆମେ ପାଖ ଗାଁ ଲୋକ ପରା ବାବୁ ସାଆନ୍ତେ । ଆମୁକୁ ଅଛପା ? ଘରେ ତିଆରି ହେଇ ଆସୁଚି, ମା’ ସାଆନ୍ତାଣୀମାନେ ଆମ ବାଟୋଇଙ୍କ ପେଇଁ କରି ପଠେଇ ଦଉଚନ୍ତି । ନ ହେଲେ ଆମେ କିଏ ସାଆନ୍ତ ଘର ଆରିସା କିଏ ? କୋଉ କାଳେ ବାହା ଭୋଜି ହେଲେ ପତରରେ ଯାହା ବଳିଲା କିଏ ନଉଥିଲା, ଆଉ ତ ତା’ ବି ନାଇଁ । ତେବେ ଏ ବିକା ବିକି ବେଉସା, ୟେ ଭଲ । ଆଃ ବସିବାକୁ ଟିକିଏ ଥାନ ନାଇଁ ୟେ ଘରେ ।”

 

ମାଗୁଣିଆ ଚାରିଆଡ଼କୁ ଚାହିଁଲା ଗଡ଼ଜିତା ଠାଣିରେ । ଚାହା କପେ ମାଗିଲା । ଠିଆ ଠିଆ ପିଇଲା । କହିଲା, “ନୂଆ ବେଉସା କରୁଚ, ଗରାଖି ବି କେଇଟା ହଉଥିବେ ଯେ ! ସେଥିପାଇଁ ଦୁଧଟା ଖାଣ୍ଟି । ଏଇ ଗଉଡ଼ ସାହିରୁ ତ ଆସୁଥିବ । ଏ ଚାହାଟା ପାଟିରେ ନାଗିଗଲେ ଲୋକେ ଚିହ୍ନିବେ, ଜାଣିବେ, ଆସିବେ । ଚିନି ଆଉ ଖାଣ୍ଟି ଦୁଧ ଦେଇ ଲାଭ କରିବ କେତେ ? ସହର ହେଇଥିଲେ ? ଗୁଣ୍ଡ ଦୁଧ, ଖାଲି ଖଡ଼ିପାଣି ପରି । ପାଟିକି ଗରମ ଆଉ ମିଠା ଲାଗିଲେ ହେଲା ।”

 

ତା’ପରେ କୁଳିଆ ଯହିଁକି ଡରୁଥିଲା ସେଇଆ ହେଲା, ମାଗୁଣିର ସେ ଅଇଣ୍ଠା ଚାହା କପ୍ ତା’ ଆଡ଼କୁ ବଢ଼େଇ ଦେବାକୁ ଉହୁଁକେଇ କହିଲା “ନିଅ ରଖ, ମୁଁ ଯାଏଁ ।”

 

“ହେଇ ସେଠି ପାଣି ଅଛି ଧୋଇ ଦେଇ ରଖିଦେଇ ଯାଅ”, କୁଳିଆ କହିଲା । ମାଗୁଣିଆ କହିଲା “କାଇଁ ସହରରେ ତ କେହି ଚାହା କପ୍ ଧୋଇବାକୁ କହନ୍ତି ନାଇଁ !”

 

“ୟେ ସହର ନୁହେଁ ।”

 

“ନ ହଉ, ୟେ ଦୋକାନ । ଆମେ ଚାହା ଖାଇସାରି କପ୍ ଧୋଇବୁ ଏମିତି କୋଉଠି ନାଇଁ । ଆମେ ପଇସା ଦବୁଁ । ନିଅ । ତମ କପ୍ ତମେ ଧୁଅ ।”

 

କୁଳିଆ ୟା’ଡ଼ୁକୁ ସ୍ୟାଡ଼କୁ ଅନେଇଁଲା । ଚାହା କପ୍‍ଟା ତଳେ ଥୁଆ ହୋଇଛି । ସେ ପାଣି ଉଗାଡ଼ିଲା ଯେମିତି ପାଣିରେ ଅଇଣ୍ଠା ଚାହାତକ ଧୋଇ ହୋଇଯିବ । ତା’ପରେ ଚାହା କପ୍‍ଟିକୁ ଟେକିନେଇ ଆଉଥରେ ଧୋଇଲା ।

 

ମାଗୁଣି ଅପେକ୍ଷା କରି ମୁରୁକି ହସୁଥାଏ ଆଉ ଦେଖୁଥାଏ । ଚାହା କପ୍‍କୁ କୁଳିଆ ଦି’ଅଣା ବିକେ । ମାଗୁଣିଆ ଦେଲା ଚାରଣା । କୁଳିଆ ଆଉ ଦି’ଅଣା ଫେରାଇବାକୁ ଖୋଜାଖୋଜି କଲା । ମାଗୁଣିଆ କହିଲା, “ଥାଉ ରଖ, ସହର ହେଇଥିଲେ ଚାରଣା ତ ଦେଇଥାନ୍ତି । ନ ହେଲେ ଆଉ କେବେ ଆସିଲେ ଆଉ କପେ ଖାଇ ଯିବି ।” ଟିକିଏ ସଦୟ ହୋଇ କହିଲା, “ସାହାଯ୍ୟ କରିବାକୁ ଟୋକାଟିଏ ହେଲେ ରଖ । ଚାହା କପ୍ ଧୋଇବ ।” ସେ ଚାଲିଗଲା ।

 

(ପନ୍ଦର)

 

ପୁଅ ସାଧୁ ପଠାଇଥିବା ପନ୍ଦରଟି ଟଙ୍କାରୁ ଦଶଟି ଟଙ୍କାକୁ ମୂଳଧନ କରି ପ୍ରଥମେ ମାୟା ଦେବୀ ସେ ଦୋକାନରେ ବରା, ପିଆଜି, ପିଠା ଖୁଆଇଥିଲେ । ଜିନିଷ ତିଆରି କରିବା ପରିଶ୍ରମ ତାଙ୍କର, ଦୋକାନରେ ବସିବା ବିକିବା, ବାହାରର ସବୁ କାମର ଭାର କୁଳିଆର । ସେଠି ଦୋକାନ ଚଳିବ କି ନାହିଁ ସେ ଭାବି ନଥିଲେ, ବାରମ୍ବାର ମନହେଲା, ଘରର ଦାରିଦ୍ର୍ୟକୁ ନୀରବରେ ନ ସହି କିଛି କରିବାକୁ ପଡ଼ିବ ଆଉ ମୃତା କୁଳିଆବୋଉର ଉପଦେଶଗୁଡ଼ାକ ଯେମିତିକି ଜୀଅନ୍ତା ହୋଇ ଖେଳିବୁଲିଲା ତାଙ୍କ ମୁହଁ ସାମ୍ନାରେ ଆଉ ମା’ଛେଉଣ୍ଡ ମାଇପଖିଆ ନିରୀହ କୁଳିଆ ପ୍ରତି ତାଙ୍କର ମାତୃସ୍ନେହ ଉଛୁଳି ଉଠିଥିଲା । ଆରମ୍ଭଟା ଦିନେ ହୋଇଗଲା, ତା’ପରେ ଚାଲିଲା ।

 

କିନ୍ତୁ ଖଞ୍ଜାରେ ହଟା ଲାଗିଗଲା । ବେଶି ପ୍ରତିବାଦ କଲେ ଦାମ ଓ ତାଙ୍କ ସ୍ତ୍ରୀ । ଖଞ୍ଜାରେ ଠିଆହୋଇ ଦାମ ପାଟିକଲେ “ଶେଷରେ ଏଇଆ ଦେଖିବାକୁ ବଞ୍ଚିରହିଲି ଭାଉଜ ବୋଉ-! କାହା ଝିଅ କାହା ବୋହୂ କେଡ଼େ ଘର କେଡ଼େ କଥା, ପିଠା କରି ସଡ଼କ କରରେ ବିକିବାକୁ ପଠେଇଲ ? ଉଚ୍ଚ ମୁଣ୍ଡ ତଳକୁ ହେଲା, ଲୋକେ କ’ଣ କହିବେ ?”

 

ଅଧରୀ ବୋଉ କହିଲା, “ଅପାଙ୍କର ଆମର ସେଇ ବିଚାର । ଟିକିଏ ହେଲେ ପଚାରିଲେ ନାଇଁ ।”

 

କଥାଗୁଡ଼ାକ କାନ ଭିତରେ ନିଆଁ ଢାଳିଦେଲା । କିନ୍ତୁ ମୁଣ୍ଡ ଭିତରେ କୁଳିଆବୋଉ ସେ କଥାରେ ଜବାବ୍ ବତୋଉଛି । ସାଧୁବୋଉ ପଦାକୁ ବାହାରିଆସି କହିଲେ, “କୋଉଠି ଥିଲ ମ ଦାମ-? ମୋ’ ପିଲାଏ ଯେତେବେଳେ ଉପାସ ରହୁଥିଲେ ତେମେ ସବୁ ଏଡ଼େ ହିତକାରିଆ ଦାଦି ଖୁଡ଼ୀ ବୋଲି ପଦାରେ ଚିହ୍ନା ନ ଦେବ ପଛେ, ମତେ ଯେଉଁ ବୁଦ୍ଧି ଦିଶିଲା ମୁଁ ତା କଲି, ତମର କ’ଣ ଯାଉଚି ?”

 

“ଯାଉଚି ?” ଦାମ ଖେଙ୍କି ଉଠିଲେ, “ଆଜି ସିନା ପର ପରି କଥା କହୁଚ ଭାଉଜୋଉ, ଆମେ କିଏ ତେମେ କିଏ ?”

 

“ଖାଲି କଥାରେ ନା କାମରେ ?”

 

“ତେମେ ବୁଝୁନା ଭାଉଜୋଉ, ଯେଡ଼େ ଦୁଃଖରେ ଭୋକ ଉପାସରେ ପଡ଼ିଲେ ସୁଦ୍ଧା ଘରର ଗୁମର ଘରେ ରହୁଥିଲା, ଆମ ଚଉଦ ପୁରୁଷରେ କିଏ ଏମିତି ପିଠାପଣା କରି ବିକିବାକୁ ପଠାଉ ନ ଥିଲା । ତୁମେ ତ ଘର ଭିତରେ ରହିବ ତୁମେ ଶୁଣିବ ନାହିଁ, କଥା ଶୁଣିବୁ ଆମେ, ଲାଜରେ ମୁଣ୍ଡ ନଇଁପଡ଼ିବ ।”

Unknown

 

ସାଧୁବୋଉ କହିଲେ, “ତମ ଘରେ ଚଳିନାଇଁ କହୁଚ ଯେ ସତ କଥା । କାଳ ବଦଳିଲାଣି କେତେ କଥା ତ ବଦଳିଲାଣି, ଆହୁରି ବଦଳିବ । ପେଟ ପୋଷିବାକୁ ଛେଲୁଆ ଧରି ପଦାକୁ ବାହାରିବା ଅପେକ୍ଷା, ଦୁନିଆ ଲୋକଙ୍କୁ ଚିତାକାଟି ଘର ଭର୍ତ୍ତି କରିବା ଅପେକ୍ଷା, ଚୋରି ଡକାଏତ କରିବା ଅପେକ୍ଷା, ଆହୁରି କେତେ କାମ କରିବା ଅପେକ୍ଷା ନିଜ ଦେହ ମେହେନତରେ ଜିନିଷ ତିଆରି କରି ବିକିବାକୁ ପଠେଇବା କ’ଣ ନାକରା ? ଏଥିରେ କି ଲାଜ ?”

 

“ତମର ଯାହା ଦରକାର ପଡ଼ୁଛି ମତେ କହ ଭାଉଜୋଉ ମୁଁ ଦେବି, ତମେ ଆଉ ଏଥିରେ ମାତ ନାହିଁ ।”

 

“କହିବା ଦରକାର କ’ଣ ଦାମ ? ଦେବାର ହୋଇଥିଲେ ତୁମେ ନିଜେ କ’ଣ ଦେଇ ନଥାନ୍ତ କରି ନଥାନ୍ତ ? ଥାଉ ସେକଥା କାହିଁକି ପଡ଼ିଚି, କିଏ ତମକୁ ଦୋଷ ଦେଉଛି ? କେହି କାହାକୁ ଦିଏ ନାହିଁ ଦାମ, ଦେବାର ଥିଲେ ଠାକୁରେ ଦିଅନ୍ତି । ଭଲରେ ହେଉ ମନ୍ଦରେ ହେଉ ଏ ସଂସାରରେ ସମସ୍ତେ ଚଳନ୍ତି, ସେଥିରେ କ’ଣ ଅଛି, ତୁମେ କାହିଁକି ଆମ କଥା ଭାବି ବ୍ୟସ୍ତ ହେଉଛ-?”

 

ଅଧରୀବୋଉ ମୁହଁ ଶୁଖେଇ ଠିଆ ହୋଇଥିଲା, କହିଲା “ହଉ ଅପା ତୁମ ବିଚାର ।”

 

“ହଁଲୋ ସବୁ ବିଚାର ତ ତୋରି ଠେଇଁ ହବନାଇଁ, ତୁ ଦୀକ୍ଷା ନେଉଚୁ ।” ଦାମ କହିଲେ “ପିଠା କି ଚାହା ବିକେଇ କେହି ବଡ଼ଲୋକ ହେଇନାହିଁ ଭାଉଜୋଉ, ତୁମେ କରିବ, କୁଳିଆ ବିକିବ, ବାଉରିସାଇଆ କିଣିବେ, ନାଁ ପଡ଼ିଲା ସିନା, ପେଟ ପୂରିବ ନାଇଁ । ଗାଁରେ ଗୋଟାଏ ଚା’ ଦୋକାନ-। ଲୋକହସା ହେବ ।”

 

ମାୟା ଦେବୀ କହିଲେ “ହେଇଟି ପରା ତେମେ ହସିଲଣି, ଲୋକହସା ହବା କୋଉ ବାକି ଅଛି ? ହାତରୁ ଯେଉଁଦିନ ଖଡ଼ୁ ଓହ୍ଲେଇ ଦେଲିଣି ସେଦିନୁ ତ ଦାଣ୍ଡରେ ବସିଛି, ଆଉ ଅଧିକା କ’ଣ ହେବ ? କି ଦୋକାନରେ ଲେଖା ୟେ, ଏଡ଼େବଡ଼ ଗାଁରେ ଏତେ ଲୋକ ଥାଇ ପିଲାଏ ମୋର ଯଦି ଉପାସ ରହିଲେ, କାହା ଠାହି ଟାପରା କାହା ଛିଗୁଲା ଛିଗୁଲିରେ କ’ଣ ଥାଏ ଦାମ, କାହା ଘରକୁ ଧାନକୁଟି ଯାଇଥାନ୍ତି ନହେଲା ଏବାଟେ ଗୋଟାଏ ଫିକର ଦିଶିଗଲା, ନ ଚଳିବ ତା’ର ସେ ମନକୁ ଟଳି ପଡ଼ିବ ।”

 

ଆନନ୍ଦ ଆସି ବୁଝେଇଲେ । ଶାନ୍ତିବୋଉ କହିଲା “ସତରେ ଅପା, ତମ ମୁଣ୍ଡ ବିଗିଡ଼ି ଗଲାଣି । ଏମିତି ଗୋଟାଏ ହଏ ?” ମୁକୁନ୍ଦଙ୍କ ବୋଉ ବୁଢ଼ୀ, ତା’ର ପାଟି ଥରେ, ନଇଁ ନଇଁ ଚାଲେ, କହିଲା “ଯୋଉଟା ଚଳି ନାଇଁ, ଯୋଉଟା ପାଇଁ ଏତେ ଆପତ୍ତି, ତାକୁ ନ କଲେ କ’ଣ ହେଇଯିବ ବୋହୂ ?” ସାଧୁବୋଉଙ୍କର ସେହି ଏକା ଉତ୍ତର,– “କହିବେ ସମସ୍ତେ । ଦେବେ ନାହିଁ । ଯାହାର ଯାହା ମନ ହଉଚି କହ, ଯାହାକୁ ଯେଉଁଟା ଭଲ ଦିଶିଲା ସେ କରିବ ।” ଏକା କହିଲା ନାହିଁ ମୂଷା ଭାରିଯା, ମୂଷା ଯେତେବେଳେ ତା’ ସଙ୍ଗରେ ଏକଥା ପକାଇଲା ସେ କହିଲା “ଚାହା ଜଳଖିଆ ଦୋକାନ ଚାଳିଆଟାଏ ଯୁଗେଶ୍ଵରଙ୍କଠି ଖୋଲିଦେଲେ ଟଙ୍କା ଅଜାଡ଼ି ହୋଇପଡ଼ିବ ଏକଥା ମିଛ । ତା’ ମୁଁ ବୁଝୁଚି । ତେବେ ଏତେ କଷ୍ଟ ପାଇ ସନ୍ତୁଳି ହୋଇ ଯେତେବେଳେ କ’ଣ ଗୋଟାଏ କରିବେ ବୋଲି ତାଙ୍କ ମନକୁ ପାଇଛି ଆମେ ତାଙ୍କ ମନଟା ଭାଙ୍ଗିଦେଲେ କି ଲାଭ ହେବ ? ବରଂ ଯଦି ସାହାଯ୍ୟ କିଛି କରିପାରନ୍ତେ ସିନା !”

 

ମାୟା ଦେବୀ ନିଜେ ବି ନିଶ୍ଚିନ୍ତ ନ ଥିଲେ । ଖଞ୍ଜା କୁଟୁମ୍ବଙ୍କଠୁଁ ଏତେ ଆପତ୍ତି ଶୁଣି ତାଙ୍କୁ ଲାଗୁଥିଲା ସେ ଭୁଲ୍ କରୁଛନ୍ତି । ଅତୀତର ସୁଖ ସ୍ଵାଚ୍ଛନ୍ଦ୍ୟର ଦିନର କଥା ମନେପଡ଼ିଲା । କରିଛନ୍ତି ଖୋଇଛନ୍ତି, ବିକିବା କଥା କିଏ ସ୍ୱପ୍ନରେ ବି ଭାବିଛି ! ଲାଗିଲା, ବୋଧହୁଏ ଉପାସ ରହି ଚିରା ପିନ୍ଧି ଉଁ ଚୁଁ ନ କରି ଜୀବନ ବିତେଇ ଦେଇଥିଲେ ଭଲ ହୋଇଥାନ୍ତା । କି ଯୁଗ ଆସିଲା ! ଧନ ଗଲା, ମାନ ଗଲା ଶେଷରେ ମନହେଲା ମର୍ଯ୍ୟାଦା ବଦଳ ଦେଇ ବଞ୍ଚିବାକୁ ଚେଷ୍ଟା କରିବାକୁ ।

 

ପୁଣି ଆପଣା ଭିତରୁ କୁଳିଆବୋଉ ଦମ୍ଭ ଦେଲା,–ୟେ ସଂସାରରେ ଦାମ୍ ନ ଦେଲେ କିଛି ମିଳେନାହିଁ । ଦାମ୍ ଖାଲି ଟଙ୍କାରେ ନୁହେଁ, କିଏ ଦାମ୍ ଦିଏ ଦେହକୁ ଖଟେଇ ଘୋରି ଘୋଳେଇ, କିଏ ଦାମ୍ ଦିଏ ଆପଣାର ଆଉ କେଉଁ ପ୍ରିୟ ଜିନିଷର ମୋହକୁ ବଳିଦେଇ, କିଏ ଖର୍ଚ୍ଚ କରେ ଆୟୁଷ, କିଏ ଖର୍ଚ୍ଚ କରେ ମାନଇଜ୍ଜତ୍ । ସବୁ ସେହି ବୁଢ଼ୀ ଅସୁରୁଣୀ କଥାପରି, ସେ ଆପଣାର ଗୋଟାଏ ଗୋଡ଼କୁ ଚୁଲିରେ ପୂରାଇ ଜାଳେ ଆଉ ଧାନ ଉଷୁଆଁଏ । ଯେ ଯାହାକିଛି କରିବ ସେଥିପାଇଁ ଏମିତି ମୂଲ୍ୟ ଦେବ, କିଛି ପାଇବାକୁ ମନକରି ଆଉକିଛି ଛାଡ଼ିବ । କିଛି ନ କଲେ କିଛି ଦେବାକୁ ପଡ଼େନାହିଁ । ଦୁନିଆଁ ଏମିତି ।

କିନ୍ତୁ ଯେଉଁଦିନ ପହିଲି ହୋଇ ସଞ୍ଜବୁଡ଼େ କୁଳିଆ ଦିନଯାକର ରୋଜଗାର ଯୋଡ଼ିଏ ଟଙ୍କା ଆଣି ତାଙ୍କୁ ଦେଖାଇ ଗୋଟିଏ ଟଙ୍କା ଦେଇଗଲା ସେ ଦୀର୍ଘଶ୍ୱାସ ପକାଇଥିଲେ, ଆଖି ଲୁହ ଛଳଛଳ ହୋଇଥିଲା ।

ଖାନ୍ଦାନ କରଣ ଘରର ବୋହୂ, ଜମିଦାର ଘର ବୋହୂ, ଏ ହାତ ପରକୁ ଦେବାକୁ ହିଁ ଶିଖିଥିଲା, ଉଜାଡ଼ି ଅଜାଡ଼ି ଦେବାରେହିଁ ଥିଲା ଆନନ୍ଦ, ମର୍ଯ୍ୟାଦା ଉଲ୍ଲାସ । କିଏ କେତେ ଖାଇପିଇ ଦେଇ ସୁସ୍ଥିରେ ହାକୁଟି ମାରି ମାରି ଚାଲି ଯାଇଛନ୍ତି ଅତୀତ ଯୁଗର ପାହାଚେ ପାହାଚେ, ବ୍ରାହ୍ମଣ ଆଶୀର୍ବାଦ କରିଛନ୍ତି, ଦୁଖୀ ରଙ୍କି ଡାକିଛନ୍ତି ଠାକୁରଙ୍କୁ, ଏ ଘରର ଭଲ ହେଉ । ଆଉ ଆଜି ଆସିଛି ଏ ଟଙ୍କାଟା, ବିକ୍ରି ପଇସା !

ଶୁଖିଲା ହସ ହସି ରମାକୁ କହିଲେ, “ହେଇ ଦେଖ୍, କୁଳିଆ ଦେଇଗଲା । ଦୋକାନରୁ ଆଜି ଏତିକି । ଲାଭ କେତେ ? ଚାରଣା ପାଞ୍ଚଣା ହେବପରା !” ରମା ସେ ହସର ଉତ୍ତର ଦେଲାନାହିଁ । ଶଙ୍କି ଶଙ୍କି ଅନାଇଁଲା ।

ମାୟା ଦେବୀ ନିଜକୁ ନିଜେ ପାହାର ବଜେଇଲା ପରି କହିଲେ, “ବିକି ବସିଲେ କେତେ ପଦାର୍ଥ ତ ଅଛି । ଗଛରେ କାଗେଜିଗୁଡ଼ାକ ପାଚୁଛି ଝଡ଼ୁଛି, କିଏ କୁଆଡ଼େ ନେଇ ଯାଉଛନ୍ତି, ନଡ଼ିଆ ବି କୁଆଡ଼େ ଯାଉଛି । ବାରି ଖାଲି ପଡ଼ିଛି, କଦଳୀ ଲଗେଇ ଦେଲେ ମନକୁ ଫଳନ୍ତା, ଆଉ ପନିପରିବା କେତେ କଥା ।”

 

ରମା ସେମିତି ନିରୁତ୍ତର । କିନ୍ତୁ କଥାଗୁଡ଼ାକ ଥରେ ତୁଣ୍ଡରୁ ବାହାରି ଗଲା ପରେ ଯେମିତିକି ସଙ୍ଗେ ସଙ୍ଗେ ମାଟିରେ ଚେର ଲାଗିହୋଇ କଅଁଳି ଉଠିଲା । ଲାଗିଲା ସହଜ ଆଉ ସ୍ୱାଭାବିକ ।” “ଏମିତି ତ ହୁଏ–ନହୁଏ କ’ଣ ?” ପୁଣି କହିଲେ, “ବାଉଁଶଗୁଡ଼ାକ କେଉଁକାଳୁ ବଢ଼ୁଛି । ଯାହାର ଦରକାର ସେ ନେଇ ଯାଉଛି । ସେଗୁଡ଼ାକ ହଣେଇଁ ଗାଡ଼ିରେ ଲଦି ବିକ୍ରି ପାଇଁ ପଠେଇ ଦେଲେ କିଛି ମିଳିଯାଆନ୍ତା ତ !” ହସିଦେଇ କହିଲେ “ବିକାକିଣାର ଦୁନିଆ ହେଲା ପରା, ନ ହେଲେ ଚଳିବ କେମିତି ?”

 

(ଷୋହଳ)

 

ମାୟା ଦେବୀ ମନ ଭିତରେ ଆଶା ରଖିଥିଲେ, ଦୋକାନଟା ତା’ ମନକୁ ମନ ଟଳିପଡ଼ିବ, କୁଳିଆ ଫୁଲା ଫାଙ୍କଡ଼ାରେ ବଢ଼ିଛି, ସେ ନୁହେଁ ଘରର, ନୁହେଁ ବାହାରର, ତାକୁ ପେଟପୂରା ମୁଠିଏ ମିଳିଲେ ଭଲ ନ ମିଳିଲେ ଭଲ, ତା’ର ବିଷୟ ବୁଦ୍ଧି ନାହିଁ, ଉଚ୍ଚ ଆଶା ନାହିଁ, ଛଳ ବି ନାହିଁ । ଏମିତି ଯେଉଁ ଲୋକ ଜୀବନଟା ବିତେଇ ଶିଖିଛି, ଚାହା–ଜଳଖିଆ ଦୋକାନ ହେଉପଛେ ସେ ତାକୁ ସତେ ଚଳେଇବ ଏପରି ବିଶ୍ୱାସ ତାଙ୍କର ନଥିଲା । ତା’ପରେ ମଫସଲି ଗାଁ କରପଟେ ଗୋଟାଏ ଚାହା ଜଳଖିଆ ଦୋକାନ, ସେଠି ଜିନିଷ କଟିବ ବା କ’ଣ, କିଏବା କିଣିବ । ଆରମ୍ଭ ହୋଇଯାଇଛି ଗୋଟାଏ ଝୁଙ୍କ୍ ଉପରେ, ଗୋଟାଏ ଜିଦିରେ । ଏଡ଼େ ବଡ଼ ଗାଁରେ ଯେଉଁଠି ଏତେ ଲୋକ ମୁଠିଏ ଖାଇ ଚଳି ପାରୁଛନ୍ତି ସେଠି ଗୋଟାଏ ପରିବାର ଉପାସରେ ଛଟ ଛଟ ହେଉଛନ୍ତି କେହି ଅନାଉ ନାହିଁ,–ସେହି ଗାଁ’ଟା ଉପରେ, ବିଶେଷତଃ ଆପଣା ବନ୍ଧୁ ବାନ୍ଧବଙ୍କ ଉପରେ ପ୍ରତିଶୋଧ ନେଲାଭଳି ଗୋଟାଏ ପ୍ରବୃତ୍ତି ବି ଥିଲା ସେଠି ସଡ଼କ ଉପରେ ଦୋକାନ ଠିଆ କରାଇବା ନିଷ୍ପତ୍ତି ପଛରେ,–ସେ ବି ଯେପରିକି ଗୋଟାଏ ଡେଙ୍ଗୁରା ପିଟା । ଲୋକେ ଜାଣନ୍ତୁ ଯେ ଆପଣାର ରକ୍ତର ଲୋକଙ୍କ ପ୍ରତି ଲୋକଙ୍କର କି ଅନାସ୍ଥା ଅନାଦର । ଝୁଙ୍କର ବେଳ ଚାଲିଗଲା, ତା’ପରେ ସେହି ଶୁଭକ୍ଷଣକୁ ଅପେକ୍ଷା, ଯେତେବେଳେ ସଞ୍ଜବୁଡ଼େ କୁଳିଆ ଜିନିଷଗୁଡ଼ିକ ଲେଉଟାଇ ଆଣି ମୁହଁ ଶୁଖେଇ କହିବ,–ଆଜି କେହି ଗରାଖି ନାହାନ୍ତି । ଜିନିଷଗୁଡ଼ାକ ସେମିତି ରହିଛି, କାଲିକି ବାସି ହୋଇ ଯାଇଥିବ, ଗଲା ସବୁ ଲୋକସାଣ । ତା’ପରେ ସେ ପୋଥିରେ ଡୋର ବାନ୍ଧିଦେଇ ଅପେକ୍ଷା କରି ରହିବେ ସାଧୁ କେବେ ଟଙ୍କା ପଠାଇବ, ଆଉ ଆଗପରି ମାଟି କାମୁଡ଼ି ପଡ଼ି ରହିଥିବେ ।

 

କିନ୍ତୁ ଦୋକାନଟା ତା’ ମନକୁ ମନ ତେଜି ଉଠିଲା । କୁଳିଆ ଆସି କହିଲା–ତମ ପିଠାର କି ସୁଆଦ ବଡ଼ମା, ଗାଧୁଆ ବେଳ ସରିକି ସବୁ ସରି ଯାଉଛି, ତା’ ଉତ୍ତାରୁ ମାହାଳିଆ ଗରାଖି ଫେରୁଛନ୍ତି ପଞ୍ଝା ପଞ୍ଝା । ଆଉକିଛି ନ ହେଲା ଖାଲି ବୁଢ଼ା ଚକୁଳି ଗୁଡ଼ାଏ ଆଉ ତରକାରି ପୁଳାଏ ପୁଳାଏ ହ’ନ୍ତାକି ! କ’ଣ କରିବା, କିଛି ଗୋଟାଏ ବ୍ୟବସ୍ଥା ନ କଲେ ତ ଚଳିବ ନାହିଁ ! ଲୋକ ବୋଲି ଲୋକ ! କୁଆଡ଼ କୁଆଡ଼ର ଲୋକ । କହୁଛନ୍ତି ଯାହିହେଉ ଏତେ ଦିନକେ ଏ ଝୋଲମରା ବାଟରେ ମୁଠାଏ ମନସନ୍ତୋଷରେ ଜଳଖିଆ ଖାଇବାକୁ ସୁବିଧା ଜୁଟିଲା । ଚାହା ତିଆରି କରିବାକୁ ଆଉ କପ୍ ଧୋଇବାକୁ ତ ଗୋଟାଏ ଚାକର ନ ରଖିଲେ ନଚଳେ, କେତେ କରିବି ? ମୋ ହାତ ଘୋଳି ହୋଇପଡ଼ୁଛି ।

 

ସେହି ସାନ ଜଳଖିଆ ଦୋକାନଟା ସତେ ଯେମିତି ଗୋଟାଏ ଇଙ୍ଗିତ । ତା’ ଦେଖା ଦେଖି ଖଣ୍ଡେ ଖଣ୍ଡେ ଛାଡ଼ି ହୁଳୁହୁଳିପୁରର ରସିଦ୍ ମିଆଁ ଟେକି ଦେଲା ଆହୁରି ଖଣ୍ଡେ ଚାଳ, ସାଇକଲ୍ ଓ ସାଇକଲ୍ ରିକ୍‍ସା ମରାମତି ଦୋକାନ, ପୁରୁଣା ଟାୟାର ଟିଉବ୍‍ଗୁଡ଼ାଏ ବନ୍ଧା ହୋଇ ବାଉଁଶରୁ ଝୁଲୁଥାଏ, ଆଗରେ ଥୁଆ ହୋଇଥାଏ ଗୋଟାଏ ସାଇକଲ୍ ପମ୍ପ୍, ପାଦରେ ମାଡ଼ି ଧରି ନାଚି ନାଚି ପମ୍ପ୍ ମାରିବାକୁ ପଡ଼େ । ତା’ ଦୋକାନରେ ବି ଲୋକ ଊଣା ପଡ଼ନ୍ତି ନାହିଁ । ତା’ପରେ ଶାମ ସାହୁ ଖୋଲିଲା ଗୋଟିଏ ଚାଉଳ ଡାଲି ଆଦି ନାନା ପଦାର୍ଥର ଦୋକାନ, ସେଠି ବି ଭଲ ବିକ୍ରି-। ଦିନେ ଦେଖାଗଲା ଶଙ୍କରପୁରର କଣ୍ଡୁରିଆ ଭଣ୍ଡାରି ତାଟି ଖଣ୍ଡିଏ ଟେକି ପୁରୁଣା ଦର୍ପଣଟିଏ ଝୁଲେଇ ସେଠି ଠାଏ ମୁଠି ଧରି ବସି ପଡ଼ିଲା, ତିରିଶି ବର୍ଷର ଭେଣ୍ଡା, ହାତଗୋଡ଼ ସରୁ ସରୁ ଲମ୍ବା, ଆଗେ ବିଦେଶରେ ଥିଲା, ଜରରେ ପଡ଼ି ପଡ଼ି ମୂଷି କୁଆକ୍‍ଠାରୁ ଔଷଧ ଖାଇ ଭଲ ହୋଇ ସେ ସେହି ରାସ୍ତା କରରେ ଛାଇତଳେ ପସରା ମେଲି ଦେଲା, ସେଠି ବି ଲୋକ ହେଲେ, ଠିଆ ଆଣ୍ଠୁ ଯୋଡ଼ି ବସିପଡ଼ି ଗୋଟିକ ପରେ ଗୋଟିଏ ଲୋକ ମୁଣ୍ଡ ଉପରେ ସେ କତୁରୀ ଚଳାଉଥାଏ ଆଉ କଥା ଗପୁଥାଏ, ନ ହେଲେ ଏକା ଧ୍ୟାନରେ କାହା ଗାଲ ଉପରେ ଥୋଡ଼ି ଉପରେ ରେନ୍ତି ଲାଗିଥାଏ ଖୁର ଧରି । ସଡ଼କ କରରେ ପରିବା ଆସି ଜମାହୁଏ, କାହା ବାରିରୁ ଖଡ଼ା, କାହାର ମୁଣ୍ଡି କାକୁଡି, କାହାର କଖାରୁ କି କଦଳୀ । ତା’ ବି ସରିଯାଏ । ଛକ ଜାଗାଟା ଆଗରୁ ସତେ ଯେମିତି ଗଢ଼ା ହୋଇଥିଲା ଗୋଟାଏ ବଜାର ହେବା ପାଇଁ, ଖାଲି ଅପେକ୍ଷା କରିଥିଲା କେତେବେଳେ ବେଳ ଆସିବ, କିଏ ଆଗ ଆରମ୍ଭ କରିବ । ପେଣ୍ଠ ଗାଁ ଅଦେଇ ସାହୁ ସେଠି ବଖରାଏ ଘର ତୋଳି ଖଣ୍ଡେ ଲୁଗା ଦୋକାନ ଖୋଲିଲା । ତା’ପରେ ଆସିଲା ବାନାମ୍ବର ଦେବତା, ସେ ବଡ଼ ଧାନ ଚାଉଳ ବେପାରି, ଦି’ମାଣ ଜାଗାରେ ଘେର ବୁଲେଇ ଗୋଟିଏ ଗୋଦାମ ଘର ତୋଳିଲା, ଧାନ ଚାଉଳ କିଣେ, ଠୁଳ କରେ, ସେଇଠୁ ପଠାଇଦିଏ ସହରକୁ । ବାନାମ୍ବର ଦେବତାର ଗୋଦାମ ସେ ଛକଟିକୁ ଗୋଟିଏ ନିଦା ଆସନ ଦେଲା, ଶଗଡ଼ ଓ ଟ୍ରକ୍ ଯା ଆସ ବଢ଼ିଗଲା, ଯେତେବେଳେ ଦେଖିଲେ କଣ୍ଟା ଝୁଲୁଛି, ଧାନ ଚାଉଳ ମାପ ହେଉଛି, ପଇସା ଦେଣନେଣ ଲାଗିଛି । ନାଁ ପଡ଼ିଲା,–ଯୁଗେଶ୍ଵର ଛକ, ତା’ପରେ ଖାଲି ‘ଯୁଗେଶ୍ଵର’ ।

 

(ସତର)

 

କୁଳିଆବୋଉ ମଲାଦିନ ମୂଷାଭାଇ ଘରୁ କୁଣିଆ ଚାଲିଗଲା । ରମା ଦେଖିଲା । ଦୁଆରେ ଯେତେବେଳେ ଲୋକ ଥାଟ ପଟାଳି, କନ୍ଦାବୋବା ଲାଗିଛି, ସେତେବେଳେ ମୂଷାଭାଇର ସ୍ତ୍ରୀ ରେବ ତା’ ହାତ ଧରି ଦଣ୍ଡାକୁ ଘୋଷାରି ନେଇଥିଲା ।

 

ପିଣ୍ଡାତଳୁ ହର ବୁଲିପଡ଼ି ସେମାନଙ୍କ ଆଡ଼କୁ ଚାହିଁଥିଲା, ହସି ଦେଇଥିଲା, ଯାଉଚି କହି ଏକମୁହାଁ ହୋଇ ଚାଲି ଯାଇଥିଲା । ରେବର ମୁହଁ ଉତ୍ତେଜନାରେ ଝଲସି ଉଠିଥିଲା । ସେ କହିଲା “ମୂର୍ତ୍ତିକିଆ, ଆମ ଘରେ ଖାଇବ ନାଇଁ । ନହେଲେ ଆର ଓଳିକି ଅଟକାଇଥାନ୍ତି । ଯାଉ, କାମିକା ଲୋକ । ମଲା ଗଲା ତ ସଂସାରଯାକ ଲାଗିଚି, ଜୀଇଥିବା ଲୋକ ତ ପୁଣି ଆପଣା କାମ ଧନ୍ଦା କଥା ଭାବିବେ !”

 

“ସେ ତ ଯିବ, ମତେ କାହିଁକି ଦାଣ୍ଡକୁ ଘୋଷାରି ଆଣୁଥିଲ ?” ତା’ ବାହା ମୂଳରେ ଚିମୁଟି ଦେଇ ରେବ କହିଲା “ଦର୍ଶନ କରେଇବାକୁ, ରାତିରେ ସିନା ଦେଖିଥିଲ, ଦିନରେ ଟିକିଏ ଦେଖିଥା, ଭାବିବ ତ ପଛେ ।”

 

“ମୋର ଯାଉଚି !”

 

“ଆଜିକାଲି ତ ନିଜ ନିଜ ରାଜି ରାଜିରେ ଲୋ ସବୁ । ଆଗ କାଳ କ’ଣ ଅଛି ? ସେ ତମକୁ ଦେଖିଲା ତୁମେ ତାକୁ ଦେଖିଲ, ସରିଗଲା, ଏଣିକି ଦିନ ଠିକଣା କରି ଶଙ୍ଖ ଫୁଙ୍କି ଦେଲେ କାମ ସରିଲା ।”

 

“ମୋର ଯାଉଚି !”

 

“କ’ଣ ଖାଲି ମୋର ଯାଉଚି ମୋର ଯାଉଚି ହଉଚ ମ ! କହ, ଆଉ ଚିହ୍ନା ପରିଚ ହବ ! ହଉନ ଅଡ଼ୁଆ କ’ଣ ଅଛି । ହର ମଟର ଡ୍ରାଇଭର, ଏଥର ସିନା ପାଦରେ ଚାଲି ଆସିଚି । ଯୋଉଦିନ କହିବ ମଟର ଚଢ଼ି ଚାଲିଆସିବ, ତା’ର ଚିନ୍ତା ନା ଦକ !”

 

“ସେଗୁଡ଼ାକ ମୋ’ ଆଗରେ କହନା, ମନହଉଚି ତମେ ମଟର ଚଢ଼ ।”

 

“ବା ହବ ନାଇଁ ଏମିତି ସବୁଦିନେ ବସିଥିବ ? ପିଲାଛୁଆ ହେବେ, ବୋଉ ବୋଉ ଡାକିବେ, ସେ ଡାକୁଥିବ–“କୁଆଡ଼େ ଗଲ । ଆସ ଦେଇଯାଅ” । କେତେ ମଜା କରିବ । ଏଇ ତ ଆରମ୍ଭ ହୋଇ ଆସୁଚି ।”

 

ଦାଣ୍ଡ ଘରେ କାନ୍ଥକୁ ଆଉଜି ଦିହେଁ ଫୁସ୍ ଫୁସ୍ ହୋଇ କଥା ଭାଷା, ଯେମିତି ଗୋଟାଏ ଷଡ଼ଯନ୍ତ୍ର ଚାଲିଛି ।

 

ଏତିକି ବେଳେ ବୋଉ ବୋଉ ଡାକି କୁଆଡ଼ୁ ଆସି ପହଞ୍ଚିଗଲେ ରେବର ଚାରି ବର୍ଷର ଝିଅ ମୀନା ତିନି ବର୍ଷର ପୁଅ କୁନା । କୁଲୁକୁଲିଆ ପିଲା ଯୋଡ଼ିଏ, ମା’ ପରି ତାଙ୍କ ଗଢ଼ଣ । ରେବର ଚେହେରା ଆହୁରି ବଦଳିଗଲା ।

 

ସେ କୁନାକୁ ଟେକି ନେଇ ଗେଲ କଲା; ମୀନାକୁ କହିଲା “ମନ କରିଥିଲି ପରା, ଏଣେ କୁଆଡ଼େ ଆସିଗଲୁ ?” ଦିହିଁକି ଘେନି ଆପଣା ଘରକୁ ଚାଲିଗଲା । ଦୁଆରେ ସେତେବେଳେ ହୋ ହୋ ଲାଗିଥାଏ, କୁଳିଆବୋଉର ମୁର୍ଦ୍ଦାର ଉଠିବା ବେଳ ପାଖ ହୋଇ ଆସୁଥାଏ ।

 

ରମାର ମୁଣ୍ଡ ଝାଇଁ ମାରିଦେଲା । କାଲି ଥିଲା ଗୋଟାଏ ସ୍ୱପ୍ନ, ଆଉ ଆଜି ହେଇ ଥିବାଲୋକ କୁଆଡ଼େ ଅନ୍ତର୍ଦ୍ଧାନ ହୋଇଯାଇଛି ସେ ଆଉ ପ୍ରକାରେ ସ୍ୱପ୍ନ । ସୁସ୍ଥ ସାଧାରଣ ଜୀବନ ଭିତରେ ଏ ଦୁଇପ୍ରକାର ପରସ୍ପର ବିରୋଧୀ ଉତ୍ତେଜନା ତୁହାଇ ତୁହାଇ ଆଲୁଅ ଅନ୍ଧାର ପରି ମୁଣ୍ଡ ଭିତରେ ଝଲସାଇ ଦେଉଛି, ଆଖି ଆଗରେ କୁହୁଡ଼ି ।

 

ରମା ଟାଣ ହେଲା । ସେ ପୁଣି ତା’ର ସୁସ୍ଥ ନିଶ୍ୱାସ ପାଇଛି । ରେବ ଆଜି ଆସିଥିଲା ସାଧା ଧଳା ଶାଢ଼ିଟିଏ ପିନ୍ଧି ମୁଣ୍ଡରେ ଓଢ଼ଣା ଦେଇ, କେଡ଼େ ଶାନ୍ତ, ସଂଯତ । ହର ଦିଶୁଥିଲା ଭଦ୍ର ଭଲ ମଣିଷଟିଏ ପରି । ଏ ଉଭୟେ ତାକୁ ଲାଗିଲେ ଅରୁଚିକର । କେମିତି କ’ଣ ବିଚିତ୍ର ପ୍ରକାରେ ତା’ର ଜୀବନ ସହିତ ସେମାନେ ଗୁରେଇ ହୋଇଯାଇଛନ୍ତି, ଭାବିଲେ ତାକୁ ଅଡ଼ୁଆ ଲାଗୁଛି । ତା’ର ଭିତରେ କେଉଁଠି ଠାଏ ଛପିଲା ଦରଜ, ସେମାନଙ୍କ ସ୍ମୃତି ମନେପଡ଼ିଗଲେ ସେ ଦରଜରେ କିଏ ହାତ ମାରିଦେଉଛି । ନିଷ୍କୃତିର ବାଟ ଖାଲି ଗୋଟିଏ, ଯେଉଁବାଟେ କୁଳିଆ ବୋଉ ଗଲା ।

 

ଶ୍ମଶାନରୁ ଲେଉଟି ଜଗୁ ରଘୁ ତା’ ଆଗରେ ଆଲୋଚନା ଆରମ୍ଭ କଲେ । କୁଳିଆବୋଉ ଖୁଡ଼ୀ କେମିତି ଜଳିଲା । ଜଗୁ କହିଲା “ମୁଁ ସବୁ ଦେଖିଚି” । ରଘୁ କହିଲା “ମୁଁ ସବୁ ଦେଖିଚି” । ବୋଉ ସେମାନଙ୍କୁ ହୁରୁଡ଼େଇଲା । ଦୁହେଁ ପରସ୍ପରର ବାହାଦୁରି କୁହାକୋହି ହେଉ ହେଉ କଳି କଲେ, ମାଡ଼ ମରାମରି ହେଲେ, ରଘୁକୁ ବେଶି କାଟିଲା । ତିଳ କେମିତି ଡରିଯାଇ ବୋଉର ପାଖେ ପାଖେ ଥାଏ । ରମା ରଘୁର ମୁହଁ ପୋଛି ତାକୁ ବୁଝେଇବାକୁ ଉଢ଼ୁଆଳକୁ ନେଇଯାଇ କୁଳିଆବୋଉର ଶବ କେମିତି ଦାହ ହେଲା ତାଠୁଁ ଟିକିନିଖି କରି ଶୁଣିଲା । ଥରି ଥରି ଥଙ୍ଗେଇ ଥଙ୍ଗେଇ ତୁନି ତୁନି କଥା କହି କହି ପଚାରି ପଚାରି ସବୁ ବୁଝିଲା ।

 

ତା’ପରେ ଚୁଲିର ପାଉଁଶ ଦେଖୁ ଦେଖୁ ତାକୁ ଲାଗିଲା,–ଏଇ ପାଉଁଶହିଁ ପବିତ୍ର ଆଶ୍ୱାସ-। ଦିନ ସରିଯିବ ।

 

ତା’ପରେ ବୋଉ ସେ କୁଳିଆ ଭାଇଦ୍ୱାରା ଯୁଗେଶ୍ଵରଙ୍କଠିଁ ଜଳଖିଆ ଦୋକାନ କରେଇଲା, ଖଞ୍ଜାରେ ଲୋକେ ହସିଲେ, କିନ୍ତୁ ବୋଉ ମୁଣ୍ଡରେ ଖିଆଲ ଗଢ଼ିଲେ ତାକୁ ଓହ୍ଲେଇ ଦେବା କଠିନ । କାଳେ ବୋଉର ମନକୁ ବାଧିବ ବୋଲି ରମା ସେ କାମ ବି ମୁଣ୍ଡକୁ ନେଲା, ରାତିଯାକେ କାମକରି ରଗଡ଼ି ବାଟି ଫେଣାଇ ଜିନିଷ ସଜାଡ଼ି ରଖିବାକୁ ପଡ଼େ, ଅନ୍ଧାରୁଆରୁ ଚୁଲି ଲଗାଇ କାମ ଆରମ୍ଭ କରି ଦେବାକୁ ପଡ଼େ । ଦିନୁଦିନ ବୋଉର ଉଲ୍ଲାସ ବଢ଼ିଲା ଆଉ ଦିନୁଦିନ ରମାର ବଢ଼ିଲା କ୍ଲାନ୍ତି । ସେ ଏ କାର୍ଯ୍ୟରେ କିଛି ମର୍ଯ୍ୟାଦା ଅନୁଭବ କରେ ନାହିଁ, ତାକୁ ଅଗୌରବ ଲାଗେ । ଘର ଲିପିବା ବାଉରାଣୀଏଁ, କାଠି ଆଣିଦେବା ଭୋଇ ପିଲାଏ, ଭାଗଚାଷୀ ବୁଲା ସୋଇଁ, କେତେବେଳେ ମାଛ ଶୁଖୁଆ ଚୁଡ଼ା ମୁଢ଼ି ବିକାଳି କେଉଟୁଣୀ, କେତେବେଳେ ତେଲୁଣୀ, ଧୋବଣୀ, ଏମାନେ ଯେତେବେଳେ ଖୁସି କରିବାକୁ ଆସି ଭାକୁଚିଆଳି ହୁଅନ୍ତି– “ଦେଇ, ତମ ଦୋକାନରୁ ଯାଇ ଖାଇ ଆସିଲୁ ଯେ ଯେଉଁ ସୁଆଦ !” ସେତେବେଳେ ରମାର ମୁହଁ ଶୁଖିଯାଏ, ହାଡ଼ରୁ ମାଉଁସ ଝଡ଼ିପଡ଼େ, ବାରେଇ ହୋଇ ଅନ୍ୟଆଡ଼େ ଚାଲି ଯାଉ ଯାଉ ସେ କହେ– “ଥାଉ ଥାଉ” । ସେ ଆଶା କରିଥିଲା କାହା କଥା ନ ମାନିଲେ ବି ବୋଉ ଭାଇ କଥା ତ ନିଶ୍ଚୟ ମାନିବ, ଏ ଖବର ଶୁଣିଲେ ଭାଇ ନିଶ୍ଚୟ ଆପତ୍ତି କରିବ ମନା କରି ଚିଠି ଲେଖିବ । କିନ୍ତୁ ଭାଇ ଆଦୌ ଆପତ୍ତି କଲା ନାହିଁ, ଓଲଟି ଲେଖିଲା– ଯଦି ଚାଲୁଛି ତେବେ ଭଲ କରି ଚଲା, ସେମିତି ଦରକାର ପଡ଼ିଲେ କାବୁଲିଠୁଁ ଟଙ୍କା ଉଧାର କରି ପଠେଇବି ଦୋକାନରେ ଲାଗିବ, ଆଉ ହଁ, ଖାଲି କୁଳିଆ ଉପରେ ନିର୍ଭର କରି ଛାଡ଼ିଦେଲେ ଚଳିବ ନାହିଁ, ଇସ୍କୁଲ ନ ଥିଲା ବେଳେ ଜଗୁ, ରଘୁ ଏଓଳି ସେଓଳି ଯାଇ ଦୋକାନରେ ଘଡ଼ିଏ ଘଡ଼ିଏ ବସିକରି ଆସନ୍ତୁ, ବହି ଖଣ୍ଡେ ଖଣ୍ଡେ ଘେନିଗଲେ ସେଠି ପାଠପଢ଼ା ବି ହେବ, ତୁ ବି କେବେ କେବେ ନିଜେ ଯା, ଲୋକ ନଥିଲା ବେଳେ ବୁଲିଲା ପରି ଯିବୁ, ନିଘା ରଖିଥିବୁ ।

 

ରମା କିଛି କହିଲା ନାହିଁ, କିନ୍ତୁ ମା’ ଝିଅଙ୍କ ଭିତରେ ବଢ଼ି ଉଠିଲା ଗୋଟାଏ ଅଦେଖା ପାଚିରି ।

 

(ଅଠର)

 

ଚଗଲା ମାଡ଼ ଖାଉଥିଲା, ଚିର୍ଚ୍ଚିରେଇ କାନ୍ଦୁଥିଲା । ମାୟା ଦେବୀ କହିଲେ “ଗଲୁ ଲୋ ଦେଖି ଆସିବୁ ରମା” । କହିବାର କାରଣ ଥିଲା । ଦାମଙ୍କ ପୁଅ ଚଗଲା ଏଇଠୁ ବର୍ତ୍ତମାନ ଗଲା, ଛାଚି ଖଇମୁଆଁ ଖଣ୍ଡେ ଖାଉଥିଲା, ହାତରେ ଧରି ଗଲା । ଦୋକାନ ପାଇଁ ତିଆରି ହୋଇଛି, ନଅ ବର୍ଷର ଚଗଲା କହିଲା ଭାରି ଭଲ ହୋଇଛି । ସେଥିରେ ପଡ଼ିଥିବା ନଡ଼ିଆ ପାତି ତାକୁ ବେଶି ପସନ୍ଦ ଲାଗୁଥିଲା । ତା’ପରେ ଯେମିତି ଘରକୁ ଲେଉଟିଛି ସେମିତି ଶୁଭିଲା କାନ୍ଦଣା । ରମା ଧାଇଁ ଧାଇଁ ଗଲା । ଖୁଡ଼ୀକୁ ସତେ କି କ’ଣ ଘୋଟିଛି ! ଛାଞ୍ଚୁଣି ମୁଠାଏ ଧରି ପିଲାଟାର ଚାରିକରେ ବୁଲି ବୁଲି ନାଚି ନାଚି ଗର୍ଜି ଲାଗିଛି । ପାହାର ଅପେକ୍ଷା ଉଞ୍ଚେଇବାଟା ବେଶି । ଖୁଡ଼ୀର ମୁଣ୍ଡବାଳ ଫୁରୁଫୁରୁ ଉଡ଼ୁଛି, ଦେହରୁ ଲୁଗା ଖସି ପଡ଼ିଛି । ମା’ ଯେତେବେଳେ ରାକ୍ଷସୀ ହୁଏ କେମିତି ଦିଶେ ! ରମା ତାଟକା ହୋଇ ଚାହିଁଲା । ଚଗଲାର କାନ୍ଦଣାର ରାଆରେ ପାଟିରୁ ନାଳ ବୋହୂଛି, ହାତରେ ମୁଆଁର ଖଣ୍ଡକ ସେ ମୁଠେଇ ଧରିଛି । ରମାକୁ ଦେଖି ଅଧରୀବୋଉ ଚଗଲା ହାତ ଛାଡ଼ି ଦେଇ ଠିଆ ହୋଇ ଲୁଗା ଟେକି ହେଲେ, ତମ ତମ ହୋଇ କହିଲେ “ତମର କ’ଣ ଉଦ୍ଦେଶ୍ୟ ଟିକିଏ ଖୋଲି କହିଦେଲ ? ଏ ପିଲାଗୁଡ଼ାଙ୍କୁ ଏଣୁ ତେଣୁ ଦେଇ ମାଇଲେ ତମ ମନ ଶାନ୍ତି ହେବ ? କେତେଥର କହିଚି ତେମେ ସବୁ ମୋ ପିଲାଙ୍କୁ ଟକଳା କରିବ ନାହିଁ ? ୟାଙ୍କୁ କ’ଣ ସେମିତି ପାଇଲ କି ଯାହା ମନ ତା’ ତାଙ୍କ ପାଟିକି ବଢ଼େଇ ଦବ ? ଖଞ୍ଜାରେ ଯେଉଁଦିନୁଁ ଏ ଭିଆଣ ହେଲାଣି ସେଦିନୁ ମୁଁ ଜାଣିଛି ଏମିତି ପାଲା ଲାଗିବ !” ସତକୁ ସତ କାନ୍ଦୁଥିବା ଚଗଲା ଉପରକୁ ଛାଞ୍ଚୁଣି ମୁଠାକ ଫୋପାଡ଼ି ମାରି କହିଲେ “ଅଲକ୍ଷଣା ପିଲା ତୋର ସବୁଦିନେ ମୋର ଏକା ଦିନେ-!”

 

ରମାର ଆଖି ଛଳଛଳ ହେଲା, ପାହାରଟା ସତେକି ତାହାରି ଉପରେ ପଡ଼ିଲା, ସେ ଚଗଲା ପାଖକୁ ଗଲା । ପୁଣି ଅଧରୀବୋଉ ଗରଜି ଉଠି କହିଲେ “ଥାଉ ତାକୁ ଛୁଅଁ ନାହିଁ । ମୁଁ ଜାଣିଲିଣି ତମରିମାନଙ୍କ ମୁହଁବଢ଼ାରେ ଏ ପିଲାଏ ଚୁଲିରେ ପଶିବେ । ନିଜେ ତ ଯାହା କଲ କଲ, ସଡ଼କ ଉପରେ ଦୋକାନ ଦିଆଇ ବସିଛ, ଆଉ ଏଣେ ଏମାନଙ୍କ ମୁଣ୍ଡଟିମାନ ନ ଖାଇଲେ ନଚଳେ-।”

 

ଚଗଲା ଆଉଁ ଆଉଁ କରି କାନ୍ଦୁଛି । ତା’ର ଆଶା ଯେ ତା’ ପଟ ନେଇ ରମାଅପା ପଦେ କହିବ, ବୋଉ ଏତେ କଥା କହିଗଲାଣି ଏଥର ରମାଅପା କିଛି କହିବା ଉଚିତ୍ । ବଗୁଲା, ବେଙ୍ଗୀ, ରଙ୍ଗୀ ସମସ୍ତେ ଚାହିଁ ଦେଖୁଛନ୍ତି ।

 

କିନ୍ତୁ ରମା ପଦେ ପାଟି ଫିଟାଇଲା ନାହିଁ । ଆଖିରେ ଲୁହ ଟଳଟଳ କରୁଥିଲା ଥମ୍ବିଗଲା-। ଚଗଲାର ଆଶା ବୁଡ଼ିଗଲା, ସେ ଅଭିମାନରେ ତୁନି ହୋଇଗଲା ।

 

ରମା ଧୀରେ ଧୀରେ ଲେଉଟିଆସିଲା ।

 

ବୋଉକୁ କହି ତେଜି ତତେଇ ସେ କଳି ଲଗାଇବାକୁ ଚାହେଁ ନାହିଁ । କିନ୍ତୁ ତା’ର ମନରେ ନୈରାଶ୍ୟ ଘୋଟିଥିଲା ।

 

ତା’ର ବି ହେତୁ ଅଛି ଏଇ ଖୁଡ଼ୀ ଆଉ ପ୍ରକାରେ ଥିଲା, ସେତେବେଳେ ସେ ବୁଝିଥିଲା ଖୁଡ଼ୀର ସ୍ନେହ, ଆଉ ଏବେ ବୁଝିପାରୁଛି, ତା’ର ହତାଦର ।

 

ସେତେବେଳେ ବାପା ବଞ୍ଚିଥିଲେ, ଦାଦିଙ୍କର ବି ଏତେ ବଡ଼ତି ହୋଇନଥିଲା ।

 

ଦାଦିଙ୍କ ବିଷୟରେ ସେ ନାନା କଥା ଶୁଣେ । ଆଗେ ସେ ଥିଲେ ସପ୍ଲାଇ ବିଭାଗରେ ଇନ୍‍ସପେକ୍ଟର । ତା’ପରେ ତାଙ୍କର ଚାକିରି ଗଲା, କେତେକ କହନ୍ତି ଯେ ସେ ଚାକିରିରୁ ତଡ଼ାଖାଇଲେ, ରହିଥିଲେ ଜେଲ୍ ଯାଇଥାନ୍ତେ । ତା’ ବାପା କାହାକୁ ଧରାଧରି କୁହାକୋହି କରି ଦାଦିଙ୍କି ଖସାଇ ଆଣିଲେ । ଆଉ କିଏ କହେ ଦାମୋଦର ନିଜେ ମନସ୍ଥ କଲେ ଗାଁରେ ବସି ମୂଳଦୁଆ ଟାଣ କରିବାକୁ, ଚାକିରି ପିତା ଲାଗିଲା । ନିଜେ ତ ସେ ସେହି କଥା କହନ୍ତି, ସେ କହନ୍ତି ସେ ଗାଁରେ ଦୁଇବର୍ଷରେ ଯାହା କରିପାରିଲେ ଚାକିରିରେ ୨ବର୍ଷରେ ତା’ କରିପାରିନଥାନ୍ତେ । ପୈତୃକ ସଂପତ୍ତିରୁ ଭାଗ ପାଇବା ଛଡ଼ା ସେ ଅନ୍ୟାନ୍ୟ ନାନା ଉପାୟରେ ଜମି ଓ ଟଙ୍କା ବଢ଼ାଇଲେ-। ଉପାୟ କଥା ରମା ବୁଝେନାହିଁ, କିନ୍ତୁ ଜାଣେ ଯେ ଖୁଡ଼ୀ ସେଥିପାଇଁ ଗର୍ବ ଅନୁଭବ କରନ୍ତି । କୁଳିଆବୋଉକୁ କହିଥିଲେ “ଏକା ମାଟିରୁ ସେ ଦି’ଭାଇ ଜନ୍ମ ହେଲେ, ଏକା ଘରେ ବଢ଼ିଲେ, ଏକା ଥାଳିରୁ ଭାତ ଖାଇ । ଜଣେ ଉଡ଼୍‍ଡେଇଲା ଜଣେ ସମ୍ଭାଳିଲା, ସାଇତିଲା ସଂପାଦିଲା ଚଳିଲା । ଏଥିରେ ଦୋଷ କାହାର ଯେ ! ଅପା ଏ ପିଲାଙ୍କୁ ହିଂସା କରୁଛନ୍ତି ସିନା, ଟିକିଏ ଭାବୁ ନାହାନ୍ତି !” କୁଳିଆବୋଉ କଥାଟାକୁ ଲୁଚେଇ ରଖିଲା ନାହିଁ, କଳି ଲାଗିଥିଲା ।

 

ସେହି ସାଇତିବା ସମ୍ପାଦିବା ବାଗଟା ଅନ୍ୟ ଲୋକେ କୁହାକୋହି ହୁଅନ୍ତି । ସେମାନେ କହନ୍ତି ଯେତେବେଳେ କଣ୍ଟରୋଳ ଯୁଗ ଚାଲିଥିଲା, କଣ୍ଟାକଣ୍ଟିରେ ପଡ଼ି ବଣ୍ଟା ହେଉଥିଲା ଓ ଛାଡ଼ କାଗଜ ମିଳିଲେ ବେପାର ହେଉଥିଲା ସେତେବେଳେ ଅନ୍ୟାନ୍ୟ ଦଶ ପଚାଶ ଜଣଙ୍କ ପରି ଦାମ ବି କିଛି ପୁଞ୍ଜି କରିଥିଲେ । ବଡ଼ ସହରରେ ବଡ଼ ସଡ଼କ ମଝିଆଁ ସଡ଼କଠୁଁ ଦୂରରେ କନ୍ଦି ଭିତରେ ଗୋଟିଏ ଅଖ୍ୟାତ ଗଳି, ଭଙ୍ଗା ଦର୍‍ହ ହୋଇ କେତେଖଣ୍ଡ ଚାଳଘର ବର୍ଷାଦିନେ କାଦୁଅ ପଚ ପଚ ଯେ ଗୋଡ଼ ଗଳି ପଡ଼ିବ, ସେହି ସଡ଼କର ବୁଢ଼ିଆଣୀ ଜାଲ ଭିତରେ ସେତେବେଳେ ସେ ସ୍ତ୍ରୀଙ୍କ ନାଁରେ ଗୋଟିଏ ଦୋମହଲା କୋଠା ତୋଳିଥିଲେ, ଭଡ଼ା ଲଗାଇଥିଲେ, ସମ୍ପତ୍ତି ରହିବ କିନ୍ତୁ ଆଖି ଦରଶିଆ ହେବ ନାହିଁ, ସହର ବଢ଼ୁଛି କାଳକ୍ରମେ ସେ ଅଞ୍ଚଳ ବି ଧୋବ ଧାଉଳିଆ ହୋଇଯିବ ସେତେବେଳକୁ ସେ କୋଠା ଆଉ ତାକୁ ଲାଗିଥିବା ଦଶଗୁଣ୍ଠ ଦେବଦାରୁ ନାଗ ଅଇରି ଓ ଆତଗଛର ବଣ ବି ମୂଲ୍ୟବାନ୍ ହୋଇଯିବ ।

 

କିନ୍ତୁ ଆପେ ଯେତେ ଲୁଚି ଲୁଚି ଚଳିଲେ ବି ନାଁଟା ଏଭଳି ଭାବେ ଜାରି ହୋଇଗଲା ଯେ ଚାକିରିରୁ ତ ବିଦା ହେବାକୁ ପଡ଼ିଲା ତାଛଡ଼ା ବଡ଼ ସହର ଛାଡ଼ି ଗାଁରେ ରହିବାକୁ ପଡ଼ିଲା, ଯାଉ ଦିନାକେତେ କଟି,–ମନ କହିଲା ।

 

କିନ୍ତୁ ଗାଁରେ ଦିନାକେତେ ରହୁ ରହୁ ନୂଆ ବାଟ ଦିଶିଗଲା । ଏଠି ଅନେକଙ୍କ ମନରେ ଅନ୍ୟ ଅନେକଙ୍କ ବିରୁଦ୍ଧରେ ଓରମାଣ କି ହିଂସା କି ଈର୍ଷା ରହିଛି, ଟିକିଏ ଉସ୍କେଇ ଦେଲେ ଲାଗିଯିବେ, ମଝିରେ ତୃତୀୟ ଲୋକର ଲାଭ, ଚିହ୍ନା ନ ପଡ଼ିବା ଯାକେ । ଏଠି ସମସ୍ତିଙ୍କର ଋଣ ଦରକାର, ତା’ ବଦଳରେ ସେମାନେ କଂସ ଲୋଟା ସୁନା ଏପରିକି ଜମି ବନ୍ଧକ ଦେବାକୁ ତିଆର । ବନ୍ଧକ ଦେଲେ ମୁକୁଳେଇ ନେବା ନାଁ ତୁଣ୍ଡରେ ଧରନ୍ତି ନାହିଁ । ଏସବୁ କେଉଁ ପୁରୁଣା ବାଟ, ପରଖ ହୋଇ ସାରିଛି । ଏହିବାଟେ ଯାଉ ଯାଉ ଅଭିଜ୍ଞତାରୁ ଜଣାପଡ଼ିଗଲା ଆଉ ଗୋଟିଏ ନୂଆବାଟ, କେତେ ଗାଁ ଲୋକେ ଖୋଜିଲେଣି ଉପଯୁକ୍ତ ଦଳପତି ପାଇଲେ ଦଳ ଗଢ଼ି ଅନ୍ୟମାନଙ୍କ ଉପରେ ପ୍ରତିପତ୍ତି ଜାରି କରିବେ ଓ ସୁବିଧା ହେଲେ ସେହି ମାର୍ଗରେ କିଛି ଲାଭ କରିବେ ।

 

ହୁମୁରା ଗାଁରେ ଆଗେ ଇସ୍କୁଲ ନଥିଲା । ସାଆନ୍ତମାନେ ନିଜ ଦାଣ୍ଡରେ ଖଣ୍ଡିଏ ଚାହାଳି ତୋଳି ଦେଇ ଆପଣା ଖର୍ଚ୍ଚରେ ମାଟିବଂଶ ଅବଧାନ ରଖି ପିଲାଙ୍କୁ ପଢ଼ାଉଥିଲେ । ଗାଁରେ ଯାହାର ଦରକାର ତା’ ପିଲା ସେଠି ପଢ଼ୁଥିଲା, ମାଗଣା । କାଳକ୍ରମେ ସାଆନ୍ତମାନଙ୍କ ଅବସ୍ଥା ଖରାପ ହେଲା, ଚାହାଳି ବି ଭାଙ୍ଗିଲା, ମାଟିବଂଶ ଅବଧାନ ମାଟି ଉପରେ ନିର୍ଭର କରି ରହିଲେ । କେତେ ବର୍ଷ ଏମିତି ପଡ଼ିଆ ପଡ଼ିଲା ପରେ ଦାମ ଯେତେବେଳେ ଗାଁକୁ ଆସିଲେ ସେତେବେଳେ ଗ୍ରାମବାସୀମାନେ ଉଦ୍ୟମ କରୁଥାନ୍ତି ଜିଲ୍ଲା ବୋର୍ଡ଼ଦ୍ୱାରା ଗୋଟିଏ ନି.ପ୍ରା.ସ୍କୁଲ ବସାଇବାକୁ । ଦାମ ଆଗ ବଳି ପଡ଼ି ଆପଣା ଭାଗର ତିନିଗୁଣ୍ଠ ପଡ଼ିଆ ଟାଙ୍ଗି ଛାଡ଼ିଦେଲେ । ସେଥିରେ ଥିଲା ହୁଙ୍କାଗୁଡ଼ାଏ, ସାହାଡ଼ାଗଛ, ନାଗଫେଣୀ ବଣ, ଆଗରେ ଗୋଟାଏ ବରଗଛ । ଇସ୍କୁଲ ତୋଳିବା ପାଇଁ ହଜାରେ ଟଙ୍କା ମଞ୍ଜୁର ହେଲା । ଦାମ ନେଲେ ସେ କାମ ହାତକୁ । କିଏ କହିଲେ ସେହି ଟଙ୍କାରୁ ସେ ଛଶ ସାତଶ ଲାଭ କଲେ, ଯାହା କାମ ହେଲା ସେ ମିଳିଥିବା ଟଙ୍କାରୁ ତିନି ଚାରି ଶହରେ ଆଉ ଗାଁ ଭେଦାରୁ ଉଠିଥିବା ବାଉଁଶ, ନଡ଼ା, ଟଙ୍କା ଓ ମାଗେଣ ଦେହ ମେହେନତ ମିଶି । କିନ୍ତୁ ସେ ବାରମ୍ବାର ମୁହଁ ଆମ୍ବିଳା କରି କହନ୍ତି ଏ କାମ ଦେଢ଼ ହଜାର ଟଙ୍କାରୁ ପଇସାଟିକର ଊଣା ନୁହେଁ । ହଜାରେ ମିଳିଥିଲା । ବାକି ପାଞ୍ଚଶ ହାତରୁହିଁ ଲାଗିଲା, କ’ଣ କରାଯିବ ସମସ୍ତିଙ୍କ ଭଲ ପାଇଁ କାମ କଲେ ଏମିତି ହୁଏ ।

 

କିନ୍ତୁ କଳି ମଞ୍ଜି ହେଲା ଇସ୍କୁଲ ବସିବା ସ୍ଥାନ । ପ୍ରଧାନ ସାହିଆ କହିଲେ ଇସ୍କୁଲଟା ତାଙ୍କରି ସାହିରେ ହେଉ । ତାଙ୍କ ସାହିରେ ପିଲା ବେଶି, ସେମାନେ ଆପଣା ଘର ଓଳିତଳ ଛାଡ଼ି ଦି’ପା ବାଟ ଏଠିକି ଆସିବେ କାହିଁକି ? ଗୌଡ଼ ସାହିଆ କହିଲେ ତାଙ୍କ ସାହିରେ ଇସ୍କୁଲ ଘର ତୋଳା ହେଉ, ସେମାନେ ଜାଗା ଦେବେ ଘର ତୋଳିଦେବେ । କିନ୍ତୁ ଦାମଙ୍କ ଚେଷ୍ଟାରେ ଇସ୍କୁଲ ଘର ବସିଲା ଏହି ସାହିରେ, ତାଙ୍କରି ଜାଗା ଉପରେ ।

 

ତା’ପରେ ଚାଲିଲା କିଏ ହେବ ୟେ ନି.ପ୍ରା.ସ୍କୁଲର ସେକ୍ରେଟେରି । ସେ ବିଷୟରେ ଗାଁ ଲୋକଙ୍କର ଗୋଟିଏ ସଭା ଡକାଗଲା । ମତ ପଚରାଗଲା, ପ୍ରଧାନ ସାହିଆ, ଗଉଡ଼ ସାହିଆ ଏକମତ ହେଲେ, ସେକ୍ରେଟେରି ହେଲେ ପ୍ରଧାନ ସାହିର ଉଚ୍ଛବ ସୋଇଁ । ଏ ସାହି ତା’ର ପ୍ରତିଶୋଧ ପାଞ୍ଚିଲେ ଭିନେ ପ୍ରକାରେ । ଦିନେ ଦେଖାଗଲା ଇସ୍କୁଲର ଝରକା ଦୋଓଟି ଚୌକାଠ ସମେତ କିଏ ରାତିରାତି ତାଡ଼ି ନେଇଯାଇଛି । ତା’ପରେ ଦିନେ ଇସ୍କୁଲ ଘରର ଛାତରେ ନିଆଁ ଲାଗିଲା । ପଧାନ ସାହିଆ ଏ କୁକୀର୍ତ୍ତି କଲେ ବୋଲି ଅପବାଦ ଦେଇ ଦାମ ସେ ଡିହରୁ ପାଉଁଶ ଆଡ଼େଇ ଚାଳି ତୋଳି ସେଠି ଗୋରୁ ରଖିଲେ । ଇସ୍କୁଲଟା ବଳେ ଉଠିଗଲା ଗଉଡ଼ ସାହି ଦାଣ୍ଡକୁ ।

 

ଇସ୍କୁଲ ଘର ହେଉ ପଛେ ଯେଉଁଠି, ସେ ହେଉ ତା’ର ସେକ୍ରେଟେରି, ଦାମ ତାଙ୍କର ପାରିଲାପଣ ଜାରି କଲେ, ଅନ୍ତତଃ କେତେଜଣ ବୁଝିପାରିଲେ, ତାଙ୍କ ଦେଇ କାର୍ଯ୍ୟ ହୋଇପାରିବ । ଦାମ ବି ତୁନି ହୋଇ ରହିଲେ ନାହିଁ, ସେ ଲୋକଙ୍କୁ ବୁଝାଇ ପାରିଲେ ଯେ ତାଙ୍କର ପରାମର୍ଶ ଘେନି ଚଳିଲେ ଏ ନି.ପ୍ରା, ସ୍କୁଲଟା କାଳକ୍ରମେ ମାଇନର ସ୍କୁଲ ଏପରିକି ହାଇସ୍କୁଲ ହୋଇପାରନ୍ତା । ତାଙ୍କର କ୍ଷମତା କେତେ ତା’ର ଆଉ ଗୋଟିଏ ନମୁନା ଜଣାପଡ଼ିଲା ସେ ଅଞ୍ଚଳରେ ଡାକ୍ତରଖାନା ତୋଳିବା ବିଷୟରୁ । ହୁମୁରା ଗାଁଠୁ ମାଇଲିଏ ଦୂରରେ ଭେଟେଶ୍ୱର ଗାଁ, ସେଠି ଗୋଟିଏ ଡାକ୍ତରଖାନା ବସାଇବା ପ୍ରାୟ ନିଶ୍ଚିତ ହୋଇଯାଇଥିଲା । କିନ୍ତୁ ଦାମ ତହିଁରେ ଆପତ୍ତି ଉଠାଇଲେ, କହିଲେ ଜମିଟା କାହାର ଆଗ ବୁଝାଯାଉ, ଜମିଟା ପରା ଭେଟେଶ୍ୱର ମହାଦେବଙ୍କର । ସେ ଜମି ଦେବ କିଏ ନେବ କିଏ ? ଡାକ୍ତରଖାନା ବସିବ ତ ବସିବ ଏଇ ହୁମୁରା ଗାଁରେ । ଖଣ୍ଡେ ଦରଖାସ୍ତ, ସେଥକୁ ହଜାରେ ଖଣ୍ଡେ ଦସ୍ତଖତ ଓ ଟିପଚିହ୍ନ । ଠିକଣା ଜାଗା ଉଣ୍ଡି ସହରକୁ ଦି ତିନିଥର ଯା ଆସ, ତା’ପରେ ସତକୁ ସତ ହୁକୁମ୍ ଆସିଗଲା ଯେ ଅନ୍ୟ ଆଦେଶ ନ ଆସିବା ଯାକେ ଭେଟେଶ୍ୱରରେ ଡାକ୍ତରଖାନା ତିଆରି ସ୍ଥଗିତ ରହିଲା । ଆଗ ଆପତ୍ତି ଉପରେ ବିଚାର ହେବ, ତା’ ପଛେ ଯେଉଁ କଥା ।

 

ବନ୍ଦ ରହୁ ଡାକ୍ତରଖାନା ତୋଳା, କିନ୍ତୁ ଦାମୋଦରଙ୍କ ନେତାପଣ ପ୍ରତିଷ୍ଠିତ ହେଲା, ଡାକ୍ତରଖାନା ହେବା ନ ହେବା କଥା ହୁମୁରା ଗାଁ ଲୋକେ କେବେ ମୁଣ୍ଡରେ ପୂରାଇ ନଥିଲେ, ଏଥର ସମସ୍ତେ ଏକାଥରେ ଚେଇଁ ଉଠି ଭାବିଲେ ସତେତ’ ଭେଟେଶ୍ୱର ଗାଁ ଲୋକେ କେଡ଼େ ବଡ଼ ସୁବିଧାଟାଏ କରାଇ ଦେଇ ଯାଉଥିଲେ, ଡାକ୍ତରଖାନାଟା ଏଇ ହୁମୁରା ଗାଁରେ ହିଁ ହେବା ଦରକାର, ହୁମୁରା ଥାଉ ଥାଉ କାହିଁକି ଭେଟେଶ୍ୱର !

 

ଦାମ କାଳକ୍ରମେ ନି.ପ୍ରା.ସ୍କୁଲର ସେକ୍ରେଟେରି ବି ହେଲେ, ଆଉ ହେଲେ ଗାଁର ମୁଖିଆ ମଣିଷ, କେତେ ଉପାୟରେ କେତେ ଲୋକଙ୍କୁ ହାତ ମୁଠାରେ ରଖିଲେ । ତା’ପରେ ଆରମ୍ଭ ହେଲା ଠିକା ନେବା, କୂଅ ହେବ, ପୋଖରୀ ହେବ, ସଡ଼କ ହେବ, କେଉଁଠି ଗୋଦାମ ଘର ତୋଳା ହେବ, ଦେଶର ଉନ୍ନତି ପାଇଁ କେତେ ଟଙ୍କା ଓ କେତେ କାମର ବରାଦ ମଫସଲକୁ ଆସୁଛି, ଗାଁ ଲୋକଙ୍କ ପ୍ରତିନିଧି ଗାଁର ମୁଣ୍ଡିଆଳ ହୋଇ ଦାମ କାନି ମେଲାଇଦେଲେ, ଟଙ୍କା ଆସିଲା । ତା’ସହିତ ନାଁ, ମାନ ମର୍ଯ୍ୟାଦା, ଥାଇତାପଣ ।

 

କେହି କେହି ନିନ୍ଦୁକ ଅପବାଦ ଦେଇ ବୁଲିଲେ, ଦାମ ସାଧାରଣ ପାଣ୍ଠିର ଅପବ୍ୟବହାର କରୁଛନ୍ତି, ସାଧାରଣଙ୍କ କାମ କରିବା ବାହାନାରେ ଲାଭ ଖାଉଛନ୍ତି । ମାଛ ଚାଷ ହେବ ବୋଲି ସେ ଯେଉଁ ପୋଖରୀ ଖୋଳା ହେଲା, ଯେଉଁଥିପାଇଁ ଟଙ୍କା ମିଳିଥିଲା ଆଠ ହଜାର, ପ୍ରକୃତରେ ସେଥିରେ ଚାରିହଜାର ଟଙ୍କା ଖର୍ଚ୍ଚ ହୋଇଛି କି ନାହିଁ, ଯାଆଁଳ ଛଡ଼ା ହେଲେ ବୋଲି କେତେ ଟଙ୍କା ଖର୍ଚ୍ଚରେ ପଡ଼ିଛି, କିନ୍ତୁ ସେ ଟୁବି ଗାଡ଼ିଆର ପଙ୍କ ଦରାଣ୍ଡିଲେ ସୁଦ୍ଧା ମୀନଟିଏ ଆଖିରେ ପଡ଼ିବ ନାହିଁ-। ସଡ଼କ କରରେ ସେ ଯେଉଁ ଖନ୍ଦକମାନ ଦିଶୁଛି ତାକୁ ପ୍ରକୃତରେ ମନୁ କି ମାନଧାତା ଖୋଳିଥିଲେ, ତହିଁରେ ଯେଉଁ ‘ସାଖି’ ଠିଆ ହୋଇଛନ୍ତି ବର୍ଷକୁ ବର୍ଷ କାଦୁଅ ଚକଟା ହୋଇ ତାଙ୍କର ନୂଆ କଳେବର ହୁଏ । କିନ୍ତୁ ଅପବାଦ ଯେ ଦିଅନ୍ତି ସେମାନେ ଆପଣା ଆପଣା ଛଡ଼ା ଆଉ କାହାରି ପ୍ରତିନିଧି ନୁହନ୍ତି, ସେମାନେ ବାଜେ ଲୋକ, ଯେଉଁମାନେ ବାଜେ ନୁହନ୍ତି ସେମାନେ ଦାମଙ୍କୁ ସମର୍ଥନ କରନ୍ତି । “ସେପରି ଦଶଟା ପନ୍ଦରଟା ଲୋକତ”, ନିନ୍ଦା କଲା ଲୋକେ କହନ୍ତି, “ହେଇ ଯେମିତି ରାଧୁ ଜେନା କି ଭକ୍ତ ଦାସ କି ବାଇ ସାହୁ କି ବନୁ ପଣ୍ଡା, କିଏ ଟଙ୍କା ଧାରିଛି, ହ୍ୟାଣ୍ଡ୍ ନୋଟ୍ ଲେଖି ଦେଇଛି କିଏ ଜମି ବନ୍ଧା ଦେଇଛି କିଏ ତା’ ଜମି ଭାଗରେ ତଷେ କିଏ ୟେ ବେପାରରେ ସାଥୀ, ଭାଗ ପାଏ । ଆଉମାନେ କିଛି କିଛି ପାଇଲେ ସନ୍ତୋଷ, ଗୋଟାଏ ଯୋଡ଼ାଏ ଟଙ୍କାକୁ କଥା ନାହିଁ, ପାଞ୍ଚଟଙ୍କା ମିଳିଲେ ତ କେଡ଼େ କଥା । ଯେମିତି ତୁଚ୍ଛାକୁ ନଫର ନଫର ହେବା ଯୁଗ ଚାଲିଯାଇଛି, ସେମିତି ଟଙ୍କାର କରାମତି ବି ବଢ଼ିଯାଇଛି । ଦାମ ମହାନ୍ତି ପୁରୁଣା ମୂଷା, କେଇଟା ମଣିଷଙ୍କୁ ହାତ କରିନେବା ତାକୁ କଷ୍ଟ ପଡ଼ିବ ଯେ ସେମାନେ ତା’ ଗୁମର ପଦାରେ ପକାଇ ଦେବେ !”

 

ନିନ୍ଦୁକ କୁହା କୋହି ହେଉନ୍ତୁ ମନଇଚ୍ଛା, ଦାମଙ୍କର ବଢ଼ତିହିଁ ଚାଲିଛି । ପଇସାଟିକର ଖର୍ଚ୍ଚ ପାଇଁ କାଗଜ ଅଛି, ପ୍ରତି ବିଷୟ ପାଇଁ ନଥି ଅଛି, ମିଶାଣରେ ଏତେ ଟିକିଏ ବି ଭୁଲ୍ ହେବ ନାହିଁ-। ପଦାକୁ ଗୋଡ଼ କାଢ଼ିଲେ ଗୋଡ଼ାଣିଆ ବହୁତ, ପାଳିଆ ବହୁତ, କେତେଠି କେତେ କାମ ହେବ, ଯୁଆଡ଼େ ଗଲେ ଶୁଭେ ଏଇ ଆଇଲେ ! ଏଇ ଆଇଲେ !

 

ବିନୟରେ ହସି ଦେଇ ସେ କହନ୍ତି “ଦିନାକେତେ ନିଜର ସ୍ୱାର୍ଥ ପାଇଁ ନିଜକୁ ବନ୍ଧା ରଖି ଖଟୁଥିଲି, ସେତକ ଆୟୁଷ ବୃଥା ଗଲା । ଅଇଛା ନିଜ ଛଡ଼ା ଆଉ ସମସ୍ତିଙ୍କ ପାଇଁ ମୋର ଖଟଣି, ଏମିତି ସମସ୍ତିଙ୍କର ସ୍ନେହ ଆଶୀର୍ବାଦ ଥିଲେ ବାକିଥିବା ଆୟୁଷତକ ସାର୍ଥକ ହେବ ।”

 

ସଭାରେ ସେ ବକ୍ତୃତା ଦିଅନ୍ତି, କହନ୍ତି “ମୁଁ ଚାଷୀ ମୂଲିଆ ଲୋକ, କଥା କହି ମତେ ଆସେ ନାହିଁ, ମତେ କ୍ଷମା ଦେବେ, ମୁଁ ଚାହେଁ କାମ, ଆପଣମାନଙ୍କ ଶୁଭ ଆଉ ସେବା ।” ପଦାରୁ କେତେ ଲୋକ ଆସି ତାଙ୍କୁ ଖାତିରି କରି ଯାଆନ୍ତି, ସମସ୍ତେ ଆଶା କରନ୍ତି ସେ ଟିକିଏ ପଟ ହେବେ, ତାହେଲେ ଗାଁ ଲୋକଙ୍କ ସହାନୁଭୂତି ଆଉ ସାହାଯ୍ୟ ମିଳି ପାରିବ । ଚାହାବାଲା ମାଗଣା ତାଙ୍କୁ କିଛି ଚାହା ନମୁନା ଦେଇ ଗଲା । ସେମିତି ଗୁଡ଼ାଖୁବାଲା, ବିଡ଼ିବାଲା, ଗୁଣ୍ଡଦୁଧ ଆଉ ଟିଣ ଘିଅ ବିକିଲାବାଲା ଆଉ ସେ ଯେଉଁ ଜଣକ ଟିଣ ଡବାରେ ଯେ ଓଡ଼ଶମାରୀ ଔଷଧଗୁଣ୍ଡା ବିକେ, କେତେ ଏମିତି । କେହି କେହି କବି ମଧ୍ୟ ତାଙ୍କୁ ତାଙ୍କ ଛପା ବହି ଆଣି ମାଗଣାରେ ଦେଇ ଯାଇଥିଲେ, ପ୍ରଚାର କରିବାକୁ ଅନୁରୋଧ କରି କହିଥିଲେ ନାନା ମନ ଉଲୁସା କଥା । ତାଙ୍କରି ଉପରେ ପରୀକ୍ଷା କଲା ପରି ଅନେକେ ତାଙ୍କର ନାନାପ୍ରକାର ଉପକାର କରୁଥିଲେ । ଜଣେ ଆଣିଥିଲା କଳଲଙ୍ଗଳ, ସାତଦିନ କାଳ ତାଙ୍କରି ଜମି ହଳ କରିଥିଲା । ଆଦର୍ଶ ଚାଷ କିପରି ହୁଏ ତାହା ଦେଖାଇବାକୁ ତାଙ୍କରି ସଡ଼କକର ଜମିରେ ସାର ପିଡ଼ିଆ ଦେଇ ବିଶାରଦମାନେ ଧାଡ଼ି ଧାଡ଼ି କରି ଫସଲ ଉଠିଆ କରି ଅଧିକ ଧାନ ଓ ଆହୁରି ବୃଷାଳ ଆଖୁର ଗୁପ୍ତଭେଦ ବତାଇଲେ, ଉପଯୁକ୍ତ ତୋଟା କିପରି କରାଯାଏ ତା’ ନମୁନା ବି ତାଙ୍କରି ଗୋଟିଏ ଜମି ଉପରେ ଆରମ୍ଭ ହୋଇଗଲା, ଆଦର୍ଶ ପଦ୍ଧତିରେ କେମିତି ଭଲଜାତି ଛେଳି ମେଣ୍ଢା ଗାଈ ବଳଦ ଓ କୁକୁଡ଼ା ରଖାଯାଏ ବଢ଼ାଯାଏ ଲୋକଙ୍କୁ ତାକୁ ଦେଖାଇବାକୁ ମଧ୍ୟ ପଦାରୁ ଦଳେ ମାଡ଼ିଆସି ତାଙ୍କରି ଫାରମରେ ନାନା ବ୍ୟବସ୍ଥା ଆରମ୍ଭ କରି ଦେଲେ । ସେସବୁ କାର୍ଯ୍ୟ ପାଇଁ ତାଙ୍କ ନିଜ ପାଣ୍ଠିରୁ ଯେ ଟଙ୍କା ଖର୍ଚ୍ଚ ହେଉନଥିଲା ତାହା ନୁହେଁ, କିନ୍ତୁ ତାହା ସଙ୍ଗେ ସଙ୍ଗେ ସେ ନାନା ପ୍ରକାର ଅର୍ଥବଳ ବୁଦ୍ଧିବଳ ଓ ମଣିଷବଳ ସାହାଯ୍ୟ ପାଉଥିଲେ-। ଏହା ସହିତ ତାଙ୍କର ଲାଗି ରହିଥିଲା ଜମିର ପରିମାଣ ବଢ଼ାଇବା କାର୍ଯ୍ୟ, ଆଖପାଖ ଅଞ୍ଚଳରେ ଯେତେଠିଁ ଯାହାର ଜମି ନିଲାମରେ ଉଠେ, କିଏ ଖଜଣା ଦେଇ ନ ପାରିଲା, କିଏ କୋପରେଟିଭ୍‍ରୁ ୠଣ ଆଣିଥିଲା ଯେ ସୁଝି ନ ପାରିବାରୁ ଜମି ନିଲାମ ଉଠିଲା, ସେତେବେଳେ ନିଲାମ ଧରନ୍ତି ଦାମ, ସେଥିପାଇଁ ଲୋକ ବନ୍ଦୋବସ୍ତ ଅଛି ଭୀମ ତରେଇ, ସେ ବୁଝେ ଖବର, ଦାମ ଦିଅନ୍ତି ଟଙ୍କା । ନିଲାମ ଧରି ସାରିଲା ଉତ୍ତାରୁ ଜମି ମାଲିକ ଆସେ ଦାନ୍ତରେ ତିରଣ ଧରି ଟଙ୍କା ଘେନି ଜମି ମୁକୁଳାଇ ନେବାକୁ, ମନ ହେଲେ କିଛି ଲାଭ ନେଇ ଦାମ ଜମି ଫେରାଇ ଦିଅନ୍ତି କିନ୍ତୁ ଜମି ଯଦି ନିଜ ଆବଶ୍ୟକରେ ଆସିବ ବୋଲି ସେ ଭାବନ୍ତି ତେବେ ସେ ନିଜେ ତାକୁ ରଖି ନିଅନ୍ତି, ଲେଉଟାନ୍ତି ନାହିଁ-। ଇତ୍ୟବସରେ ଦେଶରେ କେତେ ପରିବର୍ତ୍ତନ ଘଟିଛି, ଭାଗଚାଷୀ ପାଇଛି ଫସଲର ବଡ଼ ଭାଗକ ନେବାକୁ ଅଧିକାର, କିନ୍ତୁ ଦାମ ତା’ର ବାଟ ଆଗରୁ କରି ରଖିଛନ୍ତି, ଭାଗଚାଷୀଙ୍କୁ ଟଙ୍କା ଉଦ୍ଧାର ନଦେଇ ଉଦ୍ଧାର ନେଲା ପରି ତାଙ୍କଠୁଁ ସେ ରସିଦ ଲେଖାଇ ନେଇ ସାଇତିଛନ୍ତି, ଭାଗଚାଷୀ ଭାଗରେ ହରକତ କଲେ କି ଅଧିକାର ଜାରି କରିବାକୁ ଚେଷ୍ଟା କଲେ ସେହି କାଗଜ ଖଣ୍ଡଟିମାନ କାମ ଦେବ । କିଏ କହେ ସେ କୁଟ କପଟିଆ ଫନ୍ଦିବାଜ ଲୋକ କିନ୍ତୁ ବାହାରେ ଯେଉଁମାନେ ବଡ଼ ବୋଲାନ୍ତି ସେମାନେ ତାଙ୍କୁ ଭାରି ଖାତିରି କରନ୍ତି, ସେମାନେ ଭାବନ୍ତି ଲୋକେ ଅଛନ୍ତି ତାଙ୍କରି ହାତମୁଠାରେ, ତେଣୁ ତାଙ୍କର ଅନୁଗ୍ରହ ଥିଲେ ଲୋକଙ୍କର ଅନୁଗ୍ରହ ମିଳିବ, ବିଶେଷତଃ ଏହି ଯେଉଁ ସମୟ ଆସିଲା ତହିଁରେ ଲୋକଙ୍କ ସମର୍ଥନ ହିଁ ତ ଅସଲ ଶକ୍ତି ତାଙ୍କରି ମତ ମିଳିଲେ କ୍ଷମତା, ପ୍ରତିପତ୍ତି ସବୁ । ସହରରେ ଯେଉଁମାନେ ଓ ଲୋକମତ ରୁଣ୍ଡ କରି କ୍ଷମତାର ମାଲିକ ହେବାକୁ ମନ କରନ୍ତି ଗାଁ ଗଣ୍ଡାର ମୁଣ୍ଡଗହଳି ସେମାନଙ୍କ ପକ୍ଷରେ ସତେକି ଗହନ ଅରଣ୍ୟ, ଆଉ ଦାମଙ୍କ ପରି ଲୋକହିଁ ସେଥିକି ଏକମାତ୍ର ବାଟ, ତେଣୁ ସେମାନେ ଦାମଙ୍କ ପିଠି ଆଉଁସନ୍ତି, ତାଙ୍କୁ ଦିଆ ଘେନା କରନ୍ତି, ଖୁସି ରଖନ୍ତି, ତହିଁରେ ଦାମଙ୍କର ବି ଖାତିରି ବଢ଼େ, ଲୋକେ ଭାବନ୍ତି ସହରରେ ଯେଉଁଠିକି ଗଲେ ସେମାନଙ୍କୁ କେହି ପଚାରିବେ ନାହିଁ ଦାମ ପଦେ କହିଦେଲେ ସେଠି କେତେ କବାଟ ଖୋଲିଯିବ । ନ ହେବା କାମ ହୋଇଯିବ, ତା’ର ପ୍ରମାଣ ଦେଖାଇ କହନ୍ତି ଏ ଯେଉଁ ଟଙ୍କା ଆସୁଛି ସେ କାହା ଯୋଗୁଁ ? ହେବା କାମ ଅଟକିଯିବ, ତା’ର ପ୍ରମାଣ ଭେଟେଶ୍ୱରର ପ୍ରସ୍ତାବିତ ଡାକ୍ତରଖାନା ବନ୍ଦ ହେବା କଥା । ସ୍ଥାନୀୟ ହାକିମ ହୁକୁମା କିଏ କେତେବେଳେ ବଦଳି ହୁଅନ୍ତି, ଦାମଙ୍କ ପଟ ଲୋକ ତୁନି ତୁନି କହି ବୁଲନ୍ତି ତାଙ୍କର ଦାମଙ୍କ ସଙ୍ଗେ ପଟିଲା ନାହିଁ ସେଥିପାଇଁ ଗଲେ-। ଥରେ ଜଣେ ଆସିଲେ, କେମିତି ଚୁଲି ପାରିଲେ ଧୂଆଁ ହେବ ନାହିଁ ସେ ଦାମଙ୍କ ଘରେ ତା’ ଦେଖାଇ ଦେଲେ, କେମିତି ଖାତ କରି ସେଥିରେ ଗୋବର ଅଳିଆ ଗୋରୁମୂତ ଏକାଠି ଠୁଳ କରି ରଖିଲେ ସେ ଖତ ହୁଏ ତାଙ୍କ ବାରିଆଡ଼େ ତା’ ଦେଖାଇ ଦେଇଗଲେ-। ଅବଶ୍ୟ ସେ ଗାଁରେ ଆଉ କେତୋଟି ଜାଗାରେ ସେପରି କରି ଦେଖାଇଥିଲେ, କିନ୍ତୁ ସେ ଦାମଙ୍କ ବଗିଚା ଘରେ ବସା କରିଥିଲେ, ଓଳିଏ ଖାଇଥିଲେ ତାଙ୍କରି ଘରେ । ଦାମଙ୍କ ସମର୍ଥକମାନେ କହି ବୁଲିଲେ ଦାମ ବାଛି ବାଛି ତାଙ୍କୁ ଏ ଇଲାକାକୁ ଅଣାଇଛନ୍ତି, ତହିଁର ତିନିମାସ ପରେ ସେ ଯେତେବେଳେ ବଦଳି ହୋଇଗଲେ ସେତେବେଳେ ସେହିମାନେ ଜାରି କଲେ–ତାଙ୍କ କାମ ଦାମଙ୍କ ମନକୁ ଆଇଲା ନାହିଁ, ପିଲାଛୁଆବାଲା ଲୋକ ନ ହୋଇଥିଲେ ଦାମ କୁହାପୋଛା କରି ତାଙ୍କୁ ରଖାଇଥାନ୍ତେ, କିନ୍ତୁ ଦୟା କରି ଖାଲି ତାଙ୍କର ବଦଳିଟାହିଁ କରାଇ ଦେଲେ ।

 

ଗୋଲଗାଲ ଶାନ୍ତଶିଷ୍ଟ ଦାମ, ମାଉଁସିଆ ଚେକା ମୁହଁ, ଗୋରା ତକ ତକ, କାନ୍ଧରେ ଗାମୁଛା, ମୁହଁ ସବୁବେଳେ ତଳକୁ, ପଛଆଡ଼ୁ ଅନାଇଲେ ଦିଶିବ ଯେ ବେକ, କାନ୍ଧର ଢାଲୁ ଓ ପିଠିର ଢାଲୁ ଯେପରିକି ତଳକୁ ବୋହି ପଡ଼ୁ ପଡ଼ୁ ଅଟକି ରହିଛି, ମୁଁ କିଛି ନୁହେଁ ମୁଁ କେହି ନୁହେଁ ଭଙ୍ଗୀରେ । କଥା କହୁ କହୁ ଓଠ କଣରେ ମୁରୁକି ମୁରୁକି ହସ ଫୁଟିଉଠେ, କଥା କହି ସାରିଲେ ବି ମୁହଁରେ ହସର ଭାଙ୍ଗ ଅନେକ ସମୟ ଯାକେ ଲାଗି ରହିଥାଏ । କାହାଦ୍ୱାରା କିଛି କରାଇବାକୁ ମନ କରି କଥା କହିଲା ବେଳେ ସେ ଚଟ୍‍ କରି ଝାଙ୍କ ଦେଇ ବେକ ସିଧା କରି ଅନାନ୍ତି, ଭ୍ରୂଲତାର ଧନୁଯୋଡ଼ାକ ଫଡ଼କି ଉଠି ଉପରକୁ ଟାଙ୍କି ହୁଏ, ମିଟିମିଟି ଆଖି ମିଞ୍ଜି ମିଞ୍ଜି ହୋଇ ଆଖିପତା ପାଖକୁ ପାଖ ଚାଲିଆସେ, ଗାଲର ଉପର ଟୋଲେଇ ଯାଏ, ତା’ପରେ ସେ ଗଦଗଦ ହୋଇ ଗେହ୍ଲେଇ ଗେହ୍ଲେଇ କଥା କହନ୍ତି । ଆସ୍ତେ ଆସ୍ତେ, ସତେକି ପଦ ପଦ କରି, ଭାବିଚିନ୍ତି । ଅନେକ ସମୟରେ ସେ କଥା କହୁ କହୁ ଶ୍ରୋତାର କାନ୍ଧରେ ହାତ ପାପୁଲିକୁ ଥୁଅନ୍ତି, ଶ୍ରୋତାର ମୁଣ୍ଡବାଳରୁ କୁଟାଖଣ୍ଡେ, କି ପିଠିରୁ ଧୂଳି ଟିକିକ ଝାଡ଼ି ଦିଅନ୍ତି । ଯେଉଁମାନେ ବୟସରେ ସାନ ବେଳେ ବେଳେ ତାଙ୍କ ଉପରେ କୃତ୍ରିମ ଅଭିମାନ କଲାବେଳେ ସେ ତାଙ୍କ ଚିବୁକକୁ ସାଉଁଳି ଦେଇ ଟେକି ଦେଇ କହନ୍ତି “ପଚାରିଲ ନାହିଁ, “ହଉ,” ନ ହେଲେ “ଭୁଲିଗଲ, ହଉ ।” ମୂଲିଆ ଶ୍ରେଣୀର ଲୋକଙ୍କ ସଙ୍ଗେ କଥା କହିଲା ବେଳେ ଅନେକ ସମୟରେ ସେ କହନ୍ତି “ପେଟ ଖଙ୍କା ଦିଶୁଛି ଖାଇନୁଁ ପରା” ଆଉ ଉତ୍ତର ଶୁଣନ୍ତି “ବାବୁଙ୍କ ବଚନରେ ତ ଭୋକ ମରିଯିବ ଆଉ କ’ଣ ?” ଉପହାସ ସେ ମୁହଁ ଉପରେ କରନ୍ତି ନାହିଁ, ନିହାତି ହସି ଉଡ଼େଇବାକୁ ମନ ଭିତର କୁତୁକୁତୁ ହେଲେ ପାପୁଲି ବଙ୍କେଇ ନାକ ଉପରେ ଘୋଡ଼େଇ ମୁହଁ ବୁଲେଇ ନିଅନ୍ତି, ଢୋକୁ ଢୋକୁ ହସରୁ ଯେତିକି ବହକି ପଡ଼େ ସେ ସେହି ଘୋଡ଼ଣି ତଳେ ଯାଏ, ପଦାକୁ ଦିଶେ ନାହିଁ । ପରର କାମରେ ବାହାରିଲା ବେଳେ ତା’ ସଙ୍ଗରେ ଚଳନ୍ତି ତରତର ହୋଇ, ଖପଖପ ଚାଲି, ମୁହଁରେ ଆଖିରେ ଏପରି ଆନ୍ତରିକତା ଓ ବ୍ୟଗ୍ରତା ଯେପରିକି ସେ ଗୋଟାସୁଦ୍ଧା ତା’ର ।

 

ଲୋକେ କହନ୍ତି ଦାମ ଚିହ୍ନା ପଡ଼ନ୍ତି ନାହିଁ, ସୂତ୍ରରେ ସବୁ କାମ କରନ୍ତି, ଘରେ ନିଆଁ ଲଗାଇ ଦେଇ ନିଭାଇବାକୁ ଧାଇଁବା ଲୋକ, କିନ୍ତୁ ଚିହ୍ନା ପଡ଼ନ୍ତି ଅଧରୀବୋଉ, ତାଙ୍କ ସ୍ତ୍ରୀ । ତାଙ୍କର ମୁହଁର ଠାଣି ଏଡ଼େ ତରଳ ଯେ ମନର ଭାବ ସେଠି ଅନାୟାସରେ ଚହଲି ଉଠେ, ଘୋଡ଼ାର ପାଟିର କେର ପରି ତାଙ୍କର ଓଠ ବି ମୋଡ଼ି ମୋଡ଼ି ହୋଇ ଥରେ ଓ ନାକପୁଡ଼ା ଫଣକି ଉଠେ । ସେଠି ଆଖିରେ ମତଲବ ବାରି ହୋଇ ପଡ଼େ, ସ୍ନେହ ଦେଖାଇଲେ ଅତିସୋଗ ତଳେ ବାରି ହୋଇ ପଡ଼େ ଲୋଲୁପତା, ଭିତରେ ବିରକ୍ତି ଥିଲେ ବାହାରେ ଭୁର୍କୁଣ୍ଡା ଦିଶେ, ଗର୍ବରେ ପାଦପଡ଼େ ଦୁମୁଦୁମୁ । ପର ସହିତ ମିଶି ସୁବିଧା ସୁଯୋଗ ପାଇବା ପାଇଁ ନିଜକୁ ଢାଙ୍କି ଢାଙ୍କି ଚଳିବା ଦିନ ତାଙ୍କର ଚାଲିଯାଇଛି, ଉପରୋଧ ଦେଖାଇବାକୁ ଗରଜ ଆଉ ନାହିଁ । ସମସ୍ତେ ଜାଣନ୍ତି ଆଗେ ଯେଉଁ ତୁଣ୍ଡରୁ ବଚନ ବାହାରୁ ନଥିଲା ସେଥିରୁ ନିଆଁ ହୁଳା ବାହାରିବାକୁ ବେଳ ଲାଗେ ନାହିଁ, ଜିଦିରେ ନାଲି ପିମ୍ପୁଡ଼ି ପରି, ମୁଣ୍ଡ ପଛେ ଛିଣ୍ଡିଯାଉ ଜାବ ଛାଡ଼ିବ ନାହିଁ ।

 

ଖୁଡ଼ୀ ଅବତାର ହୋଇଛି, ଗର୍ଜନ ଛାଡ଼ୁଛି “ତୋର ସବୁଦିନେ, ମୋର ଦିନେ, ବୁଝିଲୁରେ ଟୋକା, ଆଜି ତୋ ଖୋଇ ଛଡ଼ୋଉଚି ରଇଥା ।”

 

ଆଜି ଚଗଲାର ଖରାପ ଦିନ,–ରମା ଆଖି ପୋଛୁଥିଲା ଆଉ ଭାବୁଥିଲା, ମାଡ଼ଟା ତ ତା’ଉପରେ ତା’ ବୋଉ ଉପରେ, କିନ୍ତୁ କିଛି କରିବାକୁ ଉପାୟ ନାହିଁ । କାନ୍ଦ ଯେତେ ମନଇଚ୍ଛା, ଖୁଡ଼ୀର ହୃଦୟ ତରଳିବ ନାହିଁ ।

 

(ଉଣେଇଶି)

 

ରମା ଆହୁରି କାନ୍ଦିଲା ଆଉ କିଛିଦିନ ପରେ, କିନ୍ତୁ ସେ ଆଉ ପ୍ରକାରେ । ଏଇ ଆଷାଢ଼ ୩୦ଦିନ ଜୁଲାଇ ୨୧ତାରିଖ ଶୁକ୍ରବାର ଦିନ ଉଜଳଗଡ଼ର ହରେନ୍ଦ୍ର ମହାପାତ୍ର ସଙ୍ଗରେ ତା’ର ବିଭାଘର ଆଉ ଠିକ୍ ତହିଁ ଆରଦିନ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ଦିନ ଗୋଧୂଳି ଲଗ୍ନରେ ବୋହୂ ବିଦା ।

କେତେଦିନ ଆଉ, ପାଖ ହୋଇ ଆସିଲା ତ !

ପ୍ରସ୍ତାବ ପକାଇଥିଲେ ମୂଷା ଭାରିଯା ରେବ ମାୟା ଦେବୀଙ୍କ ଆଗରେ, ମାୟା ଦେବୀ ଚୁପ୍‍ଚୁପ୍‍ କରି କୁଳିଆକୁ କହି ତାଙ୍କ ବଡ଼ପୁଅ ସାଧୁ ପାଖକୁ ଚିଠି ଲେଖାଇ ଥିଲେ, ସାଧୁଠୁଁ ଉତ୍ତର ଆସିଲାପରେ ଗାଁ ଅବଧାନ ବୁଢ଼ା ବଳଦେବ ନାହାକକୁ ଡକାଇ ତା’ ହାତରେ ଜାତକ ଦେଇ ଉଜଳଗଡ଼ ପଠାଇଥିଲେ । ବଳଦେବ ଲେଉଟି ଆସି କହିଲେ ତାଙ୍କର ଜାତକ ଶୁଝାଇବେ ନାହିଁ, ସର୍ବମଙ୍ଗଳ ଜଗନ୍ନାଥ ପ୍ରକାରେ କରିବେ । ଆନନ୍ଦ ହୋଇ ହଁ ଭରି ମାୟା ଦେବୀ ପୁଣି ବଳଦେବ ନାୟକଙ୍କୁ ପଠାଇଥିଲେ, ବଳଦେବ ନାୟକ ସମ୍ମତି ଚିଟାଉ ଘେନି ଫେରି ଆସିଥିଲେ । ବକୁଳେଶ୍ୱର ମହାଦେବଙ୍କ ପାଖରେ ମହାପ୍ରସାଦ ନିର୍ବନ୍ଧ ହେଲା । ସୀଉକାର ଆସିଗଲା, ବିଭାଘରର କ୍ରମ ଚଢ଼ିଗଲା ପାହାଚ ପାହାଚ ହୋଇ ଉପରକୁ ଉପରକୁ । ଯୌତୁକ ପାଇଁ ମାଗଣ ନଥିଲା, ତଥାପି ବିଭାଘର ଖର୍ଚ୍ଚ ତୁଲାଇବା ପାଇଁ ମାୟା ଦେବୀ ମୋହନ ବିଶ୍ୱାଳକୁ ତିନିହଜାର ଟଙ୍କାକୁ ଦୁଇମାଣ ଜମି ବିକିଦେଲେ । ଆଜି ଯାଚିଥିଲେ ଦାମଙ୍କୁ କିନ୍ତୁ ସେ ହାଙ୍କିଲେ ଦୁଇମାଣ ଜମିକୁ ଦୁଇ ହଜାର, ତହିଁରୁ ଦେଢ଼ ହଜାର ଟଙ୍କା ସଙ୍ଗେ ସଙ୍ଗେ ମିଳିବ, ଆଉ ପାଞ୍ଚଶହ ପଛେ, “କାରଣ ତୁମେ ଜାଣିଛ ତ ଭାଉଜବୋଉ ବର୍ତ୍ତମାନ ମୋର କେତେ ଅଭାବ, ପିଲାଟା କଲେଜରେ ବି.ଏ. ପଢ଼ୁଛି, ତା’ର ଖର୍ଚ୍ଚ ତୁଲେଇବାକୁ ପଡ଼ୁଛି, ତା’ ଉପରେ ଏ ବେପାର ବେଉସା, ସବୁଥିରେ ଲୋକସାଣ, ଟଙ୍କା କାହିଁ ? ତା’ପରେ ଜମି ବିକା ସରିଲା ଉତ୍ତାରୁ ଦାମଙ୍କ ସ୍ତ୍ରୀ ପଦାରେ କହି ବୁଲିଲେ “ସାଧୁବୋଉ ଅପାଙ୍କୁ ଦେଖିଲଟି, ପଦାରେ ପଛେ ବିକିଲେ, ଆମକୁ ଦେଲେ ନାହିଁ । ସେଇ ତିନିହଜାର କ’ଣ ଆମେ ଦେଇ ନଥାନ୍ତୁ ? ଘର ଜମି ଘରେ ରହିଥାନ୍ତା । ନା, ତହିଁରେ ସେ ରାଜି ହେଲେ ନାହିଁ, କ’ଣ କରିବେ-! ହିଂସାରେ ତ ସଢ଼ି ଯାଉଛନ୍ତି !” ଶୁଣିବା ଲୋକେ ବି ମୁଣ୍ଡ ଟୁଙ୍ଗାରିଲେ, କହିଲେ “ଏ ଯୁଗ ପରା ସେଇଆ !”

ଏଣେ ମାୟା ଦେବୀ କହିଲେ “ନିଜେ ପଛେ ଖପରାରେ ଖାଇବି ମୋ ଝିଅକୁ ମୁଁ ଅଭେକା କରି ଛାଡ଼ିବି ନାହିଁ, ତାଙ୍କର ଯଉତୁକ ମାଗନ୍ତୁ କି ନ ମାଗନ୍ତୁ ।” ତେଣୁ ଦଶଭରି ସୁନା ଅଳଙ୍କାର କିଣା ହେଲା, ହାର, କାନଫୁଲ, କାଚ, ଖଡ଼ୁ, ମୁଦି । ତାଙ୍କ ନିଜର ପ୍ରାୟ ସାତ ଭରିର, ବାକି ସବୁ କେତେବେଳେ କେତେବେଳେ ବିକାହୋଇ ସାରିଥିଲା, ଏମିତି ମୋଟ ହେଲା ସତର ଭରି-। ଜୋଇଁ ପାଇଁ ମୁଦି, ଘଣ୍ଟା, ସୁନା ବୋତାମ, ଫାଉଣ୍ଟେନ୍ ପେନ୍ ଗୋଟାଏ ସାଇକଲ । ବାସନ କୁସନ ଘରେ ଥିଲା, ତାଙ୍କ ନିଜ ବିଭାଘର ବେଳର ଜିନିଷ,–ସେହି ଯେଉଁସବୁ ମୋଟା ମାଦଳା ଜିନିଷମାନ କେବଳ ବିଭାଘର ଯୌତୁକ ଭିତରେ ଦେଖିବାକୁ ମିଳେ ଆଉ ଅନ୍ୟବେଳେ ନୁହେଁ ସେଇଥିରୁ ଥୋଡ଼ାଏ । କାଳିଆ ପଡ଼ିଥିବା ମୋଟା ମୋଟା ଗରା ଯାହାକୁ ଆଜି କାଲିକା ସ୍ୱାସ୍ଥ୍ୟର ଜଣେ ଲୋକ ଟେକିବା କାଠିକର ପାଠ । ସେମିତି ମୋଟା ମୋଟା ପିଟା କଂସାର ଗାଢ଼ୁଆ କୁଣ୍ଡ, ହାତଧୂଆ କୁଣ୍ଡ ଆଦି ଯେଉଁଥିରେ ଗାଧୋଇବାକୁ କି ହାତ ଧୋଇବାକୁ କେହି କେବେ ପାଣି ସଞ୍ଚିବାର ଜଣା ନାହିଁ, ହାତେ ଦେଢ଼ ହାତ ଦି’ହାତ ଓସାରର ଥାଳିମାନ, ଅତୀତର ନୌବାଣିଜ୍ୟ ବେଳର ଦେଉଳତୋଳା ବେଳର ସମୃଦ୍ଧିମନ୍ତ ଓଡ଼ିଆ ତାକୁ କେବେ ବ୍ୟବହାର କରୁଥିବେ ଆଉ ଏକାନ୍ନବର୍ତ୍ତୀ କୋଠ ପରିବାରର ଲୋକେ, ଯେତେବେଳେ ଏକା ଥାଳିକେ ଗୋଠେ ପିଲାଙ୍କୁ ଘେନି ମୁରବିମାନେ ଖାଇ ବସୁଥିଲେ । ପିତ୍ତଳର ଗଛ ପିଲିସଜ, ଅଣ୍ଟାଏ ଉଞ୍ଚର, ସେଥିରେ ଏକାଠି କୋଡ଼ିଏଟା ପିତ୍ତଳର ତେଲ ଦୀପ ସଜା ହୋଇ ରହିପାରେ କିନ୍ତୁ କେବେ ରହିବାର କେହି ଦେଖି ନାହିଁ । ପଢ଼ା, ‘ଚଉକି’ ଘରେ ଥିଲା । ଶିଶୁ କାଠର ପଲଙ୍କଟା ବି । ଚିତ୍ର ହୋଇଥିବା କାଠ ପେଡ଼ିଟିଏ କିଣିବାକୁ ପଡ଼ିଲା । ପେଡ଼ି ସଜାଇବାକୁ ଆଳୁକୁଚି ମାଳୁକୁଚି ଘରେ ଥିଲା । ଆଉ ସେଥିରେ ଦିଆଗଲା ତାଳପତ୍ରରେ ଛବି ଅଙ୍କା ହୋଇ ଲେଖା ହୋଇଥିବା ଅତି ପୁରୁଣା ଗୀତଗୋବିନ୍ଦ ପୋଥି, ଧରଣୀଧର ଟୀକା ସମନ୍ୱିତ, ମାଛ ଆକୃତିରେ କଟା ହୋଇ ବନ୍ଧା ହୋଇଥିବା ପୁରୁଣା ତାଳପତ୍ର ପୋଥିରେ ଭଞ୍ଜଙ୍କ ଚିତ୍ରବନ୍ଧ, ପିତ୍ତଳର ମାଛ, ବଙ୍କା କଲେ ବଙ୍କା ହୋଇ ଛାଡ଼ିଦେଲେ ସିଧା ହୁଏ, ମଗରମୁହାଁ ବେଣ୍ଟ ଥାଇ ଗୁଆକାତି, ଚାଖଣ୍ଡେ ଲମ୍ବା ଟିପେ ଓସାର ଚନ୍ଦନକାଠ ପାତିଆର ବିଞ୍ଚଣା, ଖୋଲିଦେଲେ ବିଞ୍ଚଣା ହୋଇଯାଏ, ବୁଜିଦେଲେ ବତା ଖଣ୍ଡେ, ଚନ୍ଦନକାଠର ପାନିଆଁ, ହାତୀଦାନ୍ତର ପଶାକାଠି ଓ ବନୋଉତ ପଶା ପାଲି, ଶିଘଂଫରୁଆ, କାଠ ଫରୁଆ, ପାଟଫୁଲ, ପିତ୍ତଳ କଣ୍ଢେଇ, କଥା କଣ୍ଢେଇ, ଶଙ୍ଖ କଣ୍ଢେଇ, ଡାହାଣମୁହାଁ ଶଙ୍ଖଟିଏ, ବଡ଼ ବଡ଼ ପୋହଳା ପାଞ୍ଚଟି, ଖଇରରେ ତିଆରି ହୋଇଥିବା ଗୋଡ଼ରୁ ମୁଣ୍ଡଯାକେ ଅଳଙ୍କାର, ଜିରା, ସୋରିଷ, ଅଳେଇଚ, ରସୁଣ, ଯାଇଫଳ, ଶୁଣ୍ଠି, ପିପ୍‍ପଳୀ, ଗନ୍ଧଶୁଣ୍ଠି, କବାବ୍ ଚିନି ପ୍ରଭୃତି ନାନା ପ୍ରକାର ମସଲା ମସଲି ଇତ୍ୟାଦି ।

ଲୁଗାପଟା କିଣିଲା ସାଧୁ ।

ମାୟା ଦେବୀ ଲାଗି ରହିଲେ ଅନ୍ୟାନ୍ୟ ବନ୍ଦୋବସ୍ତରେ । ମୁଣ୍ଡ ଉପରେ ଦାୟିତ୍ୱର ବୋଝ, ପାଦ ଦି’ଟା ସବୁବେଳେ ଅଥୟ । ଅତି କ୍ଲାନ୍ତ ହେଲେ ତୁଣ୍ଡରୁ ବାହାରିପଡ଼େ “ଆଃ”! କୁଳିଆବୋଉ ଥାଆନ୍ତା କି ରେ ଆଜି !”

 

ଦାମକୁ ଅନୁରୋଧ କରିଥିଲେ,” ଦାମ, ଭାଇ ତ ଆଉ ନାହାନ୍ତି ! ଏ ନିମିତ୍ତ କିଏ ଉଠେଇବ ? ଚର୍ଚ୍ଚାରେ କି ବନ୍ଦୋବସ୍ତରେ କେଉଁଠି କିଛି ଭୁଲ୍ ହେଲେ ଲୋକେ ତମକୁ ତ ନିନ୍ଦିବେ, ଆଉ କାହାକୁ ? ଦେଖୁଛ ଟି ମତେ, ମୋ ଦେହରେ କ’ଣ ଆଉ ବଳ ଅଛି ?”

 

ଦାମ ତାଙ୍କର ଅଭ୍ୟସ୍ତ ଭଦ୍ରତା ବିନୟ ଓ ସୌଜନ୍ୟ ଦେଖାଇ କହିଲେ– “ଏକଥା ଆଉ ପଚାରୁଛ ଭାଉଜବୋଉ ? ଅଧରୀ କିଏ ରମା କିଏ ?” ତା’ପରେ କାନ୍ଧରେ ଗାମୁଛା ପକାଇ ଜୋତା ହଳକ ଗଳାଇ ପକାଇ କହିଲେ ଟିକିଏ କାମ ଅଛି ପଦାକୁ ଯାଉଛି ଏଁ, ଆସିଲେ ଆଜି ସଞ୍ଜକୁ କଥା ହେବା, ସବୁ ଠିକ୍ ଠାକ୍ ହୋଇଯିବ ତୁମେ କାହିଁକି ବ୍ୟସ୍ତ ହେଉଛ ?”

 

କିନ୍ତୁ ସେ ସଞ୍ଜ ଆଉ ଆସିଲା ନାହିଁ, ଦାମ କରଛଡ଼ା ଦେଲେ । ମାୟା ଦେବୀ ଆଉ ତାଙ୍କୁ ଅନୁରୋଧ କଲେ ନାହିଁ ।

 

କିନ୍ତୁ ଆପେ ସାହାଯ୍ୟ କରିବାକୁ ଆସି ପହଞ୍ଚିଯାଏ ମୂଷା ଭାରିଯା ରେବ । ଏ ବିବାହରେ ସତେକି ତାହାରି ଆଗ୍ରହ ସବୁଠାରୁ ବେଶି । ପାଗ ଭଲ ଥିଲେ ବଡ଼ି ପାରିବ, ଯାଇ କରିବା, ମସଲା ଗୁଣ୍ଡ କରିବା ଇତ୍ୟାଦି ନାନାଦି କାର୍ଯ୍ୟରେ ସେ ଅଣ୍ଟା ଭିଡ଼େ । ଅନ୍ୟମାନଙ୍କୁ ବରାଦ କରେ ।

 

ଜଟି ଦାସର ଭାରିଯା ଛାୟା ଓ ହଟ ଦାସର ବିଧବା ଭଉଣୀ କିଆ ଦିହିଙ୍କା ଦିହେଁ ପାରିବାର, ଡାକି ଦେଲା ମାତ୍ରେ ଆସି କାମ କଲେ । କୁଳିଆ ବି ହୁସିଆର ହେଲାଣି, ପଦାରେ ଲୋକଙ୍କୁ କୁହାପୋଛା କରି କାମ କରି ଶିଖିଲାଣି । ଯୁଗେଶ୍ଵର ଛକରେ ଶାମ ସାହୁକୁ କହି ସରୁ ଚାଉଳ ଓ ଡାଲି ବରାଦ କରିପାରିଲା, ସେଠା ଗଉଡ଼ ସାହିର ବେହେରା ଆନନ୍ଦ ଦାସକୁ ବହିନା ଦେଇ ବିଶୁଦ୍ଧ ଗୁଆ ଘିଅ ଓ ବିଭାଘରଦିନ ପାଇଁ ଦହି ଦୁଧ ବରାଦ କରିପାରିଲା ଓ ଚାଉଳ ବେପାରୀ ବାନାମ୍ବର ଦେବତାକୁ କହି ବନ୍ଦୋବସ୍ତ କଲା ଯେ ଦେବତାଙ୍କ ଲୋକ ଆସି ଦେବତାଙ୍କ ଗୋଦାମରେ ଥିବା ତାଙ୍କର ପେଟ୍ରୋମ୍ୟାକସ୍ ଆଲୁଅ ପାଞ୍ଚୋଟି ବିଭିନ୍ନ ସ୍ଥାନରେ ଜାଳି ଟାଙ୍ଗି ଦେଇଯିବେ ଓ ତା’ପରେ ଫିଟାଇ ନେଇଯିବେ । କୁଳିଆ ଓ ତା’ ବାପା ଦଧିଙ୍କ କୁହାବୋଲାରେ ବଢ଼େଇ ସାହିର ଭଗତ ବଢ଼େଇ ନେଲା ଛାମୁଡ଼ିଆ ଓ ବରଡ଼ା ତାଟିରେ ନାଲିଘର କରିବାର ଭାର । ଆୟୋଜନ ତା’ ମନକୁ ମନ କେମିତି କେମିତି କୁଆଡ଼ୁ କୁଆଡ଼ୁ ହୋଇଗଲା । ଆଉ ବିଭାଘରର ଦିନ ପାଖ ହୋଇ ଆସିଲା ସେହି ଆଷାଢ଼ ୩୦ ଦିନ ଜୁଲାଇ ୨୧ ତାରିଖ ।

 

ଦ୍ୱିପ୍ରହରବେଳେ ମୂଷା ଭାରିଯା ରମାକୁ ଡାକି ନେଇ ଗେଲ ଆଦର କରେ, ଆଉ ତାଲିମ୍ କରେ । ସତେ ଯେମିତି ଏହି ଅଳ୍ପଦିନ ଭିତରେ ସେ ତାକୁ ଅବିକଳ ଆପଣା ପରି ଗଢ଼ିବାକୁ ଚାହେଁ, “ଲୁଗା ଏମିତି ପିନ୍ଧ, ହେଇ ଦେଖ ଏଇଠି ଖୋଷ”, “ମୁଣ୍ଡ କେମିତି ବାନ୍ଧି ଦେଉଛି ଦେଖ, କାନ ଉପରେ ଏମିତି ଢେଉ ଠିଆହେଲେ ସିନା ମାନେ,” “ବେଣୀ ସିନା ଏମିତି ବାନ୍ଧନ୍ତି ଏମିତି ଗୁରାନ୍ତି । ଖାଲି ଗୋଟାଏ ଗଣ୍ଠି ପକାଇଦେଲେ କ’ଣ ସୁନ୍ଦର ?” “ନଖ ଏମିତି କଟାହୁଏ, ଏଇଥିରୁ ଟିକିଏ ବୋଳିଦେଲେ ଝଟକୁଥିବ, ନଖଦର୍ପଣ ବୋଲି କାହିଁକି କଥା ଅଛି ? କ’ଣ ମିଛରେ ?” ରମାକୁ ଘେନି ସେ କଣ୍ଢେଇ ଖେଳ ଖେଳେ ଆଉ ଆରସିରେ ରମାର ମୁହଁ ତା’ ନିଜର ମୁହଁ ଏକାଠି ପାଖକୁ ପାଖ ଥୋଇ ଘଡ଼ିଏ ବେଳ ସେ ଅନାଇଁ ରହେ । ମନକୁ ମନ କ’ଣ ଭାବେ ଆଉ ଦୀର୍ଘଶ୍ୱାସ ପକାଇ କହେ, “ଶେଥା ହେଲେ କିଛି ନାହିଁ, ରଙ୍ଗା ହେଲେ କିଛି ନାହିଁ, କଳା ହେଲେ କିଛି ନାହିଁ, ଅସଲ ହେଲା ମହୁ ଅଛି କି ନାହିଁ, ରମା ତୁମ ମୁହଁରେ ମହୁ ଅଛି, ଭାଗ୍ୟକୁ ମୁଣ୍ଡ ଭିତରେ ବୁଧି ନାହିଁ, ନହେଲେ–” ରମାର ମୁହଁରେ ସେ ଗେଲ କରେ ।

 

ହରର ରୁଚି ଅରୁଚି ବିଷୟରେ ସତେକି ତା’ର ଜ୍ଞାନ ଅସାଧାରଣ । ଭାବି ଭାବି ମନେ ପକାଇଲା ପରି ସେ କହେ, “ଦହିକଡ଼ି ତାକୁ ଭଲଲାଗେ, ଭୃଷଙ୍ଗ ପତ୍ର ମିଳିଲେ ସିନା ! ସଜନା ଶାଗରେ ନଡ଼ିଆ କୋରା ପଡ଼ିଥିଲେ ସେ କଂସାଏ ଖାଇଯିବ । ବଡ଼ମାଛର ଲାଞ୍ଜ ପାଖଟା ତାକୁ ଭଲଲାଗେ, ମୁଣ୍ଡକୁ ସେଡ଼େ ଶରଧା ନୁହେଁ । ମଞ୍ଜିଆ କେରାଣ୍ଡି ହୋଇଥିବ, ବୁଢ଼ା କଖାରୁପତ୍ର ପୁଟଦେଇ ପତରପୋଡ଼ା କରିଥିବୁ ଯେ ଗୋଟା କଞ୍ଚା ଲଙ୍କାମରିଚ କୁଲା କୁଲା ରସୁଣ ପଡ଼ିଥିବ, ଦେଖିଲେ ସେ ଖାଇବାକୁ ବାଇ, ଅସଲ ପେଟୁଟିଏ ।”

 

“ମୁଠିଏ ଖାଇବାକୁ ଦେଲେ ଆଶୁ ଆଶୁଆ କରି କଅଁଳେଇ କଥା କହି ମୁହଁକୁ ଗାଲକୁ ଆଉଁସି ଦେଲେ ସେ ପୋଷା, ସେଇଠୁ ପରା ଚୂ ଚୂ ଡାକିଲେ ଧାଇଁଯିବ ।”

 

“ଏକା ଭାରି ନିଦ ରଙ୍କୁଣାଟା, କାମ କରୁଥିବ ବିଛଣା ଧରିଲେ ତାକୁ ଆଉ କିଏ ପାଏ, ଘୁଙ୍ଗୁଡ଼ି ଯେ କାନ୍ଥ ବାଡ଼ ଭାଙ୍ଗି ପକାଇବ । ଖରା ନ ପଡ଼ିଲେ ସେ ଉଠେନାହିଁ ।”

 

ଏମିତି କେତେ କଥା ଯେପରିକି ହରର ଭିତରଟା ବାହାରଟା ଆଖି ଆଗରେ ରଖି ଧ୍ୟାନ କରିବାକୁ ରମାକୁ ସାହାଯ୍ୟ କରିବାକୁ ସେ ରମା ଆଗରେ ଏତେ କଥା କହେ । କହୁ କହୁ ତା’ର ସ୍ୱର ଫୁସ୍ ଫୁସ୍ ହୋଇ ନିଭୃତ ହୋଇଯାଏ, ଆଖି ଦପ ଦପ ହୋଇ ଜଳେ କାନ୍ଥକୁ ଡେରିହୋଇ ରମା ଦେହରେ ଘଷିହୋଇ ବସି ସେ ଆହୁରି ନିବିଡ଼ ଭାବେ ତାକୁ ଜାକି ଧରେ, ରମାକୁ ଛଟପଟ ଲାଗେ । ବେଳେବେଳେ କେତେ ଅଖାଡ଼ୁଆ କଥା କହେ ଯାହାର ତାତ୍ପର୍ଯ୍ୟ ରମା ବୁଝିପାରେ ନାହିଁ-। ଥରେ ସେ କହିଲା, “ମୋର କ’ଣ ମନ ହେଉଛି ଜାଣିଛ, ତୁମର ଏ କୁଆଁରି ଦେହଟା ଭିତରେ ମୋ ଆତ୍ମାଟା ପଶିଯାଆନ୍ତା, ତୁମେ ଆମ ହରଭାଇକି ବାହା ହେଉଛ”, ପୁଣି ବାଁରେଇଲା ପରି କହିଲା, “ତୁମ ଭିତରେ ମୁଁ ଥିଲେ ତମୁକୁ ସବୁ ବାଗ ବତେଇଦିଅନ୍ତି ସେ ହରଭାଇ ତମୁକୁ ମୁଣ୍ଡରେ ମୁଣ୍ଡାଇ ବୁଲୁଥାନ୍ତା ।”

 

କିନ୍ତୁ ରମା ହରକୁ ଧ୍ୟାନ କରୁ ନ ଥିଲା ।

 

କୁଳିଆବୋଉ ଯେମିତି ମଲା, ଅନ୍ୟ ସମସ୍ତେ ଯେମିତି ମରନ୍ତି, ବିଭାଘରଟା ସେମିତି ଗୋଟାଏ ଅବଶ୍ୟମ୍ଭାବୀ ଘଟଣା ବୋଲି ସେ ମନେ ମନେ ସ୍ୱୀକାର କରି ନେଇଥିଲା, ସେ ଯେଉଁ ଘର ପାରି ସେ ଘରକୁ ପଛେ ବୋହୂ ହୋଇ ଯାଉ, ଯେ ହେଉ ତା’ର ବର, ତାକୁ ଯିବାକୁ ହିଁ ହେବ-। ଏ ଘରୁ ଚାଲିଯିବାକୁ ପଡ଼ିବ, ଏତିକି ତା’ର ସଙ୍କେତ, ସେ ସଙ୍କେତ ବିଷାଦର, ଆଉ ଆସନ୍ନ ବିପଦର । ହରର ଚେହେରା ମନେ ପଡ଼ିଗଲେ ତା’ର ସବୁ ଗୋଳମାଳିଆ ହୋଇଯାଏ, ମୂଷା ଭାଇ ଭାରିଯା ଘରେ ହରକୁ ଦେଖିବା ସ୍ମୃତି କୁଆଡ଼େ ଉଡ଼ି ପଳାଏ, ସେଠି ତ ତାକୁ ଚାହିଁଲା ବେଳେ ଆପଣାଠିଁ ଥିଲା ସ୍ୱାଧୀନତା, ତାହାରି ବଳରେ ସେ ତାକୁ ତଉଲି ପାରୁଥିଲା, ଉପେକ୍ଷା କରି ପାରୁଥିଲା, ଥଟ୍ଟା କରି ପାରୁଥିଲା, କିନ୍ତୁ ବର୍ତ୍ତମାନ ସେ ଆଉ ଟାପରାରେ ଉଡ଼େଇବା ଜିନିଷ ନୁହେଁ, ସେ ତା’ ବେକରେ ଫାସ, ନାଗ ବନ୍ଧନ, ତାହାରି କବଳରେ ପଡ଼ିବ ସେ, ରମା, ସେ ଲୋକଟା ତାକୁ ଯେପରି ବ୍ୟବହାର କରିବ ଯୁଆଡ଼େ ଓଟାରିବ, ଟେକିବ କି କଚିବ ସବୁ ସେ ସହିବ, ଉଁ ନାହିଁ ଚୁଁ ନାହିଁ । ହରର ସେହି କଳା ମିଚ୍ ମିଚ୍ ଆବୁ ଆବୁଆ ଦେହ, କୁଞ୍ଚୁକୁଞ୍ଚିଆ ବାଳ ଆଉ ଗଜୁରା ଗଜୁରା ନିଶ, ରମା ଭାବୁ ଭାବୁ ତା’ର କଳ୍ପନାରେ ସେ ଦେହର ଅଙ୍ଗ ପ୍ରତ୍ୟଙ୍ଗ ଫୁଲିଉଠେ, ବହୁଗୁଣ ବଢ଼ିଯାଏ, ହୁଏ ଅସୁର ଆକାର, ରମା ଆଖି ବୁଜେ । ଆଉ କୁଙ୍କୁରି କାଙ୍କରି ହୋଇ କାଠ ହୋଇ ସହିବା ଭଙ୍ଗୀରେ ତା’ର ଦେହ ସଙ୍କୁଚିତ ଓ ବଙ୍କା ହୋଇଯାଏ, ଯେପରି ସେ ଦାନ୍ତ ଚିପି ଆଖି ବୁଜି ଦେହ ଟାଙ୍କି ଅପେକ୍ଷା କରିଛି, ଯାହା ଆସିବ ଆସୁ । ତା’ ଦେହ ଶିର୍‍ଶିରେଇ ଉଠେ ।

 

ଆଉ କେତେବେଳେ ସେ ତା’ର ଜାଣତା ମନରେ ଅନୁଭବ କରେ, ସେ ନିଃସହାୟା, ପାଖେଇ ଆସୁଛି ତା’ର ନିର୍ବାସନର ଦିନ । ଭାବିଲାବେଳେ ତା’ର ସ୍ନାୟୁ ସତେକି ହୁଗୁଳାଠୁଁ ବଳି ହୁଗୁଳା ହୋଇଯାଏ, ନାକ ଆଖି ବାମ୍ଫୁ ଆଣି ହୋଇଯାଏ, ସେ ନିଛାଟିଆରେ ଲୁଚି ମୁହଁ ଘୋଡ଼େଇ କାନ୍ଦେ । ସବୁଠୁ ଆରାମ ପାଏ କ’ଣ ଘରେ ମାଟିରେ ପେଟେଇ ପଡ଼ି ମୁହଁ ମାଡ଼ି କାନ୍ଦିଲା ବେଳେ । ତା’ର କାନ୍ଧ, ପିଠି, ସମୁଦାୟ ଦେହ ଉପରେ ଢେଉ ଖେଳିଯାଏ । ସେତେବେଳେ ସତେ ଯେମିତି ଚାରିଆଡ଼େ ଲୁହର ବଢ଼ିପାଣି ମାଡ଼ିଛି, ଆପଣା ଭିତରୁ ବାହାରୁଥିବା ଗୋଟାଏ ଗୋଟାଏ କଇଁକାନ୍ଦ ଗୋଟାଏ ଗୋଟାଏ ସରୁ ପାଣି-ହାବୁକା, ସେହି ଯେଉଁଥିରେ ଡଙ୍ଗାଟା ଥରିଯାଏ ଏମୁଣ୍ଡୁ ସେମୁଣ୍ଡ, ଆକାଶ ରୁନ୍ଧି ଚାରିଆଡ଼େ ଉପରୁ ସତେକି ହାଣ୍ଡିଧୁଆ କଳାପାଣି ବୋହିପଡ଼ୁଛି, ଆଉ ସେହି ଅଥଳ ଅକୂଳ ବିସ୍ତୃତି ଭିତରେ ଉବେଇ ଟୁବେଇ ହେଲାପରି ଆଗକୁ ପଛକୁ ଥରି ଥରି ଅନିର୍ଦ୍ଦେଶ ହୋଇ ଭାସୁଛି ସାନ କାଠୁଆ ଖଣ୍ଡେ, ସେ ତା’ର ଚେତନା ।

 

କେତେବେଳେ ସେହି ହାଣ୍ଡିକଳା ଆକାଶ ଭିତରେ କେଉଁଠି ହଠାତ୍ ଦିଶେ ଚେନାଏଁ, ତା’ ସେକରେ ଆସନ୍ତା ଶରତର ନ ଆସିଥିବା ନୀଳିମାରୁ କାଣିଚାଏ, ସେ ସାହସ ବାନ୍ଧେ, ଉଠେ, ତା’ ମନ କହେ,–ଛାନିଆ କାହିଁକି ?

 

ଏମିତିତ ବୋଉ ଖୁଡ଼ୀ ଭାଉଜମାନେ ଅପାମାନେ ଜୀବନର ଯେଉଁ ପଥରେ ଯାହା, ସବୁ ସହଜ ହୋଇ ଆରେଇଯିବ ।

 

ଦିନ ଯହୁଁ ପାଖେଇ ଆସେ ସେ ତା’ର ଚିହ୍ନା ପରିସ୍ଥିତିକୁ ମାଣ୍ଟେଇ ମାଣ୍ଟେଇ ଚାହେଁ, ସତେକି ମନର ପର୍ଦ୍ଦାରେ ଅନିଭା ଛାପା ମାରି ନେଉଛି, ପଛେ ହେତୁ କରିବ,–ଏଇ ଘର, ଦୁଆର, ଗଛ ବୁରୁଛ, କେଉଁଠୁ କେଉଁ ବାଗରେ ଚାହିଁଲେ କ’ଣ ଦିଶେ, ସବୁ । ଦେଖେ, ଆଖି ବୁଜେ, ଆଖି ବୁଜି ଦେଖେ, ପୁଣି ଅନାଏଁ, ଆଉ ତା’ ଆଖିକୋଣ ଯକାଏ, ଧାର ନିଗିଡ଼ିପଡ଼େ । କାହା ପ୍ରତି କେଉଁ କଥାରେ କେବେ ମାନ ଅଭିମାନ ବଳିଥିଲା ତା’ କେଡ଼େ ଚଞ୍ଚଳ ପଛକୁ ପଡ଼ିଯାଇଛି । ଲାଗେ, ସବୁ ଘରେ ଏଠି ସେ ବାପଘରେ ଝିଅ, ସମସ୍ତେ ତା’ର ଆପଣାର । ସେ ଖୋଜେ ଖୁଡ଼ୀଠୁଁ ଗେଲ ଆଦର ଆଉଁସା, ରଙ୍ଗୀ ବେଙ୍ଗିଙ୍କ ସାଙ୍ଗ । କିନ୍ତୁ ସେମାନେ ଆସନ୍ତି ନାହିଁ । ଥରେ ସେ ରଙ୍ଗୀକୁ କୁଣ୍ଢେଇ ପକେଇ ଗେଲ କରିଥିଲା, ରଙ୍ଗୀ ହସିଉଠି କହିଥିଲା, ରମାଅପା, ତୋ ବର କୁଆଡ଼େ ମଟର ଡ୍ରାଇଭର, ଭଲ ଭୁପଭାଇ ବଡ଼ ସାହାବ ହୋଇ ଯେତେବେଳେ ମଟର କିଣିବେ ତୋ ବର ହେବ ତାଙ୍କ ଡ୍ରାଇଭର, ତା’ହେଲେ ପୁଣି ଆମେ ସବୁ ଏକାଠି ରହିବା । ରମାର ସ୍ନେହ ବନ୍ଧନ ହୁଗୁଳି ଯାଇଥିଲା ।

 

ଦାମ ଦାଦିଙ୍କ ଘରେ ଏକା ଦାମ ଦାଦିଙ୍କି ଛାଡ଼ିଦେଲେ ଆଉ ସମସ୍ତିଙ୍କଠିଁ ଗୋଟାଏ ବଡ଼ଲୋକିର ଦର୍ପ, ସେ ଆଦରେ ନାହିଁ, ଧକ୍କା ମାରେ, ଯେତେ ଦେହସହା ହେଲେ ବି ତାକୁ ଆଦରି ହୁଏ ନାହିଁ ।

 

ସେ ବାଘା କୁକୁରକୁ ନିଜ ହାତରେ ଭାତ ବାଢ଼ିଦିଏ, ଆଉଁସି ପକାଏ, ତା’ର ଦି’ଆଗ ଗୋଡ଼ ଟେକିଦେଇ ନିଜ କାନ୍ଧରେ ତା’ ବେକକୁ ଥୁଏ, ଦେଖିଦେଇ ବୋଉ ହସି ହସି କହନ୍ତି “ଦେଖ ମ ପିଲା ବୁଦ୍ଧିକି, ସେଇଟା ବାରଆଡ଼େ ବୁଲୁଥିବ ବାର ଚିଜ ଖାଉଥିବ ତାକୁ କେମିତି କରୁଛି ଦେଖ, ହଇଲୋ, ଏମିତି ଘର ସମ୍ଭାଳିବୁ ?”

 

ସେ ଖୋଜେ, ଯେଉଁମାନେ ତା’ର ଅତି ଆପଣାର ସେମାନେ ତା’ ପାଖେ ପାଖେ ଥାଆନ୍ତେ । ଆପଣା ଭିତରେ ଗୋଟାଏ ସ୍ନେହର ଝର ଫିଟିଯାଇଛି, ସମସ୍ତିଙ୍କୁ ସେଇଥିରେ ସେ ଗାଧୋଇ ଦେବାକୁ ଚାହେଁ । କିଏ ଗାଧୋଇବ ? ସାଧୁଭାଇ ରହନ୍ତି ସହରରେ, ନିହାତି କାମ ଥିଲେ ଦିନେଅଧେ ପାଇଁ ଗାଁକୁ ଆସନ୍ତି, ବଡ଼ ତରତର, ଯେପରି ସବୁ ବୋଝଯାକ ତାଙ୍କରି ମୁଣ୍ଡ ଉପରେ ଲଦା ହୋଇଛି, ଯଥା ସ୍ଥାନରେ ଓହ୍ଲେଇଦେଲେ ସେ ନିଶ୍ଚିନ୍ତ ହେବେ । ବୋଉକୁ ସେ ତୁନି ତୁନି କରି କହିବା ବି ରମା ଶୁଣିଛି,– “ପନ୍ଦର ସତର ଭରି ସୁନା, ଏତେ ଜିନିଷପତ୍ର, ତୁ କ’ଣ ପାଗଳ ହେଲୁ ବୋଉ, ଆମ ଅବସ୍ଥା ଦେଖ୍ । ତାଙ୍କ ଅବସ୍ଥା ବି ଦେଖ୍ । ଘରୁଆ ଘର ମୁଁ ମାନୁଛି, କିନ୍ତୁ ଜୋଇଁଟି ତ ଖାଲି ଗୋଟିଏ ମଟର ଡ୍ରାଇଭର, ନା ପଦ ନା ପଦବି ! ଭଲା ହୋଇଥାନ୍ତା ମୋ ସାଙ୍ଗର କିରାଣି କେହି, କହିଲି ତ ଚେଷ୍ଟା କରୁଛି, ଅପେକ୍ଷା କରିବା ଯେ ତୋର ତର ସହିଲା ନାହିଁ-। ଯାହା ହେଲା ହେଲା ଆଉ ଏତେ ଲମ୍ବା ଲମ୍ବି କାହିଁକି ?” “ଶୁଣିବରେ ପୁଅ, ଆସ୍ତେ କହ । କେଡ଼େ ବଂଶ, କେଡ଼େ ଘର, ରଜା ପଦବି ଥିଲାରେ, ଆମେ ଯେତେହେଲେ କ’ଣ ତାଙ୍କ ସାଙ୍ଗ ସରିସା ? ପଡ଼ି ଯାଉଛନ୍ତି, କପାଳ ଥିଲେ ଫେର୍ ଉଠିବ । ମଣିଷକୁ ସାନ ମଣିବ ନାଇଁରେ, କାହାର କେତେବେଳେ କେଉଁଦିନ ଆସେ ।”

 

ରମା ଶୁଣୁଥିଲା, ଆଉ ତା’ର ନିଃସହାୟତା ଭିତରେ କାତର ପଣର ହିମକାକରକୁ ତରଳାଇ ଦେଇ ଫୁଟିଥିଲା ତେଜ । ତା’ର ବରଘରକୁ କେହି ତୁଚ୍ଛତାଚ୍ଛଲ୍ୟ କଲେ ବି ତାକୁ କାଟେ, ମନ ଭିତରେ ପ୍ରତିବାଦ ଠିଆ ହୁଏ, ସେତେବେଳେ ଲାଗେ ବିଭାଘରଟାକୁ ସେ ଯେଡ଼େ ବିପଦ ବୋଲି ଭାବିଲେ ସତରେ ସେ ତା’ ନୁହେଁ । ସେ ପୁଣି ଆଡ଼େଇ ଆଡ଼େଇ ହୋଇ ବୁଲେ ଆଉ ନିଛାଟିଆରେ ଆପଣା ଭିତରୁ ଶୁଣେ ଆଉ ପ୍ରକାରେ ସ୍ୱର, ସେ ଆଶା ବିଶ୍ୱାସର ।

 

ସେତେବେଳେ ସେ କଳ୍ପନାରେ କଳ୍ପନାରେ ଘର କରଣା କରେ, ସେ ବୋହୂ, ସେ ମା’, ସମସ୍ତିଙ୍କର ସ୍ନେହର ଗଣ୍ଠି, ସମସ୍ତିଙ୍କର ଆଶ୍ରା । ହିପାଜିତ୍ କରିବ, ସାଇତିବ ସମ୍ପାଦିବ, ଗଛରେ ପାଣିଦେବ, ମୁହଁରେ ଦେବ ଆଧାର । ପାଳିବ ତ ସେହି ଏକା, ଯାହାର ଯାହା ଦରକାର, ଯାହାକୁ ଯାହା ରୁଚେ ସେହି କଣ୍ଟରେ । ତା’ର ଘରକରଣା, ତା’ର ଦାୟିତ୍ୱ, ତା’ ସଙ୍ଗେ ସଙ୍ଗେ ତା’ର ସମ୍ମାନ-। ଆଖି ଆଗରେ ହେଇଟି ତ ତା’ ବୋଉ ନିଜେ !

 

ମନକୁ ମନ ଏହିପରି ସ୍ୱପ୍ନ ଦେଖିଲା ବେଳେ ତା’ର ଭାବୀ ସ୍ୱାମୀ ପ୍ରତି ତା’ର ଲୋଭ ଆସେ । ଯାହା ଆଖିକି ସେ ଯେପରି ଦିଶୁ, ସେ ତା’ର ସ୍ୱାମୀ । ଆଗେ ଦେଖିଛି ତଳେ ବସି ଯୋଡ଼ା ଆଣ୍ଠୁ ଉପରେ ଖାତା ଉପରେ କାଗଜ ପାରି କବାଟ କଣରେ ବୋଉ ଚିଠି ଲେଖୁଥିଲା ବାପାଙ୍କ ପାଖକୁ, ସେତେବେଳେ ତା’ ଆଖିରେ ଚଷମାଟା ବନ୍ଧା ହୁଏ ନାଲି ଡୋରରେ, କଲମକୁ ମୁଠେଇ ଧରି ଦୁଆତ ତଳିରେ ଠକ୍ ଠକ୍ ବାଡେଇ ଉଠେଇ ନେଇ ସେ ଲେଖୁଥିଲା ବସି ଘରର ଯାବତ ହାନି ଲାଭର କଥା, ଆଉ ଆରମ୍ଭ କରୁଥିଲା,– “ପ୍ରାଣେଶ୍ୱର !” ସେ ବି ସେମିତି ଚିଠି ଲେଖିବ, ନ ଲେଖୁ ପଛେ “ପ୍ରାଣେଶ୍ୱର” ବୋଲି । ଏକାଠି ଆନନ୍ଦ କରିବା, ଏକାଠି ଦାୟିତ୍ୱ ବୋହିବା, ଏକା ଡଙ୍ଗା ବାହିବା ଦିହେଁ–ରମା ଚେଇଁ ଚେଇଁ ସ୍ୱପ୍ନ ଦେଖେ, ସେତେବେଳେ ହରର ରୂପ କାଳ୍ପନିକ ହୋଇଯାଏ । ଆଉ ସେ ଭଗବାନଙ୍କୁ ଡାକେ, ତା’ର ସେହି ଭବିଷ୍ୟତ ସୁଖର ହେଉ ।

 

କିନ୍ତୁ ଏ ପରିକଳ୍ପନା ନିଜକୁ ନିଜେ ତେଜିଲା ବେଳର । ଗହଳି ଯହୁଁ ବଢ଼େ, ଯହୁଁ ଯହୁଁ ସେ ବେଶି ପ୍ରାଧାନ୍ୟ ପାଏ ତହୁଁ ତହୁଁ ତା’ ମୁହଁ ଆଶଙ୍କାରେ ଶୁଖି ଶୁଖି ଯାଏ, ସେ ଏକୁଳକୁ ମୁଠେଇ ଧରିବାକୁ ହାତ ବଢ଼ାଏ । ବୋଉ ତ କାମରେ ବ୍ୟସ୍ତ ଥାଏ । ଜଗୁ ଖସି ପଳାଏ, ମଣିଷଠୁଁ ପଢ଼ାବହି ତା’ର ବେଶି ସାଙ୍ଗ ସେ ଗୋଟାଏ ବିଚିତ୍ର ପ୍ରକାରର ପିଲା, ଗେଲ ଆଦର ତାକୁ ଭଲ ଲାଗେ ନାହିଁ-। ବାକି ରଘୁ ଆଉ ତିଳ । ତିଳ ତା’ର ପାଖରେ ଶୁଏ, କତିରେ ରହେ । ଉପରେ ଓହଳେ । ରଘୁ ବି ତା’ର ସାଙ୍ଗ ଛାଡ଼େ ନାହିଁ, ପଦାକୁ ଗଲେ ଯାହା ଦେଖେ ଯାହା ଶୁଣେ ଆସି ତା’ କହି ଦେଇଯାଏ, ତା’ର ହାତବାରିସୀ ବୋଲକରା ଆଉ ନିଜ ସମ୍ୱାଦଦାତା ।

 

ସାହିରେ କନ୍ୟା ଡାକରାରେ ବୁଲୁ ବୁଲୁ ଦିନ କଟିଗଲା । ଦିନେ ଦାଦିଙ୍କ ଘର ବି ଡାକିଲେ ।

 

ମଝିରେ ମଝିରେ ରହି ରହିକା ମାସେ ହେବ ମେଘ ଗାଳୁଥାଏ, ବିଲ ଖାଲ ପୂରିଥାଏ । ନଈରେ ବଢ଼ି ଆସିଛି, ବନ୍ଧ ଭାଙ୍ଗିବ, ଗାଁ’କୁ ଗାଁ’ ଭସେଇ ନେବ, ରାଜ୍ୟଯାକ କୋକୁଆ ଭୟ । ଦିନକର ବାସି କାଗଜ ଗାଁ’କୁ ଆସେ, ଲୋକେ ଛଡ଼ା ଛଡ଼ି ହୋଇ ପଢ଼ନ୍ତି । ସତକୁ ସତ କୁଆଡ଼େ କୁଆଡ଼େ କେତେ ବନ୍ଧ ଭାଙ୍ଗିଲା, ଗାଁ ଗଣ୍ଡା ପାଣିରେ ଭାସିଲା, ତା’ପରେ ଦେଖାଗଲା ଯେ ଉଡ଼ାଜାହାଜମାନ ଉଡ଼ୁଛି, ବଢ଼ି ବୁଡ଼ି ଅଞ୍ଚଳରେ ଉଡ଼ାଜାହାଜରୁ ଚୁଡ଼ା, ଗୁଡ଼, ସିଝା ଆଳୁ ଓ ଔଷଧ ତଳକୁ ପକାଇ ଦିଆ ହେଉଥାଏ ଲୋକଙ୍କ ସାହାଯ୍ୟ ପାଇଁ ।

 

ସେହି ମେଘ ଅନ୍ଧାର ଭିତରେ, ଯେତେବେଳେ ସବୁବେଳେ ସତେ ଯେମିତି ପାହାନ୍ତି ପହର ଲାଗି ରହିଥାଏ, ଦିନେ ମୂଷା ଗଲା ବରଧରା ହୋଇ ଓ ରାତି ସରନ୍ତି ବେଳକୁ ଉଡ୍ରେଶ୍ୱରଙ୍କ ଆଡ଼ୁ ହଠାତ୍ ଶୁଭିଲା କାଲୁଆ ପଡ଼ିଯାଇଥିବା ଢେଲର ଢପ ଢପ, ତଣ୍ଟି ବସିଥିବା ଫୁଙ୍କାଳି ପାଟିରେ ଚେଁ ଚେଁ ମହୁରି, ଓଦା କାଉନ୍ଦା ହୋଇଯାଇଥିବା ଫୁଟା ବାଣର ଛିଙ୍କ ଓ ମଝିରେ ମଝିରେ ଗୋଟା ଗୋଟାକର ସତକୁ ସତ ଢୁ’ଢା ଶବ୍ଦ, ଗୋଟିଏ ଅତି ସାନ ପଟୁଆର ସେ ଗାଁ ଭିତରକୁ ପଶିଲା । ପାଞ୍ଚଖଣ୍ଡି ଶଗଡ଼ଗାଡ଼ିରେ ବର ଓ ବରଯାତ୍ରୀ । ବାଟରେ ପାଣି କାଦୁଅ ଯୋଗୁଁ ମଟରଗାଡ଼ି ଆସିପାରିଲା ନାହିଁ, ଆଉ ଗଉଡ଼ମାନେ ତ ସଭା କରି ପ୍ରସ୍ତାବ ଘେନି ସାରିଛନ୍ତି ଯେ ସେମାନେ ଆଉ ପାଲିଙ୍କି ସବାରି କାନ୍ଧେଇବେ ନାହିଁ । ବାଜା ବାଜିଲା, ଶଙ୍ଖ ହୁଳହୁଳି ପଡ଼ିଲା, ରମାକୁ ଘେନିଗଲେ ବାଡ଼ୁଅ ପାଣି ଗାଧୋଇ ଦେବାକୁ, ତା’ପରେ ଆଉ ତା’ର ମାନେନାହିଁ, ସେହି ଛାଡ଼ି, ଛାଡ଼ି ଆସୁଥିବା ଅନ୍ଧାର ଭିତରେ ନାଚିଲା ପରି କେତେ ପ୍ରକାର ଆଲୁଅ, ଡିବି ନଲଣ୍ଟଣ ପେଟ୍ରୋମାକ୍‍ସ ଆଉ ଆଲୁଅ ଝାଡ଼, କେତେ ମୁହଁ, ଗାଁ’ଯାକ କେତେ କୁଆଡ଼ୁ କିଏ ଗଦା ହୋଇପଡ଼ିଥାନ୍ତି, ସେମାନଙ୍କ ମୁହଁରେ କୁତୂହଳ, ସ୍ତ୍ରୀଲୋକମାନଙ୍କ ମୁହଁ ଏକା ପ୍ରକାର କରୁଣା ଓ ସହାନୁଭୂତିରେ ଗମ୍ଭୀର, ଢଳଢଳ, କେତେ ପାଟି ଶବ୍ଦ ଆଉ ଏକାଠି କେତେ ପାଦର ଦୁମ୍‍ଦାମ୍‍ । ଜାତି ଅଜାତି ନାହିଁ, ସାହି ଅସାହି ନାହିଁ, ଖଞ୍ଜା ଭିତରେ ଏ ବାଟ ସେ ବାଟ ନାହିଁ, ମାଇପେ ନିଦରୁ ଉଠି ଆସିଥାନ୍ତି, ଖୁନ୍ଦି ହୋଇ ପଶିଥାନ୍ତି । ଅଧରୀବୋଉ କେତେ ଅଥୟ ହୋଇ ତାଙ୍କ ଖଞ୍ଜା ଦୁଆରମୁହଁ ପାଖେ ପାଟିକଲେ–ଏବାଟେ କାହିଁକି ମାଡ଼ି ଆସୁଛ ମ, ସେବାଟେ ଯାଅ ସେବାଟେ ଯାଅ, କିନ୍ତୁ ସେହିବାଟେ ପଶି ସ୍ତ୍ରୀଲୋକଙ୍କ ସୁଅ ଚାଲିଥାଏ, ସେ ନିରସ୍ତ ହେଲେ । ତା’ପରେ ରମା ସେହି ମଣିଷଙ୍କ ହାତରେ ଖେଳେଣା କଣ୍ଢେଇ, ସବୁ ଯେମିତି ଘଟିଯାଉଛି ସ୍ୱପ୍ନ ଭିତରେ ।

 

ପଦାରେ କାମ କରିବା ଲୋକେ କାମ କରୁଥାନ୍ତି । ଦାମ ସଫା ଲୁଗା କାମିଜ୍ ପିନ୍ଧି ଦାଣ୍ଡଘରେ ତକିଆରେ ଆଉଜି ବସିଥାନ୍ତି ଅଭ୍ୟର୍ଥନା ସମିତିର ସଭାପତି ହେଲା ପରି । ସେ କର୍ତ୍ତା ହେଲେନାହିଁ ମନାକଲେ, କର୍ତ୍ତା କୁଳିଆର ବାପ ଦଧ୍ୱ । ଦାମ ମୁଣ୍ଡ ଟୁଙ୍ଗାରୁଥାନ୍ତି, ଯେମିତି ଯାହା ଦେଖୁଛ ସବୁ ମୋ’ରି କରଣି । ବେଳେବେଳେ ହାଙ୍କୁଥାନ୍ତି, “ଆରେ ଆଉ ପାନ ଆଣ । ଚାହା ଟିକିଏ କରେଇ ଆଣ”, ପାନ କି ଚାହା ଆସୁ କି ନ ଆସୁ । ଉଦାରତା ଦେଖାଇ ଆପଣାର ବଡ଼ ରୁପା ପାନବଟା ବଢ଼ାଇ ଧରୁଥାନ୍ତି ।

 

ଆରମ୍ଭରୁ ଟିକିଏ ଅପ୍ରୀତିର ସୂତ୍ରପାତ ହୋଇଥିଲା ବରଯାତ୍ରୀଙ୍କ ପାଦ ଧୋଇଦେଲା ବେଳେ । ବରର ମାମୁ ନକୁଳ ଚିଆଉ ପଟ୍ଟନାୟକେ, ସହରରେ ଜଣେ ବ୍ୟବସାୟୀ ପାଖେ ଗୁମାସ୍ତା, ବୟସ ପଚାଶ ସେପାଖେ । ବିଭାଘର ଉତ୍ସବ ତାଙ୍କର ସବୁ ହଜିଲା ମାନ ମର୍ଯ୍ୟାଦା ମନେପକାଇ ଦେଇଥାଏ । ପଛ ଶଗଡ଼ର ଶେଷ ମୁଣ୍ଡରେ ସେ ଢୁଳୋଉ ଥିଲେ, ସବା ଶେଷରେ ବାହାରିଲା ବେଳକୁ ଭଣ୍ଡାରି ଆଉ କୁଆଡ଼େ ଗଲାଣି । ତାଙ୍କୁ ଦେଖି କୁଳିଆ କାନ୍ଧରେ ଗାମୁଛା ପକାଇ ଠିଆହୋଇ ପାଣି ଗରା ପାଖେ ଅପେକ୍ଷା କରି ରହିଲା ଆଉ ଫିତା ବନ୍ଧା ନୋଚାକୋଚା ଜୋତା ମାଡ଼ି ସେ ବି ଅପେକ୍ଷା କରି ଠିଆହେଲେ ।

 

“ଜୋତା ଓହ୍ଲାଇବା ହୁଅନ୍ତୁ” କୁଳିଆ କହିଲା ।”

 

“ଆଉ ତୁଟା ଭଣ୍ଡାରି ହେଇଚୁ କାହିଁକି ?” ସେ ଖେଙ୍କିଲେ, ସେ ତୁନି ହେଲା, ଭଣ୍ଡାରି ନାହିଁ କହିବାକୁ ସେ ନାରାଜ୍, ଗୁମର ଫିଟିଯିବ, କିନ୍ତୁ କଡ଼ା କ୍ରାନ୍ତି ଲେଖାରେ ତାଙ୍କର ବି ମର୍ଯ୍ୟାଦା ଦରକାର ।

 

“ଖୋଲ୍ ଜୋତା, ଗୋଡ଼ ଧୋଇଦେ ।”

 

ପିଣ୍ଡା ଉପରୁ ଦାମ ପାଟି କଲେ, “ହଁ ଖୋଲ୍‍ରେ ବାବୁ ଜୋତା, ଗୋଡ଼ ଧୋଇଦେ, ବୁଢ଼ା ମଣିଷ ।” କୁଳିଆ ତାଙ୍କ ଜୋତା ଖୋଲି ଗୋଡ଼ ଧୋଇଦେଲା । ବୁଢ଼ା ପିଣ୍ଡା ଉପରକୁ ଉଠିଯାଇ ଦାମଙ୍କ ଆଡ଼କୁ ଆଖି ତରାଟି ଅନାଇଁ କହିଲେ, “କ’ଣ କହିଲ କାହାକୁ ବୁଢ଼ା ମଣିଷ ବୋଲି ହୋ, କିଏ ତମେ ଭେଣ୍ଡିଆ ଆଇଲ ଟିକିଏ ତମୁକୁ ଦେଖିବା ।”

 

ଦାମ ଶାନ୍ତ ଭାବେ ହସିଦେଇ ମୁହଁ ବୁଲେଇଦେଲେ, ତା’ପରେ ଚଟ୍ କରି ତାଙ୍କ ଆଡ଼କୁ ମୁହଁବୁଲେଇ ଠିଆ ହୋଇପଡ଼ି ହାତ ଯୋଡ଼ି ଦଣ୍ଡବତ ହୋଇ କହିଲେ, “ଅବଧାନ ଅବଧାନ, ଆସନ୍ତୁ ବସନ୍ତୁ–ଆରେ ଫୁଲ ଚନ୍ଦନ ଆଣରେ, ଆଗ ଏଇଠୁ ।”

 

ନକୁଳ ଚିଆଉ ପଟ୍ଟନାୟକେ ତୁନି ହୋଇଗଲେ, ଅବସ୍ଥା ସମ୍ଭାଳି ହୋଇଗଲା ।

 

କିଏ କାହାର କ’ଣ କିଛି ଜଣାନାହିଁ । ଏ ପକ୍ଷ ସେ ପକ୍ଷ ପରସ୍ପରର ମୁହଁ ଚାହାଁଚାହିଁ ହେଲେ । ଏମାନେ ନିଶ୍ଚୟ କନ୍ୟାପକ୍ଷର ମୁରବିମାନେ, ପିଲାଟିକି ମଣିଷ କରିଛନ୍ତି, ବାପ ମରିଗଲା, ଏମାନେ ଠିଆ ହୋଇ ନଥିଲେ ଆଉ କିଏ ଠିଆ ହୋଇଥାନ୍ତା ? ସଂସାରରେ ସେମିତି ତ ଚଳେ । ଏହି ଯେଉଁ ଦାମବାବୁ ସେ ତ ଅସଲ ଖୁଣ୍ଟ । ସର୍ବସହଣି । ଆଃ ! ମୁରବି ଯେ କହିବ ଏହିଆଙ୍କୁ, ବରପକ୍ଷର ଲୋକ ଏପରି ଭାବିଲାବେଳକୁ କନ୍ୟା ପକ୍ଷର ଲୋକ ଠିକ୍ ସେ ପକ୍ଷକୁ ସେହିପରି ଭାବୁଥାନ୍ତି । ଦାମ ଡାକି ଡାକି ଗୋଟିକି ଗୋଟି ତାକିଦି କରି ଦେଇଥାନ୍ତି–ବୁଝି ହୁସିଆର, ଯଦି ଚର୍ଚ୍ଚାରେ କୌଣସି ପ୍ରକାରେ ତ୍ରୁଟି ହେବ ସବୁ ସେ ଝିଅ ଉପରେ ଝଡ଼େଇବେଟି । ଜୋଇଁ ପିଲାର ମନ ଫଟେଇଦେବେ, ଝିଅକୁ ଗଞ୍ଜଣା ଦେବେ । ବୁଝି ସୁଝି କାମ କର । ସାଧୁ ସମସ୍ତିଙ୍କି ପ୍ରଚଣ୍ଡ ଦଣ୍ଡବତ ପକାଉଥାଏ । କୁଳର ତ ମୂଳରୁ ଗଉଁହଁ ନଥାଏ ।

 

ଲୋଡ଼ା ନାହିଁ କିଏ କାହାର କ’ଣ ବୁଝିବ ଜାଣିବା, ଦଳେ ଆସିବେ, ଆଉ ଦଳେ ତାଙ୍କୁ ଚର୍ଚ୍ଚା କରିବେ । ଆପଣା ଆପଣା ଭିତରେ କଥା ହେଲାବେଳେ ସେମାନେ ସେହି ଆଉ ଦଳକୁ ତୁଚ୍ଛ ତାଚ୍ଛଲ୍ୟ କରି ଏକଥା କହିବେ । ସାନ ସାନ କଳି ବି ଲାଗିବ । ଖାଲି ଅନୁସ୍ୱାର ବିସର୍ଗ ଲଗାଇ ଭୁଲ୍ ସଂସ୍କୃତି ଗାଉଥିବା ଦୁଇ ପକ୍ଷର ଦୁଇ ପୁରୋହିତଙ୍କ ଭିତରେ ବେଦି ଉପରେ ଲାଗିଗଲା ବଳ କଷାକଷି, ବିଧାନ ଆଉ ଶ୍ଳୋକ ବୋଲା ବିଷୟରେ ସେମାନଙ୍କର ମତ ପଟୁନାହିଁ କେଉଁ ଉପଲକ୍ଷରେ ଆସିଥିବା କେଉଁ କରିଆ କେଉଁ ପଇସାତକ କାହାର ପ୍ରାପ୍ୟ ସେଥିପାଇଁ ବେଦି ଉପରେ ବାଦାନୁବାଦ । ହୋମନିଆଁ ପବିତ୍ର, କିନ୍ତୁ ଏମାନଙ୍କ ଆଖିରେ ସେତିକି ଆହୁରି ପବିତ୍ର ପରସ୍ପରର ଦାବି । ସତେକି ଭୁଲ୍ ବୋଲା ହେଉଥିବା ବୈଦିକ ମନ୍ତ୍ର ସଙ୍ଗକୁ ଏ ପାଟିତୁଣ୍ଡ ବି ଗୋଟିଏ ଆନୁସଙ୍ଗିକ ଉପାଦାନ ।

 

ଉଭୟ ପକ୍ଷ ସେହି ଏକ ପ୍ରକାର ମତ,–ଏପରି ହୋଇ ଆସିଛି, ଏପରି ହୁଏ । ଭଲ ମନ୍ଦ ଉଚିତ ଅନୁଚିତ କିଛି ପ୍ରଶ୍ନ ନ ପଚାରି ଆଖିବୁଜା ବିଶ୍ୱାସରେ ଗାଲି ପାରି ଦେଇ ଭାସିଯିବା, ସେଥିରେ ବୁଦ୍ଧି ନାହିଁ, ବିଚାର ନାହିଁ ।

 

ବଡ଼ ସହଜ ପଦ୍ଧତି ସେ, ବହୁତ ପୁରାତନ ଯୁଗର, ଆଖିବୁଜି ଭାସୁ ଭାସୁ ଯେଉଁଠି ମଣିଷ ଆଖି ଖୋଲିବ ସେଠି ନିଜ ଅବସ୍ଥାକୁ ଅନାଇଁ କହିବି ୟେ ଭାଗ୍ୟ ଏହିପରି ହେବାର ଥିଲା ହେଲା, ତା’ ଉତାରୁ ଲାଗି ପଡ଼ିବ ସେହି ଅବସ୍ଥାକୁ ଆଦରି ନେବାକୁ । ଆଗ ଭାଗ୍ୟର ପରିକଳ୍ପନାରେହିଁ ଅନ୍ଧ ଭକ୍ତି, ପୁଣି ଆପଣାର ରୁଚି ଅରୁଚି ନ ବିଚାରି ଜୀବନଯାକ ପରିଶ୍ରମ କରି କରି ସେହି ଅବସ୍ଥା ସହିତ ନିଜକୁ ଖାପ ଖୁଆଇବାରେ ମଧ୍ୟ ସେହି ଅନ୍ଧ ଭକ୍ତି ।

 

ଆଗ ପଛ ସବୁଠୁଁ ଭକ୍ତି, ସେଠି ମଣିଷ ସଂଘର୍ଷକୁ ଏଡ଼ି ଚାଲେ ସମନ୍ଵୟର ବାନା ଟେକି, କିନ୍ତୁ ସମନ୍ୱୟର ସେଠି ନିଜର ସ୍ୱତନ୍ତ୍ର ସଂଜ୍ଞା ନାହିଁ । ସମନ୍ୱୟ ସେଠି ଖାଲି ଆତ୍ମସମର୍ପଣ, ଅବସ୍ଥା ପାଖରେ, ମନୁଷ୍ୟ ପାଖରେ, ସବୁଠିଁ ନିଜର ସ୍ୱାଧୀନତା ଓ ବ୍ୟକ୍ତିତ୍ୱକୁ କଇଁଛ ପରି ଆପଣା ଭିତରକୁ ଓଟାରି ନେଇ କେବଳ ପର ପଛରେ କି ଅବସ୍ଥା ପଛରେ ଖୁସାମତ କରି କରି ଧାଇଁଯିବ, ନହେଲେ ଆପଣାକୁ ଖାଲି ଭାସିବାକୁ ଛାଡ଼ିଦେବା, ଯେଉଁ ସୁଅ ଆସୁ ସେହି ସୁଅରେ । ଯେଉଁ ଅବସ୍ଥା ଆସୁ ପ୍ରକୃତି ତା’ର କାର୍ଯ୍ୟ କରିଯିବ, ଶରୀର ତା’ର କାର୍ଯ୍ୟ କରିଯିବ, ଦେହ ଓ ପରିସ୍ଥିତି ତା’ର ନାନା ପରିବର୍ତ୍ତନ ବାଟେ ସମୟକୁ ମାପି ମାପି ଚଳିବ । ଛୁଆ ପିଲା ଜନ୍ମ ହେବେ, ସେମାନେ ବଢ଼ିବେ, ମଣିଷରେ ଗଣା ହେବେ । କିଛି ଅଟକିବ ନାହିଁ, କିଏ ଭାସୁ ଅବା ପହଁରୁ ।

 

ସେମିତି ରମାର ବିଭାଘର ହୋଇଗଲା । ଆପଣା ପରିବାର ଖଞ୍ଜା ଆଉ ସାହିର ଲାକଙ୍କର ଲୁହରେ ଲୁହ ମିଶେଇ ତୁହାଇ ତୁହାଇ କାନ୍ଦଣାର ବାଣଫୁଲର ରୋଶ୍ନି ଭିତରେ ସେ ଚାଲିଗଲା ନୂଆ ଘରକରଣା କରି । ହଠାତ୍ ସେ ପିଲାପଣର ଏରୁଣ୍ଡି ଟପିଲା, ସମାଜର ଜଣେ ହେଲା । ଏଥର ଲୋକେ ତା’ କଥାକୁ ଛଳ କରିବେ, ଧରିବେ ତା’ର ମତକୁ ରୁଚିକୁ ଗୁରୁତ୍ୱ ଦେବେ-

 

ରମା ନୂଆ ଘର କରିବ ବୋଲି କାନ୍ଦି କାନ୍ଦି ବିଦା ହୋଇ ଚାଲିଗଲା, ଆଉ ପ୍ରାୟ ଦୁଇବର୍ଷ ଉତ୍ତାରୁ ଭୋଦୁଅ ମାସର ମଝାମଝି ଯେତେବେଳେ ଗୋଧୂଳି ପହରେ ପଶ୍ଚିମ ଆକାଶେ କମଳାଲେମ୍ବୁ ବର୍ଣ୍ଣିର ବଉଦ ଗୋଟାଏ ରୂପରୁ ଅନ୍ୟ ରୂପ ହୋଇ ବଦଳୁଥାଏ ସେତେବେଳେ ପୁଣି ସେହି ଦୁଆର ମୁହଁରେ କାନ୍ଦି କାନ୍ଦି ଗୋଟିଏ ଶବାରିରୁ ରମା ଓହ୍ଲାଇ ପଡ଼ିଲା । ତା’ କପାଳରେ ସିନ୍ଦୂର ନଥାଏ, ହାତରେ ଶଙ୍ଖା ନ ଥାଏ, କାଖରେ ଥାଏ ଗୋଟିଏ ଆଠମାସର ଉତ୍ତାଣି ପିଲା, ତା’ର ପୁଅ-। ସେତେବେଳେ ତା’ ସଙ୍ଗେ ସ୍ୱର ମିଶାଇ କାନ୍ଦିବାକୁ ବେଶି ଲୋକ ରୁଣ୍ଡିଲେ ନାହିଁ, ଆସିଥିଲେ ତା’ ବୋଉ, ଆଉ ମୂଷା ଭାରିଯା ରେବ ଯେ କାନ୍ଦି କାନ୍ଦି ତାକୁ କୁଣ୍ଢେଇ ଧରି ବି ଚୋଟ ହାଣିଲା “ସବାଖାଇ ଖାଇଲୁ ।” ସତେ ଯେମିତି ହରର ସେହି ଆକସ୍ମିକ ଭୟଙ୍କର ପାଇଁ ଦାୟୀ ସେ–ରମା ।

 

(ଏକୋଇଶି)

 

ସପନ ପରି ସେହି କେଇଟା ଦିନର କଥା ଭାବୁ ଭାବୁ ରମା ସତେ ଯେମିତି ଏ ଜୀଅନ୍ତା ଚେଇଁଲା ଦୁନିଆରୁ କୁଆଡ଼େ ଅପସରି ଉଭେଇ ଯାଏ । ବାପଘର ଲେଉଟାଣି ଆଗ ଆଗ ସେହି କେତେ ଦିନତ ସେ ଖାଲି ଭାବି ଭାବିହିଁ କଟାଇ ଦେଲା, ପୁଣି ଯେମିତି ଜାଗାରେ ଯେଉଁଠି ଲୋକ ଚଳପ୍ରଚଳ ନଥିବ, ଯେମିତି ଛାଇ ଲେଉଟାବେଳେ ପଛିମ ଆଡ଼ ହାତୀଅନ୍ଧ ସେକରେ, ସେପଟକୁ କେହି ଯାଆନ୍ତିନାହିଁ, ଆଗରେ ବାରି ।

 

ବରଷା ଋତୁ ଶେଷରେ ବାରି ଭର୍ତ୍ତି, ଯାହା ଯେଉଁଠି ମଞ୍ଜିଟାଏ ଚାରାଟାଏ ପୋତି ଦିଆହୋଇଥିଲା ସେଠି ଗଛ କୁଆଁ ମେଲି ଭାଲୁପରି ବଢ଼ିଛି, ଫୁଲ ଫଳ ଲଦିହୋଇଛି । କାକୁଡ଼ି କଖାରୁ ଗଣ୍ଠିକେ କଷିଏ, କଳା କଳା ବାଇଗଣ ଯେମିତି ମହମ ନେସାହୋଇଛି, ଗୋଜିଆ ଗୋଜିଆ ସୂର୍ଯ୍ୟମୁଖି ଲଙ୍କା ଯେ ଗଛର ପତ୍ରକୁ ବି ଘୋଡ଼ାଇ ପକାଇଛି, ଗଛ ବଢ଼ିଛି ଛାତିଏ ଉଚ୍ଚ । ଉଦ୍ଧତ ଡଙ୍କ ଫଣା ଟେକି ଛାତି ଟୋଲେଇ ପ୍ରଶ୍ନ ଚିହ୍ନ ଭଙ୍ଗୀରେ ଠିଆହୋଇଛି, ଗଛ ଗଛକେ ପତ୍ର ଉତ୍ତାରୁ ପତ୍ର, ସତେ ଯେପରି ଶାଗୁଆ ସୃଷ୍ଟିର ପ୍ରବଣତା ଏଠି ଅସରନ୍ତି ।

 

ଡାଆଣିଆ ଖରାରେ ସେହି ଅକଳନ୍ତି ଜୀବନର ଅଛିଣ୍ଡା ପଟୁଆର ଆଡ଼କୁ ଚାହିଁ ଚାହିଁ ରମା ତୁନିତାନି ବସି ଏକର ସେକର ଅନାଏଁ, ଦେଖେ କେହି ନାହିଁ, ତା’ପରେ ସତେ ଯେମିତି ଆପଣା ଭିତରୁ ସ୍ମୃତିରେ ତିଆରି ଆପଣାର ଆଉ ଗୋଟାଏ ସୂକ୍ଷ୍ମ ରୂପକୁ କାଢ଼ି ସାମ୍ନାରେ ଧରେ, ଦୁର୍ଦ୍ଦଶାରେ ପଡ଼ି ସେ ବିକଳ, ବିରୂପ, ଆହତ, କ୍ଷତଖିନ୍ନ, ଆସ୍ତେ ଆସ୍ତେ ଲୁହ ଗଡ଼େଇ ଗଡ଼େଇ ରମା ତାକୁ ସାନ୍ତ୍ୱନା ଦିଏ, ବେଳ କାଳର ଦିଗ ତା’ର ହଜିଯାଏ, ସେ ଏ ରୂପ ଛାଡ଼ିଦେଇ ଆର ରୂପରେ ବିକଳ ହୋଇ ମଜ୍ଜିଯାଏ ।

 

ପହିଲି ଦେଖାରେ ସେ ତାକୁ କହିଥିଲା, “କାଳିଆଭୁଆ”, ଚିକ୍‍କଣ ଆଉ କଳା ଉଡ୍ରେଶର ମାଧବ ମୂର୍ତ୍ତି ଯେଉଁଦିନ ମଣିଷ ବେଶରେ ତର ମୁହାଁମୁହିଁ ହୋଇଥିଲେ ଲାଳସା ଓ ଉତ୍ତେଜନା ଘେନି, ସେହିଦିନ । ସେ ତାକୁ ଡରି ଡରି ପେଲି ଦେଉଥିଲା, ପୁଣି ତା’ର ଅନ୍ତର ଭିତରେ ଏମିତି କ’ଣ ଅନ୍ଧାରି ଓଟରା ଲାଗୁଥିଲା ଯହିଁରେ ସେ ଅନୁଭବ କରୁଥିଲା ତା’ର ପାଦ ଭୂଇଁରୁ ଉଠିଯାଉଛି, ସେ ଯାହାକୁ ଏଡ଼ୁଥିଲା ତାହାରି ଆଡ଼କୁ ମୋହି ଚାଲିଛି । ପୁଣି ତାକୁ ଘୃଣା ଓ ସନ୍ଦେହରେ ଦେଖୁଅଛି, ତା’ ସଙ୍ଗେ ସଙ୍ଗେ ଯୋଖୁଥିଲା ରେବକୁ । ଯୋଗ ପଡ଼ିଲା ତା’ ସଙ୍ଗରେ ଏକାଠି ସେ ବେଦିରେ, ତା’ପରେ କୁଆଡ଼ୁ ଉଭେଇଗଲା ସବୁ ପୂର୍ବଭାଗ, ଘୃଣା କି ମନ୍ଦେ କିରୋ ରୋକି । ଆଗ ବଳିପଡ଼ି ଘର କରିବା ସେ ସେହି ବେଦି ଉପରେ ହିଁ ଆରମ୍ଭ କରିଦେଇଥିଲା ।

 

ସେତେବେଳେ ରମା ବସି ଏତେସେତେ ଭାବୁ ନ ଥିଲା, ଯେ ହରର ଚେହେରା କେମିତି ତା’ର ବିଦ୍ୟାବୁଦ୍ଧି କେତେ, ତା’ର ସମ୍ପତ୍ତି ବାଡ଼ି କି ଆଉ ସବୁ ଭଲ ମନ୍ଦ କେତେ କ’ଣ । ରମା ଭାବୁଥିଲା ଯେ ତା’ ଆଗରେ ନାହିଁ ନଥିବା ଜୀବନର ସମ୍ଭାବନା ଖୋଲିଯାଉଛି, ସେ ସମ୍ଭାବନାକୁ ସତ୍ୟରେ ପରିଣତ କରିବାକୁ ହେଲେ ଯେଉଁ ଜଣେ ସଙ୍ଗୀ ଓ ସହକର୍ମୀ ନିତାନ୍ତ ଆବଶ୍ୟକ, ୟେ ସେହି ।

 

ସେହି ସମ୍ଭାବିତ ଜୀବନରେ ରହିଥିବ ମୁଁ ଓ ମୋର ହୋଇ ତା’ର ନିଦା ସଂସ୍ଥିତ, ତା’ରି ନାଁ’ ତା’ର ସଂସାର, ଅନ୍ୟମାନଙ୍କଠୁଁ ସ୍ୱତନ୍ତ୍ର ହୋଇ ସେ ଜଣେ ମଣିଷ,–ସେ ଆଉ ନୁହେଁ ଗାଡ଼ିଆ ଭିତରେ ପାଣି ବୁନ୍ଦାଏ, ଗୋଠ ଭିତରେ ପଟେ, ଘାସପଡ଼ିଆ ଭିତରେ ଗୋଟିକିଆ ଘାସ ଗଛଟିଏ, ବିଭା ବେଦିରେ ବସିବା ଆଗର ସେ ଯୁଗ ଚାଲିଯାଇଛି ! ଏଥର ତା’ଠିଁ ସ୍ୱତନ୍ତ୍ରତା ଓ ବିଶିଷ୍ଟତା ଉଭୟ ରହିବ ।

 

ଏହି ତା’ର ନୂଆ ଜୀବନର ସନ୍ତକ ।

 

ସେଥିପାଇଁ ଅପରିହାର୍ଯ୍ୟ ସେହି ଜଣକ ଯେ ତା’ କତିରେ ବେଦି ଉପରେ ବସିଛି । ତା’ର ଅନ୍ୟ ପରିଚୟ ପ୍ରୟୋଜନ ନାହିଁ ।

 

ହର ପ୍ରତି ପ୍ରଥମେ ତା’ର ଆସିଲା କୃତଜ୍ଞତା, ଆଉ ହର ଘେନି ସେ ଗର୍ବ ଅନୁଭବ କଲା । ନିର୍ଭର ବିଶ୍ୱାସରେ ସେ ତା’ର ବିବାହିତ ଘରକରଣା ଆରମ୍ଭ କରିଦେଲା । ନୂଆ ଜୀବନର ଚମକ ଓ ସୁଆଦ ଅନୁଭବ କଲା, କେବଳ ଜନ୍ତୁ ପରି ନୁହେଁ, ମଣିଷ ପରି ।

 

ସେ ଉଦ୍ଦେଶ୍ୟ ଭୁଲି ସ୍ୱପ୍ନ ଓ କଳ୍ପନାରେ ଭାସିଲା, ସେଇଥିରୁ ପାଇଲା ନୂଆଁ ଦୃଷ୍ଟି, ନୂଆ ଅନୁଭୂତି । ସକାଳଟା କି ସଞ୍ଜଟା କି ନିଛାଟିଆ ଦି’ପହରଟା ଶାଶୂଘରେ ଯେମିତି ଲାଗିଲା ବାପଘରେ କ’ଣ ସେମିତି ଲାଗୁଥିଲା ? ଲାଗୁ ନ ଥିଲା । ସତ, ଏଠି ତା’ର ଦାୟିତ୍ୱ ବେଶି, କୈଫିୟତ୍ ଖାଲି ତୁଣ୍ଡ କଥାରେ ଦେଲେ ଚଳେନାହିଁ କି କୈଫିୟତ୍ ଦେଲେ ଦୋଷ ତୁଟିଯାଏ ନାହିଁ-। ଆଉ ଏଠି ସତେ ଯେମିତି ସମସ୍ତଙ୍କ ନିକୁଟା ଦୃଷ୍ଟି ଆଗରେ କାମ କରିବାକୁ ପଡ଼େ, ଦେହରୁ ଟିକିଏ କେଉଁଠି ଲୁଗା ଖସିଗଲେ ଆପେ ନିଘା ଦେଇ ଟେକିଦେବାକୁ ପଡ଼ିବ, ନହେଲେ କଥା ଶୁଣିବ । ବାପଘର ପରି ନୁହେଁ । କିନ୍ତୁ ସେହି କଡ଼ାକଡ଼ି କଷାକଷି ଭିତରେ ବି ସୁଖ ଥାଏ । ହସରେ ଲାଗି ରହିଥାଏ ମାନ୍ଦା ଅଳସୁଆ ମାଉଁସିଆ ଶାନ୍ତି ।

 

ଦିନେ ସେ ମା’ ହେଲା, ଆପଣାର ଆଶ୍ଚର୍ଯ୍ୟ ସୃଷ୍ଟିକୁ ଆଖି ଫାଡ଼ି ଫାଡ଼ି ଅନାଇଁ ରହିଲା-। ନିଜର କି ହରର କିଛି ସେ ତା’ ଦେହରେ ଲକ୍ଷ କରି ପାରିଲା ନାହିଁ, ସେ ଆଉ କେଉଁ ରୂପ, ତା’ କଳ୍ପନାରୁ ବାହାର । ତଥାପି କେତେ ଲୋକ କହିଲେ “ଦେଖ, ତା’ ନାକ ଆଖି କାନ ଅବିକଳ ହର ପରି ।” ଆଉ କିଏ କହିଲେ “ତା’ ଗୋଡ଼ ଆଙ୍ଗୁଠି, କପାଳ, ହାତ ଗୋଡ଼ ଏଇତକ ହରର ବାକିତକ ତା’ ବୋଉର ।”

 

ସେ ଯାହା ପରି ହେଉ, ସେ ତା’ର । ଏ ଜୀବନକୁ ସେ ଗୋଟାଏ ନୂଆଁ ହେତୁ ଦେଲା, ଖାଲି ତୁଣ୍ଡ କଥାରେ ଯୁକ୍ତି ଛଳରେ ନୁହେଁ, ସତକୁ ସତ କାର୍ଯ୍ୟରେ ବି ତା’ର ଅନୁଭୂତ ହେଲା ଯେ ଏ ସଂସାରରେ ଅନ୍ତତଃ ଜଣେ ଅଛି ସେ ନହେଲେ ଯାହାର ଚଳିବ ନାହିଁ । ସେହି ଜଣକର ଖାଦ୍ୟ ଅଛି ତା’ ଛାତିରେ ଆଉ ତା’ର ସେବା ପାଇଁ ସମ୍ବଳ ଅଛି ତା’ର ସମଗ୍ର ଦେହରେ ।

 

ସେହି ପିଲାଟି ଯେତେବେଳେ ତା’ ନାକକୁ ଓଟାରି ପାଟିରେ ପୂରାଇଲା, ତା’ ହାରକୁ ଓଟାରିଲା, ତା’ କୋଡ଼ରେ ଅସନା କରି ମୁହଁକୁ ଅନାଇଁ ଠୋ ଠୋ ହସିଲା, ସେତେବେଳେ ରମାକୁ ଲାଗୁଥାଏ ତା’ର ଜୀବନ ପୂର୍ଣ୍ଣ । ସେଥିରେ ଅଂଶୀଦାର ସେ ଆଉ ତା’ର ପିଲା, ଆଉ ତା’ର କେହି ପ୍ରୟୋଜନ ନାହିଁ ।

 

ସେହିପରି ଭାବୁଥିଲା ରମା, ଯେତେବେଳେ ଦିନ ଦିନ ରାତି ରାତି ବିତିଯାଏ ହର ତା’ କାମରୁ ଘରକୁ ଫେରେ ନାହିଁ । ଧରାବନ୍ଧା ଯେଉଁ ଦୈନିକ ସାତ ଘଣ୍ଟା ତହିଁରୁ ଅଧିକ ବେଳ ମଟର ଡ୍ରାଇଭ କଲେ ସେ ଘଣ୍ଟା ହିସାବରେ ବଳକା ପାରିଶ୍ରମିକ ପାଏ । ତା’ର ଛୁଆ ହେଲା ପରେ, ଏପରିକି ଛୁଆଜନ୍ମ ନହୋଇ ପେଟରେ ବୁଲିବା ଦିନଠାରୁ ହିଁ ସେ କ୍ରମେ କ୍ରମେ ଅଧିକରୁ ଅଧିକ ଏଇ ବଳକା ପଇସା କମାଇବାରେ ମନ ଦେଇ ଆପେ ବଳକା ଖଟଣି ଆଦରି ନେଲା । କାହିଁ ପନ୍ଦର ଦିନରେ ଥରେ ଆସେ, ଯାହା ଆଣିଥାଏ ଦେଇଯାଏ, ବହୁତ ନିକୁଟି ନିକୁଟି ପଚାରି ଖବର ବୁଝେ, ବ୍ୟବହାରରେ ରମାର ବହୁତ ଆନୁଗତ୍ୟ ଦେଖାଏ । ଟିକିନିଖି ହୋଇ ରମାର ସବୁ ଅସୁବିଧା ତାକୁ ମାଡ଼ିପଡ଼େ । ସେ ଧନ୍ଦି ହୁଏ, ଗାଁ’ରେ କୁହାପୋଛା କରେ, ଦୁଃଖିତ ହୁଏ ଯେ ସେ ଅସୁବିଧାକୁ ତୁଟାଇ ପାରୁନାହିଁ, ନିଜେ ରହିପାରୁ ନାହିଁ । ତା’ପରେ ସେ ଚାଲିଯାଏ, ପୁଣି କେବେ ଆସେ ତା’ର ଠିକଣା ନ ଥାଏ ।

 

ଅଥଚ ହର ରମାର ପାଖରେ ନ ଥିଲେ ବି ମନ ଭିତରେ ଥାଏ ସଦା-ସର୍ବଦା । ରମାର ହାତରୁ ଗୁଣ୍ଡା ଖସି ପଡ଼ିଲେ କି କେତେବେଳେ ତଣ୍ଟିରେ ଲାଗି କାଶ ଉଠିଲେ ସେ ହସିଦିଏ, ମୁହଁ ସାମ୍ନାରେ ଅନୁମାନ କରେ ହରକୁ, କାରଣ କେଉଁ ମନୁମାନ୍ଧାତା ଅମଳରୁ ତ ଏପରି କଥା ଅଛି, ପ୍ରିୟ ଲୋକ ସୁମରିଲେ ହାତରୁ ଗୁଣ୍ଡା ଖସେ କି ତଣ୍ଟିରେ ଲାଗେ । ଯେତେବେଳେ ଡାହାଣ ଆଖି ଡିଏଁ ତା’ର ଛାତି ଥରେ, କାରଣ ଅମଙ୍ଗଳ କହିଲେ ସେ ବୁଝେ ତା’ ସ୍ୱାମୀର ଅମଙ୍ଗଳ । ସେ ଲୁଚେଇ ଲୁଚେଇ କାଉକୁ ଆଧାର ଦିଏ, ମନେ ମନେ କହେ, ସେ ଆସନ୍ତୁ । ସକାଳେ ସଞ୍ଜେ ଠାକୁରଙ୍କୁ ଦଣ୍ଡବତ ହୁଏ । ସଞ୍ଜରେ ତୁଳସୀମୂଳେ ଦଣ୍ଡବତ ହୁଏ, ସବୁବେଳେ ହରର ମଙ୍ଗଳ ପାଇଁ ଜଣାଣ କରେ, ମନେ ମନେ ସେହି ପୁରୁଣା ଭାଷାରେ କହେ, “ଶରୀ ନିରୋଗ ଥାଉ, କୋଟି ପରମାୟୀ ହୋଇଥାଉ ।”

 

ଅଭ୍ୟାସ ହୋଇଗଲା, ସେ ଆପଣା ପାଇଁ କି ଆପଣାଠିଁ ନ ବଞ୍ଚି ବଞ୍ଚିବାକୁ ଲାଗିଲା ତା’ର ସ୍ୱାମୀର ସୁଖ ଦୁଃଖରେ ।

 

ଘରେ ସେମିତି କିଛି ନ ଥିଲା, ଉଜଳଗଡ଼ ନାଁ’ଟା ଧରିଲେ ବି ସେଥିରେ ଆଉ ବିଶେଷ କିଛି ତାତ୍ପର୍ଯ୍ୟ ନାହିଁ । ଭଙ୍ଗା ଡିହ, ଅରମା ଭର୍ତ୍ତି ବାରି, ଠେଙ୍ଗ ଡିଙ୍ଗର ହୋଇ କିଛି ଜମି, ଆଉ ଅଳ୍ପ କିଛି ଯେ ଭାଗରେ ଲାଗେ, କଷ୍ଟେ ମଷ୍ଟେ ଛ’ମାସର ଖାଦ୍ୟକୁ ସେ ପାଏ କି ନ ପାଏ । ଘରେ ରମା ଓ ରମାର ସନ୍ତାନକୁ ଛାଡ଼ି ଯେଉଁ ପାଞ୍ଚପ୍ରାଣୀ କୁଟୁମ୍ବ ସେମାନେ ହରର ବୋଉ କନକମଞ୍ଜରୀ, ହରର ବିଧବା ପିଇସୀ ରଙ୍ଗଲତା ସେ ନିଃସନ୍ତାନ, ହରର ବିଧବା ବଡ଼ଭଉଣୀ ହୀରା, ବିବାହଯୋଗ୍ୟା ସାନଭଉଣୀ ସୁନା ଓ ହରବୋଉଙ୍କର କୋଡ଼ପୋଛା ପୁଅ ନରେନ୍ଦ୍ର ଏଗାର ବର୍ଷର ହେଲାଣି, ଚାହାଳିରେ ନାଁ’ଟା ଅଛି, କେବେ ଯାଏ କେବେ ନାହିଁ । ହର ଯେ କଣ୍ଡୁରୀ ପଲେଇ ପାଖରେ ମଟର ଡ୍ରାଇଭରଟିଏ ଏଥିପାଇଁ ତା’ ବୋଉ କି ତା’ ପିଇସୀ ରଙ୍ଗଲତା କି ତା’ ବଡ଼ଭଉଣୀ ହୀରା କେହି ତାକୁ କ୍ଷମା କରିପାରିନାହାନ୍ତି, ତା’ର ସେହି ଚାକିରିଟା ତାଙ୍କ ସମ୍ମାନରେ ଆଞ୍ଚ । କିନ୍ତୁ ସେ ସମସ୍ତିଙ୍କର ଇଚ୍ଛା ଯେ ହର ତାକୁ ହିଁ ଟଙ୍କା ପଇସା ଦେଉ । ନଣନ୍ଦ ଭାଉଜ କିଏ କାହାରିକି ଦେଖିପାରନ୍ତି ନାହିଁ ଅଥଚ ନଣନ୍ଦ ରଙ୍ଗଲତା ମାଟିକାମୁଡ଼ି ସେ ଡିହରେ ପଡ଼ି ରହିଥାନ୍ତି, ଖଞ୍ଜାର ଅନ୍ୟମାନଙ୍କ ସଙ୍ଗେ ସନ୍ଧି କରି ସେ ଭାଉଜଙ୍କ ନିନ୍ଦା ଗପନ୍ତି । ହୀରା ବେଶି ପାଟି ଫିଟାନ୍ତି ନାହିଁ କିନ୍ତୁ ସେହି ଶୁଖିଲା ହାଡ଼ୁଆ ସ୍ତ୍ରୀଲୋକଙ୍କର ମନ ଭିତରେ ବହୁତ ବିଷ ସଞ୍ଚିହୋଇ ରହିଥିଲା ପରି ଜଣାପଡ଼େ । ତାଙ୍କର ସାତବର୍ଷ ବିବାହିତ ଜୀବନ ଭିତରେ ଯେ ତାଙ୍କର ସନ୍ତାନ ହେଲେ ନାହିଁ, ଯେଉଁ ଯୋଡ଼ିକ ହେଲେ ସେ ପଞ୍ଚୁଆତି ନ ପୁରୁଣୁ ଚାଲିଗଲେ, ତାଙ୍କ ସ୍ୱାମୀ ସେ ଅକାଳରେ ରକ୍ତ ପରିସ୍ରା କରି କରି ମରିଗଲା, ସବୁ ସମ୍ପତ୍ତିବାଡ଼ି କରଜ ଶୁଝୁ ଶୁଝୁ ଯାଇସାରିଥିଲା ଏସବୁ କଥା ପାଇଁ ସେ ସତେ ଯେପରି ତାଙ୍କ ବାପା ବୋଉଙ୍କ ବାପଘର ବଂଶ ସମସ୍ତିଙ୍କୁ ସେ ଦାୟୀ କରନ୍ତି । ସେ ଦାୟିତ୍ୱର ଛିଟିକା ଆସି ପଡ଼ିଯାଏ ହର ଉପରେ ସୁଦ୍ଧା ଯେ ତାଙ୍କ ବାହାଘରବେଳକୁ ପାଞ୍ଚବର୍ଷର ହୋଇଥିଲା । ସେହି ବାପଘର ବଂଶ ମନ କରିଥିଲେ କ’ଣ ତାଙ୍କପାଇଁ ଭଲ ଘର ଭଲ ବର ମିଳି ନ ଥାନ୍ତା ! ଏତେ ଲାକଙ୍କୁ ମିଳୁଛି । କିବା କଥା ୟେ । ହୀରାଙ୍କ ଦୁଃଖ ରଙ୍ଗଲତା ଯେପରିକି ସବୁଠୁଁ ବେଶି ବୁଝିପାରିନ୍ତି, ତେଣୁ ଦୁହିଁଙ୍କର ବେଳେ ବେଳେ ଅନ୍ତରଙ୍ଗତା ଦେଖାଯାଏ, ଦେଖାଯାଏ ଦରବୁଢ଼ୀ ଝିଆରୀର ମୁଣ୍ଡବାଳକୁ ବୁଢ଼ୀ ପିଉସୀ ହାତରେ କେରା କେରା କରୁଛନ୍ତି । ଉଭୟଙ୍କ ଆଖିରୁ ଲୁହ ବୋହୁଛି, ଏ ଦୃଶ୍ୟ ଦେଖି କନକ ମଞ୍ଜରୀ ବି ଆଖି ପୋଛନ୍ତି । ବେଳେ ବେଳେ କଥା ନାହିଁ ବାର୍ତ୍ତା ନାହିଁ ଅନହୁତି ସେ ଘରୁ ବାହୁନା ଶୁଭେ, ଶୁଭେ ହୀରା କାନ୍ଦୁଛନ୍ତି । ଘର ବଂଶଯାକ ପାଇଁ ତାଙ୍କ ବାହୁନା ସତେକି ସଙ୍କେତ ଘଣ୍ଟି ସମସ୍ତେ ଜାଣନ୍ତ ତା’ପରେ ସେ ହୁଏତ ରୁଷିବେ, ଉପାସ ରହିବେ, ନ ହେଲେ ଖିଟି ଖିଟି ହେବେ, ସବୁ କଥାକୁ ବାଛିବେ, ତିଳକୁ ତାଳ କରିବେ ।

 

ରମା ନୂଆ ବୋହୂ ହୋଇ ଆସି ପହଞ୍ଚିଲା, ଏମାନେ ସମସ୍ତେ ତାକୁ ଖୁବ୍ ଗେହ୍ଲା ଆଦର ଆରମ୍ଭ କରିଦେଲେ, କିନ୍ତୁ ତାହା ବେଶିଦିନ ରହିଲାନାହିଁ, ସେହି ସ୍ନେହ ପଛେ ପଛେ ଆସିଲା ଈର୍ଷା ଓ ହିଂସା ।

 

ସେଥିପାଇଁ ହର ବି କିଛି ପରିମାଣରେ ଦାୟୀ । ରମାକୁ ପାଇ ମୂଳରୁ ମୂଳରୁ ସେ ଆନନ୍ଦରେ ପାଗଳ ହୋଇଗଲା । ଘରୁ ପଦାକୁ ଗୋଡ଼ କାଢ଼ିଲାନାହିଁ, ଶେଷରେ ପଲେଇ ଘର ଗୁମାସ୍ତା ନିଜେ ଡାକି ଆସିଲା ଯେ ତା’ର ଇଚ୍ଛା କ’ଣ ? ସେ ଚାକିରି କରିବାକୁ ଯିବ ନା ପଲେଇ ଅନ୍ୟ ଡ୍ରାଇଭର ଖୋଜିବେ ? କହିଲା–ଡ୍ରାଇଭର କ’ଣ ଅଭାବ ? କେତେ ଲୋକ ପଚାରି ପଚାରି ଫେରିଯାଉଛନ୍ତି, କେବଳ ହର ପୁରୁଣା ଲୋକ ବୋଲି ସିନା ପଲେଇ ମୋହମତ ଛାଡ଼ି ପାରୁନାହାନ୍ତି ।

 

ପଲେଇ ଘର ଗୁମାସ୍ତା କେଶବ ନନ୍ଦ ଭଲ ଟାଣ ଟାଣ କଥା କହିବ ବୋଲି ସତେ ଯେମିତି ପାଟି ପଜେଇ ଆସିଥିଲା, ଗାଳି ପକାଇଲା, ଲୋକ ଜମିଲେ, ସେତିକିବେଳେ ଜଣାଗଲା ଯେ ହର କଣ୍ଡୁରି ପଲେଇଠୁଁ ଶହେ ଟଙ୍କା ଆଗତୁରା ଆଣିଛି ତା’ ବିଭାଘର ଉପଲକ୍ଷେ, ସେ ଟଙ୍କା ତା’ ଦରମାରୁ କଟିଯିବ । କୁଆଡ଼େ ଗଲା ସେ ଶହେ ଟଙ୍କା ? ତା’ ବୋଉ ଦେଖିନାହାନ୍ତି, ପିଇସୀ ଦେଖିନାହାନ୍ତି କି ଅପା ଦେଖିନାହାନ୍ତି । ନିଶ୍ଚୟ ସେ ଟଙ୍କା ତା’ର ନୂଆ ଭୁଆସୁଣୀ ଭାରିଯା ପିଛା ସଉକରେ ଖରଚ ହୋଇଛି, ଶାଢ଼ି, ବ୍ଲାଉଜ୍, ସାବୁନ୍, ଅତର, ମୁଣ୍ଡ ତେଲ ବୋଧହୁଏ ଲୁଚେଇ ଲୁଚେଇ ମିଠେଇ କି ସୁଆଦିଆ ଆହୁରି କିଛି, “କିଏ ଦେଖିଚି ? ତାଙ୍କର ସେ କ’ଣ ଖରଚ କରୁଛନ୍ତି କିଏ ତା’ କହି ପାରିବ ?” କିନ୍ତୁ ହର ଯେ ଟଙ୍କା ଆଣି ରମା ହାତରେ ଦିଏ ତା’ ପ୍ରମାଣ ମିଳିଛି । “ତା’ ବୋଉ ଥାଉ ! କଳିଯୁଗ........... ପାଖରେ ଶୁଏ କାନରେ କହେ....” ଏମିତି ଆଲୋଚନା ପାଇଁ ଖୋରାକ ମିଳିଗଲା, ଆଲୋଚନା ଘର ଭିତରୁ ବାହାରିଗଲା ପଦାକୁ ।

 

Unknown

ଯେଉଁମାନେ ଏକାଠି ମେଞ୍ଚା ହୋଇ ଘାଉଡ଼ା ମନରେ ରବେଇ ଖବେଇ ହେଉଥିଲେ, ସେମାନେ ଆକ୍ରମଣ କରିବାକୁ ମୁହଁ ସାମ୍ନାରେ ଗୋଟାଏ ଲକ୍ଷ୍ୟ ପାଇ ଗଲେ, ସତେ ଯେମିତି, ତାଙ୍କଠିଁ ଯେଉଁ ପୋକ ଥିଲା ସେ ଝିଞ୍ଜାରିବାକୁ ରସୁଆଳ ସତେଜ ସୁପୁଷ୍ଟ ଫଳଟିଏ ପାଇଗଲା, ତା’ପରେ ଆରମ୍ଭ ହେଲା ପ୍ରକ୍ରିୟା ।

 

ଜଣକର ଆଉ ଜଣକ ପ୍ରତି ମନୋଭାବ, ସ୍ନେହ କି ବିରାଗ, କଥାରେ ପ୍ରକାଶ ନ ହେଲେ ବି ସତେ ଯେମିତି ପବନରେ ମିଶି ଗୋଳି ହୋଇ ପାଗ ପରି ସହଜରେ ବାରି ହୋଇପଡ଼େ-। ତେଣୁ ରମା ବୁଝି ପାରିଲା, ସ୍ନେହ ଆଦର ଗେହ୍ଲା ଯେତେ ଯାହା ସବୁ ଦି’ ଦିନର ଖେଳ, ତାକୁ ଗୋଟାଏ ଉପଲକ୍ଷ ଦେଇ ନିଜ ନିଜର ମନର ମଉଜ କରି ନେଲା ଭଳି, ପ୍ରକୃତରେ ତା’ର ଏଠି ସତ୍ତା ନାହିଁ, ସ୍ୱାମୀ ପ୍ରବାସୀ, ସ୍ୱାମୀର ଅନୁପସ୍ଥିତି ବେଳେ ଘରେ ଯେଉଁ ତିନିଜଣ ମୁରବି ଥାଆନ୍ତି ସେମାନେ କେବଳ ତା’ର ଭଗାରି ।

 

ରମା ସ୍ନେହ ପାଏ ଦି’ଜଣଙ୍କଠୁଁ, ଜଣେ ସୁନା, ଜଣେ ନରେନ୍ଦ୍ର । ସ୍ନେହର ପ୍ରକାଶ ଦୁଇଜଣଙ୍କଠିଁ ଦୁଇ ପ୍ରକାରର । ସୁନା ତା’ର ମନ ରଖି କଥା କହେ, ଆଖିକି ମୁହଁକୁ ଅନାଏଁ, ମନଭାବ ଲକ୍ଷ୍ୟ କରେ ଓ ସେଥିପାଇଁ ନିଜକୁ କରେ ଗୋଟାଏ ଦର୍ପଣ । ତା’ର ସହାନୁଭୂତି ସେହି ଦର୍ପଣର ସହାନୁଭୂତି, ରମା ଯଦି ସଞ୍ଜର ବିଷର୍ଣ୍ଣ ଗଭୀର ଆକାଶ ସୁନା ତା’ ପାଇଁ ଗାଁ’ ମୁଣ୍ଡର କାଳୀ ଜୋର । ବେଶି କଥା କହେ ନାହିଁ । ମନ ହେଲେ କାନ୍ଦେ । ସୁନା କଥା ଶୁଣେ ବୋଉଠୁଁ, ଅପାଠୁଁ, ପିଉସାଠୁଁ, “ଫାଙ୍ଗୁଳୀଟା–ଛୋପରୀଟା–ସୁଆଗରେ ଗଣ୍ଠି ନାହିଁ ଛିଣ୍ଡି ଯାଉଚି ରଟ ରଟ ହେଇ–ମରି ଯାଉଥାଆନ୍ତିଟି !”

 

ନରେନ୍ଦ୍ର ତା’ ଭାଉଜକୁ ଦେଖୁଥିଲା ସତେ ଯେମିତି ସେ ତା’ର ଏକମାତ୍ର ସମ୍ପତ୍ତି । ତା’ର ବୋଉ, ଭାଇ, ପିଉସୀ, ଭଉଣୀ ଦିହେଁ ଏମାନେ ତାଠୁଁ ଆଗରୁ ଥିଲେ ବି ତା’ର ହେତୁ ପାଇଲା ଦିନୁ ଏମାନେ ତା’ର ସମକାଳୀନ, କିନ୍ତୁ ଭାଉଜ ନୂଆ ଆମଦାନି, ମାରକୁଣ୍ଡି, ହୋଇ ସେ ଯାଇଥିଲା ତାଙ୍କୁ ଆଣିବ ବୋଲି, କେତେ ଧନ ଦରବ ଭାଉଜ ବି ତା’ ଘରକୁ ବୁହାହୋଇ ଆସିଲା, ସବୁ ଧନଠୁଁ ସେ ବେଶି ଗର୍ବର ଧନ, ଖାଲି ଭାଉଜ ବୋଲି ଭାବିଲେ ହୁଏନାହିଁ । ଭାବନା ଭିତରେ ବି “ମୋ ଭାଉଜ ।” ତା’ର ଏ ଅଧିକାରର ବଡ଼ପଣ ଜାରି କରିବାକୁ ଯାଇ ଥରେ ସେ ଅନ୍ୟାନ୍ୟ ପିଲାଙ୍କ ସଙ୍ଗେ ମାଡ଼ ମରାମରି ହୋଇଥିଲା–ନକୁଳାର ଭାଉଜ ‘ଭଲ’ କି ନରିଆର ଭାଉଜ ‘ଭଲ’ । ଏଇଆ ହେଲା ଆଲୋଚ୍ୟ ବିଷୟ । ସେତେବେଳେ ଦଣ୍ଡାରେ କଣ୍ଟେଇ କୋଳି ପାଚିଥିଲା, ଦଳେ ପିଲା ଏକାଠି ହୋଇଥିଲେ । ଏଇ ପ୍ରଶ୍ନ ଉପରେ କ୍ରମେ ସେମାନେ ହୋଇଥିଲେ ଦୁଇ ଦଳ, ତା’ପରେ ଲାଗିଗଲେ । ଲୁଗା ଚିରିଗଲା, ପିଠି ଆଞ୍ଚୁଡ଼ି ହେଲା, କହୁଣି ଖଣ୍ଡିଆ ହେଲା, ଦେହରେ ସ୍ଥାନେ ସ୍ଥାନେ ନୋଳା ଫାଟିଲା, କିଏ ଜିତିଲା କହି ହେବନାହିଁ, କିନ୍ତୁ ଆହତ ହୋଇ ଘରକୁ ଫେରି ନରେନ୍ଦ୍ର ଯେତେବେଳେ ତା’ ଭାଉଜ ମୁହଁକୁ ଚାହିଁଦେଲା ସେତେବେଳେ ତା’ ମନରେ ସ୍ନେହ ବୀରତ୍ୱ ଉଦାରତା ଓ ଆଦର୍ଶବାଦ ଏକାଠି ହୋଇ ଲହଡ଼ି ଖେଳିଲା, ତାକୁ ଲାଗିଲା ସେ ବୁଢ଼ୀମା’ କାହାଣୀର ରଜାପୁଅ, ଜୀବନ ମୁରୁଛି ଦେଇ ଅସାଧ୍ୟ ସାଧନ କରିବାକୁ ବିପଦ ମଝିକି ଡେଇଁପଡ଼ିଛି ଖାଲି ଏଇ ମୁହଁଟିର ଉପଯୁକ୍ତ ହେବ ବୋଲି । ସେ ଡିଆଁଟାଏ ମାରି ଭାଉଜର ପିଠି ଉପରେ ବିଛେଇ ହୋଇପଡ଼ି ତା’ ବେକକୁ କୁଣ୍ଢେଇ ଧରି ତା’ କାନ ପାଖେ ଫୁସ୍ ଫୁସ୍ କରି କହିଲା- “ତୁମେ ମୋ ଭାଉଜ” । ଭାଉଜ ପ୍ରତି ତା’ର ଅନୁରକ୍ତିର ପ୍ରମାଣ ସ୍ୱରୂପ ସେ ତା’ପାଇଁ ନାନା ପଦାର୍ଥ ଆଣି ଦେଲା, ଖଟା ଡବା, କଞ୍ଚା କଇଁଆଁ, ନହରକୋଳି, ପାଣିସିଙ୍ଗଡ଼ା ଫଳ, କରମଙ୍ଗା ଓ ଭାଉଜର ଛୁଆ ଯେତେବେଳେ ପେଟରେ ରହିଲା, ଭାଉଜର କହିବା ଅନୁସାରେ ସେ ଆଣିଦେଲା ବିଲମାଟି, ହୁଙ୍କାମାଟି ଓ କୁମ୍ଭାରମାଟି, ଭାଉଜ ତାକୁ କହିଥିଲା ଏ ତିନିପ୍ରକାର ମାଟି ଆଣିଦେଲେ ସେ ତହିଁରେ ଗୋଟିଏ ରୂପ ଗଢ଼ିବ ।

 

ସେ ଘୋଷଣା କରେ ଭାଇ ତାକୁ ଭାଉଜର ଭାର ଦେଇଯାଇଛି, ତେଣୁ ଘରେ ସେ ମୁରବି । ହୁମ୍ ଦୁମ୍ ହୋଇ ପାଟି କରି ସେ ତା’ର କର୍ତ୍ତୃତ୍ୱ ଜାରି କରେ ଆଉ ରମା ମନେପକାଏ ତା’ର ସାନ ସାନ ଭାଇ ଯୋଡ଼ିକଙ୍କୁ ରଘୁକୁ ଆଉ ଜଗୁକୁ, ନରେନ୍ଦ୍ର ସେମାନଙ୍କଠୁଁ ଯେଡ଼େ ଭିନ୍ନ ହେଲେ ବି ତା’ର ଅଖଳା ସ୍ନେହ ଭିତରେ ସେମାନଙ୍କୁ ସେ ପାଏ ।

 

ହର ଆସିଲେ ତା’ ବୋଉ ପିଇସୀ ଅପା ଫେରାଦ୍ ହୁଅନ୍ତି– ୟେ ବୋହୂ ନରେନ୍ଦ୍ରର ମୁହଁ ବଢ଼େଇଦେଲା, ତାକୁ ସତ୍ୟାନାଶ କଲା, ସେ ଏମିତି ଆମାନିଆଁ ଅକୁହାର ହେଲାଣି ଯେ ଭବିଷ୍ୟତରେ ସେ କି ଜଞ୍ଜାଳ ହେବ ତାହା ଆଉ ଭାବି ହେଉନାହିଁ ।

 

ନରେନ୍ଦ୍ର ତା’ ଭାଉଜ କାନିରେ ମୁହଁ ଲୁଚାଇ ଠୋ ଠୋ ହସେ, ସବୁ ଆପତ୍ତି ଏଡ଼ି ଦେଇ ହର ତାକୁ ଟେକିନେଇ ଗେଲ କରେ ଆଉ କହେ–“ହଃ, ପିଲାଲୋକ !”

 

(ବାଇଶି)

 

ସେହି ସୁଖୀ ଜୀବନର ସ୍ମରଣ ଥିଲା ମଟର ଡ୍ରାଇଭର ହରର ମନରେ ଯେତେବେଳେ ସେ ଲମ୍ବା ରାସ୍ତାରେ ମଟର ଟ୍ରକ୍‌ ଦଉଡ଼ାଇ ଦେଇଥିଲା । ନେଳି ଚଷମା ଉହାଡ଼ରେ ଆଖିପତା ଅଳ୍ପ ମାଡ଼ି ମାଡ଼ି ପଡ଼ୁଥାଏ, କେଉଁ ମୁହୂର୍ତ୍ତରେ ଲାଗେ ଯେପରି ପବନ ତାକୁ ଶୁଆଇପକାଉଛି, ପୁଣି ସେ ଚାଉଁକିନା ଚେତିଉଠି ଅନୁଭବ କରେ, ନା ସବୁ ଠିକ୍‌ ଅଛି ସେ ରହିଛି ଠିଆ ଚିଆଁ । ପୁଣି ମନ ଭିତରେ ନାନା ଚିତ୍ର ଚାଲେ ସିନେମା ପରି ଓ ସେ ହୁଗୁଳା ହୋଇଯାଏ । ଉଦୁଉଦି‌ଆ ଦି’ପହର, ଦି’ପାଖେ ତଳେ ଝଙ୍କା ଝଙ୍କା ଗଛର ଛାଇଗୁଡ଼ାକ ଦଉଡ଼ି ପଳାଉ ପଳାଉ ତରବରରେ ଏକାଠି ମିଶିଯାଇ ହେଉଛି ଦୁଇଟା ଅଛିଣ୍ଡା ଚଳନ୍ତି କଳା ଫିତା । ଆଖି ପତ୍ତନରେ ଦିଶେ କାହିଁ ଦୂରରୁ ଦୂରରୁ ଶାଗୁଆ ଛାଇ ଗୁଡ଼ାଏ ତା’ ଆଡ଼କୁ ଉଡ଼ି ଉଡ଼ି ଆସୁଛି, ଯେତେ ବାଟ ଗଲେ ବି ଉଡ଼ି ଉଡ଼ି ଆସୁଛି, ଯେମିତି ତା’ର ସତ୍ତା ସେହି ଢେଉପରି ଶାଗୁଆ ଛାଇମାନଙ୍କ ଭିତରେ ତରତରରେ ପହଁରି ପହଁରି ଚାଲିଛି ସେ ନିଜେ ଗୋଟିଏ ସାନ ଚଢ଼େଇ ସେହି ଶାଗୁଆ ସମୁଦ୍ର ଭିତରେ, ତା’ର ଆକାର ନାହିଁ ଓଜନ ନାହିଁ, ସ୍ଥୂଳତା ନାହିଁ, ବ୍ୟାପ୍ତି ନାହିଁ । ସେ ନିଜେ ଗୋଟିଏ ଅଧାଚିଆଁ ଅଧାନିଦୁଆ ଚେତନାଟିଏ । ଆପେ ଆପେ ଆକ୍‌ସିଲେରେଟର ମାଡ଼ିଦେଉଛି ଆଉ ଉଡ଼ି ଉଡ଼ି ଚାଲିଯାଉଛି, କେତେବେଳେ ମନ ସକ୍ରିୟ ଅଛି, କିଛି ସ୍ମୃତି କିଛି ଅନୁଭୂତି ଖେଳିଯାଇଛି, କେତେବେଳେ ଦେଖୁଛି କିଛି ନାହିଁ, ମନ ଶୋଉଛି ନହେଲେ ଫମ୍ପା, ଫାଙ୍କା । ଗତି ତା’ର ହେତୁ ନାହିଁ, କେବଳ ସେ ଅଛି, ସେତିକି ।

 

ଏମିତି ନିରୀହ ଆଉ ସରଳ ସାଧାସିଧା ଥିଲା ସେହି ଲୋକର ମନ ଯେ ଗୋଟାଏ ପ୍ରକାଣ୍ଡ ମଟର ଟ୍ରକ୍‌କୁ ତୋଫାନ ବେଗରେ ଉଡ଼ାଇ ନେଇ ଉଦୁଉଦିଆ ଦି’ପହରେ ଖଣ୍ଡିଆ ଭୂତ ପରି ଛୁଟି ଚାଲିଥିଲା । ପଦାରୁ ସେ ତ ସାକ୍ଷାତ୍‌ ଯମଦୂତ, ରାସ୍ତାରେ କିଏ ଟିକିଏ ଅଣହୁସିଆରି ହେଲେ ସଙ୍ଗେ ସଙ୍ଗେ ତା’ର ପ୍ରାଣ ବିପନ୍ନ, ତେଣୁ ମଣିଷ ଗାଈ ଗୋରୁ ଗାଡ଼ି ଶଗଡ଼ ସେହି ଭୟଙ୍କର ସାଇଁ ସାଇଁ ଗର୍ଜନ ଶୁଣିଲା ମାତ୍ରେ ନିଜ ବାଟ ଧରୁଥିଲେ, ଅତର୍ଚ୍ଛ ହୋଇ ତିତିର୍‌ ବତିର ହୋଇଯାଉଥିଲେ-। ଗୋଟାଏ ସାନ ପାହାଡ଼ ପରି ପ୍ରକାଣ୍ଡ ପ୍ରକାଣ୍ଡ କାଠ ଗଣ୍ଡି ବୋଝେଇ ହୋଇ ଉପରକୁ ଉପରକୁ ଉଠିଛି । ଜଙ୍ଗଲର ଡିପୋରୁ କାଠ ଆସୁଛି ଦେଢ଼ଶହ ମାଇଲ ଦୂରରୁ, ଚାଲିଛି ସହରରେ କଣ୍ଡୁରି ପଲେଇର କାଠଗୋଲାକୁ । ଚାରିଘଣ୍ଟା ଗାଡ଼ି ଚଳାଇ ଆସିଲାଣି, ଆଉ ଘଣ୍ଟାଏ ଦେଢ଼ଘଣ୍ଟା ଏହିପରି ଚାଲିଲେ ସେ ପହଞ୍ଚିଯିବ । କିନ୍ତୁ ଅତି ଜୋରରେ ଗାଡ଼ି ଚଲାଇ ଚଲାଇ ସେ ଯେପରିକି ସମୟର ଚେତନା ହଜାଇ ସାରିଥାଏ, ସତେ ଯେପରି ସେ ନିଜେ ପ୍ରବହମାନ ସମୟ ସହିତ ଏକ ଓ ଅଭିନ୍ନ, ସେ ଗତିର ପ୍ରତୀକ ସତ, କିନ୍ତୁ କାହିଁକି ସେପରି ତା’ ସେ ଜାଣେ ନାହିଁ, ହେଲେ କ’ଣ ଲାଭ ନହେଲେ କ’ଣ କ୍ଷତି ତା’ ସେ ଜାଣେ ନାହିଁ, କ’ଣ-କିଏ-କାହିଁକି-କୁଆଡ଼େ-କିଛି ଜାଣେ ନାହିଁ । ସତେକି ନ ଜାଣି ନ ଭାବି ହିଁ ସେ ନିଜେ ନିଜଠି ବହୁ ପରିମାଣରେ କାଳର ସତ୍ତା ଆହରଣ କରି ରଖିପାରିଛି । ସେ ହୋଇଛି କାଳର ବୋଲକରା ।

 

ବିଲୁଆ କି କୁକୁଡ଼ା ଯେମିତି ପହରିକିଆ ଡାକେ, ଆପେ ଯେଉଁ ଅବସ୍ଥାରେ ଥାଉ ବିନା ଉଦ୍ଦେଶ୍ୟରେ ବୋବାଏ ସତେକି କାଳ ରଡ଼ି ଦିଏ, ସତେ ଯେମିତି ସେମିତି ତା’ର ବ୍ୟବହାର, ଯେମିତି ମୁହୂର୍ତ୍ତକର କି ଯୁଗ ଯୁଗର ଇତିହାସର କ୍ରମ, କି ପ୍ରକୃତିର ଲୀଳା, ଚାହାଳିର ପିଲାକୁ ପଚାରିଲେ ସେ ଗୋଟି ଗୋଟିକିଆ କଥାର କାରଣ କହିପାରେ, ପଢ଼ା ବହିରେ ତ ଲେଖା ହୋଇଛି, ମାଷ୍ଟ୍ରେ ବି କହିଛନ୍ତି, କିନ୍ତୁ ବିଜ୍ଞ ଲୋକ ଧନ୍ଦି ହୁଏ, କାରଣ ଏ ଫଳର ଅତି ସୂକ୍ଷ୍ମ ଜାଲ ତାକୁ ଦିଶେ ମାୟା କୁହୁଡ଼ି ପରି, ଆଦି ଅନ୍ତ ପାଏ ନାହିଁ ।

 

ପଚିଶି ବର୍ଷ ଆଉ ଖୁଚୁରା କେଇ ମାସ କେଇ ଦିନ ହେବ ସେ ଜନ୍ମ ହୋଇଥିଲା, ଶହେ ମହଣ କି କେତେ ହେବ ସିଝା ଚାଉଳ ଓ ସେହି ଅନୁପାତରେ ଅନ୍ୟାନ୍ୟ ଖାଦ୍ୟ ତା’ର ପେଟରେ ପଶି ଦେହକୁ ରସ ଦେଇ ରୂପାନ୍ତରିତ ହୋଇ ଚାଲି ଯାଇଥିଲା ମାଟିକୁ, ସେ ପବନ ଘେନିଥିଲା ଆଉ ଛାଡ଼ିଥିଲା, ପାଣି ଘେନିଥିଲା ଆଉ ଛାଡ଼ିଥିଲା, ଆଲୁଅ ଘେନିଥିଲା ଛାଇ ପକାଇଥିଲା, ସେ କାମନାରେ ଚିନ୍ତାରେ ଇନ୍ଦ୍ରିୟ ଅନୁଭୂତିରେ ସୁଖ ଦୁଃଖ ଭଲ ମନ୍ଦ ଆଲୁଅ ଅନ୍ଧାର ସର୍ଦ୍ଦି ଗରମର କେତେ ଖୋଳ ଗଢ଼ି ଆପଣାକୁ ସଜାଇ ପୁଣି ଭାଙ୍ଗି ଥିଲା ବଦଳାଇଥିଲା, ତା’ର ଆପଣାର ଅହଙ୍କାର ମନ ବୁଦ୍ଧିର ସଙ୍ଗଠନରେ ସମୟକୁ କଳ୍ପନା କରିଥିଲା ନିଦା ପଥରର ପାଚିରି ଘେରା ପରିସର ପରି, ମନଭୁଲା ମନଲୋଭା ଚଳନ୍ତି ଧାରଣାକୁ ଯୁଗ ଯୁଗର ସତ ବୋଲି ଘେନିଥିଲା, ସେମିତି ସେ ଘରର ଚାଳତଳେ ଚାରିକାନ୍ଥ ମଝିରେ ରହି ଭାବିଥିଲା ଏଇ ଆଠ ହାତରେ ଦଶ ହାତ ଆକ୍ରାନ୍ତ ଭୂଇଁ ଚେନାଟିମାନ ବାହାରର ବିଶାଳ ଖୋଲା ଭୂଇଁଠୁଁ ଭିନେ, ଯେପରି ୟେ ପୃଥିବୀରେ ଥାଇ ବି ଆଉ ଗୋଟାଏ ପୃଥିବୀ ଆଉ ବାହାରର ବିସ୍ତୃତି ଗୋଟାକଠୁଁ ୟେ ଭିନେ ସେହି ଯେଉଁଠି ଖୋଲା ଆକାଶରୁ ଖରା, ଛାଇ, ବରଷା, କାକର ଅଜାଡ଼ି ହୁଏ, ଯେଉଁଠି ଘାସ ଅଗଛିଆ ଲାଜକୁଳୀ କୋଇଲିଖିଆ କିଆ ନାଗଫେଣୀ ଓସ୍ତ କି ଖଜୁରି ସାହାଡ଼ା କି ଅରଖ ଚେକା ମାଡ଼େ, ଯେଉଁଠି ପଡ଼ିଥାଏ ସାପକାତି କି ଶାଗୁଣା ପକ୍ଷୀ କି ଗେଣ୍ଡାଭାତ କି ବିଲୁଆ ଘୁଅ କି କାହାର ହାଡ଼ ।

ଆଉ ତା’ର ଯେତେ ଯାହା ସମ୍ବନ୍ଧ କି ସମ୍ପର୍କ, କେଉଁ ମଣିଷ ସଙ୍ଗରେ କି କେଉଁ ପରିବେଷ୍ଟନୀ ସଙ୍ଗରେ, ସେଗୁଡ଼ାକ ଚିରନ୍ତନ ବୋଲି ସେ ନ ଭାବୁ ପଛକେ, ସେଗୁଡ଼ାକ ଚିରସ୍ଥାୟୀ ନୁହେଁ ଏକଥା କେବେ ସେ ଭାବି ନାହିଁ, ନଈରେ ଅଗଣିତ ଢେଉର ପ୍ରବାହରେ ଅଗଣିତ ଚନ୍ଦ୍ର ବିମ୍ବ ପରି ତା’ର ଆଖି ଆଗରେ ସତେକି ଆଜିର ଅସଂଖ୍ୟ ପ୍ରତିବିମ୍ବ ତା’ପଛକୁ ତା’ପଛ ଅନାଗତ କାଲି ପହରିଦିନମାନଙ୍କଠିଁ ବି ଭାସୁଥିଲା ପରି ଦିଶୁଥିଲା, କେଉଁଠି ସେ ପ୍ରତିବିମ୍ବମାନ ସରିଯାଇଛି ତା’ ବି ଦିଶୁନଥିଲା, ଅଜଣା ଅନିଶ୍ଚିତ ମହାକାଳର ଚେତନା ଭିତରେ ତା’ର ଏହି ଧାରଣାହିଁ ତାକୁ ଦେଇଥିଲା ନିଶ୍ଚିତତାର ନିଦା ଚଟାଣ ଯାହା ଉପରେ ଦମ୍ଭ ପାଦ ମାଡ଼ି ସେ ଆପଣାର ସ୍ଥୂଳ ବ୍ୟକ୍ତିତ୍ୱକୁ ଶୂନ୍ୟ ଭିତରେ ଠିଆ କରି ରଖିଥିଲା । ମଣିଷ ନୁହେଁ ପରା, ସଳଖ ଡେଙ୍ଗା ବାଉଁଶଟାଏ, ଜଙ୍ଗଲର ଅନ୍ୟାନ୍ୟ ବାଉଁଶମାନଙ୍କ ଆଗରେ ସେ ମୁଣ୍ଡ ଟୁଙ୍ଗାରେ, ସବୁ କଥାକୁ କହେ–ମୁଁ, ମତେ, ମୋର ।

ତେଣୁ ଭଲ କି ମନ୍ଦ ଭୁଲ୍‌ କି ଠିକ୍‌ କଲି ବୋଲି ଭାବିଲା ବେଳେ ଆପଣା କାର୍ଯ୍ୟକୁ ସେ ବାସ୍ତବତାର ସଂଜ୍ଞା ଓ ଗୁରୁତ୍ୱ ଦେଇ ଭାବୁଥିଲା, ‘‘ଏଇତ ସୁଖ’’ ! ‘‘ଏଇତ ଦୁଃଖ’’ ! ଏମିତି ସେ ଭାବୁଥିଲା, ଯାହା କରି ଯାଉଥିଲା ସତେ ଯେମିତି ସେ ଭାବୁଥିଲା ଯେ ସେ ଆପଣା ଇତିହାସ ତିଆରି କରୁଛି, ଆଉ ଆପଣା ପରମ୍ପରାର । ଆଉ ସେହି ତା’ର ଦିନ ଦିନକର ଜୀବନର କାହାଣୀ ।

ହଁ, ପିଲାଦିନେ ଟେକା ଫୋପାଡ଼ି ବାଡ଼ିରେ ପିଟିକି ଅନ୍ୟାନ୍ୟ ଉପାୟରେ କେତେ ବେଙ୍ଗ ସେ ମାରିଛି ତା’ର ହେତୁ ନାହିଁ, ସେମିତି କେତେ କଂକି, କେତେ ପ୍ରଜାପତି । ଉଡ଼ନ୍ତା ଚିତ୍ର ପରି ସେହି ସୁନ୍ଦର ସୁନ୍ଦର ପ୍ରଜାପତିମାନଙ୍କୁ ଡେଣା ପାଖରୁ ଆଙ୍ଗୁଠି ମଝିରେ ଚିପି ଧରିବାକୁ କେଡ଼େ ଭଲ ଲାଗେ, ସେମାନେ ଯେତେବେଳେ ଛଟପଟ ହୋଇ ପକ୍ଷୀ ଫଡ଼ ଫଡ଼ କରୁଥାନ୍ତି, ଦେହରୁ ଧୂଳିପରି କ’ଣ ଉଡ଼ି ଯାଉଥାଏ କେତେବେଳେ ପକ୍ଷୀରୁ ଚେନାଏଁ ଚେନାଏଁ, କେଡ଼େ ସୁନ୍ଦର ଲାଗେ ଚାହିଁ ରହିବାକୁ, ତା’ପରେ ସେ ଆସ୍ତେ ତା’ର ଆର ପକ୍ଷୀଟି ଛିଣ୍ଡାଇ ଦିଏ, ଏ ପକ୍ଷୀଟି ଛିଣ୍ଡାଇ ଦିଏ, ଗୋଡ଼ରେ ମଳି ଦେଇ ସେକଥା ଭୁଲିଯାଏ, କେତେଥର ଏମିତି । ସେ କ’ଣ ନିଷ୍ଠୁରତା ?

କଂକି ପ୍ରଜାପତି ବେଙ୍ଗ କି ଅନ୍ୟ କେଉଁ ସାନ ଜନ୍ତୁଙ୍କୁ ଖଣ୍ଡିଆ କଲେ ବି ମାରିଲେ ତା’କୁ କଷ୍ଟ ହୁଏ ବୋଲି କେବେ ସେ ଭାବି ନାହିଁ, ସେମାନଙ୍କର ସୁଖ ଦୁଃଖର ଚେତନା ଅଛି ବୋଲି କେବେ ସେ ଭାବି ନାହିଁ, ଆପଣା ମନ ଖିଆଲରେ ସେ ଧ୍ୱଂସ କରେ, ପରିଣାମ କଥା ଭାବି ନାହିଁ ।

ବଡ଼ ଦିନେ ବି ସେ ସେମିତି କେତେ କାହାକୁ କଷ୍ଟ ଦେଇଛି । ମାଛକୁ ବନ୍‌ସିରେ ଧରିଲା ବେଳେ, ଛେଳି କି କୁକୁଡ଼ା ମରା ହେଲାବେଳେ-ସେମାନଙ୍କର ସୁଖ ଦୁଃଖର ଧାରଣା ଅଛି ବୋଲି ସେ କେବେ ଭାବି ନାହିଁ । ତା’ କାର୍ଯ୍ୟରେ ଅନ୍ୟ ମଣିଷଙ୍କୁ ସୁଖ ଦୁଃଖ ଲାଗିଲା ପରି ସେ ଖାଲି ସେତିକି ବେଳେ ଭାବିଛି ଯେତେବେଳେ କୌଣସି କାରଣରୁ ସେମାନଙ୍କଠିଁ ସେ ନିଜକୁ ଆରୋପ କରିଛି, ଅନ୍ୟଥା ନୁହେଁ । ଯେତେବେଳେ ସେ ପରର ଉପକାର ବି କରିଛି, ସେତେବେଳେ ବି ସେ ନିର୍ଲିପ୍ତ ହୋଇ ମନ ଖିଆଲରେ ତା’ କରିଯାଇଛି, ପ୍ରତିଦାନ ଖୋଜିନାହିଁ । ବାହାଦୁରି ହେଲା ବୋଲି ଭାବି ନାହିଁ । ଭଲ କରୁ ମନ୍ଦ କରୁ ସେ ଆପଣା କାର୍ଯ୍ୟଦ୍ୱାରା ନିଜ ସକାଶେ ନିଜେ ବଞ୍ଚିଛି, ତେଣୁ ତା’ ଚେତନା ଭିତରେ ଦେଣା ନାହିଁ କି ପାଉଣା ନାହିଁ, ‘‘ଆରେ ୟେ–ଯେତେବେଳେ ଯେ’ ସେତିକି । ଗଛ ଗଣ୍ଡିରେ ସିନ୍ଦୂର ବୋଳା ହୋଇଥିବା ଠାକୁର, ଦେଉଳ ଭିତରେ ଠାକୁର ମୂର୍ତ୍ତିମାନ ଏପରି ଯେ ମଣିଷ ଭଳିଆ ଦିଶନ୍ତି ପୁଣି ମଣିଷଠୁଁ ତ ନିଶ୍ଚୟ ଭିନ୍ନେ ଜଣାପଡ଼ନ୍ତି । ଧୂପ ଆଳତି ଫୁଲ ନୈବେଦ୍ୟ ଘଣ୍ଟ ମାଦଳ ବାଜଣା ଭିତରେ ଠାକୁର କି ଠାକୁରପୂଜା ଏସବୁ ଦେଖିଲେ ତାକୁ ମାଡ଼ିପଡ଼େ, ସେମାନେ ଅସ୍ୱାଭାବିକ, ଏ-ପୁରର ନୁହନ୍ତି, କେଉଁ ପୁରର ତା’ ସେ ଜାଣେ ନାହିଁ । ତେଣୁ ମନଟା ଚମକ ଖାଇ ମାଡ଼ି ମାଡ଼ି ପଡ଼େ, ଅନିଶ୍ଚିତ ସମ୍ଭାବନାର ଆଶଙ୍କାରେ ଛାତି ଦୁଲୁକେ, କିନ୍ତୁ ସେହି ଛୁଣୁକା, ସେତିକି ବେଳ, ସେଠୁ ଲେଉଟି ଆସିଲେ ଆଉ ନଥାଏ, ମୁଣ୍ଡ ପଛଆଡ଼େ କେଉଁ ଅନ୍ଧାରି କନ୍ଦରା ଥାଏ-ପୁରୁଣା ଘରେ ଆଳିମାଳିକା ଗଦା ହୋଇ ରହିଥିବା ବୁଢ଼ିଆଣୀ ଜାଲ ଛନ୍ଦାଛନ୍ଦି ପାରା ଚେମେଣି ଘୁଅ ଲଦା ଲଦି ନଅ ନୁଆଣିମୟ ସବୁଦିନେ ତାଲାପକା ବୁଜା ବଖରା ପରି, ପୂର୍ବାପୂର୍ବି ଅମଳର ଦେବତା-ବିଶ୍ୱାସ ପାପପୁଣ୍ୟ ଆଚାର-ଅନାଚାରର ଧାରଣାମାନ ସେଇଠି ଫୋପାଡ଼ି ଦେଇ ତା’ର ଚିନ୍ତା ପଦାକୁ ମୁହଁ ବଢ଼ାଏ, ଆଶ୍ୱାସ ଲାଗେ, ‘ସେମାନେ’ ମଣିଷ ନୁହନ୍ତି । ନିତିଦିନର କାରବାର ସହିତ ସେମାନଙ୍କର ସମ୍ପର୍କ ନାହିଁ, ସେମାନେ ଗୋଡ଼ାଇ ଆସିବେ ନାହିଁ, ମାଡ଼ି ବସିବେ ନାହିଁ, ତା’ପରେ ସାମ୍ନାରେ ଦାଉ ଦାଉ ତାଉ-ଝଲସା ଶୁଖିଲା ଧୂଳି ଧୂସର ଦାଣ୍ଡ, ଆଉ–’’ଆରେ ୟେ, ଯେତେବେଳେ ଯେ !’’

 

ସେ ଜୀବନ ଆଖ ପାଖର ଆଉ ଆଉ ଜୀବନଠୁଁ ଭିନେ ନୁହେଁ, ବାହାରୁ ଦେଖିଲେ କିଏ କେଉଁ ପ୍ରକାର ଦିଶେ, କେବଳ ସେତିକି । ଆଗ ପାହୁଣ୍ଡ ଟେକିବାକୁ ପେଖେନା କରିବା ତା’ର ସ୍ୱଭାବ, ଆଉ-ଅଠା ଲଗାଇବା, ସତେ ଯେପରି ସବୁ ସମ୍ପର୍କ ସବୁ ସମ୍ବନ୍ଧ ସବୁ ବ୍ୟବସ୍ଥା ସବୁ ସଞ୍ଚୟ ଆଉ ସଙ୍ଗଠନ ରହିଥିବ ଚିରକାଳକୁ । କାଲି ଯେ ନିଶ୍ଚିହ୍ନ ହେବ ଆଜି ସେ ନିଦା, ଚିକ୍‌କଣ, ଉଜ୍ଜ୍ୱଳ, ଜୀବନ ଛଳଛଳ, ପଦେ ପଦେକେ ତା’ର ଚିରନ୍ତନପଣ ବିଷୟରେ ଅଟଳ ଅଭ୍ରାନ୍ତ ଚେତନା ।

ସାମ୍ନାକୁ ଚାହିଁ ସୁବିଧା ବୁଝି ଚରି ବୁଲୁ ବୁଲୁ ହର କ’ଣ ଖାଇଥିଲା କ’ଣ ପିଇଥଲା କ’ଣ ବା ଶୁଙ୍ଘିଦେଇ ଫୋପାଡ଼ି ଦେଇଥିଲା ଆଜି ଆଉ ତାହା ତା’ର ମନେ ନାହିଁ । ଅଳସ ଘଡ଼ିରେ ମନ ଭିତରେ ଚେତନାର ପଟ ଯେତେବେଳେ କର ଲେଉଟାଏ ଆଉ ଅନ୍ଧାର ଭିତରେ କେଉଁ ଉଡ଼ନ୍ତା ଜୁଳୁଜୁଳିଆ ପୋକର ଧାସ ଲାଗି କେଉଁ ଛବିଟା ମିଞ୍ଜି ମିଞ୍ଜି ଦିଶେ, କାହାର ଅବା ଅସ୍ପଷ୍ଟ ଅବୟବର ଢିପ ଢାଲୁ ଟିକିଏ ଟିକିଏ ବାରିହୁଏ, କେତେବେଳେ ଭୁସ୍ କରି ଜହ୍ନ ଆଲୁଅ ନିଗିଡ଼ି ପଡ଼େ ଆଉ କେତେବେଳେ ଜଳାବାଟେ ସକାଳର ସ୍ପଷ୍ଟ ଆଲୁଅ । ଉକିଆର ସେହି ତାରତମ୍ୟ ଘେନି ଅତୀତର ଅନୁଭୂତିର ସ୍ମୃତିରୁ କେତେଟା କେତେକେ ପୁଣି ସ୍ପଷ୍ଟ ହୋଇ କି ବିକୃତ ହୋଇ ଆହୁରି ଥରେ ଉଏଁ ।

କିନ୍ତୁ ହର ସେଠି ଅଟକେ ନାହିଁ, ଜାଣି ଜାଣି ପଛକୁ ଫିଙ୍ଗିଦିଏ, ଯାଉ ଯାହ ଯାଇଛି, ଖାଲି ‘‘ଆଗକୁ....ଆଗକୁ.....ଆରେ ୟେ- ଯେତେବେଳେ ଯେ.....’’

ଅତୀତର ସେହି ଭୋଜ୍ୟ ବସ୍ତୁମାନଙ୍କର ବାସ୍ନା ଆଉ ସୁଆଦର ସ୍ମୃତି କେବେ କେବେ ମନ ଅଜାଣତରେ ଦେହକୁ ଉଷୁମ୍ କରେ, ରକ୍ତରେ ନିଶା ଲଗାଏ, ଘଟନା କି ମୂର୍ତ୍ତି ମନେ ପଡ଼େ ନାହିଁ ।

ଦେହ ଭୋଗରେ ରମା ତା’ର ପ୍ରଥମା ନୁହେଁ କି ଦ୍ୱିତୀୟା ନୁହେଁ କି ତୃତୀୟା ନୁହେଁ, ରମା ଆରମ୍ଭ ନୁହେଁ କି ଶେଷ ନୁହେଁ ।

ଯଦି କିଛି ଦିନ ଲାଗି ରହିଥିବା କାହା ପ୍ରତି ହୃଦୟର ଉତ୍ତେଜିତ ଆବେଗକୁ ପ୍ରେମର ସଂଜ୍ଞା ଭିତରେ ଅନ୍ତର୍ଭୁକ୍ତ କରାହେବ ତେବେ ବିଭା ହେଲା ପରେ ରମାପ୍ରତି ତା’ର ଯେଉଁ ପ୍ରେମ ଉପୁଜିଥିଲା ବିଭା ନ ହେଉଣୁ ତାଠୁଁ ଅଧିକ ଉତ୍ତେଜନା ସେ ଆହୁରି ବେଶି ବେଶି ଦିନ ଲଗା ଲଗି ଅନ୍ତତଃ ଆଉ ଦୁଇଥର ଅନୁଭବ କରିଥିଲା, ଥରକର କାହାଣୀ କହିପାରିବ ରେବ, ସେ ତିନି ବର୍ଷର କଥା କହିପାରନ୍ତା, କେତେ ଚିଠି ଖୋଲି ସେ ଦେଖାଇ ପାରନ୍ତା, ପଢ଼ିଲେ ଲାଗିବ ସଙ୍ଗୀତ ଶୁଣୁଛି, ଭାବ ବୁଝିଲେ ଲାଗିବ ସାହିତ୍ୟ । ତା’ ଆଗକୁ ଆଉ ଛ’ମାସର କାହାଣୀ କେଉଁ ଚିଠିରେ ଲେଖା ନାହିଁ, କହିବା ଲୋକ ବି ଆଉ ନାହିଁ,-ବିଭା ହେଲା, ମା’ ହେଲା ଆଉ ମଲା । ରେବ ଯୁଗର ତିନି ବର୍ଷକୁ ବି ଘୋଡ଼ାଇ ରଖିଥିଲା ସେ କ୍ଷତର ସ୍ମୃତି, ମନରେ ଯେତେବେଳେ ରେବର ପ୍ରଭାବ ପଛକୁ ହଟି ରହିଥାଏ ଆଉ ହର କେଉଁଠି ଏକୁଟିଆ ବସିଥାଏ ତାକୁ ବେଳେ ବେଳେ ଲାଗେ ଯେମିତି ଦଶରା ବେଳର ଏକୁଟିଆ ଥିବା ଅଣ୍ଡିରା କୁକୁର ଶୂନ୍ୟକୁ ମୁହଁ ଡେରି ବିଳାପର ରାଗିଣୀଟିଏ ଛାଡ଼ି ଦେଉଛି, ନାହିଁରେ ପବନ ଥରି ଉଠୁଛି ଆଉ ତାରାମାନେ ଆଖି ମିଟି ମିଟି କରୁଛନ୍ତି ଆଉ ଗୋଟାଏ ତାରା ଅପଲକ ହୋଇ ଚାହିଁ ରହିଛି ସେହି ଆଡ଼କୁ, ତାକୁ ଲାଗେ–ସେ ରାଗିଣୀ ତା’ରି ଅନ୍ତ ଫାଡ଼ିହୋଇ ଛାତି ଫାଡ଼ିହୋଇ ବାହାରି ବାହାରି ଚାଲିଛି ଚାଲିଛି, ଯଦିଚ ତା’ର ମୁହଁ ଖୋଲି ନାହିଁ, ଦେହ ହଲି ନାହିଁ ।

 

ଆପଣାର ଶବ୍ଦ ସେ ଆପେ ଶୁଣିଛି, ଆଉ କେହି ଶୁଣି ନାହିଁ । ସେ ତା’ର ଅନାହତ ଶବ୍ଦ, ଆଘାତ ନଥାଇ ଶବ୍ଦ, ପ୍ରାଣ ଭିତରେ ଅନୁଭବ କରିଛି ସେହି ବେଦନାର ଝଙ୍କାର ତା’ର ବ୍ରହ୍ମ-ଶବ୍ଦ । ସେତେବେଳେ ସେ ଗଭୀର ଦୁଃଖରେ ମୌନ ସାଧକ, କୋଳାହଳ ଭିତରେ ଥିଲେ ବି ନିଃଶବ୍ଦଚାରୀ ।

 

ସେତେବେଳେ ସେ ଆପଣାର ପ୍ରତିବିମ୍ବ ଦେଖିଛି ସୂର୍ଯ୍ୟାସ୍ତ ବେଳର ପଶ୍ଚିମ ଆକାଶରେ ଶରତ ଋତୁରେ ଯେଉଁ ରକ୍ତର ଢେଉ ଆଙ୍କି ହୁଏ ରକ୍ତ-ସମୁଦ୍ରର ପ୍ରେତ ଛବିରେ ତାହାରିଠିଁ ।

 

ତା’ ଉତ୍ତାରୁ ତା’ର ଯେଉଁ ଅବସ୍ଥା ଆସିଲା, ତାକୁ ଲୋକେ ଦେଖି ଆଶ୍ଚର୍ଯ୍ୟ ହୋଇଥିଲେ-। ଦେହର ମୁହଁର ଶିରୀ ତୁଟିଛି, ହାତ ଗୋଡ଼ ସରୁ ହୋଇଯାଇଛି, ଆଖି କୋରଡ଼ରେ ପଶି ଜଳୁଛି, ଥୋଡ଼ିରେ ଗାଲ ହାଡ଼ରେ କଠିନତା ଭିତରେ ଅଳ୍ପ ଅଳ୍ପ ଖାଲ ଖାଲ ଗାର ଗାର, ଯେମିତି ପିଟା ବାସନ, ଢଳେଇ ନୁହେଁ । ହଠାତ୍‌ ତା’ର ବୟସ ବଢ଼ି ଯାଇଛି, ପିଲା ଖେଳ ନାହିଁ କି ପିଲାଳିଆ ସରସପଣ ନାହିଁ । ସଙ୍ଗେ ସଙ୍ଗେ ବଦଳି ଯାଇଛି ଜୀବନ ପ୍ରତି ତା’ର ଦର୍ଶନ, ସେ ହେବ ନିଷ୍ଠୁର, କ୍ଷିପ୍ର, କାର୍ଯ୍ୟକୁଶଳ, ସେ କିଛି ହେଲେ ହେବ । ଯେମିତି ଆଦ୍ୟ ଯୌବନରେ ଆଘାତ ପାଇ ସାରି ଦାକ୍ଷିଣାତ୍ୟ ବାହୁଡ଼ା ଆରଙ୍ଗ୍‌ ଜେବ୍‌ । ଏତିକି ବେଳେ ସେ କାମ ଖୋଜି ବୁଲିଲା, ମଟର କାମ ଶିଖିବାରେ ଲାଗିଗଲା ।

 

ତାକୁ ଏହି ଅବସ୍ଥାରୁ ଉଦ୍ଧାର କରିଥିଲା ରେବ ।

 

ତା’ପରେ ସେ ହେଲା ଉଦାର ପଶୁ, ଆଉ କବିତା ଖାଜିନାହିଁ । ଖାଲି ବୁଝେ ଆପଣାର ପ୍ରୟୋଜନ ଆଉ ପ୍ରୟୋଜନ ମେଣ୍ଟାଇବା ପାଇଁ ସୁବିଧା । ସୁବିଧା ନ ଥିଲେ ସେ ଆପଣାକୁ ସଂଯତ କରେ, ତେଣୁ ସାମାଜିକତାର ଅସଲ ଆଇନ୍‌କୁ ସେ ମାନି ଚଳେ, ଦଶ ଲୋକଙ୍କ ଆଖିରେ ସେ ଭଦ୍ର, ସଭ୍ୟ, ଶାନ୍ତ ସୁଧାର । ସୁବିଧା ଅନୁସାରେ ତାକୁ ଯାହା ମିଳେ ତାକୁ ସେ ଆଖିବୁଜି ଗିଳେ, ସେହି ମୁହୂର୍ତ୍ତକ ସେ ଖୁସି । ଯାହା ନ ମିଳିଲା ସେଥିପାଇଁ ତା’ର ଦୁଃଖ ନାହିଁ ।

 

ବଢ଼ି ଉଠୁଥିବା ଯୌବନ ବେଳରେ ଟଣକି ଉଠୁଥିବା ରକ୍ତ ମାଂସର ଦେହର ସର୍ଜନକାମୀ ଉତ୍ତେଜନାର ତାଡ଼ନାରେ କାମ ପ୍ରବୃତ୍ତିର ଦଂଶନର ଜ୍ୱାଳା ତାକୁ ବିଚଳିତ କରେ, କିନ୍ତୁ ପ୍ରୟୋଜନ ତା’ର ଖାଲି ଏତିକି ନୁହେଁ । ବହୁତ ଦିନ କି ମାସଯାକେ ଏଇ କୁହୁଳୁଥିବା ନିଆଁକୁ ଢାଙ୍କି ରଖି ସେ ନାନା ନୂଆ ନୂଆ ପ୍ରୟୋଜନ ମେଣ୍ଟାଇବାରେ ମୁଣ୍ଡ ଖଟାଏ, ଦେହ ବଳ ଝଡ଼େଇ ହୁଏ, ଆପଣାକୁ ପ୍ରକାଶ କରେ । ସେ ଖରାରେ ଝାଳ ସରସର ହୋଇ ଫାଉଡ଼ା ମାରି ମାରି ଘାସ ତାଞ୍ଚିଛି, ଘର ଚଉକତି ଅଳିଆ ସଫା କରିଛି, ବାଡ଼ବୁଜି ପଟାଳି ହାଣି ବାରି ଲଗାଇଛି, ଟାଙ୍ଗିଆ ଧରି କାଠ ହାଣିଛି, ମଟର କାମରେ ରହି ଟ୍ରକ୍‌ ତଳେ ଚିତ୍‌ ହୋଇ ପଡ଼ିଯାଇ ମଟର ତେଲର କାଣ୍ଟି ଲାଗି ହୋଇ ଖୁଟୁରୁ ଖୁଟୁରୁ କରି ମରାମତି କରିଛି ଅଖିଆ ଅପିଆ ସକାଳୁ ଯେ ଦିନ ଦୁଇଟା ତିନିଟା ଯାକେ, କାମଟିଏ ସଂପୂର୍ଣ୍ଣ ହେଲେ ଖୁସି ହୋଇଛି, ମଟର ଚଳାଇଲା ବେଳେ ରାସ୍ତାରେ ପ୍ରତିଦ୍ୱନ୍ଦିତା କରିଛି, କଥାରେ ବ୍ୟବହାରରେ ପର ଆଗରେ ଟେକ ରଖିବାକୁ ଯାଇ କେତେବେଳେ କେତେ ଯୁକ୍ତିତର୍କ କେବେ କଦବା ତୁଣ୍ଡ କଜିଆ କି ଦାତ କଜିଆ କରିଛି ମାଡ଼ ଦେଇଛି ଓ ଖାଇଛି, ପଇସା ରୋଜଗାର କରିଛି ଓ ମନଇଚ୍ଛା ଖର୍ଚ୍ଚ କରିଛି । ଏମିତି ଏ ପ୍ରତି କାମରେ ତା’ର ଜୀବନ ଆପଣାକୁ ପ୍ରକଟାଇଛି, କେଉଁଟା ନ ହେଲା ବୋଲି ସେ ହାତ ଟେକି ବସି ନାହିଁ ।

 

କିଏ ଆସିଲା, କିଏ ଗଲା ସେ ନିଜେ ଅବା କେଉଁ ଗଛତଳେ ଝାଳ ମାରିଥିଲା ଆଉ କୁଆଡ଼େ ଗଲା,–ସେ ପାଞ୍ଜି ଲେଖିନାହିଁ, ଜାଣି ଜାଣି ହେତୁ ରଖିନାହିଁ । ସେ କେବେ ଭାବି ନଥିଲା ଯେ ସେ ଗୋଟାଏ କେହି ନାମୀ ଓଜନିଆ ହୋଇ ହେବ ଯାହା କଥା ଲୋକେ କୁହାକୋହି ହେଉଥିବେ, ଇତିହାସରେ ଯାହାର ନାଁ ରହିବ, ଯେ ଲୋକଙ୍କୁ ନଚେଇବ ପକାଇବ ଆଡ଼େଇବ ଅମଳ କରିବ । କାହିଁକି ସେ ଜନ୍ମ ହୋଇଛି । କାହିଁକି ଯେ ବଞ୍ଚିଛି କି ବଞ୍ଚିବ ଏତେ କଥା ସେ ଭାବିବାକୁ କେବେ ଆବଶ୍ୟକ ଭାବି ନାହିଁ । ପାପ ପୁଣ୍ୟ ଆଚାର କଥା ଲୋକେ କହନ୍ତି ସେ ଶୁଣିଛି, ସେ ଦେଖିଛି ଯେମିତି ଚଳିଲେ ଭଲ ଲାଗେ ଆଉ ସୁସ୍ଥ ଲାଗେ ସେଥିରୁ ବେଶି ଭାଗକ ପୁଣ୍ୟର ଆଉ ଭଲ ଲୋକିର ଚଳନ୍ତି ସଂଜ୍ଞା ଭିତରେ ଆପେ ଆସିଯାଏ, ଆଉ ଯାହା ମୁଣ୍ଡ ଗୋଳମାଳ କରେ, ସମ୍ପର୍କରେ ଗୋଳମାଳ ଆଣେ, ନିଦ ନଷ୍ଟ କରେ ସେଥିରୁ ବେଶି ଭାଗକ ପାପର ସଂଜ୍ଞା ଭିତରେ ପଡ଼େ । ଆଉ କେତେ କାର୍ଯ୍ୟ ମନେପଡ଼େ ଯେ ସବୁଆଡ଼ୁ ସୁଖ ଲାଗୁଥାଏ କିନ୍ତୁ ତା’ର ପରିଣାମ ସହିବାକୁ ହେଲେ ସେ ହୁଏ ଦୁଃଖର, ଦୈବର ବିଚିତ୍ର ଗତିରେ ଯଦି ତା’ର ପରିଣାମ ସହିବା ଯୋଗରୁ ଅବ୍ୟାହତି ମିଳେ ତେବେ ଆଉ ମନ ଦକଦକ ହୁଏ ନାହିଁ । ଅନ୍ୟମାନଙ୍କ ସଙ୍ଗେ ସମ୍ପର୍କ ଗୋଳମାଳିଆ ହୁଏ ନାହିଁ । ଯାହା ତା’ର ଆପଣା ମନ ଆଗରେ ଜଳନ୍ତା ପାପ ବୋଲି ଚିରକାଳକୁ ଅବ୍‌ଶୋଷ୍‌ ହୋଇ ରହିଥାନ୍ତା କେହି ନଜାଣି ଧରା ନପଡ଼ି ସେ କେଡ଼େ ସୁନ୍ଦର ପାଶୋରି ହୋଇଯାଇଛି, ସେ ଆଉ ନାହିଁ, ତାକୁ କେହି ଦେଖିନାହିଁ, ସେ ନିଜେ ତାକୁ ସତ ବୋଲି ସ୍ୱୀକାର କରୁନାହିଁ । ଅତଏବ ତା’ ନିଜ ମନଆଡ଼ୁ ସୁଦ୍ଧା ଭାବି ଦେଖିଲେ ସେପରି ଘଟନା ଖାଲି ମନଗଢ଼ା କଳ୍ପନା । ନିଛାଟିଆ ଖରାବେଳେ ଥିର ପାଣି ଉପରେ ନିଃଶବ୍ଦରେ ଯେମିତି ହଠାତ୍‌ ମାଛ ପଲେ ଭାସି ଉଠନ୍ତି, ହଲ୍ ନାହିଁ ଚଲ୍‌ ନାହିଁ, ପୁଣି ଆର ମୁହୂର୍ତ୍ତରେ ସେମାନେ ଥିରି କରି କେତେବେଳେ ବୁଡ଼ିଯାଇ ଅଦୃଶ୍ୟ ହେଲେଣି ଆଉ ଲାଗୁଛି, ସତେ ସେମାନେ କେବେ ପାଣି ଉପରେ ଭାସି ନ ଥିଲେ, ସେଇଟା ମନର ଭ୍ରମ, ସେମିତି ତା’ର ଚିଆଁ ଚେତନାକୁ ଆବାକାବା କରିଦେଇ କେତେବେଳେ ସେସବୁ ସ୍ମୃତି ମନରେ ଉଏଁ ଆଉ ଛପିଯାଏ, ଆଉ ଏତେ ଭାବିବାକୁ ସେ ହେତୁ କରେନାହିଁ ।

 

ତା’ ମନରେ ବି ସକ ଆଉ ସରାଗ ଥିଲା, କାହା ଓଠର ହସ ପାଇଁ, କାହାର ଭଅଁର ଡୋଳା ପାଇଁ କି ଭୁଲତାଛଟା ପାଇଁ, କାହାଠୁଁ ସ୍ନେହ ସମ୍ଭାଷଣ ପଦେ, କିଏ ଖୁସି ହେବ କିଏ ରୁଷିବ–ଏଥିପାଇଁ ସେ କେଡ଼େ ଖାତିରି କରୁଥିଲା । କିନ୍ତୁ ଯେତେବେଳେ ସେ ଅଭାବର ହାକୁହାକୁ, ଶ୍ରମର ଝାଇଁ, ସଂସାରରେ ବିଷୟ ଗୋଟେଇବା କାର୍ଯ୍ୟରେ ଆମ୍ବ ଗୋଟେଇବାଠୁଁ ଯେଉଁ ଅଧିକ ବାଦବୁଦିଆ ଧରାପରା ଲାଗେ ତାକୁ ଅନୁଭବ କଲା, ତା’ର କୈଶୋରର ମୂଲ୍ୟବୋଧ ସେତେବେଳେ ବଦଳିଗଲା । ସେ ବି ଅବିଶ୍ୱାସ ତାଚ୍ଛିଲ୍ୟ ଓ ଶ୍ଲେଷ ମିଶାଇ ବଙ୍କା ହସ ହସିବାକୁ ଚେଷ୍ଟା କଲା, ରୁଢ଼ି, ଧୂଳି ଓ ଝାଳ ହୋଇ ଦର୍ପଣରେ ତା’ ମୁହଁ ରୁକ୍ଷ ଦିଶିଲେ ତାକୁ ବରଂ ସେ ଛବି ଭଲ ଦିଶିଲା, ସେ ତା’ ଥୋଡ଼ିରେ ରୁଢ଼ ଉପରେ ହାତ ବୁଲେଇ ବୁଲେଇ ତାକୁ ବାରି ବାରି ମନରେ ତୃପ୍ତି ପାଇଲା, ଭାବି ଖୁସି ହେଲା ସେ ପ୍ରସ୍ତୁତ । ସେତେବେଳେ ଏପରି ଧାରଣା ବି ତା’ ମନରେ ଆସିଛି ଯେ ସେ ବି ଦାଢ଼ି ଛାଡ଼ିଦିଅନ୍ତା, ସେ ବି ତା’ ଥୋଡ଼ିରେ ବାନ୍ଧନ୍ତା ଗୋଟାଏ ଜାଲଶିକା ଆଉ ଲମ୍ବା ଦାଢ଼ିକୁ ସେଥିରେ ଥୋଇ ଟେକି ବାନ୍ଧିଦିଅନ୍ତା, ବଡ଼ ବଡ଼ ନିଶ ଛାଡ଼ି ଦିଅନ୍ତା, ମୁଣ୍ଡରେ ଭିଡ଼ନ୍ତା ଗୋଟାଏ ପଗଡ଼ି, ଆଉ ଆଖି ତରାଟି ଚାହାଁନ୍ତା ଦର୍ପଣରେ ନିଜ ମୁହଁର ଛାଇକୁ, ଗୋଟାଏ ଆବୁ ଆବୁଆ ଟାଣୁଆ ଜନ୍ତୁ, ତା’ଠିଁ କଅଁଳ ପଣର ଦୁର୍ବଳତା ନାହିଁ । ବାଜୁ ସେ ମୁହଁରେ ଦେହରେ ଝାଞ୍ଜିର ତାଉ, ଗାଲରେ ବାଜି ଚାଲିଯାଉ ମଟର-ଧୂଆଁ, ଧୂଳି ଝଡ଼, ନିଗୁଡ଼ୁଥାଉ ଦରଦର ଝାଳ, ଯାହା ଆସୁ, ସେ ପ୍ରସ୍ତୁତ ।

 

ଏଇ ଧାରଣା ଆସିବା ଆଗରୁ ଦିନାକେତେ ତାକୁ ଗ୍ରାସ କରିଥିଲା ଗୋଟାଏ ନିଃସଙ୍ଗ ପଣର ରୂପକ । ସତେ ଯେପରି ସେ ନଈରେ ବୁଡ଼ିମରୁଛି, ଗୋଡ଼ ପାଉନାହିଁ, ପହଁରିଲାବେଳକୁ ହାତଗୋଡ଼ ଚଳୁନାହିଁ, ବୁଡ଼ିଯାଉଛି, ପାଣି ଢୋକିପକାଉଛି, ପୁଣି ଉଠିପଡ଼ୁଛି ସେ ବିଭୀଷିକାକୁ ଆହୁରି ଭୟଙ୍କର ଭାବେ ହୃଦବୋଧ କରିବାକୁ । ସେ ଆତୁର ହୋଇ ମନେ ମନେ ଡାକୁଛି ମୋର କିଏ ଅଛ ଆସ, ସେହି ସାହାଯ୍ୟ ଖୋଜା ଆକୁଳତା ଭିତରେ ଥିଲା ତା’ର ସବୁ ସ୍ନେହ ସମ୍ବନ୍ଧର ଉଦବୋଧନ, ଏତେ ଦିନର ସବୁ ସଞ୍ଚିତ ବିଶ୍ୱାସ, ଏମାନେ ମୋର, ମୁଁ ଏମାନଙ୍କୁ ଘେନି ନିଧଡ଼କ, ନିଭିଯିବା ଆଗରୁ ତା’ର ଏତେ ଲୋକଙ୍କ ପ୍ରତି ମମତା ଝଲସି ଉଠିଥିଲା । କାହିଁକି କେମିତି ସେମାନେ ଆସ୍ତେ ଆସ୍ତେ ଆଡ଼େଇ ହୋଇଗଲେ ସେ ଜାଣି ନାହିଁ, କୈଶୋରରେ ଲାଗୁଥିଲା ସମସ୍ତିଙ୍କୁ ଛାଡ଼ିଦେଲେ ତା’ର ଅସ୍ତିତ୍ୱ ନାହିଁ ଅଥଚ ତା’ପରେ ସେମାନେ କେହି ତା’ର ନୁହନ୍ତି, ସ୍ନେହ ଖାଲି ତଣ୍ଟିଠୁଁ ଉପରଯାକେ, ସେ ଏକୁଟିଆ ଲୋକ ।

 

ତା’ପରେ ନିଜ ବାଟରେ ନିଜେ ସେ ଏକୁଟିଆ ହୋଇ ରହିଲା, କାହାର ପରାମର୍ଶ କି ଉପଦେଶ ମାଗିଲା ନାହିଁ, କାହାଠୁଁ କିଛି ନେବାକୁ ତାକୁ ମାଡ଼ି ପଡ଼ିଲା, କାହାକୁ କିଛି ଦେବାକୁ ବି ତା’ ହାତ ଗଲାନାହିଁ, ଆଉ ତା’ ଗତି କି ବୃଦ୍ଧିର ଏଇ ଅବସ୍ଥାରେ ଦୁନିଆଟାଯାକ ପ୍ରତି ତା’ର ଆସିଲା ତାଚ୍ଛିଲ୍ୟ, ସମାଲୋଚନା କରିବାକୁ ମନୋଭାବ, ସବୁ ବିଷୟର ମୂଲ କଷିଦେଇ ସେ ଦି’କଡ଼ା କରିଦେଲା, ନିଜ ଭିତରେ ଅନୁଭବ କଲା ଅସହିଷ୍ଣୁତା, ଆଶାନ୍ତି, ଗୋଟାଏ ହୁରୁହୁରୁ ତରତର ଭାବ-

 

ଯେତେ ଯେ ଭେକ ରଖି ବଡ଼ପଣ କି ଭଲପଣ ଦେଖାଉଛନ୍ତି, କିଏ ଚରିତ୍ରର କିଏ ଧାର୍ମିକତାର କିଏ ପରୋପକାରିତାର କିଏ ଆଉ କେଉଁ ଗୁଣର ସବୁଠିଁ ସମସ୍ତିଙ୍କଠିଁ ଅଛି ଠକାମି,- ସେ ବିଶ୍ୱାସ କଲା । ସେମାନେ ଲୋକ ଦେଖାଣିଆଁ, ସେମାନେ ନକଲି, ଜାଲ୍–ସେ ବାରମ୍ବାର ଦମେଲେଖାଁ ବିଡ଼ି ଟାଣିଲା ଆଉ ଦାନ୍ତ ଚିପିଚିପି କହିଲା ମନକୁ ମନ । ଖଞ୍ଜା ଭିତରେ ଘର ଭିତରେ ଲୁଚେଇ ଚୋରେଇ କିଏ କେତେ କ’ଣ ନକରୁ ଥିବେ, ପଦାକୁ ‘ଗୋଟିକଯାକ ତୁଳସୀ’ । ଧରା ନପଡ଼ିବାଯାକେ ସମସ୍ତେ ସତୀ ଲକ୍ଷ୍ମୀ, ସମସ୍ତେ ଧର୍ମ ଯୁଜେଷ୍ଠି । ଧରା ପଡ଼ିଯିବା ଅର୍ଥାତ୍ ହାରିଯିବାହିଁ ସବୁଠୁ ବଡ଼ ଦୁର୍ଭାଗ୍ୟ, ତା’ହେଲେ ଭେକ ରଖିହେବ ନାହିଁ, ମୁଖା ଯିବ ଚିରି, ସମାଜର ମୁଖାପିନ୍ଧା ଲୋକେ ଚୋଟ ଚୋଟ କରି ହାଣିବାକୁ ଅଧିକାର ପାଇଯିବେ । ହାରେ ଗରିବ ହାରେ ଓଲୁ, ଅଣହୁସିଆର, ଆଉ ବେଳେ ବେଳେ ତୁଚ୍ଛଟାରେ ଲୋକ ହାରିଯାଏ, ସେ ହତଭାଗା । ଚିହ୍ନାଜଣା ଭିତରୁ କେତେ ଲୋକ ସେମାନଙ୍କ ଭାରିଯାମାନଙ୍କ ପତିବ୍ରତାପଣ କଥା ଭାବି ଗର୍ବିତ ହେଉଥିବେ ! –ସେ ଭାବେ ଆଉ ମନେ ମନେ ହସେ କାରଣ ସେହି ଭଦ୍ରମହିଳାମାନଙ୍କୁ ସେ ଚିହ୍ନେ-। ସେମାନେ ବିଶ୍ୱାସ ରଖି ଖୁସି, ସେ ବି ନିଶ୍ଚିନ୍ତ । ସେ ଭାଳେ ସେ ଉପରେ ପଡ଼ି ଖେଳେ ନାହିଁ, ଲୋକେ ତାକୁ ଖେଳିବାକୁ ଆସ ବୋଲି ଡାକନ୍ତି, ତୁଣ୍ଡରେ ନ କହିଲେ ବି ଭାବଭଙ୍ଗିରେ ଡାକନ୍ତି, ଗୁରେଇ ତୁରେଇ ହୁଅନ୍ତି । ଅବିଶ୍ୱାସ ଭିତରେ ଏମିତି ତା’ର କେତୁଟା ମନଗଢ଼ା ବିଶ୍ୱାସ ଥିଲା । ତହିଁରୁ ଗୋଟାଏ ବିଶ୍ଵାସ ଯେ ଅନ୍ୟାନ୍ୟ ପୁରୁଷମାନଙ୍କ ତୁଳନାରେ ତାଠିଁ ଏପରି କିଛି ବଳକା ମୋହନୀ ଗୁଣ ଅଛି ଯେଉଁଥିପାଇଁ ସ୍ତ୍ରୀଲୋକମାନେ ତାକୁ ଭାରି ଖୁସି ପାଆନ୍ତି । ସେମାନଙ୍କ ପ୍ରତି ବି ତା’ର ସମ୍ମାନ ନ ଥିଲା, ତାଙ୍କୁ ନିଜଠୁ ସାନ ଭାବି ଦୟା କରିବା ମନୋବୃତ୍ତିକୁ ସେ ଆଦରି ନେଇଥିଲା-। ସେମାନେ ମୋହରେ ପଡ଼ିଲେ କେଡ଼େ ଚଞ୍ଚଳ ଆଖି ବୁଜି ଦିଅନ୍ତି ! ତାଙ୍କର କି କାତରତା ଅଥଚ ଆପେ ନିରାପଦ ରହିବେ ବୋଲି କି ଡର ! ସେମାନେ କେଡ଼େ ନିର୍ବୁଦ୍ଧିଆ !

 

କିନ୍ତୁ ଘଟଣା ଉପରେ ଆପଣା ଭାଗ୍ୟକୁ ସେ ବାରମ୍ୱାର ପରଖି ପରଖି ଦେଖିଛି ସେ ଭାଗ୍ୟବାନ୍ । ତା’ ନ ହୋଇଥିଲେ ରେବର ବାହାଘର ଆଉ ଯୋଡ଼ିଏ ମାସ ଡେରି ହୋଇ ପାରିଥାନ୍ତା, ତେବେ ରେବ ଧରା ପଡ଼ିଥାନ୍ତା ଓ ପ୍ରାଣ ବିକଳରେ ତା’ ନାଁ ପଦାରେ ପକାଇଥାନ୍ତା, ସରି ଯାଇଥାନ୍ତା ତା’ର ଭଲଲୋକି !

 

ସେ ବୁଝେ ସେ ଭାଗ୍ୟବାନ । ତେଣୁ ନିଜକୁ ପ୍ରଶଂସା କରେ ସେ ବୁଦ୍ଧିମାନ୍ ଓ ସାହସୀ-। ସେ ଧୁରନ୍ଧର, ନିଜ ହାତରେ ସେ ପନ୍ଦରପା ।

 

ତା’ପରେ ରମା ଆସିଲା ଆଉ ତହିଁର କିଛିଦିନେ ତାଠିଁ ପରିବର୍ତ୍ତନ ଘଟିଗଲା । ଦରମଲା ଗଛ କଅଁଳି ଉଠିଲେ ପୁଣି ଯେମିତି କୁଆଡ଼ୁ କୁଆଡ଼ୁ ଚଢ଼େଇ ଉଡ଼ି ଆସନ୍ତି ସେମିତି ତା’ ପାଖକୁ ଲେଉଟି ଆସିଲା ହୃଦୟ ଦେଇ ଭଲପାଇବା ଶକ୍ତି, ଏ ସଂସାରରେ–ଭଲପଣ ଓ ଭଲ ଗୁଣ ଅଛି ବୋଲି କିଛି ବିଶ୍ୱାସ, କିଛି ପରିମାଣରେ ଆନ୍ତରିକତା, ଜୀବନ ପ୍ରତି ତୁଚ୍ଛା କୁତୂହଳୀ ଭଙ୍ଗୀ ପରିବର୍ତ୍ତେ ଜୀବନର ଆକର୍ଷଣ ପ୍ରତି ଟିକିଏ ମୋହମିଶା ସମ୍ମତି । ଏହାଛଡ଼ା ତା’ର ମୂଲ୍ୟବୋଧରେ ବି ଟିକିଏ ପରିବର୍ତ୍ତନ ହେଲା, ଆଗେ ଯହିଁରେ ମୁହୂର୍ତ୍ତକର ସୁଖ ଆନନ୍ଦ ମିଳୁଥିଲା ସେହିଆ ଥିଲା ତା’ର ପସନ୍ଦ, ଜିନିଷ ଭୋଗକଲା ତା’ ଉତ୍ତାରୁ ତା’ର ଅନ୍ୟ ଜିନିଷ ଦରକାର, କେଉଁ ଲୋକ କେତେବେଳେ ତାକୁ ଭଲ ଲାଗିଥିଲା ଯେ ତା’ ସଙ୍ଗେ ହୋ ହୋ ହୋଇ ଅଳ୍ପ କେତେବେଳେ ସାଙ୍ଗ-ସୁଖ, ତା’ପରେ ଅନ୍ୟ ପରିସ୍ଥିତିରେ ଅନ୍ୟସାଥୀ । କିନ୍ତୁ ରମା ଆସିଲା ଉତ୍ତାରୁ ହର ତା’ର ସମ୍ବନ୍ଧ ସମ୍ପର୍କ ଓ ରୁଚିରେ ଖୋଜିଲା ସ୍ଥାୟିତ୍ୱ, ତା’ର ମୂଲ୍ୟବୋଧ ଭିତରେ ସମୟର ଚେତନା ଆସି ପହଞ୍ଚିଗଲା । ସେ ବାରିବାକୁ ଆରମ୍ଭ କଲା–ଏ ଜିନିଷଟା ଅଳ୍ପଛୁଣୁକାକେ ଭାଙ୍ଗି ନଷ୍ଟ ହେବ, ଏ ଅନୁଭୂତିଟା ଅଳ୍ପ ସମୟ ପରେ ବଦଳି ଯିବ, ଏ ମଣିଷ ସଙ୍ଗେ ପଟିବା କି ସ୍ନେହ ହେବାରେ କିଛି ଫଳ ନାହିଁ କାରଣ ଆଉ ଘଡ଼ିକୁ ୟେ ଚାଲିଯାଇଥିବ । ଏହା ବେଶିଦିନ ରହିବ ନାହିଁ ବୋଲି ସେ ଭାବିଲା ତାକୁ ସେ ଅସୁଖ ପାଇଲା । ବୁଢ଼ା ବୁଢ଼ାଙ୍କ ପ୍ରତି ତା’ର ସମ୍ଭ୍ରମ ହେଲା, ଆଉ ଯେତେଠିଁ ଯେତେ ଠାକୁର ତା’ ନିଘାରେ ପଡ଼ିଲେ, ଗଛରେ ସିନ୍ଦୂର କି ପଥର କି ଚିତ୍ର କି ମୂର୍ତ୍ତି, ଆଗପରି ନ ଦେଖିଲା ଭଳି ଚାଲି ନଯାଇ ସେଠି ସେ ଟିକିଏ ହେଲେ ଅଟକି ଯୋଡ଼ା ପାପୁଲି ମୁଣ୍ଡରେ ମାରିଲା ଓ ମନେ ମନେ କେତେ ଆଶା ପୂରଣ ପାଇଁ ସେ ଜଣାଣ କଲା, ଆଗ ତା’ ସ୍ତ୍ରୀର ମଙ୍ଗଳ ପାଇଁ ତା’ପରେ ତା’ ନିଜ ପାଇଁ । ଆଗେ ଆଶା ଆକାଂକ୍ଷା ଯେତେବଳେ ଯାହା ଆସୁଥିଲା ସେ ତହିଁରେ ଓଟାରି ହୋଇ ଖଣ୍ଡେ ବାଟ ଯାଇ ବାଟ ଭାଙ୍ଗୁଥିଲା, ତାକୁ ପାଶୋରୁଥିଲା କିନ୍ତୁ ସେଗୁଡ଼ାକ ଏଣିକି ପାଖକୁ ପାଖ ହୋଇ ଯେମିତି ତା’ ଭିତରେ ଘର କଲାଣି, ତା’ର ସମଷ୍ଟିକୁ ସେ ଆଖି ଆଗରେ ଦେଖିପାରୁଛି ଓ ତହିଁରେ ତା’ର ଜୀବନରେ ଗୋଟାଏ ଯୋଜନାର ସ୍ଥାନ ଅଛି ବୋଲି ତାକୁ ଲାଗୁଛି, ତା’ ପୁଣି ସ୍ପଷ୍ଟ ହୋଇ ଦିଶୁଛି,- ସେ ଏଇଆ ଚାହେଁ ।

 

‘‘ମୁଁ ଏଇଆ ଚାହେଁ’’ ! ଆପଣା ମନଗଢ଼ା ଏଇ ଧାରଣା ତା’ର ଚିନ୍ତା ଓ ଚେତନାର ଅସରନ୍ତି ପ୍ରବଣତାକୁ ସୀମିତ କରି ତା’ ଆଗରେ ଥୋଇଥିଲା କେତେଟା କଣ୍ଢେଇ ଗଢ଼ିବାକୁ ଛାଞ୍ଚ, ତା’ପରେ ସେ ସେହି କଣ୍ଢେଇ ଗଢ଼ିବାରେ ଲାଗିଯାଇଥିଲା କାରିଗରର ସ୍ୱଭାବ ସୁଲଭ ନିଶାରେ, ଅଥଚ ତା’ ଜୀବନ ଯେତେବେଳେ ଏହି କ୍ରମ ନେଲା, ସେତେବେଳେ ସେ ପ୍ରକୃତରେ ତା’ର ମୌଳିକ ସ୍ୱାଧୀନତା ହରାଇ ହୋଇଯାଇଥିଲା ଗୋଟାଏ ମାମୁଲି କଳ, ଯାହା ଅସୀମ, ଯାହା ଅଜ୍ଞେୟ, ଯାହା ସୂକ୍ଷ୍ମ, ଯାହା ଅତିନ୍ଦ୍ରିୟ, ଆପେ ଆପେ ସେଥିରୁ ସେ ଅପସରି ଆସି ସଂସାରର ଚଳନ୍ତ ଖୋଳପାରେ ପରିଣତ ହୋଇଥିଲା । ତା’ ଆଖିରେ ଆଉ ନ ଥିଲା ସେହି ଆଗକାଳର ଅକାରଣ ହସ, ତା’ ବ୍ୟବହାରରେ ନ ଥିଲା ମନଇଚ୍ଛା ଅମଡ଼ା ମାଡ଼ିଯାଇ କେଉଁଠି ଆଲୁଅ କେଉଁଠି ସୌରଭ କେଉଁଠି ସ୍ନିଗ୍ଧ ସ୍ପର୍ଶ ଅଜାଡ଼ି ଦେବା ଖୋଇ । ନା, ସେ ବିନା ମତଲବ ଥାଇ କେଉଁଠିକୁ ଯିବନାହିଁ, କିଛି କରିବନାହିଁ, କାହା ସଙ୍ଗେ ସମ୍ପର୍କ ରଖିବ ନାହିଁ, ତା’ ବୟସର ଆଉ ଦଶଜଣଙ୍କ ପରି ସେ ହିସାବୀ ସଂସାରୀ ଭଦ୍ରଲୋକ । ତା’ ଦୃଷ୍ଟିରେ ଗମ୍ଭୀର ଲାଭଲୋକସାଣତଉଲା ହିସାବୀ ଭଙ୍ଗୀ, ସମସ୍ତିଙ୍କ ପରି ସେ ବି ଚାହେଁ ନିଦା ସଂସ୍ଥିତି ଗଢ଼ିବାକୁ ।

 

ସେହି ଆଉମାନେ, –ଅନେକେ ଖୋଜନ୍ତି କୋଠାଘର ତୋଳ ହେବ, ଭଡ଼ା ଲାଗୁ ପଛେ, ଭୋଗ ନ ହେଉ, ମଟରଗାଡ଼ି ହେବ, ବ୍ୟାଙ୍କ ଖାତାରେ ସଞ୍ଚୟର ହିସାବ ବଢ଼ିବ, ଗାଁରେ ଜମି ବଢ଼ିବ । ହାତରେ ଚାଷ ନ ହେଉ ପଛେ, ଦଶଜଣ ଲୋକ ଦଣ୍ଡବତ କରୁଥିବେ, ବଡ଼ ବୋଲି ମାନୁଥିବେ, ତାଙ୍କରି ବୋଲରେ ହଲୁଥିବେ । ଘରେ ଭାରିଯା ଅଳଙ୍କାର ବୋଝରେ ହାଲିଆ ହେଉଥିବ, ରେଡ଼ିଓ ଗର୍ଜନରେ କାନ ଅତରା ପଡ଼ୁଥିବ, ଛୁଆପିଲା ପୂରିଥିବେ, ଭଲ ଖାଉଥିବେ ପିନ୍ଧୁଥିବେ ଉଡ଼ୋଉଥିବେ, ତା’ପରେ ଝିଅମାନଙ୍କ ପାଇଁ ବଡ଼ ପାସ୍ ବଡ଼ ଟଙ୍କାବାଲା ବର ମିଳିଯିବେ , ପୁଅମାନଙ୍କ ପାଇଁ ମିଳିଯିବେ ସୁନା ବର୍ଣ୍ଣର ବୋହୂମାନେ, ବିଦୁଷୀ, ଯୌତୁକବତୀ, ଦଶଟା ଚାକରାଣୀଠୁ ବଳି ପରିଶ୍ରମୀ ଝିଅ, ଅଥଚ କଳାକୂଶଳା, ରୂପବତୀ, ଗୁଣବତୀ ସବୁ ।

 

ହର ବି ଭାବୁଥିଲା ଏଇ ବାଟରେ, ଟିକିଏ ଊଣା କରି । ଗାଁରେ ତା’ର ପଡ଼ିଯାଇଥିବା ଘର ଆଗପରି ହୋଇ ଠିଆହୁଅନ୍ତା, ଆଉ ଜମି ପାଞ୍ଚମାଣ ହୁଅନ୍ତା, ନିଜର ହୋଇ ଥାଆନ୍ତା ଖଣ୍ଡେ ମଟର ଟ୍ରକ୍‌ ସେ ଡ୍ରାଇଭର ରଖି ଭଡ଼ା ବୁହାନ୍ତା, ମାଟିକାମ ଠିକା ନେଇ ସେ କାନ୍ତରାଟି ହୁଅନ୍ତା, ଖଣ୍ଡେ ମଟରସାଇକଲ ରଖି କାମ ତଦାରଖ କରି ବୁଲନ୍ତା, ଗୋଟିଏ ଚାଉଳକଳ ପକାନ୍ତା, ତା’ ଭାରିଯା ପାଇଁ ଜାତି ଜାତି ଅଳଙ୍କାର ଆଉ ଶାଢ଼ି କିଣୁଥାନ୍ତା’ ପିଲା ହୁଅନ୍ତେ ସାତ ଆଠଟି, ସେମାନେ ପାଠ ପଢ଼ନ୍ତେ, ବଡ଼ ମଣିଷ ହୁଅନ୍ତେ, କିଏ ବଡ଼ ଚାକିରିଆ, କିଏ ବଡ଼ ନେତା, ଘର ଭିତରେ ଜଣେ ହେଲେ ହୁଅନ୍ତା ଜଣେ ମନ୍ତ୍ରୀ । କେତେ ଲୋକ କେଡ଼େ ସାନରୁ ଆରମ୍ଭ କରି ଲକ୍ଷପତି ହେଉଛନ୍ତି ସେ ଦେଖୁଛି, ସେଥିପାଇଁ ଏତେ ବହି ଘୋଷିବା ପାଶ୍‌ କରିବା ଦରକାର ପଡ଼ୁନାହିଁ, କେତେ ବର୍ଷ ଖଟିଲେ ସାଧି ହେବ ସେଭଳି ବୟସ କଣ୍ଟ ବି ନାହିଁ, କିଏ ତିନି ଚାରି ବର୍ଷରେ କେତେ କ’ଣ କଲାଣି, କିଏ ତିରିଶି ବର୍ଷ ଖଟି ଖଟି ବି ଯେଉଁଠି ସେଇଠି, ହାବେଳି ଉଡ଼ାଜାହାଜର ଯୁଗ, ନିମେଷକେ ନିମେଷେକେ କିଏ ଯାଇ କାହିଁ ଅଥଚ ଏବେବି ଚାଲିଛି ପୁରୁଣା ଅମଳର ଶଗଡ଼ଗାଡ଼ି ।

 

ପଚିଶିବର୍ଷ, ଆଉ ସେଥିରେ ଏତେ ଚିନ୍ତା । ତର ତର ଯୁଗର ତର ତର ଚିନ୍ତାର ଢପ ତା’ ମୁଣ୍ଡକୁ ଘାରିଥିଲା, ଏ ଯୁଗର ଅନ୍ୟମାନଙ୍କ ପରି ସେ ବି ଖୋଜେ ତା’ର ସବୁ ଘଟିଯିବ ଜଲ୍‌ଦି, ଗୋଟାଏ ଅବସ୍ଥାରୁ ଆଉ ଗୋଟାଏ ଅବସ୍ଥାକୁ ଅତି ଦ୍ରୁତ ପରିଣତି ଆଉ ସେହି ପରିଣତି ତା’ର ଆପଣା ମନଗଢ଼ା ମାପରେ ହେବ ତା’ର ଉନ୍ନତି, ଖାଲି ଉପରକୁ ଉପରକୁ ।

 

ଏମିତି ସେ ଖୋଜୁଥିଲା ଆପଣା ବୟସର ଆଗକୁ ବଢ଼ିବାକୁ ସେତିକି ଉଦ୍ୟମ ଠୁଳ ହେଲେ ବୟସ ପଚାଶ ବର୍ଷ ହେଲା ବେଳକୁ ତା’ର ସାଂସାରିକ ଅବସ୍ଥାରେ ଯେତିକି ପରିବର୍ତ୍ତନ ଘଟନ୍ତା ସେ ସତେକି ସେହି ପରିବର୍ତ୍ତନ ଲୋଡ଼ୁଛି, ଯେମିତି ସାତ ବର୍ଷ ବୟସରେ ସେ ବିଡ଼ି ଟାଣିଥିଲା, ବାର ବର୍ଷ ବୟସ ହେଲା ବେଳକୁ ବାଇଶି ବର୍ଷ ବୟସର ଯୁବକମାନଙ୍କ ସଙ୍ଗେ ସେ ସମାନ ବୋଲି ଆପଣାକୁ ଭାବୁଥିଲା, ଅଠର ବର୍ଷ ହେଲା ବେଳକୁ ତା’ ଆଖିରେ ମୁରବି ବୋଲି କେହି ଦିଶୁ ନ ଥିଲେ, ସେ ନିଜକୁ ହିଁ ଭାବୁଥିଲା ସବୁଠୁଁ ବଡ଼ ମୁରବି ବୋଲି ସେମିତି ତା’ର ଏ ଭାବିବାର ଭଙ୍ଗୀ । ଭଙ୍ଗୀଟା ଏକୁଟିଆ ତା’ର ବୋଲି ନୁହେଁ ସେହି ହାବଭାବ ସଙ୍ଗେ ବିଚାର ବିତର୍କ ସଙ୍ଗେ ତାଳ ପକାନ୍ତି ଅନ୍ୟମାନେ ବି କେହି କେହି, ସେ ଆପଣା ଦୃଷ୍ଟି ଭଙ୍ଗୀରେ କିଛି ବିଗଡ଼ା ଅଛି ବୋଲି କେବେ ଭାବି ନାହିଁ । କିନ୍ତୁ ବେଳେ ବେଳେ ଭାବିଛି ଯେ ବୁଢ଼ାଙ୍କ ପରିବର୍ତ୍ତେ ସବୁଥିରେ ଟୋକାଏ ଆଗବଳିକା ବଢ଼ି ଉଠୁଥିବା ଆଧୁନିକତା ଓ ସଭ୍ୟତାର ହିଁ ଲକ୍ଷଣ, ଦେଖିଲେ ତା’ର ମନ ପୂରି ଉଠେ ।

 

ସହରରେ ଦେଖିଛି ଗୁରୁ-ଦାୟିତ୍ୱ ତୁଲାଉଥିଲା ଜନନେତାମାନଙ୍କୁ, ମୁହଁରୁ କୈଶୋରର କୋମଳତା ନ ଛାଡ଼ୁଣୁ ଗାମ୍ଭୀର୍ଯ୍ୟର ମୁଖା ପିନ୍ଧିଛନ୍ତି, ବୟସ୍କ ଲୋକେ ତାଙ୍କ ପାଖେ ଗୋଡ଼ାଣିଆ । ସେମିତି ଦାୟିତ୍ୱପୂର୍ଣ୍ଣ ବଡ଼ ବଡ଼ କର୍ମଚାରୀମାନେ, ନିଶ ଗଜୁରୁଥିବା ବୟସ ନ ଟପୁଣୁ ସେଥିରୁ ଜଣ ଜଣଙ୍କ ଉପରେ ଲକ୍ଷ ଲକ୍ଷ ଲୋକଙ୍କ ଭଲମନ୍ଦ ବୁଝିବା ଭାର । ସେହିପରି କିଏ କେଉଁ ବିଦ୍ୟାରେ କେଉଁ କଳାରେ ବିଶେଷଜ୍ଞ, କିଏ କେଉଁ ଶିଳ୍ପ ଅନୁଷ୍ଠାନ କାରିଗରି କି ବେପାରର ଚାଳକ, ବୁଢ଼ା ବୁଢ଼ାଏ ପଛକୁ ହଟିଲେଣି ଗାଳିଦେବାକୁ କି ସମାଲୋଚନା କରି କରି ନିଷ୍କ୍ରିୟ ହୋଇ ରହିବାକୁ, ଗାଁରେ ସେହିମାନେ ହିଁ ମୁରବି କି ଟାଉଟରି ଫିସାଦି ଦଳାଦଳି କି ମଣିଷ ମତାଇବା ଧନ୍ଦାରେ, ଅଥବା ଭେଳେଇବା ଗଢ଼ିବା କାମ ଉଠାଇବା କ୍ଷେତ୍ରରେ, ଭଲରେ ହେଉ ମନ୍ଦରେ ହେଉ, ସେହିମାନେ ହିଁ ନେତା, ଗୁରୁ ବିଚାରକ, କର୍ମୀ । ତହିଁରୁ ଅନେକେ ପୁଞ୍ଜି ବଢ଼ାଇଲେଣି, କୋଠାବାଡ଼ି ସମ୍ପତ୍ତି କଲେଣି, ଆଉ ଥୋଡ଼ାଏ ପଛେ ହାତ ଗୋଡ଼ ପିଟୁଥାନ୍ତୁ ।

 

ତା’ ମନର ଏହି ବିଚାର ବାଗ ସହିତ ବେଳେ ବେଳେ ଆସିଯାଉଥିଲା ଆଉ ଗୋଟାଏ ଭଙ୍ଗୀ, ସେ ଗୋଟାଏ ପ୍ରକାର ତାଚ୍ଛଲ୍ୟ ମିଶା ଉଦାସୀନତା ଆଉ କ୍ଲାନ୍ତି, ଜୀବନର ସବୁ ଉଦ୍ଦେଶ୍ୟ ଲୋପ ହେଲାଭଳି ଗୋଟାଏ ପ୍ରକାର ତାଚ୍ଛଲ୍ୟ ମିଶା ଉଦାସୀନତା ଆଉ କ୍ଲାନ୍ତି, ଜୀବନର ସବୁ ଉଦ୍ଦେଶ୍ୟ ଲୋପ ହେଲାଭଳି ଗୋଟାଏ ପ୍ରକାର ନୈରାଶ୍ୟ, ଆପଣା ବୟସ ଟପି ବହୁତ ଆଗକୁ ବଢ଼ିଉଠିଲେ କେତେ ଲୋକଙ୍କର ଯେମିତି ହୁଏ ସେମିତି । ଆଉ ସେତେବେଳେ ତାକୁ ଲାଗେ, ପାଇବା ନ ପାଇବା ହେବା ନ ହେବା ସମାନ, ବଞ୍ଚିବା ମରିବା ବି । ଓଠରେ ଯେଉଁ ତାଚ୍ଛଲ୍ୟର ବଙ୍କା ହସ କେତେବେଳେ ହେବ ପରକୁ ହାଣିବାପାଇଁ ଛେଲ କଟାରି ସେ ହୁଏ ବେଦନା ଭୋଗୁଥିବା ଆର୍ତ୍ତ ଲୋକର ମୁହଁ ବିକୃତି । ନୂଆ ଦେଖିବାକୁ ଜାଣିବାକୁ କିଛି ନାହିଁ, କାହାରି ଉପରେ ବିଶ୍ୱାସ ନାହିଁକି ନିର୍ଭର ନାହିଁ, ବଞ୍ଚିବା ମାନେ ଖାଲି ବଞ୍ଚିବା, ସେଥିରେ ଅର୍ଥ ନାହିଁ, ଉଦ୍ଦେଶ୍ୟ ନାହିଁ ।

 

ସେହି ଭାବନାର କଳ–ଧନ୍ଦୋଳ ଭିତରେ ବେଳେ ବେଳେ ଲାଗେ ଏଇ ସୃଷ୍ଟି ସତେକି ଭାସୁଛି ଗୋଟାଏ ବିରାଟ ଶୂନ୍ୟତା ଓ ନିଶବ୍ଦତାର ଅନନ୍ତ ସମୁଦ୍ରରେ ଯେମିତି କାର୍ତ୍ତିକର ଆକାଶରେ ଅନାବନା ଖଣ୍ଡ ଖଣ୍ଡ ମେଘ, ଅଲୋଡ଼ା ଅଦରକାରୀ ନିର୍ଦ୍ଦେଶ, କୁଆଡ଼ୁ କହିଙ୍କି ଭାସିଆସୁଛି, ତା’ର କେତେ ରଙ୍ଗ, କେତେ ଛଇ, ଆଖି ଝଲସା, ମନ ଉଲ୍ଲାସ, ତା’ପରେ ସେ କୁଆଡ଼େ ଚାଲିଯାଉଛି, ନିଭିଯାଉଛି, ନିଖୋଜ ତା’ର ପତ୍ତା ନାହିଁ । ସେହି ଶୂନ୍ୟତାର ଫାଙ୍କା ଦରିଆ ଉପରେ ସେ ଛିଣ୍ଡା ଛିଣ୍ଡା ଚୂନା ଚୂନା ହେବା ବି ଯେତିକି ସତ ପୁଣି ଯେତିକି ମିଛ ସେ ଏକାଠି ହୋଇ ଆକାର କି ଅବୟବ ଘେନିବା ବି ସେତିକି ସତ, ସେତିକି ମିଛ–ରୂପର ବ୍ୟାପ୍ତିର ସଘନ ନିବୁଜ ସମଷ୍ଟି ହଠାତ୍ ଫୋଡ଼ ଫୋଡ଼ ଚିରା ଚିରା ହୋଇଯାଇ ତା’ ପଛଆଡ଼େ ଦିଶେ ଧୂଆଁଳିଆ ନେଳି ଶୂନ୍ୟତା ହୁଏ ଟୋପା ଟୋପା ଚିତାବାଘ ଛାଲ, ତା’ପରେ ସେ କୁଆଡ଼େ ଛିନିଛତର ହୋଇଯାଏ ।

 

ଆପଣା ଅଭିଜ୍ଞତାରେ ଭାସି ଉଠୁଥିବା ଜୀବନର ତାତ୍ପର୍ଯ୍ୟ ଠିକ୍ ସେମିତି ତ, ସ୍ଥିର କ’ଣ-? ସ୍ଥାୟୀ କ’ଣ ? ସତ କ’ଣ ?

 

କେତେ ଆଲୁଅ ଆଉ ଅନ୍ଧାର ଦିନ ଆଉ ରାତି ଏମିତି ଅସରନ୍ତି ଯୁଗରୁ ଆସିଛି ଆଉ ସେହି ଫାଙ୍କା ଶୂନ୍ୟତାର ହାଉଁ ମୁହଁବାଟେ କେଉଁ ଗମ୍ଭୀରା ଭିତରେ ସତ୍ତା ହଜାଇଛି । ସେମିତି ତା’ର ନିଜର ଆଭିଜାତ୍ୟର ନିଦା ମୂଳଦୁଆ ଖଣ୍ଡକ ବି ଥିଲା ତ ଦିନେ, କାହିଁ ଗଲା ?

 

ଆଉ ଦଶ ବର୍ଷ ଆଗରୁ ସେ ଯଦି ଜନ୍ମ ହୋଇଥାନ୍ତା ଅଥବା ସହର ନ ଦେଖି ବଢ଼ି ଉଠିଥାନ୍ତା । କେଉଁ ଗଣ୍ଡ ମଫସଲର ଚାଷୀ ଖଳାରେ, ଦେଖିଥାନ୍ତା ଆଖି ବୁଜା ‘‘ଜେ’ ଜେ ‘‘ଆଉ ଦଣ୍ଡବତ ଭିତରେ ମଣିଷର ଜନ୍ମସ୍ଥିତି ଆଉ ଲୟ, ସେ ହୁଏତ ତା’ର ଏହି ଚିନ୍ତା ଭିତରେ ଗଲା ଆଇଲାର ଦର୍ଶନ ସ୍ମରଣ ଭିତରେ ନିଗୁଢ଼ ଲୀଳାମାହାତ୍ମ୍ୟ କଥା ଭାବି ଗଦ ଗଦ ହେଉ ହେଉ ଶୋଇ ପଡ଼ୁଥାନ୍ତା ଆଉ ନିଦରୁ ଉଠୁଥାନ୍ତା ମନରେ ନୂଆ ବଳ ନୂଆ ଆଶା ଘେନି ।

 

କିନ୍ତୁ ଜଡ଼ ବିଜ୍ଞାନର ପ୍ରଚଣ୍ଡ ଉତ୍କର୍ଷ ଭିତରେ ତା’ର ଅବତାର । ସେ ଦେଖିଛି ମଣିଷ ହାତଗଢ଼ା ଯନ୍ତ୍ର ଓ କାରିଗରିର କେତେ ନୂଆ ସୃଷ୍ଟି ଯାହା ଆଗରେ ପ୍ରକୃତି ମାନ୍ଦା ଆଉ ନିଷ୍ପ୍ରଭ, ନିପାରଗ ଆଉ ଖର୍ବ । ଏଇ ବିଜୁଳି ଆଲୁଅ, ବେତାର, ରେଳଗାଡ଼ି, ମଟରଗାଡ଼ି, ସାଇକଲ, ନଈରେ ପୋଲ, ହାତ ତିଆରି ନୂଆ ନଈ, ଏଇ ପ୍ରକାଣ୍ଡ ପ୍ରକାଣ୍ଡ କୋଠାବାଡ଼ି, କାରଖାନା, ଛୁଞ୍ଚିଠୁଁ ଉଡ଼ାଜାହାଜ ଯାକେ ଏତେ ଜାତିର ଏତେ ସୃଷ୍ଟି, ସବୁ ମଣିଷ ହାତ ତିଆରି, ଅରଖ ନୂଆ । ପ୍ରକୃତିର ଶକ୍ତି ଓ ପ୍ରକାରକୁ କାହିଁ ପଛରେ ପକାଇ ମଣିଷର ଶକ୍ତି । ସଡ଼କ କରର ଗଛମାନଙ୍କ ପତ୍ରରେ ଯେଉଁ ନାଲି ଧୂଳି ବସିଯାଇଥାଏ, ସହରର ଧୂମାଳିଆ ଆକାଶରେ ମିଶେ ଯେଉଁ ଚିମ୍‍ନିର ଧୂଆଁ, କ୍ଷେତ ଉପରେ ଖୁଣ୍ଟକୁ ଖୁଣ୍ଟ ଲମ୍ବିଥିବା ଯେଉଁ ତା’ର ଉପରେ ବସି କଜଳପାତୀ ଲାଞ୍ଜ ହଲାଏ ସେ ତ ସେହି ମଣିଷର ପାରିଲା ପଣର ହିଁ ସନ୍ତକ ।

 

ତେଣୁ ଭାବୁ ଭାବୁ ସେ ଉଡ଼ିଯାଏ ନୂଆ ସୃଷ୍ଟି ଗଢ଼ାଳି ମଣିଷର ସର୍ଜନା ଆବେଗରେ, ସେଠି ଗୁରୁ ଗୋସାଇଁକି ପରେଇ ରଖେ ନାହିଁ ତା’ ପରେ ଥକ୍କା ହୋଇ ଭାବେ, କେତେଦିନ ଏ ରହିବ ? କୁଆଡ଼େ ତା’ର ଶେଷ ଗତି ? ଖବରକାଗଜହିଁ ତ କହିଛି, ମଣିଷ ଉପରକୁ ଉଡ଼ିଗଲା, କଟିଗଲା ଧୂଳି ଧୂଆଁର ସ୍ତର, ମେଘର ସ୍ତର । ଯେଉଁ ଆଲୁଅର ସ୍ତର ଆଉ ନେଳି ଆକାଶକୁ ସେ ଧରି ନେଇଥିଲା ଉପରର ଶେଷ ଢାଙ୍କୁଣି ବୋଲି ତା’ ବି ଟପି ସେ ଚାଲିଗଲା, ଗଲା ସବୁ ଦେଖା ଶୁଣା ବିଶ୍ୱାସର ଉଚ୍ଚ ସ୍ତର, ଆଲୁଅ ସରି ଅନ୍ଧାର ଆସିଲା, ଆଉ ଚାଲିଛି ଚାଲିଛି ଅନ୍ଧାର ଆଉ ମହାଶୂନ୍ୟ ଭିତରକୁ ଭିତରକୁ, କାହିଁ ଏଠି ଦୂରତାର ମାପ ଅଥବା ସମୟର ? କ’ଣ ଅଛି ସେ ମୁଠେଇ ଧରିବ ? କେଉଁ ଠାଆ ଅଛି ଯେଉଁଠି ସେ ପହଞ୍ଚିବ ? କ’ଣ ରଖିବ କ’ଣ ପାଇବ ? ହୁଏତ ସେ ନିଶ୍ଚିହ୍ନ ହେବ ଆଉ ସେତେବେଳେ ବି ମୁଣ୍ଡକଟା କବନ୍ଧ ପରି ଚାଲିଥିବ ତା’ର ଏଇ ହାତ ତିଆରି ଯାନ କେତେ ଏମିତି କୁଆଡ଼ୁ କୁଆଡ଼ୁ ଆସୁଥିବ ତା’ର ହୋଇ ନିଆଁଗୁଲ ହୋଇ ମିଶି ଯାଉଥିବ ସେହି ଅନନ୍ତ ଅଜ୍ଞେୟ ନିଃଶବ୍ଦ ଶୂନ୍ୟତାରେ, ମଣିଷକୁ କ’ଣ ମିଳିବ ଭଲ କି ମନ୍ଦ ?

 

ଏମିତି ଭାବିଲାବେଳେ ତା’ ମନ ଅସ୍ଥିର ତିକ୍ତତାରେ ଜର୍ଜର ହୋଇଯାଏ, ସେତେବେଳେ ଭଲ ନାହିଁ ମନ୍ଦ ନାହିଁ ଶେଷ ଆଶ୍ରୟ ଖାଲି ଆଖିବୁଜା ଗତି, ଆସେ ନାହିଁ ରେବ କି ରମା କି ବାଟର ଆଉ କିଏ, କେଉଁ ଭଙ୍ଗା ଚଟି ଘରର କେଇ ଘଡ଼ି ରାତିର ସାଥୀ, ମନେ ପଡ଼େନାହିଁ ଆପଣା ଘର କି ଭବିଷ୍ୟତ୍, ସେହି ସଦାଚିଆଁ ଶୂନ୍ୟ ନିଶବ୍ଦତା ସମୟକୁ ଦିଏ ଓଜନ ଓ କଣ୍ଟାଳିଆ ତୀକ୍ଷ୍ଣତା, ଆଉ ହର ଆପଣାଠୁଁ ନିଷ୍କୃତି ପାଇବାକୁ ଛଟପଟ ହୋଇ ବାଟ ଖୋଜେ, ବାଟ ତ ଆଖି ସଳଖେ, ଦେ ଦଉଡ଼ !

 

ଏଇ ଅଜଣା ଅସ୍ଥିରତା ଭିତରେ ସାମାଜିକ ସୁସ୍ଥି ଜୀବନର କଅଁଳ ସ୍ନିଗ୍ଧ ମୋହ ଏଡ଼ାଇବାକୁ ଆପେ ଆସେ ମନ ଭିତରେ ସମୟୋଚିତ ଉଦ୍ଭଟ ଯୁକ୍ତି । ସ୍ନେହ କ’ଣ ? ସାର କ’ଣ-? ଗୁଣ କ’ଣ ? ସତୀତ୍ୱ ବେ କ’ଣ ? ଭାବେ କିଏ ଜାଣିଛି କେଉଁଟା କ’ଣ, ଖାଲି ଆଖିକି ଯେତିକି ଦିଶିଲା ସେତିକି ଘେନି ନିଜ ଚାରିକତିରେ ନିଜେ ଗୋଟାଏ ମାୟା ଗଢ଼ି ଏ ଜୀବନର ଖେଳ । ଆଖି ଆଗରେ ଦିଶିଯାଇଛି ତ, ମିଛ କପଟ ଲାଞ୍ଚ ଦୁର୍ନୀତି ଆଇନଶୃଙ୍ଖଳା ଭଙ୍ଗାର ହିଁ ଜୟ ଜୟକାର, ହାଡ଼-କଙ୍କାଳମୟ ଶୁକୁଆ ଶରୀର ଧରି ଛିଣ୍ଡା ଲେଙ୍କୁଡ଼ି ପିନ୍ଧି ଭଙ୍ଗା ହାତୀଅନ୍ଧ ଛାଇରେ ଭୁଶୁଡ଼ି ପଡ଼ୁଥିବା ପିଣ୍ଡା ଉପରେ ଆଉଜି ବସି ନ୍ୟାୟ ଅନ୍ୟାୟ ଟିକିନିଖି ବାଛି ଚିଁ ଚିଁ ପାଟିରେ ଗାଳିଦେଉଥାନ୍ତୁ ଯେ ଯେତେ, କହୁଥାନ୍ତୁ–କଳି ଘୋଟିଲା, ସତ ବୁଡ଼ିଲା, ମିଛ ବ୍ୟାପିଲା, ସବୁ ଚୁଲିକି ଗଲା । ସେମାନେ ଏମିତି ଦରିଦ୍ର ରହିଥିବେ ଆଗ ଉଜୁଡ଼ିବେ, ଆଗ ମରିବେ ।

 

ନା, ପୁଣ୍ୟର ଜୟ ଆଉ ପାପର ପରାଜୟ ଏ ଉକ୍ତିରେ ତା’ର ବିଶ୍ୱାସ ନାହିଁ, ବିଶ୍ୱାସ ଅଛି ବୋଲି ଖାଲି ଛଟା ଗାଳେ ଖାଲି ସମାଜ ଭିତରେ ଦଳ ଭିତରେ ଜଣେ ବୋଲାଇବାକୁ ।

 

ସବୁ ବିଶ୍ୱାସକୁ ଶୀତ ଦିନର ଘୋରିହେଲା ପରି ଭାବି ଦେହରୁ ଓଟାରି ଫୋପାଡ଼ି ଦେଇ ଫୁଙ୍ଗା ହେବାରେ ହିଁ ସେ ଆପଣାର ପୌରୁଷ ବୁଦ୍ଧିମତ୍ତା ବୋଲି ମନେ କରେ ।

 

ଆଉ ସେତେବେଳେ ସେ ଆପଣାର ହୃଦୟର ସମ୍ବନ୍ଧ, ସ୍ନେହ-ମମତା ଓ ଆପଣା ସମ୍ପର୍କରେ ପରର ସତୀତ୍ୱ କଥା ବି ଭାବେ, ତଉଲେ ଓ ଗୋଟାଏ ଗୋଟାଏ ସାନ ସାନ ଯୁକ୍ତିରେ ସବୁ ଓଲଟ ପାଲଟ କରି ଦେଇ ନିଜକୁ ଆହୁରି ନିଃସଙ୍ଗ ଓ ବ୍ୟଥିତ କରି ବିଜୁଳି ଆଲୁଅ ପରି ଜଳି ଉଠେ ।

 

ପ୍ରେମ ? କି ଦାମ ରହିଲା ରେବ ପ୍ରତି ତା’ର ପ୍ରେମର ?’’ ମୋର ସରଳତା ନିର୍ବୁଦ୍ଧିତା ଅଳ୍ପ ବୟସର ସୁଯୋଗ ନେଇ...” ସେ ଦାନ୍ତ ଚିପି ଚିପି ମନକୁ ମନ କହେ । ତା’ ପରେ ରମା, ତା’ର ବିବାହିତା ସ୍ତ୍ରୀ । ବେଳେ ବେଳେ ଆପଣା ମନ ଭିତରେ କୀଟ ଛାଡ଼ି ଦେଇ କାରିଗର ହୋଇ ସେ ଚିନ୍ତାର ଧୂଁଆ ଭଉଁରିକୁ ଦୂରେଇ ଦେଖି ଛଟପଟ କଲବଲ ହେବାର ଆନନ୍ଦ ପାଏ, ସତେ କ’ଣ ସେ ହଲପ କରି ପାରିବ ରମାର ଶରୀରକୁ ଆଉ କେହି ଛୁଇଁ ନାହିଁ ବୋଲି । ମଫସଲର ଅନ୍ଧାରି କଣରେ ଉପରେ ମୁଖା ସଳଖ ରଖି ଭିତରେ ତ ପୁଣି କେତେ କ’ଣ ଘଟିବାର ସେ ଶୁଣିଛି ! ମୁଣ୍ଡରେ ଲଙ୍କା ମରିଚ ବୋଳି ଦେଇ ସେ ଭାବେ, ସେ ଯେତେବେଳେ ଘର ଚଳାଇବ ବୋଲି ଘରୁ କାହିଁ କେତେ ଦୂରରେ ରହି ଦିନ ଦିନ ରାତି ରାତି ଟ୍ରକ୍ ଚଲାଇ ବୁଲୁଛି ଅସମ୍ଭବ କ’ଣ ଯଦି ତା’ର ଜୀବନକୁ ଉପଭୋଗ କରୁଥିବ ଆଉ କାହା ସଙ୍ଗରେ ! ସେ ନିଜେ ବି ତ କରିଛି କେତେ ଲୁଚା ଚୋରା କାମ, ରମା କ’ଣ ଗନ୍ଧବାସ୍ନା ପାଇଛି ନା ରମାକୁ କହିଛି ସେ କେବେ ?

 

ବେଳେ ବେଳେ ପାଗଳ ପରି ବିକଟ ହସ ସେ ହସି ଉଠେ ଆଉ ଆକ୍ସିଲରେଟର୍ ଉପରେ ଜୋରରେ ପାଦ ମାଡ଼ିଦିଏ, ଏମିତି ଗୋଟାଏ ଗୋଟାଏ ଉଦ୍ଭଟ ଧାରଣା ଆସିଲେ ତାକୁ ଲାଗେ ସେ ବେଶି ବଳ ପାଉଛି ! ଏମିତି ଥରେ ସେ ଭାବୁଥିଲା,–

 

କାହାର ଛୁଆ କିଏ ? କାହାର ଛୁଆ ଅବା ମୁଁ ! ସତେ ! କାହାର ଛୁଆ ମୁଁ ! ହାଃ ହାଃ ହାଃ ! ସବୁ ଧର୍ମ କର୍ମ ନୀତି ଅନୀତି ବିଶ୍ଵାସ ଅବିଶ୍ୱାସ ଓଲଟ ପାଲଟ କରି ସେ ଗୁଣୁ ଗୁଣୁ ହୋଇ ମନ୍ତ୍ର ବୋଲିଥିଲା ଗାଁ ପୁରୋହିତଙ୍କଠୁଁ ଶୁଣି ଶୁଣି ମନେ ରହିଥିବା କେଇପଦ,’’–ପାପୋହଂ ପାପକର୍ମାହଂ ପାପାତ୍ମା ପାପସମ୍ଭବା–

 

“କେତେଥର ତ ଲାଗେ–ସତ ଏତିକି ।

 

ଆଉ ସବୁ ମିଛ, ମନରଖା, ମନଗଢ଼ା ।

 

ସେଠି ବି ଚାଉଁକିନା ଭାବ ବଦଳିଯାଏ, ପୁଣି ଆସେ ସ୍ନେହ, ବିଶ୍ୱାସ, ଦୁଃଶ୍ଚିନ୍ତା କଲା ବୋଲି ଆପଣା ଉପରେ ଧିକ୍କାର, ତଳର ପଙ୍କ ଛାଡ଼ି ଚେତନା ଉଠେ ପାଣି ଉପରକୁ ଯେଉଠି ପଦ୍ମପତ୍ର ଶୀତଳ ସୁସ୍ଥରେ ପାଣି ଉପରେ ଶୋଇ ରହିଥାଏ, ପାଣିରେ ପଡ଼ିଥାଏ ଆକାଶର ଛବି, ପବନରେ ଥାଏ ଫୁଲର ପରାଗ ଆଉ ମହକ, ଭଅଁରମାନେ ଗୁଣୁ ଗୁଣୁ ହୋଇ ଫୁଟା ଫୁଲ ଚାରିକରେ ବେଢ଼ା ଘୂରୁଥାନ୍ତି । ଏଇ ତର ତର ଉଦୁମୁଦା ଗତି ଛାଡ଼ି ଲେଉଟି ଯାଏଁ–ଜୀବନର ଗୋଟାଏ ବୋଲି ଉଦ୍ଦେଶ୍ୟ, ଆନନ୍ଦ ଭୁଞ୍ଜିବା ଜୀବନରେ ସୁଆଦ ଅଛି ।

 

ପୁଣି ଆସେ ଛାଇ ପୁଣି ଆସେ ଆଲୁଅ, ଛାଇ ଆଲୁଅ ଗୋଡ଼ିଆ ଗୋଡ଼ି ହେଲାପରି କି ଅବା ଚଟାପଟ ତାଆସ ପକା ଗୋଟାକ ଉତ୍ତାରୁ ଆଉ ଗୋଟାଏ ଆଉ ଗାଡ଼ି ଚାଲିଥାଏ ଆଉ ଗାଡ଼ିର ବେଗ ବଢ଼ି ବଢ଼ି ଚାଲେ ଆଉ ସବୁ ଭୁଲି ହୋଇଯାଇ ମନର କଣରେ ଥାଏ ନିଃଶବ୍ଦ ମହାଶୂନ୍ୟତାର ଚେତନାହୀନତା, ନିସ୍ତରଙ୍ଗ, ଆପେ ଆପଣଠିଁ ବିହ୍ୱଳ ଆଉ ତଳେ–ଗତି ବଢ଼ି ବଢ଼ି ଚାଲେ ତା’ର ପାଦର ଚାପରେ, କାହିଁକି ବେଗ ବଢ଼ାଏ ସେ ଜାଣେ ନାହିଁ ।

 

ସେଦିନ ବି ସେ ଜାଣି ନ ଥିଲା, କେତେବେଳେ ଅବା କାହିଁକି କ’ଣ ହେଲା ଜାଣି ପାରିଲା ନାହିଁ ।

 

ଖାଲି ପାଖ ଗାଁର ପତରସାଉଣ୍ଟି ମାଇପେ ଦେଖିଲେ ଆଖି ପିଛୁଡ଼ାକେ ଗୋଟାଏ କାଠ ବୋଝେଇ ମଟର ଟ୍ରକ୍ ପବନ ବେଗରେ ଧାଁଇ ଆସି ବାଙ୍କ ପାଖେ ସିଧା ସଳଖେ କୁଦା ମାରିଲା ଖାଲ ଉପରକୁ, ଆମ୍ବ ଗଛରେ ବାଜି ଭଙ୍ଗା ଚେପା ହୋଇ ଲେଉଟି ପଡ଼ି ଶୋଇ ରହିଲା ଆଉ ଛିଟିକି ପଡ଼ି ଅଧେ ମଟର ତଳେ ଅଧେ ବାହାରେ ହୋଇ ଯେଉଁ ଗଜା ଭେଣ୍ଡିଆ ଗୋଟାଏ ରକତ ଗାଡ଼ିଆ ସୃଷ୍ଟି କରି ଥିରି ହୋଇ ଶୋଇଲା ତା’ର ମୁଣ୍ଡ ଆଉ ମୁଁହ ଛେଚାଛେଚି ମେଞ୍ଚା ମେଞ୍ଚି ହୋଇ ଯାଇଥିଲା-

 

ଆଉ ତା’ର ମୃତ୍ୟୁରେ ପ୍ରଥମ ବିଳାପ କଲେ ପାଖ ବାଉରିସାହିର ସେହି ସାତ ମାଇପେ, ସେମାନେ ତାକୁ ଚିହ୍ନିଲେ ନାହିଁ ସେ ତାଙ୍କୁ କେବେ ଚିହ୍ନି ନ ଥିଲା, ଆପଣା ପୁଅ ମଲା ଦେଖିଲା ପରି କୋରି କଚାଡ଼ି ହୋଇ କାନ୍ଦି କାନ୍ଦି ବାୟାଣୀ ପରି ହୋଇ ସେମାନେ ଗାଁ’କୁ ଦଉଡ଼ି ଗଲେ ।

 

ସତେ ତ, ଘରେ ସେଦିନ ରମା ରାନ୍ଧିଥିଲା ଜହ୍ଲା ମାଛ, ଖାଇବାକୁ ଦେଇଥିଲା, ଖାଇଥିଲା ।

 

ଗଲା, ଗୋଟାଏ ଅଧ୍ୟାୟ ଶେଷ, ରମା ସେ ପୋଥିରେ ଡୋର ବାନ୍ଧିଲା । ଏଡ଼େ ଚଞ୍ଚଳ ଏ ବିଧବା ଅବସ୍ଥା ତା’ର ଦେହସହା ହୋଇଯିବ ବୋଲି ସେ କେବେ କଳ୍ପନା କରି ନ ଥିଲା । ସ୍ମାରକ ହୋଇ ସେହି ପୁରୁଣା ସ୍ମୃତି ମନେ ପକାଇବାକୁ ଏବେବି କେତେ କଥା ଅଛି, ଖାଲି ଆପଣାର ଅନୁଭୂତି ଅଭିଜ୍ଞତାର ଗୁନ୍ଥା ସାଇତା ମାଳା ବୋଲି ନୁହେଁ, ସେ ତ ଅଛି ତା’ଜୀବନ ସଙ୍ଗେ ଗୋଳିଆ ମିଶା ହୋଇ, ତା’ ମନକୁ ରୂପ ଧରେ, ମନକୁ ଉଭେଇଯାଏ ପୁଣି ବାରମ୍ବାର ରୂପ ଘେନି ପାଖକୁ ଆସିବାକୁ, ତାହାଛଡ଼ା ତା’ ବାହାରେ ବି ରହିଛି ସନ୍ତକ ଓ ସ୍ମାରକ, ସବୁଠୁଁ ଅଧିକ ତ ତାହାରି ସନ୍ତାନ-। କିନ୍ତୁ ଦିନ ଯହୁଁ ଗଲା ରମା ଅନୁଭବ କଲା ଯେ ସେହି ସ୍ମାରକ ଥାଇ ବି ସେହି ସ୍ମୃତି ମନେପଡ଼େ ନାହିଁ, ସତେକି ଦିଅଁ ପଥର ହୋଇଯାଇଛନ୍ତି, ସ୍ମାରକ କେବଳ ବସ୍ତୁ, ସେ ଭାବର ପ୍ରତୀକ ହୋଇ ଆଉ ନାହିଁ । ଆଉ ପୁଅକୁ ଦେଖିଲେ ବାପ ମନେ ପଡ଼େନାହିଁ, ପୁରୁଣା ଶାଢ଼ିକୁ ଦେଖିଲେ ମନେପଡ଼େ ନାହିଁ କିଏ ଦେଇଥିଲା କି କେଉଁ ଉପଲକ୍ଷରେ ।

 

ଆଗେ ସ୍ୱାମୀ ବି ଲାଗୁଥିଲା ତା’ର ମୂଲ୍ୟବାନ ସମ୍ପତ୍ତି ପରି, କିଏ ସମସରିସା କିଏ ବଡ଼ କି ସାନ ଅନ୍ୟାନ୍ୟ ଚିହ୍ନାର ଜଣାର ସ୍ତ୍ରୀଲୋକମାନଙ୍କ ଆଗରେ ସେହି ଧାରଣାରେ ଉଲ୍ଲସି ଫୁଲି ଫୁଲି ବାଟ ଚାଲିବା ପାଇଁ ତା’ର ସ୍ୱାମୀ ଥିଲା ତା’ର ଗର୍ବ । ସେ ଗର୍ବ ଯେତେବେଳେ ଚୂନା ହେଲା ସେତେବେଳେ ମନେ ମନେ ସେ ଧରିନେଇଥିଲା ସେ ପ୍ରାଣ ପୂରାଇ ଶୋକ କରିବ, କାନ୍ଦିବ, ଉପାସ ରହିବ, ଖିନ୍ନ ହେବ,–ଆଉ ଏକପ୍ରକାର ଉତ୍ସାହରେ ଏପରି ବି ଭାବୁଥିଲା, ଝୁରିଝୁରି ମରିଯିବ । ୟେ ବି ତା’ର ଅନ୍ତର ଭିତରେ ହୋଇଥିଲା ଏକପ୍ରକାର ଗର୍ବ ଥିଲାବେଳର ଗର୍ବଠୁଁ ବହୁଗୁଣେ ବଳି ୟେ ନ ଥିଲା ବେଳର ଗର୍ବ । ସେ ଗର୍ବ ବି ଚୂନା ହେଲା । ସେ ଆପେ ଅନୁଭବ କଲା ଯେ ଯେଉଁ କାରଣରୁ ସେ ବଞ୍ଚିରହିଛି ସେ ତା’ର ସ୍ୱାମୀ ଉପରେ କି ସ୍ୱାମୀ ସହିତ ସମ୍ପର୍କର ସ୍ମୃତି ଉପରେ ଭରା ଦେବା ନୁହେଁ, ଆପଣା ଉପରେ ଆପେ ଭରା ଦେଇ ତା’ର ଜୀବନ ରହିଛି ଓ ବିକାଶ ପାଉଛି, ମିଞ୍ଜିମିଞ୍ଜି ସ୍ୱପ୍ନରେ ଦେଖିଲା ପରି ହେତୁ ପଡ଼େ କେତେ ଦୂରରୁ ଅନ୍ଧାରି କନ୍ଦରାରୁ ଶୁଭୁଛି ସେହି ଚିହ୍ନା ପାଦଶବ୍ଦ, ଶୁଭୁଛି ନା ଶୁଭୁଛି, ସେଥିରେ ଅଧିକା ତାତ୍ପର୍ଯ୍ୟ ନାହିଁ ।

 

ତା’ର ଖାଲିହାତ, ମୁଣ୍ଡରେ ସିନ୍ଦୂର ନାହିଁ, ତାକୁ ଦେଖି କିଏ ସହାନୁଭୂତି ଦେବ, କିଏ ଅବା ଗଞ୍ଜଣା ଦେବ, ସକାଳୁ ଉଠି ଆଗ ତା’ ମୁହଁକୁ ଦେଖିଲେ କିଏ ନାକ ଟେକିବ, କହା ଘରେ କ’ଣ ଶୁଭକାର୍ଯ୍ୟ ହେଉଥିଲାବେଳେ ଶଙ୍ଖ ହୁଳହୁଳି ଶୁଭୁଥିଲାବେଳେ ସେଠିକି ଯେଉଁମାନେ ଡକାହୋଇ ଯିବେ ସେ ଶ୍ରେଣୀରେ ତା’ର ନାଁ ରହିବନାହିଁ, ସେ ଗଲେ ଆଡ଼େଇ ହୋଇ ରହିଥିବ, ଖାଲି ନିଜ ମତାମତ କହି ଲାଗିଥିବ ଉପରେ ପଡ଼ି ଆଉ ଲୋକେ ତାହା ବି ଶୁଣୁ ନ ଥିବେ ଏସବୁ ସତେ କି ତା’ର ଜନ୍ମଗତ ଅଭିଜ୍ଞତା, ଅତି ସହଜ ଓ ସ୍ୱାଭାବିକ, ପୁଣି ଯେତିକି ସ୍ୱାଭାବିକ ତା’ର ସେହି ନବାଗତ ଶିଶୁ ।

 

ୟେ ଆଗେ ନ ଥିଲା,– ସେ କଳ୍ପନା କରିପାରେ ନାହିଁ, ଯେମିତି ତା’ର କଳ୍ପନାରେ ଆସେ ନାହିଁ ଯେ ଏଇ ପିଲା ଜନ୍ମ ହୋଇଥିଲା ଉଜଳଗଡ଼ ଗାଁ’ରେ, ୟେ ପିଲାର ଗୋଟାଏ ଘର ଥିଲା, ଦିନେ ପୂଜା ମଉଛବ କରି ଭୋଜିଭାତ କରି ୟେ ପିଲାର ନାଁ ରଖାଯାଇଥିଲା ସୁରେନ୍ଦ୍ର ।

 

ବରଂ ତାକୁ ଲାଗେ, ଏଇଠି ଏଇ ହୁମୁରା ଗାଁ’ରେ ତାରି ଏକା ସଙ୍ଗରେ ଏ ପିଲାର ଜନ୍ମ, ଏ ସବୁଦିନେ ଥିଲା, ଏମିତି ତା’ ପ୍ରତି ତା’ ନିଜର କର୍ତ୍ତବ୍ୟ ବହୁ କାଳରୁ ଖଞ୍ଜା ହୋଇ ରହିଛି ତା’ ସଙ୍ଗେ ଦିନ ଦିନ ରାତି ଲାଗି ରହିବାକୁ, ଆଉ ଏ ପିଲାଟି ତାରି ଦେହର ତା’ରି ଚିନ୍ତାର ଗୋଟିଏ ସ୍ୱାଭାବିକ ଅଂଶ । ତା’ ନାଁ ସୁରେନ୍ଦ୍ର ନୁହେଁ, କିଛି ନୁହେଁ କେବଳ ‘ପିଲା’ । ପିଲା ପେଟେଇଲା, ଗୁରୁଣ୍ଡିଲା, ଆସ୍ତେ ଆସ୍ତେ କାନ୍ଥ ବାଡ଼ ଧରି ଠିଆ ହେବାକୁ ଚେଷ୍ଟା କଲା, ପଡ଼ିଲା, ପୁଣି ଉଠିଲା । ପାଖେ ଗୋଟାଏ ବିଷର୍ଣ୍ଣ ତନ୍ନୟତା ଓ ଆରପାଖେ ଗୋଟାଏ କଳ ପରି ଜୀବନ, ଗୋଟାଏ ରାତି ଗୋଟାଏ ଦିନ ଏହାରି ମଝିରେ ତା’ର ବେଳ କେମିତି ସ୍ୱପ୍ନପରି ବିତି ହୋଇ ଚାଲିଲା, ଯେତେବେଳେ ତା’ କଥା ଭାବିଲେ ସେ କେବଳ ଗୋଟାଏ ଜୀଅନ୍ତା ଧାରଣା–ସେ ‘ପିଲା’ । ତା’ର ଶାରୀରିକ ବୃଦ୍ଧିକି ଅଭ୍ୟାସର ପରିବର୍ତ୍ତନ ପ୍ରତି ରମାର ଲକ୍ଷ୍ୟ ନଥିଲା ।

 

ରାତିରେ ବୋଉ ତାକୁ ଛଡ଼େଇ ନେଇଯାଏ, ତା’ର ସବୁ କାମ କରେ । ଦିନରେ ତିଳ ତାକୁ ଘେନି ଖେଳେ, କନିଅର କଢ଼ ଓ ଫୁଲ ଆଣି ତା’ମୁଣ୍ଡରେ ସଜାଏ, ଦେହରେ ରଙ୍ଗ ରଙ୍ଗର କନା ଗୁରାଏ, ତା’ର ମାଟି କଣ୍ଢେଇ କନା କଣ୍ଢେଇ ସବୁ ଆଣି ତା’ ପାଖରେ ଗଦା କରେ । ପିଲା ପାଇଁ ରଘୁ ଓ ତିଳଙ୍କର କଳି ଲାଗେ । ଗମ୍ଭୀର ଜଗୁ, ଯେ ବହି ଘୋଷୁଥାଏ, ମଝିରେ ମଝିରେ ପିଲାକୁ ଆସି ସେ ଗେଲ କରେ କାଖାଏ । ପିଲା କାହାର ମୁଣ୍ଡବାଳ ଝିଙ୍କେ, କାହାର ଗାଲ ଆମ୍ପୁଡ଼େ, କାହାର ଦେହକୁ ଅସନା କରେ, କେହି ଆପତ୍ତି କରନ୍ତିନାହିଁ, ବରଂ ସେମାନେ ଖୁସି ହୁଅନ୍ତି । ଆଉ ପିଲା ବିଜୟୀ ବୀର ପରି ଚାରିଆଡ଼କୁ ଅନାଇଁ ହସେ, ବାହାଦୁରି ନେବାକୁ ନାନା ଛଇ ଦେଖାଏ । ସମସ୍ତେ କହନ୍ତି କୁଲୁକୁଲିଆ ପିଲାଟିଏ ସେ ।

ସମସ୍ତଙ୍କଠୁଁ ଗେହ୍ଲ ଆଦର ପାଇ ଅକୃତଜ୍ଞ ପରି ପିଠି ବୁଲେଇ ଦେଇ ମା’ର କ୍ଷୀରକୁ କଳରେ ଯାକି ଆରାମରେ ଢୁଳେଇ ପଡ଼େ, ସେହି ଛାତି ଅରାକରେ ଖାଲି ମା’ପୁଅଙ୍କ ସଂସାର, ଆଉ କାହାରି ପ୍ରବେଶ ନାହିଁ ।

କିନ୍ତୁ ଅସ୍ୱାଭାବିକ ଆଖିସହା ହୋଇ ଯେତେ ସ୍ୱାଭାବିକ ଜଣାପଡ଼ିଲେ ବି ବାହାରର ପରିବର୍ତ୍ତନ ରମାର ନିଘାରେ ନ ପଡ଼ି ରହିପାରିଲା ନାହିଁ । ତା’ ବିଷୟରେ ବୋଉ କି ଭାଇ କେହି ଚିନ୍ତିତ ନୁହନ୍ତି, ଆଗେ ସେ ବିଭା ହେବା ଆଗରୁ ସେମାନଙ୍କର ଚିନ୍ତା ଦକ ଥିଲା । ତାକୁ ବିଭା ଦେଇ ସେମାନେ ତା’ପ୍ରତି ତାଙ୍କ କର୍ତ୍ତବ୍ୟ କରିସାରିଛନ୍ତି, ପାଉଣା ଆଉ ବାକି ନାହିଁ । ସମୟ ପାଇଲେ ମାୟା ଦେବୀ ଉଢ଼ୁଆଳରେ ବସି ଲୁହ ଗଡ଼ାନ୍ତି, ଥରେ ଅଧେ ହଠାତ୍ ତା’ ନିଘାରେ ପଡ଼ିଯାଇଛି, କିନ୍ତୁ ତା’ ଆଗରେ ସେ ତାଙ୍କର ଦୁଃଖ ଖୋଲନ୍ତି ନାହିଁ । କୁଳମଣିର ଚାହା ଜଳଖିଆ ଦୋକାନ ଆଗଠୁଁ ଭଲ ଚାଲିଛି । କୁଳିଆର ଚେହେରାରେ ବହୁତ ପରିବର୍ତ୍ତନ, ସେ ଆଉ ଧେଡ଼େଙ୍ଗା କି ହାଡ଼ୁଆ ନୁହେଁ-। ମୁହଁ ଗାଲ ପୂରି ଆସିଲାଣି । ଆଗପରି ମୁହଁ ଆଉ ବକା ବକା ଦିଶୁନାହିଁ । ସେ ଅଧା ନିଶ ରଖିଲାଣି । ଦେହରେ କାମିଜ ନ ଥିଲା ବେଳେ ଧୋବ ଗଞ୍ଜି, ସଫା ଲୁଗା ପିନ୍ଧେ । ଭାଡ଼ିରେ ବସି ବିକୁ ନଥିଲା ବେଳେ ତା’ହାତରେ ଖଣ୍ଡେ ବହି ଥାଏ, ଉପନ୍ୟାସ, କେଉଁ ସାଙ୍ଗ ତାକୁ ଦେଇଛି । ଦୋକାନ ଘରର ଚେହେରା ବି ଅଳପେ ବଦଳିଛି । ସେଠି ଦି’ଖଣ୍ଡ ବେଞ୍ଚ୍, ଖଣ୍ଡେ ଢାବଲ ପଟାର ଆଲମିରା, ସେଥିରେ ଢାଉ ରଙ୍ଗ ବୋଳା ହୋଇଛି । କିନ୍ତୁ ଦୋକାନର ପ୍ରଧାନ ପରିବର୍ତ୍ତନ ନେତେରାର ନିଯୁକ୍ତି, ସେ ତେର ବର୍ଷର ଭଣ୍ଡାରି ଟୋକା, ଗଛମୂଳେ ଯେଉଁ କଣ୍ଡୁରିଆ ଭଣ୍ଡାରି ବସେ ତାହାରି ଭଣଜା । ମାସକୁ ପାଞ୍ଚଟଙ୍କା ଦରମା ପାଇ ସେ ଦୋକାନଘର ଖୋଲା ଥିବାଯାକେ ସେଇଠି ରହିଥାଏ, ଚାହା କପ୍ ଧୁଏ, ଘର ସଫା ରଖେ, ଜିନିଷ ବିକେ, ଅଇଣ୍ଠା ପତ୍ର ଉଠାଏ । କୁଳିଆ ତାକୁ ଡାକେ ‘ବଏ’ । ସେ ଡାକ ବି ତା’ର ଆବିଷ୍କାର ନୁହେଁ । ଆଉଥରେ ଦୋକାନକୁ ଚାହା ଖାଇ ଆସି ଏ ଟୋକାଟି ଆମଦାନି ହେଲାଣି ଦେଖି ମାଗୁଣି ଗୋଛେଇତ ତାକୁ ଡାକିଥିଲା ‘ବଏ’ ଆଉ ସେହିଦିନୁ ସେ ହୋଇଗଲା ‘ବଏ’ ।

‘ବଏ’ ତାଙ୍କ ଘରକୁ ଆସେ ନାହିଁ, ଦୋକାନରେ ଥାଏ, ଛକରେ ବୁଲେ, ବିଡ଼ି ଫୁଙ୍କେ ଆଉ ଗୀତ ବୋଲେ, ଚାଲିଲା ଶଗଡ଼ରେ ହାତ ପୂରାଏ, ଗାଳି ମୂଲାଏ ଓ ଗାଳି ଦେଇ ଶିଖେ, କିଏ କେମିତି ଚାଲେ କେମିତି କଥା କହେ ସବୁ ନକଲ କରେ, ଆଖିରେ ଯାହା ପଡ଼େ ସବୁ କଥାକୁ ତା’ର କୁତୂହଳ ।

ଆଉ ଖଞ୍ଜାରେ ମାୟା ଦେବୀଙ୍କ ଘରେ ଲାଗିଥାଏ ଜଳଖିଆ ତିଆରି, ସେ ଏକୁଟିଆ ନୁହଁନ୍ତି, ଜଟି ଦାସର ବୋହୂ ସୁନା ଓ ହଟ ଦାସର ଝିଅ ଫୁଲ ଆସନ୍ତି ସାହାଯ୍ୟ କରି, ସେମାନେ ତାଙ୍କ ପାରିଶ୍ରମିକ ନିଅନ୍ତି । ରମା ବି କାମରେ ଲାଗିଯାଏ, ଏ କାମ ପାଇଁ ଶ୍ରଦ୍ଧା ତା’ର ଆଦୌ ନ ଥାଏ, ମନ ଭିତର କହେ–ଖାଇବା ଜିନିଷ ତିଆରି କରି ଅଚିହ୍ନା ଲୋକଙ୍କୁ ଖୋଇ ପଇସା ଆଣିବାକୁ ଏହି ଯେଉଁ ପରିଶ୍ରମ, ଏଥିରେ ଗୌରବ ନାହିଁ । କିନ୍ତୁ ବୋଉକୁ ସାହାଯ୍ୟ କରିବାକୁ ତା’ ମନ ଛକପକ ହେଉଥାଏ । କେତେବେଳେ ଅଳସେଇ ରହିଗଲେ ଚମକି ପଡ଼ି ହଠାତ୍ ନିଜକୁ ଦୋଷୀ କରି ସେ ତେଣେ ନିଘାଦିଏ, ଆଉ ବୋଉ ପ୍ରତି ସହାନୁଭୂତିରେ ଅଭିଭୂତ ହୋଇଯାଇ ସେ ମନକୁ ବୁଝାଏ–ପାହାନ୍ତିଆ ପହରୁ ରାତିଯାକେ ମୋ’ବୋଉ ଏତେ ଯେ ଖଟି ମରୁଛି ସେ କାହାପାଇଁ-?

 

ସୁନା ବର୍ଣ୍ଣରେ ଗୋରା ସ୍ୱାସ୍ଥ୍ୟରେ ବଳିଲା ବଳିଲା ଛେଚାପିଟା ମଣିଷ, ବୟସ ଚବିଶି, ଯୋଡ଼ିଏ ପୁଅ ଗୋଟିଏ ଝିଅ । ତା’ର ମୁହଁ ଗୋଲ, ନାକ ଚେପ୍‍ଟା ଓ ଟିକିଏ ପୋଛି ନେଲାପରି, ଓଠ ମୋଟା ଓ ପାଟି ଟିକିଏ ମେଲା । ତା’ର ପାଦ ଓ ହାତ ପାପୁଲି ବଡ଼ ଓ ଖୁବ୍ କରଡ଼ା । ସେ ଆକାରରେ ଟିକିଏ ଡେଙ୍ଗା । ତା’ ଚାଲି ତରତର, ପୁରୁଷର ଚାଲିପରି, ମୁହଁ ସବୁବେଳେ ତଳକୁ ସବୁବେଳେ ଗମ୍ଭୀର । ତା’ର ଶରୀର ସତେ ଯେପରି କାମ କରିବା ପାଇଁ ତିଆରି ହୋଇଛି, ଆଉ କୌଣସି ପାଇଁ ନୁହେଁ । ତା’ର ସ୍ୱାମୀ ବାମ ଦାସ ଭାଗରେ ଚାଷ କରେ, ଦରକାର ପଡ଼ିଲେ ମୂଲ ଲାଗେ । ଆଉ ସୁନା ଘରକାମ କରେ, ଘସି ପାରେ, ବାରି ବଗିଚା କରେ, ଛେଳି ପୋଷେ, ଧାନ କୁଟେ, ତା’ର ହାତଗୋଡ଼ ଥାଏ ନାହିଁ । ରମା କି ମାୟା ଦେବୀ ଏ ଦି’ଜଣରୁ କେହି ତା’ ସହିତ କାମରେ ପାରନ୍ତି ନାହିଁ, ମାୟା ଦେବୀଙ୍କର ସେ ହାତବାରିସି । ରମା କାମ ଉପରେ ବଳେ ପଛରେ ପଡ଼ିଯାଏ, ତା’ପରେ ବୋଉ କହେ ଯା, ପିଲା କନ୍ଦିବ ।

 

ସୁନା କଥା ଗପେ ନାହିଁ, ଆପଣା ଦୁଃଖ କହେ ନାହିଁ, ପର ଦୁଃଖ ଶୁଣେ ନାହିଁ, ରମା ଦେଖେ ସେ ଖାଲି କାମ କରିଯାଉଛି, ହାତଗୋଡ଼ ବୁଲୁଛି, ଅନ୍ୟ ସବୁ ବିଷୟରେ ସେ ଗୋଟାଏ କାନ୍ଥ ।

 

ଫୁଲର ଗଢ଼ଣ ଭିନେ । ସେ ଛନଛନିଆ କଳା, ତା’ର କୁଞ୍ଚୁକୁଞ୍ଚିଆ ମୁଣ୍ଡବାଳ, ଧାର ମୁହଁ, ଧନୁ ପରି ଭ୍ରୂଲତା, ବଡ଼ବଡ଼ ଢଳଢଳ ଆଖି, ଠିଆ ନାକ, ସାନ ପାଟି । ତା’ର ତଳ ଓଠଟି ଅଳ୍ପ ମୋଟା ଆଉ ପାଚିଲା କଇଁଚିକାକୁଡ଼ି ପରି ନାଲି । ସେ ଟିକିଏ ପାତଳ କିନ୍ତୁ ସରୁ ନୁହେଁ, ତା’ ହାତ ଗରିଗରି, ନାଚିଲା ପରି ଚାଲେ । ତା’ର ଚାହାଣିରେ ନିରୀହତା ସହିତ କୁତୂହଳ । ପୋଷାକରେ ଦରିଦ୍ରତା । ବୟସ କୋଡ଼ିଏ ଏକୋଇଶ, କରଣ ଘରେ ପେଲି ଦେବାକୁ ହଟ ଦାସର ଅର୍ଥ ବଳ ନାହିଁ, ଅନ୍ତର ଜାତିର ଲୋକ ସଂଖ୍ୟା ଅଳ୍ପ ଓ ଅନ୍ତର ପ୍ରଥା କେଉଁ କାଳୁ ଲୋପ ହୋଇଯାଇଥିବାରୁ ସେ ଜାତିର ବର ମିଳିବା ବି କଷ୍ଟ ହୋଇ ପଡ଼ିଛି, ତେଣୁ ଫୁଲ ପାଇଁ ବର ମିଳିନାହିଁ । କେତେବେଳେ କେତେବେଳେ ଫୁଲ ଆସେ ରମା ସଙ୍ଗେ କଥା ଗପିବାକୁ, ଗୋଡ଼ ଲମ୍ଵେଇ ବସି ତା’ ପିଲାକୁ ଧରେ ନ ହେଲେ ପାନ ଡାଲା ଖୋଲି ବସି ପାନ ଭାଙ୍ଗେ । କିନ୍ତୁ ତା’ ବି ଡରି ଡରି, କେହି ତାକୁ ଗାଳି ଦିଅନ୍ତି ନାହିଁ, କିନ୍ତୁ ମାୟା ଦେବୀ ବା ସୁନା କାମ କରିବାର ଦେଖିଲେ ସେ ଆପେ ଉଠିଯାଏ, ତା’ର ନିଃସହାୟ ଦୃଷ୍ଟି ରମାକୁ କହି ଦେଇଯାଏ–ଏମିତି ଏ ଦୁନିଆଁ, ମନନାଖି ମିଳେନାହିଁ-। ତର ନାହିଁ, ଖାଲି କାମ । ତୁଚ୍ଛାକୁ ରମା ଘୋଳି ହୋଇପଡ଼େ । ଯେଉଁଆଡ଼କୁ ଆଖି ପକାଉଛି ସବୁଠିଁ ଦେଖୁଛି ଲୋକେ କାର୍ଯ୍ୟ ବ୍ୟସ୍ତ, ଆପଣା ଆପଣା ଘରସଂସାରରେ ଘେର ଭିତରେ, ବୃତ୍ତିର ଘେର ଭିତରେ । କିଏ ବସି ପାନ ଭାଙ୍ଗୁ ଥିଲେ ସୁଦ୍ଧା ସତେ ଯେମିତି ତା’ମୁଣ୍ଡରେ ରାଜ୍ୟଯାକର ଦାୟିତ୍ୱ, ପଦେ ପଦେ କଥାରେ ତା’ ବାରି ହୋଇପଡ଼େ । ଆଉ ରମା ଦେଖୁଛି ସେହି ଖାଲି ଏକା ନିକମା, କାରଣ ସେହି ପୁରୁଣା ଘର ପଡ଼ିଥିଲେ ବି ତା’ ଉପରେ ଦାୟିତ୍ୱ ନାହିଁ । ସ୍ୱତନ୍ତ୍ର ହୋଇ ତା’ ଉପରେ ଦାୟିତ୍ୱ ଥିବା ଦରକାର ଏକଥା ବି ଆଗେ ସେ ଭାବୁ ନ ଥିଲା, ନୂଆ କରି ଭାବୁଛି । ସ୍ୱାମୀ ବଞ୍ଚିଲା ନାହିଁ, କିନ୍ତୁ ସ୍ୱାମୀର ଘରକରଣା କରି ତା’ ମନଟା ଯେଉଁ ଛାଞ୍ଚରେ ପଡ଼ିଯାଇଥିଲା ସେ ଛାଞ୍ଚ ରହିଲା, ତୁଟିଲା ନାହିଁ । ସେ ସତେକି ଦୀକ୍ଷିତା, ସେହି ଦୃଷ୍ଟିରେ ସେ ଅନାଏଁ ଅବିବାହିତାମାନଙ୍କୁ, ସେମାନେ ଦୀକ୍ଷିତା ନୁହନ୍ତି । ସତେ ଯେମିତି ସ୍କୁଲରେ ସେ ଏକାଦଶ ଶ୍ରେଣୀରେ ପଢ଼ୁଥିଲା ବେଳେ ସେମାନେ ସପ୍ତମ ଟପି ନାହାନ୍ତି । ତେଣୁ ସେଠି ସଙ୍ଗସୁଖ ହେବାକୁ ମନ ମାନେନାହିଁ । ଅବଶ୍ୟ ଫୁଲର କଥା ଭିନେ, ସେ ଆପେ ଗୁଞ୍ଜି ହୋଇ ଆସେ, ଚାହାଣିରେ ହାବଭାବରେ ବିନୟ ଭଗତିରେ ନୀରବରେ କି ଅଳ୍ପ କଥାରେ ବୁଝାଇ ଦେଇ ଯାଏ ଯେ ସେ ତା’ ମନ ଭିତରକୁ ପ୍ରବେଶ କରିବାକୁ ପ୍ରାର୍ଥିନୀ । କିନ୍ତୁ ଅନ୍ୟମାନଙ୍କୁ ବିଶ୍ଵାସକୁ ନେବାକୁ ସେ ଲୋଡ଼େ ନାହିଁ । ଆଉ ଠିକ୍ ଆରପଟେ, ସେହି ଯେଉଁମାନେ ବିବାହିତା ଓ ସଧବା–ତାଙ୍କୁ ଦେଖିଲେ ତା’ର ମନେ ପଡ଼ିଯାଏ ଯେ ସେ ସଧବା ନୁହେଁ, ମନେ ପଡ଼ିଯାଏ ଯେ ସମାଜ ଆଶାକରେ ଯେ ସେ ହେତୁ କରିବ ଯେ ତା’ର ସର୍ବନାଶ ଘଟିଛି । ଅନ୍ତର ଭିତରେ ସେ ଭାବିପାରେ ନାହିଁ ଯେ ସତେ ତା’ର ସର୍ବନାଶ ଘଟିଛି, ଆଉ ନାହିଁ । ଟିକିଏ କରଛଡ଼ା ଦେଇ ଦୂରରୁ ଦୂରରୁ ସେ ତା’ର ହରେନ୍ଦ୍ରର ସମ୍ପର୍କକୁ ହୃଦୟ ଭିତରେ ଆଉଣ୍ଡି ହୁଏ, ଚେତନାର ସେହି ନିଛାଟିଆ ଅନ୍ଧାରି ଗମ୍ଭୀରିରେ ଯେଉଁଠି ବିଶ୍ୱାସ ଅଛି, କବାଟରେ ଝରକାରେ ବି ଫାଙ୍କ ନାହିଁ, କବାଟ ଝରକା ଖୋଲିଯିବ ନାହିଁ, ପଦାକୁ କିଛି ଶୁଭିବ ନାହିଁ ।

 

ସେମିତି ମୁହୂର୍ତ୍ତରେ ସେ ଆପଣା ଭିତରେ ଅଣ୍ଡାଳି ଦେଖେ ହରେନ୍ଦ୍ର ଥିଲାବେଳେ ଏପରି କ’ଣ ଥିଲା ଯାହା ଚାଲିଯିବାରୁ ସେ ସଂସାର ଛାଡ଼ିବା ଭଳି ଅଭାବ ଅନୁଭବ କରିବ । ଦେହ ଦେହର ସମ୍ବନ୍ଧ ଛଡ଼ା ଆଉ ସେ କିଛି ପାଏନାହିଁ, ସେ ସମ୍ବନ୍ଧ ବି ସବୁବେଳେ ତା’ର ଆକାଂକ୍ଷିତ ନ ଥିଲା । ତା’ର ସ୍ୱାମୀକୁ ସେ କିପରି ଦୃଷ୍ଟିରେ ଦେଖିବା ଉଚିତ ସେ ବିଷୟରେ ଯେତେ ଶାସ୍ତ୍ରୋକ୍ତି ଓ ପଣ୍ଡିତ ବଚନ ସେ ଶୁଣିଛି ସବୁ ଖୋଲି ଥୋଇ ଦେଲେ ଘାରି ହେଲାଭଳି ଆଉ ବଳକା କିଛି ସେ ପାଏନାହିଁ । ସୁଖର ଦୁଃଖର ହୋଇ ମଣିଷଟିଏ ଥିଲା, କେବେ ସୋଗ କରୁଥିଲା କେବେ ଦୁର୍ବ୍ୟବହାର କରୁଥିଲା, ସବୁବେଳେ ମାଲିକ ପଣ ଦେଖାଇ ହେଉଥିଲା, ଅନେକ ସମୟରେ ବାହାରେ ବାହାରେ ନିଶ୍ଚିନ୍ତ ହୋଇ ହର ରହି ପାରୁଥିଲା ଓ ତା’ର ଅଭାବ ଅନୁଭବ କରୁ ନ ଥିଲା । ହଠାତ୍ ଛାଡ଼ିଦେଇ ଚାଲିଗଲା ସବୁଦିନକୁ ଯେ ଗୋଟିଏ ବାଟ ରୁନ୍ଧିଦେଇ ଚାଲିଗଲା ଜଞ୍ଜାଳ ଗୁଡ଼ାଏ ଥୋଇଦେଇ, ହରର ମୃତ୍ୟୁର ଦିନାକେତେ ହୋଇଗଲା ପରେ କ୍ରମେ କ୍ରମେ ଏହିପରି ଧାରଣା ହିଁ ତା’ର ମନ ସୃଷ୍ଟି କରିପାରିଥାଏ ଓ ତାହାରି ଉପରେ ତାକୁ ବଳ ଦେଉଥାଏ ଆଗକୁ ଦେଖି ଆଗକୁ ଚାଲିବାକୁ ।

 

କିନ୍ତୁ ବିବାହିତା ସଧବାମାନେ ସତେ ଯେମିତି ତାକୁ ମନେପକାଇ ଦିଅନ୍ତି ଯେ ସେ କାନ୍ଦିବା ଉଚିତ୍, ମୁହଁ ଶୁଖାଇ ଅନ୍ଧାର କଣରେ ପଡ଼ିରହିବା ଉଚିତ୍ । ସେତେବେଳେ ଆପଣା ଚେଷ୍ଟାରେ ସେ ସତେ ସତେ ନିଜର ବିଶ୍ୱାସ ଜନ୍ମାଏ ଯେ ଅନ୍ୟମାନଙ୍କଠିଁ ଯାହା ପରିପୂର୍ଣ୍ଣ ସେହିପରି କୌଣସି ଗୋଟିଏ ସୁଯୋଗରୁ ସେ ବଞ୍ଚିତା । ଯେମିତି ସମସ୍ତେ ସଜବାଜ ହୋଇ ଯାତ୍ରା ଦେଖିବାକୁ ଗଲେ ତା’ କପାଳରେ ଏକୁଟିଆ ଘର ଜଗିବା ଆଉ ବିଲେଇ ଘଉଡ଼ାଇବା ଏମିତିଆ-। ବିବାହିତା ବିଧବାମାନେ ତା’ର ଗୌଣ ମନୋବୃତ୍ତିକୁ ଆହୁରି ବହୁଗୁଣେ ବଢ଼ାଇ ଦିଅନ୍ତି-। କାରଣ ସେତେବେଳେ ଏମିତି ଲାଗେ ଯେମିତି ଦଶଜଣ ଏକାଠି ମୁହଁ ଶୁଖାଇ ବସିଥିଲା ବେଳେ ସେଠି ପହଞ୍ଚିଲେ ନିଜ ମୁହଁ ଶୁଖିଯିବ, ଦଶଜଣ ବାହୁନୁଥିଲେ ବାହୁନିବାକୁ କୌଣସି କାରଣ ନ ଜାଣି ସୁଦ୍ଧା ପାଟିରୁ ଆପେ ବାହୁନା ବାହାରିବ ।

 

ଅତଏବ, ପିଲାର ମା’ ହେବା କର୍ତ୍ତବ୍ୟ କରୁ ନ ଥିଲା ବେଳେ ରମା କେଉଁଥିରେ ନ ଲାଖି ମଝିରେ ଦୋହଲୁଥାଏ ।

 

ସେହି ମଣିଷ ଅଛନ୍ତି । ଦିଶୁଛନ୍ତି ଲାଗୁଛନ୍ତି ଭିନେ । ନିଜର ଚିନ୍ତାଧାରା କେମିତି ବଦଳିଛି ତା’ ତାକୁ ଗୋଚର ନୁହେଁ । ସେ ଖାଲି ଯେତେବେଳେ ଯାହା ଅନୁଭବ କରେ ସେତେବେଳରେ ସେତିକି ତା’ର ଧାରଣା । ତା’ ଧାରଣାରେ ଦୁନିଆ ବଦଳିଛି । ଆଗପରି ସେତେ ସ୍ନେହ ନାହିଁ, ପଚରା ପଚରି ନାହିଁ, ସମସ୍ତେ ଯେମିତି ଅଧିକ ପଣରେ ଆପଣା ସାର୍ଥିକା ହୋଇଯାଇଛନ୍ତି, ଆଉ ସବୁକଥା ପଛକୁ ପକାଇ ଦେଇ ଅଲଗା ଅଲଗା ହୋଇ ଲାଗିପଡ଼ିଛନ୍ତି ଖାଲି ଧନ କମାଇବାରେ ।

 

ହୁମୁରା ଗାଁ ବାଟେ ଯୁଗେଶ୍ଵର ଛକ ଟପି ସଡ଼କ ପକ୍କା ହୋଇ ଚାଲିଗଲାଣି କୁଆଡ଼େ ବୋଲି କୁଆଡ଼େ, କରେ କରେ ବିଜୁଳି ତାରର ଖୁଣ୍ଟି ପୋତା ହୋଇ ହୋଇ ଚାଲିଛି, କହୁଛନ୍ତି ଏଥର ଆସିବ ବିଜୁଳି । ଛକ ପାଖେ ଦୋକାନଗୁଡ଼ିକ ସଂଖ୍ୟାରେ ବଢ଼ିଛି, ସେଠି ଗୋଟିଏ ଛୋଟ ବସ୍ତି, ଆଉ ଠିକ୍ ରାସ୍ତା କଡ଼ରେ ଗୋଟିଏ ନଳକୂଅ । ଅଳ୍ପ ଛାଡ଼ି ସଡ଼କ କରରେ ହୁମୁରା ପଞ୍ଚାୟତ ପାଇଁ ଗୋଟିଏ ଗ୍ରେନ୍ ଗୋଲା ଘର, ଇଟା କାନ୍ଥ, ତା’ ଉପରେ ଟିଣ ଛାତ, ତହିଁରୁ ଗୋଟିକରେ ପଞ୍ଚାୟତର ଅଫିସ୍ ଘର, ଆଗରେ ବଡ଼ ବଡ଼ ଅକ୍ଷରରେ ନାଁ ଲେଖା ହୋଇଛି,–ହୁମୁରା ପଞ୍ଚାୟତ ଅଫିସ୍ । ତା’ପାଖରେ ଆଉ ଗୋଟିଏ ଘରେ “ହୁମୁରା ପୋଷ୍ଟ ଅଫିସ୍”, ପୁଣି ଆଉ ଗୋଟିଏ ଘର “ହୁମୁରା ଅବସର ବିନୋଦନ କେନ୍ଦ୍ର”, ସେଠି “ଲାଇବ୍ରେରୀ” ଥାଏ, ରେଡ଼ିଓ ବାଜେ । ହୁମୁରାର ପ୍ରଧାନ ପରିବର୍ତ୍ତନ ସେଠି ପଞ୍ଚାୟତ ପ୍ରତିଷ୍ଠା ଓ ସେ ପଞ୍ଚାୟତ ଶଙ୍ଖପୁର ବ୍ଲକର ଅନ୍ତର୍ଭୁକ୍ତ ହେବା । ସେହି ଯୁଗେଶ୍ଵର ଛକରେ ଗ୍ରାମସେବକଙ୍କ ବସାଘର । ତା’ପାଖରେ ପଶୁବିଭାଗ ଷ୍ଟକ୍‍ମ୍ୟାନ କେନ୍ଦ୍ର-। ନି:ପ୍ରା: ସ୍କୁଲ୍‍ଟା ଗଉଡ଼ ସାହିରେ ଯେଉଁ ଘରେ ବସୁଛି ସେଠି ସ୍ଥାନ ସଂକୀର୍ଣ୍ଣ, ପିଲାଏ ଖେଳିବାକୁ ଜାଗା ନାହିଁ, ତେଣୁ ତାକୁ ମେଲା ଫରଚାରେ ଖୋଲା ଜାଗାରେ ସଡ଼କ କରରେ ତୋଳିବା ପାଇଁ ଉଦ୍ୟମ କରାହେଉଛି, ତାହା ମଧ୍ୟ ସେହି ଯୁଗେଶ୍ଵର ଛକରେ । ଜାଗା ଚିହ୍ନଟ ହେଲାଣି, ଇଟା ପଡ଼ୁଛି-। ପକା କାନ୍ଥ ଟାଇଲ୍ ଛାତ ହୋଇ ବଡ଼ ଘର ହେବ, ଶୁଣାଯାଉଛି ସେ ହେବ ଉ:ପ୍ରା: ସ୍କୁଲ । ଭେଟେଶ୍ୱର ଗାଁ ସହିତ ଜିଦାଜିଦି ଲାଗି ଭେଟେଶ୍ୱରରେ ଡାକ୍ତରଖାନା ହେବାର ବନ୍ଦ ହୋଇଛି, ଏଣେ କଥାବାର୍ତ୍ତା ଚାଲିଲାଣି ସେହି ଯୁଗେଶ୍ଵର ଛକ ପାଖେ ପଶ୍ଚିମ ଆଡ଼କୁ ପାଞ୍ଚଗଛିଆ ଆଉ କୁଜୀ ବରଗଛ ମଝିରେ ଯେଉଁ ପତିତ ଜମି ଥିଲା, ଖାଲି ହୁଙ୍କା ମାଳ ମାଳ, ଖିରିକୋଳି କଣ୍ଟା, ସେଇଠି ହେବ ବ୍ଲକ ତରଫରୁ ଗୋଟିଏ ପ୍ରାଇମେରୀ ହେଲ୍‍ଥ ସେଣ୍ଟର, ଦରଖାସ୍ତ ହୋଇଛି, ବି.ଡି.ଓ.ବି ମତ ଦେଇଛନ୍ତି, ଜାଗାଟା ପେଣ୍ଠସ୍ଥଳ, ଏପାଖେ ଭେଟେଶ୍ୱର, ସେପାଖେ ଯୁଗେଶ୍ଵର, ଚାରିପଟେ ଗାଁ’ଗଣ୍ଡା ଖୁନ୍ଦି ହୋଇଛି, ଭଲ ହେବ । ତା’ ସେକରେ ଖୋଳା ହେଉଛି ପୁରୁଣା ପୋଖରୀ ରଂକିଆ, ପଞ୍ଚାୟତ ଖୋଳାଉଛି, କାମ ଚାଲିଛି । ଆଉ ଯୁଗେଶ୍ଵର ଛକରୁ ମୋହନପୁର ଯାକେ ଗୋଟିଏ ସଡ଼କ ପଡ଼ୁଛି ମାଟିକାମ ଚାଲିଛି ।

 

ଶୋଇଲା ଢୁଳେଇଲା ମାଳା ଗାଁରେ ହଠାତ୍ ଆସି ପହଞ୍ଚିଛି ପରିବର୍ତ୍ତନ । ଆଉ ତା’ ସହିତ ଆସିଛି ହୁରୁହୁରୁ ତରତର ଓ କିଛି ତିକ୍ତତା । ପଞ୍ଚାୟତ ହେଲା, କେତେ ଲୋକ ମେମ୍ବର ହେଲେ, ଦାମ ବି ହେଲେ, କିନ୍ତୁ ପଞ୍ଚାୟତର ସରପଞ୍ଚ ନାଏବ ସରପଞ୍ଚ ନିର୍ବାଚନରେ ଆସିଗଲେ ଯଥାକ୍ରମେ ବାଇ ସାହୁ ଓ ରାଧୁ ଜେନା, ଦାମ ହାରିଗଲେ । ପଞ୍ଚାୟତର ନିଷ୍ପତ୍ତିମାନ ହୁଏ ଭୋଟ ଉପରେ, ସବୁ ନିଷ୍ପତ୍ତି ବେଳେ ଦାମଙ୍କର ବିରୋଧୀ ମତ । ସବୁବେଳେ ପାଖେ ହଁ ତ ପାଖେ ନାହିଁ-। ଦାମ ପ୍ରଚାର କରନ୍ତି ପଞ୍ଚାୟତକୁ ଟିକସ ଦିଅ ନାହିଁ, ପଞ୍ଚାୟତ କାମରେ ସହଯୋଗ କର ନାହିଁ, ଏପରିକି ତାଙ୍କର ଦୃଢ଼ ମତ ଏଠି ବର୍ତ୍ତମାନ ଯେପରି ଅବ୍ୟବସ୍ଥା ହେଲାଣି ୟେ ନ ସୁଧୁରିବାଯାକେ ଏଠି ବରଂ ପଞ୍ଚାୟତ ଦରକାର ନାହିଁ, ହୁମୁରା ପଞ୍ଚାୟତ ଇଲାକାରୁ ଅଧେ ଭେଟେଶ୍ୱରରେ ଅଧେ ଉଡ୍ରେଶ୍ୱରରେ ମିଶାଇ ଦେଲେ ସେଠି ଯୋଡ଼ିଏ ଟାଣୁଆ ପଞ୍ଚାୟତ ଗଢ଼ା ହୋଇପାରିବ ଓ ଦେଶର ଧନ ରକ୍ଷାହେବ । ପଞ୍ଚାୟତର କାର୍ଯ୍ୟକଳାପର ଦାମ ଅତି ତୀବ୍ର ସମାଲୋଚକ, ତାଙ୍କର ଧନ୍ଦା ବଢ଼ିଛି, ଦଉଡ଼ ଧାପଡ଼, କୁହାପୋଛା ଓ କାଗଜରେ ଦସ୍ତଖତ ସଂଗ୍ରହ, ତା’ସହିତ ଡାକଖର୍ଚ୍ଚ ବି ଅଳ୍ପକେ ବଢ଼ିଛି,–ସେ ବାରମ୍ବାର ପ୍ରକାର ପ୍ରକାରର ଅଭିଯୋଗମୂଳକ ଦରଖାସ୍ତମାନ ଲେଖାଇ ପଠାଉଛନ୍ତି । ଘରେ ଅଧରୀବୋଉ ଅନେକଥର ଦେଖାଇ ଦେଖାଇ ନ ହେଲେ ସ୍ପଷ୍ଟ ଭାଷାରେ କହି ସାରିଲେଣି–

 

“ଆମର ଇଜ୍ଜତ ମହତ ସବୁ ସରୁଛି ୟେ ଯୁଗେଶ୍ଵର ଛକରେ ବରା ପିଆଜି ବିକେଇଲେ ବୋଲି । ବୁଧି ଦେଖ ! ଆଉ କିଛି ଉପାୟ ମିଳିଲା ନାଇଁ ? ଚାହା ଜଳଖିଆ ବିକୁଥିଲେ କ’ଣ ଘର ଭର୍ତ୍ତି ହେବ ? ଭଗବାନ କାହାକୁ କେମିତି ରଖିଛି, ପାଞ୍ଚ ଆଙ୍ଗୁଠି ସମାନ ନୁହେଁ । ଆପଣା ଅଭାବ ଆପଣା ଦୁଃଖକଷ୍ଟ ଲୋକ ସିନା ଆପଣା କବାଟ ଉହାଡ଼ରେ ଲୁଚେଇ ରଖେ, ଏମିତି ପଦାରେ ଗୁମର ମେଲି ଦେଖାଇଦେଲେ କ’ଣ କାହାରି କିଛି ଉପକାର ହୁଏ ? ମହତ ଗଲା, ଲୋକ ଜାଣିଲେ ୟାଙ୍କ ମୁରାତକ ଏତିକି । ଆଉ କିଏ ମାନିବ କିଏ ପଚାରିବ !”

 

ଦାମ ବି ଲାଗିଗଲେ ଆଉ କାହାକୁ କୁହାପୋଛା କରି ଛକ ଉପରେ ଗୋଟାଏ ବଡ଼ କରି ଚାହା ଓ ପିଠାପଣାର ଦୋକାନ ଠିଆ କରାଇବେ ବୋଲି । କିନ୍ତୁ ଯୁଗେଶ୍ଵର ଛକରେ ମୁରବି ହୋଇ ଠିଆ ହେଲେ ଶେଠ ଶାମ ସାହୁ, ବାନାମ୍ବର ଦେବତା ଓ ତାଙ୍କ ସଙ୍ଗରେ ମୁଣ୍ଡ ଟୁଙ୍ଗାରିଲା ରସିଦ୍ ମିଆଁ ସାଇକଲ ମରାମତବାଲା । “ଲିଆ ବିଚରା କେଡ଼େ କଷ୍ଟରେ ଦୋକାନ ଖଣ୍ଡେ ଠିଆ କରିଛି, ଆଗତ ସେହି ଏ ପେଣ୍ଠକୁ ଆରମ୍ଭ କଲା, କେତେ ପ୍ରାଣୀ ଗରିବ ଏଇ ଦୋକାନ ଖଣ୍ଡକୁ ଆଶା ରଖିଛନ୍ତି । ତେଣୁ ବାଦ ବୁଦିଆରେ ପୁଣି ସେମିତି ଦୋକାନ ଖଣ୍ଡେ କିଏ କରିବାକୁ ଚେଷ୍ଟା କଲେ ଆମେ ଦେଖିଲା କାମ କରିଦେବୁ, ଯେ କରିବ ଆଉ କିଛି କରୁ ।” ଏଇଆ ତାଙ୍କର କହିବା କଥା, ଆଉ ଦାମ ବି ଏତେ ଜଞ୍ଜାଳକୁ ଓହ୍ଲାଇବା ଲୋକ ନୁହନ୍ତି ।

 

କିନ୍ତୁ ଅଶାନ୍ତି, କାନ ଫୁଙ୍କା ଫୁଙ୍କି, ଦଳ ଗଢ଼ାଗଢ଼ି, ପଦାରୁ ବେଳେ ବେଳେ ଇନ୍‍କ୍ଵାଇରିର ମଳମଳି । ଗାଁ ଯାହା ଥିଲା ତା’ ଆଉ ନାହିଁ । ରସିଦ୍ ମିଆଁ ଆସି କହିଲା କୁଳିଆ ଆଗରେ,– “କିଏ କହିପାରେ ଦିନେ ତୁମେ କି ମୁଁ ଏ ଦେଶର ମନ୍ତ୍ରୀ ନ ହେବୁଁ ସଙ୍ଗାତ ?”, ଦୋକାନ ବସାଇ ଆପେ ବସିଲା ଦିନଠାରୁ କୁଳିଆ ଏମିତି ଅନେକଙ୍କର ସଙ୍ଗାତ ମଇତ୍ର ହୋଇ ସାରିଥାଏ । ରସିଦ୍ କହିଲା, “ଆରେ ହସୁଚ କ’ଣ ସଙ୍ଗାତ, ହେଇ ଦେଖ ଅଇଛା ଦଳ ଯୁଆଡ଼େ ବଳ ସିଆଡ଼େ । ଲୋକଙ୍କୁ କୁହାପୋଛା କରି ତାଙ୍କ ମନ ନେଇ ଆପଣା ପଟକୁ ଆଉଜେଇ ଆଣିଲେ କାମ୍ ଫତେ । ଧର ତୁମର କି ମୋର ବେଶି ଭୋଟ ହେବ, ଆମେ ହେଲୁ ମେମ୍ୱର ସେଉଠୁ ମେମ୍ୱରମାନଙ୍କ ଭିତରେ ପୁଣି ବେଶି ଭୋଟ୍ ପାଇବା, ହେଲୁ ମନ୍ତ୍ରୀ । ଆରେ ଏକା ଦିନକେ କୋଉ ହଉଚି, ଆଗ ଏ ଗାଁ, ପଞ୍ଚାୟତରୁ ଆରମ୍ଭ କରାଯିବ, ଲୋକଙ୍କୁ ଧରିବା, ପଞ୍ଚାୟତ ମେମ୍ୱର ହେବା, ସେଉଠୁ ଆଉ ଆଉ ମେମ୍ୱରଙ୍କୁ ଧରିବା, ସରପଞ୍ଚ ହେବା, ପଞ୍ଚାୟତ ସମିତିର ଚେଆରମ୍ୟାନ ହେବା, ସେଠୁ ଯିବା ଜିଲ୍ଲା ପରିଷଦ, ସେଠି ମେମ୍ୱରଙ୍କୁ ଧରିବା, ଜିଲ୍ଲାପରିଷଦ ଚେଆରମ୍ୟାନ ହେବା, ଜିଲ୍ଲାଯାକେ ନ ଉଠି ସମିତିଯାକେ ଉଠିଲେ ତ ଲୋକେ ଜାଣିବେ ଯେ ରସିଦ ମିଆଁ କୁଳମଣି ମାହାନ୍ତି କେଡ଼େ ଉପୁଗାରି କେଡ଼େ କାମିକା ପୁଅ ସେଉଠୁ କ’ଣ ଆସିମିଲିକି ଆମକୁ ପଠାଇବାକୁ ମନା କରିବେ ? ବଡ଼ ବଡ଼ ଖେମେତା ନଢ଼େଇରେ ପଠା ହେବା ପାଇଁ–ବୁଝିଲ ନା ସଙ୍ଗାତେ, ୟେ ପଞ୍ଚେତ୍‍ଟା ହେଲା ପ୍ରାହ୍‍ଟିସ୍ ଫୁଲ୍‍କା, ଏଠି କୋସିସ୍ କରି ଶିଖ, କେମିତି ପଟ୍‍କଣ୍ ମାରିବାକୁ ହୁଏ, ପେଞ୍ଚ୍ କେତେ କିସମର । ଆଜି ବାଇ ସାଉ ସରପଞ୍ଚ ହେଇଚି, ତା’ ବୋଲି କ’ଣ ରସିଦ୍ ମିଆଁ ହବାକୁ ମନା ? ସେଇ ମେମ୍ବରଙ୍କୁ ଏପଟକୁ ଆଉଜେଇ ଆଣିଲେ କାଲି ସକାଳେ ସେଇମାନେ ଆଣିମେ ଅବିଶ୍ୱାସ ପ୍ରସ୍ତାବ, ସେଇଠୁ “ବାଇସାଉ ମୁର୍ଦ୍ଦାବାଦ, ରସିଦ୍ ମିଆଁ ଜିନ୍ଦାବାଦ” । ଗୋଟାଏ ହେଲା ଭୋଟ ମାର୍ଗରେ ବାଛିବା ପ୍ରଥା, ଆରଟା ହେଲା ଅବିଶ୍ୱାସ ପ୍ରସ୍ତାବରେ ଗାଦିରୁ ନିକାଲିବା ପ୍ରଥା, ଜୀତା ରହୋ ବାବା ଦୋନୋ ଇଲମ୍, ୟେ ଥିବା ଯାକେ ସମସ୍ତିଙ୍କର ସବୁଆଡ଼େ ଯିବାକୁ ରାସ୍ତା ଖୋଲା ସଙ୍ଗାତ, ଯାହାଠିଁ ଆଗକୁ ମାଡ଼ିବାକୁ ଦିଲ୍ ଥିବ ତା’ ହାତ ଗୋଡ଼ କଥା କହୁଥିବ, ଆଖିବୁଲୁଥିବ, କାନ ଠିଆ ହେଇଥିବ, ସେ ସବୁବେଳେ ପେଞ୍ଚ ଚଲେଇ ଥିବ କେମିତି ମୋ’ପେଟ ପାଞ୍ଚମୁଣ୍ଡରେ ଦଶମୁଣ୍ଡ ହେବ । ସେଉଠୁ ମୋ ଦଳଟା ମୁଣ୍ଡ ଗଣତିରେ ବଡ଼ ହେଲେ ମେଁ ଭି ଏକ୍ ରୋଜ୍ ରାଜା ବନୁଙ୍ଗା ।”

 

ରସିଦ୍ ମିଆଁ ହୁମୁରା ପଞ୍ଚାୟତର ମେମ୍ବର ନ ଥିଲା, ସେ କୌଣସି ଦଳ ପାଇଁ ପ୍ରଚାର କରୁ ନ ଥିଲା କି କାହା ପଟର ହୋଇ କଳି କରୁ ନ ଥିଲା, କିନ୍ତୁ ସାଧାରଣ ମଫସଲି ମଣିଷ ଆପଣା ମନକୁ ମନ ଯେମିତି ସବୁ କଥା ଟିକିନିଖି କରି ଭାବେ, ଆପଣା ଉପାୟରେ ତା’ର ଖିଅ ଠିକ୍ କରେ, ରସିଦ୍ ମିଆଁ ସେମିତି ଭାବୁଥିଲା ।

 

ରସିଦ୍ ମିଆଁର କଥା ଶୁଣି କୁଳିଆ ହସିଲା, କହିଲା, “ଏମିତି ଯେବେ ସମସ୍ତେ ସବୁ ହୋଇଯାଉଥାନ୍ତେ !”

 

ରସିଦ୍ କହିଲା, “ଆରେ ମୋ କଥାକୁ ହସୁଚୁ ଦୋସ୍ତ, ସବୁ ହଉନାହାନ୍ତି ଆଉ କ’ଣ ହଉଚନ୍ତି ? ଅଇଛା ଯେଉଁମାନେ ବଡ଼ ବଡ଼ ହେଇଚନ୍ତି ତାଙ୍କୁ ଦେଖ୍ । କିଏ କ’ଣ ଥିଲା ଆଉ କ’ଣ ହେଲା । ୟେ ରାଇଜଯାକର କଥା ଭାବି ଦେଖ୍, କାହିଁ ହିମାଳୟଠୁଁ ଯେ କାହିଁ କୁମାରିକାଯାକେ–”

ରସିଦ୍ ମିଆଁ ବି ଦିନେ ମାଇନର ପାସ୍ କରିବ ବୋଲି ସ୍ୱପ୍ନ ଦେଖୁଥିଲା, କିନ୍ତୁ ପୋଥିରେ ଡୋର ବାନ୍ଧିଥିଲା ଷଷ୍ଠ ଶ୍ରେଣୀରୁ । ତା’ପରେ ଖବର କାଗଜ, ପ୍ରଚାରପତ୍ର ଓ ଶସ୍ତା ଉପନ୍ୟାସ ପଢ଼ା, ଏସବୁ ତା’ର ସାଧାରଣ ବୃତ୍ତି ସହିତ ଅଛିଣ୍ଡା ଧାରରେ ଚାଲିଥିଲା । ବୃତ୍ତି ବି ସେ ଅନେକ ପ୍ରକାରର ଦେଖିଛି, କିନ୍ତୁ ଆପେ ପରିଶ୍ରମ କରି ଚାଷ କରିବା ତା’ଦେଇ ହୋଇପାରିଲା ନାହିଁ, ସେ କାମ ବଞ୍ଚିଥିଲାବେଳେ କରୁଥିଲା ତା’ ବାପ ଓସ୍ତାଦ୍ ମିଆଁ, ତା’ପରେ କରନ୍ତି ଭାଗଚାଷୀମାନେ । ରସିଦ୍ ମିଆଁ ଦିନାକେତେ କୁକୁଡ଼ା ଚାଷରେ ମନ ଦେଲା, ସାନ ସାନ ବରଡ଼ା ପାଚିଆରେ ତଷୁ ପୂରାଇ ପାଖର ଦୂରର ବ୍ଲକ୍‍ମାନଙ୍କୁ ଯାଇ ଶସ୍ତା ଦରରେ ଧଳା ଲେଗ୍‍ହର୍ଣ୍ଣ ନାଲି ଆର୍ ଆଇ ଆର୍ କୁକୁଡ଼ାଡିମ୍ବ ଆଣି କୁକୁଡ଼ା ବିଶାରଦଙ୍କ ନିର୍ଦ୍ଦେଶ ଅନୁସାରେ କୁଡ଼ିଆ କରି ଘେର ଦେଇ ସେ ବହୁତ ଉପାୟ କଲା, କୁକୁଡ଼ା ଛୁଆ ହେଲେ, ବଂଶ ବଢ଼ିଲେ, ହିସାବଖାତା ବି ବନ୍ଧାହେଲା, କିନ୍ତୁ ତା’ପରେ ପଡ଼ିଲା କୁକୁଡ଼ା ମଡ଼କ, କୁକୁଡ଼ାମାନେ ଯେ ଯେଉଁଠି ବସି ଢୁଳେଇ ଢୁଳେଇ ମରିଗଲେ । ତା’ପରେ ପୁଣି ସେ ଚେଷ୍ଟାକଲା, ପୁଣି ସେମାନେ ସେହି ରୋଗରେ ମଲେ । ତା’ପରେ ପୁଣିଥରେ ଚେଷ୍ଟା, ସେଥର ତା’ର ଶତ୍ରୁ ହେଲା ଗୋଟାଏ ବିଲୁଆ ପଦାରୁ ଘେର ବାଡ଼ଠାରୁ ଖଣ୍ଡେ ଦୂର ଛାଡ଼ି ଗୋଟାଏ ବୁଦାତଳୁ ଗାତ ଫୁଟାଇଆଣିଲା ଘେର ଭିତରେ ଠାଏ ଉଢ଼ୁଆଳ ଜାଗାଯାକେ, ପ୍ରତ୍ୟହ ଗୋଟିଏ ଗୋଟିଏ କରି ଉଠାଇ ଉଠାଇ ସୁଡ଼ଙ୍ଗପଥ ଆବିଷ୍କୃତ ହେବାଯାକେ କୁକୁଡ଼ା ବଂଶ ପଦା ହେଲେ । ରସିଦ୍ ମିଆଁ କୁକୁଡ଼ାଚାଷ ଛାଡ଼ି ମାଛଚାଷରେ ମନ ଦେଲା, ଆଗ ତା’ର ଡିହ ତଳକୁ ଲାଗି ବାରିଆଡ଼ର ପୋଖରୀ, ଖରାଦିନେ ଶୁଖିଲା ପୋଖରୀ ତଳିରେ ହଳ କରି ବ୍ଲକ୍‍ର ମାଛ ବିଶାରଦଙ୍କ ପରାମର୍ଶ ନେଇ ସେଥିରେ ଆଠ ଶଗଡ଼ ଗୋବର ଖତ ପକାଇ ମହା ଉତ୍ସାହରେ କାମ ଆରମ୍ଭ କରିଦେଲା । ପ୍ରଥମ ପାଣି ଉତ୍ତାରୁ ଆଙ୍ଗୁଳିଏ ଲେଖାଁ ଯାଆଁଳ କିଣି ଆଣି ଛାଡ଼ି ଦେଲା ପଚିଶି ହଜାର । ସେ ତା’ର ମାଛମାନଙ୍କୁ ପିଡ଼ିଆ, କୁଣ୍ଡା, ଚୋକଡ଼, ଭାତ, ନାନା ଦ୍ରବ୍ୟ ଖାଇବାକୁ ଦେଲା, ପଡ଼ିଶାମାନେ ହସା ହସି ହୋଇ କହିଲେ ଏତେ ପଦାର୍ଥ ପାଇଥିଲେ ଦି’ହଳ ବଳଦ ସୁଖରେ ବଞ୍ଚିଯାଇଥାନ୍ତେ । ରସିଦ୍ ମିଆଁ କହିଲା, ଦେଖିବ ରଇଥା ଦେଖିବ । ବର୍ଷେ ପରେ କେବେ କେବେ ଗୋଟାଏ ଗୋଟାଏ ଅଧ ସେରିଆ ରୋହି ଭାକୁର ଦେଖି ସେ ଖୁସି ହୁଏ । ତା’ପରେ କେମିତି କ’ଣ ହେଲା ସେ ଜାଣି ପାରିଲା ନାହିଁ, ଜାଲ ପକାଇଲା ବେଳକୁ ମିଳିଲେ ସାମାନ୍ୟ କିଛି ଦଣ୍ଡିକିରି, ଜହ୍ଲା, କଉଫାସି ଆଉ କଣ୍ଟିଆ, ଅନ୍ୟମାଛ କୁଆଡ଼େ ଉଭେଇଗଲେ । କିଏ କହିଲା ଯାଆଁଳ ଥିଲେ ଖରାପ, କିଏ କହିଲା ଓଧ ପଲ ଚରିଗଲେ । ଟର୍ଚ୍ଚ ପକାଇ ଥରେ ଗୋଟାଏ ଓଧର ନିଆଁହୁଳା ଆଖି ଯୋଡ଼ାଏ ସେ ଦେଖିଥିଲା, ମନକୁମନ ସାନ୍ତ୍ୱନା ଦେଇଥିଲା,– “ଦୈବ ଦୁର୍ଗତିକୁ କୁମ୍ପାନୀ ଦାୟୀ ନୁହେଁ” କିନ୍ତୁ ପଛେ ତା’ କାନରେ ଫୁସୁରୁ ଫାସୁରୁ ପହଞ୍ଚିଲା, ରାତିକା ରାତି ସେ ଆବିଷ୍କାର କଲା, ପୋଖରୀକୂଳରେ ଠାଏ ଠାଏ ପୁଳାଏ ପୁଳାଏ କୁଜିଗେଣ୍ଡା ଖୋଳ ଗଦା ହୋଇଛି, ସେଠି ପୁରୁଣା ଶୁଖିଲା ଦଳର ସାନ ସାନ କୁଦ ।

ମାଛଚାଷରୁ ବି ତା’ର ମନ ଛାଡ଼ିଗଲା । ତା’ପରେ ମାମୁ ସଙ୍ଗରେ ଗଲା କଲିକତା, ଅବେଳାରେ ଗଲା, ହିନ୍ଦୁ ମୁସଲମାନ ହାଣ କାଟ, ଗାଁକୁ ଫେରିଆସିଲି । ଦିନାକେତେ ପରେ ଚଉଦ୍ୱାର, ଶ୍ରମିକ ହୋଇ କଳରେ କାମ କରୁ କରୁ ଯନ୍ତ୍ରପାତି ଆଡ଼କୁ ତା’ର ଶରଧା ବଳିଲା । ଖୁଟୁରୁ ଖାଟୁରୁ କରୁ କରୁ ସେ ଅବସର ସମୟରେ ନାନା ଯନ୍ତ୍ରପାତିର ମରାମତି କାର୍ଯ୍ୟରେ ଟିକିଏ ଟିକିଏ ହାତ ଦେଲା ଓ ତା’ପରେ ଆବିଷ୍କାର କଲା ଯେ ସାଇକେଲ ଓ ପେଟ୍ରୋମ୍ୟାକସ୍ ଆଲୁଅ, ଟର୍ଚ୍ଚ ଲାଇଟ୍, ଷ୍ଟୋଭ୍ ଆଦି କେତେକ ପଦାର୍ଥ ମରାମତି କରିବାକୁ ତା’ର ଅଦ୍ଭୁତ କ୍ଷମତା, ତା’ଛଡ଼ା ମଟର ଗାଡ଼ି, ଚାଉଳ କଳ ଆଦି ଯନ୍ତ୍ରର କେତେକ ଅଂଶର ମରାମତିରେ ମଧ୍ୟ ସେ ହାତ ଦେଇପାରୁଛି । ଯନ୍ତ୍ର ସହିତ ଲାଗି ରହି ଖୁଟ୍ ଖାଟ୍ କରିବା ତା’ର ଖାଲି ସାଧାରଣ ଅଭ୍ୟାସ ନୁହେଁ, ଗୋଟାଏ ଝୁଙ୍କ ହୋଇ ଯାଇଥିଲା । ସେ ସ୍ୱପ୍ନ ଦେଖୁଥିଲା, ସେହି ଚୌଦ୍ୱାରରେ ତା’ର ନିଜର ହୋଇ ଗୋଟିଏ ସାନ କାରଖାନା ଠିଆ ହେବ, ସେ ସେଠି ସ୍ୱାଧୀନ ଭାବେ ରୋଜଗାର କରିବ, ତା’ପରେ ତ ବଡ଼ଲୋକ ହେବ, ଚୌଦ୍ଵାରର ରସିଦ୍ ଖାଁ. ସହରରେ ସେ ହେବ ଗୋଟାଏ ଚିହ୍ନା ନାଁ-

ତା’ପରେ ଚୌଦ୍ଵାରରେ ଲାଗିଲା ‘ଧର୍ମଘଟ’ ଓ ତା’ ପ୍ରତିକ୍ରିୟା ରସିଦ୍ ମିଆଁ ତାତିଗଲା, ତା’ପରେ ଭାସିଗଲା । ସେତେବେଳେ ସେ ଭାବୁଥାଏ, ସତେ ଯେମିତି ସମଗ୍ର ପୃଥିବୀରେ ସତ୍ୟ, ନ୍ୟାୟ, ଶ୍ରମିକର ଆତ୍ମମର୍ଯ୍ୟାଦା ପ୍ରତିଷ୍ଠା, ଶୋଷଣର ସମୂହ ବିଲୋପ ଆଦି ବଡ଼ ବଡ଼ ନୀତି ହାସଲ କରିବା ଲାଗି କେଉଁକାଳୁ ଯେଉଁ ଅଭିଯାନ ଚାଲିଆସିଛି ତା’ର ଶେଷ ପର୍ବ ଆରମ୍ଭ ହୋଇଛି ଏହି ଚୌଦ୍ଵାରରେ, ବିଜୟ ସୁନିଶ୍ଚିତ ।

ଧର୍ମଘଟ ଭାଙ୍ଗିଲା, ତା’ ସଙ୍ଗେ ସଙ୍ଗେ ରସିଦ୍ ମିଆଁର ଆଦର୍ଶବାଦ ବି ଭାଙ୍ଗିଗଲା । ଜେଲ୍ ହାଜତରେ ଛ’ସପ୍ତାହ, ସେ ଖଲାସ୍ ହେଲା । ତା’ପରେ ସିଧା ଚାଲିଆସିଲା ଆପଣା ଗାଁକୁ । ଜାଣତା ମନରେ ସେ ଆଉ କୌଣସି ହେଲେ ମେଣ୍ଟରେ ନେତା ହେବ ବୋଲି କଳ୍ପନା କରିନାହିଁ, ଓଲଟି ତା’ର ଅଜଣା ମନର ନିଭୃତ ଗହୀରରେ ସେପ୍ରକାର ନେତାଗିରି ପ୍ରତି ଗୋଟାଏ ଅଭିଯୋଗ ଓ ତୁଚ୍ଛତାଚ୍ଛଲ୍ୟ ଭାବ ରହିଯାଇଥିଲା । ତା’ର କାରଣ ଏପରି ନ ଥିଲା ଯେ ଚଉଦ୍ୱାର ଘଟଣାରେ ସେ ଡରିଯାଇଥିଲା, ଡରିବା ତ ଭିନେ, ବରଂ ଡରିବା ଲାଗି ଯେଉଁଠି ଯେତେଥର କାରଣ ଉପୁଜିଛି ସେଠି ସେ ଆହୁରି ତେଜି ଉଠିଛି, ଝାଳ ଗମ ଗମ ବୋହୁଥିବ, ତା’ର ଶେଥା ଗୋରା ଦେହଟା ଦିଶୁଥିବ ନାଲି ଟହଟହ, କୁହୁଳୁଥିବା ଆଖିରେ ଅନାଇଁ ଅନାଇଁ ଖୋଲା ହାତ ପାପୁଲି ସମେତ ଡାହାଣ ହାତକୁ ସିଧା ଉପରକୁ ଟେକି କେତେବେଳେ ଅବା ହାତ ଛାଟି ଛାଟି ସେ ଯେଉଁ ଗର୍ଜନ ଛାଡ଼ି ଛାଡ଼ି ଆଗେ ଆଗେ ଚାଲିଯାଏ ସେଥିରେ ଥାଏ ଜନ୍ତୁର ବଳ ଓ ଆସ୍ଫୋଳନ ଓ ମଣିଷର ଅଟଳ ନିର୍ଭୀକତା । କିନ୍ତୁ ଏତେ ଉତ୍ତେଜେନା ଏତେ ଆନ୍ଦୋଳନର ଯେଉଁ ପରିଣତି ଘଟିଲା, ଅର୍ଥାତ୍ ପ୍ରତି ଶ୍ରମିକକୁ ଏକକାଳୀନ ସାମାନ୍ୟ କେତୋଟି ଟଙ୍କା ମିଳିଲା, ଆଉ ଯାହା ଥିଲା ସେଇଆ,–ସେ ଭାବିଲା ଯେ ଯାହା ମିଳିଲା ତାହା କୌଣସି ନୀତିର ବିଜୟର ଚିହ୍ନ ନୁହେଁ, କୌଣସି ଦାବିର ସ୍ୱୀକୃତି ନୁହେଁ, ଏତେ ପରାକ୍ରମ ଖର୍ଚ୍ଚ ହେଲା ଖାଲି ଗୋଟାଏ ବରକୋଳି ଗଛକୁ ଝାଙ୍କେ ଦେବାକୁ ଯହିଁରେ ଖାଲି ତଳେ ଝଡ଼ିପଡ଼ିଲା ଗୋଟାଏ ଅଧେ ପୋକରା କଷା ବରକୋଳି, ଆଉ କିଛି ହେଲାନାହିଁ । ଅଥଚ ଲୋକେ ଯେତେବେଳେ ଶୁଖିଲା ମୁହଁରେ ପୁରୁଣା କାମ କରିବାକୁ ଗଲେ ଆନ୍ଦୋଳନର ନେତାମାନେ ବୁଲିଲେ ଛାତି ଫୁଲାଇ, କହିଲେ ଦେଇଛୁଁ ଏଥର ଆଚ୍ଛା କରି ପାନେ, ଆହୁରି ମାଡ଼ିଛୁଁ ପାହୁଣ୍ଡେ ଆଗକୁ, ଏକା ଦିନକେ କୋଠା ତୋଳା ହୁଏନାହିଁ । ଏମିତି ଥରକୁ ଥର, ଖଣ୍ଡିଏ ଚାଲିଛି ଚାଲିଥିବ । ରସିଦ୍ ମିଆଁ ଗାଁ’କୁ ଲେଉଟି ଆସି ବିଭାହେଲା, ଅଳସେଇ ହେଲା, ପାନ ଚୋବେଇ ଚୋବେଇ ଗଛ ଛାଇରେ ବସି ପୋଖରୀ ପାଣିରେ ବନ୍‍ସୀ ଖଡ଼ାକୁ ଖଣ୍ଡିରେ ଶୁଆଇ ରଖି ମିଞ୍ଜି ମିଞ୍ଜି ଆଖିରେ ଅନାଇଁଗଲା ଆଗକୁ ଆଉ ପଛକୁ ।

କଲିକତା ହିନ୍ଦୁ ମୁସଲମାନ ହାଣକଟାବେଳେ ବି ନେତାମାନଙ୍କୁ ସେ ଦେଖିଛି, ସେମାନେ କହୁଥିଲେ “ମାର, ମାର” । ଏଣେ ଗାଁ’ରେ ହିନ୍ଦୁ ମୁସଲମାନ ଏକାଠି ମିଶି ମହରମ ଆଉ ଦଶହରା କରନ୍ତି, ରସିଦ୍ ମିଆଁ ଘର ସାହିରେ ମଗୁଶୁର ମାସ ଗୁରୁବାର ଦିନ ମାଣ ବସେ, ରସିଦ୍ ମିଆଁର ଚାଚା ଫର୍ଜନ ଖ୍ୟାତନାମା ସଜ୍ଜନ ଓ ସଚ୍ଚା ମୁସଲମାନ, ଦାଢ଼ି ଛାତିଯାକେ ଲମ୍ବିଛି ଆଉ ସେ ଏକାଦଶୀ ଉପବାସ କରନ୍ତି, ମାଛ ମାଂସ ଖାଆନ୍ତିନାହିଁ । ସାହିଯାକର ପିଲାଙ୍କୁ କେବେ ମୁଢ଼ି ତୁଣ୍ଡପୋଡ଼ା ପତ୍ର, କେବେ ମୁଆଁ, କେବେ କଦଳୀ ଖୁଆନ୍ତି, କାହା କାହା ଘରେ ପିଲାଙ୍କୁ ରୋଗ ହେଲେ ଝଡ଼ାଫୁଙ୍କା କରନ୍ତି, ଡାଆଣୀ ଚିରିଗୁଣୀ ଲାଗିଲେ ବି ଫର୍ଜନ୍ ମିଆଁ ଝାଡ଼ି ଫୁଙ୍କି ଦେଲେ ଭଲ ହୋଇଯାଏ କହନ୍ତି, ଆଉ ଏପରି ବି ବିଶ୍ୱାସ ଅଛି ଯେ କାହାକୁ ସାପ କାମୁଡ଼ିଛି ବୋଲି ଫର୍ଜନ୍ ମିଆଁଙ୍କ ପାଖକୁ ସମ୍ବାଦ ଆସିଲେ ଫର୍ଜନ ମିଆଁ ମୁସଲମାନ ମନ୍ତ୍ର ପଢ଼ି ସେ ସମ୍ବାଦଦାତାଙ୍କ ଗାଲରେ ଠାଇ କରି ଚାପୁଡ଼ାଟିଏ ମାରିଦେଲେ ରୋଗୀର ବିଷ ହରଣ ହୋଇଯାଏ, ତେଣୁ ଫର୍ଜନ ମିଆଁ କି ହିନ୍ଦୁ କି ମୁସଲମାନ ସମସ୍ତିଙ୍କ ଆଖିରେ ସନ୍ଥ ପୁରୁଷ, ସେ ଖୁବ୍ ବୁଢ଼ା ହେଲେଣି, ସ୍ୱଭାବରେ ଗମ୍ଭୀର ଓ ଉଦାସୀ ଲୋକ, ତୁନିତାନି ହୋଇ ଆପଣା ଘର ପିଣ୍ଡାରେ ବସିରହିବାକୁ ତାଙ୍କୁ ସୁଖ ଲାଗେ, ହିନ୍ଦୁ ମୁସଲମାନ ଉଭୟେ କହନ୍ତି, ସେ ବସି ଧ୍ୟାନ କରନ୍ତି । ଆଉ ସବୁଠୁ ଆଶ୍ଚର୍ଯ୍ୟ ସେ ଗାଁ’ର ହିନ୍ଦୁ ଠାକୁରାଣୀ ‘ମାଣିକ ଭୂୟାଁଣୀ’ । ପ୍ରବାଦ ଅଛି ସେହି ସାନ ବଡ଼ ହୋଇ ଗୋଲ ଗୋଲ ପଥର ସାତଖଣ୍ଡି ସେ ମାଟିରେ କେଉଁ କାଳର କେଉଁ କନ୍ଧ ବସାଇଥିଲା, ସେହି ବିଗ୍ରହ ପାଖରେ ଯେଉଁ ପୁରୁଣା କାଠଗଣ୍ଡିଟି ଏବେବି ପୋତା ହୋଇଛି ତାକୁ ସେହି କନ୍ଧ ପୋତିଥିଲା, ସେହି ପଥରଗୁଡ଼ିକ କନ୍ଧର ଠାକୁରାଣୀ ‘ଧର୍ତ୍ତନୁ’–ଧରିତ୍ରୀଦେବୀ, ସେ କାଠଖୁଣ୍ଟ ତା’ର ‘କାଠଖୁଣ୍ଟିଆ’ ଠାକୁର ପ୍ରାଚୀନ ‘ଧର୍ମୁ’ । ତା’ପରେ ସେ ପଥର ବିଗ୍ରହ ହେଲେ ‘ମାଣିକେଶ୍ଵରୀ’, କେବେ ସେଠୁ କନ୍ଧ ବିଦା ହେଲା ପରେ ତାକୁ ହିନ୍ଦୁ ପୂଜାକଲେ ‘ମାଣିକ ଭୂୟାଁଣୀ’ ବୋଲି ଦଶହରା ପର୍ବ ପାଳିଲେ । ତା’ପରେ କେବେ ଆସିଲେ ମୁସଲମାନ, ଗଡ଼ ଜିତିଲେ, ବସ୍ତି ବସାଇଲେ, କିନ୍ତୁ ‘ମାଣିକ ଭୂୟାଁଣୀ’କୁ ହତାଦର ନ କରି ଆପଣାର କଲେ । କନ୍ଧର ଧର୍ତ୍ତନୁ ଉପରେ ହିନ୍ଦୁ ବୋଳିଥିଲା ଚୁଆ ସିନ୍ଦୂରର ପୁଟ । ମୁସଲମାନ ତଳେ ହାତେ ଉଞ୍ଚର କାଠି ପୋତିଦେଲା, କାଠିକି କାଠି ରଙ୍ଗ ରଙ୍ଗର ସୁତାର ଜାଲ ବିଛେଇ ତିଆରିକଲା ରଙ୍ଗର ସୂତା-ଛତି । ଦଶହରା ପୂଜାକୁ ୟେ ଦେବୀ ବରଣ ହୁଅନ୍ତି ପାଖ ଗାଁ’ ଦିବ୍ୟସିଂହପୁର ବ୍ରାହ୍ମଣ ଶାସନରେ ଚଉପାଢ଼ୀ ଆଗରେ । ସେଠି ବେଦି ଉପରେ ମୁରୁଜ ପଡ଼େ, ପୂର୍ଣ୍ଣ କୁମ୍ଭ ବସେ, ଆଉ ଶାସନୀ ବ୍ରାହ୍ମଣମାନଙ୍କ ସଙ୍ଗେ ଏକାଠି ବସନ୍ତି ମୁସଲମାନମାନେ, ପୁରୋହିତ ସେମାନଙ୍କ ହାତରେ ବି କୁଶବଟୁ ଦିଅନ୍ତି, ସେମାନେ ବି ସେ ପୂଜାରେ ଯଜମାନ । ତା’ପରେ ଦେବୀ ମାଣିକ ଭୂୟାଁଣୀ ଯେତେବେଳେ ସାହି ବୁଲନ୍ତି ଘର ଘର ବୁଲନ୍ତି, ଘର ଘର ବୁଲି ପିଣ୍ଡାରେ ଭୋଗ ଖାଆନ୍ତି । ସେତେବେଳେ ପ୍ରତି ମୁସଲମାନ ଘରକୁ ବିଜେ କରି ବି ସେ ଭୋଗ ଖାଆନ୍ତି, ସେଥିପାଇଁ ପ୍ରତି ମୁସଲମାନ ଘର ଆଗରେ ବି ଛାମୁଣ୍ଡିଆ ହୋଇଥାଏ, ତଳେ ଗୋବର ଲିପା ହୋଇଥାଏ, ଚିତା ଓ ମୁରୁଜ ପଡ଼ିଥାଏ । ଏମିତି ଏକାଠି ହିନ୍ଦୁ ମୁସଲମାନଙ୍କର କେତେ କୋଠର ଠାକୁର ଆଉ ସନ୍ଥ, କାଇପଦରର ବୋଖାରି ସାହେବଙ୍କଠୁଁ ଲଗାଏତ୍ କାକଟପୁର ଆଡ଼ ସମୁଦ୍ରକୂଳରେ ସନ୍ଥ ମୁକଦ୍ଦମ୍ ଜାହାନିଆ ପୀର୍ ପର୍ଯ୍ୟନ୍ତ କେତେ ପୀର୍‍ସାହେବ୍, ଆଉ ଗ୍ରାମେ ଗ୍ରାମେ ସତ୍ୟପୀର ସତ୍ୟନାରାୟଣଙ୍କ ପୂଜା । ଅସଂଖ୍ୟ ଦେବତା ଅସଂଖ୍ୟ ପ୍ରକାର ଉପାସନାମାର୍ଗକୁ ଏକା ଚାଙ୍ଗୁଡ଼ାକେ ସମ୍ପାଦି ରଖିଛି ଭାରତ । ସେମିତି ତା’ ଭିତରେ ମୁସଲମାନ କି ଅମୁସଲମାନ, ଅଥଚ କଲିକତାରେ ସେ ଦେଖିଆସିଲା ସେହି ଧର୍ମର ନାଁ’ ଧରି ଦଳ ବଳ ଘେନି ମୁଣ୍ଡିଆଳ ହୋଇ ଲୋକେ ପାଟି କରୁଥିଲେ “ମାର, ମାର”, ଆଖି ଆଗରେ କେତେ ନୃଶଂସ କାଣ୍ଡ ସେ ନ ଦେଖିଛି, ସତେକି ଦେଶ ଗୋଟାକ ପାଲଟିଗଲା ଜାହାନ୍ନାମ୍, ସେତେବେଳେ କ’ଣ ନ ହେଲା !

“ନିଜ ବୁଦ୍ଧିରେ ପଛେ ଫକିର ହେବ ପର ବୁଦ୍ଧିରେ ରଜା ହେବନାହିଁ,–ପର କୁହାରେ ପଡ଼ିବନାହିଁ ।”

ରସିଦ୍ ମିଆଁ ଅଳସ ଭାଙ୍ଗି ହାଇ ମାରି ମାରି ମନକୁ ମନ ଭାବିଲା, ଆଉ ଗାଁ’ ଦଳାଦତି ଗାଁ’ ନିଶାପଠୁଁ ଦୂରରେ ରହିଲା ।

ବିବି ପରିଶ୍ରମୀ, ହାତ ଘୋଳିହୁଏ ନାହିଁ, ମୁହଁ ଶୁଖେ ନାହିଁ । ସଜନାଗଛରେ ଶାଗ ଥାଏ, ଛୁଇଁ ଓହଳେ । ମାଛ ନ ହେଲେ ପିତ୍ତା ଶୁଖୁଆ ମିଳେ, ପୋଡ଼ିଦେଇ ରସୁଣ ଲଙ୍କା ପକାଇ ଚଟଣି କଲେ କଲରାପୋଡ଼ା ପରି ଲାଗେ । ବିଲେଇ ଖାଏ ଶୁଖୁଆ ଆଉ ରସିଦ୍ ମିଆଁ ନବାବି କାଇଦାରେ ବିବି ଆଗରେ କହେ–ବିଲ୍ ବାହାଦୁର୍ ଶୁକ୍ ମହାଲକୋ ଲୁଟ୍‍ଲିଆ, ତୋ ଫଉଜ୍ ଚଲାଓ, ଅଭିଲା ଠଣ୍ଡି ପଲାଉ ବଇଗଣ୍ କବାବ୍ ।

ରସିଦ୍ ମିଆଁ କଲା ଖାଲି ଖଣ୍ଡେ ସାଇକେଲ ମରାମତ ଦୋକାନ, ତା’ ମଧ୍ୟ ସମୟ ବିତାଇବା ପାଇଁ । ଧନୀ ହେବାପାଇଁ ନୁହେଁ ।

କୁଳିଆ ସତେକି ରସିଦ୍ ମିଆଁର ବିଚାର ଓ ଚିନ୍ତାମାନ ଲଟକାଇବା ପାଇଁ ଅଲୁଗୁଣି । ବେଶି କଥା କହେନାହିଁ । କିନ୍ତୁ କଥା ଶୁଣେ ଯେ ଖାଲି କାନରେ ନୁହେଁ, ଆଖିରେ, ତା’ର ସମୁଦାୟ ତନ୍ମୟ ଠାଣିରେ । ତା’ର ସେହି ସୌଜନ୍ୟ, ବିନୟ, ଧୈର୍ଯ୍ୟ ଅଚଞ୍ଚଳତା ଦେଖି ମୂଷାର ସ୍ତ୍ରୀ ରେବ ତା’ ବିଷୟରେ ଥଟ୍ଟା କରି କହେ–“ସତେ ଯେମିତି ଏକା ମା’ ପେଟର ଦି’ଭାଇ ପରି ଦିଅରଟିଏପରା, ଏକା ଲାଉର ମଞ୍ଜି, ୟେ ଯେମିତି ମିଁମିଁଆଁକୁ ସେ ସେମିତି ମିଁମିଁଆ, ୟେ ଯେମିତି ମାନ୍ଦା କାଉନ୍ଦାକୁ ସେ ସେମିତି ମାନ୍ଦା କାଉନ୍ଦା । ଭଲ ମଣିଷ କହୁଚ ? ଭଲ ମଣିଷ ସଂସାରରେ ସମସ୍ତେ । ଏତିକି ଯେ, ଯାହା ଭିତରେ ତାତି ଥାଏ ସେ ହାତକୁ କାକର ଲାଗେନାହିଁ । ଯାହା ବେଁ ଶିରା ହାଡ଼ ଟାଣ ଥାଏ ସେ ଆଉ ପରପାଖେ ନୂଆଁଣିଆ ହୁଏନାହିଁ କି ନାଲି ଛାଲି ହୁଏନାହିଁ । ଛାଡ଼, ସେ ସବୁଦିନେ ସେଇଆ ।”

କିନ୍ତୁ ରସିଦ୍ ମିଆଁ ତା’ଠିଁ ସେସବୁ ଗୁଣ ଦେଖି କହେ, ୟେ ପୁରୁଣା ଆଭିଜାତ୍ୟର ନିଦାନ ଗୁଣ, କହେ ପାଉଁଶରେ ପଡ଼ିଥିଲେ ବି ମାଣିକଟା ବାରି ହୋଇପଡ଼ିବ, “ଦେଖୁନା ଦୋସ୍ତ୍ କୁଳିଆକୁ-।” କୁଳିଆ ତା’ର ନିଛାଟିଆ ମନ ଆଳାପର ଶ୍ରୋତା । କୁଳିଆ ଆଗରେ କଥା କହି ସେ ଆପଣା କଥାକୁ ନିଜେ ଶୁଣେ, ଆପଣା ଚିନ୍ତାକୁ ନିଜେ ଗୋଟେଇ ପୋଟେଇ ରଖି ଅନାଏଁ । ଯାହା ତା’ଠିଁ ଟିକିଏ ବି କେତେବେଳେ ଉଦବେଗ ଖୁଜୁବୁଜୁ ହୁଏ, କୁଳିଆ ଆଗରେ ଝାଡ଼ଝୁଡ଼ି କରିଦେଲେ ସେ ଆପେ ସରିଯାଏ, ଉଡ଼ିଯାଏ ।

ସେ କୁଳିଆକୁ କହିଲା– ତୁମେ ହେଲେ ପଞ୍ଚାୟତ ମେମ୍ବର ପାଇଁ ଠିଆ ହୋଇଥାନ୍ତ ସଙ୍ଗାତ, ମତେ କହିଲେ ମୁଁ ଲାଗିଥାନ୍ତି, ତୁମର ହୋଇଯାଇଥାନ୍ତା । ଏତେ ସୁବିଧା ଥାଇ ତୁମେ ଛାଡ଼ିଦେଲ ? ହଁ କର, ଫେର୍ ଲାଗିବା, ଜଣକୁ କାହାକୁ ହାତକଲେ ସେ ଜାଗା ଛାଡ଼ିଦେବ, ମିଟିଂକୁ ଲଗାଲଗି ତିନିଥର ନ ଆସିଲେ ବଳେ ନାକଚ, ସେଉଠୁ ପୁଣି ଭୋଟ୍ ହେବ, ସେଉଠୁ ତୁମେ ଆସିବ । “ଆଉ କେତେବେଳେ ମୁହଁ ଶୁଖେଇ କହିଥିଲା–“ଯେ ଆସିଲେ ସୁଦ୍ଧା କ’ଣ ଓଲଟାଇପକାଇବେ ସଙ୍ଗାତ ? ଲୋକଙ୍କୁ ନେଇ ସିନା ସବୁ କଳ ସବୁ ବଳ, ବଳଦ ଅମଣିଆଁ ଥିଲେ କି ହଳ ହେବ ? କହୁନା ? ଲୋକେ ତ ଧରିଲେଣି ଭିନେ ବାଟ, ଜାଣ ବେପାରିଙ୍କ ଦେଖା ଦେଖି ସମସ୍ତିଙ୍କ କାନ୍ଥରେ ଲେଖାହେଲାଣି “ଲାଭ, ଶୁଭ”, ସେ କାହାର ? ତାଙ୍କ ନିଜ ନିଜର ନା, ତମର କି ମୋର ? ସେଇଥିରୁ ସବୁ କଳାବଜାର ପୁଣି ସବୁ କିଳାପୋତେଇ ପାଇଁ ପାଗଯୋଗ ତିଆରି ହେଉଛି, କାରଣ ସମସ୍ତେ ଲୋଡ଼ୁଛନ୍ତି ମୁଁ ସବା ଆଗ ଯିବି, ମୋ’ରି ପତରରେ ସବୁ ଅଜଡ଼ା ହେଉ, ମୁଁ ପାଉଥିବି ସବୁଯାକ ଲୁହ, ସିମିଟି, ଚିନି, କିରାସିନି, ସୂତା କପଡ଼ା । ସମସ୍ତିଙ୍କୁ ଚିତାକାଟି ମୁଁ ହୋଇଥାଏଁ ସବୁଠୁ ବୁଧିଆ, ପାରିବାର ।

 

ଦେହରୁ ମଳି ୟେ ଦେବେ ନାହିଁ, କାମ ୟେ କରିବେ ନାହିଁ, ନେବା ପାଇଁ ଆଗ ୟେ ହାତ ପତେଇବେ, ଏବେ ଆଉ ଖାଲି ତୁଣ୍ଡ କଥା ନାଇଁ, ଆଖି ଦେଖେଇ ଶିଖିଲେଣି, ଠେଙ୍ଗା ନଚେଇ ଶିଖିଲେଣି, ତା’ପରେ ଅବସ୍ଥା କ’ଣ ହେବ ସଙ୍ଗାତ ? କିଏ ସମ୍ଭାଳିବ ? ୟା’ଙ୍କୁ ସନ୍ତୋଷ କେହି କରିପାରିବେ ନାହିଁ, ସଙ୍ଗାତ, ୟେ ଉପକାର ମନେ ରଖିବେ ନାହିଁ, କାମ ହାସଲ ହେଲେ ଗୋଇଠାଏ ମାରିବେ । ଦେଖୁନା କାଲି ଯାହାଙ୍କୁ ସବୁ ମୁଣ୍ଡରେ ମୁଣ୍ଡେଇ ଥିଲେ ଆଜି ତାଙ୍କୁ ତୁଣ୍ଡରେ ପଚାରୁ ନାହାନ୍ତି, ଖାଲି ବାର ତେଣ୍ଟା ? ତମେ ଆମେ ମେମ୍ୱର ହୋଇ ଆଗରେ ରହିଲେ କେତେ ପଛରେ ରହିଲେ କେତେ ୟେ ମଳମଳିରେ ଯାହା ହେବାର ଥିବ ତା’ ହେବ, ଆମେ କିଛି ସୁଧାରି ପାରିବା ନାହିଁ, କହନ୍ତି ନାଇଁ, ବଡ଼ ବଡ଼ ଫସରଫାଟି, ସାନ ଆଇଲେଣି ବେସର ବାଟି ?”

 

କହିଲା ବେଳେ ତା’ର ଛଞ୍ଚାଣ ଆଖିର ମୁନିଆଁ ଚାହାଣି ଓ ତା’ର ଲମ୍ବା ଶୁଆଥଣ୍ଟିଆ ନାକର ଆଗ ଏକା ଗାରକେ ତେର୍ଚ୍ଛା ହୋଇ ଦିଶେ ଦୂରକୁ ଲମ୍ବି ଯାଉଥିବାର, କୁଳିଆକୁ ସେ ଠାଣି ଦିଶେ ଭାରି ଦାମୀ । ସେତେବେଳେ ସେ ମନକୁ ମନ ଭାବେ,–ଆଗେ କେଉଁ ପୁରୁଷରେ ୟା’ଙ୍କରି ପୂର୍ବପୁରୁଷ ନବାବ୍ ଘରର ଅଂଶ ଥିଲେ ବୋଲି ଯେଉଁ ଗୋଟିଏ କଥା ଚଳି ଆସୁଛି ସେକଥା ମିଛ ନୁହେଁ ପରା !

 

କିନ୍ତୁ ସେତିକି ନ ଥିଲା ରସିଦ୍ ମିଆଁର ଶେଷ ସିଦ୍ଧାନ୍ତ । ଆଉ ଥରେ ସେ ବେଳବୁଡ଼େ ଆସି ଅତି ବିଶ୍ୱାସରେ ନିଦା ସତକଥା କହିଲା ପରି ଗପି ଦେଇଗଲା,–

 

“ଲୋକଙ୍କୁ ନିନ୍ଦିବି ନାଇଁ ସଙ୍ଗାତ, ଲୋକେ ଠିକ୍ ଅଛନ୍ତି, ନ ଥିଲେ ଏ ସଂସାର ଉଜୁଡ଼ନ୍ତାଣି, ଯେତେ ବିଗିଡ଼ା ସବୁ ଏ ନେତାମାନେ, ଖେମେତା ମୁଠେଇ ରଖିବେ ବୋଲି ଦୁନିଆଁ ଜାଳିଦେବେ ।

 

ସାହି ସାହିକେ ଯୋଡ଼ା ଯୋଡ଼ା ନେତା, ଗାଁ ଗାଁ’କେ କୋଡ଼ିଏ ପନ୍ଦର, ଦେଶଯାକେ ତ ଛାଡ଼ । ୟେ ଏବାଟେ ଆସି କହିଲେ ସେ ସେବାଟେ ଆସି ଡାକୁଚି, ସମସ୍ତେ କହୁଚନ୍ତି ଆମକୁ ମାନ-। ଲୋକଙ୍କଠିଁ ବୁଧି ବିଚାର ଅଛି ବୋଲି ସେମାନେ ସବୁ ଶୁଣି ମୁଣ୍ଡ ଟୁଙ୍ଗାରନ୍ତି, କଲାବେଳେ ଅସଲ କାମ କରିଯାଆନ୍ତି । ଆଚ୍ଛା, ପଚାରୁଛି କହିଲ, ଆମ ଦେଶ ଯେ ବିଦେଶୀ ଶାସନରୁ ମୁକୁଳି ସ୍ୱାଧୀନ ହେଲା, ସେ ୟେ ଜନତାଙ୍କ ବଳରେ ନା ନେତାମାନଙ୍କ ବଳରେ ? କୁଳିଆ କାବାହୋଇ ତା’ ମୁହଁକୁ ଚାହିଁଲା । ଗରାଖି ଆସିଛନ୍ତି, ନେତେରାକୁ ପାଟିଟାଏ କରି ତେଣେ ବରଗି ଦେଇ କୁଳିଆ ଭାବିହେଲା, କ’ଣ ଏ ପ୍ରଶ୍ନର ଉତ୍ତର ଦେବ । କୁଳିଆ ମନଦେଇ ଭାବିବାକୁ ଅଭ୍ୟସ୍ତ ନୁହେଁ କିନ୍ତୁ ଏ ବିଚିତ୍ର ପ୍ରଶ୍ନଟା ଯେପରିକି ଆପେ ଭାବନାର ଦ୍ୟୋତକ, ସତେ ତ, ସ୍ୱାଧୀନତା ଆସିଲା କାହାଯୋଗୁଁ, ନେତାଙ୍କ ପାଇଁ ନା ଜନତା ପାଇଁ ?

 

ସ୍ୱାଧୀନତା ଆସିଥିଲା, ତା’ପରେ ଅଭ୍ୟସ୍ତ ହୋଇ ଯାଇଥିଲା, ଲାଗିଥିଲା ସେ ଆସି ପହଞ୍ଚିଥିଲା ସେମିତି ସହଜ ସ୍ୱାଭାବିକ ହୋଇ ଯେମିତି ଶୀତ ପଛେ ପଛେ ଆସେ ବସନ୍ତ ଋତୁ, ଆଉ ତା’ ଉତ୍ତାରୁ ଖରାଦିନ । ପରାଧୀନ ଭାରତରେ ତା’ର ଜନ୍ମ, ସେତେବେଳେ ସ୍ୱାଧୀନତା ଆଗରୁ ସେ ଜଳବାୟୁ ବି ସହଜ ହୋଇ ଆରେଇ ଯାଇଥିଲା, ସେ ଭାବି ନ ଥିଲା, ତା’ କେବେ ବଦଳିବ । ଏହି ଦୁଇ ଯୁଗ ମଝିରେ ତେଜିଥିଲା ଜାତୀୟ ଆନ୍ଦୋଳନ, ସେତେବେଳେ ଲୋକେ ବି ମାତିଥିଲେ, ନେତାମାନେ ନିର୍ଦ୍ଦେଶ ଦେଇଥିଲେ, କୁରୁକ୍ଷେତ୍ର ଯୁଦ୍ଧରେ ଘଟୋତ୍କଚ କେବଳ ଶଙ୍ଖ ଶବ୍ଦ ଶୁଣିଲା ପରି ଶୁଭୁଥିଲା ଗୋଟିଏ ମନମତାଣିଆ କୁହାଟ– “ମହାତ୍ମା ଗାନ୍ଧିକୀ ଜୟ !” ତ୍ୟାଗ ଦେଇଥିଲେ ଆଘାତ ପାଇଥିଲେ ଜନତା ଓ ନେତା ଉଭୟେ । କୁଳମଣି ଉତ୍ତେଜନାରେ ଉତ୍ତେଜିତ ହୋଇଥିଲା, ଫଳ କଥା ଭାବି ନ ଥିଲା, କୃତିତ୍ୱର ଭାଗ ବଛାବଛି କରିବାର ପ୍ରଶ୍ନ ଉଠି ନ ଥିଲା । ଅଥଚ ଏ ପ୍ରଶ୍ନ !

 

ସେ ଆଖି ମିଞ୍ଜିମିଞ୍ଜି କଲା, ବୁଜିଲା, କପାଳରେ କୁଁଚ ଖେଳାଇ ଦୁଇ ଭୁଲତାକୁ ପାଖକୁ ପାଖ ଠେଲିଲା ପ୍ରାଣପଣେ, ତା’ପରେ ଉପମା ଛଳରେ ତା’ର ଆଉ ଗୋଟାଏ ପ୍ରଶ୍ନ ମନେପଡ଼ିଲା,– “ଜୀବନଟା ମୁଣ୍ଡରେ ଅଛି ନା ଗଣ୍ଡିରେ ?” ସେ ହସିଦେଲା, ସେହି ହସଟା ହିଁ ଜଟିଳ ସମସ୍ୟାରୁ ଉଧୁରିବାକୁ ତା’ର ଉପାୟ । କହିଲା “ହାରିଲି ସଙ୍ଗାତ, ମୋ ଦେଇ ତା’ର ଉତ୍ତର ପଇଟିବ ନାହିଁ । ରସିଦ୍ ମିଆଁ କହିଲା,– “ଭାବିଲେ ସବୁ ଉତ୍ତର ପଇଟିବ, ଏମିତି ଅଛି କିଛି ଯାହା ନ ଆସିବ ?”

 

କୁଳିଆ କହିଲା, “ନା, ତୁମେ କହ ।”

 

ରସିଦ୍ ମିଆଁ କହିଲା- “ନେତାଙ୍କ ପାଇଁ ନା ଜନତା ପାଇଁ, କାହା ବଳରେ ସ୍ଵରାଜ୍ୟ ଆସିଲା, ଏଇ ତ ପ୍ରଶ୍ନ”, ସତେକି ପ୍ରଶ୍ନଟା ସେ ପଚାରି ନ ଥିଲା, କୁଳିଆ ପଚାରିଥିଲା କହିଲା “ସମସ୍ତେ ଆଗ କହିବେ ସେ ନେତାଙ୍କ ପାରିଲା ପଣରୁ, ତାଙ୍କୁ ସମସ୍ତେ ଚିହ୍ନନ୍ତି, ଛବିରେ, ବହି ଭିତରେ, ମୂର୍ତ୍ତିରେ, ନହେଲେ ଗୋଟାସୁଦ୍ଧା ଜୀଅନ୍ତା ଶରୀରରେ, ସବୁଠିଁ ସେମାନେ ଆଖିରେ ପଡ଼ନ୍ତି । କିଏ କେଡ଼େ କଷ୍ଟ ସହିଛି, କିଏ କି କ୍ଷତିରେ ପଡ଼ିଛି, ନିଜ ଜୀବନକୁ ଜାଳିଣୀ କାଠ ପରି ଜାଳି ଦେଇ କି କି କାମ କରିଛି ସେସବୁ ବିଷୟ ସବୁ ନ ଜାଣିଲେ ବି କିଛି କିଛି ତ ଆମେ ବି ଜାଣିଛୁଁ, ଶୁଣିଛୁଁ । ମୁଁ ଭାବୁଚି କି, ସେ ନେତାମାନେ କିଏ, ଏଇ ଜନତା ଭିତରୁ ଜଣେ ଜଣେ ତ ? ଯେଉଁ ମା’ଠୁଁ ଖିର ଖାଇ ବଡ଼ ହେଲେ, ଯେଉଁ ଗାଁ କି ସାହିରେ ଧୂଳି ଖେଳିଲେ, ଯେଉଁ ମଣିଷଙ୍କ ସଙ୍ଗରେ ମେଳରେ ଏକାଠି ରହିଲେ ମନର ବଡ଼ ବଡ଼ ଭାବ ବଡ଼ ବଡ଼ ଇଚ୍ଛାଗୁଡ଼ାକ ଆଗ ସେଇଠୁ ଜନ୍ମ ହୋଇଥିଲା କି ନାହିଁ ? ନିଜ ମାଆକୁ ଶରଧା କରି ଦେଶମା’କୁ ବନ୍ଦିନୀ ବୋଲି ଭାବିଲାବେଳେ ବାଇ ଲାଗିଲା, ଚାରିଆଡ଼େ ଦୁଃଖ କଷ୍ଟ ଦେଖି ଦେଶର ଦୁଃଖକୁ ଦୂର କରିବାକୁ ପ୍ରତିଜ୍ଞା ଆସିଲା । କେତେବେଳେ କାହାର ଶୁଖିଲା ମୁହଁ, କେତେବେଳେ କାହାର ଛାତିଫଟା ନିଃଶ୍ୱାସ, କାହାର ଟୁପୁରୁ ଟାପୁରୁ ଅଭିଶାପ କଥା, ସେଇଆ ପଶିଯାଇଥିବ ରକ୍ତରେ, ଦେହେ ଦେହେ ବଢ଼ିଉଠି ତାଙ୍କ ତୁଣ୍ଡରେ ହୋଇଥିବ ବଜ୍ର ଘଡ଼ଘଡ଼ି । ଦେଶର ଲୋକ ଲୋଡ଼ିଲେ ବୋଲି ସେମାନେ ସେ ଦାବିକୁ ରୂପଦେଲେ ତାଙ୍କ ପଛଆଡ଼େ ଦେଶର ଲୋକଙ୍କ ବଳ ରହିଥିଲା ବୋଲି ସେମାନେ ସେ ଦାବିକୁ ହାସଲ କଲେ । ସଞ୍ଜେ ସକାଳେ ଶୁଭମନାସିବା ବି ବଳରେ ଗଣା, ଖାଲି ଠେଙ୍ଗା ବାଡ଼ି ଗୁଳି ବାରୁଦ ହିଁ ବଳ ନୁହେଁ । ଆଗ ଦେଶ ଆଗ, ଜନତା ଏ ସାରା ଗୋଷ୍ଠୀ, ନେତାଙ୍କ ଅସଲ ବଳ ତ ସେଇ । ସେଥିପାଇଁ କହୁଚି, ଜନତାଙ୍କ ବଳରେ ସ୍ଵରାଜ୍ୟ ଆସିଲା, ନେତା ତହିଁରେ ମୁଣ୍ଡିଆଳ ।

 

କୁଳିଆ କହିଲା, ତେମେ ଏ କଥା ଅଥାନରେ କହିଲେ ଭଲ ହେବ ନାହିଁ ।”

 

ରସିଦ୍ ମିଆଁ କହିଲା- “ଭଲ ହେବ ମନ୍ଦ ହେବ ମୁଁ ବୁଝେ ନାହିଁ, ସତ କହିବାକୁ କି ଡର-? ନେତା ଯେତେବେଳେ ଭାବେ ସେ ସବୁଦିନେ ଥିବ ସେ ଭୁଲ୍ ଭାବେ, ଏଇ ପୃଥୀ ପଡ଼ିଛି କେତେ ନେତା ଆସିଲେଣି ଗଲେଣି କହିଲ ! ଜନତା ସବୁଦିନେ ଅଛି । ସେ କେତେବେଳେ କାହାକୁ ଡାକି ହାକି ନେତା କରେ ନଇଲେ କାହାକୁ ଆପେ ନ ଡାକିଲେ ବି ନେତା ହେବାକୁ ବାଟ ଛାଡ଼ିଦିଏ, ଆଉ କେତେବେଳେ ମନ ହେଲାତ ନେତାକୁ ଓଟାରି କଚେ, ତା ନାଁ ଗାଁ ବି ଖୋଳି ତାଡ଼ି ଫୋପାଡ଼ି ଦିଏ-। ଯେମିତି ଦେଖ ରୁଷ୍ ଯାହା କଲା ଷ୍ଟାଲିନ୍‍କୁ ।”

 

“ସେଇଟା କ’ଣ ରୁଷ୍‍ର ଜନତା କଲା ନା ରୁଷ୍‍ର ନେତା କଲେ ? ନେତା ବି ତ ଚକ୍ରାନ୍ତ କରି ଜନତା ନାଁରେ ଚଳେଇଦିଅନ୍ତି !” କୁଳିଆ କହିଦେଇ ନିଜ କଥା ଶୁଣି ନିଜେ ଥକା ହେଲା, ସେ ଭାବି ନ ଥିଲା ତା’ ନିଜ ତୁଣ୍ଡରୁ ଏପରି କଥା ଆପେ ବାହାରିବ । କିନ୍ତୁ ରସିଦ୍ ମିଆଁ ବିସ୍ମିତ ହେଲା ନାହିଁ । ସେ କହିଲା, “ଭାଇ ତୁମେ କି ମୁଁ ରୁଷ୍ ଯାଇ ନଥାଇଁ କି ଆମ ଜୀବନରେ ଗୋଟିଏ ହେଲେ ରୁଷ୍ ଦେଖି ନଥାଇଁ । ରୁଷ୍‍ର ଜନତା ସତେ ନିଜେ ଇଚ୍ଛା କରି ଷ୍ଟାଲିନ୍‍ର ସ୍ମୃତିକୁ ମୂଳପୋଛ କଲେ କି ସେ କାମ କଲେ ରୁଷ୍‍ର ନେତାଏ, ଜନତାଙ୍କ ନାଁ’ ଧରି, ସେ କଥା ଯେ ଜାଣିଥିବ ସେ କହିପାରେ, ପଛେ ଇତିହାସ ବହିରେ ଲେଖା ହେବ, ତେବେ ଜନତା ବି ଏପରି କରିଥାଏ । ଜନତାକୁ ସାନ ଭାବ ନାହିଁ, ସେହି ଅସଲ ।”

 

କୁଳିଆ କହିଲା, “ଜନତା ତ ସବୁ କରିବ ଆଉ ନେତା ଉପରେ ନିର୍ଭର କେଉଁଥିପାଇଁ-?”

 

ରସିଦ୍ ମିଆଁ କହିଲା, “ଜନତା ତ ନେତାକୁ ଠିଆ କରିଚି । ନେତା ଦାୟିତ୍ୱଧାରୀ । ତାକୁ ନ ଆସୁଛି ସେ ନେତା ନ ହେଉ, ଛାଡ଼ି ଦଉ ରସିଦ୍ ମିଆଁକୁ କି କୁଳମଣି ମାହାନ୍ତିକୁ ।”

 

ଉଭୟେ ହସିଥିଲେ ।

 

ଆଉ ଥରେ ରସିଦ୍ ମିଆଁ କୁଳମଣିକୁ କହିଥିଲା, “ଜନତା ନେତାର ଭୁଲ୍‍କୁ ସୁଧାରେ ସଙ୍ଗାତ, ସେଥିପାଇଁ ବେଳ ଲାଗେ । ଗୋଟାଏ ମଣିଷର ଆୟୁଷଟା ମାପ ହୁଏ ଦିନ ମାସ ବର୍ଷ ହୋଇ । ଜନତାର ଆୟୁଷର ମାପ ଯୁଗଯୁଗ କରି ହୁଏ । ତମର ପୁରାଣରେ ଗୋଟାଏ କଥା ନାହିଁ-? ତମର ଯେଉଁଟା ଗୋଟାଏ ମଣିଷର ଆୟୁଷ, ବ୍ରହ୍ମାର ସେଇଟା ଗୋଟାଏ ଆଖିପିଛୁଡ଼ା, ତୁମର ଯେଉଁଟା ଶହେ ବରଷ, ବ୍ରହ୍ମାକୁ ସେଇଟା ଦିନୁଟାଏ, ଏମିତିଆ କ’ଣ କଥା ଅଛି । ବ୍ରହ୍ମାକୁ କାଟି ସେଠି ଲେଖ ଜନତା, ତେବେ ବୁଝିବ । କୀଟ ପତଙ୍ଗଠୁଁ ହାତୀଯାକେ, କି ଶାଗୁଣା କି ବରଗଛ କି ଆଓ କିଛି, ୟେ ଯେତେ ପ୍ରାଣୀ, ସମସ୍ତିଙ୍କ ସମୟର ମାପ ଭିନେ ଭିନେ । ଆଉ ମଣିଷଜାତିର ସମୟ ମାପ ଗୋଟିକିଆ ମଣିଷର ମାପଠୁଁ ଭିନେ, ଅଳ୍ପ ଟିକିଏ ବାଟ ଯାକେ ଦେଖିଲେ ନେତା ଦିଶିବ ସର୍ବେସର୍ବା, ତୁ ଟିକିଏ ବେଶି ବାଟକୁ ଅନାଅଁ, ସେଠି ବଡ଼ ଦିଶିବ ମଣିଷ ଜାତି, ଦେଶ ।”

 

ଏମିତି ବାଜେ ଗପ ଭିତରେ ସେହି ଗାଁ’ ଗହଳିରେ ଲୋକଙ୍କ କଥା ଭାଷା ଭିତରେ ବାରି ହୋଇ ପଡ଼ୁଥାଏ ଗୋଟାଏ ନୂଆ ଚେତନା, ସେଇଟା ଆଗଠୁଁ ବଢ଼ି ବଢ଼ି ଉଠୁଛି । ଚାଷୀ, ମୂଲିଆ, ଖଟିଖିଆ, ପୋଲାଖିଆ, ତେଲିଆ, ବାଉରି, ଧୋବା, ଭଣ୍ଡାରି, ଯେ ଯେଉଁ ବୃତ୍ତିକି ଆର୍ଥିକ ସଂପ୍ରଦାୟର ହେଉ, ଏ ଦେଶର ପୁଣି ଖବରକାଗଜରେ ପଢ଼ୁଥିବା ଅନ୍ୟ ଦେଶର ହାଲଚାଲ ବିଷୟରେ ଆପଣା ଶକ୍ତି ଅନୁସାରେ ସେ କିଛି ଧାରଣା ଗଢ଼ିଛି, ଭାବୁଛି, କଥାଭାଷା ହେଉଛି । ପନ୍ଦର କୋଡ଼ିଏ ବର୍ଷ ପୂର୍ବେ ଏପରି ନଥିଲା । ଭାବନାରେ କେବଳ ନିଜ ଦୁଖଃଧନ୍ଦା, ନିଜ ଗାଁ’ କଥା କେବଳ ନିଜ ସମ୍ପର୍କରେ ଯେତିକି ସେତିକି, ଆଉ ସବୁ ବିଷୟରେ ଅନାସ୍ଥା, ବେଶି ଲୋକ ଥିଲେ ଏହିପରି । ଆଲୋଚନାରେ ପଡ଼ୁଥିଲା ପୁରାଣ କଥା, ନ ହେଲେ କେହି ନ ପଢ଼ିଥିବା ମାଳିକା କଥା, ସବୁ ଧ୍ୱଂସ ହେବ ତା’ପରେ ସତ ଉପୁଜିବ, ସେ ସତ ସେହି ବ୍ରାହ୍ମଣ୍ୟ ଧର୍ମର ପୁନରୁତ୍‍ଥାନ । ଆଉ ପଡ଼ୁଥିଲା ସାଆନ୍ତ ଘରକଥା, ଜମିଦାର ଘରକଥା, କାହାର ପହିଜ କେତେ ଊଣା ଅଧିକେ ସେହି କଥା ।

 

କିମିଆଁ ଲାଗିଲା ପରି ଚାହୁଁ ଚାହୁଁ ସେ ପୁରୁଣା ସମୟ କୁଆଡ଼େ ପଳେଇଲା । ଇଂଗ୍ରେଜ ଗଲେ, ଖାଲି ଖତେଇ ହେଲାପରି କେଉଁ ଘରୁଆ ଘର ଅନ୍ଦର ମହଲରେ ଠାଏ ଠାଏ ଇଂଗ୍ରେଜ ରଜା ରାଣୀଙ୍କ ଛବି କେବେ କେଉଁଠି କାନ୍ଥରେ ଝୁଲୁଥାଏ, ଆଖିରେ ପଡ଼େ । ରାଜା ମହାରାଜା ଗଲେ, ଜମିଦାର ଗଲେ, ସେମାନଙ୍କ ଅତ୍ୟାଚାରରେ କାହାଣୀ ପୁରୁଣା ହୋଇଯାଇ ଗୋଟାଏ ଅପ୍ରୀତିକର ସ୍ଵପ୍ନପରି ମନର ତଳିରେ ହଜିଗଲା, ସତେ ଯେମିତି ଆଈମା କାହାଣୀ, ଅସୁର ଅସୁରୁଣୀ ଗପ । ହାକିମ ହୁକୁମାଙ୍କ ପ୍ରତି ଡର ଭୟ ଗଲା, ସମସ୍ତେ ଜାଣିଲେ ତାଙ୍କ ଉପରେ ଆହୁରି ଅଛନ୍ତି, ସେମାନେ ଏଇ ଲୋକଙ୍କ ଭିତରୁ ଯାଇଛନ୍ତି । ଗୋଟାକ ପରେ ଗୋଟାଏ ହୋଇ ନିର୍ବାଚନ ପ୍ରଚାର ଗଲା, ତା’ପରେ କେତେ ସଭା ହେଲା, ବକ୍ତୃତା ହେଲା, ଲୋକେ ବୁଝିଲେ ଯେ ଯେଉଁ ଭାଡ଼ି ଉପରେ ଚଢ଼ୁ ଗାଡ଼ିରେ ଚଢ଼ି ଦଉଡ଼ୁ ଅବା ଗଗନରେ ଉଡ଼ୁ ଶେଷରେ ଦିନେ ନା ଦିନେ ସେ ପୁଣି ଆସିବ ଏଇ ମଳିମୁଣ୍ଡିଆଙ୍କ ଗୋଡ଼ତଳକୁ, ନିଉଛାଳି–ଭୋଟ୍ ଦିଅ ।

 

ଯେଉଁ ଲୋକେ ତଳକୁ ମୁଣ୍ଡ ପୋତି ବାଟ ଚାଲୁଥିଲେ, ମୁହଁ ଟେକିଲେ ଆଖିରେ ପଡ଼ୁଥିଲା ଖାଲି ଗାଁ’ ଦେଉଳ, ଜମିଦାର କଚିରି, ଗାଧୁଆ ତୁଠ, କ୍ଷେତ, ଦଣ୍ଡା ଆଉ ଆର ଗାଁ’ର ଅନ୍ଧାରି ତୋଟାମାଳ, ସେମାନଙ୍କ ଆଖି ଆଗରେ ଦୂରକୁ ଦୂରକୁ ପର୍ଦ୍ଦା ଉଠି ଉଠି ଗଲା, ନ ଦେଖିଥିଲେ ବି ଚେତନାରେ ଖେଳିଗଲା କାହିଁ ଉତ୍ତରରେ ଥିବ ହିମାଳୟ, ଦକ୍ଷିଣରେ ସେହି ଯେଉଁ ସେତୁବନ୍ଧ ରାମଚନ୍ଦ୍ର କରିଥିଲେ, ଆଉ ଉତ୍ତାଳ ସମୁଦ୍ର, ଆଉ କେତେ ଭାଷାକହୁଥିବା ଜାତି ଜାତିକା ମଣିଷ, ସବୁ ଗୋଟିଏ ପରିବାର, ସମସ୍ତିଙ୍କ ଦୁଃଖସୁଖ ଏକାଠି ଛନ୍ଦାଛନ୍ଦି, ଆଉ ଏଇ ପରିବାର ବାହାରେ ଦେଶ ଦେଶର ଲୋକ, ଜଗତଯାକର, ଭାରତ ଖୋଜେ ନାହିଁ କାହା ସଙ୍ଗେ ଖୁରି କରିବାକୁ, କାହାରି ଅମଙ୍ଗଳ ପାଞ୍ଚେନାହିଁ । ହଠାତ୍ ସେହି ଗାଁ ଗହଳିର ମଣିଷ ଘର କୋଣର ମଣିଷ ନିଜକୁ ମଣିଲା ଦୁନିଆର ମଣିଷ ବୋଲି ।

 

ଚାରିଆଡ଼େ ଏହି ଯେଉଁ ପାଟିତୁଣ୍ଡ ହୁମୁଧୁମ ଲାଗିରହିଲା–ଯୋଜନା, ଉନ୍ନୟନ, ସେଥିରେ ସେ କିଛି କରୁ ନ କରୁ ସେ ଡାକ ତା’ ମୁଣ୍ଡ ଭିତରେ ଝଣଝଣେଇଲା, ସେ ଆଖି ରଗଡ଼ିଲା, କାନ ଠିଆକଲା । ତା’ପରେ କେବେ କଦବା ଟିକିଏ ନିଖିଏ ସହଯୋଗ କରୁ ନ କରୁ ସେ ଗାଳିଦେଲା । ଆଉ ଏଇ ଗାଳି ଦେବାଟା ହିଁ ହେଲା ତା’ର ପିଣ୍ଡରେ ନୂଆ ଚେତନାର ସ୍ପନ୍ଦନର ପ୍ରଥମ ଆଖି ଦାରଶିଆ ଚିହ୍ନ, ସେହି ସେ ସଂକେତ ଯେ ସୂଚାଏ ଯେ ଯୁଗଯୁଗର ଜଡ଼ତାର ମୁଣ୍ଡା ବରଫର ପାହାଡ଼ର ମୂଳଦୁଆ ତଳିରେ ଆରମ୍ଭ ହୋଇଛି, ଏଥର ସେ ବରଫର ପାହାଡ଼ ଭୁଶୁଡ଼ି ପଡ଼ିବ, ଆଜି ନ ହେଉ, କାଲି, କାଲି ନ ହେଉ, ପହରଦିନ ।

 

ଇଂଗ୍ରେଜ ଥିଲେ, କେତେବେଳେ ଲାଗୁଥିଲା ଉତ୍ସବ, ଦରବାର, କେତେବେଳେ ଚାଲୁଥିଲା ଧରପଗଡ଼, ଲାଠିମାଡ଼ ଜେଲ୍‍ ଭିତରକୁ ଘୋଷରା ଓଟରା । ସେ ଦୀର୍ଘଶ୍ୱାସ ପକାଉଥିଲା, ଗାଳି ଦେଉ ନ ଥିଲା । ସେ ମୁହଁ ନେଫେଡ଼ି ‘ପୁ’ କରିଦେଇ ଚାଲି ଯାଉଥିଲା ଠାକୁର ମନ୍ଦିରରେ ଗୁହାରି ପଡ଼ି ଆପଣା ଘରର ଦୁଃଖ ଜଣାଇବାକୁ । ଚାରିପାଖରେ କ’ଣ ହେଉଛି ନ ହେଉଛି ସେଥିପ୍ରତି ତା’ର ହୋସ ନ ଥିଲା ।

 

ଏବେ ସେ ଦେଲା ଗାଳି ।

 

“ସବୁ ବିଗାଡ଼ିଲେ....ଟଙ୍କାଗୁଡ଼ାକ ଗୋଡ଼ିମାଟି ପରି...ହଃ ଏଇଆ କଲେ ଦୁଃଖ ଯିବ ! ଖାଇଗଲେ....ଖାଲି ଯୁଆଡ଼େ ଦେଖିବ ସେଇଆ, ଚୋରି ଚମାରି ଦୁର୍ନୀତି....ଏଗୁଡ଼ା ସବୁ ଓଲଟା କାମ ହଉଚି......” ସେ ଗାଳିରେ ନେତା କି ଜନତା କେହି ବାଦ୍‍ ପଡ଼ିଲେ ନାହିଁ । ସଭାରେ ଯେତେ ମୁଣ୍ଡ ଟୁଙ୍ଗୁରା ହେଉ, ଜଣ ଜଣିକିଆ ଦେଖା ସାକ୍ଷାତରେ ଯେତେ ଭଦ୍ରତା ନମ୍ରତା ବିନୟ ସୌଜନ୍ୟ ଆଉ ଠିଆ ଓଳିକି ନୂଆଁ ଓଳିକି ହେଉ, ଅଲଗା ଅଲଗା ଜଣକରୁ ଦି’ଜଣ ହେଲେ ଚାଲିଲା ଗଇ ଖୋଳାଖୋଳି, ସମାଲୋଚନା, ଶୋଧା, ଆଉ ତା’ସହିତ ଯେତେ ନିଷ୍କ୍ରିୟତା କି ଅପରିପକ୍ଵ ବିଚାର କି ଅସହିଷ୍ଣୁତା କି ଛୋଟ ନଜର କି ଆଉ ଯେଉଁ ଦୁର୍ବଳତା ଥାଉ ବୋଲି ‘ବିଜ୍ଞ’ ଲୋକେ କହନ୍ତୁ ପଛେ, ବାରି ହୋଇ ପଡ଼ୁଥାଏ ବଳିଷ୍ଠ ଭାବେ ଗୋଟାଏ କଥା,–ୟେ ଲୋକେ ଚିହ୍ନୁଛନ୍ତି ୟେ ଦେଶ ତାଙ୍କରି, ସେମାନେ ୟେ ଦେଶର ରାଜା, ସେମାନେ ବୁଝୁଛନ୍ତି ୟେ ଧନ ତାଙ୍କ ଦେଶର ଧନ, ଯାହା ହେଉଛି ନ ହେଉଛି ତା’ର ଭଲମନ୍ଦ ବିଷୟରେ କହିବାକୁ ତାଙ୍କର ଅଧିକାର ଅଛି, କିଏ ଶୁଣୁ ନ ଶୁଣୁ । କୌଣସି କଥା ତାଙ୍କ ସମାଲୋଚନାର ଦାଢ଼ ଆଗରେ ଟାଣ ନୁହେଁ, ସବୁ କଥା କହିବାକୁ ତାଙ୍କ ଜିଭରେ ହାଡ଼ ଅଛି ।

 

କଣ୍ଡୁରିଆ ଭଣ୍ଡାରି, ବାନାମ୍ବର ଦେବତା, ଶାମ ସାହୁ ଓ ମୂଷା ବଡ଼ ସହରକୁ ଯାଇଥିଲେ ବଡ଼ ଉତ୍ସବ ଦେଖି । ‘କୋଡ଼ିଏଟା ମେଢ଼ ମଟର ଉପରେ ବୁହା ହୋଇଗଲା ଦେଖି ଆସିଲେଇଁ ଯେ”, କଣ୍ଡୁରିଆ କହିଲା, “ଆଖିକି ଦିଶିଲା ତ ବଢ଼ିଆ, ଜଣେ କହିଲା ଗୋଟାକ କୁଆଡ଼େ ତିନି ହଜାର ଯେ ଗୋଟାକ ତିନି ହଜାର ହେଲେ କେତେ ହେଲା କହିଲ, ଟଙ୍କାଗୁଡ଼ାକ ଏମିତି ପାଣିରେ ପଡ଼ୁଚି ନା”–ଶାମ ସାହୁ ଅଖିଳ, କୋଡ଼ିଏଟା ମେଢ଼ ନ ଛୁଟେଇ ଗୋଟାଏ କିଛି ଭଲ କାମରେ ପଚାଶ ହଜାର ଖର୍ଚ୍ଚ କରିଥିଲେ ଗୋଟାଏ ସ୍ଥାୟୀ ଉପକାର ହୋଇଥାନ୍ତା, କିଏ ବୁଝୁଚି-? ବାନାମ୍ବର ଦେବତା କହିଲା, ଲାଟ ଭବନଟା ଦେଖିଲଟିକି, କେଡ଼େ ବଡ଼ କୋଠା ହେଇଚି, କେତେ ଆଲୁଅ ଜଳୁଛି, ସେଠି ଯେ ରହୁଥିବେ ସବୁ ସୁଖ ତ ତାଙ୍କରି, ଆମର ଏଠି ପଛେ ଚାଳ କୁଡ଼ିଆ ବଢ଼ିରେ ଯାଉ ପୋଡ଼ିରେ ଯାଉ, ହଇଏ ଦେଶ ତ ସ୍ୱାଧୀନ ହେଲା, ଲୋକେ ହେଲେ ମାଲିକ ଆଉ କର୍ମଚାରୀ ମନ୍ତ୍ରୀ ଲାଟ ହେଲେ ସେବକ, ଲୋକେ ରହିବେ ପଲା ଘରେ ଏମାନେ ସବୁ ରହିବେ ଇନ୍ଦ୍ର ଭୁବନରେ ୟେ କୋଉ ବିଚାର ?” କଣ୍ଡୁରିଆ କହିଲା “ଚଳେଇ ଦେଲେ ସବୁ ଚଳିବ, ଧର ତୁମେ ମାଲିକ, ସୁନା ପିଞ୍ଜରାରେ ଶୁଆ ପୋଷିଚ”, ମୂଷା କହିଲା “କଥାଟା ସେମିତି ନୁହେଁ, ରଜା ଥିଲାବେଳେ ରଜା ଘର ଥିଲା, ଆମ ଦେଶରେ ଅଘୋର ଦୁଆରି ଜନତା ଅଇଛା ରାଜା, ତେବେ ଆମର ଆଣ୍ଟ ଦେଖାଇ ଆମ ପକ୍ଷରୁ ଗୋଟାଏ ରଜାଘର ଭଳି ଜାକଜମକିଆ ଘର ବି ତ ରହିବ, ସେମିତି ସେ, ଆଉ ଆମ ଦେଶର ବଡ଼ ବଡ଼ କୁଣିଆଁ ମଇତ୍ର ଆସିଲେ ତାଙ୍କୁ ମାନ ଦେଖାଇ ଚର୍ଚ୍ଚା କରି ରଖିବାକୁ ବି ସେ ଘର ।” ବାନାମ୍ବର ଦେବତା କହିଲା “ଯାହା କହୁଚ ସତକଥା ଯେ, ଉଦ୍ଦେଶ୍ୟ ନ ଥାଇ କ’ଣ କାମ ହୁଏ, ତେବେ ୟେ ବଡ଼ ବଡ଼ କଥା ଆମ ମୁଣ୍ଡରେ ଗଳେନାହିଁ, ମୋଟା ବୁଧିଆ ଖାଲି ଆଖିରେ ଚାହିଁଦେଇ ଯାହା ମନକୁ ଆସେ ଗୋଟାଏ କହିଦିଏ, ସିଆଣିଆ ଲୋକଙ୍କ ସୂକ୍ଷ୍ମ ବୁଦ୍ଧି ସେ ଧରିପାରେ ନାହିଁ ।” କଣ୍ଡୁରିଆ ହସିଦେଇ କହିଲା, “ଆରେ, ରଖିଦିଅ ତମ ମୋଟା ବୁଦ୍ଧି ସିଆଣିଆ ବୁଧି ସାଆନ୍ତେ ବିଧାତା ପାଟି ଦେଇଛି, ପୁଣି ଲେଉଟି ବିଧାତା ପୁରୁଷକୁ ବି ପଦେ ବଜେଇବାକୁ, ମନକୁ ଯାହା ଆଇଲା ତା’ କହିଲୁଁ, କ’ଣ ଅଛି ସେଥିରେ-?” ମୂଷା କହିଲା “କହିଲ ଭଲ କଲ, ତେବେ ସୂକ୍ଷ୍ମ ବିଚାରଟାକୁ ଧରି ପାରିଲେ ସିନା କଥାଟାର ଓଜନ ରହିବ । ହୋମିଓପ୍ୟାଥି ଶାସ୍ତ୍ର କହୁଚି, ସୂକ୍ଷ୍ମଟାକୁ ନ ଚିହ୍ନିଲେ ଓଷଦ ଦେଇ କିଛି ଫଳ ନାହିଁ, ଧରିବ ନାହିଁ, ସେଇଥିପାଇଁ ପରା ଦିନଦିନ ରାତିରାତି ବହି ଘୋଷି ଘୋଷି ତଥାପି ଓଷଦ ଦେଲାବେଳକୁ ମତେ ଛନ୍ଦିବାନ୍ଧି ଲାଗେ, ମୁଁ ଧନ୍ଦି ହୁଏ । ସ୍ୱାଧୀନ ଦେଶରେ କେଡ଼େ କେଡ଼େ ବଡ଼ ମଗଜିଆ ଲାଗିଚନ୍ତି, କେତେ ବୁଧି କେତେ ବିଚାର ଯୋଖି କେଉଁ କାମ ହେଉଛି, ଆଉ ତେମେ ଯେ–ଦି’ପଦ କହିଦେଇ ଦି’କଡ଼ା କରି ଥୋଇଦେବ ।”

 

କଣ୍ଡୁରିଆ କହିଲା, “ତମ ସୂକ୍ଷ୍ମ ବୁଦ୍ଧି ଆମେ ପାଉ ପାଉ ଡେରି ଲାଗିବ । ତମେ ଦୋମ୍ ପାଥିରୁ କହିଲ, “ମୁଁ କହୁଛି ଏ ଭଣ୍ଡାରି ମୁଠିରୁ, ବାପା ଆଗ କ୍ଷୁର ଚଳେଇ ଶିଖିଲା ପାଣିକଖାରୁ ଉପରେ, ସେଉଠୁ ହାତ ଦୂରସ୍ତ୍ ହେଲେ ଦେଲା ମଣିଷ ମୁଣ୍ଡ, ସେଇଠୁ ମଣିଷ ଗାଲ । ଆମ ଲୋକେ ସେମିତି ତଉଲି ତଉଲି କଥା କହିବା ଅଭ୍ୟାସ କରୁଚନ୍ତି, କରୁ କରୁ ସୂକ୍ଷ୍ମ ବୁଦ୍ଧି ଆସିବ ଯେ,–

 

ବାଟରେ ବାଟରେ ସବୁଠିଁ ଚାଲେ ଏପରି ଆଲୋଚନା । ଆଗେ ଯେମିତି ଆଲୋଚନା ଚାଲୁଥିଲା ପାଞ୍ଜିର ଫଳାଫଳ ବିଷୟରେ, କ’ଣ ଲେଖା ଅଛି, ନାହାକ କ’ଣ କହୁଥିଲା ତାହାରି ସମ୍ବନ୍ଧରେ, ନ ହେଲେ କିଏ ରଟାଇଥିବା କେଉଁ ଭବିଷ୍ୟତ ବାଣୀ ସମ୍ବନ୍ଧରେ, ସତ କେବେ ଉପୁଜିବ, କେବେ ପ୍ରଳୟ ହେବ, କେଉଁଠି ବାରହାତ ଖଣ୍ଡା ଧରି କିଏ ବାହାରିବ, କେଉଁଠି ମୁଣ୍ଡରେ ସିନ୍ଦୂର ବୋଳି ହୋଇ କିମ୍ଭୀର ଉଠିବ, ଭୈରବୀ ବୋବେଇବ, କେତେବେଳେ କେଉଁଠି କେଉଁ ସଂସ୍ଥାରେ କେଉଁ ପରିବର୍ତ୍ତନ ବିଷୟରେ କଳ୍ପନା ଓ ତା’ର ପ୍ରତିକ୍ରିୟା ବିଷୟରେ, ସେମିତି କେତେକ ଲୋକଙ୍କ ଭିତରେ ଚାଲେ ଏସବୁ ଆଲୋଚନା ଯେ ପଞ୍ଚାୟତ ଅଫିସ୍ କି ଧାନ ଗୋଲା କି ବ୍ଲକ ଅଫିସ୍ କି ଆଉ କେଉଁ ଅନୁଷ୍ଠାନ କେଉଁଠି ବସୁଛି, କେଉଁଠି କି ପ୍ରକାର ରୋଜଗାର ଲାଗି ନୂଆ ନୂଆ ବାଟ ଖୋଲି ଯାଉଛି, କେଉଁଆଡ଼କୁ ସଡ଼କ ପଡ଼ୁଛି, କେଉଁଠି ପୋଖରୀ ଖୋଳା ହେଉଛି, ବନ୍ଧ ପଡ଼ିବ କି କୋଠା ତୋଳା ହେବ କହୁଛନ୍ତି, କେଉଁଠି କ’ଣ ମଞ୍ଜୁର କରାଇବା ପାଇଁ କିଏ କି ଉଦ୍ୟମ କଲା କି ନ କଲା, ସେଥିପାଇଁ ଗାଁ ଗାଁ ଭିତରେ କି ଦଳ ଦଳ ଭିତରେ କିପରି ଭିଡ଼ା ଓଟରା ଲାଗିଛି ଓ ତା’ର ଆନୁସଙ୍ଗିକ ଉପରେ ଟିକା ଟିପ୍‍ପଣୀ, ଯାହା ମନକୁ ଯାହା ଆସିଲା । ଅବଶ୍ୟ ଅନେକ ଲୋକ ଅଛନ୍ତି ଯେଉଁମାନେ ଏବେ ସୁଦ୍ଧା ଆପଣା ଧନ୍ଦା ଛଡ଼ା ଆଉ କିଛି ଭାବନ୍ତିନାହିଁ, କିନ୍ତୁ ନ ଭାବିବା ଲୋକର କାନ ପାଖକୁ ସୁଦ୍ଧା ଯେଡ଼େ ବିକୃତ କି ଅତିରଞ୍ଜିତ ହୋଇ ପଛେ ଏ ବିଷୟରେ ଏଣୁ ତେଣୁ ପାଞ୍ଚକଥା ଆସି ପହଞ୍ଚିଯାଏ, ଆଉ ତା’ ସହିତ ନିଜ କଳ୍ପନା ଯୋଖିଦେଇ ସେ ବି କିଛି ସ୍ୱପ୍ନ ଦେଖେ, କେତେବେଳେ ସୁଖର, କେତେବେଳେ ଆତଙ୍କର ।

 

ଭଲ ହେଉ କି ମନ୍ଦ ହେଉ, କାଳ ଯେ ଅତି ଚଞ୍ଚଳ ବଦଳି ବଦଳି ଯାଉଛି ଏଥିରେ କାହାରି ସନ୍ଦେହ ନ ଥିଲା । କେହି ନିଜେ ଯାଇ ନ ଦେଖୁ ପଛେ, ହୀରାକୁଦ ବନ୍ଧ ହେଲା, ସମସ୍ତେ ଜାଣିଲେ । ଅଥଚ ଲୋକେ ଯେତେ ଆଶା ବାନ୍ଧିଥିଲେ ଯେ ଏଥର ଆଉ ନଈବଢ଼ି ଆଦୌ ଆସିବନାହିଁ ତା’ ହେଲାନାହିଁ, ସେ ବନ୍ଧ ବି ରହିଲା, ବଢ଼ି ବି ହେଲା, ଘାଇ ଭାଙ୍ଗିଲା, ଗାଁ’ଗଣ୍ଡା ଭାସିଲା । କିନ୍ତୁ ଅନେକେ ଏପରି ବି ଭାବିଲେ, ପୂରା ନ ହେଉ ପଛେ, ନଈଟା କିଛି ଭାଗରେ ଆୟତ୍ତ ହୋଇଛି, ଖରାଦିନେ ନଈରେ ପାଣି ରହିଲା ଆଉ ଏଠି ସେଠି ଖୋଳା ହୋଇ ଚାଲିଲା ନାଳ-। ଆଗେ ଯେମିତି ପଲପଲ ହୋଇ ମୂଲିଆ ଚଳୁଥିଲେ କଲିକତା କି କାଳିମାଟି ଏଥର ତା’ ବଦଳରେ ଶୁଣାଗଲା ଓଡ଼ିଶା ଭିତରର ସ୍ଥାନମାନଙ୍କ ନାଁ’ ଚଉଦ୍ୱାର, ରାଉରକେଲା, ହୀରାକୁଦ, ଡୁଡୁମା, କିରିବୁରୁ, ମଧୁପାଟଣା, ନିର୍ଗୁଣ୍ଡି, ଜୋଡ଼ା, ବଡ଼ବିଲ, ଝାରସୁଗୁଡ଼ା, ରାଜଗାଙ୍ଗପୁର, ରାଏଗଡ଼ା, ବାଲିମେଳା, ସୁନାବେଡ଼ା; ମଫସଲରୁ ଲୋକେ କଲିକତା କାଳିମାଟି ଛଡ଼ା ଧନ୍ଦା ଖୋଜି ଚାଲିଲେ ସେହିଆଡ଼େ, ଆଉ ବଢ଼ି ଉଠୁଥିବା ନୂଆ ପୁରୁଣା ସହରମାନଙ୍କୁ । ମଫସଲରେ ବିଲମାଳ ଉପରେ ଚାଲିଲା ବିଜୁଳି ଖୁଣ୍ଟି, ବିଜୁଳି ତାର, ସ୍ଥାନେ ସ୍ଥାନେ ବାଜିଲା ରେଡ଼ିଓ, ସ୍ଥାନେ ସ୍ଥାନେ ବସିଲା ଧାନକୁଟା କଳ, ସେଥିପାଇଁ କେତେ ଗାଁ’ରେ ଢିଙ୍କି ପାହାର ଶବ୍ଦ ନିଶୁନ୍ ହେଲା, ଅକାଳେ ସକାଳେ ନିଘା ପଡ଼ିଲା ଟେଳାବଣ ଉପରେ ଖାଲ ଖମା ଉପରେ ମାଡ଼ିଚାଲିଛି ଜିପ୍ ଗାଡ଼ି, ଅଳ୍ପ ହେଉପଛେ, କେତେଠିଁ ହଠାତ୍ ଗୋଟାଏ ଗୋଟାଏ କୋଠା ଠିଆହେଲା, କେଉଁଟା କି ଗୋଦାମ, କେଉଁଟା ଚାହାଳି ଘର । କେଉଁଠି ନଈ ଉପରେ ସଡ଼କ ଉପରେ ଏଠି ସେଠି ତିଆରି ଚାଲିଲା ସାନ ବଡ଼ ହୋଇ ପୋଲ, ସଡ଼କରେ କଳ ରୋଲର ଗଡ଼ିବା ଶୋଲ ଟୋପି ଆଉ ହାଫପ୍ୟାଣ୍ଟ୍ କାମିଜ ପିନ୍ଧି କେହି ମାପଚୁପ୍ କରୁଥିବା ଦୃଶ୍ୟ ସାଧାରଣ ହୋଇଗଲା । ଠାଏ ଠାଏ ପକା ରାସ୍ତାରେ ପ୍ରକାଣ୍ଡ ପ୍ରକାଣ୍ଡ ବସ୍‍ମାନ, ଲୋକ ଖୁନ୍ଦାଖୁନ୍ଦି, ହଠାତ୍ ଯେପରିକି ମଫସଲରେ ବସ୍ ଚଢ଼ିବା ଲୋକଙ୍କ ସଂଖ୍ୟା ବହୁତ ବଢ଼ି ଯାଇଛି, କେଉଁ ବସ୍ କେଉଁଠି କେତେବେଳେ ମିଳିବ, କୁଆଡ଼େ ଯିବ, କେଉଁଠିକି ଭଡ଼ା କେତେ ପଡ଼େ ଏସବୁ ଯେପରିକି ଲୋକଙ୍କର ସାଧାରଣ ଜ୍ଞାନର ଅନ୍ତର୍ଭୁକ୍ତ । ଆଗେ ସଡ଼କରେ ସାଧାରଣ ଦୃଶ୍ୟ ହୋଇଥିଲା ଦଣ୍ଡିମାଳ ଶଗଡ଼ ଓ ନାନା ପ୍ରକାର ବଙ୍କେଇ ବଙ୍କେଇ ଚିତ୍ରପରି ପାରି ହୋଇଯାଇଥିବା ଗୋରୁମୂତ । ଏବେ ତା’ ସଙ୍ଗେ ମିଶିଗଲା ମାଳମାଳ ସାଇକଲ, ମଝିରେ ମଝିରେ ରିକ୍‍ସା, ମଟର ଚପାରେ ଉଲ୍‍କା ପରି ମାଡ଼ି ଆସୁଥିବା ମଟର ଟ୍ରକ୍ ଓ ସଡ଼କରେ ମଟର ଚପାରେ ମରି ପଡ଼ିଥିବା କୁକୁର, ବିଲୁଆ, ଛତୁ ହୋଇଥିବା ବେଙ୍ଗ । ମଟର ଦୁର୍ଘଟଣା ଘଟିବା ସାଧାରଣ ସମ୍ଭାବନାର ଅନ୍ତର୍ଗତ ହୋଇଗଲା, ରାସ୍ତାରୁ ଗଡ଼ିଯାଇ କେଉଁ ଖଜୁରି ଗଛରେ ଅଟକି ରହିଥିବା ଟ୍ରକ୍, ଓଲଟି ପଡ଼ିଥିବା ଟ୍ରକ୍, ଗଛରେ ଛେଚି ହୋଇଥିବା ମଟରଗାଡ଼ି, ଏସବୁ ଦୃଶ୍ୟ ବି ଅନେକେ ଦେଖିଲେ । ତା’ ସହିତ ଦେଖା ଦେଲା, ଦରଦାମ୍ ବଢ଼ି ଯାଉଛି, ମୂଲ ବଢ଼ି ବଢ଼ି ପାଞ୍ଚସୁକା ଦେଢ଼ଟଙ୍କା ହେଲା, ଘିଅ ଆଉ ଖାଣ୍ଟି ସୋରିଷ ତେଲ ହାତ ପାଆନ୍ତାରୁ ଚାଲିଗଲା, ଖାଦ୍ୟପଦାର୍ଥ ନିରସା ହୋଇଗଲା । ପାନଖିଆ ପାଟି ଟାକୁ ଟାକୁ, ଗୁଆ ସେରକ କେବେ ଦେଢ଼ଟଙ୍କା ଥିଲା ଆସି ହେଲା ଏଗାର ଟଙ୍କା, ଧୂଆଁ ପତ୍ର ସେରକ କେବେ ଯଦି ଥିଲା ଟଙ୍କାଏ ସେ ଆସି ହେଲା ବାରଟଙ୍କା । ଅଥଚ ତାହାରି ଭିତରେ ଦିଶିଲା, ଗାଁ’ର ସାଧାରଣ ଲୋକ ଆଗଠୁଁ ଆହୁରି ବେଶି ସଫା ସୁତୁରା ବାଉରି ସାହିରେ ହେଉ କି ପ୍ରଧାନ ସାହିରେ ଗଉଡ଼ ସାହିରେ ଆଉ କେଉଁ ଚାଷୀ ମୂଲିଆ ସାହିରେ ହେଉ, ଓଳିରୁ ଝୁଲି ଶୁଖୁଛି ରଙ୍ଗ ରଙ୍ଗର ଶାଢ଼ି, କେଉଁଠି ବ୍ଲାଉଜ୍, ପିଲାଙ୍କ ହାଫପ୍ୟାଣ୍ଟ୍, ଫ୍ରକ୍, ରାତିରେ ଯେଉଁ ପଲ୍ଲୀରେ ଦିଶୁଥିଲା ନଡ଼ିଆ ପତ୍ର ଜଳୁଥିବା ନିଆଁ ସେଠି ନଲଟଣ, କେତେଠିଁ ରାତିରେ କ୍ଷେତ କି ଖଳାଆଡ଼େ ବୁଲିଗଲା ବେଳେ ଲୋକଙ୍କ ହାତରେ ନିଆଁ ଅଟା ପରିବର୍ତ୍ତେ ଟର୍ଚ୍ଚ ଲାଇଟ୍, କେବେ କେଉଁଠି ଆଖଡ଼ା ଘରେ ପେଟ୍ରୋମ୍ୟାକସ୍ ଆଲୁଅ । ମଫସଲର ସାନ ସାନ ଦୋକାନମାନଙ୍କରେ ମାଳ ମାଳ ହୋଇ ଝୁଲିଲା ଚା’ ପୁଡ଼ିଆ, ସେଠି ଖାଲି ବିଡ଼ି ଫିକା ନୁହେଁ, ଦି’ ପଇସିଆ ସିଗାରେଟ୍ ବି ମିଳେ, ସାବୁନ ବାସ୍ନାତେଲ ପ୍ଲାଷ୍ଟିକରେ ତିଆରି କଣ୍ଢେଇ, ଫରୁଆ ମୁଣି ଓ ନାନା ଜାତି ଜିନିଷ, ନାନାପ୍ରକାର ଲେମନ୍ ଜୁସ୍ ଓ ବିସ୍କୁଟ୍, ଶସ୍ତା ଫାଉଣ୍ଟେନ୍ ପେନ୍, ଗୁଣ୍ଡ ଦୁଧ, ଭେଜିଟେବ୍‍ଲ ଘିଅ, ଏମିତି ଅନେକ ପଦାର୍ଥ ଆଗେ ଯାହା ଚଳଣି ନ ଥିଲା । ଆଉ ହାର୍ମୋନିଆ କି ଗ୍ରାମୋଫୋନ୍ ଶୁଣିବାକୁ ଭିଡ଼ ହୁଏ ନାହିଁ, ଉଡ଼ାଜାହାଜର ଶବ୍ଦ ଶୁଣି ଲୋକେ ଘରୁ ବାହାରିପଡ଼ି ଆକାଶକୁ ବେକ ଟେକି ଅନାନ୍ତି ନାହିଁ, ଗାଁ ଗହଳି ଭିତରକୁ ସିନେମା, ସରକସ ଓ ଥିଏଟର ଦଳ ବି କେବେ କେବେ ଆସନ୍ତି, ଗୁଣ୍ଡ ଦୁଧରେ ଛେନା ହେଉ କି ଭେଜିଟେବ୍‍ଲ ଘିଅରେ ସେ ପଡ଼ୁ, ରସଗୋଲା ବି କେଉଁଠି କେଉଁଠି ମଫସଲରେ ତିଆରି ହୁଏ । ଏବେ ବାଟୋଇ ଜୋତା ମାଡ଼ି ଚାଲିବା ଗାଁ ବାଟରେ ସାଧାରଣ ଦୃଶ୍ୟ, ଆଗେ ଯେପରି ଥିଲା ଅସାଧାରଣ । ଜୋତା ଆଉ ଦାଣ୍ଡ ଘରେ ରହେ ନାହିଁ, ଭିତର ଅଗଣା ବାଟେ ଭଣ୍ଡାର ଘରକୁ ବି ଚାଲିଯାଏ । ଆଉ ଗୋରୁ ଚମଡ଼ା ଗୋରୁ ଚମଡ଼ା ବୋଲି ମନେ ପଡ଼େନାହିଁ, କାହା କାହା ଘରେ ଚମଡ଼ା ମୁଣି ଚମଡ଼ା ବାକ୍‍ସ ବି ଥାଏ । ଦାଣ୍ଡକୁ ଗଲେ ବାରିକି ଗଲେ ଆଗପରି ଏତେ ଛୁଆଁ ତା’ ଆଉ ଲାଗେ ନାହିଁ, ଆଉ କୁକୁଡ଼ା ପାଳିବା କେବଳ ହରିଜନ କି ମୁସଲମାନ ସାହିରେ ସୀମିତ ନୁହେଁ । କେଉଁଠି ଅନ୍ୟାନ୍ୟ ସାହିରେ ବି କୁକୁଡ଼ା ରଖନ୍ତି, ଡିମ୍ବ ଖାଆନ୍ତି, ଗଞ୍ଜା କୁକୁଡ଼ା ତୁଳସୀ ଚଉରା ଉପରେ ଚଢ଼ି ବୋବାଏ, ଲୋକେ ଆପତ୍ତି କରନ୍ତି ନାହିଁ ।

ଏବେ ଲୋକେ ସଭା ସମିତିକୁ ଯାଆନ୍ତି, ସାଧାରଣ ନୀତି ବିଷୟରେ ତର୍କ କରନ୍ତି, କେଉଁଠି କେଉଁଠି ଚୀନ କି ଆମେରିକା କଙ୍ଗୋ କି ଆଲଜେରିଆର ରାଜନୀତି ବିଷୟରେ ବି କିଛି କିଛି କେହି କେହି ଆଲୋଚନା କରନ୍ତି ଓ କେଉଁ ଗାଁ’ର କେହି କେହି ଲୋକେ ଏପରି ବି କହିପାରନ୍ତି ଯେ କେଉଁ ବାବଦରେ କେଉଁ ଅଞ୍ଚଳ ପାଇଁ କେତେ ଖର୍ଚ୍ଚ ଅଟକଳ କରାଯାଇଛି, କି କି ବିଲ୍ ପାସ୍ ହେଲା ଓ ତା’ର ଫଳ କ’ଣ ହେବ, ଭୋଟ୍, ପ୍ରସ୍ତାବ, ନିର୍ବାଚନ ବଜେଟ୍, ସ୍କିମ୍, ଯୋଜନା, ଟିକସ, ଏମିତି କେତେ ଶବ୍ଦ ଲୋକଙ୍କ ତୁଣ୍ଡେ ତୁଣ୍ଡେ ।

ରମା ଚାରିଆଡ଼କୁ ଅନାଇଁ ଭାବି ପାରିଲା,–ହଁ, କେତେକଣ ବଦଳିଛି, ଖାଲି ବାଟ ଘାଟ’ ଧରଣ ଧାରଣ ନୁହେଁ, ଏଠି ସେଠି କେଉଁଠି କେଉଁଠି ଟିଣ ଛାତ ଥାଇ ଇଟା ଘର ନୁହେଁ, ବାଡ଼ରେ ସିଝୁ ବାଇଗବା ପରିବର୍ତ୍ତେ ଏଠି ସେଠି ଅମରି ଗଛ, କ୍ଷେତରେ ଚାରିଆଡ଼େ ଧାନ ପରିବର୍ତ୍ତେ ବହଳ ହୋଇ କାଉଁରିଆ, କପା, କେଉଁଠି କେଉଁଠି ଆଖୁ ବାରି କହିଲେ ଖାଲି କଦଳୀ ବାରି ନୁହେଁ, ଆଳୁ ଚାଷ ହେଉଛି, କୋବି ବିଲାତି ବାଇଗଣ ହେଉଛି, ଅଧରିବୋଉ ଖୁଡ଼ୀ ଏତେ ବାଛୁଥିଲେ, ତାଙ୍କ ଠାକୁର ଘରକୁ ଲାଗି ଯେଉଁ ଭଣ୍ଡାରଘର ସେଥିରେ ସାଇତା ହୋଇ ଥୁଆ ହୋଇଛି ହାଡ଼ଗୁଣ୍ଡ ସାର, ବହୁତ ଯତ୍ନରେ ଜାବତା ହୋଇ ଥୁଆ ହୋଇଛି କାଳେ କିଏ ନେଇଯିବ ବୋଲି, ଖଞ୍ଜାଯାକର କାନ ଅତରା ପକାଇ ଅଳ୍ପ ଦୂରରେ ବସିଛି ଦାମଙ୍କ ଧାନକୁଟା ହଲର । ଆଗେ ନ ଥିଲା, ନୂଆ ହୋଇ ଆସିଛି ।

ହଲରଟା ବିନା ଆପତ୍ତିରେ ଆସି ନ ଥିଲା, ଧାନ କୁଟୁଣୀଏ କଟା ସମ୍ପା କରିଥିଲେ । ବିଧବା ପେଚୀବୋଉ କେମିତି କୋଚିଲା ଗଛ ମୂଳେ ଠାକୁରାଣୀଙ୍କ ଆଗରେ ବାଳ ମୁକୁଳା କରି ମୁଣ୍ଡକୁ ଢୁ ଢୁ କରି ବାଡ଼େଇ ବାଡ଼େଇ ଭୁଟୁରୁ ଭୁଟୁରୁ ହୋଇ ଜଣାଉଥିଲା,– “ମା, ସେ ଯନ୍ତରଟା ଆମ ଦାନା ମାରୁଛି, ତାକୁ ଏମିତି ମନ୍ତର କରିଦେ ଯେମିତି ସେ ଅଚଳ ହୋଇ ପଡ଼ିରହିବ ଯେ ହଲର ହଲର କ’ଣ ଟିକେ ବୋଲି ଚଙ୍କିବ ନାଇଁ” ଏକଥା ଗୁଲିଆକେଉଟ ଭାରିଯା ଶୁଣି ଗାଁ’ଯାକ ରାଷ୍ଟ୍ର କରିଦେଲା । ସେମିତି, ଗାଁ’ ଗୋହିରୀରେ ଗପ ପଡ଼ିଗଲା ଯେ ସେ ହଲରଟା କେମିତି ବିଗିଡ଼ି ଯାଉ ବୋଲି କେଳାବୋଉ ଶିରିଣୀ ମାନସିକ ଯାଚିଛି, ନେପୁରୀବୋଉ ଛୋଟା ଅବଧାନକୁ ପଚାରିଥିଲା ଯେ ସେ କହିଥିଲା, ପଡ଼ୁଛି ଆସି ଅଷ୍ଟଗ୍ରହକୁଟ, ସେତିକିବେଳେ ପାପାତ୍ପାମାନେ ମରିବେ ପୁଣ୍ୟାତ୍ମାମାନେ ବଞ୍ଚିବେ । ଯେତେ ଲୋକ ହଲର ଫଲର କରି ଧାନ କୁଟୁଣୀମାନଙ୍କ ଦାନା ମାରୁଛନ୍ତି, ମଟର ଟ୍ରକ୍ ପକାଇ ଶଗଡ଼ିଆଙ୍କ ଦାନା ମାରୁଛନ୍ତି, କଳାବଜାର କିଳାପୋତେଇ କରି ଟଙ୍କା ସଞ୍ଚୁଛନ୍ତି ବଳେ ମା’ ଚାମଡ଼େଇ ତାଙ୍କ କଥା ବୁଝିବେ, ଦଣ୍ଡାରେ ବରଗଛମୂଳୁ କିଆବୁଦା ଉହାଡ଼ରୁ ରାତି ଅଧରେ ଭୈରବୀ ଡାକିବ ଯେ ପୃଥ୍ୱୀ ଦୁଲିକିବ, ହଲର ଫଲର କଳ କବ୍‍ଜା କିଛି ରହିବ ନାହିଁ, ଆକାଶରୁ ଗୋଟିଏଲେଖା ବଜ୍ର ପଡ଼ିବ ଯେ ସେଥିରୁ ଏଥିରୁ ଗୋଟିଏ ଲେଖାଁ ଭସ୍ମ ହୋଇ ପାଉଁଶ ହୋଇଯିବ । ଅଷ୍ଟଗ୍ରହକୂଟ ବେଳ ଆସିଲା, ଗାଁଏଁ ଗାଁଏଁ ନାମଯଜ୍ଞ ଚାଲିଲା, କେତେ ଲୋକ ପୁଣ୍ୟ ହେବ ବୋଲି ଅରୁଆ ଖାଇଲେ, ମାଛ ମାଂସ କ’ଣ, ଆଇଁଷ ବୋଲି ବିରିଡାଲି ବି ଖାଇଲେ ନାହିଁ, ସେହିଦିନ କେତେ ଅଧରୀବୋଉ ସତେ ଯେମିତି ମାତା, ନାକ ଆଗରୁ କପାଳଯାକ ତିଳକ, ଦେହରେ ରାମନାମ ଖଣ୍ଡୁଆ । ଅଷ୍ଟଗ୍ରହକୂଟ ଗଲା, ବଜ୍ରତ ବଜ୍ର ସାମାନ୍ୟ ତୋଫାନଟାଏ ବି ଉଠେଇଲା ନାହିଁ, ଯେଉଁ ହଲରକୁ ସେହି ହଲର ରହିଲା, ଯଦି କେଉଁଦିନ ବନ୍ଦ ରହିଲା ତେବେ ସେ ଖାଲି ଧାନ ଅଭାବରୁ । ନେପୁରୀବୋଉ ତା’ ନିଜ ଗୁମରଟା ନିଜ ତୁଣ୍ଡରେ ପଦାରେ ପକାଇଲା, କାରଣ ଗାଧୁଆ ତୁଠରେ ସଖୀ ବୋଉ ଆଗରେ ସେ ଆପଣା ଦୁଃଖ କହୁ କହୁ କହି ପକାଇଲା–“ସାପଖିଆ ଛୋଟା ବଇଷମା ଅବଧାନ ମୋଠୁଁ ସଇଁତିରିଶି ନୂଆ ପଇସା ନେଲା ଯେ ତା’ କଥା ଟିକିଏ ଭଲା ଫଳନ୍ତା । କହିଲି ଗ୍ରହପୁତ୍ର ବୋଲେଉଛୁ କୋଉ ଗ୍ରହର କେମିତି ପୁତ୍ର ମ ତୁ ? କ’ଣ କୁଇନ୍ତା ପୁଅ ଜନ୍ମ କଲାଭଳି ? ମତେ କହିଲା ଗ୍ରହମାନଙ୍କୁ ଜଣା କରିଥିଲି ଯେ କପାଳ ଥିଲେ ହେବ ସିନା ? ରାଇଜ ଯାକର କଳାବଜାରୀ କିଳାପୋତିଆ ପଇସା ଖର୍ଚ୍ଚ କରି ହୋମ ଯଜ୍ଞ କରି ଆପେ ହବିଷ କରି ଗ୍ରହମାନଙ୍କୁ ତ ପେଟେଇ ନେଲେ, ଆଉ କ’ଣ ହେବ । ୟେ କଳିକାଳକୁ ଗ୍ରହଗୁଡ଼ାକ ବି ଲାଞ୍ଚ ଖାଇ ଭୋଳ, ଆଉ କାହା କଥା କ’ଣ କହିବା ?”

ନେପୁରୀ ବୋଉ ସଖୀ ବୋଉ ଉପାଖ୍ୟାନ ସହସ୍ରେ ତୁଣ୍ଡ ହୋଇ ଗାଁ’ଯାକ ଚାରିଆଡ଼େ ରାଷ୍ଟ୍ର ହେଲା । ପ୍ରବଳ ହସ ଉଠିଲା । ତା’ ସଙ୍ଗରେ ପଦାରେ ପଡ଼ିଲା ଆଉ ଗୋଟିଏ କଥା । ହଜାରେ ବର୍ଷରେ ଥରେ ମାତ୍ର ପୁରୀରେ ଗୋବିନ୍ଦ ଦ୍ୱାଦଶୀ ବୁଡ଼ ପଡ଼ିଥିଲା ବୋଲି ବାଇ ଲାଗିଲା ପରି ମଫସଲରୁ ସହରରୁ ପୁରୀକି ଯେଉଁ ଲକ୍ଷ ଲକ୍ଷ ଜନତାର ସ୍ରୋତ ଛୁଟିଥିଲା ସେଥିରେ ହୁମୁରା ଗାଁ’ରୁ ମଧ୍ୟ କୋଡ଼ିଏ ଜଣ ଯାଇଥିଲେ, ଆଉ ତା’ ଭିତରେ ଥିଲେ ଅଧରୀ ବୋଉ ଓ ଗାଁ ପୁରୋହିତ ଭଗବାନ ମିଶ୍ରଙ୍କ ପୁଅ ଶଙ୍କର ମିଶ୍ର । ଦାମ ଅଟକି ଯାଇଥିଲେ ପଞ୍ଚାୟତ ନିର୍ବାଚନ ସମ୍ପର୍କୀୟ କଳିରେ, ତେଣୁ ଅଧରୀ ବୋଉ ଶଙ୍କର ମିଶ୍ରର ସାଙ୍ଗ ଧରିଥିଲେ, ଗୋରା ଛନଛନିଆ ଚବିଶି ବର୍ଷର ଯୁବକ, ବିଜୁଳି ପରି ଗତି, ତା’ର କାମ ଖାଲି ଏ ଗାଁ’ରୁ ସେ ଗାଁ’ ଏ ସହରରୁ ସେ ସହର ବୁଲିବା, ସିନେମା ସର୍କସ ଥିଏଟର ଆଦି ଦେଖିବା, କିଏ ଟିକିଏ ମିଠା କଥା କହି ସାଉଁଳା ସାଉଁଳି କରିଦେଲେ ଭୋକ ଶୋଷ ଭୁଲି ତା’ ପାଇଁ ବେଠି ଖଟି ବୁଲିବା । ସେ ଚଞ୍ଚଳ ବିଶ୍ୱାସ କରେ, ଚଞ୍ଚଳ ରୁଷେ, ଚଞ୍ଚଳ କାମ ଆରମ୍ଭ କରେ ଓ ଚଞ୍ଚଳ କାମ ଛାଡ଼େ । ଏହିପରି ସେ ନାନା ଦୋକାନ ବ୍ୟବସାୟ ଆରମ୍ଭ କରି ଛାଡ଼ି ଦେଇଛି, ସହରକୁ ଶୁଖୁଆ ଯୋଗାଇବା, ଖବରକାଗଜ ବିକିବା, ସାଇକଲ ଦୋକାନ ପକାଇବା, ଚାଉଳ ଡାଲି ଦୋକାନ କରିବା, ଜାଳିବା କାଠର ଡିପୋ ଖୋଲିବା, ନାନା କଥା ଭଗବାନ ମିଶ୍ରଙ୍କ ପୈତୃକ ଦେବୋତ୍ତର ସାତ ମାଣର ସଞ୍ଚିତ ଆୟ, ପୂଜା ହୋମ ବିଭା ବ୍ରତ କ୍ରିୟା ପାରାୟଣ ଆଦିରୁ ମିଳିଥିବା ଯାଉଁଳି ଓ ଦକ୍ଷିଣାର ବହୁତ ଭାଗ ସେ ଏହି ବ୍ୟବସାୟ ଓ ଭ୍ରମଣ ଖର୍ଚ୍ଚରେ ବ୍ୟୟ କରି ସାରିଛି, କିନ୍ତୁ ତା’ ବିନିମୟରେ ପାଇଛି କିଛି ବାହାରର ଅଭିଜ୍ଞତା ଗାଁ’ ଲୋକଙ୍କ ଆଖିରେ ଯାହାର ମୂଲ୍ୟ ଅଛି । ଅଧରୀବୋଉଙ୍କୁ ସେ ଉପଯୁକ୍ତ ହୋଟେଲରେ ରଖାଇଲା, ନୋଳିଆ ଲଗାଇ ବୁଡ଼ ପରାଇଲା, ଦିଅଁ ଦର୍ଶନ କରାଇଲା ଓ ସେ ଯେତେବେଳେ ସକାଳ ଗହଳିରେ କେଉଁଠି ହଜିଗଲେ ସେତେବେଳେ ସବୁ ଥାନାରେ ଖବର କହି ଶେଷରେ ସଞ୍ଜ ବୁଡ଼େ ତାଙ୍କୁ ବଡ଼ ଦେଉଳରେ ଲକ୍ଷ୍ମୀ ମନ୍ଦିର ମୁଖଶିଆଳୀରୁ ତାଙ୍କୁ ଖୋଜି ବାହାର କଲା । ଅଧରୀ ବୋଉଙ୍କ ତୀର୍ଥଯାତ୍ରାର ଏ ଚିତ୍ତାକର୍ଷକ କାହାଣୀ ଅନେକ ଶୁଣିଥିଲେ, ତାଙ୍କ ଦୀକ୍ଷାଗୁରୁ ଅତ୍ରପଡ଼ା ବାବାଜି ପଦେ କଥାରେ ସାନ୍ତ୍ୱନା ଦେଇଥିଲେ,–“ଭଗବାନ ପରୀକ୍ଷା କରୁଥିଲେ-।”

କିନ୍ତୁ ଆଉ ଗୋଟିଏ ଛୋଟ କାହାଣୀ ଥିଲା, ଅନ୍ଧାରୁ ଅନ୍ଧାରୁ ବୁଡ଼ ପାରିବା ବେଳର କାହାଣୀ । ସମୁଦ୍ରକୁ ଓହ୍ଲାଇ ଆଗ ଆଞ୍ଜୁଳାଏ ଆଞ୍ଜୁଳାଏ ପାଣି ମୁଣ୍ଡରେ ମାରି ତା’ପରେ ଉଭୟେ ପୁଣି ଆଞ୍ଜୁଳାଏ ଆଞ୍ଜୁଳାଏ ପାଣି ପାଟିରେ ପୂରାଇ ଚାଖିଥିଲେ ଓ ଥୁଥୁ ଥୁଥୁ କରି ଫୋପାଡ଼ି ଦେଇଥିଲେ । ସେ ଉଭୟେ ବିଶ୍ୱାସ କରିଥିଲେ ଯେ ଗୋବିନ୍ଦ ଦ୍ଵାଦଶୀର ସେହି ପବିତ୍ର ବାରୁଣୀ ଯୋଗ ବେଳେ ପୁରୀରେ ସେହି କ୍ଷୀର ସମୁଦ୍ରର ପାଣି ମିଠା ହୋଇଯିବ, କନ୍ଦ ପଣା ପରି ମିଠା, କିନ୍ତୁ ତା’ ଆଉ ହେଲା ନାହିଁ ।

ଅଧରୀ ବୋଉ ପଦାରେ ନ କହିଲେ ବି ଶଙ୍କର ମିଶ୍ର ତା’ର ଏ ଅଭିଯୋଗ କେତେକଙ୍କ ଆଗରେ କହିଥିଲା ।

ତେଣୁ ଧାନ କୁଟା ହଲର ଅଷ୍ଟଗ୍ରହ କୁଟ ବେଳେ ଚୁନା ନହେଲା ବୋଲି ନେପୁରୀ ବୋଉକୁ ଯେତେବେଳେ ଉଲୁଗୁଣା ଦିଆଗଲା ସେତେବେଳେ ଅପରପଟୁ ଅଧରୀବୋଉକୁ ବି ଉଲୁଗୁଣା ଦିଆଗଲା ଯେ ଗୋବିନ୍ଦ ଦ୍ୱାଦଶୀକୁ ପୁରୀ ସମୁଦ୍ରର ପାଣି ମିଠା ହେଲା ନାହିଁ ।

କିନ୍ତୁ ଧାନକୁଟା କଳ ବସାଇବା ସମ୍ପର୍କରେ ସମାଲୋଚନା ପ୍ରକାଶ୍ୟରେ ବି ଚାଲିଲା । ଆନନ୍ଦଙ୍କ ସ୍ତ୍ରୀ ଅଧରୀ ବୋଉଙ୍କୁ କହିଲେ, କଥାଟା କ’ଣ ଭଲ ହେଲା ମା’ ? ଏକେତ କଳ ଚାଉଳ ଖାଇଲେ ଦେହକୁ ଅସାର, ତା’ଉପରେ ପୁଣି ଏତେ ଗୁଡ଼ିଏ ରାଣ୍ଡି ଛୁଣ୍ଡିଙ୍କ ଦାନା ମାରିବା କଥା, କିଛି ନ ହେଲେ ଧାନ କୁଟିକରି ତ ଲୋକେ ଚଳି ଯାଉଥିଲେ, ଗାଁଏଁ ଗାଁଏଁ ଏଥିରୁ ଗୋଟିଏ ଗୋଟିଏ ଥୁଆ ହେଲେ ତାଙ୍କ ଅବସ୍ଥା ଠ ଠା ଠି ।

ମାୟା ଦେବୀ ଅପେକ୍ଷା କରି ରହିଲେ, ଜଟିଦାସର ବୋହୂ ସୁନା, ପିଣ୍ଡା ଉପରୁ ମୁହଁ ଉହୁଙ୍କେଇ ଅନାଇଁ ରହିଲା, ସେତେବେଳକୁ ଦିନ ବାରଟା ବେଳ ହେବ, ଖିଆ ପିଆ ବେଳ ପାଖେଇ ଆସୁଥାଏ । ଅଧରୀ ବୋଉ ଗର୍ଜନ କରି ଉଠିଲେ “ଦେଖୁଚ ଦେଖୁଚ, କିଏ କାହା ପତରରେ ଧୂଳି ଅଜାଡ଼ିଲା ଯେ ଏକଥା ଉଠୁଚି । ଶାଗଖିଆକୁତ ପେଜଖିଆ ଦେଖି ପାରୁନାହିଁ, ଲୋକେ ମୋ ପିଲାଙ୍କ ଶିରୀ ଦେଖିପାରୁ ନାହାନ୍ତି ପରା ।”

 

ପାଟିତୁଣ୍ଡ ଶୁଣି ମୂଷାର ସ୍ତ୍ରୀ ବି ଆସି ଠିଆହେଲେ, ଅଧରୀବୋଉ କହିଯାଉଥାନ୍ତି, “କିଏ ବଡ଼ବଡ଼ୁଆ ନାଁ’ରେ ପିଠା ତିଆରି କରି ହାଟରେ ବିକିଲେ ଦୋଷ ନାଇଁ, ସବୁ ଦୋଷ ଖାଲି ମୋ’ରି ଠେଇଁ ।”

 

କଳିଟା ବହୁତ ଉଚ୍ଚକୁ ଉଠିଥାନ୍ତା, କିନ୍ତୁ ହଠାତ୍ ଦାମ ତାଙ୍କ ଘର ଭିତରୁ ବାହାରି ଆସିଲେ ଆଉ କହିଲେ, ଯାହାର ଆପତ୍ତି ଅଛି ସେ ନାଲିସ୍ କରୁ, କାହିଁ ସରକାର ତ ମନା କରିନାହିଁ ଧାନକୁଟା କଳ ବସାଇବାକୁ, କେତେଠିଁ କେତେ ଲୋକ ବସାଇଲେଣି, କେହି ତ ମନା କରୁନାହିଁ, ଯାହାଠିଁ ପଇସା ଅଛି ସେ ଚାଉଳ କଳ ବି ବସାଉଛି ।”

 

ଶାନ୍ତିବୋଉ କହି ଆସୁଥିଲେ– “ଆଉ ଧାନକୁଟୁଣୀମାନେ”–କଥା ମଝିରେ କଥା କହି ଦାମ କହିଲେ, “ଲୋକେ ବୁଝୁନାହାଁନ୍ତି, ଯୁଗ ବଦଳୁଛି । ଯନ୍ତ୍ରପାତି କଳକବ୍‍ଜା କେତେ ବାହାରିଲାଣି-। କଳଲଙ୍ଗଳ ଆସିଲା, ଘଣ୍ଟାକେ ଦଶ ବାରଗୁଣ୍ଠ ଜମି ହଳ କରିଦେବ, ସେଥିପାଇଁ କଳହଳିଆ ପାଟି କରିବେ ? ମଟର ବସ୍ ବି ଅକାମୀ ହୋଇଯିବ, ଉଡ଼ାଜାହାଜ ଆସିଲା, ଦୂରକୁ ଯିବାକୁ ରେଳ ନ ଚଢ଼ି ଲୋକେ ଉଡ଼ାଜାହାଜ ଚଢ଼ୁଛନ୍ତି । ଏମିତି ଚାଲିଥିବ ୟେ, ଯାହାର ପୁରୁଣା ବୃତ୍ତି ବୁଡ଼ିଯିବ ସେ ନୂଆ ବୃତ୍ତି ଧରିବ, ପେଟ ପୋଷିବ, ଯେମିତି ଘୋଡ଼ାଗାଡ଼ି ଗାଡ଼ୁଆନ୍‍ଙ୍କ ଭିତରୁ ବି ଅନେକେ ରିକ୍‍ସା ଟାଣୁଛନ୍ତି । ସେମିତି ଧାନକୁଟୁଣୀ ବି ଆଉ କିଛି କାମ କରିବେ କି ନ କରିବେ, ଆମ ଉପରେ ଚିଡ଼ିଲେ କ’ଣ ହେବ ?”

 

କିଛିଦିନ ପରେ ଆଉ ୟେ ଆଲୋଚନା ଖଞ୍ଜ।ରେ ପଡ଼ିନାହିଁ । ଧାନକୁଟା କଳ ବି ସେ ପ୍ରାଚୀନ ସମାଜରେ ବ୍ୟାପିଗଲା ।

 

କିନ୍ତୁ ବେଳେ ବେଳେ ରମା ଭାବୁଥିଲା, ବଦଳୁଥିବା ପୃଥିବୀରେ ଯହୁଁ ଯହୁଁ ଗାଁ’ର ପୁରୁଣା ବୃତ୍ତିଗୁଡ଼ିକ ଅକାମି ହୋଇ ଯାଉଥିବ, ଅଚଳ ହୋଇ ଯାଉଥିବ, ତହୁଁ ତହୁଁ କ’ଣ ନୂଆ ବୃତ୍ତି ଜୁଟୁଥିବ ଗାଁ’ ଲୋକଙ୍କ ଭାଗ୍ୟରେ ଯାହାକୁ ତୁଲାଇବା ସେମାନଙ୍କ ଜ୍ଞାନ, ବୁଦ୍ଧି, ସମ୍ବଳ ଓ ବଳାବଳ ଭିତରେ ସମ୍ଭବ ହୋଇପାରିବ ? ତେଲି ହାତରୁ ତେଲ ପେଡ଼ିବା ଚାଲିଯିବ, କୁମ୍ଭାର ହାତରୁ ହାଣ୍ଡିଗଢ଼ା ତନ୍ତୀ ହାତରୁ ଲୁଗାବୁଣା, ସେମିତି ଧାନ କୁଟୁଣୀ ହାତରୁ ଧାନକୁଟା ଯାଇଛି ତ ଗାଁ’ର ବୃତ୍ତି ବୁଡ଼ି ଆସୁଛି । ତା’ପରେ ସେମାନେ ଚାଷୀ କି ମୂଲିଆ । ଆସୁ କି ନ ଆସୁ ଅଭ୍ୟାସ ଥାଉ କି ନ ଥାଉ । ତହିଁରେ ଚାଷ କାମ ଉପରେ ପଡ଼ିବ ବେଶି ଚପଟ ସମସ୍ତିଙ୍କୁ ସବୁ ବାଗ ଜଣାପଡ଼ିବ ନାହିଁ, ସେମାନେ ଭଲ ଚାଷୀ ହେବେ ନାହିଁ, କାହାରିକି ଅଣ୍ଟିବ ନାହିଁ । ତେଣୁ ଆପଣା ବୃତ୍ତି ଉଜୁଡ଼ିଲା ପରେ ଲୋକେ ଧରିବେ ପେଟ ପୋଷ ନାହିଁ ଦୋଷ ନାହିଁ ବାଟ, ଚୋରି, ଟାଉଟରି, ଠକାମି, ନହେଲେ ଗାଁ’ଛାଡ଼ି କାଁ ଭାଁ କୁଆଡ଼େ କୁଆଡ଼େ ବୁଲିବେ, ସେହିଆ ହେଉଛି, ସେହିଆ ଆହୁରି ଆହୁରି ହେବ, ଏ ମଣିଷ ମଛାକ ପରି ହଜିଗଲେ ଅବା ୟା ପରେ ଯେଉଁମାନେ ଆସିବେ ସେମାନେ ପିଲାଦିନୁଁ ଅଭ୍ୟସ୍ତ ହୋଇ ଆପଣା ଜୀବନକୁ ନୂଆ ବାଗରେ ଗଢ଼ିବେ ସେମାନଙ୍କୁ ଅଡ଼ୁଆ ଲାଗିବ ନାହିଁ ।

 

ହଟ ଦାସ ଝିଅ ଫୁଲ ସହିତ ଆଲୋଚନା ଆରମ୍ଭ କଲା, ଫୁଲ ଖାଲି କହିଲା “ୟେ ବଡ଼ ବଡ଼ କଥାରେ ଆମେ ମୁଣ୍ଡ ଖେଳେଇ କ’ଣ ହେବ ? ଯାହା ଯେତେବେଳେ ଆସୁ, କର୍ମକୁ ଆଦରିଲା ପରି ସବୁ ମୁଣ୍ଡପୋତି ମାନିନେବା କଥା ତେଣିକି ଭାଗ୍ୟରେ ଯାହା ଥାଉ ।”

 

ମାୟା ଦେବୀଙ୍କି ପଚାରିଲା, ସେ କହିଲେ “ସେଗୁଡ଼ାକ ତୁ ଭାବ୍ ନାଇଁ, ଯେତେ ପରିବର୍ତ୍ତନ ଘଟିଲେ କ’ଣ ହେଲା ? ମଣିଷ ପରା ଡାଳୁଅ ଧାନ, ପାଣି ଯେତେ ଉଠିବ ସେ ଗଛ ସେତିକି ଆହୁରି ଆହୁରି ଉପରକୁ ଉଠୁଥିବ । ଯାହା କଳକବ୍‍ଜା ଆସିବ କହୁଚନ୍ତି ଆସୁ, ମଣିଷ ମୁଣ୍ଡରେ ତ ବୁଦ୍ଧି ଅଛି, ଗୋବର ନାହିଁ, ସେ ତା’ର ବାଟ କରିବ ନାହିଁ ?

 

ଆଉ ପଚାରିଥିଲା ତା’ର ପୁରୁଣା ସାଙ୍ଗ ମୂଷା ଭାରିଯା ରେବକୁ । ରେବ ବି ବଦଳିଯାଇଛି, ଯେପରି ତା’ ଘରସଂସାର ଆଉ ସେ, ଆଉ କୁଆଡ଼କୁ ତା’ର ମନ ନାହିଁ । ମୁହଁ ଆସ୍ତେ ଆଗଠୁଁ ଆହୁରି ପୂରି ଆସୁଛି, ଚିବୁକ ଗୋଲ ହେଉଛି, ତା’ର ଆଂଶ ଆଉ ଦାଢ଼ ଲୋପ ହୋଇଛି । ସେମିତି ଲୁପ୍ତ ହୋଇଯାଇଛି ତା’ଆଖିର ସେ ଚହଲା ଧାସ, ତା’ ଚାହାଣିରେ ଶୋଷ, ଓ ଦୂରତାର ଛବି, ବେଳେ ବେଳେ ତୋଫାନର ଛଇ । ସେ ମୁହଁ ଶୀଘ୍ର ବିଶିଷ୍ଟତା ଝଡ଼ାଇଦେଇ ଦିଶୁଛି ସୁସ୍ଥ ଓ ସାଧାରଣ ।

Unknown

 

ରେବ ହସିଦେଇ କହିଲା– “ତୁମେ ଏଥର କ’ଣ କେଡ଼େ ବଡ଼ ବଡ଼ କଥାରେ ମୁଣ୍ଡ ଖେଳେଇଲଣି ରମା, କାହିଁ ମୋ ମୁଣ୍ଡରେ ତ ସେଗୁଡ଼ା ପଶୁନାହିଁ । ତା’ ହେଲେ ତମ ମନଟା ଉଡ଼ୁ ଉଡ଼ୁ ହେଲାଣି ଜଣାପଡ଼ୁଛି ଘରେ ଆଉ ମନ ଲାଗୁନାହିଁ, ଏଥର ଦେଶ ।”

 

“ସେଡ଼େ ଭାଗ୍ୟ କ’ଣ ମୋର ଅଛି ।”

 

“ମନକଲେ ହେଲା, ନ ହେବ କ’ଣ ? ଆମ ଗେହ୍ଲୀଦେଈ ତ ପୁଣି ଦିନେ ତମରି ପରି ହେଇଥିଲା, ନିପଟ ଗଣ୍ଡ ମଫସଲର ଝିଅ, ମଫସଲରେ ବୋହୂ, କାନ କାଟିଦେଲେ ବଚନ ବାହାରୁ ନ ଥିଲା, ହାତେ ଓଢ଼ଣା ଦେଇ ଚୂ ଚୂ ହେଇ ଡାକୁଥିଲା–”

 

“ସେଉଠୁ କ’ଣ ହେଲା ?”

 

“ପିଲାକୁ ସମର୍ପିଦେଲା ବୋଉ ହାତରେ, ଅଣ୍ଟାରେ ଲୁଗା ଗୁରେଇଲା, ହାତରେ ମୁଣି ଝୁଲେଇଲା, ଘର ଘର ବୁଲିଲା, ସଭା କଲା, ବକ୍ତୃତା ଦେଲା, ଜେଲ୍ ଗଲା, ମୁକୁଳିଲା, କୋଠା ତୋଳିଲା, ବେପାର କଲା, କ’ଣ ସେ ନ କରି ପାରିଲା କହିଲ ? ଦଶଟା ମିଣିପଙ୍କୁ ବଳି ତା’ର ବୁଦ୍ଧି, ଅଇଛା ତା’ ଭଳିଆ ସେ, କୋଉ କଥାକୁ ପରେଇ ଅଛି ? ଆମ କପାଳରେ ସିନା ଚୁଲି ଫୁଙ୍କା ଛାଡ଼ୁନାହିଁ !”

 

ଜଣାଯାଉଥାଏ ଯେପରି କେଉଁ ଗେହ୍ଲୀଦେଇ ପ୍ରତି ରେବର ଭାରି ହିଂସା । କହିଲା” କେତେ କଥା ତ ମୁଁ ତା’ରିଠୁଁ ଶିଖିଛି । କେଡ଼େ ସୁନ୍ଦର ଗୀତ ଲେଖୁଥିଲା ମ ସେ, ଆମେ ସମସ୍ତେ ତା’ ଗୀତ ବୋଲୁଥିଲୁଁ । ଅଇଛା ଧାଡ଼ିଏ ବି ଆଉ ଲେଖେ ନାହିଁ । ଥରେ କିଏ ପଚାରିଥିଲା ଯେ କହିଲା ସେ ଝର ଶୁଖିଯାଇଛି ।”

 

ରେବ ଦୀର୍ଘଶ୍ୱାସ ପକାଇଲା । ଗେହ୍ଲିଦେଇ ପାଇଁ ନୁହେଁ, ଯେ ତାକୁ ପଚାରି ଆସି କହିଥିଲା ତା’ରି ପାଇଁ । ବାହାରର ଦୁନିଆ ସହିତ ରେବର ସମ୍ପର୍କ ରଖିଲା ଭଳି ସେହି ଜଣକ ଥିଲା ଯୋଗସୂତ୍ର । ରେବ ତୁନି ହୋଇ ରହିଲା । ସେତେବେଳେ ଜହ୍ନ ମରି ମରି ଆସୁଥାଏ, ରେବର ପିଠିଆଡ଼େ ଯେପରିକି ଜଗତ ଯାକର ଅନ୍ଧାର ଗଛ ପରି ଠିଆହୋଇଛି । ରମା ତା’ର ମୁହଁ ଦେଖିପାରିଲା ନାହିଁ ।

 

ରଜ ରଜ ତଣ୍ଟିରେ ରେବ କହିଲା, “ଦୁନିଆ ଏମିତି ବଦଳିଯାଏ ।” ଚଞ୍ଚଳ ବାଁରେଇ ହୋଇ କହିଲା, “ଯାଏଁ ଭାତ ନକେଇ ହେବଣି, ଦି’ଛୁଆଯାକ କୁଆଡ଼େ ଗପ ମାରିଚନ୍ତି ତାଙ୍କୁ ପୁଣି ଖୋଜି ଯିବାକୁ ପଡ଼ିବ ।”

 

ରମା ତା’ର ପ୍ରଶ୍ନର ଉତ୍ତର ପାଇଲାନାହିଁ । କିନ୍ତୁ ଆହୁରି ଆହୁରି ସେ ବିଷୟରେ ସେ ଭାବିହେଲା । ବାପଘରେ ଝିଅ, ଅଳ୍ପଦିନ ପାଇଁ ଶାଶୂଘରେ ବୋହୂ, ତହିଁର ଅଳ୍ପଦିନେ ପୁଣି ବାପଘରେ ଝିଅ ଏହିପରି ତରତର ହୋଇ ତା’ର ଯେଉଁ ପରିବର୍ତ୍ତନ ଘଟିଯାଇ ଚିହ୍ନା ପରିସ୍ଥିତି ତାକୁ ଅଚିହ୍ନା ଅଚିହ୍ନା ଲାଗୁଥିଲା, ବୋହୂପଣିଆ ଉପରେ ଗଢ଼ା ହୋଇଥିଲା ତା’ର କଳ୍ପିତ ଭବିଷ୍ୟତ କଚାଡ଼ି ହୋଇ ପଡ଼ିଲା ଉତ୍ତାରୁ ଯେଉଁ ଉଦାସ ଭାବ ତା’ର ଚିନ୍ତାକୁ ବେଳେ ବେଳେ ବହଳ ଛହଲା କୁହୁଡ଼ି ପରି ଚାଉଁ ଚାଉଁ ଲାଗୁ ଲାଗୁ ଘୋଡ଼ାଇ ପକାଇଥିଲା ତାହାରି ପ୍ରତିକ୍ରିୟା ସ୍ୱରୂପ ବେଳେ ବେଳେ ତା’ ମନ ବାହାରର ପରିବର୍ତ୍ତନକୁ ବିଶ୍ଳେଷଣ କଲାଭଳି ଆଖିରେ ନିକୁଟି ନିକୁଟି ଦେଖୁଥିଲା, ବିଚାର ସହିତ ମରମଭାବ ଓ କଳ୍ପନା ଯୋଖି ଦେଇ ଦେଖା ବିଷୟକୁ ଅସାଧାରଣ କରି ରୂପ ଦେଉଥିଲା । ଏମିତି ତା’ର ଖିଆଲି ଖେଳ, ମନକୁ ମନ ପଦାରୁ ତାକୁ ଯେ ଦେଖିବ କହିବ ସେ ଅନ୍ୟମନସ୍କ ଅଛି । ଗୋଟାଏ ପ୍ରକାର ଖିଆଲର ଖେଳ ଦିନାକେତେ ତା’ର ମନକୁ ଗୋଟାଏ ପରିସର ଭିତରେ ବାନ୍ଧିରଖି ତା’ପରେ ତୁଟିଯାଏ, ସେ ଆଉ ଗୋଟାଏ ପ୍ରକାରର ଖେଳ ଖେଳେ ।

 

ସେମିତି ହୋଇଥିଲା ହାଡ଼ଗୁଣ୍ଡା ବିଷୟରେ ତା’ର ମନୋଭାବ । ସତେ ଯେପରି ସାନ ପିଲାର ଛୁଞ୍ଚିମୁନିଆଁ କୁତୂହଳ ଘେନି ସେ ଖୁଡ଼ୀ ଭଣ୍ଡାର ଘରେ ରହିଥିବା ସେ ବସ୍ତାଗୁଡ଼ାକ ଅନାଏଁ, ଆଉ ଲକ୍ଷ୍ୟ ରଖିଥାଏ କେବେ ସେଗୁଡ଼ାକ ସେଠୁ ବାହାରିବ, କୁଆଡ଼େ ଯିବ, କେଉଁଠି ଖୋଲା ହେବ, କେଉଁଠି ଲାଗିବ । ବିଭା ହୋଇ ବିଧବା ହୋଇ ଫେରିଲା ଉତ୍ତାରୁ ତା’ର ବୁଲାଚଲାରେ ସ୍ୱାଧୀନତା ବଢ଼ି ଯାଇଥାଏ, ମନ ହେଲେ ସେ ଏକୁଟିଆ ଏ ସାହି ସେ ସାହି ହେଉଥାଏ । ଘାଇ ଉପର ବାଟେ ଜଟି ଦାସ ଘରକୁ ବାଟ, ସେଠି ଅରାଏ ବିଲରେ ଦାମଙ୍କର ଆଳୁ ଚାଷ ହୁଏ, ଉଦୁଉଦିଆ ଖରାବେଳେ ସେଠି ସେ ଦେଖିଲା ଆଳୁ ସିଆରରେ କୋଡ଼ି କୋଡ଼ି ହାଡ଼ଗୁଣ୍ଡା ବିଞ୍ଚା ହେଉଛି, ଡିମ୍ବରୁ ଜେନା ଭାଗରେ କରେ, କହିଲା “ଧନ୍ୟ ସେ ଯେ ଏ ବୁଦ୍ଧି ବାହାର କଲା, ଥରେ ୟେ ହାଡ଼ଗୁଣ୍ଡା ସାର ବିଞ୍ଚିଦେଲେ ସୁମାର ତିନିବର୍ଷ ମାଟିର ବଳ ରହିବ ଆଉ ଯେଉଁ ଆଳୁଗୁଡ଼ାକ ଗିଲ ପରି ହେଉଥିଲା ସେ ହେବ ଗୋଟାଏ ଗୋଟାଏ ତାଟିଆ ପରି ବଡ଼ ବଡ଼”-। ତା’ ସାଙ୍ଗର ଦର୍ଶନି ଜେନା କହିଲା “ସେଥିପାଇଁ ପରା ବାଡ଼ିଆବାଡ଼ି, ମିଳୁଚି କାହାକୁ ?” ରମା ଆଖି ଖୋଷି ଦେଇ କହିଲା “ଏଥିରେ ମଣିଷ ହାଡ଼ ନ ଥିବ ?” ଡମ୍ବରୁ ଜେନା ବୁଢ଼ା ହେଲାଣି, ଶିର ଦଉଡ଼ିବଳା ଚମ ଧୋଡ଼କା ହାଡ଼ୁଆ ଡେଙ୍ଗା ଦେହ, ବବୁର କଣ୍ଟାପରି ଧଳା ଧଳା ରୁଢ଼, ଟାକୁଆ ଗାଲ ସରୁ ସିଆର ପରି ନୋଚା କୋଚା କପାଳ, କାନ ପିଠିଆଡ଼େ କହରା ବାଳ ମେଞ୍ଚା ମେଞ୍ଚା । କହିଲା, “କାହା ହାଡ଼ରୁ କିଏ କ’ଣ ପାଇବ ଲୋ ଝିଅ, ହାଡ଼ ତ ହାଡ଼ ।” ଦର୍ଶନି ଜେନା କହିଲା “ହଁ, ସେଗୁଡ଼ା କିଏ ଉଖାରୁଚି ବସି ।” ଡମ୍ବରୁ ଜେନା କହିଲା” ଆଗେ ଅସୁଖ ନ ଲାଗୁଥିଲା ନୁହେଁ । କୁଆଡ଼ୁ ମନ କୁଆଡ଼ୁ ହାଡ଼ ଗୋଟେଇ ନେଇ ଯାଆନ୍ତି । ଗୋରୁହାଡ଼ ତ ସହଜେ, ସଇଁତରା ପାଣ ସାହିରେ କୂଅ ପାଖେ ଏବେବି ବଡ଼ ଅରାଏ କୁରେହିଛନ୍ତି । ମଶାଣିକି ବି ଯାଉଥିବେ, ଦିପଇସା ମିଳିବତ । ହାଡ଼ ଗୁଣ୍ଡା କରିବା ଆଗରୁ ଗୋଟାଏ କଳ ଅଛି, ସେଥିରେ ହାଡ଼ଗୁଡ଼ାକୁ ସାନ ସାନ କରି କାଟି ପୂରେଇ ଦେଇ ସିଝାନ୍ତି । ସେଉଠୁ ନରମ ହୋଇଗଲେ ଚୂନ କୁଟିଲାପରି ଢିଙ୍କିରେ କୁଟି ଦିଅନ୍ତି, ସେଇ ସଇଁତରା ପଞ୍ଚାୟତରେ ଗୋଟାଏ କଳ ଅଛି, ଚାଲେ କେବେ କଦବା । ମୁଁ ଦେଖି ଆସିଛି ।”

 

“ମୋ ଦେହରୁ କେତେ ବସ୍ତା ହାଡ଼ ଗୁଣ୍ଡା ବାହାରିବ ଜେନାଏ ?” ରମା ପଚାରିଥିଲା ? ଛି, ଏମିତିଆ କହନ୍ତି, ଦର୍ଶନ ଓଝା ଆପତ୍ତି କଲା, ଗେଲରେ ବି ଏମିତି କଥା ତୁଣ୍ଡରେ ଧରିବାର ନୁହେଁ ।

 

ରମା କହିଲା, “ମଣିଷ ମରିଗଲେ ହାଡ଼କୁ ନେଇ ତ୍ରିବେଣୀରେ ପକାନ୍ତି କହନ୍ତି, ଆତ୍ମା ମୋକ୍ଷ ହୁଏ, ଆଉ ୟେ–”

 

ଡମ୍ବରୁ ଜେନା କହିଲା, “ମଲା ତ ସଂସାର ସରିଲା, ପଞ୍ଚଭୂତ ଆତ୍ମା ପଞ୍ଚଭୂତରେ ଯାଇ ମିଳେଇଗଲା, ଆଉ କେହି ରହିଲା ଯେ ସେ ହାଡ଼ରେ ନାଖି ରଖିଥିବ ? ଭୂତ ହେଲେ ସେମାନେ କୋଉ ଗଛରେ କି ଘରେ କି ଶୂନ୍ୟରେ ରହୁଥିବେ ସିନା, ୟେ ହାଡ଼ରେ ତ କେଭେ ନୁହେଁ, ଆଉ କି ବିକାର ରହିଲା-?”

 

ଦର୍ଶନ ଜେନା କହିଲା “କାଳ ତ ଗଲାଣି ବଦଳି, ଆଉ କିଏ ମାନୁଚି ? ଅଇଛା ଅସଲ ମୋକ୍ଷ ସେଇ ହାଡ଼ ସିଝାଇବା କଳ ଭିତରେ, ମଣିଷ ମଲେ ବି ଆଉ କାହା କାମରେ ଲାଗିବ, ଆଳୁ ପିଆଜ ହବ, ଆଖୁହବ, ଧାନହବ, ମାଟିରେ ଖତ ହୋଇ ମିଶି ମାଟିର ଉଧାର ଶୁଜେଇବ, ନାଁକରା କ’ଣ ?”

 

ରମାର ଜୀବନ-ଦର୍ଶନ ଭିତରେ ହାଡ଼ଗୁଣ୍ଡ ବି ମିଶିଗଲା । ସେହି ରାତିରେ ସେ ଭାବୁଥିଲା, ଜୀଆନ୍ତାରେ ଏତେ ବାଧିକା, ମଲେ ବି ହାଡ଼ଗୁଡ଼ାକୁ ଆଉ ବିଶ୍ରାମ ନାହିଁ, ସିଝା ହେବ ଚୂରା ହେବ କ୍ଷେତରେ ବିଞ୍ଚା ହେବ । ଯେତେ ବଳଦ ପରର କ୍ଷେତରେ ହଳ କରି କରି ମଲେ, ଯେତେ ମଲେ ଗାଡ଼ି ଟାଣି ଟାଣି ବେକରେ ଘା’ ଦେହ ବିଦା କାଠି, ତଥାପି ବେକରେ ଶଗଡ଼ ବାଣି, ଯେତେ ଗାଈ ଦୁଧ ଦେଇ ଦେଇ ରହିଗଲେ, ସେମାନେ ମଲାପରେ ତାଙ୍କ ହାଡ଼ରୁ ବି ମଣିଷ ତା’ ଗଣ୍ଡାକ ଅସୁଲ କରି ନେବ, ଛାଡ଼ି ଦେବ ନାହିଁ । ଶାଶୂଘର ଗାଁର ସେ ଦୃଶ୍ୟ ମନେପଡ଼ିଲା । ପଡ଼ିଶା ଘରେ ଗୋକୋଳି ବୋଉ ହଇଜାରେ ପଡ଼ିଥାନ୍ତି, ସାହି ସେମୁଣ୍ଡ । ଘରେ ଘରେ କବାଟ ପଡ଼ିଥାଏ, ଗାଁରେ କୋକୁଆ ଭୟ, କାମ ଧନ୍ଦା ବନ୍ଦ, ଯେଝା ଘରେ ଯେ । ଖାଲି ଆଖଡ଼ା ଘରୁ ବେଳେ ବେଳେ ଭାସି ଆସୁଥାଏ ଭୟାର୍ତ୍ତ ସଂକୀର୍ତ୍ତନର କ୍ଷୀଣ ଶବ୍ଦ । ମାହାପୁରୁ ମା’ କୋଳକୁ ଯାଉଥାନ୍ତି । ଧୂଆଁଳିଆ ଫଗୁଆ ଆକାଶ ଦିଶୁଥାଏ ଯେମିତି କେଉଁ ମହାଭୟର ସଂକେତ ଛପିଥିଲା ଅଚଳ ଗୋଳିଆ ଗଣ୍ଡପରି ।

 

ସେବା କରୁଥାଏ ଏକା ହୁଣ୍ଡା ହର, ତା’ର ସ୍ୱାମୀ । ରୋଗୀଣିର ସ୍ୱାମୀ ବେକରେ କୁଟା ଗୁରାଇ ଆପଣାକୁ ବଞ୍ଚାଇବାକୁ ବ୍ୟବସ୍ଥା କରି ମୁଣ୍ଡରେ ଦି’ହାତ ଦେଇ ଚଉରାମୂଳେ ବସିଥାନ୍ତି, ଯେମିତି ପଥରର ମୂର୍ତ୍ତି । ଛୁଆମାନେ ମାମୁ ଘରେ ଆଶ୍ରା ନେଇଥାନ୍ତି,–ସମସ୍ତେ, ଖାଲି ଦି’ବର୍ଷର ସାନ ଝିଅଟାକୁ ଛାଡ଼ି । ହେଂସ ଉପରେ ଗୋକୋଳିବୋଉ ଶୋଇଥାଏ, ଜୀର୍ଣ୍ଣଶୀର୍ଣ୍ଣ ହୋଇ ଆହୁରି ଲମ୍ବା ଦିଶୁଥାଏ, ବଇଦ କହିଯାଇଛି ଆଉ ଆଶା ନାହିଁ । ଶିଶା ପରି ଆଖିଯୋଡ଼ିକରେ ଭାଷା ନାହିଁ-। ଭାବ ପଥର ପାଲଟି ସ୍ଥିରହୋଇ ଆକାଶକୁ ମୋହିଁଛି । ତଥାପି ଦି’ବର୍ଷର ସେ ପିଲାଟା ତାଙ୍କ ଛାତିରେ ରେକେଟି ଲାଗିଥାଏ, ହାତଟାଏ ସେତେବେଳେ ବି ପଡ଼ିଥାଏ ପିଲାର ପିଠି ଉପରେ ଯେମିତି ଯାବ ପଡ଼ିଯାଇଛି ।

 

ରମା ହର କତିରେ ଠିଆ ହୋଇଥାଏ, ବିସ୍ମୟରେ ଚାହିଁଥାଏ, ଆଉ ଅଳ୍ପ ସମୟ ପରେ ହିକା ଉଠିଲା । ପିଲାଟା ରେକୁଟୁଥାଏ ।

 

ହଠାତ୍ ସେତେବେଳେ ରମା ମନରେ ସେ ପିଲାଟା ଉପରେ ଭାରି ରାଗ ଆସିଲା, ସେ ପିଲାଟାକୁ ଓଟାରି ଆଣିଲା ଯେମିତିକି ଛିଣ୍ଡାଇ ଆଣିଲା ପରି, ପିଲାଟା ବଡ଼ ପାଟି କରି କାନ୍ଦିଉଠିଲା, ଓଟାରି ଫୋପାଡ଼ିଲା ପରି ତା’ ବାପ ଉପରେ ଅଜାଡ଼ି ଦେଲାବେଳେ ତାକୁ ଲାଗୁଥାଏ ସତେକି ସବୁ ଶତ୍ରୁତା ରୂପ ଘେନିଛି ସେହି ପିଲାଟାଠିଁ, ସେ କାନ୍ଦୁଛି ତା’ ନିଜ ଭୋଜନରେ ବାଧା ପଡ଼ିଲା ବୋଲି ଅହନ୍ତା କରି, ମା’ ପାଇଁ ନୁହେଁ ।

 

ଆପଣା ପିଲାକୁ କୋଡ଼ରେ ଧରି ଛାତିରେ ଯାକି ରାତିରେ ଶୋଇରହି ସେହି ସେ ପରପିଲା କଥା ରମା ଭାବୁଥାଏ, ଆଉ ମଣିଷ ଜୀବନ କଥା, ୟେ ସଂସାର କଥା, କେରା କେରା ଲୁହ ବୋହିଯାଉଥାଏ, ଆଉ ତା’ ସଙ୍ଗରେ ସେ ଗୁଣ୍ଡ ହାଡ଼ ସାର ସହିତ ଜଡ଼ିତ ହୋଇ ରହିଥିବା ମଣିଷ ଆଉ ଗୋରୁଙ୍କ କଥା ।

 

ଭଲ, ସେ ଶେଷରେ ଭାବି ଲାଗିଲା, କିଏ କେତେ ଏ ମାଟିରେ ସାର ଯୋଗାଇବା ପାଇଁ ହାଡ଼ ଗୁଣ୍ଡ ହୋଇପାରିବ ସେମିତି ବି ମଣିଷର ମାପ ହୋଇ ପାରିବ । ସେ ନିଜେ କେତେ,–ତିରିଶି ସେର ? ହୋଇପାରେ । ସେମିତି ସମସ୍ତେ, ଯେ ଯେତେ ଶାଢ଼ି ପିନ୍ଧୁ, ଲୁଗା ପିନ୍ଧୁ, ପୋଷାକ ପିନ୍ଧୁ, ରାଜ୍ୟର ଯେତେ ନାମୀ ଦାମୀ ଲୋକ, ଯେତେ ଅଭାଗା, ଭିକାରିପଲ, ଯେତେ ବୁଧିଆ, ଯେତେ ନିର୍ବୁଦ୍ଧିଆ, ଯେତେ ମାନ୍ୟ ମାନତା ମଣିଷ, ଯେତେ ଲୋକଙ୍କ ନାଁ’ରେ ଲୋକେ ଛେପ ପକାନ୍ତି, ନାଁ ଧରିଲେ କହନ୍ତି ଖାଇବାକୁ ମିଳିବ ନାହିଁ, କୁଚକ୍ର କରୁଥିବା ମୁଣ୍ଡର ଖପୁରି, ମଣିଷ ମାରିଥିବା ତଣ୍ଟି ଚିପିଥିବା ହାତ, ସବୁ ଗୁଣ୍ଡା ହୋଇ ଏକାଠି ବସ୍ତାରେ ଗୋଳିଆ ମିଶା,- “ଆଳୁଗୁଡ଼ାକ ଗିଲ ପରି ହେଉଥିଲା ଏଥର ତାଟିଆ ପରି ହେବ’–ଭଲ, କାହାଠୁଁ ଖାଇ ଜନ୍ମ ହୋଇ ବଢ଼ି ଉଠି ଶେଷରେ କାହାର ଖାଦ୍ୟକୁ ସାହାଯ୍ୟ କରିବ, ଅତୀତର ଭକ୍ଷକ ହେବ ଭବିଷ୍ୟତରେ ଖୋରାକ, ଚାଲିଛି, ଚାଲିବ ଚକା ଚକା ଭଉଁରି । କାହାଠୁଁ ଖାଇଲା ହେତୁ ରଖେନାହିଁ, ପାସୋରିପକାଏ, ଖାଲି ସେତିକିବେଳ, ସେହି ଛୁଣୁକା, ଲାଙ୍ଗୁଡ଼ ହଲାଏ, ନାଲିଛଲି ହୁଏ, କେତେ ସାକୁଲାଏ, କେତେ କୃତଜ୍ଞତା ଦେଖାଏ, ତା’ପରେ ଆଉ ନାହିଁ । ମୁହଁ ପୋଛି ଚାଲିଯାଏ ଆଉ ଠାଆକୁ ।

 

ସେମିତି କାହା କ୍ଷେତରେ ସେ ଆଳୁ ବଢ଼ାଉଥିବ ଆଖୁ ବଢ଼ାଉଥିବ ସେ ଜାଣିପାରିବ ନାହିଁ, କେହି ଜାଣିପାରିବେ ନାହିଁ, ନିର୍ମୂଳୀ ପରି ଆସିଥିଲା, ନିର୍ମୂଳୀ ମାଡ଼ିବ ତା’ ଉପରେ, ଗଛତଳ ଛାଇରେ ଆଶ୍ରା ନେଇଥିବା ବାଟୋଇ ।

 

ଆଖିରୁ ଦରଦର ବୋହିଲା, ତଣ୍ଟିର କୋହ ବଡ଼ ଶବ୍ଦ କରିବାକୁ ଅଡ଼ିବସୁଛି, ଏଥର ନୂଆ ରୂପରେ ସେ ହରକୁ ଦେଖିଲା, ତା’ର ନାରୀ ହୃଦୟର ସବୁଯାକ ଦୟା ଉଜାଡ଼ି ହୋଇ ପଡ଼ିଲା ସେହି ସ୍ମୃତି ଉପରେ । ମନର ସେହି ଅବସ୍ଥାରେ, ଯେତେବେଳେ ଦେଣା ପାଉଣାର ସବୁ ଅଡ଼ୁଆ ତୁଟିଯାଇଛି, କେହି କାହାଠୁଁ କିଛି ପାଇବାକୁ ବାକି ନାହିଁ, ସେତିକିବେଳେ ତା’ର କଅଁଳ ମରମଭାବ ଅଯାଚିତ ମେଘପରି ବିପୁଳ ଧାରାରେ କରୁଣ ହୋଇ ବରଷିଗଲା ।

 

ବରଷାର ଝିମ୍ ଝିମ୍ ରାଉ ରାଉ ପରି ମନ ଭିତରେ ସେହି ଏକା ଗତର ସଙ୍ଗୀତ, ଆହା ବିଚରା, ସେ ଚାଲିଗଲା ।

 

ଦିନ ଯହୁଁ ଗଲା, ପଦାକୁ ସେ ବେଶି ବେଶି ଟାଆଁସିଆ ହେଲା, ଭିତରେ ସେ ବେଶି ବେଶି ହେଲା ଉଦାର । ବିଭା ନ ହେଉଣୁ ସେ କେବେ ଫୁଲେଇ ନ ଥିଲା, ସଉକ କହିଲେ ଯାହା ବୁଝାଏ ତା’ ବି ତା’ର ନ ଥିଲା, କିନ୍ତୁ ସେ ସ୍ନେହ ଶରଧା ଖୋଜି ଖୋଜି ହୋଇଥିଲା ନରମ, ସ୍ନେହୀ ଲୋକ ନ ଥିଲେ ତା’ର ସଂସାର ଶୂନ୍ୟ । ଆଉ ସେ ସ୍ନେହ ଶରଧା ବି ଖୋଜେନାହିଁ, ତେଣୁ ଆପଣା ବିଷୟରେ ତା’ ମନ ନିଶ୍ଚିନ୍ତ, ତା’ର ଆଶା ନାହିଁ କି ଭରସା ନାହିଁ । ସାନଭଉଣୀ ତିଳ ଆଗେ ତା’ର ଅତି ପ୍ରିୟ ହୋଇଯାଇଥିଲା, ଏବେ ତା’ର ନିଜର ବହୁତ ସାଙ୍ଗ, ସେହିମାନଙ୍କୁ ଘେନି ତା’ ସଂସାର, ଅପା ନ ହେଲେ ତା’ର ନ ହେଲେ ନ ଚଳେ ଏପରି ନୁହେଁ । ଜଗୁର ସ୍ୱର ବଦଳି ଗଲାଣି, କେମିତି ଫଟା କଂସାପରି ବାଜେ, ନିଶ ଉଠି ଆସୁଛି, ତଣ୍ଟିରେ ଘଣ୍ଟିକା ବାହାରିଛି, ବେକ ବହୁତ ଛାଡ଼ିଲାଣି । ସେ ଲାଗି ପଡ଼ିଛି ମ୍ୟାଟ୍ରିକୁଲେସନ୍ ପରୀକ୍ଷା ଦେବ, ଭଲ କରିବ । ପଢ଼ି ବସିଲେ କବାଟ କିଳି ଦେଇ ସମସ୍ତିଙ୍କୁ ମହା ଅସୁବିଧାରେ ପକାଏ, ବୋଲ ବତାଇଲେ ଗାଳିଦିଏ, ବହି ଘେନି ତା’ର ଗମ୍ଭୀର ପ୍ରତିଜ୍ଞା । ରଘୁ ଜଗୁ ପରି ଏତେ ବହି କତିରେ କେବେ ବସୁ ନ ଥିଲା, କିନ୍ତୁ ସେ କେମିତି ବୁଲା ହୋଇଗଲାଣି, ଶୋଇଲା ବେଳଛଡ଼ା ଘରେ ଅଳ୍ପ ସମୟ ଥାଏ, ତାକୁ ପାଠ ପଢ଼ୁଥିବାର କ୍ଵଚିତ୍ ଦେଖାଯାଏ କିନ୍ତୁ ସେ ଆଗଠୁଁ ବଳି ବଳି ପାଠରେ ଭଲ କରୁଛି, ପାଠ ଛଡ଼ା ଅନ୍ୟାନ୍ୟ ନାନା ବିଷୟରେ ତା’ ମନ, ବାଛୁରିକି କେମିତି ଛନ୍ଦିବାକୁ ପଡ଼େ, ଗାଈକି କେମିତି ଦୁହିଁବାକୁ ହେବ, ହଳ କେମିତି ହୁଏ, ଇଂକଡ଼ ପୋତି ମାଟି କୁଦକରି ପାନ ବରଜ କେମିତି ଠିଆ କରିବାକୁ ହୁଏ, ନଡ଼ିଆ କେମିତି ପାରନ୍ତି, ଖଜୁରି ଗଛରେ ଠେକି କେମିତି ବସାନ୍ତି, ଘର କେଉଁ ବାଗରେ ଛୁଆଣି କରାହୁଏ, ଏପରିକି କଳେଇ କେମିତି ବାଗରେ ଖଞ୍ଜି ଗଦା ମରା ହୁଏ ଯେ ଧାନତକ ଭିତରକୁ, ନଡ଼ା ଲାଞ୍ଜପଟ ବାହାରକୁ ଉପର ଚିକ୍‍କଣ ହୋଇ ସାଉଁଳା ସାଉଁଳି, ଧାନଗଦା ଗୋଲ ହୋଇ ଗୋଟିଏ ଦେଉଳ ପରି, ଯେଡ଼େ ବରଷା ହେଲେ ପାଣି ଗଡ଼ିଯିବ ଭେଦିବ ନାହିଁ, ତେର ବର୍ଷର ପିଲା ରଘୁ ସେ ବିଦ୍ୟା ବି ଊଣା ଅଧିକେ ଶିଖିଯାଇଛି । ବାରିରେ ହଣାହଣି କରି ସେ ଶାଗ ପଟାଳି କରେ, ଗଛ ପୋତେ, କିଛି ଗୋଟାଏ କରିବାକୁ ତା’ ହାତ ଖଲ ଖଲ ହେଉଥାଏ । ବୋଉ ଗାଳି ଦେଉଥାଏ ସେ ଅଙ୍ଗାର ଖଣ୍ଡେ ଧରି କାନ୍ଥଯାକ ଚିତ୍ର ଆଙ୍କେ, ଚିକିଟା ମାଟି ଚକଟି ଲୋକଙ୍କ ଚେହେରା ଓ ଛଟକ ନକଲ କରି ମୂର୍ତ୍ତି ଗଢ଼ି ଶୁଖାଇ ସେଥିରେ ରଙ୍ଗ ଚଢ଼ାଏ, ସେଗୁଡ଼ାକ କିମ୍ଭୂତ କିମାକାର ଦିଶିଲେ ସୁଦ୍ଧା ବେଳେ ବେଳେ କେଉଁ କେଉଁଟା ଦେଖିଲେ ଲାଗେ ଯେପରିକି କାହାରି କାହାରି ଠାଣିରୁ ଛିଲିକାଏ ଲେଖାଁ ସତକୁ ସତ ସେଥିରେ ରହିଯାଇଛି । ଏମିତି ହଳେ ମୂର୍ତ୍ତି ଗଢ଼ି ସେ ଯୋଡ଼ିଏ ପରିବାର ଭିତରେ ପ୍ରାୟ ଯୁଦ୍ଧ ଲଗାଇ ଦେବା ଉପକ୍ରମ କରିଥିଲା, ମୂର୍ତ୍ତି ଯୋଡ଼ିକ ନ ସରିବାଯାକେ ସେ ସେ ଯୋଡ଼ିକୁ ଲୁଚେଇ ଲୁଚେଇ ନାନା ସ୍ଥାନରେ ଥୋଉଥିଲା, ଯେମିତି ବିଲେଇ ତା’ ଛୁଆକୁ ନେଇ ଏକର ସେକର ହୁଏ । ତା’ପରେ ଯେଉଁଦିନ ସଂପୂର୍ଣ୍ଣ ହେଲା, ତାକୁ ଆଣି ଥୋଇଦେଲା ପିଣ୍ଡା ଉପରେ ଠିକ୍ ଦାମଙ୍କ ଘର ଆଡ଼କୁ ମୁହଁ କରି, ନାଁ ଲେଖି ଦେଇଥାଏ “ଦାଦିଖୁଡ଼ୀ” । ଦାଦିର ମୁହଁ ସେ ଗଢ଼ିଥିଲା ଯୁଗେଶ୍ଵର ମହାଦେବ ମୂର୍ତ୍ତି ଢାଞ୍ଚାରେ ସୌମ୍ୟ, ଶାନ୍ତ, ଚାହିଁ ରହିଲେ ବି ଧ୍ୟାନସ୍ଥ, ଯେମିତି ଟିକିଏ ବକା ବକା, କିନ୍ତୁ ଥନ୍ତଲ ପେଟଟି ଟିକିଏ ବେଶି ଝୁମୁକା ହୋଇ ଆଗକୁ ଓହଳି ପଡ଼ିଥିଲା, ହାତରେ ଥିଲା, ଗୋଟିଏ ବାଡ଼ି । କିନ୍ତୁ ଖୁଡ଼ୀଙ୍କ ମୂର୍ତ୍ତିରେ ଟିକିଏ ତାତ୍ପର୍ଯ୍ୟ ଥିଲା, ମୁହଁଟି ବେଶି ହାଡ଼ୁଆ ଲମ୍ବାଳିଆ, ଥୋଡ଼ି ସହିତ ପାଟି ମୁଣ୍ଡା ହୋଇ ପଦାକୁ ବାହାରିଛି, ଦି’ପାଟି ଦାନ୍ତରେ ଯାବ ପଡ଼ିଯାଇଛି, ଦାନ୍ତଗୁଡ଼ିକ ଧଳା ଧଳା ଦିଶୁଛି । ମୁହଁରେ ଗାଁ’ ସେମୁଣ୍ଡର ଚାମଣ୍ଡା ମୂର୍ତ୍ତିର ଠାଣି, ଦେଖିଲେ ଡର ମାଡ଼ିବ । ହାତରେ ଗୋଟାଏ କନାମୁଣି ଓ ଗୋଟାଏ କାଠମାଳି । ଯେତେ ପୂଜାପାଠ କରି ଖୁଡ଼ୀ ଶାନ୍ତି ପାଉନାହିଁ, ଦାନ୍ତକାମୁଡ଼ି ଚିହିଁକି ଉଠୁଛି, ଏହିପରି ସେ ମୂର୍ତ୍ତିର ଭାବ ।

 

କେହି ବିଶ୍ୱାସ କରିବା କଥା ନୁହଁ ଯେ ଏଡ଼େ ବକଟେ ପିଲା ସେ ମାଟି ମୂର୍ତ୍ତି ଯୋଡ଼ିକ ଗଢ଼ିଛି, କିନ୍ତୁ ପ୍ରକୃତରେ ସେ ଗଢ଼ିଥିଲା । ଦାମଙ୍କ ବିରୋଧୀଦଳର ବନୁ ପଣ୍ଡାର ପୁଅ ମନୁ ଝୁଲଣ ଯାତକୁ ମୂର୍ତ୍ତି ଗଢ଼େ ସମସ୍ତେ ଜାଣନ୍ତି, ତା’ସଙ୍ଗରେ ପଟ ଦିଏ ତା’ସାଙ୍ଗର ଉଦ ମହାରଣା, ଉଭୟେ ଟିକିଏ ତାଲିମ ପାଇଥିଲେ ବୁଢ଼ା ନୀଳ ମହାନ୍ତିଙ୍କଠୁଁ, ନୀଳ ମହାନ୍ତିଏ ତାଙ୍କ ଦିନେ ଏ ବିଦ୍ୟାରେ ବହୁତ ପାରଦର୍ଶୀ ଥିଲେ, ମାଟିରେ ଅସୁର ଅସୁରୁଣୀ, ରାଜା ରାଣୀ, ପରୀ ନର୍ତ୍ତକୀ ନାନା ପ୍ରକାର ମୂର୍ତ୍ତି ଗଢ଼ି ସେଥିରେ ରଙ୍ଗ ଦେଇ ମାଳି, କଣ୍ଠି ଓ ନାନା ପ୍ରକାର ଅଳଙ୍କାର ଖଞ୍ଜି ସଜାଉଥିଲେ, ଗାଁ’ ଗାଁ’କେ ଏପର୍ଯ୍ୟନ୍ତ ବି ତାଙ୍କ ନାଁ’ ଅଛି । ଏଡ଼େ ସୁନ୍ଦର ଜିଅନ୍ତା ପରି ମୂର୍ତ୍ତି ଗଢ଼ି ତଥାପି ସେ ଦଶହରାକୁ ଦେବୀ ମୂର୍ତ୍ତି କେବେ ଗଢ଼ୁ ନ ଥିଲେ । ଦଶହରାକୁ ପୂଜାହୁଏ ଲେଖନ, ତାଳପତ୍ର ଓ ଖଣ୍ଡା, ମାଟିର ମୂର୍ତ୍ତି ହୁଅନ୍ତି ନାହିଁ । ବୁଢ଼ାଙ୍କ ଦୃଷ୍ଟି ଶକ୍ତି କମିଲାଣି, ଘରେ ଅଭାବ, ପିଣ୍ଡାରେ ବସି ଯେ ଆଇଲା ଗଲା ତା’ ସାଙ୍ଗରେ ଗାଁ’ ହାଲଚାଲ ପକାଇ ସମାଲୋଚନା କରନ୍ତି । ସେ ବି ଦାମଙ୍କର ଜଣେ ତୀବ୍ର ସମାଲୋଚକ ଓ ଦାମଙ୍କ ବିରୋଧୀ ପକ୍ଷ ବେଳେ ବେଳେ ଦାମଙ୍କ କଥାପ୍ରସଙ୍ଗରେ ତାଙ୍କରି ନଜିର୍ ଦେଇ କହନ୍ତି, “ପଚାରୁନା ନୀଳ ମହାନ୍ତିଙ୍କି ସେ କ’ଣ କହୁଥିଲେ ? ଆମେ କ’ଣ ଏକା କହୁଛୁ ?”

 

ମୂର୍ତ୍ତି ଦେଖି ଜଗୁ କହିଲା, “କିଛି ହେଲାନାହିଁ “ । ତା’ ବୋଉ କହିଲେ, କ’ଣ କହୁଛୁ ? ଦାଦିଖୁଡ଼ୀଙ୍କ ମୂର୍ତ୍ତି ଗଢ଼ିଛୁ ? ଭକତି ଉତୁରିପଡ଼ୁଛି ପରା । ହଉ ପୂଜା କର ।” ଜଗୁ ସେ ମୂର୍ତ୍ତିରେ ହାତ ମାରୁ ମାରୁ ଲାଗିଗଲା ଦିହିଁଙ୍କର ପିଟାପିଟି । ତଥାପି ରଘୁ ଆଶା କରିଥିଲା, କିଏ ହେଲେ ଆସିବେ ଯେ ଚିହ୍ନିବେ, ପ୍ରଶଂସା କରିବେ । ତା’ପରେ ସେ ଗଢ଼ିବ ଗାନ୍ଧୀ ମୂର୍ତ୍ତି ।

 

କିନ୍ତୁ ଅଧରୀବୋଉ ଦେଖିଲେ, ସତକୁ ସତ ଚିହିଁକି ଉଠିଲେ । ସ୍ୱାମୀ, ସନ୍ତାନ ସମସ୍ତିଙ୍କୁ ଡାକି ହାକି ଦେଖାଇଲେ,–“କ’ଣ ହେଇଚି ଦେଖିଲଣି ଟିକିଏ ?” ତାଙ୍କ ସ୍ୱାମୀଙ୍କି କହିଲେ, “ତମ ପେଟ ଉପରେ ବି ମଣିଷଙ୍କ ଆଖି, ଖାଇ ପିଇ ଥନ୍ତଲ ପେଟ ଓହଳି ପଡ଼ୁଛି ପରା ! ଏଣେ ହାତରେ ବାଡ଼ିଟିଏ, ଯେମିତି ଗାଁ ଚଉକିଆ । ମୋ ହାତରେ ସେଇଟା ନଣନ୍ଦପୁଟୁଳି ପରି ବୁଜୁଳା ଲଟକିଛି ଯେ ସେଇଟା ଆମ ଧର୍ମକୁ ଟାପରା, ମୁହଁ ଦିହତ ଯେମିତି କଞ୍ଚାଖାଇ ଡାଆଣୀର, ଇଲୋ ମୋ ବୋପା, ଲୋକଙ୍କ ଆଖିରେ ଆମେ ଏଇଆ ବୋଲି ଯାହା କହନ୍ତି ତୁଣ୍ଡରେ ନ କହି ମାଟି ପିତୁଳାରେ ଲେଖି ପଠେଇଛନ୍ତିମ । ଏ ପିଲା ଖାଲି ନାଁ ସିନା, କରିଥିବେ ସେଇ ନୀଳ ବୁଢ଼ା କି ମନୁ ପଣ୍ଡା କି ଉଦିଆ ମହାରଣା । ମତଲବଟା ଖୋଲାସା ହୋଇ ଜଳ ଜଳ ଦିଶୁଛି, ଏ ରୂପ ହଳକ ତାଙ୍କ ଦୋକାନରେ ଥୁଆ ହେବ, ଯେ ଆସିବ ସେ ଦେଖିବ, ସେଉଠୁ ଦିନେ ଗୁଣିଆ ଡାକି ମନ୍ତୁରେଇ ତାକୁ ବିଛୁଆତି ଛାଟରେ ବାଡ଼େଇଲେ ଆମ ଦିହରେ ଏଣେ ନୋଳା ଫାଟିଯିବ, କେଉଁଦିନ ଏ ରୂପର ବେକଟା ମୋଡ଼ି ଛିଣ୍ଡେଇ ଦେଲେ ଏଣେ ମଣିଷର ପ୍ରାଣବାୟୁ ଉଡ଼ିଯିବ । ମୁଁ ଜାଣେ, ସେଇଆ ହବ ! ହେ ଭଗବାନ ! କେଡ଼େ ଷଡ଼ଯନ୍ତ୍ର ! ଭାଗ୍ୟକୁ ଗୁରୁ ନାମ ନେଇଚି ସଞ୍ଜେ ସକାଳେ ପଦ ପଡ଼ୁଚି ବୋଲି ସିନା, ନଇଲେ ଆମ ଅବସ୍ଥା ସରନ୍ତାଣି । ଟୋକା ବକଟେ, ତା’ ଚାଇଁ ଦେଖ ! ଓ ହୋ ହୋ !”

 

ସାଧାରଣତଃ ଧୈର୍ଯ୍ୟମନ୍ତ ଦାମ ଜାଣି ପାରିଲେ ନାହିଁ ଯେ କେତେବେଳେ ହଠାତ୍ ସେ ରାଗିଗଲେ ଓ ବୁଢ଼ା ଆଙ୍ଗୁଠି ବିଶି ଆଙ୍ଗୁଠି ସନ୍ଧିରେ ସଣ୍ଡୁଆସିରେ ଚିପିଲା ପରି ରଘୁର କାନ ଧରି ପକାଇଲେ । ହୋସ୍ ହେଲାତ ଦେଖିଲେ ଯେ ରଘୁ ତା’ କାନଟା ଓଟାରି ନେବାକୁ ମୁଣ୍ଡ ଝାଙ୍କୁଛି, ବଡ଼ ପାଟି କରି କାନ୍ଦୁଛି, ଖଞ୍ଜା ଲୋକ ଜମା ହୋଇଛନ୍ତି, ପାଟି ଶୁଭୁଛି ଓ ତାଙ୍କ ଭାଉଜ କାନ୍ଦି କାନ୍ଦି ତାଙ୍କୁ ବଡ଼ ପାଟିରେ ଶୋଧୁଛନ୍ତି ।

 

ଦାମ କାନଟାକୁ ଛାଡ଼ି ଦେଇ କାଠ ହୋଇ ଠିଆ ହେଲେ । ତାଙ୍କର ସ୍ୱାଭାବିକ ସ୍ଥିରବୁଦ୍ଧି ଫେରି ଆସିଲା, ସେ ଗମ୍ଭୀର ହୋଇ ମୁରବି ପଣିଆଁ ଦେଖାଇ ଆକଟ କରି କହିଲେ– “ଆଉ ଦିନେ ପର କୁହାରେ ପଡ଼ି ଏମିତିଆ କାମ କରିବୁ ନାଇଁ, ଏଗୁଡ଼ା ବଗୁଲିଆ କଥା, ଜୀବନ ମାଟି ହୋଇଯିବଟି ।”

 

ତାଙ୍କ ସଦୁପଦେଶ କାହାରି କାନରେ ପଶିଲା ନାହିଁ, ସତେ ଯେମିତି ଭଣାରି ଜଳାରେ ପଶି ବାହାରିଗଲା । କେତେ କାଳର ବୁଜି ହୋଇ ରହିଥିବା ଶୋକ, ଅଭିମାନ, ରାଗ ଅପମାନ ସାଧୁବୋଉଙ୍କ ପାଟିରେ ଖଇ ଫୁଟୁଥାଏ, ସେପାଖରୁ ଅଧରୀବୋଉଙ୍କ ତୁଣ୍ଡରୁ ଲେଉଟି ଆସୁଥାଏ ତା’ର ପ୍ରତିଧ୍ୱନି, ମୁକୁନ୍ଦଙ୍କ ସ୍ତ୍ରୀ, ଆନନ୍ଦଙ୍କ ସ୍ତ୍ରୀ, ରେବ ଏମାନେ ନିଜ ନିଜ ଉପାୟରେ ବୋଧ ଶୋଧ କରିଦେବେ ବୋଲି କ’ଣ ଗୋଳିଆ ପୋଳିଆ କରି ପାଟି କରୁଥାନ୍ତି । ରଘୁକୁ କୁଣ୍ଢେଇ ଧରି ରମା ରାଗରେ କ’ଣ ଏଣୁ ତେଣୁ କହିଯାଉଥାଏ, ସେପଟୁ ପାଟିକରି କମ୍ପାଉଥାନ୍ତି ଅଧରୀବୋଉଙ୍କ ଦି’ ଝିଅ ରଙ୍ଗୀ, ବେଙ୍ଗୀ, ଷୋଳ ବର୍ଷର ଚଉଦ ବର୍ଷର । ମାଡ଼ ମରା ମରି ହୋଇନାହିଁ ତଥାପି ଗୋଟାଏ ଖଣ୍ଡଯୁଦ୍ଧ ।

 

ବିରକ୍ତ ହୋଇ ଆପଣା ସ୍ତ୍ରୀ ଆଡ଼କୁ ଅନାଇଁ ଦାମ ଠିଆ ହୋଇ ମୁଣ୍ଡ ଥଣ୍ଡା ରଖିବାକୁ ଚେଷ୍ଟା କରି ଭାବୁଥାନ୍ତି,–ତୁଚ୍ଛାରେ ଏ କି ନାଟ ଲାଗିଗଲା, କେଉଁ ପାଣି ଯାଇ କେଉଁଠି ଉଠିବ, ଘର କଳିରେ ପର ଲୋକ ମୁଣ୍ଡ ଖେଳାଇବେ, ଶେଷରେ ପରିଣତି କ’ଣ ହେବ, ସାଧୁ ଶୁଣିବ, ହୁଏତ ସାଧୁର ତାଙ୍କର ଚୁଟି ଧରା ଧରି ଲାଗିବ, ପିଲାଟା ଖେଳରେ ଖେଳରେ ମୂର୍ତ୍ତି ଯୋଡ଼ାଏ ବା ଗଢ଼ିଦେଲା, ଭାରି ତ ମୂର୍ତ୍ତି ! ସେଥିପାଇଁ ଏତେ ଖୋଳ ପରବତ ମାର୍ ମୂଷା ! ସବୁ ନାଟର ଗୋବର୍ଦ୍ଧନ ଏଇ ମାଇକିନିଆଁ, ଟେହି ଦେଲା ଲଗାଇ ଦେଲା, ସତେ ଯେମିତି ବାଳମୁକୁଳି ପାଞ୍ଚାଳୀ-। କିନ୍ତୁ ଆଉ ପଦେ ବି କହିବାକୁ ଆୟତ୍ତ ନାହିଁ, ପିଲାଟାକୁ ସାନ୍ତ୍ୱନା ଦେଲେ ତତଲା ତେଲ କରେଇରେ ପାଣି ଛିଞ୍ଚିଲା ପରି ହେବ, ହାକୁକିନା ଉଠିବ, ଏପଟେ ଆଉ ସେପଟେ, ତେଣେ ସ୍ତ୍ରୀକୁ ପଦେ କହିଲେ ଏତେ ଲୋକଙ୍କ ଆଗରେ ମୁଣ୍ଡ ତଳକୁ ହୋଇଯିବ, ତେଣୁ ତୁନିହୋଇ ଖସିଯିବାର ବାଟ ଦେଖିଲେ ଭଲ । ଯେକୌଣସି ପରିସ୍ଥିତିରେ ଦାମ ଅବସ୍ଥା ବିଷୟରେ ଭାବିବାକୁ ଅଭ୍ୟସ୍ତ, ଅକାରଣ ମମତାର ମୋହରେ ତାଙ୍କର ଆଚାର ନିୟନ୍ତ୍ରିତ ହୁଏ, ନାହିଁ, ନିୟନ୍ତ୍ରିତ ହୁଏ ଆପଣାର ଉଦ୍ଦେଶ୍ୟଦ୍ୱାରା, ଉଦ୍ଦେଶ୍ୟ ସାଧୁ ହେଉ କି ଅସାଧୁ ହେଉ ଯେଉଁ ଉପାୟରେ ସେ ଉଦ୍ଦେଶ୍ୟ ଅତିଶୀଘ୍ର ସଫଳ ହେବ ତାଙ୍କ କାର୍ଯ୍ୟପନ୍ଥା ସେହି ଉପାୟର ଅନୁକୂଳ ହୁଏ ।

 

ତେଣେ ମାୟା ଦେବୀ କାନ୍ଦି କାନ୍ଦି କହୁଥାନ୍ତି– “ଆଜି ‘ସେ’ ଥିଲେ ତମ ମୁହଁ ସବୁ ଏମିତି ବଢ଼ିଯାଇଥାନ୍ତା କି ମୋ ପିଲାକୁ ତୁମେ ଏମିତି କରୁଥାନ୍ତ ! କେଡ଼େ ସୁଖରେ ସେ ସରଗପୁରକୁ ଚାଲିଗଲେ ମତେ ଛାଡ଼ିଦେଇ ଗଲେ ଏଡ଼େ ଦହଗଞ୍ଜ ହୋଇ ମରିବାକୁ ! ପିଲା ଅରଖିତ ରାଣ୍ଡୀଛୁଣ୍ଡି ଘର ବୋଲି ଭାବିଲ ବୋଲିତ ପିଲାଟାର କାନକୁ ଛିଣ୍ଡେଇ ପକେଇବାକୁ ବସିଥିଲ ନ ହେଲେ କୋଉ ସାହସରେ ୟା କରିଥାନ୍ତି ? ତମୁକୁ ପାଳିଲା ପୋଷିଲା କିଏ ମଣିଷ କଲା କିଏ, ହାତକୁ ଦି’ହାତ କଲା କିଏ, ଏଡ଼େ ଶୀଘ୍ର ପାସୋରି ଦେଲ ! ଆଜି ମୋ ଭଳିଆ ଭାଉଜକୁ ତେମେ ଡାଆଣୀ ଡାଙ୍କୁଣୀ ଗୁଣିଆଣୀ ବୋଲି କହିବାକୁ ପାଟି ଲେଉଟିଲା ? କେତେ ସରି ମୋ ପିଲାଏ ନ ହେଲେ, ଧିଏଧିଏ ତିନିଓଳି ଉପାସ ଯାଇଥିବ, ସେ ଗଲାଦିନୁ ଯୋଉ ଅନୁଭୋଗ ମୁଁ ସହୁଛି ତା’ ମୋ ମନ ଜାଣେ କି ଯେ ଦିନରାତି କରୁଛି ସେ ଧର୍ମ ଜାଣେ, ତେମେ କହିପାରିବ କେଉଁଦିନ ତମ ପାଖେ ଗୁହାରିଆ ହୋଇ ହାତ ପତେଇଥିଲି ? ଆଗେ କେବେ କଦବା କହୁଥିଲି, ହେଇଟି ପରା ଝୁଅଟା ଠିଆ ହେଇଚି, କାହିଁ ତିନିବର୍ଷ ହୋଇଗଲା ଚାଉଳ ନ ଥିଲା ଉଧାର ମଗେଇ ପଠେଇଥିଲି ଯେ ମନା କରିଦେଲ, ଆଉ ଦିନେ କେବେ ଶୁଣିଛ ? ଏ ଘରେ ମୋ ପିଲା ଭୋକରେ ଆଉଟି ହେଇ କାନ୍ଦୁଥିଲେ ପରା ସେ ଘରେ ତମର ପୁରି ମାଲପୁଆ ଛଣା ହେଉଥିବ ଯେ ଏ ଘରକୁ ଖାଲି ସାତ ଚକୁଳି ଚଉଦ ଚେଁ ଶୁଭୁଥିବ, କେବେ ଦିନେ ଯାଚି କରି ଦେଇଚ ? ଡାକିଚ ଆରେ ଖାଇବୁ ଆ ? କେବେ ମୋ ପିଲା ତମ ଓଳିତଳେ ନାକେଇଛନ୍ତି ଦେଖିଚ ? ଆଉ କାନଟା ଓଟାରି ପକେଇଲ କେଡ଼େ ଧର୍ମ କଲ ?” କୋହରେ ଝାକି ହୋଇ ବିଶି ଆଙ୍ଗୁଠି ହଲେଇ ହଲେଇ କହିଲେ “ଧର୍ମ ଯେବେ ସତେରେ ଥିବ ତେବେ ଦେଖିବ ଏଇ ପିଲା ଯାହାକୁ ହତାଦର କରୁଚ ଏଇ ଦିନେ ତମୁକୁ ପରାଭବ ଦେବ, ମୁଁ ଥାଏଁ କି ନ ଥାଏଁ ମୋ କଥା ମନେ ପକେଇବ ।”

 

ହାଉହାଉ, ହାଉହାଉ, ହାଉହାଉ ।

 

କାହା କଥା ଆଉ କାହାରିକି ଶୁଭୁ ନ ଥାଏ । ସମସ୍ତେ ନିଜ କଥା ଖୁବ୍ ସ୍ପଷ୍ଟ ଭାବରେ ଟାଣ କରି ଶୁଣୁଥାନ୍ତି ଆଉ ସଚେତ ଥାଆନ୍ତି ସେଥିପ୍ରତି ।

 

କଥା କହୁ ନଥାନ୍ତି ଖାଲି ଦାମ ।

 

ସେ ନିଆଁ ଭିତରେ ଠିଆ ହୋଇ ରହିଥିଲା ବେଳେ ତାଙ୍କ ମୁଣ୍ଡ ଉପରେ କିଏ ଯେମିତି ପୋଖରୀ ଭିତରର କଇଁମୂଳ ପଙ୍କ ଲଦି ଦେଇଥାଏ, ଆଉ ଥାଏ ଥାଏ ତାଙ୍କ ବାଁ ଗାଲ ବାଁ ଥୋମଣିକୁ ଘେନି ଶିରାମଇ ଉଠିଲା ପରି ନାଚି ଉଠୁଥାଏ । ମୁହଁ ଥନଥନ ହୋଇ ଯାଉଥାଏ, ଆଖି ଉଦାସ, ଦୃଷ୍ଟି ତଳକୁ ।

 

ଆଉ ମନେପଡ଼ି ଯାଉଥାଏ । ତାଙ୍କୁ ସେତେବେଳେ ଏଇ ରଘୁଆ ବୟସ ହୋଇଥିବ । ତେର କି ଚଉଦ । ଦି’ଗୋଡ଼ଯାକ ଡାଳି ବିଞ୍ଚି । ମାଉଁସ କେଣ୍ଟା କେଣ୍ଟା ହୋଇ ଯାଉଥାଏ । ସବୁବେଳେ ନସା । କେହି ପାଖରେ ପୂରାନ୍ତି ନାହିଁ । ବୋଉ ତ ଅନାଏଁ ନାହିଁ, କହେ ଦେଖିଦେଲେ ମୋ ଦେହ ବୁଲେଇ ଦେଉଛି, ଶିରଶିରେଇ ଉଠୁଛି, ମୁଣ୍ଡ ଝାଇଁ ମାରିଦେଉଛି । ସେତିକିବେଳେ ଦେଖିଥିଲେ ଭାଇ ଭାଉଜଙ୍କୁ । ଭାଇ ଆପଣା ହାତରେ ଘଷି ଘଷି ଗରମ ପାଣିରେ ଧୋଇଦେବ, ନିମ୍ବ ହଳଦି ଲଗାଇ ଦେବ । କୋଡ଼ରେ ବସାଇ କୁଣ୍ଢେଇ ଧରେ ଛଟପଟ ହୋଇ କାନ୍ଦେ ପଳାଇଯିବ ବୋଲି । କେତେ ଗାଁ ଦଉଡ଼ି କେତେ ବଇଦ କରି ଶିଶୁକାଠ ତେଲ, ଶାଙ୍କୁଶ ତେଲ, ଇଠା ଫଳ, କେତେ କ’ଣ ଆଣି ବୋଳେ, ଯେତେବେଳେ ଦାଣ୍ଡରୁ ଖଞ୍ଜା ଭିତରକୁ ପଶି ଆସିଲେ ହାତରେ ଫଳଟିଏ ଖଜାଟିଏ ଯାହାକିଛି ହେଲେ ଥିବ, ଦାମ ଦାମ କୁହାଟରୁ ବାରିହୋଇ ପଡ଼ିବ । ଭାଉଜ ନୂଆ ହୋଇ ଆସିଥାଏ, ଭୁଆସୁଣୀ’ ରାତିରେ କୁଣ୍ଢେଇ ଧରି ଶୁଏ, ନିଦ ଲାଗି ଯାଇଥିବ ଉଠିପଡ଼ି ଦେଖେ ଭାଉଜ ଉହ୍ମେଇ ଉପରେ ଗିନାରେ ତେଲ ଫୁଟେଇ ଆଣି ଘା’ ଉପରେ ମାରି ମାରି ଦେଉଛି, କେତେବେଳେ ବିରଜ ହୋଇ ଗୋଡ଼ ଛାଟିଦେଲେ ତା’ ମୁହଁରେ ଦେହରେ ବାଜେ । କିଛି କହେନାହିଁ ଓଲଟି ଗେଲ କରେ ଆଉଁସେ, କାନ ପାଖେ କହେ “ଗରମ ଗରମ ଥିବ ମାରିଦେଲେ ଚୋପା ହୋଇ ଝଡ଼ି ପଡ଼ିବ ମ, ସହିଲେ ସିନା ବୀର ପୁରୁଷ ।” ଭାଉଜର ଛାଚିପାନଖିଆ ପାଟିର ବାସ୍ନା ମନେ ପଡ଼ିଯାଉଛି, ଆଖି ବୁଜିହୋଇ ଆସୁଛି, ସେତେବେଳେ ଯେମିତି ଆସୁଥିଲା । ଗାଲଟା ଅଲଗା ହୋଇ ଛାଟିହେଲା ପରି ନାଚୁଛି, ଲାଗୁଛି ଆଖିରୁ ଟଳଟଳ ଲୁହ ଟୋପାକ ଏଇଲାଗେ ଗଡ଼ି ପଡ଼ିବ ।

 

କିନ୍ତୁ ଗଡ଼ି ପଡ଼ିଲେ ସର୍ବନାଶ ହେବ ଯେ, ବେକମୁଣ୍ଡାକୁ ପିଠିପଟୁ କିଏ ଯେମିତି ତଳକୁ ମାଡ଼ୁଛି, ସତକୁ ସତ ଦବି ଗଲେ କେଉଁଠି ଯାଇ ଘୁଷୁରିବ, ବୟସ ଓ ଇଜ୍ଜତରେ ପାକଳ ମେରୁଦଣ୍ଡଟା ବି ହୁଏତ ତରଳି ବୋହିଯିବ କୁଆଡ଼େ, ଆଉ ଅଟକାଇଲେ ଅଟକିବ ନାହିଁ । ନିଶ ଅଛି, ମୁହଁର ଛାଲ କରଡ଼ା ଟାଆଁସିଆ । ପିଲାଳିଆମି ଚଳିବ ନାହିଁ । ଟାଣ ହେବାକୁ ହିଁ ପଡ଼ିବ ।

 

ତହିଁ ଆରଦିନ ଦାମ ସନ୍ଧି ପ୍ରସ୍ତାବ ପଠାଇଲେ ରଘୁପାଇଁ ଖଣ୍ଡେ ନୂଆ ଜାମା ଲାଞ୍ଚ ପଠାଇ, ଜାମାଟା ତାଙ୍କ ପୁଅ ଚଗଲା ପାଇଁ କିଣା ହୋଇଥିଲା, ବଡ଼ ହେଲା, ସାଇତା ହୋଇ ଥୁଆ ହୋଇଥିଲା ଚଗଲା ବଡ଼ ହେଲେ ପିନ୍ଧିବ ବୋଲି । ବେଙ୍ଗୀ ଆଣି ଯାଚିଲା “ବାପା ପଠାଇଛନ୍ତି ରଘୁ ପାଇଁ ।”

 

“ଉଠା ଉଠା ମୋ ଆଗରୁ” ମାୟା ଦେବୀ କହିଲେ, “ଆଉ ବେଶି ସୋଗେଇତର ଦେଖେଇବା ଲୋଡ଼ାନାହିଁ କହିଦେବୁ ।”

 

ଦୂତ ଫେରିଗଲା । ଆର ଦୁଆରୁ ଅଧରୀବୋଉଙ୍କ ଘଣ୍ଟି ଟିଣିଟିଣି ଶୁଭୁଥାଏ, ଅଟକି ଯାଇ ତୁଣ୍ଡ ଝଙ୍କାର ଶୁଭିଲା, “ପାଇଲ, ପାଇଲଟିକି ଏଥର ? ମୁଁ କ’ଣ କହୁଥିଲି ? ଛି ତମ ମୁହଁକୁ, ଧିକ୍ ଧିକ୍ ! ଏମିତି ମଣିଷଟାକୁ ବାୟା ଲାଗେ ପର ଗୋଡ଼ତଳେ ନେଇ ଆପଣା ଇଜ୍ଜତ ମହତ ଥୋଇ ଦେଇ ଗୋଇଠା ଖାଇବାକୁ ? ମୋ ବାପା ମତେ ୟା ଶିଖେଇ ନାଇଁ, ଅଭିନ୍ ମହାନ୍ତିର ଝିଅ ମୁଁ, ଭାଙ୍ଗିଯିବି ସିନା ନଇଁବି ନାଇଁ କେଭେ । ମନ ହଉଚି ଯା ଆଉଥରେ, ଦାନ୍ତରେ ତିରଣ ଧରି ଗୋଡ଼ତଳେ ପଡ଼ି ଉପାଧିଆ ପଡ଼” ।

 

ଦିନାକେତେ କଥାଭାଷା ବନ୍ଦ, ସାନ ସାନ ପିଲାଏ ବି ଯେମିତିକି ଦାନ୍ତ ଚିପି ଆକଟ ମାନି ଚଳନ୍ତି । ମନାନ୍ତରଟା କୁକୁର ବିଲେଇଙ୍କ ସ୍ତରକୁ ବି ଓହ୍ଲେଇ ଯାଇଥିଲା । ଏ ଘରର ଭାଲୁ କୁକୁର ସେ ଦୁଆରେ ପ୍ରହାର ଖାଇ କାନ୍ଦି କାନ୍ଦି ପଳାଇ ଆସିଲା । ସେ ଘରର ନଖୀ ବିଲେଇ ଏ ଘରୁ ଛୋଟେଇ ଛୋଟେଇ ଗଲା । ଏ ଘରର କୁକୁର କି ସେ ଘରର ବିଲେଇ ଆର ଘରକୁ ବୁଲିଗଲେ ବାରମ୍ବାର ଆଇଲା ଆଇଲା ଗଲା ଗଲା ବୋଲି ବଡ଼ ପାଟି ଶୁଭିଲା । ଅଧରୀବୋଉ ପୂଜା ପାଠ ସାରି ଖଞ୍ଜାଯାକ ବୁଲି ସାଧୁବୋଉଙ୍କ ବିରୁଦ୍ଧରେ ଜନମତ ସୃଷ୍ଟି କରିବାକୁ ଚେଷ୍ଟା କଲେ, ତାଙ୍କୁ ଆନନ୍ଦ ଏତିକିରେ ଯେ ମଣିଷକୁ ଆକ୍ରମଣ କରିବାକୁ ଧାଡ଼ି ଦେଇ ଆଗ ସେ ଚୋଟ ହାଣୁଛନ୍ତି ତା’ର ଅବସ୍ଥିତିର ପରିପାର୍ଶ୍ଵିକ ଅବସ୍ଥା ଓ ତା’ର ସମ୍ବନ୍ଧ ସମ୍ପର୍କ ଉପରେ, କିନ୍ତୁ ମୂଷାର ସ୍ତ୍ରୀ ସେଥିରେ ଯୋଗ ଦେଲା ନାହିଁ, ମୁକୁନ୍ଦଙ୍କ ବୋଉ ବୁଢ଼ୀଙ୍କ ହଁ ନାହିଁ ସମାନ, ମୁଣ୍ଡ ଟୁଙ୍ଗାରିଲା ବେଳେ ମୁଣ୍ଡକୁ ଆଗକୁ ପଛକୁ ନ ଝାକି ଦଖିଣୀ ଠାଣିରେ କାନ୍ଧ ଉପରେ ଏକରୁ ସେକର ହଲାନ୍ତି । ଖାଲି ସା’ ଦିଅନ୍ତି ଆନନ୍ଦଙ୍କ ସ୍ତ୍ରୀ ଶାନ୍ତିବୋଉ ଖୁଡ଼ୀ, କିନ୍ତୁ ସେ ମୁହଁକୁ ପାଖକୁ ଆଣି ତଣ୍ଟି ବସେଇ ବସେଇ ଫୁସ୍ ଫୁସ୍ କରି କଥା କହନ୍ତି ଓ କହିଲା ବେଳେ ତାଙ୍କ ଆଖି ୟାଡ଼ୁକୁ ସ୍ୟାଡ଼ୁକୁ କନକନ ହେଉଥାଏ, ମୁଣ୍ଡ ବଙ୍କେଇ ବେକ ଭାଙ୍ଗି ସେ ବାରମ୍ବାର ପଦାକୁ ଅନାଉଥାନ୍ତି କାଳେ କିଏ ଶୁଣି ପକେଇବ ବୋଲି, ତାଙ୍କ ଆଖିରେ ସାଧୁବୋଉ ଗୋଟାଏ ପୁରୁଖା ଓ ଓଜନିଆ ଅନୁଷ୍ଠାନ, ତାକୁ ସମାଲୋଚନା କରାଯାଇ ପାରେ, କିନ୍ତୁ ଡରି ଡରିକା । ତଥାପି ସାଧୁବୋଉ ବିରୁଦ୍ଧରେ ଆନ୍ଦୋଳନ କରି ଯେତିକି ମିଳି ପାରିଲା ସେତିକି ସକାଶେ ଅଧରୀବୋଉ ଖଞ୍ଜା ବୁଲନ୍ତି, ସାହି ବୁଲନ୍ତି, କୁହୁଳି କୁହୁଳି ଚାଲେ ଅପପ୍ରଚାର ଫୁସ୍‍ଫୁସ୍ ପାଟିରେ, ସାଧୁବୋଉ ପରି ହିଂସିକୀ ଝରପରୀ କାନ୍ଦୁରୀ କଳିହୁଡ଼ୀ କେତେଜଣ ଥିବେ ୟେ ଗାଁରେ ? ଇଜ୍ଜତ ଜ୍ଞାନ ଆଦୌ ନାହିଁ, ଦେଖୁନା ପିଠା ବିକୋଉଛନ୍ତି । ଝିଅଟାକୁ ବାହାଘର ଦେଲେ ଯେ ଜାତି ଅଜାତି ଟିକିଏ ବିଚାରିଲେ ? କ’ଣ ନା ମଟର ଡ୍ରାଇଭର । ତା’ ବି ବିଧାତା ସହିଲା ନାହିଁ । ପୁଅ ତ ଓଥରା ହୋଇ ବସିଛନ୍ତି କେବେ ବାହା ହେବେ କେଜାଣି ! ସାନପୁଅ ଦି’ଟା ଯେ ଗୋଟାଏ ତ ଭକୁ ଆରଟା ବାଇଡ଼ଙ୍କ । କ’ଣ ସେ ଘରେ ବୁଧି ନା ବିଚାର ନା କୋଉ କଥା ? ଖଜୁରି ଗଛ ସେ, ମୂଳରୁ ପାହାଚ ପାହାଚ, କି ଗୁଣ ବାହୁନିବି କହ !

 

ଏପଟେ ମାୟା ଦେବୀ ଲାଗିଛନ୍ତି କାମରେ । ପିଠା ତିଆରି ଚାଲିଛି । କିନ୍ତୁ ଖାଲି ପିଠା ନୁହେଁ, ମସୁଧା ଚାଲିଛି, ଜଳଖିଆ ଦୋକାନକୁ ବଢ଼ାଇ ସେଥିରେ ଗୁଡ଼ିଆ ଦୋକାନର କାର୍ଯ୍ୟ ତୁଲାଇବାକୁ ହେବ, ଅର୍ଥାତ୍ ପୁରି ଓ ଅଳ୍ପ କେତେ ପ୍ରକାର ମିଠା କରାଇ ରଖିବାକୁ ପଡ଼ିବ ଓ ତାହା ଛଡ଼ା ତାଙ୍କ ଲାଗି ହେବ ଗୋଟିଏ ସାନ ହୋଟେଲ । କୁଳିଆକୁ ଆଗ ଏ ବୁଦ୍ଧି ଦେଇଥିଲେ ଶାମ ସାହୁ, ବହୁତ ପଇସାବାଲା ଓ ଚାଉଳ ଗୋଦାମର ମାଲିକ । କହିଲେ, ଏଥିରେ ଲାଜ ଡର କ’ଣ ? କେବେ କରୁ ନଥିଲ କରୁ ନଥିଲ, ଅଇଛା ଜଳଖିଆ ତ କଲ ବିକିଲ ଆଉ ଭାତ ରାନ୍ଧି ବିକିଲେ କ’ଣ ଅମର୍ଯ୍ୟାଦାଟା ? ମନେରଖ, କିଳାପୋତେଇ ନଦେଲେ, କଳାବଜାର ନ କଲେ, ଚିତା, ନ କାଟିଲେ କୌଣସି ବେପାରରେ ଅମର୍ଯ୍ୟାଦା ନାଇଁ । ହକ୍ ମୂଳଧନ ଖଟେଇବ, ଝାଳ ବୁହାଇ ଖଟିବ–ରସିଦ୍ ମିଆଁ ଥିଲା, କହିଲା ‘ହୋଟେଲ କଲେ ବେଶି ଝାଳ ବୁହେ, ଦରଦର ।” ଶାମ ସାହୁ କହିଲେ ‘ଆରେ ଯେ ଯାହା କହୁ ମୁଁ ଏଇଆ ବୁଝିଛି । ନ୍ୟାୟରେ ପରିଶ୍ରମ କରିବ, ଆପେ କମେଇବ ଖାଇବ, ମୁଣ୍ଡ ସଳଖ ରହିବ, ଭାତ ହଜମ ହେବ, ଭଲ ନିଦ ହବ, ମଲେ ବୈକୁଣ୍ଠକୁ ନିଶ୍ଚେ ଯିବ । ଏଇ ହାତରେ ନିଜେ ଦଣ୍ଡି ଧରି ଢାବଲ ଉପରେ ବସୁଥିଲି, ଏବେବି ଦଣ୍ଡି ଧରୁଚି । ଏକା ରାତିକେ ବଡ଼ଲୋକ ହେବି ବୋଲି କେବେ ଭାବି ନାଇଁ କି ଆରାମରେ ଘୁଙ୍ଗୁଡ଼ି ମାରି ବେପାର ଚଳେଇବି କେବେ ଭାବି ନାଇଁ । ଆରାମ୍ ହାରାମ୍ ହେ ।” ରସିଦ୍ କହିଲା ‘ଲୋକେ କହିବେ ଭାତ ବିକିଲା ବୋଲି, ସେଇଆ ଭାବି ସଙ୍ଗାତ ପଛୋଉଚ । ପୁଣି ବୁଢ଼ୀ କାଳେ କ’ଣ କହିବ !”

ଶାମ ସାହୁ କହିଲେ, “ସେହି ବୁଢ଼ୀ କ’ଣ କହିବ ସେଇଆ ଅସଲ । ତାକୁ ଛାଡ଼ି ଦେଇ କୁଳିଆ ନିଜେ ନିଜ ବାଟ ଧଇଲେ ଧରମ ସହିବ ନାଇଁ । ଆରେ ହୋଟେଲ କ’ଣ ତମେ ନୂଆ କରିବ ଚାରିଆଡ଼େ ହଜାର ହଜାର । ଏଠିକି ଏତେ ଲୋକ ଆସୁଛନ୍ତି, ବାହାରିଆ ସହରିଆ ଲୋକ, ଭୋକ ବେଳେ ହାକୁ ହାକୁ ପାକୁ ପାକୁ । ଭଲ କଟିବ । ତମେ ନ କଲେ ଆଉ କିଏ ହେଲେ କରିବ ତ ? ଥରେ ବେପାରକୁ ତ ଓହ୍ଲେଇ ସାରିଛ ଲୋକଙ୍କ କଥାକୁ କାହିଁକି ଏତେ ଡର ମ ? ବାଟରେ ଛୁଆ ଜନ୍ମ କରି ଡାଆଣୀକି ଭୟ ?”

ଆଉ ଉତ୍ସାହ ଦେଇଥିଲେ ବାନାମ୍ବର ଦେବତା, ଲୁଗା ଦୋକାନୀ । କହିଲେ “ଯେମିତି ବ୍ରାହ୍ମଣ, କ୍ଷତ୍ରିୟ, ବୈଶ୍ୟ, ଶୁଦ୍ର ଚାରି ଜାତି ସେମିତି ଗୋଟାକ ପରେ ଗୋଟାଏ ହୋଇ ଚାରି ପ୍ରକାର କାଳ ବିତିଯାଏ । ଯେ ଗୋଟାଏ କାଳରେ ଗୋଟାଏ ଜାତିର ଧର୍ମକୁ ଦୁନିଆଁର ଲୋକେ ମାନନ୍ତି । ଆଗେ ଥିଲା ବ୍ରାହ୍ମଣ ଯୁଗ, ଯେ ପାଠ ପଢ଼ୁଥିଲେ ବିଦ୍ୟାରେ ଲାଗିଥିଲେ ସମାଜରେ ତାଙ୍କୁ ମାନୁଥିଲେ । ସେ ପୁରାଣ ବେଳର କଥା, ରାଜା ଯେତେ ପ୍ରତାପୀ ହେଲେ ସେ କ’ଣ ଆଉ ଋଷି ସଙ୍ଗରେ କାନ୍ଧକୁ କାନ୍ଧ ହେବ ? ସ୍ୱୟଂ ମାହାପୁର ପରା ଶ୍ରୀବଚ୍ଛ ବ୍ରାହ୍ମଣର ଗୋଇଠା ଖାଇଥିଲେ ବୋଲି ତା’ ଧୂଳିଆ ଗୋଡ଼ର ଚିହ୍ନକୁ ଛାତିରେ ତିଳକ ପରି ମାରି ରଖି ଦେଖେଇ ବୁଲୁଥିଲେ ହୋ ? ସେଇଠୁ ଇତିହାସ ଯୁଗ, ମାନିଲେ କ୍ଷତ୍ରିୟଙ୍କୁ, ରାଜା ଯୋଦ୍ଧା ପାଇକ ଖଣ୍ଟ ମଣିଷ ମାରୁ, ଆଉ ଆମ ସ୍ୱାଧୀନତା ନ ଆସୁଣୁ ଯେତେ ହାକିମ ହୁକୁମା ସେମାନେ ସେଇ କ୍ଷତ୍ରିୟରେ ଗଣା, ତାଙ୍କରି ହାତର ଠେଙ୍ଗା କି କଲମକୁ ସମସ୍ତିଙ୍କର ଢୁ ଢୁ ମୁଣ୍ଡିଆ । ଅଇଛା ଆସିଛି ବୈଶ୍ୟ ଯୁଗ, ବେପାରିଙ୍କର ଜୟ ଜୟ କାର ତେମେ ନାହିଁ କଲେ ହେବ ? ଶିଳ୍ପ ଶିଳ୍ପ ବୋଲି ତେମେ ଯେଉଁ ଶିଳୁପୁଆକୁ ପୂଜା କରୁଛ ସେ ସେହି ବେପାରିର ସନ୍ତକ, କିଏ କପା ଲଗେଇଲା କେଉଁଠି ସୂତା କଟା ହେଲା ଲୁଗା ବୁଣା ହେଲା ଆମେ ଲୁଗା ବିକିବୁ । ବେପାରି ମୂଲିଆ ପୋଷେ, ଚାନ୍ଦା ଭେଦା ଦିଏ, ଟିକସ ଦିଏ, ଥାଳ କି ଥଳି କି ପାକିଟି ସବୁଥିରେ ମୁଠି ପକାଏ ଆଉ ସେପଟେ ଦେଖ, ରାଇଜ ବି ଚଳାଏ । ଆଖି ଥାଉଁ ଥାଉଁ ଅନ୍ଧ ହୋଇ ଏ ଯୁଗର ଧର୍ମଟା କେଉଁ ଗୋଟାକ ତାକୁ ନ ଚିହ୍ନିଲେରେ ବାପ, ଆଉ ଚିହ୍ନିବ, କ’ଣ ?”

କଣ୍ଡୁରିଆ ଭଣ୍ଡାରି କହିଲା, “ଯାହା କହିଲ ସତ କଥା ଯେ, ଅଇଛା ବାପ ପୁଅ ଭିତରେ ବି ତାକତରକ ବେପାର ବଣିଜ, ହେଲେ ଶୁଦ୍ରଙ୍କ ଯୁଗ ଆଉ କେତେ ଡେରି ?”

ବୀର ଖଟେଇ, ରସାନନ୍ଦ ଷଣ୍ଢ, ଗୋକୁଳି ଚଉବଳ, ଇନ୍ଦ୍ରମଣି ତିହାଡ଼ି, କୁବେର ଛୋଟରାୟ, ଧୋବା ଚରଣ ସାହୁ, ସାରଦା ପରିଡ଼ା, ପଠାଣି ମହାନ୍ତି ବି ଥିଲେ । ଚାହାଣି ଓ ଠାଣିରେ ଉତ୍ସାହ ଖେଳାଇ ସେମାନେ ଏ ଆଲୋଚନାରେ ଯୋଗ ଦେଲେ ।

ବାନାମ୍ବର ଦେବତା ଦି’ କଳରେ ଦି’ଖଣ୍ଡ ପାନ ଟୋଲେଇ ରଖି ଥନ୍ତଲ ପେଟ ନଚେଇ ନଚେଇ ହସି ହସି କହିଲେ, “ଡେରି ସଅଳ କଥା ତେମେ ଜାଣିନା ମତେ ପଚାରୁଚ ? ଶୁଦ୍ର ଯୁଗ ପରା ଘର ଓଳିତଳେ ଆସି ଠିଆହେଲାଣି, ଆଉ ଘରେ ପଶିବାକୁ ଡେରି କେତେ ହେବ ତା’ କିଏ କହିବ ? ଶୁଦ୍ର ଯୁଗରେ ଲୋକଙ୍କ ମୁଣ୍ଡରେ ଟଙ୍କା ଖଟେଇବା ଦାୟିତ୍ୱ ନଥାଏ, ଯେ ଟଙ୍କା ଖଟେଇଥିଲା ତା’ ଟଙ୍କା ଗାଧୋଇ ଯାଉ ସେ ଜମିଦାର ହଉ କି ଜମି ହଉ କି କୋଠା ହଉ କି କାରଖାନା ହଉ । ଖାଲି ଏତିକି ବିଚାର କରାଯିବ ଯେ ଖଟୁଚି କିଏ ? ଯେ ଖଟିଲା ତା’ ଖଟିଲା ଦିହାତତକ ସେ ଜମି କି ବ୍ୟବସ୍ଥାରେ ସେ ମାଲିକ ହେବ । ବିକି ଭାଙ୍ଗି ପାରିବନାହିଁ, କାମ କରିବ, ଯାହା ଉଗୁଜିଲା ସେଥିରୁ ଖାଇବା ପିନ୍ଧିବା କୁଟୁମ୍ବ ପୋଷିବା ସବୁ କାମ ଚଳେଇବ, ଆଉ ଯାହା ବଳିଲା ସେତକ ତା’ର ନୁହେଁ କି ତାକୁ ସେ ସଞ୍ଚି ରଖିପାରିବ ନାହିଁ କି ସେ କାମ ନ କଲେ ମାଲିକ ହୋଇ ରହିପାରିବ ନାହିଁ କି ସେ ମଲେ ତା’ ପିଲାଏ ସେଠି ମାଲିକ ହୋଇପାରିବେ ନାହିଁ । ସବୁ ଜମି ସବୁ ପଦାର୍ଥ ସବୁ ଧନର ମାଲିକ ହେବେ ସରକାର, ଯେ କରି ଖାଇବାକୁ କିଛି ଜମି କି ଆଉ କିଛି ନେବ ସେ ଜାଣ ସରକାରଠୁଁ ନେବ କୁତରେ, ନ ଖଟିପାରିଲେ ପୁଣି ସେ ପଦାର୍ଥ ସରକାର ପାଖକୁ ଲେଉଟିଗଲା ।”

ପାତଳ ମୁହଁ ସାରଦା ପରିଡ଼ା, ଦି’ଗାଲ ପାଖ ପାଖ ଲାଗିଆସିଛି, ସାନ ସାନ ମିଟିମିଟି ଆଖି, ମୁଣ୍ଡ ବାଳ କହରା, କହିଲା, ‘ଭଲା ଯାହାର ଖଟିବାକୁ ବଳ ନ ଥିବ ସେ କ’ଣ କରିବ କେମିତି ବଞ୍ଚିବ ?” ସରୁ ବେକଟିକୁ ବାଁ’କରକୁ ଭାଙ୍ଗିଦେଇ ତୁନି ହୋଇ ରହିଲା, ସତେ ଯେମିତି ସେ ବୁଝିଛି ଯେ ଏ ପ୍ରଶ୍ନର ଉତ୍ତର ନାହିଁ । ଦେବତା କହିଲେ, “ତା’ ଦାୟିତ୍ୱ ନେବେ ସରକାର ।”

 

ଇନ୍ଦ୍ରମଣି ତିହାଡ଼ି ନଡ଼ିଆ ବେପାରି । ବଳିଲା ବାଳିଲା ବଡ଼ ଦେହ, ଲୋମଶ । କହିଲା “ହୁଁ”, ବେପାର ବଣିଜ କେମିତି ଚାଲିବ ?”

 

“ସରକାର କରିବେ ।”

 

ଗାମୁଛାରେ ମୁହଁ ପୋଛିସାରି ଖତେଇ ହେଲାପରି ମୁହଁ ହଲେଇ ହଲେଇ ପଚାରିଲା, “ସରକାର ସମ୍ପତ୍ତିର ମାଲିକ, ସରକାର ଅରଖିତଙ୍କୁ ଦଇବ, ସରକାର ବେପାରି, ସବୁ ତ ସରକାର, ତେମେ ଆମେ ସାଧାରଣ ଲୋକେ କ’ଣ କରିବା ?”

 

“ଆମେ ଖଟୁଥିବା, ଯାହା ଦେଇ ଯାହା ହୋଇପାରିବ ସେ ସେମିତି ଖଟିବ, କାହାର ଦେହ କାମ କାହାର ମୁଣ୍ଡ କାମ, ସମସ୍ତେ ପରା ହେବେ ଖଟିଖିଆ, ସେଇଥିପାଇଁ କହିଲି ପରା,–ଯେତେବେଳେ ସେମିତି ହେବ କି ଯେଉଁଠି ସେମିତି ହେଉଥିବ, ସେଠା ଯୁଗ ନା ଶୁଦ୍ର ଯୁଗ ।”

 

ପଠାଣି ମହାନ୍ତିର ମୁହଁ ଉପରେ ଆସ୍ତେ ଆସ୍ତେ ହସ ଚହଲିଗଲା, ବାଁ’ହାତ ପାପୁଲିର ବହଳ ମୁଣ୍ଡବାଳକୁ ସାଉଁଳି ପଛକୁ ଠେଲିଦେଇ କହିଲା, “ଓଲା ଲୋକ ସିନା ଖଟିବେ, ବୁଧିଆ ଲୋକ ଅନ୍ୟମାନଙ୍କୁ କାମ ବରଗିଦେଇ ନିଜେ ସରକାରୀ ଖେମତାର ମଙ୍ଗ ନ ଧରିବେ କାଇଁକି ?”

 

ଦେବତା କହିଲେ, “କିଏ ମନାକଲା, ଯେ ଯାହା ପାରିଲା–ପଣ ଯେମିତି ଦେଖାଇବ ।”

 

ଗୋକୁଳି ଚଉବଳର ତଣ୍ଟି ବସିଛି । ସାଇଁ ସାଇଁ କରି କହିଲା, “ଆଉ ଅନ୍ୟମାନେ ସେମିତିଆ ଲୋକଙ୍କୁ ମାରିପିଟି ତାଙ୍କ ହାତରୁ ମଙ୍ଗ ଛଡ଼ାଇନେବାକୁ ଚେଷ୍ଟା ନ କରିବେ କାଇଁକି ?”

 

“ତା’ ବି ହେବ, ଏ ତ ଯୁଗେ ଯୁଗେ ହାଇଥିଲା । ଦେବତାଙ୍କଠୁଁ ଅସୁର ଅସୁରଙ୍କଠୁଁ ଦେବତା ରାଜ୍ୟ ଛଡ଼ା ଛଡ଼ି କରୁଥିଲେ, ରାଜା ରାଜାଙ୍କର ଚାଲିଥିଲା ଖେମେତା ପାଇଁ ଲଢ଼େଇ, ତା’ପରେ ରାଜା ଚାଲିଯାଇ ରାଜାଙ୍କ ଅସ୍ଥାନରେ ଯେ ବିଜେ କଲେ, ଅର୍ଥାତ୍ ନେତାମାନେ, ତାଙ୍କ ଭିତରେ ବି ସେମିତି ଲଢ଼େଇ, ତେବେ ଜାତି ଜାତି ଯୋଡ଼ି ଭିତରେ ଲଢ଼େଇରେ ହତିଆର ଭିନେ, ଏତିକି ଯାହା, କାହା ହତିଆର ଖଣ୍ଡା, କାହା ହତିଆର ଖଚମିଛ, କାନ ଫୁଙ୍କା । କିଏ ନିରଙ୍କୁଶ ହେବ ବୋଲି କାହା ବଉଁଶ ଲଣ୍ଡା କରୁଥିଲେ, କିଏ ସେତିକିରେ ସନ୍ତୋଷ ନୁହଁନ୍ତି, ବଉଁଶ ପଦା କରି ମଶାଣିଯାକ ଖୋଜି ତାଙ୍କ ହାଡ଼ ପାଉଁଶ ଯେଉଁଠି ଥିବ ତାକୁ ବି ଖୋଳିତାଡ଼ି ସଫା କରିଦେଉଛନ୍ତି, ଯେମିତି ଯୁଗ ଯୁଗକୁ ତାଙ୍କ ଚିହ୍ନ ବର୍ଣ୍ଣ ସଙ୍କେତ କିଛି ଚିହ୍ନା ପଡ଼ିବ ନାଇଁ ସେମିତି କରୁଛନ୍ତି ।”

 

ରସିଦ୍ ମିଆଁ ତୁନି ହୋଇ ଶୁଣୁଥିଲା, କହିଲା “ଏମିତି ଶୁଦ୍ରଯୁଗ ଯାହାକୁ କହୁଚ, ଲୋକେ ହେବେ ଖଟିଖିଆ, ସରକାର ହେଲେ ସର୍ବବ୍ୟାପୀ ସରକାର ଆଉ ଲୋକଙ୍କ ଭିତରେ ଖାପିବା କାମ କେମିତି ହେବ ? ତାଳ ରହିବ କେମିତି ?”

 

ଦେବତା ବିଜ୍ଞ ଲୋକ ପରି ଅଳପ ହସି ମୁଣ୍ଡକୁ ଦି’ଥର ଆସ୍ତେ ହଲେଇ ଦେଲେ, କହିଲେ “ସେ କାମ ଆପଣା ମାର୍ଗରେ ଆପେ ଚାଲିବ । ଲୋକେ ଅର୍ଥାତ୍ ଖଟିଖିଆ, ସେମାନେ ଚେଷ୍ଟା କରିବେ ନିଜ ମନଇଛା ସରକାର ଗଢ଼ିବାକୁ ମାନେ ଆପଣା ପିଠିରେ ସବାର ଥୋଇବାକୁ । ସରକାର ଅର୍ଥାତ୍ ସବାର୍, ଥରେ ପିଠିରେ ବସିଲେ ଖୋଜୁଥିବ ସବୁଦିନେ ବସି ରହିବାକୁ, ସେଥିପାଇଁ ସେ ଘୋଡ଼ାକୁ ବାଗୋଉ ଥିବ । ଲୋକେ କ’ଣ ଭାବିବା ଉଚିତ୍, କେମିତି ଚାଲିବା ଉଚିତ୍, କେମିତି କାମ କରିବା ଉଚିତ୍, ସବୁ ସେ ଠିକଣା କରି ଦେଉଥିବ, ଯେମିତି ସବୁଦିନକୁ ଘୋଡ଼ା କହୁଥିବ ବାହ୍ ବାହ୍ ସବାର୍, ୟେ ଆଚ୍ଛା ସବାର୍, ସବାର୍ ବି କହୁଥିବ ବାହ୍ ବାହ୍ ଘୋଡ଼ା, ପଦାରେ ଦେଖଣାହାରି କହୁଥିବେ ଯେମିତି ସବାର୍ ସେମିତି ଘୋଡ଼ା, ଉଭୟେ ବିଚକ୍ଷଣ । ସବାର୍ ସେ ଘୋଡ଼ାକୁ ଖାଲି ଡିଆଁଇବ, ପାଚିରି ଡିଆଁଇବ କଦମ ଖେଳେଇବ, ସବୁ କରିବ, ବେଳେ ବେଳେ ସବାର ଖସି ପଡ଼ୁଥିବ, କେତେବେଳେ ଘୋଡ଼ା ବି ଝୁଣ୍ଟିବ, ସେଥିରେ କି ଯାଏ, ଚାଲୁଥିବା ଯାକେ ଭଲ ଚାଲିବ ।”

 

ଇନ୍ଦ୍ରମଣି ତିଆଡ଼ି କହିଲା, “ତା’ହେଲେ ଆମ ଘରେ ଆମେ ଆଜି କାଞ୍ଜି ପାଣି ବଘାରିବାକୁ ପିଆଜ ଷଣ୍ଢା ପକାଇବା କି ଭୁର୍ସୁଙ୍ଗ ପତ୍ର ପକାଇବା ସେକଥା ଖାଲି ଆମେ ଠିକଣା କଲେ ଚଳିବ ନାଇଁ ।”

 

ଦେବତା କହିଲେ “କୋଉଠୁ ହବ ? ପିଆଜ ଷଣ୍ଢା ଭଲ କି ଭୁର୍ସୁଙ୍ଗାପତ୍ର ଭଲ ଆମ ଛୁଆ ପିଲା ମାଇପେ ଭୋଟ୍‍ ଦେଇ ସେକଥା ନିଷ୍ପତ୍ତି କରିବେ, ଖାଲି ବାପା ବୋଉ କି ଅଜା ଆଈ କହିଦେଲେ ଚଳିବ ନାହିଁ । କିନ୍ତୁ ଉପରୁ ଏମିତି ଉପାୟରେ ଅଣ୍ଡା ବଚାଙ୍କ ମନକୁ ତାଲିମ କରାଯାଇଥିବ । ଯେ ସମସ୍ତେ ଏକା ପ୍ରକାରେ ଏକା କଥା ଭାବିବେ, ଏକ ନିଷ୍ପତ୍ତିରେ ପହଞ୍ଚିବେ । ଆମ ଘର ଘର ଭୋଟଟାର ନାଁ ହେଲା ବିକେନ୍ଦ୍ରୀକରଣ, ଆଉ କୁହାପୋଛା, ଆଖିରେ ଦେଖେଇବା, କାନରେ ଶୁଣେଇବା, ଏକା କଥା ଭାବିବା ବୋଲି ବହି ପତ୍ର ସିନେମା ରେଡ଼ିଓ ବକ୍ତୃତା, ଶିକ୍ଷା, ଦୀକ୍ଷା ଯେତେ ଯାହା ଉପାୟ କରାଯିବ ପ୍ରଭାବ ପକାଯିବ ସେ ତ ଆମ ହିତ ପାଇଁ, ତାକୁ କେନ୍ଦ୍ରୀକରଣ କାହିଁକି କୁହାଯିବ ? ହିତ ପାଇଁ ତ ଡାକ୍ତର ଜୀଅନ୍ତା ଦେହରେ ଛୁରି ଚଳେଇ ଅପରେସନ୍ କରେ !”

 

ବୀର ଖଟେଇ ମୁହଁ ନେଫେଡ଼ି ନାଲିଆ ହାଉଁ ଆଗରେ ଗୋଟାଏ ଚୂନ ଖଇର ଖିଆ ଢେଗା ଦାନ୍ତ ଦେଖାଇ କହିଲା ଫମ୍ପା ଫମ୍ପା କରି କହିଲା “ହଉ ହୋ ଯୋଉ ପାଣିକି ଯୋଉ ମାଛ, ଯୋଉ ଯୁଗକୁ ଯୋଉ ମଣିଷ, ଯୁଆଡ଼ୁ ବରଷା ସିଆଡ଼ୁ ଛତା, ଆମର କଣଟା କିଏ କରି ପକେଇବ-?”

ରସାନନ୍ଦ ଷଣ୍ଢ ମୁହଁକୁ ତଳକୁ ପୋତି ଗାରଡ଼େଇ ଚାହିଁ କହିଲା “ଯାହା କହିଲି ସତ । କିଏ କାହାର କ’ଣ କରିପାରିବ ? ନିଜେ ଭଲ ତ ଦୁନିଆ ଭଲ । ଏମିତି ହଜାର ହଜାର ଯୁଗ ବିତିଗଲାଣି ନା ଆଉ ବାକି ଅଛି ? ଯେଡ଼େ ମଳମଳି ଆସୁ ଯେଡ଼େଚ୍ଛା ସେଡ଼େ ଝାଞ୍ଜି ପିଟୁ, ବତାସି ଆସୁ କି ବଢ଼ି ଆସୁ, ପୁଣି ଆକାଶ ସଫା ଆମ ଛାଏଁ ଆମେ । ପଖାଳ ହାଣ୍ଡିରେ ନାଲିଆ ବଗଡ଼ା ଭାତ ଦି’ଟା ବାରିରେ ନେଉଟିଆ ପଟାଳି ନ ହେଲେ କଣ୍ଟା ନେଉଟିଆ ବୁଦାଟାଏ ଥିବା ଯାକେ ହାତ ଚାଲୁଥିବ ମ, ତମ କେନ୍ଦୁରିକରଣ କି ବିକେନ୍ଦୁରିକରଣଙ୍କୁ କ୍ୟା କହୁଁ । ଆମେ ଗୋଲାପ ସେବତି ନୋହୁଁ ଯେ ଆମ ପାଇଁ ଛତିଶା ନିଯୋଗ ନ ଖଞ୍ଜିଲେ ଆମେ ଅଚଳ ମାଦଳ, ଆମେ ବାବୁ ପାଣି କେନ୍ଦୁରି, ଯୋଉଠି ମନ ସେଇଠି ପାଣି ଅରାଏ ଥିବାଯାକେ ଆମେ ଫୁଟୁଥିବୁଁ ଭାସୁଥିବୁଁ ।” ଷଣ୍ଢ ମୁଣ୍ଡକୁ କାନ୍ଧକୁ ଝାଙ୍କିଦେଇ ତଳି ଓଠକୁ କାମୁଡ଼ି ପକାଇ ତୁନିହେଲା, ଯେମିତି ସେ ଆଲୋଚନାରେ ମୁଣ୍ଡି ମାରିଦେଲା ।

ସମସ୍ତେ ହସିଲେ । ଖାଲି ଦେବତା ହସିଲେ ନାହିଁ ମୁହଁକୁ କଳାକାଠ କରି ଦୀର୍ଘଶ୍ୱାସ ପକାଇ ଟିକିଏ ତୁନି ହୋଇ ରହି କହିଲେ “ସେକଥା ଥିଲା । ଆଉ ଚଳିବ ନାଇଁ । ସମେତେ ତ ଖବରକାଗଜ ପଢ଼ୁଚ ୟା କହୁଚ କେମିତି ? ଆଉ ତେମେ ଛପି ରହିବ କୋଉଠି ? ତମ ଘରେ ହାଣ୍ଡିରେ ସୋରିଷ ଫୁଟିଲେ ପଦାରେ ଢାଇଁ ଶବଦ ହେବ । ତୁମେ ଛପି ପାରିବ ନାଇଁ ଛପା ହେଇ ସାରିଚ । ଅଇଛା ଉଡ଼ାଜାହାଜ ବି ନିମେଷେକେ ବ୍ରହ୍ମାଣ୍ଡ ବୁଲୁଚି । ଦୂର ବୋଲି କିଛି ନାଇଁ । ତୁମେ ଥା କେଉଁ ବଣ ମାଳ ଭିତରେ କି କେଉଁ ଗଣ୍ଡ ମଫସଲରେ କେଉଁ ସମୁଦ୍ର ପନ୍ତାରେ ପଲ୍ଲୀ ଭିତରେ ଯେଉଁଠିକି ଯମ ଯିବାକୁ ବାଟ ନଥିଲା । ସେଠିକି ଜୀପ୍ ଗାଡ଼ି ଯିବ । ଉପରୁ ଉଡ଼ାଜାହାଜ କାଗଜ ପକେଇବ । ତେମେ କବାଟ କିଳି ଯେତେବେଳେ ଏକୁଟିଆ ଶୋଇଥିବ ସେତେବେଳେ ରେଡ଼ିଓ ବାଟେ ତମକୁ ଲୋକେ ବୁଦ୍ଧି ବତେଇ ପାରିବେ ଆସ୍ତେ ଚାହିଁଲେ ଧୀର ପାଟିରେ ବଡ଼ଘାଏଁ ଚାହିଁଲେ ବଡ଼ ପାଟିରେ ଶୁଣି ଶୁଣି ତମେବି ଦିନେ ବିଶ୍ୱାସ କରିବ ଏ ବିଚାର ମୁଁ ଆପେ ଭାବିଥିଲି । ୟେ ମତ ମୋର । ଆଉ ଅନ୍ଧାରି ଖୋଲ ରହିବ ନାହିଁ ସବୁଠିଁ ଆଲୁଅ ଦାଉ ଦାଉ ତମ ଅନ୍ତ ଭିତରେ ବି ଲୋକେ ଦେଖି ପାରିବେ । ଆଉ ତୁନି ତାନି ନାହିଁ ଯୁଆଡ଼େ ଯିବ ଘାଉଁ ଘାଉଁ ଶବଦ ଗୋଡ଼େଇଥିବ । ତୁମେ ବଳେ ବକା ହୋଇ ଗୋଠ ପରି ଧାର ଲମ୍ବି ଚାଲିଥିବ ଚାଲିଥିବ ତୁମ ନିଜର ନିଜତ୍ୱ ଆଉ ରହିବ ନାହିଁ । ସେଇଠୁ ହଜାର ହଜାର କୋଶ ଦୂରରେ କିଏ କି ମାରକ ବୋମା ଫୁଟେଇଦେବ ଯେ ପବନଯାକ ବିଷ ହୋଇଯିବ ତୁମେ ତୁମ ଘର ଭିତରେ ଖଟରେ ଶୋଉ ଶୋଉ ଆପେ ପାଉଁଷ ହୋଇ ଝଡ଼ି ପଡ଼ିବ ।”

ରସା ଷଣ୍ଢ କହିଲା, “ସମସ୍ତେ ସବୁ କଥା କହୁଚନ୍ତି ବୁଝୁଛୁ ହୋ, ହେଲାବେଳ ତ ଅଛି, ସବୁ ହେଇପାରିବ କିଏ ମନା କରୁନାଇଁ । କିନ୍ତୁ ହଉ ହଉ ଅଟକିଯିବ ଦେଖିବ । ସମସ୍ତେ ମଣିଷ ତ, ଯେଡ଼େ ବାଇ ଲାଗିଲେ କ’ଣ ବାଇ ଛାଡ଼ିବ ନାଇଁ ?

ସାରଦା ପରିଡ଼ା କହିଲା, “ନାଇଁ ହୋ, ଦେବତା ଯାହା କହିଲେ ସେଥିରେ ସତ ଅଛି । ସବୁ ଏକାଠି କରିଦେଲେ ଭଲ ଥିବାଯାକେ ଭଲ, କିନ୍ତୁ ଠାଏ ବିଷ କାଣିଚାଏ ପଡ଼ିଲେ ସବୁଯାକ ବିଷିରିପି ଯିବ ।”

ଇନ୍ଦ୍ରମଣି ତିହାଡ଼ି କହିଲେ, “ନଡ଼ିଆ ଭିତରେ ଶସ, ଶସ ଭିତରେ ପାଣି । ସେମିତି ଜୀବ ଭିତରେ ବ୍ରହ୍ମ । ସବୁ ଲୀଳା ଖେଳା କରିବା ଲୋକ କରୁଚି, ସେଇ ଜଣେ, ଏ ପୃଥ୍ୱୀକୁ ମାରିବାକୁ ମନକଲେ ସେଇ ମାରିବ, ତାରିବାକୁ ମନକଲେ ସେଇ ତାରିବ । ତେମେ ଆମେ ଯେତେ କହିଲେ କ’ଣ ହେବ ? ତେବେ, ଯେ ଏ ଲୀଳା ଭେଉଛି ଆମକୁ ମାରିବାକୁ ତା’ର ମତଲବ ନାଇଁ, ମଣିଷ ସିନା ପାଗଳ ହେବ ଠାକୁର କ’ଣ ପାଗଳ ହେବେ ?”

ସମସ୍ତେ କହିଲେ, “ସେଇଆ, ସେଇଆ ।”

 

ମାୟା ଦେବୀ ହୋଟେଲ କରିବେ କି ନ କରିବେ ଆଲୋଚନା ହେଉ ହେଉ ବ୍ରହ୍ମାଣ୍ଡଯାକର ଅବସ୍ଥା ଆଲୋଚିତ ହୋଇଗଲା । କିନ୍ତୁ ପରମାଣୁ ବୋମା କି ଉଦ୍‍ଜାନ ବୋମାକୁ ଡରି ସେ ନିରସ୍ତ୍ର ହେଲେନାହିଁ । ମାର୍କଣ୍ଡ ପଣ୍ଡା ରୋଷେୟା ନିଯୁକ୍ତ ହେଲା, ଖାଇ ପିଇ କୋଡ଼ିଏ ଟଙ୍କା । ଚାହା ଦୋକାନ କତିକୁ ଲାଗି ହୋଟେଲ ଘର, ଝାଟିମାଟି ହୋଇ ଦି’ବଖରା, ବଖରାକେ ଖାଇବା ବଖରାକେ ରୋଷେଇ । ସ୍ଥାୟୀ ଦରମାଖିଆ ପୁରୁଷ ଚାକର କଥା ପଛେ, ନେତେରା ଦି’ଘରର କାମ ଚଳେଇବ, ଚାହା ଦୋକାନ ଓ ହୋଟେଲ ଉଭୟ । ମଜାମଜି ଓଳାଓଳି କରିବାକୁ ଛୋଟୀ ବୁଢ଼ୀ ବେଣୁଆ ମା’, ବଖତେ ଖାଇବାକୁ ପାଇ ମାସକୁ ସାତଟି ଟଙ୍କାକୁ ତା’ ଅଳି, ଏଣର ବନ୍ଦୋବସ୍ତ ପାଞ୍ଚ ଟଙ୍କା ।

 

ପୁଣି ସାହିରେ ନିନ୍ଦା ରଟିଲା,– “ଦେଖ, ଭାତ ବିକିଲେ !” ସେହି ଦାମଙ୍କ ଘରୁ ସେହି ଆନ୍ଦୋଳନର ଉତ୍ପତ୍ତି । କିନ୍ତୁ ଏଥର ପାଟି ସେଡ଼େ ଟାଣ ନୁହେଁ କି ଘୋରତେଇ ପୋରତେଇ ନୁହେଁ-। ମାୟା ଦେବୀ ବି କାନ ଦେଲେ ନାହିଁ । ପ୍ରଥମ ଦିନର ରୋଜଗାରରୁ ଲାଭର ଅଂଶ ତିନୋଟି ଟଙ୍କା ଆଣି କୁଳିଆ ଦେଇଗଲା, ଆରମ୍ଭଟା ଭଲହେଲା ।

 

ବାଧିଲା ଜଣକୁ, ସେ ରମା ।

 

ନିଛାଟିଆ ଦ୍ୱି ପ୍ରହର ହୋଇଥାଏ । ଖରା ଜକ ଜକ, ଦାଉ ଦାଉ, ବାରିଆଡ଼େ ଆସି ଠିଆହେଲା । ସବୁ ଶୂନ, ଖାଁ ଖାଁ, ଭୂଇଁ ଗଛ ବୁରୁଛ ଘର ଦୁଆର ସବୁ ଖରା ତାଉରେ ଆଉଟି ହୋଇ ମିଶି ଯାଇଛି, ହଜିଯାଇଛି, ଦୂରରେ ଦିଶୁଛି ନେଳିଚା ନେଳିଚା ଛାଇଛାଇଆ ହୋଇ ତୋଟାମାଳର ପ୍ରେତ ।

 

ରମା ବକା ହୋଇ ଠିଆ ହୋଇ ରହିଲା, ହଲ୍‍ ଚଲ୍ ନାହିଁ, ସତେ ଯେମିତି ଉଇ ହୁଙ୍କାଟାଏ-। ଆଉ ସେହି ହୁଙ୍କାରେ ସତେ ଯେମିତି ବିଳ ଫିଟିଗଲା ଆଉ ସେଥିରେ ହଲ୍‍ଚଲ୍ ହେଲେ ନାନା ଜୀବଜନ୍ତୁ, ସେମାନେ ତା’ର ଆଶା ଆକାଙ୍‍କ୍ଷା ତା’ର ବ୍ୟକ୍ତିତ୍ୱର ଅସଂଖ୍ୟ ଉପାଦାନ-

 

କ୍ରମେ ସେମାନେ ବି ନିଶ୍ଚିହ୍ନ ହେଲେ । ସବୁ ଏଥର ସେହି ପୋଲା ହୁଙ୍କା ଭିତରୁ ଖାଲି ଗୋଟାଏ ହାଉ ହାଉ ଆକୁଳ ରାଗିଣୀ ଆସ୍ତେ ଆସ୍ତେ ବାହାରି ଖରାଟିଆ ଉଦାସ ପବନ ସଙ୍ଗେ ମିଶିଗଲା, ଖେଳି ବୁଲିଲା, କ’ଣ ଖୋଜି ବୁଲୁଛି, ପାଉ ନାହିଁ ।

 

ଫେରି ଆସିଲା ଘରେ ପୁଅ ଶୋଇଛି । କ୍ଳାନ୍ତ ହୋଇ ମାୟା ଦେବୀ ଶୋଇ ପଡ଼ିଛନ୍ତି । ପିଲାଏ ଇସ୍କୁଲ ଯାଇଛନ୍ତି । ଶୂନ୍‍ ଶାନ୍ ଭିତରେ ଶୁଭୁଛି ଆର ବଖରାରେ ସୁନା ଆଉ ଫୁଲ ଚାଉଳ କୁଟୁଛନ୍ତି ଯେ ଗୋଟାଏ ଛନ୍ଦରେ ଦୁମ୍ ଦୁମ୍ ସହିତ କାଚ ଝଣ ଝଣ ।

 

ସେ ନିଜେ କ’ଣ କରିବ ? କିଏ ତାକୁ କାହାର କେଉଁ ପ୍ରୟୋଜନରେ ଖୋଜୁଛି ? ବାଇ ଲାଗିଲା ପରି ଏହି ଭାବନା ଆସେ ଥରକୁ ଥର, ପୁଣି ଆସିଛି । ମୁଣ୍ଡ ଭିତର ଝିମି ଝିମି, କ’ଣ ସେଠି ଫୁଲି ଫୁଲି ଉଠୁଛି, ଠେଲି ପେଲି ହେଉଛି, ବାଟ ପାଉ ନାହିଁ ।

 

ତା’ ପ୍ରଶ୍ନର ଉତ୍ତର ନାହିଁ । ସତେ ଯେମିତି ନିଛାଟିଆ ଝେଲାମରା ତତଲା ବାଟ, ଛାଇତଳ ନାହିଁ । ଲମ୍ବି ଯାଉଛି ଧୂଆଁଳିଆ ଦିଗ୍‍ବଳୟରେ ମିଶି ଯିବା ଯାକେ, ସେହି ତା’ର ବାଟ, ଚାହିଁଲେ ଆଖି ପୋଡ଼େ, ମନ ମରିଯାଏ ।

 

ଟିକି ନିଖି ଶବ୍ଦ ବାରିଲା ଭଳି ତା’ର କାନ ପାତଳ ହୋଇଯାଇଛି । କେଉଁଠି ଖୁଡ଼୍‍ କରି ହେଲେ ଯେମିତି ଟାଇଁ କରି ଶୁଭିବ, ଯେପରି ତା’ର ସମଗ୍ର ଚେତନା ଗୋଟିଏ ବିନ୍ଦୁରେ ଏକର ସେକର ଟଳମଳ ହେଉ ହେଉ ଟାକି ବସିଛି କାନ ବାଟେ କେଉଁ ସଂକେତର ସ୍ୱରରେ ଉତ୍ତର ମିଳିବ ତା’ ଜୀବନର ସବୁ ପ୍ରଶ୍ନର । ସ୍ୱର ଶୁଭୁ ନାହିଁ । ଉତ୍ତର ମିଳୁ ନାହିଁ ।

 

କେଉଁ ଦୂରରୁ ଭାସି ଆସୁଛି ଗୋଟାଏ ଡାମରା କାଉର ବୋବାଳି, ଯେମିତି କାଉର କା ନୁହେଁ ।

 

ଗୋଟାଏ ଉଦାସ ଅଛିଣ୍ଡା ନିଛାଟିଆ ଜୀବନର ସଙ୍କେତ, ସାହା ନାହିଁ, ସାଥୀ ନାହିଁ, ଆହା ପଦ ନାହିଁ, କାହାର କଅଁଳ ଚାହାଣି ବି ନାହିଁ, ଯେଉଁ ଡାଳ ଧରିଲେ ସେ ଡାଳ ଛିଣ୍ଡୁଥିବ । ଡାମରା କାଉର ବୋବାଳି ସେହି ଆସନ୍ତା ଆତଙ୍କର କାହାଣି କହୁଛି ଚୁମ୍ବକରେ ।

 

ସେତେବେଳେ କେହି ଦୁଆର ମୁହଁରେ ବାଟକୁ ଚାହିଁ ଠିଆ ହୋଇ ନଥିବ, କେହି କହିବ ନାହିଁ–ତୁ ଆ’, ତୁ ରହ । କାଉ କୁକୁରଙ୍କୁ ଭାତ ଛିଞ୍ଚାଡ଼ି ଦେଲାପରି କିଏ ଅବା କିଛି ଯଦି ବୁଣିଦେବ ସେ ଦେବ ନାହିଁ ତା’ ହୃଦୟରୁ ଭାଗ । ପେଟ ପୂରିଲେ ବି ମନ ପୋଡ଼ୁଥିବ ।

 

ଏଇତ ମୋଟେ ଆରମ୍ଭ, ଆହୁରି ଅଛି ।

 

ଏଥର ଶୁଭିଲା, ପୁଅ କାନ୍ଦୁଛି । ବଡ଼ ଘାୟଁ ନୁହେଁ, ନିଦରୁ ଉଠିଲେ ମା’କୁ ଖୋଜି ଯେମିତି କାନ୍ଦେ । ରମା ଧାଇଁ ଗଲା ନାହିଁ, ଜାଣି ଜାଣି ଅଳସେଇ ହୋଇ ସତେ ଯେମିତି ପୁଅର କାନ୍ଦଣା ଉପଭୋଗ କଲା । ତା’ ଚେତନାରେ ଡାମରା କାଉର ବୋବାଳି କେଉଁ ତଳେ ଢାଙ୍କି ହୋଇ ପଡ଼ିଲାଣି, ଆଉ ଶୁଭୁ ନାହିଁ । ଆଖି ଆଗରେ ଧୂଆଁଳିଆ ତତଲା ଅପନ୍ତରା ନାହିଁ, ଫସଲ ଭର୍ତ୍ତି ବଗିଚା ଓ ତୋଟାମାଳମୟ ଛନଛନିଆ ଶାଗୁଆ ସମତଳ, ମଝିରେ ଶାନ୍ତ ନିର୍ମଳ ନଈଧାର, ସେକରେ ଧାଡ଼ି ଧାଡ଼ି ହୋଇ ଯେତେ ଘର ଦିଶୁଛି ସବୁଥିରେ ଅଛନ୍ତି ସ୍ନେହୀ ମଣିଷ । ପୁଅ କାନ୍ଦଣାର ସୁଅରେ ସୁଅରେ ସେ ସତେକି ଅନ୍ଧାରି କନ୍ଦରାରୁ ଭାସି ଚାଲିଗଲା ମେଲା ଫରଚା ଆଲୁଅକୁ, ଯେଉଁଠି ନିଶ୍ୱାସ ମାରିବା ସହଜ ହୁଏ, ତଳେ ଦିଶେ ଖୋଲା କ୍ଷେତ, ଉପରେ ଅଛିଣ୍ଡା ମୁକ୍ତ ଆକାଶ, ଶଙ୍କା ନାହିଁ, ଚିନ୍ତା ଦକ ନାହିଁ, ଆଶା ବିଶ୍ୱାସର ସରଳ ଜୀବନ ।

 

ପୁଅ କାନ୍ଦଣାରେ ସେ ଉଚ୍ଛନ୍ନ ହେଲାନାହିଁ । ସେ ସତେକି କାନ୍ଦଣା ହିଁ ନୁହେଁ, ନୂଆ ଜୀବନର ସନ୍ଦେଶ ଘେନି ଗୋଟାଏ ସଙ୍ଗୀତର ମୂର୍ଚ୍ଛନା । ଆପଣା ଭିତରେ ପ୍ରତି ଖୋଲି କନ୍ଦି ବିକନ୍ଦି ଭିତରେ ସେ ପଶିଯାଉଛି ମାଠିଆ ଭିତରେ ଗୁଦୁ ଗୁଦୁ ହୋଇ ପାଣି ପଶୁଛି, ସେ ଶୁଣୁଛି । ପଥର କୁଢ଼ ତଳେ ମାଟି ଉଲୁସେଇ ମୁଣ୍ଡ ଟେକୁଛନ୍ତି ଅନାବନା ଗୋଛା ଗୋଛା ଗଜା, ସେ ଅନୁଭବ କରୁଛି, ତା’ର ରକ୍ତ ଭିତରେ, ତା’ର ଚେତନାରେ ରାତି ଶେଷର ଚହଳ, ତା’ର ଗତି ନାହିଁ ।

 

ମନର ସେହି ବିଚିତ୍ର ଅବସ୍ଥାରେ ତା’ ଆପଣା ଭିତରେ ଯେତେ ନୂଆ ଭାବ ଅର୍ଥ ଓ ରୂପ ଘେନି ଉଡ଼ିଚାଲିଲା ସତେ ଯେମିତି ଗୀତ ଗାଉଥିବା ରଙ୍ଗ ରଙ୍ଗର ଚଢ଼େଇଟିମାନ ପରି ସେମାନଙ୍କୁ ସେ ଆପେ ବୁଝିବାକୁ ଚେଷ୍ଟା କଲା, କିନ୍ତୁ ସେମାନେ ଅଟକି ରହୁନାହାନ୍ତି । ସେ ଯେପରିକି ଖରାବେଳେ ବରଷା ଋତୁର ଜଙ୍ଗଲ ଭିତରେ ପଶିଯାଇଛି, ଚାରିଆଡ଼େ ଛଣା ଆଲୁଅରେ ଆଉଟି ହୋଇ ଚହଲୁଛି ଗୋଟାଏ ଶାଗୁଆ ଆଭା, ସ୍ପଷ୍ଟ ନିରେଖି ହେଉନାହିଁ କେଉଁଟା ଶାଳ, କେଉଁଟା ବିଜା କେଉଁଟା ଶିଆଳ, କେଉଁଟା ବାଘବାସି ତରତର ହୋଇ ଚଢ଼େଇ ଉଡ଼ି ଯାଉଛନ୍ତି ଦେଖୁଛି, ପବନରେ ତରତର ହୋଇ ରଙ୍ଗ ରଙ୍ଗର ଚହଲା ଢେଉ ମିଶାମିଶି ପାଖରେ ଦୂରରେ ଶାଗୁଆ ନିବୁଜା କୁଞ୍ଜରୁ ନାନା କାକଳିର ସମବେତ ସଙ୍ଗୀତ କିନ୍ତୁ ବାରି ହେଉ ନାହିଁ କେଉଁଟା ଶୁଆର ପାଟି କେଉଁଟା ଶାରିର କେଉଁଟା ଶ୍ୟାମାର କେଉଁଟା ଅବା ଆଉ କାହାର ।

 

ଯେମିତି ମୋଟା ମୋଟିରେ ତା’ର ଅନ୍ତର ତାତ୍ପର୍ଯ୍ୟ ଗ୍ରହଣ କଲା,–ଖାଲି ଆଭା ଓ ସଙ୍ଗୀତ ଓ ସଜ ବାସ୍ନାର,–କାହିଁ ସବୁ ତ ଅଛି କ’ଣ ତା’ର ବିଗିଡ଼ିଛି ? ବୋଉ ଅଛି ଭାଇ ଭଉଣୀ ଅଛନ୍ତି ସାଙ୍ଗ ସାଥୀ ଅଛନ୍ତି ଆଉ ଅଛି ପୁଅ –ପୁରୁଷ ପିଲା ହୋଇ ନିଜେ ସେ ଜନ୍ମ ହୋଇଥିଲେ ଯେତେ ଯାହା ଅନୁଭୂତି ସେ ପାଇଥାନ୍ତା, ଯାହା ଯେତେ କରିଥାନ୍ତା, ପୁଅ ବଡ଼ ହେଲେ ତା’ କରିବ, ନିଜେ ସେ ଯଦି ଗମ୍ଭୀରା ଭିତରର ମଞ୍ଜି ସେହି ପୁଅ ତା’ର ହେବ ସେ ମଞ୍ଜିର ବିରାଟ ଦେବଦାରୁ । ଏ ଜୀବନ ସୁନ୍ଦର, ବିଶାଳପୂର୍ଣ୍ଣ ।

 

ସେ ତମାଳର ମନର ଆଚ୍ଛନ୍ନଭାବ ଏକାଥରକେ କଟି ଯାଇଛି । ଆପଣାର ଚେଷ୍ଟାରେ ନୁହେଁ । ସେମିତି । ନିଶା ଶେଷରେ ସିନ୍ଦୁରା ଫାଟେ, କିନ୍ତୁ ସେ ପ୍ରତ୍ୟାଶିତ, ଆଉ କେତେ କ’ଣ ଘଟେ ଯାହା ପ୍ରତ୍ୟାଶିତ ନୁହେଁ, କାହିଁକି ଘଟେ କେତେବେଳେ ଘଟେ କେହି କହିପାରିବ ନାହିଁ, ଖାଲି ଘଟେ,–ଏତିକି ସତ । ଯେମିତି ମର ମର ରୋଗୀ ହିକା ନ ଉଠୁଣୁ ଉଜାଣି ତେଜେ, ଜୀବନ କଅଁଳେ, କୁଆଁ ମେଲେ ।

 

ମରଣର ସୁଅରୁ ଉଜାଣି ଉବୁକା ମାରି ସେ କୂଳକୁ ଉଠି ପଡ଼ିଛି, ଯେଉଁଠି ତା’ଆଗରେ ମୁକ୍ତି ଓ ଆଲୋକମୟ ଜୀବନର ବ୍ୟାପ୍ତି ଅଛି । ନୂଆ ଦିଗ, ନୂଆ ଯୁଗ ।

 

ମଣିଷ ପରିବର୍ତ୍ତନର କ୍ରମରେ ଯାଇ ଯାଇ ପରିଣତି ପାଇଲା ବେଳେ କ’ଣ କେଉଁଠି ହାବୋଡ଼ିଯାଏ, ସେ ହୁଏ ଉପଲକ୍ଷ, ରାସ୍ତାକରର କେଉଁ ଓସ୍ତ ଗଛ ହୁଏ ବୋଧିଦ୍ରୁମ, କାଉ ଉଡ଼ିଯାଏ, ତାଳ ପଡ଼ିଯାଏ । ସେମିତି ସେତେବେଳେ ତା’ ପୁଅ କାନ୍ଦୁଥିଲା,–ଗୋଟାଏ ଘଟନା ।

 

ପୁଅ ତୁନି ହେଲାଣି । କିଏ ତାକୁ ନେଲାଣି । କିନ୍ତୁ ପୁଅକୁ ଆବୋରି ରଞ୍ଜା ଉପରେ ଲଟେଇଲା ପରି ସେ ଭାବି ଲାଗିଛି ।

 

ଏଇ ପୁଅକୁ ମଣିଷ କରିବାକୁ ପଡ଼ିବ ।

 

ହାତ ଗୋଡ଼ ଅଛି, ଯାକି ଯୁକି ହୋଇ ବସି ରହିବାକୁ ନୁହେଁ ।

 

ଘର ବାହାରେ ଗାଁ, ଗାଁ ବାହାରେ ଦେଶ, ନାନା ବାଟ ।

 

ରମା ଥମ୍ବିଲା ମେଘ ପରି ମୁହଁ ଥମ ଥମ କରି ଦୂର ଦିଗ୍‍ବଳୟକୁ ଅନାଇଁ ଭାବି ଲାଗିଲା-। କେତେବେଳକେ,– ସେ ମେଘରେ ବିଜୁଳି ଖେଳିଗଲା । ସ୍ମିତ ହସ ।

 

ତା’ ମନ ତାକୁ ବର ଦେଇଛି । ଦିଅଁ ତ ସେଇଠି ।

 

ମାୟା ଦେବୀ ନିଜ ହାତରେ ଚାରି ଦଉଡ଼ି ନ ହେଉ ପଛେ ଗୋଟାଏ ଦଉଡ଼ି କାଟି ସାରିଥିଲେ, ପରମ୍ପରାଗତ କୁଳସମ୍ମାନ ଅନୁରୂପ ସଂସ୍କାରଗତ କୌଳିକ ବୃତ୍ତିର, କିନ୍ତୁ ସେ କେବେ ଭାବି ନଥିଲେ ଯେ ସେ ତା’ କରିଛନ୍ତି, ଆପଣା କାର୍ଯ୍ୟକୁ ଦେହସହା ମନସହା କରିବାକୁ ସେ ଯୁକ୍ତିର ଆଶ୍ରୟ ନେଇ କାର୍ଯ୍ୟକୁ ରଙ୍ଗେଇଥିଲେ, ପୋଷାକ ପିନ୍ଧାଇଥିଲେ ଆଉ ଭାବିଥିଲେ, ସେ ଯେପରି ଯେଉଁଠି ଥିଲେ ସେହିପରି ଅଛନ୍ତି । କିନ୍ତୁ ସେଦିନ ସଞ୍ଜବୁଡ଼େ, ପିଲାଏ ଯେତେବେଳେ ପିଣ୍ଡାରେ ରୁଣ୍ଡିଥିଲେ ରମା ତାଙ୍କ ଆଗରେ କହିଲା ଯେ ସେ ଗ୍ରାମସେବିକା ତାଲିମ ପାଇଁ ସହରକୁ ଯିବ । ସାଧୁଭାଇ ଚିଠି ଲେଖି ଅନୁମତି ଦେଇସାରିଛି, ବୋଉ ଖାଲି ସୁରେନ୍ଦ୍ରର ଭାର ନେଲେ ହେଲା,–ଆପଣାର ସଞ୍ଚିତ ଅତୀତ ଓ କ୍ରିୟମାଣ ବର୍ତ୍ତମାନ ଭିତରେ ଉପୁଜିଥିବା ଅସାମଞ୍ଜସ୍ୟର ରୂପ ତାଙ୍କୁ ଏପରି ଅଭିଭୂତ କଲା ଯେ ତାଙ୍କ ପାଟିରୁ ଉଁ କି ଚୁଁ ଉତ୍ତର ବାହାରିଲା ନାହିଁ । ଆଉ ଲାଗିଲା ତାଙ୍କ ପୁରୁଣା ରୋଗ ପୁଣି ବାହାରୁଛି, ଯେତେବେଳେ ମୁଣ୍ଡ ଝାଇଁ ମାରିଦିଏ, ସେ ଘଡ଼ିଏ କାଳ ବେହୋସ ହୋଇ ପଡ଼ି ରହନ୍ତି । କହିଲେ “ତିଳ ଲୋ, ଗିଲାସେ ପାଣି–”

 

ତିଳକୁ ଛାଡ଼ି ଆଉ ସମସ୍ତିଙ୍କ ଉପରେ ତାଙ୍କର ଅଭିମାନ ହେଲା, ଲାଗିଲା ସମସ୍ତେ ପର ଗୁଡ଼ାକ, ଆପଣା ସାର୍ଥିକା ଦଳ । ଅବିଶ୍ୱାସୀ । ତାଙ୍କୁ ନପଚାରି ଭାଇଙ୍କୁ ଚିଠି ଲେଖି ଏତେ ସବୁ ଠିକ୍ ଠିକଣା କରି ପଦାକୁ ଯିବ ବୋଲି ଗୋଡ଼ ଟେକି ବସିଛି ଏଇ ଯେଉଁ ଗୁଣର ଝିଅ,–ସେ ଷଡ଼ଯନ୍ତ୍ର କରିଛି ।

 

ପାଣି ପିଇ କରକୁ ଅନାଇଁ ରହି ଗୋଡ଼ ଲମ୍ବେଇ ବସି ସେ ମନକୁ ଗୁଣୁ ଗୁଣୁ ହେଲେ,–”କି ଘରେ ଦେଇଥିଲି ଲୋ–ଅଇରି ଗଞ୍ଜନ ଭ୍ରମରବର ମାନଧାତା ମହାପାତ୍ର ରାଏ,–କପାଳ ଫାଟିଲା,–କାହାର ଝିଅ କାହାର ବୋହୂ”–ଆଉ କିଛି ବୁଧି ଦିଶିଲା ନାହିଁ ?

 

ଝିଅକୁ କହିଲେ, “ହଇଲୋ ଭାଇ ଭଉଣୀ ସଲା ହେଲ ମତେ ପଦେ ପଚାରିଲ ନାହିଁ ? ଇଲୋ କାହିଁକି ? ଏ ଘରେ କ’ଣ ଶାଗ ପେଜ ନାହିଁ ? ଘଇତା ସିନା ମଲା, ସେ ଘରେ ପରା ଗାତ ଚୁଲି ଗୁଡ଼ାକ ବଞ୍ଚିଛନ୍ତି, ତାଙ୍କୁ କ’ଣ କାଟି ଦେଇ ହେବ ? ସୁଖରେ ଦୁଃଖରେ ହୋଇ ଏଠି ବି ତ ଚଳି ଯାଉଛି, ଭାତ ଖାଇ ଆଞ୍ଚୋଇ ଜାଣି ନାହୁଁ । ବାହାଟାଏ ହୋଇଗଲୁ ମା’ଟାଏ ହୋଇଗଲୁ ବୋଲି ତୋ ମୁଣ୍ଡକୁ ହାତ ପାଇଗଲା କିଲୋ ?”

 

ରମା ବୁଝାଇ ବସିଲା, ବସି ଖାଇଲେ ନଈବାଲି ସରେ, ରୋଜଗାରକୁ ସାଧୁଭାଇ ଏକୁଟିଆ, ତାଙ୍କ ରୋଜଗାର ତାଙ୍କୁ ନିଅଣ୍ଟ । ଭାବିବାକୁ ପଡ଼ିବ,– ରଘୁ, ଜଗୁ, ତିଳ, ତା’ପଛକୁ ସୁର, ଆଜି ବକଟେ ହୋଇଛି, କାଲି ବଢ଼ିଲେ ତା’ ପେଟଟି ହେବ ହାଣ୍ଡିଟିଏ । ଭାଇ ବାହାଘର ଆସୁଛି । ତା’ର ବି ବେଳ ଗୁଡ଼ାକ ସେମିତି କଟୁଛି, ଖାଲି ବସିବାକୁ ମନ ଲାଗୁନାହିଁ ।

 

“ସବୁ ଚିନ୍ତା ଖାଲି ୟାଙ୍କରି ମୁଣ୍ଡରେ ଲଦା ହୋଇଛି ।” ମାୟା ଦେବୀ ଖେଙ୍କି ଉଠିଥିଲେ,– “ନ ହେଲେ ଆଉ !”

 

କିନ୍ତୁ ତାରିଖ ଧରା ହେଲା, ଦିନ ଆସିଲା, ଟ୍ରେନିଂ ପାଇଁ ବଛା ହେବାକୁ ଯେଉଁ ଦେଖା ସାକ୍ଷାତ ପଚରା ଉଚରା ପରୀକ୍ଷା ହୁଏ ସେଠିକି ଯିବାକୁ ରମା ସଜ ହେଲା, ସେତେବେଳେ ସାଧୁବୋଉ ଚଞ୍ଚଳ ହେଲେ, ବନ୍ଧା ବନ୍ଧି କଲେ, ଗାଡ଼ି ବରାଦ କଲେ । ଠାକୁର ପୂଜା କରାଇଲେ, ଦୁଆରେ ପୂର୍ଣ୍ଣ କୁମ୍ଭ ବସାଇଲେ । ଅଥଚ ଗୋଡ଼ତଳେ ପଡ଼ି ରମା ଯେତେବେଳେ ଶଗଡ଼ଆଡ଼କୁ ମୋହିଁଲା, ବାଟେଇ ଦେବାକୁ ଭାଇ ଭଉଣୀ ଓ ରେବ, ଆଖି ପୋଛୁ ପୋଛୁ ମନେ ମନେ ସେ ଠାକୁରଙ୍କୁ ତୁନି ତୁନି ହୋଇ କହିଲେ ଯିବାକୁ ମନ ହୋଇଛି ଯାଉଛି ସିନା, କୁଆଡ଼େ ଯିବା ନ ହେଉ, ସେ ଫେରି ଆସୁ ।

 

ରମା ଶଗଡ଼ରେ ବସିଲା, ସଙ୍ଗରେ ଗଲା ରଘୁ, ତା’ ହାତରେ ପଢ଼ା ବହି । ଶଗଡ଼ ଛାଡ଼ିବା ଆଗରୁ ରେବ ମୁହଁ ଉହୁଙ୍କେଇ ତୁନି ତୁନି ହୋଇ କହିଲା “ଯାହା ହେଉ, ଜିତିଲ ତୁମେ । ଗେହ୍ଲି ଦେଈ ଏମିତି ଯାଇଥିଲା ।”

 

କିନ୍ତୁ ଗାଡ଼ି ଚାଲିଗଲା । ସାହିରେ ଲାଗିଲା ଘରେ ଘରେ ଆଲୋଚନା ଦାମ କୁଆଡ଼ୁ ବୁଲି ଆସି ଭିତରେ ପିଣ୍ଡାରେ ବସି ପଡ଼ି ‘ପାନ ଦିଅ’ ବୋଲି ଡାକଟାଏ ଛାଡ଼ିଲେ, ଅଧରୀବୋଉ ପାନ ଆଣି ବଢ଼ାଇ ଦେଇ ମୁହଁ ଭୁର୍କୁଣ୍ଡା କରି କହିଲେ “ଦେଖିଲ, ତ ରମା ଗ୍ରାମସେବିକା ହେବ ବୋଲି ଶଗଡ଼ରେ ବସିଗଲା, ଦେଖିଲ କି ନାହିଁ ?”

 

ଦାମ ମୁହଁକୁ ତଳକୁ ପୋତି କହିଲେ “କାହିଁ ମୁଁ ଜାଣି ନାହିଁତ ।”

 

ଅଧରୀବୋଉ କହିଲେ “ଘରକୁ ମୁରବି, ହେଇଚ, ଜାଣିନା କେମିତି ? ମୁଁ ତ ଭାବିଲି ତମର ଯେମିତି ହାକିମ୍ ହୁକୁମଙ୍କ ସଙ୍ଗରେ ଚିହ୍ନା ପରିଚ ଅଛି କୁହାପୋଛା କରି ଚାକିରିଟି କରେଇ ଦେଇଛ । ଭଲ ହେବ, ସାନ ହେଉ ବଡ଼ ହେଉ ଝିଆରୀ ହାକିମ ହେବତ, ଝିଅମାନେ ସିନା ଦେଲେ ନାହିଁ !” କହି ଦେଇ ଖଳ ଖଳ ହୋଇ ହସିଦେଲେ, ଅତ୍ରପଡ଼ା ବାବାଜୀଙ୍କ ଧର୍ମରେ ଦୀକ୍ଷିତା ଭଦ୍ର ମହିଳାଙ୍କର ସେହି ହସରେ ନଥିଲା ଉଦାରତା, ଶ୍ଲେଷ ଥିଲା ।

 

ଦାମ କହିଲେ “କିଛି ନାଙ୍କରା ହେବ ନାଇଁ, ଆଜିକାଲି ହେଉଚନ୍ତି ତ ସମସ୍ତେ ।” ଅଧରୀବୋଉ କହିଲେ “ସେତେବେଳେ ମୁଁ କହିଥିଲି କି ନାହିଁ ? ଆଗ ଚାହା ପିଠା ବିକା, ସେଇଠୁ ଭାତ ବିକା, ସେଇଠୁ ଝିଅ–”

 

ହଠାତ୍ ଦାମଙ୍କର ମୁଣ୍ଡ ଭିତରେ କେଉଁଠି କ’ଣ ଘଟିଗଲା, ଅତୀତର କେଉଁ ଭୁଲିଲା ସ୍ମୃତିର ମମତା, କେଉଁ କର୍ତ୍ତବ୍ୟବୋଧ, ସେ ଗର୍ଜନ କରି ଉଠିଲେ–’ହଉ, କୁହାଳିଆପଣ ଏତିକିରେ ଥାଉ ।”

 

“ମୋର କି ଯାଉଚି ବା –”

 

କଥାକୁ ଢୋକି ମୁହଁକୁ ମୋଡ଼ି ପଛେଇ ଅଧରୀବୋଉ ଘର ଭିତରକୁ ପଶିଗଲେ । କିନ୍ତୁ ସେ ଏତିକିରେ ହଟିଗଲେ ନାହିଁ । ଦିନଯାକ ଚାଲିଲା ଯିବା ଆସିବା, ଏ ସାହିରୁ ସେ ସାହି ।

 

ସେ ଜନମତ ସଂଗ୍ରହ କରୁଥିଲେ ।

 

ରମା ଚାକିରି କଲେ ତାଙ୍କ ବଂଶର ଆଭିଜାତ୍ୟ କ୍ଷୁଣ୍ଣ ହେବ ବୋଲି ସେ ଯେଉଁ ପ୍ରଚାର କରି ଦେଇ ଆସିଲେ ପ୍ରକୃତରେ ତାଙ୍କର ମନଗହୀରରେ ସେ ବିଚାର ନଥିଲା । ବିଧବା ହେଲା, ସମାଜର ଚଳନ୍ତି ଧାରଣାରେ ତା’ ସଂସାର ହେଲା ଅନ୍ଧାର, ସେମିତି ମୋଡ଼ିମାଡ଼ି ହୋଇ ପଡ଼ିଥାନ୍ତା-। ସେ ପୁଣି ମଣିଷରେ ଗଣା ହେବ ! ରୋଜଗାର କରିବ ! ନିଜ ଗୋଡ଼ରେ ଠିଆ ହେବ-!

 

ଗୋଟାଏ ସମ୍ଭାବିତ ଆଶଙ୍କା । ତାଙ୍କ ହୃଦୟ ଭିତରେ ତୁଳସୀ ଚଉରା ମୂଳେ ସେହି ଦୀପ ହିଁ ଜଳୁଥିଲା । ସେ ବି ପ୍ରାଣପଣେ ଭାବୁଥିଲା–ରମାର ନହେଉ ।

 

ଥରେ ପଦାକୁ ଗୋଡ଼ କାଢ଼ିଲା ପରେ ବାଟରେ ଶଗଡ଼ ଭିତରେ ବସି ରମା ବି ଆଉ ଥରେ ଆପଣା ସମସ୍ୟା ଓ ଅବସ୍ଥା କଥା ଭାବି ସେହି ସିଦ୍ଧାନ୍ତରେ ପହଞ୍ଚୁଥିଲା । ସେ ଧାରଣା ତାଙ୍କ ମନକୁ ସୁହାଉଥିଲା । ଜଗୁ ଶଗଡ଼ରେ ବସି ବି ତା’ ବହିରେ ବୁଡ଼ିଯାଇଛି, ସେ ସତେକି ସେଠି ନାହିଁ-। ଶଗଡ଼ ଟଳି ଟଳିକା ଚାଲିଛି । ସଂକୀର୍ଣ୍ଣ ବାଟମୁହଁ ଆଗବାଟେ ଆଖି ଆଗରେ ଯେଉଁ ଚଳନ୍ତା ଛବିର ସିନେମା ଚାଲିଛି ସେଥିରେ ଦିଶି ଦିଶି ଯାଉଛି ଗୋଟିକ ପରେ ଗୋଟିଏ ହୋଇ କେତେ ଗାଁ ଆଗ ତା’ର ନଡ଼ିଆମାଳ, ବାଉଁଶବଣ, ଆମ୍ବ ତୋଟା, ଗାଁ ନ ଆସୁଣୁ ମନ ଭିତରେ ତା’ ପ୍ରତିଛବି ଫୁଟି ଉଠେ, ତା’ପରେ ଦୃଶ୍ୟ ଆଖିରେ ପଡ଼େ, ପିଲା କାଖେଇ ମାଆମାନେ ଆତଯାତ ହେଉଛନ୍ତି, ବୋଝେ ଅସନା କନାପଟା ବୋହି କେଉଁ ମାଆ ଚାଲିଛି ପୋଖରୀ ଆଡ଼କୁ, କିଏ ମଠେଇ ମଠେଇ ପିଣ୍ଡା ଝାଟୋଉଛି, କିଏ କାନ୍ଥରେ ଘସିଫରା ଛାଟୁଛି, ବେଲପତ୍ରି ଢାଳଧରି ଚାଲିଛି ମହାଦେବଙ୍କ ଭୋପା, କପାଳଯାକ ଚିତା ଛାଉଣି, ମାଛଜାଲ ବୁଣି ବୁଣି କେଉଟ ଚାଲିଛି, ଦଳ ହୋଇ ଗୋଛାଏ ପିଲା ଚାଲିଛନ୍ତି ଇସ୍କୁଲକୁ, ରମା ଆଖି ଆଗରେ ତା’ ପୁଅ ଦିଶି ଦିଶି ଯାଉଛି, ଗୋଟି ଗୋଟି ହୋଇ ଘରର ସମସ୍ତେ ମନେ ପଡ଼ୁଛନ୍ତି, ନୂଆ ବାଗରେ ସେ ଆପଣାକୁ ଦେଖୁଛି, ଆଶ୍ଚର୍ଯ୍ୟ ହେଉଛି ସେ ନା ଆଉ କିଏ ?

 

ଘରର ଡୋରି କାଟି ହେବ, ବିଦେଶରେ ବୁଲି ବୁଲି ଚାକିରି କରିବ । କାହିଁକି ? ସେବା-

 

ସେଥିପାଇଁ କ’ଣ ଗାଁ’ରେ ସ୍ଥାନ ନାହିଁ ? ଆପଣା ଗାଁ’ ଛାଡ଼ି ଆଉ କେଉଁ ଗାଁ’ରେ ତ ସେ କାମ କରିବ ? ନିଜ ଗାଁ’, ନିଜ ଶାଶୂଘର ଗାଁ’ ତେବେ କି ଦୋଷ କଲା ? ଟଙ୍କା ।

 

ମନ ମାନୁନାହିଁ । ପିଲାଦିନୁ ଏଯାକେ ସେ ଟଙ୍କାକୁ ଆଖି ଆଗରେ ରଖି କେବେ କାମ କରିଥିଲା ବୋଲି ତା’ର ମନେ ପଡ଼ୁନାହିଁ । ବରଂ ପିଲାଦିନୁ ସେ ସମାଜରୁ ଏତିକି ଶିଖିଥିଲା ଯେ ଟଙ୍କା ରୋଜଗାର କରିବା ଭାର ଝିଅପିଲାଙ୍କ ଉପରେ ନାହିଁ, ତାଙ୍କ ଉପରେ ଭାର ଯେ ଯେତିକି ମିଳିବ ସେତିକିକୁ ଟାଣି ଓଟାରି ଘର ଚଳାଇବା, ତା’ ସମ୍ଭବ ହେଉ କି ନ ହେଉ ପ୍ରସନ୍ନ ଓ କର୍ମଠ ରହି ଦିନ ବିତାଇଦେବା ।

 

କେବେ ଅଦେଖା ନୂଆ ଜିନିଷ ଉପରୁ ମୋହ କଟିଯାଇ ହଠାତ୍ ସେ ଦିଶୁଛି, ଆତଙ୍କପ୍ରଦ, ଯେପରି ଜହ୍ନରାତିର ଝିଲି ଝିଲି କଟିଯାଇଛି, ସକାଳ ଆଲୁଅରେ ଦିଶୁଛି, ଯାହାଥିଲା କୋମଳ, ସ୍ୱପ୍ନମୟ, ସୁନ୍ଦର, ସେ କର୍କଶ ଓ କୁତ୍ସିତ ।

 

ପରୀକ୍ଷା କରିବେ, ବାଛିବେ, ତେବେ ଯାଇ ନେବେ । ସେ ବଛାବଛିରେ ଉତୁରିବ ନାହିଁ, କେବଳ ଏହି ବିଶ୍ୱାସ ହିଁ ତା’ର ସାନ୍ତ୍ୱନା ।

 

ଶଗଡ଼ ବାଟ କାଟିଲା, ତା’ପରେ ଯାତ୍ରୀବାହୀ ମଟରରେ ବସି ଚଉଦ କୋଶ, ସାଧୁ ମଟର ଷ୍ଟେସନକୁ ଆସିଥିଲା ।

 

ସଞ୍ଜରେ ଭାଇ ସଙ୍ଗରେ କଥାଭାଷା ହୋଇ ପୁଣି ରମାର ସାହସ ଓ ଆଶା ବଢ଼ିଉଠିଲା-। ରମାର ପ୍ରସ୍ତାବିତ କର୍ମପନ୍ଥା ପ୍ରତି ସାଧୁର ବହୁତ ଉତ୍ସାହ । ସାଧୁ କହିଲା, “ଗାଁ’ରେ ବସିଲେ ଲାଗେ ଘର ସତେକି ନିଜ ଉପରେ ଉଗୁଡ଼େଇ ହୋଇ ପଡ଼ୁଛି, ଆଖି ବାନ୍ଧି ହୋଇ ପଡ଼ୁଛି, ବୁଦ୍ଧି ବାଟ ନାହିଁ । ତେଣୁ ସାଧାରଣ କଥାଟାକୁ ବି ଗାଁ’ରେ ବସି ଅନାଇଲେ ଦିଶେ ଅସଜ, ଅବାଗର, ଅସାଧ୍ୟ ।” ସାଧୁର ସହରିଆ ଦୃଷ୍ଟି ସହିତ ଦୃଷ୍ଟି ଯୋଖି ରମାର ପୁଣି ନିଜ ଉପରେ ନିଜର ଭରସା ଫେରି ଆସିଲା । ନୂଆ ଘଟନା କିଛି ଘଟି ନାହିଁ ସତ, କିନ୍ତୁ ତା’ର ନିଜ ଭିତରୁ ଯେପରି ତା’ର କେଉଁ ନୂଆ ବ୍ୟକ୍ତିତ୍ୱ ଠେଲି ହୋଇ ପଦାକୁ ବାହାରିଛି, ହାବେଳି ପରି ଛୁଟି ଚାଲିଛି ଆକାଶମୁହାଁ ହୋଇ, ନିଜପାଖେ ନିଜେ ସମ୍ପୂର୍ଣ୍ଣ ଚିହ୍ନା ନୁହେଁ, ଅଥଚ ସ୍ମରଣରେ କ୍ଷୀଣ ହୋଇ ଅନୁଭବ ହେଉଛି–ତା’ର ସୂଚନା ସେ କେଉଁ ଜନ୍ମରୁ ପାଇ ସାରିଥିଲା, ଜାଣିଥିଲା ଏଇ ପୁରୁଣା ଘଟ ସଂସାର ଭିତରୁ ସେ ନୂଆହୋଇ ଜନ୍ମ ହେବ ଆଉ ଥରେ, ଏମିତି ଲାଗିବ ଯେ ନୂଆ ପ୍ରକାଶ । ଆପଣାଠିଁ ଅନୁଭବ କରୁଛି ପୁରୁଣା ଭିତରୁ ନୂଆ ଜନ୍ମ ହେବାର ସେହି ବିଚିତ୍ର ଯାତନାମୟ ସଂଘର୍ଷ, ଆଖି ବୁଜି ବୁଜି ଆସୁଛି ପୁଣି କେତେ କେତେବେଳେ ଅତି ଖୋଲା ଯେପରି ଫାଡ଼ିହୋଇ ପଦାକୁ ବାହାରି ଅଲଗା ହୋଇଯିବ । ମନେ ପଡ଼ୁଛି, ସୁର ଜନ୍ମ ହେଲା ବେଳର ପାଗଳ ଅନୁଭୂତି ।

 

ତା’ପରେ କେତେବେଳକେ ନୂଆ ପ୍ରକାଶ ସହିତ ତା’ର ପୁରୁଣା ଚେତନା ଏକ ହୋଇ ମିଶି ଯାଇଥିଲା, ମୁଣ୍ଡ ଭିତରେ ଗୋଳମାଳ ।

 

ଭାଇ କ’ଣ କହି ଲାଗିଛି ଖାଲି ସ୍ୱର ଶୁଭୁଛି, ଅର୍ଥ ଘେନି ହେଇନାହିଁ, ଅତୀତ ସହିତ ସତେ ଯେମିତି ତା’ର ସବୁ ସମ୍ପର୍କ ଛିନ୍ନ ହୋଇଛି । ଦମଦମ ଛାତିରେ ଆବେଗରେ ଦପ ଦପ ହୋଇ ସେ ଚାଲିଛି ଅଜଣା ଭବିଷ୍ୟତ ହେବାକୁ, ଚିହ୍ନା ପୃଥିବୀର ଆକର୍ଷଣ ବି ଆଉ ନାହିଁ, ଦେଖା କି ଅଦେଖା ଡୋର ନାହିଁ, ଖାଲି ମହାଶୂନ୍ୟ । ଆଲୁଅ ଗୁଡ଼ାକ ନାଚି ନାଚିକା ଦୂରେଇ ଯାଉଛି । ବସ୍ତ୍ର ଅବୟବମାନ ଝଲସି ଝଲସି ନାନା ରୂପ ହୋଇ ଲୋପ ହୋଇଯାଉଛି ।

 

ଆଖିପତା ବୁଜି ହୋଇଛି ।

 

ସ୍ମରଣରେ ଗୋଟାଏ ଗତିର ହିଁ ଧାରଣା, ବେଗର ନୁହେଁ, ଖାଲି କଳା କଳା କିଟିକିଟି କଳା ଆଉ କେତେ ଦୂରରେ ପଞ୍ଝା ପଞ୍ଝା ତାରାମାନ, ସେହି ଆଡ଼କୁ ବୋଧହୁଏ ସେ ଯାଉଛି, କୌଣସି ଗୋଟିକ ଆଡ଼କୁ ନୁହେଁ, ଆଗରେ ଖାଲି ଦୂରେଇ ଦୂରେଇ ଯାଉଥିବା ଜୁଳୁଜୁଳିଆମୟ ଦୁନିଆ ଗୋଟାଏ । ସେ ଚାଲିଛି ।

 

ଖବରଟା ଗାଁରେ ଯଥା ସମୟରେ ପହଞ୍ଚିଗଲା, ରମା ନିଯୁକ୍ତି ପାଇ ଗ୍ରାମସେବିକା ତାଲିମ ଅନୁଷ୍ଠାନରେ ଯୋଗଦେଲାଣି ।

 

ମାୟା ଦେବୀ ଚିଠି ପଢ଼ି ଥକ୍‍କା ହୋଇ ରହିଲେ । ଦୃଷ୍ଟି ପଡ଼ିଗଲା, ଦୋକାନ ପାଇଁ ତିଆରି ହେବ ବୋଲି ଗୁଡ଼ ମୁଆଁରେ ପଡ଼ିବାକୁ ଭଜା କଖାରୁ ମଞ୍ଜି ପାଚିଆରେ ପଶି ଥୁଆ ହୋଇଥିଲା ଗେହ୍ଲା ଝିଅ ତିଳ ସେଥିରୁ ପୁଞ୍ଜିଏ ଆଣି ଅଣ୍ଟିରେ ପୂରାଇ ମୁଡ଼ୁ ମୁଡ଼ୁ କରୁଛି, ଦିନେ ନାହିଁ କାଳେ ନାହିଁ ମାୟା ଦେବୀ ତା’ ପିଠିରେ ଗୁମ୍‍ କିନା ଗୋଟିଏ ଥୋଇଦେଲେ, ଥରେ ତୁଣ୍ଡରୁ ବାହାରିଗଲା–“ଶତ୍ରୁ ଗୁଡ଼ାକ ।” ତିଳର କଇଁ ଉଠିଲା, ମାୟା ଦେବୀ ଖାଲି ଥକ୍‍କା ହୋଇ ଅନାଇଁ ରହିଲେ, ସତେ ଯେପରି ଆଖି ଆଗରେ ସ୍ୱପ୍ନ ପରି କ’ଣ ଘଟିଯାଉଛି, କ’ଣ ଘଟୁଛି ସେ ବୁଝିପାରୁ ନାହାନ୍ତି କି ସେଥିରେ ତାଙ୍କର କୌଣସି ସମ୍ପର୍କ ନାହିଁ । ଜଗୁ ଇସ୍କୁଲକୁ ବାହାରିଥାଏ, ବହି ଖାତା ତଳେ ଥୋଇଦେଇ ଗୋଟିଏ ହାତରେ ତିଳର ଟିକି ଦେହଟିକୁ ବେଢ଼ାଇ ଧରି ଆର ହାତରେ ବୋଉଠୁଁ ଖୋଲାଚିଠିଟା ଓଟାରି ନେଇ ସେ ଦାଣ୍ଡ ଆଡ଼କୁ ଚାଲିଗଲା, ମାୟା ଦେବୀ ଆଡ଼ଆଖିରେ ତେଣେ ଚାହିଁଦେଲେ, ସେ ବି ଲାଗିଲା ଆଶ୍ଚର୍ଯ୍ୟ କିନ୍ତୁ ମନ ଏଥର ଘଟନାର ତାତ୍ପର୍ଯ୍ୟ ବାରି ଶିଖିଲାଣି, ଜଗୁ ପରି ପାଠ–ସର୍ବସ୍ଵ ପିଲା ତା’ର ପାଠପଢ଼ା ତା’ର ଇସ୍କୁଲ କଥା ଓ ଆପଣା ସ୍ୱାର୍ଥ ଛଡ଼ା ଆଉ କିଛିକୁ ମନଦେବା ଦେଖିବା ତାଙ୍କ ପକ୍ଷରେ ଆଜି ନୂଆ ।

 

କଥାଟାକୁ ଲୁଚାଇ ରଖି ଲାଭ ନାହିଁ, ସେ ନିଜେ ପ୍ରଘଟ କରିବେ, ଆପଣା ତୁଣ୍ଡରେ । ନିଷ୍ପତ୍ତିଟା ମନକୁ ମନ କରିନେଇ ଦମ ଦମ ହୋଇ ଚାଲିଗଲାବେଳେ ଗାମ୍ଭୀର୍ଯ୍ୟ ଭିତରେ ଏକ ପ୍ରକାର ଉଲ୍ଲାସ ସେ ଅନୁଭବ କରୁଥାନ୍ତି, ସତେ ଯେପରି ସେ ଜହର ପିଇବାକୁ କି ଦଉଡ଼ି ଦେବାକୁ କି କୂଅକୁ ଡେଇଁ ପଡ଼ିବାକୁ ଯାଉଛନ୍ତି । ଆଗ ହାବୁଡ଼ିଲା ରମାର ପୁଅ ସୁର, ସୁନା କାଖେଇଛି । “ହତଭାଗା ପିଲା, କପାଳ ତ ନାଇଁ, କ’ଣ ଅଛି ?” କୁଲୁକୁଲିଆ ପିଲାଟି ତାଙ୍କ ମୁହଁର ଘଣୀରୁ କିଛି ଅର୍ଥ ବୁଝିଲା ନାହିଁ, ତାଙ୍କ ଭାଷା ବୁଝିଲା ନାହିଁ, କାଖ ହେବାକୁ ହାତ ବଢ଼ାଇ ଦେଲା, ଭିଡ଼ି ଓଟାରି ହେଲା । ସେଠି ବି ସେ ପଥର । କହିଲେ “ଶୁଣିଲୁଣି ସୁନା,–ନାଇଁ ଥାଉ ଆଗ ମୂଷା ଭାରିଯାକୁ କହିଦେଇ ଆସେ ।”

 

ମୂଷାଭାରିଯା ସହିତ ଗୋପନରେ ତା’ର ମନ ମିଳେ ବୋଲି ତାଙ୍କର ଧାରଣା, ପାହାରଟା ଆଗ ବାଜୁ ସେଠି । କିନ୍ତୁ ରେବ ସବୁ ଶୁଣି କହିଲା “ଭାରି ଭଲ ହେଲାତ ଖୁଡ଼ୀ, ଏଥର ତାଙ୍କ ପରି ସେ, କେତେ ଦେଶ ଦେଖିବେ, କେତେ ଲୋକଙ୍କର କେତେ ଉପକାରରେ ଆସିବେ, ପଢ଼ିବେ ଜାଣିବେ ବୁଧି ଖେଳେଇବେ ଜୟ ଜୟକାର ପଡ଼ିବ, ଆମ ପରିକା ଘରକଣରେ ତ ଆଉ ସଢ଼ିବେ ନାହିଁ !”

 

“ରଖିଦେ ଲୋ !” କଥାଟା ତଣ୍ଟିଯାକେ ଉଠି ଆସିଥିଲା, ଆଉ ଉଠି ପାରିଲା ନାହିଁ । ରେବ ହସୁ ନଥିଲା, ସତେ ଯେମିତି ତା’ ମୁହଁରେ ତୁଣ୍ଡରେ ଦୀନ ଉଦାସ ଭାବର ପଟ୍ଟଭୂମି ଉପରେ ସହଜ ଆନ୍ତରିକତା ଫୁଟି ଉଠିଥିଲା, ସତେ ଯେପରି ସେ ରମା ସଙ୍ଗେସଙ୍ଗେ ନିଜକୁ ତଉଲି ଦେଖି ନେଉଛି, ବିଷର୍ଣ୍ଣ ହେଉଛି ।

 

ଲେଉଟି ଆସିଲେ । ଏଥର ହାବୋଡ଼ି ଗଲେ ଆନନ୍ଦଙ୍କ ସ୍ତ୍ରୀ ଶାନ୍ତିବୋଉ, ସମ୍ପର୍କରେ ସାନ ଜା’ । ଗାଁ’ରେ କାହାଘର କେଉଁ କଥା କାନରେ ବାଜିଗଲେ ଶାନ୍ତିବୋଉ ବିନା ଡକରାରେ ଆଲୋଚନା କରିବାକୁ ପହଞ୍ଚିଯାଆନ୍ତି, ଜିରାରୁ ଶିରା କାଢ଼ି କଥା ଗପନ୍ତି ବଡ଼ ପାଟିରେ ପ୍ରଚାର ବି କରନ୍ତି । ତାଙ୍କର ଗର୍ବ ତାଙ୍କର ବିଚାରଗୁଡ଼ିକ ସବୁ ପୁରୁଣା ମାର୍କାମରା, ସବୁ ନିଦା, ସବୁ ଖାଣ୍ଟି, ଯେମିତି ଚଉଁରିଭୁଣ୍ଡି ନୋଥ ଆଉ ଖଡ଼ୁ ଆଉ ପାଉଞ୍ଜି, ଯେମିତି ଚୁଆ ପଡ଼ିଥିବା ଗୁଣ୍ଡି ଆଉ ପ୍ରଚୁର କେତକୀ ଖଇର ଦିଆହୋଇ ମୋଟସୋଟ ପାନ ଖିଲ ଖଣ୍ଡିକ ।

 

ମାୟା ଦେବୀଙ୍କ ଅନ୍ତର ଉତପ୍ରେକ୍ଷାରେ ଚଞ୍ଚଳ ହୋଇଉଠିଲା ମନ କହିଲା, “ଏଇ ଦେବେ ପାହାର ।” ମଗୁଶିର ମାସ ଗୁରୁବାର ସକାଳେ କାକର ପାଣି ଢାଳିହେବା ଆଗରୁ ଦେହକୁ କାଠକରି ଆଖି ବୁଜିଦେଲା ପରି ସେ ଅପେକ୍ଷା କଲେ । କିନ୍ତୁ ଶାନ୍ତିବୋଉଙ୍କର ହଠାତ୍ ମନେପଡ଼ିଛି ବହୁ କାଳର ଅନୁଭୂତିଟିଏ, ସେତେବେଳେ ସେ ବଡ଼ ସହରରେ ଡାକ୍ତରଖାନାରେ ପଡ଼ିଥିଲେ, ସେବା କରୁଥିଲା ନର୍ସଟିଏ, ଧୋବ ଫରଫର ପୋଷାକରେ କେଉଁଠି ମଳି ଟିକିଏ ନଥାଏ, ମୁଣ୍ଡର ସୁନ୍ଥାରୁ ଗୋଟିଏ ବି ବାଳ ଏକର ସେକର ହୋଇନଥାଏ, ସବୁବେଳେ ପ୍ରସ୍ତୁତ, ସବୁବେଳେ ପ୍ରସ୍ତୁତ, ସବୁବେଳେ ସଜାସଜି, ସତେ ଯେମିତି ସେ ଡାକ୍ତରଖାନା ବଖରାର ଧୋବ କାନ୍ଥ, ଆଲମିରାରୁ କଢ଼ା ହୋଇଥିବା ନୂଆ ବ୍ୟାଣ୍ଡେଜ୍, ଟେବୁଲ ଉପରେ ଥୁଆ ହୋଇଥିବା ଜିକିଜିକି କଇଁଚି,–ନା, ତଥାପି ଖାପୁନାହିଁ । ଚିହ୍ନା ଅନୁଭୂତି ଭିତରେ ଉପମା ମନେ ପଡ଼ୁନାହିଁ, ସତେ ଯେମିତି ଗୋବରଲିପା ପିଣ୍ଡା ଉପରେ ମୁରୁଜ ଓ ସିନ୍ଦୂରରେ କଟା ଯାଇଥିବା ଚିତ୍ର ଉପରେ ସଜା ହୋଇ ଥୁଆ ହୋଇଥିବା ପୂଜା ଉପକରଣମାନ, ଯାହା ସ୍ଥାନରେ ସେ, କଳସ, ଫୁଲ, କଦଳୀପତ୍ର, ପିଢ଼ା, କରହିଆ, ଦୀପ, ଧୂପ, ନା ତା’ ବି ନୁହେଁ, ଏଥିରେ ଅଛି ଆଡ଼ମ୍ବର ସଙ୍ଗେ ସଙ୍ଗେ ଦବକ ଆଉ ଅଜଣା ପ୍ରତି ଡର, ଓ ତାଙ୍କ ନିଜ ମନର କଳ୍ପନା, ସେ ନର୍ସର ବେଶରେ ତା’ ନଥିଲା ।

 

ସେଥିରେ କାର୍ଯ୍ୟକୁଶଳତା, କ୍ଷିପ୍ରତା ଓ ତତ୍ପରତା ଥିଲା, କିନ୍ତୁ ସେ ସତେକି ଧରା ଦିଏ ନାହିଁ, ସେବା କରେ କିନ୍ତୁ କିଛି ଖୋଜେ ଲୋଡ଼େ ନାହିଁ, ସେବାର ସ୍ୱୀକୃତ କି କୃତଜ୍ଞତା ଶୁଣିବାକୁ ବି ଅପେକ୍ଷା କରେ ନାହିଁ, ଅପସରି ଯାଏ, ସେବା କରିବା ଦରକାର ଥିଲାବେଳେ ସେ କୁଆଡ଼ୁ ଆସି ପହଞ୍ଚିଯାଏ, ସେତେବେଳେ ତାଠିଁ ଅଳସେଇ ହେବା ସକ ନାହିଁ, ସେବା କରୁଥିଲାବେଳେ ବି ସେ ରକ୍ତ ମାଂସ କିନ୍ତୁ ମଣିଷ ନୁହେଁ, ଆଉ କ’ଣ । ସେବା ଦରକାର ନ ଥିଲାବେଳେ ସେ ଖାଲି ଚଳନ୍ତି ଛାଇ ରକ୍ତ ମାଂସର ଉପାଦାନ ବି ନୁହେଁ ।

 

ସେହି ମୂର୍ତ୍ତି ସେହି ଅତୀତ ଶାନ୍ତିବୋଉଙ୍କର ମନେ ପଡ଼ିଯାଉଥାଏ । ରୋଗିଣୀ ହୋଇ ଖଟରେ ପଡ଼ି ସେ ମୂର୍ତ୍ତିଙ୍କି ଚାହିଁଲେ ଲାଗୁଥାଏ– “ସରକାରୀ ମଣିଷ ଏମିତି ହୁଅନ୍ତି, ଯେତେ ସେବା କରନ୍ତୁ, ଆପଣାର ନୁହଁନ୍ତି ।” ବେଳେ ବେଳେ ଭାବି ହେଉଥାଏ, “ଦରମା ତ ପାଉଥିବ । କେତେ କେଜାଣିଟି ?” ତା’ ଘର କେଉଁ ଗାଁରେ ହୋଇଥିବ, କାହାର ଝିଅ କାହାର ଭାରିଯା, ପିଲାଛୁଆ କେତୋଟି, ବର କ’ଣ କରେ,–ସେ ନ ଥିଲାବେଳେ ଶାନ୍ତିବୋଉ ସେମିତି ବି ମନେ ମନେ ଭାବି ଭାବି ନିଜ ସଙ୍ଗେ ନିଜେ ଖେଳନ୍ତି, ଯନ୍ତ୍ରଣା ଭୁଲି ହୁଏ । କିନ୍ତୁ ତାକୁ ଦେଖିଦେଲେ ସେ ପ୍ରଶ୍ନ ମନେପଡ଼େ ନାହିଁ, ଖାଲି ଗୋଟାଏ କଳାଟାଏ ସେ ତା’ର ବ୍ୟକ୍ତିଗତ ଜୀବନ ନଥିବ, ସେ ସରକାରୀ, ସେ ଦରମା ପାଏ, ସେ କାମ କରେ, ଏ ଖଟମାନଙ୍କ ସହିତ ତା’ର ସମ୍ପର୍କ, ମଣିଷ ସହିତ ନୁହେଁ । ଭୋକ କି ଶୋଷ, ପରିଶ୍ରମ କି ବିଶ୍ରାମ, ଦିନ ଖଟଣି କି ରାତି ଖଟଣି, ତା’ ନିଜ ଜୀବନରେ ଏସବୁ ସହିତ ତା’ର ଆଦୌ ସମ୍ପର୍କ ଥିବ ସେ ଭାବି ପାରନ୍ତି ନାହିଁ ।

 

ମାୟା ଦେବୀଙ୍କ ମୁହଁକୁ ଚାହିଁ ଚାହିଁ ଅତୀତର ସେହି ଅଭିଜ୍ଞତା ଉପରେ ଦମ୍ଭ ହୋଇ ଠିଆ ହୋଇ ରହି ଶାନ୍ତିବୋଉ କ’ଣ କହିବେ ବୋଲି ଓଠ ଥରାଇଲେ, ମାୟା ଦେବୀ ତାଙ୍କ ଆଖିକି ଚାହିଁ ତଳକୁ ମୁହଁ ପୋତିଲେ, ମନେ ମନେ ନୀରବରେ ପ୍ରତିଧ୍ୱନି ଖେଳାଇ ଉଠୁଥାଏ ସେହି କଳ୍ପିତ ଟିପ୍‍ପଣୀ–“ଏଇଆ କଲା !”

 

କିନ୍ତୁ ଶାନ୍ତିବୋଉ ଦେଖୁଥିଲେ ଆଉ ଗୋଟାଏ ଦୃଶ୍ୟ । ରାତି କେତେ ହେବ କେଜାଣି ଜଣା ନାହିଁ । କେହି ଚେଇଁ ନାହାନ୍ତି । ଏତେ ଖଟ ପଡ଼ିଛି ସେଗୁଡ଼ାକ ଆଉ କିଛି, ସେଥିରେ ଶୋଇଥିବା ମାଇପେ ଖାଲି ଯେମିତି ନିଶ୍ଚଳ ପିତୁଳା, ଅଲୁଅଟା ବି ଏ ପୃଥିବୀର ଦିନ ଆଲୁଅ କି ରାତି ଆଲୁଅ ନୁହେଁ, ଆଉ କେଉଁ ପୁରର । ଏ ସଂସାର ପ୍ରତି ଅଭିମାନରେ ମନଟା ଫାଟି ପଡ଼ୁଥାଏ, ଡର ମାଡ଼ୁଥାଏ । କୁକୁରଗୁଡ଼ାକ ଏକାଠି କି ବିକଟାଳ ବୋବାଳି ଛାଡ଼ିଲେ । ଦୂରରୁ ରେଲ୍‍ର ଗର୍ଜନ ଶୁଭିଲା, ଗମ୍ଭୀର, ଯେପରିକି ବିକଟ ସ୍ଵରର ନେତୃତ୍ୱ ନେଲା । “କୁଆଡ଼େ ଆସିଲି ! କୁଆଡ଼େ ସବୁ ଗଲେ ! କିଏ ମୋର !” ସେ ବିକଳ ହୋଇ ଭାବୁଥିଲେ । ତୁହାଇ ତୁହାଇ ହୋଇ ଦେହଯାକ କମ୍ପ ଖେଳିଯାଉଛି । ଆଉ ସେତିକିବେଳେ ଲାଗୁଛି, ଦେହଟାଏ ଥିଲା, ସେ କୁଟାକାଠି ହୋଇଯାଇଛି, କୁଟାକାଠିଗୁଡ଼ାକ ବି ଖଣ୍ଡ ଖଣ୍ଡ ହୋଇ ଭାଙ୍ଗିଯାଉଛି, ତାହାରି ଅନ୍ଧ ସନ୍ଧିବାଟେ ଜୀବନ ପଳାଉଛି, ବୋହିଯାଉଛି, ଆଖି ଆଗରେ ଜୁଳୁଜୁଳିଆ ପୋକଗୁଡ଼ାକ ମେଞ୍ଚାମେଞ୍ଚା ହୋଇ କତିକି କତି ଲାଗି ଆସୁଛନ୍ତି ପୁଣି ଫିଟି ଦୂରେଇଯାଉଛନ୍ତି । କ’ଣ ହୋଇଯାଉଛି । ସେତେବେଳେ ଶେଷ ଧାରଣା ଆସୁଥାଏ–ଶାଖା ନାହିଁ, ସୋଦର ନାହିଁ, ସାହା ନାହିଁ, ଭରସା ନାହିଁ, ଅପନ୍ତରାରେ ପଡ଼ି ପଡ଼ି ସେ ମରୁଛନ୍ତି, କେହି ତାଙ୍କୁ ଦେଖୁନାହିଁ, ପଚାରୁନାହିଁ ଲୋଡ଼ୁ ନାହିଁ । ମନର ସେହି ଅବସ୍ଥାରେ ଆଉଥରେ ହେତୁ ହେଲାବେଳକୁ ପାଖରେ ଥିଲା ସେ । କେତେବେଳେ ତାଙ୍କର ଅସ୍ପଷ୍ଟ ଚିତ୍କାର ଶୁଣି ସେ କୁଆଡ଼ୁ ଚାଲିଆସିଥିଲା ସେ ଦେଖି ନଥିଲେ । ଯେତେବେଳେ ଦେଖିପାରିଲେ ସେତେବେଳେ ସେ ସେବାରେ ଲୋଟୁଛି । ତଳଆଡ଼ୁ ବିଛଣା ଅପରିଷ୍କାର ହୋଇ ଯାଇଥିଲା, ସେ ତାକୁ ପରିଷ୍କାର କରୁଛି, ବିଛଣା ବଦଳାଉଛି । କତିରେ ବସିପଡ଼ି ମୁଣ୍ଡ ଆଉଁସି ଦେଇ କହିଲା “ଦେହ ତ ଆଗଠୁଁ କେଡ଼େ ଭଲ ଅଛି ଆଇ, କେଡ଼େ ଜଲ୍‍ଦି ଜଲ୍‍ଦି ଭଲ ହୋଇଯାଉଛି, ଆଉ କ’ଣ ଡର ମାଡ଼ିଲା ? ଏକୁଟିଆ ଲାଗିଲା, ନୁହେଁ ? ଓଷଦ ଖୋଇଦେଇଛି । ଜାଣିପାରିଲ ନାହିଁ ? ବୋଧହୁଏ ନିଦରେ କ’ଣ ସ୍ୱପ୍ନ ଦେଖି ଚମକିପଡ଼ିଲ ଆଉ ବାଉଳା ହୋଇ ନିଦ ଭାଙ୍ଗିଗଲା । ଛାଡ଼ । ସେମିତି ହୁଏ । ଶୋଇପଡ଼ । ମୁଁ ତ ତମ ପାଖେ ପାଖେ ଅଛି ।” ତା’ର ଅଳ୍ପ ହସ ହସ ମୁହଁଟି, ଶୀତଳ କଥା କେଇପଦ, କେଡ଼େ ଧୀର ! କେଡ଼େ ଆପଣାର ଲାଗୁଥାଏ, ଯେମିତି ଯେଉଁ କାଳର ଚିହ୍ନା । ଲାଗୁଥାଏ, ଏଇ ମୋ ବୋଉ, ଏଇ ମୋ ଝିଅ, ଏଇ ମୋ ଭଉଣୀ ।

 

ସଂସାରରେ ଖାଲି ଆମେ ଦୁହେଁ, ଆଉ ସବୁ ନିଛାଟିଆ, ନିମଣିଷିଆ, ଅନ୍ଧାର, କାଳର । ତା’ ପୋଷାକ, ତା’ ଚେହେରା, ତା’ ବ୍ୟକ୍ତିତ୍ୱରେ ଯାହାକିଛି ଲାଗୁଥିଲା ଅଡ଼ୁଆ କି ଅଚିହ୍ନା ସବୁ କୁଆଡ଼େ ଉଭେଇଗଲା, ଆଖିବାଟେ ନୁହେଁ, ହୃଦୟବାଟେ ଚିହ୍ନିହେଲା ଆଉ ଗୋଟିଏ ହୃଦୟକୁ, ସେ ରାତିର ସେ ଚିହ୍ନାଚିହ୍ନି ଭୁଲି ହେଲା ନାହିଁ । ପଛେ ଡାକ୍ତରଖାନାରୁ ବିଦା ହୋଇ ଆସିଲାବେଳେ ସେ ତା’ର ଦୁଇ ହାତକୁ ଧରି କାନ୍ଦିଥିଲେ, ତା’ ମୁହଁ ବି ଥମ ଥମ ହୋଇଥିଲା, ଆଖି ଛଳଛଳ ଦିଶୁଥିଲା । ସେତେବେଳେ ତା’ ସମ୍ପର୍କରେ ମନ ଭିତରେ କେତେ ଇଚ୍ଛା ଆସିଥିଲା,–ଜମି ପଛେ ବିକାହେବ ୟା’କୁ ମୁଁ ଖୋଜିବି ଲୋଡ଼ିବି, ୟେ ମୋର କାଳକାଳକୁ ଝିଅ ହୋଇ ରହିଲା, ବଡ଼ି ପାରି ପଠୋଉଥିବି, ଆଚାର ଆଉ ଗୁଆଘିଅ ଆଉ ସରୁ ଚୂଡ଼ା ଆଉ ଯେତେ ପୁନେଇଁ ପରବ ସବୁଥିକି ବେଭାର । ଏବେବି କେବେ କେବେ ମନେପଡ଼େ, କରି ହୁଏ ନାହିଁ ।

 

ଦେହ ଭଲ ହେଲା, ଡାକ୍ତରଖାନା ସହିତ ସମ୍ପର୍କ ତୁଟିଲା, ପୁଣି ସେ ପରିବେଷ୍ଟନୀର ଦୃଶ୍ୟ କେତେ ଦୂର ଦୂର ଲାଗିଲା ।

 

କିନ୍ତୁ ପୋଥି ପୁରାଣରୁ ପଢ଼ୁଥିବା ଜ୍ଞାନ ସହିତ ଆଉ ଗୋଟିଏ ଦର୍ଶନ ଯୋଡ଼ି ହୋଇଗଲା,–ପୋଷାକ ତଳେ ଚେହେରା ତଳେ ସୁଖ ଦୁଃଖ ସ୍ନେହ ସହାନୁଭୂତି ଥାଇ ଗୋଟିଏ ମଣିଷ ଅଛି । ଚେହେରା ଦେଖିଲେ ସେ ଲାଗେ ଅଚିହ୍ନା, ପୋଷାକ ଢାଙ୍କି ହୋଇ ଆପଣା ବୃତ୍ତିରେ କାମ କରିଗଲାବେଳେ ସେ ଦିଶୁଥାଏ କଳପରି, ସବୁ ଯେମିତି କଇଁଛ ଖୋଳ, କି ନଡ଼ିଆ ସଢ଼େଇ, ଭିତରେ ମଣିଷ ଅଛି ।

 

ଡାକ୍ତରଖାନା ଭିତରେ ସେ ନର୍ସ ପ୍ରତି କୃତଜ୍ଞତା ଆସିଥିଲା, ଦୂରରୁ ଭାବିଲା ବେଳେ ଖାଲି କୃତଜ୍ଞତା ନୁହେଁ, ସମ୍ମାନ ଆସିଲା । ସ୍ପଷ୍ଟ ହୋଇ ଭାବି ହେଉଥାଏ, ଏମିତି ତାଙ୍କରି ପରି କେଜାଣି କେତେ ଆସୁଥିବେ, ଶହ ଶହ ହଜାର ହଜାର, କେତେ ରାତି ପାହୁଥିବ, କେତେ ଝଡ଼ି ବରଷାର କାଲୁଆ ପାଗ, ନିଛାଟିଆ, ବିକଟାଳ କାଳବେଳା । ସେମାନେ ତା’ ହାତରୁ ସେବା ପାଇ ଚାଲି ଯାଉଥିବେ । ସୁଖ ବେଳେ ସେ କାହାରି କିଛି ନୁହେଁ, ଦୁଖଃବେଳେ ସେ ସମସ୍ତିଙ୍କର ସବୁ । ସେ ମୂଳ ଖୋଜେ ନାହିଁ । ପ୍ରତିଦାନ ମାଗେ ନାହିଁ, ଶୁଶ୍ରୂଷା କରେ । ନାଁ ଖୋଜେ ନାହିଁ, ଲୋଡ଼େ ନାହିଁ କେହି ତାକୁ ଚିହ୍ନୁ ।

 

ଗ୍ରାମ-ସେବିକା । ‘ସେବିକା’ ଶବ୍ଦରେ ମହୁ ଅଛି । ନର୍ସ ନ ହେଉ, ନର୍ସ ପରି । କାର୍ଯ୍ୟକ୍ଷେତ୍ର ଭିନେ, ଉଦ୍ଦେଶ୍ୟ ଏକାପ୍ରକାର । ତ୍ୟାଗ, ସେବା, ନିଃସ୍ୱାର୍ଥ ପରିଶ୍ରମ । କେତେ ପୁରୁଷର ତପଫଳ ଥିଲେ ଗୋଟିଏ ପିଲା ହୁଏ ସନ୍ନ୍ୟାସୀ । ସେମିତି ତ । ମଣିଷଙ୍କୁ ସେବା କରିବା ବ୍ରତ ।

 

ଶାନ୍ତିବୋଉ ମାୟାଦେବୀଙ୍କ ମୁହଁକୁ ଅନାଇଁଲେ । କହିଲେ–“ଅପା, କ’ଣ ନାଙ୍କରା ହେଲା ? କେଡ଼େ କପାଳ । ବାପ ମା’ଙ୍କର ସେମିତି ସ୍ୱୀକୃତ ଥିଲା ବୋଲି ସିନା ! ଆଲୋ ଘୁଷୁରି ପେଟରୁ ପଲ ପଲ ଜନମ ହୁଅନ୍ତି, ସେଗୁଡ଼ାକ ଘୁଷୁରି ହୁଅନ୍ତି, ତାଙ୍କ ଜୀବନରେ ଆଉକିଛି ଭଲ ଥାଏ ? ସେମିତି । ତୁମେ ହେଲେ କେତେ ଆମେ ହେଲେ କେତେ ? ଖାଲି ଆପଣା ସାର୍ଥିକାପଣରେ ଆପଣା ଆପଣା ଘରକରଣାଟି ମାନ ନା ଆଉ କିଛି ? ୟେ ଗଲା ଗାଁ ଗାଁ ବୁଲି ସେବିକା ହେବ, ରାଇଜଯାକର ଭଲ କରୁଥିବ । ଦେଖୁନା, ଡାକ୍ତର ଡାକ୍ତରାଣୀ ନର୍ସମାନଙ୍କୁ, ସକାଳୁ ଉଠି ରାତିରେ ଶୋଇବାକୁ ଗଲାଯାକେ ଚିନ୍ତା ଖାଲି ଗୋଟିଏ, ପରର ଉପକାର କରିବେ । ଏଡ଼େ ଭାଗ୍ୟ କାହାର ଥାଏ ? ତା’ ଗୋଟିକ ପୁଅକୁ ତୁମେ ପାଳ, ରାଇଜଯାକ ପୁଅକୁ ପାଳୁଥିବ ସେ । ଧନ୍ୟ ଧନ୍ୟ ପଡ଼ିଥିବ । ତୁନି ହୋଇ ଚାଲିଗଲା ଯେ ଟିକିଏ ବି ହୋ ହୋ ନାଇଁ । ତାକୁ ଯେ କହିବ ପିଲା ।”

 

ମାୟାଦେବୀ କାବା ହୋଇ ଶୁଣିଲେ ।

 

ସତେ କ’ଣ ? ନା ଶାନ୍ତି ବୋଉଙ୍କର ଏ ଖାଲି ପର ଆପଣା ଭେଦ ରଖା କଥା, ନିଜ ପୁଅ ହୋଇଥିଲେ କହନ୍ତେ ମୂଲ ଲାଗ ପଛେ ଆଗ ପେଟ ପୋଷ୍, ଘର ସଂସାର କର, ପର ପୁଅକୁ ବତେଇବେ ଯା, ବଇଷମ ହ, ଚଉଦ ପୁରୁଷ ସ୍ଵର୍ଗରେ ବସିବେ । ଶାନ୍ତି ହୋଇଥିଲେ କହନ୍ତେ ଯାଇ ଗ୍ରାମ ସେବିକା ହ ?

 

ସତେ ଯେମିତି ଆପଣା ମତର ଆନ୍ତରିକତା ଅଛି ବୋଲି ପ୍ରମାଣ ଦେବାକୁ ଶାନ୍ତିବୋଉ ସାହିରେ ଗପି ବୁଲିଲେ, ତୁଣ୍ଡକୁ ତୁଣ୍ଡ ହୋଇ ଖବର ଖେଳି ଖେଳି ବେଳେବେଳେ ମାୟାଦେବୀଙ୍କ କାନରେ ଆସି ବାଜିଲା, ସମସ୍ତେ କହିଲେ– “ଭଲ ହେଲା, ଭଲ ହେଲା ।” ବାହାର ସମ୍ବାଦପତ୍ରର ମତାମତ ବଖାଣିଲା ପରି ହଟଦାସର ଝିଅ ଫୁଲ ସହିତ ତା’ ବିଧବା ପିଇସୀ କିଆ ଆସି ତାଙ୍କ ଆଗରେ ପ୍ରଶଂସା କରି କହିଗଲା– “ସମସ୍ତେ କହୁଛନ୍ତି, କେଡ଼େ ଭଲ ହେଲା, ଦେଈ ହେଲେ ଗ୍ରାମ-ସେବିକା । ଗାଁ’ ଯାକ ସମସ୍ତେ ଧନ୍ୟ ଧନ୍ୟ । ସରପଞ୍ଚ ବାଇ ସାହୁ ପରା କୁଆଡ଼େ କହୁଛନ୍ତି, ପଞ୍ଚାଏତ ମିଟିଙ୍ଗିରେ ପ୍ରସ୍ତାବ ପାସ୍ କରେଇ ନେଇ ସରକାରଙ୍କ ପାଖକୁ ପଠାଇବେ ଯେ ଦେଈଙ୍କ ଟ୍ରେନିଙ୍ଗ୍ ସରିଲେ ତାଙ୍କୁ ଏଇଠିକି ପଠାହେଉ । ଭଲହେବ, ନାଇଁ ?” ମାୟାଦେବୀ ଦୀର୍ଘଶ୍ୱାସ ପକାଇଲେ ।

 

ଦିନଯାକ ମଣିଷ ନ ହେଲେ କାମ । ଚାହା ଜଳଖିଆ ଦୋକାନ ସାଙ୍ଗକୁ ହୋଟେଲ, ପିଲାଙ୍କ ନେଞ୍ଜେରା । ସବୁଠୁ ବଡ଼ ନେଞ୍ଜେରା ରମାର ପୁଅ ସୁର । କିନ୍ତୁ ରମା ଗଲା ଦିନୁଁ ସୁର ପ୍ରତି ରେବର ଯତ୍ନ ଯେପରିକି ଅଧିକରୁ ଅଧିକ, ରେବର ସେ ଖେଳଣା କଣ୍ଢେଇ, ହାତଛଡ଼ା କରିବାକୁ ଲୋଡ଼େ ନାହିଁ, ଏଡ଼େ ସୋଗ ଯେମିତି ଯେ ହେଲେ କହନ୍ତା ଏଇଟି ତା’ ନିଜର କୋଡ଼ପୋଛା ପୁଅ, ମୀନା କୁନାଙ୍କ ତଳେ ୟେ । ଆଉ ଏ ଘରେ ତାକୁ ଟାକି ବସିଥାଏ ଫୁଲ, କେବେ ତା’ ଉପରେ ଅସରାଏ ଦେଲେ ସେ ଯେମିତି ଧନ୍ୟ ଧନ୍ୟ ହୁଏ । ଆଉ ପିଲାମାନେ ସମସ୍ତେ । ଯେମିତି ସେ ରାଜ୍ୟଯାକ ପିଲାଙ୍କର ଗଣ୍ଠି । ସେକଥା ବି ମାୟାଦେବୀ ଭାବନ୍ତି, ଭଗବାନଙ୍କର ଏମିତି ଭିଆଣ, ବାପ ମଲା, ମା’ ଦୂରରେ ରହିଲା, ବୋଧହୁଏ ଏଇହା ହେବ ବୋଲି ଏ ପିଲା ଏମିତି ଉପାଦାନରେ ଗଢ଼ା ହୋଇଛି ଯେ ତା’ର ଅଝଟ ନାହିଁ, ସବୁଠିଁ ପୁଣି ସମସ୍ତିଙ୍କ ପାଖରେ ସେ ନିଶ୍ଚିନ୍ତ, ନିଧଡ଼କ । ଏମିତିଆ ପରା ଦଇବର ବିଧାନ, ଯେ ଯାହା ହେବ ବୋଲି କପାଳରେ ଲେଖାଥାଏ ଦଇବ ତା’ ସ୍ଵଭାବକୁ ବି ଆଗରୁ ସେମିତି ପଢ଼ିଥାଏ ।

 

କୁଳିଆବୋଉ ଥିଲେ କ’ଣ କହିଥାନ୍ତେ ?

 

ମନ ଭିତରେ ଦ୍ଵିଧା ଦୋ’ସନ୍ଧି ବେଳେ ବାରମ୍ବାର ସେ ତା’ ଅଭାବ ଅନୁଭବ କରୁଥିଲେ-

 

କାମଦାମ ଗହଳ ଚହଳ ଆଉ ଦେଣ ନେଣର ହିସାବ ତୁଟିଯାଏ, ଖିଆପିଆ ସରେ–ପିଲାଏ ଶୋଇପଡ଼ନ୍ତି । ନଲଟଣ ନିଭେ । ଶୋଇବା ଆଗରୁ ଠାକୁରଙ୍କୁ ସ୍ମରଣ କରିବାକୁ ହେବ, ପିଲାଦିନୁଁ ଶିଖିଛନ୍ତି, ସେହିଆ କରିଥିଲେ ତାଙ୍କ ବାପାବୋଉ, ତା’ ଆଗରୁ ଅଜା ଆଈ, ତା ଆଗରୁ ପଣଅଜା ପଣଆଈମାନେ । ସେହି ପରମ୍ପରା ପାଳିବାକୁ ମନେ ମନେ ମୁଣ୍ଡ ନୂଆଁଇଲା ବେଳେ ଅନ୍ଧାର ଭିତର ସତେ ଯେମିତି ସେହି ମଲା ହଜିଲାମାନଙ୍କ ଉପସ୍ଥିତିରେ ହଲଚଲ ହୋଇ ଉଠେ । ତାଙ୍କ ଭିତରେ ଗୋଟି ଗୋଟି ହୋଇ କାହାରି କାହାରି ଚେହେରା ଫୁଟି ଉଠେ । କେବେ କେବେ ମନେ ପଡ଼ନ୍ତି ‘ସେ’–ସେହି ଓସାର ମୁହଁ, ଶୁଆଥଣ୍ଟିଆ ନାକ, ସେହି ଉଞ୍ଚାପୁରା ସୁଖୀ ଭୋଗୀ ମଣିଷ, ଯେମିତି କାଲି ସକାଳ ପରି, ଆଖି ଆଗରେ । ଆଉ କେବେ କେବେ କୁଳିଆବୋଉ ।

 

କିନ୍ତୁ କାହିଁ ? ସେହି ମଲାଲୋକଙ୍କୁ ଝୁରି ଦୀର୍ଘଶ୍ୱାସ ବି ଉଠେ ନାହିଁ ତ ! ଆଗେ ‘ସେ’ ମନେ ପଡ଼ୁଥିଲେ ତକିଆ ତିନ୍ତୁଥିଲା, ନିତିଦିନର ସେ ଗୋଟାଏ ଧାରାବାହିକ ସାଧନା ହୋଇଯାଇଥିଲା, ସମସ୍ତେ ଶୋଇଲା ଉତ୍ତାରୁ ଦିନଯାକର ଗୋଟାଏ ଧରାବନ୍ଧା କର୍ତ୍ତବ୍ୟ ସମ୍ପାଦନ ।

 

ଏବେ ତା’ ବି ନାହିଁ ।

 

ସେଦିନ ସେହିପରି ଅନ୍ଧାର ଘୋଟିଥାଏ । ଚାରିଆଡ଼ ନିସ୍ତବ୍‍ଧ । ମାୟାଦେବୀ ଶୋଇ ଶୋଇ ଭାବୁଥିଲେ ତେବେ କ’ଣ ପଥର ହୋଇଗଲି ? ଏବ କଥା ଆଉ ପଛ କଥା ତୁଳନା କରି ଦେଖୁଥିଲେ । ଆଗେ ଯାହା ଲାଗୁଥିଲା ନ ହେଲେ ନଚଳେ, ଯାହାବିନା ବଞ୍ଚି ହେବ ନାହିଁ ଲାଗୁଥିଲା, କେତେ ତହିଁରୁ ପାସୋର ହୋଇ ବି ଗଲାଣି ଯାହା ମନେ ଅଛି ସେଥିପାଇଁ ସକ ବି ନାହିଁ-। ଆକାଶରେ ମେଘର ଚଳନ୍ତି ଛାଇ ଦେଖି ପଛେ ମନ ଭିତର କ’ଣ ହୁଏ, ସ୍ମରଣ ପଟରେ ଅତୀତର ସେହି ମଣିଷ ଓ ଦିନଗୁଡ଼ାକର ଛାଇ ଦେଖି ତା’ ବି ହୁଏ ନାହିଁ ।

 

ସବୁ ଆରେଇ ଯାଇଛି, ମନ ସବୁ ପରିବର୍ତ୍ତନକୁ ଆଦରି ନେଇପାରିଛି । ଯେମିତି ମୂଳରୁ ଏପରି ଥିଲା । ‘ସେ’ ଛାଡ଼ିଦେଇ ଗଲେ । ବାର ହୀନ ଅବସ୍ଥା ଘୋଟିଲା ଚା’ ଦୋକାନ ହେଲା । ରମା ବିଭା ହେଲା, ବିଧବା ହେଲା ଘରୁ ଗୋଡ଼ କାଢ଼ି ଚାକିରି କରି ଗଲା ।

 

ଆନନ୍ଦ ନାହିଁ, ଦୁଃଖ ନାହିଁ, ମାୟାଦେବୀ ସବୁ ଦେଖି ପାରୁଥିଲେ, ନିଜେ ସତେକି ଘଟଣାର ଦର୍ପଣ । ସେଥିରେ ଆପଣା ମତାମତ ନାହିଁ କି ହୃଦୟଭାବ ନାହିଁ ।

 

ସୁଖ ଦୁଃଖରେ ଭାଗ ନେବାକୁ ଆପଣାକୁ ଆପେ ଯେତେ ତେଜିଲେ ବି ମନ ତେଜି ହେଉନାହିଁ, ଲାଗୁଛି,–ଯେଉଁଟା ତେଜିହୁଅନ୍ତା ସେଇଟା ଜଡ଼ ହୋଇ ପଡ଼ିରହିଛି, ହଲୁନାହିଁ କି ଶୁଣୁନାହିଁ କି ଦେଖୁନାହିଁ ଆପଣା ଚେତନାଶକ୍ତି ପର ହୋଇଯାଇ ତା’ଠୁଁ ଅଲଗା ହୋଇଯାଇଛି, ତୁଚ୍ଛା ଦେଖଣାହାରି, ଭଲମନ୍ଦ ଲାଭ କ୍ଷତିରେ ତା’ର କିଛି ଯାଏନାହିଁ । ତଥାପି କୁତୂହଳ ହେଲା,–ୟା’ପରେ କ’ଣ ?

 

ତା’ର ଉତ୍ତର ମିଳିଲା ନାହିଁ, ଖାଲି ଅନ୍ଧାର ତା’ ଭିତରେ ମିଞ୍ଜି ମିଞ୍ଜି ଜକ ଜକ, ବଢ଼ି ବଢ଼ି ଆସୁଥିବା ନିଷ୍ଫଳତା, ତା’ପରେ ନିଦ ।

 

ଦୁଇମାସ ଚାଲିଲା । ରମା ଥିଲା ତାଲିମ୍ କେନ୍ଦ୍ରରେ । ଅଲଗା ହୋଇ ଘେର ଭିତରେ ଗୋଟିଏ ବସ୍ତି, ସେଠି ପଢ଼ିବା ଶିଖିବା ସବୁ ଏକାଠି, ସେମାନେ ଚାଳିଶ ଜଣ ଶିକ୍ଷାର୍ଥୀ ।

 

ବଡ଼ ସହରର ଆଲୁଅ ସେଠୁ ଦିଶେ, ଚିକ୍‍କଣ କଳାକନା ଉପରେ ଗୋଟି ଗୋଟି ହୋଇ ଦାଉ ଦାଉ ଦାନାଟିମାନ ହାର ପରି ସଜା ହୋଇଛି ତା’ ଉପରକୁ ତା’ ଉପର ହୋଇ ସରି ସରି ହୋଇ-। ଆଉ ସବୁ କଳା ଘୁମର । ରାତିରେ ଅନିଷା କଲେ ବାରିହୁଏ, ଅକସ୍ମାତ୍ କେତେ କେତେବେଳେ ସତେ ଯେମିତି କେତେଦୂରରୁ ସିନେମାର ଗୀତ ଶୁଭି ଶୁଭି ଯାଉଛି ପୁଣି ଶୁଭୁ ନାହିଁ-। ଅଥଳ ଅକୂଳ ନିଶ୍ଚଳ ରାତିରେ, ଯେତେବେଳେ ସବୁ ନିର୍ଘଣ୍ଟ ଶେଷ ହୋଇ ବାକିଥାଏ ଖାଲି ଶୋଇବା, ଚେଇଁ ରହି ସୁଦ୍ଧା ମନ ଉଡ଼ିଯିବାକୁ ଲୋଡ଼େ, ଇଚ୍ଛା ହେଉଥାଏ, ପଚାରିବାକୁ ଆସନ୍ତା କି କେହି ଆପଣାର ଲୋକ, ଶୁଭନ୍ତା କି କାହାର ଚିହ୍ନା ସ୍ୱର !

 

“ସେଠି କିଏ ମ ?”

 

“କ’ଣ କରୁଚ ?”

 

“ଖିଆପିଆ ସରିଲାଣି ?”

 

ସମ୍ଭାଷଣର ପଦଗୁଡ଼ିକର ଅର୍ଥରେ ତା’ର ପ୍ରୟୋଜନ ନଥିଲା, ସାଂସାରିକ ଜୀବନଯାତ୍ରା ଭିତରେ ହିତ ଅହିତ ଲାଭ-କ୍ଷତିମୟ ସବୁ ଅର୍ଥ ତା’ ପାଖରେ ମୌନ କିମ୍ବା ନିରର୍ଥକ ହୋଇଯାଇଛି କେବେଠୁଁ, ସେ ଝୁରି ହେଉଥିଲା ଚିହ୍ନା ସ୍ୱର ଶୁଣିବ ବୋଲି, ସେହି ସ୍ୱର ସହିତ ଚହଟି ଆସନ୍ତା ତା’ର ନିଜ ଜୀବନର ଅଛି-ପଣ, ପାଦତଳେ ସ୍ପର୍ଶ ମିଳନ୍ତା ଚିହ୍ନା ମାଟିର, ଲାଗନ୍ତା ‘ମୁଁ’ ଆଉ ‘ମୋର’ ହୋଇ ସେ ବି ଗୋଟିଏ ସ୍ୱତନ୍ତ୍ର ସୃଷ୍ଟି ନିର୍ଜୀବ କଳ ନୁହେଁ ।

 

ଘରୁ ଚିଠି ମିଳେ, ସୁର ଭଲ ଅଛି, ଆଜି ଏ କଉତୁକ କଲା, କାଲି ତା’ କଲା । ବେଳେ ବେଳେ ଛାତି ମନ୍ଥି ଚକଟି ଗୋଟାଏ ତୋଫାନ ମାଡ଼ିଆସେ, ମନହୁଏ ଏ ଅନୁଷ୍ଠାନ, ଏ ବେଢ଼ା, ଏ ଜୀବନ ସବୁ ଛାଡ଼ିଦେଇ ସେ ଧାଇଁ ଧାଇଁ ପଳାନ୍ତା ବନ୍ଧ ବାଡ଼ ଟେଳା ବଣ କ୍ଷେତପଦା ତୋଟାମାଳ ଉପରେ, ଊର୍ଦ୍ଧ୍ୱ ଶ୍ୱାସରେ ଦଉଡ଼ି ଦଉଡ଼ି ଯାଇ ଟିକି ପୁଅକୁ ଛାତିରେ ଯାକି ଧରନ୍ତା । ତା’ପରେ ତା’ସହିତ ଆସେ ଗୋଟାଏ ନିଛାଟିଆ ଉଦାସୀ ପଣ, ତୋଫାନ ଥମ୍ବିଯାଏ । ଲାଗେ ଯେପରିକି ପାହାର ଖାଇଲେ ମନଟା ବୁଝେ, ଥଣ୍ଡା ପଡ଼େ, ଆଘାତ ପାଇବ ବୋଲି ଦୁଗୁଣେଇ ହୋଇ ଅଣ୍ଡାଳି ହେଉଥାଏ ସେହି ଚିନ୍ତା ଆଉ ଧାରଣାଗୁଡ଼ାକୁ,–ଯେ ତାକୁ ଚୋଟ ହାଣି ପାରିବ ।

 

ଏଠିକି ଆସିବ ବୋଲି ନିଷ୍ପତ୍ତି କଲାବେଳେ ସେ ତା’ର ପୁଅର ଭବିଷ୍ୟତକୁ ଉଜ୍ଜ୍ୱଳ କରି ଗଢ଼ିବ ବୋଲି ଯେଉଁ କଳ୍ପନା ସଜାଇ ରଖି ଆପଣାକୁ ମତାଉଥିଲା, ଏଠି ସେ କଳ୍ପନା ଯେପରିକି ଅବାସ୍ତବ ଓ ଅବାନ୍ତର ହୋଇଗଲାଣି, କେଉଁକାଳୁ କାନ୍ଥରେ ମରା ହୋଇଥିବା ପୁରୁଣା ବାଇସ୍କୋପ୍ ଛବି, ତା’ ଉପରେ ଧୂଳି ନେସି ହୋଇଛି । ଏପରି କ’ଣ ତା’ ଭିତରେ ଥିଲା ଯାହା ତାକୁ ଠେଲି ପେଲି ଏଠିକି ପଠାଇଲା ସେ ଜାଣେ ନାହିଁ, ବୁଝିପାରେ ନାହିଁ, ସେ ଦୁଃଖିତ ନୁହେଁ କି ଆଗ୍ରହୀ ନୁହେଁ, ସତେ ଯେପରି ୟେ ବି ବିଧି ନିର୍ଦ୍ଦିଷ୍ଟ, ଯାହା ବିଧି ନିର୍ଦ୍ଦିଷ୍ଟ ତାକୁ ସେ ବିନା ଆପତ୍ତିରେ ଗ୍ରହଣ କରନ୍ତା, କରିଛି ।

 

ଚିହ୍ନାଜଣା ପୁରୁଣା ଘେର ଅପସରିଯାଇ ସେ ଆସିଛି ଏ ନୂଆ ସ୍ଥଳୀକୁ । ଏଠୁ ପଦାକୁ ଦେଖେ ନୂଆ ଧାରଣାର ବାଗରେ ଆଉ ରାତିରେ ନିଛାଟିଆ ପର୍ଦ୍ଦା ଉପରେ, ତା’ ଆଖି ଆଗରେ କେତେବେଳେ କେଉଁ ରୂପ ଖେଳିଯାଏ ।

 

ସେମିତି ଗୋଟାଏ ରୂପ ସେ ଦେଖିଥିଲା ଥରେ ରାତିରେ, ଅନ୍ଧାର ବିଲ୍ ବିଲ୍, ଢିପ ଦିଶୁନାହିଁ ଢାଲୁ ଦିଶୁନାହିଁ ଖାଲି ଚିକ୍‍କଣ ଅଛିଣ୍ଡା ବହଳ ରାତି । ଝରକା ବାଟେ ଦିଶୁଥିଲା ଦୂରରେ ସିଧା ସଳଖେ ଧାଇଁ ଧାଇଁ ଆସୁଛି ପାଖକୁ ପାଖ ଲଗା ଲଗି ହୋଇ ଦି’ଟା ଆଲୁଅ, ଆଗେ ଆଗେ ତା’ର ଲମ୍ବ ଧାସ । ମଟର ଚାଲିଛି । କେତେ ଦୂର ତା’ର ବାଟ, ସରୁନାହିଁ । ରମା ଅନାଇଁ ରହିଲା, ଯେପରି ସେହି ମଟର ଗାଡ଼ି ସହିତ ତା’ର କ’ଣ ନିଜର ଅତି ଜରୁରୀ ପ୍ରୟୋଜନ, ଉଚ୍ଚାଟ ହୋଇ ଠିଆ ହୋଇ ପଡ଼ି ଝରକା ଆଡ଼କୁ ମୁହଁ ଉହୁଙ୍କେଇ ସେ ଦେଖୁଥାଏ । ତା’ ପରେ ଆଲୁଅ ଅଦୃଶ୍ୟ ହୋଇଗଲା, ତା’ର ଗତି ପଥ ବି ଅନ୍ଧାରରେ ଅଦୃଶ୍ୟ ହୋଇଗଲା ଓ ସଙ୍ଗେ ସଙ୍ଗେ ତା’ ମନ ମରି ମରି ଦବି ଦବି ଗଲା ଓ ହଠାତ୍ ତା’ର ମନେ ପଡ଼ିଥିଲା ହର, ତା’ର ସ୍ୱାମୀ ।

 

ସେ ଥରି ଉଠିଲା, ଲାଗିଲା ସେ ବଡ଼ ପାଟି କରି କାନ୍ଦିବ, ଅସମ୍ଭାଳ ହୋଇ ଦୁଃଖରେ ଗଡ଼ିବ, ସତେ ଯେମିତି ତାରି ଆଗରେ ସେଇ ଦୂରରେ ତା’ ସ୍ୱାମୀ ମଟର ଟ୍ରକ୍ ବାହି ଚାଲି ଯାଉଥିଲା ଆଉ ଶେଷ ହୋଇଯାଇଛି, ହେଇ ସେ ଦିଗ୍‍ବଳୟରେ କେଉଁଠି, ଆଉ ପୁଣି ତା’ର ସ୍ମରଣ ଆଗରେ ଠିଆ ହୋଇ ଚାହିଁଛି ତା’ର ଗେହ୍ଲା ଆଦର ବେଳର ରୂପ, ଯାହା ହାତପାଆନ୍ତିରୁ ଯାଇଛି, ଏ ପୃଥିବୀରୁ ସରିଛି, ତାକୁ ହିଁ ପୁଣି ମନେ ପକାଇ ଦେବା ଲାଗି ।

 

କ୍ଷୀଣ ବିକୃତ ସ୍ୱରରେ ଥରେ ପାଟି କରି ଉଠି ରମା ଖଟ ଉପରେ ମୁହଁମାଡ଼ି ଗଡ଼ି ପଡ଼ିଥିଲା-। ତା’ ଆଖି ଆଗରେ ସବୁ ଅନ୍ଧାର ହୋଇଯାଇଥିଲା ଆଉ ଆର ମୁହୂର୍ତ୍ତରେ ସେ ସମ୍ଭାଳି ଯାଇ ଅନୁଭବ କଲା ସୁଷମା ତା’ ପିଠି ଆଉଁଷି ମୁହଁକୁ ଟେକୁଛି । “କ’ଣ ହେଲା ?” ସୁଷମା ପଚାରିଲା । ମୁଣ୍ଡର ବାମ୍ଫ ସତେ ଯେମିତି ପାଣି ହୋଇ ଆଖିବାଟେ ଧାର ନିଗିଡ଼ିଲା । ରମା ତୁନିତାନି କରି କହିଲା “କାହିଁ କିଛି ନାହିଁ ତ !”

 

ସୁଷମା କିଛି କହିଲା ନାହିଁ, ଖାଲି ତା’ ପିଠି ଆଉଁଷିଲା ।

 

ଏହି ଏକା ବଖରାରେ ଥାଆନ୍ତି, ସେ, ସୁଷମା ଓ ପ୍ରଭାତୀ ମଞ୍ଜରୀ, ତିନିହେଁ ତିନୋଟି ଜିଲ୍ଲାର । ସବୁମିଶି ସେହି ଅନୁଷ୍ଠାନରେ ଚାଳିଶଜଣ ମହିଳା ଓ ଦଶଜଣ ଶିକ୍ଷୟିତ୍ରୀ । ତାଙ୍କର ନାନା ଜାତି, ନାନା ଭାଷା, ଦେଶର ନାନା ପ୍ରାନ୍ତରୁ ଆସିଥାନ୍ତି ସେମାନେ, ସମସ୍ତେ ମିଶି ଗୋଟିଏ ଘର, ଏକାଠି ବାରମାସର ସୁଖଦୁଃଖର ଜୀବନ କଟାଇ ପୁଣି କିଏ କେଉଁଆଡ଼େ ଚାଲିଯିବେ । ଏଠିକି ଆସି ରମା ଆଖିରେ ଚମକ ଲଗାଇଥିଲା ସେହି ବିଚିତ୍ର ସମାବେଶ, ଜଣ ଜଣ କରି ମନର ଅନ୍ଧି ସନ୍ଧି ଦରାଣ୍ଡି ଚିହ୍ନା–ଚିହ୍ନି ହେବାକୁ ମନରେ ପ୍ରବଳ କୁତୂହଳ, ଆଉ ମନଖୋଲି ଦେଇ ଏକାଠି ମିଶିଯିବାକୁ ।

 

ସେହି ଏତେ ରଙ୍ଗର ଆଲୁଅ ଧାସ ଏକାଠି ମିଶି ଯେଉଁ ଆଭା ଫିଟିଥିଲା ଅନୁଷ୍ଠାନର ବ୍ୟକ୍ତିତ୍ୱ ସେତିକି । ତୁନି ତୁନି ହୋଇ ସେ ପ୍ରତ୍ୟେକଙ୍କ ଉପରେ ପ୍ରଭାବ ପକାଏ, ଉଦବେଗକୁ ଶାନ୍ତ କରେ, ମୁହଁରେ ସତେକି ପରାଗର ଧୂଳି ବୋଳିଦିଏ, ଏକାଠି ଦେଖିଲେ ସମସ୍ତିଙ୍କ ମୁହଁର ଭଙ୍ଗୀ ଏକାପରି, ଶାନ୍ତ, ସଂଯତ, ଏକା ଛାଞ୍ଚରେ ଏକା ବାଗର ଦେଖିବା ଭଙ୍ଗୀ । କିନ୍ତୁ ତା’ ଉହାଡ଼ରେ ନିରେଖି ଦେଖିଲେ ବାରି ହୋଇପଡ଼େ, କେତେ ଯୋଡ଼ ବିଯୋଡ଼, କିଏ କାହା ଆଡ଼କୁ ଆଉଜିଯାଏ କିଏ କାହାଠାରୁ ଯାଏ ଦୂରେଇ, କିଏ ଫୁଲଟିଏ ତୋଳିଲେ ଆଉ କାହାକୁ ଦିଏ କିଏ ଚିଠି ଖଣ୍ଡିଏ ଲେଖି ବସିଲେ ପଦାକୁ ଅନାଏଁ ଆଉ କିଏ ଜଣେ ଆସୁଛି କି ନାହିଁ, କେଉଁମାନେ କଥା ଗପୁ ଗପୁ ଆଉ କିଏ ଆସିଲେ ତୁନି ହୋଇ ଯାଆନ୍ତି, ବରୋଧୀ ହସି ହସି ଅନାଇଁ ରହନ୍ତି, ଆଖି ନୀରବରେ କହେ “ତୁମେ ଅଲୋଡ଼ା ଏଠୁ ଯାଅ ।”

 

ସୁଷମା ସହିତ ଚିହ୍ନା ଜଣା ହେଲା ପରେ ରମାର ଅନ୍ତର ହୁସିଆର ହୋଇ ତାଠୁଁ ଆଡ଼େଇ ରହୁଥିଲା । ବ୍ୟବହାରରେ ସ୍ନେହ, ସୌଜନ୍ୟ, ସ୍ନିଗ୍‍ଧ ଶିଷ୍ଟତା, ମଧୁରାଳାପ । କିନ୍ତୁ ଭିତରେ, ସନ୍ଦେହ, କିଛି ଭୟ ମଧ୍ୟ ।

 

ସୁଷମାର କାହାଣି ଯାହା ସେ ଶୁଣିଥିଲା, ସେ ବିଚିତ୍ର ।

 

ପିଲାଦିନେ ବିଭା ହୋଇଥିଲା, ନିଜ ଜାତି, ସମାନସ୍କନ୍ଧ ପରିବାର, ମଫସଲର ସମ୍ଭ୍ରାନ୍ତ ଚାଷୀ । ବାପଘରେ ଥିଲା । ବଡ଼ ହେଲା । ଏଥର ଶାଶୂଘରକୁ ଯାଆନ୍ତା । ବରକୁ ଦେଖିଲା, ମନ ମାନିଲା ନାହିଁ କୁରୂପ, ବିଭାଘର ପରେ ବସନ୍ତ ହୋଇଥିଲା, ଗୋଟିଏ ଆଖି ନାହିଁ, ଦେହ ଦୁର୍ବଳ । ପାଠ ପଢ଼ିନାହିଁ, ନି: ପ୍ରା: ରୁ ଉଠି ଆସିଛି । କିଛି ସଙ୍ଗଦୋଷ ଥିଲା, ଗଞ୍ଜେଇ ପ୍ରତି ଆସକ୍ତି । ସତ କି ମିଛ ସୁଷମା ଜାଣିଥିବ, ପ୍ରଭାତୀ ତ ତାହାଠୁଁ ଶୁଣିଥିବ, ନ ହେଲେ ସେ ଜାଣିଲା କେମିତି ? ଯାହାହେଉ, ସୁଷମାର ମନକୁ ଆସିଲା ନାହିଁ । ଶାଶୁଘରକୁ ଗଲାନାହିଁ । ସହରରେ ଆସି ମଉସା ଘରେ ରହିଲା, ଇସ୍କୁଲରେ ନାଁ ଲେଖାଇଲା । ତା’ପରେ ଦ୍ଵିତୀୟ ଅଧ୍ୟାୟ । ମାଉସୀପୁଅ ଭାଇର ସାଙ୍ଗ ଜଇରାମ । ଭିନେ ଜାତି । ଭଲ ଛାତ୍ର । ଗରିବ ପିଲା । ବଡ଼ କଷ୍ଟରେ ତା’ ଜୀଉଣା । ଯା ଆସ କରେ । ଚାରିଚକ୍ଷୁ ହେଲା । ପୂର୍ବ ବିଭା କଥା ଜାଣି ନ ଜାଣିଲା ପରି ହୋଇ ପଛକୁ ପକାଇ ଦେଇ ମଉସା ଜଇରାମ ସଙ୍ଗେ ତା’ର ବିଭା ଦେଲେ । ଜଇ ଆସି ତାଙ୍କରି ଘରେ ରହିଲା । ସତେ କି ପୋଷ୍ୟପୁତ୍ର । ଜଇ ବେମାର ପଡ଼ିଲା, ସେମାନେ ସେବା କଲେ । ଜଇ ଡାକ୍ତରି ପଢ଼ିଲା, ବାରମ୍ବାର ଫେଲ୍ ହୁଏ, ତଥାପି ସ୍ନେହରେ ବାନ୍ଧିହୋଇ ଖର୍ଚ୍ଚ ତୁଲାନ୍ତି ମଉସାଘର । ଅନ୍ଧାରୁଆରୁ ତାକୁ ନିଦରୁ ଉଠାଇ ଦିଆଯାଏ, ସମସ୍ତେ କଷ୍ଟ ସହି ତା’ପାଇଁ ପୁଷ୍ଟିକର ଖାଦ୍ୟ ଯୋଗାଇଦିଅନ୍ତି । ଜଇର ପୁଅ ଯୋଡ଼ିଏ ହେଲେ, ଡାକ୍ତରି ପାସ୍ କଲା । ସେଉଠୁ ଆସି ବେଢ଼ିଗଲେ ତା’ର ଧନୀ ଆତ୍ମୀୟମାନେ, ବନ୍ଧୁ ଓ ହିତାକାଙ୍‍କ୍ଷୀମାନେ । ମାଇପେ କାନ ଫୁଙ୍କିଲେ, “ଜାତିରେ ସାନ, ତହିଁରେ ପରର ଅଇଣ୍ଠା, କି ଘରରେ ଲେଖା, ରୂପ ନା ଗୁଣ ! ପିଲାଟାଏ ତୁ, ବଡ଼ ଡାକ୍ତର । ହାତ ହଲେଇଲେ ପଇସା, ତତେ କି ଅପ୍ରାପତ ! ତୁ ଯାଇ ପର ଘରେ ପୋଷାକୁକୁର ହୋଇଛୁ ?” ଆଗ ଆଗ ଜଇ ସୁଷମା ଆଗରେ କହି ଦେଉଥିଲା । କିନ୍ତୁ ଧୀରେ ଧୀରେ ସେ ବଦଳିଗଲା । ଆଗ ବସା ଅଲଗା କଲା, ତା’ର ବଡ଼ ଘର ଦରକାର, ଜାଗା ହେଉନାହିଁ, କୁଆଡ଼େ ଆଡ୍ଡା ଚଉଡ଼ା ନ ଦେଖାଇଲେ ରୋଗୀ ଆସିବେ ନାହିଁ । ମଉସାଘରକୁ ନାକ ଟେକିଲା । ମାଉସୀପୁଅ ଭାଇଟି, ଯେ ଅବସ୍ଥା ଚକ୍ରରେ ପଡ଼ି ଅଧାରୁ ପାଠ ଛାଡ଼ି କାରଖାନାରେ କିରାନିଟିଏ ହୋଇ ରହିଗଲା ତାକୁ ବି ସେ ଘୃଣାବ୍ୟଞ୍ଜକ ବ୍ୟବହାର କରେ । ସୁଷମାକୁ କହେ ବାପଘର ମଉସାଘର ସମସ୍ତିଙ୍କ ସଙ୍ଗେ ସମ୍ବନ୍ଧ କାଟିବାକୁ ହେବ । ପୁଣି କେତେବେଳେ କହେ ‘ବାହାରି ଯା’ । ଜଇର ଦୂରକୁ ବଦଳି ହେଲା-। କିଛି ଦିନ ରହି ସୁଷମା ସତକୁ ସତ ବାହାରି ଆସିଲା । ଗୋଟିଏ ପୁଅ ଗାଁ’ରେ ବୋଉ ପାଖରେ । ଆର ପୁଅଟି ମାଉସୀ ଘରେ, ମାଉସୀପୁଅ ଭାଇ ପାଖରେ । ସୁଷମା କହେ ଜଇ ତା’ ଚରିତ୍ର ବିଷୟରେ ଦୋଷ ଦେଲା, ନିଜେ ମଦ ପିଏ, ଚରିତ୍ରର ବାଇଶ ନାହିଁ । ଆଉ ବିଭା ହେଉନାହିଁ, ଗୋଟିକୁ ଛାଡ଼ି ଆଉ ଗୋଟିକ ପ୍ରତି ତା’ର ନୂଆ ଝୁଙ୍କ ଚହଟେ । ଯେତେହେଲେ ସେ ବି ସ୍ୱାମୀ, ସୁଷମା ସ୍ୱାମୀର ଅପବାଦ କରେ ଆଉ କହେ, “ସେ ମୋ ଜୀବନକୁ ପୋଡ଼ି ଭସ୍ମ କଲା । ନିଜ ଗୋଡ଼ରେ ଠିଆ ହେବ ବୋଲି ସୁଷମା ସିଧା ଏଠିକି ଆସିଛି । ସେହି ମାଉସୀପୁଅ ଭାଇର ଯତ୍ନରେ-। ଭାଇ ଭାଇ ବୋଲି ପାଣି ପିଏ ନାହିଁ । ଫଟୋ ରଖିଛି, କହେ “ୟେ ମୋ ଦେବତା । “ସୁଷମାର ଅଜାଣତରେ ପ୍ରଭାତୀ ସେ ଫଟୋଟି ନେଇ ଯାଇ ବୁଲାଇ ବୁଲାଇ ଦେଖାଇଥିଲା ।

 

ସେଇ ସୁଷମା, ତା ଗହ୍ୱର କଳି ହୁଏ ନାହିଁ, “ସେ କେତେ ପରସ୍ତର କେତେ ରୂପ ତା’ କିଏ ଜାଣେ ?” ରମା ଭାବେ ।

 

ଶୁଣାଶୁଣିରେ ତା’ର ଯେଉଁ ରୂପ ରମା ମନେ ମନେ ଗଢ଼େ ସେଥିରେ ଦିଶେ ସତେ ଯେମିତି ସୁଷମାର ମନଗହୀରରେ କେଜାଣି କେତେ ଚିଆଁଦାଗ, ସେହି ଗୋଟିଏ ଗୋଟିଏ ଦାଗ ରମା ଆଖିରେ ବିସ୍ମୟ ଉପୁଜାଏ, ଆଉ ଲାଗେ,–ଚିଆଁ ବୋଲି ସେ ସଂସାରି ଅଭିଜ୍ଞତାର ମୂଲ୍ୟରେ ମୂଲ୍ୟବାନ୍, ଲାଗେ ସୁଷମା ବହୁତ ପାକଳ, ବହୁତ ଜାଣିବାର, ବହୁତ ପାରିବାର, ବହୁତ ଟାଣ, ତାକୁ ମାପ ପାଏ ନାହିଁ କି କୁଣ୍ଢ ପାଏ ନାହିଁ । ତେଣୁ ମାଡ଼ି ପଡ଼େ । କିନ୍ତୁ ସୁଷମାକୁ ସେ ସମ୍ମାନ କଲାଭଳି ଭାବେ ନାହିଁ । ଯେପରି ତା’ ନିଜ ଭିତରୁ ତା’ ପ୍ରତି କ’ଣ ବିରୋଧୀ ହୋଇ ଠିଆ ହେଉଛି, ତା’ ନିଜ ମତ ଆଉ ରୁଚି ଅନୁସାରେ ଯାହା କାମ୍ୟ ଓ ଉଚିତ ସୁଷମାର ସ୍ୱରୂପ ବିଷୟରେ ଶୁଣା କଥା ତା’ର ତୀବ୍ର “ନାହିଁ ନାହିଁ” ।

 

କିନ୍ତୁ ଦିନ ପରେ ଦିନ ରାତି ପରେ ରାତି ଏକାଠି ରହି ଏକାଠି ଖାଇ ପିଇ ଚଳି ସାଙ୍ଗରେ ଥିବା ସବୁ ଝିଅଙ୍କୁ ଆଦରି ନେବା ତା’ ଅଭ୍ୟାସ ପାଲଟି ଯାଇଥିଲା । ଆପଣାଠୁଁ ଯେ ଯେତେ ପଛେ ଗୁଣରେ ଚରିତ୍ରର ବିଶିଷ୍ଟତାରେ ଦେଖିବା ଭଙ୍ଗୀରେ ଭିନେ ହୋଇଥାଉ, ଯେଡ଼େ ଦୂରର ହୋଇଥାଉ, ସମସ୍ତେ ଆଖି ସହା, ଦେହ ସହା, ଯେମିତି ଚିହ୍ନା ବାଟର ଅତି ସାଧାରଣ ଦୃଶ୍ୟ, କେଉଁଟାକୁ ଦେଖିଲେ ଯେଡ଼େ ଘୃଣାରେ ନାକ ମୁଠେଇ ଚାଲିଲେ ସେ ବି ଦେହ ସହା, ପଳାଇ ଯିବାକୁ ପ୍ରବୃତ୍ତି ହୁଏ ନାହିଁ, କେଉଁଟାକୁ ଦେଖି ମନ କି ନାକ ଆଖି ଯେଡ଼େ ଲୋଭେଇଲେ ସୁଦ୍ଧା ଅଟକି ରହିବାକୁ ତର ମିଳେ ନାହିଁ । ଆଗକୁ ଆଗକୁ ବାଟେ ବାଟେ ପାଦ ପଡ଼ିଯାଏ । ଯେମିତି ଗୋଟାଏ କ’ଣ ଜରୁରୀ ଧନ୍ଦା ସମ୍ଭାଳୁ ସମ୍ଭାଳୁ ବେଳ କଟି ଯାଉଛି, ଟିକିଏ ହୁଗୁଳା ହେଲେ ଅନ୍ତର ଭିତରୁ ଉଠି ଆସେ ସତର୍କ ଚେତାଉଣି– “କାମ ଅଛି ! “କାମ ଅଛି !” ଟିକିଏ ଅସହଣି ଲାଗିଲେ କାନେ କାନେ କିଏ କହେ “ଛାତିକୁ ପଥର କରିବାକୁ ପଡ଼ିବ ।”

 

ସବୁବେଳେ ସମସ୍ତିଙ୍କ ପ୍ରତି ଏକ ଭାବ ବି ତାଠିଁ ରହେ ନାହିଁ । ବାହାରର ପାଗ ଯୋଗ ଦେଖି ତା’ ଆପଣା ଭିତରର ରୁଚି ଅରୁଚି ବି କେମିତି ଭିନେ ଭିନେ ସମୟରେ ଭିନେ ଭିନେ ହୋଇଯାଏ ।

 

ଯେମିତି ସେଇ ସୁଷମା ପ୍ରତି ଦୃଷ୍ଟିଭଙ୍ଗୀରେ ସେ ନିଜେ । କେତେଥର ନିଛାଟିଆ ରାତିରେ ଉଜାଗର ତୁନିତାନି ସୁଷମା ହଠାତ୍ ତାକୁ ଲାଗିଛି ତା’ ସ୍ୱରୂପର ଆର ଫାଳକ ପରି, ମନ ହୋଇଛି ଦୁଇଫାଳ ମିଶି ସେ ଏକ ହୁଅନ୍ତା, ସବୁ ଓରମାଣ ସବୁ କ୍ଷୋଭ ସେ ତାହାରି ଆଗରେ ଗାଇ ଗଲେ ଶାନ୍ତି ପାଇପାରନ୍ତା, ସେତେବେଳେ ଲାଗିଛି “ଦୁନିଆଁ ଭିତରେ ମୋ ପ୍ରତି ଏଡ଼େ ଆଉ କାହାର ସହାନୁଭୂତି କି ସ୍ନେହ ? ଅଳ୍ପ କଥା କହି ବେଶି ନିରେଖି ନିରେଖି କିଏ ଆଉ ମତେ ବୁଝିପାରିଛି ଏଡ଼େ ଭଲ କରି !”

 

ସ୍ନେହରେ ତରଳିଯାଇ ରମା ସୁଷମା ଆଡ଼କୁ ଚାହିଁଛି, ପାଟିରୁ କଥା ବାହାରି ନାହିଁ । କିଏ ସେ ସୁଷମା ? ତା’ର ଅନ୍ୟ ପରିଚୟ ଲୋଡ଼ା ନାହିଁ । କିନ୍ତୁ ସେହି ଘଡ଼ିକ ସୁଷମା ତା’ର ସବୁ । ଯେମିତି କୁଆଡ଼ର କାଠି ଖଣ୍ଡେ ବଢ଼ି ପାଣିରେ ଭାସି ଭାସି ଆସେ, ଭାସିଲା ଫେଣ ମଝିରେ ଆଉଜି ରହେ କେଉଁ ଗଛର ଚେରରେ, ସବୁ ସେତେବେଳେ ତା’ର ସେ, ତା’ର ଆଶ୍ରା, ତା’ର ବର୍ତ୍ତମାନ ଆଉ ଭବିଷ୍ୟତ୍, ତା’ର ପୃଥିବୀ, ଆଉ ଆଗ ନାହିଁ ପଛ ନାହିଁ ।

 

ସୁଷମା ସହିତ କେତେ କଥା ଗପିବାକୁ ମନହୁଏ, ସବୁ ଗୋଳମାଳିଆ ହୋଇଯାଏ, ଖାଲି ଛାତି ଭିତରେ ଦପ ଦପ ଛଟପଟ ।

 

ଦିଶେ ସୁଷମା ଖଟରେ ଅଳସ ହୋଇ ପଡ଼ିରହିଛି, ହାଇ ମାରୁଛି, କର ଲେଉଟାଇଛି, କେତେବେଳେ ପେଟେଇ ପଡ଼ି ସ୍ଥିର ଆଖିରେ ଦୂରକୁ ଅନାଇଁରହିଛି, କାହାକୁ ଅନାଉଁଛି କ’ଣ ଭାବୁଛି ଜଣାନାହିଁ ।

 

ସୁଷମା ଉପରେ ମନେ ମନେ ଭରା ଦେଇ ଆପଣାକୁ ସମ୍ଭାଳିବାକୁ ସଜାଡ଼ିବାକୁ ଚେଷ୍ଟା କରେ, ତା’ପରେ କେତେ ଛୁଣୁକା ଆସେ ନିଦ, ଗଭୀର ନିଦ । ସକାଳୁ ଉଠି ଦେଖେ ସୁଷମା ଶୋଇ ରହିଛି ।

 

ଚାହୁଁ ଚାହୁଁ ଦିଶେ ତା’ ଚେହେରାର ବିଭିନ୍ନ ସ୍ଥାନରେ ଧୀରେ ଧୀରେ ଅନ୍ଧାର ଆଲୁଅ ପାଲଟୁଛି, ଦିନ ଖୋଲି ଖୋଲି ଯାଉଛି, କୁତୂହଳ ଉଭେଇଯାଏ, ମନେପଡ଼େ କଳ ପରି ଦିନଯାକର ନିର୍ଘଣ୍ଟ, ଗୋଟାକ ପରେ ଆଉ ଗୋଟାଏ, ସବୁ ଯେମିତି ମାଟି, ପଥର, କାଠ, ଖୁଣ୍ଟ, ଭାଷା ନାହିଁ ଅର୍ଥ ନାହିଁ, ତାହାରି ସନ୍ଧିରେ ଉପରୁ ତଳକୁ ହୋଇ ଗୋଟାଏ ଗତିରେ ତା’ ନିଜର ପ୍ରକାଶ, ଯେମିତି ଗଛ ଉପରେ ତଳୁ ଉପରକୁ ଉପରୁ ତଳକୁ ହୋଇ ଚଟର ଚଟର ଗୁଣ୍ଡୁଚି ମୂଷା, ଚାଳରୁ ଦୁଆରକୁ ଦୁଆର ଚାଳକୁ ହୋଇ କାଉ, ସେ ସେମିତି ଖାଲି ହୁଏ, ହୋଇ ଆସିଛି, ତାତ୍ପର୍ଯ୍ୟ ନାହିଁ ।

 

ଥାଉ ସୁଷମା, କାହାର ସେ କ’ଣ ?

 

ସେ ଭାବନାରେ ଆଉ ସଙ୍ଗୀତ ନ ଥାଏ । ତେଣୁ ଆଲୁଅ ନ ଥାଏ ତା’ପରେ ଯେତେବେଳେ ସେ ଉଠି କାରବାର ହୁଏ, ପୁଣି ରମା ମନରେ ତା’ ପ୍ରତି ଆସେ ସନ୍ଦେହ ଓ ବିରାଗ, ସେ ଆଡ଼େଇ ହୋଇ ରହେ ।

 

କାରଣ କ’ଣ ବୁଝେନାହିଁ, ଗରଗର ଲାଗେ । ଉଦାସ ଲାଗେ,–ସେ କେଉଁଠି ହେଲେ କେହି ନୁହେଁ, କିଛି ନୁହେଁ । ଅଭିମାନ ଆସେ, ସେ ଅଲୋଡ଼ା ।

ମଲେ କି ଜିଇଲେ କାହାର କ’ଣ ଯାଏ ?

ଖାଲି ସେହି ପିଲା ବକଟେ, ସୁର, ଯେମିତି ସ୍ପନ୍ଦନ ନ ଥିବା ଦେହ ଉପରେ ବଥଟାଏ, ଧକ୍ ଧକ୍ କରେ ।

କ’ଣ ହେବ ଭାବି ? ତା’ର ସେ ମଣିଷ ହେବ କି ନ ହେବ । ଯେ ତାକୁ ଦେଇଗଲା ସେ ତ ନାହିଁ ।

ଅନହୁତି ତାକୁ ଦଇବ ଝାଙ୍କିନେଲା । ଆଉ ସାମାନ୍ୟ ଡିମ୍ବଟାଏ, ତା’ର ଅବା କି ଥାଇତା-?

ଜାଣି ଜାଣି ଏଇ ଅନାସ୍ଥା ଅନାଦର ଭିତରେ ତଥାପି ସେହି ଘରେ ଛାଡ଼ି ଆସିଥିବା ପିଲାର ସ୍ମୃତି ତା’ର ନିଛାଟିଆ ଉଦୁଉଦିଆ ଦ୍ୱିପ୍ରହର ଭଳି ଜୀବନ ଭିତରେ କେବେ ଶୁଣିଥିବା ଦେଉଳ ଗମ୍ଭୀରାର ଘଣ୍ଟା ଧ୍ୱନି ପରି ବେଳେ ବେଳେ ବାଜି ବାଜି ଯାଉଥାଏ, ଝଲକି ଉଠୁଥାଏ ମଙ୍ଗଳ ଆଳତି ପରି ।

କେତେ ମୁହଁ କେତେ ସ୍ୱର କେତେ ହସ, ହାତର ପାଦର କେତେ କାମ, ପଢ଼ିବା, ଶୁଣିବା, ଦେଖିବା, ମନେ ରଖିବା । କେତେ ଖବର କେତେ ହିସାବ କେତେ ବାଗ ମନେ ରଖିବା । ଭବିଷ୍ୟତର କର୍ମକ୍ଷେତ୍ର ପାଇଁ ପ୍ରସ୍ତୁତି । ତାଲିମ୍ ଆଉ ପରୀକ୍ଷା । ତ୍ରୁଟି ହୁଏନାହିଁ ।

ଚାଲେ ନିତ୍ୟକର୍ମ, ଶରୀର ଆଉ ଅଭ୍ୟାସ । ପାଟି ସୁଆଦ ଅସୁଆଦ ବାରେ । ରୁଚି ଭଲମନ୍ଦ ବାଛେ ।

 

କିଛି ଅଟକେ ନାହିଁ ।

 

ପରିଦର୍ଶକ ଆସନ୍ତି, ଦେଖନ୍ତି କାମ ଭଲ ଚାଲିଛି, ଲେଖି ଯାଆନ୍ତି, ଅଟକଳ ମାଫିକେ ଯୋଜନା ପ୍ରକାରେ ସବୁ କାମ ଚାଲେ ।

 

ଡାକ୍ତର ଆସନ୍ତି, ପରୀକ୍ଷା କରି ଦେଖନ୍ତି ଦେହ ଠିକ୍ ଅଛି, ରୋଗ ନାହିଁ । ସୁସ୍ଥ ଅନୁଷ୍ଠାନ, ଭଲ କାମ କରୁଛି, ନିଜକୁ କରିପାରିଛି ସମାଜ ପ୍ରତି ଅତି ପ୍ରୟୋଜନୀୟ ।

 

କିନ୍ତୁ ଏଇ ନିତିଦିନର ବ୍ୟାବହାରିକ ଜୀବନର ଚେତନା ରମାର ଉପର ମନରେ ଅଟକି ରହେ, ଭିତରକୁ ଭେଦେ ନାହିଁ । ଭିତରେ ସବୁ ଚୁପ୍ ଚାପ୍ । ଆନନ୍ଦ ନାହିଁ, ଉତ୍ସାହ ନାହିଁ, ଉଦ୍ଦୀପନା ନାହିଁ । ଶୂନ୍ ଶାନ୍ ଖାଁ ଖାଁ ଘରେ କବାଟ କିଳି କୋଲପ ପକାଇ ସେ ସତେକି କାମ କରିବାକୁ ଆସିଛି ।

 

କ’ଣ ଯେ ସେଠି ଅଛି, ସେ ଭୁଲି ରହିବାକୁ ଚାହେଁ ।

 

ଚାବି ଖୋଲେ ଖାଲି ପ୍ରଭାତୀ । ପାହାଡ଼ମାଳର ଝିଅ ।

 

ଦୂର ସୁନ୍ଦରଗଡ଼ ଜିଲ୍ଲାରେ କେଉଁ ଠେଁଠେଁଇପୋଷ୍ ଗାଁରେ ତା’ ଜନ୍ମ । ଜାତିରେ ଓରାମ୍, ଆଦିବାସୀ । ସେ ଘରେ ଆଉ କିଏ ଅଛି ସେ ଜାଣେ ନାହିଁ । ନୂଆ ଲୁହା କାରଖାନା ବସିବା ପାଇଁ ଯେତେବେଳେ କ୍ଷେତ ଆଉ ପଡ଼ିଆ ଆଉ ଘରବାଡ଼ି ଆଉ ତୋଟା ବଗିଚା ଏକା ଚକଡ଼ାକେ ସବୁ ନିଆଗଲା ସେତେବେଳେ ଆଉ ବାଇଶିଟା ଗାଁ ପରି ଠେଁଠେଁଇପୋଷ୍ ବି ଭାଙ୍ଗିଗଲା । ତା’ପରେ ଆସିଲା ସଡ଼କ, ମଟର, କୋଠା, କାରଖାନା, ବିଜୁଳି, ମଣିଷ ଗହଳି, ପର୍ବତ ପରି କାରଖାନାର ପ୍ରକାଣ୍ଡ ପ୍ରକାଣ୍ଡ ଚିମିନିରୁ ଅନବରତ ଆକାଶକୁ ଉଠିଲା ସତେ ଯେମିତି ନିଆଁର ମେଘ । ଆଲୁଅ ଦାଉ ଦାଉ ହୋଇ ରାତି ହେଲା ଦିନ, ନୂଆ ସହର ଗଢ଼ି ହୋଇ ଉଠିଲା । କିନ୍ତୁ ଠେଁଠେଁଇପୋଷ୍ ଆଉ ନଥିଲା ।

 

ସହର ତଳିରେ ଠାଏ, ଅନ୍ଧାରୁଆ ସନ୍ତସନ୍ତିଆ ହୋଇ ଗୋଟାଏ ବସ୍ତି, ଫଟାତୁଟା ମାଟି କାନ୍ଥ ଉପରେ ଫଟାତୁଟା ଚାଳ ଥାଇ ବଖରାଏ କୁଡ଼ିଆ ସେଠି ଥାନ୍ତି ତା’ ବାପା ବୋଉ । ବୁଢ଼ା ଦଦମିଞ୍ଜ୍ କେବେ କାହାପାଖେ ମୂଲ ଲାଗିବାର ହେଲେ ମୂଲ ଲାଗେ, କେବେ ଚାରିକୋଶ ଦୂରକୁ ଯାଇ ଜଙ୍ଗଲରୁ କାଠ ଭାଙ୍ଗି ଆଣି ସହରରେ ବିକେ, କେବେ ଦେହ ବାଧିକା ହେଲେ ଖଜୁରି ପଟି ଉପରେ ଥିରି ହୋଇ ଶୋଇଥାଏ । ଚୁଲି ଶୀତଳ ପଡ଼େ ।

 

ପୁରୁଣା ଅଭ୍ୟାସ ମନେ ପଡ଼ି ବୁଢ଼ୀର ହାତ ଗୋଡ଼ ଖଲଖଲ ହୁଏ, କାହିଁ ଏଠି ତା’ର ବାରି କି କ୍ଷେତ ଯେଉଁଠି ସେ ମାଟିକି କେଞ୍ଚିବ, ଶାଗ ପତରଟିଏ ହେଲେ ଖୁଣ୍ଟିବ ? କାହାନ୍ତି ତା’ର ଗୋରୁ ମଇଁଷି ଛେଳି ଘୁଷୁରି ଆଉ କୁକୁଡ଼ା ଯାହାଙ୍କୁ ସେ ଖୋଇବ, ଥୋଇବ ପାଳିବ ପୋଷିବ ? କାହିଁ ଏଠି ବଣ ଯେଉଁଠି କି ସେ କନ୍ଦା ଖୋଳି ଯିବ, ବଣରୁ ଆଣିବ ଘରକୁ କିଛି ଖାଦ୍ୟ, କନ୍ଦା, ମୂଳ, ଫଳ, କାଠ ଛତୁ, ବିରୁଡ଼ି ବସା, ମହୁପୋକ ? କାହିଁ ସେହି ପୁରୁଣା ସାହି, ଗଛ ତଳେ ପଥର, ଯେଉଁଠି ସାହି ମାଇପଙ୍କ ସଙ୍ଗେ ବସି ସେ ସାଦ୍ରି ଭାଷାରେ ଗଡ଼ର ଗଡ଼ର ହୋଇ ଗପି ଯାଉଥିବ ମନଇଚ୍ଛା ?

 

କାହିଁକି ତା’ର ସେ ପୁରୁଣା ସଂସାର ଭାଙ୍ଗିଗଲା ଗାଁ ଉଡ଼ିଗଲା ସେ ଜାଣେ ନାହିଁ । ସମସ୍ତେ ଉଠିଗଲେ । ଏକାଠି ମିଳିଲା ଗୁଡ଼ାଏ ଟଙ୍କା । ମେଲା ଆଙ୍ଗୁଠିର ଫାଙ୍କ ବାଟେ ସେ ଟଙ୍କା ବି ବୋହିଗଲା । ସେତେବେଳେ କେତେ ଉପକାରିଆ ଆସି ବେଢ଼ି ଯାଇଥିଲେ, ବୁଢ଼ାକୁ ବୁଢ଼ୀକୁ ଫୁସୁଲାଇଲେ ନାନା ବୁଦ୍ଧି ଦେଲେ ନାନା ଫିକର ବତାଇଲେ, ଜୀଅନ୍ତା ଛବି ଆଙ୍କି ଥୋଇଦେଲେ ଆଖି ଆଗରେ, ଏପରି କଲେ ସେପରି କଲେ ତା’ର ବି ହେବ ପୁଣି କ୍ଷେତ ବଗିଚା ଗୋରୁ ଗାଈ, ତା’ର ବି ତୋଳା ହେବ ଧଳା କୋଠା, ସେମାନେ ବି ଧନୀ ହେବେ । ଖାଲି, “ଟଙ୍କାଟାକୁ ଆମ ମାର୍ଫତ ଦେଇଦିଅ ସବୁ ଠିକ୍ ହୋଇଯିବ ।” ଏକାଠି ଏତେ ଗୁଡ଼ାଏ ଟଙ୍କା ସେମାନେ କେବେ ଦେଖି ନଥିଲେ, ସେଗୁଡ଼ାକ କେମିତି ଖର୍ଚ୍ଚ କରିବାକୁ ହୁଏ ଜାଣି ନଥିଲେ, ପରଙ୍କ କଥାରେ ଭାସିଗଲେ ।

 

ତା’ପରେ ଉଡ଼ନ୍ତା ଜୁଳୁଜୁଳିଆ ପୋକର ପଛେ ମୁହଁ ଦିଶିଲା ସେମାନଙ୍କ ମୁହଁ ଆଉ ଦିଶିଲା ନାହିଁ । ଜାଣିବା ଲୋକ ହୋଇଥିଲେ ହୁଏତ ସେ ଟଙ୍କାର ଶୋକରେ ପାଗଳ ହୋଇଥାନ୍ତା କିନ୍ତୁ ମୂଳୋହୁଁ ଟଙ୍କାର ଦୟା ଯେ ଲାଭ କରି ନଥାଏ ଟଙ୍କା ଆସିଲେ ସେ ଖର୍ଚ୍ଚ କରିବାକୁ ଯେପରି ଅପାରଗ ଟଙ୍କା ଚାଲିଗଲେ ସେପରି ସେ ଶୋକ କରିବାକୁ ଅସମର୍ଥ ।

 

ଖାଲି କ୍ଷତିପୂରଣ ଟଙ୍କା ନୁହେଁ, ସହର ଭିତରେ ଗୋଟିଏ ନିର୍ଦ୍ଦିଷ୍ଟ ଅଞ୍ଚଳରେ ଘର କରିବାକୁ ଅରାଏ ଜାଗା ମିଳିଲା, ଘର ତୋଳିବାକୁ ସାହାଯ୍ୟ ମିଳିଲା ୨୫୦ଟଙ୍କା, କିନ୍ତୁ ଆପଣା ହାତରୁ ସେଥିରେ କିଛି ପକାଇବାକୁ ପାଣ୍ଠି ନଥିଲା, ମୂଲ ବି ଚଢ଼ା, ଘର ହେଲା କିନ୍ତୁ ହେଲା ନାହିଁ । ତଥାପି ଘର ଥିଲେ ବି ସେଠି ବୃତ୍ତିର ବ୍ୟବସ୍ଥା ନାହିଁ । ତୁଚ୍ଛା ଘର ।

 

ବୃତ୍ତି ପାଇଁ ବ୍ୟବସ୍ଥା ଯେଉଁଠି ହେଲା ସେ ବି କାମକୁ ପାଇଲା ନାହିଁ । ବହୁତ ଦୂର । ତିରିଶି କୋଶ । ପଥୁରିଆ ମାଟି ଉପରେ ପତରା ଜଙ୍ଗଲ, ପାଣି ସୁବିଧା ନାହିଁ । ବୁଢ଼ାଦ୍ୱାରା ସେଠି ତୋଷ ହେବ ନାହିଁ । ଟୋକାଦ୍ୱାରା ବି ହୁଅନ୍ତା କି ନାହିଁ ଜଣା ନାହିଁ । ତଥାପି, ଖାତାରେ ଦେଖିଲେ, ବୁଢ଼ାର ଯେତିକି ଚାଷ ଜମି ଗଲା ସେଠି ତା’ପାଇଁ ସେତିକି ପରିମାଣରେ ଜମି ଲେଖି ଦିଆହୋଇଛି, ସମସ୍ତେ ବଣ ସଫା କରି ଜମି ବାହାର କରନ୍ତି ତା’ର ଇଚ୍ଛା ହେଲେ ସେ ବି ସେପରି କରୁ । ଇଚ୍ଛା ହେଲାନାହିଁ । ଦଦ ଓରାମ୍‍ ଭାବିଲା ସେ ଭୋକରେ ମଲେ ବି ଏପରି ଜାଗାରେ ମରିବାକୁ ଚାହେଁ ଯେଉଁଠି ମଣିଷଙ୍କ ମୁହଁ ଦେଖିପାରୁଥିବ ।

 

ତେଣୁ ସେ ତା’ର ଦୁଃଖେ କଷ୍ଟେ ସେଇଠି ମାଟି କାମୁଡ଼ି ପଡ଼ିଥାଏ, ସ୍ୱପ୍ନ ଦେଖେ ପୁଣି ତା’ର ଭଙ୍ଗା ପରିବାର ଏକାଠି ହେବେ ! ଦୁଇ ପୁଅ, ମାଙ୍ଗୁ ଆଉ ମହତ । ଦୁହେଁ ଦୁଇଆଡ଼େ ମୂଲ ଲାଗିବାକୁ ଚାଲିଗଲେ, ଖାଦାନ୍‍(ଖଣି)ରେ ଲୁହାପଥର ଖୋଳା, ସଡ଼କରେ ଗେଟି ଭଙ୍ଗା, ଟ୍ରକରେ ମାଲ ଚଢ଼ା ଉତୁରା, ରାସ୍ତା ଓ ରେଳ ସଡ଼କରେ କୁଲି କାମ, ଖଟିବା ଲୋକକୁ ଏଠି ମଜୁରି ମିଳିବା ଅସୁବିଧା ନାହିଁ । କିନ୍ତୁ ସେମାନେ ବଦଳିଛନ୍ତି । ପ୍ୟାଣ୍ଟ, ସାର୍ଟ, ଜୋତା, ସାବୁନ, ସିଗାରେଟ୍‍, ମଦ, ଖର୍ଚ୍ଚ ପାଇଁ ନାନା ବାଟ, ତା’ଛଡ଼ା ଉଧାର ଶୁଝା, ଚାଷ କାମ ଛାଡ଼ି କୁଲି କାମ କଲାଦିନୁଁ ସେମାନେ ବେଶି ବେଶି କରଜ କରୁଛନ୍ତି, କରଜ ଆଣିବାକୁ ସାହସ ବଢ଼ିଯାଇଛି, ଇଚ୍ଛା ବଢ଼ିଯାଇଛି । ସାତଦିନିଆ ସୁଧରେ କରଜ ଦେବାକୁ ସାହୁକାର ବି ଆସିଛନ୍ତି, ଦୂର କେରଳରୁ ମଇମନ୍‍, କାବୁଲ୍‍ରୁ ପଠାଣ । କେରଳି ଶେଠ୍ ଯଦି ଦଶଟଙ୍କା କରଜ ଲେଖେ ଦିଏ ନ’ଟଙ୍କା ଆଠଣା, ସାତଦିନେ ଥରେ ମୂଳ ବାବଦକୁ ଅଢ଼େଇ ଟଙ୍କା ନିଅ ସୁଧ ବାବଦକୁ ଆଉ ଆଠଣା, ଚାରି ହପ୍ତାରେ ଦଶଟଙ୍କା ଉଠିଯାଇ ଆଉ ଉଠିଥାଏ ଅଢ଼େଇ ଟଙ୍କା । କିଣ ଯେତେ କିଣିବ ମଦ କି ପିଠା କି କେଉଁ ପ୍ରେୟସୀକୁ ଭେଟି ଦେବାକୁ କେଉଁ ଜିନିଷ, କରଜ ମିଳିବ ।

 

କିନ୍ତୁ ମାଙ୍ଗୁ ଆଉ ମହତ ହୋଇଗଲେ ଶିମିଳୀ ତୂଳା, ମାଟିରେ ଚେର ନାହିଁ, ସେମାନେ ଖାଦାନ୍‍ ଖେଳେଇର କୁଲି ଶ୍ରେଣୀ, ସତେ ଯେମିତି ତାଙ୍କର ଆଉ କୌଣସି ସମାଜ ନାହିଁ, କାହା ସଙ୍ଗେ କିଛି ସମ୍ପର୍କ ନାହିଁ ।

 

ଆଉ ଥିଲେ ଝିଅ ଯୋଡ଼ିଏ, ଶୁଭାର୍ଦ୍ଦିନୀ ଓ ମାଞ୍ଜୋରୀ । ଶୁଭାର୍ଦ୍ଦିନୀ ସେତେବେଳେ ବିଭା ହେବାର ଥିଲା, ଠେଁଠେଁଇପୋଷ୍‍ ଭାଙ୍ଗିଗଲା । ବାପ ମା’ଙ୍କ ସଙ୍ଗରେ ସେମାନେ ସହରର ସେ ପଲାକୁ ଆସିଲେ । କିନ୍ତୁ ଛଅ ବର୍ଷରେ ନୂଆ ଯୁଗ ସେମାନଙ୍କୁ ଆପଣାର କରିନେଲା । ଶୁଭାର୍ଦ୍ଦିନୀ ବିଭା ହେଲା ସତ କିନ୍ତୁ ସେଠି ସେ ସ୍ଥିର ହୋଇ ରହିପାରିଲା ନାହିଁ, ତିନିଥର ନୂଆ ନୂଆ ସ୍ୱାମୀ ଘେନିଲା ପରେ ତଥାପି ସେ ମୁକ୍ତ, ଏହା ପରେ ଆହୁରି ଥରେ ପ୍ରଚେଷ୍ଟା କରିବାକୁ ଅପେକ୍ଷା କରିଛି କେଉଁ ପାହାଡ଼ ଢାଲୁରେ କେଉଁ ‘ଖାଦାନ୍‍’ କରରେ ପତର କୁଡ଼ିଆରେ । ତା’ପରେ ସେଠୁ ଉଠି ଆଉ କେଉଁ ‘ଖାଦାନ୍‍’ ଗାଡ଼ ପାଖକୁ ଯିବ, ଗାଡ଼ରୁ ଗାଡ଼ ଚାଲିଥିବ ଦେହରେ ବଳ ଓ ଯୌବନ ଥିବାଯାକେ । ପ୍ରତି ଘଣ୍ଟାକୁ ଘଣ୍ଟା ଟେଳାଏ ଲେଖାଁ ଗୁଡ଼ାଖୁ ଘଷୁଥିବ । ଧୂଳିରେ ଜୁଡ଼ୁବୁଡ଼ୁ ହୋଇ ପୁଅ ଝିଅଙ୍କ ସଙ୍ଗେ କାନ୍ଧକୁ କାନ୍ଧ ଘଷି ଠିଆ ହୋଇ ଗୀତ ବୋଲୁ ବୋଲୁ ଯେଉଁମାନେ ଧାବମାନ ଟ୍ରକ୍‍ର ଡାଲା ଉପରେ ହଠାତ୍‍ କେଉଁ ଜଙ୍ଗଲ ବାଟରେ ଦେଖା ପଡ଼ିଯାଆନ୍ତି ଶୁଭାର୍ଦ୍ଦିନୀ ତାଙ୍କରି ମେଳରେ ଜଣେ ହୋଇଥାଏ, ତା’ର ଇତିହାସ ସେହି ଚଲା ବାଟର ।

 

ମାଞ୍ଜୋର ମିଞ୍ଜ୍‍ ଆପଣାକୁ ଓରାମ୍‍ ଝିଅ କହିବାକୁ ମନ ବଳାଏ ନାହିଁ । ପ୍ରଭାତୀଠୁଁ ଦୁଇବର୍ଷ ବଡ଼ । ମା’ର ହାତବାରିଶି, ବାପର ବୁଢ଼ା ଦିନର ଠେଙ୍ଗା, ମାଞ୍ଜୋରୀ, ଗେହ୍ଲା ଝିଅ । କେଡ଼େ ଟିକିଟିଏ ହୋଇଥିଲା । ଘରର ସବୁ କାମ କରେ । “ଏକା ମାଞ୍ଜୋରୀ ଥିଲେ ଘର ମୋର ହସୁଥିବ’’, ଦଦ ଓରାମ୍‍ କହେ । ଗୋରୁ ଗାଈ ମୁହଁ ଟେକି ତା’ରି ଆସିବା ବାଟକୁ ଅନାଇଥା’ନ୍ତି, ଘରର ଘୁଷୁରି କୁକୁଡ଼ା ତା’ରି ଚାରିପାଖେ ବୁଲୁଥା’ନ୍ତି ଗୋଟି ଗୋଟି କରି ଖବର ବୁଝେ କାହାର କ’ଣ ଦରକାର । ବିଲକୁ ଯାଏ, ପାହାଡ଼ରେ ବଗଡ଼ କ୍ଷେତକୁ ଯାଏ । କିନ୍ତୁ ଠେଁଠେଁଇପୋଷ୍‍ ଲୁପ୍ତ ହୋଇ ଛଅଟି ବର୍ଷ ନ ଯାଉଣୁ ମାଞ୍ଜୋରୀ ନୂଆ ହୋଇଯାଇଛି । ନୂଆ ଆଉ ଅଚିହ୍ନା ।

 

ପାଦରେ ଜୋତା, ଦେହରେ ସାୟା, ବ୍ଲାଉଜ୍‍, ରଙ୍ଗଢଙ୍ଗିଆ ଦାମୀ ଶାଢ଼ୀ, ହାତରେ ଚୁଡ଼ି କାଚ, ରିଷ୍ଟ ୱାଚ୍‍, କାନ୍ଧରୁ ଓହଳିଛି ଭ୍ୟାନିଟି ବ୍ୟାଗ୍‍, ହାତରେ ସୌଖିନ୍‍ ଛତା, ରାତି ହେଲେ ଟର୍ଚ୍ଚଲାଇଟ୍‍, ପାଟିରୁ ଭଙ୍ଗା ଭଙ୍ଗା ଇଂଗ୍ରେଜି, ହିନ୍ଦୀ । ଆଲୁଅ ଝଲଝଲ ସହରର ରାତିରେ କେତେବେଳେ କେଉଁ ପୁରୁଷର ସାଇକଲର ଆଗରେ କି ପଛରେ ବସି କେଉଁଆଡ଼େ ବୁହା ହୋଇ ଯାଉଥିବାର ସ୍ତ୍ରୀଲୋକଟିଏ ଦେଖିଲେ ସେଠି ମାଞ୍ଜୋରୀ ମିଞ୍ଜ୍‍କୁ ଖୋଜା ଯାଇପାରେ । ମୁହଁ ସଞ୍ଜବେଳେ ଏକୁଟିଆ ରହୁଥିବା କେଉଁ ଭାରତୀୟ କି ବିଦେଶୀ ଇଞ୍ଜିନିଅର୍‍ଙ୍କ ବସାଘର ବାରଣ୍ଡାରେ ଜୋତା ଦୁମ୍‍ଦୁମ୍‍ କରି କବାଟର କଡ଼ା ଖଡ଼ଖଡ଼ କରି ଯଦି କେହି ସ୍ତ୍ରୀଲୋକ ଦୁଃସାହସରେ ପଚାରୁଥାଏ, “ଆପଣଙ୍କର ‘ଆୟା’ ଦରକାର ? କହିବେ ଯଦି ମୁଁ ଏଇ ମୁହୂର୍ତ୍ତରେ କାର୍ଯ୍ୟରେ ଯୋଗଦେବି ।” ତେବେ ତାକୁ ନିରେଖି ଚାହିଁଲେ ହୁଏତ ଚିହ୍ନି ହେବ ସେ ମାଞ୍ଜୋରୀ ମିଞ୍ଜ୍‍-। ହାଟରେ ବାଟରେ କେବେ କେତେବେଳେ ହାବୋଡ଼ି ଗଲେ ସେ ଅଟକିଯାଏ, କଥାଭାଷା ହୁଏ, ଆପଣା କଥା କିଛି କହେନାହିଁ, କେବେ କେବେ ସେ ଦୁଇଟଙ୍କା ଚାରିଟଙ୍କା ବାପା ହାତକୁ ବଢ଼େଇଦିଏ, ଘରକୁ ଆସିବ ବୋଲି କହେ, ଆସେ ନାହିଁ ।

 

ଯେ ଯୁଆଡ଼େ ଉଡ଼ିଗଲେ ।

 

ବୁଢ଼ା ଦଦ ଓରାମ୍‍ ସଞ୍ଜବୁଡ଼େ ସେ ବସ୍ତିର ଅନ୍ଧାର ଭିତରୁ ଯେତେବେଳେ ପଦାକୁ ଚାହିଁ ରହିଥାଏ ସେତେବେଳେ ତା’ ଆଖି ଆଗରେ ଦିଶୁଥାଏ ବିଜୁଳି ଆଲୁଅରେ ଝଲମଲ ପ୍ରକାଣ୍ଡ କୋଠାମାଳ ସହର, ତା’ ସେପାଖେ ଅସୁର ଆକାରର କାରଖାନା ଘର, ଅନ୍ଧାରୀ ଆକାଶରେ ଲହ ଲହ ହୋଇ ଉଠୁଥାଏ ଚିମିନୀରୁ ନାଲି ନିଆଁର ମେଘ, ସତେ ଯେମିତି ରକ୍ତଗୁଡ଼ାକ ବାମ୍ଫ ହୋଇ ଆକାଶକୁ ଉଠୁଛି । ମନେପଡ଼େ, ସେଇଠି ଥିଲା ତା’ ଗାଁ ଠେଁଠେଁଇପୋଷ୍‍, ହେଇ ସେ ସାନ ମୁଣ୍ଡିଆ ତଳେ । ଛଅ ବର୍ଷ ତଳର ସଂସାରର ଛବି ପୁଅ ଝିଅଙ୍କ ମୁହଁ ସେହି ନିଆଁ ମେଘ ଭିତରେ ସତେକି ଦିଶି ଦିଶିଯାଏ, ତା’ର ମୁଣ୍ଡ ଗୋଳମାଳ ହୋଇଯାଏ ।

 

ପ୍ରଭାତୀର ପଟ୍ଟଭୂମି ଏହିପରି, ଅଥଚ ମୂଳରୁ ହିଁ ଏଥିରୁ ଗୋଟିକ ସଙ୍ଗେ ବି ତା’ର ସମ୍ପର୍କ ନଥିଲା, ପ୍ରଭାତୀ ନାଁଟି ବି ସେ ପଟ୍ଟଭୂମିରୁ ଆମଦାନି ନୁହେଁ, ସେଠି ତା’ର ନାଁ ଦିଆ ହୋଇଥିଲା ‘ନାର୍ମୀ’ । କି ପରିସ୍ଥିତିରେ ଓ କି କାରଣରୁ ଓରାମ୍‍ ‘ନାର୍ମୀ’ ନାଁଟି ବଦଳି ହେଲା ‘ପ୍ରଭାତୀ ମଞ୍ଜରୀ’ ସେ କଥା କହିଲେ କହିବେ ଗଡ଼୍‍ ଗଡ଼୍‍ ବାହାଲ୍‍ ‘କନ୍ୟାଶ୍ରମ’ର ଶିକ୍ଷୟିତ୍ରୀ ଶାନ୍ତି ଅପା । ସେ ସେ ଅନୁଷ୍ଠାନଟିକୁ ଗଢ଼ିଥିଲେ, ଟଙ୍କା ଓ ବ୍ୟବସ୍ଥା ସରକାରଙ୍କର । ଗାଁ ଗାଁ ବୁଲି କୁହା ପୋଛା କରି ଇସ୍କୁଲ ପାଇଁ ପିଲା ସଂଗ୍ରହ କରିଥିଲେ, ଶିକ୍ଷୟିତ୍ରୀ ସଂଗ୍ରହ କରିଥିଲେ, ଅନୁଷ୍ଠାନଟି ହୋଇଥିଲା ସେମାନଙ୍କ ଘର । ଦଦ ଓରାମ୍‍ ଓ ତା’ ସ୍ତ୍ରୀ ତାଙ୍କ ସାନଝିଅ ନାର୍ମୀକୁ ସେଠି ଛାଡ଼ିଥିଲେ-। ‘ପ୍ରଭାତୀ ମଞ୍ଜରୀ’ ନାଁଟି ତାଙ୍କୁ ବି ମନ୍ଦ ଲାଗି ନଥିଲା । ପ୍ରଭାତୀ ସେଠି ସାତ ବର୍ଷ ପାଠ ପଢ଼ି ମାଇନର ପାଶ୍‍ କରିଥିଲା, ବଗିଚା କାମ, କ୍ଷେତ କାମ, ରୋଷେଇ କାମ, ସିଲେଇ ବୁଣାବୁଣି, ସଂଗୀତ, ନାଚ ସବୁ ଶିଖିଥିଲା ଆଉ ଶିଖିଥିଲା ପ୍ରାର୍ଥନା ଗାଇବା, ସକାଳେ ସଞ୍ଜେ ସମସ୍ତେ ଏକାଠି ହୋଇ ମନଖୋଲି ପ୍ରାର୍ଥନା ଶେଷରେ–

 

‘‘ସରବେ ସଅଁ ତୁ–ନିରାମାୟାଃ”

 

ଗଡ଼୍‍ ଗଡ଼୍‍ ବାହାଲ୍‍ ।

 

ତା’ ତଳେ ବୋହି ଯାଉଛି ‘ମତୁଆଲୀ’ ନଈ କୂଳେ କୂଳେ ମହୁଲ ଗଛ ଆଉ କ୍ଷେତ । ସାମ୍ନାରେ ଦିଶେ ମହାବୀର ପାହାଡ଼, ଡାହାଣ କରରେ ଖଣ୍ଡେ ଛାଡ଼ି କ୍ଷେତ ସେପାଖେ ଦିଶେ ‘ବାଇ ବାଇ’ ଗାଁର ଛାତଗୁଡ଼ିକ । ଦୁଲୁକେଇ ମହୁଲ ତୋଟା ଉହାଡ଼ରୁ ନାଗ୍ରା, ଡୁଲ୍‍କି, ମୃର୍ଦ୍ଦୂଂର ସଙ୍ଗୀତ ସଙ୍ଗେ ସଙ୍ଗେ ଏକାଠି ଗହଳି ହୋଇ ଯେଉଁ ଗୀତର ଘୋଷା ପବନରେ ଭାସି ଭାସି ଆସେ ସେତ ସେଇଠୁ । ପ୍ରଭାତୀ ତା’ର ପଛକୁ ଚାହିଁଲେ ତାକୁ ସେହି ଗଡ଼ଗଡ଼ବାହାଲର କନ୍ୟାଶ୍ରମର ଜୀବନ ହିଁ ପରିଷ୍କାର ହୋଇ ଦିଶେ, ସାଙ୍ଗମେଳ ହୋଇ ଝିଅଗୁଡ଼ିଏ, ସତେକି ସମସ୍ତେ ସେଇଠି ଜନ୍ମ ହୋଇଛନ୍ତି । ହସ ଖେଳ ଭୋଜି, ମଉଛବ, ନାଚ, ଗୀତ, କାମ । ଆଶ୍ରମ ପରି ତୋଟା, ବଗିଚା, କମଳା, ଆମ୍ବ, ପିଜୁଳି, ଘଞ୍ଚ କଦଳୀ ବଣ, ଫଳ ଭର୍ତ୍ତି ହୋଇ ଅମୃତଭଣ୍ଡା ଗଛ, ଗୋଲାପ ବୁଦାମାନ, ଟୋକେଇ ଫୁଟେ ଆଉ ନାନା ଜାତି ଫୁଲ । ମନଇଚ୍ଛା ପେଟପୂରା ଭୋଜନ, ମାସକୁ ଅନ୍ତତଃ ଥରେ ମାଂସ ।

 

ପୂର୍ବେ ତା’ ବାପା ବୋଉ ବେଳେ ବେଳେ ସେ ଅନୁଷ୍ଠାନକୁ ଯାଉଥିଲେ । ତା’ପରେ ଆଉ ନାହିଁ । କେବେ କେବେ ମନେ ପଡ଼ନ୍ତି । ଦୁଇଭାଇ, ଅନ୍ୟ ଦୁଇ ଭଉଣୀ,–କ୍ଵଚିତ୍ । ସେ ଜାଣେ ନାହିଁ ସେମାନେ କେଉଁଠି ଥାଆନ୍ତି କ’ଣ କରନ୍ତି ।

 

ସେହି ଆଦିମ ଲୋକେ ଯେତେବେଳେ ତାଙ୍କ ପୁରୁଣା ଚଳଣି ଧରି ତାଙ୍କ ପୁରୁଣା ଗାଁରେ ଥାଆନ୍ତି, ପରିବାର ବନ୍ଧୁ କୁଟୁମ୍ବ ମିତ ମଇତ୍ର ହୋଇ ଏକାଠି ଛନ୍ଦା ଛନ୍ଦି ହୋଇ, ତାଙ୍କୁ ଦେଖିଲେ ଲାଗୁଥାଏ ଏଠି ‘ଜଣ’ ବୋଲି କିଛି ନାହିଁ । ସବୁବେଳେ ଏଠି ‘ଗଣ’, ଯୁଆଡ଼େ ଗଲେ ଯେଉଁଠି ରହିଲେ ଯେଉଁ କାମ କଲେ ହୁଏତ ଗୋଠେ ନହେଲେ କେହି ନୁହେଁ, ବାଟ ଚାଲିଲେ ମନ୍ଦାଏ, ଜଣକା ପିଛା ଜଣେ ହୋଇ ଗାର ପଡ଼ିଲା ପରି ଧାଡ଼ିଏ, ଝିଅମାନେ ପାଣି କୂଳକୁ ଗଲେ ସୁଦ୍ଧା ପରସ୍ପର ପିଠି ଆଡ଼େ ହାତ ଛନ୍ଦା ଛନ୍ଦି । ଭାବିଲେ ଲାଗୁଥାଏ ଯେ ଏ ସମାଜରେ ମଣିଷର ମନ ଏପରି ଉପାଦାନରେ ଗଢ଼ା ହୋଇଛି ଯେପରି ସେ ତା’ର ସମାଜକୁ ଛାଡ଼ି ରହିପାରିବ ନାହିଁ ।

 

କିନ୍ତୁ ଯେତେବେଳେ ସେ ମଣିଷ ଅବସ୍ଥାଚକ୍ରରେ ତା’ ଭୂଇଁରୁ ଉପଡ଼ା ହୋଇ ଆକାଶକୁ ଫିଙ୍ଗା ହୁଏ, ସେ ଉଡ଼େ । ତା’ର ସମାଜ-ଚେତନା କୁଆଡ଼େ ପାଶୋର ଯାଏ । ତା’ର ଧରଣ ଦେଖିଲେ ଜଣାଯାଏ ସତେ ଯେମିତି ତା’ର ଅତୀତ ପରମ୍ପରା କିଛି ନାହିଁ, ବନ୍ଧୁ ସ୍ୱଜନ କେହି ନାହାନ୍ତି, ସେ ନୂଆ ହୋଇ ଶୂନ୍ୟ ଭିତରୁ ସୃଷ୍ଟି ହୋଇଛି ଠିକ୍‍ ଏହି ମୁହୂର୍ତ୍ତରେ, ପରିସ୍ଥିତିକୁ ଚିହ୍ନି ପରଖି ନିଜ ସ୍ଥାନ ନିଜେ ନିରୂପଣ କରିବାକୁ ସଜାଡ଼ି ହେଉଛି ।

 

ସେହିପରି ପ୍ରଭାତୀ । ଖୋଳପାରୁ ନୂଆ ହୋଇ ବାହାରିଥିବା ପ୍ରଜାପତି ପରି । କେବେ ସେ ସଁବାଳୁଆ ହୋଇଥିଲା କି ତା’ ଆଗରୁ ଡିମ୍ବ ହୋଇଥିଲା ତା’ ତା’ର ମନେ ନାହିଁ । ନୂଆ ପରିସ୍ଥିତି ସଙ୍ଗେ ତା’ର କଳିଗୋଳ ନାହିଁ । ସେ ନୁହେଁ ସଂସ୍କାରକ, ଉଜାଣି ବାହିବା ବୋଇତିଆଳ । ସେପରି ଗୌରବ ଅର୍ଜିବା ତା’ର ଯୋଜନା ଭିତରେ ହିଁ ନାହିଁ । ଖରା କାକର ସଙ୍ଗେ ପବନ ସୁଅ ସଙ୍ଗେ ମିଳି ମିଶି ଯେତେ ବାଟ ସେ ଯାଇପାରିବ ସେହି ତା’ର ଆତ୍ମପ୍ରକାଶ, ଆଉ ଅଧିକା ସେ ମାଗେ ନାହିଁ ।

 

ତେଣୁ ତା’ ମୁହଁ ଲଦିଲା ଲଦିଲା ନୁହେଁ, ତା’ ଆଖି ଚିନ୍ତାରେ କି ଅନୁଶୋଚନାରେ ଭାରି ଭାରି ନୁହେଁ, ତା’ଠିଁ ଚତୁରିମାର ବଡ଼େଇ ନାହିଁ, ହିଂସାର ଆନନ୍ଦ ନାହିଁ, ପ୍ରତିଯୋଗିତାର ଉତ୍ତେଜନା ନାହିଁ । ତାଠିଁ ସମସ୍ୟା ଜଟିଳତା କିଛି ନାହିଁ । ତା’ ଆଖିରେ ଜୀବନ ସତେକି ସେହି ଗଡ଼୍‍ ଗଡ଼୍‍ ବାହାଲ୍‍ର କନ୍ୟାଶ୍ରମର ଜୀବନର ଛାଞ୍ଚରେ ତିଆରି, କେତେଗୁଡ଼ିଏ ମୌଳିକ ନୀତି ମାନିବାକୁ ପଡ଼ିବ, କେତେଗୁଡ଼ିଏ କର୍ତ୍ତବ୍ୟ ତୁଲାଇବାକୁ ପଡ଼ିବ, ତା’ପରେ ସରଳ ଜୀବନଯାତ୍ରା, ଦିନ ଶେଷରେ ‘ଆପ୍‍ ଭଲା ତ ଦୁନିଆଁ ଭଲା’ ଧାରଣା ସଙ୍ଗେ ସଙ୍ଗେ ।

 

“ସରବେ ସଅଁତୁ ନିରାମୟାଃ”

 

ଯାହା ହୋଇଥାଉ ତା’ର ଅର୍ଥ ।

 

ଗୋଲ୍‍ ମୁହଁ । ଶ୍ୟାମଳୀ । ଧାର ଧାର ଆଖି, ଭାବପ୍ରବଣ । ଅତି ଧଳା ଦାନ୍ତ, ଦି’ଧାଡ଼ି ମୁକ୍ତା ପରି, କଥା କଥାକେ ହସ ବୋହି ପଡ଼େ । ଆସ୍ତେ ଚାଲିଲେ ନାଚିଲା ପରି, ତରତର ଗଲେ ପହଁରିଲା ପରି, ଗତିରେ ସ୍ୱାଭାବିକ ଛନ୍ଦ । ସ୍ୱାସ୍ଥ୍ୟ ଯୌବନ ଆନନ୍ଦ ଓ ଭଲପଣିଆର ଛୋଟିଆ ରୂପଟିଏ । ଶ୍ରୀ, ଆଭା, ପ୍ରଫୁଲ୍ଲତା, ସରଳତା । ଶାନ୍ତି ଅପା ନାଁଟି ତା’ର ଭଲ ବାଛି ଥିଲେ,–‘ପ୍ରଭାତୀ’

 

ରମାର ଭାବିଲା ଭାବିଲା ଅନ୍ଧାର ଭିତରେ ଆଲୁଅ ଖେଳାଇ ଦେଇ ସରସ ମିଠା ମୁହଁରେ ପ୍ରଭାତୀ–ପଚାରେ,–

 

“ଏତେ ଭାବୁଛ କାହିଁକି ?”

 

“ତୁ ବୁଝିପାରିବୁ ନାହିଁ ।”

 

“ମତେ ଟିକିଏ ବୁଝାଅ ।” ସବୁଦିନେ ତା’ର ସେହି ପିଲାଳିଆ ଅଳି, “ମତେ ଟିକିଏ ବୁଝାଅ’’ । କେବେ କେବେ ତା’ ତୁଣ୍ଡରୁ ସତେ ଯେମିତି ଜ୍ଞାନୀ କଥା ବାହାରେ । ସେ କହେ, ‘‘ମଣିଷର ମୁହଁ ସାମ୍ନାରେ ତ ଏତେ କାମ ଯେ ତେଣିକି ଅନେଇଁବାକୁ ତର ମିଳେ ନାହିଁ ଆଉ ତୁମେ ପଛକୁ ଅନାଇଁବାକୁ ବେଳ ପାଅ କେମିତି ? ଆମ କନ୍ୟାଶ୍ରମରେ ଶାନ୍ତି ଅପା କହୁଥିଲେ ମଣିଷ ଯେତେବେଳଯାଏ ପଛକଥା ଭାବି ଲାଗିଥାଏ ସେତିକି ବେଳ ସେ ମରି ଭୂତ ହୋଇଥାଏ, ତାକୁ ଛାଡ଼ିଲେ ପୁଣି ସେ ଜିଇଉଠେ ।” ଘନିଷ୍ଠତା ଯହୁଁ ଯହୁଁ ବଢ଼ିଲା ତା’ର ଗୋଟାଏ ପାହାଚରେ ସେ ଥରେ ପଚାରିଥିଲା, “ତୁମ ପୁଅକୁ ଯଦି ଏଠିକି ନେଇ ଆସନ୍ତ ତେବେ ଭାରି ଭଲ ହୁଅନ୍ତା ।” ରମା କାନ୍ଦି ପକାଇଥିଲା । ତା’ପରେ ପ୍ରଭାତୀ ଆଉ ବଳେଇ ନାହିଁ । କିନ୍ତୁ କିଛିଦିନ ପରେ ସେମାନଙ୍କ ସମ୍ପର୍କର ଆହୁରି ଉପର ପାହାଚରେ ଥରେ ପ୍ରଭାତୀ ରମା ଆଗରେ ଗୋଟାଏ ଅଦ୍ଭୁତ ପ୍ରସ୍ତାବ ପକାଇଲା । କହିଲା “ତୁମକୁ ଯେତେ ଚିହ୍ନୁଛି ସେତେ ବୁଝୁଛି ଯେ ତୁମେ ସ୍ୱାମୀ ନ ଥାଇ ଜୀବନ ବଞ୍ଚିବାକୁ ଆଦୌ ତିଆରି ହୋଇନା, ଘର ମଣିଷ ନାହିଁ ବୋଲି ତୁମର ଦଶଦିଗ ଶୂନ୍ୟ, ଖାଲି ମଲା ଲୋକର କଥା ଭାବି ଭାବି ତୁମେ ମରି ମରି ଦିନ କଟୋଉଛ । ସେମିତି ଜୀବନରେ କି ସୁଆଦ ? ମୁଁ କହୁଚି, ତୁମେ ଆଉ ଗୋଟିଏ ବିଭା ହୋଇପଡ଼ ।

 

ରମା କାଠ ହୋଇ ଠିଆହୋଇ ରହିଲା । ଭୟ, ବିସ୍ମୟ, ଦୁଃଖ, ପାପ ଚେତନା ତା’ ମୁହଁରେ ସବୁ ଏକାଠି ଆଉଟା ଆଉଟି ହୋଇ ତା’ ମୁହଁ କ’ଣ କେମିତି କେମ୍ପା ହୋଇ ଦିଶୁଥିଲା, ତଳି ଓଠ ଆସ୍ତେ ଆସ୍ତେ ଥରୁଥିଲା । କିନ୍ତୁ ପ୍ରଭାତୀର ଟିକିଏ ବି କ୍ଷୋଭ ନଥିଲା । ସରଳ ସହଜ ରହି ସେ ପୁଣି କହିଲା “ବୁଝିଲି, ତୁମ ସମାଜରେ ବୋଧହୁଏ ଚଳେନାହିଁ, କ’ଣ ନା ଗିରସ୍ତଟାଏ ଜନ୍ମ ହୋଇଥାଏ ଥରେ, ସେ ମରିଗଲେ ସେ ସ୍ଥାନ ଖାଲି । ସେଉଠୁ ମାଇକିନିଆ ନିଜେ ମଲେ ତେବେ ଯାଇ ସେପୁରରେ ଭେଟା ଭେଟି, ଦିହେଁ ପୁଣି ମଣିଷ ହୋଇ ଜନ୍ମ ହେଲେ ଆର ଜନ୍ମରେ ପୁଣି ହେବେ ବର କନ୍ୟା । ମୁଁ କହୁଛି, ସେପୁର ଆଉ ଆର ଜନ୍ମର କଥା ପୁଣି ସେପୁର ଆଉ ଆର ଜନ୍ମ ବେଳକୁ ଦେଖାଯିବ, ଆଗ ଏ ଜନ୍ମର ଆବଶ୍ୟକ ମେଣ୍ଟୁ ।” ରମା ଦାନ୍ତ ଚିପି ଚିପି ସଁ ସଁ ହୋଇ କହିଲା “କ’ଣ ଗୁଡ଼ାଏ ବକୁଚୁ ?” ପ୍ରଭାତୀ କି ଯେମିତି କାଳିସୀ ଲାଗିଛି । କହିଲା “ତୁମେ କ’ଣ ଭାବୁଛ ମୁଁ ଜାଣିଛି । ମାଇକିନିଆ ହୋଇ ମାଇକିନିଆର ମନ କେମିତି ନ ବୁଝି ପାରିବି ? ପାରୁଛି ତ-। ତୁମ ହୃଦୟ କହୁଛି ମୁଁ କହିବା କଥା ସତ, କିନ୍ତୁ ତୁମେ ଡରି ଯାଉଛ । ସମାଜକୁ ଡର । କାଳେ ସେମାନେ ଦାଉ ସାଧିବେ, ଅକସ ରଖିବେ, ନାନା ହରବର କରିବେ । ତାଙ୍କ ମାମୁଲ୍‍ଟା ଭାଙ୍ଗିଯିବ କିନା ! ମୁଁ କହୁଛି, ତୁମ ସମାଜଟା ଏ ସଂସାରରେ ଗୋଟିଏ ବୋଲି ସମାଜ ନା ଭିନ୍ନେ ସମାଜ ଆଉ ଅଛି ? ତୁମ ଗାଁ’ଟା ଏ ସଂସାରରେ ଗୋଟେ ବୋଲି ଗାଁ ନା ଆଉ ଭିନେ ଗାଁ ଅଛି ? ଯେ ଆମକୁ ନ ଆଦରିବ ଆମେ ତା’ପାଖକୁ ଯିବା ନାହିଁ, ଭିନେ ଥାନକୁ ଯିବା । ଯାହା କରୁଁ, ବଞ୍ଚିବା ତ’, ନା ଝୁରି ଝୁରି ଡରି ଡରି କାନ୍ଦି କାନ୍ଦି ମରି ଏକା ଯିବା ?”

 

ରମା ପ୍ରଭାତୀ ସଙ୍ଗେ ଯୁକ୍ତି କଲା ନାହିଁ, ଆଡ଼େଇ ହୋଇ ଚାଲିଗଲା । କିନ୍ତୁ ତା’ ମୁଣ୍ଡ ଭିତରେ ପ୍ରଭାତୀ ଯେଉଁ ନିଆଁଗୁଳା ଝାଡ଼ି ଦେଲା, ଶୀଘ୍ର ତା’ ନିଭିଲା ନାହିଁ ।

 

ସବୁ କବାଟ ଝରକା କିଳି ଦେଇ ସେହି ଜୁକୁଜୁକୁ ନିଆଁ ଧାସରେ ସେ ଆପଣା ଭିତରର କ’ଣ ଅସ୍ପଷ୍ଟ ଆକୃତିକୁ ଦେଖି କରିବାକୁ ଲାଗିଲା, ସତେ ତ, ସେଠି ସେମିତି କ’ଣ ଗୋଟାଏ ଅଛି ! ସେ ଛାଇ ଛାଇଆ, ସେ ପ୍ରକାଣ୍ଡ, ବାରି ହୁଏ ନାହିଁ ପ୍ରକୃତରେ ସେ କ’ଣ, କିନ୍ତୁ ସେ ଅଛି, ନିଭୃତ ମନର ଅପ୍ରକଟ କାମନାର ରୂପ ବାହାରର ଆଲୁଅ ପବନ ସେ ସହେ ନାହିଁ, କିନ୍ତୁ ଥାଏ, ହଲ ଚଲ ହୁଏ, ଯେମିତି ଅନ୍ତନାଳି ଭିତରର ଚାକୁଣ୍ଡା ପୋକ । ସେ ଘୃଣ୍ୟ, ବିଭତ୍ସ, କିନ୍ତୁ ସେ ଅଛି । ଯେମିତି ତା’ ଦେହର ଦୈନିକ ପ୍ରକ୍ରିୟାମାନ, ଯେମିତି ମାସକୁ ଥରେ ସେ ମାରା ହୁଏ, ଯେମିତି ତା’ ଦେହର ସ୍ୱଭାବମାନ ତା’ ନିଜର ଇଚ୍ଛା ଅନିଚ୍ଛାକୁ ଅପେକ୍ଷା ରଖେନାହିଁ କିନ୍ତୁ ଥାଏ, ସେମିତି ସେ କ’ଣ ଗୋଟାଏ ।

 

ତା’ ବିଷୟ ଭାବିଲା ବେଳକୁ ବି ଚାଉଁ ଚାଉଁ ଲାଗେ କାଳେ କିଏ ଉଣ୍ଡୁଛି ଦେଖୁଛି କି? ଯେମିତି ବାଡ଼ ସେପାଖେ ଝରକା ସେପାଖେ ସବୁ ଜଳା ଆଉ ଅନ୍ଧି ସନ୍ଧି କତିରେ ଆଖି ଆଉ କାନ ଅସୁମାରି, ଭାବିବାକୁ ବି ଭୟ, ତରଂ ତରଂ ଚାହାଣି, ସରୁ ପବନରେ ପାଣି ଉପରେ ସରୁ ସରୁ ଢେଉ ମୁହୂର୍ତ୍ତକେ ଉଠି ମୁହୂର୍ତ୍ତକେ ଉଭେଇ ଗଲା ପରି ମୁହଁରେ ଆଖିରେ ତରତର ହୋଇ କେତେ ଭାବର ଚହଲା ଖେଳ ଖେଳିଯାଏ ।

 

ତଥାପି ସେ ଭାବିଥିଲା । ଅନୁଷ୍ଠାନର ପାଠପଢ଼ା ଘରମାନଙ୍କ ପଛଆଡ଼େ ହତା ଛେଦରେ ଗୋଟାଏ ପୁରୁଣା ସୋରିଷିଆ ଗଛ, ସାଥୀ ଗଛମାନେ କେଉଁକାଳୁ ହଣା ହୋଇ ଗଲେଣି, ସେ ଏକୁଟିଆ ଅଛି, ଏବେବି ଝଙ୍କା ମେଲିଛି, ଏବେବି ଆଲୁଅକୁ ଛାଣୁଛି, ପବନ ସଙ୍ଗେ ଲଢ଼ୁଛି । ଦିନ ପାଞ୍ଚଟା ବେଳେ ଏକୁଟିଆ ତାହାରି ତଳେ ବସି ରମା ନିଜ ଭିତରେ ସମାଧି ଘେନିଥିଲା ।

 

ସତେ ଯେମିତି ଗୋଟାଏ ପରିତ୍ୟକ୍ତ ଦେବାଳୟ । ଦିଅଁ ନାହାଁନ୍ତି କେହି ନାହିଁ, କେହି ଆସନ୍ତି ନାହିଁ ।

 

ଏ ମନ କେତେ କ’ଣ ଖୋଜେ, ସବୁଠୁ ବେଶି ଖୋଜେ ସୁଖ ଦୁଃଖ ପଚରା ପଚରି ହେବାକୁ ସ୍ନେହ ଆଦର ବଣ୍ଟା ବଣ୍ଟି ହେବାକୁ ଆପଣାର ହୋଇ ଲୋକେ ଆସନ୍ତୁ, ଡୋରି ଲାଗିଥାଉ-। ନ ହେଲେ ଯେତେ ଚିଜ ଥାଇ ତହିଁରୁ ସୁଆଦ ନାହିଁ, ଯେମିତି ଅନ୍ଧାର ବିଲିବିଲି ଭଣ୍ଡାର ଘର, ଭଣ୍ଡାର ପୂରିଥାଉ ପଛେ କ’ଣ ଅଛି କିଛି ଦିଶିବ ନାହିଁ, କାମରେ ଲାଗିବ ନାହିଁ କିଛି ।

ଶୂନ୍ୟ ଦେଉଳ । ଯେଝା ସୁଖେ ଯେଉଁଠି ଯେ । କାହାରି ଏଠି କିଛି କାମ ନାହିଁ । ପାଦ ଶବ୍ଦକୁ କାନେଇବା ବୃଥା । ରାଗିବା ବୃଥା କାନ୍ଦିବା ବୃଥା । କେହି ଖୋଜିବାକୁ ପଚାରିବାକୁ ଆସିବେ ନାହିଁ ।

ସେହି ନିଃଶବ୍ଦତା’ ଭିତରେ ସେ ପ୍ରଭାତୀର କଥାର ଇଙ୍ଗିତରେ ପୁଣି ଥରେ ନିଜକୁ ତନଖିଲା । ହର ମଲା ସେ କ’ଣ ତା’ର ଦୋଷ ? ଗଜା ହୁଏ, ଗଛ ବଢ଼େ, ଡାଳ ପତ୍ର ମେଲି ଫୁଲ ଫଳ ଧରି ଆପଣାକୁ ବିଛେଇ ବିଛେଇ ସେ ତା’ ସଂସାର କରୁଥାଏ ଶେଷରେ କାଠ ହୋଇ ଝଡ଼ି ପଡ଼ିବା ଯାକେ । ସେ ନିଜେ ସେଥିରୁ ବଞ୍ଚିତ ହୋଇଛି । ନିଜ ଇଚ୍ଛାରେ ନୁହେଁ । ନିଜେ ନିଜ ପରିସ୍ଥିତି ସେ ବାଛି ନାହିଁ । ସୁଷମା ସହି ଶିଖିଛି । ପ୍ରଭାତୀଠିଁ ସହିବା କଥା ବି ଉଠେ ନାହିଁ, ସେ ପଛକୁ ଭୁଲି ଆଗକୁ ଚାହିଁ ଜାଣେ । ସେ ନିଜେ,– କେଉଁ କୂଳର କେଉଁ ବାଗର ନୁହେଁ, ଧରିବାର ସାମର୍ଥ୍ୟ ନାହିଁ କି ଛାଡ଼ିବାର ନିର୍ମମତା ନାହିଁ, ଖାଲି ଭାବି ଭାବି ଛଟ ପଟ ।

କେତେଥର ଆପଣା ଭିତରେ ୟେ ଶୂନ୍ୟ ମନ୍ଦିର ଦେଖି ସେ ଚମକି ପଡ଼ିଛି । ଦୁନିଆଁର ଗହଳ ଚହଳ ଭିତରେ–ଯେଉଁଠି ନାନା ମୁହଁ, ନାନା କଥା, ନାନା କାରବାର, ଅବିରତ ଗତି ଓ କୋଳାହଳ, ଅସରନ୍ତି ଆଶା ଓ ଉଦ୍ଦେଶ୍ୟରେ ଝରଣା,–ତଳେଇ ଦେଖିଲେ ନିଜଠିଁ ଖାଲି ଏଇ ଫମ୍ପା ଦେଉଳଟା, ଅଛି ନା ଅଛି, କାରଣ ବୋଧହୁଏ ରହିବା ତା’ ସ୍ଵଭାବ, ଆଉ କିଛି ଉଦ୍ଦେଶ୍ୟ ନାହିଁ ।

ନିଜେ ଯେତେବେଳେ ସେହି ପ୍ରଚଣ୍ଡ ନିଃସଙ୍ଗ ଶୂନ୍ୟତା’ ଭିତରେ ସେ ଗୋଳି ଆଉଟି ହୋଇଯାଉଥିଲା ସେତେବେଳେ ମନ ଭିତରେ ନିଜକୁ ସେଥିରୁ ଅଲଗା କରି ସେ ଅଟକି ରହିଲା । ସେହି ଶୂନ୍ୟ ସତେକି ଶୂନ୍ୟ ନୁହେଁ, ସେଠି କେତେ କ’ଣ ଜୀବନର ଐଶ୍ୱର୍ଯ୍ୟ, ସେ ବି ଜୀବନ, ତା’ ରୂପ ଭିନେ, ପ୍ରକାଶର ଭଙ୍ଗୀ ଭିନେ । ବସ୍ତୁ କି କାମନାକୁ ଅପେକ୍ଷା ନ ରଖି ନିର୍ଭର ନ କରି ଆପଣା ସୁଖେ ଆପେ ସେ ରହିଛି ।

 

ଆପଣା ଅବସ୍ଥାକୁ ଭାବି ଦେଖିଲେ ତାକୁ ବେଳେ ବେଳେ କାବା ଲାଗେ, ତଥାପି ସେ ଭାବେ, ବିଚାରିବା ବିଳାସରୁ ଆନନ୍ଦ ପାଏ । ଯେମିତି ପିଲାଦିନେ, ମନେ ଅଛି, ଘରେ ପନିପରିବା ନାହିଁ, ଭାତ ଖାଇବାକୁ ସେହି ଭାତକୁ ତା’ ବୋଉ ତରକାରି ପରି ସଜାଇ ଦେଇ ବାଢ଼ିଦିଏ, ଥାଳିଆରେ ପୋଷେ ଭାତ, ସେଥିରେ ଲୁଣ ଲଙ୍କା ପିଆଜ ତେଲ ଦେଇ ଏକାଠି ଖଟା ପଡ଼ି ଚକଟା ହୋଇଥାଏ, ସେ ଭାତ ଉଠାଏ । ସେମିତି ନିଜ ଭିତରୁ ରମା ନିଜ ପାଇଁ ବି ସୁଆଦ ତିଆରି କରେ, ଆପଣା ବ୍ୟକ୍ତିତ୍ୱ କି ଅବସ୍ଥାକୁ ଭିନ୍ନ ଭିନ୍ନ ଦିଗରୁ ସଜାଇ ଦେଖି ଦେଖି । କେତେ ପ୍ରକାର ପ୍ରକାର ତାଠିଁ, କାହାର ଆରମ୍ଭଟା କି ବାଗରେ କେଉଁଠୁ ହେଲା ଓ କାହିଁକି କେଉଁଠି ସେ ପ୍ରକାରଟା ଅଟକି ଯାଇ ଭିନେ ପ୍ରକାର ହେଲା ସେ ଜାଣେ ନାହିଁ । ଖାଲି ଏତିକି ବୁଝିହୁଏ, ସେ ବଦଳି ବଦଳି ଚାଲିଛି, ଆଗକୁ କି ପଛକୁ ଚାଲିଛି ସେ କହିପାରିବ ନାହିଁ, କିନ୍ତୁ ଚାଲିଛି, ବଦଳୁଛି । ଯାହା ସେ ଭଲପାଏ, ଯାହା ତା’ ଆଖିକୁ ସୁନ୍ଦର ଦିଶେ, ଯାହା ତା’ର ରୁଚି, ଯାହା ସହିତ ତା’ର ଯାହା ସମ୍ପର୍କ ଓ ଯାହା ପ୍ରତି ତା’ର ଯାହା ମନୋଭାବ କୌଣସି ସମୟରେ ଏସବୁ ଏକାଠି କଲେ ନିଜର ଗୋଟାଏ ସ୍ୱରୂପ ଗଢ଼ିହୁଏ, ଆଉ ଲାଗୁଥାଏ–ଭାବିବା ଦେଖିବା ମୂଲ୍ୟ ଦେବାର ତା’ର ନିଜସ୍ୱ ରୀତି ଏମିତି ରହିଥିବ । ଗଡ଼ି ଗଡ଼ିକା ଆସୁ ଆସୁ ଏଇ ଅବସ୍ଥାରେ ସବୁ ଗଡ଼ଗଡ଼ାର ସମାପ୍ତି ହୋଇଛି । କିନ୍ତୁ ପଛକୁ ଚାହିଁଲେ ଦେଖାଯାଏ, ରାତି ପରେ ଦିନ ଦିନ ପରେ ରାତି ଆସିଲା ଗଲା ପରି ଏମିତି କେତେ ସମାପ୍ତି କେତେ ଶେଷ ଆସିଛି ପୁଣି ଚାଲିଯାଇଛି । ତା’ର ସ୍ୱରୂପ ବଦଳି ଯାଇଛି । କେବେ ସେ ଜନ୍ମ ହୋଇଥିଲା ଫୁଟେ ତୁଳା ହୋଇ, ତା’ପରେ କିଏ ତାକୁ ଓଟାରି ଓଟାରି ସୂତା ଟିକିଏ କଲା-। କିନ୍ତୁ ସେତିକିରେ ଅଟକି ନାହିଁ, ସୂତା କଟା ଚାଲିଛି, ବାରମ୍ଵାର ଓଟରା ହୋଇ ହୋଇ ସୂତା ବାହାରି ବାହାରି ଚାଲିଛି, କେଉଁଠି ସରିବ ସେ ଜାଣେ ନାହିଁ ।

 

ତାଲିମ୍‍ ପଢ଼ା ସାରି ପରୀକ୍ଷାରେ ପାସ୍‍ କରି ସେ ନିଯୁକ୍ତି-ପତ୍ର ପାଇଲା, ନୂଆ ଠିକଣାରେ କାର୍ଯ୍ୟ ଆରମ୍ଭ କରୁ କରୁ ମଝିରେ ପନ୍ଦର ଦିନ ଫାଙ୍କା, ସେତେବେଳେ ସେ ଘରକୁ ବାହାରିଲା । ଚଢ଼େଇ ଉଡ଼ିଗଲା ପରି ତାଲିମ୍‍ ଦଳର ସଙ୍ଗିନୀମାନେ ବାକ୍‍ସ ବିଛଣା ଧରି ଯେ ଯୁଆଡ଼େ ଗଲେ । ଘର ନିଶାରେ ପାଦ ତରତର, ଆଖି ଚଞ୍ଚଳ । ଏକାଠି ଏତେ ଦିନର ସାଙ୍ଗ ସୁଖର ସମ୍ପର୍କ ଓ ସ୍ନେହ ସେହି ବିଦାବିଦି ବେଳର ତରତର ମଧୁର ସମ୍ଭାଷଣରେ କେଡ଼େ ମଳିନ ଓ ଶିଥିଳ ଲାଗୁଥିଲା । ଯେମିତି ସେ ଆଗ ସମ୍ପର୍କ ଖାଲି ଗୋଟାଏ ପ୍ରକାରର ପୋଷାକ ହିଁ ଥିଲା, ଯେଉଁ କାମକୁ ବାହାରିବାକୁ ପୂଜା କି ମଉଛବ କରିବାକୁ ଯେଉଁ ପୋଷାକ, ସେ ପୋଷାକ ଓହ୍ଲା ହୋଇଯାଉଛି ।

 

ଶୂନ୍ୟତାର ଝାଇଁ ଝାଇଁ ଭିତରେ ରମା ତା’ ବଖୁରିରେ ଏକୁଟିଆ ବସି ରହିଲା । ଏତେ ଦିନ ହେଲା ଯେଉଁ ବଖରାରେ ସେ ଥିଲା, ଯେଉଁ ଘର ବିଷୟରେ ଏପରିକି ଘରର ଅସ୍ତିତ୍ୱ ବିଷୟରେ ସେ ଆଦୌ ଆଗେ କେବେ ମୁହୂର୍ତ୍ତେ ବି ଭାବି ନଥିଲା ବର୍ତ୍ତମାନ ଘର ଛାଡ଼ିବା ଆଗରୁ ସେ ସେହି ଆଡ଼କୁ ନିଘା ଦେଲା । ଚାରିଟା ଖଟ, ଚାରିଟା ଟେବୁଲ, ଚାରିଟା ଚଉକି, ଚାରିଟା କାନ୍ଥ ଆଲମାରି, ସବୁ ଫାଙ୍କା, ତା’ନିଜ ଜିନିଷ ବନ୍ଧା ବନ୍ଧି ହୋଇ ଥୁଆ ହୋଇଛି, ଗାଡ଼ି ଆସିବ, ଷ୍ଟେସନକୁ ଯିବ ।

 

ଫମ୍ପା ଘର, ଫାଙ୍କା ।

 

କିଏ ନବଜ କଲା ପରି ଭିତର ପାଖ ଚଉକାଠ ଉପରେ ଖଡ଼ିରେ ଗାରେଇଛି– ‘‘ଶୁଭ ବିଦାୟ ।” କିଏ ସେ ? ସାଙ୍ଗର ଜଣେ ତ ? କିନ୍ତୁ ତା’ର କୁତୂହଳ ବି ନଥିଲା ସେ ମଣିଷ ବିଷୟରେ ଭାବି ହେବାକୁ । ଆଖି ଆଗରେ ଟିକିଏ ବେଳ ଯାକେ ସେ ଦୋଓଟି ଶବ୍ଦ ନାଟ କଲା । ‘ବିଦାୟ’, ପୁଣି ‘ଶୁଭ’ ! ଆପଣା ସ୍ନାୟୁ ଭିତରୁ ସେହି ଶବ୍ଦ ଯୋଡ଼ିକର ବ୍ୟଙ୍ଗାତ୍ମକ ତାତ୍ପର୍ଯ୍ୟ ଯେପରିକି ଶିରି ଶିରି ହେଲା, ଆସ୍ତେ ଆସ୍ତେ ଦେହ ଶୀତେଇ ଉଠିଲା । ସ୍ମରଣରେ ହରର ଛବି । ଗୋଟା ସୁଦ୍ଧା ତ ସେ । ସତେ ଯେମିତି ଆଗରେ ଠିଆ ହୋଇଛି । ଓଠର ବାଙ୍କ ଆଖି ଆଲୁଅର ଝଲକ ଭ୍ରୂଲତାର ଛଟା ସବୁ ଯେମିତି ଥଟଲି ଥଟଲି ହୋଇ ପଚାରୁଛି ।

“ତାଲିମ୍‍ ତ ସରିଲା ଏଥର କି ବିଚାର ?”

ହାତ ବଢ଼ାଉଛି ।

ସେହି ଯେମିତି ସେ ତା’ର ଚିବୁକକୁ ଧରେ, ଆସ୍ତେ ହଲାଇ ଦିଏ ଆଉ ପଚାରେ, “ଏଥର କି ବିଚାର ?”

ତା’ ଆଖି ଆଗରେ ସେହି ଫାଙ୍କା ଘରେ ସେହି ଚୁପ୍‍ ଚାପ୍‍ ଅପରାହ୍ନ ବେଳରେ ହରର ସେ ରକ୍ତମାଂସର ରୂପ ସତକାନରେ ତା’ର ସ୍ୱର ସତ, ଉତ୍ତରକୁ ଟାକି ରହିଥିବା ହରର ମୁହଁର ଠାଣି ସତ । ନିଜେ ସେ ସତ ।

ତା’ପରେ ଆଉ ସେ ରୂପ ନାହିଁ ।

ଖାଲି ଥଟ୍ଟା କଲାପରି ଯୋଡ଼ିଏ ଶବ୍ଦ,– “ଶୁଭ ବିଦାୟ” । ନ ଥାଉ ହର, କ୍ଷୋଭ ନାହିଁ ।

ଉତ୍ତର ତ ତା’ ଜିଭ ଅଗରେ, ତାଲିମ୍‍ ପାଇଛି ଦେଶସେବା କରିବାକୁ,–ମନେ ମନେ କହିଲା, “ଶୁଣିଯାଅ, ଚାଲିଗଲା ଯେ, ୟେ ତାଲିମ୍ ମାହାଳିଆ ନୁହଁ । ଗାଁ’ ଗଣ୍ଡାରେ ଅନ୍ଧାରି କଣରେ ପଡ଼ି ପଡ଼ି ସେମାନେ ସଢ଼ୁଛନ୍ତି, କେମିତି ସେମାନେ ଭଲ ଘରକରଣା କରିବେ, ଆପଣା ଛୁଆ ପିଲା, ସ୍ୱାମୀ ଦିଅର ଶାଶୂ ଶ୍ୱଶୁର ପଡ଼ିଶା ସମସ୍ତିଙ୍କି ହିପାଜିତ୍‍ କରିବେ, ରୋଷେଇବାସ ଘର ସଫା ସୁତୁରା ଭଲ ମନ୍ଦ ସବୁ କାମ ତୁଲେଇବେ, ନୀରୋଗ ସ୍ୱାସ୍ଥ୍ୟକର ଜୀବନ ବଞ୍ଚିବେ କୁସଂସ୍କାର ଛାଡ଼ିବେ, ନୂଆ ନୂଆ ଭଲ ବୁଦ୍ଧି, ଜ୍ଞାନୀ, ଧନ୍ଦା ଆଉ ଫନ୍ଦା ଶିଖିବେ ଶିଖାଇବେ, ଆପେ ପଢ଼ିବେ ପିଲାଙ୍କୁ ପାଠ ପଢ଼ାଇବେ, ଉନ୍ନୟନ ପାଇଁ ଯେତେ ଯେତେ ଯୋଜନା ହେଉଛି ତା’ର ବାଗ ଆଉ ମାର୍ଗ ବୁଝିବେ, ସେଥିରେ ସହଯୋଗ କରିବା କରାଇବା ଶିଖିବେ ସେହି ସବୁ କଥା ତ । ତାଲିମ୍‍ରେ ସେହିଆ ଶିଖିଲୁଁ, ଏଥର ତାକୁ କାମରେ ଦେଖାଇବା କଥା । ଅସଲ ତ ମାଇପେ, ମିଣିପେ ଘରର କ’ଣ ବା ବୁଝନ୍ତି ? ଛୁଆ ଶିଖେ ମା’ଠୁ, ସ୍ୱାମୀ ସ୍ତ୍ରୀର ମତ ନେଇ ଘର ଚଳାଏ, ସ୍ତ୍ରୀ ଜାତି ଜାଣି ସମାଜର ଲଣ୍ଠଣ, ସେଥିରେ କଳା ପଡ଼ିଥିବାଯାକେ ଦୁନିଆ ଅନ୍ଧାର, ବାହାରୁ ତୁମେ ଯେତେ ନୂଆ ବିଦ୍ୟା ବୁଦ୍ଧି ଆଣିଲେ କ’ଣ ମାଇପେ ମଞ୍ଜୁରି ନ ଦେଲେ ସେଇଟା ଘରେ ଚାଲିବ ? ଆମ କାମ ସେଇ ଅନ୍ଦର ମହଲରେ, ଆମେ ସେ ମା’ ମାଇପଙ୍କୁ ତିଆରି ପାରିଲେ ତୁମ ଯୋଜନା ଏ ଦେଶ ମଣିଷଙ୍କ ଜୀବନଧାରାର ମଝି ସୁଅରେ ଚାଲିବ, ନ ହେଲେ ସେ ବାଲିଗରଡ଼ା ଗଦା ପରି କେଉଁ କରରେ ପଡ଼ି ରହିଥିବ, କିଏ ପଚାରେ ?”

 

ଯେମିତି ଛାଇ ଘୋଡ଼େଇଥିଲା, ସେ ବେଳଗଲା, ଏଥର ଉଜ୍ଜ୍ୱଳ ଆଲୁଅ ଧାସ, ଏ ବେଳ ଭିନେ । ସେତେବେଳର ସତ, ସେହି ଟିକିଏ ଛୁଣୁକାଏ ଆଗର, ସେ ବର୍ତ୍ତମାନ ସ୍ୱପ୍ନଠୁଁ ଆହୁରି ମିଛ, କାହିଁ କିଏ ? କ’ଣ କାହାକୁ ସେ କହିଛି ?

 

ଶୁନ୍‍ଶାନ୍‍ । ଆପଣା ମନ ଭିତରର ଅକୁହା କଥାଗୁଡ଼ାକ କାନରେ ଝାଇଁ ଝାଇଁ ଶୁଭୁ ଶୁଭୁ ଗୋଳମାଳିଆ ହୋଇ ଦବି ଦବି ଯାଉଛି । ଆପଣା କଥା ଏ ନୁହେଁ ।

 

ଏଇ କଥାଗୁଡ଼ାକ ତ ତାଲିମ୍‍ କେନ୍ଦ୍ରର ବଡ଼ ମାଷ୍ଟ୍ରାଣୀ ପାଠ ପଢ଼ାଇଲାବେଳେ କହିଥିଲେ, ଘୋଷେଇ ଘୋଷେଇ ମନେ ରଖାଇଥିଲେ, ପଛେ ପ୍ରଶ୍ନ ପକାଇଥିଲେ । ଘୋଷି ଘୋଷି ପଢ଼ି ପଢ଼ି ଲେଖି ଲେଖି ୟେ କଥାଗୁଡ଼ାକ ଅର୍ଥଶୂନ୍ୟ ହୋଇଯାଇଛି, ବିବାହ ବେଦିର ମନ୍ତ୍ର ବୋଲା ହେଲାପରି ୟେ, ଅତି ଆବଶ୍ୟକ, ନ ହେଲେ ନ ଚଳେ, କିନ୍ତୁ ତା’ ଅର୍ଥ ବୁଝି ହୁଏ ନାହିଁ । ଖାଲି ଗୋଟାଏ ଗତରେ ଗାଇଯିବା ଭଳି । ଯେମିତି ଜଗତଯାକର ଲୋକେ ନୀତିକଥା ଗାଇ ବୁଲନ୍ତି । କହନ୍ତି କ’ଣ ଉଚିତ ଆଉ କ’ଣ ଅନୁଚିତ, କ’ଣ ନ୍ୟାୟ ପୁଣି କ’ଣ ଅନ୍ୟାୟ, କହନ୍ତି ସିନା, କରନ୍ତି ନାହିଁ ।

 

ନିଜ ଗାଁ’ରେ ଘରେ ଖୁଡ଼ି ଆଗରେ ଏ କଥା ଓ କାର୍ଯ୍ୟକ୍ରମ ବାଢ଼ିବା ସେ କଳ୍ପନା କରି ଶଙ୍କିଗଲା । ଦିଶି ଦିଶି ଯାଉଛି, ଖୁଡ଼ୀ ସତେକି ବାଙ୍କ ହସ ପଜେଇ ରଖିଛି ଚୋଟ ହାଣିବାକୁ, ମୁହଁରେ ପଣତ ମାଡ଼ି ଲୁଚେଇ ରଖିଛି । କହିବ “ମ’ଲା–ଆଇଲେ ମଁ !”

 

କାହାର ସେବା ସେ କ’ଣ କରିପାରିବ ଚାକିରି କରି ? ସେ ଜାଣେ ନାହିଁ । କ’ଣ କ’ଣ ତା’ କାମ ସେ ଶିଖିସାରିଛି । ଠିକ୍‍ ଠିକ୍‍ ଚାଲିଛି କି ନାହିଁ ଲୋକେ ତନଖି କରି ଆସୁଥିବେ । ବରଗୁଥିବେ । କଥା ମାନି ଗାରେ ଗାରେ ଚଳିବ । ଦରମା ପାଉଥିବ । ଏଇ କ’ଣ ସେବାର ଆଦର୍ଶ-?

 

ଚାକିରି ଛଡ଼ା ବାହାରେ ଅବା ଆଦର୍ଶ କ’ଣ ? ଗାଁ’ରୁ ବାହାରି ସହରରେ ସାଙ୍ଗ ମେଳରେ ଜୀବନ ବିତାଇ ଖବରକାଗଜ ପଢ଼ି ଆଲୋଚନା ଶୁଣି ଲୋକଙ୍କ ହାବ ଭାବ ଦେଖି ଯେତେ ସାମାନ୍ୟ ହେଉ ପଛେ ଦୁନିଆଁ ବିଷୟରେ ତା’ର ଯେଉଁ ଧାରଣା ହୋଇଛି ସେଥିରେ ସେ ନିଶ୍ଚିନ୍ତ ହୋଇପାରି ନାହିଁ । ସେବା ସେବା ନାଁ’ରେ ଏତେ ହୁଲୁସ୍ଥୁଲ୍, କିନ୍ତୁ ସେଠି ବି ଯେମିତି ମୁଖା ଆଉ ଭେକ, ଫନ୍ଦି ଆଉ ଫିକର, ମିଛ ଆଉ ପାପ । ଥିବେ କିଏ ସନ୍ଥ, ସେ ଜାଣେ ନାହିଁ । କିନ୍ତୁ ଜଙ୍ଗଲରୁ ସହରଯାକେ ତଳୁ ରଣ ଭାଡ଼ି ଉପରଯାକେ ଏଇ ଯେଉଁ ଆପେ ବଳିଆର ହୋଇ ପରକୁ କାବୁ କରି ପୁଳାଏ ଓଟାରି ନେଇ ଧନ ଆଉ ବଳ କ୍ଷମତା ବଢ଼େଇ ବଢ଼େଇ ଚାଲିବାର ପ୍ରବୃତ୍ତି, ଏଇ ଯେତେ ଉପାୟରେ ଧନ ଶୋଷାଶୋଷି, ମୁଣ୍ଡ କିଣା, ବେଳ ଉଣ୍ଡି କାମ, ବରଷା ଆଡ଼କୁ ଛତା, କାହାକୁ ନାଲି ଆଖି କାହାକୁ ଫିସାଦ କାହାକୁ କୋକୁଆ ଭୟ କାହାକୁ ଫୁସୁଲା କୋବଲା, ଏଇ ଯେତେ ଯେତେ ଠକାଠକି ଭୁଲାଭୁଲି ମରାମରି ହଣାହଣି ଗୋବର ଫୋପଡ଼ା ଫୋପଡ଼ି ଅସନା ଛିଟାଛିଟିର ଉଚ୍ଛୃଙ୍ଖଳ ଅଶ୍ଳୀଳ ହୋରି ଖେଳ, ଏ କ’ଣ ସେବା ନା ତ୍ୟାଗ ନା ଆଦର୍ଶ ?

 

ଖଟୁଲି ଉପରେ ବସାଇଥିବା ପୋଚକା ମଢ଼ ଉପରେ ଧୋବ ଚାଦର, ତା’ ଉପରେ ଫୁଲ ହାର, ଅତର । ଗଦା ଗଦା ଘୁଅ ଉପରେ ବନାରସୀ ପାଟର ଢାଙ୍କୁଣି, ତା’ ଉପରେ ରାଜ୍ୟଯାକର ଆଭରଣ, ଗଜରା ହାର ଲଦା ଲଦି, ନାନା ଜାତିର ଅତର ଢଳା ହୋଇଛି, ଉପରେ ଆଲଟ ଚାମର ଛତ୍ରି, ଆଗରେ ଯେତେ ପ୍ରକାର ଧୂପଧୂଆଁ ଅଗରବତି, ନାନା ଯନ୍ତ୍ରରେ ଶୁଭୁଥିବା ମନ ମତାଣିଆ କଥାର ସୁଅ, ଶବ୍ଦ ଓ ଉଚ୍ଚାରଣର ପଟୁତା, ମୁଣ୍ଡେଇ କାନ୍ଧେଇ ଯେତେ ଥେଇ ଥେଇ ନାଚିଲେ କି ବର ଦେବ ସେ ଦେବତା ?

 

ଯୁଗର ଓଲଟା ହଲପାରେ କେମିତି କେମିତି ହୋଇ ଖାଲି ଯଦି ଅନ୍ଧାରି ମଇଳା ଖାତର ଲାଙ୍ଗୁଡ଼ା ଆଉ ଗୋବର ଗଡ଼େଇ ଘୁଅ–ଗଡ଼େଇ ନକଲି ଭଅଁର ପରି ପୋକମାନେ ମାଳ ମାଳ ହୋଇ ଧାଡ଼ି ଲମ୍ବେଇଛନ୍ତି ଉପରକୁ ଉପରକୁ, କାନ୍ଥ ବାଡ଼ରେ ସବୁଠିଁ, ପ୍ରତି ଇଞ୍ଚକ ଜାଗା ସବୁ ଦଖଲ, ଯଦି ସେମାନେ ତୀର୍ଥ ସ୍ଥାନରେ ପାଠଶାଳାରେ ନଅରରେ ଆଉ ତାଳଗଛ ଉପରେ ମାହାଲା ମାହାଲା କୋଠା ଉପରେ ପର୍ବତ ଶିଖରୀରେ ସବୁ ଉଚ୍ଚ ଜାଗା ଉପରେ, ଯଦି ଅବା ସେମାନେ କୌଣସି ଆଶ୍ଚର୍ଯ୍ୟ ଉପାୟରେ ପଖି ଲାଗି ହୋଇ ଆକାଶରେ ବି ଉଡ଼ୁଛନ୍ତି, ତେବେ ବି କ’ଣ ସେମାନେ ହେବେ କାହାର ଆଦର୍ଶ କି ନମସ୍ୟ ? ସେମାନେ ମଣିଷର କେଉଁ ଭଲଗୁଣକୁ ଚିହ୍ନିବେ କି ଆଦର କରିବେ ? କେଉଁ ସତ୍‍ ଚିନ୍ତା ସତ୍‍ ଉଦ୍ୟମରୁ ନିଃସ୍ୱାର୍ଥ ନିଷ୍ଠା ସହକାରେ ଉତ୍ସାହିତ କରିବେ କି ସାହାଯ୍ୟ ଦେବେ ? ଛେଳି କି ପ୍ରକାର ଦୃଷ୍ଟିରେ ଚାହିଁବ କବିତା ଖାତାକୁ ?

 

ରମାର ଆଖିରେ ନିରାଶାର ଅନ୍ଧାର ପୂରିଥିଲା, ସତେକି ସେ ଦେଖୁଥିଲା ଗୋଟାଏ ଅଛିଣ୍ଡା ବାଲିପଟାକୁ । କେତେ କଅଁଳ ସରସ ନଈ ଧାରର ମଶାଣିପଦାକୁ । କେଡ଼େ ଉତ୍ସାହରେ କେତେ ଝରଣା ଛଳ ଛଳ କଳ କଳ ହୋଇ ସେଠିକି ମାଡ଼ି ଆସନ୍ତି, ଏ ସଂସାର ମହା ହର୍ଷରୋଳରେ ସେମାନଙ୍କୁ ସ୍ୱାଗତ କରେ, କହେ ଯୌବନ ଚିର ଅମଳାନ, ତା’ର ଜୟ ହେଉ, ଆଶା ଚିରଞ୍ଜୟୀ, ତା’ର ଜୟ ହେଉ । ତା’ପରେ ସେ ସୁଅ କାହିଁ ହଜିଯାଏ, ସେ ଚନ୍ଦ୍ରଭାଗା ଲୁପ୍ତ ହୁଏ । କେତେ ଉତ୍ସାହ, ଉଚ୍ଛ୍ୱାସ, କର୍ମ ପ୍ରବଣତା, ଶକ୍ତି,–ସବୁ ସେ ବାଲିପଟାରେ କେଉଁଠି ଶୁଖି ଅଦୃଶ୍ୟ ହୁଏ ।

 

କାହିଁ ଆଜି ସେଦିନ, ସେହି ଅତୀତର ଦିନଗୁଡ଼ିକ ।

 

କହନ୍ତି ସେ କାରିଗରମାନେ, କପାଳରେ ଆଶାର ତେଜ, ହାତରେ ବିଜୁଳିର ଶକ୍ତି ?

 

କାହିଁ ସେହି ଆଦର୍ଶ କି ମୂଲ୍ୟବୋଧ ? ସେହି ସତ୍ୟର ସନ୍ଧାନ ଶାନ୍ତ ଓ ମାନବିକ ମର୍ଯ୍ୟଦା ବଢ଼ାଇବାପାଇଁ ?

 

ଆଉ, ସେହି ଭାଙ୍ଗି ପଡ଼ୁଥିବା, ଭୁଶୁଡ଼ି ପଡ଼ୁଥିବା ନୈତିକତା, ମୈତ୍ରୀ, ଶାନ୍ତି ଆନନ୍ଦର ଉଜୁଡ଼ା ପଟ୍ଟଭୂମିରେ ସେ ଖାଲି ଜଣେ କଉଡ଼ିଖିଆ ନୌକର, ସେବା ତା’ର ଧର୍ମ ନୁହେଁ ବୃତ୍ତି, ତା’ର ବିଶ୍ୱାସ ନୁହେଁ ପରର ଆଦେଶ ପାଳନ, କ’ଣ ତା’ ଆଦର୍ଶର ମୂଲ୍ୟ ?

 

‘ଆ-ଦର୍‍-ଶ’, “ଶାନ୍‍-ତି”, ‘ସଂସ୍‍-କୃ-ତି”, କେଡ଼େ ଚଞ୍ଚଳ ଜିଭ ହଲିଯାଏ ! କେଡ଼େ ସହଜରେ କଥାକଥାକେ ଲୋକେ ଏ ଶବ୍ଦ ଓ ଏପରି ଅନେକ ଶବ୍ଦ ବାରମ୍ବାର ଗାଇଯାଇ ପାରନ୍ତି । ପୋଖରୀପାଣି ଯାଇ ଅଗାଧୁଆ ହୋଇ ବି ସେଇ ଲୁଗା ପିନ୍ଧି କାରବାର ହେଲାପରି, ଭାତ ଖାଇ ବସିଲା ପରି,– ଏ ମଣିଷ ସବୁ ଅବସ୍ଥାରେ ସବୁ ଶବ୍ଦ ଉଚ୍ଚାରଣ କରିପାରନ୍ତି, ମନ୍ତ୍ର ସ୍ତୋତ୍ର ଗାୟତ୍ରୀ, ବଗଳାମୁଖୀ, ବିଷ୍ଣୁ ସହସ୍ର ନାମ ସବୁ ବୋଲିପାରନ୍ତି, ଦେହ ଅସନ ଶୁଦ୍ଧି ନାହିଁ, ଚିତ୍ତ ଶୁଦ୍ଧି ନାହିଁ, କୌଣସି ଶୋଧ, ସଂଯମ, ଅଭ୍ୟାସର ପ୍ରୟୋଜନ ଅନୁଭବ କରନ୍ତି ନାହିଁ । ଯାହାର ଯାହା ଇଚ୍ଛା ସେ ତାକୁ ବୋଲିପାରେ କହିପାରେ ଲେଖିପାରେ । ଖାଲି ପାଟି କରିପାରିଲେ ତାଙ୍କର ଚଳେ, ସେ ଭାଷାର ଅର୍ଥ ବୁଝିବା କି ନିଜ କଥାର ଦାୟିତ୍ୱ ଘେନିବା ସତେକି ତାଙ୍କର ସ୍ଵଭାବ ବାହାରେ । ତେଣୁ ଯେତେ ପ୍ରତିଶ୍ରୁତି କି ଆପଣା ସମ୍ପର୍କରେ ବିବୃତ୍ତି–ସେ ସବୁ ସତେକି ଭାଷା ନୁହେଁ ଖାଲି ପ୍ରଳାପ । କେଉଁକାଳେ ସିନା ଭାଷା ନଥିଲା ବୋଲି ମଣିଷ ଠାରଠୁରରେ ନିଜ ଉଦ୍ଦେଶ୍ୟ ଅନ୍ୟ ଜଣକୁ ବୁଝାଉଥିଲା, ଏବେ ତା’ପାଇଁ ଭାଷାର ପାହାଡ଼ ଥାଇ ଆପେ ବାଚାଳ ହୋଇ ବି ସେ ମୂକ ।

ଶିଳ ଶିଳୁପତା ଗଗନେ ଉଡ଼ନ୍ତି, କିବା ମଣିଷ ସେ ନିଜେ କି ଆଦର୍ଶ ପ୍ରଚାର କରିବ ପୁଣି କାହାଆଗେ ।

ଅଳସ ଶିଥିଳ ହୋଇ ତା’ ବାହା ଯୋଡ଼ିକ ଖଟ ଉପରେ ଆଉଜି ରହିଥିଲା, ଆଙ୍ଗୁଠି ଫାଙ୍କ ଫାଙ୍କ ଆଉ ପାପୁଲି ମୋଡ଼ିମୋଡ଼ିକା, ବେକ ଢଳିପଡ଼ିଥିଲା, ଦେହ ଅବଶ, ଯେମିତି ଓଟାରି ହୋଇ ହୋଇ ଧୀରେ ଧୀରେ ତା’ ଦେହରୁ ଜୀବନୀ ଶକ୍ତି ଚାଲିଯାଉଛି । ଦେହ ଶିର୍‍ଶିରେଇ ଶିର୍‍ଶିରେଇ ଘୋଟି ଘୋଟି ଆସୁଛି ଦୁର୍ବଳତା, ଆଖି ଅଧା ବୁଜି ହୋଇଯାଉଛି । ଭିତରେ ହଲ ହଲ ଦୀପ ଧାସ, ନିଭିଯିବ ପରା ।

କେତେବେଳ ଏହିପରି କଟିଗଲା । ତା’ପରେ ତା’ ଲାଗେ–ନ–ଲାଗେ ଯୋଡ଼ି ଆଖିପତା ମଝିରେ ମିଞ୍ଜିମିଞ୍ଜି ଆଖି ଆଗରେ ସେ ଅନୁଭବ କଲା ଝରକା ସେପାଖେ କ’ଣ ଯେପରି ତା’ ଦୃଷ୍ଟିକୁ ଝାଙ୍କିବାରେ ଲାଗିଛି । ତା’ସହିତ ତା’ର ଚିନ୍ତାଧାରାକୁ । ଯେତେ ତାକୁ ଏଡ଼ି ଏଡ଼ି ସେ ତା’ର ନିରାଶାର କାଳୀ ଜୋରରେ ବୁଡ଼ୁଛି, ମରଣ ଚେତନାର ଅନ୍ତର ଦୋହଲା ଉଷୁମ ଶିରିଶିରିର ବିକଳ ଦେହ ସୁଖ ଉପଭୋଗ କରିବାରେ ଲାଗିଛି ସେତେ ସେ ବସ୍ତୁ ଦୁଗୁଣେଇ ହୋଇ ତାକୁ ଆକର୍ଷଣ କରି ଲାଗିଛି ପଦାକୁ, ଆଲୁଅକୁ, ସଜ ପବନ ଆଡ଼କୁ, ଖୋଲା ଆକାଶ ଆଡ଼କୁ । ସେ ତାକୁ ସ୍ପଷ୍ଟ ଭାବେ ଦେଖିନାହିଁ, ଧଳା ହୋଇ କ’ଣ, ଏଡ଼େ ଟିକିଏ, ଶାଗୁଆ ହୋଇ କ’ଣ, ଅଳ୍ପ ଚେନାଏ, ପବନରେ ଥରିଲା ଥରିଲା ପରି । ତା’ର ହୁଗୁଳା ଗଣ୍ଠି ଅଳ୍ପ ଟିକିଏ କମ୍‍ ହେଲା, ତା’ପରେ ସତେ ଯେପରି ଦୃଷ୍ଟି ଆଗରେ ଛାଇଗୁଡ଼ାକର ବହୁଳ କଳା ବଣ୍ଡି ପାତଳ ହୋଇ ହୋଇ ଫିକା ପଡ଼ିଆସିଲା, କଳ୍ପନାରେ ଅନୁଭୂତ ହେଲା ପ୍ରାଣ ଉଲୁସା ମହକ ଟିକିଏ, ଆସ୍ତେ ଆସ୍ତେ ସେ ମହକ ବିଛୁରି ହୋଇ ବୁଲୁଛି, ତା’ପରେ ଅନୁଭବ କଲା,–କୁଦାମାରି ବୁଲୁଛି କଇଁଫୁଲିଆ କଅଁଳା ବାଛୁରୀଟିଏ ପରି । ରମା ଭଲକରି ଆଖି ଖୋଲିଲା । ବେକ ସଳଖ କରି ଝରକା ସେପାଖକୁ ଚାହିଁଲା । ତା’ପରେ ଦେଖିଲା, ଯାଦୁକର ଶିଳ୍ପୀର ତାରକସିରେ ଗଢ଼ା ନିଖୁଣ ସୃଷ୍ଟିଟିଏ, ତା’ଠିଁ ଶଙ୍ଖର ଆଭା, ଶିଶୁ–ଓଠର କଅଁଳପଣ, ଚୁମ୍ବକର ଆକର୍ଷଣ ।

ସରୁ ଡଙ୍କ ଆଗରେ ସେ ଗୋଟିଏ ଗୋଟିକିଆ ଯୁଈ ଫୁଲ, ତା’ ତଳେ ଯୋଡ଼ିଏ ଟିକି ଟିକି କଅଁଳିଆ ପତ୍ର ।

ସଂସାରରେ କେତେ ପ୍ରକାର ଫୁଲ । କାହାର କେତେ ଆକାର, କେତେ ବର୍ଣ୍ଣ, କେତେ ଆଖି ଦରଶିଆ ରୂପ, କେଉଁ ପ୍ରକାର ବାସ୍ନା । କାହାର କେତେ ଛଇ ଛଟକ, କେତେ ଆଦର ଗୌରବ, କେତେ ପ୍ରଚାର । ତା’ର କି ଯାଏ ?

ତା’ର ସେ ଫୁଟିଛି, ଥରିଲା ଥରିଲା ସରୁ ଡଙ୍କ ଅଗରେ ଥାଇ ଦୋଳି ଖେଳୁଛି ।

କେତେବେଳେ ସେ ଝଡ଼ିପଡ଼ିବ ସେ ଦୁଶ୍ଚିନ୍ତା ନାହିଁ ।

କିଏ ପଚାରିଲା କିଏ ନ ପଚାରିଲା ସେ ଚିନ୍ତା ନାହିଁ ।

ଥାଉ ପଛେ ଏକୁଟିଆ, ଅଜଣା, ଅଚିହ୍ନI, ତା’ର ଆନନ୍ଦ ତା’ ଜୀବନର ଏଇ ସ୍ୱଚ୍ଛଳ ସରଳ ନିର୍ମଳ ପ୍ରକାଶରେ ।

ଯୁଈ ଫୁଲ କଥା କହିଥିଲା ।

ଜୀବନକୁ ଉପଭୋଗ ନକରି ଆଶଙ୍କା–ଆତଙ୍କ–ନୈରାଶ୍ୟମୟ ସଂଜ୍ଞା ଗଢ଼ି ଗଢ଼ି ସମୟକୁ ନଷ୍ଟ କରି କି ଲାଭ ମିଳେ ?

 

Unknown

ନିଶ୍ୱାସରେ ପବନରୁ ଆନନ୍ଦକୁ ଛାଣି ନନେଇ ପାରିଲେ କିଏ ଆନନ୍ଦ ଦେବ ? କ’ଣ ସଂସାରର ଦାଉ ଦାପଟ ଅମଙ୍ଗଳ ବିଭୀଷିକାର ଧ୍ୟାନ ଆଉ ଚିନ୍ତା, ଗଲା ହଜିଲା ପାଇଁ କ୍ଷୋଭ ଆଉ ଅନୁଶୋଚନା, କ୍ଷତ ଆଉ କ୍ଷତିର ସୁମରଣ, ଅନ୍ୟାୟ ଆଉ ଅପକର୍ମ ପ୍ରତି ଘୃଣା, କ୍ରୋଧ, ଉତ୍ତେଜନା ?

 

ଅସଜ, କୁଟିଳ, ବିଷାକ୍ତ, କର୍କଶ, ପିଙ୍ଗଳ, ଅଶାନ୍ତ ମଣିଷ ଗୋଷ୍ଠୀରେ, ମୁଖାପିନ୍ଧା ହିଂସ୍ରକ ଶୋଷଣ, ଲୋଭ, ନିଷ୍ଠୁରତା, ବର୍ବରତା, ଉନ୍ମାଦର ଆସୁରୀ ରଣଧନ୍ଦୋଳ ଭିତରେ ଏବେବି ଫୁଟି ପାରୁଛି ନିରୀହ ଯୁଈଫୁଲଟିଏ । ଜୀବନ ଅଛି, ଆନନ୍ଦ ଅଛି, ଆଶା ଅଛି ।

 

ଏଥର ଚଞ୍ଚଳ ହୋଇ ଉଠୁଛି ରମା ।

 

ଅତି ଲୋଭନୀୟ ରୂପ ଘେନି ତା’ ଟିକି ପୁଅ ସୁରର ରୂପ ମନେ ପଡ଼ୁଛି, ଆଉ ବୋଉର ମୁହଁ, ଭାଇ ଭଉଣୀଙ୍କ ହସ କାନ୍ଦ, ଛାଇ ଆଉ ଠାଣି, ଏକା ଝଲକରେ ଗାଁ’ର ଚାଳ, କାନ୍ଥ, ଗୋହରି’ ତୋଟା ମାଳ, କ୍ଷେତ ପଡ଼ିଆ ।

 

ଏକାଥରେ ଗାଁ ।

 

ଗାଡ଼ି କାହିଁକି ଡେରି ହେଉଛି ?

 

ରମା ପଚାରିବାକୁ ଗଲା ।

 

ଗାଁ’ରେ ପହଞ୍ଚିଲା ବେଳକୁ ସଞ୍ଜ, ଅନ୍ଧାର ବିଲ୍‍ ବିଲ୍‍, ମେଘ ଘୋଡ଼େଇଛି । ଏ କ୍ଷେପକ ଆଉ କେଁ କଟର ଶଗଡ଼ ଗାଡ଼ିରେ ଯାତ୍ରା ନୁହେଁ, ସଡ଼କ ପକ୍‍କା ହୋଇଯିବା ପରେ ମାସେ ହେଲା ମଟର ବସ୍‍ ପଡ଼ିଛି । ଅଭୟପୁରରୁ ସୁନାମୁଖୀ ସଡ଼କର କିପରି ଏଡ଼େ ଶୀଘ୍ର ଦୁର୍ଦ୍ଦଶା ଘୁଞ୍ଚିଲା ସେ ଆଲୋଚନା ଏବେବି ସେହି ମଟର ବସ୍‍ରେ ପଡ଼ିଯାଏ, ତା’ର ଠିକଣା ଉତ୍ତର ଦେଇପାରନ୍ତେ ଏ ଅଞ୍ଚଳରୁ ଯାଇ ଦେଶଯାକରେ ଜଣେ ମାନ୍ୟଗଣ୍ୟ ନେତା ହୋଇଥିବା କୁଶଳକୁମାର ଦାସ, ଆଉ ଯେ ଯାହା କହିବେ ସେ ଖାଲି ଠାସୁକୁ ମାରି ମାରି । ରମା ତାଙ୍କୁ କେବେ ଆଖିରେ ଦେଖି ନାହିଁ, ଖବରକାଗଜରେ କେବେ ତାଙ୍କ ଫଟୋ ଦେଖିଲା ଭଳି ଲାଗୁଛି, କ’ଣ ଦେଖିଥିଲା ମନେ ନାହିଁ । ଏତିକି ମନେପଡ଼େ, ଜଣେ ତିରିଶି ବତିଶି ବର୍ଷର ମଣିଷ କେହି, ଆଉ ମନେ ନାହିଁ । କିନ୍ତୁ ତାଙ୍କର ନାଁ ଉଡ଼ୁଛି । ଏ ଅଞ୍ଚଳର ପାରିଲା ପୁଅ । ବିଦେଇପୁରର ବୁଢ଼ା ମିଆଁ ଏଇ ଆଇଲା ବସ୍‍ରେ କହୁଥିଲା “ତା ନହୋଇଥିଲେ” । ହେଃ । ଆଜିକାଲି ସେମିତିଆ । ଯେଉଁ ଅଞ୍ଚଳରୁ ପାରିଲା ପୁଅଟିଏ ବାହାରିବ, ନେଇ ଆଣି ଥୋଇ ପାରିବ, କାମ ତୁଲେଇ ପାରିବ, ଦେଖୁଥା ବର୍ଷ ଦି’ଟାରେ ସେ ଅଞ୍ଚଳର ମୁହଁର ପାଣି କେମିତି ବଦଳିଯିବ ଯେ, ଚାରିଆଡ଼େ ଖାଲି ଖୁସ୍‍ବେଇ କ’ଣ କହନ୍ତି ନାଇଁ ମହକି ଉଠିବ, ସଡ଼କ ପୋଲ କଳ କାରଖାନା ଇସ୍କୁଲ କ’ଣ ନହେବ ? ଯେଉଁଠି ସେମିତି ପାରିଲା ପୁଅଟିଏ ନାହିଁ ସେ ମାଟିକି ଧିକ୍, ତଳେଇଥିବ ପାଇବ ନାହିଁ ସେମିତିଆ, ବୁଝିଲ ? ଭୁକିଲେ ହେଲେ କିଏ ପଚାରିବ ?”

 

ପାଖର ଲୋକଟି, ପୋଡ଼ାହାଣ୍ଡିର ଦର ଜେନା କହିଲା ।

 

“ପାଠ ପଢ଼ିଲେ ବୋଲି ନା ?”

 

ବୁଢ଼ା ମିଆଁ ଖତେଇ ହେଲା ପରି ଆଁଟାଏ କରି ଅଟକି ଗଲା, କହିଲା “ଆରେ କି ପାଠ କଥା କହୁଚ ? ୟେ ତମ ଇସ୍କୁଲିଆଙ୍କ ପାଠର କରାମତି ନୁହଁ, ଅଇଛା ଗାଁ ଗାଁକେ ସେମିତିଆ ଗଣ୍ଡା ଗଣ୍ଡା ପାଠୁଆ ବାହାରିବେ, ଆମ ବିଦେଇ ପୁରକୁ ଦେଖ, ବେ–ମେଁ–ଲଣ୍ଠନ୍‍ ଆମ୍ରିକା ବି ଅଛନ୍ତି, ସେଗୁଡ଼ା ଚାକିରିଆଗୁଡ଼ାକ, ଅଗାଡ଼ି, ଗାଁ ମାଟି ସାଙ୍ଗେ ପହିଚାନ୍ ବି ନାହିଁ, ବିଦେଶରେ କିଏ ମଟର ଚଢ଼ୁଥିବ ସଲାମ୍‍ ପାଉଥିବ ଚପରାସିଠୁଁ ତାକୁଇ ଜଣା ବାବୁ, ଆମକୁ ନୁହେଁ, ଗାଁରେ ଯେଉଁଠି ଦେଖିବ ଖଣ୍ଡିଆ ଡିହ, ତାଙ୍କ ଦେଇ ଶାଗ ସିଝିବ ? ବିଦେଇପୁରେ ନି:ପ୍ରା; ଇସ୍କୁଲ ଘର ତିନି ବର୍ଷ ହେଲା ଛୁଆଣି ହେବାକୁ ନାହିଁ । କୁଶଳବାବୁ ହେଇଥିଲେ ? କ’ଣ ହେଲାଣି ତା’ ଗାଁ କହିଲା ? କୋଉ ମନ୍ତ୍ରୀ ନଯାଇଚନ୍ତି ?”

 

ବୁଢ଼ା ମିଆଁ ଯାଇଥିଲା ଜାତି କୁକୁଡ଼ା ଅଣ୍ଡା ଆଣି, ଛୁଆ ଫୁଟେଇବ, ତଷୁରେ ପୋତି ପାଚିଆରେ ପୂରେଇ ଆଣୁଥିଲା, ସେ ବି ଉନ୍ନୟନର ପ୍ରତୀକ ।

 

ଓହ୍ଲେଇଲା ବେଳେ ସ୍ୱର ଆଉ ଘରର ଆସନ୍ତା ଚିତ୍ର ଓ ସ୍ମରଣ ସହିତ ଗୁରେଇ ତୁରେଇ ହେଉଥିଲା ଅବାନ୍ତର ଭାବରେ କୁଶଳବାବୁଙ୍କ ନାଁ, ପକ୍‍କା ସଡ଼କ ଓ ମଟର ବସ୍‍ ତାଙ୍କର ଦସ୍‍କତ, ଏ ଅଞ୍ଚଳର ପାରିଲା ପୁଅ, ସହରରେ ସହରରେ ବେଶିବେଳ ସମୟ କଟାଇ ସୁଦ୍ଧା ସେ ଗାଁର ସପ୍ତାଶ୍ୱରଜ୍ଜୁ ହାତରେ ଧରିଥାଆନ୍ତି । ଆଉ ତା’ ସଙ୍ଗରେ ଦର ଜେନାର ମନ୍ତବ୍ୟରୁ ଟିକିଏ, “ସେମିତି କହିଲେ କପାଳ ବଡ଼, ମିଆଁ, କପାଳ ଅସଲ । କାଳକ ତ ସେଇ କୁଶଳ ବାବୁ ଥିଲେ କିଏ ଚିହ୍ନିଥିଲା-? ଆମେ ଆଶା ରଖିଥିଲୁଁ ଗଣି ପଟ୍ଟନାଏକଙ୍କୁ, ଅଇଛା ଗଣିବାବୁ ଥିଲେ କୁଶଳ ଉଠିଥାନ୍ତେ ? ଲୋକଟା ବତିଶି ବର୍ଷରେ ମରିଗଲା ବୋଲି ସିନା ? ଦେଖିନା, କ’ଣ କରୁଥିଲା ? ତା’ ସାକ୍ଷୀ ବିଙ୍କୁନଈ ବନ୍ଧ, ନଈ ଆରପଟ ଲୋକ କେଡ଼େ ମେଳି କଲେ, କହିଲେ ଆମର ସତେଇଶି ଖଣ୍ଡ ମଉଜା ଭାସିଯିବ, ଗଣିବାବୁ ସେକଥା ଫୁଟୁକି ମାରି ଉଡ଼େଇଦେଲେ, କହିଲେ ଏପଟେ ବନ୍ଧ ପଡ଼ିବ, ପଡ଼ିଲା । ଆଉ କାହୁଁ ସେମିତି ପୁଅଟାଏ ହେବ ?” ଗାଁ’ କଥାରୁ ଭିନେ, ତାଲିମ୍‍ କେନ୍ଦ୍ର କଥାରୁ ଭିନେ, ଗଣିବାବୁ, କୁଶଳବାବୁ, ଆଉ କେଉଁ ବାବୁ, ଯେମିତି ଗୋଟାଏ ଗୋଟାଏ ପାଣି ଭଉଁରିର ସଙ୍କେତ । ଘର ଛାଡ଼ି ପଦାକୁ ଗୋଡ଼ କାଢ଼ିଲେ ମଣିଷଙ୍କ କଥାରେ ବ୍ୟବହାରରେ ସେହି ଦୂର ଭଉଁରିର ଉବୁକା ଲହଡ଼ି–ମାଡ଼ି ସତେକି ଦେହରେ ବାଜିଯାଏ, ଆଶଙ୍କାରେ ମନ ଦବି ଦବିଯାଏ, ଭିନେ ଗାଁ’ରେ ଲୋକଙ୍କ ସଙ୍ଗେ ମିଶି କାମ କରିବା କାଗଜରେ ରୁଲ୍‍ ବାଡ଼ି ପକାଇ ସଳଖ ଗାର ଟାଣିବା ଭଳି ନୁହେଁ, ଆଦୌ ନୁହେଁ ।

 

ମଟର ଚାଲିଗଲା । ତା’ ସଙ୍ଗେ ସଙ୍ଗେ ସେହି ଅବାନ୍ତର କଥାର ଗଲୁ । ଖୁସି ହୋଇ ରମା ଚାରିଆଡ଼କୁ ଚାହିଁଲା । ଯୁଗେଶ୍ଵର ଛକରେ ଘରେ ଘରେ ୟେ କ’ଣ ବିଜୁଳି ଆଲୁଅ ଲଟକିଛି, ସତେ ଅବା ସହର ପରି ଖଣ୍ଡେ ବାଟ ଦୋକାନ ସଜା ହେଉଛି, ଖାଲି ଚାଳ ଘର ନୁହେଁ, ଟିଣ ଛାତ, ଟାଇଲ୍ ଛାତ, ଧୋବ ଧୋବ କାନ୍ଥ । ସଡ଼କର ଦି’ପାଖେ । ଲୋକଗୁଡ଼ାକ ଅଚିହ୍ନା ଅଚିହ୍ନା ଦିଶୁଛନ୍ତି-। ବିଜୁଳି ଆଲୁଅ ଦେଖିବାର ଖୁସି ଉଭେଇଯାଇ ଲାଗିଲା କାବା କାବା । ଏଥର ସେ ନିଘା କଲା, ପ୍ରତି ଆଲୁଅକୁ ବେଢ଼ି ବୁନ୍ଦା ବୁନ୍ଦା ମାନ୍ଦା ଆଲୁଅଧାସର ଗୋଟାଏ ଗୋଟାଏ ସତେ ବି କାଚର ପେଣ୍ଡୁ, ତା’ର ପ୍ରତି ବୁନ୍ଦା ଚହଲୁଛି । ସେଗୁଡ଼ାକ ମଫସଲର ପତଙ୍ଗ । ଦୂରକୁ ଅନ୍ଧାର ଯେପରିକି ଆହୁରି ବହଳ ହୋଇ ବସିଯାଇଛି ।

 

କୁଲି ଆସିଲା । ଗାଁ’ର କେହି ନୁହେଁ । ଫଡ଼ା ଫଡ଼ା ଚିରା କାମିଜ୍‍ ପିନ୍ଧି ଜଣେ ଦର୍‍ହ ବୁଢ଼ା, ଦମ୍ଭ ହାଡ଼ର ଛାଞ୍ଚ, କଳା ଜିକ୍‍ ଜିକ୍‍ । ସେହି ଅନ୍ଧାରରୁ କୁଆଡ଼ୁ ସେ ଆସି ପହଞ୍ଚିଗଲା, କହିଲା ତେଲୁଗୁ ମିଶା ହିନ୍ଦିମିଶା ଖଣ୍ଡିଆ ଖଣ୍ଡିଆ ଓଡ଼ିଆ । ଘର ଚିହ୍ନାଇଦେଲେ ସେ ବୋଝ ବୋହିନେବ, ନେବ ଚାରିଅଣା ।

 

ସୋମାୟା ବୋଝ ଉଠେଇଲା ।

 

ରମାକୁ ଅଭିମାନ ଲାଗିଲା । ଆସି ନଥାନ୍ତେ କେହି ? ମନେ ପଡ଼ିଲା, ସେ ତ କାହାକୁ ଲେଖିନାହିଁ ?

 

ଗହଳି ଗଛ ବାହାତଳେ ପୁରୁଣା ବାଟ । ଚିହ୍ନା ସାହି, ଚିହ୍ନାଘର, ବାଡ଼ ସେପାଖେ ମିଟି ମିଟି ଆଲୁଅ । ରମାକୁ ମଉଜ ଲାଗିଲା । ଚିହ୍ନା ସ୍ଥଳିରେ ଅଚିହ୍ନା ହୋଇ ସେ ଅନ୍ଧାରେ ଅନ୍ଧାରେ ଚାଲି ଯାଉଛି ।

 

କିନ୍ତୁ ବେଶି ସମୟ ତୁନି ତାନିରେ କଟିଲା ନାହିଁ ।

 

ସୋମାୟା କଥା ଗପି ଲାଗିଲା ।

 

ସେ ଯେଉଁ ପୁରୁଣା କାହାଣୀ ସେ ସମସ୍ତିଙ୍କ ଆଗରେ କହେ ।

 

କାହିଁକି କହେ ସେ ଜାଣେ ନାହିଁ ।

 

“ହମାରା ଇଲ୍ଲୁ, ସେ ଅଛି ବଡ଼ା ଦୂର ଆମ୍ମା, ବଡ଼ା ଦୂର । ତିରୁପତି ସେ କାନି । ସେ କ୍ୟା ଦୂର ? ଇଦି ଆଗୁରୁ ହାମ୍ ଥିଲ୍ଲା ବର୍ମାଲୋ, ମିଟିକିନା ? ମିଟିକିନା ତେଲୁମୁନା ? ବର୍ମା ଦେଶ୍‍ମେ ଏକ ଉରୁ । ଉରୁ ବୁଝିଲୁ ନାଇଁ ? ଗାଁ । ବୋଇଲେ ସହର । ବୋଇଲେ ବଡ଼ ସହର । ଆଃ ! ପେକାଉରୁ ଅମ୍ମା । ସେଟି, ଆମ୍‍କୁ ତିଲ୍ଲା ଏକ୍‍ ଚାଉଳ କଳ । ହାମାରା ସନ୍ତ ଚାଉଳ କଳ, ହା‍ମ୍ ମାଲିକ୍‍ ଥିଲ୍ଲା ଅମ୍ମା । ଜାପାନ୍ୟ ଆଇଲା । ବୋମା ପକ୍‍କାୟା । ଆଃ ! ଉଃ ! ପେଦ୍ଦା ବୋମ୍ମା ବଡ଼ ବୋମ୍ମା ଆମ୍ମା ! “କେତେନା ଲୋକୁ ସଚ୍ଚି ପୋଇନ୍ଦା । ବୋଇଲେ ମନ୍‍ଷ ମରିଗଲୁ ଆମ୍ମା । ସବୁ ସଚ୍ଚି ପୋଇନ୍ଦା, ହା, ଗୋଇନ୍ଦା ଗୋଇନ୍ଦା !”

ସୋମାୟା ଗୋବିନ୍ଦଙ୍କ ନାଁ ଉଚ୍ଚାରଣ କରୁଛି ।

ସେହି ତ ଅନ୍ଧାରରେ ଆଲୁଅ ।

ସେ କେଉଁ ଦୂର ମୁଟିକିନା ସହରରେ କେବେ ଜାପାନ ବୋମା ପକାଇଥିଲା । କେତେ ଲୋକ ମଲେ । ସୋମାୟାର ସେଠି ଚାଉଳ କଳଟିଏ ଥିଲା । ଜମି ବାଡ଼ି ତୋଟା ବଗିଚା ଗୋରୁ ଗାଈ । ଭାରତର ଦକ୍ଷିଣ ପ୍ରାନ୍ତରୁ ଯାଇ ସେଠି ପଚିଶି ବର୍ଷ ପରିଶ୍ରମ କରି ସେ ସେତକ ଭେଇ ଥିଲା । ଭାରିଯା ଥିଲା, ଦୁଇ ପୁଅ ଥିଲେ । ଯେମିତି ବୋମା ପଡ଼ିଲା ଯେମିତି ଲୋକେ ସବୁ ଛାଡ଼ି ଛୁଡ଼ି ଦେଇ ଯାହା ପାରିଲେ ତାହା ଗୋଟେଇ ପୋଟେଇ ଚାଲି ଚାଲି ଦେଶକୁ ବାହୁଡ଼ିବାକୁ ଯାତ୍ରା ଆରମ୍ଭ କରିଦେଲେ । ଭୀଷଣ ଅରଣ୍ୟ ବାଟ । ଝୋଲା, ପାହାଡ଼ । ସମୁଦ୍ର ପରି ଲୋକ ମାଡ଼ି ଚାଲିଥାନ୍ତି । କିନ୍ତୁ ବାଟରେ ଖୁଣୀ ଲାଗିଥାଏ । କବନ୍ଧ ଗଡ଼ୁଥାନ୍ତି । ହାଣି କାଟି ଖଣ୍ଟମାନେ ଜିନିଷ ଛଡ଼େଇ ନେଉଥାନ୍ତି । ବଣ ଜନ୍ତୁ ଭୟ ନଥାଏ, ବୋମା ମାଡ଼ ଓ ମଣିଷ ହାଉଳିରେ ଜନ୍ତୁ ଲୁଚିଥାନ୍ତି । କିନ୍ତୁ ପିଶାଚଠୁଁ ଅଧିକ ହୋଇ ମାତି ଥାନ୍ତି ମଣିଷ । ରାତି କଥା ବର୍ଣ୍ଣନା କରି ସୋମାୟାର ସ୍ୱର ଥରୁଥାଏ । କେଉଁ ନିଘଞ୍ଚ ଅନ୍ଧାରି ବଣ ଭିତରେ ଗଛ ମୂଳେ ପୁଳାଏ ପୁଳାଏ ହୋଇ ଲୋକମାନେ କ୍ଲାନ୍ତ ହୋଇ ଟିକିଏ ଶୋଇ ପଡ଼ିଥାନ୍ତି । କୁଆଡ଼ୁ କୁଆଡ଼ୁ ବିକଟ କିଳିକିଳା ଚିତ୍କାର ଶୁଭେ, “ବୁତ ଆମ୍ମା, ଯେତେଲୋକ ସଚ୍ଚି ପୋଇନ୍ଦା (ମରିଗଲେ) ତାଙ୍କ ଦୂତମାନେ କାନ୍ଦିଲା, ବଡ଼୍‍ଡ଼ ଡର ।”

ଭାଷା ଆଉ ବିଭକ୍ତିକୁ ଏକାଠି ଗୋଳେଇ ପୋଳେଇ ଉତ୍ତରରୁ ଦକ୍ଷିଣଯାକେ ନୂଆ ସମୟର ନୂଆ ବୋଲି ସୃଷ୍ଟି କରି ସୋମାୟା କହିଯାଉଥାଏ, ଯେତେ ଲୋକ ହାଣ ଖାଉଥିଲେ ରାତିରେ ତାଙ୍କ ଭୂତମାନେ କାନ୍ଦୁଥାନ୍ତି, କେତେବେଳେ କାହାକୁ ଟେକିନେଇ ମାରି ପକାନ୍ତି, ସକାଳକୁ ତା’ର ମୁର୍ଦ୍ଦାର ଯାଇ ଆଉ କେଉଁଠି ଗଡ଼ୁଥାଏ । ସେମିତି ତ’ ।

ଆମ୍ବ ଗଛ ଉପରେ ବାରମ୍ବାର ଖସ ଖସ ଖଡ଼ ଖଡ଼, ଧୋବାଘର ପାଖ, ଅନ୍ଧାରରେ କୁଆଡ଼ୁ ବିର୍‍ହି ଚକୁଳି ବାସ୍ନା । ବୋଝ ବୋହି ବୋହି ଦୁମ୍‍ ଦୁମ୍‍ ହୋଇ ଆଗେ ଆଗେ ସୋମାୟା ଚାଲିଛି ଗଡ଼ର ଗଡ଼ର ହୋଇ ।

ସେ କହିଲା ସେଇ ଭୂତମାନେ ତା’ ପୁଅ ଦୋ’ଟିଙ୍କୁ ଟେକି ନେଇ ମାରି ପକାଇଲେ । ତଥାପି କାନ୍ଦି କାନ୍ଦି ସେ ଓ ତା’ ସ୍ତ୍ରୀ ଚାଲିଲେ । ସେହି ବଣେ ବଣେ । ତା’ପରେ ଦିନେ ତା’ ସ୍ତ୍ରୀ ଜରରେ ଶୋଇଲା । ପାଣି ପାଣି ବୋଲି ଅସ୍ଥିର ହେଲା । ସେ ପାଣି ଖୋଜି ଗଲା । ଆସିଲା ବେଳକୁ ସ୍ତ୍ରୀ ମରି ଯାଇଥାଏ ।

ଡକାଏତ କବଳରେ ପଡ଼ି ସର୍ବସ୍ୱ ହରାଇ ମଧ୍ୟ ସେ କୌଣସିମତେ ଆସାମ୍‍ ବାଟେ ଭାରତ ପହଞ୍ଚିଲା । କେତେ କାଳ ବେମାର ପଡ଼ିଲା । ତହୁଁ ଉଠି ନାନା ସହରରେ କୁଲି, ମଜୁରି, ଶେଷରେ ରିକ୍‍ସା ଟଣା ।

ଦିନେ ଠାଏ ରିକ୍‍ସା ଚଳାଇ ଯାଉ ଯାଉ କୁଆଡ଼ୁ ତୋଫାନ ବେଗରେ ଗୋଟାଏ ମଟର ଟ୍ରକ୍ ମାଡ଼ି ଆସି ଧକ୍‍କା ମାରିଲା । ରିକ୍‍ସା ଖଣ୍ଡ ଚୂନା ହେଲା । ଡାକ୍ତରଖାନାରେ ନଅ ମାସ ପଡ଼ି ସେ ନିଜେ କେମିତି ବଞ୍ଚିଲା ସେ ଜାଣେ ନାହିଁ । ଭଙ୍ଗା ହାତ ଗୋଡ଼ ପୁଣି ଗୋଟା ହେଲା, କିନ୍ତୁ ସେ ଆଉ ରିକ୍‍ସା ଟାଣିଲା ନାହିଁ । ଅଳ୍ପ ଅଳ୍ପ ମଜୁରି ଲାଗେ ବଞ୍ଚେ । ପାଣି ଧାରରେ ଟିକି ମାଛ ଭାସି ଆସିଲା ପରି ପକ୍‍କା ସଡ଼କରେ ସେ ଆତଯାତ ହୁଏ । ସୁବିଧା ଦେଖିଲେ କେଉଁଠି ମାଣ୍ଟେଇ ଯାଏ-। ଏଠିକି ଆସି ତା’ର ଛ’ମାସ ହେଲାଣି, ଆଉ କୁଆଡ଼େ ଯାଇନାହିଁ ।

 

ତା’ଠିଁ ସବୁ ହସ ସବୁ କାନ୍ଦ ଶୁଖିଯାଇଛି ।

 

ତଥାପି ତ ସେ ବଞ୍ଚିଛି ।

 

ପୁଅ, ଭାରିଯା, ଧାନକଳ, ଜୀବନଯାକର ଅର୍ଜନ ଏତେ କ୍ଷତିକୁ ସେ ସହିପାରିଛି, ସବୁ ଆସିବା ସବୁ ଯିବା ଯେପରିକି ତା’ ଆଖିରେ ଗୋଟାଏ ସମ୍ଭାବିତ ସାଧାରଣ ଖେଳ ।

 

କିନ୍ତୁ ସେ ବୈରାଗୀ ବି ନୁହେଁ । କହିଲା, ସେ ରିକ୍‍ସା କାମଟା ଭଲ ଥିଲା, ସେଇ ମଟରବାଲାଟା ପାଇଁ ସିନା, ନହେଲେ ଏତେବେଳକୁ ତା’ ବି ଥାଆନ୍ତା । ସେ ମଟର ଡ୍ରାଇଭର ଉପରେ ତା’ର ଏପର୍ଯ୍ୟନ୍ତ ରାଗ ରହିଛି । “ଥିବ କି ନଥିବ କେଜାଣି ! ଯେମିତି ହୁଣ୍ଡା ପରି ଗାଡ଼ି ଚଲୋଉଥିଲା ନା, ସେଥରକ ସିନା ବଞ୍ଚିଗଲା ଆଉ ଥରକୁ ଗାଡ଼ି ବି ଓଲ୍‍ଟେଇଥିବ”, ସୋମାୟା ତା’ ଭଙ୍ଗା ଭଙ୍ଗା ଭାଷାରେ କହିଥିଲା ।

 

ଏଇ ତା’ ଘର । ଅନ୍ଧାରରେ ଠାସୁକୁ ମାରି ରମା ପିଣ୍ଡା ଉପରକୁ ଉଠିଗଲା । କହିଲା “ଆଣ୍, ଏଇଠି ଥୋ” । ସୋମାୟା ମଜୁରି ନେଇଗଲା । ରମାକୁ ଲାଗିଲା ସତେ ଯେମିତି ସେ ଅନ୍ଧାରରେ ଗୋଟାଏ ପାଣି ପାଟ ପାରି ହୋଇସାରି କୂଳରେ ନାହା ଭିଡ଼ିଛି ଆଉ ଏଇ ଯେଉଁ ସୋମାୟା ଚାଲିଗଲା ସେ ଥିଲା ସେହି ଅନ୍ଧାର ଭିତରୁ ଉଠି ଆସିଥିବା ଶେଷ ଢେଉ । କ୍ଷତି କରିନାହିଁ ସତ, କିନ୍ତୁ ଭରସା ନାହିଁ, ସେହି ଭୟଙ୍କର ପାଣି ଓ ଅନ୍ଧାରର ସେ ପ୍ରତୀକ ହିଁ ।

 

ଦାଣ୍ଡ କବାଟ ଖୋଲା ଥିଲା । ଘରର ୟେ ଆଗପଟ କେମିତି ଚୁପ୍‍ଚାପ୍‍ ଆଉ ଅନ୍ଧାରୁଆ-। ଯାଉ ଯାଉ ରମାର ପାଦ ଅଟକିଗଲା । ଉପାସରେ ଆସିଲା ପରି ଭୋଜି ଖାଇବାକୁ, ଟିକିଏ ଟିକିଏ ମଠେଇ ମଠେଇ ଭାବିଲା ପରି, କେତେ ସୁଆଦିଆ ଭୋଜନ, ପ୍ରକାର ପ୍ରକାର, ଯେମିତି ତା’ ରୂପ ଦିଶି ଦିଶି ଯାଉଛି, ଚମ୍ପାଫୁଲ ପରି, ପୁଣି କଳା-ନାଲି, ଶାଗୁଆ, ଗେରୁଆ, ଫକା, ସତେକି ତେଲ, ଘିଅ, ମସଲା, ସିଝା ପଦାର୍ଥର ବାସ୍ନା ନାକରେ ବାଜୁଛି, ଆଉ ପାଟିକି କେଉଁଟା ମସ୍ ମସ୍, କେଉଁଟା ନରମ୍‍, କେଉଁଟା ମିଠା, କେଉଁଟା ଆମ୍ବିଳି ।

 

ମଠେଇ ମଠେଇ ଭିତରକୁ ଯାଉ ଯାଉ ସେହି ଦୁଇ ମିନିଟ୍‍ରେ କେତେ ଯୁଗର କେତେ ଭାବ ଅନୁଭୂତି ରୂପ ଧରି ଆଖି ଆଗରେ ଭାସିଉଠୁଛି, ଭିତରର ଅନ୍ଧାର କି ଚୁପ୍‍ଚାପ୍‍ ରମା ବାରି ପାରୁନାହିଁ ।

 

ସୁର ଆସିବ । ପୁଅ । କେଡ଼େ ହେବଣି ସେ କଣ୍ଢେଇ ?

 

ବାପା ମନେ ପଡ଼ୁଛନ୍ତି । ଚେହେରାଟା ଦିଶି ଦିଶି ଯାଉଛି । ସେଇ ଫରଚା ମୁହଁ, ଶୁଆ ଥଣ୍ଟିଆ ନାକ, ସ୍ନେହରେ ଢଳ ଢଳ ଚାହାଣି । କପାଳରେ ମୁଣ୍ଡରେ କେମିତି ସେ ଗେଲ କରିପକାନ୍ତି, ପିଠିରେ ସାଉଁଳି ଦିଅନ୍ତି କେଡ଼େ ସ୍ନେହରେ ରମା ଆସିଛି । ତାଙ୍କର ଗେହ୍ଲାଝିଅ । “ଆଃ-! ହେଇଟିତ ! ହେଇଟି ମୋ ସୁନା, ମୋ ଲକ୍ଷ୍ମୀ, ମୋ ସରସ୍ୱତୀ । ତମେ ସବୁ କେହି ତାକୁ ପଦେ ଟାଣ କରି କହି ପାରିବ ନାହିଁ ଜାଣିଥା, କେହି ଆକଟିବ ନାହିଁ ।” ଗୋଟା ସୁଦ୍ଧା ବାପା । ତରବର ହୋଇ ଉଠି ଆସିଛନ୍ତି ! ହାତରେ ଚିଲମ୍‍ ।

 

ଆଗ ଆଉ ପଛ ଅତୀତ ଆଉ ବର୍ତ୍ତମାନ ସବୁ ମିଶି ଯାଉଛି । ମଝିରେ କିଛି ନାହିଁ । ତା’ ବାହାଘର, ଦୁନିଆଁର ଏତେ ପରିବର୍ତ୍ତନ, ତା’ର ଚାକିରି ଦିନ ଦିନକର ଘଡ଼ି ଘଡ଼ିକର କେତେ ପୋଡ଼ାଦାଗ କି ଚିଆଁ ଦାଗ କି ଆଉଁସା କି ମନ ଉଲୁସା,–କିଛି ନାହିଁ ।

 

ତାଳି ମାରି ମାରି ବେକ ଢଳେଇ ଢଳେଇ ନାଚି ନାଚି ସେ ଦୌଡ଼ୁଛି, “ବାପା ବାପା” ଡାକି ଡାକିକା । ହେଇ ସେ ଆଗରେ ସେ ଦି’ ହାତ ବଢ଼େଇ ଠିଆ ହୋଇ ରହିଛନ୍ତି, ଟେକି ନେବେ, କେଡ଼େ ଉଚ୍ଚ ସେ, ଆଉ ସେ ନିଜେ କେଡ଼େ ଛୋଟ । ସେହି ପ୍ରକାଣ୍ଡ ଆକାର ତା’ର ସମୁଦାୟ ଘର ଆଉ ଗଡ଼ । ସେଠି ରହି ପଦାକୁ ଦାନ୍ତ ଦେଖାଇ ହେବ ଜିଭ ଦେଖାଇ ହେବ, ନିର୍ଭୟ ନିଧଡ଼କ ।

 

ଆଗରେ ତାଙ୍କ ପିଣ୍ଡା । ନଲଟଣ ଆଲୁଅ ଜଳୁଛି । ସଜନା ଗଛ ସେମିତି ଠିଆ ହୋଇଛି-। କାଗେଜି ଗଛ ସେମିତି ଚେକା ମାଡ଼ି ରହିଛି । ଚଉରାରେ ତୁଳସୀ ଗଛରେ ଦି’ଟା ଜୁଳୁଜୁଳିଆ ଜଳୁଛନ୍ତି, ହାକୁ-ହାକୁ କାହାକୁ ସେ ? ଛାତି ଭିତରଟା ଚାଉଁ କଲା । ପୁଣି ବନ୍ଦ ହେଲା । ତା’ଉପରେ କ’ଣ ଯେମିତି ପଥୁରିଆ ଢାଙ୍କୁଣି ।

 

କାନ୍ଦ ନାହିଁ, ସକ ନାହିଁ, କିଛି ନାହିଁ ।

 

ସେ ବି ଯେମିତି ସୋମାୟା ।

 

ସୋମାୟା ଯାଇ ନାହିଁ, ରହିଛି ତା’ ଛାତି ଭିତରେ ।

 

ରମା ଡାକିଲା,–“ବୋଉ ।”

 

ସୁର ଆଗ ଟିକିଏ ଓଟାରି ହେଲା, କହିଲା “ଉଃ-ଉଃ” । “ଆରେ ଯା’ମ, ବୋଉ ପରା, କେଡ଼େ ଛୋପରା ହଉଚି ମ ଏ ଟୋକା ଖଣ୍ଡକ ।” ମାୟାଦେବୀ କହିଲେ । ସୁର ଧରାଦେଲା । ମା’ର ଛାତିରେ ମୁଣ୍ଡରେ ଭୁଷାଏ ମାରିଲା, ଦୁନିଆଁ ଆଡ଼କୁ ପିଠି ବୁଲେଇ । ଦି’ ହାତରେ ବେଢ଼େଇ ଧରିଲା । ହୁଏତ ସେ ଶୁଙ୍ଘି ଶୁଙ୍ଘି ଚିହ୍ନିଲା । ହାତରେ ଛାତିରେ ଅଣ୍ଡାଳିଲା । ତା’ପରେ ସେ କିରି କିରି ହସିଲା । ମାୟାଦେବୀ କହିଲେ,” ଇଲୋ ଦେଖଲୋ ଦେଖଲୋ । ଆରେ ୟେ କ’ଣ କଲା ମ ଟୋକାଟା, ଆସୁ ଆସୁ ଚର ଚର ଅସରାଏ, ଗଲା ତା’ ଲୁଗାପଟା ଗଲା !” ରମା ତା’ ପିଠି ଆଉଁସୁଥାଏ । ରଘୁ ପାଟି କରୁଥାଏ “ଅପା ମ, ଅପା ମ, ଆମ ବାଘା କୁକୁରଟା ନୁହଁ, ମରିଗଲା, କ’ଣ ତ ହେଲା, ଖାଇଲା ନାଇଁ, ପିଇଲା ନାଇଁ, ଖାଲି ସେମିତି ଠାଏ ପଡ଼ି ପଡ଼ିକା । ଅପା ଆଉ ଗୋଟାଏ ଭଲ କୁକୁରଛୁଆ ଆଣିଦବୁ ।” ପିଠି ଉପରେ ଲଦି ହୋଇଛି ରମାର ସାନ ଭଉଣୀ ତିଳ, କହିଲା “ହଁ, ମରିଗଲା ନା ତୁ ତାକୁ ମାରିଦେଲୁ ? ବୋଉ କହିଚି ଆଉ କୁକୁର ଫୁକୁର ଆସିବେ ନାହିଁ ଜାଣି ଥା ।” ଜଗୁ ରମାର ବାକ୍‍ସ ଖୋଲି ଦରାଣ୍ଡୁଛି, ମଝିରେ ମଝିରେ ତା’ ମୁହଁକୁ ଅନାଇଁ ଦେଉଛି ।

 

ହଠାତ୍‍ ମାୟାଦେବୀ ଦୁଇ ପାପୁଲିର ଦଶ ଆଙ୍ଗୁଠି ଲଗାଇ ଗୋଡ଼ ପଛଆଡ଼ୁ ଉପରକୁ ଉପରକୁ କୁଣ୍ଡେଇ ହେବାକୁ ଲାଗିଲେ, ତା’ପରେ ବାହା ଉପରେ ପିଠିରେ, ପରସ୍ତକୁ ପରସ୍ତ, ରମାର ପିଠିଆଡ଼େ ଖାପୁରୁ ଖାପୁରୁ ଲାଗିଲା, ତିଳ ବି ଖୁବ୍ ତରତର ହୋଇ ଆମ୍ପୁଡ଼ି ହେଉଛି । ଥିଲା ଥିଲା ରଘୁ ବି ଆମ୍ପୁଡ଼ି ହେଲା । ମାୟାଦେବୀ ରଗଡ଼ି ରଗଡ଼ି ଆମ୍ପୁଡ଼ି ହେଉଛନ୍ତି । କହିଲେ “କୁଆଡ଼ୁ ୟେ ନିଆଁନଗା କୁଣ୍ଡିଆ ଆସିଛି ଲୋ, ଯୁଆଡ଼େ ଦେଖିବୁ ଖାଲି ଦଶ ହଳ ବୁଲୁଛି । ଓଃ ! ଯେତେ ରାମ୍ପିଲେ କ’ଣ ଯାଉଚି ?”

 

ରମା ହେତୁ କଲା । ବାଘା କୁକୁରର ମୃତ୍ୟୁ ସଙ୍ଗକୁ କୁଣ୍ଡିଆ ବି ଗୋଟିଏ ଘଟନା ।

 

ମନେପଡ଼ିଲା, କୁଣ୍ଡିଆ, ତା’ ମାନେ ‘ସ୍କେବିଜ୍‍’, କେତେ ମଲମର ନାଁ’ ଘୋଷିଥିଲା । କାର୍ବୋଲିକ୍‍ ସାବୁନ୍‍ ଲଗାଇ ଉଷୁମ ପାଣିରେ ଗାଧୋଇଦେବ, ତା’ପରେ ମଲମ୍‍ ଲଗାଇଦେବ । ତା’ପରେ ତ ଚୋପା । ଇଚ୍ଛା ହେଲା ତା’ର ନୂଆ ଶିଖିଥିବା ଜ୍ଞାନ ସେ ବଖାଣିଦେବ । ମନକୁ ମନ ଲାଜ ପାଇଲା । ଗଣ୍ଡ ମଫସଲରେ ଯେଉଁଠି ଯେଉଁ ଜିନିଷ ମିଳେନାହିଁ, ସେଠି ସେ ଗାଇ ହେବ ଔଷଧମାନଙ୍କ ନାଁ ! ମାୟାଦେବୀ କହିଲେ, ‘‘ସେଇ ମୂଷ ମ, କୁଆକ୍‍ । ଯେତେ ହୋମ୍‍ପାଥି ବହି ଘାଣ୍ଟିଲେ ଯେତେ କଲେ କ’ଣ ହେବ ? ଆଉ କାଟୁ କରୁନାହିଁ । ଛାର କୁଣ୍ଡିଆଟିଏ ବି ଭଲ କରି ପାରୁନାହାନ୍ତି ତ ଆଉ କରିବେ କ’ଣ ?” ମୂଷାଭାଇ ସଙ୍ଗେ ସଙ୍ଗେ ରମାର ରେବ ମନେପଡ଼ିଲା । କିନ୍ତୁ ରମା ଆଣିଥିବା ବିସ୍କୁଟ ଓ ଲେମଞ୍ଚୁସ୍ ଖାଇ ଖାଇ ତା’ ଆଗମନର ସମ୍ବାଦ ପ୍ରଚାର କରିବାକୁ ରଘୁ ଓ ତିଳ ସାହି ଭିତରକୁ ଧାଇଁ ପଳାଇଲେଣି । ଆଉ ଟିକିକୁ ଉଲୁରି ଲାଗିଯିବ ।

 

ସୁର ଗୋଟାଏ ବଡ଼ ‘ପୁଅ’ କଣ୍ଢେଇ ପାଇଛି । ଗୋଟାଏ ପ୍ରକାଣ୍ଡ ଆଁ କରି ସେ ତା’ ମୁଣ୍ଡଟାକୁ ପାଟି ଭିତରେ ପୂରାଇବାକୁ ଚେଷ୍ଟା କଲା, ତା’ ପାଟିରୁ ଲାଳ ବୋହିପଡ଼ିଲା ।

 

ମୂଷାର ସ୍ତ୍ରୀ ରେବ ତାକୁ ଧରି ନେଇଗଲା । ରେବ ଗୋଲ ଗାଲ ହୋଇଯାଇଛି, ଥାକୁଲୁ ଥାକୁଲୁ ଆଉ ମୁଣ୍ଡା, ମାନ୍ଦାଳିଆ । ଭଲ ଚିନ୍ତା ହେଉ କି ମନ୍ଦ ଚିନ୍ତା ହେଉ, ଚିନ୍ତାରେ ଉଗ୍ରତା କି ତୀକ୍ଷ୍‍ଣତା ନ ଥିଲେ ଦେହଟା ଯେମିତି ମାଟିମେଦ ପରି ପୂରିଲା ପୂରିଲା ଦିଶେ, ଆଖିରେ ଆଲୁଅର ତେଜ ନଥାଏ କି ମୁହଁରେ କେଉଁଠି ଖାଲ ଖୋଲ ଆଂଶ ଦାଢ଼ ନ ଥାଏ, ରମା ଭାବିଲା ରେବର ମୁହଁଟି ସେମିତି ଦିଶୁଛି । ବହୁତ ପାନ ଖାଉଛି, ଦାନ୍ତ ପାଚିଯାଇଛି, ତା’ ଉପରେ ମୋଟା ପାନବୋଳ । ତା’ ଭିତରେ ଏକଦା ଯେଉଁ ଦୀପ ଧାସ ଲହ ଲହ ହେଉଥିଲା, ତାକୁ କେବେ କେବେ ଛଟପଟ କରୁଥିଲା, ଯେଉଁ ଅଜଣା ଅଶାନ୍ତିର ବିଦ୍ରୋହ କୁହୁଳୁଥିଲା, ଯେଉଁ ଛପିଲା ଛପିଲା ରହସ୍ୟ ତାକୁ ଗୋଟାଏ ଅନ୍ଧାରି ମହକ ପରି ବେଢ଼ି ରହିଥିଲା, ତା’ ଆଉ ନାହିଁ । ତା’ ପରିବର୍ତ୍ତେ ତା’ର ରୂପାନ୍ତରିତ ପ୍ରେତପଣିଆ ପରି ତା’ଠିଁ ବାରି ହୋଇପଡ଼ୁଛି ପରିଚ୍ଛିଦ୍ର ପରକୃତ୍ସା ଚର୍ଚ୍ଚା ପ୍ରତି ପ୍ରବଳ ଆଗ୍ରହ । ରେବ କାନେଇ ଶିଖିଛି, ସେ ସମ୍ବାଦର ଖଣି । ଅନ୍ତତଃ କୁସମ୍ବାଦର ।

 

ରମାର ମୁହଁ ଆଗରେ ମୁହଁ ଯୋଡ଼ି ଦେଇ ସେ ଗମ୍ଭୀରି ଘର ଭିତରେ ଫୁସ୍‍ ଫୁସ୍‍ କରି କହିଲା ।

 

“ସେଇ ଧୂଷI,–” ଧୂଷI ତା’ ଦିଅର । ଚଉଦ୍ୱାରରେ ଶ୍ରମିକ ଥିଲା । ମୂଷାଠୁଁ ଦୁଇ ବର୍ଷ ସାନ ।

 

“କ’ଣ ହେଲା ?” ରମା ପଚାରିଲା ।

 

“ଶୁଣିଲେ ଆଉ କ’ଣ ତେମେ ଆମ ହାତରୁ ପାଣି ଛୁଇଁବ ? ତେବେ ଆମର କି ଦୋଷ ? ଆମେ କ’ଣ ଶିଖେଇ ଦେଇଥିଲୁଁ ?”

 

“କ’ଣ ହେଇଚ କହୁନା ?”

 

ଚଉଦ୍ୱାର ଛାଡ଼ି ଗଲା ରାଉରକେଲା । ସେଠି କୁଆଡ଼େ ଖିରିସ୍ତାନୀ ବାହା ହେଇଚି । ଜହ୍ନି ମଞ୍ଜି ପରି ଗୋରା । ଏଡ଼େ ମୁନିଆ ମୁନିଆ ଲମ୍ବ ଦାନ୍ତ, ଶକତ ମାଇପିଟିଏ, ହେଇ ଅନେଇଲ–”

 

“କ’ଣ ତମ ପାଖକୁ ଫଟୋ ପଠେଇଥିଲା ?”

 

“କହିବ ନାଇଁ କାହିଁକି ?”

 

“ନାଇଁ ସତରେ, ତମେ ତ ଏଠି ସେ ତ ରାଉରକେଲାରେ ତମୁକୁ ଗୋଚର ହେଲା କେମିତି ?”

 

“ଆର ସାହି ଭୋବନି ଦାସଙ୍କ ପୁଅ ରଙ୍କ ପରା ରାଉରକେଲାରେ ଚାକିରି କରିଚି, ତା’ ସାଙ୍ଗ ଉଡ୍ରେଶର ଶଙ୍କରା ବଢ଼େଇ ପରା ସେଠି ବଢ଼େଇ କାମ କରେ ସେ ବି ଦେଖି ଆସିଚି । ଦିହେଁ ଏକାଠି ଥାନ୍ତି । ସେମାନେ ଯାଇ ଧୂଷଙ୍କ ଘର ମଣିଷ ହାତରେ ଖାଇ ପିଇ ତା’ ସଙ୍ଗେ କଥା ଭାଷା କରି ଆସିଛନ୍ତି । ପଚାରିଲେ ପରା, ‘ଆମ ଗାଁକୁ ଯିବ ନାଇଁ ? ସେ କୁଆଡ଼େ ହସିଲା, କହିଲା ‘ଇଲୋ ବୋପା, ପୋଇଲି ହବାକୁ ଯିବି ତମ ଗାଁକୁ । ମୋଟ ମୋଟ ବଗଡ଼ା ଚାଉଳ ଖାଇବି ଆଉ ଖତକୁରରେ ପୁଅ ଜନମ କରିବି ? କାଇଁକି, ଏ ରାଉରକେଲା କ’ଣ ନାଙ୍କେରା ହେଇଚି କି ?” ସେମାନେ ଗାଁକୁ ଆସି ଏ କଥା ଚାରିଆଡ଼େ ପ୍ରଘଟ କରିଛନ୍ତି । ଆଉ କ’ଣ ଲୁଚିଛି ? ସେଇଥିପାଇଁ ପରା ମୂଷା ଆଉ ଆସେ ନାହିଁ, ନା ଚିଠି ନା ପତର ? କ’ଣ କରିବ କହ ?”

 

ରମା କହିଲା “ଧର କଥାଟା ଆଉ ରକମର । ରଙ୍କିଆ ଶଙ୍କରା ଦିହେଁ ଏକାଠି ଥାଇ କେଉଁଠି କ’ଣ ଦୁଷ୍ଟାମି କରୁଥିଲେ, କେବେ ଅକସ୍ମାତ୍‍ ଥରେ ଧୂଷା ଭାଇ ହାବୋଡ଼େ ପଡ଼ିଗଲେ । ଆପଣାର ଲୋକ ତ, ଆକଟ କରି ବାଟକୁ ଆଣିବ ବୋଲି ଗୋଗୋଛବାଡ଼ିଆ କଲା, ସେଉଠୁ ମୁହଁ ଲୁଚେଇ ପଳେଇ ଆସି ଏଣେ ତା’ ନାଁରେ ବାର ପ୍ରପଞ୍ଚ ରଟେଇଲେ, ଧୂଷା ଭାଇ ଅବା କାହୁଁ ଜାଣିବ ?”

 

ଆଖି ମିଟି ମିଟି କରି ହସି ହସି ରେବ ପଚାରିଲା ‘‘ସତ କହୁଚ ? ତାକୁ ତାହାହେଲେ ଧୂଷା ଏଇଆ ଚିଠି ଲେଖିଚି !”

 

ସେ କାହିଁକି ମୋ’ ଭଳିଆ ମଣିଷକୁ ଚିଠି ଲେଖନ୍ତା ମ ? ସେ ଆଖି ତରାଟିଲେ ଆମେ ଜାଣି ରାଇଜପାର୍‍, ମୁଁ ତା’ ଭୁରୁସରବା ତା’ ସାଙ୍ଗ ସରିସା ନା କ’ଣ ଯେ ସେ ମୋତେ ଚିଠି ଲେଖିବି ?”

 

“ତେବେ ତେମେ ଜାଣିଲା ପରି କେମିତି କହୁଚ ରମା ?”

 

“ମଣିଷ କ’ଣ ସବୁକଥା ନିଜେ ଦେଖି ଦେଖି ସେଇଠୁ ଜାଣେ ? କିଏ କେଉଁ ଧାତୁରେ ଗଢ଼ା ସେତିକି ଜାଣିଲେ କ’ଣ କହିହେବ ନାହିଁ ଯେ କାହା ଦେଇ କେଉଁ କାମ ହୋଇପାରିବ କାହାଦେଇ ନୁହେଁ ? ସତ କହିଲ, ତୁମେ ନିଜେ ତ ଧୂଷା ଭାଇକୁ ଏତେ ବର୍ଷ ହେଲା ଜାଣିଛ, ସେ କେମିତିଆ ମଣିଷ ଚିହ୍ନିଛ, ତୁମେ ବିଶ୍ୱାସ କରି ପାରୁଚ ୟେ କଥା ?”

 

ରେବ ତଳକୁ ମୁହଁ ପୋତି ପାନ ଶିରରେ ଭୂଇଁ ଉପରେ ଗାର କାଟୁଥାଏ, ଟିକିଏ ତୁନିରହି ସେମିତି ମୁହଁକୁ ତଳକୁ କରି କହିଲା ।

 

“ତେମେ ଯେମିତିକି ସେମିତି ରହିଗଲ ରମା । ଏ ବହୁରୂପି ଦୁନିଆଁରେ କିଏ କେମିତି କି କ’ଣ ତୁମେ କ’ଣ ବୁଝିଚ ?”

 

“ରେବ ତେବେ ଧରିନେଇଛି ଏକଥା ସତ”, ରମା ଭାବିଲା, କହିଲା “ଯାହା କହ, ପରର ଗୋଟାଏ ଭଲ ଗୁଣ ବର୍ଣ୍ଣନା କରି ବସିଲେ ଲୋକେ ଶୁଣି ନ ଶୁଣିଲା ପରି ରହିବେ, ନହେଲେ ହସରେ ଉଡ଼େଇଦେବେ, ଅବିଶ୍ୱାସରେ କହିବେ ‘ହଁ ନା ।’ ଆଉ ଯେଡ଼େ ମିଛରେ ଫାନ୍ଦି କହ ପଛେ ପରର ଗୋଟାଏ ମନ୍ଦଗୁଣ ବର୍ଣ୍ଣନା କର, ଲୋକେ ତା’କୁ ଚଟ୍‍କିନା ବିଶ୍ୱାସ କରିଯିବେ, ଚାହୁଁ ଚାହୁଁ ପ୍ରଘଟ ହୋଇଯିବ ।”

 

“ଧୂଷା କଥା ମିଛ ହେଲେ ଆମେ ତ କେଡ଼େ ଖୁସି ହୁଅନ୍ତୁ ରମା, ଘରକୁ ଆସନ୍ତା, କୋଉଠୁ ଗୋଟିଏ ଠିକଣା କରି ହାତକୁ ଦି’ହାତ କରି ଦିଅନ୍ତୁ, ଗଲା ନାଟ ଛିଣ୍ଡିଗଲା । ମିଛ ନୁହେଁ । ମୁଁ ତା’ ସ୍ଵଭାବ ଜାଣେ ।”

 

ରେବ ରମାର ମୁହଁରେ ଭାବ ପରିବର୍ତ୍ତନ ନିଘା କଲା । ରମାର ଆଖି ଉପରକୁ ଖୋଷି ହୋଇଯାଇଛି, ଡହ ଡହ ଦିଶୁଛି । ସତେ ଯେପରି ରେବ ଓ ଧୂଷା ସମ୍ପର୍କରେ ବହୁକାଳର ସନ୍ଦେହ ହଠାତ୍‍ ସତ ପରି ଲାଗୁଛି, ସେ ଚମକି ପଡ଼ୁଛି । ରେବ କିଛି ନ ଜାଣିଲା ପରି ସହଜ ସାଧାରଣ ଭାବରେ ପୁଣି କହିଲା “ତୁମେ କ’ଣ ତା’ ସ୍ଵଭାବ ଜାଣିନା ନା କିଏ ଜାଣେ ନାହିଁ ? ବଡ଼ ଅଖାଡୁଆ, ଯାହା ବୁଝିଛି ସେଇଆ । ଦେଖୁନା, କେତେ ବର୍ଷ ହୋଇଗଲା, ସେ ଆସୁଛି ନା ଭାଷା ଖଣ୍ଡେ ଦେଉଛି ନା କ’ଣ କହୁଛି କେମିତି ଅଛି କିଛି ଲେଖୁଛି ? ତା’ର ସେ କ’ଣ କରୁଛି କ’ଣ ନାହିଁ ତା’କୁ ଜଣା । ଯେ ଘର ସଙ୍ଗେ ସମ୍ବନ୍ଧ ରଖେନାହିଁ ବନ୍ଧୁ ବାନ୍ଧବ କାହାରି ସଙ୍ଗେ ସମ୍ବନ୍ଧ ରଖେନାହିଁ, ଏକୁଟିଆ ବାର୍‍ହା, ତା’ ମନ ହେଲେ ସେ ସବୁ ଅଖାଡ଼ୁଆ କଥା କରିପାରେ–”

 

ରମା ଗମ୍ଭୀର ହୋଇ କହିଲା, ’’କରିପାରେ ବୋଲି ଯେ କଲା ତା’ର ପ୍ରମାଣ କ’ଣ ?”

 

ଗୋଳେଇ ପୋଳେଇ ହେଲା ପରି ରେବ କହିଲା, “ଆଉ କିଏ କ’ଣ ଆଖିରେ ଦେଖିଲା-? ଲୋକଙ୍କଠୁଁ ଶୁଣିବା କଥା ତ, ତମ ଭାଇ ବଡ଼ ବ୍ୟସ୍ତ । ଶୁଣିଲା ଦିନଠୁଁ କେମିତି ମନମରା ହୋଇଗଲେଣି । ରାଇଜଯାକ ଛିଆ ଛିକର ପଡ଼ିଛି । କିଛି କାଖର କୋଡ଼ର ସାନ ଭାଇ ନୁହେଁ ଯେ ନାଲି ଆଖି ଦେଖାଇ ଆକଟ କରିଦେବେ, ସାଙ୍ଗ ସରିସା ଭାଇ, କାହା କଥା ମାନେନାହିଁ-।” ରମା କହିଲା, “ଧର ଯଦି ସତ ହୋଇଥିବ ତେବେ କି କାହାର କ’ଣ ଗଲା ? ଯାହାକୁ ଯେମିତି ଚଳିବାକୁ ସୁଖ ଲାଗିଲା ତା’ ସେ କଲା, ସେ ତା’ର ବିଦେଶକୁ ଘର ମଣିଲା, ଖ୍ରୀଷ୍ଟିୟାନ୍‍ ଝିଅ ବିଭା ଦେଲା କି ଯାହା କଲା, ତା’ ଭଲରେ ମନ୍ଦରେ ତ ସାହିଭାଇ ଖୋଜି ଲୋଡ଼ି ଯାଆନ୍ତିନାହିଁ, ଏତେବେଳକୁ ହାଟ ବସିଛି କାହିଁକି ?”

 

ରେବ ତେଜିଉଠି କହିଲା, ‘‘କାହା ପାଟିରେ କିଏ ବାଡ଼ବତା ଦବ ? ଲୋକେ କହିବେ ନାହିଁ କାହିଁକି ? ଚାରିଆଡ଼େ ତ ଦେଖୁଛନ୍ତି ସେଇଆ ସେଇଆ, ଶୁଣିଲେ ସତ ମଣୁଛନ୍ତି । ହେଇଟି ତମ ଦାଦିଙ୍କ ଘର କଥା ଶୁଣିଲଣି ? ଭୂପ ମ ! ତମ ଗୁଣମନ୍ତ ଭାଇଟି ! ତାଙ୍କ ବାପା ବୋଉ ତ କହି ବୁଲୁଥିଲେ ସେ ଦିଲ୍ଲୀ ଯିବେ ବିଲାତ ଯିବେ ବାରିଷ୍ଟର ହେବେ, କଲକଟର ହେବେ, କିଏ ଖଣ୍ଡକ ବି ପାସ୍‍ ହେଲାନାହିଁ । କହିଲେ ଆମର ସେତିକି ଥାଉ, ଆଜିକାଲି ବେପାର କଲେ ଲୋକେ ଲକ୍ଷ ଲକ୍ଷ କମୋଉଛନ୍ତି ଆମର ସେଇଆ କରିବା । କି ବେପାର ସେ ଖୋଳୁଛନ୍ତି ତାଙ୍କୁତ ଜଣା ଯେ ଖାଲି ଯେତେବେଳେ ଶୁଣିବ ବୋମ୍ବାଇ ନହେଲେ କଲିକତା ନହେଲେ ମାନ୍ଦ୍ରାଜ୍ ଗଲେଣି । ଘରୁ କେତେ ଯେ ପଇସା ନେଲେଣି ଫୋପାଡ଼ିଲେଣି ବାପ ମା’ ମୁଣ୍ଡରେ ହାତଦେଇ ବସିଲେଣି । ଭାବିଲେ ବାହା କରିଦେଲେ ହେଲେ ପୁଅର ମନଟା ବଦଳିବ । କନ୍ୟା ଖୋଜା ହେଲାବେଳକୁ କହିଲେ ତାଙ୍କ ମାମୁ ଝିଅ ଭଉଣୀ ଇନ୍ଦିରାଙ୍କୁ ବିଭାହେବେ, କୁଆଡ଼େ ସତ୍ୟ କରାକରି ହୋଇଛନ୍ତି, ଏଡ଼େ ହଟହଟା କଥା ଶୁଣିଛ କୋଉଠି ? ରମା ହସିଦେଲା, କହିଲା “ସତେ-? କେମିତିଟିଏ ମ ?”

 

“ଆମର କିଏ ଦେଖିଛି ଯେ କହିବ ? କୁଆଡ଼େ ମ୍ୟାଟ୍ରିକ୍ ପଢ଼ୁଥିଲେ, ଭଲ ଗୀତ ଗାଆନ୍ତି । ଭୂପ ତ ଆଗେ ମାମୁ ଘର ମାମୁ ଘର ବୋଲି ପାଣି ପିଉ ନଥିଲେ । ସହରିଆ ମାମୁ ଘର-। ଏଣେ ତାଙ୍କ ବାପା ବୋଉ ତ ଶୁଣି ଖଡ଼୍‍ଗହସ୍ତ । କଥାଟାକୁ ପାରୁ ପର୍ଯ୍ୟନ୍ତେ ଲୁଚେଇ ରଖିଛନ୍ତି, ହେଲେ ଲୁଚେ କେତେକରେ ? ଅଇଛା ବୁଝ ଏ ସଂସାର ନୀତି ।”

 

ରମା କହିଲା, ‘‘କେଜାଣି ମୁଁ ଜାଣେନାହିଁ । ତେବେ ମୁଁ ଶୁଣିଛି, ଗୋଟାକେତେ ମାମୁ ପୁଅ କି ମାମୁ ଝିଅ ସଙ୍ଗେ ବିଭାଘର ଏଣେ ବି ଚଳିଲାଣି, ଦକ୍ଷିଣରେ ତ କୁଆଡ଼େ ମାମୁ ଝିଅକୁ ବିଭା ହେବା ହିଁ ପ୍ରଥା । ସେଥିରେ ଏମାନେ ଏତେ ଛାନିଆ କାହିଁକି ହେଉଛନ୍ତି ?”

 

ରେବ କହିଲା, ‘‘ଓହୋ, ଏତେବେଳେ ବୁଝାଗଲା । ତେମେ ନୂଆ ପାଠ ପଢ଼ି ନୂଆ ତାଲିମ୍ ହୋଇ ଆସିଲଣି ସମାଜରେ ଏଇଆ ସବୁ ଚଳେଇବ ବୋଲି ପରା !”

 

ରମା ନିରୀହ ପରି କହିଲା, “ନାହିଁ ତ” ।

 

ରେବ କହିଲା, “ନହେଲେ ଏସବୁ ଶୁଣି ତୁମେ ଧେର୍ଯ୍ୟ ଧରି ରହିପାରୁଛ କେମିତି ? ଧୂଷ କଥା କହିଲି, ଭୂପ କଥା କହିଲି, ଆଉ ଶୁଣିବ ? ମକରା ବୋଲି ବାଉରି ଟୋକା ନଥିଲା ? ଏକା ଦିନକେ ସକାଳୁ ଖୋଜିଲାବେଳକୁ ମକରା ନାହିଁ କି ସପନା ଗଉଡ଼ର ଝିଅ ଚନ୍ଦୁରୀ ନାହିଁ । ସପନା ତ ଏବେବି କହୁଚି ଯେ ଚନ୍ଦୁରୀ ଯାଇଛି କୋଉ ମଉସାଘର, ତେବେ ସମସ୍ତେ କହୁଛନ୍ତି ଭିନ୍ନେ କଥା, ଖାଲି ପାଟକ ନିଶାପକୁ ଡରି ଡରି ସେ ତୁନି ହୋଇ ବସିଛି, ଘର କବାଟ କିଳିଲେ କାନ୍ଦ ବୋବାଳି, ଲୋକେ କହୁଛନ୍ତି ସେମାନେ ଏ ମୁଲକରେ ନାହାଁନ୍ତି, କୁଆଡ଼େ କେଉଁ ବାଲିମେଳା ବୋଲି କେଉଁଠି କେଉଁ ଜାଗାରେ କାମ ଲାଗିଛି, ସେଇଠି ଅଛନ୍ତି ।”

 

ରମା ମୁହଁ କେମିତି ହୋଇଗଲା । କହିଲା “ମୁଁ ଜାଣି ନଥିଲି ।”

 

ରେବ କହିଲା, “ଗାଁ’ରେ ରହିଲେ ଖାଲି ଏଇଆ ଶୁଣିବ । ସବୁ ତ କେମିତି ଓଲଟିପଡ଼ିଲା ।”

 

ରମା କହିଲା, ‘‘ବିନ୍ଧ ଗଣୁଥିଲେ ଦିନ ଅଣ୍ଟିବ ନାହିଁ ।”

 

ରେବ କହିଲା, ‘‘ବଞ୍ଚିଥାଇଁ, ଶୁଣୁଥାଇଁ, ଜାଣୁଥାଇଁ, ଆଖିକାନ ବୁଜିଦେବା କେମିତି ? ୟାର ଶେଷ ଫଳ କ’ଣ ହେବ ? ଏ ଦୁନିଆଁ ରହିବ ନା ?”

 

ରମା କହିଲା “ବୁଝିଲ, ଆମେ ରହିଥିବା ଯାକେ ଆମ ଦୁନିଆଁ ବି ରହିଥିବ । ଯୁଗ ଅନୁସାରେ ଅବସ୍ଥା ଘେନି ବ୍ୟବସ୍ଥା ତା’ମନକୁ ଆପେ ଆପେ ଚାଲିଥିବ । ଦୁନିଆଁ ରହିଥିବ । ଏତେ ପୁରାଣ ତ ପଢ଼ିଛ କେଉଁ ଯୁଗରେ ଏ ଦୁନିଆରେ ସମସ୍ତେ ଗୋଟାଏ ନିୟମକୁ ନିଷ୍ଠାରେ ମାନି ଚଳିଛନ୍ତି ? ଯେ ଚଳିଲେ ଚଳିଲେ, ଯେ ନ ଚଳିଲେ ତାଙ୍କୁ ବି ଆଦରି ନିଆଗଲା, ତାଙ୍କ ଭିତରୁ କେତେ ଲୋକଙ୍କୁ ତ ଦୁନିଆଁ ମୁଣ୍ଡରେ ମୁଣ୍ଡେଇଲା । ଆଉ କେତେ ହତଭାଗା ବି ଥାଆନ୍ତି ଯେ ନିୟମ ମାନି ଚଳିଲେ ବି ହଟହଟା ହୁଅନ୍ତି ନିୟମ ମାନି ନ ଚଳିଲେ ତ ସହଜେ ।”

 

ରେବ ହସିଲା, କହିଲା “ଏଣିକି ତେମେ ଯେତେବେଳେ କାମ କରିବାକୁ ଗାଁ ଗାଁ ଘର ଘର ବୁଲିବ, ମତେ ଲାଗୁଛି ତୁମେ ଏଇଆ କହି କହି ବୁଲିବ ଯେ ସମାଜରେ ଯେଉଁଠି ଯେତେ ବେନିୟମ ହେଉଛି ତାକୁ ସବୁ ଚଳେଇ ନିଅ, ଲୋକେ ବି ସରଧା ପାଇବେ ।

 

ରମା କହିଲା “ଗରଜ ପଡ଼ିଛି ଏଇଆ ଗାଇ ଗାଇ ବୁଲିବି ଆଉ ! ତେବେ ବି ତେମେ ମିଛ କହିନା । ମତେ ପଚାରିଲେ ମୁଁ ଏଇଆ କହିବି ।”

 

“ଆଉ ସମାଜ ବି ଚୁଲିକି ଯିବ ।”

 

“ମୋଟେ ନୁହେଁ । ସମାଜ ଚଳଣି ବଦଳୁଛି, କେତେ ଭଲ ଆସୁଛି କେତେ ମନ୍ଦ । ଆଗେ ଲୋକେ ଠାଏ ଥିଲେ ଗାଁରେ, ଚାଷରୁ ଯାହା ମିଳୁଥିଲା ସେଇଥିରେ ଚଳୁଥିଲେ, ଅଇଛା ଖାଲି ଚାଷ ନୁହଁ, ଦଳ ଦଳ ହୋଇ ଲୋକେ ଲାଗିଛନ୍ତି ନାନା ଧନ୍ଦାରେ, ଗାଁ ଛାଡ଼ି କାହିଁ କୁଆଡ଼େ ଦୂରରେ, ସେ କି କାମ କଲେ କେଉଁଠି ରହିଲେ କେମିତି ଚଳିଲେ ସବୁ ଯଦି ବଦଳି ଗଲା ତାଙ୍କ ରୀତି ନୀତି ଆଗ ସଙ୍ଗରେ ସମାନ ରହିବ କୁଆଡ଼ୁ ? ପୁଣି ତାଙ୍କଠୁଁ ଶିଖି ଅନ୍ୟମାନେ, ସେଉଠୁ ସମାଜ ଯାକରେ ନୂଆ ଚଳଣି ।

 

ରେବ କହିଲା “ଭାରି ବୁଢ଼ୀ ଖୁଣ୍ଟ ପରି କଥା କହୁଛ । ହେଲା ହେଲା । ନୂଆ ଚଳଣିମାନେ କ’ଣ ସବୁ ଏଇଆ ?”

 

ରମା କହିଲା “ନୂଆଚଳଣି କି ରୂପ ନେବ ତା’ ତୁମେ କହିବ କି ମୁଁ କହିବି ? ବୁଢ଼ୀ ହେବାଯାକେ ଯଦି ବଞ୍ଚିଥିବା ସେତେବେଳେ କହିବା । ଅଇଛା ଏତିକି କରି ହେବ ଯେ କୋଉଠି କିଏ କ’ଣ କଲା ସେଗୁଡ଼ାକ କାନରେ ନ ପକାଇ ଆପଣା କାମ କରି ଯିବା । ଯେ ଯାହା କରିବ ସେ ତା’ ଫଳ ପାଇବ, ଆମେ ଖାଲି ହାଉ ହାଉ ହଉଥିଲେ ଆମ ମୁଣ୍ଡ ଖରାପ ସିନା ଆଉ କିଛି ଫଳ ହେବ ନାହିଁ ।”

 

ରେବ ତା’ ମୁହଁକୁ କଟାସପରି ଚାହିଁଲା । ଯେପରି ରମାର ଆଖିରେ ତା’ ଦୃଷ୍ଟିକୁ ଦାବି ଦେବାକୁ ଚାହେଁ । ତା’ର ଗୋଲ ହୋଇ ଯାଇଥିବା ଶାନ୍ତ ମୁହଁ ଭିତରୁ ଯେପରି ପୁରୁଣା ଅଶାନ୍ତିର ପ୍ରେତ ଭୂଇଁ ଫଟାଇ ବାହାରି ପଡ଼ୁଛି । ଟିକିଏ ରହି କହିଲା,

 

“ବୁଝି ପାରୁଛ ଯେ ଯାହା କହୁଛ, ଯେ ଯାହାର ଯାହାକରୁ ଆମେ ପାଟି ଫିଟାଇବା ନାହିଁ, ତୁନି ହୋଇ ରହିଥିବା, ସବସେ ଚୁପ୍‍ ଭଲା । ନହେଲେ ଯଦି ମୁହଁ ଖୋଲିବା କହିବା ସାବାସ୍‍, ସାବାସ୍‍ । ଲୋକେ ସବୁ ପ୍ରକାର ନିୟମ ଭାଙ୍ଗି ଆପଣା ମଉଜରେ ଦିନ ବିତେଇଦେବେ, ଆମର ଆଉ ଉଁ କି ଚୁଁ ନାହିଁ, ଗୁହାଳରେ ଗାଈ ପରି ବନ୍ଧାହୋଇ ପଡ଼ିଥିବା, ମନେ ମନେ ପାଳ ପକେଇ ଉଞ୍ଚ ହେଉଥିବା, ବାହାଦୁରି ନେଉଥିବା ଆମେ ଲକ୍ଷ୍ମୀ, ଆମେ ସରସ୍ୱତୀ, ଆମେ ସତୀ ସାବିତ୍ରୀ, ଆମ ନିଜ ଛଡ଼ା ଆଉ କେହି ପଦେହେଲେ ପୁରଶଂସିବେ ନାହିଁ । ତା’ହେଲେ ଲାଭଟା କ’ଣ ?”

 

ରମାର ମୁହଁ ଥନ ଥନ ହୋଇଗଲା । ଆଖିରେ ଲୁହ ଟଳଟଳ । କହିଲା “ଏତେ ଲାଭ କ୍ଷତିର ହିସାବ ମୁଁ ଜାଣେ ନାହିଁ ଲୋ । କୋଉ ଦେଖା ନା କୋଉ ଶିଖା ? ଖାଲି ଏତିକି ଦେଖିଲି, କେତେବେଳେ ଭୁଷ୍‍ କିନା କାହା ଜୀବନ ଉପରେ ଉଆଁସ ରାତି ଓହ୍ଲେଇ ପଡ଼େ, ସେଉଠୁ ସବୁ ଅନ୍ଧାର ବିଲି ବିଲି । ଯେତେ ଯେ ବାହାଦୁରି ପାଇ ସାରିଥାଏ, ଯେତେ ଯେ ଅବା ବଣମାଳତୀ ପରି ଫୁଲ ଫୁଟେଇ ସାରିଥାଏ ଯାହା ଆଉ କାହାରିକି ଅଗୋଚର, ଯାହାର କାମ ସରିଥାଏ କି ଯାହାର କାମ ଛିଣ୍ଡି ନଥାଏ, ଯମ ଘୋଷାରି ନେଲେ ତା’ର ସବୁ ସରିଯାଏ । ବଞ୍ଚିଥାଇଁ, ବଞ୍ଚିଥାଇଁ କାହିଁକି ବଞ୍ଚିଥାଇଁ କେତେଦିନ ବଞ୍ଚିବା ସେଇଟା ବି ଆମ ହାତରେ ନାହିଁ । କାମ କରିବା କଥା, କରିବା, ଆଉ କିଏ କ’ଣ କଲା ଭାବିବାକୁ ତର କାହିଁ, ଦରକାର ବା କ’ଣ ? ନିଜ କଥା ନିଜକୁ ଅସମ୍ଭାଳ ।”

 

ରେବ ତା’ ମୁହଁକୁ ଚାହିଁ ଦବିଗଲା । ତା’ ହାତ ପାପୁଲି ଯୋଡ଼ିକି ମୁଠେଇ ଧରି ତୁନି କହିଲା “ଘା’ ଶୁଖିନାହିଁ ? ନୁହେଁ ? ରେବର ମୁଠା ବି ଶିଥିଳ ହୋଇଗଲା, ତା’ ଆଖି ଆଗରେ ହରର ଛବି । ମନେ ପଡ଼ିଲା, ଯେଉଁଥର ହର ସଙ୍ଗେ ରମାର ସେ ଚିହ୍ନା ପରିଚୟ କରାଇଥିଲା । ଏଇଠି । ଏଇ ଘରେ । ତା’ ଆଖିରୁ ଲୁହ ଝରିଲା ।

 

ରମା ତା’ କଥାକୁ ସତେ ଯେମିତି ଶୁଣି ଶୁଣିନାହିଁ । କେଉଁ ଦୂରକୁ ଅନାଇଁ ସେ କଥା କହୁଛି । କାହାକୁ କହୁଛି ଜାଣେ ନାହିଁ । କହିଲା “ମଣିଷ ଜୀବନଟା ସତେ କ’ଣ ? ସୋଗ କରେ ଯେଡ଼ିକି ଟାଣ କରି, ଗଲାବେଳେ ଚାଲିଯାଏ ସେଡ଼ିକି ନିର୍ମାୟା ହୋଇ । ଲୋଭ କରେ ଯେତିକି, ଗଲାବେଳେ ବିଲ୍‍କୁଲ୍‍ ଫତୁର । ଟିକିଏ ପରେ ଯେ ସବୁଦିନ ପାଇଁ ପାଶୋରଯିବ, ଟିକିଏ ଆଗରୁ, ନାକ ଅଗରେ ନିଶ୍ୱାସ ଥିଲାଯାକେ, ତା’ଠିଁ କେତେ ଲୋଭ କେତେ ମାୟା, ବାନ୍ଧି ଛନ୍ଦି ହୋଇ ଭିଡ଼ାଭିଡ଼ି ହୋଇ ସତେ ଯେମିତି ଏ ସଂସାରରେ ସେ ସବୁ ଦୁନିଆଁ । ଆଉ ଆର ଘଡ଼ିକି ନାଇଁ ।

 

ସେହି ‘ଆର ଘଡ଼ିକି ନାହିଁ’ କହିଲାବେଳକୁ ତା’ ସ୍ୱର ଭାଙ୍ଗିପଡ଼ୁ ଥାଏ । ଯେମିତି କଥାର ଶବ୍ଦ ନୁହେଁ, କଇଁ କଇଁ କାନ୍ଦଣା ଶବ୍ଦ ।

 

“ପିଲାଟିଏ ଦେଇଯାଇଛି ସେଇଆକୁ ଅନା ରମା, ମନଟାକୁ ଫେରା, ନ ହେଲେ ବଞ୍ଚିବ କେମିତି ? ମୁଁ ଜାଣେ ତେମେ ଦିନ ରାତି କାନ୍ଦୁଛ, ଅନ୍ତର ଭିତରେ ଲହୁବୁହା କାନ୍ଦଣା, ବାହାରକୁ ଖାଲି ଗୋଟାଏ ମିଛ ଟାଣ । ଆଉ ନ ହେବ ବା କେମିତି ? ଆମେ ନିଆଁ ନଗା ତ ଭୁଲି ପାରୁନୋହୁଁ ଆଉ ତେମେ ତ ତା’ ନିଜର ।” ରେବ କାନ୍ଦିଲା ।

 

କିନ୍ତୁ ରମା କାନ୍ଦିଲା ନାହିଁ । ତା’ର କାନ୍ଦ କାନ୍ଦ ଗମ୍ଭୀର ମୁହଁରୁ ଶବ୍ଦର ଝର ଛୁଟିଛି । ସରୁ ହୋଇ ତା’ର ଧାର, ରହି ରହିକା, ଯେମିତି ପଥର ଖଣ୍ଡଟିମାନ ବେଢ଼େଇ ଘେରେଇ ଆଗକୁ ଯିବାକୁ ବେଳ ନେଉଛି । କିନ୍ତୁ ଅଟକୁ ନାହିଁ ।

 

ସେହି କେଉଁ ଦୂରକୁ ଅନାଇଁ ସେ କଥା କହି ଲାଗିଥାଏ । “ତେମେ ବାଛୁଛ ଦୋଷ ଗୁଣ, ଭୁଲ୍ ତ୍ରୁଟି । ମତେ ପଚାରିଲେ ମୁଁ କ’ଣ କହିବି କହ ? ମଣିଷ କାହିଁ ? କାହାର କ’ଣ ବାଛିବି ? ଘର ଭିତରେ ଦେଖିଲେ,–ଯାହାକୁ ଛୁଉଁଛି ଧରୁଛି ବୋଲି ଭାବିବି, ସେ ତ ନାହିଁ । ଘରୁ ଯାଇ ପଦାରେ ଦେଖିଲେ,–ଖାଲି ଯେମିତି ସାଲୁବାଲୁ ମନ୍ଦା ମନ୍ଦା, ଯେମିତି ପୋକଯୋକ ସାଲୁବାଲୁ ହୁଅନ୍ତି, କୁଆଡ଼େ ପୁଳାଏ ଧାଇଁଛନ୍ତି ତ ଆଉ କୁଆଡ଼େ ଆଉ ପୁଳାଏ ଧାଉଁଛନ୍ତି, କିଏ କ’ଣ ତା’ କ’ଣ ବାହାରିହେଉଛି ? ଖାଲି ମେଳା ମେଳା, ସେଠି ଗୋଟା ଗୋଟା ମଣିଷ ଖାଲି ଖେଳର ସାର ପରି, କେଉଁଟା ଚାଲିଛି, କେଉଁଟା ମଲା ସାର, ସେ ନାହିଁ । ସମସ୍ତେ ନିଜେ ସେଇଆ, ଖାଲି ପର କଥା ଭାବିଲାବେଳକୁ ଭିନ୍ନେ ଦୃଷ୍ଟି ।”

 

ଏମିତି ହୁଏତ ଚଲିଥାନ୍ତା ଜଣକର ଦର୍ଶନ ଚର୍ଚ୍ଚା ଆର ଜଣକର କାନ୍ଦଣା, କି ଜଣକର କାନ୍ଦଣା ଆର ଜଣକର ସାନ୍ତ୍ୱନା, କିନ୍ତୁ ରେବର ପୁଅ ଝିଅ ମୀନା କୁନା ଦିହେଁ ଏକା ସଙ୍ଗରେ ଆସି ଗୋଳ କଲେ, ‘‘ବୋଉ ଦେଖାଇବାକୁ ।”

 

ଆଉ ରମା ଅନାଇ ଦେଲା, ଚାଳ ଉପରେ ବହଳ ପଡ଼ି ଆସୁଛି ଛାଇ, ସଜନା ଗଛରେ ଛୁଇଁ ଦିଶୁନାହିଁ । ମନେ ପଡ଼ିଗଲା କେତେବେଳେ ସେ ତୁଚ୍ଛା ଗପରେ ବିତେଇ ଦେଲାଣି, ସୁର କଥା ସେ ଭୁଲି ଯାଇଛି । ପୁଣି ତା’ର ସ୍ନେହ ଅନୁତାପ ଉପରେ ଶୀତଳ କାନି ଢାଙ୍କି ଦେଇ ମନରେ ଆସିଲା ଉଦାସ ଭାବ । ତା’ ମୂଷା ଭାଇ ଆସିଗଲେ । କେଡ଼େ ଝଡ଼ି ଗଲେଣି । “ରମା କିଲୋ ! ଆଇଲୁ ? ସବୁ ଭଲଟି ? ଏଇ ଶଙ୍ଖପୁର ବ୍ଲକରେ ପୋଷ୍ଟିଙ୍ଗଟା ହୋଇପାରିଲେ ଆଚ୍ଛା ହୁଅନ୍ତା । କେହି ନାହିଁ କୁହାପୋଛା କରିବାକୁ, ସାଧୁର କେହି ଚିହ୍ନା ଜଣାନାହିଁ ?”

 

ଗାଁର ପରିବର୍ତ୍ତନ ସଙ୍ଗେ ପରିଚିତା ହେବାକୁ ବେଳ ଲାଗିଲା ନାହିଁ । ଆଗଠୁଁ ବହୁ ପରିମାଣେ କାମଧନ୍ଦା ବଢ଼ିଛି, ପାଖରେ ଦୂରରେ ସଡ଼କ ତିଆରି କାମ, ପୋଖରୀ ଖୋଳା କାମ, ସାନ ବଡ଼ ହୋଇ କେତେଠିଁ କେତେ ସରକାରୀ କୋଠା ତୋଳା କାମ, ମୂଲ ମିଳୁଛି, ଘରୁଆ ଲୋକଙ୍କୁ ମୂଲିଆ ନଖଟ, ନ ହେଲେ ମହରଗ । ଘର ଛୁଆଣି କରିବାକୁ ବି ଲୋକ ଅଭାବ, ସେଥିପାଇଁ କେତେ ନେହୁରା ଓ ପଟାପଟି ।

 

ଦାମଙ୍କ ଅବସ୍ଥା ଖରାପ । ତାଙ୍କ ପୁଅ ଭୂପ ଟଙ୍କା ଉଡ଼ାଉଛି ସତକଥା, କିନ୍ତୁ ଗାଁରେ ବି ଆଉ ପ୍ରତିପତ୍ତି ନାହିଁ । ସେ ସରପଞ୍ଚ ନୁହଁନ୍ତି କି ମେମ୍ବର ନୁହଁନ୍ତି କି ମହାଜନ ନୁହଁନ୍ତି । ସରପଞ୍ଚ ବଇ ସାହୁ, ନାଏବ ସରପଞ୍ଚ ରାଧୁ ଜେନା ତାଙ୍କର ପ୍ରକାଶ୍ୟରେ ବିରୋଧୀ, ପ୍ରତାପ କୋହଳ ହେବା ସଙ୍ଗେ ସଙ୍ଗେ ଗାଁର ସାଧାରଣ ଲୋକଙ୍କର ବି ତାଙ୍କ ପ୍ରତି ଖାତିରି ନାହିଁ । ଭାଗଚାଷୀ ଥିଲା ଡମ୍ବରୁ ଜେନା, ସେ ଛାଡ଼ି ଦେଇ ସାରିଲାଣି । ବହୁ କଷ୍ଟରେ ଆଉ ଜଣେ ରାଜି ହୋଇ କରୁଛି, ମୂଳି ନାହାକ, ସେ କାମକୁ ପାରଙ୍ଗମ ନୁହେଁ, ହକ୍‍ ପ୍ରାପ୍ୟ ବୁଝି ନେବାକୁ ହୁସିଆର । ଦଶଅଣା ବଣ୍ଟାରୁ ସେ କାଣିଚାଏ ଊଣା ନେବ ନାହିଁ । ବିଲ ବାଡ଼ି କିଛି ପଡ଼ିଆ ବି ପଡ଼ିଛି, ବାରିରେ ଘାସ ଅଗଛିଆ । ଚାଉଳ କଳଟା ପ୍ରାୟ ବନ୍ଦ ଥାଏ । ବାଦ ବୁଦିଆ ହେଲା ପରି ଆଉ ତିନି ଜଣ ଲୋକ ‘ହଲର’ ପକାଇଲେ । ତା’ପରେ ଯୁଗେଶ୍ଵର ଛକ ସେକରେ ବାନାମ୍ବର ଦେବତାଙ୍କର ବଡ଼ ଧାନକଳ ତୋଳା ଚାଲିଛି । ସେଇଟା କୁଆଡ଼େ ଇଲେକ୍‍ଟ୍ରିକରେ ଚାଲିବ । ହଜାର ହଜାର ଟଙ୍କା ଖର୍ଚ୍ଚ ହେଉଛି । ତା’ର କାରପଟ୍‍ଦାର ରସିଦ୍‍ ମିଆଁ । ଆଗେ ସାଇକଲ ମରାମତି କରୁଥିଲା । ମାୟା ଦେବୀଙ୍କ ବେପାରର ଅବସ୍ଥା ଆଗଠୁଁ ଆହୁରି ଭଲ । ଚାହା ବିକା ସାନ ପିଲା ହେଲାଣି ଚାହା ଜଳଖିଆର ବଡ଼ ଦୋକାନ । ଘରେ ଆଉ ବରା ପିଆଜି ଚକୁଳି ହୋଇ ସେଠିକି ଯାଏ ନାହିଁ । ବାନାମ୍ବର ଦେବତା ତାଙ୍କପାଇଁ ଜଣେ ଭଲ ଗୁଡ଼ିଆ ଆଣି ନିଯୁକ୍ତି କରାଇ ଦେଇଛନ୍ତି । କୀର୍ତ୍ତନ ଗୁଡ଼ିଆ ସାହୁ । ଆଗେ କେଉଁ ରଜା ଘରେ କାମ କରୁଥିଲା । ହାତର ନାଁ ଅଛି । ହୋଟେଲର ଆକାର ପ୍ରକାର ବଢ଼ିଯାଇଛି । ସେଠି ବସି ଖାଇବାକୁ ଟେବୁଲ ଓ ଲୁହା ଚଉକି । ହୋଟେଲର ‘ବୟ’ ଖାଲି ନେତେରା ଭଣ୍ଡାରି ନୁହେଁ, ତା’ ତଳକୁ ପବନା ଗଉଡ଼– ପନ୍ଦର ବର୍ଷର ହୃଷ୍ଟପୃଷ୍ଟ ଟୋକା । ନେତେରା ତା’ଠୁଁ ବୟସରେ ସାନ ହେଲେ ବି ତା’ ଉପରେ ହାକିମାତି କରେ, ତାକୁ ବୋଲ ବତାଏ, ଆଉ ନିଜେ ସେ ହଠାତ୍‍ ଡେଙ୍ଗା ହୋଇଯାଇଛି । ଢିଲା ପାଇଜାମା ଉପରେ ପଞ୍ଜାବୀ ପିନ୍ଧେ, ଉପର ଓଠ ଉପରେ ନିଶ କି ରୁମ ବାରି ନ ହେଲେ ବି ଖିଅର ହୁଏ, ପାନ ଚୋବାଏ, ଶସ୍ତା ସିଗାରେଟ ଶୋଷେ ଓ ନାଁ ବୋଲାଏ ନେତ୍ରାନନ୍ଦ । ପଞ୍ଜାବୀ ଓ ତେଲୁଗୁଭାଷା ମିସ୍ତ୍ରୀ କି କଣ୍ଟ୍ରାକ୍ଟର କେବେ କଦବା ଯଦି ଗଡ଼ିପଡ଼ନ୍ତି ସେମାନଙ୍କୁ ଚର୍ଚ୍ଚା କରିବାରେ ନେତ୍ରାନନ୍ଦ ବହୁତ ଆନନ୍ଦ ପାଏ । କୁଳମଣି ହେଲାଣି ଶାନ୍ତ ଧୀର ଗୋଲଗାଲ ଭଦ୍ରଲୋକ, ସବୁବେଳେ ଧଳାଲୁଗା, ଧଳା ପଞ୍ଜାବୀ, ତା’ର ସାଧାରଣ ଜ୍ଞାନ ବିଷୟବୁଦ୍ଧି ଓ ଆଖିର ନିଘା ବଢ଼ିଯାଇଛି, ଗପିବା କମିଯାଇଛି, ହାତରେ କାମ ନ ଥିଲେ ସୁଦ୍ଧା କାର୍ଯ୍ୟବ୍ୟସ୍ତ ଦିଶିଲା ପରି ଭାବ ଦେଖାଇ ଗୋଟିଏ ସ୍ଥାନରେ ଘଣ୍ଟାଏ ଉତ୍ତାରୁ ଘଣ୍ଟାଏ କିପରି ବସି ରହି ହୁଏ ଅଥଚ କ୍ଲାନ୍ତି ଲାଗେ ନାହିଁ ତା’ର ଅଭ୍ୟାସ ହୋଇଯାଇଛି । ସେ ଆହୁରି ଜନପ୍ରିୟ ହୋଇଛି । ଅନେକେ ତା’ କଥାକୁ ଖାତିରି କରନ୍ତି, ଓଜନ ଦିଅନ୍ତି । କେତେ ଲୋକ କହନ୍ତି ସେ ଯାହାକୁ ଯେଉଁ ଉପଦେଶ ଦିଏ ତା’ ନିଦା ଓ ଠିକଣା, ତା’ ମୁଣ୍ଡ ସଫା, ତା’ ବେକ ଚାରିପାଖେ ବୁଦ୍ଧି, ତା’ ଆଖି ଟାଣ, ବହୁତ ଦୂରରୁ ଦେଖିପାରେ କଳିପାରେ । କିନ୍ତୁ କେହି କହନ୍ତି ନାହିଁ ଯେ ତା’ କାନ ପାତଳ, ତେଣୁ ଲୋକେ ତାକୁ ବିଶ୍ୱାସ କରନ୍ତି ।

 

ଖୁଡ଼ୀର ଖାଲି ନିର୍ଜୀବ ସମ୍ଭାଷଣ । ଯେପରିକି ମତାମତ ଦେବାକୁ ତା’ ପାଟି ଖୋଲେ, ଓଠ ଆଉ ଚାହାଣିରୁ ବାରିହୁଏ କେଉଁ ବିଷୟରେ କ’ଣ ସେ କହିବାକୁ ଚାହେଁ, କିନ୍ତୁ କଥା ଶୁଭେ ନାହିଁ । ସେହି ପୁରୁଣା କଥା, “ଦେଖ ତୋ ବୋଉଙ୍କ ବୁଦ୍ଧି !” ମାନ ଇଜ୍ଜତ ପାଶୋରି ଶେଷକୁ ଦୋକାନ କଲେ ।” ନହେଲେ “ତୁ କେଉଁ ବୁଦ୍ଧିଆ କଥାଟା କଲୁ ? ପଦାକୁ ବାହାରିଲୁ । ଶେଷରେ ଚାକିରି କରିବୁ ।” ଥରେ ଅଧେ ଚୋଟ ହାଣିଲେଣି, “ଉଜଳଗଡ଼ ଯାଉଚୁ କେବେ ?” ନହେଲେ “ଧନ୍ୟ କପାଳ ତୋ ଶାଶୁ ସବାଖାଇର ଲୋ ଝିଅ, ବିଧାତା ତା’ କପାଳରେ କେଡ଼େ ହୀନିମାନ ଲେଖିଛିଟି ।” କିନ୍ତୁ ଖୁଡ଼ୀ କ୍ଵଚିତ୍ ଏପରି କହେ । ସେ ହାରି ଯାଇଛି, ତା’ ମନ ମରି ଯାଇଛି, ଦେହ ଆଗେ ଯାହା ଥିଲା ସତେକି ତା’ର ଅଧା ହେଲାଣି । କଥାଗୁଡ଼ାକ ପଦାକୁ ନ ବାହାରି ତୁଣ୍ଡରେ ମରିଯାଏ । କଥାର ଝାଞ୍ଜି ପ୍ରକାଶ ପାଏ ଖାଲି ଗୋଟାଏ ନିଃଶବ୍ଦ ମୁରୁକି ହସରେ । ସେ ହସ ଯେମିତି କହେ “ଦେଖିଛି । ଆହୁରି କେତେ ଦେଖିବି”, ସେ ହସ ନିଜ ମୁହଁକୁ ଶୁଖାଏ, ପରର ମୁହଁକୁ ବି । ତାଙ୍କ ଘରଟା ଯେପରି ରଙ୍ଗୀ, ବେଙ୍ଗୀ, ଚଗଲା ବଗଲାଙ୍କର । କିନ୍ତୁ ସେତିକି ନୁହେଁ ।

 

ସେ କଥା ବି ଫୁସ୍‍ଫୁସ୍ କରି ରେବ କହିଥିଲା ରମାକୁ । ଭଟ୍ଟ ଅମଳର ପୁରୁଣା କାହାଣୀ-

 

ପୁରୁଣା ପୋଖରୀଟାକୁ ପଞ୍ଚାୟତ ଟଙ୍କା କରଜ ଆଣି ନୂଆ କରି ଖୋଳାଇ ମାଛ ଛାଡ଼ିଛି-। ପୋଖରୀ ଆରପଟେ ଟୋକା ଗ୍ରାମ ସେବକ ଶୀତଳ ବାବୁ ବସା କରିଛି । ନିଛାଟିଆ ସ୍ଥଳ-। ଶୀତଳ ବାବୁ ହାର୍ମୋନିଆଁ ଉପରେ ଗଳା ମେଲାଇ ଦିଏ । ଦୂରରେ କଣ୍ଡରା ସାହିରେ କେଉଟ ସାହିରେ ବାଉରି ସାହିରେ କେହି କେହି ବୁଢ଼ୀମାନେ କହନ୍ତି “ତା’ କଣ୍ଠ ଏଡ଼ିକି ମଧୁର ! ତା’ ଗୀତ ଶୁଣିଲେ କାନ୍ଦମାଡ଼େ !” ଏପଟ ହଟ ଦାସର ବିଧବା ଭଉଣୀ କିଆ ଗୋହିରିରେ କେହି ଯାଉଥିବାର ଦେଖିଲେ କହେ “ମଲା ! କାହିଁକି ଏଥିରୁ ଗୋଟାଏ ଖାଲି ଭେରଣ୍ଡା ରଡ଼ି ଛାଡ଼ିଛି ବା-! ଗୀତ ପରି ଶୁଭୁ ନାହିଁ ଯେ, ଯେମିତି ଗୋଟାଏ ଗୋଟାଏ ଡରକୁଳୀ କୁତୀ ଥାଆନ୍ତି, ବାଡ଼ି ଉଞ୍ଚେଇଲେ ମାରି ପକାଇଲା ପରି ବିକଳ ହୋଇ ବୋବାଳି ଛାଡ଼ନ୍ତି ୟେ ସେଇଆ ।” ଦାମ ବି ଆଗ କାହା କାହା ଆଗରେ କହୁଥିଲେ “ଫଟକ ନବିମ୍‍ ଛଟକ ଚନ୍ଦ୍ର । ଗାୟକ ଚୂଡ଼ାମଣି । ଏଇ କୁଆଡ଼େ ରାଇଜ ଆଲୁଅ କରିବେ ବୋଲି ଆଇଚନ୍ତି ଯେ ବେଶି ବେଳ କଟୁଛି ସଙ୍ଗୀତରେ ଆଉ ଯେତିକି ବେଳ ବଳୁଛି ସେତକ ତାଆସ ଆଡ୍‍ଡ଼ାରେ । ଏଣେ କାଗଜ ପୂରଣ ହେଉଥିବ– ୟେ ଇଲାକାରେ ବଳଦ କେଇପଟ ନା ଚାରିଶ ପାଞ୍ଚ ଆଉ ଅଧେ । କେତେ ଜମିରେ ନଳିତା ହୁଏ ନା ସାତଶ ତେୟାନବେ ଦଶମିକ ଶୂନ ଦୁଇ ଏକର । କ’ଣ କରିବା ୟେତ କାଗଜ ପୂରଣ କରିବା ଯୁଗ ହେଲା, ଖାଲି ରିପୋଟ ଲେଖିବା, ଭାଉଚର ଲେଖିବା, ଡାଇରି ଲେଖିବା ଏଇଆ । କାଳ ତ ବିଗିଡ଼ିଛି ନ ହେଲେ ଏକା ଥରକେ କାଲମ ଉଠେଇଲେ ଇଚ୍ଛାକଲେ ବାଲିମେଳା ବି ବଦଳି ହୋଇ ପାରିଥାନ୍ତା ।” ମନ୍ତବ୍ୟଟା ଶୀତଳ ବାବୁ କାନକୁ ଯେମିତି ଗଲା କହିବା କଷ୍ଟ, ବୀର ଖଟେଇ, ପଠାଣି ମହାନ୍ତି, ସାରଦା ପରିଡ଼ା ତିନିହେଁ ଜଣ ଜଣ ହୋଇ ବାହାଦୁରି ନେଲେ ଯେ ଗ୍ରାମସେବକଙ୍କୁ ସେମାନେ ଚେତାଇ ଦେଇଥିଲେ । “ୟେ ଗାଁକୁ ସାମାନ୍ୟ ମଣିବ ନାହିଁ ଶୀତଳ ବାବୁ । ଟିକିଏ ଅଣହୁସିଆର ହେଲେ ଏ ଯେଉଁ ଜନ୍ତୁମାନେ ଅଛନ୍ତି ଏମିତି ଚେଙ୍ଗେ ଦେବେ ଯେ ବାପାକୁ ମଉସା ଡାକିବଟି, ଖବରଦାର ।”

 

ହାର୍ମୋନିଆଁ ଓ ଗୀତବୋଲା କେବଳ ସଞ୍ଜ ପହରେ ଚାଲିଲା, ଦିନବେଳେ ନୁହେଁ ।

 

ପଣସ ପାଚିଲା ବେଳ ହୋଇଥାଏ, ଦିନେ ଗୋଟିଏ ନିଦା ଖଜା ପଣସ ଘେନି ଶୀତଳ ବାବୁ ଦାମଙ୍କୁ ଦେଖା କଲା । ଆଧିନ୍ୟ ଦେଖାଇ ଅଣ୍ଟା ତଳକୁ ଭାଙ୍ଗି ପଡ଼ି ଦଣ୍ଡବତ ହେଲା ।

 

ତା’ପରେ ଥରେ ସେ ଘୋଷଣା କଲା ଯେ ସେ ଅତ୍ରପଡ଼ା ବାବାଜୀଙ୍କ ଶିଷ୍ୟ, ତେଣୁ ସେ ଦାମଙ୍କ ଶଳା । ଯିବା ଆସିବା ବଢ଼ିଲା । ଅଧରୀ ବୋଉ ଖାଇବାକୁ ବି ଡାକିଲେ । ଦିଥର ଥରେ ଦାମଙ୍କ ଘରେ ଶୀତଳ ବାବୁ ଭକ୍ତି ସଙ୍ଗୀତ ବି ଗାଇଲା । ପିଲାଏ ଡାକନ୍ତି ‘ମାମୁ’ । ରଙ୍ଗୀ କହିଲା ‘ମାମୁ’ ମୁଁ ଗୀତ ଶିଖନ୍ତି ।” ତା’ ପିଠି ଥାପୁଡ଼େଇ ଶୀତଳ ବାବୁ କୁଆଡ଼େ କହିଲା “କଥା କହିଲେ ତ ତୋର କେଡ଼େ ସୁନ୍ଦର ସ୍ୱର, ଗୀତ ବୋଲିଲେ କ’ଣ ନ ହୁଅନ୍ତା ! ମୁଁ ଯଦି ଚାରିମାସ ତାଲିମ ଦିଅନ୍ତି ନା, ସେଉଠୁ ପରା ରେଡ଼ିଓ ଡକରାରେ ଯାଇ ଯାଇ ଗୋଡ଼ ଘୋଳି ହୁଅନ୍ତା । ହାର୍ମୋନିଆଁଟା ଥୋଇ ଦେଇ ଯାଉଚି ଟିପ ଗଡ଼ୋଉଥା, ମଝିରେ ମଝିରେ ଶିଖାଇ ନେଇଯିବ ।”

 

ରମା ଗୀତ ଶୁଣିନାହିଁ । ରେବ କହୁଥିଲା କୁଆଡ଼େ ରମା ଆସିଲା ଦିନଠୁଁ ଗୀତ ହୋଇନାହିଁ । କିନ୍ତୁ ରମା କାହାଣୀ ଶୁଣିଛି ।

 

ପୁରୁଣା ଘଷରା କାହାଣୀ, ତଥାପି ଯେତେଥର ଶୁଣୁଥିଲେ ବି ହଠାତ୍‍ ଦେହରେ ବିଜୁଳି ଖେଳିଯାଏ, କାନ ଠିଆହୁଏ । ପୁଣି ପାରିହୁଏ ।

 

“ଏଗୁଡ଼ାକ ଏମିତି ଗପନ୍ତି ନା ?” ରମା ଆପତ୍ତି କରିଥିଲା, “ଗପିବା ତ ଭୁଲ୍, ପୁଣି ଆପଣା ଲୋକଙ୍କ ନାଁରେ ! ଆହା ପିଲାଟା !”

 

“ହୁଁ ପିଲାଟା ନୁହେଁ ଆଉ କ’ଣ ?” ରେବ କହିଥିଲା, “ଚେହେରା କହି ଦେଉଛି ।”

 

“ଏମିତି ତୁନି ତୁନି କରି କହିଲାଗିଥିଲେ ଗାଁ’ ଯାକ ତୁଣ୍ଡ ବାଇଦ ବାଜିବ, ହାଟ ବସିବ ଭାଉଜବୋଉ, ତୁମେ ବୁଝିପାରୁନା ? ଲୋକେ ସାତ ଶୁଣିଲେ ଯୋଡ଼ି ଯାଡ଼ି ସତର ବୋଲି କହି ଗପିବେ । ନିନ୍ଦା ରଟିବ । ସେ ନିନ୍ଦା କ’ଣ ତୁମକୁ ଲାଗିବ ନାହିଁ ? କାହିଁକି ଏଗୁଡ଼ାକ ବୃଥା ?”

 

“ଆଗୋ, ମୁଁ ତୁମ ଆଗରେ କହିଲି ନା, ମୁଁ କ’ଣ ଯାଉଛି ରେଡ଼ିଓରେ ସମ୍ବାଦ ଦେବାକୁ କି ଖବରକାଗଜରେ ଲେଖା ଛପାଇବାକୁ ? ତେବେ ଘର ନିଆଁ ଅଣ୍ଟିରେ ପୂରେଇ କାହାଁତକ ରଖିହେବ ? ନା ରଖିଲେ କୋଉ ସେ ନିଭିବ ? କେମିତି କେଉଁ ଉପାୟରେ ଯଦି ସେ ଶୀତଳ ବାବୁକୁ ଏ ଗାଁରୁ ତଡ଼ି ହୁଅନ୍ତା ସିନା ? ସେ ତ କ’ଣ ଏଠି ଜମେଇ ବସି ସାରିଲାଣି, ନିଜେ ତୁମ ଦାଦି, ଖୁଡ଼ୀ ତା ସହାପଟ । ତୁମ ଦାଦି ଓର ଉଣ୍ଡୁ ଛନ୍ତି ତାକୁ ଧରି ତା’ ସାହାଯ୍ୟରେ ଆଉ ଦଶ ଲୋକଙ୍କୁ ଭେଳାଇ ଯଦି ପୁଣି ସେ ପଞ୍ଚାୟତର ମଙ୍ଗଟା ହାତକୁ ଆଣନ୍ତେ ଗୋଟାଏ ଜିତାପଟ ହୁଅନ୍ତା, ଆଜିକାଲି ତ ସେଇ ଦଳାଦଳି ଲୋ ଭଉଣୀ, ଲୋକେ କ୍ଷମତାଟାକୁ ଏମିତି ବଡ଼ କରିଛନ୍ତି ଯେ କ୍ଷମତା ପାଇବାପାଇଁ ସବୁ ଜଳାଞ୍ଜଳି ଦେଇଦେବେ, କ୍ଷମତା ପାଇବେ ବୋଲି ଆଖିବୁଜି ଲୋକଙ୍କୁ କୁଣ୍ଢେଇ ଧରୁଛନ୍ତି । ଯାହାକୁ ଧରୁଛନ୍ତି ସେ ଜୀଅନ୍ତା କି ମୁର୍ଦ୍ଦାର, ବାଘ କି ସାପ ସେ କଥା କିଏ ପଚାରୁଛି ? ଦୁର୍ଯ୍ୟୋଧନ ରକ୍ତନଦୀ ପହଁରିଲାବେଳେ କ’ଣ ଏତେ କଥା ଭାବୁଥିଲା ?”

 

ରେବର କହିବା କଥା ସଙ୍ଗରେ ରଙ୍ଗୀକୁ ସେ ମିଳାଇ ଦେଖେ । ଫୁଲେଇଟାଏ ହୋଇଛି ସତ । ଉପର ମୁହିଁ । ଗେହ୍ଲାରେ ସଢ଼ୁଛି । ଚଟି ମାଡ଼ି ଗାଁ ବୁଲି ବାହାରିଯାଏ । ଆଗେ କେହି କଳ୍ପନା କରି ପାରୁ ନ ଥିଲା । ସେ କଥାକୁ ବି ରେବ ଉପଲକ୍ଷ ଦେଇଥିଲା । ବାରବୁଲୀ ଚୁଲ୍ଲି ବୁଦ୍ଧି, ଦେଖୁନା-।” ଆଉ କହିଥିଲା କେତେ କଥା । ତା’ର ଉପାଦାନ ରାତି, ଜହ୍ନ ଥାଉ କି ନ ଥାଉ, ପୋଖରୀକୂଳ, ପଡ଼ିଆ, ବାଉଁଶବଣ ଆଉ ଆମ୍ବ ତୋଟା । ଅବିକଳ ରେବ ଆଉ ଯେଉଁ କାହାଣୀଟା କହେ ସେହିପରି ରେବର କେଉଁ ଗେହ୍ଲୀ ଦେଈ ।

 

ରଙ୍ଗୀ ବିଷୟରେ ରେବର ବର୍ଣ୍ଣନା କଥା ମନେ ପକାଇ ରମା ରେବର କଥା ହିଁ ଭାବେ-। ଏହି ସବୁ ସ୍ଥାନ କାଳର ଉପାଦାନ ସବୁଦିନେ ସମସ୍ତିଙ୍କ ପାଇଁ ତ ପଡ଼ିଛି । ରାତିରେ ଏକୁଟିଆ କେବେ କେବେ କନକନ ଲାଗେ, କେବେ କେବେ ମନ ଛନ ଛନ ହୁଏ । ସେତିକି ଖାଲି-। ପଡ଼ିଆ, ବାଉଁଶ ବଣ, ତୋଟା ଘାଟ କାହିଁ କିଛି ନୂଆ କଥା ତ କହେନାହିଁ । ରେବ ମଣିଷ ସଙ୍ଗରେ ସେଗୁଡ଼ାକୁ ଯୋଡ଼େ କେମିତି ? ସେ କ’ଣ ଛାଇ ପରି କାହା ସଙ୍ଗେ ସଙ୍ଗେ ଥାଏ ? ସେ କ’ଣ ଉଢ଼ୁଆଳରେ ଛକି ବସିଥାଏ କାନ ଫୁସ୍‍ଫୁସ୍‍ ଶୁଣିବାକୁ, ଚାପିଲା ଚାପିଲା ହସ ଶୁଣିବାକୁ ? ଦେଖିଲାପରି କହେ କେମିତି ?

 

ନା ୟେ ତା’ ନିଜର ବୟସ ଦିନର ଚୋରା କାହାଣିଟିଏ । ନିଜେ ଅଙ୍ଗେ ନିଭେଇଥିବା କଥା, ପରଠି ଆରୋପ କରି ବଖାଣି ବସିବାକୁ ସୁଖ ଲାଗେ ।

 

ଯାହା ମନ ତା’ ହେଉ । ରେବ ବୋହୂପଣିଆଁରେ ପାକଳ ହେଲାଣି । ଯୋଡ଼ିଏ ଛୁଆଙ୍କ ମା’ । ଯାହା ପଛରେ ରହିଲା ରହିଥାଉ । ତା’ର କି ଯାଏ ?

ରମା ତା’ ଛୁଆ ପୁଅ ସୁରକୁ କୁଣ୍ଢେଇ ପକାଇ ଗେଲକଲା ଆଉ ମୁହଁକୁ ଝାଡ଼ି ଝାଡ଼ି ତାକୁ ବାରମ୍ବାର ପଚାରିଲା “ନାହିଁରେ ସୁର ? ଆମର କି ଯାଏ ?”

ସୁର ଭାବିଲା, ୟେ ନୂଆ ହୋଇ ପ୍ରକାରେ ଖେଳ । ସେ ହସି ହସି କିଲିକାଲିଆ ହୋଇ ଦଉଡ଼ିଲା, ପଡ଼ିଲା, ଉଠିଲା, ବୁଲିପଡ଼ି ମା’ର ପିଠିଆଡ଼େ ଲୁଚିଲା, ପୁଣି କରବାଟେ ଟିକିଏ ମୁହଁ ଦେଖାଇ ଦେଲା । ଆଉ ସଙ୍ଗେ ସଙ୍ଗେ ରମା ମୁହଁ ଝାଡ଼ି ଝାଡ଼ି ଭ୍ରୂଲତା ନଚେଇ ତାକୁ ପୁଣି ପଚାରିଲା, “ଆମର କି ଯାଏ ?”

ସୁର ତାକୁ କୁଣ୍ଢେଇ ଧରି ତା’ ଛାତିରେ ମୁହଁ ଲୁଚେଇଲା । ପୁଣି ମୁହଁ ଟେକି ଚାହିଁଲା । ପୁଣି ରମା ପଚାରିଲା “ଆମର କି ଯାଏ ?” ତା’ ସୁର ଗୁଣୁ ଗୁଣୁ ଶୁଭିଲା । ସୁର ମୁହଁ ମାଡ଼ିଦେଲା । ରମା ଧୀରେ ଧୀରେ ତା’ ପିଠି ଥାପୁଡ଼େଇଲା । ଶାନ୍ତ ହୋଇ ପିଲାକୁ କୋଡ଼ରେ ଧରି ବସି ରହିଲା-। ଧୀରେ ଧୀରେ ତା’ ଆଖି ବି ବୁଜି ହୋଇ ଆସିଲା ।

ଜମା ଦି’ଟା ଦିନରେ ଗାଁରେ ଏ ଘର ସେଘର ହେବାର ନିଶା ଉଭେଇ ଯାଇଥାଏ । ସବୁ ପୁରୁଣା ଚିହ୍ନା ଲୋକେ ସ୍ନେହସରସର ମୁହଁରେ ଅଭ୍ୟର୍ଥନା ଜଣାନ୍ତି, “ଆସ” “ଆ” “ବ” ଟିକିଏ” ତା’ପରେ ଦୁଃଖ ସୁଖ, ଜିରାରୁ ଶିରା କଢ଼ା ହେବ, ଆସ୍ତେ ଆସ୍ତେ, ହସି ହସିକା, ସେଇ ଢେଙ୍କାନାଳରୁ ଢ଼ିଙ୍କିଶାଳଯାକେ ଦାଣ୍ଡିମାଳ ବୃତ୍ତରେ, ମଝିରେ ମଝିରେ ଯମକର ଉଚ୍ଛ୍ଵାସ । ସେଥିକି ରମାର ଆପତ୍ତି ନ ଥିଲା । ତା’ ନିଜ ବିଷୟରେ କିଛି ଲୁଚେଇ ନାହିଁ, ପର ବିଷୟରେ ସେ ସମ୍ପୂର୍ଣ୍ଣ ନୀରବ । ଯେ ଯେତେ ଖୋଳୁଥାଉ, ତା’ର ଦକ ନାହିଁ । କିନ୍ତୁ କଣେଇ କଣେଇ ଅନାଇଁ ଦେଇ ଲାଗେ, କାହିଁକି ? କାହା ବିଷୟରେ କେଉଁ ଭଲ ମନ୍ଦର କାହାଣୀ ଆଉ କାହାର କେଉଁ କାମରେ ଲାଗିବ ?

ପରିପକ୍ଵ ଜ୍ଞାନରେ ପୂର୍ଣ୍ଣ ହୋଇ ଆତ୍ମବଶୀ ହୋଇ ରମା ପରଚର୍ଚ୍ଚାରୁ ନିବୃତ୍ତ ହୋଇଥିଲା ଏପରି ଭାବିଲେ ବୋଧହୁଏ ଠିକ୍ ହେବନାହିଁ । ଆଧ୍ୟାତ୍ମ ସାଧନ ସ୍ୱାଧ୍ୟାୟ, ଏପରିକି ନିୟମିତ ଗୀତାପାଠ ମଧ୍ୟ ସେ କରିବାର କେହି ଜାଣେ ନାହିଁ । ଗାଁର ଆଉ ଦଶ ଜଣ ସାଧାରଣ ଝିଅଙ୍କ ପରି ସେ ବି ସେହି ସାଧାରଣ ପରିସ୍ଥିତି ଭିତରେ ସହଜ ସୁଲଭ ଉପାଦାନରେ ଗଢ଼ା ହୋଇ ବଢ଼ି ଉଠିଥିଲା, ବଳକାଥିଲା ତା’ର ନିଜ ଜୀବନର ବିଶିଷ୍ଟ ଘଟଣାମାନ, ସେ ପାଇଥିବା ଆଘାତ, ଗଭୀର ଭାବେ ଚିନ୍ତା କରିବା ଘୋରତେଇ ପୋରତେଇ କରି ଭାବିବା ଧନ୍ଦି ହେବା ଘାରି ହେବାଲାଗି ତା’ର ସହଜ ପ୍ରବୃତ୍ତି ।

ସବୁ ସବୁ ହୋଇ ତା’ର ସତେକି ଚଟକ ଛାଡ଼ି ଯାଇଥିଲା । ଯେମିତି ଚଟକରେ ମଣିଷ ମାଛ ମାଂସ, ଜିଭ ଲାଳସା ଭଲପାଏ, ଦେଖାଇ ହେଲା ଭଳି ଫେସନ ଫାସନ, ଛଟକି ପୋଷାକ, ଗହଣା ଗାଣ୍ଠି ଭଲପାଏ, ସଂସାରରେ ହେବାକୁ କରିବାକୁ ଆହୁରି କେତେ କ’ଣ ଭଲପାଏ ଯାହା ବୁଦ୍ଧି ବିବେକ କି ବିଚାରର ତାଉ କି ଆଲୁଅ ସହି ପାରିବ ନାହିଁ, ପ୍ରୟୋଗ କଲେ ଚଟ୍‍କିନା ଲାଗିବ ୟେ ନିରର୍ଥକ, ମୂର୍ଖତା ଅବା ଆଉ କିଛି ଅଥଚ ଲୋକଙ୍କ ମନ ସହଜେ ତେଣିକି ବଳେ, ସେମିତି ଗୋଟାଏ ଆଇଁଷିଆ ଚଟକରେ ପଡ଼ି ମଣିଷ ପରଚର୍ଚ୍ଚାର ସୁଆଦ ଖୋଜନ୍ତି, ମାଛ ଧରିଲେ କି ମାଛ ଖାଇଲେ ପାପ ହେଲା ବୋଲି ଯେମିତି କେହି ଭାବନ୍ତି ନାହିଁ ସେମିତି ଗାଁରେ ରହି ସାହି ସାହିକର କାହାଣୀ ଗୋଟାଇ ଚର୍ଚ୍ଚା ଲଗାଇବାରେ ଦୋଷ ହେଲା ବୋଲି କେହି ଭାବନ୍ତି ନାହିଁ । କିନ୍ତୁ ଚଟକ ତୁଟିଲେ ନଗର ନାଉଲୀ ବୁଢ଼ୀ ବି ତିଳକ ନାଏ, ମାଳା ଗଡ଼ାଏ ।

ଆଉ ରମା, ବାହାରର ଲୋକେ ଗୋଟାସୁଦ୍ଧା ଯାହାକୁ ଦେଖୁଥିଲେ ଯାହା ସଙ୍ଗେ କଥାଭାଷା ହେଉଥିଲେ,–ସେ ଲୁଚି ରହିଥିଲା ଆପଣା ଭିତରେ କେଉଁ ଅନ୍ତରାଳରେ, ବାହାରେ ଖାଲି ତା’ ଛାଇଟା, କଳ ପରି ବୁଲେ, ମନକୁ, ସତେ ଯେମିତି ନ ଭାବିଲା ନ ଇଚ୍ଛିଲା ଗଛ ଛାଇ, ବେଳା ଅନୁସାରେ ବଢ଼େ ଅବା କମେ ।

 

ମାଡ଼ଖିଆ ନିଛାଟିଆ ଏକଘରିକିଆ ମନର ନିର୍ବାସନର ବାଡ଼ ସେପାଖୁ ଦେଖିଲେ ଜଣାଯାଏ–

 

ସବୁ ମିଛ, କାହାର କାହା ସଙ୍ଗେ କି ସମ୍ପର୍କ ?

 

ସବୁ କ୍ଷଣସ୍ଥାୟୀ, କାହାର କି ଓଜନ ଅଛି ? କେଉଁ କଥା ବଡ଼ ? ବଞ୍ଚିବା ମାନେ ତ କାନ୍ଦିବା, ମଣିଷ ଆଦୌ ହସିବ ବି କାହିଁକି ?

 

ଖାଲି ଦାନ୍ତ ଚିପି ହାତ ଟାଙ୍କି ମୁଠାଇ ସହି ସହି ବେଳ ଟାଳି ଟାଳି ଆପଣା ବାଟରେ ଆପେ ଯେତେ କାଳ ଚାଲି ହେବ ହେଉ, ତା’ପରେ ଆଉ ତ ନାହିଁ !

 

ମଣିଷ ମନ୍ଦାକୁ ଚାହିଁଲେ ଜନ୍ଦାପିମ୍ପୁଡ଼ିମନ୍ଦା ମନେ ପଡ଼ନ୍ତି, କିଏ କ’ଣ ଅବା କେତେ ବଡ଼-! କାହାର ଥାଇତା କେତେ ! କେତେ ଦିନକୁ କେତେ କଥା ଯେ କାହାକୁ କ’ଣ ସେ ବଡ଼ ମଣିବ ?

 

ଘଡ଼ିକେ ଅଛି ଆଉ ଘଡ଼ିକେ ନାହିଁ ।

 

ଖାଲି ବାଟ ଚଲା ଦୃଶ୍ୟ, ଗହଳିରେ ଚାଲିଛନ୍ତି ସମସ୍ତେ, କିଏ କାଲି କୁଆଁ କୁଆଁ ହେଉଥିଲା ଆଜି ତାଠିଁ ନିଶ ହଳେ, ଆଉ କିଏ, କାଲି ଥିଲା ଜଣେ, ଆଜି ସେନ୍ତେରି ଗଲାଣି । ଏମିତି ଦଳରେ ଚାଲୁ ଚାଲୁ ହଠାତ୍‍ କାହାର ଟ୍ରକ୍ ଓଲଟୁଛି । ଅପସରି ଗଲା, ସେ ଆଉ ନାହିଁ । କିଏ ପଚାରେ, କେଡ଼େ ଭଲ କି କେଡ଼େ ମନ୍ଦ ଥିଲା ସେ, କେଡ଼େ ନଗଣ୍ୟ କି କେଡ଼େ ଡିବିଡିବି ବାଜୁଥିଲା ତା’ ନାଁ, ସେ ନାହିଁ, କେବେ ଥିଲା ତା’ ମନେ ପଡ଼ୁନାହିଁ । ଦୁନିଆଁଟା ଚାଲୁଛି ଚାଲୁଥିବ, ଯେ ଯେତେ ତୋଫାନରେ ଆସୁ ଯେଡ଼େ ଲମ୍ବଲାଞ୍ଜିଆ ହାବେଳି ହୋଇଥାଉ ସେ ରହିବ ନାହିଁ, ସରଗକୁ ଓଲଟାଇ ପାରିବ ନାହିଁ, ମର୍ତ୍ତ୍ୟକୁ ପାତାଳ କରିପାରିବ ନାହିଁ ।

 

ରେବ ତାକୁ ଖାଇବାକୁ ଡାକିଥିଲା । କହିଲା “ୟେ କ’ଣ ହେଲା, ରମା ? ତୁମର ନକମାରିଚଖିଆ, ଆଚାର ଖିଆ, ଖଟା ଖିଆ କୁଆଡ଼େ ଗଲା ? ନଡ଼ିଆରାଇକି ତୁମେ ବାଇ ବୋଲି କାଲିଠୁଁ କରି ରଖିଥିଲି, ପୁଳାଏ ସୂର୍ଯ୍ୟମୁଖୀ ଲଙ୍କା ପକାଇଥିଲି ସବୁଯାକ ଗଲା ତୁମ ଆଡ଼କୁ । ଖାଇଲ କ’ଣ ? ପଥୁରିରେ ଚଢ଼େଇ ଥଣ୍ଟ ମାରିଲା ପରି !”

 

ରମା ମୁରୁକେଇ ହସିଲା । କହିଲା “ବିଚରା ଗ୍ରାମସେବିକା କୁଆଡ଼େ କୁଆଡ଼େ ପତରଚକି ପରି ବୁଲୁଥିବ, କିଏ ତା’ ପାଇଁ କରୁଥିବ ନଡ଼ିଆରାଇ କି କରମଙ୍ଗା ରାଇ କି ନଅରକୋଳି ରାଇ । ସେ ସବୁ ମୋ ପାଇଁ ତୁମେ ଖାଇଥାଅ ।” କହିଦେଇ ଭାବୁଥିଲା ସେହି ପୁରୁଣା ରେବ କଥା ।

 

ସେ ନିଜେ କ’ଣ କରି ପାରୁ ନ ପାରୁ ଢଳ ଢଳ ହୋଇ ଚାହିଁ ରହିଥିଲେ ଲାଗୁଥାଏ ସେ ସବୁ ବୁଝିପାରେ ଆଗେ ଯେମିତି ଏବେ ବି ସେମିତି । ଆଉ ରେବ ତା’ ମନ କଥା ଶୁଣି ପାରିଲା ପରି ଉତ୍ତର ଦେଲା, “ମୁଁ ବୁଝିପାରୁଛି ଯେ !”, ପାଖକୁ ଘୁଞ୍ଚି ଆସି ତା’ ଚିବୁକକୁ ଟେକି ଧରି ଆଖିକି ଚାହିଁଲା । ରମା ହସି ହସି ଭାତ ଗିଳି ଦେଇ କହିଲା “ରହ, ଗୁଣ୍ଡାଟା ଗିଳି ସାରେଁ ।” ରେବ ଆଖି ଛଳ ଛଳ କରି ଆସୁଥିଲା, ହସି ପକାଇଲା । ତଥାପି କହିଲା “ହସି ହସି ମତେ ଠକି ଦେବ ଭାବିଛ-? ୟେ ହସ କ’ଣ ? ଦାନ୍ତୁରୀର ହସ କାନ୍ଦ ସମାନ ।”

 

“ତମ ଆଖିରେ ଧୂଳି ଦେବ ଏଡ଼େ ବୁଦ୍ଧିଆ କିଏ ଅଛି ଭାଉଜବୋଉ ?” ରମା କହିଲା, “ଚେହେରାଟା ଚମ୍ପାଫୁଲ ସିନା, ବୁଦ୍ଧିରେ କାଉ”- କ’ଣ ବୋଲି କ’ଣ ପାଟିରେ ଆସୁଛି, ସେହି ହସ ହିଁ ଭରସା ।

 

ରେବ କହିଲା “ଦୁନିଆଟା କ’ଣ ହୋଇଯାଉଛି ମୁଁ ବୁଝି ପାରୁନାହିଁ, ସବୁ ବଦଳିଯାଇଛି, ତୁମେ ବି ବଦଳିଛ, ହଁ ତୁମେ ବି ବଦଳି ଗଲ, ଆଉ ବୁଢ଼ୀଦିନେ ଦମ୍ଭ କରି ଧରିବାକୁ ମୋ ପାଖେ କେହି ନ ଥିବେ ।”

 

ରମା କହିଲା “ଦେଖିବ । ଦେଖିବ ।”

 

ସେହି ବାଁରେଇ ହେଲା ପରି ଉପର ଠାଉରିଆ ହସଟିକିଏ, ହୁଁ ନା କି ଏଣୁ ତେଣୁ କରି କଥା ଦିପଦ, କାହା କଥା ଆଉ କାହାକୁ ନୁହେଁ, ଯାହା ଶୁଣିଲେ ଚୁପ୍‍, କାହାରି କଥାରେ ପ୍ରତିବାଦ ନାହିଁ କି ଆଉ ଶୁଣିବାକୁ ଆଗ୍ରହ ନାହିଁ, ସେତିକିରେ ଗାଁ ଯାକ ତା’ର ଜୟ ଜୟକାର,–“କେଡ଼େ ଶାନ୍ତ ସୁଧାର । କେଡ଼େ ଭଲ ! କେଡ଼େ ନିରୀହଟିଏ । ଆହା, ଏମିତି ପିଲା କପାଳରେ ବିଧାତା ଏଡ଼େ ଦୁଃଖ ଦିଏ !”

 

ମାୟାଦେବୀ ବ୍ୟବସାୟ ବଳରେ ଦି’ପଇସା କଲେଣି ବୋଲି ଲୋକଙ୍କର ବିଶ୍ୱାସ, ତେଣୁ ସାମାଜିକ ସମ୍ବନ୍ଧରେ ତାଙ୍କୁ ଗରୁ ବୋଲି ମଣି ହେଲାଣି କିନ୍ତୁ ଅନେକଙ୍କର ତାଙ୍କ ପ୍ରତି ଆଗପରି ସହାନୁଭୂତି ନାହିଁ । ସେମାନେ ବି କହିଲେ “ବଡ଼ ଅଖଳା ବଡ଼ ସାଧାରଣ ସେ ପିଲା, ତା’ ମା’ କ’ଣ ସେମିତିକି ? ବାପର ଉଜାଡ଼ିବା ଉଡ଼େଇବା ଖୋଇ ତାଠିଁ ନାହିଁ ସତ, ତେବେ ଆଉ ସବୁ ବିଷୟରେ ତା’ ବାପ ଏମିତିଆ ଥିଲା । ଯାହା କହ, ଭାରି ଭଲ ।”

 

କିନ୍ତୁ ଆଉ କେହି ବି ଥିଲେ ଯାହାଙ୍କର ତା’ ବିଷୟରେ ମତ ଥିଲା ଭିନେ । ଉଜଳ ଗଡ଼ ଗାଁ’ରେ ରମାର ଶାଶୂଘର । ସେଠି ଏବେ ବି ତିନୋଟି ବୁଢ଼ୀ ଦର୍‍ହବୁଢ଼ୀ, ଗୋଟିଏ ଅଭିଆଡ଼ୀ ଝିଅ, ଗୋଟିଏ ପନ୍ଦର ବର୍ଷର ପୁଅ ତା’ ବିଷୟରେ କଥାଭାଷା ହୁଅନ୍ତି । ସୁନା, ହରର ସାନ ଭଉଣୀ, ସେ ତୁନି ରହି ବୁଢ଼ୀ ତିନିଙ୍କ କଥାକୁ ସମର୍ଥନ କରେ । ନରେନ୍ଦ୍ର, ସେ ହରର ସାନ ଭାଇ, ସେ ଆଗେ ତା’ ଅନୁପସ୍ଥିତା ଭାଉଜ ପଟ ନେଇ ବଡ଼ପାଟି କରୁଥିଲା, ଆଉ ତା’ କଥାରେ ବଳ ନାହିଁ-। ବିରୋଧୀ ହୋଇ ଭାବିବାକୁ ହୃଦ କହେ ନାହିଁ ସତ, କିନ୍ତୁ ନୈରାଶ୍ୟ ସବୁ ଉତ୍ସାହକୁ ଭାଙ୍ଗି ଦେଇଛି-। ବାଲ୍ୟରୁ କୈଶୋରକୁ ଗତି ଗଲାବେଳେ ଦେହରେ ମନରେ ଯେଉଁ ତରତର ପରିବର୍ତ୍ତନ ଘଟୁଥାଏ ତାହା ସଙ୍ଗେ ସଙ୍ଗେ ବର୍ଷ ବର୍ଷକର ସ୍ମରଣ ଭୁଲି ହୋଇଯାଏ, ନ ହେଲେ ବଦଳି ବଦଳି କ’ଣ ବୋଲି କ’ଣ ହୁଏ । ‘ମୋ ଭାଉଜ ଭଲ କି ତୋ ଭାଉଜ ଭଲ, ବୋଲି ସାଙ୍ଗ ପିଲାଙ୍କ ସଙ୍ଗେ ଆମ୍ପୁଡ଼ା ବିଦରା କଜିଆର ଦିନ କାହିଁ କେତେ ପଛରେ ରହିଗଲାଣି, କିନ୍ତୁ ସେହି କେତେଟା ଦିନ ଭାଉଜର ସ୍ମୃତି ମରମ ଭାବରେ ରଙ୍ଗେଇ ହୋଇ ସ୍ୱପ୍ନର ଅଭ୍ରଗୁଣ୍ଡ ବୋଳି ହୋଇ ଝିଲିମିଲି ହୋଇ ଏବେ ବି ମନ ଭିତରେ ଘାରେ, ବାରମ୍ଵାର ଦିଶି ଦିଶିଯାଏ ପୁଅକୁ କୋଳ କରି ସେହି ଅଦ୍ଭୁତ ନାରୀ ମୂର୍ତ୍ତି, ସେ ମା’, ସେ ଭଉଣୀ, ସେ ଆହୁରି ଅନ୍ତରଙ୍ଗ ହୋଇ ଆଉ କ’ଣ କେହି । ନିଭୃତ ବେଳରେ ସେ ତା’ର ଗର୍ବ, ତା’ ଆନନ୍ଦ । ସେ ଯେମିତି ଏ ପବନରେ ଉଭେଇ ଯାଇଛି । ଆଗ ଆଗ ଭାବୁଥିଲା, ସେ ପୁଣି ଆସିବ । ମନେ ମନେ କେତେ ଡାକିଥିଲା । କେତେ ଖୋଜିଥିଲା । ସୁନାକୁ ପଚାରୁଥିଲା, “ଅପା, ଭାଉଜବୋଉ କ’ଣ ଆସିବେ ନାହିଁ ?” ଶେଷ ଥରକ, ଉତ୍ତରରେ ସୁନା ତା’ ମୁଣ୍ଡକୁ ଆଉଁସି ଆଉଁସି କାନ୍ଦୁଥିଲା, ମନେ ମନେ ଭାଇ ଭଉଣୀଙ୍କର ବୁଝାବୁଝି ହୋଇଯାଇଥିଲା ଯେ ଭାଇ ଯେମିତି ଆଉ ଆସିବ ନାହିଁ ଭାଉଜ ସେମିତି ଆଉ ଆସିବ ନାହିଁ । ଆଉ ସେକଥା ତୁଣ୍ଡରେ ଧରିବାକୁ ସାହସ ପାଏ ନାହିଁ । କିନ୍ତୁ କେବେ କେବେ ସେ ନିଦ ବାଉଳାରେ ସ୍ୱପ୍ନ ଦେଖେ ଭାଉଜ ଆସିଛି । ଏବେ ତା’ର ରୂପ କେମିତି ସେ ଜାଣେ ନାହିଁ, ସେ ଯେଉଁ ରୂପ ଦେଖେ ତା’ର ସେତିକିବେଳର ଧାରଣାରେ ସେ ତା’ର ଭାଉଜ । ଚେଇଁ ଥିଲାବେଳେ ମନକୁ ପ୍ରବୋଧ ଦିଏ, ଭାଉଜ ଆସିବ, ସୁର ଆସିବ ।

 

ବିଷାଦ ଅଭାବ, ଦୁର୍ଦ୍ଦଶାରେ ବଢ଼ି ଉଠୁଥିବା ନରେନ୍ଦ୍ର ତା’ ଚାରିପାଖେ ଭଙ୍ଗା ଖତରା କ୍ଷୟ ଓ ଧ୍ୱଂସର ଚିତ୍ର ଦେଖେ, ତା’ ପକ୍ଷରେ ଚାରିବର୍ଷ ଗୋଟାଏ ଅଛିଣ୍ଡା ଯୁଗ, ତାଠୁଁ ଭଲ ସେ ଦେଖିଲାଭଳି ମନେ ନାହିଁ, ତା’ ପୂର୍ବରୁ ଯେଉଁ ସମୟ, ଯେତେବେଳେ ତା’ ଭାଇ ହରେନ୍ଦ୍ର ମଟର ଡ୍ରାଇଭର ହୋଇଥିଲା, ଘର ଚଳାଉଥିଲା ସେ ସମୟର କାହାଣୀ ଖାଲି ତା’ ପକ୍ଷରେ କିମ୍ବଦନ୍ତୀରେ ଶୁଣା ରାମରାଜ୍ୟ ଅମଳର କଥା, ଭାଉଜ ଆସିବ ଆସିବ ବୋଲି ଯେଉଁ କ୍ଷୀଣ ଆଶା ସେ ସେହି ଅମଳକୁ ପୁଣି ଲେଉଟାଇ ଆଣିବାକୁ ହିଁ ଆବେଗମୟ ଆକାଙ୍‍କ୍ଷା, ଉଭୟେ ଖାଲି କଳ୍ପନା, ତା’ର କୈଶୋରର କବିତା । ଯେମିତି ଶୀତୁଆ ବରଷାମାଡ଼ରେ ଜୁଡ଼ୁବୁଡ଼ୁ ବାଟୋଇ ବୁଜା ଘରେ ଚୁଲିମୁଣ୍ଡର ଉଷୁମ୍‍ କଥା ଭାବୁ ଭାବୁ ବାଟ କଟାଇ ହାଉହାଉଆ ମେଘ ପବନରେ ଅନ୍ଧାରରେ ବାଟ ଚାଲେ, କଳ୍ପନାରେ ଗୋଟାଇ ଏକାଠି କରୁଥିବା ଉଷୁମ ତା’ ରକ୍ତକୁ ତାଉ ଦିଏ, ଏତେ ନିରାଶା ଭିତରେ ନରେନ୍ଦ୍ରର ଆଶାଯୋଗ କେତେ ପରିମାଣରେ ସେହିପରି । ସବୁ ଅନ୍ଧକାର ଯେମିତି ଲଉଡ଼ି ଥାଏ, ସବୁ ବିକଳ ଛଟପଟ ଦୁଃଖୀ ମଣିଷଙ୍କର ଗହନ ମନ ଭିତରେ ସେମିତି କେଉଁଠି ଗୋଟାଏ ଥାଏ କଳ୍ପିତ ସମ୍ଭାବନାମୟ ଆଶା, ଆଶା ପୂରେ ନାହିଁ, ଲଉଡ଼ି ବି ହଜେ କି ଭାଙ୍ଗେ, କିନ୍ତୁ କେମିତି କେମିତି ହୋଇ ଗୋଟାଏ ଗଲେ ଆଉ ଗୋଟାଏ, ଜୀବନ ଥିବାଯାକେ ଭଣ୍ଡାରପୂର୍ଣ୍ଣ ଥାଏ ସତେ ସତେ ଯେତେବେଳେ ଆଶା ବି ନ ଥାଏ ସେତେବେଳେ ପିଣ୍ଡରେ ପ୍ରାଣ ବି ନ ଥାଏ ।

 

ଭଙ୍ଗା ଘର ଆହୁରି ଭାଙ୍ଗିଛି । ସବୁ ଭଙ୍ଗାରୁଜା ଭିତରେ ସାନ ସାନ ଦି’ ବଖରା ଦର୍‍ହ, ଚାଳ ଦବିଛି, ବର୍ଷାଦିନେ ଗଳ ଗଳ ଗଳେ । ବୁଢ଼ୀ ବିଧବା ପିଉସୀ ରଙ୍ଗଲତାଙ୍କ ମୁଣ୍ଡକୁ ବାଉଳା ଧରିଲାଣି, କଥା ଭୁଲନ୍ତି, କେତେବେଳେ ବାଉଳାଚାଉଳା ଗପନ୍ତି, ଦେହର ଲୁଗା ଠିକଣା ରହେନାହିଁ-। ଦେହ ମୁଣ୍ଡ କ’ଣ ହୁଏ, ଛାତି ଥରେ, କେବେ ଯାଚିଲେ ବି ଖାଆନ୍ତି ନାହିଁ, ଖାଲି ଶୋଇ ରହନ୍ତି । ପୁଣି କେତେବେଳେ ଦେଖାଯାଏ ସାଧାରଣ ସୁସ୍ଥ ମଣିଷ ପରି ବୁଢ଼ୀ ଉଠି କାରବାର ହେଉଛନ୍ତି, ଆଉ ଦିଶେ ସେହି ପୁରୁଣା ଦୃଶ୍ୟ, ବୁଢ଼ୀ ପିଉସୀ ବୁଢ଼ୀ ଝିଆରୀ ହୀରାଙ୍କ ମୁଣ୍ଡ ବାନ୍ଧି ଦେଉଛନ୍ତି । ବଡ଼ ଭଉଣୀ ବିଧବା ହୀରାଙ୍କ ଆଣ୍ଠୁ ଗଣ୍ଠି ଧରେ, ବିନ୍ଧେ, କେତେବେଳେ ନଇଁ ନଇଁ କେତେବେଳେ ଘୁଷୁରି ଘୁଷୁରି ଆହା ଉହୁ ହୋଇ ସେ ଚଳପ୍ରଚଳ ହୁଅନ୍ତି, ପୁଣି କେତେବେଳେ ସିଧା ହୋଇ ଚାଲନ୍ତି । ଚେହେରା ଆହୁରି ଜଳିଯାଇଛି, ବିଦାକାଠିଆ ବୁଢ଼ୀ । ହରର ବୋଉ କନକମଞ୍ଜରୀ ହାଡ଼ଗାଡ଼ ହୋଇ ଭୟଙ୍କର ଦିଶୁଛନ୍ତି । ହାଡ଼ ଉପରେ ଲୋଚାକୋଚା ଚମ । ମୁହଁ ଉପରେ ଅରାଏ ଅରାଏ ସତେ ଯେମିତି ତାତିରେ କଇଁଥI ହୋଇଯାଇଛି । ଜହର ପିଇଲା ପରି ପାଟି ଚାରିକର କାଠୁଆ ପଡ଼ିଯାଇ ଟାଙ୍କି ଦେଲାପରି ଦିଶୁଛି, ଉପର ଓଠର ଦାଢ଼ ବାରିହେଉଛି ଆଉ ତା’ ଉପରର ଖାଲ ଢିପ ଅରାକରେ ଗୋଟା ଗୋଟା କରଡ଼ା କରଡ଼ା ଠିଆ ରୁମ । ଆଖି ଦୋଓଟି କୋରଡ଼ ଭିତରେ ଆଶ୍ରାନେଇଛି, ଆଖି ତଳେ ହାଣ୍ଡିଧୁଆ କଳାକନା ବୁଲିଛି, ଗାଲ ହାଡ଼ ଉପରେ ନେଳିଚା, ଗାଲ ଉପରେ ପାଉଁଶିଆ । କେତେ ଆଘାତ ଖାଇ ଖାଇ ସେ ମୁହଁ ହୋଇଛି ବିଚିତ୍ର ପ୍ରକାରେ ଚିତ୍ରକାବର ଆଉ ଭୟଙ୍କର । ଦୁଃଖରେ ଧୋଇ ହୋଇ ସେ ଆଖିରେ ପଥୁରିଆ ତେଜ ଓ ସ୍ଥିରତା, ନିଭି ନ ଯାଉଣୁ ସେ ଅପେକ୍ଷା କରି ରହିଥିବ ଆହୁରି କ’ଣ ହେବ ହେଉ ଦେଖିବ ବୋଲି,–ତୁଣ୍ଡରେ ଯେତେବେଳେ କହୁଥାନ୍ତି “ଏ ପୋଡ଼ା ଜୀବନ ନ ଯାଇ ରହିଛି କାହିଁକି ?” ସେ ସତେକି ପ୍ରକାରାନ୍ତରେ ଦୈବକୁ ଗୋଟାଏ ଟେହାଟେହି ଡାକ,–“ଆହୁରି କେଉଁ ଅନିଭୋଗ ଆସିବାର ବାକି ଅଛି, ଆସୁ । ଆହୁରି କେତେବଡ଼ ଢେଉ ଆସି ପିଟି ହେବ, ଆସୁ ।” ସେ ମୁହଁରେ ସ୍ନେହ ନାହିଁ, ଦୟା ନାହିଁ, ଆଶା ନାହିଁ । ସେ ଦୃଷ୍ଟି ସୂର୍ଯ୍ୟୋଦୟ ଭିତରେ ଉଆଁସୀ ଅନ୍ଧାର ଦେଖିବାକୁ ଅଭ୍ୟସ୍ତ ।

 

ପାଟି ନ ଖୋଲି ଏକା ଠାଆକେ ତୁନି ହୋଇ ବସି ପଦାକୁ ଚାହୁଁ ଚାହୁଁ ବହେ ବେଳ ବିତିଯାଏ ।

 

କେବେ କେବେ ସେହି ମୌନ ଦୃଷ୍ଟି ଆଗରେ ସତେ ଯେମିତି ସାହି ଗୋଟାକର ଲୋକେ ଚଳପ୍ରଚଳ ହୁଅନ୍ତି । ସ୍ୱାମୀ । ଶାଶୂ । ଶ୍ୱଶୁର । ଖୁଡ଼ୀଶାଶୂ । ଖୁଡ଼ୁତାଶୁର । ଅନ୍ୟମାନେ । ପୁରୁଣା ଜମିଦାର ଘରର କର୍ମଚାରୀ, ଗୋଡ଼ାଣିଆ, ପୋଇଲି ପରିବାରୀ, ଚାକରବାକର, କେତେ । ରଙ୍ଗଲତାଙ୍କ ବାହାଘରକୁ ହେଇ ରସକଦମ ଲଗ ହେଉଛି । ବାହ୍, ବାହରେ । ହରଟା ହେଇ ରା’ ଧରି କାନ୍ଦୁଛି । ଓଃ ! ଏତେ ମଣିଷ କେହି ଟିକିଏ ପିଲାଟାକୁ ଅନାଉ ନାହାନ୍ତି ମ ! ନା । ହର ମୁଣ୍ଡରେ ଦୋଳମୁକୁଟ । “ତମେ ଯାହା ରହିଲ ନାଇଁ ଦେଖିବାକୁ । ସବୁ ମୋ’ରି ଉପରେ ଲଦି ଦେଇ କେଡ଼େ ସୁନ୍ଦର ସୁସ୍ଥ ହୋଇ ଆଡ଼େଇ ହୋଇଗଲ । ସତେରେ ସବୁଦିନେ ଉଲୁଗୁଣା ଦେଉଥିଲ ଯେ କୁଆଡ଼େ ଭୋଗଟା ସବୁଦିନେ ତୁମର ଆଉ ଭୋଗଟା ମୋର । ହେଇ ନିଅ, ୟେ ପୁଅ ୟେ ବୋହୂ, ଗୋଡ଼ତଳେ ପଡ଼ୁଛନ୍ତି । ମନକୁ ଆସିଲାଟି ?”

 

ସେମିତି ଖାଲି କାଠ ହୋଇ ବସୁ ବସୁ ହଠାତ୍‍ କେବେ କେବେ ସତେ ଯେମିତି ନଈ ଡାକେ, ଫମ୍ପା ଘଡ଼ଘଡ଼ି କଥା କହେ ।

 

ଇରେ ହରିଆ ମତେ ବୁଡ଼େଇ ଦେଇ କୁଆଡ଼େ ଗଲୁ ?” ସଙ୍ଗେ ସଙ୍ଗେ କୁଆଡ଼ୁ କୁଆଡ଼ୁ ବିଳାପର ଐକ୍ୟତାନ ଉଠେ, ସେଥିରେ ରସ ଥାଏ । କିନ୍ତୁ ତାଙ୍କ ପାଟି ଆଉ ଖୋଲେ ନାହିଁ, ତାଙ୍କ ସ୍ୱର ସେଥିରେ ନଥାଏ ।

 

ତାଙ୍କ ସ୍ଵରରୁ ରଙ୍ଗ ବୋହିଯାଇଛି,

 

ବାରମ୍ଵାର ମକଚି ମକଚି ଧୁଆ ହୋଇଥିବା କଟା ମାଂସ ପରି । ଆଉ କେତେବେଳେ ସେ ଅତି ସାଧାରଣ ମଣିଷ ପରି ଆପଣା କାମ କରି ଯାଉଥିବାର ଦେଖାଯାଆନ୍ତି । କେଉଁଠି କିଛି ଅଟକେ ନାହିଁ । ଚୁଲି ନ ଜଳିବା ଓଳି କି ଦିନ ବି କେବେ କେବେ ଆସେ, କିନ୍ତୁ ସେ ବେଶିଥର ନୁହେଁ । ସେ ଘରେ ବି ଚୁଲି ଜଳେ, ହାଣ୍ଡି ବସେ, ପରିବା କଟା ହୁଏ, ପାନ ଭଙ୍ଗା ହୁଏ । ପୁରୋହିତ ଆସନ୍ତି । ଓଷା ବ୍ରତ ହୁଏ । ଫସଲର ଭାଗ ଆମଦାନିରୁ ଛ’ମାସର ଖାଦ୍ୟକୁ ଟାଣି ଓଟାରି ବରଷକ ଖାଇ ଚିରା କି ଦରହ୍‍ ପିନ୍ଧି ସେମାନଙ୍କର ଚଳିଯାଏ । ସବୁଦିନେ ଦାନ୍ତ ଚିପି ଚିପି ଆପଣା ଗୁମର ଆପଣା ହାଣ୍ଡିଶାଳରେ ଲୁଚେଇ ରଖି ଚଳିଯିବାର ଅଭ୍ୟାସ ଥିଲା, ସେହି ଅଭ୍ୟାସ ସେତେବେଳେ ବି ରହିଲା, ସେଥିରେ ବଳକା ବାହାଦୁରି ନ ଥିଲା, ଚଳଣିର ଗୋଟାଏ ଚିହ୍ନା ବାଗ, ଆରେଇ ଯାଇଛି, ତେଣୁ ଚାଲିଛି ।

 

କିନ୍ତୁ ଗାଁ ଲୋକେ ତାକୁ ବାହାଦୁରି ବୋଲି ଗପି ବୁଲିଲେ, ପ୍ରଶଂସା କଲେ, କଥା କଥାକେ ତାକୁ ଉଦାହରଣ ଦେଲେ । “ସେମାନେ କାଉ ନୁହନ୍ତି, ମଣିଷ । କାଉ ପଲ ସିନା ଟିକିକ କଥାରେ ଚହଳ ପକାନ୍ତି ଯେ ରାଇଜଯାକ ତାଙ୍କରି ବିଷୟରେ ହୁରି ପଡ଼େ, ମଣିଷ ଯେ ସେ ନିଜ ଦୁଃଖ ଦୁର୍ଦ୍ଦଶା ପଦାରେ ଗାଇ ବୁଲେ ନାହିଁ, ଲୁଚେଇ ରଖେ, ସହେ, ପାରିଲେ ହଜମ କରେ, ନ ହେଲେ ଠିଆ ଠିଆ ଭାଙ୍ଗିପଡ଼େ କି ଜଳିଯାଏ ।

 

ଦେଖୁନା, କେଡ଼େ ଘର ଭାଙ୍ଗି ଚୂନା ହେଲା । ଭଙ୍ଗା ଖତିରା ପାଣିପଶା ନାହାକୁ ହାତ ଆହୁଲା କରି ପେଲି ପେଲି ନେଉଥିଲା ପୋଷଣାହାରି ପୁଅ, ଯମ ତାକୁ ବି ନେଇଗଲା । କ’ଣ ଅଛି ଯେ ଖାଉଥିବେ ? କେବେ ମିଳିଲେ ଖାଇଲେ, ନଇଲେ ନାହିଁ । ଦୋହଲୁଛନ୍ତି, କିଏ କେତେବେଳେ ମରିଯିବ ଠିକଣା ନାହିଁ । ପିନ୍ଧୁଛନ୍ତି ତ ଅଷ୍ଟଚିରା, ସିଇଁ ସିଇଁ ଛୁଞ୍ଚି କଣ, ଡାମ୍ଫଣ ମୁନ ବି ବଙ୍କା ହୋଇ ଯାଉଥିବ । କିଏ ଦେଖୁଛି ନା କାହା ଆଗରେ ଗୋଳ କରୁଛନ୍ତି ? ଦର୍‍ହ ଖଣ୍ଡେ କି ଦି’ଖଣ୍ଡ ଥିବ, ସେହିଆକୁ ଧୋଇ ଶୁଖେଇ ଯେ ପଦାକୁ ଆସୁଥିବ ସେ ପିନ୍ଧୁଥିବ । ତାଙ୍କର ସେ ଯେମିତି ମନ ସେମିତି ଚଳନ୍ତୁ, ସବୁ ଉଢ଼ୁଆଳରେ, ସବୁ ଭିତରେ ଭିତରେ, ପଦାରେ କାହାକୁ ଦାନ୍ତ ନିକୁଟା ନାହିଁ । ଅସଲ ବଡ଼ଲୋକି ଏଇଆକୁ କହନ୍ତି ।”

 

ପାଖ ଗାଁ ତୁଳସୀ ପୁରରେ ଦୁର୍ଗାଚରଣ ମହାନ୍ତି ଏହିପରି ସେମାନଙ୍କ ବିଷୟରେ ପ୍ରଶଂସା ଗାଉଥିଲେ ତାଙ୍କ ବନ୍ଧୁ ଶ୍ରୀନିବାସ ଓ ତାଙ୍କ ଆଗରେ । ଦୁର୍ଗାଚରଣ ପ୍ରକାରେ ଲୋକ । ସ୍ତ୍ରୀ ଗୋଟିଏ ପୁଅ ଜନ୍ମକରି ବିଭାଘରର ତିନି ବର୍ଷ ନ ପୁରୁଣୁ ସେପୁରକୁ ଚାଲି ଯାଇଥିଲେ । ଦୁର୍ଗାଚରଣ ଆଉ ବିଭା ହେଲେ ନାହିଁ, ବାଳୁତ ବିଧବା ଭଉଣୀ ସାହାଯ୍ୟରେ ପୁଅକୁ ମଣିଷ କଲେ-। ପୁଅ ଅକ୍ଷର ଚିହ୍ନ ଶିଖୁ ଶିଖୁ ଆଗ ପଢ଼ିଲା ଭାଗବତ, ପୁଅ ତୁଣ୍ଡରୁ ଭାଗବତ ଶୁଣୁ ଶୁଣୁ ଦୁର୍ଗାଚରଣଙ୍କ ଆଖିରୁ ଧାର ଧାର ବୋହିଲା । କିଏ କହେ ଧର୍ମ ପାଗଳ, କିଏ କହେ ବାବାଜି । ଦୁର୍ଗାଚରଣ ଜିଲ୍ଲା ବୋର୍ଡ଼ରେ ଏକାଉଣ୍ଟ କିରାନି କାମ କରୁଥିଲେ । ଚାକିରିରେ ନିଷ୍ଠାପର ଓ ସଚ୍ଚୋଟ ବୋଲି ନାଁ’ ଥିଲା, କିନ୍ତୁ ତୁଣ୍ଡଟା ଖର ସ୍ପଷ୍ଟବାଦୀ, ସାଧାରଣ ବ୍ୟବହାରରେ ବିନୟ ଓ ସୌଜନ୍ୟର ଆତିଶଯ୍ୟ ଥିଲେ ବି କଥା ପଡ଼ିଲେ କେହି ତାଙ୍କ ମତ ପଚାରିଲେ ଚୋରକୁ ଚୋର ଲାଞ୍ଚୁଆକୁ ଲାଞ୍ଚୁଆ ଭୁଲ୍‍କୁ ଭୁଲ୍‍ ବୋଲି କହିବାକୁ ସେ ପଛୋଉ ନ ଥିଲେ । ପରର ରୋଗ ବେଳେ ଦୁଃଖ ବେଳେ ସେ ଅକାତରରେ ସାହାଯ୍ୟ କରୁଥିଲେ, ସେଥିରେ ଚପରାସି, କି ହାକିମ ଭେଦଭାବ ନ ଥିଲା, କିନ୍ତୁ ସେ ଖୁସାମତ କରୁ ନ ଥିଲେ । ତେଣୁ ତାଙ୍କୁ ଜିଲ୍ଲାବୋର୍ଡ଼ ଅଫିସ୍‍ର ଟାଣୁଆ ଖୁଣ୍ଟ ବୋଲି ପିଠି ଚାପୁଡ଼େଇ କାମ ଅସୁଲ କରି କରି ଅନେକ ଖ୍ୟାତି ଅର୍ଜିଲେ, କେହି କେହି ବଢ଼ି ବଢ଼ି ଉଠି କିଛି କିଛି ଦିନ ରାଜ୍ୟ ଅମଳ କରିବା ଭାଗ୍ୟ ବି ପାଇଥିଲେ, କିନ୍ତୁ ଦୁର୍ଗାଚରଣ ଯେତିକିରେ ସେତିକିରେ ! ତାଙ୍କ ଦେଖନ୍ତାରେ କେତେ ଲୋଟା କମ୍ବଳବାଲା ଗଛ ମୂଳଶାୟୀ କେଡ଼େ କେଡ଼େ ଶେଠ ହେଲେ, କାହା ଚାଷ ଗାଁ’ ଖମାରଯାକେ ପକ୍‍କା ସଡ଼କ ପଡ଼ିଗଲା ତ କାହା ପାଇଁ ଅରମା ଘୁ’ ପଡ଼ିଆ ସଫା ହୋଇ ଠିଆ ହେଲା ବଡ଼ କୋଠା, ବାରିବଗିଚା, ବଡ଼ ପୋଖରୀରେ କାଚଖମ୍ବ ପାଣି ଚିରି ଚିରି ରୋହି ଭାକୁର ଚିଲା ମାରିଲେ, କାହାର କେତେ କ’ଣ ହୋଇଗଲା, କିନ୍ତୁ ଦୁର୍ଗାଚରଣଙ୍କର ଆପଣା ଗାଁରେ ସେହି ସାନ କୁଡ଼ିଆଟିଏ, ଚାକିରି ଗାଁରେ ସେହି ବାରଟଙ୍କା ଭଡ଼ାରେ ଚାଳଘର ବସା, ବେକରେ ଘାଗଡା ମାଳି, ମୁହଁରେ ନିରୀହ ପ୍ରସନ୍ନ ହସ ।

 

ଯେଉଁ ପ୍ରକାର ଯେ ଯେଡ଼େ ହାକିମ ଆସୁ, ଦୁର୍ଗାଚରଣଙ୍କର କେବଳ ଗୋଟିଏ ଅଳି, ପ୍ରତିବର୍ଷ ପୂଜା ଛୁଟିକୁ ଲଗାଇ ମାସେ ଛୁଟି, ସେତେବେଳେ ଦୁର୍ଗାଚରଣ ବାହାରନ୍ତି ତୀର୍ଥାଟନରେ, ଭାରତର ଉତ୍ତର ଦକ୍ଷିଣ ପୂର୍ବ ପଶ୍ଚିମ କେଉଁଠାରୁ ଆଉ ତାଙ୍କର ବାକି ନାହିଁ । ସେତେବେଳେ ସେ ବୁଲି ବୁଲି ଦେବ ଦର୍ଶନ ଓ ସାଧୁସଙ୍ଗ କରନ୍ତି, କ’ଣ ସେ ଶିଖନ୍ତି ସେହି ଜାଣନ୍ତି, ଯେ ଯେତେ ଖୋଳି ତାଡ଼ି ପଚାରିଲେ ହସି ଦେଇ କହନ୍ତି “ବୁଲିବାକୁ ମନ ହୁଏ ବୁଲେଁ, ପାଦରେ ଚକ୍ର ଅଛି । ନହେଲେ ଭିତରର ଶୋଷ ବାହାରେ ମରେ ନାହିଁ, ବଢ଼େ ।”

 

ଅବସର ସମୟରେ ସେ ନାନା ଧର୍ମ ପୁସ୍ତକ ପଢ଼ନ୍ତି, ମଡ଼ା କାନ୍ଧେଇ ମଶାଣିରେ ଯାଇ ସତ୍କାର କରନ୍ତି, ହଇଜା ଲାଗିଲେ ତାଙ୍କ ରହଣି କେଉଁ ହଇଜା ମଳୁ ଘରେ ।

 

ଲୋକେ କହନ୍ତି ଦୁର୍ଗାଚରଣ ପରମ ଧାର୍ମିକ, ସନ୍ଥ । କିନ୍ତୁ ସେ କୌଣସି ଧର୍ମ ସଂପ୍ରଦାୟର ଆନୁଷ୍ଠାନିକ ଭାବେ ସଭ୍ୟ ନୁହନ୍ତି ଅନେକେ ତାଙ୍କୁ ଚେଲା କରିବାର ବୃଥା ଚେଷ୍ଟା କରି ନିରସ୍ତ୍ର ହୋଇଛନ୍ତି । ତାଙ୍କର କେତେ ବନ୍ଧୁ ତାଙ୍କ ଆତ୍ମାକୁ ଉଦ୍ଧାର କରିବାକୁ ବ୍ୟାକୁଳ ହୋଇ ନିଜ ନିଜର ପୁରୁଷ ଅବା ନାରୀ ଗୁରୁଙ୍କ ମହିମା ତାଙ୍କ ଆଗରେ ବ୍ୟାଖ୍ୟାନ କରିଛନ୍ତି, ଫଟୋ ଦେଇଛନ୍ତି, ବିଭୂତି ଦେଇଛନ୍ତି, ମହିମା ବହି ଦେଇଛନ୍ତି, କିନ୍ତୁ ପରି ନାହାନ୍ତି । ଦୁର୍ଗାଚରଣ କହନ୍ତି “ଏ ଆତ୍ମାଟା ଯେତେକାଳ ଏ ଘଟରେ ରହିବାକୁ ମନ କରୁଛି ତା’ର ସେ ତା’ ବାଗରେ ସ୍ଵଚ୍ଛନ୍ଦରେ ଥାଉ, ମୋର ତା’ଉପରେ କି ଅଧିକାର ଯେ ମୁଁ ତାକୁ କାହା ପାଖରେ ବିକିବି କି ବନ୍ଧା ପକାଇବି ? ମୁଁ ଧର୍ମ ଜାଣେ ନାହିଁ, କର୍ମ ଜାଣେ ନାହିଁ, କିଛି ଜାଣେ ନାହିଁ କି ବୁଝେ ନାହିଁ କି କେଉଁଥିକି ମୋର ମନ ନାହିଁ ଖାଲି ଏମିତି ସୁଖେ ଦୁଃଖେ ଜଗତ କରତାଙ୍କ ନାଁ ନେଇ କଟେଇ ଦେଇ ପାରିଲେ ହେଲା, ସେ ଇଚ୍ଛା ନ କରିବା ଯାକେ ମୁଁ ୟାକୁ ଉଦ୍ଧାର କରିବାକୁ ବ୍ୟାକୁଳ ହେବି କାହିଁକି ?”

 

ଦୁର୍ଗାଚରଣ ପଚିଶି ବର୍ଷ ଚାକିରି କରି ସାରି ନିଜ ଇଚ୍ଛାରେ ଚାକିରି ଇସ୍ତଫା ଦେଇ ଘରକୁ ଯାଇଥିଲେ । କହିଲେ “ପୁଅ ପାରିଗଲା, ଆଉ ମୋର ଦରକାର ନାହିଁ ।” ସେ ବର୍ଷ ତାଙ୍କ ପୁଅ କୃଷ୍ଣଚରଣ ଏମ୍. ବି. ବି. ଏସ୍‍ ପାଶ୍‍ କରି ହାଉସ ସର୍ଜନ ହୋଇଥିଲା । ଦୁର୍ଗାଚରଣ ଗାଁରେ ବସି ଗୋଟିଏ ନି. ପ୍ରା. ସ୍କୁଲ ବସାଇଥିଲେ ।

 

କାମ ରହି ଯାଇଥିଲା ଆଉ ଗୋଟିଏ, କୃଷ୍ଣର ବିବାହ । “ତା’ପରେ ମୁଁ ମୋର ଆଶ୍ରୟସ୍ଥଳ ଠିକଣା କରି ସାରିଛି” ସେ କହୁଥିଲେ, “ଗୋ ନାସିକା ପାହାଡ଼ ଖୋଲରେ ଖଣ୍ଡେ ଟୁଙ୍ଗି, ସେହି ଶିମିଳୀଗଛ ପାଖେ, ସେହି ଯେଉଁଠୁ ବୈତରଣି ନଦୀ ଝରଣା ହୋଇ ଫୁଟି ବାହାରିଛି, ପିଠିଆଡ଼େ ପାହାଡ଼ର ଢାଲୁ, ଆଗଆଡ଼େ ଆର ପାହାଡ଼ର କାନ୍ଥ, ମଝିରେ ଢାଲୁ ଗଡ଼ି ପଡ଼ିଛି ତଳର ଝୋଲା ଭିତରକୁ, ଖାଲି ଜଙ୍ଗଲତଳ ଛାଇ ଆଉ କାକର । କେତେବେଳେ ମୟୂର ବୋବୋଉଛି ତ କେତେବେଳେ କୁଟ୍ରା, କେତେବେଳେ ସାରୀ ପଞ୍ଝାଏ ଗୀତ ବୋଲୁଛନ୍ତି ତ କେତେବେଳେ ମହାବଳ ହେଣ୍ଟାଳୁଛି, ସବୁବେଳେ ଝରଣାର ଗଦଗଦ ଝୁରୁ ଝୁରୁ ଶବ୍ଦ । ଦି’ପା ଗଲେ ଗୋନାସିକା ଜୁଆଙ୍ଗ ଗାଁ, ଆଉ ଦି’ପା ଗଲେ ଗୋ-ନାସିକାର ମହାଦେବ ଦେଉଳ, ମଝିରେ ବୈତରଣୀ ପାତାଳଫୁଟୀ ହୋଇଛି ଯେ ଶିବମନ୍ଦିର ପାହାଚତଳକୁ ପୁଣି ବାହାରିଛି । ଏତେ ତୀର୍ଥ ବୁଲି ବୁଲି ଯେମିତି ବୈତରଣୀ ଉତ୍ପତ୍ତିସ୍ଥଳରେ ପହଞ୍ଚିଲି ମନଟା ଚହଲି ଗଲା କେଜାଣି କେତେ ଶହ ବର୍ଷ ପଛକୁ ବୋଲି, ଯେମିତି ସେଇଠି ଥିଲା ମୋ ଘର, କେଉଁ ହାତୀ ପେଟରେ କି କେଉଁ ଅଜଗର ପେଟରେ କି କେଉଁ ଜୁଆଙ୍ଗୁଣୀ ପେଟରେ ଶରୀର ପାଇଁ ଭୂଇଁରେ ପଡ଼ି ମୁଁ ସେଇଠି ରହି ଚରି ବୁଲୁଥିଲି । ସେଇ ଛାଇର ରାଇଜ ପୁଣି ସତେକି ମୋ ମନକୁ ଓଟାରି ଧରିଲା । ସଂସାରର କାମ ସଂସାରରେ ପଡ଼ିଥାଉ, ସେଇଠି ପତର ଟୁଙ୍ଗୀ କରି ମାଳି କୋଥଳି ଧରି ବସି ପଡ଼ି ଜୀବନର ବାକି କେଇଟା ଦିନ କଟାଇ ଦେଇ ପାରିଲେ ମଣିଷ ନିଶ୍ଚିନ୍ତ ।

 

ଶ୍ରୀନିବାସ ଓତା ଥିଲେ ଦୁର୍ଗାଚରଣଙ୍କର ଜଣେ ପୁରୁଣା ସହକର୍ମୀ, ପାଖ ଗାଁ ରୁକ୍ମୁଣୀ ପୁରରେ ଘର, ଜିଲ୍ଲା ବୋର୍ଡ଼ ଅମଳର ଜଣେ ଇସ୍କୁଲ ସବ୍‍-ଇନି‍ସ୍-ପେକ୍‍ଟର, ଇନିସ୍‍ପେକ୍‍ଟର ହୋଇ ପେନ୍‍ସନ୍‍ ନେଇଥିଲେ । ନାଁ ଥିଲା ସରଳ ସଚ୍ଚୋଟ ଅତି ପରିଶ୍ରମୀ ବୋଲି । ଆହୁରି ନାଁ ଥିଲା ଓ ତାଙ୍କ ଡାଲ୍‍ମାର, ଜୀବନରେ ସେ ଭାତ ଡାଲ୍‍ମା ଛଡ଼ା ଗସ୍ତ କରିବା ଅବସ୍ଥାରେ ଆଉ କିଛି ଖାଇ ନ ଥିଲେ । କାଦୁଅ ପଙ୍କ ଚକଟି ଚକଟି ପାଣିରେ ପଶି ଗାଁକୁ ଗାଁ ଗଲାବେଳେ ବି ସଙ୍ଗରେ ଥାଏ ଭାତ ଡାଲ୍‍ମାର ସରଞ୍ଜାମ, ବୁଜୁଳା ହୋଇ କାନ୍ଧରୁ ଓହଳି ଥାଏ ଡେକ୍‍ଚି ସମେତ, ଆର ବୁଜୁଳାରେ ଖଣ୍ଡେ ସତରଞ୍ଜି ଖଣ୍ଡେ ଚାଦର, ଗୋଟାଏ ଗାମୁଛା, ହଳେ ଲୁଗା କାମିଜି, କାଗଜପତ୍ର । ସାଇକଲରେ ଗଲେ ସେତକ ଥାଏ ସାଇକଲ ଲାଞ୍ଜରେ । ରୋଷେଇ ଆପଣା ହାତେ ହାତେ ନିରାମୀଷ, ଘୃତହୀନ, କାହା ଉପରେ ଭାର ହୋଇ ନାହାନ୍ତି, କାହାଠୁଁ ଶାଗ ପତ୍ରଟିଏ ଧାରନ୍ତି ନାହିଁ, ସୁବିଧା ପାଇଲେ ନିଜେ ରାନ୍ଧି ପରକୁ ଖୁଆନ୍ତି, ଲୋକେ କହନ୍ତି ନଳ ରାଜାଙ୍କପରି ତାଙ୍କୁ ବି ଅଗ୍ନି ଦେବତା ପ୍ରସନ୍ନ, ଯାହା ଛୁଇଁଲେ ତା’ ସୁଆଦ । ପ୍ରକୃତିର ଆଶୀର୍ବାଦରୁ ବିଭିନ୍ନ ଋତୁରେ ପ୍ରକାର ପ୍ରକାର ସୁଆଦରେ ସେ ଡାଲ୍‍ମା ଲୋଭନୀୟ ହୁଏ । ମୁଗଜାଇ, ପଣସ କଠା, ନଡ଼ିଆ କୋରା, ଆଳୁ, ଦେଶୀଆଳୁ, ପିଆଜ, ଜୀରାଗୁଣ୍ଡ । ମୁଗଜାଇ ଆଳୁ, ବାଇଗଣ, ସାରୁ, କଦଳୀ, କଖାରୁ । ମୁଗଜାଇ, ସାରୁ, କଦଳୀ, ଓଉ, ଭୁଷୁଙ୍ଗପତ୍ର । ଯେତେବେଳେ ଯାହା ।

 

କିନ୍ତୁ ସବୁଦିନେ ଭାତ, ଡାଲ୍‍ମା ।

 

ପିଲାଏ ପାରିଗଲେଣି, ଅଧ୍ୟାପକ, ଇଲେକ୍‍ଟ୍ରିକେଲ୍ ଇଞ୍ଜିନିୟର, ମେକାନିକାଲ୍‍ ଇଞ୍ଜିନିୟର, ସିଭିଲ୍ ଇଞ୍ଜିନିୟର, ମେଟାଲର୍ଜିଷ୍ଟ୍, ପାଞ୍ଚପୁଅ । ତିନି ଜୋଇଁରୁ ଜଣେ ବଡ଼ ଡାକ୍ତର, ଜଣେ ବଡ଼ ଓକିଲ, ଜଣେ ବଡ଼ ବ୍ୟବସାୟୀ । ଘରକୁ ଲକ୍ଷ୍ମୀ ଆସିଛନ୍ତି । ଗାଁରେ ବହୁତ ମାନ୍ୟ, ବହୁତ ଖାତିରି । ପଞ୍ଚାୟତର ସରପଞ୍ଚ ହେବାକୁ ତା’ ପରେ ପଞ୍ଚାୟତ ସମିତିର ଚେୟାରମ୍ୟାନ ହେବାକୁ ଅନେକ ମୁଖିଆ ମୁଖିଆ ଲୋକେ ତାଙ୍କୁ କୁହାପୋଛା କରିଥିଲେ, କିନ୍ତୁ ଓ ତାଙ୍କର ଏକା ନାହିଁ ।

 

ଅବସର ଦେଖି ଓତା ଓ ଦୁର୍ଗାଚରଣ କେବେ କେବେ ଏକାଠି ହୁଅନ୍ତି । ଦୁଃଖ ସୁଖ ପଡ଼େ । ସେମାନଙ୍କ ମତ ମିଳେ, ତେଣୁ ଆଲୋଚନାରେ ଜଣକର ମତ ଶୁଣି ଆଉ ଜଣେ କେବଳ ଲେଉଟି ସେହିକଥା କହେ, ନ ହେଲେ ବାକ୍ୟକୁ ବିନ୍ୟାସ କରେ । ସେ ଆଲୋଚନାରେ ତର୍କ ହୁଏ ନାହିଁ ।

 

ଦୁର୍ଗାଚରଣ ସେଦିନ ଉପସଂହାରରେ କହିଲେ,

 

“ତେଣୁ ମୁଁ ମନସ୍ଥ କରିଛି କୃଷ୍ଣ ପାଇଁ ତାଙ୍କରି ଘରୁ ଝିଅ ଆଣିବି । ଅଛି ଗୋଟିଏ । ଅତି ଗୁଣବତୀ, ସର୍ବସହଣୀ, ସବୁ କାମକୁ ଭଲ । ଯେଉଁ ତପସ୍ୟା ଭିତରେ ସେ ବଢ଼ୁଛି ସେଥିରେ ଭଲ ନହୋଇ ଉପାୟ ନାହିଁ । ସେଠି କେଉଁ ଯୁଗର ପୁରୁଣା ଘରର ସବୁ ମହତଗୁଣ ଅଛି, ଆଭିଜାତ୍ୟର ମନ୍ଦଗୁଣ ପୁରୁଷ ପୁରୁଷର ଅନଭ୍ୟାସରେ ବଳେ ମରିଯାଇଛି । ମୋର ଜାତକ ଦରକାର ନାହିଁ, ସର୍ବମଙ୍ଗଳ ଜଗନ୍ନାଥ । ଧନଦରବ ଆଡ଼ମ୍ବର ତ ଆଦୌ ଦରକାର ନାହିଁ । ଭଲ ବୋହୂଟିଏ ଲୋଡ଼ା, ଭଲ ବୋହୂଟିଏ ମିଳିବ । ନା କ’ଣ କହୁଛନ୍ତି ଶ୍ରୀନିବାସ ବାବୁ ।”

 

“ବିଚାର ତ ଖୁବ୍‍ ଭଲ । ତେବେ ଆଜି କାଲିକା ଟୋକାଙ୍କର ତ ମତ ବୋଲି ଗୋଟାଏ କ’ଣ ହେଲାଣି, ପାତ୍ରୀର ରୂପ କେମିତି ?”

 

“ଶୁଣା ଶୁଣିରେ ରୂପ ବି ତ ଭଲ ବୋଲି ଜଣାପଡ଼ୁଛି । ଏକଥା ନିଶ୍ଚୟ ଯେ ଛୋଟୀ କାଣୀ କେମ୍ପି ଦାନ୍ତୁରୀ ନୁହେଁ, ତା’ ବି ହୋଇଥିଲେ ମଧ୍ୟ ଆପତ୍ତି କ’ଣ ଅଛି, ସବୁ ଇଶ୍ୱର ସର୍ଜନା । ସେମିତି ବୋହୂ କ’ଣ ଘର କରୁ ନାହାନ୍ତି ନା ପ୍ରଶଂସା ପାଉ ନାହାନ୍ତି ନା ତାଙ୍କ ପୁଅ ଝିଅ ପ୍ରସିଦ୍ଧ ହେଉ ନାହାନ୍ତି ? ଅସଲ ରୂପଟା ଖାଲି ଆଖିକି ଦିଶେ ନାହିଁ, କାମ କାର୍ଯ୍ୟ ସ୍ଵଭାବ ଚରିତ୍ର ଆଚାର ବ୍ୟବହାରରେ ସେ ବାରି ହୁଏ, ତାକୁ ଦେଖିବାକୁ ହେଲେ ସେ ଘଣ୍ଟାଏ ଦି’ଘଣ୍ଟା କି ଦିନେ ଓଳିକର କାମ ନୁହେଁ’ ନାନା ପରିସ୍ଥିତିରେ ଗହର ଚିହ୍ନା ଚିହ୍ନି ଭିତରେ ବର୍ଷ ବର୍ଷ ଧରି ମଣିଷକୁ ନିଘା କଲେ ତେବେ ଯାଇ ତା’ ରୂପ ବିଷୟରେ ଧାରଣା ଆସିବ, ନହିଲେ ନାହିଁ । ମୁଁ କୃଷ୍ଣକୁ ଏ କଥା ବୁଝେଇ ଦେଇଛି, ତା’ର ଆପତ୍ତି ନାହିଁ ।”

 

“କୃଷ୍ଣର ଆପତ୍ତି ନ ଥିଲେ ଆଉ କିଛି ଭାବିବାକୁ ନାହିଁ । ବର୍ତ୍ତମାନ ଝିଅଘର ରାଜି ହେଲେ ହେଲା । ଆଜି ଗରିବ ହେଲେ ବୋଲି ତାଙ୍କର ନିଜର ମତ ଆଉ ରୁଚି ତ କୁଆଡ଼େ ଯିବ ନାହିଁ, ଆଶାଅଛି ସେମାନଙ୍କର ଆପତ୍ତି ନଥିବ, କୃଷ୍ଣ ଯେପରି ପିଲା, ଭାଗ୍ୟରେ ଥିଲେ କିଏ ତାକୁ ଜୋଇଁ କରି ପାଇବ ।”

 

“ଆପତ୍ତି ନାହିଁ, ପ୍ରତି ବନ୍ଧକ ପହଁଚିଲା । ମାଇପି ଘର । ଆଗ ଖବର ପଠେଇଲି କନ୍ୟାର ମାମୁ ନକୁଳ ଚ୍ୟାଉ ପଟ୍‍ନାଏକଙ୍କ ପାଖକୁ । ଭଲା ଚ୍ୟାଉ ସେ, ବିଚରା ଭାଣିଜୀ କଥା କ’ଣ ବୁଝନ୍ତେ, ନିଜ ନାତୁଣୀର ଫଟୋ ମୋ ପାଖକୁ ପଠାଇ ଦେଲେ, ଖବର ଦେଲେ, ପୁରୁଣା ସୁନା ତିରିଶି ଭରି ଅଛି, ନଗଦ ପାଞ୍ଚ ହଜାର, ବିଲ ପାଞ୍ଚମାଣ ଲେଖିଦେବେ, ସହରରେ ଚାଳ କୋଠା ହୋଇ ତିନିଗୁଣ୍ଠ ଜାଗା ଦେବେ, ତାଙ୍କର ଡାକ୍ତର ଜୋଇଁ ଦରକାର । ଏ ନିଲାମ ଡାକ ତ ବହୁଦିନୁଁ ବହୁତ ଲୋକଙ୍କ ତୁଣ୍ଡରୁ ଶୁଣୁଛି । ଉତ୍ତର ଦେଲି ନାହିଁ । ବୁଢ଼ୀଙ୍କ ଘରକୁ ମଧ୍ୟ–ପାତ୍ର ପଠାଇଲି । ଉତ୍ତର ଆସିଲା ଯେ ପକ୍ଷେ ଗଲେ କହିବେ । ପକ୍ଷେ ଗଲା । ମଧ୍ୟ–ପାତ୍ର ଆଉ ଥରେ ଗଲା । ହଁ କଲେ ।”

 

“ଭାରି ଭଲ ହେଲା”, ଶ୍ରୀନିବାସ ଓତା ମନ୍ତବ୍ୟ ଦେଲେ, “ଆପଣ ତ ଜାଣନ୍ତି, ମୁଁ ଅବିକଳ ସେମିତି କରିଛି । ଗୁଣ ଦେଖି ବୋହୂମାନଙ୍କୁ ଆଣିଲି, ପସ୍ତେଇ ନାହିଁ । କିଏ ଉଚ୍ଚ ଶିକ୍ଷିତା, କାହାର ଅବା ଗାଁ ପାଠ, ମଣିଷପଣିଆଁ କାହାରିଠିଁ ଅଭାବ ନାହିଁ, ଆପଣା ଭଉଣୀ ବି ପରସ୍ପର ପ୍ରତି ଏପରି ହେବେ ନାହିଁ । ମୋର ସେଥିରେ ପରମ ସନ୍ତୋଷ । ବାଛି ବାଛି ବଡ଼ଲୋକ ଘରୁ ବୋହୂ ଆଣିଲେ କ’ଣ ନାତି ନାତୁଣୀ ବଡ଼ ମଣିଷ ହେବେ ନ ହେଲେ ନାଇଁ ? ୟେ ସଂସାରରେ ଯେତେ ମଣିଷ ଧନ୍ୟ ହୋଇଛନ୍ତି, କି ପୁରାଣରେ କି ଇତିହାସରେ କି ଅବା ଆମ ଦେଖନ୍ତାରେ ସେମାନେ ସମସ୍ତେ କ’ଣ ନାଁ ଡାକ ଘରର ମା’ ବାପାଙ୍କ ପୁଅ ଝିଅ ? କାହାକୁ ନିଜ ଚରିତ୍ରବଳ, ପରିଶ୍ରମ ବଡ଼ କରେ, କାହାକୁ କେବେ ଅବା ଭାଗ୍ୟ ବଡ଼ କରେ, ସେମାନେ ତ ବେଶି ଭାଗ ଆସନ୍ତି ସେହି ସାଧାରଣ ମଣିଷ ଗୋଷ୍ଠୀର । ଖାଲି ଏତିକି ହୁଏ ଯେ ମଣିଷ ସାଧାରଣ ସ୍ତରରୁ ଉଠି ଅସାଧାରଣ ହୋଇ ସାରିଲେ ଆପଣା ମୂଳଦୁଆର ସାଧାରଣ ମାଟିକୁ ଆଉ ମର୍ଯ୍ୟାଦା ଦିଏ ନାହିଁ, ଆପଣା ମଛାକେ ଯେ ଯେଉଁଠି ବଡ଼ ବଡ଼ିଆ ତା’ ଆଖିକୁ ଦିଶନ୍ତି ତାକୁ ହିଁ ମଣିଷ ପଣରେ ଲେଖା କରେ, ନିଜ ଉତ୍ପତ୍ତି ବିଷୟରେ ଢମ କାଢ଼ି କିମ୍ବଦନ୍ତୀ ଗଢ଼େ ଆଉ ଆଶା କରେ, ପୁରୁଣା ଅମଳର ରାଜା-ମହାରାଜାଙ୍କ ପରି ତା’ର ବି ଗୋଟିଏ ବଂଶ ହୁଅନ୍ତା, ତା’ ପୁଅ, ନାତି ପଣନାତି ବି ତାହାରି ପରି ପ୍ରତାପୀ ହୁଅନ୍ତେ, ସତେ କି ବଡ଼ ହେବାଟା ଗୋଟାଏ ଗୋଟା ବଂଶ କି ସଂପ୍ରଦାୟର ଏକଚାଟିଆ କାରବାର । ସେ ଭୁଲିଯାଏ ଯେ ସେ ଖ୍ୟାତି ପାଇବା ଆଗରୁ ସେହି ସାଧାରଣ ଗୋଠରେ କେଉଁଠି ଅଖ୍ୟାତ ବାଛୁରୀଟିଏ ହୋଇ ଚରୁଥିଲା, ଯେମିତି ନନ୍ଦ ଘରେ ଗୋପାଳ ପିଲାଙ୍କ ମେଳରେ ଶ୍ରୀକୃଷ୍ଣ ଆଉ ଠିକ୍ ସେମିତି, କାଲି ସକାଳେ ଯେ ଆହୁରି ଖ୍ୟାତି ପାଇ ତାକୁ ଟପିଯିବ, ସେ ତା’ ଭଳି ପ୍ରସିଦ୍ଧ ଲୋକର ପିଲା ନୁହେଁ ଯେ ଅତୀତରେ ସେ ଯେମିତି ହୋଇଥିଲା ସେହିପରି ଆଉ କିଏ, କେଉଁଠି କିପରି ବଢ଼ୁଛି ତା’ ଜଣା ନାହିଁ, ବେଳ ହେଲେ ପଦାକୁ ଫୁଟିବ ।”

 

ଦୁର୍ଗାଚରଣ ହସିଲେ । କହିଲେ “କିଏ ବଡ଼ ହେବ କିଏ ସାନ ହେବ ତା’ ସେହି କର୍ତ୍ତାଙ୍କ ଇଚ୍ଛା, ଯାହା ହେବାର ଥିବ ହେବ । ମଣିଷ ଖାଲି ତା’ କର୍ତ୍ତବ୍ୟ କରିବ । କେଉଁଟା କର୍ତ୍ତବ୍ୟ ସେକଥା ଜାଣିବା ବି କଷ୍ଟ ନୁହେଁ, ମନ ନିର୍ମଳ ଥିଲେ ଆପଣା ଭିତରୁ ବିବେକର ବାଣୀ ଶୁଣିହେବ । ଜଣାପଡ଼ିଯାଏ ସବୁ, ଆପେ ଟାଣ ହୋଇ ସଦ୍‍ ବିଚାର ଅନୁସାରେ ହାତ ଗୋଡ଼ ଚଲେଇବା ଯାହା କଷ୍ଟ, କାରଣ ଏଣେ ବିବେକ କଥା କହୁଥିଲେ ତା’ ଉପରେ ପଡ଼ି ଆପଣା ପ୍ରବୃତ୍ତିମାନ ବି କଥା କହୁଥାନ୍ତି ।”

 

ସେ ଦୁହେଁ ସବୁଦିନେ ଏକାଠି ହେଲେ ଯେପରି ନୀତି ଆଉ ଦର୍ଶନ ବିଷୟରେ ଆଲୋଚନା କରନ୍ତି ତାଙ୍କ ଆଲୋଚନା ସେହିପରି ଚାଲିଲା । ସେଥିରେ କାହାରି କୁତ୍ସା ନ ଥିଲା, ଆପଣା ଆପଣାର ଜଞ୍ଜାଳ କି ଦୁଃଖ ଦୁର୍ଦ୍ଦଶାର ବର୍ଣ୍ଣନା ନ ଥିଲା, ସେ ଆଲୋଚନାରେ ବର୍ଣ୍ଣ ଧଳା ନ ହେଲେ ବି ଫକ୍‍କା ।

 

ହର ଘରେ ସେ ବିଷୟରେ ଆଲୋଚନା ବି ହେଉ ନ ଥିଲା । କେବେ କେଉଁ ମଧ୍ୟ-ପାତ୍ର ଆସିଥିଲା ଆଉ କନକମଞ୍ଜରୀ ପୁରୁଣା ମଠାଖଣ୍ଡିଏ ପିନ୍ଧି ତା’ କଥା ଶୁଣିସାରି ମତ ଦେଇଥିଲେ ସତେ ଯେମିତି ତା’ ପାଶୋରି ପକାଇଥିଲେ । ତାଙ୍କ ମୁଣ୍ଡ ଠିକଣା ଥିଲା ବେଳେ ଥରେ ତାଙ୍କ ବଡ଼ ଝିଅ ସେକଥା ଉଠାଇଥିଲେ । କନକମଞ୍ଜରୀ ତାଚ୍ଛଲ୍ୟରେ କହିଥିଲେ “ହେଃ- ଯାହା ତ ଯେତେବେଳେ ଯୋଗ ଥିବ ହେବ ସେ ବିଷୟରେ ଆଗରୁ ଏତେ ଭାବି କି ଲାଭ ?”

 

କିନ୍ତୁ ବେଳେ ବେଳେ ହାଉଳି ହେଲାପରି ବୁଢ଼ୀ ପଦେ ପଦେ କହି ଦିଅନ୍ତି,– “ବୋହୂଟା ଆସିଲା ନାହିଁ ।” ଆପଣା ଦୁଃଖ ଦୁର୍ଦ୍ଦଶାର କଥା ଲୁଚେଇ ରଖିବା ଯାହାର ଅଭ୍ୟାସ ତା’ ତୁଣ୍ଡରେ ଏହି ପଦକ ଯେପରିକି ପ୍ରଗଳ୍‍ଭ ବକ୍ତୃତାଠୁଁ ଅଧିକ ଅର୍ଥ ସୂଚାଏ । କଥା ପଦକ କହିଲା ବେଳେ ତାଙ୍କ ସ୍ୱର କେମିତି ଫମ୍ପା ଓ ହୁଗୁଳା ହୋଇଯାଏ, ଯେପରି କଥାଗୁଡ଼ାକ ଆପେ ଆପେ ବାହାରି ଆସୁଛି, ଚାଳ ଘରେ ନିଆଁ କୁହୁଳୁଥିଲେ ଯେମିତି ନାନା ଛିଦ୍ରରେ ଛାଁକୁ ଛାଁଏଁ ଧୂଆଁ ବାହାରୁଥାଏ ସେ କଥା ସେହିପରି । ମୁହଁର ଛାଲ ଉପରୁ, ଆଖିର କୋରଡ଼ ଭିତରୁ ସତେ ଯେମିତି ଜୀବନର ସବୁ ଆଭା ନିଭି ଯାଇ ଘୋଟି ରହେ ଅନ୍ଧାର, ମୁହଁ ଦିଶେ ଟାଙ୍ଗରା ମାଟି ପରି ।

 

“ବୋହୂଟା ଆସିଲା ନାହିଁ ।”

 

“ମଲା ମୋ–ମୋ ତୁଣ୍ଡ ତ କ’ଣ !” ବୁଢ଼ୀ ନଣନ୍ଦ କହିଲେ ।

 

“ମନ ନ ହେଲା, ନ ରସିଲା, ଯାହାପାଇଁ ବୋହୂ ସେ ତ–” ହୀରା କହୁ କହୁ ଅଟକିଗଲା-

 

ବୁଢ଼ୀର ପାଉଁଶିଆ ଆଖି ଉହାଡ଼ରୁ ହଠାତ୍‍ ନିଆଁ ଧାସ ଛିରିକିଲା, କହିଲେ “ହଇଲୋ ! କହୁନୁ, କହୁନୁ, କାହାପାଇଁ ବୋହୂ ? କ’ଣ ଖାଲି ପୁଅ ପାଇଁ ? ଏ ଘରର ଝିଅ ହୋଇ ତୁ ମତେ ଆଜି ଏଇଆ ଶୁଣେଇଲୁ ? ଯାହାର ଯାହାକୁ ମନ ହେଲା ସେମିତି ସତରଟା ମାଇକିନିଆ ମିଣିପେ ଆଗେ ରଖୁ ନ ଥିଲେ କି ? ସେଗୁଡ଼ାକ କ’ଣ ବୋହୂ ? ବୋହୂ ସିନା କୂଳର ବୋହୂ, ଡିହମାଟିର ବୋହୂ, ବଡ଼ ବଡ଼ୁଆଙ୍କ ପାଇଁ, ଶ୍ୱଶୁର କୁଳର ଚଉଦ ପୁରୁଷଙ୍କ ପାଇଁ ବୋହୂ, ପୃଥ୍ୱୀ ପ୍ରଳୟ ହେଲେ ତା’ ପିଣ୍ଡରେ ନିଶ୍ୱାସ ଥିବାଯାକେ ତା’ ତୀର୍ଥ ତ ତା’ ଶାଶୂ ଶଶୁରଙ୍କ ଡିହରେ, ସେ ଆଉ କୁଆଡ଼େ ଯିବ ?”

 

ହୀରା କାନ୍ଦି ପକାଇଲେ । କହିଲେ “ପର ଝିଅ ବେଳକୁ କହି ଦେଉଛୁ, ଆଉ ତୋ ନିଜ ଝିଅ ବେଳକୁ ।”

 

ବୁଢ଼ୀ କହିଲେ “ମୁଁ କ’ଣ ତତେ ମନା କରିଥିଲି ତୋ ଶାଶୂ ଘରେ ରହିବାକୁ ? ମୁଁ ତ ଓଲଟି କେତେ ବଳୋଉଥିଲି । ତୋ ବାପେ ଏକା ଜିଗର ଧରିଲେ, ଝିଅ ସୁଆଗି ଗେଲବସର ବାପେ, କୋଉ ନିଜେ ରହିଲେ !” ବୁଢ଼ୀ ଧକେଇ ହେଲେ । କହିଲେ “ସେପଟେ ବି ସେମିତି । ଆଦର ନ ଥାଇ କୋଉ ଭୋଜନ ନା ଗାମୁଛା ନ ଥାଇ କୋଉ ସ୍ନାହାନ । ତା’ ବୁଦ୍ଧି ବାମ ହେଲା, ମୋ ଝିଅକୁ କହିଲା ଅଲକ୍ଷଣୀ, ମୁହଁ ଚାହାଁ କରି ନାହିଁ । ବାପେ ଛଳ କଲେ । ତଥାପି ମୁଁ ବଳେଇଲି, କହିଲି ସେ ଯାଉ । ସେଠି ଗୁଞ୍ଜି ହେଇ ପଶିଲେ ବି ଲାଜ ମାଡ଼ିବ ନାହିଁ । ତୋ ଶାଶୂର ବୁଦ୍ଧି, ତା’ ଲକ୍ଷ୍ମୀକୁ ସେ ପାଦରେ ଠେଲିଲା ।”

 

ବଡ଼ଆଁ ଟାଏ କରି ବୁଢ଼ୀ ନଣନ୍ଦ ରଙ୍ଗଲତା ମୁଖାମୁହଁରେ ଅନାଇଁ ରହିଥାନ୍ତି । ହୀରା ମୁହଁ ପୋଛୁ ପୋଛୁ କହିଲେ,’’ ତା’ ମନ ତ ଡାକିଲା ନାହିଁ, ତାକୁ କିଏ କାହିଁକି ବଳାନ୍ତା ? ପୁଅକୁ ରଖିଲା, ବାପ ଘରେ ରହିଲା, କିଏ କହୁଛନ୍ତି କ’ଣ ପାଠ ପଢ଼ି ଚାକିରି କଲାଣି । ସେଠି ସୁଖ, ଏଠି ଦୁଃଖ । କାହିଁକି ଏଠିକି ଅନିଭୋଗ ସହିବାକୁ ଆସନ୍ତା ?”

 

ଏତେ ଦୁଃଖରେ ବୁଢ଼ୀଙ୍କ ମୁହଁରେ ଛାଇହସ ଫୁଟିଲା, ମୁହଁ ଅତି ଭୟଙ୍କର ଦିଶିଲା । ଦୁଃଖ ନୈରାଶ୍ୟରୁ ଉପୁଜିଥିବା ଗୁପ୍ତଜ୍ଞାନର କଣିକାଏ ଯେପରିକି ସେ ମୁର୍ଦ୍ଦାରିଆ ମୁହଁକୁ ତେଜ ଦେଉଛି ସେହିପରି ଅଳ୍ପ ଉତ୍ତେଜନାରେ ମୁହଁର ଛଇ ଚହଲିଗଲା । ସେ ରହି ରହିକା କହିଲେ, “ଆଲୋ, ମାଇ ଜୀବନରେ ସୁଖ କ’ଣ ଦୁଃଖ କ’ଣ ମୁଁ ଏତେ ବୁଝେ ନାହିଁ । ଗଛରେ ଫୁଲ ଫୁଟିଲା ପରି ସୁଖ ଦୁଃଖ ଆପେ ଫୁଟି ଆପେ ତା’ର ଝଡ଼ୁଥାଏ, ମଣିଷ ଜୁଳୁଜୁଳୁ କରି ଚାହିଁଥାଏ । ଏତେ କାଳ ଯମ ମତେ ବସେଇ ରଖି ଶେଷରେ ଏଇଆ ବତେଇଲା ! ସୁଖ କ’ଣ ମୁଁ ଦେଖି ନ ଥିଲି ? ନା ସବୁଦିନେ ଏଇ ରୂପ ଏଇ ମନ ଏମିତି ଥିଲା ? ଏଇ ଢିଅ ସବୁଦିନେ ଏମିତି ହେଇ ନ ଥିଲା କି ସବୁଦିନେ ଏମିତି ହେଇ ପଡ଼ି ନ ଥିବ । ବୋହୂ ଥିଲେ ତା’ କାମ କରୁଥା’ନ୍ତ, ଆମେ ଏତେଟା ମଲା ସାପ ଢୋକେ ପିଇ ଦଣ୍ଡେ ଜୀଇ ମାଟିକାମୁଡ଼ି ପଡ଼ିଛୁଁ, ସେ ବି ପଡ଼ିଥାନ୍ତା, ଆଉ ଦଶଟା ଥିଲେ ବି ଏଇ ପଖାଳକଂସାରୁ ଟୋପାଏ ଟୋପାଏ ପିଇଦେଇ ଚଳିଯାଇଥାନ୍ତେ । ତେବେ ସେ ଏଠି ତପସ୍ୟା କରିଥିଲେ ତା’ ପୁଣ୍ୟବଳ ବଢ଼ିଥାନ୍ତା, ତା’ ହୃଦ ତା’ ବିବେକ ବୁଢ଼ୀ ଦିନେ ତାକୁ ଆଉ କଟକଟ କରି ଖାଇ ନ ଥାନ୍ତେ । ନହେଲେ କିଏ କାହାକୁ କ’ଣ ଅଜାଡ଼ି ଦେବ । ହଉ, ନ ଆସିଲା ନାହିଁ, ନାତି ଟୋକାଟି ମଣିଷ ହେଲେ ଦିନେ ନା ଦିନେ ସେତ ତା’ ବାପ ଅଜାଙ୍କ ଢିଅକୁ ପୁଣି ମନେକରିବ ? ହାତୀ ବନସ୍ତରେ ବଢ଼ିଲେ ବି ରଜାଙ୍କର ।”

 

ଧକେଇ ହେଲେ । ବେକ ଭାଙ୍ଗିପଡ଼ିଲା । ହୀରା ଯାଇ ପଛଆଡ଼ୁ ଧରି ପକାଇଲେ, ଡାକିଲେ “ସୁନା, ସୁନା” ଚମକିପଡ଼ି କହିଲେ, “ୟେ କଣ, ବୋଉ, ତୋ ଦେହରେ କ’ଣ ତାତି ଯେ ଖଇ ଫୁଟୁଛି ।”

 

ବୁଢ଼ୀ ପୁଣି ଆଖି ଖୋଲିଲେ । କଷ୍ଟେ ମଷ୍ଟେ କହିଲେ, “ଆସିବ ଲୋ ମା’ ନାତି ଆସିବ-। ତା’ର ହେତୁ ପାଇଲେ ବଳେ ସେ ବାଟ ଚିହ୍ନି ଚିହ୍ନି ଆସିବ । କୋଟି ପରମାଇ ପାଇଥା’ରେ ବାପା–”

 

ସେ ଆଉଜି ପଡ଼ିଲେ । ବିଛଣା ପରା ହେଲା । ତାଙ୍କୁ ଶୁଆଇ ଦିଆହେଲା । ସୁନା କାନ୍ଦୁ ଥାଏ । ପାଦ ଆଉଁସୁଥାଏ । ହୀରା ହାତ ଆଉଁସୁଥାନ୍ତି । ରଙ୍ଗଲତା କାଠ ପରି ବସିଥାନ୍ତି ।

 

“ଏ ନିଲଠା ପ୍ରାଣ ଏମିତି ଯିବ ନାହିଁ ମ, କାନ୍ଦୁଛ କାହିଁକି ?” ବୁଢ଼ୀ କହିଲେ । ତା’ ପରେ ସେ ତୁନି ହେଲେ ।

 

ଭୋଦୁଅ ମାସ । ବର୍ଷା ବନ୍ଦ ଅଛି । ଟାଇଁ ଟାଇଁ ଝୋଲମରା ଖରା । ଖାଁ ଖାଁ ଦି’ପହର । ନରେନ୍ଦ୍ର କୁଆଡ଼େ ଯାଇଛି । ତା’ର ସେ ସେମିତି ବୁଲୁଥାଏ ।

 

“ଛି ତା’ ମୁହଁକୁ, ବୋହୂ ନା ଚୁଲି ପାଉଁଶ”, ହୀରା ଭୁଷ୍‍ କରି କହିଲେ, “ସୁଖ କରିବ ବୋଲି ବାପ ଘରେ ରହିଲା, ଶାଶୂଘର ଗନ୍ଧେଇଲା । ଚାକିରି କରିବେ ! ଗ୍ରାମ ସେବିକା ! ଯୋଉ ସେବା ତ ! କେତେ ଲୋକ କରିପକେଇଲେଣି ଆଉ ୟେ ! ଯାଉ ଯୁଆଡ଼େ ତା’ର ସବୁ ଛତରକୁ ଆମର କି ଯାଏ । ଆଉ ଆସିବ ! ସଂସାର ତ ସଇଲା ଆଉ ଆସିବ ଦେଖିବ କ’ଣ !”

 

ବୁଢ଼ୀ ପାଟି ଫିଟେଇଲେ ନାହିଁ । କିନ୍ତୁ ଥିଲା ଥିଲା ସୁନା କଇଁ କଇଁ ହୋଇ କାନ୍ଦିଲା, ନଈ ବନ୍ଧ ଭାଙ୍ଗି ଗଲା ଆଉ ଅଟକିଲା ନାହିଁ । ସେ ତା’ ବୋଉ ଉପରେ ଅଜାଡ଼ି ହୋଇପଡ଼ି କାନ୍ଦୁ ଥାଏ, ତା’ ବୋଉ ମୁହଁ ଆଉଁସୁଥାଏ ।

 

ବୁଢ଼ୀ ଆଖି ବୁଜିଥାନ୍ତି । ଯେମିତି ତାଙ୍କ ଭିତରେ ଭିତରେ କ’ଣ ଗୋଟାଏ ଭିଡ଼ା ଓଟରା ଲାଗିଛି, ସେ ସେହି ଯୁଦ୍ଧରେ ବ୍ୟସ୍ତ । ମୁହଁ ଉପରେ ବେକ ଉପରେ ଢେଉ ପରି ତା’ର ହାବୁକା ଚହଲି ଯାଏ । କିଛି ସମୟ ପରେ ସେ ଆଖି ଖୋଲି ଅନାଇଁଲେ, ପିଲାର ଚାହାଣି ପରି ସେ ଚାହାଣି ନିଷ୍କପଟ ଓ କୁତୂହଳୀ । ତା’ପରେ ତାଙ୍କର ସ୍ୱର ବାହାରିଲା । ପରିଷ୍କାର । ଧୀର କିନ୍ତୁ ଦୁର୍ବଳ ନୁହେଁ-

 

କହିଲେ “କାହିଁକି କାନ୍ଦୁଛୁ ମା’ ଲୋ ? କେତେ ଦୁଃଖରେ ତତେ ପାଳିଥିଲି” ସୁନାର ଗାଲ ଆଉଁସି ଦେଇ କହିଲେ “କ’ଣ ତୋ କାନ୍ଦୁରା ମୁହଁ ଦେଖିବି ବୋଲି ? ନାହିଁ । ତୁ କାନ୍ଦନା । ଠାକୁରେ ଅଛନ୍ତି । କରିବାକୁ ମଣିଷ ଥାଉ ନ ଥାଉ ତାଙ୍କ କାମ ସେ କରିବେ ଯେ ।” ହଠାତ୍‍ ସେ ଅନ୍ୟଆଡ଼େ ଅନାଇଁଲେ ଯେପରି ଆଉ କାହାକୁ ସେ ଦେଖୁଛନ୍ତି, କହିଲେ “ୟେ ସଂସାରରେ କାହାରିକି ସାନ ମଣିବ ନାହିଁଟି । ବଡ଼ ସାନ ନାହିଁ । କାହାର କେତେବେଳେ ଯୋଗ ପଡ଼େ କାହାର ନ ପଡ଼େ ।”

 

“ବୋଉ ?”

 

“କିଏ ହର ? କେତେବେଳେ ଆଇଲୁ ? ଖାଇଲୁଣି ?”

 

ଏଥର ଆହୁରି ବେଶି ବେଶି କାନ୍ଦଣା ।

 

ବୁଢ଼ୀ ସତେ ଯେମିତି ପ୍ରକୃତିସ୍ଥା ହେଲେ, କିନ୍ତୁ ସେ ବିରକ୍ତ । କହିଲେ “କାହିଁକି କାନ୍ଦୁଛ କହିବଟି ? ମୁଁ କାହାର କି ଦୋଷ କଲି ? ଉଃ । ତମ କାନ୍ଦଣା ଦେଖି ମୋର କ’ଣ ହେଇଯାଉଛି ।”

 

ଥପ୍‍ କରି ସମସ୍ତିଙ୍କ କାନ୍ଦଣା ବନ୍ଦ ହେଲା, ଖାଲି ଧୀରେ ଧୀରେ ରୁନ୍ଧି ଦେଲା ପରି ସେଁ ସେଁ ।

 

ବୁଢ଼ୀ କହିଲେ “ହେଇ ତେଣେ ଅନା । ଉପରକୁ । ଦେଖୁଚ ? ଦେଖି ପାରୁନା ? ଶୁଣିଲ ? ଶୁଣିପାରୁନା ? ସମସ୍ତେ ଚାହିଁ ଚାହିଁ ଜଳକା, ନୁହେଁ ?”

 

ଆଉ କିଛି କହିଲେ ନାହିଁ । ଦୂରକୁ ଅନାଇଁ ରହିଲେ । ଆଖି ଶାନ୍ତ । ମୁହଁ ହସ ହସ ।

 

ସୁନା ତାଙ୍କ ଦୃଷ୍ଟିକୁ ଅନୁସରଣ କରି ସେହି ଆଡ଼କୁ ଚାହିଁଲା । ପରସ୍ତ ପରସ୍ତ ହୋଇ ମସିଆ ଅବରଖ ଫାଳ ପରି ମେଘ । ମଝିରେ, ଗୋଲ ହୋଇ ବଡ଼ ଅରାଏ ଶରତ-ନେଳି । ଚିକ୍‍କଣ । ସଫା ।

 

ଖବରଟା ଡାକରେ ଆସିଲା ରମା ପାଖକୁ, ସିଧା ସଳଖ ନୁହେଁ, ବୁଲି ବୁଲିକା । ଚିଠି ଖଣ୍ଡ ହୁମୁରା ପହଞ୍ଚିଲା ବେଳକୁ ଦଶଦିନ ବିତି ଯାଇଥିଲା କାରଣ ଡାକଘର ଠିକଣା ଲେଖିବାରେ ଭୁଲ୍ ହୋଇଥିଲା । ମାୟାଦେବୀ ଆହୁରି ଦି’ଦିନ ପକାଇ ରଖିଥିଲେ, ତା’ଛଡ଼ା ଲଫାପା ମିଳିଲା ନାହିଁ, ରବିବାର ଥିଲା । ଚିଠି ଲେଖା ହେବାର ସତରଦିନ ଦିନ ବନ୍ତିଲୋ ଗାଁରେ ରମା ସେ ଚିଠି ପାଇଲା-। ଦିନ ବାର ସମୟ ଲେଖି ସୁନା ଖାଲି ଦି’ପଦ ଲେଖିଥିଲା, “ଭାଉଜବୋଉ, ବୋଉ ଚାଲିଗଲା ।” ମାୟାଦେବୀ ବ୍ରାହ୍ମଣ ଭୋଜନୀ ପାଇଁ ସୁନା ଦେଈଙ୍କ ନାଁରେ ଦଶଟଙ୍କା ମନିଅଡ଼ର କରି ଦେଇ ରମାକୁ ଉପଦେଶ ଦେଇ ଚିଠି ଲେଖିଥିଲେ କିପରି ସେ ‘ପାଳିବ’ । ରମା ବନ୍ତିଲୋରେ ଗ୍ରାମସେବିକା ହୋଇ କାର୍ଯ୍ୟରେ ଯୋଗ ଦେଇ ସାରିଥିଲା ।

 

ଉପରେ ଏ-ସି ସିଟ୍‍ର ଛାତ ଥାଇ ଗୋଟିଏ ସାନ ଖଞ୍ଜାଟିଏ, ଭିତର ଅଗଣାରେ କୂଅ ପାଖେ ଗୋଟିଏ ଝଙ୍କା କାଗେଜି ଗଛ, ଯୋଡ଼ିଏ ଅମୃତଭଣ୍ଡା ଗଛ, ବୁଦାଏ କଦଳୀ, ଗୋଟିଏ ସଜନା ଗଛ । ଭିତରଟି ଭର୍ତ୍ତି । ଆଗେ ଯେ ଥିଲେ ସେ ବାଡ଼ିରେ ପିଟି ପିଟି କାଗେଜି ଗଛରୁ ସବୁ ଫୁଲ କଷି ଝାଡ଼ି ଦେଇଥିଲେ, ଅମୃତଭଣ୍ଡା ଗଛରୁ ସବୁ କଷି ପାରି ନେଇଥିଲେ, କଦଳୀଗଛ କାଟି ଦେଇ ମଞ୍ଜା କରିଥିଲେ, ପୁଆ ବାଣ୍ଟି ଦେଇଥିଲେ । ସେ ଫସଲରୁ ଯାହା ପ୍ରୟୋଜନରେ ଲାଗିବ ତାକୁ ରଖି ବାକି ସବୁ ଫୋପାଡ଼ି ଦେଇଥିଲେ । କିନ୍ତୁ ସତେ ଯେପରି ତାଙ୍କ ଚେଷ୍ଟାକୁ ହସରେ ଉଡ଼ାଇ ପୁଣି କାଗେଜି ଗଛରେ ଅମୃତଭଣ୍ଡା ଗଛରେ ଫୁଲକଷି ଲଦି ହୋଇଥିଲା, କଦଳୀଗଛ ମୂଳରୁ ନାଲି ପୁଆଟିଏ ଉପରକୁ ଉଠି ପତ୍ର ମେଳାଇଥିଲା, ସଜନାଗଛ ବହଳ ପତ୍ରରେ ପୂର୍ଣ୍ଣ ହୋଇଥିଲା, ଦୁଆରେ ଅରାଏ ଠାଏ କୁନ୍ଦୁରୁ ଲଟା ମୂଳରୁ କୁଆଁ ମେଲିଥିଲା ଓ ପୁରୁଣା ବାଇଗଣ ଗଛର ଥୁଣ୍ଟା କଅଁଳ ଉଠିଥିଲା । ବାହାରେ ବାଡ଼ ନାହିଁ, ଆଗେ ଥିଲା, ଚିହ୍ନ ଅଛି । କ’ଣ କ’ଣ ନାହିଁ ସେଥିପାଇଁ ରମା ଭାବେ ନାହିଁ । ସେ ଖୁସି ଯେ ଘର ଖଣ୍ଡେ ଅଛି, ତା’ ନିଜ ବସା, କବାଟ କିଳିଦେଲେ ସେଠି ତା’ ନିଜର ସଂସାର, ଦୁନିଆଁର ଆଖି ଉଢ଼ୁଆଳରେ । ସେ ପ୍ରସ୍ତୁତ ଥିଲା ଏକୁଟିଆ ପୁଅକୁ ଘେନି ଚାଲି ଆସିବ ତା’ପରେ ଚାକିରି ଗାଁ’ରେ କୌଣସି ଜଣେ ସ୍ତ୍ରୀ ଲୋକକୁ କୁହାପୋଛା କରି ପାଖରେ ରଖିନେବ, କିନ୍ତୁ ତା’ ବୋଉ ଜିଗର କରି ତା’ ସଙ୍ଗରେ ଆଉ ଜଣକୁ ପଠାଇଥିଲେ, ସେ ହଟ ଦାସର ବିଧବା ସାନ ଭାଉଜ ମୋତି, ପଚାଶ ବର୍ଷର ଦରବୁଢ଼ୀଟିଏ ଆଖିକି ଆଉ ଶାଗ ବାଛି ପାରିଲା ଭଳି ଭଲ ଦିଶେ ନାହିଁ, କାନକୁ ସେତେ ଭଲ ଶୁଭେ ନାହିଁ, ବାତଜରରେ ବାଁ ପାଦଟି ଫୁଲି ଯାଇଛି, ମାନ୍ଦା ମାନ୍ଦା ହାଉଲେ ସାଉଲେ ଲୋକ, କିନ୍ତୁ ତା’ ଧରଣଟି ସ୍ନେହୀ ଓ ବିଶ୍ୱାସୀ ବୋଲି ମାୟାଦେବୀଙ୍କର ଧାରଣା । ବୁଢ଼ୀର ଝିଅଟି କେଉଁ ଯୁଗରୁ ବିଭା ହୋଇଯାଇଛି । ବୁଢ଼ୀ ହଟ ଦାସକୁ ଆଶ୍ରା କରି ପଡ଼ିଥିଲା, ହଟ ତା’ ଭାଗ ଜମି ମାଣକ ଭୋଗ ଦଖଲ କରେ, ବୁଢ଼ୀ ଯେତିକି ପାରେ ଘର କାମ ଦେଖେ, ଦିନ କଟିଯାଏ । ମାୟାଦେବୀ ବହୁତ ଖୋଜି ଖୋଜି ତାକୁ ଠିକଣା କରିଥିଲେ, ବହୁତ କହି ପୋଛି ତାକୁ ଓ ହଟକୁ ରାଜି କରାଇଥିଲେ, ‘ବିଦେଶ ଜାଗାରେ’ ରମାର ମୁରବି ହୋଇ ସେ ରହିବ, ଯାହା ପାରିବ ସାହାଯ୍ୟ କରିବ, ସୁରକୁ ଖେଳାଇବ, ଏତିକି ତା’ର କାମ ।

 

ମୋତି, ସୁର ଓ ସେ ହୋଇ ରମାର ଛୋଟିଆ ପରିବାର । ଗାଁ ଗାଁ ବୁଲି, ବୋହୂ, ଝିଅ, ବୁଢ଼ୀ ଏମାନଙ୍କ ସଙ୍ଗେ ଚିହ୍ନାପରିଚ ହୋଇ, ଯୋଜନାର କାମ ବୁଝାଇ, କାଗଜ ଓ ବହି ବାଣ୍ଟି, ସାନ ପିଲାଙ୍କୁ ସଫା ସୁତୁରା କରାଇ ଗୁଣ୍ଡ ଦୁଧକୁ ଆଉଟାଇ ପିଲାଙ୍କୁ ପିଆଇ, ଆସନ୍ନପ୍ରସବା ଓ ପ୍ରସୂତିମାନଙ୍କୁ ସପ୍ତାହରେ ଦୁଇଥର ଦୁଧ, ମାଛ କରି ଭଲ କରି ଖୁଆଇବା ବନ୍ଦୋବସ୍ତ କରି, ମାଇପି ଲୋକଙ୍କୁ ପାଠ ପଢ଼ିବାକୁ ମତାଇ ନାନା ପ୍ରକାର କର୍ତ୍ତବ୍ୟ କାର୍ଯ୍ୟ ତୁଲାଇ ସେ ସେହି ବସାକୁ ଫେରିଆସେ, କବାଟ କିଳେ, ସୁରକୁ କୋଡକୁ ନିଏ, ମୋତି ସେତେବେଳେ ବର୍ଣ୍ଣନା କରେ ସୁରର କୌତୁକ କି ଅଝଟ ହେବାର କାହାଣୀ । ମୋତିର ପାଟି କଥା ଗପିବାକୁ ପାକୁ ପାକୁ ହେଉଥାଏ । ରମା କାନକୁ ସୁରର କାନ୍ଦଣା ମୋତିର ଗଡ଼ର ଗଡ଼ର ଉଭୟେ ଦୁଇ ପ୍ରକାର ସଙ୍ଗୀତ, ସେହି ତା’ ସଂସାରର ଚେଇଁଲା ବେଳର ଶବ୍ଦ, କେବେ ଶୁଣା ନ ଗଲେ ନିଛାଟିଆ ନିଛାଟିଆ ଲାଗେ । ବାପଘର, ଶାଶୂ ଘର ଓ ତାଲିମ୍ ସ୍ଥାନର ସଂସାର ପରି ଏଠି ବି’ ତା’ର ଗୋଟିଏ ସଂସାର, ଗୋଟିଏ ସଂସାରରେ ବୁଡ଼ି ରହିଥିଲା ବେଳେ ସେହି ହୋଇଥାଏ ବାସ୍ତବ, ପ୍ରକୃତ, ଅନ୍ୟ ସଂସାରର ଅନୁଭୂତି ଖାଲି କେବେ କେବେ ଶୁଣାକଥା ପରି ସ୍ମରଣରେ ଉଦୟ ହୁଏ, ନତୁବା ନାହିଁ । ସତେ ଯେମିତି ଏମିତି ତା’ ଜୀବନ ଆରମ୍ଭ ହୋଇଥିଲା, ଏଇତକ ମଣିଷଙ୍କୁ ଘେନି, ଆଉ ଏମିତି ତା’ ସରିଯିବ ।

 

ସେ ଏଠି ଯେଡ଼େ ନୂଆ ହେଲେ ସୁଦ୍ଧା ବନ୍ଧୁତା ଶତ୍ରୁତାମୟ ଉତ୍ତେଜନା ଏଠି ତା’ ଜୀବନକୁ ସ୍ପନ୍ଦିତ କରିବାକୁ ଆରମ୍ଭ କରି ଦେଇଥିଲା । ମୁହଁକୁ ଚାହିଁଦେଲେ ସତେ ଯେମିତି ବାରି ହୋଇ ପଡ଼େ ଯେ କିଏ ତାକୁ ସ୍ନେହ କରେ, କାହାର ତା’ପ୍ରତି ଅଶ୍ରଦ୍ଧା । ଘରେ ପଶୁ ପଶୁ ମୁଣ୍ଡରେ ଚାଳ ବାଜିଲା ପରି ଆଗ କଳି ଆରମ୍ଭ ହେଲା ଭଳି ହୋଇଥିଲା ଯେତେବେଳେ ବ୍ଲକରୁ ତା’ ପାଖକୁ ପନ୍ଦର ଟିଣ ଗୁଣ୍ଡଦୁଧ ଆସି ପହଞ୍ଚିଗଲା । ଏକାବେଳେ ମହିଳା ସମିତି ସେକ୍ରେଟେରୀ ରାଧାରାଣୀ ଦେବୀ ଓ ନି:ପ୍ରା: ସ୍କୁଲର ଶିକ୍ଷକ ବାଇଧର ମିଶ୍ରେ ଆସି ପହଞ୍ଚିଗଲେ । ବାଇଧର ହସି ଦେଇ କହିଲେ “ଆଜ୍ଞା, ଏଥର କେମିତି ଏ ବିଚିତ୍ର କଥା ହେଲା କେଜାଣି ? କାଳକଯାକ ତ ମୋରି ପାଖରେ ଜମା ଦେଇ ଯାଉଥିଲେ, ଇସ୍କୁଲ ଘରେ ସ୍ୱତନ୍ତ୍ର ଜାଗା କରାଯାଇଛି, ଟିଣଗୁଡ଼ାକ ରହି ରହି ଚଟାଣରେ ଦାଗ ହୋଇଯାଇଛି, ଗଲେ ଦେଖିବେ ସେଇଠି ଜଣକଦ୍ୱାରା ଆଉଟେଇ ଆଣି ଇସ୍କୁଲ ଘର ପିଣ୍ଡାରେ ପିଲାଙ୍କୁ ଦୁଧ ପିଇବାକୁ ଦିଆ ହୁଏ, ହାଜିରା ଲେଖାହୁଏ, ମୋ କାଗଜପତ୍ରରେ କେହି ଏତେ ଟିକିଏ ମଳି ଧୂଳି ପାଇବେ ନାହିଁ, ୟେ କୋଉ ନୂଆ କଥା ।

 

ମାଷ୍ଟ୍ରେ କଥା କହିଲା ବେଳେ ରାଧାରାଣୀ ହାକୁଟି ମାରିଲା ପରି ଚାରି ପାଞ୍ଚ ଥର “ଆଉ-! ଆଉ !” କହି ସାରିଥିଲେ । କହିଲେ “କାଳକଯାକ ନା ଆଉ କିଛି ! ମୁଁ ଏଠି ନଥିଲେ ୟାଙ୍କୁ ନୂଆ ଲୋକ ପାଇଛ ବୋଲି ମନରୁ ଫାନ୍ଦି ଯାହା ପାର ତା’ କହି କାମ ହାସଲ କରି ନେଇଥାନ୍ତ ସିନା ହୋ ମାଷ୍ଟ୍ରେ, ମୁଁ ପରା ଅଛି ।”

 

“କଣ ମିଛ କହିଲି ?” ମାଷ୍ଟ୍ରେ ଚିହିଁକି ଉଠିଲେ, “ଆମର ସ୍ୱାର୍ଥ କ’ଣ ଯେ ଆମେ ମିଛ କହିବୁ ? ଗୁଣ୍ଡ ଦୁଧ କ’ଣ ଆମ ମାର୍ଫତରେ ରହୁ ନଥିଲା !”

 

ରାଧାରାଣୀ କହିଲେ “ଆଉ ଆମେ କୁଆଡ଼େ ଗାଧୋଇ ଯାଇଥିଲୁ ? କାଳକଯାକ ପରା ମହିଳା ସମିତି ମାର୍ଫତ୍‍ରେ ଗୁଣ୍ଡଦୁଧ ଦିଆଯାଉଥିଲା ? ଆମେ ଆଉଟେଇ ବାଣ୍ଟୁଥିଲୁ । ହିସାବଟା ତୁମ ହାତରେ ଲେଖାଉଥିଲୁଁ ବୋଲି ତୁମେ କାରପଟଦାର ବୋଲୋଉଛ ପରା ।”

 

ବାଇଧର ଆଖି ଖୋଷି ଦେଇ କହିଲେ “ହେ ମହାପୁରୁ ? ଏ ଗୁଣ୍ଡଦୁଧ ଇସ୍କୁଲ ଘରେ ରହେ ନାହିଁ ?”

 

ରାଧାରାଣୀ କହିଲେ “ମହିଳା ସମିତିବାଲାଙ୍କ ଘରେ ଜାଗା ନଥିଲା ବୋଲି ଆମେ ଯଦି ପାଞ୍ଚଟିଣ ରଖିଥିଲୁଁ ଇସ୍କୁଲ ଘରେ ଦଶଟିଣ ରଖି ଦିଆ ହେଉଥିଲା, ତା’ ବି ଥରେ ଦିଥର କଲାରୁ ମନ ଛାଡ଼ିଗଲା । ଖାତାରେ କ’ଣ ଲେଖାହୁଏ ତୁମକୁ ଜଣା, ପିଲାଏତ ଯାହା ପାଆନ୍ତି ଛାଡ଼, ତେବେ ଅନ୍ତର୍ଯ୍ୟାମି ସାଆନ୍ତରା ଦୋକାନକୁ ଗଲେ ପଇସା ଦେଲେ ଗୁଣ୍ଡଦୁଧ କିଣିବାକୁ ମିଳେ । ଆମେ ସେଥିପାଇଁ ଠିକଣା କରିଥିଲୁ ଗୁଣ୍ଡଦୁଧ ଆସିଲେ ଆମ ମାର୍ଫତରେ ରହିବ, ଆଉ କାହା ମଧ୍ୟସ୍ଥି ଦରକାର ନାହିଁ ।”

 

ବାଇଧର ମୁହଁ ନେଫେଡ଼ି ଦେଇ ଖେଙ୍କି ଉଠି କହିଲେ “ଏଃ ! ଆମେ ଚୋର ଆଉ ଜଗତଯାକ ହେଇଚନ୍ତି ସାଧୁ ! ଖାଲି ଅନ୍ତର୍ଯ୍ୟାମି ସାଆନ୍ତରା ଦୋକାନରେ ଗୁଣ୍ଡଦୁଧ ମିଳେ, ଆଉ କାଳିନ୍ଦୀ ସୋଇଁ, ପ୍ରହଲ୍ଲାଦ ବେହେରା, ଦୁଃଖିଶ୍ୟାମ ଦାସଙ୍କ ଦୋକାନରେ ମିଳେ ନାହିଁ ? ସେମାନେ କୋଉଠୁ ଆଣି ଏତେ ଏତେ ବିକନ୍ତି ? ଦୁଃଖିଶ୍ୟାମ ଦାସଙ୍କ ଦୋକାନ ଖବର ତ ଆପଣଙ୍କୁ ବେଶି ଜଣାଥିବ, ସେ ତ ଆପଣଙ୍କ ନିଜ ଦିଅର, ପଚାରିଲେ କହିବେ ନାହିଁ ?”

 

ରାଧାରାଣୀ ତମତମ ହୋଇ ତାଙ୍କ ମୁହଁକୁ ଅନାଇଁଲେ, ଆଖିରୁ ନିଆଁ ହୁଳା ବାହାରୁଛି ।

 

ରମା କହିଲା “ଛାଡ଼, କିଏ କେଉଁ ଦୋକାନିକି ବେପାରିଠୁଁ ଆଣି କ’ଣ ବିକିଲା ଆମର ସେଥିରେ ଥାଏ କ’ଣ ? ଗୁଣ୍ଡଦୁଧ ଆସିଲା, ଭଲ ହେଲା, ଆଉଟା ହେବ, ପିଲାଙ୍କୁ ପ୍ରସୂତୀଙ୍କି ଦିଆହେବ, କିଏ କେଉଁ କାମ କରିବ ସେ ଭାର ବାଣ୍ଟ ନେଇ ତୁଲେଇଲେ ହେଲା ।”

 

ରାଧାରାଣୀ କହିଲେ “ତା’ ଆଉ ଅଟକି ଯିବ ? ହେଉଥିଲା ନା ! ମୁଁ ଲୋକ ପଠେଇ ଦେଉଛି, ନେଇଯିବ, ଆମ ଘରେ ତାଲାପଡ଼ି ରହିବ ।”

 

ମାଷ୍ଟ୍ରେ କହିଲେ “ମାଇପି ଲୋକେ ସେସବୁ ଅଡ଼ୁଆରେ କାହିଁକି ? ଇସ୍କୁଲ ଘରକୁ ତ ଯିବ । ସେଇଠି ଆମେ ତା’ ବରାଦ କରିଦେବୁଁ । ପିଲାଙ୍କୁ ସେଇଠି ଦୁଧ ଆଉଟେଇ ସାରି ପିଇବାକୁ ଦିଆହେବ । ପାଖରେ ତ ମୋ ବସା, ଦୁଧ ଆଉଟିବାର ସବୁ ବ୍ୟବସ୍ଥା ସେଠି ଅଛି । ମାଇପି ଲୋକଙ୍କୁ ଯେତିକି ଦିଆଯିବ ଆପଣ ହିସାବ ବୁଝାଇ ଦେଇ ସେଇଠୁ ସବୁଦିନେ ଗୁଣ୍ଡଦୁଧ ମଗାଇ ନେଉଥିବେ, ପଛେ ତାଲିକା ଦେଇ ଦେଉଥିବେ, ତା’ହେଲେ ଏକା ଖାତାରେ ଗୋଟାଏ ହିସାବରେ କାମଟା ରହିଥିବ । ଆଉ ଗୋଳମାଳ ନାହିଁ ।”

 

ରମା କହିଲା “ଆଉ ଫେର୍ ଏତେ ଆଡ଼ କାହିଁକି ? ଥୁଆ ତ ହୋଇଛି ଆମ ବସାରେ, ଥୁଆ ହୋଇଛି, ହିସାବଟା କ’ଣ ରଖି ହେବ ନାହିଁ ? ପିଲାଏ ଦୁଧ ପିଇଲାବେଳେ ହାଜିରା ପକାଇ ଦେଲେ ହେଲା, କେତେ ଅଇଲା କେତେ ଗଲା କ’ଣ ଲେଖି ରଖିହେବ ନାହିଁ ?

 

ଅପ୍ରୀତି–ଶତ୍ରୁ ତା’ର ଧାଡ଼ି ଧାପ ଏତିକିରେ ସରିଗଲା ନାହିଁ, ଏଇଠୁ ଆରମ୍ଭ ହେଲା । ଆରମ୍ଭ ହେଲା କାନଫୁସ୍‍ଫୁସ୍‍ ଅଭିଯାନ, ରମାର ଅତିତ ବିଷୟରେ କାହାଣୀ ତିଆରି ଆଉ ପ୍ରଚାର, କେଉଁଠି କିଏ ଛାଇତଳେ ବସି ପାନ ଭାଙ୍ଗୁ ଭାଙ୍ଗୁ ଚାରିଆଡ଼କୁ ତରଂ ତରଂ ହୋଇ ଚାହିଁ କେହି କୁଆଡ଼େ ନ ଥିଲେ ବି ତଣ୍ଟି ବସେଇ ବସେଇ ଡୋଳା ନଚେଇ ନଚେଇ ଓଠ ଓ ଭ୍ରୂଲତାରେ ନାନା ଭଙ୍ଗୀ ଖେଳାଇ ଆଉଜଣକୁ କହେ,– “ଶୁଣିଲଣି ?” । ଯେମିତି ଜଣକ ଘରୁ ଆଉ ଜଣେ କେଉଁ ସଂକ୍ରାମକ ବ୍ୟାଧି ଘେନି ଆଉ କାହା ଘରକୁ ଯାଏ, ବ୍ୟାଧି ବ୍ୟାପେ, ସେମିତି ତୁନିତାନି ହୋଇ ବ୍ୟାପି ଲାଗିଲା ରମାର କୁତ୍ସା । ଯାହାକୁ ସେ ଆଗେ ଜୀବନରେ କେବେ ଦେଖି ନ ଥିଲା ଚିହ୍ନି ନ ଥିଲା ସେମାନେ ପ୍ରତ୍ୟେକେ ସତେ ଯେମିତି ତାକୁ ଜନ୍ମରୁ ଚିହ୍ନିଛନ୍ତି, ପିଲାଦିନେ କେଉଁଠି କେବେ ସେ କୁଆଡ଼େ ପଡ଼ିଯାଇ ଖଣ୍ଡିଆ ହୋଇଥିଲା, କ’ଣ ସେ ଖାଇବାକୁ ଭଲପାଏ କି ପିନ୍ଧିବାକୁ ଭଲପାଏ, ଶୁଣାଶୁଣି କଳ୍ପନା ଓ ଯୋଡ଼ାଯୋଡ଼ିରେ ସମସ୍ତିଙ୍କର ସେ ବିଷୟରେ ନିଜ ନିଜର ଧାରଣା, ତା’ ସହିତ ବୁଢ଼ୀମା କାହାଣୀର କେତେ ପ୍ରକାର ପ୍ରକାରର ରଜାପୁଅ କଟୁଆଳ ପୁଅ, କେତେ ପକ୍ଷୀରାଜ ଘୋଡ଼ା କଥାକୁହା ପାଣି କଥା । ରାଧାରାଣୀ ଦେବୀଙ୍କ ଯୋଜନା ବଡ଼ ସରଳ ଥିଲା,–ଦଶ ତୁଣ୍ଡରେ ଛେଳି ହେବ କୁକୁର, ତା’ପରେ ବଡ଼ ପାଟିରେ ଏକା ସ୍ୱରରେ କୁହାଯିବ “କୁକୁର ବିଦା ହେଉ ।” କିନ୍ତୁ ବୟସ ବଢ଼ିବା ସଙ୍ଗେ ସଙ୍ଗେ ତାଙ୍କ ବୁଦ୍ଧି ଉପରେ ମାନ୍ଦା ମୁରୁଚା ଲାଗି ଯାଇଥିଲା, ଯେମିତି ଦେହରେ ଲାଗିଯାଇଥିଲା କିଛି ବେଶି ପରିମାଣରେ ମେଦ, ଡାହାଣ ପାଦରେ ବାତ, ସ୍ମରଣଶକ୍ତି ବି ଟିକିଏ ଗୋଳମାଳିଆ ହୋଇଯାଇଥିଲା, ସେ ରମା ବିଷୟରେ କାହା ଆଗରେ କ’ଣ କହିଥିଲେ ତା’ ତାଙ୍କର ମନେ ନ ଥିଲା, ତେଣୁ ଦଶ ତୁଣ୍ଡରେ ଛେଳି କୁକୁର ହେବା ପରିବର୍ତ୍ତେ କାହା ତୁଣ୍ଡରେ ହେଲା କୁକୁର, କାହା ତୁଣ୍ଡରେ ଗଧିଆ, କାହା ତୁଣ୍ଡରେ ବାଘ, କାହା ତୁଣ୍ଡରେ ବଣୁଆ ବାର୍‍ହା, କାହା ତୁଣ୍ଡରେ ଆଉ କ’ଣ । ସେମାନେ ପରସ୍ପର ଭିତରେ ଆଲୋଚନା କଲା ବେଳକୁ ବର୍ଣ୍ଣନା ଅମେଳ ହେଲା, ଥରେ ଅଧେ କେହି କେହି ଏକାଠି ଦି’ଜଣ ଚାରିଜଣ ହୋଇ ସନ୍ଦେହ ଭାଙ୍ଗିବାକୁ ରାଧାରାଣୀ ଦେବୀଙ୍କୁ ଧରିବାରୁ ସେ ଓଲଟି କହିଲେ “ଆଗୋ ! ମତେ କି ଜଣା ବା ! ମୁଁ ସିନା ତମରିଠୁଁ ଶୁଣିଛି ।”

 

ଆପଣା ମତରେ ଆଶାନୁରୂପ ପରିପୋଷକତା ନ ପାଇ ରାଧାରାଣୀ ଦେବୀଙ୍କ ଉତ୍ସାହ କମି ଆସୁଥିଲା, ସାଧାରଣ ଲୋକେ ରମାର ପ୍ରଶଂସା ଗାଇବୁଲୁଥିଲେ । ସେ ନିଜେ ଜାଣି ଶୁଣି ପ୍ରଶଂସା ପାଇବା ଉପାୟ ଧରି ନଥିଲା, ଖୁସାମତ କରୁନଥିଲା, କାହା ପାଖେ ଅତି ଆପଣାର ହେଉନଥିଲା, ସାଙ୍ଗମେଳରେ ଗୋଟାକୁ ଗୋଟା ଦ୍ୱିପ୍ରହର ବିତାଉ ନଥିଲା, ପଟ ନିଆନେଇ ଦଳ ଭିଡ଼ାଭିଡ଼ି କରୁନଥିଲା ।

 

ସମ୍ଭବତଃ ତାହା ବି ଗୋଟିଏ କାରଣ ଯେଉଁଥିପାଇଁ ଲୋକେ ତାକୁ ପ୍ରଶଂସା କରୁଥିଲେ ଓ ତା’ ପ୍ରତି ଆଗ୍ରହ ଦେଖାଉଥିଲେ । ସେ ମେଳାପୀ ହୋଇ ବି ଭାସିଯାଏ ନାହିଁ, ସେ ଆତ୍ମମର୍ଯ୍ୟାଦା ରଖିଥିଲେ ବି ତାଠିଁ ଗଉଁ ନଥାଏ, ସେ ହସମୁହୀଁ ହେଲେ ବି ହେରେସୀ ନୁହେଁ, ସେ ସରଳ, ସାଧାରଣ, ନିରାଡ଼ମ୍ବର ହେଲେବି ଲୋକେ ପଢ଼ିଲା ଭଳି ଖବରକାଗଜ ନୁହେଁ । ସେ ସେହି ପୁରୁଣା ଶିବମନ୍ଦିର ଦେହରେ ଶିଳାଲେଖ, ଯାହା ଅତି ଚିହ୍ନା ଅତି ଆଖିସଦା ଅଥଚ ପଢ଼ି ହୁଏ ନାହିଁ ବୋଲି ତା’ପ୍ରତି ମର୍ଯ୍ୟାଦା ଭାବ ଆସେ, ଆଉ ତାଠିଁ କେଉଁ ଗହଳ ଚେଣିଚମ୍ପାର ମହକ, କେଉଁଠୁ ବାହାରେ ବାରି ହୁଏ ନାହିଁ ।

 

କିନ୍ତୁ ପରର ଆଖିରେ ନିଜର ଦର କେତେ ବେଶି କି ଅଳ୍ପ ସେ ତା’ ଭାବିବାକୁ ମନ ବଳାଇ ନାହିଁ । କାମ କଲା ବେଳେ ନିଜକୁ ଭୁଲି କାମ କରେ, ଘରକୁ ଫେରି ଆସିଲେ ପଦା କଥା ଭୁଲି ଆପଣା ଜୀବନ ବଞ୍ଚେ । ଆଉ ମୋତି ଯଦି ପଦା କଥା କହେ,–“ଆଜି ଆସିଥିଲେ ସେ ସାହିର ସେ ମା’ଯେ–” ସେ ମୂଳରୁ ଦାବି ଦେଇ କହେ “ଥାଉ ଲୋ ମୋତି, ପର ଘର କଥାରେ ଆମର ଥାଏ କ’ଣ ?”

 

“ନାଇଁ ମୋ, ସେ କହୁଥିଲେ ଯେ–”

 

“ଯେ ଯାହା କହୁ ତୁ କାହିଁକି ଶୁଣୁଚୁ, ଆଉ ଶୁଣିଲୁ ଯଦି, ତୋ ପେଟରେ ଥାଉ, ମତେ ସେଗୁଡ଼ା କାହିଁକି ।”

 

ସଞ୍ଜେ ସକାଳେ ଯେତିକି ବେଳଯାକେ ଘରେ ଥାଏ ଘର କାମ ସୁର କାମରେ ବେଳ ସୁରୁଖୁରୁରେ କଟେ ।

 

ରାଧାରାଣୀ ବାଇଧରଙ୍କ ଅପପ୍ରଚାର ଶିଖା ଟେକିଲା, ପୁଣି ଲୋକେ ଉପରେ ପଡ଼ି ତାଙ୍କୁ ହିଁ ଛିଆ ଛିକର କରି ସେ ନିଆଁରେ ପାଣି ପକାଇଲେ, ଓଲଟି ତା’ର କର୍ମକୁଶଳତା ତା’ ସ୍ଵଭାବ ଚରିତ୍ରର ପ୍ରଶଂସା ବ୍ୟାପିଲା, ଆଉ ଭିଡ଼ ଜାଗାକୁ ତା’ର ସ୍ଥାନାନ୍ତର ଆଦେଶ ହେଉଥିଲା, ଲୋକେ ଆପତ୍ତି ଜଣାଇ ତା’ ବି ରୋକିଲେ, କେତେଠିଁ ଲୋକେ ତା’ ବିଷୟରେ କ’ଣ ଆଲୋଚନା କଲେ, ଏସବୁ ସେ କିଛି ଜାଣୁ ନ ଥିଲା, ବୁଝୁ ନ ଥିଲା । ଯେମିତି କେଉଁକାଳୁ ସେ ଏଠି ଏପରି ରହିଛି ସେ ସମୟର କଳନା ନାହିଁ, ତା’ର ଆଗ ନାହିଁ କି ପଛ ନାହିଁ ଖାଲି ଅଛି ଅଖଣ୍ଡ ସ୍ଥିତି ହିଁ ।

 

ଲମ୍ବ ହୋଇ ଶୂନ୍ୟେ ଶୂନ୍ୟେ ଟଙ୍ଗା ହୋଇ ରହିଛି ସତେ ଯେମିତି ଟେଲିଫୋନ୍ ତାର, ତା’ତଳେ କେଉଁଠି ବାଲିଚରା କେଉଁଠି ଶାଗୁଆ କ୍ଷେତ କେଉଁଠି ପଥର ଚାଁ ଚର କେଉଁଠି କ’ଣ । ତା’ଉପରେ କୁଆଡ଼ୁ କୁଆଡ଼ୁ ଉଡ଼ି ଆସି କେଉଁଠି ବସି ପଡ଼ନ୍ତି କି କି ଚଢ଼େଇ, କୁଆଡ଼େ ଉଡ଼ି ଯାଆନ୍ତି-। ସତେ ଯେମିତି ଆଗ ଶେଷ ତଳ ଉପରକୁ ଭୁଲି ସେମିତି ଟାଙ୍ଗି ହୋଇ ରହିବାରେ ହିଁ ତା’ର ଶାନ୍ତି । ହଠାତ୍‍ ସେଥିରେ ଝଣ୍ କରି ବାଜିଲା କେଉଁ ଆଘାତ, ଏମୁଣ୍ଡ ସେମୁଣ୍ଡ ଚମକିଗଲା ସେହି ଝଣ ଝଣ, ରମା ଚିଠିଟାକୁ ବାରମ୍ବାର ପଢ଼ିଲା, ସୁନା ଲେଖିଛି ହରର ବୋଉ ଆଉ ନାହାନ୍ତି ।

 

ବିଛଣା ଉପରେ ଚେଇଁ ଚେଇଁ ଅଳସେଇ ହୋଇ ପଡ଼ିଛି, କତିରେ ନିଘୋଡ଼ ନିଦରେ ସୁର । କବାଟ ତଳେ ଖରା ଧାସ ଦିଶୁଛି । ପ୍ରଥମ ଶବ୍ଦ କାନରେ ବାଜୁଛି ଘର ଖରକିବା ଖପର ଖପର, ମୋତି ସେପଟେ ଘର ଓଳାଉଛି ।

 

ରମାର ମନରେ ନିତିଦିନିଆଁ ଜୀବନର ସହଜ ସୁଖବୋଧ । ଶରତର ସଞ୍ଜ ନ ହେଉଣୁ– ଆକାଶରେ ଯେମିତି କେଉଁଠି ହାଲୁକା ନାଲି ରଙ୍ଗ ହାଲୁକା ଶାଗୁଆ ନେଳି ଉହାଡ଼ରେ ଛପି ରହିଥାଏ ଆଉ ଲାଗୁଥାଏ, କେଉଁ କେବେ ନ ଦେଖିବା କିମିଆଁ ବଳରେ କେଉଁ ଶ୍ୟାମଳୀର ଗାଲରେ ଉକୁଟୁଛି ଲାଜ କି ପ୍ରଣୟର ଫିକା ଅଳତା, ସେମିତି ରମାର ଚେତନା ଉହାଡ଼ରେ ଆପଣା ଆପେ ଫୁଟିଥାଏ ଜୀବନ ଆଶା ଓ ଉଷୁମର ସତେ ଯେମିତି ଗୋଲାପି ଧାସ । ସକାଳ ହେଲାଣି । ସେ ବିଛଣା ଛାଡ଼ି ଉଠି ପଡ଼ିବ । ତା’ ଆଗରୁ ଏହି କେତୋଟି ମୁହୂର୍ତ୍ତ,–ଖାଇ ବସିବା ଆଗରୁ ଖାଦ୍ୟର କଳ୍ପିତ ଅସ୍ପଷ୍ଟ ସୁଗନ୍ଧକୁ ଅନୁମାନରେ ଗ୍ରହଣ କଲା ପରି, ଚଢ଼େଇ ଡେଣା ଖୋଲି ଆକାଶକୁ ଉଡ଼ିବା ଆଗରୁ ବସାରେ ବସି ଥଣ୍ଟ ମୁନକୁ ପଦାକୁ ଅଳ୍ପ ଗଳେଇ ମିଟିମିଟି ଆଖିରେ ବସି ରହିଥିବା ଅବସ୍ଥା, ସେହି ମୁହୂର୍ତ୍ତ କେତୋଟି ଯାହାକୁ ଗଣି ହେବ ନାହିଁ ମାପି ହେବ ନାହିଁ । ଚେଇଁବା ଜୀବନର ଆରମ୍ଭର ମଙ୍ଗଳ ବାଜଣା ପରି ଚଟାଣ ଉପରେ ଛାଞ୍ଚୁଣି ଅଗର ଘର୍ଷଣର ଖପର ଖପର,–ସେଥିରୁ ତା’ ମନ ସଙ୍ଗୀତ ହିଁ ଗ୍ରହଣ କରୁଥିଲା ।

 

ତା’ପରେ ସେ କ’ଣ କରିବ ? ସେ ଚିନ୍ତା ତା’ର ନାହିଁ । ଅସୁମାରି ଉପାଦାନରେ ଯେଉଁ ଦେହଟା ତିଆରି ହୋଇଛି, ସବୁ ଅଲଗା ଅଲଗା ହୋଇ ତଥାପି ଛନ୍ଦାଛନ୍ଦି ହୋଇ ଏକାଠି, ସେମାନେ ତାଙ୍କ କାମ କରିଯିବେ, ଏ ଦେହଟା ଏଠୁ ସେଠିକି ହେଉଥିବ, ନେଉଥିବ ଦେଉଥିବ, ଧରୁଥିବ ଛାଡ଼ୁଥିବ, ଭୂଇଁରେ ଆଉ ଆକାଶରେ, ନିଜଠିଁ ଆଉ ଅପରର ଭଙ୍ଗୀରେ ଚାହାଣିରେ କେତେ ଛବି ଆଙ୍କୁଥିବ, ଛାଇ ଆଲୁଅ ଓ ହଲଚଲ ହେବାରେ ଶୁନ୍‍–ଛବି, ନଈ ପୋଖରୀର ପାଣି ଉପରେ ସାନ ସାନ ଢେଉ ପରି ସେ ଛବି ଉଠୁଥିବ ମିଳେଇ ଯାଉଥିବ, ବଞ୍ଚିଛି କି ବଞ୍ଚିନାହିଁ, ଅଛି କି ନାହିଁ ଖାଲି ସମ୍ବାଦ ସେତିକି । କିଏ ରଖେ କଳନା କେଉଁ ହଲିଲା ଦୋହଲିଲା ଛବିର ?

 

ବାରମ୍ବାର ଆଖି ବୁଜି ଦେଇ ଆଖି ଖୋଲି ସେ ସୁରକୁ କୁଣ୍ଢେଇ ଧରି ଗେଲ କଲା । ଏଥର ବାହାରର ଆଲୁଅକୁ ପବନକୁ ତା’ର ଯେତେ ଖିଅ ଲମ୍ବୁଥିଲା, ପାଣି ଉପରେ ଭାସୁଥିବା କଳମ୍ବ ଡଙ୍କରୁ ଚେରଜାଲ ପରି–ପୁଅକୁ ଗେଲ କରୁ କରୁ ସେଗୁଡ଼ିକ ଯେପରି ଗୋଟେଇ ଗୋଟେଇ ହୋଇ ପୁଣି ଆସି ପଶିଗଲା ତାଠିଁ, ସେ ଆପଣାକୁ ଅନୁଭବ କଲା । ହସି ହସି ଭାବିଲା, ଲୋକେ କହନ୍ତି ମାଇପେ ଦି’ଭାଗ ହୁଅନ୍ତି, ଭାଗେ ସେ, ଭାଗେ ୟେ, ତା’ ପୁଅ ସୁର । ଏଇଟା ଫେର୍ ‘ଭାଗେ’ ! ଏଇଟା ମଣିଷ ! ସେ ତା’ ଦେହକୁ ଅଣ୍ଡାଳିଲା ।

 

ତା’ ପରେ ମନେ ପଡ଼ିଗଲା ହର, ତା’ପରେ ମନେ ପଡ଼ିଗଲେ ତା’ ଶାଶୂ କନକମଞ୍ଜରୀ, ଉଜ୍ଜଳଗଡ଼ରେ ତାଙ୍କ ଭଙ୍ଗା ଉଆସର ପରିବେଷ୍ଟନୀ ଭିତରେ, ଆଉ ସୁନା, ନରେନ୍ଦ୍ର, ହୀରା, ରଙ୍ଗଲତା, ଗୋଟିକ ପରେ ଗୋଟିଏ, ପୁଣି ସମସ୍ତେ ଏକାଠି ହୋଇ । ଦିଶିଗଲା, ସୁର ଜନ୍ମ ହେବା ବେଳ କଥା, ଘରେ ସାହିକଯାକ ମାଇପେ, ତା’ଭିତରେ ସେମାନେ ସମସ୍ତେ, ମୁହଁରେ କି ଉଦ୍‍ବେଗ-! କେମିତି ଏକା ସାଙ୍ଗରେ ସମସ୍ତେ ସାହାଯ୍ୟ କରିବାକୁ ବ୍ୟାକୁଳ, ଯଦିଚ କାହାରି ଦେଇ କିଛି ହେବାର ସମ୍ଭାବନା ନାହିଁ । ଶାଶୂଙ୍କ ମୁହଁ ମନେ ପଡ଼ିଯାଉଛି । ଓଠ ଥରୁଥିଲା । ବଡ଼ପାଟି ନକରି ଠାକୁରଙ୍କୁ କେତେ ଜଣାଣ କରୁଥିଲେ । ନଇଁପଡ଼ି ଏକର ସେକର । ଛଟଛଟ ।

 

ସତେ ଯେମିତି କଷ୍ଟ ପାଉଥିଲେ ସେ, ପୁଅ ହେବ ବୋଲି । ପଛେ ତାଙ୍କ ନଣନ୍ଦ ରହସ୍ୟ ଲଗାଇ ସେପରି କହିବାରୁ କେମିତି ସେ ଗମ୍ଭୀର ହୋଇ କହୁଥିଲେ–‘‘ଆଗୋ ସତ କହୁଚ ଲୋ ରଙ୍ଗ, ସେମିତି ମତେ ଲାଗୁଥିଲା । କ’ଣ କରିବି ? ନିଆଁ ନଗା ମନତ । ସତେ ଯେମିତି ମୋ ହର ଜନ୍ମ ହେଉଛି । ମୁଁ ପରା ଅନୁଭବୀ ଗୋ, ଥରେ ନୁହେଁ, ତିନି ତିନି ଥର । ସେ ଦୁଃଖ କ’ଣ ଭୁଲିହୁଏ-।” ରଙ୍ଗଲତା କେତେ ହସିଥିଲେ ।

 

ଷଠୀଘର ଦିନ ତାଙ୍କର ସେ କି ଆନନ୍ଦ । ଗଣି ଗଣି ଏକୋଇଶଟି କଉଡ଼ି କାନ୍ଥରେ ମାରିଥିଲେ, ଷଠୀ କୋଠି ସଙ୍ଗେ ସେ ବି ଦିଶିଯାଉଛି ।

 

ସେ କ’ଣ ତା’ର କେହି ନୁହନ୍ତି ? ଖାଲି ସ୍ୱାମୀର ମା’ ?

 

ସେମାନେ କ’ଣ ତା’ର କେହି ନୁହନ୍ତି ?

 

ସାନ ସାନ ହୋଇ ଦିନ ଦିନକର ସେ କେତେ ସ୍ମୃତି, ଶାଗ ପତରରେ ସୋଗ !

 

ସେ ମଣିଷ ଉଭେଇ ଗଲେ ।

 

ରମା ଅନୁଭବ କଲା ତା’ ଗାଲ ଉପରେ ବୋହି ବୋହି ଲୁହ ଗଡ଼ି ପଡ଼ୁଛି । ଆଉ ସଙ୍ଗେ ସଙ୍ଗେ ସେ ଲୁହର ମୁହଁ ଶୁଖିଗଲା । କାନ୍ଦିବା ଉଚିତ ବୋଲି ଯେତିକି ତା’ ମନ ଯୁକ୍ତି କଲା ସେତିକି ତା’ ଛାତି ଭିତର ଶୁଖି ଶୁଖି ଗଲା, ଲାଗିଲା ସେ ଦୋଷୀ । ସ୍ୱାମୀ ମଲା ପରେ ସେହି ପୁରୁଣା ସମ୍ପର୍କ ତୁଟାଇଦେଇ ସେ ଚାଲିଆସିଛି, ଆଉ ଲେଉଟି ନାହିଁ, ଖୋଜି ନାହିଁ, ପଚାରି ନାହିଁ । ଶାଶୂ ଏ ପୂର ଛାଡ଼ି ଚାଲିଗଲେଣି, ଅନୁତାପ କଲେ ଦୋଷ ମାଗି ହେଲେ ବି ସେ ଫାଟ ଆଉ ଯୋଡ଼ି ହେବ ନାହିଁ ।

 

ଅଟକି ରହି ନିଜକୁ ସେ କଳିଲା ।

 

ମନ ଭିତରେ ନିଛାଟିଆ ଦୁଃଖ, ସେ ରୁଦ୍ଧି ହୋଇ ରହିଛି, ବାଟ ନାହିଁ । ସତେ କ’ଣ ସେ ଦୋଷୀ ? କି ଦୋଷ ? ତା’ ବି ସ୍ୱୀକାର କରି ପାରୁନାହିଁ । ତା’ ଦୁଃଖର ନାଁ’ ନାହିଁ ।

 

ଦବି ଦବି ଯାଉଛି, ତଳକୁ ତଳକୁ । କେହି କୁଆଡ଼େ ନାହିଁ, ଯେ ସାହସ ଦେବ, ସାନ୍ତ୍ୱନା ଦେବ, ଆଉଁସିବ, କଅଁଳେଇ ପଚାରିବ । ତେଣୁ ତା’ର ଛାତିର କୋହ ବାମ୍ଫୁଆଣି ହୋଇ ଛାତିରେ ହିଁ ରହିଛି, ଆହୁରି ତତଲା ହୋଇଯାଉଛି । “ଓଃ । କି ଛଟପଟ କଲବଲ ଏ ମଣିଷ ଜନମ”, ସେ ଭାବି ହେଲା । ଆଖିରେ ପଲକ ନାହିଁ । ପଡ଼ି ରହିଲା ।

 

ସେ ଯେଉଁ ଖରା ମୁହଁ ଗଳେଇଥିଲା କବାଟ ତଳ ଫାଟରେ କେତେବେଳୁ ସେ ଅପସରି ଗଲାଣି । ସୁର ଉଠିନାହିଁ । ମୋତି ଖପର ଖପର ସାରି ଝଣର ଝଣର କଲାଣି, ବାସନ ଧୁଆ ଶବ୍ଦ ସହିତ ଶୁଭି ଶୁଭି ଯାଉଛି କାଉମାନଙ୍କ କା’ କା’ । ରମା ବିଛଣାରେ ପଡ଼ିରହିଛି, ଆଉ ସେ ଦୁଃଖ ଅନୁଭବ କରୁନାହିଁ । ହୃଦୟ ଭିତରୁ ସୁଅ ତା’ର ବିଚାରକୁ ବୋହିଯାଇଛି, ସେହି ବାଟେ ତା’ର ମୁକ୍ତିଭାବନା ମାର୍ଗରେ । ଯାହା ସେ କ୍ଵଚିତ୍‍ କରେ ସେହିଆ କରୁଛି, ନିଜ କଥା ଭାବୁଛି । ସତେ ଅବା ମନ ମୁନ ଏକାଠି କରି ଶୂନ୍ୟେ ଶୂନ୍ୟେ ସେ ଆପଣାକୁ ଲେଖି ଯାଉଛି– ଲେଖା ସରୁନାହିଁ ।

 

କେବେ ଜନ୍ମ ହୋଇଥିଲା ମନେ ନାହିଁ । ଅତୀତକୁ ଚାହୁଁଛି, ବେକ ବୁଲୁନାହିଁ । କାହା ମୁହଁ ଦିଶୁନାହିଁ । ଅଥଚ ଲାଗୁଛି, କ’ଣ ସେଠି ଥିଲା, ଯହିଁରେ ଥିଲା ଗଭୀର ଆକର୍ଷଣ, ଆଉ ନାହିଁ । ଗୋଟାଏ ହାକୁହାକୁ, ତାକୁ ରୂପ ଦେଇହୁଏ ନାହିଁ । ଗୋଟାଏ ଛପିଲା ଦରଜ, ସବୁବେଳେ ନୁହେଁ, ଦାବିଲେ କାଟେ ।

 

ମନେ ପଡ଼ିଗଲା, ପିଲାଦିନର ଖେଳ, ଅରମାରେ ଗୋଟାଏ ଲଟି, ସେଥିରେ ସରୁ ସରୁ ଗୋଜିଆ ଫଳ, ପାକଳ ହୋଇଥାଏ । ତା’ ଆଗରେ ଛେପ ଟିକିଏ ବୋଳିଦିଅ, ଠୂ’କରି ଫୁଟିବ, ଫାଟିବ, ଭିତରୁ ମଞ୍ଜିଗୁଡ଼ାକ ବାହାରି ଏଣେ ତେଣେ ବିଞ୍ଚି ହୋଇଯିବ ।

ରମା ଭାବିଲା, ସେମିତି ସେ ପିଲାଦିନ, ସେ ନିଜେ ସେ ଗୋଜିଆ ଫଳ ଭିତରର ଗୋଟିଏ ମଞ୍ଜି । ଆଉ ତା’ ଉପରର ଖୋଳପା ଆସିବ ନାହିଁ । ଯେଉଁ ନିରାଡ଼ମ୍ବର ସରଳ ଦାରିଦ୍ର୍ୟର ଆଖି ବୁଜି ଆଦରି ନେବା ଅସହାୟପଣ ସମସ୍ତିଙ୍କୁ ସେଠି ଏକାଠି କରିଥିଲା ତା’ ଆଉ ଫେରିବ ନାହିଁ ।

ଶାଶୂଘର । ଆଉ ତା’ଠିଁ ସକ ସକ ନଥିଲା । ସେ ନିଷ୍ଠୁର ହୋଇ ଭାବିଗଲା–ଭଙ୍ଗାରୁଜା ଅରମା ଭିତରେ ଭାଙ୍ଗିପଡ଼ି ମାଟିରେ ମିଶିଯିବାର ଗୋଟାଏ ନୈରାଶ୍ୟମୟ ଛବି, କ’ଣ ସେଠି ଅଛି ଯାହା ସବୁ ଶିରୀ ପୋଛିପାଛି ଚାଟି ପିଇଦିଏ, ଉଦୁମୁଦା କରି ଚାରିଆଡ଼ୁ ବେଢ଼େଇ ଧରି ଦାବି ଦାବି ଦିଏ ତଳକୁ ତଳକୁ, ଦଳ ଜାଲ ଜାଲ କାକର ଦହର ତଳକୁ ତଳକୁ । କାହାର ସେ କି ଅପରାଧ କରିଥିଲା ଯେ ସଂସାରରେ ଏତେ ଜାଗା ଥାଉ ଥାଉ ସେଠି ଯାଇ ପଡ଼ିଲା, ସେହି ଯେଉଁଠି ଦର୍‍ହ ହାଣ୍ଡି ଚୂନାହୁଏ । ସତେ ଅବା ଦିଆଲି ଉଚ୍ଛବ କରିବାକୁ ଆଗ୍ରହୀ ହୋଇ ହାତରେ ଦୀପ ଧରି ଯେଉଁଠି ସେ ଠିଆହେଲା, ସେ ଗୋଟାଏ ମଶାଣି ଅପନ୍ତରା । ଓରମାଣ ଅଭିଯୋଗକୁ ନାହା କରି ମନେ ମନେ ସେ ଶୋକ ଓ ଅନୁଶୋଚନାର ଗଣ୍ଡ ଉପରେ ପାରି ହୋଇ ଚାଲିଗଲା ।

କିନ୍ତୁ ତା’ପରେ ଏଇ ଜୀବନ ଓ ତା’ର ଭବିଷ୍ୟତ । ଯାହାକୁ ସେ କ’ଣ କାହିଁକି ବୋଲି ନ ପଚାରି ନିର୍ବିବାଦରେ ନିଶ୍ୱାସର ପବନ ପରି ଆଦରି ନେଇଥିଲା ହଠାତ୍‍ ସେ ଲାଗିଲା ଅସମ୍ଭାଳ, ଅଣନିଶ୍ୱାସୀ, ଯେମିତି ପବନ ନୁହେଁ ପଥର କୋଇଲା ଧୂଆଁ ବହଳ ଧୂଳି ଆଉ ଯନ୍ତ୍ରର ତେଲ ସବୁ ଏକାଠି ହୋଇଛି ।

କେଉଁ ଗଣ୍ଡ ମଫସଲ ଭିତରେ ଠାଏ ଥିବ ତା’ର ବସା, କେଉଁ ଗାଁ’ର ଅଚିହ୍ନା ପର ମଣିଷ ସେ ଆସି ରହିଥିବ ତା’ ଚାକିରିର କର୍ତ୍ତବ୍ୟ ତୁଲେଇବାକୁ ଉପରେ ପଡ଼ି ଗାଁ’ ମାଇପଙ୍କ ସଙ୍ଗେ ଆପଣାର ହେବାକୁ । କେହି ତାକୁ ଲୋଡ଼ୁ କି ନ ଲୋଡୁ, ସେ ବସିବ ସଙ୍ଗାତ କି ବଉଳ, ହେବ ଅପା କି ମାଉସୀ । କେହି ତା’ କଥା ଶୁଣୁ କି ନ ଶୁଣୁ, ଯେଉଁ ଉନ୍ନୟନ ଧର୍ମ ପ୍ରଚାର କରିବାକୁ ସେ ଦରମା ଖାଉଛି ତା’ ମାହାତ୍ମ୍ୟ ତାକୁ ବଖାଣିବାକୁ ପଡ଼ିବ ଜଣ ଜଣ କରି, ଚୁଲିଟା ସେମିତି ନ ପାରି ଏମିତି ପାର ଯେ ଧୂଆଁ ପଦାକୁ ଚାଲିଯିବ, ପଙ୍ଗତ କରି ପଡ଼ିଆକୁ ନ ଯାଇ ଏମିତି ପାଇଖାନା ବ୍ୟବହାର କର, ଏମିତି ସଫା ସୁତୁରା ରହ, ପିଲାଙ୍କୁ ଏମିତି ପାଳ, ଏମିତି ଘର ସଜାଅ, ଏଇ ଏଇ ଖାଦ୍ୟକୁ ସୁଷମ ଖାଦ୍ୟ କହନ୍ତି ପଖାଳ ଶାଗ ପିତାଶୁଖୁଆ ନ ଖାଇ ତାକୁ ଖାଅ, ବୁଢ଼ୀ ହୋଇଥାଅ ପଛେ, ପାଠ ପଢ଼, ମହିଳା ସମିତିରେ ମିଶି, ସିଲେଇ ଆଉ ଉଲ୍ କାମ ଶିଖିବ ଆସ । ଏମିତି କେତେ କଥା ସେ ତା’ ଚାକିରି କର୍ତ୍ତବ୍ୟ ଅନୁଯାୟୀ କହୁଥିବ, ପିଲାଙ୍କୁ ଗୁଣ୍ଡଦୁଧ ଆଉଟାଇ ପିଆଉଥିବ, ଭେଦାରେ ପ୍ରସୂତି ଓ ମା’ମାନଙ୍କୁ ସପ୍ତାହକେ ଦିଥର ଖୁଆଉଥିବ ଡିମ୍ବ, ଦି’ଥର ଖୁଆଉଥିବ ମାଛ ଝୋଳ, ସଭ୍ୟା ଥାଆନ୍ତୁ ନଥାନ୍ତୁ ସଭା ଡକାଉଥିବ, ରିପୋର୍ଟ ଲେଖି ପଠାଉଥିବ, ସତେ ଯେତେବେଳେ ସମ୍ପର୍କ ଘନିଷ୍ଠ ହୋଇ ଆସୁଥିବ ସେତେବେଳେ ବଦଳି ହୋଇଯାଉଥିବ ଆଉ କୁଆଡ଼େ । ଭାବି ଯାଉଛି, ଭାବି ଯାଉଛି, ଅଟକୁ ନାହିଁ । ସତେ ଯେମିତି ସଳଖ ହୋଇ ସାମ୍ନାକୁ ଦିଶି ଦିଶି ଯାଉଛି ଗୋଟିଏ ସରୁ ଚଲାବାଟ, ସେହି ଗୋଟିଏ, ଦି’କରେ ଖାଲି ଅନ୍ଧାରି ବାଡ଼, ବାଁଏଁ ନୁହେଁ, ଡାହାଣେ ନୁହେଁ, ସିଧା । ସେହି ବାଟେ ବାଟେ ଚାଲିଛି ତା’ ଚିନ୍ତା ଅଟକୁ ନାହିଁ । କାହିଁକି ଏତେ କଥା ଭାବୁଛି ? ଆପଣାକୁ ପଚାରିଲା । ଦେହରେ ପିଲାର ଦେହର ଉଷୁମ୍, ମନ ହେଉଛି ଶୋଇ ରହିଥାଏଁ । ନିଶ୍ଚଳ, ନିଶ୍ଚିନ୍ତ ଆରାମରେ, ଆଉ କେଉଁଠି କ’ଣ ଭଲ କି ମନ୍ଦ କିଏ ପଚାରେ ? ଅଥଚ ଭାବିବାକୁ ହିଁ ହେଉଛି । ଚିନ୍ତା ଓଟାରି ହୋଇ ଚାଲିଛି ଆଗକୁ ଆଗକୁ, ବଳେ ବଳେ ।

ଆପଣା ମନକୁ ରୋକିବାକୁ ଚେଷ୍ଟା କରି ରମା ଭାବିଲା,–ନିଜେ ନିଶ୍ଚିନ୍ତ ହେବାକୁ ଇଚ୍ଛା କରି ମଣିଷ ଚିନ୍ତାକରେ କାହିଁକି ? ନିଶ୍ଚଳ ହେବାକୁ ମନ ବଳାଇ କାହିଁକି ହଲୁଥାଏ ବୁଲୁଥାଏ ? ନିଜ ଚିନ୍ତା ଯଦି ମଣିଷର ନିଜର ଅଧୀନ ନୁହେଁ ତେବେ କିଏ ସେ ଚିନ୍ତାର ସେ ଧାରଣାର କର୍ତ୍ତା ?

 

ଆଖି ବୁଜିଦେଲା । ଲାଗିଲା ସେ କେଉଁ ସୁଅ ତୋଡ଼ରେ ଭାସି ଭାସି ଚାଲିଛି । ମୁଣ୍ଡ ଆସ୍ତେ ଆସ୍ତେ ଝାଇଁ ମାରିଦେଲା । ରୋଷେଇ ଘର ଭିତରକୁ ବାସନ ବୁହା ହେବାର ଝଣଝଣ ସେ ଶୁଣିଲା । ତା’ପରେ ଶୁଣିଲା ଚଟାଣରେ କାଠ ଅଜଡ଼ା ହେବାର ଶବ୍ଦ । ମୋତି ଏଥର ଚୁଲି ଲଗାଇବ । କାମ ଆଗେଇ ଚାଲିଛି । ସେହି ଅସ୍ପଷ୍ଟ ଚେତନା ଭିତରେ ସେ ଭାବି ଲାଗିଥାଏ,–ସଂସାରରେ କର୍ତ୍ତା କେହି ନୁହେଁ, ସମସ୍ତେ କର୍ମ, ଯେ କର୍ତ୍ତା ସେ ଅଦୃଶ୍ୟ, ଅଗୋଚର ।

 

ତା’ ପିଲାଦିନେ କିଏ ତାକୁ କେବେ ଏପରି ପୁରୁଣା ଦର୍ଶନ ଶୁଣାଇଥିଲା ତା’ର ହେତୁ ନାହିଁ, କିନ୍ତୁ ଯେମିତି ଗୋଟାଏ ବାଣ ରଞ୍ଜକ ନିଭିଯାଇ ଭୁଲି ହୋଇ ପଡ଼ି ରହିଥିଲା ବେଳେ ହଠାତ୍‍ କେତେବେଳେ ଫୁଟେ, ଶବ୍ଦରେ କାନ ଫଟାଏ, ବର୍ଣ୍ଣରେ ଆଖି ଝଲସାଏ, ସେମିତି ସେହି ପୁରୁଣା ଶୁଣା କଥାଟା ସେତିକି ବେଳେ ଅତି ତାତ୍ପର୍ଯ୍ୟପୂର୍ଣ୍ଣ ହୋଇ ତା’ ମନରେ ଖେଳିଗଲା, ତା’ର ସବୁ ଖେଦ ସବୁ ବିତର୍କର ଉତ୍ତର ମିଳିଗଲା । ସେ ଭାବିଲାଗିଲା,–ମଣିଷ ଯେ ଘଟନାର କାରଣ ଖୋଜେ, ଭଲ ମନ୍ଦ ବୋଲି ମୂଳ ତଉଲ କରେ, ତା’ ଖାଲି ଆପଣାର ମନବୁଝିବା ପାଇଁ । ନୂଆ ଋତୁରେ ନୂଆ ଫୁଲ ନୂଆ ପତ୍ର ପରି କେଉଁ ଅଦେଖା ଶକ୍ତିର ନିର୍ଦ୍ଦେଶରେ ଘଟନା ଘଟି ଘଟି ଯାଏ, ସମ୍ପର୍କ ସମ୍ବନ୍ଧ ଲାଗେ, ତୁଟେ, ସେ ଆପଣାକୁ ରୁଚୁ କି ନରୁଚୁ, ଯେତିକି ଦିନ ଏ ସଂସାରରେ ସେ ରହିଲାଣି ଆପଣା ଅଭିଜ୍ଞତାରେ ଖାଲି ସେତିକି ତ ସେ ଦେଖିଛି, ଆଉ କିଛି ନୁହେଁ ।

 

ତେଣୁ ଏ ସକାଳ ପହରୁ କ’ଣ ହେବ ତା’ ପ୍ରାର୍ଥନା ? ଖାଲି ଏତିକି,–‘ସଦ୍‍ବୁଦ୍ଧି ଦିଅ । ତମର କେତେ ରୂପ, କେତେ ଭାବ, ମତେ ଯାହା ଭଲ ଯାହା ମନ୍ଦ ଯାହା ରୁଚିକର ଯାହା ଅରୁଚିକର ସବୁ ତ ତୁମରି ଲୀଳା, ତୁମରି ପ୍ରକାଶ । କେଉଁଥିରେ ବିଚଳିତ ନ ହୋଇ ଆପଣାକୁ ଏକାଠି ଠୁଳ କରି ଶାନ୍ତିରେ ରହିବାକୁ ପ୍ରୟୋଜନ ଖାଲି ସଦ୍‍ବୁଦ୍ଧି । ସେତିକି ଦିଅ ।”

 

ମନେ ମନେ ସବୁ ପରିଣାମ ଖୋଜାକୁ ପଛକୁ ଫୋପାଡ଼ି ଦେଇ ରମା ଖାଲି ଝୁଣାଧୂଆଁ ପରି ବାମ୍ପେଇ ଉଠ ସେତିକି ପ୍ରାର୍ଥନା କଲା । ବିଛଣାରେ ବସିପଡ଼ି ପିଲାକୁ ଘୋରେଇ ଦେଲା, ତା’ ମୁଣ୍ଡକୁ ଆଉଁସୁ ଆଉଁସୁ ମନେ ମନେ ଉଚ୍ଚାରଣ କଲା ଜୀବନରେ ପହିଲି ଥରକ ତା’ ନିଜ ବାଗର ପ୍ରାର୍ଥନାଟିଏ ।

 

‘‘ମତେ ଭଲ ଦେଖାଅ କି ମନ୍ଦ ଦେଖାଅ ମୋର ଛଳ ନାହିଁ, କେଉଁ ବାଟେ କୁଆଡ଼େ ନେଉଛ ତା’ ତୁମୁକୁ ଜଣା । ଯିବ ଥିବା ଯାକେ ସଦ୍‍ବୁଦ୍ଧି ଦିଅ, ହେ ମହାପ୍ରଭୁ, ସେତିକି ମୋର ମାଗୁଣି ।’’

 

‘ସଦ୍‍ବୁଦ୍ଧି’ ବୋଲି ଲୋକେ ପଦେ କ’ଣ କହନ୍ତି, ସେ ବି ମନେ ମନେ କହିଥିଲା, ତା’ପରେ ତା’ ସହିତ ଭାବିଥିଲା ଆଉ କେତେ ଚିହ୍ନା ଚିହ୍ନା ଶବ୍ଦ, ବହିରେ ପଢ଼ିଛି, ଅନ୍ୟମାନେ କହିବାର ଶୁଣିଛି । ତେଣେ ଶାଶୂ ମରିଛନ୍ତି, କୁଳ ପ୍ରଥା ଅନୁସାରେ ତାକୁ ଶୁଦ୍ଧ ହେବାକୁ ପଡ଼ିବ । ଆପଣା ମନ ଆପଣାକୁ ଦୋଷୀ କରୁଛି ଆହା, ବିଚରା ବୁଢ଼ୀ ମଣିଷ, ଥରେ ଯାଇ ଦେଖି ଆସିଥିଲେ ହେଲେ–ଆଉ ନରି, ଆଉ ସୁନା, ସେମାନେ ତାକୁ କେଡ଼େ ଭଲ ପାଉଥିଲେ ! ଯେତେ ଭାବୁଛ, ସେ କାହାରି କିଛି ଅନିଷ୍ଟ କରିନାହିଁ, ତା’ର କିଛି ଦୋଷ ନାହିଁ, ତଥାପି କେମିତି ଦୋଷୀ ଦୋଷୀ ଲାଗୁଛି, ମୁହଁ ଶୁଖିଯାଉଛି । ଆଉ ଲାଗୁଛି ଆଗକୁ ଚାହିଁଲେ ତା’ ଜୀବନଟା ହିଁ ଘଷରା, ଏ କାମ ତାକୁ ସତେକି ଆଉ ରୁଚୁ ନାହିଁ, କାହିଁକି ଆସିଥିଲା ସେ ହେତୁ ପାଉ ନାହିଁ, ମଲା ଶାଶୂଙ୍କର ଶେଷ ଦେଖା ମୁହଁ ସଙ୍ଗରେ ଏକାଠି ଦିଶିଯାଉଛି ମହିଳା ସମିତିର ସେକ୍ରେଟେରୀ ରାଧାରାଣୀଙ୍କ ମୁହଁ, ଶିକ୍ଷକ ବାଇଧରଙ୍କ ହଁ, ଯେପରି ଗୋଟାକ ସହିତ ଆଉ ଗୋଟାକର କ’ଣ ସମ୍ବନ୍ଧ ଅଛି । ସେ ଆପଣାକୁ ଶାନ୍ତ ସଂଯତ କରିବାକୁ ଚେଷ୍ଟା କଲାବେଳେ କିଏ ଯେମିତି ତା’ ଉପରେ ବିଛୁଆତୀ ଗୁଣ୍ଡ ଛାଟି ଦେଇଛି । ମନରେ ସଦ-ବୁଦ୍ଧି ନାହିଁ, ଅଶାନ୍ତି ।

 

ସେ ଆଜି ଉପାସ କରିଛି ।

 

ସୁରକୁ ଗାଧେଇ, ଖୁଆଇ, ଖେଳାଇ ନିଜକୁ ଭୁଲାଇ ରଖିଲାବେଳେ ବାରମ୍ବାର ସେ ଅନୁଭବ କରୁଛି ଗୋଟାଏ ଉଦାସୀନ ନିଛାଟିଆ କେହି ନାହିଁ ଭାବର ସିଠା ଗେରୁଆପଣ ।

 

ଦି’ ପହର ଢଳିଲା । ସୁର ଶୋଇଲା । ଝାଇଁ ଝାଇଁ ଖରାରେ ଝାଉଁଳିଥିବା ଗଛ ବୁରୁଛ ଉପରେ ସେହି ନିଛାଟିଆ ଉଦାସୀନତାର ଝଳି ଫୁଟିବାର ସେ ତା’ ଝରକାର କନା ଉପରୁ ଦେଖି ସାରିଲାଣି । ଦାଣ୍ଡଘରକୁ ଗଲା । କାନ୍ଥରେ ମରା ହୋଇଥିବା ମହାତ୍ମାଗାନ୍ଧୀଙ୍କ ଛବି ଉପରେ ଦାଣ୍ଡ ଝରକାବାଟେ ଛାଇତଳିଆ ଆଲୁଅ ଆସି ପଡ଼ିଛି । ଛବିର ଫନ୍ଦ ଉପରେ ଯୋଡ଼ିଏ ଘରଚଟିଆ ପ୍ରାଣପଣେ ଖୁମ୍ପା ଖୁମ୍ପି ଡେଣା ପିଟା ପିଟି ହୋଇ ଯୁଦ୍ଧ କରୁଛନ୍ତି, ଛବି ପିଠିଆଡ଼େ ଗୁଡ଼ାଏ ଅଲରା ଝାଟୁଆ ସାଇତା ହେଲାଣି, ତା’ ଭିତରୁ ଗୋଟାଏ ଘରଚଟିଆ ସରୁ ବେକ ବଢ଼ାଇ ଯୁଦ୍ଧର ଫଳା ଫଳ ଲକ୍ଷ୍ୟ କରୁଛି ।

 

ରମା ସେହି ଛବିଆଡ଼କୁ ବିହ୍ଵଳ ହୋଇ ଅନାଇଁ ରହିଲା । ଘରଚଟିଆ ଉଡ଼ିଗଲେ ।

 

ଲାଗିଲା ସେହି ଛବିର ଆଖି ତାକୁ ଚାହିଁ ରହିଛି । ଯେ ବଞ୍ଚିଥିଲା ବେଳେ ସେ କେବେ ତାଙ୍କ ପାଖ ପଶି ନାହିଁ ତାଙ୍କ ମୁହଁର ଛବି ତାକୁ ଲାଗିଲା ଅତି ଚିହ୍ନା, ଅତି ଆପଣାର । ତାଙ୍କ ବିଷୟରେ ଯେତେ ଯାହା ସେ ପଢ଼ିଛି ଶୁଣିଛି ସବୁ ସେ ଚାହାଣିରେ ମୂର୍ତ୍ତି ଘେନି ଫୁଟି ଉଠିଲା । ସେ ମୁଣ୍ଡ ପୋତି ରହିଲା ।

 

ମନେ ମନେ ଦିଶିଯାଉଥାଏ, ସେହି ରୂପ ଆଗରେ ସେ ଠିଆ ହୋଇଛି, ସେ ଆଖିକୁ ଚାହିଁଛି । ସେହି କେବେ ନ ଦେଖିଥିବା ପରିବେଷ୍ଟନୀକୁ ସେ ରୂପ ଦେବାକୁ ଚେଷ୍ଟା କରୁଥାଏ । କେଉଁଠି ତାଙ୍କୁ ଦେଖୁଛି ? କେଉଁ ପାହାଡ଼ ପରି କୋଠାର ଶଙ୍ଖ ମଲମଲ ପାହାଚ ଉପରେ, ଯାହା ଆଗରେ ଧାଡ଼ି ହୋଇ ଲାଗି ରହିଛି ଦାମୀ ଗାଡ଼ିଗୁଡ଼ାଏ ? ଖାପୁ ନାହିଁ । କେଉଁ ସଜାସଜି ମଣ୍ଡପ ଉପରେ ସୁନା ରୁପା ଜରି ଲଗା ଚାନ୍ଦୁଆ ତଳେ ଯେଉଁଠି ବିଜୁଳି ଆଲୁଅରେ ଅନ୍ଧାର ରାତି ଦିନ ପରି ଜଳୁଛି, ହଜାରେଟା ବଡ଼ ବଡ଼ ଦାମୀ ବାହାଘରର ବାଣ ବାଜା ରୋଶ୍‍ନୀ ଆଡ଼ମ୍ୱର ଫାଟି ପଡ଼ୁଛି ? ଖାପୁ ନାହିଁ । ନଡ଼ିଆ ତୋଟାର ଛାଇ ତଳେ କେଉଁଠି ନଡ଼ିଆ ପତ୍ର ଛୁଆଣି କୁଡ଼ିଆ ଦୁଆର ମୁହଁରେ-? ଖାପିଗଲା । ଜନ୍ତୁ କି ମଣିଷ ସେଠି ଡରରେ ପଳାଇ ନାହାନ୍ତି, ଭୟରେ କାଠ କଣ୍ଢେଇ ପାଲଟୁ ନାହାନ୍ତି, ବଡ଼ପଣ ଦେଖି ଆପଣା ସାନପଣ ଭାବି ଲାଜରେ ମାଟିରେ ମିଶୁନାହାନ୍ତି, ପିଲାଏ ପାଖକୁ ଆସୁଛନ୍ତି, ମାଇପେ ଆସୁଛନ୍ତି, ଗୋରୁ ଗାଈ ମଠେଇ ମଠେଇ ସେହି ବାଟେ ଯାଉଛନ୍ତି, ବଡ଼ ସାନ ଆସୁଛନ୍ତି, ଯାହାର ହୋଇଥାଉ ଯେପରି ଭେକ କି ଅଭେକ, ସମସ୍ତିଙ୍କ ମୁହଁରେ ସ୍ନେହ ଆଉ ଉକ୍ତି ଯେପରି ସେ ଦୁଃଖର ସୁଖର ହୋଇ ସମସ୍ତିଙ୍କର ଆପଣାର ମଣିଷ, ସମସ୍ତେ ତାଙ୍କ ଆପଣାର, ଗୋଟିକା ଗୋଟି ନିଜର ଲୋକ-। ଦୋଷ କଲେ ବି ସେଠି କ୍ଷମା ଅଛି, ଯେଡ଼େ ଅକୁହାର ହେଲେ ବି ସେଠି ଅଛି ମମତା, ସେଠି ଆକୁଳ ପାଇଁ ସାନ୍ତ୍ୱନା ଅଛି, ଭୀରୁ ପାଇଁ ସାହସ ଅଛି, ନିରାଶାର ଅନ୍ଧାର ଭିତରେ ଅଛି ଅଶାର ଆଲୁଅ, ଦାଉ ଦାଉ ଚଲା ବାଟ ।

 

ତାଙ୍କରି ଛବି, ପ୍ରତି ମଣିଷ ଭାବେ ସେ ତା’ର ।

 

ସେ ତୁଣ୍ଡରେ କଥା ନକହି ସୁଦ୍ଧା ମଣିଷର ଅନ୍ତର ସଙ୍ଗେ କଥା କହନ୍ତି ।

 

‘‘କାହିଁକି ମୁଁ ଅଶାନ୍ତ ? କ’ଣ କଲେ ଏ ଅନ୍ତର ଶାନ୍ତି ପାଇବ ?’’ ରମାର ମନ ଛାଆଁକୁ ଛାଏଁ ତାଙ୍କୁ ପଚାରିଲା ।

 

ପ୍ରତିଧ୍ୱନି ପରି ମନେ ମନେ ତା’ର ଉତ୍ତର ମିଳିଲା,–‘‘କର୍ତ୍ତବ୍ୟ” । ତା’ର ପିତା ପଡ଼ିଯାଇଥିବା ମନ ଏ ସହଜ ଉତ୍ତରରେ ବୋଧ ହେଲା ନାହିଁ । ଅଝଟ ହୋଇ ସେ ସତେକି ତା’ ବାପାକୁ ବାତ ବଢ଼େଇ ଦେଉଛି, ସେହିପରି ସେ ଛବି ଆଗରେ ଠିଆ ହୋଇ ମନେ ମନେ ଘୁସୁରିଲା,–

 

“ହଁ, କର୍ତ୍ତବ୍ୟ ! କ’ଣ ସେ କର୍ତ୍ତବ୍ୟ ? ନା ଖାଲି ଗୋଟାଏ ତୁଣ୍ଡର କଥା, ଯେମିତି ଲୋକେ କହନ୍ତି ‘ସଂସ୍କୃତ’ କି ‘ସାଂସ୍କୃତିକ ଅନୁଷ୍ଠାନ’, ଯାହା ଅର୍ଥ ହୋଇପାରେ କେଳା ନାଟ କି ଗୋଟିପୁଅ ନାଚ କି ଦି’ସଉତୁଣୀ କଳି ଅଭିନୟ କି ମୁହଁକୁ ମୁହଁ ଯୋଡ଼ି ଦେଇ ଗୋଟାଏ ରାଗ ଧିସା ଜଣା ନାହିଁ ଗାଉଁ ଗାଉଁ ହାଉଁ ହାଉଁ ବୋବାଳି ! ଯେମିତି ଆଉ କେଜାଣି କେତେ ମାର୍କାମରା ଶବ୍ଦର ଧୂଆଁ ବାଣ, ସେହି ଯେଉଁଗୁଡ଼ାକ ନୂଆ ନୂଆ ନିତି ନିତି ତିଆରି ହୋଇ ବଣ୍ଟା ହେବାକୁ ବିଞ୍ଚା ହେବାକୁ ପଠାଯାଏ, ଶୁଣିଲେ ଆଖି ଖୋଷି ହୋଇଯାଏ, ଭାବିଲେ କି ଅନାଇଁ ଦେଖିଲେ କିଛି ମିଳେ ନାହିଁ ।

 

ତୁମେ ସାକ୍ଷାତ୍ ମହାତ୍ମା, ତୁମେ ବିଷ୍ଣୁ ଅଂଶୀ, ତୁମେ ଦେବତା, ଗୁରୁ, ବାପା ! ଥାଆନ୍ତୁ କି ଆଜି ! ଦେଖନ୍ତ, ବୁଝନ୍ତ । ରମାର ଆଖି କଣରେ ଲୁହ ଜକେଇଲା, ଆଖି ଉପରେ ବିଛେଇ ହୋଇଗଲା ଜାଲ, ଥମ ଥମ ମୁହଁ ଡେରେଇ ରହିଲା । ଅନ୍ତର ଭିତରୁ ନୀରବରେ ବାହାରି ଗଲା ଭାଷା,–

 

‘‘ଯେମିତି ନାଁ ସୋରିଷତେଲ, ପ୍ରକୃତରେ ସେ ବହୁ ପ୍ରକାର ତେଲ ମିଶା ମିଶି, ଖାଦ୍ୟ–ଅଖାଦ୍ୟ, ଯେମିତି ଆଉ ସବୁ ପଦାର୍ଥ, ସେମିତି ଆଜିକାଲି ଶବ୍ଦ କି ଭେକ, ସେ ଯାହାର ନାଁ ତା’ର ସ୍ୱରୂପ ନୁହେଁ, ଆଉ କାହାର ସ୍ୱରୂପ ନାଁ କି ଭେକ ଆଉ ପ୍ରକୃତ ତାତ୍ପର୍ଯ୍ୟକୁ ବୁଝାଏ ନାହିଁ, ଘୋଡ଼ାଇ ରଖିବାକୁ ଘେନା ହୁଏ ପରା !

 

ସଇତାନ୍‍ର ଜାତି ଜାତି ଭଦ୍ର ପୋଷାକ ହାତ ପାଆନ୍ତିରେ ଟଙ୍ଗା ହୋଇ ରହିଲା ପରି ଶବ୍ଦଗୁଡ଼ାକ କାନ୍ଥରେ ବାଡ଼ରେ ସବୁଠି ଯାହାର ଯେଉଁଟା ଇଚ୍ଛା ସେ ଗୋଟେଇ ନେଉ ନିଜକୁ ଢାଙ୍କିବାକୁ ବ୍ୟବହାର କରୁ, ଯେଉଁଠି ହେଲେ ଦଳେ ଥିବେ, ପାଳି ଧରିବେ, ଦାମ୍ ଦେଲେ ଅଧରାତିରେ ବି ପାଳିଆ ଉଠି ଆସିବେ, ଆଉ ଦଳେ ଥିବେ, ବାର୍‍ହା ଗୋଠ ପରି, ଆଗରେ ଆଗରେ ଯେତେ ଯେ ଗୋଟି ଗୋଟି ହୋଇ ଖାଲରେ ପଡ଼ୁଥାଆନ୍ତୁ, ସେମାନେ ତଥାପି ସେହି ସଳଖେ ଧାଇଁଥିବେ, ଶବ୍ଦ ହେବ ଗୋଠ ଆଡ଼େଇ ନେବାକୁ ମନ୍ତ୍ର !

 

କି କର୍ତ୍ତବ୍ୟ କରିବି ବାପା ? କାହା କଥା ମାନିବି ? କେଉଁଟା ମୋ ପକ୍ଷେ କର୍ତ୍ତବ୍ୟ ? କିଏ କହିବ ?”

 

Unknown

ସେ ଛବିର ଆଖିରେ ସତେ ଅବା ପଲକ ପଡ଼ିଲା, ଆଖିରେ ଜ୍ୟୋତି ଖେଳିଗଲା, ତତଲା ଅପନ୍ତରା ଉପରେ ହଠାତ୍ ମେଘ ଘୋଡ଼େଇଲା ପରି ଚେତନା ତା’ର ଥମ୍ବି ଯାଇ ଅପେକ୍ଷା କଲା, ତା’ର ଅନ୍ତର ଭିତରେ ସହଜ ହୋଇ ଉତ୍ତର ଶୁଭିଲା ।

 

‘‘କହିବ ତୋର ଅନ୍ତର । ମୁଁ ତ ସେହିଆକୁ ପଚାରୁଥିଲି । ତେବେ ଶୁଣିନାହୁଁ ତା’ ସ୍ୱର ? ହେତୁ କର, ବାରମ୍ବାର ଶୁଣିଛୁ, ଶୁଣୁଥିବୁ । ନ ପଚାରିଲେ ବି ସେ କହେ । ଶୁଣିଥିବୁ, କାନେଇ ନ ଥିବୁ ।’’

 

ରମା ଚମକି ପଡ଼ି ଝରକାବାଟେ ପଦାକୁ ଚାହିଁଲା । କେଡ଼େ ଚୁପ୍ ଚାପ୍, ନିଛାଟିଆ !

 

ସତେ ଯେମିତି ତା’ ମୁଣ୍ଡରେ ନିଶା ଚଢ଼ିଛି । ସାନ ଟେବୁଲ ଉପରେ ଢଳି ପଡ଼ି ଦି’ହାତ ଭରା ଦେଇ ସେ ଗୋଟାଏ ବେତମୋଡ଼ା ଉପରେ ବସିଥାଏ, ଛବି ଆଡ଼କୁ ବେକ ମୋଡ଼ି ଦେଲା, ଛବିକୁ ନ ଚାହିଁ ମନେ ମନେ ପୁଣି ପଚାରିଲା, ‘‘ସତ, ଆପଣା ଭିତରେ ନିର୍ଦ୍ଦେଶ ଖୋଜିଲେ ମିଳେ-

 

ଦୁନିଆଁ ତ ଆପଣା ମନ ନାଖି ଚଳିବାକୁ ସୁଯୋଗ ଦେବ ନାହିଁ, ସେ ନିର୍ଦ୍ଦେଶ ମାନି କିଏ ଚଳିପାରେ ?’’

 

ଆପେ ଆପେ ତା’ ଆଖି ସେ ଛବିର ଆଖି ଆଡ଼କୁ ଟେକି ହୋଇଗଲା । ସେ ଆଖିରେ ଆଉ ହସ ନାହିଁ, ତମ୍ବାଳିଆ ଥମ୍ବିଲା ତୋଫାନର ଛବି । ସେ ଉତ୍ତର ଦେଲା ‘‘ସେହି ନିର୍ଦ୍ଦେଶ ମାନି ଚଳିବାକୁ ଚେଷ୍ଟା କରିବା ହିଁ ମଣିଷ ଜୀବନରେ ସାଧନା, ସେଥିପାଇଁ ଯାହା ତ୍ୟାଗ ଦେବାକୁ ପଡ଼େ ସେ ଖାଲି ଯଜ୍ଞରେ ଆହୁତି, ଆଉ ଶେଷ ଆହୁତି ତ ଆତ୍ମବଳି ଦାନ । ସେ ସାଧନା ନ କଲେ ମଣିଷ ଜୀବନର ବି ପ୍ରୟୋଜନ କ’ଣ ? ବଞ୍ଚିଲେ କେତେ ନ ବଞ୍ଚିଲେ କେତେ ?’’

 

ରମା ବିହ୍ଵଳ ହୋଇ ତେଣେ ଚାହିଁ ରହିଛି, ଯେପରି ସେ ଛଟପଟ ହେଉଛି ଆଉ ଆପତ୍ତି କରୁଛି ‘‘କିଏ କରିବ ତା’ ? ଡର । ଡର ।’’ ସେହି ତମ୍ବାଳିଆ ଆଖିର ଝଳି ତଳେ ଆଷାଢ଼ର କଳାମେଘ ଗମ୍ଭୀର ହୋଇ ବିହଳ ହେଉଛି, ବିଜୁଳି ଖେଳୁଛି, ସେ ଠାଣିରେ କାହାରି କୋହଳପଣ କି ବୁର୍ବଳତା ପାଇଁ ଥାନ ନାହିଁ, ଡର ନାହିଁ, ତରତର ହୋଇ ଉଠିପଡ଼ି ଛାତିରେ ନିଶ୍ୱାସ ଟାଣି ଟାଣି ଛାଡ଼ୁ ଛାଡ଼ୁ ତା’ର ଅନ୍ତର ଭିତରେ ଶୁଭୁଛି ।

 

‘‘ସେହି ଡର ହିଁ ମଣିଷକୁ ପଙ୍ଗୁ କରେ, ନଷ୍ଟ କରେ, ପଶୁଠୁଁ ଅଧମ କରେ, ପାଗଳ କରେ । ସବୁ ମିଛ ପାପ ହିଂସାର ଉତ୍ପତ୍ତି ଭୟରୁ, ନା, ନା, ଡରକୁ ମୋର ସ୍ୱୀକାର ନାହିଁ, ମଞ୍ଜୁର ନାହିଁ, ଆପଣାର କ୍ଷତି କି ଧ୍ୱଂସ କି ପରର ଅଶ୍ରଦ୍ଧା ଅନାଦର ଶତ୍ରୁତାର ଡର, ଡର ନ ଛାଡ଼ିଲେ ଭଗବାନ ଦେଇଥିବା ଜୀବନ ବି ହେବ ଗୋଟାଏ ବୋଝ, ଗୋଟାଏ ଅଭିଶାପ । ତୁ ନିର୍ଭୟ ହ ।’’

 

ଚିଠି ଲେଖି ମନିଅଡ଼ରରେ ସୁନା ପାଖକୁ ପଚିଶି ଟଙ୍କା ପଠାଇ ସେ ତା’ ମଲା ଶାଶୂ ପ୍ରତି ବୋହୂର କର୍ତ୍ତବ୍ୟ ଶେଷ କରିଥିଲା, ତା’ପରେ ସେକଥା ଭୁଲି ଯାଇଥିଲା । ଆଉ ସେଦିନ ସେ ମହାତ୍ମା ଗାନ୍ଧୀଙ୍କ ଫଟୋ ଆଡ଼କୁ ଅନାଇଁ ଅନାଇଁ ମନ ଭିତରର ଅଜଣା ଗମ୍ଭୀରା ଭିତରୁ ସେ ଯେଉଁ ଧ୍ୱନି, ମଝିରେ ମଝିରେ ଅତି ଆପଣାର ହୋଇ ଯାହା ଶୁଭି ଶୁଭିଯାଏ, ତାକୁ ବି ସେ ଭୁଲି ଯାଇଥିଲା, ଯେପରି ସେ ନିଛାଟିଆ ରାତିରେ ଦୂରରୁ ଶୁଭୁଥିବା ରେଳଗାଡ଼ିର ସିଟି ପରି କ’ଣ ଗୋଟାଏ ଶବ୍ଦ, ଗୋଟାଏ ଚମକ ଲଗାଇଦିଏ, ଅଳ୍ପ ବେଳ ପାଇଁ କେଉଁ ପାଶୁରିଥିବା ଅନୁଭୂତିକୁ ମନେ ପକାଇଲା ଭଳି ଲାଗେ, ତା’ପରେ ସେ ବି ଯାଏ ଭୁଲି ହୋଇ । ସେମିତି କେଉଁ ମୁର୍ହୂତ୍ତ ମୁର୍ହୂତ୍ତକେ କେତେ କେତେ ପଣ, ପ୍ରତିଜ୍ଞା, ନିଷ୍ପତ୍ତି, କେତେ କଣ୍ଟ, ଡାଇରିରେ ଲେଖା କେତେ ଯୋଜନା ପଢ଼ିଥିବା ଓ ଭାବିଥିବା କେତେ ନୀତି ନିଷ୍ଠାର ଚିଠା, ସେଗୁଡ଼ିକ ତା’ ମନ ଭିତରେ ଯେତେବେଳେ ଉଠେ ସେତେବେଳେ ସେ ଅତି ସତ ଓ ଜୀଅନ୍ତା ଜଣା ପଡ଼େ, ତା’ପରେ କୁଆଡ଼େ ସେ ଛପି ଯାଏ, ଧୂଳି ଢାଙ୍କି ହୋଇ ପୁରୁଣା ପେଡ଼ିର ଆଳୁକୁଚି ମାଳୁକୁଚି ପରି, ତା’ର ବି କେବେ କିଛି ପ୍ରୟୋଜନ ଥିଲା ଏପରି ଧାରଣା ବି ଭୁଲି ହୋଇଯାଏ । ହୁଏତ ଯେଉଁ ସାଧାରଣ ଜୀବନର ଛନ୍ଦରେ ସେ ଆପଣାକୁ ଖାପ ଖୁଆଇ ପାହୁଣ୍ଡ ପକାଉଥିଲା ସେଥିରେ ବେଳ କାଳକେ ସେ ନୀତି ଆଦର୍ଶର ଚେତନାର ଉପଯୋଗ ଥିଲା ଠିକ୍ ସେମିତି, ଯେମିତି ଚିଆଁ ଜୀବନରେ ସ୍ୱପ୍ନର ଉପଯୋଗ, ଘୋଳାବିନ୍ଧା ଭଲ ହୋଇ ଯାଇ ପୁଣି ନିତିଦିନ ପରି ଚଳନ୍ତି ଗତକୁ ଆଦରି ନେବାକୁ ସ୍ୱାଭାବିକ ପ୍ରାକୃତିକ ଔଷଧ ଭଳି । ରମା ସେହି ଗାଁରେ ଗ୍ରାମସେବିକା ହୋଇ କାମ କରୁ କରୁ ନିର୍ବିଘ୍ନରେ ମାସ ଉତ୍ତାରୁ ମାସ ବିତି ଚାଲିଲା, ଧର୍ମ କରି ପୁଣ୍ୟ ଠୁଳ କଲା ପରି ଚାକିରି କରି ଚାକିରି ମାପରେ ଯେଉଁ ନାଁ ଲୋକେ ସଞ୍ଚନ୍ତି, ତା’ର ଉପରିକମାନଙ୍କ ଧାରଣାରେ ଲେଖାରେ ସେ ବି ସଞ୍ଚୟ କଲା, ତା’ ଚାକିରି ଦମ୍ଭ ଆଉ ଟାଣ ହେଲା । ଚାରିପାଖରେ ଅବସ୍ଥାକୁ ବାହାରିଆ ଲୋକର ଦେଖିବା ବାଗରେ ଅନାଇଁ ପରଖି ସମାଲୋଚନା କଲା ଭଳି ଆଉ ତା’ର ମନ ହୋଇନାହିଁ । ଏଣିକି ସେ ଭିତରର । ସତେ ଯେମିତି ଅନାଦି କାଳରୁ ଏ ସମାଜ, ଏ ସଂସ୍ଥା, ଏ ସରପଞ୍ଚ, ଏ ମହିଳା ସମିତି ଓ ଏ ଗ୍ରାମସେବିକା ଚାକିରି ସେହିପରି ଅଛି ଆଉ ମୂଳରୁ ସେ ଜନ୍ମ ହୋଇଛି ଏଇ ଗା’ରେ ଗ୍ରାମସେବିକା ହୋଇ, ଅବିକଳ ଠିକ୍ ଏହି କର୍ତ୍ତବ୍ୟ ଏହିପରି ଭାବରେ ତୁଲାଇବାକୁ । ସେଥିରେ ସହଜ ବୋଲି କିଛି ନାହିଁ, କଷ୍ଟ ବୋଲି କିଛି ନାହିଁ । କରିବାକୁ ହେବ, ଏତିକି ଛାଡ଼ିଦେଲେ ଆଉ କୌଣସି କାମରେ ଭଲ ମନ୍ଦ ବୋଲି ତାତ୍ପର୍ଯ୍ୟ କିଛି ନାହିଁ । ଆପଣା ବାଟ ଆପଣା ଅଭ୍ୟାସ ଅନୁଯାୟୀ ଅନୁସରଣ କଲେ ବି ଅନ୍ୟ ଯେତେ ବାଟ ତା’ ଆଖିରେ ପଡ଼ୁଛ ସବୁ ସେ ଆଖିରେ ଓ ମନରେ ସହି ଶଖିଛି । ‘ସବୁ ଏପରି ହୁଏ’, ସବୁ କଥାକୁ ଏତିକି ତା’ ମନରେ ପ୍ରତିକ୍ରିୟା, ସେ ସମାଲୋଚିକା ନୁହେଁ କି ସଂସ୍କାରିକା ନୁହେଁ ।

 

କହି ପୋଛି ନୂଆ ପ୍ରକାରର ଚୁଲିଗୁଡ଼ିଏ ସେ କେତେ ଘରେ ପରାଇ ଦେଇଛି, ସେଥିରେ ଘର ଭିତରେ ଧୂଆଁ ହୁଅନ୍ତା ନାହିଁ । କେତେକ କରିଛନ୍ତି କୁତୂହଳରେ, ଆଉ କେତେ ଯେ ତାକୁ ଦୟା ପାଇ । ସେମାନେ ତୁଣ୍ଡରେ ସ୍ୱୀକାର କରନ୍ତି, ଏ ଚୁଲି ଭଲ, କିନ୍ତୁ ଘରେ ଯେତେ ଧୂଆଁ ହେଉ ପଛେ, କ୍ଵଚିତ୍ ସେମାନେ ପୁରୁଣା ପ୍ରକାରର ଚୁଲିକୁ ଛାଡ଼ନ୍ତି । ସିଲାଇ ମେସିନ୍ ପକାଇ ସେ ସିଲାଇ ଶିଖାଏ, ସେମାନେ ଆସି ସାଙ୍ଗ ସୁଖରେ ବସନ୍ତି, କିନ୍ତୁ ତାଙ୍କର ଜାମାପଟା ଦରକାର ହୁଏ ନାହିଁ, ପିଲାଙ୍କ ପାଇଁ ଯାହାର ଦରକାର ହୁଏ,–ସେ ଦୋକାନରୁ କିଣାଇଁ ଆଣେ । ଯେତେ ସେ ବୁଝାଏ, ସିଲାଇ ଶିଖି ପଇସା କମାଇଁ ହେବ ସେ ଉପଦେଶ ସେମାନଙ୍କ ଭଣ୍ଡାରି ଜଳାରେ ପଶି ବାହାରି ଯାଏ । ସେ ଶିଖାଏ ଉଲ୍ ବୁଣା, ଆପେ ଶିଖିଥିବା ନାନା ଜାତି ଫାଶ । ଗୋଟାଏ କୁକୁର କି ଗାଈ କି ମୟୂର କି ଏହିପରି କିଛି ବୁଣିବା ପର୍ଯ୍ୟନ୍ତ ସେମାନଙ୍କର ଧେର୍ଯ୍ୟ ଥାଏ, ସେତିକି ପର୍ଯ୍ୟନ୍ତ ମା’ ମାନେ ଆଗ୍ରହୀ ହୁଅନ୍ତି ଯେ ଝିଅମାନେ ଶିଖନ୍ତୁ, ଶାଶୂ ଘରକୁ ଗଲେ ସାହିଲୋକେ ଦେଖିବେ । ଆଉ କିଏ ଶିଖେ ସଉକିନ୍ ବ୍ୟାଗ୍ ବୁଣା । କିନ୍ତୁ ଗୋଟାକେତେ ପରେ ଆଉ ନାହିଁ । ମୋଜା କେହି ପିନ୍ଧନ୍ତି ନାହିଁ । ଗେଞ୍ଜି ବଜାରରୁ କିଣା ହୁଏ । ସ୍ଵେଟର ପାଇଁ ଉଲ୍ କିଣିବାକୁ ଏତେ ଖର୍ଚ୍ଚ ଏତେ କଷ୍ଟ କରିବାକୁ କାହାର ଇଚ୍ଛା ନାହିଁ । ଏସବୁ ଜିନିଷ ଗାଁରେ କରି ସହରରେ ବିକିବାକୁ ପଠାଇବା ଲାଗି କାହାରି ମନ ହୁଏ ନାହିଁ । ବହିରେ ଲେଖାଥିବା ‘ସୁଷମ’ ଖାଦ୍ୟ ତିଆରି କରିବାକୁ ଯେତେ ସେ ଫୁସୁଲାଏ ସେମାନେ ତହିଁରେ ସା ଦିଅନ୍ତି ନାହିଁ । ‘‘ନିକୁଟି ନାଥିଆ ହୋଇ ଏତେ ମାପି ଚୁପି ଏଥିରୁ ଟିକିଏ ସେଥିରୁ ଟିକିଏ କରିବାକୁ କାହାର ଗରଜ ପଡ଼ିଛି ମ ? ତାକୁ ଛୁଇଁବ କିଏ ? ସେମାନେ କହନ୍ତି । ଆଉ କହନ୍ତି ‘‘ପେଟପୁରା ମୁଠିଏ ପଖାଳ କି ଭାତ, ସୁଆଦିଆ କରି, ଆଶା ମେଣ୍ଟିଲା ଭଳି ଗୋଟାଏ ତରକାରି ମିଳି ପାରିଲେ ତ କେଡ଼େ କଥା, ଆଉ ସତର ସିଦ୍ଧି କରୁଛି କିଏ-?’’ ଭଗବାନ ଯାହାକୁ ଦେଇଛି ତ ସେ ପାଉଛି, ଯାହାକୁ ନ ଦେଇଛି ତ ନାହିଁ, ଆଉ ଏଥିରେ କଥା କ’ଣ ଅଛି ?’’ ପାନଖିଆ ବିରୁଦ୍ଧରେ ମୁହଁ ଖୋଲି ସେ ଖାଲି ହାସ୍ୟାସ୍ପଦ ହେଲା । ସେମାନେ କହିଲେ ‘‘ଭାତ ନ ମିଳିଲେ ପଛେ ମଣିଷ ଉପାସ ଶୋଇବ ସିନା, ପାନଖଣ୍ଡେ ନ ମିଳିଲେ ମଣିଷ ଚଳିବ କେମିତି ?’’ କୁକୁଡ଼ା ପାଳିବା ପ୍ରସ୍ତାବ ସେ ଥରକରୁ ଦି’ଥର ଉଠାଇବାକୁ ସାହସ ପାଇନାହିଁ-। ବେଶି ପିଲା ହେଲେ ମା’କୁ କଷ୍ଟ, ପୋଷିବାକୁ କଷ୍ଟ ଏ ବିଷୟରେ କାହାଠୁଁ ଭିନ୍ନେ ମତ ସେ ଶୁଣିନାହିଁ, କିନ୍ତୁ ସେ ବିଷୟରେ କ’ଣ କରିବାକୁ ହେବ ସେକଥା ଆଲୋଚନା ଆରମ୍ଭ କରୁ କରୁ ମାଇପେ ଉଠି ପଳାଇବାର ସେ ଦେଖିଛି, ଯେ ରହିଛନ୍ତି ସେମାନେ ତା’ କଥାକୁ ହସରେ ଉଡ଼ାଇଛନ୍ତି, ସେ ଆଉ ଭରସି ନାହିଁ । ନୂଆ ନୂଆ ହିତକର ଧାରଣା, ଉପାୟ, ବୁଦ୍ଧି, ଉପରିକମାନଙ୍କଠୁଁ ମିଳିଥିବା ତୁଣ୍ଡ ଉପଦେଶ, ଲେଖା ଉପଦେଶ ସବୁ ସେ ତୁହାଇ ତୁହାଇ ସେମାନଙ୍କ ଆଗରେ ବଖାଣିଛି, ଝିଅ, ବୋହୂ, ବୁଢ଼ୀ ଟୋକୀ ସମସ୍ତିଙ୍କ ଆଗରେ । କାହା କାନରେ ଫୁସ୍‍ଫୁସ୍ କରି, କେଉଁମାନଙ୍କୁ ଏକାଠି ଭେଳାଇ, କେତେବେଳେ ବାଟ ଚାଲିଲାବେଳେ, ତା’ ଆଡ଼ୁ ସେ ତ୍ରୁଟି କରିନାହିଁ । କିନ୍ତୁ ଯଦି କେହି ମନ ଦେଇ ତା’ କଥା ଶୁଣନ୍ତି ସେ ଦେଖେ ସେ ମୁହଁର ଠାଣି ଗାଈ ମୁହଁର ଠାଣି ପରି ଦିଶେ ଶାନ୍ତ, ଧୀର ନିବିଷ୍ଟ, କିନ୍ତୁ ବାହାରର କିଛି ଭାବ କି ଅର୍ଥ ସେଥିରେ ପଶୁଛି କି ନାହିଁ ଜଣା ପଡ଼େନାହିଁ ।

 

ତା’ର ଛୋଟିଆ ଅଭିଜ୍ଞତାରେ ସେ ବୁଝିଥିଲା ଗୋଟାଏ କଥା,–ଗାଁ ଭିତରେ ନାନା ବାଡ଼, ପରସ୍ପର ସହିତ କେତେ ଅପଡ଼, କିନ୍ତୁ ଯେଉଁଠି କଥା ଉଠେ ଗାଁ ସହିତ ଗାଁ ବାହାରର ସମ୍ପର୍କ ଘେନି, ସେଠି ଗାଁଟା ସତେକି ଗୋଟା, ଏକାଠି ହୋଇ ଗୋଟାଏ ସ୍ୱତନ୍ତ୍ର ଘର ପରି । ସେ ଘରେ କେହି ବାହାର ଲୋକର କଥାରେ ଚଳିବାକୁ ସୁଖ ପାଏ ନାହିଁ, ମନ ଭିତରେ ଥାଏ ସନ୍ଦେହ କି ଗାଁ ଆଣ୍ଟର ଅଭିମାନ । ସେ ଘର ଆପଣାର ପୂର୍ବ ଚଳଣିକୁ ବିଶ୍ୱାସ କରେ, ନୂଆ ଚଳଣିକୁ ତେରେଛା ହୋଇ ଅନାଏଁ, ଭଲ ମନ୍ଦ, ନ୍ୟାୟ ଅନ୍ୟାୟ ବିଷୟରେ ତା’ ନିଜର ଅନେକ ବଦ୍ଧମୂଳ ଧାରଣା, ସବୁବେଳେ ଯେ ତା’ର ଧାରଣା ଅନୁସାରେ କ୍ରିୟାକୁ ଅନୁମାନ କରି ହେବ କି କ୍ରିୟା ଅନୁସାରେ ତା’ ଧାରଣାକୁ ବୁଝିହେବ ଏପରି ବି ନୁହେଁ । ଚିନ୍ତା, କଥା, କାମ ତିନିଆଡ଼େ ବି ହୋଇପାରେ, କିନ୍ତୁ ଆଖିରେ ଲାଭ ନ ଦେଖି ନିଜ ଦିହାତିରେ ଲାଭ ଅନୁଭବ ନ କରି ସେ ନୂଆ ବାଗକୁ ଆଦରିବ ଏପରି ସମ୍ଭବ ନୁହେଁ । ପଦାରେ ବୁଲି ଆସି ଦାଣ୍ଡଘରେ ଲୁଗା ପାଲଟି ଥୋଇଦେଲା ପରି ସେ ଗ୍ରାମଲୋକ ବାହାରୁ ଉପଦେଶ ଓ ବକ୍ତୃତା ଶୁଣି, ହୁଏତ ସବୁଥିରେ ହୋଇ ହୋଇ ମାରି ଘରକୁ ଆସି ଆପଣା ପୂର୍ବ ଢଙ୍ଗରେ ସବୁ କାମ କରେ । ବାହାର କଥା ରହିଲା ବାହାରେ ।

 

ସେମାନେ ଯେତିକି ଟିକିଏ ବଦଳୁଛନ୍ତି ସେ କାହାରି ନିର୍ଦ୍ଦେଶ କି ବୁଝାବୁଝିରେ ନୁହେଁ, ପରିସ୍ଥିତି ଚାପରେ ଆପେ ଆପେ ।

 

‘ଆସୁ’ ଏଠିକି କଳ କାରଖାନା, ସଡ଼କ, ବିଜୁଳି, ବସୁ ଦୋକାନ ବଜାର, ହୋଟେଲ, ସିନେମା, ବିକି ଧନ ସାଇତିବା ବଢ଼ାଇବା ଓ ଆହୁରି ଅଧିକ କିଣି କିଣି ଖାଇବା ପାଇଁ ସେମାନଙ୍କୁ ସୁଯୋଗ ମିଳୁ, ସେଥିରେ ତାଙ୍କର ଲୋଭ ବଳୁ, ପଢ଼ନ୍ତୁ ଏମାନେ ଇସ୍କୁଲ କଲେଜରେ ବଡ଼ ବଡ଼ ପାଠ, ଯେମିତିକି ବଡ଼ ବଡ଼ ଚାକିରି କରିବେ, କାରଖାନାରେ ଶିଳ୍ପ କାମ କରିବେ, ବେପାର କରିବେ, ସେତେବେଳେ ବଳେ ସେମାନେ ବଦଳିବେ । ଆଗ ବଡ଼ ସଡ଼କଟାଏ ଲାଗିଗଲେ ମନକୁ ମନ କେତେ ପରିବର୍ତ୍ତନ, ରେଳ ଷ୍ଟେସନ ଖୋଲିଗଲେ ଆହୁରି କେତେ ତା’ ସାଙ୍ଗକୁ କତିରେ ଯଦି ଖୋଲିଗଲା ବଡ଼ କାରଖାନାଟାଏ ତେବେ ତ ପରିବର୍ତ୍ତନର ସୁଅ ଧାଇଁ ଧାଇଁ ପଶିବ ଘାଇଭଙ୍ଗା ନଈବଢ଼ି ପାଣି ପରି । ଆଉ ଅନ୍ୟ ଉପାୟରେ ପ୍ରଚାର ନିରର୍ଥକ ।’’

 

ଭାବି ଭାବି ଏତେଗୁଡ଼ାଏ ଓଜନିଆଁ କଥା ସେ ଚିଠିରେ ଲେଖି ପଠାଇ ଦେଇଥିଲା ତା’ ସାଙ୍ଗ ପ୍ରଭାତୀ–ମଞ୍ଜରୀ ପାଖକୁ । ଓରାମ୍ ଝିଅ ପ୍ରଭାତୀ ଗ୍ରାମସେବିକା ତାଲିମ୍ ପାଇ ସାରି ତା’ର ଜନମ ଜିଲ୍ଲା ସୁନ୍ଦରଗଡ଼କୁ ଲେଉଟି ଯାଇଛି । ଭଲ ମନ୍ଦ ଲେଖେ । ରମା ଭିବିଥିଲା ପ୍ରଭାତୀ ବୁଝିବ-। ସେଠି ତ ଲାଗି ରହିଛି ଶିଳ୍ପାଞ୍ଚଳ ସୃଷ୍ଟି ଯୋଗୁଁ ପରିବର୍ତ୍ତନ,–ଯାହା ଥିଲା ଅଗନାଗ୍ନି ବନସ୍ତ, କେଉଁ କୋଣରେ ପାହାଡ଼ ବଣସନ୍ଧିରେ ଛପି ରହିଥିଲା ଯେ ବାହାରର ଦୁନିଆଁ ତା ନାଁ ଶୁଣି ନଥିଲା, ସେ ସ୍ଥଳ ଆଜି ବିଜୁଳି ଆଲୁଅରେ ଦାଉ ଦାଉ, ସେଠି ଗହଳ ଚହଳରେ ଭୂଇଁ ଦୁଲୁକିଛି, ତା’ ନାଁ ଆଜି ସମସ୍ତଙ୍କ ଜିଭ ଆଗରେ,– ରାଉରକେଲା, ଟେନ୍‍ସା, କିରିବୁରୁ, ଯୋଡ଼ା, ବଡ଼ବିଲ୍, କେତେ ନାଁ ।

 

‘‘ଉପାୟ ତ ସେହି, ସୁଅ ମୁହଁ ଖୋଲି ଦେଲେ ଆପେ ତଡ଼ି ହୋଇଯିବ ସବୁ ମାନ୍ଦା ରକ୍ଷଣଶୀଳତା, କୁସଂସ୍କାର, ଅଳସୁଆଗିରି, ପୁରୁଣା ଚଳଣି ପୁରୁଣା ଅଭ୍ୟାସରେ ଘାଣ୍ଟି ହୋଇ ଚାଳକୁଡ଼ିଆ ଓ ଲେଙ୍କୁଡ଼ିକୁ କୁଣ୍ଢେଇ ଧରିଥିବା ପ୍ରବୃତ୍ତି । ସେଇଠୁ ସେମାନେ ବି ହେବେ ପାଠୁଆ, ଧୋବ ଧାଉଳିଆ, ସେମାନେ ଜୋତା ମାଡ଼ିବେ, ମଟର ଚଢ଼ିବେ, ଉଡ଼ାଜାହାଜରେ ଉଡ଼ିବେ, ରହିବେ ବିଜୁଳି ଆଲୁଅ ବିଜୁଳି ପଙ୍ଖା ପାଣିକଳ ଖଞ୍ଜା ହୋଇଥିବା ମାହାଲା ମାହାଲା ଘରେ, ଯୁଗ ସହିତ ଆପେ ପାଦ ପକାଇ ଚାଲିବେ, କେହି ବତାଇବା ଦରକାର ପଡ଼ିବ ନାହିଁ । ଆଜି ଯେଉଁମାନେ ପୃଥିବୀରେ ଏପରି ଆଗୁସାର ହୋଇଛନ୍ତି ତାଙ୍କ ପୂର୍ବ ପୁରୁଷ ତ ଆଗେ ଲଙ୍ଗଳା ହୋଇ ଗୁମ୍ଫାରେ ରହୁଥିଲେ, ନଖରେ ଦାନ୍ତରେ ଛିଣ୍ଡାଇ ଛିଣ୍ଡାଇ କଞ୍ଚା ମାଂସ ଖାଉଥିଲେ ।’’

 

ଚିଠିଟି ଲେଖିସାରି ସେ ବାରମ୍ବାର ପଢ଼ିଥିଲା । ଆପଣା ପାଖେ ଆପେ ଭାଷାରେ ଆତ୍ମପ୍ରକାଶ କରିବାର ଗୌରବ ଅନୁଭବ କରିଥିଲା । ଲାଗିଥିଲା ତା’ ଭିତରେ ସତ୍ତା ଅଛି ମହାକାଶଚାରିଣୀ ଭାଲେଣ୍ଟିନା ତେରୋସ୍କୋଭାଙ୍କର । ମାନ୍ଦା ମଠୁଆ ଗୋରୁଚରା ପଡ଼ିଆ ଛାଡ଼ି ସେ ଉଡ଼ିବାକୁ ଚାହେଁ ଉପରକୁ, କେଉଁ ଅଜଣା ମହାଶୂନ୍ୟକୁ । ଲାଗୁଥିଲା ସତେ ଯେମିତି ତା’ର ରକ୍ତକଣିକା ଭିତରେ ଠେଲି ପେଲି ହେଉଛି ତୀବ୍ର ଅସହିଷ୍ଣୁତା, ବାହାରେ ଯାହା ଦେଖୁଛି ସବୁ ଫିକା, ସିଠା ମନ ମାନୁନାହିଁ । କାନରେ ଶୁଭି ଶୁଭି ଯାଉଥିଲା ତା’ର ସେ ଚିନ୍ତା ନାଖି କେତେ ଶବ୍ଦର ଧ୍ୱନି, କେଉଁଟା ସେ ଶୁଣିଛି, କେଉଁଟା ପଢ଼ିଛି, ଭାବିଛି ଆଉ ଶୁଣିଲା ପରି ଲାଗିଛି ।

 

ସେହିଦିନ ରାତିରେ ସେ ତା’ ପୁଅ ସୁରକୁ ଶୁଆଇଲା ବେଳେ ତା’ ମୁଣ୍ଡ ଥାପୁଡ଼ୋଇ ଗୁଣୁଗୁଣୁ ହେଉ ହେଉ ଭାବୁଥିଲା,–ତା’ ସୁର ବଡ଼ ହେଲେ ହେବ ଯନ୍ତ୍ରପାତି କଳକାରଖାନା ବେପାର ବଣିଜର ମାଲିକ ହୋଇ ପ୍ରକାଣ୍ଡ ବୈଜ୍ଞାନିକ ଶିଳ୍ପପତି ଖାଲି ଧନ କି କ୍ଷମତାରେ ବଡ଼ ହେବ ସେତିକି ନୁହେଁ, ଖାଲି ଅର୍ଜିବା ଖର୍ଚ୍ଚ କରିବା ବିଷୟରେ ସବୁଠୁଁ ବଡ଼ ହେବ ସେତିକି ନୁହେଁ, ସେ କେତେ କ’ଣ ନୂଆ ନୂଆ ଉଦ୍ଭାବନ କରିବ, ଏ ଦୁନିଆକୁ ବଦଳାଇବ, କେତେ କ’ଣ ଅତି ସୁଖକର ଅତି ଚମତ୍କାର ନୂଆ ଅନୁଭୂତି ଭୋଗ କରୁଥିବ ଯାହା ଆଜି ମଣିଷର କଳ୍ପନାରେ ବି ନାହିଁ-। ସେତେବେଳକୁ ଏ ଦେଶ କ’ଣ ବଦଳି ନ ଥିବ ? ବଦଳିଥିବ । ଖାଲି ଚନ୍ଦ୍ରକୁ କ’ଣ, ନାନା ଉପଗ୍ରହକୁ ମଣିଷ ସେତେବେଳେ ଆତଯାତ ହେଉଥିବେ । ଆପଣା ବ୍ୟବହାର ପାଇଁ ଏପରି କେତେ କ’ଣ ଆବିଷ୍କାର କରିସାରିଥିବେ ଯାହା ଆଜିକା ମଣିଷଙ୍କୁ କିମିଆ ପରି ।

 

ସେହିପରି ହେବ ସୁର ।

 

ସେ ଛାଞ୍ଚ ହରର ନୁହେଁ ।

 

ମଝିରେ ମଝିରେ କିଛି ଦିନଯାକେ ସେହି ଯାନ୍ତ୍ରିକ ଉନ୍ନୟନର କଳ୍ପନା ତାକୁ ରୁଚିକର ଲାଗୁଥାଏ । ବେଳେ ବେଳେ ସେ ଆପଣା ମତକୁ ବଡ଼ ବଡ଼ ଲୋକଙ୍କ କଥା ଓ ନିର୍ଦ୍ଦେଶରେ ଖୋଜି ଚିହ୍ନଟ କରି ମାଇପି ମହଲରେ ପଢ଼ି ଶୁଣାଏ, ଗପେ, କହେ ଦୁନିଆଁ ବଦଳୁଛି, ଗୋଟାକ ପଛେ ଗୋଟାଏ ବଦଳି ବଦଳିକା କେତେ ଯୁଗ ଗଲାଣି ଆଉ କେତେ ଯିବ । ୟେ ଠିକ୍ ସମୁଦ୍ର ଗାଧୁଆ ପରି, ଲହଡ଼ି ଆସୁ ଆସୁ ଯେ କୁଦା ମାରିଥାଏ ସେ ସୁସ୍ଥରେ ଚଢ଼ି ଠିଆ ହୁଏ ଲହଡ଼ିର ଠିକ୍‍ ମୁଣ୍ଡ ଉପରେ, ଯେ ପ୍ରସ୍ତୁତ ନ ଥାଏ ତା’ କପାଳରେ ସତର ଗଡ଼ଗଡ଼ା ଘୋଷରା ନହେଲେ ବାଲିରେ ଲଟର ପଟର । ମାଳ ହୋଇ ଗାଈମୁହଁମାନ ତା’ କଥାକୁ କାଚଆଖିରେ ଚାହାନ୍ତି, ସେଥିରୁ ଆଲୁଅ ଛିଟିକି ପଡ଼େ, ଭିତରକୁ ଗବେ ନାହିଁ ।

 

କ୍ରମେ ପୁଣି ସେ ପାଶୋରି ହୋଇ ଆସିଲା, ତା’ କଳ୍ପନାର ଉଦ୍ଦୀପନା ତା’ର ସହଜ ଚେତନା ଭିତରେ କେଉଁଠି ଶୀତଳ ହୋଇ ମିଶିଗଲା ।

 

ଆଉ ସେମିତି ଦିନେ ଆସିଲା ପ୍ରଭାତୀ ମିଞ୍ଜ୍‍ଠୁଁ ଉତ୍ତର ।

 

‘‘ସତେ କ’ଣ ତୁମେ ତୁମ ମନ କଥା ଲେଖିଚ ରମା ଅପା ? ବିଶ୍ୱାସ ହେଉନାହିଁ । ଲାଗୁଛି ଯେମିତି ତୁମ ହାତ ଲେଖାରେ ଆଉ କାହା ତୁଣ୍ଡ କଥା ମୁଁ ପଢ଼ୁଛି । ଯେଉଁ ବଡ଼ ଲୋକମାନଙ୍କୁ ଆମେ ଭକ୍ତି କରିବା ଦରକାର ପଡ଼େ ସେମାନେ ଏମିତି ଆମକୁ ବୁଝାଇଥାନ୍ତି । ମଣିଷ ଯାହାକୁ ମନପ୍ରାଣ ଦେଇ ଭଲପାଏ କି ଭକ୍ତି କରେ ତା’ ତୁଣ୍ଡ କଥା ଏମିତି ମଣିଷ ପାଟିରୁ ବାହାରେ, ଶିଷ୍ୟ ଗପନ୍ତି ଗୁରୁବାକ୍ୟ । ତୁମର ସେପରି କେହି ଗୁରୁଜନ ଥିଲେ ପ୍ରଭାତୀର ତାଙ୍କୁ କୋଟି କୋଟି ନମସ୍କାର ।

 

ତୁମେ ଭାବୁଥିବ ହୁଣ୍ଡୀ ପ୍ରଭାତୀ ଏଡ଼େ ଛଟକରେ କଥା କହି ଶିଖିଲା କେମିତି । କାରଣ ଅତି ସହଜ । ବହୁତ ଉପନ୍ୟାସ ପଢ଼ୁଛି । କେଉଁ ଉପନ୍ୟାସର କେଉଁ ଧାଡ଼ିକ ମୋ ଲେଖାରେ କେଉଁଠି ଚିହ୍ନାପଡ଼ୁଛି ତା’ ମତେ ଅଜଣା ।

 

ଏଥର ଅସଲ କଥା କହେଁ । ସତ କହୁଚି, ତମ ଚିଠି ପଢ଼ି ମତେ ଲାଗିଲା ଆମେ ଏକାଠି ଥିଲାବେଳେ ମୋ ବିଷୟରେ, ଆମ ୟାଡ଼କା ବିଷୟରେ ତୁମକୁ ଯେତେ ଯେତେ କଥା କହିଥିଲି ତୁମେ ଆଉ ତାକୁ ମନେ ରଖିନା । ଯେଉଁ ପରିବର୍ତ୍ତନ କଥା ତୁମେ ତୁମ ବୁଦ୍ଧି ବଳରେ ଭାବି ପାରିଛ, ତୁମ କଳ୍ପନା ବଳରେ ଦେଖି ପାରିଛ ସେସବୁ ଆମ ଜୀବନର ନିତିଦିନର କଥା । ସେହି ପରିବର୍ତ୍ତନ ଭିତରେ ବୋଧହୁଏ ମୁଁ ଜନ୍ମ ବି ହୋଇଥିଲି, ସାନରୁ ବଡ଼ ହେଲି ସେଥିରେ, ଅଛି ତା’ରି ଭିତରେ । ବାପ ମା’, ଦୁଇ ଭାଇ ତିନି ଭଉଣୀ ହୋଇ ଆମର ଥିଲା ସାତ ଜଣିଆଁ ପରିବାର-। ପରିବର୍ତ୍ତନର ଚୋଟ ଖାଇ ସେ ପରିବାର ଖିନ୍ନଭିନ୍ନ ହୋଇଛି ।

 

କ୍ଷୀରକୁ ଦହି ପକାଇ ଦେଲେ ସେ ଯେମିତି ଆଉ କ୍ଷୀର ହୋଇ ରହେ ନାହିଁ, ଗାଁ’ଟା ସହର ହେଲେ ସେ ଆଉ ଗାଁ ହୋଇ ରହେ ନାହିଁ । ସହର ବି ଲୋକେ ତ ଭଲପାଆନ୍ତି ? ମୁଁ ଜାଣେ ତୁମେ କହିବ । ଗାଁ ଭଳି କି ସହର ଭଲ ସେ ବିଷୟରେ ପିଲାଦିନେ ଆମେ ରଚନା ଲେଖୁଥିଲୁଁ, ତା’ ରାୟ ବାହାରି ନାହିଁ । କିନ୍ତୁ କିଣି ଖାଇବାକୁ ଧନ ନ ଥିଲେ ଲୋକଙ୍କ ପାଇଁ ସହର ଗଢ଼ି ଦେଲେ ବି ସେମାନେ ରହନ୍ତି ଯାଇ ସହର ତଳିରେ ନହେଲେ ସଡ଼କ କରରେ ଭିକ ମାଗନ୍ତି-। ଯେଉଁଠି ସହରଟାଏ ବରଷ ବରଷ ଧରି ତା’ ମନକୁ ମନ ଆସ୍ତେ ଆସ୍ତେ ଗଢ଼ି ହୋଇ ଉଠିଛି ତା’ କଥା ଭିନେ, ରାତିକା ରାତି ଯେଉଁଠି ସହର ତୋଳାହୁଏ ସେଠିକା ଲୋକେ ମଟର ଚାପାରେ ବି ମରନ୍ତି, କେତେକେ ଅଚିହ୍ନା ଖାଦ୍ୟକୁ ନୂଆ ନୂଆ ଅଭ୍ୟାସ କରୁ କରୁ ମରନ୍ତି, କେତେ ମରନ୍ତି କେତେପ୍ରକାର ଠକେଇରେ ପଡ଼ି । ସମସ୍ତେ ମାରିବେ ନାହିଁ, ଏକଥା ସତ । ତେବେ ବଞ୍ଚିଥାଇ ସେମାନେ କ’ଣ ହେବେ ତୁମେ ଆଖିରେ ଆସି ଦେଖିଯାଅ । ତୁମେ ଏଠା ଗାଁ ବାଲାଙ୍କଠି ପ୍ୟାଣ୍ଟ, କୋଟ୍, ଯୋତା, ଶାଢ଼ି, ବ୍ଲାଉଜ୍ ଜ୍ୟାକେଟ୍ ସବୁ ଦେଖିବ, ଆମ ଏଠା ଭଉଣୀମାନେ ଲିପ୍‍ଷ୍ଟିକ୍ ବି ବ୍ୟବହାର କରନ୍ତି, ସ୍ନୋ ପାଉଡ଼ର ତ କିବା କଥା । ଭ୍ୟାନିଟି ବ୍ୟାଗ, ପାରାଶୋଲ୍ ଛତା, ଟର୍ଚ୍ଚ ଲାଇଟି, ଟିଫିନି କ୍ୟାରିଅର ଧରି ସୁବେଶ ହୋଇ ସେମାନେ ସଡ଼କରେ ଚାଲନ୍ତି । ହାତରେ ଟଙ୍କା ମୁଠେଇବା ଫୋପାଡ଼ିବାକୁ ଯଦି କହିବ ଉନ୍ନତି, ପୂର୍ବେ ବାପ ଗୋସେଇଁବାପ କେବେ ନ ଦେଖିଥିବା ଜିନିଷ କିଣି ପାରିବା ବ୍ୟବହାର କରିବାକୁ ଯଦି କହିବ ଉନ୍ନତି ତେବେ ଆମ ଅଞ୍ଚଳର ଆମ ସମସ୍ତିଙ୍କର ଉନ୍ନତି ଅବଶ୍ୟ ହୋଇଛି । କିନ୍ତୁ ଏ କ’ଣ ହେଲା ? କୁଆଡ଼ୁ ଆସିଲା ଏ ନୂଆ ନୂଆ ଜଞ୍ଜାଳ ଆଉ ସମସ୍ୟା ? କୁଆଡ଼େ ଗଲା ମନର ସ୍ଥିରତା ଆଉ ଶାନ୍ତି ! ସୁସ୍ଥି ଆଉ ନିରାପଦପଣ ? କୁଆଡ଼େ ଗଲା ପରସ୍ପର ପ୍ରତି ସ୍ନେହ ବିଶ୍ୱାସ, ମନଖୋଲା ଆଦର ଅଭ୍ୟର୍ଥନା । ‘‘ମୁଁ ଏକୁଟିଆ–ମୋର କେହି ନାହିଁ’’ ଭାବ ଆସି ଯେଉଁ ନିର୍ଭରପଣକୁ ଆମଠୁଁ ତଡ଼ି ଦେଇଛି, କୁଆଡ଼େ ଗଲା ସେ ଅଭୟ,–‘‘ମୁଁ ଏକୁଟିଆ ନୁହଁ, ଘରେ ମୋ ପଛକୁ ମୋ ପରିବାର, ବାରି କବାଟ କି ଦାଣ୍ଡ କବାଟ ଖୋଲିଲେ ବାହାରେ ମୋ ସାଙ୍ଗକୁ ମୋ ସାହି ପଡ଼ିଶା, ଏ ସତେକି ଏକା ଘର, ଚାରିକରେ ମୋ ଗାଁ’ ଲୋକେ, ସେମାନେ ସମସ୍ତେ ମୋର ଆପଣାର, ଆମ ସମ୍ବନ୍ଧ ଜୀବନଦିଆଦେଇ, ଗାଁ ବଞ୍ଚିଥିବା ଯାକେ କେହି ନିସହାୟ ନୁହେଁ ।’’

 

ମୋ ଚିଠି ଲମ୍ବା ହୋଇଯାଉଛି ରମାଅପା, କହିଲା ବେଳେ ଛାତି ଭିତରେ ଯେଉଁ କୋହ ଉବୁକା ମାରୁଛି, ଇଚ୍ଛା ହେଉଛି ଏମିତି ଛାଡ଼ି ଦିଅନ୍ତି ତାକୁ ଆପଣାକୁ ଆପେ ଗାରେଇ ଯିବାକୁ । ଆମର ଆମେ ଯେତେବେଳେ ବଣ ପାହାଡ଼ରେ ସୁସ୍ଥିରେ ଚଳୁଥିଲୁଁ, ହେଉ ପଛେ ତୁମମାନଙ୍କ ଆଖିରେ ପ୍ରଶ୍ନ (ଭୁଲ୍ ବୁଝିବ ନାହିଁ, ତୁମକୁ ଏ ଆକ୍ଷେପ ନୁହେଁ, ତୁମେତ ମୋ ମା’ ପେଟର ଭଉଣୀ)–ବୁଝିଲ, ଆମେ ଯେତେବେଳେ ବିଲୁଆକନ୍ଦା ସିଝେଇ ପେଟ ଭରିଥିଲୁଁ, ହାଣ୍ଡିଆ ଶଳପ ମହୁଲ ରସ ପିଇ ନିଆଁ ଚାରିକରେ ଡିଆଁ ମାରିଥିଲୁଁ, ସେତେବେଳେ ଆମ ବଣ ପାହାଡ଼ ତଳେ ତଳେ ଯୁଗର ଦେବତା ବାରୁଦ ଖଞ୍ଜୁଥିଲା । ସେ ବାରୁଦ ଫୁଟୁଛି । ଗାଁର ଖୋଳପା ପଡ଼ିଛି ଗାଁର ପ୍ରାଣ ନାହିଁ । ଆଗଠୁଁ ବଳି କେତେ ବଡ଼, ବଡ଼ ଗାଁ, ସେଥିରେ ଜନ୍ଦା ପିମ୍ପୁଡ଼ି ପରି ଲୋକ ସାଲୁବାଲୁ, ସେମାନେ ନିଜ ସ୍ୱାର୍ଥ ଛଡ଼ା ଆଉ କାହା ସ୍ୱାର୍ଥ କଥା ବୁଝନ୍ତି ନାହିଁ, କିଏ ମଲେ କି ଗଲେ ତାଙ୍କର କିଛି ଯାଏ ଆସେ ନାହିଁ, ନିଜେ ମଲେ ତାଙ୍କ ସଂସାର ଶେଷ, ଯେମିତିକି ତା’ର ଆଗ ନାହିଁକି ପଛ ନାହିଁ । ପରିବାର ଅବିକଳ ସେହିପରି । ଆଗେ ଦିଶୁଥିଲା, ଗୋଟିକିଆ ମଣିଷ ବୋଲି କେହି ନାହିଁ, ଏକାଠି ଛନ୍ଦାଛନ୍ଦି ଅଛିଣ୍ଡା ମଣିଷ ଧାରର ଭଗ୍ନାଂଶ ସମସ୍ତେ, ହୋଇ ପାରନ୍ତି କାଦୁଅ ମେଞ୍ଚା, ନିରକ୍ଷର ଅସଭ୍ୟ, ଦରିଦ୍ର, ମନଇଚ୍ଛା ଯାହାକିଛି କହିପାର । କିନ୍ତୁ ଧୂଳିଗଦା ନୁହେଁ । ଏବେ ଦେଖୁଛି ଯେଉଁ ପାଣି ଯେଉଁ ଅଠା ସେମାନଙ୍କୁ ବାନ୍ଧି ରଖିଥିଲା ତା’ ଶୁଖି ଯାଇଛି, ଖାଲି ଏଠି ସେଠି ବିରାଟ ବିରାଟ ଧୂଳିଗଦା, ତା’ର ପ୍ରତ୍ୟେକ କଣିକା ମଣିଷ, ପବନ ଦେଲେ ଏକା ଫୁଙ୍କାକେ ସେଥିରୁ ଧୂଳି ଉଡ଼ି ଆସେ, ସେ ଧୂଳିର ପରିବାର ନାହିଁ, ଦେଶ ନାହିଁ । ସେ ଆଲୁଅରେ ଜକଜକ ଦିଶୁ, ଶୂନ୍ୟରେ ଉଡ଼ୁ ଯାହା କରୁ ସେ ଧୂଳି । ତାକୁ ବେଗର ସୁବିଧା ମିଳିଲେ ସେ ପାଦରେ ଚାଲିବ ନାହିଁ, ଖଣ୍ଡିଆ ଭୂତ ନହେଲେ ଧୂଳିଝଡ଼ । ତୁମେ ଝୁଲାଅ ତା’ ବେକରେ ସୁନା ରୁପା, ପୂରାଅ ତାକୁ ଜାତି ଜାତି ପୋଷାକର ଖୋଳରେ, ତାକୁ ଯନ୍ତ୍ରରେ ଯନ୍ତ୍ରିତ କର, ମନ୍ତ୍ରରେ ମନ୍ତ୍ରିତ କର ଯାହା କର, ତୁମେ ଦେଖିବ ତାଠିଁ ମାନବିକତାର ରସ ନାହିଁ । ତା’ର ଯେତେ ନୀତି ଯେତେ ଆଦର୍ଶ ସବୁ ତା’ର ମୁହୂର୍ତ୍ତର ସ୍ୱାର୍ଥକୁ ଆବୋରି । ଆଉ କାହା ପ୍ରତି, କୌଣସି ପ୍ରତି ତା’ର ଦାୟିତ୍ୱ ନାହିଁ । ଆମ ପୋଡ଼ୁ ଚାଷୀ ଯେମିତି ବହୁମୂଲ୍ୟ ଶାଳ, ପିଆଶାଳ, ସାଗୁଆନ୍ କି ଚନ୍ଦନ ବଣ ହାଣି ପୋଡ଼ି ପକାଏ ଆପଣା ପାଇଁ, ଗଣ୍ଡାଏ ମାଣ୍ଡିଆ, ମୁଆଁ, ଅଳସି କାନ୍ଦୁଲ ଉପୁଜାଇବ ବୋଲି, ତା’ ବି ନିରଙ୍କୁଶ ନୁହେଁ, ଭାଗେ ଖାଆନ୍ତି ହାତୀ ସମ୍ବର, ଜୀଆଦ । ତିଳେ ବି ଭାବେ ନାହିଁ ଲକ୍ଷ ଲକ୍ଷ ଟଙ୍କାର କାଠ ଧ୍ୱଂସ ହେଲା, ପାହାଡ଼ରୁ ମାଟି ବୋହିଯାଇ ରହିଲା ପଥର, ଝରଣା ମରିଗଲା, ବରଷା କମିଗଲା, ତଳଜମି ବାଲିପଟା ହେଲା, ଭାବେ ନାହିଁ ଦେଶର କ’ଣ କ୍ଷତି ହେଲା, ଭବିଷ୍ୟତର ପୁଅ ନାତିଙ୍କର କ’ଣ କ୍ଷତି ହେଲା । ଏ ଧୂଳି ପାଲଟୁଥିବା ମଣିଷର ବ୍ୟବହାର ବି ସେମିତି, ଆପଣା ସ୍ୱାର୍ଥ ପାଇଁ ସେ ସବୁ କରିପାରେ । ତୁମେ ବି ଦେଖୁଥିବ ଶୁଣୁଥିବ, ଖବରକାଗଜ ପଢ଼ୁଥିବ ।

 

ତୁମେ ନିଶ୍ଚୟ ଭାବୁଥିବ ମୋ ମୁଣ୍ଡ ବିଗିଡ଼ିଛି, ମହୁ ଭାସୁଥିବା ଶାଗୁଆ କ୍ଷେତ ବାଡ଼ିରେ ଠିଆ ହୋଇ ମୁଁ ଦେଖୁଛି ମରୁଭୂମିର କାଳ୍ପନିକ ଦୃଶ୍ୟ, କିନ୍ତୁ ଯେଉଁ ମନକଥା ଗାଇଗଲି ତାକୁ ଛାଡ଼ିଦେଲେ ମୁଁ ତ ଖୁବ୍ ଭଲରେ ଅଛି । ମୋର ଆଉ ଅଭାବ କ’ଣ ?

 

ଆଉ ମୁଁ ଖାଲି ନିରାଶାର ସ୍ୱପ୍ନ ଦେଖୁଛି ଏପରି ନୁହେଁ । ଏ ପୃଥିବୀ ବହୁତ ବହୁତ ଯୁଗର । କେତେ ପ୍ରଳୟ ଆସିଛି, ପୁଣି ସବୁ ଶାନ୍ତ ହୋଇଛି । ଏ ଯାହା ଆସିଛି ସେ ପ୍ରଳୟ ନୁହେଁ, ଗୋଟାଏ ହଠାତ୍ ପରିବର୍ତ୍ତନ । ଆମେ ତା ସଙ୍ଗେ ତାଳ ରଖି ଶିଖିବା ଆଗରୁ, ସେକଥା ଭାବିବା ଆଗରୁ, ଏ ଗୋଟାଏ ହଠାତ୍ ପରିବର୍ତ୍ତନ । ତେଣୁ ପାଦ ଝରୁଛି, ଆଖି ଝଲସୁଛି, ମୁଣ୍ଡ ବୁଲୋଉଛି, ବିଚାର ଭ୍ରମି ଯାଉଛି, ଡଙ୍ଗା ମଙ୍ଗ ଆମେ କ’ଣ ଧରନ୍ତେ, ଡଙ୍ଗାଟା ଆମକୁ ଘୂରେଇ ଲାଗିଛି । ଆଜି ଦିଶୁଛି ମଣିଷ ମଣିଷ ହୋଇନାହିଁ, କାଲି ସେ ଅବସ୍ଥା ନଥିବ । ଭଙ୍ଗାରୁଜା ବହୁତ ଘଟିବ, ମଣିଷ ସୁଅର ଏପଟ ସେପଟ ବହୁତ ଘଟିବ, ହୁଏତ ଆଗେ ଯେଉଁ ଦେଶରେ ଯେଉଁଠି ଯେଉଁ ଚେହେରାର ଯେଉଁ ବୋଲିକୁହା ଯେଉଁପରି ମଣିଷ ଥିଲେ ସେମାନେ ଆଉ କେଉଁଠିକି ଉଠିଯିବେ, ସେଠିକି ଆସିବେ ଆଉ କେହି କେତେ ସ୍ଥାନୁ । ଯେଉଁଠି ବଣ ପାହାଡ଼ ଥିଲା ସେଠି ଠିଆ ହେବ ଲୋକ କାଲୁବାଲୁ ବଡ଼ ବଡ଼ ଗାଁ ଆଉ ସହର, ଆଉ କେତେ ସ୍ଥାନ, ଯେଉଁଠି କ୍ଷେତ ଖଳା ଲୋକାଳୟ ଥିଲା ସେ ବୁଡ଼ିବ ପାଣିରେ କି କାରଖାନା ଧୂଳିରେ କି ଆଉ କେଉଁଥିରେ । ଭୂଗୋଳ ବଦଳିବ, ଇତିହାସ ବଦଳିବ, ସମାଜ ବଦଳିବ । କିନ୍ତୁ ଯାହା ଗଢ଼ାହେବ ପୁଣି ତା’ ହେବ ସରସ, ଦମ୍ଭ ଈଶ୍ୱରଙ୍କ କରୁଣାର ଧାରା ପୁଣି ବରଷିବ, ଧୂଳି ପୁଣି ହେବ କାଦୁଅ, ଆଉ ସାନ ସାନ ଗାଁ ନୁହେଁ, ସମଗ୍ର ପୃଥିବୀ ଏକାଠି ହୋଇ ହେବ ଗୋଟାଏ ଘର । ସେତେବେଳକୁ ତୁମେ ନଥାଅ ମୁଁ ନଥାଏଁ, ଏ ମଣିଷ ଜାତି ଥିବ, ଏ ପୃଥିବୀ ଥିବ ।

 

ଆଜି ଆମ ଗିର୍ଜାରେ ପ୍ରାର୍ଥନା କଲାବେଳେ କରୁଣାମୟଙ୍କୁ ଡାକୁଥିଲୁଁ ସେହି କରୁଣା ବରଷା କରିବାକୁ, ଆଉ କେତେଦିନ ? ଦୟାକର ପ୍ରଭୁ, ଦୟାକର ତୁମେ ଦୟା ନ କଲେ କିଛି ହେବ ନାହିଁ ।’’

 

ରମା ଗୋଟିଏ ଦୀର୍ଘଶ୍ୱାସ ଛାଡ଼ିଲା । ଆପଣା ଭିତରୁ କିଏ ଯେମିତି ତାକୁ ଖତେଇ ହେଉଛି । ତା’ପରେ ଶୂନ୍ୟକୁ ଚାହିଁ ଗୁମ୍‍ମାରି ବସି ରହିଲା । ଅଖାଡ଼ୁଆ ଲାଗୁଛି । କେତେ କ’ଣ ଭାବି ହୋଇଯାଉଛି । ସାମାନ୍ୟ ଚିଠି ନୁହେଁ ।

 

ଚେଇଁ ଉଠିଲା ପରି ହୋଇ ସମୁଦାୟ ଚିଠି ପଢ଼ା ଅନୁଭୂତିକୁ, ହସରେ ଉଡ଼ାଇ ଦେଇ ସେ ଭାବିଲା, ଠିକ୍‍, ପ୍ରଭାତୀ ଉପନ୍ୟାସ ପଢ଼ୁଛି । ଉପନ୍ୟାସରେ ହିଁ ଏସବୁ କଥା ଲେଖା ହୋଇଥାଏ ।

 

ନହେଲେ କାହାର ଗରଜ ପଡ଼ିଛି ଛେନାରୁ ଚୋପା ଛଡ଼ାଇବା, ଆକାଶରୁ କୁସୁମ ତୋଳିବ, ଦୂରବୀଣ୍‍ ଲଗା ଆଖିରେ ବି ଯାହା ଦିଗ୍‍ବଳୟ ଉହାଡ଼ରେ ଦିଶେ ନାହିଁ, ତାକୁ ରୂପ ଦେବାକୁ ଆଶା ବଳାଇବା ସତେ ଯେମିତି ସେ ଅଛି ଏଇ ଆଖି ସାମ୍ନାରେ ।

 

ସେ କାଗଜ କାଢ଼ି ଚିଠି ଲେଖି ବସିଲା ।

 

ଏଣୁ ତେଣୁ ଲେଖି ତହିଁରେ ଲେଖିଲା ‘‘ତୁମ ଚିଠି ପଢ଼ି ଏତେ ଖୁସି ଲାଗିଲା କହିଲେ ନସରେ । ତୁମେ ଯେତେ କଥା ଜାଣୁଛ ବୁଝୁଛ କି ଅଙ୍ଗେ ନିଭେଇଛ ସମସ୍ତିଙ୍କର ତା’ କାହୁଁ ହେବ ? ତେଣୁ ତୁମେ ବହୁତ ଦୂରକୁ ଦେଖି ପାରୁଛ । କହନ୍ତି ନାଇଁ,– ‘‘ଯେ ପକ୍ଷୀ ଉଡ଼େ ଯେତେଦୂର–’’ ? ସେମିତି । ତୁମେ ଉପନ୍ୟାସ ପଢ଼ିବା କଥା ଯାହା ଲେଖିଛ ତା’ ମୋ ମନକୁ ପାଇଲା । ସେଥିରେ କେତେ ଉପକାର ତା’ ତୁମ ଚିଠିରୁ ଜଣାପଡ଼ୁଛି । ସତେ ଅବା ସେ କେଉଁ ଉପନ୍ୟାସରୁ ଅଧ୍ୟ୍ୟାଟିଏ-। ସତେ ପ୍ରଭାତୀ, ତୁମେ ବୋଧେ ଜାଣିନା ତୁମଠି ଶକ୍ତି କେତେ । ସବୁଦିନେ ଏମିତି ଯଦି ଅଧ୍ୟାଏ ଅଧ୍ୟାଏ ଲେଖି ପାରନ୍ତ ତେବେ ତୁମେ ବି ଉପନ୍ୟାସ ଲେଖନ୍ତ । ସୁନ୍ଦର କୁଟୀରଶିଳ୍ପ ।

 

ଯେଉଁ କଥା ଲେଖିଛ ସବୁ ସତ । ସମସ୍ତେ, କହୁଛନ୍ତି ଆଉ ସ୍ନେହ ନାହିଁ । ବନ୍ଧୁତା ନାହିଁ, କିଛି ନାହିଁ, ଖାଲି ସ୍ୱାର୍ଥପରତା ବଢ଼ୁଛି । ସମସ୍ତେ କହୁଛନ୍ତି ନୀତି ଭାଙ୍ଗି ପଡ଼ୁଛି, ସଚ୍ଚୋଟପଣ ଉଭେଇ ଗଲାଣି, ଦୁନିଆଯାକ ମିଛ, ଦୁର୍ନୀତି, ଠକାମି, ସେସବୁ କାହାଠିଁ ଅଛି କାହାଠିଁ ନାହିଁ ସେଥିରେ ବାଛ ବିଚାର ନାହିଁ । ଯେ କହୁଛନ୍ତି ସେମାନଙ୍କ ଭିତରେ କ’ଣ କେହି ସେମିତିଆ ନୁହନ୍ତି-? ଆପଣା ଆପଣା ଆଚରଣଦ୍ୱାରା କେତେଜଣ ଲୋକ ଠିକଣା ବାଟ ଦେଖାଉଛନ୍ତି ?

 

କିନ୍ତୁ ଏ ଦୋଷ ସିନା ସମାଜର, ଉନ୍ନୟନ ପଦ୍ଧତିର ଦୋଷ କ’ଣ ? ଲୋକେ ପାଠ ପଢ଼ିବେ, କୁସଂସ୍କାର ଛାଡ଼ିବେ, ସଫା ସୁତୁରା ରହିବେ, ୟେ ନୀତି ଭଲ କି ମନ୍ଦ ସେ ବିଷୟରେ ଆଉ ଭିନ୍ନେ ମତ କ’ଣ ଅଛି ? ସେମିତି, ଧନ ନ ବଢ଼ାଇଲେ ଚଳଣି ବା ବଢ଼ିବ କାହୁଁ ? କେଉଁ ଯୁଗରେ କେବେ କ’ଣ ଥିଲା । ଆଜି ଯେଉଁମାନଙ୍କୁ ଆମେ ବଡ଼ ବୋଲି ମାନୁଛେଁ ସେଥି ଭିତରୁ ଧନୀ ନୁହନ୍ତି କିଏ ? ବିନା ଧନରେ ଯେମିତି କ୍ଷମତା ମିଳେ ନାହିଁ । ସେମିତି ଆଦର କି ସମ୍ମାନ କିଛି ମିଳେ ନାହିଁ, ଏକଥା ଆଜିର ନୁହେ କେଉଁ ପୁରୁଣା କାଳର । ଶିଳ୍ପ ବିଜ୍ଞାନ ବଳରେ ମଣିଷ ଧନ ପାଏ, କ୍ଷମତା ପାଏ, ତେଣିକି ସମସ୍ତେ ମାନିବେ, ସମସ୍ତେ କଥା ଶୁଣିବେ । ଗୋଟାଏ ଲାଭଜନକ ନୂଆ ଚଳଣି ଚଳେଇ ବସିଲେ କିଛି ତ୍ୟାଗ ଦେବାକୁ ପଡ଼େ, ପଛେ ଲାଭ ମିଳେ । ତେବେ, ଏପରି ବି ଦେଖାଯାଏ, ତ୍ୟାଗ ଦେବା ଲୋକ ଲାଭ ପାଏ ନାହିଁ, ଅନ୍ୟମାନେ ପାଆନ୍ତି । ତୁମ ଅଞ୍ଚଳରେ ବି ସେହିପରି ଘଟିଛି । କାହାର ପରିବାର ଭାଙ୍ଗିଲା, କାହାର ଗାଁ ବିଗିଡ଼ିଲା, କିଏ ଭୋଗିଲା ଅଶାନ୍ତି, କାହାକୁ କି ଦୁର୍ଦ୍ଦଶା ଘୋଟିଲା । ଧର ସେଇଟା ତ୍ୟାଗ ତାଲିକାରେ ପଡ଼ିଲା । ୟା ପରେ ବାହାରିବେ ଆଉ ଲୋକେ, ପାଠୁଆ କାରିଗର, ବ୍ୟବସାୟୀ, ଠିକାଦାର, ମିଲ୍ ମାଲିକ, ଖଣି ମାଲିକ, ବୈଜ୍ଞାନିକ, କେତେ କେତେ ପ୍ରକାରର । ସେମାନେ ନିଆଁ ଚାରିକରେ ଡେଇଁବେ ନାହିଁ, କନ୍ଦା ଖୋଳି ଖୋଳି ଖାଇବେ ନାହିଁ ସତ । କିନ୍ତୁ ସେମାନେ ହେବେ ସେହି ଶ୍ରେଣୀର ଲୋକ ଦୁନିଆଁ ଯାହାକୁ ମାନେ ସଭ୍ୟ ଶିକ୍ଷିତ, ଦମ୍ଭିଲା, ଧନୀ ଆଉ କ୍ଷମତାଶାଳୀ ବୋଲି । ପୃଥିବୀରେ କାଲି ଯେଉଁ ଜାତିର ଲୋକେ ପଛରେ ପଡ଼ିଥିଲେ ଆଜି ସେମାନେ ଉନ୍ନତ । କ୍ରୀତଦାସ ହୋଇ ବଜାରରେ ଗୋରୁ ଗାଈ ପରି ଯେଉଁ ନିଗ୍ରୋମାନେ ବିକାକିଣା ହେଉଥିଲେ ଆଜି ସେମାନଙ୍କ ବଂଶଧରମାନଙ୍କୁ ଦେଖ । ତାଙ୍କରି ଭିତରୁ ବାହାରିଲେ ଲୁମୁମ୍ବା କି ଜୋ କେନ୍ୟାଟା । ଏତେ ବାଟ ନଯାଅ, ଏଇଠି ଦେଖ ଏବେ । ଯେ କାଲି ଥିଲେ ଦଳିତ, ଅବହେଳିତ, ଶୋଷିତ ହୋଇ କେତେ ତଳେ, ତାଙ୍କରି ପିଲାଏ କାହିଁ ଯାଇ ଉଠିଲେଣି । ସତୁରି ଅଶୀ ବର୍ଷ ତଳେ ଯେଉଁ ପୁଲବାଣି ଗଞ୍ଜାମ, ମାଳର ଲଙ୍ଗଳା କନ୍ଧମାନେ ତାଙ୍କ ଦେବତା ଆଗରେ ଜୀଅନ୍ତା ମଣିଷ ହାଣି ବଳି ପକାଉଥିଲେ; ଆଜି ଦେଖ ତାଙ୍କ ପିଲାଙ୍କ ଭିତରୁ କେତେ କଅଁର କେତେ ପ୍ରଧାନ ବିଏ ଏମେ ଓକିଲାତି ଡାକ୍ତରି ଇଞ୍ଜିନିଅରିଂ ପାଶ୍ କଲେଣି, ବଡ଼ ଚାକିରି କଲେଣି, ବଡ଼ ଆସନରେ ବସିଲେଣି । ସଭ୍ୟଶିକ୍ଷିତ ଧନୀ ହେବା ତ କାହାରି ଏକଚେଟିଆ ନୁହେଁ, ସେ ସୁବିଧା ସୁଯୋଗ ପାଇଲା ସେ ଉଠିଲା, ପାଠ ପଢ଼ି ବଡ଼ଲୋକ ହେବାକୁ ସବୁ ମଣିଷଙ୍କ ଅଧିକାର ଅଛି । ସେମାନେ ଆଉ ଆଗପରି କୌପୁନୀ ମାରୁନାହାନ୍ତି କି ତାଙ୍କ ଗାଁରେ ପଲା କୁଡ଼ିଆରେ ରହୁନାହାନ୍ତି କି ପୁରୁଣା ବାଗରେ ଚଳୁ ନାହାନ୍ତି ବୋଲି କେହି କ’ଣ କହିବ ଯେ ସେମାନେ ଅଶାନ୍ତି ଅସୁବିଧାରେ ଦିନ କାଟୁଛନ୍ତି ? ମୁଁ ସେମିତିଆ ଉନ୍ନୟନ କଥା ଭାବୁଚି । ତାହୋଇ ପାରିଲେ ଆଉ ଚିନ୍ତା କ’ଣ ରହିବ ? ଅଳ୍ପ କେଇଜଣଙ୍କ ଆଖି ଫିଟିଛି ବୋଲି ତ ଏତେ କଥା, ସମସ୍ତିଙ୍କର ଆଖି ଫିଟିପାରିଲେ କ’ଣ ନ ହୁଅନ୍ତା ! ମତେ ଲାଗୁଛି ସେତେବେଳେ ମିଛ ଟାଉଟରି ଠକାମି ଆପେ ଯାଆନ୍ତା । ନଈରେ ଆଗ ଚାଲିଆସେ ଗୋଳିଆ ପାଣି, ପଛେ ସଫା ପାଣି ଆସେ । ଗୋଳି ତା’ ମନକୁ ତଳକୁ ବସିଯାଏ । ଦେଖିବ ସେଇଆ ହେବ ।

 

ତୁମେ ଭାବୁଛ ଏକ ଦୁନିଆଁ ହେବ । ପୃଥିବୀ ସାରା ସମସ୍ତେ ମିଶି ହେବେ ଗୋଟିଏ ଘର, ସମସ୍ତେ ଅନ୍ୟ ସମସ୍ତିଙ୍କୁ ଆପଣାର କରିବେ । ସେତେବେଳେ ତ ସତରେ ସତ୍ୟଯୁଗ ଆସିଯିବ । କିନ୍ତୁ ସେଡେବଡ଼ ମନ ହେବା ପାଇଁ ଆପଣା ଆପଣା ବିଚାର ବଢ଼ିବା ଦରକାର, ସେତିକି ଜ୍ଞାନ ନ ଆସିଲେ ସେ ବିଚାର ଆସିବ ନାହିଁ, ସେ ଜ୍ଞାନ ଆସିବା ପାଇଁ ଆଗ ଦରକାର ଶିକ୍ଷା, ସମୃଦ୍ଧି । ଯେଉଁ ପର୍ଯ୍ୟନ୍ତ ପୃଥିବୀର କୌଣସି ଅଂଶ ଅଜ୍ଞାନ ଅନ୍ଧାରରେ ସଢ଼ୁଥିବ ସେ ପର୍ଯ୍ୟନ୍ତ ପୃଥିବୀଯାକ ମିଶି ଏକ ହୋଇପାରିବ ନାହିଁ । ଅନ୍ଧାରରେ ଛପି ରହିଥିବ ଅଜ୍ଞାନ, ସ୍ୱାର୍ଥପରତା, ନିଷ୍ଠୁରତା, ସନ୍ଦେହ, ଅବିଶ୍ୱାସ । ଖାଲି ପୃଥିବୀ ଏକ ହେଉ ପୃଥିବୀ ଏକ ହେଉ ପାଟି କଲେ କ’ଣ ତା’ ହୋଇଯିବ ? ଆଗ ପାଞ୍ଚ ଭାଇ ଏକ ହେବା ତ ହୋଇ ପାରୁନାହିଁ ଦେଖୁଛ, ଖଞ୍ଜାଯାକ ମଣିଷ ଏକ ହେଉ ନାହାନ୍ତି, ଗାଁ ଯାକ ଏକ ହେଉ ନାହାନ୍ତି, ତେଣିକି ତ ଆହୁରି କେତେ, ପଞ୍ଚାୟତ ଥାନା, ସବ୍‍ଡ଼ିଭିଜନ, ଜିଲ୍ଲା, ପ୍ରଦେଶ, ଦେଶ, ମହାଦେଶ, ବଢ଼ି ବଢ଼ିକା । ପଢ଼ି ଥାଇଁ ପୃଥିବୀଟା କମଳା ଲେମ୍ବୁ ପରି, କମଳା ଲେମ୍ବୁଟିଏ ଦେଖିଲେ ସତେକି ପୃଥିବୀଟା ଦେଖିଲା ପରି ଲାଗେ । ଗ୍ଲୋବ୍ ହୋଇ ସାନଠୁଁ ବଡ଼ଯାକେ । କାଗେଜି ଆକାରରୁ କଖାରୁ ଆକାରଯାକେ ପୃଥିବୀଟା ଆମ ସାମ୍ନାରେ ଥୁଆ ହୁଏ, କିନ୍ତୁ ଯାହା ଚମଡ଼ାର ରଙ୍ଗ ଭିନ୍ନେ, ଯାହା ନାକଟା ଚେପ୍‍ଟା କି ବାଳଟା କହରା କି ବୋଲିଟା ଭିନେ କି ପୋଷାକ ଭିନେ ସେମିତି ଜଣକୁ ଦେଖିଦେଲେ ଆମକୁ କେମିତି ଲାଗେ ? ଆମେ ଆଡ଼େଇ ଆଡ଼େଇ ହେଉଁ, କରଛଡ଼ା ଦେଉଁ, ସତେ ଯେମିତି ସେ ଆଉ କି ପ୍ରକାର ଜୀବ କି ଆଉ କେଉଁ ପୃଥିବୀର ମଣିଷ । ସଂକୋଚ ଲାଗେ, ସନ୍ଦେହ ଆସେ । ଏତିକିରେ ତ ଏତେ ଆଉ ପୃଥିବୀ ଗୋଟାକ । ହଜାର ହଜାର ମଣିଷ ଜନ୍ମ ହୋଇ ଜୀବନ ବିତେଇ ମରି ଯାଆନ୍ତି । ଜାଣିପାରନ୍ତି ନାହିଁ ପାହାଡ଼ଟାଏ କେମିତି, ସମୁଦ୍ର କେମିତି ଦିଶେ, ଦଶଖଣ୍ଡି ମଉଜା ସେପଟେ କ’ଣ ଅଛି । ପୃଥିବୀ ବୋଲି ପଦକ ତୁଣ୍ଡରେ ଯେ ଧରନ୍ତି ସେଇ ଭିତରୁ କିଏ ସେ ଧାରଣା କରିଛି ପୃଥିବୀଟା କ’ଣ ? ଖରସୁଆଁ ଷଢ଼େଇ କଳା ଓଡ଼ିଶାରେ ମିଶୁ ବୋଲି ଆନ୍ଦୋଳନ ହେଲା ବେଳେ ଯେଉଁ ପିଲାଟା ଜୀବନ ଦେଲା ସେ କ’ଣ ଜାଣିଥିଲା ଓଡ଼ିଶା କ’ଣ କି ଖରସୁଆଁ ସଢ଼େଇକଳା କ’ଣ ? ମଣିଷର ବଡ଼ପଣ ହେଉଛି ସେ ଆଖିରେ ନ ଦେଖି ବି ତା’ ଆଦର୍ଶ ପଛରେ ଧାଏଁ । ପୃଥିବୀ ଏକ ହେଉ ବୋଲି ମୁଁ ବି ଠାକୁରଙ୍କୁ ଡାକୁଛି । କିନ୍ତୁ ମୋତେ ଲାଗୁ ନାହିଁ ସେଥିପାଇଁ ଗୋଟାଏ ପ୍ରଳୟ ହେବା ସୁନିଶ୍ଚିତ । ଆଶା କରୁ କରୁ ସମସ୍ତିଙ୍କୁ ମତୋଉ ମତୋଉ ଅଜ୍ଞାନ ଅଭାବ ଦୂର କରୁ କରୁ ଏ ହିଂସାବାଦ ବିଭେଦ ଦିନେ ତୁଟିଯିବ ! ସମସ୍ତିଙ୍କ ମନରେ ଆଲୁଆ ଫିଟିବ, ଏଇଆ ମୋ ଆଶା । କେତେଯୁଗ ଲାଗିବ ସେକଥା ଭାବି ଲାଭ ନାହିଁ ।

 

ଚିଠିଟା ଲେଖିସାରି ଡାକରେ ପକାଇବାକୁ ସତ ବଳୁ ନଥିଲା । ଯେମିତି ବିପକ୍ଷ ପଟ ଖେଳାଳି ଭଲ ଖେଳ ଦେଖାଇଲେ ଏପଟ ଖେଳାଳିଠୁଁ ବି ଅନେକ ସମୟରେ ଆକସ୍ମିକ ଭାବରେ ଭଲ ଖେଳ ବାହାରେ, ଆଉ ସେହି ନିଜେ ନିଜର କୃତିତ୍ୱ ଦେଖି ଆଶ୍ଚର୍ଯ୍ୟ ହୁଏ, ପ୍ରଭାତୀର ଚିଠି ପଢ଼ି ତା’ର ସେହି ଅବସ୍ଥା ହୋଇଥିଲା । ଆପଣା ଲେଖା ଆପେ ଦେଖି ସେ ବିସ୍ମିତା ହୋଇଥିଲା । ଭାବିଲା, କେବେ ଏତେ ଭାବ ଏତେ ଭାଷା ତାଠିଁ ବସା ବାନ୍ଧିଲା ।

 

ହୁଏତ ଏଗୁଡ଼ା ବହିର ବାହାରେ ନାହିଁ, ପ୍ରଭାତୀ ପରି ବହି କାଢ଼ିବା ସଉକ ତାଠିଁ ନାହିଁ । ବାହାରେ ତା’ ମନକୁ, ନିଶ୍ୱାସ ଛାଡ଼ି ନିଶ୍ୱାସ ଘେନିବାର ଜୀବନ ଭିତରୁ । ସମସ୍ତିଙ୍କଠିଁ ଏପରି ହେଉଥିବ । ଯେମିତି ଜନ୍ମ ହୁଅନ୍ତି ଆଉ ମରନ୍ତି ଅକଳନ ଘାସ, ଗୁଳ୍ମ, ଫୁଲ । କିଏ କହି ପକାଏ, କିଏ ଲେଖେ, କିଏ ତୁନି ହୋଇ ରହେ ।

 

କିନ୍ତୁ ଅଡ଼ୁଆ ଅଡ଼ୁଆ ଲାଗିଲା, ଯେତେବେଳେ ସେହି ସଜାସଜି ଭାବଗୁଡ଼ିକ ତା’ ଆଗରେ ଧାଡ଼ି ହୋଇ ଚଉକିରେ ବସି ରହିଲେ । କିଛି କହିଲେ ନାହିଁ, ତାକୁ ଖାଲି ତୁନି ହୋଇ ଅନାଇଁ ରହିଲେ ।

 

ଯେମିତି ଚାଙ୍ଗୁଡ଼ାରେ ଦିଅଁ ଦେବତା ଥୋଇ ମୁଣ୍ଡରେ ମୁଣ୍ଡେଇ ଚିରାକନା ବାନ୍ଧି ବିଦାକାଠି ହାଡ଼ମାଳ ହୋଇ ରାସ୍ତାଏ ରାସ୍ତାଏ ବୁଲୁଥାଏ କିଏ, ବଡ଼ ପାଟିରେ ଡାକି ହାକି ଦେବତାଙ୍କ ମହିମା ଗାଏ, ପାଦୁକ ବାଣ୍ଟେ, ନିଜେ ପଡ଼ିଥାଏ ଯେମିତି କି ସେମିତି ।

 

ସେମିତି ସେ ।

 

ଦୀର୍ଘଶ୍ୱାସ ପକାଇଲା ।

 

ଚିଠି ବନ୍ଦ କଲା ।

 

ଗୋଟାଏ ପରିଦର୍ଶନ, ଗୋଟାଏ ସଭା, ଯେପରି ହୁଏ । ସେଦିନ ଛାଇ ଲେଉଟା ବେଳେ ଗହୀରେ ଗହୀରେ ଧୂଳି ଉଡ଼ାଇ ଚାରିଟା ଜୀପ୍ ଗାଡ଼ି ବନ୍ତିଲୋ ଗାଁ ଆଡ଼କୁ ଆସୁଥିବାର ଦେଖାଗଲା-। ଆଗ ଦେଖିଲେ ମାଇପେ, ସେମାନେ ପୋଖରୀ ପାଣି ଯାଇଥିଲେ । ତା’ପରେ ଯେ ଯେଉଁଠି ଦେଖିଲା ଖବର ଦେଲା । ଜୀପ୍‍ଗୁଡ଼ିକ ଗାଁ ମୁଣ୍ଡରେ ବରଗଛ ମୂଳେ ଅଟକିଲା । ପ୍ରାୟ ପଚିଶି ଜଣ ଲୋକ ଓହ୍ଲାଇପଡ଼ି ଚାଲି ଚାଲି ଆସିଲେ । ଆଗେ ଆଗେ ତିନିଜଣ ନେତା, ତାଙ୍କ ଭିତରେ କୁଶଳବାବୁ । ତାଙ୍କ ସହିତ କେତେ ଗାଁର ମୁଖିଆ ଲୋକ, ଚଇଁଲୋ, ନଇଁଲୋ, ଓଉପଡ଼ା କାଉପଡ଼ା, ଉକୁନ୍ଦରା, ଗେଲପୁର । କିଏ ସରପଞ୍ଚ କି ପଞ୍ଚାୟତ ସମିତିରେ ଚେୟାରମ୍ୟାନ୍, ମେମ୍ବର ଆଦି, କିଏ ତା’ ନ ହେଲେ ବି ନେତୃସ୍ଥାନୀୟ, କ୍ଷମତାଶାଳୀ । ସେହି ଗହଣରେ ଚାଲିଥିଲେ ଚାରିଜଣ ହାକିମ, ପୋଷାକ ପିନ୍ଧି ପରସ୍ପରଙ୍କ ପାଖ ପାଖ ଥାଇ ନେତାମାନଙ୍କ ପଛରେ ଓ ଅନ୍ୟମାନଙ୍କ ଗହଳିରେ ଚାଲୁ ଚାଲୁ ସେମାନେ ବାରି ହୋଇ ପଡ଼ୁଥିଲେ । ଗାଁ ଲୋକେ ଥୋକାଏ ଥୋକାଏ ହୋଇ ଆସିଲେ । ଦଳ ବଢ଼ିଲା ।

 

ଗାଁ ମଝିରେ ଠାଏ ଗୋଲ ହୋଇ ତୋଟାଳିଆ ସ୍ଥାନ । ପାଖେ ଭାଗବତ ଘର, ଆର ପାଖେ ମେଲା, ଆଖେଡ଼ା ଘର । ଭାଗବତ ଘର ବୁଢ଼ା ପୂଝାରି ଏତେ ଲୋକଙ୍କୁ ଦେଖି ଯାଉଁଳି କବାଟ ଖୋଲି ଭିତରେ ଦୀପ ଲଗାଇ ଜଳ ତୁଳସୀ ସଜାଇ ରଖି ଅପେକ୍ଷା କଲା । ଭିତରେ ଶାଳଗ୍ରାମ ଅଛନ୍ତି ।

 

କିନ୍ତୁ ସେମାନେ ରୁଣ୍ଡିଲେ ଆଖେଡ଼ା ମେଳାରେ । ସେଠି ଗାଁର ଭଲମନ୍ଦ ଆଲୋଚନା ହେଲା । ଟିପା ଖାତା ଖୋଲାହେଲା । ସେଇଠି ଲାଗିଲା ପଇଡ଼, ପଛେ ଚାହା । ଆଖୁ ବିଡ଼ାଏ କଟା ହୋଇ ଆସି ଥୁଆଗଲା । ‘‘ଏଁ ! ଏ ଗାଁରେ ଆଖୁ ବି ହୁଏ !’’

 

‘‘ହୁଏ ଘାଇ ଉପରେ ।’’

 

ଆଖୁ ହୁଏ, ଖୁସି କଥା । କିନ୍ତୁ ଅଳ୍ପ ହୁଏ । ‘‘ନାଳ ଆସିଲେ ଆହୁରି ବେଶି ଆଖୁ ହେବ-।’’ ସମସ୍ତେ ଖୁସି ହେଲେ । ନାଳ ଆସିବ, ଆଖୁହେବ ।

 

କୁଶଳ ବାବୁ କହିଲେ ‘‘ଆମେ ଚାହୁଁ ଆଖୁ ହେଉ, ଝୋଟ ହେଉ, ନ ହେଲେ ଦେଖୁନାହାନ୍ତି, ଆମ ଜମିରେ ଆମେ ଧାନ କରି ଅନ୍ୟମାନଙ୍କ ପାଇଁ ଚାଉଳ ସଜିଲ୍‍ କରି ପଠାଇଲା ବେଳେ ସେମାନେ ଚଲାଖ ହୋଇ ତାଙ୍କ ଜମିରେ ଲଗାଉଛନ୍ତି ଆଖୁ ଆଉ ଝୋଟ, ଅର୍ଥାତ୍ ପଇସା-। ଧାନରେ ସବୁଠୁଁ କମ୍ ଲାଭ । ପଦାରୁ କଦଳୀ ଆମେ କିଣୁ ଲକ୍ଷ ଲକ୍ଷ ଟଙ୍କାର, ଆମେ ଚାହୁଁ ଆମର ଏ ଅଞ୍ଚଳଯାକ କଦଳୀ ବଣ ହୋଇଯାଉ ।’’

 

‘‘ଆପଣମାନେ ଯାହା କରିବେ ତା’ ହେବ, ‘‘ଜଣେ ନେତା କହିଲେ, ‘‘କିନ୍ତୁ ପଇସା ପଇସା ହୋଇ ଜମିଯାକ ଝୋଟ କଲେ ଚାଉଳ ନ ମିଳିଲା ଦିନ ଘରଣୀ ଯଦି ଥାଳିରେ ବାଢ଼ିଦେବେ ଝୋଟ ଆଉ ଥାଳିଆରେ ବାଢ଼ିଦେବେ ନୋଟ ତେବେ କେମିତି ଲାଗିବ ?’’

 

ହସ ଲାଗିଲା ।

 

“ହିଡ଼ କରେ କରେ ଧଣ୍ଡିଚା ଲଗାଇବା କଥା କ’ଣ ହେଲା ।

 

କୁଶଳ ବାବୁ କହିଲେ, ‘‘ଧଣ୍ଡିଚା କିଛି ହୋଇଥିବ ନିଶ୍ଚୟ, ତେବେ ହିଡ଼ କରେ କରେ ଯେତେ ନୁହେଁ ସଡ଼କ କରେ କରେ ।’’

 

କଥା ବୁଲେଇ ଦିଆଗଲା । କିନ୍ତୁ ସବୁ ଚଳେଇ ଦେଇ ସବୁ ଭେଳେଇ ସୁଖ ଆନନ୍ଦର ବାତାବରଣ ଗଢ଼ିବାକୁ ଯେତେ ଚେଷ୍ଟା କଲେ ସୁଦ୍ଧା ମଝିରେ ମଝିରେ ଅଖାଡ଼ୁଆ ହୋଇ କେତେ କଥା ଉଠୁଥାଏ । ଜଣକର ଅନ୍ୟ ଜଣକ ବିରୁଦ୍ଧରେ ଅଭିଯୋଗ ‘‘ଖାଇଗଲା’’, ‘‘ଠକିଦେଲା’’ ‘‘ଚିତା କାଟିଲା’’ ଏହିପରି କେତେ ଖରାପ ଶବ୍ଦ, ଜଣକୁ ଜଣେ ଆକ୍ରମଣ କଲାଭଳି ।

 

କୁଶଳ ବାବୁ ପଟାଇବାରେ ଲାଗିଥାନ୍ତି, ହସ ହସ ମୁହଁ, ମିଠା କଥା, କେଡ଼େ କଅଁଳ ଆଉ ମନଭୁଲା ।

 

‘‘ଏତେ ଗଇ ଖୋଳା ଖୋଳି ହୋଇ ଗୋବର ପକାପକି ହୋଇ କିଛି ଲାଭ ନାହିଁ । ସବୁ ଦାୟିତ୍ୱ ଆମର, ଆମେ ଏ ଦେଶକୁ ଗଢ଼ିବା । ପଛକଥା ଭୁଲି, ସବୁ ଭେଦାଭେଦ ପଛକୁ ପକାଇ ଆମେ ଲାଗି ପଡ଼ିବା, ଦେଶ ଗଢ଼ିବା କାମରେ । ଏଦଳ ସେଦଳ ଏମତ ସେମତ ନାହିଁ, ସବୁ କାମ ସମସ୍ତିଙ୍କର । ଅଶାନ୍ତି ଲଗାଇଲେ ଲାଗିଥାଏ–’’ ଏମିତି କେତେ ସଦୁପଦେଶ ସେ ଦେଲେ ।

 

ମାଛ ଚାଷ, କୁକୁଡ଼ା ଚାଷ, ଆଳୁ ଚାଷ, ଭଲ ମଞ୍ଜି ଖତ ପିଡ଼ିଆ ସବୁକଥା ପଡ଼ିଗଲା ।

 

ସେମାନେ ଗାଁ ଭିତରେ ଏଣେ ତେଣେ ବୁଲି ବୁଲି ଦେଖିଲେ । ପଞ୍ଚାୟତ ଅଫିସରେ ପୁଣି ବୈଠିକ ହେଲା ।

 

ତା’ପରେ ଡକା ହେଲା ଗ୍ରାମସେବିକାଙ୍କୁ । ଡରି ଡରି ଥଙ୍ଗେଇ ଥଙ୍ଗେଇ ହୋଇ ରମା ଆସି ଠିଆ ହେଲା । ନାନା ପ୍ରଶ୍ନର କେମିତି ସେ ଉତ୍ତର ଦେଲା ସେ ଜାଣେ ନାହିଁ । କିନ୍ତୁ ଜାଣି ହେଲା, ସେମାନେ ଖୁସି ଦେଲେ ।

 

ଏତେ ଲୋକ ତା’ ଆଡ଼କୁ ବଲ ବଲ କରି ଅନାଇଛନ୍ତି, କେଉଁଠି ଯୋଡ଼ିଏ ସହାନୁଭୁତିଶୀଳ ଆଖି ପାଇଲେ ସେଇଠି ସେ ଅଳ୍ପ ବିଶ୍ରାମ କରନ୍ତା । ଜୁଳୁ ଜୁଳୁ ଆଖିମାନଙ୍କ ମେଳରେ ତାକୁ ଲାଗିଲା ସେମିତି ଯୋଡ଼ିଏ ଆଖି ତାକୁ ଖୋଜି ବୁଲୁଛି । ଦେହରୁ ଯେତେବେଳେ ଝାଳ ଫିଟି ଯାଉଥାଏ ସେତିକିବେଳେ ସେ ମୁହଁରେ ସେ ଆଶ୍ରା ପାଇଲା, ସେ ଚାହାଣିର ଭାଷା ଅଭୟ ଦେଉଛି ‘‘ଡର କାହିଁକି ? ହେଇଟି ତ ମୁଁ ଅଛି ।’’ ସେ କୁଶଳ ବାବୁ । ବୟସ ବାରି ହେଉନାହିଁ, ହୋଇପାରେ ବତିଶି କି ପଇଁଚାଳିଶି । ଚିକ୍‍କଣ ଶ୍ୟାମଳ ବର୍ଣ୍ଣ । ଆକାରରେ ସାଧାରଣଠୁଁ ଡେଙ୍ଗା, ଗଢ଼ଣରେ ଧଡ଼ିଆ ନହେଲେ ବି ପାତଳ । ମୁଣ୍ଡବାଳ କୁଣ୍ଡା ହୋଇନାହିଁ, କପାଳ ଉପରକୁ ଝୁଙ୍କି ପଡ଼ିଛି । ସେ ମୁହଁର ବିଶିଷ୍ଟତା ବହୁଳ ଭ୍ରୂଲତା ଯୋଡ଼ିକର ବାଙ୍କ, ଅତି ଫରକଟା ନହୋଇ ଉଡ଼ନ୍ତା ପ୍ରଜାପତି ଡେଣା ପରି ଉପରକୁ ଉଠିଛି ଇଂରେଜ ଭି ଅକ୍ଷର ପରି । ତା’ତଳେ ଆୟତ ଢଳ ଢଳ ଆଖି ଯୋଡ଼ିଏ, ସେଠି ଭିତରର କେଉଁ ଅଜଣା ଆଲୁଅରେ ଚକମକ ପାଣି । କୁଶଳ ବାବୁଙ୍କ ବିଷୟରେ ଆଗରୁ ସେ କେତେ କଥା ଶୁଣିଥିଲା । ସେ କୁଆଡ଼େ ବିଜୁଳି ପରି କାମ କରିପାରନ୍ତି, ବିଜୁଳି ଲଗାଇଲା ପରି ଲୋକକୁ ମତାଇ ପାରନ୍ତି, ପତର ଚକି ପରି ଘୂରୁ ଥାଆନ୍ତି ଗାଁ’ ଗଣ୍ଡା, କେତେ ଲୋକଙ୍କର କେତେ ବାଟରେ ଉପକାର କରିଛନ୍ତି । ତାଙ୍କ ପାଖେ କଥା ରହେ, ସେ କହିଲେ କଥା ରହେ, କାମ ଉଠେ । ସେ ଚାହିଁଥିଲେ କ’ଣ ନାହିଁ କ’ଣ ହୋଇ ପାରିଥାନ୍ତେ, କିନ୍ତୁ ସେ ଚଉକି ଲୋଡ଼ି ନାହାନ୍ତି, ମଣିଷଙ୍କ ଗହଣ ହିଁ ଲୋଡ଼ିଛନ୍ତି । ନିଜେ ଏମିତି ସିଧା ସିଧା ମଣିଷ, ନିଜ ପାଇଁ ଭାବିବାକୁ ତାଙ୍କୁ ବେଳ ନାହିଁ । ତାଙ୍କରି ଉଦ୍ୟମରେ ଏ ଅଞ୍ଚଳ ଯାକ ନାନା ପ୍ରକାର ଉନ୍ନୟନ ହୋଇପାରୁଛି, ନଈରେ ବନ୍ଧ, ନାଳ, ସଡ଼କ, କେଉଁଠି କେଉଁ ଅନୁଷ୍ଠାନ, ନାନା କଥା । ଏମିତି ଖବର ସେ ବହୁତ ଶୁଣିଛି ।

 

କୁଶଳ ବାବୁ ଅନାଇଛନ୍ତି ତାଙ୍କୁ ପ୍ରଶଂସା କଲା ଭଳି ଚାହାଣିରେ, ‘‘କଣ ମୁଁ କରିଛି ? କ’ଣ ମୋଠିଁ ଅଛି ପ୍ରଂଶସା ପାଇଲା ଭଳି ?’’

 

ଝକ୍‍ କରି ଅତୀତଟା ଚୁମ୍ବକରେ ଯେପରି ତା’ ଆଗରେ ଖେଳିଗଲା, ହରର ମୁହଁ ମନେ ପଡ଼ିଲା । ପ୍ରଶଂସା କଲା ପରି, କିଅବା ଗିଳି ପକାଇଲା ପରି ସେ ବି ଚାହିଁ ରହିଥାଏ ତା’ ମୁହଁକୁ । ଆଖିପତା ଓଦା ହୋଇଗଲା । ସେ ମୁହଁ ତଳକୁ କଲା ।

 

କାନିଟା କାନ୍ଧ ଉପରୁ ହୁଗୁଳା ହୋଇ ଯାଇଥିଲା, ଟାଙ୍କି ଟେକିଦେଲା । କୁଶଳ ବାବୁ ନେତାମାନଙ୍କ ସଙ୍ଗରେ କ’ଣ କଥା ହେଉଛନ୍ତି । ‘‘ମୁଁ ଶୁଣିଛି, ଶୁଣିଛି । ଏମିତିଆ କର୍ମୀ ଆମର ଦରକାର । ଗାଁ’ରେ ଘରେ ଘରେ କାମ କରିବାକୁ ହେଲେ ଘରୁଆ ମଣିଷ ହିଁ ତ ଲୋଡ଼ା, ଯେ ବୁଝିଥିବ, ଜାଣିଥିବ, ସେମିତି ମଣିଷ ହୋଇଥିବ, ଝିଅ ହୋଇଥିବ, ଘରଣୀ ହୋଇଥିବ, ମା’ ହୋଇଥିବ....’’

 

ତାଆରି କଥା ପରା ।

 

ପୁଣି ଆଉ ଗୋଟାଏ ସମ୍ବାଦ,–ଫରମାସି ହେଲା ସେମାନେ ମହିଳା ସମିତିର କାମ ଦେଖିବେ । ରମା ଛାନିଆଁ ହୋଇ ତରତର ହୋଇ ଚାଲିଗଲା । ସମସ୍ତିଙ୍କି କହିବ । କି କାମ କିଏ କରିଛି ? କିଏ ଶୁଣିଲା ? କିଏ ମାନିଲା ?

 

କିନ୍ତୁ କୁଆଡ଼େ କେଉଁଠି କିଏ କଳ ମୋଡ଼ୁଛି, ସବୁ ସୁବିଧା କରି ଦେଉଛି । ମହିଳା ସମିତି ଘରେ ଆଲୁଅ ଜଳିଲା । କେତେ ମାଇପେ ରୁଣ୍ଡ ହେଲେ । କେବେ କେଉଁ ବୁଢ଼ୀ ଅଧାବୟସୀ ଦିନେ ସିଲଟ ଧରି ଅ’ଆ ଆରମ୍ଭ କରିଥିଲେ । ସେମାନେ ଖୋଜା ହୋଇ ଆସିଲେ, ହାତରେ ଅକ୍ଷର ଲେଖା ହୋଇ ସିଲଟ । ଆଉ ବହି ପଢ଼ି ପାରୁଥିବା ବୋହୂ ଝିଅମାନେ । ସତେ ଯେପରି ସେତିକି ବେଳ ପାଇଁ ଗାଁର ସବୁ ସମ୍ପଦ ସବୁ ବଳ ସେଠି ଏକାଠି ହୋଇ ହେଲା ମହିଳା ସମିତିର ପରିଚୟ । ‘‘ଓଃ ! କି ଉତ୍ସାହ ! କେତେ ପଢ଼ି ଶିଖିଲେଣି, ଆହୁରି ବୁଢ଼ୀମାନେ ବି ପଢ଼ୁଛନ୍ତି-

 

‘‘ଖାଲି ଏତିକି କ’ଣ ଦେଖୁଛନ୍ତି ? କେତେ ପଢ଼ି ଶିଖି ଗଲେଣି,’’ ରାଧାରାଣୀ ଦେବୀ କହିଲେ ।

 

ତା’ପରେ ହସ୍ତକର୍ମ ପ୍ରଦର୍ଶନୀ । ନୂଆ ପୁରୁଣା ହୋଇ ଯେତେ ବୋହୂ ଯେତେ ଜାତିର ବୁଣା ବୁଣି ଆଣିଥିଲେ ସେଥିରୁ ଅନେକ ପଦାର୍ଥ ଏକାଠି ହୋଇ ପାରିଛି । ଚିତ୍ର ବୁଣା, କମ୍ପଟ, ମୋଜା, ବିଞ୍ଚଣା, ଫୁଲ ଗେଞ୍ଜି, ଜାତି ଜାତିକା ମୁଣି, ମାଛ କାତିରେ ରୂପ, କନାରେ କଣ୍ଢେଇ, ଗାଲିଚା, କାଇଁଶ ପେଡ଼ି, ବହୁତ ପଦାର୍ଥ ।

 

ନାନା ଜାତିର ବଡ଼ି, ସେଥିରେ ଏପରି କାରୁକାର୍ଯ୍ୟ ଯେ ଦେଖିଲେ ଖାଇବାକୁ ମନ ହେବନାହିଁ ।

 

‘‘ଏତେ କଥା ଏ ମହିଳା ସମିତି କରି ପାରିଛନ୍ତି ! ଅଦ୍ଭୁତ ! ଖାଲି ଏତିକି ନୁହେଁ । ଏ ଗାଁ’ରେ ଧୂଆଁ ରୁନ୍ଧୁ ନଥିବା ଚୁଲି ବି ଗଢ଼ା ହୋଇଛି । ଏମାନେ କମ୍ପୋଷ୍ଟ, ଖତ ଆଦି ବିଷୟ ଜାଣନ୍ତି-। ସୁଷମ ଖାଦ୍ୟ ବିଷୟ ବି ଅବଗତ ଅଛନ୍ତି । ଶାଗକୁ ଅଳ୍ପ ସିଝେଇ ଓହ୍ଲାଇ ଦେଲେ ଟିକିଏ କଞ୍ଚା କଞ୍ଚା ଥିଲାବେଳେ, ସେଥିରେ ଖାଦ୍ୟସାର ନଷ୍ଟ ହୁଏ ନାହିଁ, ଏକଥା ବି ଜାଣନ୍ତି । ଏଠି ପିଲାଙ୍କୁ ଗୁଣ୍ଡଦୁଧ ଆଉଟି ପିଇବାକୁ ଦିଆହୁଏ । ଅଭାବରେ ପଡ଼ିଥିବା ଆସନ୍ନ-ପ୍ରସବା ଓ ପ୍ରସୂତିମାନଙ୍କୁ ସପ୍ତାହରେ ଦି’ଥର ଭାତ ମାଛଝୋଳ ଦିଆଯାଏ । ଆଉ ନାନା ସଦ୍‍ବୁଦ୍ଧି ଓ ସଦୁପଦେଶ ଦିଆଯାଏ-

 

‘‘କ’ଣ ଦରକାର ?’’

 

‘‘ଆହୁରି ବହୁତ ବହି, ରେଡ଼ିଓ, ବଡ଼ ଘର, ପେଟ୍ରୋମ୍ୟାକ୍‍ସ, କିରାସିନି, ସିଲେଇ ଯନ୍ତ୍ର, ସୂତା, କନା, ଉଲ୍‍ । ଧାଈ ଦରକାର, ଡାକ୍ତର ଦରକାର, ବାଳିକା ବିଦ୍ୟାଳୟ, ସଙ୍ଗୀତ ମାଷ୍ଟର, ସାନ ରଙ୍ଗମଞ୍ଚ, ନାନା କଥା ଦରକାର, ଯାହା ଦେଇ ପାରିବେ ସବୁ ଦରକାର ।’’ ବାଃ, ଉତ୍ତରରେ ରୁଚି ଅଛି, ଉଚ୍ଚାଶା ଅଛି ।

 

‘‘ଗ୍ରାମସେବିକା କେମିତି ?’’

 

ସମସ୍ତିଙ୍କୁ ଆପଣାର କରିଛନ୍ତି । ସମସ୍ତେ ପ୍ରଂଶସା କଲେ । ତାଙ୍କର ବହୁତ ଉତ୍ସାହ, ସେ ଭାରି ପରିଶ୍ରମୀ । ଭାରି ମିଶି ପାରିବା ଲୋକ । ଏଡ଼େ ଶାନ୍ତ ସୁଧାର ! ଯେମିତି ବ୍ୟବହାର ସେମିତି ଗୁଣ ।

 

ପରିଦର୍ଶନ ଶୁଭେ ଶୁଭେ ସରିଗଲା । ବାହାରର ଲୋକ ଗଲେ । ଭିତରେ ବହୁତ ହସ ଶୁଭିଲା । ରମା ସେମାନଙ୍କ ମୁହାଁମୁହିଁ ହେଲା । ‘‘ଆଉ ବେଳ ମିଳିଥିଲେ ଆହୁରି ନାନା କଥା ଦେଖାଇ ହୋଇଥାନ୍ତା,’’ ରାଧାରାଣୀ ଦେବୀ କହିଲେ ।

 

ରମା ଥଙ୍ଗେଇ ହୋଇ କହିଲା ‘‘ଏଗୁଡ଼ାକ କ’ଣ ସବୁ ଆମରି ମହିଳା ସମିତିର କାମ-?’’

 

‘‘ସବୁ ।’’ ରାଧାରାଣୀ କହିଲେ, ‘‘ଆଉ କ’ଣ ୟେ, ମିଣିପଙ୍କ କାମ ? ଶୁଣ ଗୋ ।’’

 

‘‘ମାଇପେ କରିଛନ୍ତି କିଏ ନାହିଁ କରୁନାହିଁ ଯେ, ଏଇଠି ଏଇ ସମିତି ଜରିଆରେ କ’ଣ ଏସବୁ ହୋଇଛି ?’’

 

ରାଧାରାଣୀ ଦେବୀ ବଙ୍କା ହସଟିଏ ହସିଲେ, କହିଲେ,

 

‘‘ଓହୋ, ତେମେ ନୂଆ ଭୁଆ ପରା ।’’

 

ଟିକିଏ ରହି କାନିରୁ ଖୋଲି ପାନଖଣ୍ଡେ ପାଟିରେ ପକାଇ ଦେଇ କହିଲେ, ‘‘ୟାକୁ ମିଶେଇ ସାତଥର ପରିଦର୍ଶନ ସରିଲାଣି, ଆମ ମହିଳା ସମିତି କେବେ ହାରି ନାହିଁ । ମୁଁ ଥିବାଯାକେ ହାରିବ ବି ନାହିଁ, ତେଣିକି କହି ନପାରେ । ଇଜ୍ଜତ ରଖିବା କାମ ଆଗ, ଆଉ ସବୁ ପଛ-। ସବୁ କାମ ସବୁଠିଁ ହେଉଥାଏ, ସମିତିର କାମ ହେଲା ତାକୁ ସୁମାରି କରି ତା’ ତାଲିକା ରଖିବା, କାହା ଘରେ କି କାମ ହେଉଛି ତାକୁ ଏକାଠି କରି ଦେଖାଇବା । ଯେ ଆସିଥିଲେ ସେ କ’ଣ ବିଲାତରୁ ଆସିଥିଲେ ଯେ ଜାଣି ନଥିବେ ? ଭଲ କହିଲ କେଉଁ ମାଇପିଟିର ଘରେ କାମ ନାହିଁ ଯେ ସେ ଆସି ତମ ମହିଳା ସମିତି ଘରେ ବସି ସିଲେଇ କରୁଥିବ, ବୁଣାବୁଣି କରୁଥିବ, ଚିତ୍ର ଆଙ୍କୁଥିବ, କାଇଁଶ ପେଡ଼ି ବୁଣୁଥିବ । ସମସ୍ତେ ମହିଳା ସମିତି । ଗାଁଯାକ ଯେ ଯାହାଘରେ ଯାହା କଲା ତାକୁ ମହିଳା ସମିତି କଲା । ତମେ ବା କାହିଁ ଭାବୁଚ, ଦେଖିଲ ତ ତମ କାମ ବିଷୟରେ ସମସ୍ତେ କେଡ଼େ ଭଲ କହିଲେ-।’’

 

ଗଲାବେଳେ କୁଶଳବାବୁ ତାକୁ କହିଦେଇ ଗଲେ ।

 

‘‘ବାସ୍ତବିକ ଆପଣଙ୍କ ପରି କର୍ମୀ ଥିଲେ ସିନା ଗାଁ’ର ଉନ୍ନତି ହେବ ! ଆପଣଙ୍କ କାମରେ ସମସ୍ତେ ଭାରି ଖୁସି । ଏ ଗାଁକୁ ଆପଣ କ’ଣ କରି ଦେଇଛନ୍ତି ସତେ । ତେବେ ଏତିକିରେ ଅଟକି ରହିଲେ ଚଳିବ ନାହିଁ । ଆପଣଙ୍କୁ ଆହୁରି ବଡ଼ ବଡ଼ ଦାୟିତ୍ୱ ନେବାକୁ ପଡ଼ିବ । ଆମ ଦେଶରେ ଶିଳ୍ପବିପ୍ଳବ ହେବାକୁ ଯାଉଛି । ବହୁତ ଲୋକଙ୍କୁ ଶିଳ୍ପରେ ଲଗାଇବାକୁ ପଡ଼ିବ । ବିଜୁଳିଶକ୍ତି ଗାଁରେ ଘରେ ଘରେ ମିଳିବ । ମାଇପେ ବି ମେସିନ୍ ଧରିବେ । ରହିବେ ଟାଇଲ୍ ଘରେ, ନହେଲେ ଏ ଚାଳଘରଗୁଡ଼ାକର ନିଆଁକୁ ଡର । ପିଇବେ କଳ ପାଣି, ତାହେଲେ ପାଣି ବୋହିବା କଷ୍ଟରୁ ଉଦ୍ଧାର ପାଇବେ, ପୁଣି ହଇଜା ଦାଉରୁ । କୁସଂସ୍କାରଯାକ ସବୁ ଛାଡ଼ି ଦେବାକୁ ପଡ଼ିବ । ତାଙ୍କ ମନକୁ କିଏ ଏଥିପାଇଁ ପ୍ରସ୍ତୁତ କରିବ ? ଆପଣମାନେ ତ !’’

 

ତାଙ୍କ ପ୍ରଶଂସା ଶୁଣି ଅନ୍ୟମାନେ ବି ସେଥିରେ ଏକମତ ହେଲେ ।

 

ରମା ତୁନି ହୋଇ ଠିଆ ହୋଇଥାଏ । ତା’ ପାଟି ଅଠା ଅଠା ହେଉଥାଏ ସଂକୋଚ, ଲାଜ, କୃତଜ୍ଞତା, ଆନନ୍ଦ, କ’ଣ ଗୋଟାଏ ଅଜଣା ଡର, ଛାଟରେ ପାହାର ଖାଇଲା ପରି କେମିତି, ଆବାକାବା ହେଲା ପରି, ଏମିତି ନାନା ଭାବ ତା’ ମୁହଁରେ ଏକାଠି ମିଶିମିଶି ଯାଉଥାଏ । ମୁଣ୍ଡ ଆସ୍ତେ ଆସ୍ତେ ଝାଙ୍କି ଦେଉଥାଏ । ଯାହା ଲାଗୁଥାଏ ମୋଟା ମୋଟିରେ ତାହା ଗୋଟାଏ ମାନସିକ ଅସୁସ୍ଥତା ।

 

ସେମାନେ ଚାଲିଗଲେ । ଗହଳି ମିଳେଇ ଗଲା । ଘରକୁ ଲେଉଟିଗଲା ବେଳେ ତାକୁ ଲାଗୁଥାଏ କ’ଣ ତା’ର ବିଗିଡ଼ିଯାଇଛି । କ’ଣ ହେଲା ? ତା’ କାମ ପ୍ରଂଶସା ପାଇଛି, ସେ ଖୁସି ହେବାର କଥା । କି କାମ ସେ କଲା ? ନ ଫାବିଥିବା ପାଉଣା, ନ ଘଟିଥିବା ଘଟଣାର ବିଜ୍ଞାପନ, ଆପଣା ମନ ତାକୁ ଆଦରୁ ନାହିଁ । ମନେ ମନେ ପୁଣି ମୂଲ ତଉଲ । ଲାଗିଲା, ଯେପରି ପ୍ରଭାତୀର ଚିଠିଟା ସେ ଲେଖିଛି । ଆଉ ପ୍ରଭାତୀ ଲେଖିଛି ତା’ ଚିଠିଟା । ଆପଣା କାମର ପରିସର ପ୍ରତି ତା’ର ସେ ପୁରୁଣା ଅନାସ୍ଥା ଭାବି ମନେ ପଡ଼ିଗଲା । ଆଉ ଲାଗିଲା ଯେପରି ଆପଣା ହୃଦୟ ଭିତରେ ଆପଣା ଇଚ୍ଛା ଅନୁସାରେ ନିଭୃତରେ କିଛି ମତ କି ଧାରଣା ସାଇତି ରଖିବାକୁ ତା’ର ଯେଉଁ ଅଧିକାର ଥିଲା ତା’ ଉପରେ କୁଆଡ଼ୁ ବାଧା ଆସିଯାଇଛି । ଚାକିରିକୁ ସେ ନଜର ବାହାରେ ରଖିଥିଲା, ଲୋକେ ତାକୁ ଠେଲି ପେଲି ପୂରାଇ ଦେଇଛନ୍ତି ତା’ ଭିତରକୁ । ଆପଣା ପ୍ରଶଂସା ଓ ପ୍ରଚାର ଏପରି କାଟେ ବୋଲି ତା’ର ଧାରଣା ନ ଥିଲା । ସେ ଚାହିଁ ନ ଥିଲା ପଦାରେ ପଡ଼ିବାକୁ, ହଠାତ ତା’ ହେଲା ।

 

କ’ଣ ଅନିଷ୍ଟ ହେଲା ? ଦୋଷ କାହାର ? ସେ ମନକୁ ମନ ତିଆରିଲା । ନା, ସେ ଓଲଟା ଭାବୁଛି । ସେ ଓଲୁ ।

 

କୁଶଳବାବୁଙ୍କ ମୁହଁଟି ମନେ ପଡ଼ିଲା ।

 

କାହିଁ, ସେଥିରେ କପଟ ନ ଥିଲା ତ ?

 

ସୁର ଶୋଇପଡ଼ିଥିଲା । ତାକୁ କୁଣ୍ଢେଇ ଧରି ଗେଲ କରୁ କରୁ ସେ ଆପଣାକୁ ସହଜ କରିବାକୁ ଚେଷ୍ଟା କଲା ।

 

ଘଣ୍ଟାରେ ବାଜିଛି ସାଢ଼େ ଚାରି । ଛାଇ ଘୋଡ଼େଇଛି । ସିଲଟ ପରି ଆକାଶ ଅଳ୍ପ ଧୂଆଁଳିଆ । ଦୂରରେ ଦିଶୁଛି, ତଳ ଉପର ପାଖ ପାଖ ହୋଇ ଯୋଡ଼ାଏ ଚିଲ ଉଡ଼ୁଛନ୍ତି । ବେଳେ ବେଳେ ଲାଗୁଛି ୟେ ତା’ ଆଖିର ଭ୍ରମ, ଗୋଟାକ ଯୋଡ଼ାଏ ଦିଶୁଛି । ବେଳେ ବେଳେ ଲାଗୁଛି, ଏ ସୃଷ୍ଟିର ଆଲୁଅ ନିଭିଯିବାଯାକେ ଏମିତି ଲାଗିଥିବ ସେମାନଙ୍କର ଗୋଡ଼ିଆ ଗୋଡ଼ି ଖେଳ, କେତେବେଳେ ଲୁଚି ଯାଉଛନ୍ତି, କେତେବେଳେ ଦିଶୁଛନ୍ତି ।

 

ସବୁ ଭାବ ସବୁ ଦୃଶ୍ୟ ଉପରେ ଛାଇର ଲେପ ଲାଗିଛି । ଯେମିତି, ସବୁ କ୍ଳାନ୍ତ ଆଉ ଚୁପ୍ ଚାପ୍ । ମାଳ ମାଳ ନଡ଼ିଆ ଗଛ ବାହୁଙ୍ଗା ଟେକି ଧରିଛି । ତା’ ସନ୍ଧିରେ ଅନ୍ଧାରୁଆ । ସେ ଦୁନିଆଁ ନିଭି ନିଭି ଆସୁଛି । ଆଗରେ କଦଳୀ ବାରି, ଗୋଟି ଗୋଟି ଅନ୍ଧାରି ସ୍ଥୂଳତା, ସତେ ଯେମିତି ସେମାନେ ଏଇ ଗାଁ ମାଟିର ଅତୀତର ହଜିଲା ମାଇପିପଲ, କ’ଣ କହିବେ ବୋଲି ଉଭା ହୋଇଥିଲେ, କହି ନାହାନ୍ତି, ଠିଆ ହୋଇଛନ୍ତି ।

 

ରମାର ଆସିଛି ସେହି ଭାବ ଯେତେବେଳେ ସେ ବସୁ ବସୁ ଚିହ୍ନା ବେଢ଼ ଭିତରୁ ଦୂରେଇ ଯାଏ, ନିଛାଟିଆ ହୋଇ ଭାସିଯାଏ କୁଆଡ଼େ କୁଆଡ଼େ ।

 

ଡାହାଣ କରେ ଦିଶୁଛି, କପିଳ ଜେନାର ମା’ ବୁଢ଼ୀ ଘର କାନ୍ଥରୁ ଶୁଖିଲା ଘସିଫରା ଛଡ଼ାଇ ଛଡ଼ାଇ ଗଦା କରୁଛି । ସତୁରି ବର୍ଷର ବୁଢ଼ୀ, ନଇଁ ପଡ଼ିଲାଣି । ତା’ ହାତ କେବେ ଅଟକେ ନାହିଁ । ଡାହାଣ କରେ ଗଦେଇ ଭୋଇ ଭାରିଯା ନଗୀ ଧରି ଗଛରୁ ସଜନା ଛୁଇଁ ପାରୁଛି, ଛଡ଼ ପରି ଧେଡ଼େଙ୍ଗା ଦେହଟି ତା’ର ସେ ନଗୀ ସଙ୍ଗରେ ଏକ ହୋଇଯାଇଛି, ମୁହଁ ଟେକି ହୋଇରହିଛି ଉପରକୁ । ବେଳେ ବେଳେ ଲାଗୁଛି ଓଲିଆ ଗାଈଟାଏ ଦି’ଗୋଡ଼ରେ ଠିଆ ହୋଇ ଓଲାରିବାକୁ ଉହୁଙ୍କି ହେଉଛି ।

 

ପଞ୍ଚାୟତ ଘରୁ ରେଡ଼ିଓ ବାଜୁଛି, କ’ଣ ଅଚିହ୍ନା ଭାଷାରେ ଗୋଟାଏ କ’ଣ ଗୀତ–ନାଡ଼ା ମୁନ୍ଦେ ମୁନ୍ଦେ ନାଡ଼ା ମୁନ୍ଦେ ମୁଗିନାଡ଼େ ମୁନ୍ଦେ ଜଗ୍‍ଗଡ଼ିଲୀ ଦୁଗ୍‍ଗାଡ଼ିଲୀ–ଲିକ୍‍କି ମିକ୍‍କି ନାଡ଼ୁ ମୁନ୍ଦେ–

 

ସେଣୁ କିଏ ପାଟି କରୁଛି ଶୁଭୁଛି–’’ଖାଇଗଲା ଖାଇଗଲା କାହା ଗାଈ ତୁହାଇ ତୁହାଇ ହମା ରଡ଼ି ଦେଉଛି ।’’

 

ଆଖଡ଼ା ଘରଆଡ଼ୁ ମୃଦଙ୍ଗପିଟା ଶୁଭୁଛି ।

 

କୁଆଡ଼ୁ ଭାସି ଆସୁଛି ଶୁଖୁଆ ପୋଡ଼ାର ଗନ୍ଧ, ମନେ ପଡ଼ିଯାଉଛି,–ପଖାଳ, ଆଉ ମଲ୍ଲୀଫୁଲ ।

 

ପୁଣି ଦୃଷ୍ଟି ଉଠୁଛି ଆକାଶକୁ, ସେ ଚିଲ ଦି’ଟାଙ୍କୁ ଖୋଜିବାକୁ ।

 

ଦୂରରେ ସୋରିଷଫୁଲିଆ ଆଲୁଅ ଝକମକେଇଲା, ଭୂଇଁ ଆସ୍ତେ ଟୋଲେଇଛି ଠାଏ ମଝିରେ । ମନେ ପଡ଼ିଲା ସେଠି କୁଦ ଉପରେ ଅଛି ସାନ ଦେଉଳଟିଏ, ମହାଦେବ ମନ୍ଦିର, ଚାରିକରେ କଣ୍ଟା ବାଉଁଶ ଓ ଖଜୁରିବୁଦା । କହନ୍ତି ସେଠି ବାଣାସୁର ପୂଜା କରିଥିଲା ।

 

ରେଡ଼ିଓ ତା’ କାମ କରୁଛି । ସେଥିରେ ଗୀତ ଶୁଭୁଛି ସବାରି ଚଢ଼ି ବୋହୂ ଯାଉଛି ଶାଶୂ ଘରକୁ, ଦିଶି ଦିଶି ଯାଉଛି ।

 

ଗାଁ ଦଣ୍ଡା ସରିଲା, ଅଚିହ୍ନା ଗାଁ, ତୋଟାମାଳ, ପୋଖରୀବନ୍ଧ, ଦେଉଳ, ଖାଁ ଖାଁ କ୍ଷେତ, ନିଛାଟିଆ ଦଣ୍ଡା, ତାଳଗଛ ବାହୁଙ୍ଗାରେ ବାଜି ପବନ ଶୁଭୁଛି ସାଇଁ ସାଇଁ, ବିଲୁଆ ବୋବାଉଛନ୍ତି, ଚାଲିଛି ସବାରି ଦୂରକୁ–ଦୂରକୁ– ।

 

ଦୀର୍ଘଶ୍ୱାସ ପକାଇଲା, ଛାତି ଭିତର ମନ୍ଥି ହୋଇ କ’ଣ ବାହାରିଯାଉଛି, ଦିଶିଯାଉଛି । ଗୋଟି ଗୋଟିକିଆ ହୋଇ, ଦଳ ଦଳ ହୋଇ, ଲୋକେ ଆସୁଛନ୍ତି, ଯାଉଛନ୍ତି । ସତେ ଯେପରି ସେମାନଙ୍କର ଆଉ କିଛି ପରିଚୟ ନାହିଁ, ଖାଲି କଳା କଳା ଛାଇ, କୁଆଡ଼ୁ ଆସିଥିଲେ, କୁଆଡ଼େ ଚାଲି ଯାଉଛନ୍ତି, ଏମିତି ଚଟା ହୋଇ ଭୂଇଁ ପଡ଼ି ରହିଛି ।

 

ଏମିତି ଆସୁଥିଲେ, ଯାଉଥିଲେ, ଏମିତି ଛାଇ ଘୋଡ଼ାଉ ଥିଲା, ଉଜ୍ୱଳ ଫିଟୁଥିଲା, ପୁଣୁ ଘୋଟୁଥିଲା ଅନ୍ଧାର ।

 

କିଏ ହସୁଛନ୍ତି, କ୍ଳାନ୍ତ ହସ । ହସ ବି ଶୁଭେ, ଆଉ କାନ୍ଦ । ଏଇ ଯେଉଁ ଶୂନ୍ୟ ପରଦାଟା ଝୁଲୁଛି ଆଖି ଆଗରେ, ଆଖି ଯେତେ ବାଟ ଯିବ, କେତେବେଳେ ଭୂଇଁରୁ ଉଠିପଡ଼ି ସେମାନେ ସେଥିରେ ଆଘାତ କରିଛନ୍ତି, ଶବ୍ଦ ବାହାରିଛି, ହସ, କାନ୍ଦ, ସିଠା, ମିଠା, ସ୍ନେହ, ରାଗ, ହାଲୁକା, ଓଜନ । ବଡ଼ ଜରୁରି ତା’ ନିର୍ଦ୍ଦେଶ, ସେତିକି ବେଳର ଜଣ ଜଣକର ସବୁଠୁଁ ବଡ଼ କଥା, ସବୁ ଶବ୍ଦ ହାଙ୍କିଛି ‘‘ମତେ ହିଁ ଧ୍ୟାନ ଦିଅ ।’’

 

ଏଇ ସେ ପରଦା, ସେମାନେ ଏଥିରେ ରଙ୍ଗ ଲେପିଛନ୍ତି, ଚିତ୍ରି ଛନ୍ତି ତୁଳିରେ ଗୋଟା ଗୋଟା ଜୀବନ ବିତେଇ । ସେଇ ଏକା ତାଙ୍କ କାମ ।

 

ତଥାପି ସେମିତି ଫାଙ୍କା ପଡ଼ିଛି ସେ, ଦାଗ ନାହିଁ, ଗାର ନାହିଁ, ଶବ୍ଦ ନାହିଁ, ରଙ୍ଗ ନାହିଁ । କିଏ କେତେ ଆସିଥିଲେ, କୁଆଡ଼େ ଗଲେ କିଏ ।

 

ଜୀବନ ବଞ୍ଚିବାର, ଜଣକ ସଙ୍ଗେ ଆଉ ଜଣେ ସମ୍ପର୍କ ରଖିବାର କେତେ ଅଗଣତି ଧାରା ବାହାରିଛି, କୁଆଡ଼େ ସେ ହଜିଛି । ଏଇ ଯେ ଅଛି, ନିମିଷକେ ନିମିଷକେ ବଦଳି ବଦଳି ଯାଉଛି, ସତେ ଅବା ସେହି ସଦାକାଳେ ଥିଲା ।

 

ଏଇ ଯେତେ ଦେଖା, ଶୁଣା, ଅନୁଭବ ଆଉ ଚିନ୍ତା ସବୁ ଯେମିତି ଏକ ଧାରର ପାଣି, ଖାଲି ଠାଏ ଠାଏ ରଙ୍ଗ ଭିନେ ଭିନେ, ପାଣି ବୋହିଯାଉଛି, ବୋହିଯାଉଛି । ଝଙ୍କା ପତ୍ରବହୁଳ ଗଛରୁ ଖସି ଭୂଇଁରେ ଭେଦିଛି ନିମେଷ ନିମେଷକେ ଅକଳନ ଛାଇ, ହଜିଯାଇଛି ।

 

ଝିଟିପିଟି ଟିକି ଟିକି କଲା । ରମା ଚେଇଁ ଉଠିଲା । ରେଡ଼ିଓରେ ଭୀଷଣ ଶୁଭୁଛି ।

 

ସଞ୍ଜ ।

 

ଅନ୍ଧାର ଘୋଡ଼ି ହୋଇ ଅସ୍ପଷ୍ଟ ହୋଇ ବାହାରୁଛି ଅଧାଜହ୍ନର ମହୁଫେଣା ।

 

ଆଖଡ଼ା ଘର ଆଡ଼ୁ ମୃଦଙ୍ଗମାନଙ୍କ ମେଳକ ଧ୍ୱନି ଶୁଭୁଛି ।

 

ଦେହରେ ପବନ ବାଜୁଛି, ହାଲୁକେ ।

 

ନାକରେ କ’ଣ ନୂଆ ବାସ୍ନା, ବାରି ହେଉ ନାହିଁ ସେ କଣ, କି କି ଫୁଲ କି ଘାସ କି କେଉଁ ଠାକୁର ଘର ଗମ୍ଭୀରା ଭିତରର ସୁବାସ; କି କେଉଁ ସାଇତା ଭଣ୍ଡାର ଘରର ଯେଉଁଠି ଥାଏ ବାସ୍ନା ଚାଉଳ, ଗୁଆ ଘିଅ, ପାଚିଲା କଦଳୀ, ସରୁ ଚୂଡ଼ା, ବସା ଦହି ।

 

ଦୁଇ ପାପୁଲି ଉପରେ ମୁଣ୍ଡ ବୋଝ ହୋଇ ଲଦି ହେଲା । ଆଖି ମାଡ଼ିମାଡ଼ି ପଡ଼ିଲା ।

 

ଅନ୍ଧାର ।

 

କ’ଣ ଏଠି ବଡ଼ କ’ଣ ଏଠି ସାନ ? ରମା ଆପଣାକୁ ଆପେ ପଚାରିଲା । ଆଗ କଣ, ପଛ କ’ଣ ? କ’ଣ ଏଡ଼େ ଜରୁରି, କ’ଣ ଊଣା ? ହଠାତ୍ କେଡ଼େ ଚଞ୍ଚଳ ଲଙ୍ଗଳା ମଣିଷ ପିଲା ବଡ଼ ହୁଏ ।

 

ଗୋଠରେ ଯାହାର ନିଜତ୍ୱ ବାରି ହୁଏ ନାହିଁ ସେ ହୁଏ ତା’ ଭଳି ସେ । ଯେପରି ସେ ସାଧାରଣ ମଣିଷ ହିଁ ନୁହେଁ । ସ୍ୱତନ୍ତ୍ର ବିଶିଷ୍ଟ ହୋଇ ଆଡ଼େ କ’ଣ ସୃଷ୍ଟି ହୁଏ, କେଡ଼େ ବଡ଼ ପାଟିରେ ପୁଣି କେତେ ତୁଣ୍ଡରେ ସେ ପ୍ରଚାର ହୁଏ ! ଆଉ କିଏ କେତେ ଝାଳ ନାଳ ହୋଇ ପରିଶ୍ରମ କରେ କ’ଣ ଅର୍ଜିବା ପାଇଁ ବା ସଞ୍ଚିବା ପାଇଁ, କିଏ ପରିଶ୍ରମ କରେ କ’ଣ ଦଖଲ କରିବା ପାଇଁ, କ’ଣ ଅମଳ କରିବା ପାଇଁ, କେତେ ଲୋକଙ୍କୁ ଯନ୍ତ୍ରଣା ଦିଏ, ଭିଆଏ ଯୁଦ୍ଧ କି ପ୍ରଳୟ । କେମିତି ଚାହୁଁ ଚାହୁଁ ଦିନ ସରିଯାଏ । କଲି ଯେ ଦିଶୁଥିଲା ପର୍ବତ ପରି ପ୍ରକାଣ୍ଡ ନିଦା ଆଉ ଟାଣ ଲାଗୁଥିଲା ସେମିତି ସେ ରହିଥିବ ଯୁଗ ଯୁଗ ଯାକେ, ଆଜି ସେ ଆଦୌ ନାହିଁ, ସତେ ଯେମିତି ପାଣି ବାମ୍ଫ ହୋଇ ଉଡ଼ିଯାଇଛି । ନହେଲେ ବଞ୍ଚିଥିଲେ ସେ ଆଜି ମଲା ସାପ, କଳା ହରିଣ ହୋଇଥିବା ଅର୍ଜୁନ, ରାଜ୍ୟ ଚାଲିଯାଉଥିବା ରାଜା, ଦଳରୁ ତଡ଼ା ଖାଇଥିବା ବୁଢ଼ା ଗେଧ, ଯେ ଖାଲି ଦାନ୍ତ ରଗଡ଼େ ଆଉ ଲୁଚି ଲୁଚି ବୁଲେ ।

 

ସବୁ ମଣିଷ ରୂପର ଉହାଡ଼ରେ ଗୋଟିଏ ଶିଶୁ ରୂପ, ସେ ଲଙ୍ଗଳା, ସେ ସାନ, ସେ ଦୁର୍ବଳ, ସେ ତା’ ମା’କୁ ଖୋଜେ ।

 

କୁଆଡ଼େ ଯାଏ ସେ ବାଳଗୋପାଳ ।

 

ସେ ନିଜର ସ୍ୱାର୍ଥ ପାଇଁ ପରର ତଣ୍ଟି ଚିପେ, ଏତେ କୁଟ ନଟ ଲଗାଏ, ଜାଳେ, ପୋଡ଼େ, ଭସ୍ମ କରେ, ସେ କ’ଣ ସେହି ।

 

ବନ୍ତିଲୋ ସତେ ଯେମିତି ତା’ର ପିତୃପୁରୁଷଙ୍କ ସ୍ଥଳ, ଯୁଗେ ଯୁଗେ ଏଇଠି ସେମାନେ ଥିଲେ ।

 

ପିତୃପୁରୁଷ ମନେ ପଡ଼ନ୍ତି ନାହିଁ, କେବେ ମହାଳୟା ଦିନ ଜଳନ୍ତା କାଉଁରିଆ କାଠି ଧରି ଲୋକେ ଯେତେବେଳେ ଡାକ ଛାଡ଼ନ୍ତି, ‘‘ବଡ଼ ବଡ଼ୁଆ ହୋ’ ଆଲୁଅରେ ଆସ, ଅନ୍ଧାରରେ ଯାଅ’’, ସେମାନେ ଖାଲି ଅନ୍ଧାରି ଆକାଶ ଆଡ଼କୁ ନିଜକୁ ଫୋପାଡ଼ିବାକୁ ଚେଷ୍ଟା କରନ୍ତି ସିନା, ଆଉ କିଛି ନୁହେଁ ।

 

କିନ୍ତୁ ପିତୃପୁରୁଷଙ୍କ ନାଁ ଧରି ମନ ହୁଏ ଅତୀତକୁ ଅତୀତକୁ ନିଜେ ଲମ୍ବିଯାଇ ଝୁଲି ରହିବାକୁ, ଦମ୍ଭ ଲାଗେ, ମୁଁ ଆଜିକାର ନୁହେଁ, ଏ ପୃଥିବୀ ପରି ପୁରୁଣା । ସେତେବେଳେ କୋତରା କୋଚଟ ଗାମୁଛା ପରି, ଦାଗ ଦାଗ ପୁଳା ପୁଳା ହୋଇ ଛାରପୋକମୟ ମଇଳା ରେଜେଇ ପରି, ଧୂଳିଭର୍ତ୍ତି ନାନା ଯୁଗର ନାନା ଦାଗ ଆଉ ରଙ୍ଗମୟ ପୁରୁଣା ଗଦି ପରି, ଆପଣା ମୁଣ୍ଡ ତଳ ଚିକିଟା, ପାନଲାଳରେ ଛିଟ ଛିଟ ପୁରୁଣା ତକିଆ ପରି ଏ ଜୀବନଟା ଲାଗେ ଦେହ ସହା, ଚିହ୍ନା, ନୀତିଦିନିଆଁ, ବିଶ୍ୱାସୀ ଆଙ୍ଗୁଠି ଟିପରେ ଦବି ଦବି ତଳ ଘୋରି ହୋଇଯାଏ ସେହି ପାତଳ କଠୋଉ, ସେହି ବାଡ଼ି, ସେହି ପାନଛେଚା, ସେହିଁ ପାନବଟା କି କରାଟ, କେବେ ଅଳ୍ପ କେତୋଟି ପଇସାରେ କିଣା ହୋଇଥିଲା, କେତେ ବ୍ୟବହାର୍ଯ୍ୟ ଦ୍ରବ୍ୟ, ବଜାରବାଟେ ଚାଲିଗଲେ ଦୁଇପଟେ ଦିଶେ କେତେ ଆହୁରି ସୁନ୍ଦର ସୁନ୍ଦର ଦ୍ରବ୍ୟ, ବଦଳାଇ ହୁଅନ୍ତା, ଅତି ସହଜରେ ଆଉ ଶସ୍ତାରେ । କାହିଁ, ମନ ହୁଏ ନାହିଁ ତ ! ବେଳେ ବେଳେ ସେହି ପୁରୁଣା ଜିନିଷରୁ ପୁରୁଣା ସୁଆଦ ବି ବାହାରେ, ଯେମିତି ଖୋଲା ବେକରେ ପଡ଼ିଥିବା କାଠମାଳି, ଝାଳରେ ପାଗ ହୋଇଥାଏ, ଅନ୍ୟମନସ୍କ ହୋଇଥିଲା ବେଳେ କିଏ ତାକୁ ପାଟିରେ ପୂରାଏ, ଆସ୍ତେ ଆସ୍ତେ ଦାନ୍ତରେ ତାକୁ ଦାବେ ।

 

ଚାରିପାଖେ ମଣିଷ ସମାଜ, ଏକାଠି ରହୁ ରହୁ ଏକାଠି ଚଳୁ ଚଳୁ ସତେ ଯେମିତି କାହା କଥା କାହାରିକି ଅଛପା ନାହିଁ । ଊଣା ଅଧିକେ ସମସ୍ତେ ସମସ୍ତିଙ୍କୁ ଫୁଙ୍ଗାରେ ଲଙ୍ଗଳାରେ ଦେଖିଛନ୍ତି, ଆଉ କୁତୂହଳ ନାହିଁ । ନୂଆ ଦେଖାରେ ଚମକ କି ଉତ୍ତେଜନା ନାହିଁ । ଯେମିତି, ତରକାରିରେ ରାଗରେ ସୁଆଦ ନାହିଁ, କି ସେତକ ସୁଆଦ ପାଇବାକୁ ଓଠରେ ପାଟିରେ ଯେଉଁ ହାକୁ ହାକୁ, ଆଉ ପଛେ ଯାହା ଯେତେ ଆଉ ବଇଦ ଡାକରା, ତା’ ବି ନାହିଁ । ସେ ଅନୁଭୂତି ଶିଖାଏ, ସମସ୍ତିଙ୍କଠିଁ ଭଲ ଗୁଣ ଅଛି, ମନ୍ଦ ଗୁଣ ବି କିଛି ଅଛି । ଡାହାଣ ହାତ ଅଛି, ସେଥିରେ ଭାତ ଖାଆନ୍ତି, ବାଁ ହାତ ଅଛି, ସେଥିରେ ଛ’ଞ୍ଚି ହୁଅନ୍ତି । ଯେମିତି ଚେକା ମହୁଲି ପକାଇ ପିଠି ବେକ ସଳଖ ରଖି ଚିତା ଚଇତନ ହୋଇ ଦିଅଁଙ୍କ ଆଗରେ ଫୁଲ, କର୍ପୂର, ଆଳତି ଘିଅ ଦୀପ ପାଖେ କେହି ତନ୍ମୟ ହୋଇ ବସିଥିଲା ବେଳେ ସେ ହୁଙ୍କା ପାଖେ ବୁଦା ଉଢ଼ୁଆଳରେ ଗଛ ମୂଳେ ପୋଖରୀପାଣି ବସିଥିବା ବେଳର ତା ରୂପ ଆଉ କେହି କଳ୍ପନାରେ ବି ଆଣେ ନାହିଁ, ଯେମିତି ନଇଁ ପଡ଼ି ଦାଣ୍ଡ ଖରକୁଥିବା ବେଳର କାହା ରୂପ ଦେଖି କେହି କଳ୍ପନା ବି କରେ ନାହିଁ ଏଇ ଶରୀର ଆଉ କେତେବେଳେ କେଉଁ ରୂପ ହୋଇ ଆଉ କେମିତି ଦିଶୁଥିବ, ସେମିତି ସମସ୍ତିଙ୍କ ବିଷୟରେ କେତେ କଥା ଛପି ରହିଯାଏ, ଯଦିବା ପରର କେତେ ଗୁମର ଲୋକେ ଜାଣନ୍ତି । ସେସବୁ ପଛକୁ ପକାଇ ଚଳାଇ ନିଅନ୍ତି, ସବୁ ଯେମିତି ‘‘ତୁ ତ ମୁତୁରି ମୁଁ ତ ମୁତୁରି–’’ ।

 

ସେମିତି ସେ ପୂର୍ବ ପୁରୁଷଙ୍କ ଭୂଇଁ । କେଉଁଠି କିଏ କାହିଁକି ଦଉଡ଼ି ଦେଇ ମରିଥିଲା, କେଉଁଠି ଆଉ କିଏ ଅନ୍ଧାରେ ଅନ୍ଧାରରେ ହାଣ୍ଡିରେ ପୂରେଇ ଆଉ କ’ଣ ପୋତି ପକାଇଥିଲା, ପୁଣି କେବେ ଆଉ କିଏ ସେହି ମାଟି ଉପରେ କରାଇଥିଲେ ହୋମ, ବ୍ରାହ୍ମଣ ଭୋଜନ, ମାଟି ଗୋବର ହୋଇ ସବୁଦିନେ ସେ ସେହି ବଂଶର ଦାୟାଦମାନଙ୍କ ଆଗରେ ପବିତ୍ର ।

 

କେତେବେଳେ ଭୂଇଁରୁ ବାମ୍ଫ ଉଠିଲା ପରି ଅତୀତର କେଉଁ କାହାଣୀ କେଉଁ ବାଗରେ ହେଲେ ପଦାକୁ ଫୁଟେ, ଟିକିଏ ଗନ୍ଧ ଖେଳିଯାଏ, ପୁଣି ସେ ଉଭେଇ ଯାଏ ।

 

ସବୁ ଠିକ୍‍ ଅଛି ବୋଲି ବିଶ୍ୱାସ କରିବାକୁ ସମସ୍ତେ ଏକମତ, ଖାଲି ବିଶ୍ୱାସ, ଆଉ ତା’ ତଳକୁ ଉଖାରିବା ନାହିଁ । ସେହି ବିଶ୍ୱାସରେ ଧରି ନିଆହୁଏ,–ୟେ ଭାରି ଭଲ, ସେ ଭଲ, ସେ ଟିକିଏ କମ୍ ଭଲ, ଏହିପରି । ଅତୀତର ଆଉ ଏବର କେତେ ପ୍ରକାର ଭଲ ପଣର ପ୍ରତିମୂର୍ତ୍ତି ପରି କେତେ ଲୋକଙ୍କ ନାଁ ଓ କାହାଣୀ ଶୁଣାଯାଏ, ଯାହାର ଇଚ୍ଛା ସେ ଲେଖି ରଖୁ, ଇତିହାସ ଗୁନ୍ଥୁ, ସେ ସେହି ମଣିଷ ବିଶ୍ୱାସରେ ତିଆରି ମଣିଷଙ୍କ କଥା, ଯେତେ ବର୍ଷର ପୁରୁଣା ହେଉଥିବ ସେତିକି ତା’ର ସତିଆପଣ ବେଶି ବଢ଼ୁଥିବ । ବିଶ୍ୱାସରେ ସତ, ପ୍ରକୃତରେ ସତ କି ନାହିଁ ତା’ କିଏ କହିବ ?

 

ଧର, କିଏ ସତୀ ଯାଇଥିଲା, ଯେମିତି ଶୁଣାଯାଏ ସେ ପାଖ ଦନେଇଙ୍କ ସାହିର କିମ୍ବଦନ୍ତୀ, ସେ କେଉଁ ପୁରୁଷରେ, ତା’ ସ୍ୱାମୀ ମରିଗଲା ତ ସେ ଜୀଅନ୍ତାରେ ଯୁଈରେ ପଶିଲା, ତା’ ପିନ୍ଧା ଶାଢ଼ିରୁ ଚିରା କନା କେତେ ପୁରୁଷଯାକେ ଘରେ ଘରେ ସାଇତା ହୋଇ ରହିଥିଲା, ଯେମିତି କନ୍ଧ ନରବଳି ଦେଲେ ବଳିର ମାଉଁସ ଚେନାଏଁ ଚେନାଏ ଚାରିଆଡ଼ର ଗାଁ ଲୋକେ ନେଇ ଆପଣା ଆପଣା ଗାଁରେ ମାଟିରେ ପୋତି ରଖନ୍ତି, ସେ ଶୁଭ । କେତେ ଲୋକ ବେମାର ପଡ଼ିଥିଲେ ସେ କନାରେ ଝାଡ଼ି ହୁଅନ୍ତି, ରୋଗ ଭଲ କରିବ । ନିଃସନ୍ତାନ ମାଇପେ ସେ କନା ଆଗରେ ଢୁ ଢୁ କରି ଭୂଇଁରେ ମୁଣ୍ଡ କୋଡ଼ନ୍ତି, ପୁଅ ହେବ ।

 

କିନ୍ତୁ ଦନେଇଁ କନ୍ଧର ସାହି ପାଖେ ସେ ଯେଉଁ ସାନ ସାହିଟି ଅଛି, ଟୁବି ଗାଡ଼ିଆ ପାଖେ କେଉଁକାଳର ପୁରୁଣା ଶିମିଳ ଗଛ, ସେଠି ଅଶୀ ବର୍ଷର ଛୋଟୀ ବୁଢ଼ୀ ରମାକୁ ଆଉ ଭିନେ କାହାଣୀଟାଏ କହିଥିଲା,–

 

ଆମେ ପରା ସେଇ ଡିହରୁ ଏଠିକି ଉଠି ଆସିଚୁ । କି ସତୀ ମ’ । ଘଇତା କାହିଁକି ମଲା-? ତା’ କାନକୁ କଥାଗଲା । ଏଣେ ମାଇଲେ ନାରୀ ହତ୍ୟା, ତେଣେ ମାଇଲେ–। ଛାଡ଼ । ଏଡ଼େ ଲାଜ କଥାଟା ପଦାକୁ କେମିତି ପ୍ରଘଟ କରିବ ? ଗାଳି ଦେଲେ ବି ଲୋକେ ଜାଣିବେ, ସେ ଛିଆ ଛିକର ଆଗରେ ମୁହଁ ଜଳିଯିବ । ମୁଣ୍ଡ ମାଟିରେ ମିଶିଯିବ । ସେଇଠୁ ସେ ତୁନି ହୋଇ ଜହର ପିଇ ଦେଲା-। ପଦାରେ ସିନା କେହି ଜାଣିଲେ ନାଇଁ, ଜା’ମାନେ ଜାଣିଥିଲେ । ସେ ମାଇକିନିଆକୁ ଶିଖେଇଲେ, ସେ ତ ମଲା ଆଉ ତୁ କାହିଁକି ବଞ୍ଚିବୁ ? ତତେ ତୋ ପାପତ ସହଜେ ଲାଗିଚି, ଅଇଛା ଘଇତା ହତିଆ ପାପ ବି ଲାଗିଗଲା । କେଜାଣି ଅବା ଜୀଅନ୍ତାରେ ତାହା ହେଲେ ସେ ପାପ ଛୁଟିବ-। ରାଜି ହେଲା । ମହା ଆଡ଼ମ୍ବରରେ ସତୀ ହୋଇଗଲା । ହୁରି ପଡ଼ିଲା, ସତୀ, ସତୀ,–କି ସତୀ ସେ-

 

ମିଛ ମିଛ–କେଉଁ ବାଦୁଆ କେଉଁ ହିଂସିକା ଜାରି କରିଛି–ଏ କାହାଣୀ, ସେଇ ଯେଉଁମାନେ ସଜ ଫୁଲରେ ପୋକ ପକାନ୍ତି ।

 

ଛୋଟୀ ବୁଢ଼ୀ କହିଲା,–ଅଶୀ ବରଷ ତ ଚାଲିଲା, ମିଛ କହି କି କୋଟିନିଧି ପାଇବି ଲୋ ମା’ ରାଣୀ, ଯାହା ଶୁଣିଥିଲି ତାହା କହିଲି । ମିଛ, ମାୟା, ପାପ, ପାପ ପୂରିଛି ଏ ସଂସାରରେ, ଯେ ଯେତିକି ସଢ଼ା ପୋଚକା ସେ ସେତିକି ଭଲେଇ ହୁଏ, ଦେଖେଇ ହୁଏ । କିଏ ବୋଲାଏ ଧାର୍ମିକ, କିଏ ଦାତା, ତା’ ପଟେ ଯଦି କହିବାକୁ ଗାଇବାକୁ ଲୋକ ଥିବେ, ସେମାନେ କଳାକୁ ଧଳା କରି ଗାଇବେ, ପୁରାଣ ଲେଖିବେ, ତା’ ମୁଣ୍ଡରେ ସୁନା ବନ୍ଧା ହେବ । ହଉ ଲୋ ମା, ଆମ ଦିନକାଳ ତ ସରିଲା, ଆମର କି ଯାଏ ।

 

ଛୋଟୀ ବୁଢ଼ୀର ମୁହଁ ଘୃଣାରେ ଅବିଶ୍ୱାସରେ ଫାଟି ଫାଟି ଗଲା, ଦାଡ଼ ଉପରେ ନୋଚା କୋଚା ଚମ ସିଅର ସିଅର ହୋଇ ଲାଖି ରହିଛି ।

 

କହିଲା, ମଲାବେଳକୁ କେତେ ଲୋକ ଆପଣା କଲା କାମଯାକ କହି ପକାନ୍ତି, ପାପତକ ଆପଣା ପାଟି ବାଟେ ଉଗାଳି ନ ପକାଇବାଯାକେ ଜୀବ ଛାଡ଼େ ନାହିଁ, ଛଟପଟ ହଉଥାନ୍ତି-। କେତେ କଥା ତ ଶୁଣାଯାଉଛି, କାହାକୁ ବିଶ୍ୱାସ କରିବ କହ ? ଯାହା ଗୋଡ଼ ଧୋଇ ପାଣି ପିଉଥିବ ମଲାବେଳକୁ ସେ ଏମିତି କଥା କହିଦେଇ ଯିବ ଯେ ତା’ ମୁହଁ ଉପରେ ଛେପ ପକାଇବାକୁ ମନ ହେବ ନାହିଁ । ଏଇ ବନ୍ତିଲୋ ଗାଁରେ,–କଣ ନହେଇଚି ? କୋଉ କାଳ କଥା କହିବ ? ସବୁ କାଳେ ସେଇଆ । କୋଉ ଗୋଟିକ ଭଲ ? ମୋର କାହା ଉପରେ କି କୋଉ କଥାରେ ବିଶ୍ୱାସ ନାଇଁ । ସବୁ ବିଶ୍ଵାସ ମୋର ଭାଙ୍ଗିଚି । ଗୋଟି ଗୋଟି ହୋଇ ସାତ ପୁଅ ମଲେ, ଝିଅ ମଲା, ଗିରସ୍ତ ମଲା, ଘରେ ଯେତେ ଠାକୁର ଦେବତା ପୋଥି ପତର ଥିଲା ସବୁ ପଦାରେ କାଢ଼ି ଫୋପାଡ଼ି ଦେଲି-। କହିଲି, ତେମେ ଯଦି ସତ, ମୁଁ କି ଦୋଷ କଲି ଯେ ଏଡ଼େ କଲବଲ କଲ-? କିଛି ରଖିଦେଲେ ନାଇଁ, ଜମି ନେଲେ, ସୁନା ନେଲେ, ଗାଈ ବଳଦ ନେଲେ, ଯେ ଚିତା କାଟିଲେ ସେ ଚଳୁ କରି ଦେଇ ପେଟରେ ହାତ ବୁଲେଇ ବୁଲେଇ ହାକୁଟି ମାରିଲେ, ସେଇମାନେ ସାଧୁ ପୁରୁଷ, ସେଇମାନେ ବଡ଼ବଡ଼ିଆ, ତାଙ୍କରି ଭଲ ମାଡ଼ି ଯାଉ, ଯାଉଚି କାହିଁରେ କ’ଣ । ଆଉ ମତେ ଦେଖ । ମରଣ ବି ହଉନାହିଁ ।

 

ଏକା ଛୋଟୀ ବୁଢ଼ୀଠୁଁ ଶୁଣିବା କଥା ନୁହେଁ, କେତେ ଆଡ଼ୁ କେତେ କଥା ସେ ଶୁଣିଛି ।

 

ଯେମିତି ଏ ଗାଁର ସନାତନ । ସମସ୍ତେ କହିବେ ସେ ଭାରି ଉପକାରିଆ ଲୋକ । ପର ପାଇଁ ଖଟିବ, ବୁଲିବ । କେଉଁଠି କଳି ଲାଗିଲେ କଳି ଭାଙ୍ଗିବାକୁ ବାହାରି ପଡ଼ିବ । ଲୋକଙ୍କୁ ମେଳେଇବ, ଭେଳେଇବ । ବାଉରି କଣ୍ଡରା ପାଣ ବ୍ରାହ୍ମଣ ଖଣ୍ଡେଇତ ଗୁଡ଼ିଆ ଗଉଡ଼ ସବୁ ଜାତିଙ୍କୁ ବର୍ଷକେ ଥରେ ଅକ୍ଷିତୃତୀଆ ଦିନ ଏକାଠି ପଂକ୍ତି ଭୋଜନରେ ବସାଇବା ଲୋକ ସେହି, ତାଙ୍କୁ ଏକାଠି ସଂକୀର୍ତ୍ତନ କରାଇବା ଲୋକ ବି ସେହି । ପଞ୍ଚାୟତ ସରପଞ୍ଚ ତ ସେହି ହୋଇଥିଲେ ଉଚିତ ହୋଇଥାନ୍ତା, ପଚାରିଲେ କହେ ‘‘ଲୋକଙ୍କ ସେବା କରି ପାରିଲେ କୃତାର୍ଥ ହୁଅନ୍ତି, ତା’ ବା କେଉଁଠି ହୋଇପାରୁଚି ? ମୁଁ କିଏ ସରପଞ୍ଚ କାମ କିଏ, ସେ ନାଁ ସେ କ୍ଷମତା ମତେ ବିଷ ।’’ ସନାତନ ବିନୟ, ନମ୍ରତା, ପରୋପକାରିତା ସବୁଥିରେ ପୂର୍ଣ୍ଣ ।

 

କିନ୍ତୁ ତା’ର ବି କାହାଣୀ ଅଛି । ସେତେବେଳେ ଏଣେ ସମବାୟ ସମିତିର ନାଁ ବି ନଥାଏ-। ସନାତନ ପ୍ରସ୍ତାବ ଗଢ଼ିଥିଲା, ଗାଁର ରାଣ୍ଡୀଠୁଁ ଧନୀ ମହାଜନଯାକେ ସମସ୍ତେ ଚାରଣା ଲେଖାଁ ଦିଅନ୍ତୁ, ଏକାଠି ଠୁଳ ହେଉ, ସେହି ଟଙ୍କାରେ ଗୋଟିଏ ଦୋକାନ କରାଯିବ, ଗାଁ ଲୋକଙ୍କର ଯେତେ ଯାହା ଆବଶ୍ୟକ ଦ୍ରବ୍ୟ, ଜିରାଠୁଁ ସିରା ଯାକେ, ସବୁ ସେଠି କିଣି ରଖି ବିକା ହେବ । ସେଇ ଲାଭରେ ପାଣ୍ଠି ବଢ଼ିବ । ଯାହାର ଯେତେବେଳେ ଋଣ ଦରକାର ପଡ଼ିବ ସେଇ ପାଣ୍ଠିରୁ ଦିଆଯିବ-। ତା’ ସହିତ ଚାଲିବ ଆଉ ଗୋଟିଏ କାରବାର । ଗାଁ ଲୋକେ ଯେ ଯାହା ବିକିବାକୁ ମନ କରିବେ, ଧାନ ଚାଉଳ କି ପନିପରିବା କି ଆଉ ଯାହା ସବୁ ସେହି ‘ଗାଁ-କୋଠ’ ସମିତିକି ଦେବେ ସେଇ ବିକିବ ବିକାଳି ଭଲ ଭାଉ ପାଇବ ଗାଁ କୋଠରି ପାଣ୍ଠି ବଢ଼ିବ ।

 

ସମସ୍ତେ ମାତି ଉଠିଲେ । ଉଠିଲା ଘର ଘରକେ ଚାରଣା ଲେଖାଁ । ଧାନ କୁଟୁଣୀ, ଧୋବଣୀ, ମୂଲିଆଣୀ, ଚାଷୀ, ବଢ଼େଇ, କମ୍ଭାର, ପୁରୋହିତ, ଯଜମାନ ସମସ୍ତେ ଦେଲେ । ଶହେ ସତସ୍ତରି ଟଙ୍କା ବାରଅଣା ମିଳିଗଲା । ସନାତନ ପାଖରେ ସେ ରହିଲା ।

 

ସନାତନ ତା’ ଭଉଣୀକୁ ବିଭାକଲା । ତା’ପରେ ବର୍ଷେ ଗଲା, ଦି ବର୍ଷ ଗଲା ପାଞ୍ଚ ବର୍ଷ ଗଲା, କୋଡ଼ିଏ ବର୍ଷଗଲା, ତିରିଶି ବର୍ଷ ଗଲା । ‘ଗାଁ କୋଠ ସମିତି’ ଆଉ ହେଲା ନାହିଁ । ସନାତନ କେତେ ଗାଳି ହଜପ୍‍ କଲା, ଦେବା ଲୋକ ବି ତୁନି ହେଲେ । ସନାତନ କେବେ ତୁଣ୍ଡରେ ଫାଙ୍କି ନାହିଁ ଏବେବି ପଚାରିଲେ କହେ, ‘‘ତାଲିକା ରଖିଚି, ଡାକି ହାକି ମୁଁ ଦେଇଦେବି । ହେଳାରେ ହେଳାରେ ରହି ଯାଇଛି ବୋଲି ସିନା କ’ଣ କରିବି !’’ ସନାତନ ମାଣ ମାଣ କରି ତା’ର ସବୁ ଜମି ବିକିଛି, ଟଙ୍କା ଆଣି ଖର୍ଚ୍ଚ କରିଛି, ସେ–ଟଙ୍କା ଫେରାଇ ନାହିଁ ।

 

ବୁଢ଼ା ହେଲାଣି, ବେଳେ ବେଳେ ଚିଡ଼ା ଧରିଲାଣି । ଚିଡ଼ିଲେ କହେ ‘‘କିଏ କ’ଣ ଖାଇ ଯାଇଚି ନା କ’ଣ ? କିଏ କେତେ ଖାଇ ପିଇ ଦେଇ ମୁହଁ ପୋଛି ଦେଇ ଛାତି ଫୁଲେଇ ବୁଲୁଛନ୍ତି । ତାଙ୍କୁ କେହି ପଦେ କହିପାରୁ ନାଇଁ, ଆଉ ମୋ ଠିଁ ଟଙ୍କା କେଇଟା ରହିଯାଇଛି ବୋଲି ହୁରି ପଡ଼ିଚି-। ଏ ଗାଁ ଲୋକେ ଏମିତିଆ ପରା, ୟାଙ୍କ ପାଇଁ ମଣିଷ ଯେତେ ହେଉଥିବ ସେତିକି ସେ ଗୋଛି କାଟିବାକୁ ଗୋଡ଼େଇଥିବେ ।’’

 

ଯେଉଁ ଅଳ୍ପ କେତେଜଣ ଅଛନ୍ତି । ଯାହାଙ୍କର ଅମାର, କ୍ଷେତ, ବଡ଼ ତାଷ, ତୋଟା ବାରି, ପୋଖରୀ, ସେଠି ବି ସେ ଧନର ଇତିହାସ ଯାହା ଶୁଣାଯାଏ, ସମସ୍ତିଙ୍କ କ୍ଷେତ୍ରରେ ତା’ ସତ ଧର୍ମର ନୁହେଁ । କାହାଣୀ ନୁହେଁ । ବାସୁଳେଇଙ୍କ ସେପାଖେ ଅଛି ମହାପାତ୍ରଙ୍କ ଘର । ଏ ଗାଁର ସବୁଠୁ ବଡ଼ ଚାଷୀ । ମହାପାତ୍ରଙ୍କ ଅଜା ଆର ଗାଁର ଜମିଦାର ମହାଜନ ଉଦ ସାହୁ ଘରେ ଗୁମାସ୍ତା ଥିଲେ, ଉଦ ସାହୁଙ୍କର କୁଆଡ଼େ କଂସା କବାଟ ଥିଲା, ଜମିଦାରି କୁଆଡ଼ୁ କୁଆଡ଼ୁକୁ ଲମ୍ବି ଥିଲା ତା’ର ସୀମା ନାଇଁ-। ଉଦ ସାଉଙ୍କ ଅନ୍ତେ ତାଙ୍କ ଦ୍ୱିତୀୟ ପଥର ବିଧବା ସେ ଗୁମାସ୍ତାକୁ ଧରମ ପୁଅ କରିଥିଲା, ପିଲାଏ ତ ସାନ ସାନ, ‘‘ତୋ ଭାଇଙ୍କି ତୁଇ ଦେଖିବୁ ମଣିଷ କରିବୁ । ଆମେ ଚାରି ପ୍ରାଣୀ ମଣିଷ ତୋରି ବେକରେ ବନ୍ଧା’’ ମହାପାତ୍ରଙ୍କ ବଡ଼ତି ସେଇଦିନୁ ଆରମ୍ଭ । ଯାହା ରଖିଗଲେ କରିଗଲେ ତାକୁ ଉଡ଼ାଇ ଉଡ଼ାଇ ସାରି ସାରି ତେବେ ବି ତୃତୀୟ ପୁରୁଷ ସେଇଥିରେ ବଡ଼ଲୋକ ।’’

 

ତ୍ରିପାଠିଙ୍କ ବାପା ଗଡ଼ଜାତରେ ସବ୍‍ ଓଭରସିଅର ଥିଲେ । ଡଙ୍ଗାରେ ପଦାର୍ଥ ଆସେ ପଗଡ଼ଙ୍ଗ ଘାଟଯାକେ, ସେଠୁ ଶଗଡ଼ରେ ବୁହାଯାଏ । ସେ ଗଡ଼ଜାତ ଜାଗା ନିଶ୍ଚୟ ବହୁତ ଶସ୍ତା ହୋଇଥିବ, ତେଣୁ ଡଙ୍ଗା ବୋଝେଇ ହୋଇ କେଉଁଥର ଚାଉଳ, କେଉଁଥର ଘିଅ ଟିଣ କି ଗୁଡ଼ ହାଣ୍ଡି, କେବେ ସାଗୁଆନ କାଠ, କେବେ ଆଉ କ’ଣ । ଚାହୁଁ ଚାହୁଁ ଜମି କିଣା ବଢ଼ିଲା, ଘର ପରି ଘର ହେଲା । ତୋଟା ପୋଖରୀ, କାହିଁରୁ କ’ଣ ।

 

ରାଉତ ଘର ତିନି ପୁରୁଷି ମହାଜନ, ଏଇ ପୁରୁଷରେ କାରବାର ମାନ୍ଦା, ନାହିଁ କହିଲେ ଚଳେ । ଭାଇତିରିଆ କଳି, ମକଦ୍ଦମା, ଏଇଥିରେ ଦବିଗଲେ । ତଥାପି ଭାଗ ଭାଗକେ ଯାହା ଅଛି ସେ ବହୁତ । ଜମି ଆଉ ସୁନା ରୁପା ବନ୍ଧା ରଖି ଚଢ଼ା ଚକ୍ରବୁଦ୍ଧି କ୍ରମରେ ସୁଧକଷି କରଜ ଦେଇ ଦେଇ ସେମାନେ ସମ୍ପତ୍ତି ଅରଜି ଥିଲେ, ଯାହା ପଦାର୍ଥ ଆସେ ସେ ଆଉ କ୍ଵଚିତ୍ ଫେରେ । ଆଉ ତାଙ୍କର ପୋଷା ହେଲା ପରି ଥିଲେ ବଗଢ଼ୁମା ଗାଁର ଥଟାରି ବିଚରାମାନେ । ସେମାନେ ନିଆଁ ପାଖେ ବସି ବସି ମୁଣ୍ଡା ମୁଣ୍ଡା ଧାତୁ ଦ୍ରବ୍ୟ ଆଉଟନ୍ତି, ବଡ଼ ବଡ଼ ଲୁହା ହାତୁଡ଼ି ଟେକି ଗୋଲ ହୋଇ ବେଢ଼ି ଯାଇ ଦିନଯାକ ଗୋଲ୍ କଂସାମୁଣ୍ଡା ଉପରେ ପାହାର ପକାନ୍ତି, ତିଆରି କରନ୍ତି ଥାଳି ଲୋଟା କଂସା ତାଟିଆ, ପିଠିରେ ବୋକଚା ବୋହି ବିକି ଯାଆନ୍ତି, କିନ୍ତୁ ତାଙ୍କ ଅର୍ଜନର ବଡ଼ ଭାଗକ ଯାଏ ରାଉତ ଘରକୁ, ଚଢ଼ା ସୁଧରେ ଚକ୍ରବୁଦ୍ଧି ହିସାବରେ ବେଉସା ପାଇଁ କରଜ ଦିଅନ୍ତି ତାଙ୍କରି ଘର । ଏବେ ସୋସାଇଟି ହେବାରୁ ରାଉତ ଘରର ସେ ଶାଗପଟାଳି ସେ ଦୁହାଁଳଗାଈ ଚାଲି ଯାଇଛି, ଥଟାରି ଟିକିଏ ଠିଆ ହେଲେଣି, ନହେଲେ ତାଙ୍କରି ଶ୍ରମ ଝାଳରେ ଏ ଘରର ବଡ଼ତିର ମୂଳଦୁଆ ।

 

ଆଉ ସେମିତି ନା ରହି ଯାଇଛି, ଦଫାଦାର ଘର, ମୁନ୍‍ସି ଘର, କାନୁଗୋଇ ଘର, ସେଟଲ୍‍ମେଣ୍ଟ ଅମିନମାନଙ୍କ ଘର, ରଜା ଘର, ଛାମୁକରଣ ଘର, କେତେ ଘର ।

 

ଏବେ ଉଠୁଛି ଦୋକାନୀମାନଙ୍କ ଘର, ଅନ୍ତର୍ଯ୍ୟାମୀ ସାଁନ୍ତରା, କାଳିନ୍ଦୀ ସୋଇଁ, ପହଲି ବେହେରା, ଦୁଃଖିଶ୍ୟାମ ଦାସଙ୍କ ଘର, କାନ୍ତରାଟି ଘର, ମେଁବର ଘର, ସରପଞ୍ଚ ଘର, ଆଉ କେତେ କେତେ ନୂଆ ଲୋକଙ୍କ ଘର ଯାହାଙ୍କ ପାରିଲାପଣରେ ଲୋକଙ୍କର ବିଶ୍ୱାସ ଅଛି ।

 

କିନ୍ତୁ ଗାଁଲୋକେ କହନ୍ତି, ଘର ଦେଖିବ ଯଦି ସହରକୁ ଯାଅ, ଏଠି କ’ଣ ଅଛି ? ଦଶ ବର୍ଷ କୋଡ଼ିଏ ବର୍ଷରେ ସେଠି କେଉଁ ବ୍ୟବସାୟୀ, କେଉଁ ଶିଳ୍ପପତି, କେଉଁ ବୁଦ୍ଧିଜୀବୀ, ଯାହା ଅର୍ଜନ କରି ଠୁଳ କରି ଦେଉଛନ୍ତି ତାକୁ ତାଙ୍କ ସାତପୁରୁଷ ଖାଇଲେ ସରିବ ନାଇଁ । ଏଠି କାହାରି ଜମି ଅରାଏ ବଢ଼ିଲେ ଆଖିକି ଦିଶେ, ସେଠି ଖାଲି କୋଠା ଖଣ୍ଡକ ଦେଖିବ, ଆଉ ସବୁ ବ୍ୟାଙ୍କର କାଗଜ-

 

ଯେତେବେଳେ ମନ ହେବ ଗାଁକୁ ଗାଁ କିଣି ନେବେ, ଗୁଣ୍ଠ ପଚିଶି ଟଙ୍କା ଯାଚିଲେ ସିନା ବିକିବ ନାଇଁ, ହଜାରେ ଟଙ୍କା ଧରେଇ ଦେଲେ ତେମେ ନାହିଁ କରିବ ? ଟଙ୍କା ତ ସେଇଠି ତିଆରି ହୁଏ, ଅମଳ ହୁଏ, ଏଠି ସିନା ଧାନ ଚାଉଳ ପନିପରିବା ଗଣ୍ଡାକ ।

 

ସେମାନେ ହାତ ଦେଖାନ୍ତି ଗାଁ’ ସେମୁଣ୍ଡର ଗଭୀର ସେକରେ ଥିବା ଦୁଇଶ ମାଣିଆଁ ତାର ଘେରେଇ ବଡ଼ ହତାକୁ, ମୌଜେ ମୁଛକାଟି ଅନ୍ତର୍ଗତ ଖିରିକୋଳି ପଦା ବେଣାପାଟ ବାଲିପଟା-। ଜମିଦାର ଉଠୁ ଉଠୁ ସହରର କିଏ ଜଣେ ତାକୁ ପଟା ନେଇ ତାରବାଡ଼ ଘେରେଇଲେ-। ଷଣ୍ଢକଳ ଆଉ କଳଲଙ୍ଗଳ ଆସିଲା, ସଫା କଲା, ସମାନ କଲା । ମଝିରେ ଗହୀର ନଳକୂଅ ଖୋଳାହେଲା, ଇଞ୍ଜିନ୍ ଘର ହେଲା, ଏଡ଼େ ମୋଟରେ ପାଣି ପମ୍ପ ହୋଇ ବାହାରି ଖେଳିଲା-। ଇଟା ସିମେଣ୍ଟରେ ଚାଲିଲା ଚାରିଆଡ଼କୁ ନାଳ, ପାଣି ଛୁଟିଲା । ବାଡ଼ କରେ କରେ ଲଗାହେଲା ଝାଉଁ ବଣ, ତା’ ତେଣିକି ଲଙ୍କା ଆମ୍ବ ବଣ, ତା’ ତେଣିକି ନଡ଼ିଆତୋଟା, ପିଟି ପିଟି ହୋଇ କଦଳୀ ବଣ, ତା’ପରେ ଆମ୍ବ-ପଣସ ସପୁରି, ନାନା ଫଳଗଛ । ଚାରିକରେ ଚାରିଟା ଘର । ସେଠି କଳ ପାଣି, ବିଜୁଳି, ଟ୍ରକ୍ ଯିବାକୁ ସଡ଼କ, ଜଗୁଆଳି, କାମ କରିବା କୁଲି ହୋଇ କୋଡ଼ିଏ ଜଣ, ସେମାନେ ସାନ୍ତାଳ, ତାଙ୍କ ପାଇଁ ଘର ବି ଅଛି । ଛ ଛ ମାଣିଆ ଦୁଇଟା ପୋଖରୀ, ସେଥିରେ ମାଛଚାଷ ହୁଏ ।

 

ଶହ ଶହ ବଡ଼ ବଡ଼ ଧଳା କୁକୁଡ଼ା । ପଲେ ଗାଈଗୋରୁ, ବଡ଼ ଜାତିଆ, କୋଡ଼ିଏ ପଚିଶି ଦୁହାଁଳ ଗାଈ ଯେ ଗୋଟିକେ ଓଳିକେ ପାଞ୍ଚ ସାତ ସେର ଦୁଧ ଦିଅନ୍ତି । ଡିମ୍ବ, ଦୁଧ, କଦଳୀ କାନ୍ଦି, ଅନ୍ୟାନ୍ୟ ପନିପରିବା ସବୁ ପ୍ରତିଦିନ ଟ୍ରକରେ ଲଦାହୋଇ ସହରକୁ ବିକା ହେବାକୁ ବୁହାହୁଏ, ଏକା କଖାରୁ ପାଣିକଖାରୁ ତ ଶଗଡ଼ ଶଗଡ଼ । ଗାଁ’ ଲୋକ ବାହାରୁ ଦେଖନ୍ତି, ସୀମା ସରିହଦ ବିଷୟରେ ଓ ଆଉ ଅନ୍ୟାନ୍ୟ ବିଷୟରେ ଖୁଜୁବୁଜୁ ହେଉ ହେଉ ତିନିଟା ମକଦ୍ଦମାରେ ସେମାନେ ହାରି ହଟିଛନ୍ତି । ଫାଟକରେ ଭିତରୁ ତାଲା ପଡ଼ିଥାଏ । କଣ୍ଟା ତାରର ବାଡ଼ ସେକରେ କଣ୍ଟାବାଡ଼ ତା’ ସେକରେ ହତାରେ ଆଲ୍‍ସେସିଏନ୍ କୁକୁର ବୁଲୁଥା’ନ୍ତି, ଭିତରେ ତ ଜଗୁଆଳ ଅଛନ୍ତି ।

 

ସେ ହତାର ମାଲିକଙ୍କୁ ଏ ଗାଁ ଲୋକେ ଚିହ୍ନନ୍ତି ନାହିଁ । ଏତିକି ଜାଣନ୍ତି, ସେ ସହରରେ ଥାଆନ୍ତି । ତାଙ୍କର ନିଶ୍ଚୟ ବହୁତ ଟଙ୍କା ଥିବ, ନହେଲେ ବାଲିରେ ଟଙ୍କା ବିଛେଇ ବିଛେଇ ସେ ଏଡ଼େ ଚଞ୍ଚଳ ତାକୁ ନନ୍ଦନକାନନ କରିପାରି ନଥାନ୍ତେ । ସେଥିରୁ ଆୟ ଯେତେ ନୁହେଁ ସେଥିରେ ଖର୍ଚ୍ଚ ତା’ର ବହୁଗୁଣ । ତେବେ ନଡ଼ିଆ, ଗୁଆ, ଆମ୍ବ, ଫଳିଲେ ଲାଭ ହେବ । ତା’ ଆଗରୁ ଏତେ ଖର୍ଚ୍ଚ ଆଉ କିଏ କରନ୍ତା !

 

ଏସବୁ ସାଧାରଣ ଜ୍ଞାନ ରମା ବହୁଦିନୁଁ ଜାଣି ସାରିଛି । ଏ ଗାଁ ଆଉ ଆଖପାଖ ଆଉ ଚାରୋଟି ଗାଁରେ ତାକୁ ବୁଲିବାକୁ ପଡ଼େ । ସେ ଗାଁକୁ ସେ କୁଣିଆ ହୋଇ ଯାଏ, ଏ ଯେ ତା’ ନିଜ ଗାଁ ।

 

ସେ ଜାଣେ, ଏମିତି ବଡ଼ ବଡ଼ କେତେ ଜଣକୁ ଛାଡ଼ିଦେଲେ ବାକି ସମସ୍ତେ ଉଣା ଅଧିକେ ଚାଷୀ ଅଥବା ଚାଷ ମୂଲିଆ । ବଡ଼ି ଅନ୍ଧାରୁ ତାଙ୍କର କାମ ଆରମ୍ଭ ହୁଏ, ଦିନ ସରିଲେ କାମ ସରେ । ଖଟଣି ସବୁବେଳେ ଲାଗିଥାଏ, ସ୍ତ୍ରୀ ପୁରୁଷ ଉଭୟ ଶ୍ରେଣୀଙ୍କର, କ୍ଷେତରେ କାମ ନ ଥିଲେ ଘରେ କାମ ଥାଏ, ବାଛିବା, ଶୁଖେଇବା ସାଇତିବା, ଘରକରଣାର ସାନ ବଡ଼ କେତେ ଜିନିଷ ତିଆରି କରିବା, ହେଂସ ବୁଣା କି କାଞ୍ଜିପାଣି, ଘସି କି ଆମ୍ବୁଲଫଡ଼ା, ଆଉ ଗାଈ ଗୋରୁଙ୍କ କାମ, ପିଲାଙ୍କ କାମ । ହାତ ଗୋଡ଼ ଖାଲି ରହେ ନାହିଁ, କେତେବେଳେ ଢିଙ୍କିକି କେତେବେଳେ ଚକି, କେତେବେଳେ ଛେଚା ତ କେତେବେଳେ ବଟା । ପୁରୁଷଙ୍କ ହାତରେ ଅନେକ ସମୟରେ ଥାଏ କଟୁରି ଖଣ୍ଡେ । କିଛି ନ ମିଳିଲେ ମାଛ ଧରିବାକୁ ବଜା କି ଚଢ଼େଇ ଧରିବାକୁ କାଠି ଜନ୍ତା । ସତେ ଯେମିତି ଜାଣି ଏମାନେ କାମ ଲମ୍ଵାଉଥାନ୍ତି, ବଢ଼ାଇଥା’ନ୍ତି, ନୂଆ ନୂଆ କାମ ସୃଷ୍ଟି କରୁଥାନ୍ତି, ଆଉ କିଛି ଥାଉ କି ନ ଥାଉ ସେତିକି ଫଳ ଫଳେ ଯେ ।

 

ଭାବି ଦେଖିଲେ ଅନେକ କାମ ତ ଲାଭ ଲୋକସାଣ ମୂଲ ତଉଲ ଦିଗରୁ ଅଦରକାରୀ-। କିନ୍ତୁ ରମା ଆଉ ଗୋଟାଏ ବାଗରୁ ଭାବେ,–ଯେ ଏତେ ଧନ୍ଦା ଏତେ କାମ ଥାଇତ ତଥାପି ବେଳ ମିଳେ ବାଦଛେଦ କରିବାକୁ, ସତରଘର ଭାଙ୍ଗିବାକୁ, କଣ୍ଟାବାଡ଼ରେ ଲୁଗା ପକେଇ କଳି କରିବାକୁ, ଆଉ ଯଦି ଏ କାମ ନଥାନ୍ତା !

 

ଖରା ତାଉ ଝଲସେ, ହାଉ ହାଉ ହୋଇ ପବନ ଉଡ଼ାଉଥାଏ, ଝରକା ବାଟେ ଦିଶୁଥାଏ, ସତେ ଅବା ଗଛଗୁଡ଼ାକ ଉତ୍ତେଜିତ ଆଉ ବିକ୍ଷୁବ୍‍ଧ । ସେମାନେ ଏକା ବେଳକେ କ’ଣ ପ୍ରତିବାଦ କରି ଉଠିଛନ୍ତି । ଆଉ ସବୁ ନିଛାଟିଆ, ମଣିଷ ନାହାନ୍ତି ।

 

ମୋତି ଘୁଙ୍ଗୁଡ଼ି ମାରୁଛି । ସୁର ଶୋଇପଡ଼ିଛି । ହାତରେ କାମ ନାହିଁ । କେଉଁଠି ଖୁଡ଼୍‍କିନା ନାହିଁ ।

 

ସେତେବେଳେ ଯେପରିକି ତା’ ବିଭୃତ ଅନ୍ତର ଭିତରୁ ଡାକ ଶୁଭେ,–‘‘ମୁଁ ଅଛି ।’’

 

ସେ ଡାକକୁ ଟିକିଏ ପ୍ରଶୟ ଦେଲେ ପୁଣି ତା’ର ଅହମ୍‍ତାର ଭାବନାକୁ ମାଡ଼ି ବସିବ, ଜନ୍ମ ହେଲା ଦିନଠୁଁ ଏଯାକେ କେତେ କଥା ମନେ ପଡ଼ୁଥିବ, ସବୁ ଚିନ୍ତା ସବୁ ନିଘା ଲାଖି ରହିଥିବ ତା’ ନିଜ ଉପରେ, ସତେ ଯେମିତି ସେ ମଣିଷ ନୁହେଁ, ତାଳୁଠୁଁ ତଳିପା ଯାକେ ସବୁ ଏକାଠି ଗୋଟାଏ ପ୍ରକାଣ୍ଡ ବଥ, ସେ ତାତିଛି, ଟଣଉଛି, ସେ ଅନୁଭବ କରିଛି, ସବୁଠୁ ବେଶି ଅଡ଼ୁଆ ନିଜକଥା ଭାବିଲେ । ଏଇ କେତେଟା ବର୍ଷର ଜୀବନ ଭିତରେ କେତେ ଅନିଭୋଗ । ସୁଖର ସ୍ମୃତି ମନେପଡ଼େ ନାହିଁ, ଦୁଃଖ ହିଁ ମନେପଡ଼େ । କିଏ ସ୍ନେହ କରିଥିଲା ତା’ ମନେପଡ଼େ ନାହିଁ, ମନେପଡ଼େ କିଏ ହତାଦର କି ତାଚ୍ଛଲ୍ୟ କି ଅପମାନ କରିଥିଲା । ଆପଣା ଜୀବନ କଥା ଭାବିଲେ ଦିନ ଦିନକର ଘଟନାକୁ ହାର ପରି ଗୁନ୍ଥେ ଯେଉଁ ସ୍ମରଣ ଡୋରି, ଲାଗେ ଯେ ସେ ଦୁଃଖର । ‘ମୁଁ’ ଟା ଚେତନା ପାଖେ ଅଳି କରେ, ଗୁହାରି ହୁଏ, କାନ୍ଦେ, ଫୁସୁଲାଏ ।

 

ତେଣୁ ରମା ନିଜ ଅଭିଜ୍ଞତାରେ ଏତିକି ଜାଣିଥିଲା, ନିଜକଥା ନଭାବି ଅନ୍ୟ କଥା ଯେତେ ଯେ ଭାବି ପାରିବ ସେତିକି ସେ ମନରେ ଶାନ୍ତି ପାଇବ । କିଏ ଭାବେ ପର କଥା, କିଏ ଭାବେ କେଉଁ ଜ୍ଞାନ କଥା, ବିଦ୍ୟା କଥା, ଆଉ କିଏ ଏପୁର କଥା ଛାଡ଼ି ସେପୁର କଥା ଭାବି ଭାବି ଦିନ ବତାଇ ଦିଏ, ସେ ସତ ହେଉ କି କାଳ୍ପନିକ ହେଉ ।

 

ଶୂନ୍‍ଶାନ୍ ଦି’ପହରେ ପବନର ହାଉ ହାଉ ଶୁଣୁ ଶୁଣୁ ସେ ଭାବି ଯାଉଛି ଦୁନିଆଁ ଯାକର କଥା, ମନେ ମନେ ଚିତ୍ର ଆଙ୍କୁଛି, ମନେ ମନେ ଦେଖୁଛି କେମିତି ସେ ଚିତ୍ର ବଦଳୁଛି, ସେ ସିନେମା ଦେଖିବାର ସୁଖ ପାଉଛି, ଆଉ ଆକାଶରେ ଶୂନ୍ୟେ ଶୂନ୍ୟେ ଉଡ଼ି ଉଡ଼ି ଯିବାର, ଦେହ ବିଶ୍ରାମ କରୁ କରୁ ଦେହକୁ ଛାଡ଼ି ଦେଇ ସେ ମନର ବିଳାସରେ ଲାଗି ରହିଛି । ଭାବୁଛି ।

 

ମଣିଷ ଯେଉଁଠି ଠାଏ ହେଲେ ରହିବ, ରାନ୍ଧିବ, ଖାଇବ, ଛାତତଳେ ଶୋଇବ, କାହା ସଙ୍ଗେ କଥା କହିବ । ଏ ଗାଁ ଆଉ ସେ ଗାଁ ଭିତରେ ଖାଲି ବାହାର ଚେହେରାର ତଫାତ୍‍ । ଏ ବନ୍ତିଲୋରେ ସେ ଯାହା ଦେଖୁଛି ହୁମୁରା ଗାଁରେ ଆଉ କ’ଣ ଭିନେ ଦେଖିଥିଲା ? ଉଜ୍ଜ୍ୱଳଗଡ଼ରେ ଆଉ ଅବା ଭିନେ କ’ଣ ? ସେଇ ଚାଷୀ ଗାଁ, ଚାଷ–ଆଶ୍ରିତ ମଣିଷଗୁଡ଼ିଏ, ପୁରୁଣା ଚିରାଚରିତ ଅଭ୍ୟାସରେ ତାଙ୍କ ଚଳଣି । ସେଠି କାହିଁ–କେତେ ବର୍ଷ–ଲେଖା–ନାହିଁ ହୋଇ ଯେଉଁମାନେ ରହି ଆସିଛନ୍ତି ସେମାନେ ସତେ ଯେମିତି ଗୋଟିଏ ଗୋଟିଏ ଦ୍ଵୀପରେ ରହନ୍ତି, ତାଙ୍କ ଆଖିରେ ବଡ଼ ତାଙ୍କର ମାଟି, ତା’ର କେତେ ଚିହ୍ନାଜଣା ପୁରୁଣା ସମ୍ପର୍କ, ଆଉ ତାଙ୍କର ଗୋଷ୍ଠୀ,–ତା’ର କେତେକାଳର କେତେ କାହାଣୀ, କେମିତି ଚଳିବ କ’ଣ କରିବି କ’ଣ ନ କରିବି ସେ ବିଷୟରେ କେତେ ପୁରୁଣା ଉଦାହରଣ । କିନ୍ତୁ ତାଙ୍କ ସମାଜ, ରୀତିନୀତି ବିଚାରର ଧାରାସବୁ ତିଆରି ହୋଇଛି ତାଙ୍କ ବୃତ୍ତିର ଛାଞ୍ଚରେ । କେତେ ଓଷା, ବାର, ତିଥି ତ ତାକୁ ହିଁ ଖାପିଲା ଭଳି ତିଆରି ହୋଇଛି । ନୂଆ ହଳ କରି ବିହନ ବୁଣା ଆରମ୍ଭ ବେଳେ ବୈଶାଖ ମାସରେ ଅକ୍ଷିତୃତିଆ, ଯେତେବେଳେ ବଳଦଙ୍କ ବେକରେ ତେଲ ହଳଦି ଲାଗିବ, ତାଙ୍କ ଲାଙ୍ଗୁଡ଼ର ବାଳ କଟା ହେବ, ଧାନବୁଣା ଶେଷ କରି ଜ୍ୟେଷ୍ଠରେ ନିଷ୍ଠାକାଷ୍ଠାରେ ସାବିତ୍ରୀବ୍ରତ ପାଳି, ଶୀତଳ ଷଷ୍ଠୀରେ ହରପାର୍ବତୀ ବିଭା କରାଇ, ଅଶୋକାଷ୍ଟମୀ କରି, ନୃସିଂହଙ୍କୁ ଚତୁର୍ଦ୍ଦଶୀରେ ପୂଜି, ରାମନବମୀ କରି ରାମଚନ୍ଦ୍ରଙ୍କୁ ପୂଜି, ଚନ୍ଦନ ଭଉଁରିରେ ଜଗନ୍ନାଥଙ୍କୁ ପୂଜି ଦେବସ୍ନାନ ପୂର୍ଣ୍ଣିମା ପାଳି ଯେତେ ଯେତେ ଠାକୁର ଦେବତା ସମସ୍ତିଙ୍କି ସନ୍ତୋଷ କରିବା । ତା’ ଭିତରୁ ବାରିହୋଇ ପଡ଼େ ଚାଷୀ ସମାଜର ଆଶା ଅଭିଳାଷ,–ବିହନ ବୁଣା ହେଲା, ସବୁ ନିଷ୍ଠା କାଷ୍ଠା ମାନିବୁଁ, ଭଲ ଫସଲ ମିଳୁ । ସେଇଥିପାଇଁ ଅଷାଢ଼ରେ ଧରିତ୍ରୀ ପୂଜା କରି ରଜ ସଂକ୍ରାନ୍ତି ମଉଚ୍ଛବ ଏମିତି କେତେ । ଯେ ଫସଲ ଉପୁଜାନ୍ତି ନାହିଁ, କାରଖାନାରେ ଲୁହା ଉପୁଜାନ୍ତି, ଗାଁରେ ରହନ୍ତି ନାହିଁ, ଏ ପର୍ବ ପର୍ବାଣିରେ ତାଙ୍କର କ’ଣ ଯାଏ ? କାହିଁକି ସେ ମଗୁଶୁର ମାସ ମାନିବେ ?

 

ଆସୁଛି ସେହି କଳକାରଖାନାର ଯୁଗ, ମଣିଷର ବୃତ୍ତିରେ ଚାଷ ହିଁ ପ୍ରଧାନ ହୋଇଥିଲା, ଏ ଯୁଗରେ ଶିଳ୍ପ ହିଁ ପ୍ରଧାନ । ସେହି ଶିଳ୍ପଯୁଗ କେତେଠିଁ ଯଦି ଭୂଗୋଳ ବଦଳାଉଛି, ନଈକୁ ଶୁଖୋଉଛି ବଙ୍କାଉଛି, କେତେଠିଁ ପାହାଡ଼କୁ ସମତଳ କରୁଛି, ଜଙ୍ଗଲରେ ଅପନ୍ତରାରେ ଗଢ଼ୁଛି ବଡ଼ ବଡ଼ ମଣିଷ ଗହଳି କାରଖାନା ଅଞ୍ଚଳ, ବଡ଼ ବଡ଼ ସହର, ସେମିତି ପୁରୁଣା ଗାଁରୁ ମଣିଷଙ୍କୁ ଓଟାରି ନେଉଛି, ତାଙ୍କ ରୁଚି ଆଉ ଚାଲି ଚଳଣି ବଦଳାଇ ଦେଉଛି । କେଉଁ କେଉଁ ଆଡ଼ର ଲୋକ, ତାଙ୍କର କେତେ ଭାଷା, କେତେ ଧର୍ମ । ସେଠି ପୁରୁଣା ମାଟି ଆଉ ଗୋଷ୍ଠୀ ଆରାଧ୍ୟ ହେବ ନାହିଁ, ସେଠି ମେଣ୍ଟର କାରଣ ହେବ ବୃତ୍ତି, ଏକାଠି ଏକା ଜାଗାରେ ଏକା ପ୍ରକାର କାମ କରୁଛନ୍ତି ବୋଲି, ସେଠି ମେଳି ଗୋଳି ହେଉଥିବ ବୃତ୍ତି ଆଉ ରୋଜଗାର ଛଡ଼ାଛଡ଼ି ପାଇଁ । ଭାଷା କି ଧର୍ମର ବିଭିନ୍ନତା ନିଜେ ଲୋପ ହେବାଯାକେ କେବଳ ସେଥିପାଇଁ ହୋଇଥିବ ଆରା । ସେମାନେ ସମସ୍ତେ ପଇସା ରୋଜଗାରିଆ ଆଉ କଶିଖିଆ ଦଳ । ଯେତେ ଅରଜିଲେ ଶାନ୍ତି ମିଳିବ ନାହିଁ, ଆହୁରି ଦରକାର, ସେଥିପାଇଁ ପରିଶ୍ରମ ଆଉ ଚକ୍ର ଉଭୟ ଦରକାର, ଯେତେ ପ୍ରକାର ଯେତେ ଯେତେ କିଣା ପଦାର୍ଥ କିଣା ଆନନ୍ଦ ସେମାନେ ପାଇ ପାରୁଥିବେ ସେତେ ସେତେ ସେମାନେ ଖୁସି ହେଉଥିବେ । ଚାଷୀର ଚଳଣିଠୁଁ ତାଙ୍କ ଚଳଣି ନିଶ୍ଚୟ ଖୁବ୍ ଉଚ୍ଚରେ । ଚାଷୀର ଶାନ୍ତି କି ସମାଜର ନିର୍ଭର ଆଶ୍ୱାସଠୁଁ ତାଙ୍କର ଶାନ୍ତି କି ସମାଜନିର୍ଭରତା ନିଶ୍ଚୟ ଖୁବ୍ ତଳେ । ସେଠି ନୂଆ ସମାଜ ଗଢ଼ି ହେବ ଆପେ ଆପେ, ଜାତି କି ଧର୍ମବିଶ୍ୱାସର ଏକତା ତା’ର ସୂତ୍ର ନୁହେଁ । ସେଠି ପୁରୁଣା ସମାଜର ପୁରୁଣା ବିଧି ନିଷେଧ ରହି ପାରିବ ନାହିଁ, ନୂଆ ବିଧି ନିଷେଧ ନୂଆ ଆଚାର ସୃଷ୍ଟି ହେବ, ଚାଲୁ ହେବ, ସେହି ହେବ ନିୟମ, ପୁଣି ବଦଳିବ, ପୁଣି ବଦଳିବ । ମଫସଲରେ ଯାହା ଲାଗେ ଅନାଚାର ବୋଲି, କେତେ ତହିଁରୁ ସହରରେ ହୁଏ ଆଚାର । ତଥାପି ସେ ସହର ଥିଲା ଚାଷୀ ଗାଁ ସହିତ ସଂଯୁକ୍ତ, ଲୋକ ସହରରେ ରହିଲେ ପୂଜା ଗାଁରେ ତା’ର ଘର କି ବନ୍ଧୁ ବାନ୍ଧବ । କିନ୍ତୁ କଳକାରଖାନାମୟ ଶିଳ୍ପ ଦେଶର ସହରର ଲୋକ ସହରରହିଁ ବାସିନ୍ଦା ହେବ । ତା’ର ପିଲାଏ ପୃଥିବୀଯାକ ଆହାର ଖୋଜି ଯେଉଁଠି ଶିଳ୍ପରେ ସୁବିଧା ପାଇବେ ସେଇଠି ରହିବେ । ପୁରୁଣା ଆଚାର, ରନ୍ଧାଘରର ବଡ଼ବଡ଼ୁଆ, ଗାଁ ଦେଉଳର ନୀତି ଧରିବାକୁ ତାଙ୍କର ସୁବିଧା ହେବ ନାହିଁ ଦରକାର ପଡ଼ିବ ନାହିଁ, ମନ ଯିବ ନାହିଁ ।

 

ତାଙ୍କର ନୂଆ ସମାଜ, ନୂଆ ଚଳଣି, ନୂଆ ବିପଦ, ନୂଆ ରୋଗ, ନୂଆ ସମସ୍ୟା, ତା’ ସଙ୍ଗେ ସଙ୍ଗେ ଜୀବନକୁ ଉପଭୋଗ କରିବାକୁ କି ଉଜାଡ଼ିବାକୁ ନୂଆ ନୂଆ ଉପାୟ ଆଉ ସାମଗ୍ରୀ ।

 

ଘର୍‍ ଘାର୍‍ ଘଡ଼୍‍ ଘାଡ଼୍‍ ଢୁଢ଼ା ଠୋଠା ବିଜୁଳି ଆଲୁଅ ଦାଉ ଦାଉ କୋଠା ମାଳମାଳ ନୂଆ ଦୁନିଆଁ ଭିତରେ କିଲିବିଲି ହେଉଥିବେ ନୂଆ ମଣିଷ, କିଏ ଆସିଥିଲା ଆମେରିକାରୁ କିଏ ଜର୍ମାନୀରୁ କିଏ ପଞ୍ଜାବରୁ କିଏ କେରଳରୁ, କିଏ ଆନ୍ଧ୍ରରୁ, କିଏ ଓଡ଼ିଶାରୁ । ମଣିଷ ଠାଏ ଚେର ଲାଗିହୋଇ ବସି ପଡ଼ିବେ ନାହିଁ, କେତେବେଳେ କେଉଁ ପବନ ହାବୁକା ଆସୁଥିବ, ଯୁଦ୍ଧର କି ହାଣକାଟର କି ରୋଗର, କି ଆଉ କେଉଁଠି ଲାଭ ରୋଜଗାରର କେଉଁ ନୂଆ ବାଟର, କେଉଁ ଆବିଷ୍କାରର କି ସୁବିଧାର, ଉଡ଼ାଇ ନେଉଥିବ ଦଳ ଦଳ ଲୋକଙ୍କୁ ଏ ଦେଶରୁ ସେ ଦେଶକୁ, ୟେ ଦେଶରୁ ଏ ଦେଶକୁ, ଭାଷା କି ସଂସ୍କୃତି ସହିତ ଦେଶ କି ପ୍ରଦେଶର ଯେଉଁ ସମ୍ପର୍କ ଚାଷୀ ଯୁଗରେ ଶହ ଶହ ବର୍ଷ ଧରି ରହି ଆସିଥିଲା ତା’ ଆଉ ରହିବ ନାହିଁ ।

 

କ’ଣ ହେବ ତାହେଲେ ? ସିନେମାର ପର୍ଦ୍ଦା ଉପରେ ଆର ରିଲ୍‍ରେ ସେ ପୁଣି କି ଛବି ଖେଳିବ ? କ’ଣ ଖାଲି ନିଆଁ ଲାଗିବା ଆଉ ହାଣକଟା ହେବା ଆଉ ଧ୍ୱଂସ ହେବା ? ଖାଲି ସେହି ପୁରୁଣା ଭବିଷ୍ୟତବାଣୀ ଗୁଡ଼ାକ,–

 

ଘୋଡ଼ା ଉପରେ ବାରହାତ ଖଣ୍ଡା ଧରି ମ୍ଳେଚ୍ଛ ଅବତାର, କେଉଁ ନିରୀହ ବାବାଜିର ସମାଧି ଉପରେ ଲମ୍ବା ଖଣ୍ଡାଧରା ଜଗନ୍ନାଥ ମୂର୍ତ୍ତି ଥୋଇ ଦେଉଳଟାଏ ତୋଳି ଯେମିତି କିଏ ନୂଆ ଦେବତା ତିଆରି କରିଛି ?

 

ଖାଲି ଧ୍ୱଂସ ଆଉ ସଂହାରର ସ୍ୱପ୍ନ,–

 

‘‘......ପୃଥ୍ୱୀକି ହୋଇବେ ସେ ସଲ ।’’

 

‘‘......ତେର ଚଉଦ କେହି ନରହିବେ–’’

 

‘‘ପ୍ରଳୟ ହେବ,.......ପ୍ରଳୟ, ସୃଷ୍ଟି ନାଶ ହେବ ।’’

 

ସେ ଦେଖେ ସେ ଯାହା ଲୋଡ଼ୁଥିଲା ତା’ ତାକୁ ମିଳିଲା ନାହିଁ ସେ ଅଭିମାନରେ ଈର୍ଷାରେ କହେ, ସବୁ ଭସ୍ମ ହୁଅନ୍ତା କି ! ଯେ ଦେଖେ ସେ ଯାହାକୁ ବିଚାରୁଥିଲା ଠିକ୍‍ ଆଉ ଭଲ ଲୋକେ ତା’ର ଓଲଟା କରୁଛନ୍ତି ତାକୁ ବଦଳାଇବାକୁ ବଳନାଇଁ ସେ ଆପଣାକୁ ଶାନ୍ତି ଦିଏ ଏଇଆ ଭାବି,–ଏମାନେ ଫଳ ପାଇବେ, ସବୁ ଭସ୍ମ ହେବେ । ଗୋଟାଏ ଗୋଳମାଳ କି ହାଣକାଟ କି ପ୍ରାକୃତିକ ବିପତ୍ତି ପଡ଼ିଗଲେ ସେମାନେ ଭାବନ୍ତି ଏଇଥର ସବୁ ଭସ୍ମ ହେବ, ଏଇ ଆସିଗଲା ପ୍ରଳୟ, ତା’ପରେ ‘ସତ ଉପୁଜିବ’ । ଯେତେଥର ବାହାରର ଶତ୍ରୁ ମାଡ଼ିଆସି ପୋଡ଼ି ଜାଳି ଛାରଖାର କଲା, ଯେତେଥର ଅତ୍ୟାଚାରର ହେଲା ଚୂଡ଼ାନ୍ତ ସେତେଥର ସେମାନେ ମାଳିକା ଗାଇଲେ, କେତେ ମାଳିକାର ତାରିଖ ସରିଲା । ଶେଷ ପ୍ରଳୟ ହେଲା ନାହିଁ, କଳିଯୁଗ ସରିଲା ନାହିଁ, ସତ୍ୟଯୁଗ ଆସିଲା ନାହିଁ ।

 

ଚାଷ ବୃତ୍ତିରେ ଚଳୁ ଚଳୁ କେତେଥର ଅତୀତରେ ହଜାର ହଜାର ମଣିଷ ଗୋଠ ହୋଇ ଏଠୁ ଉଠି ସେଠିକି ଯାଇଛନ୍ତି, ହଜାର ହଜାର କୋଶ ବାଟ, ରହି ରହି ମାଡ଼ି ମାଡ଼ି ଯାଇଛନ୍ତି ପେଟପାଟଣା ପାଇଁ, ଆଉ କେଉଁ ଲୋକଙ୍କୁ ମାଟିରୁ ଉପାଡ଼ି ଦୂରକୁ ତଡ଼ି ତଡ଼ିକା, ଆଉ କେଉଁ ଲୋକଙ୍କଦ୍ୱାରା ମାଟିରୁ ଉପୁଡ଼ା ହୋଇ ଫିଙ୍ଗା ହୋଇ, ଯାଉ ଯାଉ ରହୁ ରହୁ ସ୍ନେହରେ ଭିକି ଜୁଲୁମ୍ ଜବରଦସ୍ତିରେ କେତେ ପ୍ରକାର ଜାତିଙ୍କ ରକ୍ତ ଏକାଠି ମିଶିଛି, କେତେ ମିଶା ଛୁଆ ଜନ୍ମ ହୋଇଛନ୍ତି ବଡ଼ ହୋଇଛନ୍ତି, କେତେ କେତେ ବଦଳିଛି ତାଙ୍କ ଭାଷା ଆଉ ସଂସ୍କୃତି ପଛେ ତାଙ୍କରି ସନ୍ତତିମାନେ କେଉଁଠି ଠାଏ ଶହେ ଦି’ଶ କି ପାଁଶ ବର୍ଷ ନରହୁଣୁ ଗଢ଼ିଛନ୍ତି ତାଙ୍କ ପବିତ୍ର ରକ୍ତ, ଜାତି, ବଂଶ, ଭାଷା ଓ ପୁରୁଣା ଆଭିଳାତ୍ୟର କାହାଣୀ । ତାହାରି ବଡ଼ାଇ ବଖାଣି ନିଶ ଫୁଲାଇ କହିଛନ୍ତି ଆମେ ବିଧାତାଙ୍କର ବିଶିଷ୍ଟ ସୃଷ୍ଟି, ହଜାର ହଜାର ବର୍ଷ ହେଲା ଏଇଠି ଆମେ ଥିଲୁଁ, ଅବିକଳ ଏମିତି ରହିଥିଲୁଁ ।

ବୃତ୍ତିର ମାର୍ଗ ପୁରୁଣା ହୋଇଯାଇ ସ୍ଥାୟୀ ଧାରା ଧରିଥିଲା, ଲୋକେ ବସି ପଡ଼ିଥିଲେ । ଯେ ଯେଉଁଠି ଥିଲେ ସେଠି । ବୃତ୍ତି ମାର୍ଗ ବଦଳିଲା, ବିଜ୍ଞାନ ବଢ଼ୁ ବଢ଼ୁ ପାରିପାର୍ଶ୍ଵିକ ଅବସ୍ଥା ବଦଳିଲା । ଅସ୍ଥିରତା ବଢ଼ିଲା । ମଣିଷ ଦଳଙ୍କ ଯାତ୍ରାର ବେଗ ଦ୍ରୁତରୁ ଦ୍ରୁତତର ହେଲା । ଆଗେ ସେ ଯାତ୍ରାରେ ସମୁଦାୟ ମଣିଷ ଜାତି ଧ୍ୱଂସ ହୋଇନଥିଲା, ଖାଲି ତା’ ସମାଜ ବଦଳି ଯାଇଥିଲା, ଏବେବି ସେ ଧ୍ୱଂସ ହେବ ନାହିଁ । ବଦଳୁଥିବ, ବଞ୍ଚୁଥିବ । କାହାର ଇଚ୍ଛା ମରିବାକୁ ?

ଧ୍ଵଂସକାରୀ ଅସ୍ତ୍ରଶସ୍ତ୍ର ଯେତେବେଳେ ତିଆରି ହୋଇ ଗଦା କରି ରଖା ହେଉଛି ସେତେବେଳେ ବି ଚାରିଆଡ଼ୁ ଉଚ୍ଚାଟ ହୋଇ କେତେ ଲୋକ ପାଟି କରୁଛନ୍ତି,– ପୃଥିବୀ ନିରସ୍ତ୍ର ହେଉ, ସବୁ ହତିଆର ସମୁଦ୍ରରେ ଫୋପଡ଼ା ହେଉ, ସବୁଦିନ ପାଇଁକି ଯୁଦ୍ଧ ବନ୍ଦ ହେଉ, ଚିରକାଳ ରହିଥାଉ ଶାନ୍ତି, ମୈତ୍ରୀ ।

ଲୋଭ, ଗୁଣ୍ଡାମି ଟାଉଟରି ହିଂସା ମିଥ୍ୟାଚାର ଘୋଡ଼ା ଛୁଟେଇ ମାଡ଼ି ଗଲା ବେଳକୁ ତଥାପି ବହୁତ ଲୋକ ଥାଆନ୍ତି ଯେଉଁମାନେ ନିରୀହ ହୋଇ ସତ ସାଧୁତାକୁ ଧରି ପଡ଼ି ଥାଆନ୍ତି ପଛେ ଗରିବ ହୋଇ ରହି ଦୁଃଖ କଷ୍ଟ ଭୋଗନ୍ତି । ପଛେ ଅତ୍ୟାଚାର କବଳରେ ଜୀବନ ଦିଅନ୍ତି, ଆପଣା ଆଦର୍ଶ ଭୁଲନ୍ତି ନାହିଁ । ଲୋକେ ପରର ଜୀବନ ବଞ୍ଚାଇବାକୁ ନିଆଁକୁ ଡିଅଁନ୍ତି, ପରକୁ ପିଠି ଆଡ଼ କରି ବଞ୍ଚାଇ ରଖି ହତ୍ୟାକାରୀର ଛୁରି କଟୁରି ଆଗରେ ଠିଆ ହୁଅନ୍ତି, ଟଳି ପଡ଼ନ୍ତି । ଯେତେବେଳେ ଗୋଟାଏ ସଂପ୍ରଦାୟର ଲୋକ ହିଂସାରେ ଜଳି ଉଠି ଆଉ କେଉଁ ସଂପ୍ରଦାୟର ଲୋକଙ୍କୁ ହାଣି ପକାଉ ଥାଆନ୍ତି ସେତେବେଳେ ତାଙ୍କରି ଭିତରୁ ଲୋକ ବାହାରନ୍ତି ଯେ ପର ସଂପ୍ରଦାୟର ଲୋକଙ୍କୁ ରକ୍ଷା କରିବାକୁ ଯାଇ ନିଜ ସଂପ୍ରଦାୟର ଲୋକଙ୍କ ହାଣ ଚୋଟରେ ମରନ୍ତି-

ଶିଳ୍ପର ଯୁଗ ଆସୁ, ଆଉ କେତେ ଶହ କି ହଜାର ବର୍ଷ ପରେ ଆଉ କେଉଁ ଯୁଗ ଆସୁ, ସେତେବେଳେ ମଣିଷର ସମାଜ କି ଚଳଣି ଯେପରି ହେଉ, ସମସ୍ତେ ଖରାପ ହେବେ ନାହିଁ, ହିଂସାର ନିଆଁ ଜଗତଯାକକୁ ଘୋଟି ନଥିବ, ଯେତେଥର ଯୁଦ୍ଧ ହେଉଥାଉ ସବୁଦିନେ ଯୁଦ୍ଧ ଚାଲି ନଥିବ, ମଣିଷ ଜାତି ଧ୍ୱଂସ ହୋଇ ନପାରେ ।

ଆଗର ଲୋକ ଶାସ୍ତ୍ର ପୁରାଣରେ ଲେଖି ଯାଇଛନ୍ତି, କଳିଯୁଗ ସରି ଆସିଲା ବେଳକୁ କଳିର ଅନ୍ଧାର ହେବ ଘମାଘୋଟ, କଳା କିଟିକିଟି, କାହାରିଠି ଭଲପଣ ନଥିବ, ସମସ୍ତିଙ୍କର ଆଚାର ବିଚାର ହେବ ଓଲଟା । ସାଧୁତା, ସତ୍ୟ, ଅହିଂସା, ନୀତି, ଚରିତ୍ର ଆଦର୍ଶ, ସତୀତ୍ୱ, ସଂଯମ, ସରଳତା, ଧର୍ମ–ଏସବୁ ପଦର ନାଁ ପଡ଼ୁଥିବ ଖାଲି ହସିବା ହସାଇବା ଲାଗି, ଲୋକେ ଭାବୁଥିବେ ସେ ସବୁ ଧାରଣା ଅତୀତର କେଉଁ ଦରିଦ୍ର ଅଜ୍ଞାନ ମୂର୍ଖ ଅମଳର ଛିଣ୍ଡା କନ୍ଥା । ସ୍ତ୍ରୀ ପୁରୁଷ ନିର୍ବିଶେଷରେ ବିଷୟ ନିର୍ବିଶେଷରେ ସେମାନେ ଭୋଗ ବିଳାସରେ ମାତି ରହୁଥିବେ, ମିଥ୍ୟା ଅତ୍ୟାଚାର ଲୁଣ୍ଠନ ବ୍ୟଭିଚାର ଏଇଆ ହୋଇଥିବ ତାଙ୍କର କାଳ-ଧର୍ମ । ସେତେବେଳେ ସତୀର ଅପମାନ ହେବ, ଅସତୀ ପାଇବେ ସମାଜରେ ଶ୍ରେଷ୍ଠ ସ୍ଥାନ । ସନ୍ଥର ଦଳନ ହେବ, ଯେ ମଦ୍ୟପ, ବ୍ୟଭିଚାରୀ, ଖୁଣୀ, ଅସାଧୁ, ଅସତ, ତା’ରି ବଡ଼ତି ହେଉଥିବ, ତା’ରି ଜୟ ଜୟକାର, ସମସ୍ତେ ସ୍ୱାର୍ଥ ଲାଗି ଧାଇଁବେ ସବୁ ଅପକର୍ମ କରିବାକୁ । ସେତେବେଳେ ସାଧୁତା ଓ ନିଷ୍ଠାର ପୁରସ୍କାର ହେବ ଉତ୍ପୀଡ଼ନ, ତାଚ୍ଛଲ୍ୟ, ମୁଣ୍ଡକାଟ ତା’ରି ନାଁ ହେବ କଳିଯୁଗ ନ୍ୟାୟ । ନ୍ୟାୟ ଓ ନୀତି ଚାରିଆଡ଼େ ଖାଲି ଭୁଶୁଡ଼ି ପଡ଼ୁଥିବ । ପାପ ଆଉ ସଇତାନ ମୁଖା ପିନ୍ଧି ହତିଆର ଧରି ବୁଲୁଥିବ ନାନା ଦେଶରେ, ସାହି ସାହି, ଗଳି ଗଳି । ବିବେକ ଆଉ ବିଚାରର କଥା କେହି ଶୁଣିବେ ନାହିଁ, ଦେବତା ଲୁଚିବେ, ନୀତିଶାସ୍ତ୍ର ଉଭେଇ ଯିବ । ଚିନ୍ତା କଳୁଷିତ ହେବ, କଳା ହେବ ହିଂସା ଦୁର୍ନୀତି ବ୍ୟଭିଚାର ପାଇଁ ନୂଆ ଭୋଗ, କାବ୍ୟର ସ୍ୱରୂପ ହେବ ସ୍ୱେରିଣୀ–ସମ୍ମତ, କ୍ରୀତଦାସସମ୍ମତ । ଚାରିଆଡ଼େ ପୂରି ରହିଥିବ ଅଶାନ୍ତି, ଅସ୍ଥିରତା, ଆତଙ୍କ, ନୈରାଶ୍ୟ, ଯେ ତହିଁରେ କଷ୍ଟ ପାଉଥିବେ ସେହିମାନେ ତାକୁ ଫୁଙ୍କି ଫୁଙ୍କି ଜଳାଉଥିବେ, ଚାଲିଥିବ ବନ୍ଧନ ଆଉ ଉତ୍ପୀଡ଼ନ ଆଉ ସଂହାର । ସେହି ଅତୀତର ଭାବୁକମାନେ ଦୂରକୁ ଦେଖି କହୁଥିଲେ ଲୋକେ ପାଗଳ ହେବେ । ହିଂସାରେ ଘେରି ହେବେ, ମରିବେ ।

ହାଉ ହାଉ ପବନ ଚାଲିଛି, ଯେମିତି ଯୁଗ ଯୁଗର କାହାଣୀ ଗାଇ ଯାଉଛି । ରମା ଅସ୍ଥିର ହୋଇ ଉଠି ପଡ଼ିଲା । ଦାଣ୍ଡ ଘରକୁ ଗଲା । ଅଧା ଛାଇରେ ସ୍ଥିର ହୋଇ ରହିଛି ମହାତ୍ମା ଗାନ୍ଧୀଙ୍କ ଛବି । ବିହ୍ଵଳ ହୋଇ ତାହାରି ଆଡ଼କୁ ସେ ଅନାଇଁ ରହିଲା । ମନେ ମନେ କହିଲା–ତୁମେ ଆଜି ଶରୀର ଧରି ନାହଁ । ତୁମେ ଅଛ ଏଇ ପବନରେ, ଏଇ ଆଲୁଅରେ, ତୁମେ ଅଛ ଏଇ ଅନ୍ତର ଭିତରେ । ଚାରିଆଡ଼େ ଚାହିଁ ଦେଖିଲେ ୟେ ବିଭୀଷିକାର ଉଦାହରଣର ଅଭାବ ନାହିଁ, ଏଇ କ’ଣ ଶେଷ ?

ସେ ମୁହଁ ଆଶା ଓ ଶାନ୍ତିରେ ଉଜ୍ଜ୍ୱଳ ଦିଶିଲା । ‘‘ଯୁଗେ ଯୁଗେ ଆଲୁଅ ଆଉ ଅନ୍ଧାରର ଗୋଡ଼ିଆଗୋଡ଼ି ଖେଳ ।’’ ସେ ତା’ର ହୃଦୟ ଭିତରେ ଉତ୍ତର ପାଇଲା, କେତେବେଳେ କେଉଁଠି ଜିତେ ଦେବ, କେତେବେଳେ ଅସୁର, କେତେବେଳେ ଦେବତା ବି ଅସୁର ପାଲଟି ଯାଇ ତଳକୁ ଖସି ପଡ଼େ, କେତେବେଳେ ଅସୁର ବି ଦେବତା ପାଲଟି ଯାଇ ଉପରକୁ ଉଠେ । ଅନ୍ଧାର ବଳି ପଡ଼ିଲେ ସେ ଆପେ ଆପଣାକୁ ଧ୍ୱଂସ କରେ, ପୁଣି ଆଲୁଅ ଚହଟେ, ବ୍ୟକ୍ତି ଯେମିତି ତା’ର ଜୀବନକାଳ ଭିତରେ ପ୍ରତି ଘଡ଼ିକେ ପରିବର୍ତ୍ତନ ଭିତରେ ଗତି କରେ, ମଣିଷର ସମାଜ ବି ସେମିତି, ପରିବର୍ତ୍ତନ ଲାଗି ରହିଥାଏ, ମଣିଷ ଜାତି ମରେ ନାହିଁ । ଅନ୍ଧାର ଭିତରେ ଲୁଚି ରହିଥାଏ ଆଲୁଅର ଧାସ ପୁଣି ଫରଚା ହୁଏ, ରାତି ଯାଇ ଦିନ ଆସେ । ‘ମଣିଷଠିଁ ମୋର ଅଖଣ୍ଡ ବିଶ୍ୱାସ, ଯେତେ ଅନ୍ଧାରରେ ବୁଡ଼ି ରହିଲେ ବି ତା’ର ଦୃଷ୍ଟି ରହିଥାଏ ଆଲୁଅ ଆଡ଼କୁ ।’

ରମା ଆଖି ବୁଜି ଢୁଳେଇ ପଡ଼ି ଭାବି ଲାଗିଲା, ଯେଉଁମାନେ ଅତୀତରେ ଦେଖି ବଖାଣୁ ଥିଲେ ଆସନ୍ତା ଧ୍ୱଂସ ବିଭଙ୍ଗର ସ୍ୱପ୍ନ, ତାଙ୍କ ବେଳେ କି ତାଙ୍କ ଆଗରୁ ପୃଥିବୀଯାକ କ’ଣ ସମସ୍ତେ ଥିଲେ ସନ୍ଥ ? କି ସମସ୍ତେ ଥିଲେ ପାଷାଣ୍ଡ ? ନ ଥିଲେ । ଯୁଗେ ଯୁଗେ କେତେ ସନ୍ଥ କେତେ ଅସତ୍ ଲୋକ, କେତେ ତ୍ୟାଗ ତପସ୍ୟାର କାହାଣୀ ପୁଣି କେତେ ହିଂସା ଉତ୍ପୀଡ଼ନ ଅତ୍ୟାଚାରର, କିଛି ସ୍ଥିର ହୋଇ ରହିନାହିଁ ।

କେମିତି କହିହେବ ଅତୀତର ଲୋକଙ୍କ ନୈତିକ ଚରିତ୍ର ଏବଠୁଁ ଆହୁରି ଭଲ ଥିଲା ବୋଲି ? ଏଇ ପବନର ହୁ ହୁରେ ଯେମିତି ମାଡ଼ି ମାଡ଼ି ଚାଲିଛି ଅତୀତର ଯୁଗ ଯୁଗର କରୁଣ ଆର୍ତ୍ତନାଦ, ଫାଉ ଫିସାଦ ଦାଉ ଦାପଟ ଅତ୍ୟାଚାର ଶୋଷଣର ନିର୍ମମ ଗାଥା । କିଏ କହିବ ସୌଧ ଅଟ୍ଟାଳି ତଳର ସେ ନରକଙ୍କାଳର କାହାଣୀ ? କେଉଁଠି ତ ତା’ ନାଁରେ ଗାରେ ବୋଲି ନାହିଁ । ଦେଶ କାହାର ହୋଇଥିଲା ? ଯେଉଁ ଅଳ୍ପ କେତେଜଣ ପରକୁ ଶୋଷି ଦୁହିଁ ଦାବି ରଖି ବଞ୍ଚିତ କରି ନିଜେ ଭୋଗ ବିଳାସରେ ଚଳୁଥିଲେ, ମାରଣା ଖୁସାମତିଆ, ଭୋଗ ବିଳାସର ସାମଗ୍ରୀମାନଙ୍କୁ ପୋଷୁଥିଲେ ତାଙ୍କର ନାଁ ଦେଶ ଗୋଟାକର ଲୋକଙ୍କର । ଯେ ଖଟି ଖଟି କୁରୁମ, ମାଡ଼ ଖାଇ ଖାଇ ଯାହାଙ୍କ ପିଠି ଗଇଁଆଁ, ଯାହାଙ୍କର ତୁଣ୍ଡ ନାହିଁ ମୁଣ୍ଡ ନାହିଁ ଖାଲି ଆପଣା ଜୀବନ ବଞ୍ଚାଇ ଚଳିଯିବା ହିଁ ବଡ଼କଥା !

 

ଯାହାଙ୍କ କଂସା କବାଟ ଝାଇଁ କଲେ ଦି’କୋଶ ବାଟକୁ ଶୁଭୁଥିଲା, ଯାହାଙ୍କ ଅନ୍ତଃପୁରରେ ଥିଲେ ପଲ ପଲ ପୋଇଲି, ସେ ଆପଣା ଆନନ୍ଦ ପାଇଁ ପରର ଦୁଧଖିଆ ପିଲାକୁ ଗୋଟିପୁଅ କରି ସଖୀ ନାଚ ନଚୋଉଥିଲେ, ଯାହାଙ୍କ ପାରିଲା ପଣର ଦାଉରେ କାହାର ସତୀତ୍ୱ କି ଇଜ୍ଜତ ଧନ ଜୀବନ ନିରାପଦ ନଥିଲା, ଯାହାଙ୍କ ବିଚାର ଏପରି ଥିଲା ଯେ ଦେବତା ମଦ ଖାଇଲେ ତାକୁ କୁହାହେବ ପବିତ୍ର ସୋମରସ, ସାଧାରଣ ଲୋକ ମଦ ଖାଇଲେ ତାକୁ କୁହାହେବ ନିପଟ ମଦୁଆ, ବଡ଼ ଲୋକ ବ୍ୟଭିଚାର କଲେ ତାକୁ କୁହାହେବ ଲୀଳା, ସାନ ଲୋକ ବ୍ୟଭିଚାର କଲେ ସେ ବ୍ୟଭିଚାରୀ, ଯାହାଙ୍କ ରାଗ ଆଗରେ ଖିଆଲ ଆଗରେ ସାଧାରଣ ଲୋକର ଜୀବନ ହୋଇଥିଲା ପୋକ ମାଛି ପରି, ତାଙ୍କର ଉଜ୍ଜ୍ୱଳ ବତିର ଦୀପଦାଣ୍ଡି ଅନ୍ଧାର ତଳେ ସାଧାରଣ ଲୋକ ରହିଥିଲେ ଅନ୍ଧାରରେ, ସେମାନେ ଅଳ୍ପ ଖାଇ ଅଳ୍ପ ପିନ୍ଧି ଅଳ୍ପରେ ରହୁଥିଲେ । ବନ୍ଦୀ ହୋଇ ରହିଥିଲେ, ମଲାପରି ପଡ଼ି ରହିଥିଲେ । ବନ୍ଦୀ ହୋଇ ରହିଥିଲେ, ମଲାପରି ପଡ଼ି ରହିଥିଲେ କେହି ସମସ୍ୟା ସୃଷ୍ଟି କରେ ନାହିଁ ।

 

ଦେଶ ଦେଶର ଲୋକେ ଅନ୍ଧାର ଉହାଡ଼ରୁ ଆଲୁଅକୁ ଆସୁଛନ୍ତି ପଲ ପଲ ହୋଇ, ତାଙ୍କର ବୃତ୍ତି ଯାହା ହୋଇଥାଉ ଚାଷ କି ଶିଳ୍ପ, ତାଙ୍କର ବି ଦରକାର ସୁଖ ସମୃଦ୍ଧି, ତାକୁ କିଣିବାକୁ ଗଢ଼ିବାକୁ ସୁଯୋଗ ଓ କ୍ଷମତା । ସେମାନେ ଗୋଟାଏ ବିରାଟ ନଈବଢ଼ି ।

 

ପୂର୍ବେ ଯେଉଁ ସମାଜ ଥିଲା ସେଥିରେ ବରାଦ ଥିଲା ଅଳ୍ପ କେତେ ଜଣଙ୍କ ସୁଖ ସୁବିଧା ପାଇଁ । ରହିବା ପାଇଁ କୋଠାଘର, କି ପଢ଼ିବା ପାଇଁ ଇସ୍କୁଲ୍ କି ଚିକିତ୍ସା ପାଇଁ ଡାକ୍ତରଖାନା, କିଣିବା ପାଇଁ ଜିନିଷ ଓ ଦୋକାନ ବଜାର, ଖାଇବା ପାଇଁ ମାଛ ମାଂସ କି ମିଠେଇ, ଚଢ଼ିବା ପାଇଁ ଗାଡ଼ି କି ଆଉ ଯେତେ ଯାହା ଭୋଗ କି ମଉଜ, ଦେଶର କେଉଁ କାଣିଚାଏ ଲୋକ ତା’ର ସୁବିଧା ପାଉଥିଲେ ? ତା’ପରେ ଆଗୁଳ ଫିଟିଗଲା । ହାଉଳି ଶୁଭିଲା–“ଆମର ଦରକାର, ଆମର ଦରକାର’’, ସୁଖ ସୁବିଧା ଅଘୋରଦ୍ଵାରୀ ସମସ୍ତିଙ୍କର ଦରକାର । ଅଳ୍ପ ଥୋଡ଼ାଏ ଲୋକ ସବାର ହୋଇ ବସି, ନିଜେ ଫୂର୍ତ୍ତି ମଉଜ କରି, ଅନ୍ୟ ସମସ୍ତିଙ୍କୁ ଅଳ୍ପକେ ନ୍ୟୂନ ହୋଇ ରହି ଆଉ ଗୋଟାଏ ଭଲ ଜନ୍ମ ପାଇଁ ପ୍ରସ୍ତୁତ ହେବା କାର୍ଯ୍ୟରେ ଜୀବନ ବିତାଉଥାଅ ବୋଲି କହୁଥିଲେ ଆଉ କେହି ଶୁଣିବେ ନାହିଁ । କେହି ଶୁଣିବେ ନାହିଁ ଭାଗ୍ୟର ଦ୍ୱାହି ଦେଲେ, ଲୋକେ କହି ଶିଖିଲେଣି–ତମର ଯାହା ଦରକାର ଆମର ବି ସେଇଆ ଦରକାର । ବଡ଼ ସମସ୍ୟା ସେ । ସମାଜ କିପରି ହେଲେ ଏତେ ଲୋକଙ୍କ ବଢ଼ନ୍ତା କାମନାକୁ ମେଣ୍ଟାଇ ପାରିବ ?

 

କେତେ ପରଖା ପରଖିର ଭୁଲ୍ ଠିକ୍ ତଡ଼ା ଉପଡ଼ା ଭିତରେ ଆପେ ଆପେ ସେ ନିୟନ୍ତ୍ରିତ ହେଉଥିବ । ବିଶ୍ୱାସୀ କଥାର ମନଭୁଲାଣିଆ ପ୍ରବୋଧକୁ ସବୁଦିନେ ମାନି ରହିବ ନାହିଁ ଏ ନଈବଢ଼ି, ମନ୍ତ୍ର କାଟୁ କରିବ ନାହିଁ, ବାଲିବସ୍ତା କିଆଘୋଡ଼ା ରୋକି ପାରିବ ନାହିଁ । ନିଜେ ସେ ନିଜର ବାଟ ଫିଟାଇ ବୋହି ଚାଲିଯିବ, ତା’ପରେ ହେବ ସ୍ଥିର, ପ୍ରଶାନ୍ତ, ସେ କାହିଁ କେତେ ବର୍ଷରେ ତା’ କିଏ କହିବ । କିଛି ଦିନ ସ୍ଥିର ରହୁ ରହୁ ପୁଣି ଫୁଲି ଉଠିବ ନୂଆ ପ୍ରକାରେ । ହୁଏତ ସେତେବେଳେ ଏ ପୃଥିବୀ ହିଁ ମଣିଷ ଜାତିର ଏକମାତ୍ର ବାସସ୍ଥାନ ହୋଇ ରହି ନ ଥିବ । ସେତେବେଳେ ଆଉ କେତେ କେତେ ପୃଥିବୀରେ ତା’ର ବାସ, କେଉଁଠି କେଉଁ ଗ୍ରହରେ ।

 

ମଝିରେ କେତେ ସଂସ୍ଥା ଆସିବ, କେତେ ମୁଣ୍ଡିଆଳ ଆସିବେ, ସେମାନେ ଯିବେ, ଶୁଣି ଆସୁଥିବେ ନୂଆ ନୂଆ ପ୍ରକାର । ସବୁବେଳେ ସବୁ ଲାଗୁଥିବ ଚରମ ଆଉ ଧ୍ରୁବ ବୋଲି, ସବୁ ପୁଣି ପେଲି ହୋଇ ଯାଉଥିବ ।

 

କେତେବେଳେ ମଣିଷ ହାତଗଢ଼ା ଖଣ୍ଡପ୍ରଳୟରେ ବି ଯଦି କେଉଁଠି ଘଟୁଥିବ ବ୍ୟାପକ ଧ୍ୱଂସ, ପୁଣି ଫାଟ ଯୋଡ଼ୁଥିବ, ପାଉଁଶ ଆଉ ବିଷ ନିଷ୍କ୍ରିୟ ହୋଇ ଭେଦୁଥିବ ମାଟିରେ, ଆକାଶ ସଫା ହେଉଥିବ । ସେଇ ପୋଡ଼ା ଦଦରା ଭସ୍ମ ଛାରଖାର ମରୁଭୂମିରେ ପୁଣି ଉଦ୍ଭିଦ କଅଁଳୁ ଥିବ, ମଣିଷ ହଲଚଲ ହେଉଥିବେ, ପ୍ରକୃତି ନ ମଲେ ମଣିଷ ଜାତି ମରି ପାରିବ ନାହିଁ ।

 

ସତ ତ ଉପୁଜି ସାରିଛି ଏ ପ୍ରକୃତି ସୃଷ୍ଟି ହେଲାଦିନୁଁ ।

 

କିଏ ସ୍ୱାର୍ଥକୁ ଜଳାଞ୍ଜଳି ଦେଇ ପରର ଉପକାର କରେ, କିଏ ତା’ ନ କରେ ।

 

କିନ୍ତୁ ଆସୁଛି ଯେଉଁ ବେଳ, ସେତେବେଳେ ପର ଉପକାର, ପର ପ୍ରତି ସହାନୁଭୂତି ପରସ୍ପର ସଙ୍ଗେ ମୈତ୍ରୀ ନ କଲେ ମଣିଷ ବଞ୍ଚିପାରିବ ନାହିଁ, କାରଣ ଏଣିକି ସମସ୍ତେ ବାରମ୍ବାର ଏକାଠି ହେଉଥିବେ, ଦେଶ ଦେଶ ଭିତରେ ସ୍ଥାନର ଦୂରତା ସେହିପରି ରହିଛି କିନ୍ତୁ ଗୋଟାଏ ଦେଶରୁ ଯାଇ ଆଉ ଗୋଟାଏ ଦେଶରେ ପହଞ୍ଚିବାକୁ ହେବଯଦି ବର୍ଷ ବର୍ଷ କି ମାସ ମାସ ଲାଗୁଥିଲା ଏବେ ଲାଗୁଛି ଦି ଦିନ କି କେଇ ଘଣ୍ଟାକର ବାଟ ଘାଟ ସୁବିଧା ହୋଇଗଲା, ଯାନବାହନ ସୁବିଧା ହୋଇଗଲା, ଆଉ ଦୂର ଦୂର ହୋଇ ନାହିଁ । ଯିବାକୁ କି ଆସିବାକୁ ମନ କଲେ ବଳ ଥିଲେ ସମୁଦ୍ର ଅଟକାଇ ପାରିବ ନାହିଁ, ହିମାଳୟ ଅଟକାଇ ପାରିବ ନାହିଁ । ଯୁଦ୍ଧ ଲାଗିଗଲେ ମୁହୂର୍ତ୍ତକେ ଦୁଇପଟ ମୁହାଁମୁହିଁ, ଶାନ୍ତି ରହିଥିଲେ ଲୋକେ କୁଣିଆଁ ଘର ଯାଇ ଆସୁଥିବେ ହଜାର ହଜାର ମାଇଲ୍‍ ଦୂରରୁ । ବିଜ୍ଞାନ ଆଉ ଶିଳ୍ପର ଉନ୍ନତି ବଳରେ ସବୁ ପର୍ଦ୍ଦା ସବୁ ଉଢ଼ୁଆଳ ଖୋଲିଯାଇଛି, କିଏ କେଉଁଠି ଛପି ରହି ପାରିବ ନାହିଁ, ଗୋଟାଏ ପ୍ରାନ୍ତର ଗୁମର ଆଉ ଗୋଟାଏ ପ୍ରାନ୍ତରେ ହାଟରେ ପଡ଼ି ଦାଣ୍ଡରେ ଗଡ଼ଗଡ଼ୋଉଥିବ । ପୃଥିବୀର ଗୋଟାଏ କଣର କେଉଁ ଘଟଣାର କୋପ ଆଉ ଗୋଟାଏ କଣରେ ଯାଇ ବାଜୁଥିବ । ଆଗେ ମଣିଷ ହୋଇଥିଲା କେଉଁ ଅଧିତ୍ୟକା କି ଉପତ୍ୟକାର ମଣିଷ, ତା’ପରେ ସେ ହେଲା କେଉଁ ଦେଶର ମଣିଷ, ତା’ପରେ ସେ ହେବାକୁ ଚାଲିଛି ପୃଥିବୀର ମଣିଷ ।

 

ସେ ପରସ୍ପର ସଙ୍ଗେ ମିଳି ମିଶି ଚଳି ନ ଜାଣିଲେ ଆଦୌ ରହିପାରିବ ନାହିଁ । ପୃଥିବୀ ଏକ ହେବ ନହେଲେ ମଣିଷ ଜାତି ମରିବ । ମଣିଷ ଜାତି ମରିବାକୁ ଚାହେଁ ନାହିଁ, ତେଣୁ ଦିନେ ନା ଦିନେ ସେ ପୃଥିବୀଯାକକୁ କରିବ ଏକା ଦେଶ ଏକା ଘର । ସମସ୍ତେ ସମସ୍ତିଙ୍କ ସଙ୍ଗେ ସ୍ନେହମୈତ୍ରୀରେ ରହିବେ, ସେମାନେ ବଞ୍ଚି ରହିବେ ବିକାଶପାଇଁ, ବିନାଶପାଇଁ ନୁହେଁ ।

 

ଜୀବନର ମମତା ଲାଗି ସେମାନେ ଯାହା ଦରକାର ସବୁ ବଦଳାଇବେ, ମଣିଷ ମଣିଷ ଭିତରେ ସଂସ୍କାର ଠିଆହୋଇ ବିଭେଦ କରିପାରିବ ନାହିଁ, ପୃଥିବୀ ଏକ ବୋଲି ଚେତନା ଜନ୍ମିବା ଆଗରୁ ହଜାର ହଜାର ବର୍ଷ ତଳର ଯେତେ ବିଶ୍ୱାସ, ଯେତେ ଅନୁରକ୍ତି ସବୁ ଯାଇଥିବ ବଦଳି । ଆଗର ଲୋକେ ଆପଣାର ସଂସ୍କାରକୁ ଭାବିଥିଲେ ନୀତି ଆଦର୍ଶ ବୋଲି, ତେଣୁ ସେମାନେ ଲଢ଼ି ଲାଗିଥିଲେ ସେ ସଂସ୍କାରକୁ ଅତୁଟ ରଖିବେ ବୋଲି, ନିଜ ଆଖିରେ ସମସ୍ତିଙ୍କ ନିଜ ସଂସ୍କାର ଲାଗୁଥିଲା ସବୁଠୁଁ ଉତ୍କୃଷ୍ଟ । ନିଜ ଦେଶ, ନିଜ ଭାଷା, ନିଜ ଧର୍ମ ସବୁଠୁ ଚମତ୍କାର । ସେମାନେ ବଦଳିବେ ।

ସେମାନେ ବୁଝିବେ ପରର ଦୁଃଖକୁ ଦୂର କରିପାରିଲେ ପ୍ରକୃତ ଈଶ୍ୱର ପରିଚୟ ହୁଏ, ଆପଣା ସ୍ୱାର୍ଥକୁ ବଳି ଦେଇପାରିଲେ ପ୍ରକୃତ ଈଶ୍ୱର ପୂଜାହୁଏ । ନିଜେ ବିକାଶ ପାଇ ଶ୍ରମନିରତ ହୋଇ ଜୀବନ ବିତାଇଲେ ବଞ୍ଚିବାର ଆନନ୍ଦ ମିଳେ ।

ଯଦି ଶିଳ୍ପ ହିଁ ହୁଏ ସେ ଜୀବନ ବଞ୍ଚିବା ପକ୍ଷରେ ଅନ୍ତରାୟ ଭାବିଲେ ଶିଳ୍ପ ବି ଯିବ, ଯଦି ଧର୍ମ ହିଁ ହୁଏ ଅନ୍ତରାୟ ତେବେ ସେ ଧର୍ମ ବି ଯିବ, ସେତିକିବେଳେ ବିନାଶ ଆସନ୍ନ ହେଲାପରି ଲାଗୁଥିବ, ମଣିଷକୁ ବାଛିବାକୁ ପଡ଼ୁଥିବ ମଣିଷ ଜାତିର ଜୀବନ ରହିବ ନ ମୃତ୍ୟକୁ ବରଣ କରି ସଂସ୍କାର ଆଉ ଖିଆଲ୍‍କୁ ଜାବୁଡ଼ି ଧରିବାକୁ ପଡ଼ିବ ସେ କେବେ ଭୁଲରେ ବି ମରଣମୁଁହା ହେବନାହିଁ, ସେତେବେଳେ ଯେ ତାକୁ ଟେହିବ, ଯେ ତାକୁ ମତାଇବ, ଯେ ତାକୁ ଟେକିବ ସେ ତାକୁ ବାଟରୁ ଆଡ଼େଇଦେବ ।

କେତେବେଳେ ନିଆଁ କୁହୁଳିଉଠିଲା, କେତେବେଳେ ଦିଶିଲା କେଉଁ ଲୁଣ୍ଠନକାରୀ ଶୋଷଣକାରୀ ଆତତାୟୀ ବ୍ୟକ୍ତି କି ଦଳ ନିଜ ଦେଶକୁ କି ପର ଦେଶକୁ ନଚାଉଛନ୍ତି ପକାଉଛନ୍ତି, ବଢ଼ିଯାଉଛନ୍ତି ମାଡ଼ିଯାଉଛନ୍ତି, ସେସବୁ ଯେତେ ବର୍ଷ ରହିଲେ ବି ମଣିଷ ଜାତିର ସ୍ଥିର ରୂପ ନୁହେଁ, ଦଣ୍ଡକର ହାବେଳି ଖେଳ, ତା’ର ପତ୍ତା ବି ରହିବନାହିଁ । ରହିଲାଭଳି ଗୁଣ ଥିଲେ ଗୋଟିଏ ଆଚାର ହୁଏ ସତ୍ । ମଦ ସତ୍‍ ନୁହେଁ, ଚୋରି ଠକେଇ ସତ୍ ନୁହେଁ, ଗୁଣ୍ଡାମି ସତ୍ ନୁହେଁ, ଅନ୍ୟାୟ ଅବିଚାରର ଉଚ୍ଛୁଙ୍ଖଳତା ଅହଂକାର ହିଂସା ଉତ୍ତେଜନା ଅସହିଷ୍ଣୁତା କିଛି ସତ୍ ନୁହେଁ । ତା’ର ଅତୀତ ନଥିଲା, ଭବିଷ୍ୟତ୍ ନାହିଁ । ଯେତେ ଛଳନାର ଛଦ୍ମବେଶରେ ଛପି ରହିଥିଲେ କି ଯେତେ ପଶୁବଳର ଥାଟରେ ବେଢ଼ାଇ ହୋଇ ରହିଥିଲେ କି ଯେତେ ଠାକୁରଙ୍କ ଧଣ୍ଡା, ପାଦୁକ ଯେତେ ମନ୍ତ୍ର, କବଚ, ମୁଦି, ଡଉଁରିଆ, ଜଡ଼ିବୁଟି ଲଦିହୋଇଥିଲେ ସୁଦ୍ଧା ଯାହା ଅସତ ସେ ବଳେ ଯିବ, ରହିପାରିବ ନାହିଁ-

 

ସାଧାରଣ ଲୋକ ଯେତିକି ଯେତିକି ଶିକ୍ଷିତ ହେବ, ଭାବି ଶିଖିବ ସେତିକି ସେତିକି ବେଶି ବେଶି ସେ ସତ୍ୟ ଅହିଂସା ଆଡ଼କୁ ମୋହିବ । ସେ ନିଜ ବୁଦ୍ଧିରେ ନ ଚାଲି ପର ବୁଦ୍ଧିରେ ଚାଲୁଥିବାଯାକେ ହିଂସା ଦୁର୍ନୀତି ଓ ମିଥ୍ୟାର ଶର ଆଉ ଲାଖ ହେଉଥିବ, ପରମାନେ ତା’ ଘରେ ମାମଲତକାର ହେଉଥିବେ ।

 

ତା’ପରେ ତା’ର ହେତୁ ପଶିବ, ତା’ଠି ବିଚାର ଉଦୟ ହେବ, ଯାହା କେହି କରିବାକୁ ବରଗିଲେ କି ଆପଣା ପ୍ରବୃତ୍ତି ବରଗିଲେ ତା’ର ଅନ୍ତର ଭିତରୁ ବାହାରୁଥିବ ସେହି ପଦେ ପ୍ରଶ୍ନ, ଯାହାକୁ ଭଗବାନ ବି ଡରନ୍ତି, ଯୁଦ୍ଧଭୂଇଁରେ ସେନାପତି ଡରେ, ରାଜନୀତିରେ ନେତା ଡରେ ଓ ସମାଜ ନୀତିରେ ଡରେ ମୁରବି, ମାମଲତକାର, ଟାଉଟର, ଗାଁ’ମୁଣ୍ଡିଆଳ, ସମସ୍ତିଙ୍କର ସବୁ ଭିତିରି ମତଲବ ଅଠାକାଣ୍ଡିଆ ଯୋଜନା, ଷଡ଼ଯନ୍ତ୍ର ଆଉ ନିହିତ ସ୍ୱାର୍ଥ ମୂଳରେ କୁରାଢ଼ୀ ପାହାର କଚାଡ଼ି ଟାଇଁ ଟାଇଁ ବାଜିଉଠେ ସେହି ପ୍ରଶ୍ନ, ପଦ୍ମଟିଏ–

 

‘‘କାହିଁକି ?’’

 

ଗାନ୍ଧିଜୀ ଆଉ ନାହାଁନ୍ତି, ଗାନ୍ଧୀଯୁଗ ଯାଇନାହିଁ, ଆସୁଛି ।

 

ସେ ଥିଲା ଗୋଟାଏ ଧ୍ୟାନ, ଧ୍ୟାନ ଭିତରେ ହଠାତ୍‍ ବୁନ୍ଦାଏ ଆଲୁଅର ଝଲକ, ସେହି ବୁନ୍ଦାକୁ ଅନିଷା କରୁ କରୁ ସେ କେଡ଼େ ବଡ଼ ହୋଇଥିଲା, ତା’ ଭିତରେ ଗୋଟାଏ ବାଟ ଫିଟିଗଲା, ବାଟେ ବାଟେ ଆଗକୁ ଯାଉ ଯାଉ ଦୂରରେ ଦିଶିଲା ଶରତର ଆକାଶ ବର୍ଣ୍ଣର ଦିବ୍ୟ ତେଜ । ସେହି ଆଡ଼କୁ ମାଡ଼ି ମାଡ଼ି ଯାଉ ଯାଉ ଦୁଇ କରରେ କେତେ ବର୍ଣ୍ଣର ରୋଶନି ସେ ଦେଖି ଦେଖି ଯାଉଛି, ଅଟକୁନାହିଁ, ବାଟ ସରୁନାହିଁ, ଚାଲିଛି ଆଗକୁ ଆଗକୁ ।

 

ହଠାତ୍‍ ସେ ଦେଖା ବନ୍ଦ ହେଲା, ଚିତ୍ରପଟଳ ଉଭେଇଗଲା । ଦୁଇ ବାହା ଆସ୍ତେ ଭିଡ଼ିଧରିଲା ଗୋଟିଏ ଛୋଟିଆ ଦେହକୁ, ସୁର ତା’ଠୁଁ କ୍ଷୀର ଖାଉଛି ।

 

‘‘ଛି । ବୁଢ଼ାଟାଏ ହେଲୁଣି, ଖୋଇ ଗଲାନାଇଁ ?’’, ସେ ସ୍ନେହରେ ଗାଳିଦେଲା । ସୁର ହସିଦେଇ ମୁଣ୍ଡ ଝାଙ୍କିଦେଲା, ରମା ପାଟିକଲା, ‘‘ଏଇଃ ! କାଟୁଚି–କାଟୁଚି–’’ ।

 

ସୁର ତା’ରି ଆଗରେ ତା’ର ସମ୍ପଦ ଗର୍ବରେ ଟେକିଧରିଲା, ପୁଣି ଝୁଣିଲା । ସେ ସତେ ଅବା କହିବାକୁ ଚାହେଁ–ତୁ ଚୁପ୍ ରହ, ୟେ ମୋର, ଏ ଦେହ ଗୋଟାକ ମୋର । ତୁ ମତେ କହିବାକୁ କିଏ ?

 

ଅଧା ଘୁମେଇଲା ପରି ରମା ସୁରର ଫୁଙ୍ଗା ପିଠିରେ ଆଉଁସୁଥାଏ । ତାକୁ ସୁଖ ଲାଗୁଥାଏ । ମନେ ମନେ ଗୋଟାଏ ଛବି ଉଇଁଲା । ବାଛୁରୀକୁ ଗାଈ ଚାଟୁଛି, ଚିକ୍‍କଣ କରି ସବୁ ଚାଟିନେଉଛି । କଇଁଫୁଲ ପରି ଫୁଟିଉଠିଛି ତା’ ବଛି ।

 

କେତେ କେତେ ଧାରଣା, କେତେ ଭାବନା, ଆପଣା ସଙ୍ଗେ ଆପେ ତୁନିତାନି ଛାଇତଳେ କଥାଭାଷା, ଝୋଲାମରା ଖରାରେ ବି କିଛିବେଳ ଚେତନା ଭିତରେ ଶୀତଳ ଶାନ୍ତ ପରଶ, କେତେ ଗଛବୁରୁଛର ଚହଲା ଛାଇ ଢଳ-ଢଳ କାଚଖମ୍ବ ପାଣି ଉପରେ କେଉଁଠି ଯେପରି ପଣ ଟେକେ ଶାଗୁଆ ନିଖୁଣ ଗୋଜ-ଅଗ କଢ଼ଟିଏ, ଆପଣାକୁ ମୁକୁଳା କରେ, ଧଳା କଇଁ ଦେଖାଏ ମଲ୍ଲୀଫୁଲିଆ ହସ, ଜୀଅନ୍ତା ଚିକ୍‍କଣ ନରମ କଅଁଳ ଧଳା ।

 

ଫୁରୁଫୁରୁ ହୁତୁହୁତୁ ବାଉଁଶବଣ ତଳି ପବନରେ ଦୂରରୁ କେଉଁ କେବେ ନିଶୁଣି ଥିବା ସଙ୍ଗୀତର ଢେଉ । ସତେ ଯେମିତି ଇନ୍ଦ୍ରିୟ ବାହାରେ, ଧରି ନ ଧରିଲା ପରି, ଶୁଣି ନ ଶୁଣିଲା ପରି, ଗଛ ଡାଳରେ ଥିରି ହୋଇ ବସି ବେକ ଭାଙ୍ଗିଦେଇ ଟିକି ଚଢ଼େଇ ସତେକି କାନେଇଁଛି, ହୁଙ୍କା ଉଢ଼ୁଆଳରୁ ମୁହଁଟି ଅଳ୍ପ ଦେଖାଇଥିଲା କାନେଇଁ ରହିଛି ଠେକୁଆଟିଏ, ଅଳସେଇ ଅଳସେଇ ହୋଇ ଶୁଣୁଛି କେଉଁ ମଣିଷ, କୁର୍‍ହେଇ ଫୁଲର ମହକ ସେ ସଙ୍ଗୀତର ବର୍ଣ୍ଣ କେଉଁ ଅଦେଖା ଗତିପଥରେ ସେ ଆପଣା ଛାଏଁ ଘୂରି ଘୂରି ଧାଇଁ ଧାଇଁ ଖେଳୁଥାଏ । ଟିକିଏ ବେଳ, ତା’ପରେ ସେ ଆଉ ନାହିଁ ।

 

ଯେମିତି ସଞ୍ଜ ଆଗରୁ ନିର୍ଜନ ବୁଲାବାଟରେ ମଫସଲର କେଉଁ ମାଇନର ସ୍କୁଲ ହେଡ଼ମାଷ୍ଟରଙ୍କ ଚେତନା ଭିତରେ ସ୍ୱସ୍ତିର ଦୀପ ସଳିତାର ଜ୍ୟୋତି, ଗୋବର୍ଦ୍ଧନ ଧୂପର ମହକ, ତା’ ଉପରେ ଆକାଶରେ ଗୋଟି ଗୋଟି ହୋଇ ଉଜ୍ଜଳ ନକ୍ଷତ୍ର, ହାରପରି ଭାବଗୁଡ଼ିଏ ସଚ୍ଚରିତ୍ରତା, ବ୍ରହ୍ମଚର୍ଯ୍ୟ, ଜ୍ଞାନ, ତ୍ୟାଗ, ଶ୍ରମ, ଈଶ୍ୱରଭକ୍ତି, ଶାନ୍ତି, ଆନନ୍ଦ, ସ୍ନେହ, ମୈତ୍ରୀ । ଯେତେବେଳେ ଆଦୌ ମନେ ପଡ଼େନାହିଁ– ‘‘ମୋ ସାଙ୍ଗର କେତେ କିଏ କ’ଣ ହୋଇଛନ୍ତି, କ’ଣ ପାଇଛନ୍ତି ଆଉ ରଖିଛନ୍ତି !’’ ‘‘ଆପଣା ଘର ଭିତର ମନେ ପଡ଼େନାହିଁ, ଦିଶିଯାଏ ଗହଳି ହୋଇ ଟିକି ଟିକି ମୁହଁଗୁଡ଼ିଏ, ମନ କହେ ‘‘କଲ୍ୟାଣ ! କଲ୍ୟାଣ !’’

 

ମନ ଓହ୍ଲେଇ ଆସେ । ଆଖିରେ ଚଷମା ବଦଳେ । ତା’ପରେ ବାସ୍ନା ନୁହେଁ, ଗନ୍ଧ । ହୃଦୟ ଝାଡ଼ିଝୁଡ଼ି କଲ୍ୟାଣ ନୁହେଁ, ଚାରିଆଡ଼କୁ ଚାହିଁ ତଣ୍ଟି ଫଟେଇ ଫଟେଇ ‘‘ଦିଅ ! ଦିଅ ! ଥାଳିରେ ପକାଅ’’ ବୋଲି ଦୈବିକ ଚିତ୍କାର । କାନରେ ସଙ୍ଗୀତ ନୁହେଁ, କଳିକଜିଆ ଗାଳି ଫଇଜତର କାନଅତରା ପାଟି, କାନ୍ଦଣା ଆଉ ଅଭିଯୋଗର ଘୋଷା । ପବନରେ ବଣପୋଡ଼ା ତାଉ, ପାଦ ତଳେ ରଡ଼ ନିଆଁ । ମନରେ ଏତିକି ଖାଲି ଚେତନା,–ଦେହକୁ ପଥର କରି ବାଟ ଚାଲିବାକୁ ହିଁ ପଡ଼ିବ ।

 

ସୁନାର ବାହାଘରକୁ ନିମିତ୍ତ ଉଠାଇବାକୁ ଠିଆ ହୋଇପଡ଼ିଲେ ଗାଁ’ର ଜଣେ ଜ୍ଞାତ, ରଙ୍କମଣି ସୁବାହୁ ସିଂହ, ନୂଆ ସରପଞ୍ଚ । ହର କି ତା’ ବୋଉ କନକ ମଞ୍ଜରୀ ବଞ୍ଚିଥିଲାବେଳେ ସୁବାହୁ ସିଂହ ଘର ସଙ୍ଗେ ତାଙ୍କର ସମ୍ବନ୍ଧ ନଥିଲା, କେଉଁ ପୁରୁଣା କାଳରେ ହରର ପିଉସୀ ରଙ୍ଗଲତା ଯେତେବେଳେ ବିଭା ହୋଇଥିଲେ ସେତେବେଳେ କ’ଣ ରାଗ ରୋଷରେ ଘୋଷା ହୋଇ ସୁବାହୁ ସିଂହଙ୍କ ବାପା ଠାଆପିଢ଼ାରୁ ଉଠି ଆସିଥିଲେ, ସେହି ୪୦ ବର୍ଷ ତଳେ ଦୁଇ ଘରର ସମ୍ପର୍କ ଛିଡ଼ିଥିଲା । ତା’ପରେ ବିଭା ହେଲେ ହରର ବଡ଼ ଭଉଣୀ ହୀରା, ସୁବାହୁ ସିଂ ସେତିକିବେଳେ ନୟାଗଡ଼ ଗଲେ, ସେଠି ତାଙ୍କ କାମ ଠିକ୍‍ ସେତିକିବେଳେ ଯେମିତି ଜରୁରି ହୋଇ ଉଠିଲା । କିନ୍ତୁ ସୁନାର ବିଭାଘରକୁ ମୁରବି ହେବାକୁ ହରର ମାମୁ ନକୁଳ ଚିଆଉ ପଟ୍ଟନାୟକେ ଯେତେବେଳେ ନାହିଁ କରି ଚିଠି ଲେଖି ଦେଲେ ଆଉ ଆଣ୍ଠୁଗଣ୍ଠି ବାତ ସତ୍ତ୍ୱେ ସାନଭାଇ ନରେନ୍ଦ୍ର କାନ୍ଧକୁ ଜାବୁଡ଼ି ଧରି ହୀରା ନିଜେ ଛୋଟେଇ ଛୋଟେଇ ଯାଇ ରଙ୍କମଣିଙ୍କ ବାଟ ଘରେ ଡାକ ଛାଡ଼ିଲେ ‘‘ଆରେ ରଙ୍କୁଣା ଘରେ ଅଛୁ ?’’–ସମ୍ପର୍କରେ ରଙ୍କ ତାଙ୍କର ଭାଇ ଲେଖା, ସେତେବେଳେ ସତେ ଯେମିତି ସବୁ ବୁଜା କବାଟ ଖୋଲିଗଲା, ପଥର ପାଣି ହୋଇଗଲା, ଠିଆ ଠିଆ ଅନା ଅନି ହୋଇ ଦିହେଁ କାନ୍ଦିଲେ ଭେଁ ଭେଁ ।

 

ଏମିତି ସେ ଗାଁ’ମାନଙ୍କରେ ହୁଏ, ସାହି ସାହିକା ଏକା ସାହିରେ ଥାଇ ସୁଦ୍ଧା ଦୁଇଟା ଘରର ଲୋକେ କେଉଁ କାରଣରୁ ଏମିତି ଅଡ଼ା ଅଡ଼ି ହୋଇ ଯାଆନ୍ତି ଯେ ସତେ ଅବା ପିଲାଏ କହିଲା ପରି ‘‘ତୁମର କାନମୋଡ଼ା’’ ଅଥବା ଆଜିକାଲି ଯେମିତି କହନ୍ତି–“କଟିସ୍’’ । ଜଣକ ଆଖିରେ ଆଉ ଜଣେ ଥାଇ ବି ନାହିଁ । ପ୍ରତି ପିଲାର ହେତୁ ହେଲାବେଳେ ପୂର୍ବରୁ ଗଡ଼ି ଆସୁଥିବା ଏ ସମ୍ପର୍କର ସ୍ୱରୂପ ତାକୁ ବୁଝାଇ ଦିଆଯାଏ । ଯେପରି ସେ ବି ସେହିପରି ଚଳିବ ।

 

ତା’ପରେ କେବେ ଦିନେ, କେତେମାସ ପରେ କି କେତେ ବର୍ଷ ପରେ,–ପୁଣି ସେ ପୁରୁଣା ଖଡ଼ିଗାର ପୋଛି ଦିଆଯାଏ, ଯେଉଁଠି ସମ୍ପର୍କର ସମ୍ଭାବନା ଯେତେ ଦୃଢ଼ ସେଠି କୋହ ସେତିକି ବେଶି ବାହାରେ ।

 

ସୁବାହୁ ସିଂହ କାନିରେ ଆଖି ପୋଛି ଦେଇ ହୀରାକୁ ଅନାଇଲେ, ଯେମିତି ହୀରା ନୁହଁନ୍ତି, ଦଳବେହେରାଙ୍କ ଘରଟା ହିଁ ତାଙ୍କ ଆଖି ଆଗରେ ଆସି ଠିଆ ହୋଇଛି, କ’ଣ ସେ ଥିଲା, କ’ଣ ସେ ହେଲାଣି ! କେଉଁ ଅଜଣା କାରଣରୁ ମନ ଭିତର କାନ୍ଦୁଣୁ ମାନ୍ଦୁଣୁ ହେଲା । କହିଲେ ‘‘ଅପା, ଏଡ଼େ ପର କରିଦେଲା । ନା ତେମେ କ’ଣ ଭାବିଥିଲ ରଙ୍କିଆ ମଲାଣି ।’’

 

ହୀରା ଜିଭ କାମୁଡ଼ି ତାଙ୍କ ଗାଲ ଆଉଁସିବାକୁ ହାତ ବଢ଼ାଇଲେ, କହିଲେ ‘‘ବାଇଆଟା, କ’ଣ କହି ଯାଉଛୁରେ !’’

 

ସୁବାହୁ ସିଂହ ମୁନାର ବାହାଘରରେ ସତେ ଯେମିତି ପଞ୍ଚାୟତର ବିଚାର ଭଙ୍ଗୀ ହିଁ ପ୍ରୟୋଗ କଲେ । ଅର୍ଥାତ୍ ସେ ମନସ୍ଥ କଲେ ଯେ ଏକହାତିଆ ହୋଇ ଏ ନିମିତ୍ତ ଉଠାଇବା ଠିକ୍ ହେବ ନାହିଁ, ଅନ୍ୟମାନଙ୍କ ସହଯୋଗ ମାଗିବା ଉଚିତ, ଜଣ ଜଣକୁ କିଛି ନା କିଛି ଭାର ଦେବା ଉଚିତ, ଯେ ଯେତିକି ତୁଲାଇ ପାରିବ ସେ ସେତିକି ଦାୟିତ୍ୱ ନେଉ, ପୁଣି ପ୍ରତି କାର୍ଯ୍ୟ ପାଇଁ ସବ୍‍କମିଟି ପରି ଗୋଟିଏ ଗୋଟିଏ ମଣ୍ଡଳି ଦାୟିତ୍ୱ ମୁଣ୍ଡାଉ । ଆଉ ସେ ବିଚାରିଲେ, ଯେଉଁ ଗାଁରେ କି ଯାହା ଘରେ ଏ ବିବାହରେ ଲାଗିଲା ଭଳି ଯାହା କିଛି ଭଲ ଜିନିଷ ଅଛି, ସମ୍ଭବ ହେଲେ ତା’ ବି ଠୁଳ କରାହେଉ, ପଛେ ସେ ଫେରାଇ ନେଉ । ସେ ଜନସାଧାରଣଙ୍କୁ ଏଇଆ କହି ବୁଝାଇଲେ–ଗାଁରେ ଯଦି କୌଣସି ଭଦ୍ର ପରିବାର ଦୁସ୍ଥ ହୋଇ ପଡ଼େ, ସେ ପରିବାରର ଝିଅର ବିଭାଘର ଉଠାଇବାକୁ ଯେ ପଞ୍ଚାୟତର ଶକ୍ତି ଅଛି ତାକୁ କାର୍ଯ୍ୟରେ ଦେଖାଇ ଦେଲେ ପଞ୍ଚାୟତର ନାଁ ହେବ । ସମସ୍ତେ ଆଶ୍ୱସ୍ତ ହେବେ, କାରଣ ଆଜି ୟାର ହେଲେ କାଲି ତା’ର ହୋଇପାରିବ, ଅନେକେ ଓ’ କଲେ । ତା’ ଛଡ଼ା ସେ ପୁରୁଣା ଘରୁଆ ଦୂରର ଦୂରର ବନ୍ଧୁବାନ୍ଧବଙ୍କୁ ଖବର ପଠାଇଲେ । କହିଲେ ଅପମାନ ହେଲେ ଗୋଟିଏ ଘରକୁ ହେବ ନାହିଁ, କୁଳକୁ ହେବ । ତାଙ୍କ ଡକରା ପାଇ ସେମାନଙ୍କ ଭିତରୁ ଯେଉଁ ଅଳ୍ପ କେତେଜଣ ଆସିଲେ, ସେମାନେ ହୁଏତ ଆସିଥିଲେ କୁତୂହଳ ମେଣ୍ଟାଇବା ପାଇଁ, କିନ୍ତୁ ସେମାନେ ସମସ୍ତେ ସେହି ଏକା ଶ୍ରେଣୀର, ପୂର୍ବକାଳର ଜମିଦାର, ଦଳବେହେରା ଆଦି, ଏକାଳରେ ଜୀଉଣା ଅନେକଙ୍କର ର’ଠ ପ୍ରକାରେ । ମୁଛ ଆଉ ଗାଲମୁଚ୍ଛା ବି ଥାଉ, କପାଳ ମଝିରେ ସିନ୍ଦୁର କଲି, ମୁଣ୍ଡରେ ବାବୁରିବାଳ, କିନ୍ତୁ ଅନ୍ୟ କେହି ସେ ମୁହଁକୁ ଅନାଇଁଲେ ଦବେ ନାହିଁ-। ଝାଙ୍କି ହୋଇ କଥା କହିବାକୁ, ଡାକିବାକୁ ତଣ୍ଟିରେ ବଳ ଅଛି କିନ୍ତୁ ସେ ବୋଲିକୁ କେହି ଶୁଣେ ନାହିଁ, ଶୁଣିଲେ ଅତର୍ଚ୍ଛ ହୁଏ ନାହିଁ । ପରକୁ ବୋଲହାକ ବଖାଣିବାକୁ ପାଟିରେ ବାଟୁଳି ବାଜେ ନାହିଁ, କିନ୍ତୁ ବୋଲ ମାନିବାକୁ ଲୋକ ନାହାନ୍ତି କି ନିଜେ କୌଣସି ଜିନିଷ ଏଠୁ ନେଇ ସେଠି ଥୋଇବକୁ ହାତଗୋଡ଼ ଚଳେ ନାହିଁ । ସେମାନେ ଆସିଲେ, ଶୁଣିଲେ, ଚାଲିଗଲେ । ରହିଗଲେ ତିନିଜଣ । ଆମଣାକୁଦର ପାଇକରାୟ, ସେ ଜଣେ କଲେଜ ଛାଡ଼ିଥିବା ଯୁବକ, ଖାଲି ପରଷିବା ନୁହେଁ, ଧାଁ ଧପଡ଼ କାମରେ ଖୁବ୍‍ ପାରିବାର । ଜଘିଂରା ଗାଁ ପାଣୁ ଦାସେ, ପାଇକରାୟଙ୍କ ପାଠ ସାଙ୍ଗୀ । ସଂସାରରେ ଯେଉଁ ଅଳ୍ପ କେତେଜଣ କେବେ କେବେ ଦିଶାପଡ଼ନ୍ତି ଯେ ଏକୁଟିଆ ପରିଶ୍ରମ କରି କରି କାହାର ବିଭା କାହାର ବ୍ରତ କାହାର ବନ୍ଧୁଘର ଭୋଜି ଉଠାଇ ନେଇ ପାରନ୍ତି, ମହଣ ମହଣ ମାଛ କଟାକଟି କରିବା ଓ ପରିବା ବନେଇ କୁଢ଼େଇବା ଭାଟିପରି ରୋଷେଇ ଘରର ଦେଖାଶୁଣା କରିବା, ବଡ଼ ବଡ଼ ପିତ୍ତଳ ହଣ୍ଡା ଟେକି ଟେକି ପରଷିବା, ଦରକାର ପଡ଼ିଲେ ତିନିଶ ଜଣଙ୍କ ଅଇଁଠା ଖଲିପତ୍ର ଉଠାଇବା କି ଦୁଆର ଖରକି ସଫା କରିବା, ଘରେ ଘରେ ନିମିତ୍ତ ପଡ଼ିଲେ ସବୁକାମ କରିସାରି ଧନ୍ୟବାଦକୁ ବି ଅପେକ୍ଷା ନ କରି ପୁଣି ନିଜ କକ୍ଷରେ ବୁଲୁ ବୁଲୁ ଅଦୃଶ୍ୟ ହୋଇ ଯାଆନ୍ତି, ନାଣ୍ଡୁଦାସ ତାଙ୍କରି ଭିତରୁ ଜଣେ । ଆଉ ଜଣେ ବୁଢ଼ା ମୃତ୍ୟୁଞ୍ଜୟ ମହାନ୍ତି, ସେ ରହିଗଲେ ଠାଏ ବସି ପାନ ଚୋବେଇ ଚୋବେଇ ପୁରୁଣା ବିଧିବିଧାନ ଓ ତା’ର ପୁରୁଣା ନଜିର ବଖାଣିବାକୁ ଓ ଯେତେ ଯାହା ହେଉଥିଲା ତାକୁ ସମାଲୋଚନା କରିବାକୁ ସତେ ଯେପରି ଅନ୍ତତଃ ତୁଣ୍ଡରେ ହେଉ ପଛେ, ବିରୋଧୀବାଣୀ ନ ଶୁଣାଇଲେ ସେ ସଭା ସମ୍ପୂର୍ଣ୍ଣ ହେବ ନାହିଁ ।

ରଙ୍କମଣି ସୁବାହୁ ସିଂହ ଠିକଣା ଖୋଜି ରମାକୁ ନିମନ୍ତ୍ରଣ ପଠାଇଲେ, ସୁଆରି ଗଉଡ଼ଙ୍କ ଦିନ ତ ଉଠିଗଲାଣି, ତେଣୁ ସେ କେଉଁଦିନ ଆସିବେ ଲେଖିଲେ ଶଗଡ଼ ଗାଡ଼ି ପଠାଯିବ ବୋଲି ଲେଖିଥିଲେ ।

ରମା ଚିଠି ପାଇଲା । ଆଖି ଆଗରେ ସୁନାର ମୁହଁଟି ଭାସି ଉଠିଲା । ଆଖି ଛଳ ଛଳ ହେଲା । ପଚିଶି ଟଙ୍କା ମନିଅଡ଼ର କରି ପଠାଇଦେଲା । ତା’ର ଆର୍ଥିକ ଅବସ୍ଥା ଦୃଷ୍ଟିରେ ସେଇ ବଡ଼ କଥା ।

କିନ୍ତୁ ରମା ଉତ୍ତର ଦେଲା ନାହିଁ । ଗଲା ନାହିଁ । ବିଭାଘର ସୁରୁଖୁରୁରେ ଉଠିଗଲା । ତା’ ନ ଆସିବା କଥା ଆଲୋଚିତ ବି ହେଲା ନାହିଁ । ଯେଉଁମାନେ ଆଲୋଚନା କରିଥାନ୍ତେ ସେମାନେ ସତେ ଅବା ଧରି ନେଇଥିଲେ ଯେ ସେ ଆଉ ଆସିବ ନାହିଁ ।

ଗାଁରେ ସମସ୍ତେ କହିଲେ, ମନେ ରଖିଲା ଭଳି ବିଭାଘରଟିଏ । ଦେବା ନେବା ଯାହାହେଉ ଗାଁ ଗୋଟାକରେ ଏଡ଼େ ମନ ମେଳ, ହସ, ଖୁସି, ଉତ୍ସାହ, ସହଯୋଗ ଅନ୍ୟ କୌଣସି ବିଭାଘରରେ ଘଟିଥିଲା ଭଳି କାହାରି ସ୍ମରଣରେ ବି ନ ଥିଲା । ସେହି କେତୋଟି ଦିନ ଗାଁ ଯାକ ସମସ୍ତେ ମିଶି ଯେମିତି ଗୋଟିଏ ପରିବାର, ବଡ଼ ସାନ ଭେଦ ନାହିଁ, ଜାତି ଅଜାତି ଭେଦ ନାହିଁ । ରନ୍ଧାଶାଳାରେ ଭଣ୍ଡାର ଘରେ ମାଇପେ ଲାଗି ପଡ଼ିଛନ୍ତି । କୁଆଡ଼ୁ ଆସୁଛି କିଏ ଦେଉଛି ପଚାରିବାକୁ କେହି ନାହିଁ । କିନ୍ତୁ ଛକକୁ ଛକ ଲୋକେ ବସିପଡ଼ୁଛନ୍ତି । ଖିଆପିଆ ଧୁମ୍ ଲାଗିଛି । କେଉଁଠି ବିଶୃଙ୍ଖଳାର ଲେଶ ମାତ୍ର ନାହିଁ । କାମ କରିବାକୁ ସମସ୍ତେ ଆଗ୍ରହୀ, ଯେଉଁଠି ଜଣେ ଦରକାର ସେଠି ଦଶଜଣ ପ୍ରସ୍ତୁତ । କୁଣିଆଁ ଖାଲି ହରର ଘରଲୋକ କିଏ ଆଣୁଛି କିଏ ରଖୁଛି କିଏ ଦେଉଛି ସେମାନେ ଚାହିଁ ଚାହିଁ ଦେଖନ୍ତି, ନ ହେଲେ କିଏ ଆସି ଓଲଟି ତାକୁ ହିଁ ସଂଖୋଳି ଦିଏ, ‘‘ଖାଇଲାଣି କି ନାହିଁ ମ ? ଆସ ଆସ, ଗଣ୍ଡାଏ ପାଟିରେ ପକେଇ ଦେବ, ମୋ ରାଣଟି’’ ।

ଦୁର୍ଗାଚରଣ ଦେଖି ଦେଖି ବୁଲି ବୁଲି ପ୍ରଂଶସା କଲେ, ‘‘ଆଃ ! ପୁରୁଣା ଘର ୟାରି ନାଁ । ହେଇ ସେଠି ଯେଉଁ ଥୁଆ ହୋଇଛି ଗାଧୁଆ କୁଣ୍ଡକୁ ଦେଖିଲ ? ଖାଣ୍ଟି ମୁଗୁନି ପଥର, କେଉଁଥିରେ ସେତେବେଳେ ପଥରକୁ ପାଲିସ୍ କରୁଥିଲେ କେଜାଣି ? ଯେମିତି କ’ଣ କଲେଇ ବୋଳା ହୋଇଛି ସେମିତି ଦିଶୁଛ । ପୁରୁଣା ଘର, ତା’ର ପୁରୁଣା ମର୍ଯ୍ୟାଦା, ପୁରୁଖା ବିଚାର । ନହେଲେ ଇତିହାସ ଆଉ କାହାକୁ କହନ୍ତି ?’’

ଦୁର୍ଗାଚରଣଙ୍କ ପୁଅ ଡାକ୍ତର କୃଷ୍ଣଚରଣ ସମସ୍ତିଙ୍କ ପ୍ରଶଂସା ଭାଜନ ହୋଇଥାଏ । ଶାନ୍ତ ଶୀତଳ ତା’ ଚାହାଣି, ମୁହଁ ପ୍ରସନ୍ନ । ତା’ ସାଙ୍ଗ ବିଭୂତି, ପାତଳ, ହାଡ଼ୁଆ, ଆଡ଼ ବଡ଼ ଦାନ୍ତ ଥାଇ ମୁହଁଟି ସବୁବେଳେ ହସିଲା ପରି, ଥଟଲି ମଣିଷ, କଥା କଥାକେ ସମସ୍ତିଙ୍କୁ ହସାଇ ହସାଇ ଗଡ଼ାଏ-। କିନ୍ତୁ ତା’ କଥାରେ ଗଲୁ ବି ଥାଏ ।

କହିଲା ‘‘ମଉସା, ପୁରୁଣା ଇତିହାସ କ’ଣ ଖାଲି ସବୁବେଳେ ପୁରୁଣା ମର୍ଯ୍ୟାଦାର ? ଏଇ ଘର ଯେତେବେଳେ ସଂପୂର୍ଣ୍ଣ ହୋଇ ଠିଆ ହୋଇଥିଲା, ତାମାନେ ବେଗାଡ଼ି ବେଠିଆଙ୍କଦ୍ୱାରା ପାଣି ଅଣେଇ ଏ ଗାଧୁଆ କୁଣ୍ଡରେ ଏ ଘରର ଲୋକେ ଗାଧୋଉଥିଲେ, ଯେତେବେଳେ ଏମାନେ ରାଜ୍ୟ ଶାସନ କରୁଥିଲେ ଅର୍ଥାତ୍ ଏଇ ଚାରିଆଡ଼ୁ ଖାଇବା ଅଏସ୍ କରିବାର ସବୁ ଉପକରଣ ସଂଗ୍ରହ କରି ଆଣୁଥିଲେ, ଘରେ ଘରେ ପୋଇଲୀ ପରିବାରୀ ହାଉ ଯାଉ ଆଉ ଦାଣ୍ଡପଟେ ଦେଉଳ ଭିତରେ ଦିଅଁଙ୍କ ଆଗରେ ଗୁଆଘିଅ ସରୁ ବାସୁମତୀ ଚାଉଳ ଭାତ ଭୋଗ କତିରେ ଘଣ୍ଟା ଠୁଣୁ ଠୁଣୁ ମାଦଳ ଧପଡ଼ ଧପଡ଼, ସେତେବେଳେ ସତରେ କ’ଣ ଭିତରେ ବାହାରେ ସବୁଠି ଖାଲି ମର୍ଯ୍ୟାଦା ?’’

 

ଦୁର୍ଗାଚରଣ ହସି ଦେଲେ, କହିଲେ ‘‘ମର୍ଯ୍ୟାଦା ଅମର୍ଯ୍ୟାଦା ସୁନୀତି ଦୁର୍ନୀତି ସବୁ ଯୁଗରେ ଅଛି, ଭିନ୍ନେ ଏତିକି, ସେ କ’ଣ ପିନ୍ଧେ, ପାଟ–ଯଥା କି ପତଲୋନ ।’’

 

ଦୁର୍ଗାଚରଣଙ୍କ ସାଙ୍ଗ ଶ୍ରୀନିବାସ ଓତା ବାଟ କରରେ ଗୋଟାଏ ବଡ଼ ଗୋଲ ପଥର ଦେଖି ଚମକି ଗଲେ, ଚାରିପଟେ ସାଉଁଳିଆ ମୁଗୁନି ପେଣ୍ଡୁ କହିଲେ ‘‘କିଏ କହିପାରେ ହୁଏତ ମୂର୍ତ୍ତିଏ ଅବହେଳିତ ଶାଳଗ୍ରାମ ।’’ ଦୁର୍ଗାଚରଣ ଆଗ୍ରହରେ ଧାଇଁଗଲେ, କହିଲେ ଦେଖ ଦେଖ । ‘‘ପଞ୍ଚମୁଖୀ ଶାଳଗ୍ରାମ ବି ହୋଇପାରନ୍ତି, ଏସବୁ ସ୍ଥାନରେ ତା’ ବି ଅସମ୍ଭବ ନୁହେଁ ।’’

 

ଶ୍ରୀନିବାସ କହିଲେ ‘‘କାହିଁ ଏଥିରେ ଉପବୀତ ତ ଦିଶୁନାହିଁ !’’

 

ବିଭୁତି କହିଲା ‘‘ତାତ ଏଥିରେ ଖୋଜିଲେ ବି ଦିଶିବ ନାହିଁ । ୟେ ସେଇ ପୁରୁଣା କାଳର ଗୋଟିଏ କସରତ ସରଞ୍ଜାମ, ଖୋର୍ଦ୍ଧାଆଡ଼େ ବୁଲନ୍ତୁ, ବାଣପୁରଆଡ଼େ ବୁଲନ୍ତୁ, ସବୁଠି ଖଣ୍ଡାୟତ ଗାଁରେ ୟାଙ୍କୁ ପାଇବେ, ୟାଙ୍କର ମୁଖ ନାହିଁ ।’’

 

ଦୁର୍ଗାଚରଣ କହିଲେ ‘‘ସବୁ ସେମିତି, ମାନିଲେ ଠାକୁର, ନ ମାନିଲେ ପଥର । ତମ ଏଲୋ-ପ୍ୟାଥି ବିଦ୍ୟାକୁ ତ ଫେର ହୋମିଓପ୍ୟାଥିବାଲା ମାନନ୍ତି ନାହିଁ ।’’

 

ବିଭୁତି କହିଲା କିନ୍ତୁ ମଫସଲରେ ସମସ୍ତେ ସବୁକଥାକୁ ମାନନ୍ତି, କାହା ଭିତରେ କେଉଁ ଗୁଣ ଥିବ ବାବା କିଏ ପାରେ ? ଦଣ୍ଡବତ କରି ଦେଲେ କାମ ସରିଗଲା । ଯାହାର ପାଦୁକ ହୋଇଥାଉ ଦେ ପାଇଦେ । ଆଉ କୁଆକ୍‍ ସାହେବ ବି ଦେଖିବେ, ହୋମିଓ-ଏଲୋ-ୟୁନାନୋ-କବିରୋ-କ୍ଵାକୋ, ମୁଣିରେ ସବୁ ଥିବ ।’’

 

ମୁଣି ନାଁ ଶୁଣି ହସ ଉପୁଜିଲା, ସେ ଗୋଟାଏ ସଙ୍କେତ । କିନ୍ତୁ ଦୁର୍ଗାଚରଣ ପ୍ରକୃତରେ ମୁଗ୍‍ଧ ।

 

ତାଙ୍କ ଆଖିରେ ଏ ଘରର ସବୁ ସୁନ୍ଦର । ଆଗରୁ ସେ ସିଦ୍ଧାନ୍ତ କରି ସାରିଛନ୍ତି, ସତେ ଯେମିତି ଏଠି ତାଙ୍କର ଏକମାତ୍ର କାମ ସେ ସିଦ୍ଧାନ୍ତ ସପକ୍ଷରେ ତଥ୍ୟ ସଂଗ୍ରହ କରିବା ।

 

ବେଦୀ ଉପରେ କନ୍ୟାର ଗୋତ୍ର ପ୍ରବର ପଠନବେଳେ ଯେତେବେଳେ ଗାଁ ପୁରୋହିତ ଆବୃତ୍ତି କଲା ‘‘ଖଡ଼୍ମସ ଗୋ–ତ୍ରସ୍‍ସଃ, ମୁଷଳି ପ୍ର–ବରସ୍‍ସଃ ଆଉ ବର ପକ୍ଷରୁ ପୁରୋହିତ ବୋଲିଲେ ‘‘ପଖିଚଟ ଗୋ–ତ୍ରସିଅ’’ ।

 

ଆଉ ବିଭୂତି ପଚାରିଲା ‘‘ଗୋତ୍ର ପ୍ରବର ସମାନ ଲିଙ୍ଗ ହେଲେ କିପରି ଓ ଖଡ଼ଗ ମୂଷଳ ଏକାଠି ହେବାରୁ ତହିଁରୁ ମନୁଷ୍ୟ ଉପୁଜିଲେ କିପରି ?’’ ଆଉ ପୁରୋହିତବର୍ଗ କହିଲେ ‘‘ସେ ବଡ଼ ଗହନ କଥା’’,–ଦୁର୍ଗାଚରଣ ଆନନ୍ଦ ଓ ଗର୍ବରେ ବେଦି ଉପରୁ ସମସ୍ତିଙ୍କୁ ଅନାଇଁ ରହିଲେ, ଯେପରି ସେ କ’ଣ ତଥ୍ୟର ସନ୍ଧାନ ପାଇ ସାରିଛନ୍ତି ।

 

ସୁନାର ନୂଆ ଜୀବନ ଆରମ୍ଭ ହେଲା ଅତି ଶୁଭରେ । ତା’ର ନୂଆ ସଂସାର ତାକୁ କୁଣ୍ଢେଇ କାଖେଇ ନେବ ବୋଲି ଦି’ହାତ ବଢ଼ାଇ ଆଗରୁ ଅପେକ୍ଷା କରି ରହିଛି ।

 

ଗାଁ’ ମାଇପେ ଟୁପୁରୁ ଟାପୁରୁ ହେଲେ, ‘‘ୟା ନାଁ ଭାଗ୍ୟ, ଲୋକେ ଲକ୍ଷେ ଖୋଳିଲେ ପାଉନାହାନ୍ତି, ଆଉ ଏଠି ଯେ, ଦେଖ । ସେ ଯେମିତି ସାକ୍ଷାତ୍ ଲକ୍ଷ୍ମୀ ପ୍ରତିମା ତା’ କପାଳରେ ବି ସେମିତି ଶିରୀସୁଖ ସୁଲକ୍ଷଣ ଗୋ, ସୁଲକ୍ଷଣା ।’’

 

ସୁନା ବିଭା ହୋଇଗଲା ।

 

ଠିକ୍ ବାରଦିନ ପରେ ଡାକ୍ତର କୃଷ୍ଣଚରଣ ତାଙ୍କ ସ୍ତ୍ରୀଙ୍କୁ ଘେନି ଚାକିରିଗାଁ’କୁ ଗଲେ । ମୋହନପୁର । ମଫସଲ । ସେଠି ବ୍ଲକ୍‍ ଖୋଲିଛି । କୃଷ୍ଣଚରଣ ପ୍ରାଇମେରି ହେଲଥସେଣ୍ଟରର ଭାରପ୍ରାପ୍ତ ଡାକ୍ତର । ଦାତଯଶ ବହୁତ ଦୂରକୁ ବ୍ୟାପିସାରିଛି । ସମସ୍ତିଙ୍କ ତୁଣ୍ଡରେ ପ୍ରଶସ୍ତି । ‘‘ଆମ ଗାଁ’ ଗହଳିରେ ଅନ୍ଧାର ଭିତରେ ଗୋଟିଏ ବୋଲି ଦୀପ, ଆଃ, ଭଗବାନ ତାଙ୍କର ମଙ୍ଗଳ କରୁ ।’’

 

“ଦିନ ନାହିଁ, ରାତି ନାହିଁ, ବେଳ ଅବେଳ ନାହିଁ, ଯେ ଯେତେବେଳେ ଗଲା ଡାକ ଶୁଣିଲେ ଭାତ ଥାଳି ଛାଡ଼ିଦେଇ ଉଠିଆସିବେ ।

 

ଏତେ ନେବି ସେତେ ନେବି ବୋଲି ପଦେ ତାଙ୍କ ତୁଣ୍ଡରୁ ଶୁଣିବ ! କିଏ ନ ଦେଉ । ଗରିବଗୁରୁବା ଯାଚିଲେ ପରା ସେ ମନାକରନ୍ତି, କହନ୍ତି ରଖିଥାଅ, ପୁଷ୍ଟିକର ଖାଦ୍ୟ କିଣି ମଳୁକୁ ଖୁଆଇବ । ତୁମେ କାହୁଁ ପାଇବ ଯେ ପରକୁ ଦେବାକୁ ବଳୋଉଚ ।

 

ଆଉ ଓଷଦ କେମିତି । କିଣିବା କଥା ହେଲେ ଭାବି ଭାବି ଯାହା ସବୁଠୁ ଶସ୍ତା ପଡ଼ିବ ଅଥଚ ଭଲଗୁଣ କରିବ ସେହିଆକୁ ଲେଖିଦେବେ, ଯେମିତି କିଏ ତଣ୍ଡରେ ନପଡ଼ୁ । ଆହା, ଏଡ଼ିକି ବିଚାର ।

 

ସବୁବେଳେ ହସ ଖୁସି । ସେ ମୁହଁ ଦେଖି ପକାଇଲେ ଆଗ ରୋଗୀ ଅଧେ ଭଲ । ସାହସ ଦେବାକୁ ଏମିତି କିଏ ଆଉ ।....

 

କାହାରି ଛନ୍ଦ ମନ୍ଦରେ ନ ଥାନ୍ତି । ଚାରିଆଡ଼େ ଏତେ ଛକାପଞ୍ଝା ଖେଳ, ଗୋଛି କଟାକଟି, ଗଇ ଖୋଳାଖୋଳି । ତାଙ୍କ ପାଟିରୁ ପଦେ କିଏ ଶୁଣିବ ? ଯେ ନିଜେ ଭଲ ତା’ ଆଖିରେ ସଂସାରରେ ସମସ୍ତେ ଭଲ, ସେମିତିଆ ଲୋକ ସେ । କାହା ଦଳରେ ନମିଶି ସୁଦ୍ଧା ସେ ସମସ୍ତିଙ୍କର ପ୍ରିୟ । ମଣିଷ ନୁହନ୍ତି ମ’ଦେବତା ।....

 

ନିଜେ ଯେମିତି, ଘରଣୀଟିଏ ପାଇଛନ୍ତି ସେମିତି ଦେଖିଛ ତାଙ୍କୁ ? ସାକ୍ଷାତ୍ ଲକ୍ଷ୍ମୀ । ତୁଣ୍ଡ ମୁଣ୍ଡ ନାହିଁ, କାମରେ ଲୋଟୁଥିବେ, ଲୋଟଣି ପାରା । କେହି ଜାଣିମ ନାହିଁ ଘରେ ଏମିତି ମଣିଷଟିଏ ଅଛି, ଏଣେ ସବୁ କାମ ବିଜୁଳି ବେଗରେ ଘଟୁଛି, ଘର ଜିନିଷ ସବୁ ସଜିଲ୍ ଯେଉଁଠି ଯେଉଁଟା ରହିବା କଥା ସେଇଠି ସେ ଥୁଆ ହୋଇଛି । ଆପଣା ଖିଆ ପିଆକୁ ପରେଇ ନାହିଁ, ପର କଥା ଆଗ । ଆଉ ଜାଣିଚ, ରୋଗୀ ସେବାକୁ ତାଙ୍କର କେଡ଼େ ଆଗ୍ରହ ? ଉପରେ ପଡ଼ି ସେ କେତେ କଥା କରି ଯାଆନ୍ତି, ଘରେ ପଥି ତିଆରି କରି ରୋଗୀଙ୍କ ପାଇଁ ପଠାନ୍ତି । କେଉଁ ରୋଗିଣୀଟି ନିଆଶ୍ରୀ, ଦେଖିବ ତାକୁ ସାହାପକ୍ଷ ଡାକ୍ତର ବାବୁଙ୍କ ଭାରିଯା । ପର ଦୁଃଖ ଦେଖିଲେ ଆଖିରୁ ଧାର ଛୁଟେ, ଧନ୍ୟ ଧନ୍ୟ ତାଙ୍କ ବାପ ମା’ !”

 

ମୋହନପୁର ସେ ଦୁହିଁଙ୍କୁ ଛାତିରେ କୁଣ୍ଢେଇ ଧରିଥିଲା । ସେମାନେ କର୍ମ ଓ ସେବା ମାର୍ଗ ଧରି ଆନନ୍ଦ ଲୋଡ଼ିଥିଲେ, ପାଇଥିଲେ, ଧନ ସମ୍ପତ୍ତି ନୁହେଁ ।

 

କୃଷ୍ଣର ସାଙ୍ଗ ଡାକ୍ତର ବିଭୁତି ଦୁଇଥର ଆସି ସେମାନଙ୍କୁ ଦେଖି ଯାଇଥିଲା, ବିଭା ହୋଇ ସାରି ଧନୀ ଶଶୁରଙ୍କ ସାହାଯ୍ୟ ପାଇଁ ଏମାର୍ ସିପି ପଢ଼ିବାକୁ ବିଲାତ ଯିବା ପୂର୍ବରୁ ଚିଠି ଲେଖିଥିଲା,

 

‘‘ମଫସଲରେ ତୁମେ ମିଶିଗଲ ଦେଖି ଆସିଲି । ଅନୁମାନ କରି ପାରୁଛି, ବେଶି ଡେରି ହେବ ନାହିଁ, ପାନ ଚୋବେଇ ଚୋବେଇ ଦାନ୍ତ କଳା ପଡ଼ି ଯାଇଥିବ, ପ୍ୟାଣ୍ଟ୍ କି କାମିଜରେ ଭାଙ୍ଗ ନଥିବ, ଖିଅର ହେବ ତିନି ଦିନରେ ଥରେ, ପେଟଟି ନାଥୁଲୁ ନୁଥୁଲୁ, ଚାରିକରେ ଶାବକଗୁଡ଼ିଏ, ବଗିଚାରେ ଜହ୍ନି, କଖାରୁ, ଖଡ଼ା, କନ୍ଦମୂଳ, ଗୁହାଳରେ ଗୋରୁ, ଆଲମାରିରେ ପୁରୁଣା ବହିଗୁଡ଼ିକ, ଡାକ୍ତରି ପଢ଼ିଲା ବେଳର, ତା’ ଉପରେ ସାମାନ୍ୟ ଧୂଳି, ମୁହଁରେ ବିଶ୍ୱାସର ଛାପା, ଆପଣାକୁ ଓ ପରକୁ ଭୁଲାଇଲା ଭଳି । ତମକୁ ଦେଖି ପାରୁଛି ବିଭା ବ୍ରତ ଅନ୍ନପ୍ରାସନ୍ନ ଭୋଜିରେ, ତ୍ରିନାଥ ମେଳାରେ, ଅଷ୍ଟପ୍ରହରୀରେ, ସଂକୀର୍ତ୍ତନରେ, କେବେ କେବେ କାହା ଚଉପାଢ଼ିରେ ତାସ ପଶା ପତଙ୍ଗରେ, ସେଠି ତୁମର ନିର୍ଦ୍ଦିଷ୍ଟ ଆଉ ନିନ୍ଦା ଆସନ, ତୁମେ ‘‘ଡାକ୍ତରବାବୁ’’ ଯାହାଙ୍କ ସମ୍ବନ୍ଧରେ ଲୋକେ କହୁଥିବେ ‘‘ଔଷଧରେ କିଛି ନାହିଁ, ସବୁ ଅଛି ହାତରେ, ଅମୃତହସ୍ତ କି ବିଷହସ୍ତ, ଦେଖୁନା, ଅମୁକର ପେଟ ଟାଣୁଥିଲା, ପାନେ ଓଷଦରେ ଠିକ୍ ?’’ ତୁମର ଫିସ୍ ବି ଦେଖି ପାରୁଛି, ବଡ଼ ବଡ଼ କଖାରୁ ପୁଞ୍ଜାଏ, ବାଉଁଶିଆରେ ପଶି ଛନଛନିଆ ବାଇଗଣ ପାଞ୍ଚସେର, ନଡ଼ା ବିଡ଼ା ମୋଟର ସଜନାଛୁଇଁ ଚାରିବିଡ଼ା, ପାଟି ପାକୁ ପାକୁ କରୁଥିବ ବଡ଼ ମାଛଟାଏ, ବିବିଧ ପଦାର୍ଥ ଯାହା ଆମେ ପାଉ ନାହିଁ । ଆଖିବୁଜି ଧ୍ୟାନକଲେ ତୁମ ଘୁଙ୍ଗୁଡ଼ି ଶବ୍ଦ ବି ଅନୁମାନ କରାଯାଇପାରେ ।

 

ସ୍ୱୀକାର କରୁଛି, ତୁମ ଜନ୍ମ ସାର୍ଥକ, ତୁମେ ସେହି ଅବସ୍ଥାରେ ଶୀଘ୍ର ପହଞ୍ଚିଯିବ ଯେତେବେଳେ ଲୋକ ଆଖି ଆଗରେ କୌଣସି ସମସ୍ୟା ଦେଖିପାରେ ନାହିଁ, ଲୋକର ମନରେ କୌଣସି କଥାକୁ ଛଳ ପଶେ ନାହିଁ, ଠାକୁରମାନଙ୍କ ପାଦୁକ ପାଇ ଗୋରୁ ସେବା କରି ତୁମର ଦିନଗୁଡ଼ିକ ଭଲରେ କଟିଯିବ । ସାଟିଫିକଟ ଲେଖିବା ଓ କେବେ କେବେ ସାକ୍ଷୀଗଡ଼ାରେ ଠିଆହେବା ବି ଅଭ୍ୟାସ ହୋଇଯିବ । ତୁମର ବଦଳି ପ୍ରସଙ୍ଗ ଉଠିଲେ ନାନା ସ୍ଥାନକୁ ଲୋକେ ଆପତ୍ତି ଜଣାଇବାକୁ ଯିବେ, ଖବରକାଗଜରେ ବାହାରିବ–’’ଜନପ୍ରିୟ ଡାକ୍ତରଙ୍କ ବଦଳିରେ ଘୋର ଅସନ୍ତୋଷ ଓ ବିକ୍ଷୋଭ ।’’ ଗୋଟିଏ ସ୍ଥାନରେ ତିରିଶ ବର୍ଷ ବି କଟିଯାଇପାରେ । ସ୍ଥାନୀୟ ବଢ଼େଇ ହାତ ତିଆରି ନିଦାନିଦା କାଠ ଜିନିଷଗୁଡ଼ିଏ, କାରିଗରି ଯାହା ହେଉ, କେଉଁଠି ଠାଏ ବିଲ କୋଡ଼ିଏମାଣ, ନଡ଼ିଆ ବଗିଚା, ଆମ୍ବ ବଗିଚା, ଧାଡ଼ିଏ ଟାଇଲ୍ କି ଆସ୍‍ବେଷ୍ଟସ୍‍ ଛୁଆଣି ପଥର ଘର (ତଳ ସିମେଣ୍ଟ), ଠିକ୍ ତୁମ ଡାକ୍ତରଖାନା ଭଳି ଦେଖିବାକୁ, ପାଖ ଆଖର ବଡ଼ ବଡ଼ ତାଷୀ ଘର କେତୋଟି ସହିତ ବୈବାହିକ ସମ୍ପର୍କ, ଏତକର ଉତ୍ତରାଧିକାର ତୁମର ସନ୍ତାନମାନେ ତୁମଠୁଁ ଅବଶ୍ୟ ପାଇବେ (ତୁମ ପିଞ୍ଜରାର ଶାରୀ କହୁଥିବ ‘ଏଥିରେ ସନ୍ଦେହ ନାହିଁ ।’) ବୁଢ଼ାଦିନେ ତୁମେ ହୋଇଥିବ ସ୍ଥାନୀୟ ମାଇନର ସ୍କୁଲର ସମ୍ପାଦକ ଓ/ବା ସ୍ଥାନୀୟ ପଞ୍ଚାୟତର ସରପଞ୍ଚ (ଜନପ୍ରିୟ ଡାକ୍ତରଖାନା, ସେଇଥିପାଇଁ) ।

 

ମୁଁ ଜାଣେ ସେ ଭୟାବହ ସୌଭାଗ୍ୟ ମୋ କପାଳରେ ନାହିଁ । ପ୍ରକୃତରେ, ସେ ସୌଭାଗ୍ୟ ଭୟାବହ । ବୋଧହୁଏ ଦିନ ଥିଲା ଯେତେବେଳେ ତୁମେ ବି ସେପରି ଭାବୁଥିଲ, ମଫସଲରେ ସେ ଚାକିରିଟା ଧରିଥିଲ ଆଉ ପଢ଼ିଯିବା ଆଗରୁ ବେଳ କଟାଇବା ସକାଶେ । କିନ୍ତୁ ବର୍ତ୍ତମାନ ସମୟ ଭିନେ ପଡ଼ିଗଲା । କେଉଁଦିନ ଛୁଞ୍ଚିପତର, କେଉଁଦିନ ଚିତୋଉ, କେବେ ମଣ୍ଡା ତ କେବେ ଆରିସା, କେବେ କେଉଁ ସୁଆଦିଆ ତରକାରି, ନୂଆ ଭାଉଜ ହାତରୁ ଅହରହ ସୁଆଦିଆ ପାନ, ଏସବୁ ଛାଡ଼ି ତୁମେ ଶୁଖିଲା ଜ୍ଞାନ ଆହରଣକୁ ମନ ବଳାନ୍ତ ବି କାହଁକି ?

 

ଯେଉଁ ସୁଖରେ ଅଛ ସେହି ସୁଖରେ ରହିଥା, ମୁଁ ବୋଧହୁଏ ଚାଲିଲି । ବୁଲି ବୁଲି ପାଠ ପଢ଼ିବା ଶିଖିବା ପ୍ରକାର ପ୍ରକାର ନୂଆ ନୂଆ ସୁଆଦ ଚାଖିବା, ଆଶା କରିବା, ନିରାଶ ହେବା ପୁଣି ଅଣ୍ଟା ଭିଡ଼ିବାର ଯେଉଁ ହାଣ୍ଡିରେ-କଳା-ପଡ଼େ ନାହିଁ ଥାଳ-ପୁରେ ନାହିଁ ନା-ବାଲଗ୍‍ ଜୀବନ, ଅସ୍ଥିର ଆଉ ଅମେଣ୍ଟା, ସେଇଆକୁ ଲୋଭ ହେଉଛି । ଲାଗୁଛି ସତେ ଯେମିତି ଆକାଶରେ ଥମ୍ବିଲା ତୋଫାନ, ଆଖି ଆଗରେ ଥଳକୂଳ ନାହିଁ ବଢ଼ିପାଣି, ହୁଲି ଡଙ୍ଗାଟା ମୋର ନିଶ୍ଚିତ ଭାବରେ ମୁହାଣ ଆଡ଼କୁ ଭାସି ଯାଉଛି, ଛାତିରେ ବାହାଛକି ଦେଇ ମୁଁ ସାମ୍ନାକୁ ଅନାଇଁ ରହିଛି, ମନରେ ଉତପ୍ରେକ୍ଷା ଆଉ କୁତୂହଳ । ବେଳେ ବେଳେ ମନରେ ଏଇଆ ମନେ ପଡ଼ିଯାଇ ଚଞ୍ଚଳତା ଖେଳିଯାଉଛି ଯେ ଯେଉଁମାନେ ଏମିତି ଅଥଳ ଦରିଆ ଆଡ଼କୁ ଭାସି ଯାଇଥିଲେ ସେମାନେ ସମସ୍ତେ ନିଖୋଜ ହୋଇ ନାହାଁନ୍ତି, ଏପରି ବି କେହି କେହି କଲମ୍ବସ୍ ହୋଇ ଯାଇଥିଲେ ଯେ କେଉଁ ନୂଆ ଦୁନିଆଁ ଦେଖିଥିଲେ, ନୂଆ ଖବର ଘେନି ଦେଶକୁ ଲେଉଟି ଆସିଥିଲେ, ସେ ଖବର କାହାରି କାହାରି କାମରେ ଲାଗିଛି ।

 

ଏଇ ଗୋଟିଏ ପାଠରେ ମୁଁ ଛଅ ବର୍ଷ ବିତେଇ ଦେଇଥିଲି, ତା’ ପ୍ରତି କେମିତି ଗୋଟାଏ ବିଶ୍ୱାସ କି ଅନୁରକ୍ତି ମୋର ଆସିଛି, ଭାବୁଛି, ସେଥିରେ ଆଉ ବାରବର୍ଷ ବିତାଇଲେ ସୁଦ୍ଧା କ୍ଷତି କ’ଣ ? ହଜାର ହଜାର ଗବେଷକ ଗୋଟାଏ ଗୋଟାଏ ଜୀବନ ଖଟାଇ ଦେଇ ଧୂଳି କଣାଟିଏମାନ ଥୋଇ ଦେଇଗଲେ, ଏତେ କରି ଯାହା ଗଢ଼ା ହେଲା ତା’ ସ୍ତୂପ ନା ବାଲ୍ମୀକ ? ଏଲୋପ୍ୟାଥି ଚିକିତ୍ସା ବିଦ୍ୟା ଦିଗ୍‍ବଳୟ ଖୋଲି ଦେଇଛି ପ୍ରବଣତା ବହୁତ ଦେଖାଇଛି, ଆଶା ବହୁତ ତେଜିଛି, କିନ୍ତୁ ଏଇତ ମୋଟେ ତା’ ସ୍ୱର୍ଣ୍ଣଯୁଗର ଅୟମାରମ୍ଭ, ଯେତୋଟି ଚମତ୍କାର ଚିକିତ୍ସା ପ୍ରଣାଳୀ ଜଗତକୁ ତା’ର ଅବଦାନ ତା’ ଇତିହାସ ବି ଦେଢ଼ଶ ବର୍ଷରୁ ବେଶି ନୁହେଁ । ମତେ ଲାଗେ, ଆମେ ସେହି ପୁରୁଣା ଗାଁ ବଇଦଠୁଁ ଭିନ୍ନ ନୋହୁଁ । ତା’ ବଟୁଆ ପରିବର୍ତ୍ତେ ଆମର ଚମଡ଼ା ମୁଣି । ତା’ ଘୋରା-ସିଝା-ଶୁଙ୍ଘା ଲଗା-ଗିଳା-ପିଆ ଜଡ଼ିବୁଟି ପରିବର୍ତ୍ତେ ଆମର ପିକ୍‍-ମିକ୍‍ଶ୍ଚର-ପେଟେଣ୍ଟ ମେଡ଼ିସିନ୍ ଆଉ ଇଞ୍ଜେକ୍‍ସନ୍ । ସେ ଯେମିତି ତା’ ଚରକ ଶୁଶ୍ରୂତମାନଙ୍କଠୁଁ ମାଇଲ ମାଇଲ ଦୂର ଆମେ ବି ସେମିତି-। ସେ ଯେମିତି ଠାକୁରଙ୍କ ନାଁ ସୁମରି ବିଶ୍ୱାସରେ ଔଷଧ ଦିଏ, ଜାଣେ ନାହିଁ ସେ ବିଶ୍ୱାସରେ ଭିତ୍ତି କଣ, ଆମ ଭିତରେ ବି ଅନେକ ହୁଏତ ସେମିତି । ଅନ୍ୟମାନେ ଯେତେବେଳେ ନୂଆ ନୂଆ ଅନୁସନ୍ଧାନ ଗବେଷଣାରେ ଆଗକୁ ଆଗକୁ ଚାଲିଛନ୍ତି ଆମେ ଶାନ୍ତିରେ ସୁସ୍ଥିରେ ଧରି ବସିଛୁଁ ଯେତିକି ପାଇଥିଲୁ ସେତିକି, ଭାବି ଭାବି ମୁଣ୍ଡ ପାଗଳା ଧରୁଛି । ନିଜ ଉପରେ ଧିକ୍‍କାର ଆସୁଛି ।

 

ଅବଶ୍ୟ ଏକଥା ସତ ଯେ ବିଦ୍ୟାର ମୂଲ୍ୟ କଷାହୁଏ କେତେ କିଏ ପାଇଲା ସେହି ଧନର ପରିମାଣ ଅନୁପାତରେ, ତେଣୁ ଯେ କୋଠାବାଡ଼ି ଜମି ଗାଡ଼ି ବ୍ୟାଙ୍କ୍ ବ୍ୟାଲେନ୍‍ସ ଯେତିକି ବଢ଼ାଇ ପାରିଲା ତା’ ବିଦ୍ୟାରେ ସେ ସେତିକି ପାରଙ୍ଗମ ବୋଲି ଦୁନିଆଁ ତା’ ଉପରେ ମୋହର ମାରି ଦେବ, ତା’ ସହିତ କିଏ ଯଦି ପାଇ ପାରିଲା ରାଜନୈତିକ କ୍ଷମତା ତେବେ ସେ ଡାକ୍ତର ହୋଇଥିଲେ ତାକୁ କୁହାଯିବ ସାକ୍ଷାତ୍ ଧନ୍ଵନ୍ତରି, ଇଞ୍ଜିନିଅର ହୋଇଥିଲେ ସେ ହେବ ବିଶ୍ୱକର୍ମା, ଦାର୍ଶନିକ ହୋଇଥିଲେ ଶୁକ୍ରାଚାର୍ଯ୍ୟ ।

 

ଆଉ ଏକଥା ବି ସତ ଯେ ଔଚିତ୍ୟ ଅନୈଚିତ୍ୟ ଦୃଷ୍ଟିରୁ ଦେଖି ବସିଲେ ଏ ଯୁଗର ମଣିଷ ଯାହା ଓ ଯେପରି, ତାଙ୍କୁ ଶାରୀରିକ ରୋଗରୁ ମୁକ୍ତ କଲେ ସଂସାରର ଗୋଟାଏ ବଡ଼ ଉପକାର ଘଟିଯିବ ଏପରି ବି ନୁହେଁ, ସେମାନେ ଭଲ ହେଲାମାତ୍ରେ ପୁରୁଣା ଧନ୍ଦାରେ ଲାଗିଯିବେ, ପରସ୍ପର ସହିତ ବାଦବୁଦିଆ ହୋଇ ଧରାଧରି ମରାମରି ଗୋଛି କଟାକଟି ଫିସାଦ୍‍-ପେଁଚ-ଟାଉଟରି, ନିଜେ ଥିରି ହୋଇ ରହିବେ ନାହିଁ କି ଆଉ କାହାକୁ ଥିରି ହୋଇ ବସାଇ ଦେବେ ନାହିଁ ।

 

ଆଉ ଏକଥା ବି ସତ ଯେ ଏମାନେ ଲାଗିପାଗି ବେମାର ପଡ଼ିବାକୁ ହିଁ ବ୍ୟାକୁଳ, ଦେହର ରୋଗ ଭଲ ନ ହେଉଣୁ ମନର ରୋଗ ଘୋଟୁଥିବ, ଜୀବନ ଘେନି ବଞ୍ଚି ରହିବାକୁ ଯେଉଁ ଅସ୍ୱାଭାବିକ ପରିସ୍ଥିତିରେ ଯେପରି ଭାବେ କାମ କରିବାକୁ ପଡ଼ୁଛି, ଏଣେ ଖାଦ୍ୟାଭାବ ଅଥବା ଅଖାଦ୍ୟ ବିଷମିଶା ଖାଦ୍ୟ, ସେଥିରେ ଥରେ ରୋଗ ଭଲ ହୋଇଯିବାର କୌଣସି ବିଶେଷ ତାତ୍ପର୍ଯ୍ୟ ନାହିଁ, ପୁଣି ପୁଣି ନୂଆ ନୂଆ ହୋଇ ସେ ହେଉଥିବ ।

 

କିନ୍ତୁ ବିଜ୍ଞାନ କି କଳା ତା’ର ଭକ୍ତକୁ ଯେଉଁ ଆନନ୍ଦ ଦିଏ ସେ ଆନନ୍ଦ ଏ ବାହାରିଆ ପରିସ୍ଥିତିରେ ଫଳପ୍ରାପ୍ତି ସହିତ ସମ୍ବନ୍ଧ ରଖେ ନାହିଁ । ସେ ଆନନ୍ଦର ସୁଆଦ ଭିନେ, ନିଶା ଭିନେ । ଯାହାର ତା’ ଲୋଡ଼ା ତା’ର ଆଉ କିଛି ଲୋଡ଼ା ପଡ଼େ ନାହିଁ । ସେ ତା’ର ସେ ବିଜ୍ଞାନ କି କଳା ସାଧନାରେ ମିଳିଥିବା ଉତ୍କର୍ଷକୁ ନିଜର ପ୍ରତିପତ୍ତି ବଢ଼ାଇବା କି ଧନ ଅର୍ଜିବା କାର୍ଯ୍ୟରେ ଲଗାଇବାକୁ ମନେ କରେ ନାହିଁ । ମୋ ଦାଦି ତନ୍ତ୍ରସାଧନା କରୁଥିଲେ । ସେ କହୁଥିଲେ, ଯେ ସେ ମାର୍ଗରେ ‘ଅ’ଟିଏ ଶିଖି ଲେଉଟି ଆସେ ସେ ସଙ୍ଗେ ସଙ୍ଗେ ନିଜର ବିଭୂତିର ବଡ଼ାଇ ଦେଖାଏ, ଗୁଣି ଗରିଡ଼ି ଲଗାଏ, ଭୂତଭବିଷ୍ୟ କହେ, କେତେ ଇନ୍ଦ୍ରଜାଲ ଦେଖାଏ, କୁଆଡ଼େ ଦୁଧକୁ ରକ୍ତ କରିଦିଏ, ପାଣିକୁ ଦୁଧ କରିଦିଏ, ତା’ର ନାଁ ଉଡ଼େ । ଆଉ ଯେ ବହୁତ ଦୂର ଯାଏ ସେ ଭୁଲିଯାଏ ଯେ ତାଠି ଯୋଗ ବିଭୂତି କିଛି ଅଛି, ସେ ତ ତା’ ସାଧନାରେ ହିଁ ମଜ୍ଜି ରହିଥାଏ, ଅନ୍ୟ କିଏ ତାକୁ ଦଣ୍ଡବତଟିଏ କଲା କି ତାଚ୍ଛଲ୍ୟରେ ହସି ଦେଲା ତେଣେ ତା’ର ନିଘା ହିଁ ନ ଥାଏ । ଏତିକିରୁ ମୋ ମନ ଅବସ୍ଥା ବୁଝିପାରିବ ବୋଲି ଆଶା କରୁଛି ।

 

ଆଉ ୟାକୁ ଦଣ୍ଡବତ ତାକୁ କଲ୍ୟାଣ ତୁମେ କେମିତି ଅଛ ସେ କେମିତି ଅଛି ବାରିରେ କ’ଣ ଲଗେଇଛ କେବେ ଆସିବ ଏସବୁ ଲେଖି ଲାଭ ବା କ’ଣ ? ପ୍ରକୃତରେ କ’ଣ ଏସବୁ ଏଡ଼େ ଦରକାରି ?

 

ଚିଠି ପଢ଼ିସାରି କୃଷ୍ଣ ତାକୁ ସୁନାକୁ ପଢ଼ିବାକୁ ଦେଇଥିଲା । ସୁନା ଏକା ଧ୍ୟାନରେ ପଢ଼ିଗଲା । ମୁହଁ ଟେକି ଅନାଇଲା । କୃଷ୍ଣ ହସୁଛି । ପଚାରିଲା, ‘‘କେମିତି ଲାଗିଲା ?’’

 

ସୁନା କହିଲା ‘‘ଏ ମଣିଷ ଘର ସଂସାର କରେ କାହିଁକି ?’’

 

କୃଷ୍ଣ କହିଲା ‘‘ସବୁ ଥାକ ଥାକ ଏକା ମନ ଭିତରେ ଥାକକେ ବିଶୁଦ୍ଧ ଜ୍ଞାନବାଦୀର ଯୁକ୍ତି, ଆର ଥାକରେ ଅତି ସାଧାରଣ ଭୋଗ ପାଇଁ ଲାଳଚା । ଏମିତି ଅନାସକ୍ତି ଯୋଗକୁ ଯଦି ସତେ ସତେ ବିଭୂତି ବିଶ୍ୱାସ କରି ଆଶ୍ରା କରି ଜୀବନ ବିତାନ୍ତା ତେବେ ମୁଁ କହନ୍ତି ତା’ ଦାଦିର ସାଧନାର ଫଳ ସେ ପାଇଗଲା ।”

 

‘‘ସେ ଯାହା ଲେଖିଛନ୍ତି ତା’ କ’ଣ ଠିକ୍ ନୁହେଁ ?’’

 

‘‘ସେ ଯାହା ନ ଲେଖିଛି ମୁଁ ସେଇଆକୁ ପଢ଼ିଲି । ସେ ଶାନ୍ତିରେ ନାହଁ । ତେଣୁ ଅନ୍ତତଃ ବର୍ତ୍ତମାନ ତା’ ମନ ରୁକ୍ଷ । ସେ ରାମ୍ପି ବିଦାରି ହେଉଛି । ସେଥିପାଇଁ ନିଜ ଛଡ଼ା ଆଉ ଦାୟୀ କିଏ-?’’ ସୁନା କାବା ହୋଇ ତା’ ମୁହଁକୁ ଚାହିଁଲା । କହିଲା ‘‘ଏତିକିରୁ ତୁମେ ଏତେ କଥା ବୁଝି ପାରିଲ-?’’

କୃଷ୍ଣ ହସିଲା । କହିଲା ‘‘ଏ କିଛି ବିଚିତ୍ର ନୁହେଁ । ବର୍ତ୍ତମାନ ଚାରିଆଡ଼େ ଅଶାନ୍ତି । ଏ ଅଶାନ୍ତିରେ ସନ୍ତୁଳି ହୋଇ ଲୋକେ ଓଲଟା ଓଲଟା କଥା କହନ୍ତି । କାନକୁ ନୂଆ ନୂଆ ଶୁଭେ । ଲାଗେ ସତେ ଯେମିତି ସତ୍ୟର ସବୁ ତେଜ ଅଛି ସେ କଥାରେ । କି ଚମତ୍କାର ନୂଆ ଦର୍ଶନ ! କେଡ଼େ ଶାଣଦିଆ ଯୁକ୍ତି ! କେଡ଼େ ମୁନିଆ ! କିନ୍ତୁ ସଂସାରର ଜୀବନ ଯେମିତି ପୁରୁଣା ସେ ଜୀବନର ଦର୍ଶନ ବି ସେମିତି । ଜଣକର ଆନନ୍ଦଟା ଯଦି ତା’ ଭିତରେ ନାହିଁ ତାହେଲେ ବାହାରେ ଦୁନିଆଁଯାକ ଯେଉଁଠି ଯେତେ ଖୋଜୁଥାଉ ତା’ପାଇଁ କେଉଁଠି ହେଲେ ଆନନ୍ଦ ନାହିଁ ।” ବୁଦ୍ଧିମାନ ଯୁକ୍ତିଗୁଡ଼ାକ ରଣପା ବାନ୍ଧି ଚାଲିଲା ପରି । ମଣିଷଟା ଡେଙ୍ଗା ଦିଶେ କିନ୍ତୁ ପ୍ରକୃତରେ ସେ ସେଡ଼େ ଡେଙ୍ଗା ନୁହେଁ କି ରଣପା ଯୋଡ଼ାକ ତା’ ଶରୀର ଅଂଶ ନୁହେଁ । ଆଜିକାଲି ଅନେକ ଲୋକ ତ ରଣପା’ ବାନ୍ଧି ବୁଲିଲେଣି, ଏକା ବିଭୂତି କାହିଁକି ?”

‘‘ତୁମେ କ’ଣ ତାଙ୍କ ଚିଠିର ଏଇଆ ଉତ୍ତର ଲେଖିବ ?’’

ମୁଁ ଲେଖିବି–’’ଯେତେ ବର୍ଣ୍ଣର ଗିଲାସରେ ପିଅ ପଛେ, ସେହି ଏକା ପାଣି, ତା’ର ଏକା ସୁଆଦ ।’’

‘‘ତା ଅର୍ଥ ସେ କ’ଣ ବୁଝିବେ ?’’

‘‘ତା ନ ହେଲେ ସେ ଆଉ ଡାକ୍ତର ହେଲା କ’ଣ ?’’

ହଠାତ୍ ସୁନାକୁ ଭାରି ଲାଜ ମାଡ଼ିଲା । ମୁହଁରେ ଲୁଗା ଦେଇ ହସ ରୋକିଲା ସେ ଘରୁ ପଳାଇଗଲା ।

ବହୁକାଳ ପର୍ଯ୍ୟନ୍ତ ପଥଚାରିଙ୍କ କୁତୂହଳ ଓ ଆମୋଦ ଉପୁଜାଇ ରାଜପଥ କରରେ କାଠର ଫଳକଟିଏ ଠିଆ ହୋଇଥିଲା, ପଟା ଉପରେ ହଳଦିଆ ରଙ୍ଗ ଲଗାହୋଇ ତା’ ଉପରେ ବଡ଼ ବଡ଼ କଳା କଳା ଅକ୍ଷରରେ ଲେଖା ହୋଇଥିଲା–‘‘ଚୋରମୁହାଁ’’ ।

ସେହି ରାସ୍ତାରେ ଅନ୍ୟାନ୍ୟ ସ୍ଥାନରେ ସେପରି ଆଉ କେତେ ନାଁ ଲେଖା ହୋଇଥିଲା, ‘‘ଜାଲପୁର’’, ‘‘ତନ୍ତିକଟା’’, ‘‘ଓଡ଼ଶ’’, ‘‘ବଡ଼ଓଲା’’ ।

 

‘‘ନଇଁଲୋ’’, ‘‘ଚଇଁଲୋ’’, ‘‘ବମ୍ବିଲୋ’’, ‘‘ଉଇଁଲୋ’’, ‘‘ନସଡ଼ିପୁର’’, ‘‘ଗେଲପୁର’’, ‘‘ବାଳୁଙ୍ଗା’’, ‘‘ମହାଗବ’’ ଆଦି କେତେ କେତେ ଗାଁ ଥିଲା ସେ ସଡ଼କର ଦୁଇପଟେ । କିଏ ଏସବୁ ବଛା ବଛା ନାଁମାନ ଦେଇଥିଲା, କାହିଁକି ଦେଇଥିଲା ସେମାନେ ପ୍ରକୃତରେ କେହି ଜାଣନ୍ତି ନାହିଁ, ମଣିଷ କଳ୍ପନା ଯୋଖି ଯୋଖି କିମ୍ବଦନ୍ତୀ ଗଢ଼େ, ତା’ ପୁଅ ନାତି ତାକୁ କହନ୍ତି ଇତିହାସ । ଯେମିତି ସେଠି ‘‘ଅହୀ-ଆଶ’ର ‘ଇତିହାସ’, ପ୍ରକାଣ୍ଡ ଅହୀରାଜ, ତାଳଗଛ ଉଚ୍ଚ, (ସେଠି ଆଉ ଅଧିକ ଉଚ୍ଚ ଗଛ ନାହିଁ କେହି ତାକୁ ସାଧ୍ୟ କରି ପାରିଲେନାହିଁ । ପାରିଲା ଜଣେ ଚମାର, ନିଜକୁ ତାଳଗଛ ଆଗରେ ବାନ୍ଧିଲା, ସାପ ଆସିଲା, ଗ୍ରାସ ଆଶାରେ ବେକ ଟେକିଲା, ଚମ୍‍ହାର କଟୁରୀରେ ଦେଲା ଚୋଟେ, ସାପ ମଲା । ସେ ‘ଇତିହାସ’ର ପ୍ରମାଣ ସ୍ୱରୂପ କୁହାଯାଏ, ଏବେବି ଚିତୋଉ ଅମାସ୍ୟା ରାତିରେ ସେ ଗାଁର କୁରୁପା ଚମ୍‍ହାର ରଜା ଅଭିଷେକ ହୁଏ, ରାଜ୍ୟଟା ତ ତାହାରି ପୂର୍ବ ପୁରୁଷଙ୍କର ହୋଇଥିଲା, ହୁଅନ୍ତୁ ପଛେ ସେ ଗାଁର ଲୋକେ ଯେଡ଼େ ଧନୀ ଅବା ମାନୀ ।

 

‘ଚୋରମୁହାଁ’ର ସେପରି ଇତିହାସ ବି ଶୁଣାଯାଏ ନାହିଁ । ତଥାପି ସେ ଗାଁଆର ଲୋକେ ଜନ୍ମଭୂମି ‘ଚୋରମୁହାଁ’ ପାଇଁ ଗର୍ବ ଅନୁଭବ କରନ୍ତି । ‘‘ଚୋର-ମୁହାଁ, କେଡ଼େ ପ୍ରସିଦ୍ଧ ଗାଁ, କେଉଁ କାଳର, କିଏ ନଜାଣେ ! ଆମଠୁଁ ଏଡ଼େ ପାରିବାର ଏଡ଼େ ଇଜ୍ଜତଦାର ଏଡ଼େ ନାଁ ଡାକ ଆଉ କିଏ ଅଛି ଏ ଖଣ୍ଡ-ମଣ୍ଡଳରେ ?’’ ଜାଲପୁରିଆ ତାଙ୍କୁ ଫୁଟୁକି ଉଡ଼ାନ୍ତି । ‘‘ଜାଣିବ ଜାଲପୁରର ଦନେଇଁ ବିଶାଳ ସେଥର ଗୋଳରେ ଚାଳିଶିଜଣ ଚୋରମୁହାଁବାଲାଙ୍କ ମୁଣ୍ଡ ଫଟେଇଥିଲା ? ‘ତମର କଲମ ଗାର, ଆମର ଠେଙ୍ଗା ପାହାର’ । ସେଇଆ । କୋଉ ପୁଲିସ କ’ଣ କଲା ?’’ ଚୋରମୁହାଁ-ଜାଲପୁରର କଳି ବହୁଦିନର, ପାଖପଡ଼ିଶା ଗାଁ’ । ଜମିବାଡ଼ି କଜିଆ, ଦୋଳଯାତକୁ ମହାଗବ ମେଳଣ ଦାଣ୍ଡରେ କାହା ବିମାନ ଆଗ ଯିବ ସେଥିପାଇଁ କଜିଆ, ନାନା କାରଣ । ଚୋରମୁହାଁ ହରଫସଲିଆ, କେତେକ ଟାଟା, ଚଉଦ୍ୱାର, ରାଉରକେଲା, ଝାରସୁଗୁଡ଼ା ଆଡ଼େ କାମ କରନ୍ତି, କେତେ ସରକାର ଚାକିରିଆ । ଜାଲପୁରିଆ କରନ୍ତି ଆଳୁ ।

କିନ୍ତୁ ହଠାତ୍ ଚୋରମୁହାଁର ଛଳ ପଶିଗଲା । ସେ ଗାଁରୁ ନାଁ-ଡାକ ହେଲେ କୁଶଳ କୁମାର ଦାସ, ମାନ୍ୟଗଣ୍ୟ ନେତା ହେଲେ । ଗାଁରେ ଥରେ ସଭା ବସିଲା । ‘‘ୟା ନାଁ ଗୋଟାଏ କଥା ନା କ’ଣ ? ସମସ୍ତେ ମତେ ହସରେ ଉଡ଼ୋଉଛନ୍ତି, ଦେଶର ଯେତେ ବଡ଼ ବଡ଼ ମଣିଷ ସମସ୍ତେ । କିହୋ ଗାଁ ନାଁଟା ଟିକିଏ ବଦଳେଇ ଦେଉନା ?’’

‘‘କ’ଣ ଦେବା ?’’

Unknown

ଟିକିଏ ଏପାଖ ସେପାଖ, ଅତି ବେଶି ହୋଇଗଲେ ତା ନାଁ ବିପ୍ଳବ । ଆମେ ଏତେ ଓଲଟପାଲଟବାଦୀ ନୋହୁଁ । ବାଡ଼ରେ ଟିକିଏ ଗୋଦା ମେଲା କରିଦେଲେ ଯଦି ଦାମୁଡ଼ୀଟା ପଳେଇ ପାରିବ ତେବେ ବାଡ଼ଟାଯାକ ଭାଙ୍ଗି ପକାଇବା କାହିଁକି ?’’

‘‘ତା’ ହେଲେ ?’’

 

‘‘ଚାରିମୁହଁ ।’’

 

ହୋ’ ଲାଗିଗଲା । ବଡ଼ ବୁଧିଆ ଶୁଭୁଛି । କିନ୍ତୁ ହୋ’ ଥମ୍ବିଲାରୁ ଆଲୋଚନା ପଡ଼ିଲା । ‘ଚୋରମୁହାଁ’ ନାଁଟାର ଅର୍ଥ ମନକୁ ଯେପରି ଲାଗୁ କାନକୁ ସେ ଚିହ୍ନାପଣରେ ଆପଣାର ଲାଗିଥିଲା ।

 

ତା’ ଉତ୍ତାରୁ ହଠାତ୍ ଏ ନୂଆ ନାଁ ।

 

‘‘ଯେମିତି କାହାକୁ କୁହାଯାଏ ୟେ ଦୋମୁହାଁ, ସେମିତି ଖରାପ ଅର୍ଥ କେହି କରିବେ ନାହିଁ ତ ?’’ ଥଙ୍ଗେଇ ଥଙ୍ଗେଇ ହୋଇ ବୁଢ଼ା ନିରାକାର ପଟ୍ଟନାୟକେ ପଚାରିଲେ ।’’

 

ଅଲେଖ ମହାନ୍ତି ହସି ଦେଲେ, କହିଲେ ‘‘ସେଭଳି ଅର୍ଥ କଲେ ଗାଁକୁ ମର୍ଯ୍ୟାଦା, ଯୁଗକୁ ଖାପନ୍ତା, ଲୋକେ ସେଇଆ କରି ଜିତୁଛନ୍ତି, ଯେମିତି ଦେଖ ବ୍ୟବସାୟୀଙ୍କ ଖାତା, ନହେଲେ ବଡ଼ ବଡ଼ ଲୋକଙ୍କ ଭଣିତା, ଚାରିଆଡ଼େ ଚାରିପ୍ରକାର ।’’

 

ପ୍ରସ୍ତାବକ କୁଶଳବାବୁ କହିଲେ ‘‘ମାନେ ବୁଝାଇବାକୁ ଯାଇ ଏତେ ଟାଣି ଓଟାରି ହେବା ଦରକାର ନାହିଁ । ଚାରିମୁହଁ କାହାର ? ବ୍ରହ୍ମାଙ୍କର । ଆଦିସ୍ରଷ୍ଟାଙ୍କ ନାଁରେ ଏ ଗାଁର ନାଁ । ଭଲ କି ମନ୍ଦ ?’’

କିଛିଦିନ ପରେ ରାସ୍ତା କରରେ ପୋତା ହୋଇଥିବା ଖୁଣ୍ଟ ଉପରର ଫଳକରେ ନୂଆ ନାଁ ଦିଶିଲା,–’’ଚାରିମୁହାଁ’’

ରମା ସେଇଠିକି ବଦଳି ହୋଇଥିଲା । ମୋହନପୁର ସେଠୁ ଦୁଇମାଇଲ ବାଟ ।

କୁଶଳବାବୁ ହସି ହସି ତା’ ମୁହଁକୁ ଚାହିଁଲେ । ସେମିତି ଗ୍ରାମସେବିକା ବସା । ଅଳ୍ପ ଦୂରରେ ଗ୍ରେନ୍‍ ଗୋଲା ଘର ଦିଶେ, ଟିଣବର୍ଣ୍ଣର ଲୁହାପାତ ଛାଉଣି । ଆରପାଖେ ଖଣ୍ଡେ ଦୂରରେ ଗାଁ ବସ୍ତି । ଚାଳ, ଛାତ, ନଡ଼ିଆମାଳ, କଦଳୀବାଡ଼ି । ବସା ଆଗରେ ସାନ ଆମ୍ବତୋଟା, ତା’ ସେପାଖେ ଫାଙ୍କା ଫାଙ୍କା । ଗାଁର ଗୋଟାଏ ମୁଣ୍ଡ ।

କୁଶଳବାବୁ କହିଲେ ‘‘ଏଇ ଗାଁ ମୋର ଜନ୍ମ ସ୍ଥାନ । ଆଉ ଏଣିକି ଏ ଗାଁ ଆପଣଙ୍କର । ଆମକୁ ଯେମିତି ଗଢ଼ିବେ ସେ ଦାୟିତ୍ୱ ଆପଣଙ୍କର ।’’

ଟିକିଏ ରହି କହିଲେ ‘‘ପିଲାଏ ଏଠି ନଥାନ୍ତି, ବହୁଦିନୁଁ ଆମେ ସହରରେ । ଖଣ୍ଡିଆ ଡିହରେ ଏଠି ଖାଲି ବଖରାଏ ଟୁଙ୍ଗି ରଖିଛି, ତା’ ବି ଖାଲି ୟେ ଲୋକମାନଙ୍କର ସେବା କରିବାକୁ ଆସିଲାବେଳେ ଟିକିଏ ଆଶ୍ରା ନେବାକୁ ।’’ ହସିଦେଇ କହିଲେ ‘‘ଯେ ଡାକି ମୁଠାଏ ଦେଲା ଓଳିଏ ବଳିଗଲା । ସମସ୍ତିଙ୍କ ହାଣ୍ଡିରେ ଏକା ଭାତ, ସେଥିରେ ୟେ ସେ ବୋଲି ନିଖ ମରିନାହିଁ । ନା କ’ଣ କହୁଛନ୍ତି ?’’

ସେ କ’ଣ କହିଲା ତା’ର ମନେ ରହିଲା ନାହିଁ । ‘ଏଡ଼େ ବଡ଼ ଲୋକ ।’ –ଏଇଆ ଭାବୁଥିଲା । ତାଙ୍କ ଆଖିକି କଣେଇଁ କଣେଇଁ ଦି’ଚାରି ଥର ଚାହିଁଥିଲା, ପ୍ରତିଥର ସଙ୍ଗେ ସଙ୍ଗେ ମୁହଁକୁ ତଳକୁ ପୋତିଥିଲା ।

କେମିତି ଅଡ଼ୁଆ ଅଡ଼ୁଆ ଲାଗିଥିଲା ତାଙ୍କ ଦୃଷ୍ଟି । ଭାବିଥିଲା,–କେଡ଼େ ଭଦ୍ର, ଆସୁ ଆସୁ ନିଜେ ବୁଝିବାକୁ ଆସିଛନ୍ତି ।

ସେ ସେମିତି ଠିଆ ଠିଆ ଗଲେ । କହିଗଲେ ‘‘କର୍ମୀପାଇଁ କ୍ଷେତ୍ର ଏଠି ପ୍ରଶସ୍ତ । ବୁଝିବେ ଧୀରେ ଧୀରେ । କିଛି ଦରକାର ହେଲେ, ମୁଁ ଗାଁକୁ ମଝିରେ ମଝିରେ ଆସୁଥାଏ ।’’

କୁଶଳବାବୁ ଚାଲିଗଲା ପରେ ବି ରମାର ମନ ଭିତରେ ସେ ପୁଣି ପୁଣି ଆସିଥିଲେ ।

ଦେଖା ହେଲାବେଳର ସେହି କଥା କେଇପଦ, କଥା କହିବାର ଭଙ୍ଗୀ, ତହିଁରେ ଥିବା ଧୀର ସଙ୍ଗୀତର ଲହର,–ସେ ସତେକି ନିର୍ଭର ଦିଏ, ଭରାଦେବାକୁ ବାହା ମେଲିଦେଇ କହେ ‘‘ଚିନ୍ତା ନାହିଁ, ମୁଁ ଅଛି ।’’

କେମିତି ଲୋକ ସେ ହୋଇଥିବେ ?

କାହା ବିଷୟରେ ଆପଣା ମନ ଭିତରେ ଏମିତି ଗୋଟାଏ ପ୍ରଶ୍ନ ପଚାରି ବସିଲେ ଆପେ ଆପେ ଆଖି ଆଗରେ ତା’ର ଯେତିକି ଛବି ଝାପ୍‍ସା ହୋଇ ଉଇଁଉଠେ, ସ୍ପଷ୍ଟ ଅବୟବ ନୁହେଁ, ମୋଟାମୋଟିରେ ଗୋଟିଏ ଆଭାସ, ଦେହରେ ଗଢ଼ଣର ବାଙ୍କ, ମୁଣ୍ଡବାଳ, କପାଳ, ଭ୍ରୂଲତା, ନାକ, ପାଟି, ଆଖିର କାଟ ଆଉ ଭିତରର ଆକାଶର ବର୍ଣ୍ଣ ଓ ସୂଚନା,–

 

କାମ ମଝିରେ ମଝିରେ ରମା ସେ ମନେ ପଡ଼ିଯାଉଥାଏ,–ଆଗ କେମିତି ମନ ଭିତରେ ଖୁଜୁବୁଜୁ ଲାଗେ, ତା’ପରେ ଆସେ ଅନ୍ୟମନସ୍କତା, ତା’ପରେ ସେ ଚମକି ପଡ଼ି ଭାବେ ସେ ତାକୁହିଁ ମନେ ମନେ ଦେଖୁଛି ଆଉ ଭାବୁଛି । ରୋଷେଇଘରେ ଚୁଲିରୁ ଓହ୍ଲା ହୋଇ ତଳେ ଥୁଆ ହୋଇଥିବା କେଉଁ ତତଲା ରନ୍ଧାବାସନ, କରେଇ କି ଡେକ୍‍ଚିରେ ଅଜାଣତରେ ହାତ ବାଜିଗଲେ ଯେମିତି ହଠାତ୍ ଚାଉଁକରି ଲାଗେ, ରମାକୁ ଲାଗେ ସେହିପରି । ତରଂ ତରଂ ହୋଇ ଏଣେ ତେଣେ ଅନାଏଁ । କାନମୁଣ୍ଡା ତାତିଯାଏ ।

 

ପର–ପୁରୁଷ ।

ସେମାନେ କେତେ ଛାଇ-ରୂପ, ନିଭୃତ ବେଳରେ ମନର ଅନ୍ଧାର ଭିତରେ ମଶା ଘାଉଁ ଘାଉଁ ହୋଇ ଆସିଲା ପରି ସେମାନେ ଆସନ୍ତି, ଆଖି ଆଗରେ ପାଲଟି ଯାଆନ୍ତି ଜୁଳୁଜୁଳିଆ ପୋକ-। ସେମାନଙ୍କୁ ସେ ଘଉଡ଼ି ଦିଏ ।

ଖାଲି ପାଦରେ ଚାଲିଲେ ଗୋଇଠି ତଳେ ଚମ ଯେମିତି ଟାଆଁସିଆ ହୁଏ ସେମିତି ତା’ର ବାହାରବୁଲା ଚାକିରିଆ ଜୀବନ ତାକୁ ପାଗ କରି ଦେଇଥାଏ । ଭାବନା ଭିତରେ ସେହି ଚାଉଁ ଆଉ ଚମକ ସତେକି ମନର ନୁହେଁ, ଦେହର, ଆଖି ଆଗରେ କେହି ଆଙ୍ଗୁଠି ହଲ ହଲ କଲେ ଯେମିତି ଆଖିପତା ଛାଏଁ ବୁଜିଯାଏ, ସେ ସେମିତି । କିନ୍ତୁ ଲାଜକୁଳୀ ଲତାପରି ଚେତନା ତା’ର ଝାଉଁଳି ପଡ଼େ ନାହିଁ, ପରର ବ୍ୟକ୍ତିତ୍ୱର ଧାସକୁ ସେ ମନେ ମନେ ଛୁଇଁପାରେ, ରୂପକୁ ଛବିପରି ଆଗରେ ଝୁଲାଇ ରଖି ମନେ ମନେ ତା’ ବିଷୟରେ ସେ ଭାବିପାରେ, ମତାମତ ଠିକଣା କରିପାରେ ।

ସେ ଭାବୁଥାଏ,–ବଡ଼ ହେଲେ ଏମିତି ହୁଅନ୍ତା ତା’ ସୁର, ଏଇ କୁଶଳବାବୁ ପରିକା ।

ସମ୍ମାନ ମର୍ଯ୍ୟାଦା ଏଠି ସତେକି ସହଜାତ, ସେହିପରି ପର ଉପରେ କ୍ଷମତା । କେହି ନିର୍ଦ୍ଦିଷ୍ଟ କରି ଦେଇନାହିଁ, କେଉଁଠି କିଛି ଲେଖା ହୋଇନାହିଁ, ଖୋଳେଇ ତମ୍ବାପଟା ନୁହେଁ କି ଛପା ସରକାରୀ ଆଦେଶ ନୁହେଁ । କିନ୍ତୁ ଲୋକେ ତାଙ୍କୁ ମାନନ୍ତି, ତାଙ୍କ କଥା ମୁଣ୍ଡରେ ମୁଣ୍ଡାନ୍ତି ।

ପରଦୁଃଖକାତର ପରହିତକାରୀ ଭଲପଣିଆଁର ସ୍ନିଗ୍‍ଧତା ଓ ସୌରଭ ତାଙ୍କୁ ବେଢ଼ାଇ ହୋଇ ରହିଛି, ଭାବିଲାମାତ୍ରେ ଲାଗେ–କେଡ଼େ ଭଲ ! କେଡ଼େ ଭଲ ।

ନୈବେଦ୍ୟ ପରି ନିବେଦିତ ଜୀବନ, ଦୁନିଆରେ ଦଶଜଣଙ୍କ ମଙ୍ଗଳପାଇଁ, ନିଜ ପାଇଁ ନୁହେଁ ତାଙ୍କର ବଞ୍ଚିବା । ସେହି ଆଦର୍ଶ ତ ଦେଇଯାଇଥିଲେ ଜାତିର ପିତା, ସେହି ମନ୍ତ୍ର–’’ସତ୍ୟ ଅନୁସନ୍ଧାନେ ଆମ୍ଭର ସଂଗ୍ରାମ–ଜୀବନ ବଳିଦାନେ ଆମ୍ଭର ବିଶ୍ରାମ, ଅହିଂସା ମନ୍ତର–ଜପି ନିରନ୍ତର–ନ୍ୟାୟ ନିର୍ମଳ ପଥେ ବ୍ରଜାମ ।’’

କୁଶଳବାବୁଙ୍କ ବିଷୟରେ ଏପରି ବିଜ୍ଞପ୍ତି କେହି ତାକୁ ଦେଇନାହିଁ । ସେ ବିଜ୍ଞପ୍ତି ସୃଷ୍ଟି କରିଥିଲା ତା’ ମନ । ନିଜ ମନ ଭୁଲ୍ କହେ ନାହିଁ,–ସେ ଭାବିଥିଲା, ଯୁକ୍ତିତର୍କ, ଶୁଣାକଥା, ଅଙ୍କକଷା ବିଚାର, ଏସବୁ ସତେ ଯେମିତି ଉପର ଉପରର, ଆଉ ତା’ ତଳେ, ସାତତାଳ ପାଣି ତଳେ, କେଉଁଠି କଥା କହେ କେଉଁ ଭିତରର ସ୍ୱର, ଯେଉଁଠି ସାନ ଭୁଟୁକିଟିଏ ଜନ୍ମ ହୁଏ ଆଉ ଉପରକୁ ଉଠେ ଅଦେଖାରେ ମିଳେଇଯିବାକୁ । ସେହି ସ୍ୱର କୁଶଳବାବୁଙ୍କ ବିଷୟରେ ଏତେକଥା କହିଥିଲା ।

ଜାତିର ପିତା ତ ସେହି ସାନ ସ୍ଵରର ନିର୍ଦ୍ଦେଶକୁ ଅନୁସରି କାମ କରୁଥିଲେ ବୋଲି କହୁଥିଲେ, ତେଣୁ କେତେବେଳେ ହଠାତ୍ ସେ ମୋଡ଼ ନେଉଥିଲେ, ଆପଣା ବାଟରେ ଆପେ ଚାଲିଯାଉଥିଲେ, ଆଉ ଜାତିର କବିଗୁରୁ ବାଣୀ ଗାଇଥିଲେ–“ଏକେଲା ଚଲୋରେ–”

ଅନ୍ତର ଭିତରେ ସାନ ପାଟିରେ କାନପାଖେ ସେହି ଫୁସୁ ଫୁସୁ କଥା କୁଶଳବାବୁଙ୍କ ପରିଚୟ ତାକୁ ଦେଇଥିଲା ।

ଯେମିତି ବନ୍ଧୁହୀନ ଆତ୍ମକୈନ୍ଦ୍ରିକ ସମାଜରେ ମନମାରି ଦିନ ବିତାଉ ବିତାଉ ବନ୍ଧୁଟିଏ ପାଇଲେ କୋଟିନିଧି ପାଇଲା ପରି ଲାଗେ ଓ ମନ ଚଞ୍ଚଳ ହୋଇଉଠେ, ଯେମିତି ନୀତି ଆଦର୍ଶଭ୍ରଷ୍ଟ ଭୟକାତର ସ୍ୱାର୍ଥାନ୍ଧ ଦୁନିଆଁରେ କାହାରିକୁ ଆଦର୍ଶର ତପସ୍ୟାରେ ନିରତ ଦେଖିଲେ ଲାଗେ ଅମାବାସ୍ୟାର ଅନ୍ଧାରି ବାଟରେ ଆକାଶରୁ ଆଲୁଅ ଢାଳୁଛି କେଉଁ ଗୋଟିକିଆ ଉଜ୍ଜ୍ୱଳ ତାରାଟିଏ, ଆଉ ଲାଗେ, “ମୁଁ ବଞ୍ଚିଛି”, ଆଉ ଯେମିତି ବେଳେ ବେଳେ ଦିଶେ, ପାଣି ଉପରେ ଯେଉଁ କାଠି ଖଣ୍ଡିକ ଠାଏ ପଡ଼ିରହି ଭାସୁଥିଲା, ହଲ୍ ନାହିଁ ଚଲ୍ ନାହିଁ, ଆଉ ହଠାତ୍ କେଉଁ ଅଜଣା ଓଟରାରେ ସେ ତରତର ହୋଇ ଗଲା ଭାସି, ସେମିତି ରମାର ମନ ଭିତରେ ଆସିଲା ଉଲ୍ଲାସ ଆଉ ଗତି, ଲାଗିଲା,–ଜୀବନଟା ନୁହେଁ ଆଖିବୁଜି ଦିନ ବିତେଇବା; ଯେଉଁ ସ୍ୱପ୍ନ ଦେଖି ସେ ଘରୁ ପାଦ ଟେକିଥିଲା, ପୁଣି ତା’ର ଆକର୍ଷଣ ଅନୁଭବ କଲା ।

 

ସୁରକୁ କୋଡ଼ରେ ପୂରାଇ ଗେଲ କଲାବେଳେ ତା’ ଭବିଷ୍ୟତ ଭାବିବାକୁ ତାକୁ ସୁଖ ଲାଗିଲା, ତା’ ସଙ୍ଗେ ସଙ୍ଗେ ଦିଶିଲା କୁଶଳବାବୁଙ୍କ ମୁହଁ । କେବେ କେବେ ସେହି ଦର୍ପଣରେ ଯଦି ହରର ମୁହଁର ଛାଇପଡ଼ିଲା, ସେ ଛାଇ ଦିଶିଲା ନିଷ୍ପ୍ରଭ, ମଳିନ, ତା’ପ୍ରତି ବିରାଗ ବି ହେଲା ନାହିଁ ।

 

ଯେମିତି ଏକାଠି କାହା ସଙ୍ଗରେ ସେ କୁଆଡ଼େ ଯିବାକୁ ବାହାରିଥିଲା, ଖଣ୍ଡେ ବାଟ ଏକା ଡବା, ଏକା ବଖୁରୀ, ଏକା ଖାଦ୍ୟ, ମେଳାପ ଆଉ ଆଳାପ ସବୁ ଏକାଠି, ତା’ପରେ କେତେବେଳେ ବିଦାବିଦି ହେଲା ମନେ ନାହିଁ, ବଡ଼ ସହଜ ସ୍ୱାଭାବିକ ବୋଲି, ଯେମିତି ଗୋଟାଏ ଗଛରେ ଦୁଇଆଡ଼ୁ ଦୁଇକେନା ବାହାରି ଚାଲିଯାଏ ।

 

ତା’ପରେ ଦୁଇ ବିପରୀତ ବାଟରେ ଦୁଇଟି ରେଳଗାଡ଼ି, ଗୋଟିକରେ ସେ, ଆରଟିରେ ତା’ର ସାଥୀ, ଯାହାର ଗନ୍ତବ୍ୟ ଲକ୍ଷ୍ୟ କି ଠିକଣା ବୁଝିବାକୁ ତା’ର ମନେ ପଡ଼ିନାହିଁ, ସେଥିପାଇଁ କ୍ଷୋଭ ବି ନାହିଁ ଏତେ ଟିକିଏ ।

 

ଯେ ଗଲା ସେ ଗଲା । ତା’ ସଙ୍ଗେ ସଙ୍ଗେ ଗଲା ଟିକି ଟିକି ଦେଣ ନେଣର କେତେ କାହାଣୀ । କିଏ କାହାକୁ ପାଣି ଗିଲାସେ ଅଜାଡ଼ି ଦେଇଥିଲା, କିଏ ଦେଇଥିଲା କାହାକୁ ଆପଣା ମୁଣିରୁ କାଢ଼ି କେଉଁ ଫଳ କି ଖାଦ୍ୟ, କାହାପାଇଁ କେଉଁ ତ୍ୟାଗ ସହିଥିଲା ।

 

ଦି’ ଦିନର ସାଥୀ ଆଉ ଦି’ ଦିନର ସମ୍ବନ୍ଧର କାହାଣୀ । ସେ ଅତୀତ ।

 

ନିଶା ରାତିରେ ଶୋଇବାବେଳେ ଅଳ୍ପ କେତେ ସମୟ ପାଇଁ ମନଭିତରେ ଯେପରିକି ପାହାନ୍ତି ଫାଟେ, ସେହି ଆଲୁଅରେ ସ୍ପଷ୍ଟ ହୋଇ ନୂଆ ନୂଆ ଦୃଶ୍ୟ ଦିଶେ । ଆତ୍ମବିଶ୍ଵାସ ଆସୁଥାଏ, ଅନ୍ଧାର କଟିଯାଇଛି, ଏ ସକାଳ ।

 

ହରକୁ ସେ ଭୁଲିପାରିଛି, ସେଥିପାଇଁ ସେ ଦୁଃଖିତ ନୁହେଁ । ଦେହରେ ଯେଉଁ କଟା ଘା’ ଦିନରାତି ହାକୁ ହାକୁ ଜଳୁଥିଲା ଦିନେ ଦେଖିଲା ବେଳକୁ ସେ ନାହିଁ, ଖୋଳପା ଛାଡ଼ିଯାଇଛି । ଖାଲି ଗୋଟାଏ ନାଲି ଦାଗ, ଆଉ କେତେବେଳେ ସେ ଦାଗକୁ ଅଣ୍ଡାଳି ଅଣ୍ଡାଳି ଖୋଜିବାକୁ ହୁଏ, ଏଇଠି ସେ ଥିଲା ବୋଲି, ସେତେବେଳେ ତା’ର ବର୍ଣ୍ଣ ନିଜ ଚର୍ମର ସାଧାରଣ ବର୍ଣ୍ଣ ସଙ୍ଗେ ମିଶି ଯାଇଥାଏ-

 

ଦୁନିଆଁ କ’ଣ ତାକୁ କହିବ ଦୋଷୀ ?

 

ସେ ଦୂରରୁ ପାଖକୁ ଦୃଷ୍ଟି ପକାଇ ପକାଇ ଆଣେ, ଗୋଟାଏ ଗୋଟାଏ ମଣିଷ କି ଘଟନା ଉପରେ ଅଟକି ଅଟକି ରହେ, ଦୃଷ୍ଟି ନୁହେଁ, ଯେମିତି ଟର୍ଚ୍ଚ ଲାଇଟ୍ । ରେବ ସେ ମୂଷା ଭାଇ ଭରିଯା,–ସୁଷମା,–ପ୍ରଭାତୀ–ଆଉ କେତେ ଦେବୀ ଯେ ଦେଶରେ ନାଁ ଡାକ୍ ।

ବିସ୍ମିତ ହୁଏ, କେଡ଼େ ଚଞ୍ଚଳ ଲୋକେ ବଦଳିଛନ୍ତି, ଅଥବା ତା’ର ଦେଖିବା ହିଁ ବଦଳିଛି ।

ଏ ଦୁନିଆଁ ସବୁ ପାର କରି ଦେଇପାରେ, ସବୁ ଚଳେଇନେଇ ପାରେ । ଚାରିଆଡ଼େ ଖୋଜିଲେ ଦିଶିବେ,–ସବୁ ପରସ୍ପର ବିରୋଧୀ ମତର ସମର୍ଥକ ଅଛନ୍ତି । ଚାରିଆଡ଼େ ଅବା କାହିଁକି,–ଗୋଟିଏ ଆଡ଼େ ନିଘାକରି ଚାହିଁଲେ ଦିଶିବ କି ବିଚାରରେ କି ଆଚାରରେ ଗୋଟିଏ ଡିହର ପୁରୁଷ ପୁରୁଷକର ଲୋକେ ଭିନ୍ନ ଭିନ୍ନ ବାଟ ଧରିଛନ୍ତି । ଯେମିତି ଧର୍ମ ମତ, କେତେବେଳେ ବୈଦିକ, କେତେବେଳେ ବ୍ରାହ୍ମଣ୍ୟ, କେତେବେଳେ ବୌଦ୍ଧ ଜୈନ୍ୟ କି ଶୈବ ଶାକ୍ତ ବୈଷ୍ଣବ କି ଖ୍ରୀଷ୍ଟିଆନ୍ କି ବ୍ରାହ୍ମ ସେତ ପଢ଼ା ଇତିହାସର ଗପ, ଆଖିରେ ଦେଖିଲା ବେଳର କଥା କେତେ ଜାତି ଜାତି ବାବାଜି ଆଉ ଗୁରୁ, କାହାର କେଉଁ ଦୀକ୍ଷା । ଆଉ ଏକା ପୁରୁଷକେ ବି ଯାହା ଥାଏ ଜଣାଶୁଣା ଚଳନ୍ତି ଧାରା, ବିଜ୍ଞାପନର ଅଭିଲେଖ, ତା’ ଉହାଡ଼ରେ କେତେ ତହିଁର ଓଲଟା ଓଲଟା, କେମିତି କହନ୍ତି ସହରରେ କୁଆଡ଼େ,–ବାହାରକୁ ଯେ ବୋଲାଏ ଚାହା ଦୋକାନ କି ଜଳଖିଆ ଦୋକାନ, ସେଥିରୁ କେଉଁ କେଉଁଟାରେ ଭିତରେ ଖୋଜିଲେ ମଦ ମିଳେ ।

ତଥାପି ସେହି ଦୁନିଆଁର ଚଳନ୍ତି ଆଇନରେ ଆଞ୍ଚ ଲାଗିଲା ଭଳି ବି କିଛି ସେ କରିନାହିଁ ଯହିଁରେ କିଏ ତାକୁ ଦୋଷ ଦେବ ।

ଆଉ,–ପଡ଼ି ପଡ଼ି ଭାବେ, କଲେ ବା କ୍ଷତି କ’ଣ ହୁଅନ୍ତା ?

ଯାହା ନକରିଛି ଯାହା କରିବାକୁ କେବେ ପାଞ୍ଚିନାହିଁ ମନେ ମନେ ତର୍କ ଛଳରେ ଭାବିଲେ ବି ମନରେ ଉତ୍ତେଜନାର ଉଷୁମ୍ ଲାଗେ । ସେତେବେଳେ ସେ ଶୁଣା କାହାଣୀ ମନେପକାଏ ।

ଏଇ ସେହି ସମାଜ । ପଚିଶ ବର୍ଷର ବୋହୂପଣ, ପିଲାଏ ଘର କଲା ଭଳି ହେଲେଣି, ମନ ଖିଆଲରେ ସ୍ୱାମୀ ଆଉ ଗୋଟିକୁ ବିଭା ହେଉଛି, ପୁରୁଣାକୁ ତଡ଼ୁଛି, ଅଥବା ସେ ଯୋଡ଼ିଏ ତିନୋଟିଙ୍କୁ ବିଭା ହେଉଛି, କି ଆହୁରି ବେଶି, ଚିଡ଼ିଆଖାନା ସଜୋଉଛି, ଅଲଗା ଅଲଗା ଜନ୍ତୁଙ୍କ ପାଇଁ ଅଲଗା ଅଲଗା ଘର କି ତାରଜାଲି ଘେରା ବେଢ଼ା । ଯୁବତୀ ସ୍ତ୍ରୀ ଯୁବକ ସ୍ୱାମୀକୁ ଛାଡ଼ପତ୍ର ଦେଉଛି, ଛାଡ଼ପତ୍ର ନଦେଇ ବି ଚଳୁଛି ଆଉ କାହା ସଙ୍ଗରେ । ବିଭା ନହେଲେ ବି କେଉଁ ସ୍ତ୍ରୀ କାହାର ଘରଣୀ ହୋଇ ରହିପାରୁଛି, ତା’ପରେ ଆଉ କାହାର, ଅଥବା ସେ ଘରଣୀ ସତ କିନ୍ତୁ କାହାରି ମାର୍କାମରା ସମ୍ପତ୍ତି ନୁହେଁ ।

 

ଆଉ ଆପଣା ହାତରେ ହିଁ ତ ରମା ବାଣ୍ଟିଛି ଜନ୍ମନିରୋଧର ଔଷଧ ଓ ଉପାୟମାନ, ଗୁପ୍ତରେ, ବିଶ୍ୱାସରେ, ଅଳ୍ପ ଅଳ୍ପ ପରଖିଲାଭଳି । ଜନସଂଖ୍ୟା ଯେପରି ବଢ଼ିଯାଉଛି, ବହୁତ ପିଲା ଜନ୍ମ ହୋଇ ମା’ର ସ୍ୱାସ୍ଥ୍ୟକୁ ବାପର ପୋଷଣହାରୀପଣକୁ ଯେମିତି ବାଧିକା ପଡ଼ୁଛି ସେଥିରେ ଘରେ ଘରେ ଦାଣ୍ଡରେ ହାଟରେ “ଦୁଇଟି ସନ୍ତାନ ଯଥେଷ୍ଟ” ବୋଲି ଗାଈ ବୁଲିବା ଯେପରିକି ଗୋଟିଏ ଜାତୀୟ କର୍ତ୍ତବ୍ୟ, ନହେଉ ପଛେ ମଫସଲରେ ତା’ର ଅଧିକ ପ୍ରଚାର । କିନ୍ତୁ ଚେଷ୍ଟା କରୁ କରୁ ଯେତେବେଳେ ଯେଉଁ ଟିପ୍‍ପଣୀ ସେ ଶୁଣିଥିଲା ତା’ର ତାତ୍ପର୍ଯ୍ୟକୁ ବି ସେ ହସି ଉଡ଼େଇଦେଇ ପାରିନାହିଁ ।

 

ସେଥର ଆସିଥିଲେ ରଥେ, ତାଙ୍କର ସାତଟି ସନ୍ତାନ, ବୟସ ତେଷଠି, ସେ ଚାକିରିରୁ ଅବସର ନେଇ ପରିବାର ନିୟନ୍ତ୍ରଣ ଯୋଜନାରେ ସ୍ଥାନୀୟ ଅଧ୍ୟକ୍ଷ କାମରେ ଯୋଗ ଦେଇଥାନ୍ତି, ପ୍ରଚାର କାର୍ଯ୍ୟରେ ଆସିଥିଲେ । ତାଙ୍କରି ସହାୟତା କରିବାକୁ ରମା ବୁଲିଥିଲା । ଓଲଟସିଂ ଗାଁରେ ନନ୍ଦପଡ଼ାରେ ମଦନ ନନ୍ଦଙ୍କ ପାଠପଢ଼ା ନୂଆବୋହୂ ଜାହ୍ନବୀ ତାକୁ ତୁନି ତୁନି କହିଲା, “ଏଗୁଡ଼ା ଏବେ ସେଡ଼େ ଅଛପା ନୁହଁ ମ, କେତେ ଲୋକ ତ ଜାଣନ୍ତି । କରେ କିଏ ନକରେ କିଏ ସେକଥା ସିନା ଭିନ୍ନେ ।” କିନ୍ତୁ ତା’ ବଡ଼ ଜା’ ସୁରଭି, ପଚିଶି ବର୍ଷରେ ଛଅଟି ଛୁଆ, ତଥାପି ଦେଖିବାକୁ ଗୋଟିଏ ଚାଉଳରେ ଗଢ଼ା, ଉପାୟ ଶୁଣି ଦ୍ରବ୍ୟ ଦେଖି ତା’ ଆଖିରେ ଉତ୍ତେଜନାରେ ଲୋଲୁପତାରେ ନିଆଁ କୁହୁଳି ଉଠିଲା, ଫିସ୍ ଫିସ୍ ହୋଇ କହିଲା– “ସତେ ଏ କାଟୁ କରେ ? ଜାଣିଥାନ୍ତି ହେଲେ ଆଗରୁ !” ଜାହ୍ନବୀ ତାକୁ ଛଳେଇ ଛଳେଇ କହିଲା, “କେତେ ଆଗରୁ ବା ? ତା’ପରେ ରମାକୁ କହିଲା, “ଏ ଔଷଧ ଏ ବିଦ୍ୟା ଯଦି ସେ କାଳରେ ଲୋକେ ଜାଣିଥାନ୍ତେ ତେବେ ଶାସ୍ତ୍ର ବୋଧେ ଭିନେ ବାଗରେ ଲେଖା ହୋଇଥାନ୍ତା, ନୁହେଁ ? ତୁମେ ତ କହିବାକୁ ଆସିଚ କହୁଚ ବୁଝୋଉଚ ସତକଥା, କିନ୍ତୁ ଭାବୁଥିବ ମୋ କଥା, ଯେ ଯଦି ଏ ଜ୍ଞାନ ବିଭାହେବା ଆଗରୁ ଲୋକେ ପାଇଯିବେ ତେବେ ଅଭିଅଡ଼ା ଅଭିଆଡ଼ି ହୋଇ କେହି ଅନୀତି କଲେ କାହାରିକି ଧରିବାକୁ ବାଟ ରହିବ ନାହିଁ । ଦାୟିତ୍ୱ ମୁଣ୍ଡେଇବାକୁ ନପଡ଼ିଲେ ଅନେକେ ମନଇଚ୍ଛା କାମ କରିଯିବେ, ଆଉ ଦେଖିବ ରଇଥା, ପୁରୁଣା ରକ୍ଷଣଶୀଳ ହିନ୍ଦୁ ସମାଜକୁ କେତେ କେତେ ଯୁଦ୍ଧ ଆକ୍ରମଣ ବିରାଟ ବିରାଟ ରାଜନୈତିକ ପରିବର୍ତ୍ତନ ପଛେ ବଦଳାଇ ପାରିନଥିଲା, ପାରିବ ଏଇ ଦ୍ରବ୍ୟ, ଏଇ ଉପାୟ, ସେତେବେଳେ ତା’ର ରୂପ କ’ଣ ହେବ ତୁମେ ଆମେ ଭାବି ପାରିବା ନାହିଁ ।”

 

ଗାଁରେ କେଉଁଠି ଛୁଞ୍ଚି ମାଛି ଧରିହେଲେ ଯେଉଁମାନେ ଗାଁରେ ଥାଇ ବି ଗାଁ ଉପରେ ନିର୍ଭର କରନ୍ତି ନାହିଁ, ଚଳନ୍ତି ସହରରେ, ତାଙ୍କଠିଁ ଧନ ଥିଲେ କ୍ଵଚିତ୍ କେହି ତାଙ୍କ ଉପରେ ସାମାଜିକ କଟକଣା ପ୍ରୟୋଗ କରିବାକୁ ସାହସ କରେ । ସେମାନେ ଯଦି ସମାଜକୁ ମାନି ଚଳନ୍ତି ତେବେ ସେ ଖାଲି ନିଜର ଇଚ୍ଛାରେ, ପୁରୁଣା ଅନୁରକ୍ତି ଲାଗି, ଅଥବା ମଫସଲରେ ଚେର ରଖିବା ଉଦ୍ଦେଶ୍ୟରେ, କଟକଣାର ଡରରେ ନୁହେଁ । ଲୋକେ ଦେଖନ୍ତି ତାଙ୍କ ସ୍ୱାସ୍ଥ୍ୟ, ତାଙ୍କ ଚଳଣିର ଦାମ୍, ଶାଢ଼ୀ କି ଲୁଗା କେଡ଼େ ସଫା, ଦେଇପାରିବା କି ଖର୍ଚ୍ଚ କରିପାରିବା ଶକ୍ତି କେତେ, ଆଉ ତେଣିକି ଆଉ ଆଉ ତଥ୍ୟ ଖୋଜିବା କାହାରି କାହାରିକି ଭଲ ଲାଗିପାରେ କିନ୍ତୁ କାହା କଥାରେ ଆଉ କାହାରି କିଛି ଅଟକେନାହିଁ । ଆପଣା ଆପଣା ପୁରୁଣା ସମାଜର ଗାଁ ସମସ୍ତେ ଗାଆନ୍ତି, କେହି ପଚାରିଲେ ନିଜକୁ ତା’ର ଅନ୍ତର୍ଗତ ବୋଲି ସ୍ୱଚ୍ଛନ୍ଦରେ କହନ୍ତି, କିନ୍ତୁ ପ୍ରକୃତରେ ସେ ଶ୍ରେଣୀର ନିୟମ କଟକଣା ସେମାନେ କେଉଁ ପରିମାଣରେ ମାନନ୍ତି କେତେ କେତେ ଲୋକଙ୍କ ପକ୍ଷରେ ତା’ର ଉତ୍ତର ଦେବା ହୁଏତ କାଠିକର ପାଠ । ନିୟମ ଭାଙ୍ଗିଲେ କାହିଁ କାହାର ସେଥିପାଇଁ ଶାସ୍ତି ?

 

ଯେ ଅବା ଯେଉଁ ସାମାଜିକ ନୀତି ଆଦରି ଚଳୁଛନ୍ତି ଅଣ୍ଟାରେ ପଇସାବଳ ନଥିଲେ କିଏ ତାଙ୍କୁ ବାହା ବାହା କହୁଛି ?

 

ମିଛ, ଦୁର୍ନୀତି, ପାପ ବୋଲି ଲୋକେ ଯାହାକୁ ଘୃଣା କରନ୍ତି ବୋଲି କହନ୍ତି ନିଜ ପେଟପାଟଣା ପାଇଁ କି ଆଉ କେଉଁ ସ୍ୱାର୍ଥ ଖୋଜିବାକୁ ପଦାକୁ ବାହାରିଲେ ଯଦି ଦେଖନ୍ତି ମିଛୁଆ, ଦୁର୍ନୀତିଗ୍ରସ୍ତ, ପାପୀ, ମଦୁଆ, ଚୋର, ଶଠ, ଲମ୍ପଟ, ଖୁଣି, ନାରକୀ ଯେ ବି ହେଉ ତାହାରି ହାତରେ ନିଜର ଉଦ୍ଦେଶ୍ୟ ସିଦ୍ଧି ହେବ ତେବେ ତା’ପାଖେ ମୁଣ୍ଡ ବିକନ୍ତି, ହାତ ପାତନ୍ତି, ତାକୁ ମୁଣ୍ଡରେ ମୁଣ୍ଡାନ୍ତି-। ତା’ଠୁଁ ଦାନ ନେଲେ ସେମାନେ କୃତାର୍ଥ ହୁଅନ୍ତି । ସେଠି ପ୍ରତିବାଦ କରିବାକୁ କେବେ ତୁଣ୍ଡ ଫିଟେ ନାହିଁ । କେହି ଯଦି ପ୍ରତିବାଦ କରେ ତେବେ ସତ ଉପରେ ନୁହେଁ, ଆପଣା ସ୍ୱାର୍ଥ ସିଦ୍ଧି ହେଲା ନାହିଁ ବୋଲି । ସେଠି ଏ ଆପଣା ଜାତିକୁଳ, ନୀତିଜ୍ଞାନ, ରୁଚି, କିଛି ବାଧା ଦିଏନାହିଁ, ବିବେକ ବି ଶୋଇପଡ଼େ, ଯାହାକୁ ପ୍ରାଣେ ଡର, ଯାହାଦ୍ୱାରା ସ୍ୱାର୍ଥ ସିଦ୍ଧି ହେବ, ଯାହା ପାଖରୁ ଧନ କି ସୁଖ, ସୁବିଧା, ସମ୍ମାନ କି କ୍ଷମତା ମିଳିବା ଆଶା ଅଛି ବୋଲି ମଣିଷ ତା’ ପଛରେ ପିଛା ପରୀକ୍ଷା କରୁଥାଏ, ଗୋଡ଼ାଣିଆ ହୋଇ ଧାଇଁଥାଏ, ତା’ ଚରିତ୍ର କି ଆଚରଣରେ କେବେ କୌଣସି ଅନ୍ଧାରିପଟ ଥାଇପାରେ ବୋଲି ସେ କେବେ ଭାବେ ବି ନାହିଁ । ଯେମିତି ରସଗୋଲା ତ ସୁଆଦ, ଯେଉଁହାତ ତାକୁ ତିଆରି କରିଥିଲା ସେ ପରତଣ୍ଟିରେ ଛୁରି ଦେଇଛି କି ଠାକୁର ପୂଜା କରିଛି କାହାର ଭାବିବା ଦରକାର କ’ଣ ?

 

ତେଣୁ ଖାଲି ସମାଜର ବିଭିନ୍ନ ସ୍ତରରେ ନୁହେଁ, ଜୀବନର ପ୍ରତି କ୍ଷେତ୍ରରେ, କେଉଁ ଗୋଟିଏ ସ୍ଥାନରେ ନୁହେଁ, ଦୁନିଆଁରେ ସବୁଠି, ସବୁ ନୀତି ଆଦର୍ଶ ସବୁ ଭଲପଣିଆ ସୁସ୍ଥି ଆଉ ଶାନ୍ତି ଭୁଶୁଡ଼ି ପଡ଼ୁଛି ବୋଲି ସମସ୍ତେ ଯେଡ଼େ ବଡ଼ପାଟିରେ ବୋବାଳି ଛାଡ଼ୁଥିଲେ ବି, ଯେତେ ଅଦଳ ବଦଳ ହେଲେ ସୁଦ୍ଧା, ଡଙ୍ଗାରେ ମଙ୍ଗୁଆଳ କି ଘୋଡ଼ାରେ ସବାର ହେଉଛନ୍ତି ସେହି ରସଗୋଲା ଦେଲା ବାଲାଏ, ତାଙ୍କ ପରିଚୟ ଖାଲି ସେତିକି, ତା’ଛଡ଼ା ସେମାନେ ଆଉ କ’ଣ କରନ୍ତି ନକରନ୍ତି ଲୋକେ ତା’ ଜାଣି ନ ଜାଣିଲା ପରି ରହନ୍ତି ।

 

ଯେକୌଣସି କ୍ଷେତ୍ରରେ ନେତାର ନୀତି ଆଗ ଦଶଜଣଙ୍କୁ ରସଗୋଲା ଯୋଗାଇବା, ତେଣୁ ସେଥିପାଇଁ ସମ୍ବଳ ଆହରଣ ତା’ର ଉଦ୍‍ଯୋଗ ପର୍ବରେ ସୀମିତ ନୁହେଁ, ତା’ ଜୀବନର ସବୁ ଅବସ୍ଥାରେ, ଯେତେବେଳେ ସେ ତା’ ନପାରିବ ସେ ଖସି ପଡ଼ିବ । ଆସିବ ଆଉ କିଏ, ଆଉ ବେଶି ଦେଲାବାଲା ।

 

ଆଉ, ଯେଉଁ ସମାଜରେ ସେ ହେବ ମୁରବି, ସେଠି ସମସ୍ତିଙ୍କ ପାଇବା ଲାଳସା ବଢ଼ି ବଢ଼ି ଚାଲିଛି, ସେହି ପରିମାଣରେ ଜଣକା ଜଣେ ପାଲଟି ଯାଉଛନ୍ତି ପଣ୍ୟଦ୍ରବ୍ୟ, ସମୟ ଦେଖି ଚାହିଦା ଦେଖି ଗୋଟି ଗୋଟି ମୁଣ୍ଡର ଭାଉ, ଭାକୁର କି ରୋହି, ଖଡ଼ା କି ଖାସି, ସେ ପାଟି ଯେତେ ବହିରୁ ଘୋଷିଥିବା ନୀତି ବିଚାରର କଥା କହୁଥାଉ, ଗାଉଗାଉ ଯେତେ ରାମନାମ, ତା’ର ମୂଲ୍ୟ ବା କ’ଣ ।

 

ସେମିତି ରମା ବିଛଣାରେ ପଡ଼ି ପଡ଼ି ଭାବୁଥାଏ, ଲାଗୁଥାଏ ସରଳ ସ୍ପଷ୍ଟ ହୋଇ ସବୁ ଦିଶି ଦିଶି ଯାଉଛି, ଶରତର ମନ୍ଥର ନଈ ସୁଅ, କାଚ ଖମ୍ବ ପାଣିକୁ ଅନାଇଲେ ତଳି ବୋଲି ଦିଶୁଛି, ସେ ତଳିରେ ଏତେ ପଦାର୍ଥ । ସେ ସୁଅ ନୀତି ଆଦର୍ଶର ନୁହେଁ, ଧନ ଆଉ ଲାଳସାର । ସେଥିରେ ସବୁ ବୁଡ଼ିଛି, ଯେମିତି ନୂଆ ବନ୍ଧର ବୁଡ଼ି ଅରାକରେ କେତେ କେତେ ପୁରୁଣା ଦେବାଳୟ ତୀର୍ଥ ଆଉ ଦେବତା, କେତେ ପୁରୁଣା ସଂସ୍କୃତି, ଆଦର୍ଶ, ମୂଲ୍ୟବୋଧ, କେତେ ତପୋବନ । ଏ ଯେଉଁ ଘଣ୍ଟାନାଦ ଆଳତି ବାଜଣା ମନ୍ତ୍ରଧ୍ୱନି ଶୁଭିଶୁଭି ଯାଉଛି ସେ ସତେକି କେଉଁ ଅତୀତର ପ୍ରତିଧ୍ୱନି କେଉଁ ଅକାତ ପାଣିତଳୁ । ସେ ନାହିଁ, ସେ ଖାଲି ତୁଚ୍ଛା କଳ୍ପନା ।

 

ଦିଶି ଦିଶି ଯାଉଛି, ତା’ ବୋଉ ହୋଟେଲ କାମରେ ମାତିଛି, ତା’ ବଡ଼ ଭାଇ ଯେ ଚାକିରି କରେ, ତା’ ଗାଁ ଯେ ଅଧା ସହର ହେଲାଣି, ସେ ନିଜେ ଯେ କେଉଁଠି ଆସି ହେଲାଣି ।

 

ସୁର ନିଘୋଡ଼ ନିଦରେ ଶୋଇଥାଏ । ଏ ଯେତେବେଳେ ମଣିଷ ହେବ ସେତେବେଳେ କେମିତି ହୋଇଥିବ ୟେ ଦୁନିଆ ? –ରମା ଭାବୁଥାଏ ।

 

ପାଟି ଫିଟାଇଲେ କିଏ ଠେଙ୍ଗା ଉଞ୍ଚେଇ ଗୋଡ଼େଇବେ, କିଏ କହିବେ ପାଗଳ, ହେଉଛି ତ ତା’ ।

 

କିନ୍ତୁ ସେମାନେ କ’ଣ ବୁଝୁନାହାନ୍ତି ?–ସେ ଭାବୁଥାଏ । ଚାରିଆଡ଼େ ଚାହିଁଲେ ସାନ ବଡ଼ ହୋଇ ଯେତେ ଘଟଣା କି ବିଘଟଣ ଦିଶୁଛି ସେମାନେ କ’ଣ ତାକୁ ଦେଖି ଅର୍ଥ କରି ପାରୁନାହାନ୍ତି ଗତି କେଉଁଆଡ଼େ, ଆସନ୍ତା ଦିନର ଚେହେରା କ’ଣ ?

 

ସମାଜ ସମାଜ–ସମାଜ ! କାହିଁ ସେ ? ଏକାଠି ଗୁନ୍ଥାଗୁନ୍ଥି ବି ନୁହେଁ, ଏକାଠି ଆଉଟି ହେବା ତ ଦୂରର କଥା । ଏକାଠି କୁଢ଼ା ହୋଇଥିବା ଶୁଖିଲା ଧୂଳି ପରି, ପବନରେ ଉଡ଼ି ଉଡ଼ି ସେ କେତେବେଳେ କେଉଁ ବାଗରେ ଗଦା ହେଉଥିବ, ଗଦାମାନଙ୍କରେ ସେତିକି ବେଳର ଢିପ ଢାଲୁ ଆକାର ପ୍ରକାର ହୋଇ ରୂପ ହିଁ ସେ ସମାଜର ରୂପ, ଆଉଘଡ଼ିକୁ ସେ ଭିନ୍ନେ ରୂପ, ଆଉ ଠାଏ ।

 

ଯାହା ଚାଲିଥିଲା ଲୁଚାଛପାରେ, ଯେତେବେଳେ ନୀତିକୁ ମାନି ନ ଚଳିଲେ ବି ନିଜ ଉପରେ ନୀତିର ଦାବିକୁ ଲୋକେ ସ୍ୱୀକାର କରୁଥିଲେ, ଲୋକେ ତାକୁ ବି କଲେଣି ପ୍ରକାଶ୍ୟରେ, ଜୋଇଁ ହାତକୁ ମଦ ଗିଲାସ ବଢ଼ାଇ ଦେଇ ଜୋଇଁ ସଙ୍ଗେ ଏକାଠି ମଦ ପିଇବାକୁ ଶ୍ୱଶୁର ଆଉ ଲାଜ କରୁ ନାହିଁ । ନୀତିର ଦାବି ସମାଜର ଦାବି ନ ମାନିବା ହିଁ ସେମାନଙ୍କର ଚଳଣିର ବିଶିଷ୍ଟତା । ତଥାପି ସେମାନେ ଆପଣା ବଂଶମର୍ଯ୍ୟାଦାର ପରମ୍ପରାରେ ନିଜକୁ ଯୋଡ଼ି ଗର୍ବ ଅନୁଭବ କରିବା ସକାଶେ ତୁଣ୍ଡରେ ଯେଉଁ ନୀତି ଆଦର୍ଶର ନାଁ’ ଗପନ୍ତି ଅଥବା ଅତୀତର କେଉଁ ପ୍ରତିଷ୍ଠିତ ସମ୍ପ୍ରଦାୟର ନାଁ’ ଉପରେ ବେଉସା ଚଳାଇ ଲାଭ କରିବେ ବୋଲି ବେଶରେ ଭେକରେ ଯେପରି ନିଜକୁ ସେ ସମ୍ପ୍ରଦାୟର ବୋଲି ଦେଖାଇ ହୁଅନ୍ତି,–ଯେମିତି ମାଳି କୋଥଳି ନାମାବଳୀ ଚିତାଚଇତନରେ ସଜାଇହୋଇ ଗୌଡ଼ିଆ ବୈଷ୍ଣବ,–ଦିନ ଆସିବ ଯେତେବେଳେ ଆଉ ତା’ କରିବା ଆବଶ୍ୟକବି ତାଙ୍କର ରହିବନାହିଁ, ଦେହରୁ ନାମାବଳୀ ଯିବ, ନାମ ପଦବି ଭୁଲି ହୋଇଯିବ, ଦିଅଁଦେବତା ଗୁରୁ-ଗଉରବଙ୍କ ଯେତେ ଛବି ମୂର୍ତ୍ତି କି ଆଉ କିଛି ଶଙ୍କୁ–ସଙ୍କେତ ସବୁ କୁଆଡ଼େ ହଜିଯାଇଥିବ ଧୂଳି ହୋଇଯାଇଥିବ, ସେତେବେଳେ ଚଳଣିର ଉପାୟ ଯେଝାର ଯେଝା ।

 

ଆପଣା ମନଇଚ୍ଛା ଯେତେବେଳେ ଯେଉଁଠି ଇଚ୍ଛା ଯୁବକ ଯୁବତି ଏକାଠି ହେଉଥିବେ, ଏକାଠି ରହୁଥିବେ ଯେତେଦିନ ଖୁସି ସେତେଦିନ, ପୁଣି ଅଲଗା ହେଉଥିବେ । ଉନ୍ନତ ଚିକିତ୍ସାବିଜ୍ଞାନ ଯନ୍ତ୍ରବିଜ୍ଞାନ ତାଙ୍କୁ ସେଥିପାଇଁ ଅଧିକ ଶକ୍ତି ଓ ସୁଯୋଗ ଦେଉଥିବ । ସେମାନେ ବଞ୍ଚୁଥିବେ କଳରେ କଳ ହୋଇ ଖଟି ଅନ୍ୟ ସମୟରେ ସ୍ଵେଚ୍ଛାଚାର କରି ଉତ୍ତେଜନା ପାଇବାକୁ, ଉତ୍ପାଦନ କରିବା ଅପେକ୍ଷା ପରସ୍ଵ ଆକର୍ଷଣରେ ବେଶି ବୁଦ୍ଧି ବଳ ଖଟାଇବାକୁ, ସେଥିପାଇଁ ସାମୟିକ ମେଣ୍ଟ ହେଉଥିବ, ପୁଣି ଭାଙ୍ଗି ଭିନେ ମେଣ୍ଟ ହେଉଥିବ, ସେ ଯୁଗ ସୁସ୍ଥି ଯୁଗ ନୁହେଁ, ଯେ ନ ପାରିଲା ସେ ବଳେ ମଲା, ଯେ ଯେଉଁ ମଣିଷକୁ କି ପଦାର୍ଥକୁ ମୁଠେଇ ଧରିଲା ସେ ଆପଣା ଜୀବନଥିବାଯାକେବି ନୁହେଁ, ଯେତେ ସମୟ ପର୍ଯ୍ୟନ୍ତ ତା’ ମୁଠାରୁ ଆଉ କେହି ଛଡ଼େଇ ନ ନେଇଛି ସେତିକି ସମୟ ପର୍ଯ୍ୟନ୍ତ । ସେମାନଙ୍କୁ ଏକାଠି ଏକା ବାଟରେ ଚଳାଉଥିବ ଉପରୁ ମାହୁନ୍ତ କେଞ୍ଚାର ଭୟ, ତା’ବି ଆପଣା ଆପଣା ଘରକରଣା କରିବାକୁ ନୁହେଁ, ଆପଣା କାମକୁ ଛାଡ଼ି ଆଉ କେତେକ ନିର୍ଦ୍ଦିଷ୍ଟ କାମ କରିବାକୁ, ଯେପରି କେଉଁ ଉତ୍ପାଦନ କି ନିର୍ମାଣ କି ଧ୍ୱଂସ । ସେମାନେ ସେହି କେଞ୍ଚାର ଡରରେ ଏକାଠି ମେଣ୍ଟହୋଇ କାହା ସଙ୍ଗରେ ଯୁଦ୍ଧ କରିବାକୁ ଯାଉଥିବେ, ପୁଣି ମାହୁନ୍ତ ବଦଳି ଗଲେ ଅନ୍ୟ କେଉଁ ମାହୁନ୍ତ ନିର୍ଦ୍ଦେଶରେ ଯୁଦ୍ଧ ଯାଗାକୁ ପଛ ବୁଲାଇଦେଇ କେଉଁ ମିତ୍ରପକ୍ଷ ସଙ୍ଗେ ଯୁଦ୍ଧ ଆରମ୍ଭ କରି ଦେଉଥିବେ, ନ ହେଲେ ବିଭିନ୍ନ ମାହୁନ୍ତଙ୍କ ଅଧୀନରେ ପୁଳାପୁଳା ଗୋଠ ଗୋଠ ହୋଇଯାଇ ଏକା ଗୋଠ ନହେଲାଯାକେ ଭଡ଼ାଟିଆ ପହିଲମାନଙ୍କ ପରି ଆପଣା ଆପଣା ଭିତରେ ଖୁରି ଲଗାଲଗି ହେଉଥିବେ ।

 

ଆଉ ତା’ପରେ କ’ଣ ? ତା’ପରେ କ’ଣ ? କୁତୂହଳ ଯେପରିକି କ୍ଳାନ୍ତି ଓ ଘୃଣାରେ ମିଞ୍ଜିମିଞ୍ଜି ହୋଇଆସିଥିଲା । ତା’ପରେ ସେ ନିଭିଗଲା ।

 

ରମା ଶୋଇପଡ଼ିଥିଲା ।

 

ସକାଳୁ ନିଦ ଭାଙ୍ଗିଲାକ୍ଷଣି ଗଲା ରାତିର ଉଦ୍‍ଭଟ ଧାରଣାମାନଙ୍କ ରାଗିଣୀ ମନ ଭିତରେ ସମବେତ ସଙ୍ଗୀତ ହୋଇ ବାଜିଉଠିଲା । ସେ ସ୍ୱର କରୁଣ ରସର । ମନେପଡ଼ିଗଲା, ଏ ଦେଶ ଉପରେ ସାଂପ୍ରଦାୟିକ ହାଣକାଟର ଢେଉମାନ ଗଡ଼ିଯାଇଛି । ଚୀନାର ଆକ୍ରମଣ ଗଡ଼ିଯାଇଛି, ମହାତ୍ମାଜୀ ନାହାନ୍ତି, ପଣ୍ଡିତ ନେହେରୁବି ଗଲେଣି । ଦେଶ କାନ୍ଦି କାନ୍ଦି ବିଦାୟ ଦେଇଛି ସେମାନଙ୍କ ଶେଷ ସ୍ମୃତିକୁ । କେଡ଼େ ଶୀଘ୍ର ତା’ର ଆଶାବାଦ ବଦଳି ଯାଇ ହେଲା ନୈରାଶ୍ୟ ଓ ଆତଙ୍କ ! ସେ ନିଜେ କାବା ହେଲା । କାହିଁକି ବା ? ସେ ନିଜେ ଯେମିତି ଚାକିରି କରି ଚଳୁଥିଲା ସେପରି, ଆଗର ଆଶାବାଦର ସୃଷ୍ଟିପାଇଁ ଆପଣା ଜାଣତାରେ କିଛି ସେ କରି ନଥିଲା କି ଏବର ଏ ନିରାଶାବାଦର ସୃଷ୍ଟିପାଇଁବି । ତେବେ, ହେଲା ? ନା କ’ଣ ପ୍ରଚଳିତ ଭାବଧାରାରେବି ପାଗ ଥାଏ, ଯେ ଯେତେବେଳେ ଯେଉଁ ପାଗ ମନରେ ସେତେବେଳେ ସେହି ଭାବ ଆସେ ? ତା’ର ଏ ସଂଶୟକୁ ଆପଣା ଭିତରୁ କୌଣସି ଉତ୍ତର ସେ ପାଇଲାନାହିଁ ।

 

ଥମ ଥମ ମେଘଲଦା ଆକାଶରେ ବିଜୁଳି ଠାରେ ଖେଳି ଯାଇ ନିଶ୍ଚିହ୍ନ ହେଲାପରେ ଯେମିତି ଆକାଶ ରହିଥାଏ ଆଗପରି ନିରନ୍ଧ୍ର ଚିକ୍‍କଣ କଳା ହୋଇ ସେମିତି ପୁଣି ତା’ର ମନ ଆପଣା ଆପେ ଗୋଟେଇ ପୋଟେଇ ହୋଇ ପୂର୍ବ ସ୍ଥିତିରେ ନିଃସଂଶୟ ହୋଇ ରହିଲା । ସତ, ସେ ତା’ ଧାରଣା ମାର୍ଗରେ ଆଉ ଗୋଟାଏ ଦିଗ ଦେଖିଛି, କିନ୍ତୁ କ’ଣ ଦେଖିଛି ତା’ ତା’ର ମନେନାହିଁ ।

ପୁଣି ଲେଉଟି ଆସିଥିଲା ଆଶା ବିଶ୍ୱାସରେ ଆଖିଆଗର ପରିସ୍ଥିତି ସହିତ ଖାପିଲା ଭଳି ପ୍ରବୃତ୍ତି । ସକାଳ । ଆଜିଟା କାଲିଠୁଁ ଖରାପ ନୁହେଁ । ସବୁ ଠିକ ଅଛି ।

ଆଉ ମନେପଡ଼ିଥିଲେ କୁଶଳବାବୁ । ବହୁଦିନୁ ସେ ଆସିନାହାନ୍ତି ।

ସୁରକୁ ସଜ କଲା । ନିତ୍ୟକର୍ମ ଛିଣ୍ଡେଇଲା । ଚାହା ଖାଇଲା । ଚାହା ତା’ର ଅଭ୍ୟାସ ହୋଇଗଲାଣି, ତା’ ସହିତ ଆପେ ପୋଷିଥିବା ଲେଗ୍‍ହର୍ଣ୍ଣ କୁକୁଡ଼ାର ଡିମ୍ବର ଆମଲେଟ । ଘରକାମ ଖଣ୍ଡେବାଟ ଆଗେଇଲା । ଗାଧୋଇ ପଡ଼ିଲା । ତା’ପରେ ତା’ର ଇଚ୍ଛା ହେଲା ସେ ଠାକୁର ପୂଜା କରିବ ।

ଅନୁଭୂତି ଜୀବନର ପ୍ରବାହରେ ନିଜକୁ ଯୁକ୍ତି ଓ ବିଚାରରେ ତିଆରି କରୁ କରୁ ସେ ବହୁଦିନୁ ବ୍ରତ, ବାର, ଉପାସ ଓ ଠାକୁର ପୂଜା ଛାଡ଼ି ଦେଇଥିଲା । ତା’ ପରିବର୍ତ୍ତେ ଧରିଥିଲା ଭାବି ଭାବି ବହିପଢ଼ା । ଓଡ଼ିଆ ପଢ଼ିବାରେ ଆଗରୁ ତା’ର ଝୁଙ୍କ ଥିଲା । ନୂଆ କରି ଶିଖିପାରିଛି ହିନ୍ଦୀ, ହିନ୍ଦୀ ଭାଷାରେ ଅନୁବାଦ ହୋଇଥିବା ଭାରତର ନାନାଭାଷାର ବହିରୁ ସେ କିଛି କିଛି ପଢ଼ିଛି । ଆଉ ଓଡ଼ିଆ ଅନୁବାଦ ମାଧ୍ୟମରେ ପୃଥିବୀର ନାନାଭାଷାର ଶ୍ରେଷ୍ଠ ବହି ତ ସେ ପଢ଼ିଛି ତା’ଛଡ଼ା ଓଡ଼ିଆ ବହି ବହୁତ । ପୁରାଣର କାହାଣୀ ଓ ତା’ର ଫଳଶ୍ରୁତିରେ ତା’ର ବିଶ୍ୱାସନାହିଁ । ଅତ୍ରପଡ଼ା ବାବାଜୀଙ୍କ ଦୀକ୍ଷା ଘେନି ତା’ ଖୁଡ଼ିର ଯେଉଁ ପରିବର୍ତ୍ତନ ହୋଇଥିଲା ତା’ ବିବେଚନାରେ ସେଥିରେ ଅଧୋଗତିହିଁ ଥିଲା, ତେଣୁ ଆନୁଷ୍ଠାନିକ ଧର୍ମ ଭେକମୟ ଟୁଣୁକାଟୁଣୁକି ପ୍ରତି ବିରାଗହିଁ ଥିଲା । ଆଉ ଯେତେ ବହି ସେ ପଢ଼ିଥିଲା, ଉତ୍ତେଜନାମୟ ଏକାନିଶ୍ୱାସରେ ପଢ଼ିବା ବହିଠୁଁ ଦାନ୍ତଭଙ୍ଗା ନିଦଲଗା ତତ୍ତ୍ୱ ଆଲୋଚନାଯାକେ ସେଥିରେ ଆଉ ଯାହା ଥାଉ ଠାକୁର ପୂଜା କଥା ନଥାଏ ।

ଏ ସମାଜରେ ଠାକୁର ପୂଜାର ବେଶି ଭାଗ ଥାଏ ମଫସଲରେ, ସେ ଦେଖିଛି, ଯେଉଁଠି ଔଷଧ ଟିକିଏବି ମିଳେନାହିଁ ବେଶି ତ ସେଇଠି । ଆଉ ୟାବି ଦେଖିଛି, ଗାଁ ଭିତରେ ଯେଉଁ ଘର ଖଣ୍ଡିକର ଚାଳ ଅଛୁଆଣି, ଭିତରକୁ ଟୋଲେଇ ହୋଇଛି, କାନ୍ଥ ଅଲିପା କି ଛାଡ଼ି ଛାଡ଼ି ଯାଇଛି, ସେହି ଘରଟି ଠାକୁର ଘର । ଗାଁର ଠାକୁର ପୂଜା ପଦ୍ଧତି ଯାହା ତା’ର ଆଖିରେ ପଡ଼ିଛି, ପୁରୁଷମାନଙ୍କର ବେକ ଫୁଲେଇ ଫୁଲେଇ ମୁଣ୍ଡ ହଲେଇ ହଲେଇ ମୁହଁକୁ ମୁହଁ ଅନାଅନି ହୋଇ ତା’ ତା’ଉପରେ ମୃଦଙ୍ଗ ମାଡ଼ ଓ ଉତ୍କଟ ଚିତ୍କାର, ଢୋଲିଆ ଢୋଲ ଢାଉଁ ଢାଉଁ ପିଟି କୁଦାମାରିବା, ମାଇପେ ଡାଲାରେ ଫଳ ସଜେଇ ଥୋଇ ଫଳକୁ ଅପେକ୍ଷା କରିବା ଓ ଭୋଗରୁ କଣିକାଏ ଟାକୁକିନା ପାଟିରେ ପକାଇ ଦେବା ଯେପରି କି ଖାଦ୍ୟ ଓ ଔଷଧ ପରି ଭଗବାନଙ୍କ ପ୍ରସାଦରେ ସନ୍ତକ ପାଟିବାଟେ ପେଟକୁ ଗଲେହିଁ ଚେତନାର ଆଲୁଅ ଚହଟିବ–ସେ ପଦ୍ଧତି ତାକୁ କରିପାରିନାହିଁ-

ରମା ଭାବୁଥିଲା–

ସବୁ ଦେଖନ୍ତା ଧର୍ମର ଆଖିଆଗରେ ମଣିଷ ଚୋରାଲୁଚା ସବୁ କାମ କରେ, ଯେତେ ଅନୀତି ଦୁର୍ନୀତି ଅସାଧୁତା, ଭାବେ କେହି ଦେଖୁନାହିଁ । ସେହି ସବୁ ଜାଣନ୍ତା ଧର୍ମର ଚେତନା ଆଗରେ ମଣିଷ ମନେମନେ ସବୁ ପାପ ଚିନ୍ତେ, ଯେତେ ଖରାପ ଭାବନା ଆଉ ଉଦ୍ଦେଶ୍ୟ, ଠକିବା, ଫାଉ ମାରିବା, ଚୋରି ଜୁରି ଡକାଏତ, ଭାବେ କେହି ଜାଣୁନାଇଁ ମୋ ମନ କଥା । ସେ ଯାହା ଭାବୁ ଯାହା କରୁ ମୁହଁ ପୋଛି ଦେଇ ଭଲଲୋକ ହୋଇ ଧୋବଧାଉଳିଆ ହୋଇ ସଭାରେ ବସେ, ଧରା ପଡ଼ିଲେ ଚୋର, ଧରା ନପଡ଼ିବାଯାକେ ସାଧୁ, ଖାଲି ସେତିକି ନୁହେଁ, କଥା ଦାଣ୍ଡରେ ପଡ଼ି ହାଟରେ ଗଡ଼ଗଡ଼େଇଲେବି ସେ ସାଧୁ, ଯଦି ସେ ଶାସ୍ତି ନପାଏ ।

ଶାସ୍ତି ପାଇବାବି କ’ଣ ଏଡ଼େ ସହଜ ? ଖଣ୍ଟରବି ମେଣ୍ଟ ଅଛି ଦଳ ଅଛି, ତା’ର ବଳ ବେଶି, ଗୋଟିକିଆ ଚୋରପାଇଁ ଅଛି କୋକି ଗାତର ସହସ୍ରେ ଜଳା ।

ନା, ମଣିଷ ସତେ ଯେମିତି ଈଶ୍ୱରଙ୍କ ଅସ୍ତିତ୍ୱବି ମାନେନାହିଁ, ଖାଲି ତୁଣ୍ଡରେ କହେ, ବାପଅଜା କହିଥିଲେ ବୋଲି, ନ ହେଲେ ପର ଆଗରେ ଭଲେଇ ହେବାକୁ ।

ତା’ର ଚାକିରି ପରିସର ଭିତରେବି କେବେ ଭଗବାନଙ୍କୁ ଡାକିବାକୁ ଅବସର ଘଟିନାହିଁ, ଧର୍ମନିରପେକ୍ଷ ରାଷ୍ଟ୍ର, ସେ ଧର୍ମାନୁଶାସନ ଖୋଜେନାହିଁ, ଛାପେନାହିଁ । ଇସ୍କୁଲରେ ନୀତିଶିକ୍ଷା ଆଉ ପାଠର ବିଷୟୀଭୁତ ନୁହେଁ ।

 

ଦେଶରେ ଦେବାଳୟମାନଙ୍କରେ ଏବେବି ପୂଜା ହୁଏ, ଧୁମ୍‍ଧାମ୍ ହୋଇ ଚାଲେ ପୂଜାମାନଙ୍କରେ ଉତ୍ସବ, କେଉଁ କେଉଁ ପୂଜାରେ ଛୁଟିବି ହୁଏ । ସହରରେ ମାଟିମୂର୍ତ୍ତି ଗଢ଼ି ମେଢ଼ ସଜେଇ ଥୋଇ ଉତ୍ସବ ପାଳିଲା ପରି ସେସବୁ ସାମାଜିକ ଉତ୍ସବ, ମେଳା ମଉଛବ, ପିଠାପଣା, ନୂଆ ଲୁଗା, ନୂଆ ଫସଲ, ବନ୍ଧୁ ମିଳନ କିଣାବିକା ଗହଳଚହଳର । ଧକାଧକି ପେଲାପେଲି ନୂଆ ମୁହଁ ଦେଖାଦେଖି, ଧାଡ଼ିରେ ଦାଣ୍ଡିମାଳ ହୋଇ ଠିଆହୋଇ ଜଣକା ପଛେ ଜଣେ ଆଗେଇ ଆଗେଇ ଦିଅଁଙ୍କ ଆଗରେ ଆଖି ପିଛୁଡ଼ାଏ ଠିଆ ହେବାକୁ ସୁଯୋଗ, ତାହାରି ଭିତରେ ମୁଣ୍ଡିଆ ମାରିବା ପାଦୁକ ପାଇବା, ଭୋଗ ଠେକି ଫୁଲ ଆଉ ଦୀପ ବଢ଼ାଇ ଦେବା, ମନେମନେ ଗାଇଯିବା ଯେତେ ଆଶା ଆକାଙ୍କ୍ଷାର ସ୍ୱରୂପ ମନେପଡ଼ିଲା । ତା’ପରେ ଚାଲିଯିବା ଆଉ ଆରପଟେ ବାହାରି ପଡ଼ିବ ଆଉ ଲୁଗାପଟା ଅଣ୍ଡାଳି ଦେଖିବା ସବୁ ଠିକ ଅଛି କି ନାହିଁ ଆଉ ତରକି ତରକି ଚାରିଆଡ଼କୁ ଅନାଇ ଦେବା କାହା ଧରଣ ଧାରଣରେ ନିଜ ପ୍ରତି କି ବିପଦ ଅଛି,–ରମା ସେଠି ଭଗବାନଙ୍କ କଥା ଭାବିନାହିଁ ।

 

ତା’ର ନିତିଦିନର ଚଳଣିରେ ସତେଯେପରି ଏହିପରି ଭାବ–ଥାଆନ୍ତୁ ଭଗବାନ ଆଉ ଠାକୁର ଦେବତାମାନେ, ସେ ତା’ର ଅଛି, ରମା ।

 

କିନ୍ତୁ ସେଦିନ ସକାଳେ ସେ ଭାବିଲା, ଠାକୁର ପୂଜା ତା’ର ନିତାନ୍ତ ଦରକାର । ସୁରକୁ ମୋତି ଜିମା ଦେଲା, କହିଲା “ଭୁଲେଇ ରଖିଥିବୁ, ଜମା ଛାଡ଼ିବୁ ନାଇଁ, ମୁଁ ପୂଜା କରିବି ।”

ମୋତି କୁତୂହଳରେ ପଚାରିଲା, “କି ପୂଜା ଆଜି ? ଦୁର୍ଗାଷ୍ଟମୀ ତ ଗଲା, ଦଶରାବି ଗଲା, ଏକାଦଶୀ ତ ଏବେ ପାଳିଥିଲା, ଆଜି ଆଉ କ’ଣ କୋଉ ଉପାସ ବ୍ରତ ପାଞ୍ଜିରେ ଲେଖିଚି-?”

ରମା ହସିଲା, କହିଲା, “ନାଇଁ, ସେମିତି ସେମିତି ପୂଜା ।” ମୋତି ଗମ୍ଭୀର ହେଲା । କହିଲା “ଯେମିତି ପୂଜା ହେଉ ପୂଜାତ’, ସାମରିକ ଠିକଣା ହୋଇନାହିଁ । କୋଉ ପୁରୋହିତକୁ କ’ଣ କହିଚି ?”

ରମା କହିଲା “ପୁରୋହିତ କ’ଣ କରିବ ମ ?”

“ହଉ, ତାହେଲେ ନିଜେ କରିବ ତ ? ଭଲ । ଅରୁଆ ଚାଉଳ ଦି’ଟା ପାଣିରେ ପଡ଼ିଥିଲେ ହେଲେ ରଗଡ଼ି ଦେଇଥାନ୍ତି, ପିଠା ହୋଇଥାନ୍ତା, କିଛି ନ ହେଲେ ଖଇ ପାଚେଲା କଦଳୀ, ଗଉଡ଼କୁ କହିଥିଲେ ଘିଅ ଟିକିଏ ଦେଇଥାନ୍ତା, ନଇଲେ ଶଳିତା କୋଉଥିରେ ବୁଡ଼େଇବ, କ’ଣ ଏ ବଜାର ଘିଅରେ ।”

“ସେଗୁଡ଼ାକ କିଛି ଦରକାରନାହିଁ ।”

“ହଉ ତେବେ ଗୋବର ଟିକିଏ ଆଣେ ଲିପିଦିଏ ।”

“କ’ଣ ଏ ସିମେଣ୍ଟ ଚଟାଣରେ ? ନା ଥାଉ ।”

ମୋତି କହିଲା “ଆଧି ବିଧି ନଥାଇ କି ପୂଜା ବା ?”

“ନଥିଲେ କ’ଣ ହବ ?”

ମୋତି ସରଳ ଭାବରେ ଉତ୍ତର ଦେଲା “ଦେବତା ଆସିବେ ନାଇଁ ।”

“ନ ଆସନ୍ତୁ । ତୁ ସୁରକୁ ଭୁଲେଇ ରଖିଥିବୁଟି ।”

ମୋତି ପିଲା ନେଇଗଲା ।

ରମା ସଫା ଲୁଗା ପାଲଟିଲା । ଖାଲି ବଖୁରିରେ ପଶି କବାଟ କିଳିଲା । ଆସନ ପକାଇ ବସିଲା । ଆଖି ବୁଜିଲା । ଅଳ୍ପ ସମୟ ପରେ ସେ ଚଟାଣରେ ଲମ୍ବ ହୋଇ ଗୋଡ଼ତଳେ ପଡ଼ିଲା । ମନେମନେ କହିଲା,”ତୁମେ ସବୁଠି ଅଛ, ପୂରି ରହିଛ ଶୂନ୍ୟରେ ଜୀବରେ ଜଡ଼ରେ । ତୁମେ ସବୁ ଦେଖୁଛ ସବୁ ଜାଣୁଛ ସବୁ କରିଛ ସବୁ ଭିଆଉଛ ତୁମେ, ସବୁ ତୁମରିଠୁଁ ଆସେ ତୁମରିଠୁଁ ମିଶେ, ତୁମେ କର୍ତ୍ତା, ମୁଁ କେହି ନୁହେଁ, ମୋର ଇଚ୍ଛା ବୋଲି କିଛିନାହିଁ । ମୁଁ ଜାଣେନାହିଁ ମୋପାଇଁ କ’ଣ ଭଲ କ’ଣ ମନ୍ଦ । ମୁଁ କିଛି ମାଗୁନାହିଁ । ସବୁ ତୁମର ଇଚ୍ଛା ।

ସେମିତି ପଡ଼ି ରହିଥାଏ । କହିସାରି ଭାବୁଥାଏ, ମୁହଁ ଦିଶୁନାହିଁ, ଦେହ ଦିଶୁନାହିଁ, କିନ୍ତୁ ସେ ଅନୁଭବ କରୁଛି,–ସେ ତା’ ପାଖେ ପାଖେ ଅଛନ୍ତି । ତା’ର ସ୍ରଷ୍ଟା, ତା’ର ପ୍ରଭୁ, ତା’ର ଏକମାତ୍ର ହିତାକାଂକ୍ଷୀ, ତା’ର ପ୍ରିୟତମ । ତା’ ଦେହରେ ତାଙ୍କରି ସ୍ପର୍ଶ ।

 

ଦେହ ଶିର୍‍ଶିରେଇ ଉଠିଲା, ଆଖିରୁ ଧାର ନିଗିଡ଼ିଲା । ସେ ଉଠିପଡ଼ି କାନିରେ ମୁହଁ ପୋଛି ପୁଣି ତୁନିହୋଇ ଆଖି ବୁଜି ବସିଲା । କାନରେ କେତେ ସମ୍ବାଦରେ କୋଳାହଳ, ମନେମନେ ସେହି ସେହି କଥା କହି ହୋଇଯାଉଛି, ନା, ସେ ତେଣେ କାନ ଦେବନାହିଁ । ମନେପଡ଼ିଗଲା, ସେ ଜ୍ୟୋତିରୂପ ବୋଲି କହନ୍ତି । ଲାଗିଲା, ବୁଜା ଆଖିର ଅନ୍ଧାର ଭିତରେ ଆଲୁଅର କଣିକାମାନ ଗୋଳି ହୋଇଯାଉଛି, ଅନ୍ଧାର ଥରୁଛି ।

 

ତା’ପରେ ମନରେ ଉଇଁଲା ଆକାଶ । ବାହାରେ ଆକାଶରୁ ମେଘର ଧୂଆଁ ତୁଟିନାହିଁ । ଶାରଦୀୟା ନୀଳିମା ଦିଶୁଛି ଠାଏ ଠାଏ, କିନ୍ତୁ ତା’ର ମନର ଆକାଶ ଖାଲି ସେହି ନୀଳିମାମୟ । ସେଥିରେ ଫୁଟିଲା ଅପରାଜିତା ଫୁଲର ଆଭା ।

 

ମନେମନେ ସେହି ଆକାଶସାରା ସେ ତା’ର ଚେତନାକୁ ଖେଳାଇଦେଲା ଯେମିତି,–ତା’ର ବୋଲି କିଛିନାହିଁ, ସେ ନାହିଁ, ପୁଣି ସେ ସବୁଠି । କ୍ଷେତ ଆଉ ପ୍ରାନ୍ତର ଆଉ ନଈ ଆଉ ଗଛବୁରୁଛ କାକର ଆଉ ବୁଢ଼ିଆଣୀଜାଲ ଚଢ଼େଇ ଆଉ ଜନ୍ତୁ ଆଉ ମଣିଷ ସବୁଠି ରହିଛି ସେ, ଚିତାଭସ୍ମ ହୋଇ ମିଶିନାହିଁ, ଜୀବନ୍ତ ଚେତନା ହୋଇ ମିଶିଛି ।

 

ଆଖି ଖୋଲିଲା ।

 

ତା’ ମନରେ ଅପୂର୍ବ ଆନନ୍ଦ । କ’ଣ ଏପରି ଅଛି ଯାହାକୁ ସେ ଛାଡ଼ି ଦେଇ ନପାରେ ? ସେ ଭାବିଲା ।

 

ଆଖିବୁଜି ପୁଣି ବସି ପ୍ରାର୍ଥନା କଲା, ମନେମନେ କହିଲା, “ମୁଁ କିଏ ମୁଁ ଜାଣେନାହିଁ । ମତେ ତୁମେ କାହିଁକି ଆଜି ମନେକଲ ମୁଁ ଜାଣେନାହିଁ, ତୁମେ ଶୂନ୍ୟ ପୁଣି ତୁମେ ସବୁ ରୂପମୟ, ତୁମେ ଅସରନ୍ତି କରୁଣା ବାରିଧି, ମୁଁ ତୁମଠି ଲୟ ଲଗାଉଛି ।”

 

ସେ ଦୃଶ୍ୟ ଦେଖିଲା, ଆକାଶରେ ରଙ୍ଗ ଝଲକି ଉଠୁଛି, ଫୁଟିଉଠୁଛି ଚିତ୍ର, ସୁନାଥାଳି ପରି ଧାନକ୍ଷେତ ଲମ୍ବିଛି ଦିଗନ୍ତକୁ, ଛନଛନିଆ ଗଙ୍ଗଶିଉଳି ଗଛରେ ଫୁଲ ଫୁଟୁଛି, ଝଡ଼ୁଛି ପୁଣି ଫୁଟୁଛି । ସେହି ଟିକି ଫୁଲଟି ଭିତରେ ସେ ଛପିଯାଇଛି । ନାକରେ ତା’ରି ବାସ୍ନା, ଦେହରେ ତା’ କଅଁଳ ସ୍ପର୍ଶ ।

 

ଠିଆହୋଇପଡ଼ିଲା । ଲାଗିଲା, ଘରଯାକ ବାସୁଛି । ମନ ଭିତର ଅନ୍ଧିସନ୍ଧିବି ଧୋଇଧୋଇ ହୋଇ ସଫା ହୋଇଛି । ଆଉ ଅତି କଅଁଳ, ଅତି ସ୍ପର୍ଶପ୍ରବଣ, ଟିକିପିଲାର ମୁହଁ ପରି-। ତା’ର ଭୟନାହିଁ, ଅବିଶ୍ୱାସନାହିଁ, ଚିନ୍ତା ଦୁଃଖନାହିଁ । ସେ କବାଟ ଖୋଲିଲା । ତା’ ପୂଜା ସରିଥିଲା-

 

ମନ ଆନନ୍ଦରେ ରମା ଘରଚଟିଆ ଚଢ଼େଇ ପରି ଏପାଖସେପାଖ ଧାଇଁବୁଲିଲା ତା’ ଘରକରଣା ତନଖି ଓ ମଠାମଠି, ଏଇଟା ଏଠୁ ନେଇ ସେଠି ଥୁଅ, ମୋତି କ’ଣ କରୁଛି ସେଥିରେ ହାତ ଲଗାଅ, ତା’ କୁକୁଡ଼ା ଖାଇବେ, ତା’ ଗଛମାନଙ୍କରେ ପାଣି ଦିଆହେବ, ତା’ ପୁଅର ନାନାକାମ, ସବୁଠୁ ବଡ଼ କାମ ତାକୁ ହସେଇବା, ତା’ ସଙ୍ଗରେ ଖେଳିବା । ଆଲୁଅ କେଡ଼େ ଫରଚା, ପରିଷ୍କାର, କୁଆଡ଼ୁ କୁଆଡ଼ୁ କେତେ ଚଢ଼େଇ ଆସି ଏକରସେକର ଉଡ଼ୁଛନ୍ତି । ଘରଚଟିଆ ପଞ୍ଝାକୁ ପଞ୍ଝା କେମିତି ଲଗାଇ ଦେଇଛନ୍ତି ତାଙ୍କ ଘରକରଣା, ଛାତ ଅନ୍ଧିସନ୍ଧିରେ ନୂଆ ନୂଆ ବସା, କଦଳୀପତ୍ରକୁ ଖୁମ୍ପି ଖୁମ୍ପି ଚିରି ସେଥିରୁ ସୂତା ବାହାରକରି ବୋହିଆଣିବା କାମରେ ଲାଗିଯାଇଛନ୍ତି ଅନେକେ, ଆଉ ଥୋକାଏ ବୋହିଲାଗିଛନ୍ତି ଅନାବନା ଘାସ । କିଚିରି ମିଚିରି ହୋଇ ନାନାସ୍ୱରରେ ମିଠା ବୋଲି, ମୁହଁ ଆଖି ଆଶା ଆନନ୍ଦରେ ଝଲ ଝଲ ।

 

ରମାର ମୁହଁରେ ଶାନ୍ତି ଆଉ ତୃପ୍ତି । ମୁଣ୍ଡବାଳ ବାସ୍ନା ତେଲ, ଅଙ୍ଗରେ ଧୁଆ ଚନ୍ଦନ ସାବୁନର ବାସ୍ନା, ଦେହରେ ପରିପୂର୍ଣ୍ଣ ଶାନ୍ତି ।

 

ସୁର, ସେ, ମୋତି । ମୋତି ତା’ର ଚୁଲିମୁଣ୍ଡରେ ଦମ୍ଭ ଆସନ ମାଡ଼ିବସିଲାଣି, ବାକି ମା’ପୁଅ । ପିଣ୍ଡାରେ ଠାଏ ଚଉକିରେ ବସିଥାଏ ପୁଅକୁ କୋଡ଼ରେ ଧରି । ଅଗଣାଟି ଗଛବୁରୁଛରେ ସଜାହୋଇଛି । ଗେଣ୍ଡୁ ଫୁଟିନାହିଁ, ଚେକା ମାଡ଼ିଛି । ଝିଲି ଝିଲି ଯାଇ ଗଛରେ ଗୋଟିଏ ଗୋଟିଏ ଫୁଲ । ରଙ୍ଗ ସଜେଇଛି କସ୍‍ମସ୍‍ ବୁଦାଗୁଡ଼ିକ, ନାଲି, ହଳଦିଆ, ଧଳା ଆଉ ଛିଟ ପ୍ରଜାପତିଗୁଡ଼ିଏ ପରି, ଥାକ ଥାକ, ପରସ୍ତ ପରସ୍ତ, ତା’ ଭିତରେ ଖରାର ଜାଲ ।

 

ଗଦ୍‍ଗଦ୍‍ ହୋଇ ଭାବୁଥାଏ–ତୁମେ ମୋପାଇଁ ସଜେଇଛ ତପୋବନ, ଗଙ୍ଗାସ୍ନାନର ଶୁଚି ଦେଇଛ । ତୁମେ ଅଛ, ତେଣୁ ଘେରି ରହିଛନ୍ତି ଅସଂଖ୍ୟ ଅଦେଖା ସଖା ସୋଦର । ଆଉ କି ସାଙ୍ଗୀ କି ଗହଳି ଲୋଡ଼ା ?

 

ଦାଣ୍ଡରୁ ପାଟି ଶୁଭିଲା–

 

“ଆଜ୍ଞା ଅଛନ୍ତି” ? ଚିହ୍ନା ପାଟି । ଠିଆହୋଇପଡ଼ିଲା । ପିଲାକୁ କୋଡ଼ରେ ଧରି ଥାପୁଡ଼ୋଉଥାଏ । ହଠାତ୍ ନିଦରୁ ଉଠିପଡ଼ିଲା ପରି ଅଡ଼ୁଆ ଅଡ଼ୁଆ ଲାଗିଲା । ଲୁଗା ଉପରେ ହାତ ବୁଲେଇ ସଜାଡ଼ି ଦେଲା ।

 

“ଟିକିଏ ଖୋଲି ଦେଲୁ ମୋତି ।”

 

ପିଲାକୁ ଧରି ଦାଣ୍ଡଘରକୁ ଗଲାବେଳକୁ ସେ ବସିଲେଣି । କୁଶଳବାବୁ । ଚଟ୍‍କରି ଠିଆହୋଇପଡ଼ ଦଣ୍ଡବତ ହେଲେ । କହିଲେ “ଦଶରାରେ ମାଟିର ମୂର୍ତ୍ତି ଦେଖିଆସିଲି ସହରର ରାସ୍ତାଏ ରାସ୍ତାଏ, ଆଉ ବାକି ରହିଥିଲା ମାତୃମୂର୍ତ୍ତି ଦର୍ଶନ, ତା’ ଆଜି ଘଟିଲା ।

 

ତାଙ୍କୁ ଦେଖୁ ଦେଖୁ ପୁଣି ସବୁ ଗୋଳମାଳ ହୋଇଯାଉଛି । ରମା ମୁହଁ ତଳକୁ ପୋତିଲା-

 

କୁଶଳବାବୁଙ୍କ ସ୍ୱରରେ ବିମୁଗ୍‍ଧତା । କହିଲେ, “କେତେ ବୁଲିଲି, କେତେ, ଗପିଲି । ଖାଲି ଶୁଣିଆସିଲି ଆଶଙ୍କା ଆଉ ଉଦ୍‍ବେଗର ବିକଳ ସ୍ୱର, ଦେଖିଆସିଲି କି ଘରେ କି ବାହାରେ ଖାଲି ଅଶାନ୍ତିର ମୂର୍ତ୍ତି, ଆଜି ଦେଖୁଛି ଶାନ୍ତିର ମୂର୍ତ୍ତି ଖାଲି କଳ୍ପନା ନୁହେଁ, ସେ ସତ ଓ ଜୀବନ୍ତ ।”

ସେ କିଛି କହୁନାହିଁ । ତଳକୁ ଚାହିଁ ରହିଛି । ଆଉ ସତେ ଯେମିତି ଦେଖୁଛି, ପୂଜାବେଳ ଯେମିତି ଦେଖିଥିଲା, ଶ୍ୟାମଳୀ ଆକାଶରେ ଗାଲରେ ଉକୁଟିଲା ହାଲୁକା ନାଲି, ଗାଢ଼ ହୋଇଗଲା-

ଉଭୟେ ବସିଲେଣି । ତା’ ଉତ୍ତରକୁ ଅପେକ୍ଷା ନ କରି କୁଶଳବାବୁ କହିଗଲେ, “ମୁଁ ଭାବୁଛି, ଏଇ ପିଲାଟି କେଡ଼େ ଭାଗ୍ୟବାନ । ଠିକ୍ ଏଡ଼ିକିଟିଏ ହୋଇଥିଲି କେବେ ମୋର ମନେନାହିଁ । ଇଚ୍ଛା ହେଉଛି ମୁଁ ବି ହୋଇପାରନ୍ତି କି ଏମିତି, ଏମିତି ଥାଆନ୍ତା ମୋର ଆସନ, କଅଁଳ ଗାଢ଼-ଉଷୁମ-ସ୍ନେହ ନିର୍ଭରରେ ଚାରିଆଡ଼ୁ ବେଢ଼େଇହୋଇ, ତେବେ ବୋଧହୁଏ ଜୀବନକୁ ଚିହ୍ନିଥାଆନ୍ତି । ଜୀବନର ପ୍ରକୃତ ଆନନ୍ଦ ପାଇଥାନ୍ତି ।”

ରମା ଚଟ୍‍କରି ଆଖିଟେକି ଚାହିଁଲା, ତାଙ୍କର ଦୃଷ୍ଟି ସତକୁ ସତ ପଡ଼ିଛି ସୁର ଉପରେ, ସୁରକୁ ସେ ଛାତିରେ ଯାବୁଡ଼ି ଧରିଛି, ଅଳ୍ପ ଘୋଡ଼େଇ ରଖିଛି ।

ସୁରର ମୁହଁ ଖୋଲି ଦେଲା । ଗୋଟିଏ ଆଖିରେ ସୁର ତାଙ୍କଆଡ଼କୁ ଅନାଇଁ ରହିଲା । ତା’ପରେ ସେ ମୁତିଦେଲା । ଅଦେଖା ଆଶୀର୍ବାଦ ପରି ଝରିଗଲା ସେ ମୁତରୁ ଧାରା । ରମା ତା’ର ବକ୍ତବ୍ୟ ପାଇଗଲା । ଠିଆହୋଇପଡ଼ି ବିନୟରେ କହିଲା, “ଆସେ” । ପୁଅକୁ କହିଲା, “ବଗଡ଼ ! ଏଡ଼େଟାଏ ହେଲୁଣି । ବୁଦ୍ଧି ହେଲା ନାଇଁ” ?

ଗଲା । ତାଙ୍କ ପ୍ରତି ତା’ର ଯେଉଁ ଶ୍ରଦ୍ଧା ସମ୍ମାନ ତା’ ବହକି ଉଠୁଥାଏ, ତଥାପି ଲାଗୁଥାଏ ଯେପରି ଆଗଠୁ ଆହୁରି ନିବିଡ଼ତର ଚିହ୍ନାଚିହ୍ନି ହେଲାଭଳି ତା’ମନ ଭିତରେ । ତାଙ୍କର ଯେପରି,–ଦେଉଳ ଦୁଆରମୁହଁ ଆଗରେ ଦୀପ ଥୋଇ ଦଣ୍ଡବତ ହେଲାଭଳି ନୁହେଁ, ଦୀପ ଧରି ଅନ୍ଧାର ଅଣଓସାର ଖୋଲି ମୁହଁବାଟେ ଆହୁରି ଆହୁରି ଭିତରକୁ ଭିତରକୁ ପଶିବା । ସେ ଚାହାଁନ୍ତି ସେ ବି ଚାଲୁ ସାଙ୍ଗରେ, ତାକୁ ଅଡ଼ୁଆ ଅଡ଼ୁଆ ଲାଗୁଛି । କିନ୍ତୁ ତା’ର ଆଗ୍ରହ ବଢ଼ୁଛି । ଲୁଗା ବଦଳିସାରି ସୁରକୁ ମୋତି ଜିମା ଦେଇ ହଠାତ୍ ସେ ପୁଣି ଦାଣ୍ଡଘରକୁ ଗଲାନାହିଁ । ମୁଣ୍ଡରେ ଦୁଇ ହାତ ମାଡ଼ି ଟିକିଏ ବସିରହିଲା । ଏଡ଼େ ବଡ଼ ଲୋକ, ତାଙ୍କୁ ଏକା ଛାଡ଼ି ଦେଇ ସେ ଡେରି କରୁଛି ବୋଲି ଆଦୌ ତା’ର ଖିଆଲ ହେଲାନାହିଁ ।

ମୁଣ୍ଡ ଭିତରେ କ’ଣ ଗୁଡ଼ାଏ ଝାଇଁ ଝାଇଁ । କ’ଣ କେମିତି ଗୋଟାଏ ତୀବ୍ର ଅନୁଭୂତି । ସେ ହର୍ଷ କି ବିଷାଦ ସେ ଠଉରେଇ ପାରୁନାହିଁ । କ’ଣ ଗୋଟାଏ ତା’ର ଭିତରକୁ ଭିତରକୁ ଭେଦିଯାଉଛି ଆଉ ତା’ର ଅଙ୍ଗପ୍ରତ୍ୟେଙ୍ଗ ଅସ୍ଥିର ହୋଇ ଥରିଉଠୁଛି । ଆଉ ସେ ଭାବୁଛି, କ’ଣ କ’ଣ ସେ କହିଲେ ? କ’ଣ ତା’ଠୁଁ ସେ ଖୋଲୁଛନ୍ତି ? ମନେପଡ଼ିଗଲା, ଫିକା ପଡ଼ିଆସୁଥିବା ଅନ୍ଧାରରେ ତା’ ମୁହଁକତିରେ ହରର ମୁହଁ । ସେ ଦାନ୍ତରେ ତଳିଓଠକୁ ଚାପିଧରିଲା । ସେ ମୁହଁ ଉଭେଇଗଲା । କେତେବେଳୁ ଚଉକି ପିଠିବାଡ଼ା ଉପରେ ପଛଆଡ଼କୁ ମୁଣ୍ଡକୁ ଅଧା ଓହଳାଇ ଦେଲା ପରି ହୋଇ ସେ ଆଉଜି ବସିଥାଏ । ତା’ ଛାତି ଉଠୁଥାଏ ପଡ଼ୁଥାଏ । ଆଉ ସେପାଖ ବଖରା ଦାଣ୍ଡଘର ।

ଠିକ୍ ଯେତେବେଳେ ଭାବିବାକୁ ଆରମ୍ଭ କରିଥାଏ ଯେ ତା’ର କ’ଣ ଗୋଟାଏ ହୋଇଛି, ମୁଣ୍ଡ ଭିତରେ ପେଚ ଢିଲା, ସେ ଘରୁ ପାଟି ଶୁଭିଲା “ଭାରି ଶୋଷ ହେଲା, ଗିଲାସେ ପାଣି ।” ଉଠିପଡ଼ିଲା । ମୋତିକୁ ଚାହା ଆଣିବାକୁ କହିଦେଇ ସେ ପାଣି ନେଇ ଦାଣ୍ଡଘରକୁ ଗଲା । ତା’ର ପରିବର୍ତ୍ତନ ଘଟିଯାଇଛି, ଯେମିତି ସେ ପଦାକୁ ଯିବାକୁ ପ୍ରସ୍ତୁତ, ତା’ଠିଁ ଯାହା କିଛି ଥିଲା ଘରୋଇ ତା’ଉପରେ ପର୍ଦ୍ଦା ପଡ଼ିଯାଇଛି ।

ତା’ ମୁହଁକୁ ଚାହିଁ ଦେଇ କୁଶଳବାବୁ ହସି ଦେଲେ । ତା’ ମୁହଁରେ ସମ୍ଭାଷଣର ହସ ଫୁଟିଲା । କୁଶଳବାବୁ କହିଲେ, “ମୁଁ ବୁଝିପାରୁଛି ଯେ ସକାଳେ ଆପଣଙ୍କ ଘରଧନ୍ଦା ଲାଗିଥିଲାବେଳେ ଆସି ଆପଣଙ୍କୁ ଅଡ଼ୁଆରେ ପକାଇଲି ।”

ବସିପଡ଼ି ଫାଙ୍କା ପ୍ରତିଧ୍ୱନି କଲାପରି ସେ କହିଲା “ଘର ?” ସେ ଯେମିତି ଶୁଣିପାରିଲେନାହିଁ, କହିଲେ “ଘରକରଣା, ପିଲା ନେଞ୍ଜେରା । ଆପଣ କେଡ଼େ କାର୍ଯ୍ୟବ୍ୟସ୍ତ ଥିବେ-। ମଝିରେ ମୁଁ ଆସିଗଲି ।”

“ନାଇଁ, କିଛି ନାଇଁ, କିଛି ନାଇଁ ।”

“ସେ କଥା ତ ଆପଣ କହିବେ । ମୁଁ ବି ଲକ୍ଷ୍ୟ କରିଛି । ଆପଣ ଏଡ଼େ କାର୍ଯ୍ୟବ୍ୟସ୍ତଥାଇ ସୁଦ୍ଧା ସତେ କି କିଛି କାମନାହିଁ । ଯାହାର ମନ ଶାନ୍ତି, ପବିତ୍ର, ପ୍ରକୃତି ଉଦାର, ମନରେ କିଛି କଳୁଷନାହିଁ, ସେ ଯେତେ କାମ କରୁ ତା’ଠି ବ୍ୟସ୍ତତା ଜଣାପଡ଼ିବନାହିଁ । ଆପଣଙ୍କୁ ଦେଖିଲେ କିଏ କହିବ ଯେ ଆପଣ କେବେ ବିଭା ହୋଇଥିଲେ, ଆପଣ ଗୋଟିଏ ସନ୍ତାନର ମା’, ନା ଭାବିବ ଆପଣ ଏବେବି ଇସ୍କୁଲର ଛାତ୍ରୀ !”

ସେ ହସି ଦେଲେ । ରମା ହସିଲା । କଥା ବୁଲାଇ ଦେଇ କହିଲା “ଆପଣ–ଆପଣଙ୍କୁ ବହୁତ ଧନ୍ୟବାଦ ।”

“ତା’ମାନେ ଆପଣ ଆଉ ମୋ ବିଷୟରେ କିଛି କହନ୍ତୁ ନାଇଁ, ମୋ ନାଁ ବି ଧରନ୍ତୁନାହିଁ, ଏଇଆ ତ ?” ସେ ହସି ହସି କହିଲେ, “ମଣିଷ ଯେତେବେଳେ ବାରିକବାଟ ଦାଣ୍ଡ କବାଟ ବନ୍ଦ କରେ, ଆଉ ଦାଣ୍ଡ ଝରକା ବନ୍ଦ କରି ଦେବା ଆଗରୁ ବାହାରେ ଠିଆହୋଇଥିବା ଆଗନ୍ତୁକକୁ କହେ ତୁମେ ପର, ମୋର ସମୟ ନାଇଁ, ବୋଧହୁଏ ତା’ର ସେତିକିବେଳର ମନନାଖି ଭାଷା ହୋଇ ଗଢ଼ା ହୋଇଥିଲା ଧନ୍ୟବାଦ ପଦକ । ନI, ନା, ମତେ ଲାଜ କରନ୍ତୁନାହିଁ, ମୋଠି ଲାଜ କ’ଣ ପର ଆପଣା କ’ଣ । ମୁଁ କ’ଣ ଏଣେ ସହଜରେ ବିଦା ହେଉଚି ? ମୁଁ ତ ଆପଣଙ୍କୁ ଦେଖିଲା ଦିନୁ ଆପଣାର ବୋଲି ଆପଣଙ୍କୁ ମନେକରିଛି, ସେଦିନୁ ବୁଝିଛି, ଏଠି ପ୍ରତିଭା ଅଛି, ଶକ୍ତି ଅଛି, ଏ ଅସାଧାରଣ । ଅନ୍ୟ ଦେଶ ପରି ଆମ ଦେଶ ଯଦି ପ୍ରତ୍ୟେକଙ୍କୁ ସୁଯୋଗ ସୁବିଧା ଦେଇପାରୁଥାନ୍ତା ତେବେ ଆପଣଙ୍କ ସ୍ଥାନ ହୋଇ ନଥାନ୍ତା କେବଳ ଜଣେ ଗ୍ରାମସେବିକା ହୋଇ ।”

ମନେପଡ଼ିଗଲା, ସେ ଗ୍ରାମ ସେବିକା ।

ସାନ ହେଉ ବଡ଼ ହେଉ ସେହି କିଛି କ’ଣ ହେବାର ଚେତନା ଉପରେ ଦମ୍ଭ ହୋଇ ରହି ସେ ପଚାରିଲା “ଆଉ କ’ଣ ହୋଇଥାନ୍ତା ?”

 

ସତେଅବା ସେହି ସମ୍ଭାବନା ବିଷୟରେ ସେ ଭାବୁଛନ୍ତି ସେହିପରି ମନକୁ ମନ କୁଶଳବାବୁ କହିହେଲେ “କ’ଣ ହୋଇଥାନ୍ତା ? କ’ଣ ହୋଇଥାନ୍ତା ? ......ସବୁ...... ନେତ୍ରୀ....... ମନ୍ତ୍ରୀ....... ଗୋଟାଏ କ’ଣ ବିରାଟ ବିଭାଗର ଦାୟିତ୍ୱରେ ଥିବା ମୁଖ୍ୟ କର୍ତ୍ତୀ... ।”

 

ସେ କହିଲା “ସତେ ?” ସେଥିପାଇଁ ବିଦ୍ୟା ? ଯୋଗ୍ୟତା ? ତାଲିମ୍ ?”

 

“ଯାହା ଦରକାର ବଳେ ଆସିଥାନ୍ତା । ଦେଖନ୍ତୁ, ଯେ ଯେତେ ଗହଣାଗାଣ୍ଠି ପୋଷାକ ନାଇ ଯାନବାହନ ଚଳାଇ ଶୋଭାପାଉ, ପ୍ରଧାନ କ’ଣ ? ସେ ନିଜେ । ଯଦି ତା’ ଶରୀର, ବୟସ, ବୁଦ୍ଧି ଉପଯୁକ୍ତ ହୋଇ ନଥିବ ତେବେ ତା’ଉପରେ ସୁନାରୂପା ରେଶମ କି ପଶମ ଲଦିଲେ କ’ଣ ହେବ ?”

 

ରମା ହସିଲା, କହିଲା “ମୁଁ କେବେ ନିଜକୁ ପଟୁଆର ଆଗରେ ନେତ୍ରୀ ବୋଲି କଳ୍ପନା କରିନାହିଁ । ମୁଁ କେବେ ଭାବିନାହିଁ ଗହଣାଗାଣ୍ଠି ପୋଷାକ ଆଉ ପ୍ରତିପତ୍ତି କାହାରି ମଣିଷପଣିଆ ବଢ଼ାଏ ବୋଲି ।”

 

“ସେଇଥିପାଇଁ ତ ଆପଣଙ୍କୁ ମୁଁ ମୁହେଁ ମୁହେଁ ପ୍ରଶଂସା ନ କରି ରହିପାରିଲିନାହିଁ–” ବାଧା ଦେଇ ରମା ଆପତ୍ତି ଜଣାଇଲା, କିନ୍ତୁ କୁଶଳବାବୁ କହିଗଲେ, “ଦେଶର ଜନସାଧାରଣଙ୍କ କାମରେ ନିଜକୁ ଭସାଇ ଦେଲାଦିନୁ ବହୁତ ବହୁତ ସ୍ତ୍ରୀ ଆଉ ପୁରୁଷଙ୍କ ଘନିଷ୍ଠ ସମ୍ପର୍କରେ ଆସିବାର ସୁଯୋଗ ମତେ ମିଳିଛି । ଅନ୍ତତଃ ସେତିକିରେ ମୋ ଭାଗ୍ୟ ଭାରି ପ୍ରସନ୍ନ । ସେଥିରୁ ଗୋଟିଏ ଉପକାର ମୋର ହୋଇଛି, ଚାହିଁଦେଲେ କହିଦେଇ ହେବ କାହାଠି କେମିତି ଦରର ମଣିଷପଣିଆଁ ଅଛି, କିପରି ଅବସ୍ଥାରେ କିଏ କି ପ୍ରକାର ବାଟ କାଟି ଚଳିବ, କିପରି ସମସ୍ୟାକୁ କିଏ କି ପ୍ରକାରେ ସମାଧାନ କରିବାକୁ ମନ କରିବ...”

 

ରମା ବାଟ ପାଇଲା, କହିଲା “କେଡ଼େ ଅଦ୍ଭୁତ ଶକ୍ତି ! ସେଇଥିପାଇଁ ତ–”

 

କୁଶଳବାବୁ ନିଜ ପ୍ରଶଂସାର ବାଟ ରୋଧି ଦେଇ କହିଗଲେ “ସେଇଥିରୁ ମୁଁ ଅନୁମାନ କରିପାରୁଛି, ଆପଣଙ୍କ ରୁଚି କ’ଣ ଆଉ କ’ଣ ନୁହେଁ । ଏଠି ଅଛି ପ୍ରକୃତ ମଣିଷ–ପଣିଆ, ହୃଦୟ, କରୁଣା, ଆଦର୍ଶର ମହତ୍ତ୍ୱ ବୁଝିବା, ନିଷ୍ଠା, ଚୁପ୍‍ଚାପ୍‍ କାମ, ଯେ ଆପଣା ଗୁଣରେ ବଡ଼, ତା’ର ଅନ୍ୟ ପ୍ରଚାର ଦରକାର ପଡ଼େନାହିଁ । ଅଳ୍ପେ ବହୁତେ ଏ ଦେଶର ମଣିଷଙ୍କ ଭିତରେ କେତେଠି ମୁଁ ଅନ୍ୟ କେତେ ପ୍ରକାର ସଦ୍‍ଗୁଣବି ଦେଖିଥିବି । କିନ୍ତୁ ଏ ଦେଶରେ ମୂଲ୍ୟବାନ ଖଣିଜ ସମ୍ପଦ ଯେମିତି କେଉଁ ବଣଜଙ୍ଗଲରେ ପଡ଼ି ରହିଛି, ତା’ର ବିନିଯୋଗ ହୋଇପାରୁନାହିଁ ତହିଁରୁ ଅଧିକ ମୂଲ୍ୟବାନ୍ ମଣିଷ ସମ୍ପଦ ସେମିତି ରହିଯାଉଛି । ଖଣି ତ ଆଜି ନ ହେଲେ ହଜାରେ ବର୍ଷରେବି ସେମିତି ଥିବ, କିନ୍ତୁ ମଣିଷ ସମ୍ପଦ ଠିକ୍ ଜଳବିଦ୍ୟୁତ୍ କରିଲାବାଲା ନଈପାଣି ପରି, ଯେତେ ପାଣି ସମୁଦ୍ରକୁ ବୋହିଯାଉଛି ଦେଶ ଆଉ ତା’ର ଉପକାର ପାଇପାରିବନାହିଁ, ସେ ଗଲା । ତେଣୁ ମୋର ଅନୁରୋଧ ଆପଣ ନିଜକୁ ଚିହ୍ନନ୍ତୁ । ଆପଣ ନିଜ ଆସନ ନିଜେ ଗଢ଼ିନିଅନ୍ତୁ, ଆମର ଜଣେ ବିଶିଷ୍ଠ ନେତା କହିଲା ଭଳି, ଚଉକି କେହି କାହାକୁ ଦିଏନାହିଁ, ଯାହାର ଶକ୍ତି ଅଛି ସେ ଚଉକି ଛଡ଼େଇ ନିଏ-। ମୁଁ ମାନୁଛି ତାଙ୍କର ଚଉକି ଅନ୍ୟ କେହି ଛଡ଼େଇ ନେଇଥିବେ କିନ୍ତୁ ତାଙ୍କ ଉକ୍ତିଟି ବଡ଼ ଠିକ୍-!”

 

କଥା ଶୁଣୁ ଶୁଣୁ ଅତି ଆସ୍ତେ ଆସ୍ତେ ରମାର ମୁହଁ ଟେକି ହେଲା, ମୁଣ୍ଡ ଅଳ୍ପ ପଛକୁ ଢଳିଲା, ଆଖି ଲାଖି ରହିଲା ତାଙ୍କ ମୁହଁ ଉପରେ । କିନ୍ତୁ ତାଙ୍କର ମୁହଁ ତା’ଆଡ଼କୁ ଥିଲେବି ଦୃଷ୍ଟି ଆଉ ତା’ ମୁହଁ ଉପରେନାହିଁ । ତା’ ମୁଣ୍ଡଠୁ ସାତ ଆଠ ଇଞ୍ଚ ଉପରେ ଚାଲିଛି ତେର୍ଚ୍ଛା ହୋଇ, ରମା ତା’ ଦେଖିପାରିଲାନାହିଁ, ସେ ଦେଖିଲା ଢଳି ହୋଇ ରହିଥିବା ତାଙ୍କ ଲମ୍ବା ବେକ, ସେ ବେକର ଶଙ୍ଖ, ତାଙ୍କର ତଞ୍ଛାତଞ୍ଛି ଥୋଡ଼ିର ଫନ୍ଦ, ମୋଟା ତଳଓଠ, ଫଣ ଫଣ ନାକପୁଡ଼ା, ପ୍ରଜାପତି ଡେଣା ପରି ଟେକି ହୋଇଥିବା ଭ୍ରୂଲତା ଓ ସାପ ପରି ମୋଡ଼ି ମୋଡ଼ି ହୋଇ ଉରା ଦେଇଥିବା କେରା କେରା ବାଳ ମଝିରେ ଟାଣ ଆଉ ଫରଚା ହୋଇ କପାଳ । ତା’ ଦୃଷ୍ଟି ଗୁରୁଣ୍ଡି ଗୁରୁଣ୍ଡି ଯାଇ ଅଟକି ରହିଲା ତାଙ୍କର ଆଲୁଅ ଛିରିକୋଉଥିବା ଆଖିଡ଼ୋଳା ଯୋଡ଼ିକରେ । ଯେଉଁ ଡୋଳା ଯୋଡ଼ିକ ଚାହିଁ ରହିଛି କେଉଁ ଦୂରରେ ଆଉ କାହାକୁ । ବିଶ୍ୱାସ ଆଉ ସହାନୁଭୂତିରେ ତା’ ଦୃଷ୍ଟି ସେଠି ଢାଲୁ ତଳେ ଅପେକ୍ଷା କଲା, ଯେପରି ସେ ବୁଝୁଛି ଯେ ତାଙ୍କ ମନରେ କାହିଁର କ’ଣ ଗୋପନ ଦୁଃଖ ଆଲୋଡ଼ନ ଆରମ୍ଭ କରିଦେଇଛି । ତାହାରି ଉତ୍ତେଜନାରେ ତୁଣ୍ଡରୁ ନାନାଶବ୍ଦ ବାହାରି ଯାଉଛି । ତା’ ମନରେ ନର୍ସର ଧୈର୍ଯ୍ୟ । ରୋଗୀ ବାଉଳା ବକିଲେ ବୁଦ୍ଧିମତୀ ନର୍ସ ପ୍ରତିବାଦ କରେନାହିଁ, ଉତ୍ତର ଦିଏନାହିଁ, ସ୍ନିଗ୍ଧ ପ୍ରଲେପ ପରି ଚାହାଣୀ ବିଞ୍ଚି ଅପେକ୍ଷା କରିଥାଏ ।

 

ସେ କହିସାରି ଅଟକିଲେ । ସେତେବେଳେ ସେ ଆପଣା ଭିତରେ ଅନୁଭବ କଲା, ସେ ଯାହା କହିଗଲେ ସବୁ ତ ତାହାରିପାଇଁ । ତାଙ୍କ ସୌହୃଦୟତା ତାକୁ ବହୁତ ମାଡ଼ି ପଡ଼ିଲା, ଯେପରିକି ଅଯାଚିତ ଭାବରେ ସେ ତାକୁ ବହୁମୂଲ୍ୟବାନ ଦାନ ଦେଇଗଲେ ଯାହାର ପ୍ରତିଦାନ ଦେବା ତା’ ପକ୍ଷରେ ଅସମ୍ଭବ । ତାଙ୍କ ବିଶ୍ୱାସରେ ଭାରୀ ହୋଇ ଭାବିବାକୁ ଭଲଲାଗୁଥାଏ ଯେ ସେ ଯାହା କହିଲେ ତା’ ସତ । ତା’ଠି କ’ଣ କିଛି ବଡ଼ପଣିଆ ଅଛି ଯାହା ସେ ନିଜେ କେବେ ଆବିଷ୍କାର କରିନାହିଁ ।

 

ସେ ବିନୀତ ହୋଇ କହିଲା, “ଆପଣ ମତେ ଯେଉଁ ଉତ୍ସାହ ଦେଉଛନ୍ତି ତା’ ମୁଁ ଜୀବନରେ କେବେ ଭୁଲିପାରିବି ନାଇଁ । ଆପଣ ମୋଠି ଯେଉଁ ଗୁଣ ଅଛି କହୁଛନ୍ତି ତା’ ମୁଁ ନିଜେ କେବେ କଳ୍ପନାବି କରିନାହିଁ । ମୋର ପାଠପଢ଼ାବି ନାଁକୁ, ଜାଣିବା ଶୁଣିବାବି ଊଣା, ଘରକାମ ଛଡ଼ା ଚାକିରି କାମଛଡ଼ା କେବେ ମୁଁ ଆଉ କିଛି କରିନାହିଁ ଯହିଁରେ କେହି ମତେ ପ୍ରଶଂସା କରନ୍ତେ–”

 

“ସେଥିରେ କିଛି ଯାଏ ଆସେନାହିଁ, ଶକ୍ତି ଠୁଳ ହୋଇ ରହିଥାଏ, କାମରେ ଲଗାଇବାକୁ ଆରମ୍ଭ କଲେ ବାହାରେ । ଯୁଦ୍ଧ ନ ଲାଗିବାଯାକେ ଜଣାପଡ଼େନାହିଁ ପ୍ରକୃତ ବୀର କିଏ । ଥୋକେ ଲୋକ ବୀର ବୃତ୍ତିରେ ତାଲିମ ହେଉଥାନ୍ତି, ସେମାନେ ତାଙ୍କ ତାଲିମ ବଳରେ କାମ ଦେଖାନ୍ତି । କିନ୍ତୁ ଆଉ ଅନେକ ଥାଆନ୍ତି ଯେ ଆଗରୁ ଆନୁଷ୍ଠାନିକ ତାଲିମ୍‍ବି ପାଇ ନଥାନ୍ତି, କିନ୍ତୁ ଯୁଦ୍ଧରେ ଯେମିତି ପଶନ୍ତି ସେମିତି ତାଙ୍କ ନିଜ ପ୍ରତିଭା ବଳରେ ବଡ଼ ବଡ଼ କୀର୍ତ୍ତି କରନ୍ତି ।”

 

ରମା ତଳକୁ ଅନାଇଁ ରହିଥାଏ । କ୍ରମେ ତା’ର ଡାହାଣ ଗୋଡ଼ ଆସ୍ତେ ଆସ୍ତେ ଆଗକୁ ପଛକୁ ହେଲାଣି, ବୁଢ଼ାଆଙ୍ଗୁଠିରେ ସେ ସତେକି କ’ଣ ଚିତ୍ର ଆଙ୍କୁଛି । ତାଙ୍କ କଥାଗୁଡ଼ାକ କେମିତି ଏକପ୍ରକାର ଅବାନ୍ତର ଅବାନ୍ତର ଲାଗୁଛି, ଅଥଚ ତହିଁରେ ଅଛି ଏପରି କ’ଣ ମୋହ ଯହିଁରେ କେଉଁ ହଜିଲା ଅତୀତର ପାଉଁଶ ତଳୁ କ’ଣ ପାଶୋରା ସ୍ୱପ୍ନ ମୁଣ୍ଡ ଟେକୁଛି । ସତେ କ’ଣ ଏପରି ସ୍ୱପ୍ନ ସେ କେବେ ଦେଖିଥିଲା ? ମନେମନେ ଆପଣାକୁ ପଚାରୁ ପଚାରୁ ସେ ଅଟକି ଯାଉଛି । ତା’ର ଆବେଶଲଗା ମନରେ ଆସିଲା ଅଜଣା ଅଭିମାନ, ତା’ପରେ କ୍ଷୋଭ । ଯେମିତି କେବେ ସାନ ପିଲାଦିନେ ଘଟୁଥିଲା, ଶୋଇପଡ଼ିଥିଲେ ବୋଉ ଭାତ ଖାଇବାକୁଉଠେଇଦେଲେ ଡିବି ଆଲୁଅ ଧାସରେ ଭାତ ପାଖରେ ବସି ଘୁମୋଉ ଘୁମୋଉ କ’ଣ ମନେପକାଇଲା ପରି ହୋଇ ସେ ମନ ଦୁଃଖ କରୁଥିଲା, ଛଟପଟ ହେଉଥିଲା ।

 

ସେ ଥଙ୍ଗେଇ ଥଙ୍ଗେଇ ହୋଇ କହିଲା, “ଅନ୍ଧାରି କଣରେ ଅନ୍ଧାର ଭିତରେ ମୋର ଜନ୍ମ-। ଆପଣ ତ ମୋ କାହାଣୀ ଜାଣିନାହାନ୍ତି । ଯେମିତି ଏ ଦେଶରେ ହଜାର ହଜାର ଝିଅ ଜନ୍ମ ହୁଅନ୍ତି-। ଅଲୋଡ଼ା ଜୀବନ । ଦୁହିତା ଦୁଇ କୁଳକୁ ପିତ୍ତା...”

 

ସେ ବାଧା ଦେଇ କହିଲେ “ଭୁଲ କହିଲେ, ଦୁଇକୁଳକୁ ହିତା, ପ୍ରାଚୀନ ଭାରତରେ କ’ଣ ନଥିଲା ତାଙ୍କ ସ୍ଥାନ ।

 

ସେ କହିଲା, “କେତେ ପଣଆଈ ବୁଢ଼ୀଙ୍କଠୁ ତା’ ଉତ୍ତାରୁ ତା’ ଉତ୍ତାରୁ କେଉଁକାଳୁ ଚାଲି ଆସିଛି, ଯେଝା ସାନ ସାନ ବଖୁରୀ ଆଉ ଅଗଣା ଆବୋରି ଯେଉଁ ମାଇକିନିଆଟି, ସେଇଠି ସେ ଭାତରାନ୍ଧେ, ପିଲାଙ୍କ ଘୁଅ ପୋଛେ, ଅଳିଆ ଝଟେଇ ସବୁ ରଖେ ସଫା ଝକ୍ ଝକ୍ । କାହାଠି କାଛୁଟିଏ ହେଲେ ଧୋଇଦିଏ ଔଷଧ ଲଗେଇଦିଏ, କିଏ ହାଲିଆ ଘାଲିଆ ହେଲେ ଘଷେ ଆଉଁସେ-

 

ସେ ଅଟକିଗଲା, ସେ ମୁହଁକୁ ତଳକୁ ପୋତି ମୁଣ୍ଡରେ ଦୁଇହାତ ଦେଇ ବସି ରହିଛନ୍ତି । ନିଶ୍ୱାସ ଯାଉଛି ଆସୁଛି କି ନାହିଁ ଜଣାପଡ଼ୁନାହିଁ । ରମା ଅନୁଭବ କରୁଛି, ତା’ ଭିତରେ ଦୁଃଖ ଆଉ କ୍ଷୋଭ ବାମ୍ଫ ହୋଇ ଉଠୁଛି । କିନ୍ତୁ ନିଜ ଅଜାଣତରେ ସେ କହିଯାଉଛି ନାରୀତ୍ୱର ଗୌରବର କଥା, ତହିଁରେ ମନର ଗୌଣତ୍ୱନାହିଁ ?

 

“କରିପାରିଲେ ସେଇଥିରେ ସେ ଜଗତ ଲୋକଙ୍କ ଉପକାରରେ ଲାଗିବ । ଯାହା ମଲେ ମିଣିପେ ଘରେ ମୁରବି ହୁଅନ୍ତି, ଦେଶ ଗୋଟାକ କୁଟୁମ୍ବ ମଣି ସେଇଆ କଲେ ସେ ହୁଅନ୍ତି ନେତା । ମାଇପେବି ସେମିତି । ଜଗତଯାକର ସେବା କରିପାରିଲେ ସେମାନେ ହୁଅନ୍ତେ ଦେଶର ମା’ । ଦିନୁଦିନ ଯେତିକି ଯେତିକି ଅବିଶ୍ୱାସ ଆଉ ହିଂସାରେ ଦୁନିଆଁର ବାୟୁ ବିଷ ହୋଇ ହୋଇଯାଉଛି, ମଣିଷ ହେଉଛନ୍ତି ସ୍ୱାର୍ଥପର, ହିଂସ୍ରଜ, ଲୋଭି, ପୁରୁଷମାନେ ସୁଖ ଶାନ୍ତି ନିରାପତ୍ତା ରଖିବାକୁ ଅପାରଗ ହେଉଛନ୍ତି, ସେତିକି ସେତିକି ଦରକାର ପଡ଼ୁଛି ଜଗତଯାକର ମା’ମାନଙ୍କୁ । ଅସୁରବଳ ବ୍ୟାପିଲା, ଦେବତା ପାରିଲେନାଇଁ, ହାରିଲେ, ପିଲାଙ୍କପରି ସେମାନେ ବୋବେଇଲେ ମା’–ମା’–ମା’ । ଜଗତଯାକର ମା’ ଆସିଲେ । ମତେ ତ ଲାଗୁଛି, ଏ ମାରଣା ଖଣ୍ଟ ପୃଥିବୀରେ ଯଦି କେବେ ଶାନ୍ତି ଆସିବ ତେବେ ତା’ କରେଇ ପାରିବେ ଏ ପୃଥିବୀର ମା’ମାନେ, ତାଙ୍କରି ଭିତରୁ କେହି ବାହାରିବେ ଜଗଦମ୍ବା ହୋଇ ସେ କ’ଣ ସାମାନ୍ୟ କଥା ? ସବୁ ସ୍ତ୍ରୀଲୋକଙ୍କଠି କ’ଣ ସେ ଗୁଣ ଫୁଟିବ ? ସେ ଜଗଦମ୍ବା ତିଆରି ହେଲେ ହେବେ ଭିନେ ଛାଞ୍ଚରେ ସେ କି କାମ କରିବେ କି କାମ ନ କରିବେ କେମିତି କେମିତି ନ ଚଳିବେ ସେଥିପାଇଁ ବ୍ୟବସ୍ଥା ଦେବେ ସେ ନିଜେ, ଆଉ କେହି ନୁହେଁ । ଭଗବାନ ଯଦି ଏ ପୃଥିବୀପାଇଁ ଶାନ୍ତି ଆନନ୍ଦ ରଖିଛନ୍ତି ସେପରି ଜଗତ–ମାତା କେଉଁଠି କାହା ସରି କିଏ ! ମୋ ଦେଇ କ’ଣ ହେବ ? ତିଆରି ହେଉଥିବେ । ଗ୍ରାମସେବିକା ଚାକିରି ଖଣ୍ଡେ କରି ମୁଁ ଦେଶ ଉଦ୍ଧାର କରିବା ସ୍ୱପ୍ନ ଦେଖିବି । କିଏ ପଢ଼େଇଲା ଶିଖେଇଲା ବାଟ ଦେଖେଇଲା ଯେ କ’ଣ ମୁଁ ହେଇଥାନ୍ତି ?” କୁଶଳବାବୁ ମୁହଁଟେକି ଅନାଇଁଲେ । ତାଙ୍କ ମୁହଁରେ ମୋହ ଆନନ୍ଦର ଝଳି ଝଟକୁଥିଲା, ଅଭିଭୂତ ହେଲାପରି ଟିକିଏ ରହି ସେ କହିଲେ, “କ’ଣ ଆପଣ କ’ଣ କହିଲେ ! ମୋ ଅଙ୍କକଷା ପୂରାକୁପୂରା ଠିକ୍, ଶହେରୁ ଶହେ । ୟେ ବାକ୍ୟ ନୁହେଁ ୟେ ବାଣୀ । ବାକ୍ୟ କହିବାପାଇଁ ଦରକାର ହୁଏ ଅଭିଧାନ, ବ୍ୟାକରଣ, ବାଣୀ କହିବାପାଇଁ ଦରକାର ହୁଏ ବିଶାଳ ହୃଦୟ, ମହାପ୍ରାଣ । କାମ କରିବାକୁ ଦେଶରେ ବହୁତ ହାତ ଅଛି । କିନ୍ତୁ ଦରକାର ତ ସେହି, ଯାହାଙ୍କୁ ଦେଖିଲେ ଯାହାଙ୍କଠୁ ବାଣୀ ଶୁଣିଲେ କାମ କରିବାକୁ ବୁଦ୍ଧି ବଳ ଉତ୍ସାହ ସବୁ ଆସିବ ।”

 

ଆଗ୍ରହରେ ସେ ତା’ଆଡ଼କୁ ଅଳ୍ପ ଝୁଙ୍କି ବସିଥିଲେ । ରମା ତାଙ୍କୁ ଅନାଇଁଲା, ଅନୁଭବ କଲା ତାଙ୍କ ଦୃଷ୍ଟି ସତେକି ଅସ୍ଥିର ହୋଇ ତା’ ସାମ୍ନାପଟେ ବାଁ’ରୁ ଡାହାଣକୁ ତଳୁ ଉପରକୁ ଏକର ସେକର ବୁଲୁଛି । ମନହେଲା ସେ ହାତବଢ଼ାଇ ତା’ ଲୁଗାପଟା ଉପରେ ଆଉଁସି ଯିବ ଝାଡ଼ିଝୁଡ଼ି ହେବ, ଆଉ କିଛିପାଇଁ ନୁହେଁ, ଖାଲି ଆଶ୍ଵସ୍ତିପାଇଁ କିନ୍ତୁ କାଳେ ତହିଁରେ ତାଙ୍କ ଦୃଷ୍ଟିଆକର୍ଷଣ ହେବ ବୋଲି ସେ ତା’ କଲାନାହିଁ, ହଲଚଲ ହେଲାନାହିଁ । ତା’ପରେ ନିଘା ପଡ଼ିଲା ତା’ ବ୍ଲାଉଜର ଦୁଇଟା ବୋତାମ ଖୋଲିଯାଇଛି, ତା’ଉପରେ ପାତଳ ଲୁଗା । ସେ ବସି ବସି ଝାଳେଇ ଗଲା । ଶୀତୁଆ ଶୀତୁଆ ଲାଗିଲା, ମନ ଭିତରେ କେଉଁଠି ଟିକିଏ ଛାନିଆଁର ରୁଗୁରୁଗୁ । ତାଙ୍କ ଆଖି ଦିଶୁଛି ଚିକ୍ ଚିକ୍ କାଚପରି, ଯେମିତି ମୂଷାଆଖି, ଉପର ଓଠ ସିଝିଲାପରି, ସେଠି ଦିନକର ଅଣଖିଅରର ରୂଢ଼, ମୋଟା ଗାର ପରି ନିଶର ମଳି ବାରି ହେଉଛି । ତା’ ସ୍ୱାମୀ ହର ଯେତେବେଳେ ଉଛୁରଯାକେ ଶୋଇ ରହିଥାଏ ଆଉ ସେ ଗାଧୋଇସାରି ଘର ଭିତରକୁ ପଶିଆସି କେବେ କେବେ ଉହୁଙ୍କି ପଡ଼ି ଅନାଏଁ ଆଉ ଡାକି ଦେଇ ନିଦ ଭାଙ୍ଗିଦେବାକୁ ସତ ବଳେନାହିଁ ଖାଲି ଅନାଇଁ ରହିଥାଏ ସେମିତି ତାକୁ ଲାଗିଲା । ଲାଗିଲା, କେଡ଼େ ନିଛାଟିଆଟା, କେହିନାହିଁ । ମନେପଡ଼ିଲା, ଯେଉଁ ଶାଗୁଣା ଚଢ଼େଇମାନଙ୍କ ରାଜା ଆଉ ଯେ ଉଡ଼ିପାରେ ଆକାଶରେ କେତେ କେତେ ଉଞ୍ଚରେ, ତଳର ଲୋକଙ୍କ ବିସ୍ମୟ ଉପୁଜାଇ, ସେ କାହିଁକି ଆଖିରେ ଲାଖି ରଖିଥାଏ ଖାଲି ମଢ଼ ଉପରକୁ ?

 

ତା’ପରେ ଆପଣା ଚିନ୍ତାକୁ ଆପେ ଅପସନ୍ଦ ମଣିଲା, ଭାବିଲା କ’ଣ ସେ ପାଗଳପରି ଭାବୁଚି ! ସାମ୍ନାରେ ପରା କୁଶଳବାବୁ, ସେ କ’ଣ ଆଉ ଭିନେ କିଏ ? କିଏ ନଜାଣେ ତାଙ୍କ ଖ୍ୟାତି ପ୍ରତିପତ୍ତି ? ଲୋକେ ତାଙ୍କୁ ମୁଣ୍ଡରେ ମୁଣ୍ଡାନ୍ତି କ’ଣ ବିନା କାରଣରେ ? ତାଙ୍କର ଚିନ୍ତା କେଡ଼େ ଉଚ୍ଚରେ, ନିଘା କେତେ ଉଚ୍ଚରେ, ତାଙ୍କଠି କ’ଣ ସାଧାରଣ ମଣିଷର ଦୋଷ ଦୁର୍ବଳତା କେବେ ଥାଇପାରେ ?

 

ରମା ମନେମନେ ତାଙ୍କୁ ନମସ୍କାର କରି ଆପଣାକୁ ଝିଙ୍ଗାସି ଶାନ୍ତ କଲା । ଭାବିଲା, କେଡ଼େ ସାନ ଆଉ ସନ୍ଦେହୀ ତା’ର ମନ ଯେ ଦେବତା ପରି ଲୋକ ଆଗରେ ସେ ଲଗାମ ଛାଡ଼ିଦେଇ ଯାହାପାରି ତା’ ଭାବି ଚାଲିଯାଉଛି । ଅନୋଉଛନ୍ତି, ଅନାନ୍ତୁ, ତାଙ୍କ ଦୃଷ୍ଟି ତାଙ୍କ ଆଦର୍ଶ ଉପରେ । ଆଉ କେଉଁଠି ନାହିଁ ।

 

ତାଙ୍କୁ ଭିନେ ଆଖିରେ ଦେଖିଲା । ନିର୍ବିକାର ଜିତେନ୍ଦ୍ରିୟ ପୁରୁଷ, ସେ ପରର ଉପକାର କରିବାକୁ ଉପରେ ପଡ଼ି ଧାଇଁଆସେ, ପରପାଇଁ କଷ୍ଟ ଦୁଃଖ ସହେ, ନିର୍ଯ୍ୟାତନା ସହେ, ଜୀବନରେ ଦୋଓଟି କାର୍ଯ୍ୟ, ତ୍ୟାଗ ଆଉ ସେବା । ଦେଶରେ ଏମିତି କେତେଜଣ ଅଛନ୍ତି ବୋଲି ତ ଦେଶ ବଞ୍ଚିଛି ।

 

ଚୁପ୍‍ଚାପ୍ ରହି କିଛି ସମୟ ବିତିଛି । ସେ ଠିଆହୋଇ ପଡ଼ି ନମସ୍କାର କରି ବିଦାୟ ମାଗିଲେ । କହିଲେ “ଆପଣଙ୍କର ବହୁତବେଳ ନଷ୍ଟ କଲି । ମୋର ଲାଭ ହେଲା, ଆପଣଙ୍କର ହେଲା କ୍ଷତି । ହଉ ମୁଁ ଯାଉଛି ।”

 

ମୋତିର ଆଖି କୈଫିୟତ ମାଗିଲା ।

 

ଖବରକାଗଜରେ ପ୍ରତିନିଧିଙ୍କ ଆଗରେ କେହି ବିବୃତ୍ତି ଦେବା ଭଙ୍ଗୀରେ ସେ କହିଲା “କୁଶଳବାବୁ ଆସିଥିଲେ । ସେ ଜଣେ ବଡ଼ ନେତା । ତାଙ୍କର ଧ୍ୟାନ ତାଙ୍କର କାମ ଖାଲି ଗୋଟିଏ–ଯେ ଦେଶର କେମିତି ଉନ୍ନତି ହେବ, ଲୋକଙ୍କର କେମିତି ମଙ୍ଗଳ ହେବ । ସେ ନାନାସଦୁପଦେଶ ଦେଉଥିଲେ, ମୋ କାମ ତାଙ୍କୁ ଭାରି ଭଲଲାଗିଛି ।”

 

ସୁରକୁ ତା’ ହାତକୁ ବଢ଼ାଇ ଦେଉ ଦେଉ ମୋତି ମୁହଁ ମୋଡ଼ିଦେଇ କହିଲା “ହଃ ! ମଙ୍ଗଳ ! ଯୋଉ ତ ! ଆଜିକାଲି ଲୋକେ ଯାଚି ଯାଚି ଆସି ଘରେ ଘରେ ମଙ୍ଗଳ ଦେଇ ଯିବେନା-? କହନ୍ତି ନା, ମାଗି ଦଣ୍ଡବତ ଯାଚି କଇଲାଣ ! ଖାଲି କହିବା କଥା । ଫାଟିଲା କପାଳ ଆଉ ଯୋଡ଼େ ନା ମଲା ମଣିଷ ଆଉ ବଞ୍ଚେ କାହା କହିବା କଥାରେ ? ଉନ୍ନତି କିଏ କ’ଣ କରୁଛି; ତା’ ତ ବଳେ ଜଣାପଡ଼ିଯାଉଚି । ଦେଖୁନା, ଭାଉରେ କେଯାଏ ଉନ୍ନତି ହେଲାଣି, ଚାଉଳ ଦେଖ, ତେଲ ଦେଖ, ଗୁଆ ଦେଖ, ଖଡ଼ା ଗଛକ ହେଲାଣି ଦି’ପଇସା ।”

 

ରମା କାବା ହୋଇ ତା’ ମୁହଁକୁ ଅନାଇଲା, କହିଲା “କ’ଣ ଅଡ଼ୁଆ ହେଲା ମୋତି ?”

 

ମୋତି ଯେମିତି କିଛି କହିନାହିଁ ସେମିତି ଭାବ ଦେଖାଇ କହିଲା “କାହିଁ କିଛିନାହିଁତ ।”

 

ଯେଉଁ ମୋତିକୁ ସେହି ମୋତି, ସାଧାକାଗଜ ପରି ।

 

ନାହୁଡ଼ ବାଙ୍କ, କାନକୁଟୁର ଆଉ ଗୋଧଡ଼ିଗଡ଼ ସବୁ ପାଖ ପାଖ, ଏକା ଧାଡ଼ିକେ । ଦି’ପଟେ ଧାନବିଲ ଥାଇ ମଝିରେ ନୂଆ କଚା ସଡ଼କ ପଡ଼ିଛି, ସ୍ଥାନେ ସ୍ଥାନେ ଖାଲ ଆଉ କାଦୁଅ ପଚ ପଚ, ଗୋରୁ ଗାଈ ମଣିଷଙ୍କ ଖୋଜରେ ଚକଟାଚକଟି । ସଡ଼କରୁ ବିଲ ହୁଡ଼ାଏ ହୁଡ଼ାଏ ଗାଁ ଗାଁକୁ ବାଟ, ପ୍ରତିଥର ଚେଷ୍ଟା କରାଯାଏ ଟିକିଏ ଓସାର କରିବାକୁ, ଗାଁଠୁ ଟିକିଏ ଦୂରେଇ ଗଲେ ପ୍ରତିଥର କେଉଁ ବିଲର ମାଲିକ ଦିଏ ପୁଳାଏ ଖାଇ, ନ ହେଲେ କରପଟେ ଏପରିଭାବେ କାନକୋଳି କଣ୍ଟା ଛାଟେ ଯେ ଯିବାକୁ କଷ୍ଟ ପଡ଼େ । ଗାଁ ଗାଁକେ କଥାପଡ଼େ ସଡ଼କକୁ ବାଟ ତିଆରି ହେଉ, ବେଶି ନୁହେଁ, ଅଧ ମାଇଲିଏ ଲମ୍ବା, ମେମ୍ବର ଜରିଆରେ ପ୍ରସ୍ତାବ ଯାଏ ଗ୍ରାମପଞ୍ଚାୟତକୁ, ସେତିକି କରି ଗାଁ ଲୋକେ ଆପଣା କର୍ତ୍ତବ୍ୟ ଶେଷ କରନ୍ତି ।

 

ସେହି ବାଟରେ ଚାଲି ଚାଲି ଗଲେ ଗାଁ ଯେତିକି ଯେତିକି ପାଖ ହୁଏ ସେତିକି ସେତିକି ଦୁର୍ଗନ୍ଧ ବଢ଼ି ବଢ଼ି ଯାଏ । ଖାଲି ପଚାସଢ଼ା କାଦୁଆ ବିଲପାଇଁ ନୁହେଁ, ସେହି ସାଧାରଣ ବାଟ ସଢ଼େ ଯେମିତି ଗାଁର ସାଧାରଣ ପାଇଖାନା, ସଞ୍ଜେ ସକାଳେ ଧାଡ଼ି ଧାଡ଼ି ହୋଇ ମାଇପେ ବସି ଯାଇଥାନ୍ତି, ନାକ ପାଟି ପଣତରେ ଢାଙ୍କି ଦେଇଥାନ୍ତି ।

 

ଧାନହିଁ ମୁଖ୍ୟ, ଭରସା ବରଷଣା ପାଣି, ରବି ଫସଲ କହିଲେ କୋଳଥ ପରିବା କହିଲେ ଲାଉ କଖାରୁ, କିଛି ସାରୁ । କଦଳୀ ଗଛ ଅଳ୍ପ ଅଳ୍ପ ଥାଏ ଯେଉଁଠି ଥାଏ ସେଠି ଏକାଠି ମେଞ୍ଚାଏ ମେଞ୍ଚାଏ, ସେମାନେ ଠିକଣା ସମୟରେ ପୁଆବି ଖେଳାନ୍ତିନାହିଁ । ପରସ୍ପରଙ୍କ ଗୋରୁଗାଈ ନିର୍ଭୟରେ ବୁଲିଚାଲି ପରସ୍ପରଙ୍କ ବଗିଚା ବାଡ଼ି ଧ୍ୱଂସ କରନ୍ତି ।

 

ପୂର୍ବକାଳର କୂଅ କେତେଠି ଅଛି, ପୋତି ହୋଇ ହୋଇ ଅନେକ କୂଅ ବାମ୍ଫି ଯାଇଛି, ଅରମା ଘୋଡ଼ି ହୋଇ ସେଗୁଡ଼ାକ ରହିଛି ଯନ୍ତା ହୋଇ, ବେଳେବେଳେ ଅଣହୁସିଆର ଗୋରୁ କି ମଣିଷ ଖସି ପଡ଼ିବାକୁ । ଘରୁଆ ଲୋକେ ଆପଣା ଆପଣା ବାରିଆଡ଼େ କୂଅ କରିଛନ୍ତି କେହି କେହି, ଚାନ୍ଦିନୀନାହିଁ, ଚୂଆ ପରି ଅଣଓସାର, ମାଟି ନନ୍ଦ । କିନ୍ତୁ ସର୍ବସାଧାରଣଙ୍କ ପାଇଁ ଦାଣ୍ଡରେ ଯେଉଁ କୂଅଗୁଡ଼ିକ ହୋଇଛି, ପକ୍‍କା ଚାନ୍ଦିନୀ ତହିଁରେ ତିଆରି ହେବା ତାରିଖବି ଲେଖାଯାଇଛି, ପଥର ନନ୍ଦ, ଅଳ୍ପ କେଇଟା ବର୍ଷରେ ସେଗୁଡ଼ାକର ଅବସ୍ଥା ଶୋଚନୀୟ, ଅଳ୍ପ ଗହୀର, ଖରା ଆରମ୍ଭ ହେଲେ କ୍ଵଚିତ ପାଣିଥାଏ, ଫଟା ଚାନ୍ଦିନୀ, ଭୁଷୁଡ଼ିଥିବା ମନ୍ଦ, ଦବିଥିବା ଚଟାଣ ଯହିଁରୁ ଫଡ଼ା ଫଡ଼ା ଉଠିଯାଇ ରହିଥାଏ ଖାଲି ତା’ ତଳର ମାଟି ମେଜିଆ, ପଚାରିଲେ କହନ୍ତି “ସେ କାମ ସେମିତି” ।

 

“ସିମେଣ୍ଟ ବଦଳରେ ବାଲି”

 

“ଏତେ ଟଙ୍କା ଖାଇଗଲା ।”

 

ଆଉ କେତେଟା କୂଅ ଫନ୍ଦ ଭିତରୁ ଗହଳ ହୋଇ ଉଠିଥାଏ ଓସ୍ତ ଗଛ, ବରଗଛ, ସାହାଡ଼ା ଗଛ କି ଆଉ କେଉଁ ଗଛ ।

 

ଗୋଧଡିଗଡ଼ ବାଉରି ସାହିର ଯେଉଁ ପକ୍‍କା କୂଅ ତା’ର ଚାନ୍ଦିନୀ ଚଟାଣ ସବୁ ଠିକ୍ ଅଛି, ଗହୀର ମୋଟେ ଆଠ ହାତ ତହିଁରେ ଅଳିଆ ଗଦା ହୁଏ । ତା’ ମନକୁ ଗଛ ହୋଇ ବହୁତ କଲରା ଫଳେ, ପାଚେ ଆଉ ଝଡ଼େ । ନାହୁଡ଼ବାଙ୍କ ହାଡ଼ିସାହି କୂଅର ସ୍ଥାନ ଦେଖାନ୍ତି ପୁରୁଖା ଜାଣିବା ଲୋକମାନେ, ଦଧି ଷଡ଼ଙ୍ଗୀଙ୍କ ବାରି ପଛଆଡ଼ ଧାନ ବିଲରେ ଅରାଏ ଜାଗା, ବାରିହୁଏନାହିଁ । ମାନକୁଟୁର କଣ୍ଡରା ସାହିରେ ଗୋଟାଏ କୂଅ ହୋଇଥିଲା ବୋଲି ଅନ୍ୟତ୍ର କାଗଜପତ୍ରରେ କୁଆଡ଼େ ଲେଖା ଅଛି, କିନ୍ତୁ ସାହିର ବୁଢ଼ା ଲୋକେବି ତା’ ଜାଣନ୍ତିନାହିଁ ।

 

ଏପରି ନୁହେଁ ଯେ ଗାଁଗହଳିରେ ଏ ଚିତ୍ର ସହିତ ରମା ଆଗରୁ ପରିଚିତ ନଥିଲା । ଦେଶ ସ୍ୱାଧୀନ ହେବା ଆଗରୁ କେତେ କାଳ ଏପରି ଚାଲିଥିଲା ଜଣାନାହିଁ, କିନ୍ତୁ ଅଳ୍ପ କେତେ ସହରିଆ ଅଧାସହରିଆ ସ୍ଥାନ ଛାଡ଼ିଦେଲେ ଗାଁଗହଳିରେ ଏପରି ବହୁତ ଥିଲା, ପିଇବାକୁ ଭଲ ପାଣିନାହିଁ, ଜୋରରେ କି ବନ୍ଧରେ କି ଟୁବି ଗାଡ଼ିଆରେ ଭିଡ଼ିଛି ବିଲାତିଦଳ, କୂଅ ପୋଖରୀ ପୋତି ହୋଇପଡ଼ିଛି, ବାଟଘାଟନାହିଁ, କାଠ ପୋଲଟିଏବି ମଞ୍ଜୁର କରାଇବା କାଠିକର ପାଠ, ପ୍ରଧାନ ପ୍ରଧାନ ସଡ଼କ ସତେକି ଧୂଳି ବାଲିରେ ତିଆରି, ଚାଳଘର ଛଡ଼ା ଅନ୍ୟ ଘରବି ନାହିଁ, ସେହି ଚାଳଘର ଖଣ୍ଡିଏ ସମ୍ଭାଳି ସଜାଡ଼ି ରଖିବା ସୁଦ୍ଧା ଅନେକଙ୍କ ଶକ୍ତିର ବହିର୍ଭୁତ । ସ୍ୱାଧୀନତା ଆସିଲା ପରେ ହଠାତ୍ ଯେ ସେ ଅବସ୍ଥାରେ ଆଖି ଦରସିଆ ପରିବର୍ତ୍ତନ ହେଲା ତା’ ନୁହେଁ । କେଉଁଠି କିଛି କିଛି ପରିବର୍ତ୍ତନ ଆରମ୍ଭ ହେଲା । ଯେଉଁଠି ନ ହେଲା ପଡ଼ିରହିଲା ସେ ସେପରି ।

 

କିନ୍ତୁ ଶୀତଳବାବୁଙ୍କ ସଙ୍ଗେ ଚିହ୍ନାଜଣା ହେଲା ଉତ୍ତାରୁ ତାଙ୍କ ଅଞ୍ଚଳ ଯେପରି ହୋଇଥିବ ବୋଲି ମନେମନେ ରମା ଗୋଟାଏ ଗୋଟାଏ ଧାରଣା କରିଥିଲା ଏ ଚିତ୍ର ସେ ଧାରଣାଠୁ ଭିନେ । ସେ ଆଶ୍ଚର୍ଯ୍ୟ ହେଲା,–ଚାରିମୁହଁକୁ ଲାଗିଛି କହିଲେ ଚଳେ, ତେବେ ସତେ କ’ଣ ସେ ଦୀପ ତଳର ଅନ୍ଧାର !

 

ଗୋଧଡ଼ିଗଡ଼ ସବର୍ଣ୍ଣ ହିନ୍ଦୁ ସାହି ବାଟେ ଗଲାବେଳେ ସେ ଠାଏ ଅଟକିଗଲା, ଲିପାପୋଛା ଉଞ୍ଚ ପିଣ୍ଡା ସାମ୍ନାରେ ଚଉରା ଆଉ ନଡ଼ିଆଗଛଗୁଡ଼ିଏ । କାନ୍ଥରେ ଝୋଟି ପଡ଼ିଛି । ମେଲା ଦାଣ୍ଡଘର କବାଟକୁ ଆଉଜି ଭିତରପଟେ ଓଢ଼ଣା ପକାଇ ମାଇପିଟିଏ ଠିଆହୋଇଛି । ଖରାବେଳ, ଲୋକ ଚଳପ୍ରଚଳନାହିଁ । ରମାର ଇଚ୍ଛା ହେଲା ସେ ଯିବ, ଦୁଃଖ ସୁଖ ହେବ, ଗୋଟିଏ ବନ୍ଧୁ ଅରଜି ପାରିଲେ କ୍ରମେ ଏ ସାହିଯାକରେ ସେ ଚିହ୍ନାଜଣା ହୋଇଯିବ, ତା’ପରେ ଏଠି କିଛି କାମ କରିହୁଅନ୍ତା-। କାମ ବିଷୟରେ ସେ ଯେଉଁ ଦୀକ୍ଷା ନେଇଛି ସେଥିରେ ଆରମ୍ଭ ତ ସେମିତି ହୁଏ ।

 

ହସରୁ ପରିଚୟ ଆରମ୍ଭ ହୁଏ, ତାଲିମ୍ ନେଲାବେଳେ ସେକଥାବି ତାକୁ କୁହାହୋଇଛି । ସେ ହସବି ସାଧାରଣ ନୁହେଁ, ବ୍ୟବହାରିକ ହସ, ନିଜ ଅଭିଜ୍ଞତା ଆପେ ଆପେ କ୍ରମେ କ୍ରମେ ଅଭ୍ୟସ୍ତ ହୋଇଛି, ରମା ଭାବିଚିନ୍ତି ଜାଣି ଜାଣି ହସେନାହିଁ ।

 

କିନ୍ତୁ ଯେଉଁ ହସର ପ୍ରତିଛବି ଅନ୍ୟ ସ୍ତ୍ରୀଲୋକର ମୁହଁରେ ଫୁଟାଇ ସେ ଅନ୍ୟଠି ସମାଦର ପାଇଛି ତା’ର ଯେମିତି କି ଏଠି ଓଲଟା ମୂଲ । ଆର ସ୍ତ୍ରୀଲୋକଟିର ମୁହଁରେ ବିରକ୍ତିର ଛବି ଉଇଁ ଲାଖି ରହିଲା । ସେ ପଦାକୁ ଦି’ଖୋଜ ଚାଲିଆସି କହିଲା “କିଏ ବା ତୁମେ ?”

 

ରମା ନିଜର ପରିଚୟ କହିଲା, ସେ ନୂଆ ଗ୍ରାମ-ସେବିକା ।

 

“ମଲା ! ଗ୍ରାମସେବିକା ! ବାରଦୁଆର ବୁଲି ବୁଲି ଶେଷରେ ମୋରି ପିଣ୍ଡାରେ ଚଢ଼ିଲେ ! ଓହ୍ଲା ଓହ୍ଲା । ଭାକ୍ ଭାକ୍ । ଅଇଛା ପୁଣି ଆଣ ଗୋବର ପାଣି, ପୁଣି ଲିପ । ମୋର ଲାଗିଥିବ ଆଉ-।”

 

ଲଜ୍ଜା ଆଉ ଯନ୍ତ୍ରଣାରେ ରମାର ମୁହଁ ମୁର୍ଦ୍ଦାରିଆ ହୋଇ କାଠ ହୋଇ ରହିଲା । ଦୁଆର ମୁହଁରେ ପହଞ୍ଚିବାକୁ ପାହାଚେ ଆଉ ଥାଏ ସେ ଅଟକି ଗଲା, ତା’ର ପଡ଼ୁଥିବା ପାଦଟି ଧୀରେ ଧୀରେ ପଡ଼ିଲା, ଗୋଡ଼ ଟଳ ଟଳ ହେଲା । ସେ ଥଙ୍ଗେଇ ଥଙ୍ଗେଇ ହୋଇ ପଚାରିଲା–

 

“କ’ଣ ହେଲା ଅପା ? ତମର କିଛି ଦୋଷ ତ ମୁଁ କରିନାଇଁ, ମତେ ଦେଖୁ ଦେଖୁ ଏମିତି କହୁଚ କାଇଁକି ?”

 

ଆର ଜଣକର ଆଦୌ ଅନୁତପ୍ତ ହେବାକୁ ଗରଜ ପଡ଼ିନାହିଁ । ସେ କହିଲା “ହଉ ହଉ, ତମ ଭଲଲୋକି ଜଣାଗଲାଣି, ଗଲ ବିଦାହେଲ । ପିଣ୍ଡାକୁ ଓହ୍ଲା ।”

 

“କ’ଣ ଅଛୁଆଁ ଜାତି ବୋଲି ଭାବୁଚ କି ଅପା ? ନାଇଁ ମ, ସେମିତି ନୁହେଁ ।”

 

“ତମ ଛୁଆଁ ଅଛୁଆଁରୁ ଆମକୁ କି ମିଳିବ ବା ? ତମର ତେମେ ବାଟେ ବାଟେ ଯିବା ଲୋକ ବାଟେ ବାଟେ ଯିବ, ଆଉ ଉଚ୍ଚବାଚ କ’ଣ ?”

 

“ଆରେ ?”

 

“ବୁଝୁନା, ଆମେ ହେଲୁ ମଫସଲିଆ ଲୋକ, ଘରେ ବଡ଼ବଡ଼ୁଆ ଅଛନ୍ତି, ଦାଣ୍ଡରେବି ଦେଖୁଚ ଚଉରା, ଆମେ ଜାଣୁ ଆପଣା ମହତ ରଖି ମାଟି କାମୁଡ଼ି ପଡ଼ିବା ହେଲା ବଡ଼ କଥା, ଆମର ଦିଅଁଦେବତା, ଜାତି, ପତି, ଏଇଆ ବଡ଼ । ଆଉ ବାକି ବାହାରିଆ କଥା ଶୁଣି ଲାଭ କ’ଣ ? କିଏ ଆମକୁ କ’ଣ ଅଜାଡ଼ି ଦବ ? ତୁମେ ନିଜେ କହୁନା ଝିଅ କେତେ ବାରଦୁଆର ଶୁଣ୍ଢିପିଣ୍ଡା ତ ବୁଲୁଥିବ, କେତେ ଲୋକଙ୍କୁ ତ ଛୁଉଁଥିବ, କେତେଠି ପାଣି ପିଉଥିବ, ଆମେ ତ ଓଳିତଳକୁ ଓହ୍ଲେଇଲେ ଛୁଆଁ ତା’ ଆଉ ଯେ ସଡ଼କ ଧୂଳିରେ ବୁଲୁଚି ସେ କ’ଣ ନ ହୋଇଥିବ । ସେଇଥିପାଇଁ କହୁଚି ତେମେ ତମ ବାଟେ ବାଟେ ଯାଅ ।” ତା’ କଥାରେ ସନ୍ଦେହ ଓ ଉଦ୍‍ବେଗ ଉଭୟ, ସେ ପରିଷ୍କାର ଜଣେଇଦେଲା ଯେ ତା’ର ଫଁ ଫଁ ଖାଲି ଆତ୍ମରକ୍ଷାର ଉପାୟ ବିଧାନ, ଘୃଣା ବିଦ୍ୱେଷ ନୁହେଁ ।

 

ରମା କହିଲା “ସେଇଆ ଭଲା ବୁଝେଇ ଶୁଝେଇ ପଦେ କହିଥାନ୍ତି, କ’ଣ ନା ଖା-ଭୁଞ୍ଜ-ଗିଳ, ମୁଁ ତ ଛାନିଆଁ କାଳେ ତେମେ ସତୁକୁ ସତ ଛାଞ୍ଚୁଣିଉଠେଇବ କି କ’ଣ ?”

 

ଆରକ ହସିଦେଲା, ପାନଖିଆ ନାଲି କଳା ଦାନ୍ତରେ ଫାଳିକିଆ ହସ, କହିଲା “ତେମେ ସରକାରୀ ଲୋକ, ତୁମକୁ ଗାଳି ଦେବାକୁ ଆମର ତୁଣ୍ଡ ଲେଉଟନ୍ତା ! ନା ଆମେ ଏଡ଼େ ପଶୁ ହେଉଚୁ, କାଣ୍ଡଜ୍ଞାନ ନାଇଁ ? କ’ଣ କହୁ କହୁ ପାଟିରେ କ’ଣ ହୋଇଯାଇଥିବ । ହଉ ତୁମେ ଯାଅ ।” ସେ ନରମି ଆସିଲାଣି । ରମାର ସାହାସ ବଢ଼ିଲା । କହିଲା “ଏମିତି ତଡ଼ୁଚ କାଇଁକି ? ମୁଁ କ’ଣ ତମ ଘର ଭିତରେ ପଶି ତମ ହାଣ୍ଡି ମାରା କରି ଦଉଚି ? ତମରିମାନଙ୍କ କାମରେ ବୁଲିବା କଥା–”

 

“ସେକଥା ଆଉ କହନାଇଁ । କାହା କାମରେ କିଏ ବୁଲେ ନା କାହା ଦୁଃଖ ଆଉ କିଏ ନିଏ ? ତମ ଚାକିରି କାମରେ ତେମେ ବୁଲୁଚ, ଆମ ଦୁଃଖରେ ଆମେ ପଡ଼ିଚୁ । କାହା କଥା ଆଉ କିଏ କରିଦେବ ?”

 

“ତେମେ କ’ଣ ଆମ କାମ କଥା ଜାଣିଚ ?”

 

“ନ ଜାଣିବୁ କେମିତି ? ତମ ଆଗରୁ ତ ଜଣେ ପୁଣି ଥିଲେ ? ସେ ଆସିଲେବି ଆମ ମନକଥା ଆମେ ଖୋଲି କହୁଥିଲୁ । ସେ ଯାହା କହନ୍ତି ନା,–ସହରରେ ହେଇପାରିବ ସିନା ଗାଁରେ ହବନାଇଁ । ଆଚ୍ଛା କହିଲ ଭଲା, ଆମ ଦାଣ୍ଡରେ ଯେଉଁ କୂଅ ଅଛି ସେଥିରୁ କୁଆଡ଼େ ଯେ ମନ ସେ ଆସିଲେ, ପାଣି ଖାଇବେ, କ’ଣ ନା ପାଣି ଛୁଆଁରେ ଜାତି ଯାଏ ନାଇଁ । ଆଚ୍ଛା ୟେ ଜାତି ଭିଆଣ କ’ଣ ଆମେ କରିଚୁ ଯେ ଆମେ ଭାଙ୍ଗିବୁ । ସେ ତ ପୂର୍ଵାଦିକାଳରୁ ଅଛି । ସେ ଫେର୍ କହିବେ କ’ଣ ନା କୁକୁଡ଼ା ଡିମ୍ବ ଖାଇଲେ ଦେହ ଭଲ ରହିବ ବୋଲି ତାଙ୍କ ପାଠରେ କହୁଚି । ୟେ ଅନାଚାର କଥା କୋଉଠି କିଏ ଶୁଣୁଚି ? ସେଇଠୁ ଆଉ ଜଣେ ଆସି କହନ୍ତା କ’ଣ ନା ମଦ ଖାଅ !”

 

ରମା ଖାଲି ମୁରୁକି ମୁରୁକି ହସିଲା ।

 

ସେ କହିଗଲେ, “ଆହୁରି କ’ଣ ବିଙ୍ଗିଟଣ ! ସେ କହିବେ ଏତେ ପିଲାଛୁଆଗୁଡ଼ାକ ଭଲ ନାଇଁ । ମଲା ମ’ ପିଚାଶୁଣି । ଏକଥା ଶୁଣିଲେ ହାଡ଼ରେ ନିଆଁ ନାଗିବନାଇଁ ! ଷଠିଦୁଛେଇଁ ଦୟା କଲେ ସିନା ପିଲାଛୁଆ, ନଇଲେ ଖୋଜିଲେ କିଏ ପାଉଚି ? କହିବେ ବଟିକା ଦେବି ଯେ ପିଲାଛୁଆ ବନ୍ଦ ହେବ, ଭଲ କଥା ! ଏଇ ହିତକାମ କରିବାପାଇଁ ୟେ ଘର ଘର ବୁଲୁଚନ୍ତି ! ଆମ ପିନ୍ଧିବା, ଖାଇବା ଚଳିବା ସବୁ ତାଙ୍କ ଆଖିକି ନାଙ୍କେରା ଦିଶେ, ତାଙ୍କ ମନ ସେ ଆମକୁ ବତାନ୍ତେ ବଦଳାନ୍ତେକିଓ କାଇଁକି ? ଆମେ କ’ଣ ଧର୍ମରେ ନାହୁଁ ଯେ କିଏ ଅଧିକା ବତେଇବ ? କ’ଣ ଶୁଣିବ ତାଙ୍କ କଥା, ପଡ଼ିଆରେ ଝାଡ଼ା ଫେରିଯିବାଟାବି ଦୋଷ ! ସେଥିପାଇଁ ଘରେ ଘରେ ଗାତ ଖୋଳି ପାଇଖାନା ହବ, ସେ ଭର୍ତ୍ତି ହେଲେ ତା’ଉପରେ ଗଛ ଲଗେଇ ଦେଲେ ଭଲ ଫଳ ଫଳିବ, ଏମିତି ସବୁ ଓଲଟା ଓଲଟା କଥା କହି ବୁଲିବାକୁ କୁଆଡ଼େ ତାଙ୍କୁ ଦର୍‍ଦମା ଦେଇ ଗାଁ ଗହଳିକି ପଠା ହୋଇଚି, ସେଥିପାଇଁ ଆମେ କହୁ, ତେମେ ତ ତମ ବାଗରେ କଥା କହିବି ଚଳିବ କାମ କରିବ, କରୁଥା, ଆମ କାନରେ ସେଗୁଡ଼ା ପକାନାଇଁ ।”

 

ଠିଆ ଠିଆ ଆଲୋଚନା ଆରମ୍ଭ ହୋଇଯାଇଛି, ରମା ଅନୁଭବ କଲା, କହିଲା ତମକୁ ଯାହା ନରୁଚିବ ତୁମେ ତା’ ନକରିବ, ବଳୋଉଚି କିଏ ? ସଂସାର ବଦଳୁଚି, ଗୋଟିଏ ଗାଁ ବୋଲି ନୁହେଁ–”

 

“ହଁ, ସଂସାରଯାକ ଅନାଚାର ଅଶାନ୍ତି ତ ଘୋଟୁଚି, କୋଉ ଭଲ ଆଉ ମାଡ଼ିଯାଉଚି ଦେଖୁଛ ? ତେବେ, ସ୍ୱର୍ଗ, ନରକ, ୟେ ତ ଅଛି । ଧର୍ମ ଅଧର୍ମ, ୟେ ତ ବୁଡ଼ି ନାଇଁ । ଆମେ ଧର୍ମକୁ ଆଶ୍ରା କରି ପଡ଼ିଚୁ, ସଂସାର ଯାହାହେଉ ।”

 

କ’ଣ ୟାର ଧର୍ମ ? ଅନ୍ଧବିଶ୍ୱାସ ଓ ତା’ ସହିତ କୁସଂସ୍କାରାଛନ୍ନ ଆଚାର ? ରମା ଭାବୁଥାଏ । କିନ୍ତୁ ତୁଣ୍ଡରେ କହିଲାନାହିଁ । ବରଂ କହିଲା “ସେ ସବୁ କଥା କହନ୍ତି ନାଇଁ, ଭାବୁଥିଲି ସମସ୍ତେ ଏକାଠି ହେଲେ କେତେ ଆଡ଼ର କେତେ ଭଲ ଭଲ କଥା ପଡ଼ନ୍ତା, ମୁଁ ଯାହା ଜାଣେ କହନ୍ତି, ତେମେ ଯାହା ଜାଣ କହନ୍ତ, ଖବରକାଗଜ ପଢ଼ ?”

 

ଘରଣୀ ପୁଣି ସନ୍ଦେହୀ ହୋଇଗଲା । କହିଲା “ନିଜ ଗୁମର ନିଜେ ରଖିବା ଠିକ୍ । ପରଲୋକଙ୍କ ସଙ୍ଗରେ କ’ଣ ଗପିବା ? ୟାଡ଼ୁସ୍ୟାଡ଼ୁ କେତେ ଆଡ଼ର କଥା ପକେଇ କ’ଣ ହେବ ? ଆମେ ଯୋଉ ଘଣାରେ ବନ୍ଧା ହେଇଚୁଁ, ସେ ଆମୁକୁ ବଳେଇଚି ।”

 

“ଆମେ ଆଉ କ’ଣ କହନ୍ତୁ କି ? ଖାଲି ଏତିକି ଯେ ସେ ଘଣାରୁ କେମିତି ବେଶି ତେଲ ବାହାରିବ ।

 

“ହ ! ତେମେ ସବୁ ପାଠପଢ଼ିଚ ବୁଲୁଚ ବୋଲି ଉଦ୍ଧାର କରିଦେବ ! ସେଗୁଡ଼ା କହନା । କିଛି କଲା ଭଳି ଶକ୍ତି ଅଛି ? କେମିତି ସବୁ ଜିନିଷ ଆଗକାଳ ପରି ଶସ୍ତା ହବ ତା’ ଭଲା କରନ୍ତ । ଆଗର ପଇସାକ ଏବେ ଟଙ୍କାକର ଭଲା ହ’ନ୍ତା ? ନା, ଆଗର ପଇସାକୁ ଏବର ଦି’ଟଙ୍କାବି ସରି ନୁହେଁ । ଭାଉ ତ ଛାଡ଼, ମଣିଷଙ୍କୁ ଦେଖ । ଆଗକାଳ ପରି ଲୋକେ ବଡ଼ ସାନ ମାନି ଚଳନ୍ତେ ଭକ୍ତି କରନ୍ତେ, ଯେତେ ମିଛ ଚୋରି ହାରି ଟାଉଟରି ବ୍ୟାପୁଛି ତା’ ଭଲା ତେମେ କମେଇ ପାରନ୍ତ, ଧର୍ମରେ ଲୋକଙ୍କ ମତି ରହନ୍ତା ଏମିତି ଉପାଏ କରନ୍ତ, ଜାଣନ୍ତେ ତମ ଦେଇ କିଛି ହେଲା । ନଇଲେ ଆମେ ଛିଣ୍ଡା ମଇଳା ପିନ୍ଧି ଯେମିତି ଛଟପଟ ସେମିତି ତେମେ ଦରହ ସଫା ପିନ୍ଧିବି ଛଟପଟ, ଆଉ ତମ ଦେଇ ଅଧିକ କି ଶାଗ ସିଝିବ ? ହଉ ଆଜି ଯା, ତମର ଉଛୁର ହଉଚି ।” ସେ ପୁଣି ଯେମିତିକି ସତର୍କ ହୋଇଯାଇଛି ଯେ ଯାହା ସଙ୍ଗରେ ତା’ର ପାଟି ଫିଟାଇବାରବି ନଥିଲା ତା’ ସଙ୍ଗରେ ତା’ର ବହୁତ ଦୁଃଖ ସୁଖ ହୋଇଗଲାଣି । ସେ ଘରେ ପଶି କବାଟ କିଳିଦେଲା, ଭାବୁ ହେ ଯାହା ।

 

ଆଉ ବକା ହୋଇ ରମା ଠିଆହୋଇ ରହିଲା ସେହି ବୁଜା କବାଟଆଡ଼କୁ ମୁହଁ ବୁଲେଇ-

 

କିଏ କ’ଣ ରାଗରେ କଥା କହିଦେଲି ତାକୁ ଶୁଣି ନ ରାଗିବା ରମା ତା’ର ଚାକିରି କରିବା ଅଭ୍ୟାସ ସଙ୍ଗେ ସଙ୍ଗେ ଅଭ୍ୟାସ କରି ନେଇସାରିଥିଲା, ସେ ବୁଝିଥିଲା ଯେ ପଦେ ପଦେକେ ଛଳ କଲେ ମଫସଲରେ କାର୍ଯ୍ୟ କରିବା ସମ୍ଭବ ନୁହେଁ ।

 

କିନ୍ତୁ ସେଦିନ ସେ ନିଛାଟିଆ ଦି’ପହରବେଳେ ଗାଁ ଗହଳି ଭିତରର ଜଣେ ଅଚିହ୍ନା ଗୃହିଣୀର ବ୍ୟବହାର ଓ ଅତି ମାମୁଲି କଥା କେଇପଦ ରମାର ମନର କେଉଁ ସୂକ୍ଷ୍ମ ଜଳାବାଟେ ଭିତରକୁ ଭେଦିଗଲା । ସେ ଗୋଟାଏ ନୈରାଶ୍ୟର ଅନିଶ୍ଚିତତାରେ ଛଟପଟ ହେଲା ।

 

ଇଚ୍ଛା ହେଉଥାଏ ସେହିକ୍ଷଣି ସେ ଧାଇଁ ଯାଆନ୍ତା କୁଶଳବାବୁଙ୍କ ପାଖକୁ ଆଉ ପଚାରନ୍ତା ସମାଧାନର ଉପାୟ ବତାନ୍ତୁ,–କହନ୍ତା ସେ ସ୍ତ୍ରୀଲୋକ ଯାହା କହିଲେ ସେଥିରୁ ତାଙ୍କର ଅଜ୍ଞାନ ଓ କୁସଂସ୍କାର ଓ ଅନ୍ଧବିଶ୍ୱାସର ପରିଚୟ ମିଳୁଛି ସତ କିନ୍ତୁ ସେହି ଅନ୍ଧକାର ଭିତରେ ଗୋଟାଏ ତୀବ୍ର ବ୍ୟଥାର ଆବେଗ ବି’ତ ରହିଛି, ସେ ବ୍ୟଥା ସାର୍ବଜନୀନ,–

 

କାହିଁ ଆମର ପରିକଳ୍ପିତ ସୁଖଶାନ୍ତିର ସମାଜ !

 

ସଂସାରରେ ନିଜର ଅତି ସାଧାରଣ ଗୁଜୁରାଣ ମେଣ୍ଟାଇଲା ଭଳି ଶକ୍ତି ଥାଇ ବଞ୍ଚିବା, ମର୍ଯ୍ୟାଦା ସହକାରେ ବଞ୍ଚିବା, ଆଶଙ୍କା ଉଦ୍‍ବେଗ ଭୟ ରହିତ ହୋଇ ବଞ୍ଚିବା, ପୁଣି ସ୍ନେହ ବିଶ୍ୱାସରେ ଛନ୍ଦାଛନ୍ଦି ହୋଇ ଆନନ୍ଦରେ ବଞ୍ଚିବା,–କ’ଣ ଆଉ ଅଛି ଯାହା ୟା’ଠୁ ବେଶି ଜରୁରୀ କାମ ଯେଉଁଥି ସକାଶେ ସେ ଗାଁ ଗାଁ ଘର ଘର ବୁଲି ଲୋକଙ୍କୁ ବୁଝେଇବ, ଫୁସୁଲେଇବ, କୋବଲେଇବ, ମନେଇବ ?

 

ପିଠିର ବୋଝ ଆଉ ମନର ଉଚ୍ଛ୍ଵାସ ପରସ୍ପରର ଅନୁରୂପ ନ ହେଲେ ଯେପରି ଉଚ୍ଛ୍ଵାସ ଦବି ଦବି ଯାଏ, ବୋଝଟା ମାଡ଼ି ମାଡ଼ି ପଡ଼େ, ହସ ଶୁଖିଯାଇ ଦେଖାଦିଏ ଝୋଲାମରା କ୍ଳାନ୍ତି ଆଉ ମଣିଷ ନିଜ ପାଖେ ନିଜେ ହାରି କଳ ପରି ପାଦ ପକାଏ, ରମାର ସେଇଆ ହେଲା ।

 

ଯେ ତାକୁ ଯେତେ ଟେକାଟେକି କରୁ, ତାକୁ ଲାଗିଲା ସେ ଅପାରଗ, ତା’ର ଉଚ୍ଛ୍ଵାସ ଅବାନ୍ତର, ତା’ର ଆଶା ଖାଲି ଆପଣା ଜୀବନର ତାତି, ସେ ପଦାକୁ ଚହଟିଲାନାହିଁ, ତା’ର ଉଦ୍ଦୀପନା ପିଲାଙ୍କ ମିଛିମିଛିକିଆ ଖେଳଠୁବି ହୀନ, ସେମାନେ ଖେଳ ଖେଳନ୍ତି ଆପଣା ମନକୁ, ଏ ଖେଳ ପରର ନିର୍ଦ୍ଦେଶରେ । ହୁଏତ ଯେଉଁମାନେ ନିର୍ଦ୍ଦେଶ ଦିଅନ୍ତି ନିର୍ଘଣ୍ଟ ବିଧାନ କରନ୍ତି ସେମାନେ ନିଜେ ତାକୁ ରୂପ ଦେବାକୁ ଗାଁ ଗୋହରୀର ଧୂଳିକୁ ଓହ୍ଲାଇଥିବେ କ୍ଵଚିତ ।

 

ହୁକୁମର ଚାକରର ଅଧିକାରନାହିଁ ଯେ ସେ ବାଟର ବାଟୋଇକୁବି ପଚାରି ବୁଝିବ, କାହିଁକି ସେ ଭକୁଆ ହୋଇ ପରର ଗଣ୍ଡିପାତ କାର୍ଯ୍ୟରେ ଲାଗିରହିଥିଲା ।

 

ଖଣ୍ଡାଧାର ସେନାପତି ଭିଆଇ ପରେ ରକ୍ତନଦୀ, କଲମଧରା ସେନାପତି ଭିଆଇପାରେ ବିଭ୍ରାଟ କି ଧ୍ୱଂସ, ଧନର ଥଳିଧରା ସେନାପତି ଭିଆଇପାରେ ଦେଶରେ ଖାଦ୍ୟାଭାବ, ଚଢ଼ା ଭାଉ, ଶହ ଶହ ହଜାର ହଜାର ଲୋକଙ୍କ କୁଡ଼ିଆରେ ହରିବୋଲିଆ ଦିଅଲିଆ ହେବାର ନାଲିବତି । କୋଥଳିଧରା ସେନାପତି ଭିଆଇପାରେ ଜୀବନର ବିକୃତ ଦର୍ଶନ, କର୍ମପ୍ରବଣତା ଲୋପ କରିପାରେ, ଆଉ ସେନାପତିବି ମଣିଷ, ତା’ ବୁଦ୍ଧିର କଳ୍ପନାର ଶକ୍ତିର ପରିମାଣର ସୀମା ଅଛି, ଅବସ୍ଥା ଅନୁସାରେ କ୍ଷୟବୁଦ୍ଧି ଅଛି, ମଣିଷଠିଁ ଯେତେ ଭୁଲ ଯେତେ ଦୁର୍ବଳତା ଥାଇପାରେ ତାଠିବି ସମ୍ଭବ ହୋଇପାରେ ତ ତା’, ସେନାପତି ଭୁଲବି କରିପାରେ ।

 

କେତେ ଥର ଏ ଜଗତ ପାଉଥିବ ରାମ କି କୃଷ୍ଣଙ୍କ ଭଳି ସେନାପତି ?

 

ଯେତେ ଯେତେ ଲୋକେ ଅଭ୍ୟସ୍ତ ହେଉଥିବେ ବିଜୁଳି ଆଲୁଅ ଜାଳିବାକୁ ସେତେ ସେତେ ସମ୍ଭାବନା ବଢ଼ି ବଢ଼ି ଚାଲିଥିବ ଯେ ବେଳ ଆସିବ ଯେତେବେଳେ ଲାଇନ୍ ଖରାପ ହେବ ଆଉ ଏକାବେଳକେ ସବୁ ଘର ହେବ ଅନ୍ଧାର ।

 

ସେମିତି ଯେତେ ଯେତେ ଲୋକେ ଅଭ୍ୟସ୍ତ ହେଉଥିବେ ନିଜର ସ୍ୱାଧୀନ ବିଚାର ଛାଡ଼ି ବିରାଟ ବିରାଟ ମେଣ୍ଟରେ ଛନ୍ଦି ହୋଇ ରହି ଜଣେ ମଣିଷର କି ଦଳେ ମଣିଷଙ୍କର ନିର୍ଦ୍ଦେଶରେ ଚଳିତ ହେବାକୁ ସେତେ ସେତେ ବଢ଼ି ଉଠୁଥିବ ମଣିଷ ସମାଜ ଉପରକୁ ବିପଦ,–ଯେ ସେନାପତିର ନିର୍ଦ୍ଦେଶ ଭୁଲ ହୋଇପାରେ, ବାର୍ଦ୍ଧକ୍ୟର ମୂଢ଼ତା ଆଉ ଶୀଥିଳତା, ମଦର ନିଶା, ବ୍ୟଭିଚାରର କଳୁଷ, ସ୍ୱାର୍ଥର ଅନ୍ଧତା, ଯେ କୌଣସି ରିପୁର ତାଡ଼ନାଜନିତ ଚିତ୍ତବିକୃତ,– ମୂଳରୁ ତା’ଠିଁ ନଥିଲେ ସୁଦ୍ଧା ଅବସ୍ଥା ଚକ୍ରରେ ଯେ କୌଣସି ସମୟରେ ସେ ସେନାପତିକୁ କାବୁ କରିପାରେ, ସେତେବେଳେ ସେ ଭୁଲ କରିବ, ତା’ ଭୁଲର ଫଳ ଭୋଗିବ ତା’ କ୍ଷମତା ପରିସର ଭିତରେ ଥିବା ସମଗ୍ର ଜନ-ଗୋଷ୍ଠୀ, ସେତେବେଳେ ନଈଯାକ ପାଣି ହୋଇଯିବ ଦୂଷିତ, ବିଷାକ୍ତ ।

 

ରାତି ସାଢ଼େ ଆଠ । ଅନ୍ଧାର ପକ୍ଷ । ଡିସେମ୍ବର । ମଫସଲ ଶୂନ୍‍ଶାନ୍ । ସୁର ଶୋଇପଡ଼ିଚି । ମୋତି ତା’ ବିଛଣା ପାରୁଛି । ଦାଣ୍ଡଘରେ ରମା ଏକୁଟିଆ । ଟେବୁଲ ପାଖେ ବସି ଖଣ୍ଡେ ଉପନ୍ୟାସ ପଢ଼ୁଥାଏ । ନଲଠଣ ଭିତରୁ ଗର ଗର ହୋଇ ଆସ୍ତେ ଆସ୍ତେ ଗୋଟାଏ ଶବ୍ଦ ବାହାରୁଚି, ତା’ ବତିର ଶିଖା ମଝିରେ ମଝିରେ ଧକ ଧକ ହୋଇ ଥରୁଛି । ସତେ ଯେମିତି ଗୋଟାଏ ବାତୁଳ ଉତ୍ତେଜନା ଆପଣାକୁ ପ୍ରକଟ କରିବାରୁ ଛଟପଟ ହେଉଛି ।

 

ରମା ପୃଷ୍ଠାଏ ଉତ୍ତାରୁ ଆଉ ପୃଷ୍ଠାଏ ଓଲଟାଇ ଲାଗିଛି । ତା’ର ବାହ୍ୟଜ୍ଞାନନାହିଁ । କେହି ଅତି ପାଖରେ ଥିଲେ ନିଘା କରନ୍ତା, ତା’ କପାଳରେ ଛୁଞ୍ଚି ମୁନରେ ବୁନ୍ଦାଏ ବୁନ୍ଦାଏ ଜିକିଜିକି ଝାଳ ଫୁଟୁଛି, ନାକପୁଡ଼ା ଫୁଲିଉଠୁଛି, ନିଶ୍ୱାସରେ ବେଳେବେଳେ ତୀବ୍ର ସାଇଁ ସାଇଁ, ଛାତିର ଉଠୁପଡ଼ ଆହୁରି ତରତର । ତା’ ଡାହାଣ ଗୋଡ଼ ଆସ୍ତେ ଆସ୍ତେ ହଲୁଛି । ବଳାଗଣ୍ଠି ଉପରେ ଶାଢ଼ୀ ଥରି ଥରି ଉପରକୁ ଆସ୍ତେ ଟେକି ହୋଇ ପୁଣି ଖସି ପଡ଼ୁଛି ।

 

ବହି ପଢ଼ୁ ପଢ଼ୁ ରମା କେମିତି ପ୍ରକାରେ ତାତି ଓ ଅସୁସ୍ଥତା ଅନୁଭବ କରୁଥାଏ ଓ ଆପଣାକୁ ତାହାରି ଉପଭୋଗରେ ଭସାଇ ଦେଇଥାଏ । ସତେ ଯେମିତି ସେ ଅଳସ ଅଳସ ଦିଶିଲେବି ବେଗବତି, ତା’ ଚେହେରାର ଶୀତଳପଣ ଉହାଡ଼ରୁ ଗୋଟାଏ ତତଲା ମୋହର ଝଳି ଫୁଟିଉଠୁଛି । ମଝିରେ ମଝିରେ ଗୋଟାଏ ଗୋଟାଏ ଦୀର୍ଘଶ୍ୱାସ ସଙ୍ଗେ ସଙ୍ଗେ ଦେହଯାକ ଗୋଟାଏ ହଲ୍‍ଚଲ୍‍, ଯେମିତି ଦିନବେଳେ କେଉଁ ଅରମାଆଡ଼କୁ ଅନାଇଁ ରହିଥିଲେ ବେଳେବେଳେ ଦିଶେ, ପବନନାହିଁ ସତ କିନ୍ତୁ କେଉଁଠି ମେଞ୍ଚାଏ ଆଗଛିଆ ହଠାତ୍ ଥରିଉଠିଲା, ପୁଣି ସ୍ଥିର ହେଲା, ପୁଣି ହସିଲା । ଅଳ୍ପ କେଇଟା ଦିନ ହେଉ ପଛେ, ସେ ବି ସ୍ୱାମୀ ସଙ୍ଗରେ ଘର କରିଥିଲା ।

 

ସେ ଉପନ୍ୟାସରେ ସେହି ପୁରୁଷ ସ୍ତ୍ରୀଙ୍କ କାମ-କାମନାର କାହାଣୀ, ଅତି ପୁରୁଣା କଥା, ଯେମିତି ଯୁଗେ ଯୁଗେ କେତେ ଲୋକ ଲେଖିଛନ୍ତି ଯୁଗେ ଯୁଗେ ଲୋକେ ତାଚ୍ଛିଲ୍ୟରେ କହିଛନ୍ତି “ଖାଲି ସେହିକଥା ! ସେହି କଥା !” ଆଉ ନିଛାଟିଆରେ ପଢ଼ି ନିଛାଟିଆ ଗୁମ୍ଫାମାଳ ଭିତରେ ଶୁଣିଛନ୍ତି ଆପଣା ସ୍ଵରରହିଁ ପ୍ରତିଧ୍ୱନି, କୁତୂହଳରେ କାହାକୁ ଖୋଜୁ ଖୋଜୁ ଆହୁରି ଅନ୍ଧାରି ଗୁମ୍ଫା ଭିତରକୁ ପଶିଯାଇଛନ୍ତି, ସେହି ଯେଉଁଠି ପାଦତଳର କଳା ସରୁବାଲି କେଉଁ ହଜିଲା ନଈରହିଁ ସ୍ମାରକ ।

 

ବହିର ମଲାଟ ଉପରେ ରଙ୍ଗ ରଙ୍ଗର ଛବି ସୂଚାଇଥିଲା ତା’ର ସ୍ୱରୂପ ଆଭାସ, ଅନାଇଁଦେଲେ ସେ ଦୂରରୁ ଓଟାରିବ । ବହି ଭିତରେ ତା’ ସ୍ପଷ୍ଟ ହୋଇଥିଲା । ଯେପରି ସେ ବହି କହୁଥିଲା, “ମୁଁ ସାହିତ୍ୟ ନୁହେଁ, ମୁଁ ଚୋରା ମଦ ।”

 

କିନ୍ତୁ ରମା ସେତେବେଳେ ବହି ପଢ଼ୁଥିଲା ଉପଭୋଗ ପାଇଁ, ତେଣୁ ବହିରେ ଯେଉଁଠି ଫାଙ୍କ କି ଅଭାବ ଥିଲା ସେ ତାକୁ ପୁରାଣ କରିନେଉଥିଲା ଆପଣା କଳ୍ପନା କାମନା ଓ ଉତ୍‍ପ୍ରେକ୍ଷାଦ୍ୱାରା, ସେ ଯେଉଁ ଅନୁଭୂତିରେ ଭାସିଯାଉଥିଲା ସେଥିରେ ସେ ବହିର କଥା ଓ ତା’ ନିଜର ଚେତନା ପରସ୍ପରଙ୍କ ହାତ ଧରାଧରି ହୋଇ ପରସ୍ପରକୁ ଆଶ୍ରା କରି ଅନ୍ଧାରେ ଅନ୍ଧାରେ ବାଟ ଧରିଥା’ନ୍ତି ।

 

ସତେ ଯେମିତି ସେ ବହିରେହିଁ ଅଛି ସବୁ, ସେହି ଏକାନିଶ୍ୱାସରେ ପଢ଼ିବା ଆଉ ପଛେ ଭୁଲିଯିବା ବହିରେ–ଗୋଟାଏ ପୁରୁଷର ଆଖି କେମିତି ତା’ ଶରୀରକୁ ଲୋଭେଇଥିଲା, ଆଉ ତାକୁ ମନେପକାଇ ଦେଇଥିଲା ଯେ ଏ ସଂସାରରେ ସେ ବି ଜଣେ, ଜଣକର ଦି’ ହାତର ଆଙ୍ଗୁଠି କେମିତି ତାକୁ ଖୋଜିଥିଲା ଆଉ ସେ ଖୋଜା ଖୋଜିରେ ତା’ ନିଦ ଭିତରେ ସେ ଅନୁଭବ କରିଥିଲା ସାଧାରଣରେ ଅଚିହ୍ନା ଆଉ କେଉଁ ବ୍ୟକ୍ତିତ୍ୱକୁ ଯେ ତାକୁ ନିଜରବି କରେ ପୁଲକିତ କରେ । ଜଣକର ଦେହର ସ୍ପର୍ଶ କେମିତି ତାକୁ ବହୁଳ କରିଥିଲା, କେବେ ଅନୁଭବ ନ କରିଥିବା ବେଦନାବୋଧ ସଙ୍ଗେ ସଙ୍ଗେ ଆସିଥିଲା କେବେ ଅନୁଭବ ନ କରିଥିବା ସୁଖବୋଧ, କେତେବେଳେ ଲାଗୁଥିଲା ସବୁ ତା’ଠି ଫମ୍ପା, ଖାଲି ଶୂନ୍ୟ, କେତେବେଳେ ଲାଗୁଥିଲା ତା’ର ଯାହା ଲୋଡ଼ା ସବୁ ଅଛି, ତା’ଉପରେ ଆହୁରି ବହୁତ, କେତେବେଳେ ଆପଣା ଭିତରେ ସେ ଛପି ରହୁଥିଲା ସେମିତି ନିଶବ୍ଦ ଅମୁହାଁ ଅନ୍ଧାରି ଗମ୍ଭୀରି ଭିତରେ ମଲା ମାଛିଟିଏ ପରି କେଉଁ କଣରେ, ଆଉ କେତେବେଳେ ଅସରନ୍ତି ଝରଣା ପରି ସେ ବୋହିଯାଉଥିଲା ଉଛୁଳା ମୁକୁଳା ଉଦାରପଣରେ, ଆଉ ଲାଗୁଥିଲା, ଯେଡ଼େ ଅନ୍ଧାରରେ ପାହାଡ଼ ଜଙ୍ଗଲତଳେ ଗହୀର ଝୋଲା ବାଟରେ ଗଡ଼ି ଗଲାବେଳେ ସୁଦ୍ଧା ସବୁଠି ତା’ ଅନ୍ତର ଆଲୁଅ କରି ଜହ୍ନର ମୁହଁ । ସେହି ବିଚିତ୍ର ଅନୁଭୂତିମୟ ଅବସ୍ଥାରେ କେତେବେଳେ ଯଦି ଲାଗୁଥିଲା ସେ କାଷ୍ଠା ଉପାସ କରିଥିବା କ୍ଷୀଣ ମଣିଷଟିଏ, ଯାହା ଖାଦ୍ୟ ପଦାର୍ଥ ଦେଖିଲେ ଶୁଖିଲା ଓଠରେ ହସି ମୁଣ୍ଡ ହଲେଇ ନାହିଁ ନାହିଁ ଜଣାଏ, ଆଉ କେତେବେଳେ ଲାଗୁଥିଲା ସେ କେଉଁ ନିଶାରାତିର ଅସୁରୁଣୀ, ଯେତେ ଖାଇଲେ ଭୋକ ମେଣ୍ଟେନାହିଁ, ପୁଣି ଆହୁରି ଆହୁରି ।

 

ସେ ତ ସତେ କି ଆଉ କେଉଁ ଜନମର ପାଶୋରା କାହାଣୀ, ଏ ଜନମର ନୁହେଁ ।

 

ସେ ଅଧା ସାରିଯାଇଥିଲା । ଦେହ ଦେହର ସମ୍ପର୍କରେ ସ୍ମରଣର ଛବି ହଜିଯାଇ ଦିନାକେତେ ଲାଗି ରହିଥିଲା ମନ ମନର ସମ୍ପର୍କର ସ୍ମରଣ । ତା’ ବି ସତେ ଯେମିତି ତୁଟିଥିଲା । ଯେମିତି ଏଇ ଜୀବନର ମଣିଷ କେତେବେଳେ କାହା ସଙ୍ଗେ କେଉଁ ସମ୍ପର୍କରେ ନିବିଡ଼ଭାବେ ବାନ୍ଧି ହୁଏ, ସେତିକିବେଳେ ଲାଗେ–ୟାଠୁ ବଳି ଆଉ କିଛି ଘନିଷ୍ଠତର ହୋଇ ତା’ର କିଛିନାହିଁ, ଲାଗେ ସଂସାର କହିଲେ ଏତିକି–ନିଜେ ଆଉ ସେହି ସମ୍ପର୍କର ପରିସର ଭିତରେ ଥିବା ମଣିଷମାନେ ଆଉ ଯେମିତି ଜୀବନର ପରିବର୍ତ୍ତିତ ଅବସ୍ଥାରେ ଅତୀତ ସେ ସମ୍ପର୍କବି ମନେପଡ଼େନାହିଁ, ସେ ମୁହଁସବୁ ମନେପଡ଼ନ୍ତିନାହିଁ, ସେ ଦୁନିଆଁର ସତ୍ତା ନଥାଏ । ସେମିତି ହୋଇଥିଲା ତା’ରବି ଅତୀତ ଅତିକ୍ରାନ୍ତ, ସେ ଆଉ ସେ ମଣିଷ ନୁହେଁ ।

 

କିନ୍ତୁ ସେଦିନ ସେ ଶୀତରାତିର ପହିଲି ପହରେ ଗୋଟାଏ ବହିକି ଅବଲମ୍ବନ ବୋଲି ଧରି ନେଇ ଛାଏଁ ଛାଏଁ ସେ ହୋଇଥିଲା ବାମ୍ଫୁଆଣି ତାତି-ଉଲୁସା ମାଟି,–ତା’ ଆପଣା ଅତୀତର ନାନାଚିତ୍ର-ସଂଗ୍ରହ ଭିତରୁ ଖଣ୍ଡିଏ ବିଶିଷ୍ଟ ଛବି, ଜାତି ଜାତି ହୋଇ ତା’ର ନାନାଚେତନାରୂପମାନଙ୍କ ଭିତରୁ ଗୋଟିଏ ରୂପ । ସେ ପରିବେଷ୍ଟିନୀବି ସତେ ଯେମିତି ଆଉଥରେ ତିଆରି ହୋଇଯାଇଛି । ୟେ ତା’ର ଶଶୁର ଘର । ରାତିରେ କାମସାରି ସେ ପଲଙ୍କ ଉପରେ ଗୋଲେଇ ପଡ଼ିଛି । ଘରଯାକର ଶବ୍ଦ ତୁନି ପଡ଼ିଛି । ରୋଷେଇ ଘରେ ବିଲେଇଟା ଅଇଁଠା ବାସନ ଖଡ଼ଖଡ଼ ଝଣଝଣ କରୁଛି । ସତରେ ନଶୁଭୁ ଏଠି ଏ ଚାରିମୁହାଁ ଗାଁରେ ତା’ ବସା ଘରେ,–ଲାଗୁଚି, ଶୁଭି ଶୁଭି ଯାଉଛି । ଆଉ ଟିକିକେ ବୋବେଇବେ ବିଲୁଆପଲ, ଲହର ଖେଳାଇ ଖେଳାଇ ଗୋଟାଏ ଆଉ କେଉଁ ଦୁନିଆଁର ମାୟା ଡାକ, ତା’ପରେ ଶୁଭିବ ଦି’ଟା ପେଚାଙ୍କ କଥା କୁହାକୋହି, ଜଣେ କହିଲେ ଆଉ ଜଣେ ଚଟପଟ ଜବାବ ଦିଏ । ସେ ବି ୟେ ଦୁନିଆଁର ଭାଷା ନୁହେଁ । ଶାଶୁ ଚେଇଁଥିଲେ ପେଚାଙ୍କୁ ଗାଳି ଦିଅନ୍ତି, “ଇଲୋ ପୁଅଖାଇ, ଇଲୋ ସବାଖାଇ, ଯାଉଚୁନା ? ମଲାମର, ଦୁନିଆଁରେ ଏତେ ଜାଗା ଥାଉଁ ଥାଉଁ ଆଉ କୋଉଠି ପାଇଲୁ ନାଇଁ ମୋରି ଅଗଣାରେ ମୋରି ସଜନା ଗଛରେ ଆସି ବସି ପଡ଼ିଲୁ ?”

 

ତା’ପରେ ଆସିବ ସେ,–ତା’ର ସ୍ୱାମୀ । କବାଟଟାକୁ ଧଡ଼୍‍କିନା ବନ୍ଦ କରିଦେବ ।

 

ରମା ମନେପକାଉଥାଏ । କିନ୍ତୁ ତା’ ମନର ସେତେବେଳେ ଯେଉଁ ଅବସ୍ଥା ସେଥିରେ ବିଚ୍ଛେଦ ଉପରେ ଅନୁପ୍ରାସ ନଥିଲା କି ବିଚ୍ଛେଦପାଇଁ ଶୋକ ହେଉ ନଥିଲା । ଏପରିକି ହର ସ୍ୱାମୀ ବୋଲି ମନେପଡ଼ୁ ନଥିଲା କି ଆଦୌ ହର ବୋଲି ମନେପଡ଼ୁ ନଥିଲା ।

 

ତା’ର ଅନ୍ୟ କୌଣସି ପରିଚୟହିଁ ନଥିଲା, ଖାଲି ସେ ପୁରୁଷ,–ସେହି ଯେଉଁ ଜଣେ ପୁରୁଷକୁ ସେ ଅନୁଭବ କରିଛି ସେହି ଜଣକ ସେ । ଏଡ଼େ ଢାଇକରି କବାଟଟାକୁ ଚଉକାଠରେ ନ ବାଡ଼େଇଲେ କ’ଣ ହୁଅନ୍ତାନାହିଁ ? ସେ ଘରେ ବୋଉ ପରା ! କିନ୍ତୁ ସେ ଜାଣି ଜାଣି ଶବ୍ଦ କରେ, ସବୁଥିରେ ଦୁନିଆଁ ଆଗରେ ବାହାଦୂରୀ ନ ଦେଖାଇଲେ ତା’ର ଚଳେନାହିଁ ।

 

ସେହି ଶବ୍ଦରେ ରମାର ଛାତି ଦାଉଁ ଦାଉଁ ପଡ଼େ । କିନ୍ତୁ ଭୟରେ ନୁହେଁ, ଉତ୍ତେଜନାରେ-। ତା’ପରେ ବାକିତକ ଯେମିତି କି ସେ ଉପନ୍ୟାସହିଁ କହି ଲାଗିଛି, କଥାରେ ନକହୁ ସୂଚନାରେ କି ଆଉ ଏମିତି କ’ଣ ଉପାୟରେ । ମୁଣ୍ଡର ବିହ୍ୱଳତା ଭିତରେ ସେ ଯେମିତି କି ଭାବିପାରୁଛି ଯେ ସବୁ ଏଇଥିରେ ଲେଖାଅଛି । ଅଣନିଶ୍ୱାସୀ ହୋଇ ପୃଷ୍ଠାଗୁଡ଼ାକ ଭିତରେ ଧାଡ଼ିଗୁଡ଼ାକ ଭିତରେ ସେ ଦଉଡ଼ି ପଳୋଉଛି ତଥାପି ପୃଷ୍ଠାଗୁଡ଼ାକ ଓଲଟୁଛି କେଡ଼େ ମଠ ମଠରେ-। ସେଠି ସେ ନିଜକୁ ପାଶୋରୁଛି, ଆଉ ସେ ପୁରୁଷକୁ ଅନୁଭବ କରୁଛି ଆଉ ସେ ପୁରୁଷକୁ ପାଶୋରୁଛି, ନିଜକୁ ଅନୁଭବ କରୁଛି, ଯେମିତି ସେ ଦଳିଚକଟି ହୋଇଯାଇଛି ଆଉ ତଥାପି ଚିହିଁକିଉଠୁଛି ବାଘୁଣିପରି ଛାତି ଦମ ଦମ କାନମୁଣ୍ଡା ଝାଇଁ ଝାଇଁ ଦେହ ଉପରେ ପରସ୍ତେ ତତଲା ଝାଳର ପୋଛ, ପୃଷ୍ଠା ଓଲଟାଉଛି ।

 

ଏତିକିବେଳେ କବାଟଟା ଆସ୍ତେ ଖଡ଼ଖଡ଼ ହେଲା ଆଉ କେମିତି ନୁହେଁ ଫମ୍ପା, ନୁହେଁ କଫରୁନ୍ଦା ପାଟିରେ ଶୁଭିଲା ଥିରି ଥିରି ଡାକ ।

 

“ଅଛନ୍ତି ? ମୁଁ ଆସିଚି, ମୁଁ କୁଶଳ–କୁଶଳ, ଖୋଲନ୍ତୁ ଟିକିଏ ।” ଶେଷଆଡ଼କୁ ସେ ସ୍ୱର ସ୍ପଷ୍ଟ ଆଉ ଆଗ୍ରହୀ ହୋଇ ଶୁଭିଲା ।

 

“ମୁଁ କୁଶଳ ।”

 

କେତେବେଳେ ଅନ୍ୟମନସ୍କ ହୋଇ ତା’ ପାଟିରୁ “ହୁଁ” ପଦ ବାହାରିଲା, ବାହାରୁ ତାଙ୍କର ସମ୍ଭାଷଣ ଶୁଭିଲା, “ନମସ୍କାର, ମୁଁ କୁଶଳ–ମୁଁ ଜାଣେ ପରା, ଆପଣ ଥିବେ ।”

 

ଉପନ୍ୟାସଟା ହଠାତ୍ ପାଲଟିଗଲା ଗୋଟାଏ ଛପାକାଗଜର ମଲାଟ ବନ୍ଧା ବିଡ଼ା, ତା’ ସଙ୍ଗେ ଆଖିର ସମ୍ପର୍କ, ମନର ନୁହେଁ ।

 

ରମାର ମନ ଭିତରର ତତଲା ଉତ୍‍ପ୍ରେକ୍ଷା ଅଟକି ଗଲା, କାଠ ହେଲା, ଉଭେଇଗଲା ତା’ ପରିବର୍ତ୍ତେ ସେଠି ସଞ୍ଚରିଲା ଭୟ, ଯେପରି ସେ ପରିସ୍ଥିତିଭୁଲା ନିଜ ଛାଏଁ ନିଜେ ଗୋଟିକିଆ ମଣିଷଟି ହୋଇଗଲା ସମାଜ ଭିତରେ ଥିବା ମଣିଷ, ଚାରିପଟର ମଣିଷ ତା’ ଦୃଷ୍ଟିରେ ସ୍ଥାନର ଭୂଗୋଳ, ଯେମିତି ବଣଜଙ୍ଗଲ ପଥର ଆଉ ମୁଣ୍ଡଘୁରା ଝୋଲା ଭିତରର ଗଦଗଦିଆ ଅରଣା ଝରଣା, ଯାହାର ଅତଡ଼ାର ଦାଢ଼ ଉପରେ ହୁସିଆର ହୋଇ ଟିପେଇ ଟିପେଇ ଚାଲିବାକୁ ପଡ଼େ, ଖସିଲେ ଗଲା । ସେ ସେହି ସମାଜ ଗୋଠର ମଣିଷ ଯେ ପଦାକୁ ଅନାଇଁଲେ ଦେଖେ–ଚାରିଆଡ଼େ ଖାଲି ନାନାଜନ୍ତୁ, କିଏ ଭୁଷିବ, କିଏ କାମୁଡ଼ିବ, କିଏ ଦଂଶିବ, କାହାର ନିଶ୍ୱାସ କି ଛେପହିଁ ବିଷ ଆଉ ଏକୁଟିଆ ମଣିଷ ଖାଲି ସେ ନିଜେ, ସରଳ ନିରୀହ ଆଉ କଅଁଳ, ଭାବିଚିନ୍ତି ଆପଣା ବାଟ ଠିକଣା କରି ତାକୁ ଚାଲିବାକୁ ପଡ଼ିବ, ଆପଣାକୁ ରକ୍ଷା କରିବାକୁ ପଡ଼ିବ ।

 

ଯେମିତି ବଜାର ସଉଦାକରା ଥଳି ଧରି କିଏ ଉପରକୁ ମୁହଁଟେକି ମଜ୍ଜିଯାଇଥିଲା ସୂର୍ଯ୍ୟାସ୍ତ ଶେଷର ମାୟା ଆକାଶରେ, ନାଲି, ଧଳା, ପାଉଁଶିଆ, କଳା ନାନାବର୍ଣ୍ଣରେ ରଞ୍ଜିତ ହୋଇ ଗୋଟାଏ ବିଚିତ୍ର ଚଳନ୍ତି ଦୁନିଆଁ ସେଠି, କେତେ ଜନମର ଚିହ୍ନା ଚିହ୍ନା ସ୍ଥାନ, ଚିହ୍ନା ଚିହ୍ନା ସ୍ମୃତି, ଚିହ୍ନା ସ୍ୱପ୍ନ ଖେଳୁଛି ବଦଳୁଛି ରୂପ ଘେନି ପୁଣି ନୂଆ ରୂପ ପାଲଟି ଯାଉଛି । ଆଉ ହଠାତ୍ ସେ ତଳକୁ ଅନାଇଁଲା ଓ ଦେଖିଲା ସେ ଅଛି ବଜାର ଛକରେ, ତା’ କରପଟେ ବିଜୁଳି ବେଗରେ ଚାଲିଛି ପଥରବୁହା ମଟର ଟ୍ରକ ଓ ମଣିଷବୁହା ଗାଡ଼ି, ଚାରିଆଡ଼େ ମଣିଷ କିଲିବିଲି, ଆଉ ସାଇକେଲ ରିକ୍ସା, ଶଗଡ଼ ।

 

ସେ ଆପେ ଆପେ ଆପଣାକୁ ସଜାଡ଼ି ସାରିଥିଲା । ସାଧାରଣ ମିଠା ଆତ୍ମବିଶ୍ଵାସୀ ସ୍ୱରରେ ଉତ୍ତର ଦେଲା

 

“ଆଜ୍ଞା–,ପଦ ଲମ୍ବେଇଦେଲା ଯେପରି ସେ ବୁଝାଇ ଦେବାକୁ ଚାହେଁ ସେ ଠିକ୍ ଅଛି, ତା’ ପାଦ ଦମ୍ଭହୋଇ ଲାଗିଛି ମାଟିରେ ।

 

କିନ୍ତୁ ଦମ୍ଭ ନଥିଲା, ଗୋଡ଼ ଅଳ୍ପ ଥରୁଥିଲା, ଯେମିତି ନୂଆ ନୂଆ କେହି ମଞ୍ଚ ଉପରେ ଜନତା, ଆଗରେ ଠିଆହୋଇଛି କ’ଣ ବକ୍ତୃତା ଦେବାଲାଗି, ମୁହଁଟାକୁ ଗେଞ୍ଜି ଦେଉଛି ମାଇକ ପାଖକୁ । ସେ କବାଟ ଖୋଲିବାକୁ ଯେତେବେଳେ ହାତକୁ ଉପରକୁ ଟେକିଲା ସତକୁସତ ଯାଉଁଳି କବାଟରେ ସେ ମୁହଁ ମାଡ଼ିଥିଲା, କୁଶଳବାବୁ କବାଟ ଦେହରେ ଆରପାଖେ ଲାଖିଥିଲେ ନିଶ୍ଚୟ ଶୁଣିଥାନ୍ତେ ତା’ ନିଶ୍ୱାସର ସଁ ସଁ ।

 

କବାଟ ଖୋଲିଗଲା ।

 

ସେ କହିଲା ‘ନମସ୍କାର’ ।

 

କୁଶଳବାବୁ ଆସୁ ଆସୁ ଟିକିଏ ମଠକଲେ । ସେ ଥିଲେ ବରଣ୍ଡାର ଆର ମୁଣ୍ଡରେ । ଅତି ସ୍ୱାଭାବିକଭାବେ କହିଲେ ‘ନମସ୍କାର’ ।

 

ଜନ୍ତୁ ଆସିଛି ରାତିରେ, ପାଟି ହାଉଁ ମେଲାଥିବ, ଲମ୍ବା ନଖମୟ ଲୋମଶ ବାହା ଲମ୍ବି ଆସିବ ତାକୁ ଧରିବାକୁ । ସେ ନିରୁପାୟ । ଦେହକୁ ବଜର କରି ଅପେକ୍ଷା କରିଛି । ମଣିଷ ତ ଜାଣିଶୁଣି ଏମିତି ଅପେକ୍ଷା କରେ । ତା’ ଦେହଯାକ ସ୍ନାୟୁଯାକ ସତେ ଯେମିତି ଖଞ୍ଜା ହୋଇ ରହିଛି ଜଗତଯାକର ବଢ଼ନ୍ତା ବିଜ୍ଞାନରେ ତିଆରି ବିସ୍ଫୋରଣ ଅସ୍ତ୍ରଶସ୍ତ୍ର, ଆଇସିବିଏମ୍ ଆଉ ଏ ବମ୍ ଏଚ୍‍ବମ୍‍ମାନ । ଆଉ ପଦାକୁ ସେ ଶାନ୍ତ ସଞ୍ଜତ ସାଧାରଣ । ଏମିତି ସେ ଲଢ଼ିଥିଲା ନାନାଜନ୍ତୁଙ୍କ ସଙ୍ଗରେ, ଯେତେବେଳେ ପୃଥିବୀରେ କାଦୁଅ ଶୁଖିନଥିଲା, ସେମାନେ ଥିଲେ ବିରାଟ, ବିକଟ, ଯାହା ତା’ଠି ଥିଲା ସେଥିରେ ସେ ଲଢ଼ିଥିଲା । ଆଉ କେତେଥର, ଧ୍ୱଂସ ସୁନିଶ୍ଚିତ ଜାଣି ସେ କର୍ଣ୍ଣକୁଣ୍ଡଳ ଝୁଲେଇ ଧନୁ ଧରି ରଥ ଚଢ଼ି ଚାଲିଯାଇଥିଲା ସଂହାରର ଭଉଁରି ଭିତରକୁ ।

 

ଆସୁ ଜନ୍ତୁ । ଆସୁ ଯାହା । ଘର ଭିତରର ଆଲୁଅଆଡ଼କୁ ପିଠିକରି ମୁଣ୍ଡରେ ଓଢ଼ଣା ଦେଇ ଦୁଆରବନ୍ଧ କତିରେ ଠିଆହୋଇ ସେ କହିଲା, “ଆଜ୍ଞା–ଏତେବେଳେ !”

 

ତାକୁ ଚାହିଁ ଦେଇ କୁଶଳବାବୁ ସତେ ଯେମିତି କାହାର ଅସ୍ନେହୀ ହାତର ଝାଙ୍କରେ ନିଦରୁ ଉଠି ପଡ଼ିଲେ, ସେହିପରି ଦିଶିଲା ତାଙ୍କ ମୁହଁର ଠାଣୀ ଓ ତାଙ୍କ ଚାହାଣୀ । ସାମ୍ନାରେ ଏ ଯେଉଁ ନାରୀଟି ଠିଆହୋଇଛି ସେ ତ ସେହି, ଏଥିରେ ସନ୍ଦେହ କ’ଣ ? ଦେହମୟ ରୂପଟା ପୁରୁଣା, କିନ୍ତୁ ଭିତରେ ଯେଉଁ ଅଦେହୀ କ’ଣ ଗୋଟାଏ ଥାଏ ଯେ ତା’ର ଧାସ ସେ ରୂପଟାକୁ କେମିତି ଗୋଟାଏ ବିଶିଷ୍ଟ ପ୍ରକାରେ କରି ପଦାକୁ ଦେଖାଏ ସେଇଟା ଯେମିତି ଏଠି ବଦଳି ଯାଇଛି-

 

ମୁହୂର୍ତ୍ତେ ଥକା ଥକାରେ କଟିଗଲା । ଆସିଲାବେଳେ ଲାଗୁଥିଲା ଯେ ସେ ଯିବେତ, କେତେ କଥା କହିବାକୁ ଅଛି, ଯିବି ବୋଲି ଭାବିବାକୁ ଦ୍ଵିଧା ନଥିଲା । କିନ୍ତୁ ରମାର ସ୍ୱରରେ ସେ ନୂଆ ନାଦ, ତା’ର ସମୁଦାୟ ଛବି ଭିତରେ ଏକପ୍ରକାର କୁଣ୍ଠା ଓ କାତରତା ତାଙ୍କ ମନରେ ଦ୍ଵିଧା ଆଣିଲା । ଭାବିବାକୁ ଇଚ୍ଛା ହେଲା ଯେ ଏ ଧାରଣା ତାଙ୍କର ମନଗଢ଼ା, ଯାହାକୁ ସେ ଅସାଧାରଣ ବୋଲି ଭାବିବାକୁ ଅଭ୍ୟସ୍ତ ସେ ଏଡ଼େ ସାଧାରଣ ହୋଇଯାଇ ଲୌକିକ ଆଚାରର ଅଦରକାରୀ ବୋଝକୁ ବଡ଼କରି ତାକୁ ମୁଣ୍ଡେଇ ମୁଣ୍ଡେଇ କେମ୍ପା ଆଉ ସାନ ହୋଇ ନପାରେ । ସେ ତା କଥାର ଉତ୍ତର ଦେଲେ ।

 

“ମନହେଲା ଗପିବାକୁ ତେଣୁ ଆସିଗଲି । କହନ୍ତୁ, କିଛି ଅସୁବିଧା ହେବ ?”

 

ମନେମନେ କହିଦେଲା “ନାହିଁ ଥାଉ, ଆପଣ ଶୋଇବାକୁ ଯିବେ ବୋଧେ । ମୁଁ ଯାଏ, ଆଉ କେବେ–” କିନ୍ତୁ ତୁଣ୍ଡରେ ବାହାରିଲାନାହିଁ । ଆଉ କିଛି ଭାବିବା ଆଗରୁ ରମା ତାଙ୍କୁ ଡାକି ସାରିଥିଲା– “ଭିତରକୁ ଆସନ୍ତୁ ଆଜ୍ଞା, ଠିଆ ହେଲେ ଯେ–”

 

ସେ ଯେମିତିକି ତା’ କଥା ଶୁଣିନାହାନ୍ତି, ଅତି ପରିଚିତ ସହଜ ଚଳଣିରେ ଭିତରକୁ ଯାଉଛନ୍ତି ସେହିପରି ଭାବ ଦେଖାଇ ଭିତରେ ଗୋଟିଏ ଚୌକିରେ ବସିଲେ । ମୁହଁ ତଳକୁ କରି ଭାବିଲା ପରି ହୋଇ ସାନ ପାଟିରେ କହିଲେ

 

“ଆଉ ବେଶି ଡେରି କଲେ ଚଳିବନାହିଁ ତ ।”

 

ରମା କିଛି ବୁଝିପାରିଲାନାହିଁ । ପୁଣି ତା’ ଛାତି ଭିତରଟା ଚାଉଁକଲା, ପେଟ ଲେଉଟି ପଡ଼ିଲା । ଵେଁଶିରା ହାଡ଼ ଭିତର କନ କନ ହେଲା । ପଦାକୁ ଅନାଇଁଲା,– ଅନ୍ଧାର, ନିଛାଟିଆ । ଘର ଭିତରକୁ କାନେଇଲା, ଶୂନ୍‍ଶାନ୍ । ଆଗରେ ସେ ବସିଛନ୍ତି, ମୁହଁ ଆଗ୍ରହରେ ଉଜ୍ଜ୍ୱଳ, ଡାହାଣ କରବାଟେ ପଛକୁ ତା’ଆଡ଼କୁ ଚାହିଁ ଦେଉଛନ୍ତି ପରା । ରମାକୁ ଲାଗୁଥାଏ, ଧୈର୍ଯ୍ୟଧରି ନିଜକୁ ନ ଅଟକାଇ ପାରିଲେ ବୋଧହୁଏ ସେ ଠକ ଠକ ହୋଇ ଥରିବ ।

 

ମିନିଟିଏ ଗଲା, ସତେଅବା ଯୁଗେ । ତା’ପରେ ସେ ସେହି ଅସ୍ୱାଭାବିକ କିମ୍ଭୂତ ପରିସ୍ଥିତିକୁ ଆହୁରି କିମ୍ଭୂତ କଲାପରି କହିଲେ–

 

“ଭାବୁଥିଲେ ଭାବୁଥିବେ, ନିଷ୍ପତି କରିପାରିବେନାହିଁ । କିନ୍ତୁ ନିଷ୍ପତ୍ତି ତ ମୋର ଦରକାର ଜଲ୍‍ଦି । କହନ୍ତୁ, କ’ଣ ଠିକ୍‍ କଲେ ?”

 

ରମା ଥା’ ଥା ମା’ମା ହୋଇ କହିଲା “ମୁଁ ବୁଝିପାରୁନାହିଁ ।” ସେ ଠିଆହୋଇ ପଡ଼ିଲେ, ଯେମିତି ସେ ଅତି ଆଶ୍ଚର୍ଯ୍ୟ ହେଲେ, ତା’ ମୁହଁକୁ ଅନାଇଁ କହିଲେ “ତେବେ ମୋରି ବୁଝିବା ବୋଧେ ଭୁଲ ହୋଇଗଲା, ହଉ, ମୁଁ ଯାଉଚି ।” ଗୋଟିଏ ଗୋଟିଏ ହୋଇ ଦୁଆର ମୁହଁଆଡ଼କୁ । ହେଇ ଠିକ୍‍ ବାହାରି ଗଲେ, ତା’ପରେ ଆଉ ଦି’ଖୋଜ । ରମା କାବା ହେଲା । ଲାଗିଲା, କେଉଁଠି କ’ଣ ତା’ରି ଭୁଲ ହେଲା, ଆଉ ସେ ଛଳକରି ଚାଲିଗଲେ । ତାଙ୍କଠି କ’ଣ ସେ ଆଉ ପ୍ରକାରେ ଆରୋପ କରିଥିଲା, ଆଉ ତା’ବି ଭୁଲ । ସବୁ ସେ ବିଗାଡ଼ି ଦେଲା, ସେ, ତା’ ନିଜ ହାତରେ ! ଅନୁତାପରେ ଛଟପଟ ହେଲା, ପଛେ ପଛେ ଯାଇଁ କହିଲା ।

 

“ଆପଣ କ’ଣ ଗୋଟିଏ ବିଷୟ ମତେ କହିବେ ବୋଲି ଆସିଥିଲେ । କହିଲେ ତ ନାହିଁ-। କାହିଁ ମୋର ଏତେ ବୁଦ୍ଧି ଯେ ମୁଁ ଅନୁମାନରେ ବୁଝିବି ?

 

ଆପଣ କେତେକର, ମୁଁ କେତେକର, ନଜାଣି ଯଦି ଭୁଲ କରିଦେଇଚି ତେବେ–”

 

ସେ ବୁଝିପାରିଲେ । କହିଲେ,

 

“ନା, ନା, ଯଦି ଭୁଲ ହୋଇଥିବ ସେ ମୋ ଭୁଲ । ଆପଣଙ୍କୁ ଉପଦେଶ ଦେବା ଆଗରୁ ମୋର ବୁଝିବା ଉଚିତ ଥିଲା ତହିଁରେ ଆପଣଙ୍କର କିଛି ସ୍ୱାର୍ଥନାହିଁ, ଉପକାରନାହିଁ, ଆପଣ ଅବା ତାକୁ ଘେନନ୍ତେ କାହିଁକି ? ମୁଁ ବା କହିବାକୁ ମତେଇବାକୁ କିଏ ? ସ୍ୱୟଂ ମହାତ୍ମାଜୀ,– ଖାଲି ତୁଣ୍ଡ କଥାରେ ନୁହେଁ, ଆପଣା ଚିନ୍ତାରେ କାର୍ଯ୍ୟରେ ଯୁଗ ଯୁଗକୁ ଏଡ଼େ ବଡ଼ ଜୀଅନ୍ତା ଉପଦେଶ ଆମ ସମସ୍ତିଙ୍କ ଆଗରେ ତ ଥୋଇଦେଇ ଦେହ ଛାଡ଼ି ଗଲେ, ଆମେ ସେ ଉପଦେଶକୁ ମାନିଲୁ କେତେକେରେ ? ଲୋକ ଖୋଜେ ନିଜ ସ୍ୱାର୍ଥ, ନିଜ ସୁସ୍ଥି, ନିଜ ଦରକାର ପଡ଼ିଲେ ଦେଶ ଦେଶ ବୋଲି ପାଟି କରେ, ନ ହେଲେ ଦୀକ୍ଷାଧାରୀ ଧ୍ଵଜାଧାରୀବି ଭାବନ୍ତି ଦେଶଟା ପରଠୁଁ ବଳି ପର । ଆପଣ ଥାଉନ୍ତୁ ଆପଣା ସୁଖେ, ଦେଶକଥା ଭଗବାନ ବୁଝନ୍ତୁ, ଆଉ ମୋ ଭଳିଆ ଯାହାଙ୍କର ପାଟି ଖଲ ଖଲ ହେଉଛି ତାଙ୍କ ପକ୍ଷରେ ସଭା ମଞ୍ଚହିଁ ଯଥେଷ୍ଟ । ଥାଉନ୍ତୁ ନମସ୍କାର ।” ସେ ଶୁଖିଲା ହସ ହସି ଆଗକୁ ମୋହିଁଲେ ।

 

ରମା ପଛରୁ ଡାକିଲା– “ଟିକିଏ ଶୁଣନ୍ତେ ନାଇଁ ?” ସେ ଡାକରେ ଆନ୍ତରିକତା ଥିଲା ।

 

କୁଶଳବାବୁ ଅଟକିଲେ, ବୁଲି ପଡ଼ିଲେ, ଯେମିତି ତାଙ୍କର ଆଗ୍ରହ ଆଉ ନାହିଁ ଖୁଣ୍ଟ ପରି ଠିଆହୋଇ ରହିଲେ । ତା’ପରେ ଗୋଟିଏ ଗୋଟିଏ ହୋଇ ପିଣ୍ଡା ପାଖକୁ ଆସିଲେ । କହିଲେ “କାହିଁକି ପୁଣି ଡାକିଲେ ? ଆପଣଙ୍କର ଅସୁବିଧା ହେବନାହିଁ ?” ଆପଣାର ଲୋକ ବିଶ୍ୱାସୀ ଓ ସ୍ନେହୀ ଗଳାରେ କହିଲା ପରି ତାଙ୍କ ସ୍ୱର, ସେଥିରେ ବଳକା ଆଗ୍ରହନାହିଁ କି କୈତବନାହିଁ ।

 

“କ’ଣ ଆଉ ଅସୁବିଧା ?”

 

“ନାହିଁ ମାନେ, ରାତି ହେଲାଣି, ଚାରିଆଡ଼ ନିଛାଟିଆ,ଏ ଘରେ ତ ସମସ୍ତେ ଶୋଇବେଣି ଖାଲି ଆପଣ ଏକୁଟିଆ, ମୁଁ ଗପେଇବାକୁ ନ ଆସିଥିଲେ ଆପଣବି ଶୁଣନ୍ତେଣି ତ ? ନା ନୁହେଁ ?”

 

କଥା କହୁ କହୁ ସେ ଆଗେଇ ଆସୁଛନ୍ତି, ହେଲେଣି ପିଣ୍ଡା ଉପରେ । ରମା ଉତ୍ସୁକ ହୋଇ ଅନାଇଁ ଥାଏ ।

 

ତାକୁ ଲାଗୁଥାଏ ସେ ତାଙ୍କୁ ଅପେକ୍ଷା କରିନାହିଁ, କାହାରିକି ଅପେକ୍ଷା କରିନାହିଁ । ସେ ଗୋଟାଏ ଆସନ୍ତା ମୁହୂର୍ତ୍ତକୁ ଅପେକ୍ଷା କରିଛି । ମୁହୂର୍ତ୍ତଟା ଆସୁଛି ବାହାରୁ ଅନ୍ଧାର ଭିତରୁ, ଆଗରେ ଏହି ଯେଉଁ ଅନ୍ଧାରି ବିସ୍ତୃତି, ଯେଉଁଠି ତଳ ଉପର ବାରି ହେଉନାହିଁ, ସବୁ ଆଉଟି ହୋଇ କଳା କିଟିକିଟି, ତାହାରି ଭିତରୁ ସେ ଚୁପ୍‍ଚାପ୍ ହୋଇ ଉଠି ଆସିଛି ତା’ ଜୀବନରେ ପୁଣି ଆଉ କି ଘଟନା ଘଟାଇବ ବୋଲି । ଯେମିତି ମେଘ ଆସିବା ଆଗରୁ ୟେ ଧରଣୀ ତା’ ଜାଣିପାରେ, ସେମିତି ସେ ବି, ଅନ୍ତର ଭିତରେ କହୁଛି,-ଆସୁଛି । ସେଥିକି ତା’ର ଭୀତିନାହିଁ । ତା’ରହିଁ ନାହିଁ କି ନାହିଁ । ତା’ର ମତ କି ରୁଚିକୁ ଦୁନିଆଁରେ କେହି କେବେ ଟାକି ରହିନାହିଁ, ଏତେବେଳେବି ଟାକୁନାହିଁ । ତଥାପି, ମନରେ ଉତ୍ପେକ୍ଷା । ଆଉ ତା’ ଆଗରୁ ହଠାତ୍‍ ବହକି ଉଠିଲା ଅସହିଷ୍ଣୁତା, ଲାଗିଲା, ସେ ଖାଲି ଅନ୍ଧାରରେ ଧନ୍ଦି ହୋଇ ବାଟ ଖୋଜୁଛି, ପାଇନାହିଁ, ବିଭଳିତ ଆଖି ଟେକି ହାତରେ ଅଣ୍ଡାଳିଛି ଅଜଣା ଆଂଶ ଆଉ ଦାଢ଼, ଆପଣାଠି ପଚାରି ବୁଝିବାର ଅନୁଭବ କରିଛି, ଆପଣା ପ୍ରଶ୍ନର ରୂପରେଖ ବାରି ପାରିନାହିଁ, ତଥାପି ବାଟ ଚାହିଁଛି ଉତ୍ତର ଆସିବ ବୋଲି । ସେଇ ଉତ୍ତର, ଘୋଳିଦେଲା ଆଥାବଥା ଜୀବନ ବିତେଇବାର ଆଉଣ୍ଡି ହେବାକୁ ଯେ ରୁହାଇ ପାରିବ, ସେହି ଉତ୍ତର ତା’ କତିକି ଛାଏଁ ଆସୁଛି ।

 

ନିଜେ ସେ ଦେହ ନୁହେଁ, ଟଣକୁଥିବା ଯନ୍ତ୍ରଣା ଅନୁଭୂତିବାଟେ ଧକ ଧକ ହୋଇ ପ୍ରଶ୍ନଟିଏ । ଯେ ଆସିଚି ସେ ଦେହ ନୁହେଁ, ରୂପବି ନୁହେଁ । ଛାଇ ନୁହେଁ । ସେ,–ଉତ୍ତର ।

 

କେତେବେଳେ ରମା ଦୁଆର ମୁହଁରୁ ଉଠିଯାଇ ବାଟ ଛାଡ଼ି ଦେଇଛି, ଗୋଟାଏ ଚଉକି ଖାଲି ଛାଡ଼ି ଦେଇ ଖଣ୍ଡେ ଦୂରରେ ଆର ଚୌକିରେ ବସି ପଡ଼ିଛି, କେତେବେଳେ ଧୀରେ ଧୀରେ ତା’ ଦି’ବାହା ଟେବୁଲ ଉପରେ ଛକି ପଡ଼ିଯାଇଛି ଆଉ ସେହି ଛକି ଉପରେ କ୍ରମେ କ୍ରମେ ଲୁଳି ପଡ଼ିଛି ତା’ ମୁହଁ ସେ ଜାଣେନାହିଁ, ଜାଣେନାହିଁ ସେ କାନରେହିଁ ବଞ୍ଚନ୍ତି ।

 

କୁଶଳବାବୁ ଆର ଚୌକିରେ ବସିଥିଲେ । ତାଙ୍କ ମୁହଁ ତା’ଆଡ଼କୁ ନୁହେଁ, କାହାରିଆଡ଼କୁ ନୁହେଁ । ତାଙ୍କ କଥା ଶୁଭୁଥିଲା । ଧୀର କଥା । ରହି ରହିକା । ଯେମିତି ଦୂରରୁ କେଉଁଠୁ ଭାସି ଆସୁଛି । ବରଷଣା ପାଣି ବୁନ୍ଦା ପରି ଗଳି ଯାଉଛି ଟପ ଟପ, କାନ ଭିତରକୁ ନୁହେଁ, ଅନ୍ତର ଭିତରକୁ, ସେଠି କ’ଣ ହଲଚଲ ହେଉଛି । ଲେଖା ପଦ ନୁହେଁ, ଶବ୍ଦ । କେତେ କେତେ ଅକ୍ଷର ଯୋଡ଼ାଯୋଡ଼ି ବ୍ୟାକରଣସିଦ୍ଧି ଅର୍ଥମୟ ରୂପ ଆଖି ଖୋଲିଲେ ପୃଷ୍ଠାରୁ ପୃଷ୍ଠାରୁ ମୁହଁ ଟେକି ଅନାଏଁ, “ସର୍ବଦା ସତ୍ୟ କହିବ”, “ଧର୍ମ ପଥରେ ଚାଲିବି”, ଏପରି କରିବ, ସେପରି କରିବ । ଆଖି ଅଭ୍ୟସ୍ତ ହୋଇଯାଏ । ଶବ୍ଦର ଅର୍ଥ ଘେନେନାହିଁ । ଠା’କରୁ ଆଉ ଠା’କୁ ଗଲାବେଳେ କେତେ ଶବ୍ଦ ଚାରିଆଡ଼ୁ ଭାସି ଆସି କାନ ଅତରା ପକାଏ, ପାହାନ୍ତି ପହରେ ଦଳଗତ ସଂକୀର୍ତ୍ତନ ଧ୍ୱନି, ହାଟବଜାରରେ କାହା କାହା ତୁଣ୍ଡରେ ଚଳନ୍ତି ସମୟରେ କର୍ଣ୍ଣଧାରମାନଙ୍କ ସମାଲୋଚନା, ସଭାରେ ବକୃତା, କାନ୍ଧ ଟାଙ୍କି ଘୁମୁରା ପାରା ପରି ବେକ ଫୁଲେଇ ଛାତି ଫୁଲେଇ ଘଡ଼ଘଡ଼ି ଶବ୍ଦ କରି ‘ଆପଣମାନେ’ ‘ଆମ୍ଭେମାନେ’ ‘ସେମାନେ’ ଓ ତା’ର ପଟ୍ଟଭୂମି,–ଘନ ଘନ କରତାଳି । ଜୁଆର ପରି ଶବ୍ଦ ଆସେ ଶବ୍ଦ ଯାଏ, ସଡ଼କ ଧୂଳି ପରି କେବେ କେବେ ନାକ କାନବି ରୁନ୍ଧେ, ଚମରେ ଲୁଗାରେ ଅଟକିଯାଏ କ୍ଷଣେ ।

 

ଚାଲିଯାଏ ।

 

ଏ ନୁହେଁ ସେପରି ଶବ୍ଦ । ରମା ଭାବୁଥିଲା । ଆଉ ପ୍ରକାରେ ୟେ । ଯେମିତି,–କେତେବେଳେ ମଣିଷ ଚୁପ୍‍ଚାପ୍ ବସିଥାଏ କତିରେ କେହିନାହିଁ, ହାତରେନାହିଁ କାମ, ଅବୁଝା ଆଖିରେ ଚାରିଆଡ଼କୁ ଚାହୁଁଥାଏ, ଥାଏ ସେହି ଛାଁକୁ ମିଳିଥିବା ମଟରଗାଡ଼ି ପରି କଳଟା ତା’ ଦେହ, ଭିତରେ କ’ଣ ଅଛି କ’ଣ କେଉଁଠି ହେଉଛି ଜାଣି ହୁଏନାହିଁ, ଆଉ ହଠାତ୍ କେତେବେଳେ ଲାଗେ ତା’ରି ଭିତରେ କେଉଁଠି କିଏ କଥା କହୁଛି, ଅନାହତ ଶବଦରେ ପୂରି ଉଠୁଛି ଭାଷା, ସ୍ପଷ୍ଟ, ଅଳ୍ପ, ଆନ୍ତରିକତାମୟ, ସତ, ଆଖିଆଗରେ ଫୁଟିଉଠେ ନାନାଛବି, କାନରେ ବିଚିତ୍ର ସଙ୍ଗୀତ, ହୃଦୟରେ ନାନାମନ୍ଥା ଚକଟା, ସେ ଶବ୍ଦ ସେ ଭାଷା ଉଭେଇଯାଏ, ଛାଡ଼ି ଦେଇଯାଏ ପଥରରେ ଗାର, ଯେ ଆଗେ ନଥିଲା । ଆପଣା ଭିତରେ କେତେଠିଁ କେତେ ଅଦଳବଦଳ, ଅନ୍ତତଃ କେତେଦିନ ପାଇଁ ସେ ଶଙ୍କୁ ମାଣ୍ଟେଇ ରହେ । ଯେମିତି, ଦେବତା ନାହାନ୍ତି, ଉଭେଇ ଯିବା ଆଗରୁ ରହିଛି ଗୋଟିଏ ବାସ୍ନା, ବାଜଣାନାହିଁ, କେବେ ଶୁଭୁଥିଲା, କେଉଁ ଶତାବ୍ଦୀରେ, ତଥାପି ପରିତ୍ୟକ୍ତ ଦେବାଳୟ ଭିତରେ ବେଳେବେଳେ ସଙ୍ଗୀତର ମୂର୍ଚ୍ଛନା ଶୁଭିଲାପରି ଭ୍ରମ । ଯେମିତି ଚେପା ହୋଇଥିବା ରବର ବଲ କ୍ରମେ ଛାଏଁ ଫୁଲିଉଠେ, ଚେପାବି ସୁଧୁରିଯାଏ କେତେ ମୁହୂର୍ତ୍ତ କି କେତେ ଦିନ କି ମାସପରେ ସେହି ଆପଣା ଭିତରେ ଶୁଣିଥିବା ଭାଷାର ପ୍ରଭାବ କି ସ୍ମୃତିବି ଜିଅନ୍ତା ଦେଖନ୍ତା ଚଳନ୍ତି ସାଧାରଣ ସ୍ଥୂଳ ଜୀବନ ଭିତରେ କେଉଁଆଡ଼େ ଯାଏ ଉଭେଇ, ଆଉ ମନେପଡ଼େନାହିଁ । କିନ୍ତୁ ସେ ପର୍ଯ୍ୟନ୍ତ ସେ ଥାଏ, ଅନୁଭବ କରିହୁଏ ।

 

କୁଶଳବାବୁ କ’ଣ କହିଛନ୍ତି ତାଙ୍କର ପଦ ପଦକର ଅର୍ଥକୁ ସେ ଟାକି ବସିନାହିଁ । କେଉଁ ପଦ ସେ ଶୁଣିଛି କେଉଁ ପଦନାହିଁ । କିନ୍ତୁ ସେ କହି ଯାଉଛନ୍ତି । ଯେମିତି ଗୋଟାଏ ଯନ୍ତ୍ରକୁ ତତେଇ ଥରେଇ ଷ୍ଟାର୍ଟ ଦେବାକୁ ତା’ଠୁଁ ଅଳ୍ପ ଛାଡ଼ି ଆଉ ଗୋଟାଏ ଯନ୍ତ୍ର ଥୁଆ ହୋଇଛି । ସେଇଟା ଯେ ମୁଖ୍ୟ ଓ ଆଉ ଯେଉଁଟା ଷ୍ଟାର୍ଟ ହେଉଛି ସେଇଟା ଯେ ଗୌଣ ତା’ବି ନୁହେଁ । ଷ୍ଟାର୍ଟ ହୋଇ ନଥିଲା, ହେଲା, ତା’ପରେ ଏପରିବି ଲାଗିପାରେ ଯେ ଯେଉଁ ଯନ୍ତ୍ରଟି କତିରେ ଥୁଆ ହୋଇ କେଉଁ ଅଦେଖା ଇଣ୍ଡକ୍‍ସନ୍ ବଳରେ ଷ୍ଟାର୍ଟ କରାଇଲା ନିଜେ ସେ କମ୍ ଶକ୍ତିଶାଳୀ, ସେ ତ ତା’ ଶବ୍ଦରୁ ଜଣାପଡ଼ିଯାଏ, ହୁଏତ ବେଳେବେଳେ ତା’ ଷ୍ଟାର୍ଟ ଅଟକିଲା ଭଳି ହେଉଛି, ନିଜେ ସେ ଖୋଜୁଛି ଶକ୍ତି-

 

ସେ କ’ଣ କହିବେ ଅଳ୍ପ ସମୟ ପରେ ରମା ତା’ ବୁଝିପାରିଥିଲା, ତା’ପରେ ଦୁହିଁଙ୍କଠିଁ ଚେତନାମୟ ଭାବ ରୂପର ସୁଅ ଦୋ’ଟି ସମାନ୍ତରାଳ ହୋଇ ବହୁଥିଲା, ଯେମିତି ଗୋଟାଏ ଆରଟାର ପ୍ରତିବିମ୍ବ, କିଏ ରୂପ କିଏ ଛାଇ ଜାଣିହେବନାହିଁ, ଗୋଟିକୁ ନ ଦେଖି ଆରଟିକୁ ଦେଖିଲେବି ଚଳିବ–ଏକା ।

 

“ଯେ ଆଖି ବୁଜି ଗିଳେ ସେ ସୁଆଦ ପାଏନାଇଁ, ଖାଦ୍ୟହିଁ ପାଏ । ଏ ଦୁନିଆଁରେ ବେଶି ଭାଗ ଲୋକ ବୋଧେ ସେମିତିଆ ଗିଳା ଅଜଗର ।

 

ଏ ମଣିଷ ଗଢ଼ୁନାହିଁ ଶାନ୍ତି, ଆନନ୍ଦ, ଭଲରେ ଭଲରେ ସୁଖ ଆନନ୍ଦରେ ଚଳିବା, ସ୍ନେହ, ପ୍ରୀତି, ମୈତ୍ରୀ, ବନ୍ଧୁଗଣ, ବିଶ୍ୱାସ, ସହାନୁଭୂତି, ଏସବୁ ସେ ଗଢ଼ୁନାହିଁ । ଯାହାଥିଲା ତାକୁ ଧ୍ୱଂସ କରୁଛି । ନିଜ ଚାରିକାନି ନିଆଁ ଜାଳି ଆପେ ସେଥିରେ ପୋଡ଼ିହୋଇ ଛଟପଟ ହେଉଛି, ହାଉଳି ହେଉଛି, ସମସ୍ତେ ହାଉଳି ହେଉଛନ୍ତି ଆଉ କହୁଛନ୍ତି ଦୁନିଆଁ ବିଗିଡ଼ିଗଲା । ଘରେ ଅଶାନ୍ତ, ଭାଇରେ ଭାଇରେ ଅପଡ଼, ସମାଜରେ ବଢ଼ି ବଢ଼ି ସ୍ୱାର୍ଥପରତା, ନିଷ୍ଠୁରତା, ଶୋଷଣର ନୂଆ ନୂଆ ଉପାୟ, ଦେଶରେ ବିଶୃଙ୍ଖଳା ଆଉ ଅଶାନ୍ତି, ଅଭାବ, ଦେଶ ଦେଶ ଭିତରେ ଯୁଦ୍ଧ କି ଯୁଦ୍ଧର ଆଶଙ୍କା । ଖବରକାଗଜ ଖୋଲିଲେ କି ରେଡ଼ିଓକୁ କାନେଇଲେ କାନ ଦି’ଟା ଠିଆହୁଏ–କ’ଣ ହେଲା କି ?

 

ତଥାପି ସମସ୍ତେ ବାହାଦୂରୀ ନେଉଛନ୍ତି ଯେ ସେମାନେ ବୁଦ୍ଧିମାନ, ସେମାନେ ୟା’ କଲେ ତା’ କଲେ, ଭାଟ ଆଉ ପାଳିଆବି ଅଛନ୍ତି ଗାଇ ବୁଲିବାକୁ ଯେ “ଆମର ସବୁଆଡ଼ୁ ସବୁପ୍ରକାର ଉନ୍ନତି ହେଉଛି । ଉନ୍ନତି ! ହଁ !”

 

କୁଶଳବାବୁ ଟିକିଏବେଳ ତୁନି ହୋଇ ବସିରହିଲେ । ସବୁ ତୁନି ତାନି । ରମା ମୁଣ୍ଡଟେକି ଅନଇଁଲା । ନଲଟନର ଅନ୍ଧାରି ଆଲୁଅରେ ସେ ମିଶିଯାଇଛନ୍ତି । ଦେହଟାଏ ଖୋଳପରି ଥୁଆହୋଇଛି । ହଲ୍ ନାହିଁ ଚଲ୍ ନାହିଁ, ଯେମିତି ଘର ଭିତରର ଜିନିଷପାତି, ଟେବୁଲ ଚଉକି ବହି ଆଲମାରି, କାନ୍ଥରେ ମରା ହୋଇଥିବା ଛବି, ଆର ଘରେ ଅଲୁଗୁଣିରେ ଲୁଗା, ଖଟ, ବିଛଣା, ଯେଉଁଠି ଯେଉଁଟା । ଆଖିଆଗରେ ମଣିଷଟାଏ ଦେହ ଛାଡ଼ି ଦେଇ ହୋଇଯାଇଛି ଅଶରୀରୀ ଭାବ ମେଞ୍ଚାଏ, ଯେମିତି କାହୁଁ ଅଇଲା ପବନର ହଲପା । ନଲଟଣର ଶିଖା ନାଚୁଛି, ଛାଇ ନାଚୁଛି, ବାହାରେ ଅନ୍ଧାର । ପେଚାଟିଏ ତିନି ଡାକ ମାରିଲା, ତା’ପରେ ତୁନି ହେଲା ।

 

କାନ୍ଥର ମହାତ୍ମାଗାନ୍ଧୀଙ୍କ ଛବି ପିଠିଆଡ଼େ କୁଟାକାଠିର ବସା ଉହାଡ଼ରୁ ଘରଚଟିଆଟିଏ ଥଣ୍ଟ ବଢ଼େଇଲା, ତା’ର ଗୋଟିଏ ଦୁନିଆଁ ଆଖିରେ ଆଲୁଅର ଧାସ ପଡ଼ି ସେ ତେଜି ଉଠି ଝୁକ୍ କଲା ।

 

ଛବିଟିବି ସତେକି ଅନେଇ ରହିଲା ପ୍ରତୀକ୍ଷାରେ ।

 

ସେମାନେବି ସ୍ରୋତା, ଦେଖେଣାହାରି ।

 

ରମାର ଆଖି ଖେଳିଗଲା କାନ୍ଥଯାକ । କିଏ କହେ ଘର ନିଃଶବ୍ଦ, ନିର୍ଜନ ! କାନ୍ଥରେ ତେରେଛା ହୋଇ ପିମ୍ପୁଡ଼ି ଧାରଟିଏ ଲାଗିଛି, ସେମାନେ ବଡ଼ ବ୍ୟସ୍ତ ହୋଇ କୁଆଡ଼େ ଧାଇଁଛନ୍ତି । ପବନରେ ହଲି ଉଠୁଥିବା ଡଙ୍ଗା ପରି ଏଠିସେଠି ଗୋଟାଏ ଗୋଟାଏ ଝିଟିପିଟି ଅପେକ୍ଷା କରିଛନ୍ତି-। ଝିଟିପିଟି ଟିକ୍ ଟିକ୍ କଲା । ତଳେ ଚେଁ ଚେଁ କଲା ଗୋଟାଏ ତରତର ସନ୍ଧାନୀ ଚୁଚୁନ୍ଦ୍ରା । ଆଉ କେଉଁଠୁ ଅତି ମିଠା କଅଁଳ ସ୍ୱରରେ ଘରଚଟିଆ କ’ଣ ପଚାରିଲା, ଗାନ୍ଧୀ ଛବି ଉହାଡ଼ରୁ ଲମ୍ବି ଆସିଥିବା ମୁହଁ ପଚାରିଲା ତିନିଥର ।

 

ମୁଖା କଥା କହିଲା, ଯେମିତି ଗୋଟିଏ କ୍ଳାନ୍ତ ମୁଖା, ସେଥିରେ ଧୂଳି ଲାଗିଛି ।

 

“ମୁଁ ବି ଦିନେ ବଡ଼ ଆଶାରେ ମାତି ଉଠିଥିଲି, ବୟାଳଶିର ଡାକକୁ ଓ’ କରି ଧାଇଁଗଲି । ଆସିଲା ତା’ପରେ ସ୍ୱାଧୀନତା ବେଳ । ଅଗଷ୍ଟ ଚଉଦ ରାତି, ରେଡ଼ିଓ, ନୂଆ ଦିଆଲି, ଅଗଷ୍ଟ ପନ୍ଦର ସକାଳୁ କାନଅତରା ପକେଇ ସଡ଼କଯାକ ଛାଆଁକୁ ଛାଏଁ ପଟୁଆର, ଆମେ ସ୍ଵାଧୀନରେ, କିଏ ଅଟକାଇବ ଏ ରଥର ଗତି ! ସେଉଠୁ ଆମେ ଅଣ୍ଟା ଭିଡ଼ିଲୁ ନୂଆ ଦୁନିଆଁ ଗଢ଼ିବୁ ବୋଲି, କିଏ ଗଲେ ଶାସନଆଡ଼କୁ, ଆଉ ଆମେ କିଏ କିଏ ରହିଲୁ ସଂଗଠନ କାମରେ । ସଂଗଠନହିଁ ତ ଅସଲ କଥା, ଯୁଗ ଯୁଗର ଅନ୍ଧାର ଦୂର କରିବାକୁ ସେହି ଏକମାତ୍ର ପନ୍ଥା, ରାତି ରାତି ଉଜାଗର ରହି ଛଟପଟ ହୋଇ ଯେତେ ଯେତେ କଳ୍ପନା ଜଳ୍ପନା, ଯେତେ ସ୍ୱପ୍ନ ଅବା ବିଚାର, ମନର ଯେତେ ଓରମାଣ ଉଦ୍‍ବେଗ ଉତ୍କଣ୍ଠା, ତାକୁ ସବୁ ଆଖିଆଗରେ ଥୋଇ ଏଥର ସତକୁ ସତ ଜୀଅନ୍ତାକରି ଗଢ଼ିବାକୁ ପଡ଼ିବ, ତା’ରି ନାଁ ରଚନାତ୍ମକ କର୍ମ ।

 

ବିତିଗଲାତ ଦିନରାତି । ସାଙ୍ଗର ଲୋକ କେତେ କହିଲେ,–ୟେ ନୁହେଁ ବାବାଜି ନୁହେଁ ଗୃହୀ ଗାଁ ବୁଲା କାଦୁଅ ଚକଟା ବାଇଟୁଙ୍ଗୁରି ପଣରେ କିଛି ମିଳିବ ନାଇଁ, ଯେତେ ଭୁକି ଭୁକି ଉପଦେଶ ଶୁଣାଉଥିଲେ କେହି ଶୁଣିବେ ନାଇଁ, ବରଂ ଧରିବାକୁ ଚେଷ୍ଟାକର, ମଙ୍ଗଟା ଯେତେବେଳେ ଯାହା ହାତରେ ପଝାରିବି ସେତେବେଳେ ତା’ ହାତରେ ।

 

ସେ ହିତ କଥାକୁ କାନ ଦେଲିନାଇଁ । ବୁଝିପାରିଲି, ମୁଁ ମଙ୍ଗ ଧରିଲେ ସେମାନେ ଆହୁଲା ପକାନ୍ତେ, ସେଇଥିପାଇଁ କହୁଚନ୍ତି । ଯେଉଁ ବାଟ ବାଛି ନେଲି ସେଥିପାଇଁ ପସ୍ତେଇ ନାଇଁ, ଲୋକ ଯଦି ଜଞ୍ଜାଳ ଲୋଡ଼ୁଛି ତେବେ ସେ ଆପଣା ସ୍ୱାର୍ଥ ଆପଣା ବଡ଼ତି ଆପଣା ଲାଭପାଇଁ ଖଟୁ, ଯେଡ଼େ ନରମ ହଂସୁଲି ଶେଯରେ ବିଶ୍ରାମ ଖୋଜୁ ଜଞ୍ଜାଳମାନେ ରଟରଟ କରି ବୁଣି ଖାଉଥିବେ, ଆଖି କଷରା ପଡ଼ିବନାହିଁ । ଏଇ ଯଦି ସେ ଲୋଡ଼ୁଛି ଆନନ୍ଦ ତେବେ ଆପଣା ସ୍ୱାର୍ଥକୁ ଆଗ ଜାଳିଦେଉ, ପରର ସ୍ୱାର୍ଥ ଲାଗି ଜୀବନ ବିତାଉ, ମା’ ଯେମିତି ଛୁଆପାଇଁ ବାପ ଯେମିତି ପରିବାରର ଭଲପାଇଁ ନିଜର ସବୁ ସୁଖ ସୁବିଧା ଭୁଲିଯାଇ କାମରେ ଲୋଟୁଥାଏ ସେଇଆ କରୁ ନିଜଛଡ଼ା ଆଉ ସମସ୍ତିଙ୍କ ହିତପାଇଁ, ସେ ଧନ କି କ୍ଷମତା ନ ପାଉ ଆନନ୍ଦ ପାଇବ ।

 

ଆନନ୍ଦରେ ଆନନ୍ଦରେ ଗଲା ଚାଲି ଏତେଗୁଡ଼ିଏ ବର୍ଷ ତେବେ ନିରାନନ୍ଦ ହେଲା କାହିଁକି-?”

 

ପୁଣି ସେ ଅଟକି ଗଲେ, ଗଦ୍ୟର ଶେଷ ରାଗିଣୀରେ ଥିଲା ଆପଣା ପ୍ରତି ଶ୍ଳେଷ, କ୍ଷୋଭ । ଗୋଟାଏ ଫଟା ଢୋଲର ଠାଉ ଠାଉ । ସେ ବି ଥମ୍ବି ଗଲା । ସେହି ତୁନିତାନି ଭିତରେ ରମା ଅନୁଭବ କଲା ତା’ ଆପଣା ଛାତି ଧଡ଼ ଧଡ଼ ପଡ଼ୁଛି, ସମୟ ବୋହିଯାଉଛି ।

 

କୁଶଳବାବୁଙ୍କ ମୁହଁ ଟେବୁଲ୍ଆଡ଼କୁ ନଇଁ ପଡ଼ିଲାଣି, ସ୍ୱରରେ କ୍ଳାନ୍ତି ।

 

କହିଗଲେ, “ଯେଉଁ ସତ୍ୟର ରୂପକୁ ମନେମନେ ଧ୍ୟାନ କରୁଥିଲି,–ସେବା, ତ୍ୟାଗ, ନୀରବ କର୍ମ ସେ ଯେଉଁ ରୂପ, ବୋଧହୁଏ ସେ ଖାଲି ଗୋଟାଏ ପତିଆରା ହୋଇ ମନ ଭିତରେ କେଉଁଠି ଛପି ରହିଲା, ତା’ ନ ହୋଇଥିଲେ ମଙ୍ଗୁଆଳମାନଙ୍କ ଗହଣରେ ମୁଁ ବି ବୁଲୁଥାନ୍ତି କାହିଁକି ? ସେଠି ମୋ କଥା କାଟୁ କରନ୍ତା କାହିଁକି ? ମୋ କଥାମାନି ସେମାନେ କେତେଠିଁ କେତେ ସଡ଼କ କଲେ, କୂଅ ପୋଖରୀ ଖୋଲିଲେ, ଅନୁଷ୍ଠାନ ବସେଇଲେ ।

 

ମୁଁ ମନେମନେ କହିଦେଲି ମୁଁ ରବନାତ୍ମକ କର୍ମୀ ପାବାର୍‍ ଫାବାର୍‍ ପାଖ ପଶେ ନାଇଁ, ଲୋକେ ଜାଣିଲେ ମୋଠିଁ ପାବାର୍ ଅଛି, କହିଲେ କାମ ହୁଏ । କଣ୍ଟୋରୋଳ କାଳରେ ଅଟା, ଚିନି, ସିମେଣ୍ଟ, ଲୁହାପଥର କି ଲାଇସନ, କାହାର ଚାକିରି କି କେଉଁ ଚାକିରିଆର ବଦଳି, କାହାର ବେପାର କି କାହାର ପାଠପଢ଼ା, କାହାର କେଉଁ ଆପେ ଭେଇଲା ବିପତ୍ତିରୁ ଉଦ୍ଧାର, ଲୋକେ ଭାବିଲେ ହବ ୟା ଦେଇ । ଧର ।

 

କର୍ମୀ କି ପଣ୍ଡା ? ସେହି କଥା ମୁଁ ନିଜକୁ ପଚାରେ । ଲୁହାରେ ଯେମିତି କଳଙ୍କି ଲାଗେ, ଆଖି ପିଛୁଡ଼ା ପିଛୁଡ଼ାକେ ଯୁଗ ଯୁଗ ଯାକ, ଘଣ୍ଟାରେ ସଙ୍କେତ ଅନୁସାରେ ନୁହ, ଗୁଡ଼ାଏ ସମୟ ଗଲେ ଦିନେ କେବେ ମଣିଷ ଚେତି ଉଠି ଦେଖେ କଳଙ୍କି ଲାଗିଛି, ସେମିତି ବୋଧହୁଏ ସୃଷ୍ଟିଯାକ, ସବୁ ପ୍ରାଣୀ, ସବୁ ଅନୁଷ୍ଠାନ, ଯେଉଁ ଶୂନ୍ୟରୁ ଆସେ ସର୍ଜନର ମଞ୍ଜି, ଆଗ ଇନ୍ଦ୍ରିୟକୁ ଅଗୋଚର ହୋଇଥାଏ, ସେହି ଶୂନ୍ୟରୁ ଆସେ ବିନାଶର ମଞ୍ଜି, ସେ ବି ଆଗ ଅନା ହୋଇଥାଏ ଇନ୍ଦ୍ରିୟକୁ ଅଗୋଚର, ଆଖିଦୁରୁଶିଆ ହେଲେ ଜଣାପଡ଼େ । ସେତେବେଳେ ଦିଶେ, ଯାହା ଗୁନ୍ଥାଗୁନ୍ଥି ହୋଇ ଏକାଠି ଗୋଟିଏ ସମାହିତ ରୂପ ହୋଇଥିଲା ତା’ର ପ୍ରତି ଅଣୁ ହୁଗୁଳି ଯାଇ କୁଆଡ଼େ କୁଆଡ଼େ ଲମ୍ବୁଛି । ସେ ଆଉ ସଙ୍ଗଠନ ନୁହେଁ, ମୁହୂର୍ତ୍ତ ମୁହୂର୍ତ୍ତକେ ବଦଳୁଥିବା ମେଘର ବାମ୍ଫ । ଅତୀତର ଗୋଟାଏ ସ୍ୱଗଠିତ ସାମ୍ରାଜ୍ୟର ଧ୍ୱଂସ ଆଉ ବର୍ତ୍ତମାନର ଗୋଟିଏ ବ୍ରତଚାରୀ କର୍ମୀର ଧ୍ୱଂସ ଚାଲେ ଏକାକ୍ରମରେ । ତା’ ମଝିରେ ଯେଉଁ ପାହାଚ ପାହାଚ, କେଉଁଠି ଟିକିଏ ଟିକିଏ ଶକ୍ତିର କଣିକା ଅଛି ଜିକି ଜିକି ଦିଶୁଛି ବୋଲି ଭ୍ରମ ହୁଏ,–ସେ ବି ଧ୍ୱଂସର ରୂପ, ଯେମିତି ବ୍ରହ୍ମବିଦ୍ୟା ସାଧନାରୁ ଗଡ଼ି ଗଡ଼ି ଆସି ତନ୍ତ୍ରର ବିଭୂତି ଗୋଟାଇବାକୁ ଧାଇଁଲା ଭଳି, ଯେ ଖୋଜୁଥିଲା ସତ୍-ଚିତ୍-ଆନନ୍ଦ, କିମିଆଁ କି ତନ୍ତ୍ରଶକ୍ତି ବଳରେ ସେ ମନଇଚ୍ଛା ଆପଣା ଆଙ୍ଗୁଠି ଅଗରୁ ମିଠା, ଖଟା, ରାଗ ପିତା ସୁଆଦ ବାହାର କରି ଲୋକଙ୍କୁ ଚଖେଇ ଦେଲେଭାବେ ତା’ର ବ୍ରହ୍ମପ୍ରାପ୍ତି ହୋଇଗଲା ।

 

ଶହେବର୍ଷ ତଳେ ପ୍ରବୁଦ୍ଧି ହେବାକୁ ଉଦ୍ୟମ କରି ଭାରତର ସାଧକମାନେ ଯେଉଁ ଆଦର୍ଶକୁ ଆପଣା ଆଗରେ ଦେଶ ଆଗରେ ଥୋଇଥିଲେ ସେ ଖାଲି ଭାରତର କି କେଉଁ ପ୍ରଦେଶରେ କି କେଉଁ ଗାଁର କି ସହରର ବୈଷୟିକ ଉନ୍ନତି ନୁହେଁ । ସେ ପରିକଳ୍ପନା ଥିଲା ସଂସାରର ହିତପାଇଁ । ଖାଲି ମଣିଷ ଜାତିର ହିତବି ନୁହେଁ । କ୍ଷିତ୍-ଆପ୍-ମରୁତ୍-ତେଜ-ବ୍ୟୋମ ସବୁ ପାଇବ ଶାନ୍ତି, ବ୍ରହ୍ମଠୁଁ ନିରୀହ ଗୋରୁ ପର୍ଯ୍ୟନ୍ତ ସମସ୍ତେ ପାଇବେ ମଣିଷର ନିଘା ଶ୍ରଦ୍ଧା । ତା’ର ପରମ୍ପରା ଥିଲା, ଯୁଗେ ଯୁଗେ ଭାରତ ଏଥିପାଇଁ ମନ ଦେଇଛି ଶ୍ରମ ଦେଇଛି, ସେଇ ତା’ର ଯଜ୍ଞ, ସେଇଥିପାଇଁ ସେ ଭାରତ, ଅମର, ଅପରାଜୟ ।

 

ଏବେ ଦେଖନ୍ତୁ । କାହିଁଗଲା ସେ ଆଦର୍ଶ ? ତନ୍ତ୍ରବଳ ଦେଖାଇ ଖୁସି ହେଲାଭଳି କେଇଟା କୋଠାବାଡ଼ି ସଡ଼କ ପୋଲିଆ କଳକାରଖାନା ଗଢ଼ି କେବଳ ବୈଷୟିକ ଉନ୍ନୟନରେ ମାତି ଆମେ ଭାବିଛୁଁ ଆମର ସବୁ ହେଇଗଲା ଆଉ ଏଣେ ବାଉଁଶ ବଢ଼ୁ ବଢ଼ୁ ପୋଲ ବଢ଼ୁଛି, ଅଶାନ୍ତି ଅଭାବ ଅନାଚାର ବିଶୃଙ୍ଖଳା ଅନୀତି ସବୁ ବଢ଼ୁଛି, ବାହାରେ ଧୋବ ଫର ଫର, ଭିତରେ ବିଭ୍ରାଟ ।”

 

ତାଙ୍କ ଆହାତ ମନରେ ଶ୍ଳେଷର ହାରିଲାପଣ ରମାର ଅନ୍ତରକୁ ଦୋହଲାଇ ଦେଲା ।

 

ଦୁହେଁ ତୁନିତାନି । ପୁଣି ତା’ର ପଦାରେ ଦେଖା ଅନୁଭୂତି ଆପଣା ଭିତରକୁ ମୋହିଁଗଲା, ଲାଗିଲା ଯାହା ଶୁଣୁଛି ସେ ଖାଲି ତା’ ନିଜର କାହାଣୀହିଁ ।

 

ବେଦନାର ବୟସନାହିଁ ।

 

କେଡ଼େ କଅଁଳ ଛନଛନିଆ ହୋଇ ମଣିଷ ଜନ୍ମହୁଏ, ଗଛ ବୁରୁଛ, ଜନ୍ତୁ, ସୃଷ୍ଟି ଜନ୍ମ ହୁଏ, ଆଶାରେ ବଢ଼େ, ସ୍ୱପ୍ନ ଦେଖେ ! ଯେମିତି ଲଟାର ଡଙ୍କ ଷଣ୍ଢା ପକାଇ ଡାଳ ଉପରେ ଠିଆହୋଇ ଚାରିଆଡ଼କୁ ଅନାଏ, ସେ ଗଡ଼ିଯିବ, ମାଡ଼ିଯିବ, ବିଛେଇ ହୋଇ ପଡ଼ିବ ଦୁନିଆଁଯାକ, ସେମିତି ତା’ଠିଁ ନିହିତ ଆନନ୍ଦ ଆଗକୁ ଅନାଏଁ । ସବୁଠିଁ ପରା ତା’ ଘର, ସମସ୍ତେ ତା’ ନିଜ ମଣିଷ, ସମସ୍ତିଙ୍କଠି ଅଛି ସ୍ନେହ ଶ୍ରଦ୍ଧା, ବିଶ୍ୱାସ ।

 

ତା’ପରେ ସେ ଅଟକି ଯାଏ, ମଉଳି ଯାଏ, ଆଖିର କଜଳ ଫିକା ପଡ଼େ, ହାତ ଅଣ୍ଡାଳି ଅଣ୍ଡାଳି ଖାଲି ହୋଇ ଲେଉଟି ଆସେ, ମନରେ ପୂରେ ଅଭିମାନ ଆଉ ନିରାଶା !

 

ସନ୍ଦେହ ଘୋଟେ,–ସତେ କ’ଣ ଏ ଦୁନିଆଁ ମଣିଷ ବଞ୍ଚି ରହିଲା ଭଳି ସ୍ଥଳୀ ।

 

ବେଳ ଗଲା । କୁଶଳବାବୁ ରମାର ଫଁ ଫଁ ଦୀର୍ଘଶ୍ୱାସର ଶବ୍ଦରେ ମୁହଁଟେକି ତା’ଆଡ଼କୁ ଅନାଇଁଲେ । ସେ ମୁହଁକୁ ତଳକୁ ପୋତି ଟେବୁଲ ଉପରେ ନଇଁ ପଡ଼ିଛି, ସେ ମୁହଁରେ ଆଙ୍କି ହୋଇ ରହିଛି ଆନ୍ତରିକତାମୟ ଚିନ୍ତା, ମଣିଷ ଆପଣାପାଇଁ ନଭାବି ପରର ସ୍ୱାର୍ଥର କଥା, ଦୁନିଆଁଯାକର ସ୍ୱାର୍ଥର କଥା କି ତତ୍ତ୍ୱକଥା ଭାବିଲାବେଳର ଛବି । କୁଶଳବାବୁଙ୍କ ମୁହଁରେ ପ୍ରସନ୍ନତା ଫୁଟିଲା । ତାଙ୍କ ଅନୁମାନରେ ତାହେଲେ ଏତେ ଟିକିଏ ଭୁଲନାହିଁ । ସେ ନିଜପାଇଁ ଗର୍ବ ଅନୁଭବ କଲେ ।

 

ପରମ ସନ୍ତୋଷ ଓ ସ୍ନେହରେ ସେ ରମାର ମୁହଁକୁ ଅନାଇଁ ରହିଲେ ଆଉ ଭାବିବାକୁ ଲାଗିଲେ–କେଡ଼େ ଚଞ୍ଚଳ ଏ ଛବି ଏ ଦୁନିଆଁରେ ବିରଳ ହୋଇ ହୋଇଯାଉଛି ।

 

ଆପଣା ସୁଖଦୁଃଖ କଥା ଭାବିବା,–କେଉଁଠୁ ଆସିବ ଶାଗଟିଏ, ପତ୍ରଟିଏ, କଉଟିଏ କି କୋଟିଏ, କେଉଁଠୁ ଆସିବ କୁଟାକାଠି, ସେଥିପାଇଁ ଆଖିରେ ଲୋଲୁପତାର ଝଲକ, ଓଠ କଣରେ ବୁଦ୍ଧିଆ ବାଙ୍କ, ସେ ମୁହଁର ଛବି ତ ଚାରିଆଡ଼େ ଦିଶେ, ଚାଳ ଉପରେ କି ଦୁଆରେ ଡଗ ଡଗ କାଉ, ପଡ଼ିଆରେ ଗୋରୁଗାଈ, ବାଟରେ ଘାଟରେ ଗାଡ଼ିରେ କୋଠାର ମଣିଷ, ସବୁ ମୁହଁରେ ଏକା ଛିଲିକା । ଦେଉଳ ଦୁଆର ମୁହଁରେ ଢୁ ଢୁ ମୁଣ୍ଡ କରୁଥିବା ଜନତାର ମୁହଁ ଆଖି ଆଉ ମାଛମରା ଥଳରେ ପୋଖରୀ ହୁଡ଼ାରେ ଅପେକ୍ଷା କରିଥିବା ମଣିଷଙ୍କ ମୁହଁରେ ଛାଇ,–ସେ ବି ସେହି ଏକାପ୍ରକାରର,–ପର ଶକ୍ତି ସାହାଯ୍ୟରେ ଆପଣାର ସ୍ୱାର୍ଥସିଦ୍ଧି ହେଉ, ସେହି କାମନାର ତାଉ ।

 

କିନ୍ତୁ ୟେ, ଲଙ୍କନ୍ ଲେନିନ୍ ଗାନ୍ଧୀ ମୁହଁର ଠାଣି ଆଉ ପାଣି,–ଦୁନିଆଁର ଗହନ ଜଙ୍ଗଲ ଅରମା ଭିତରେ ଉପରୁ ଚାହିଁଥିବା କେଉଁ ନାହିଁ ନଥିବା ପବନଆହାରୀ ନିରୀହ ଶ୍ୱେତ ଅର୍କିଡ଼୍‍ର ଫୁଲ–ନାଁ । ଜଣାନାହିଁ ନାଁ ଘେନୁନାହିଁ ଜଗତର ହିତକାରୀ କେଉଁ ଧରମବେଠିଆର ।

 

ମନଗହନର ଯଜ୍ଞର ତାଉ ଧାସ ।

 

କେବେ ଦେଖିବାକୁ ମିଳେ ?

 

ଏଇ ମଣିଷଟି ।

 

Unknown

ଦମ୍ଭିଲା ସମାଜରେ ତା’ର ଦମ୍ଭଚେର ।

 

ଯୁଗ ଯୁଗର କୁଳଶୀଳ ସଂସ୍କୃତି ଥାଇତାପଣରୁ ସେ ନିଃସୃତ, ସେହି ତା’ର ଉପାଦାନର ପିଣ୍ଡ । ସେ ବିଭାହେଲା ବିଧବା ହେଲା ବୋହୂ, ସେ ମା’, ସେ ଘରର ଘରଣୀ । ଆପଣାପାଇଁ ଆପଣା ଦାୟିତ୍ୱ ତୁଲେଇବା ପାଇଁ ତା’ର ନିର୍ଦ୍ଦିଷ୍ଟ ବୃତ୍ତି ଅଛି, ସେ ଛାଞ୍ଚରେ ଢଳେଇ ସାମାଜିକ ମଣିଷ । ଯେମିତି ଛାଞ୍ଚରେ ଢଳେଇ ଯନ୍ତ୍ର, ଆଉ ଦଶଟା ଭଳି କିନ୍ତୁ ସେ ମହାଭାବରେ ଗୋଳି ହୋଇଯାଇଛି ଏଇ ଘଡ଼ିକ, ସେ ନୁହେଁ, ପାଳିନୀ ଶକ୍ତିହିଁ ।

 

ତା’ଠିଁ ୟା ଥିଲା,–ଛପି ରହିଥିଲା ମଣିଷପଣିଆର ମହକ, ତାଙ୍କ ସନ୍ଧାନ କ୍ରିୟା ଭୁଲ ହୋଇନାହିଁ ।

 

ଆଉ ଯଦି ଆହୁରି ଚିଆଁର ଯାଇହେବ ୟେ ଶକ୍ତିକୁ, ଆହୁରି ବିକାଶ କରି ହେବ ପ୍ରକଟ କରି ହେବ, ଯଦି ଲମ୍ବେଇ ହେବ ମୁହୂର୍ତ୍ତକୁ ଘଣ୍ଟା, ଦିନ, ମାସ ଆଉ ବର୍ଷ କରି ।

 

ତା’ହେଲେ ତା’ ହେବ ଭଗୀରଥ ଗଙ୍ଗା ଆଣିଲା ପରି, ମରୁଭୂମିରେ ଶାଗୁଆ ହେବ ।

 

ସେମିତି ସ୍ନେହରେ ରମାଆଡ଼କୁ ଚାହିଁରହି କୁଶଳବାବୁ କହିଲେ–ସେଇଥିପାଇଁ ଆପଣଙ୍କ ସାହାଯ୍ୟ ଭିକ ମାଗୁଛି, ବାରମ୍ବାର ମାଗୁଛି, ଆଜିବି । ଆପଣ ନିଜେ ଜାଣନ୍ତିନାହିଁ ଆପଣଙ୍କଠି କି ଶକ୍ତି ବିଧାତା ଦେଇଛି, ମୁଁ ଜାଣେ ବୋଲି ବାହାଦୂରୀ କରୁନାହିଁ, ଲୋକ ସମ୍ପର୍କରେ ଜୀବନ ବିତାଏ ଲୋକ ଚିହ୍ନିବା ଯେଉଁମାନଙ୍କ ଜୀବନଯାକର କାମ ଏ ବିଷୟରେ ତାଙ୍କ ବାଛ ବିଚାରଆପେ ଉପୁଜେ । ନିଜଠିଁ ଯାହା ଅଛି ତାକୁ ସଂସାରର ହିତରେ ଲଗାନ୍ତୁ, ଆମେ ଅଛୁଁ ଆପଣଙ୍କ ପଛେ ପଛେ । ଦୁନିଆଁ ଉଜୁଡ଼ିଗଲାବେଳେ ଯୁଗେ ଯୁଗେ ଆମେ ନାରୀରୂପିଣୀ ଶକ୍ତିର ଶରଣ ନେଇଛୁଁ, ସେଇ ଦେଲା ଜନ୍ମ, ସେଇ ଦେଉ ବୁଦ୍ଧି, ଶିବା, ଲକ୍ଷ୍ମୀ, ସରସ୍ୱତୀ, ନ ହେଲେ ସ୍ୱାର୍ଥର ହଣାହଣି, ଅବିଶ୍ୱାସ, ହିଂସା, ନିଷ୍ଠୁରତା, ଯୁଦ୍ଧ, ଆଣବିକ ମାରଣ ଦାଉରୁ ଏ ସଂସାରକୁ ରଖିବ କିଏ ?

 

ଉତ୍ତରରେ କିଛି କହିବାକୁ ତାକୁ ଯୋଗ ପଡ଼ିଲାନାହିଁ । ସେ ଠିଆହୋଇ ପଡ଼ିଲେ, କହିଲେ, “ମୁଁ ଯାଉଛି, ଯାହା କହିଲି ଭାବିବେ, ପୁଣି ଆସିବି ।”

 

ସେ ଚାଲିଗଲା ପରେ ରମା ବହୁତବେଳ ଠିଆହୋଇଥାଏ ବରେଣ୍ଡା ଛେଦରେ, ଦୂରକୁ ଅନ୍ଧାରଆଡ଼କୁ ଅନାଇଁ ଥାଏ, ମେଲା ଆଖି କିଛି ଦେଖୁନାହିଁ । ଚେତନା ଆପଣା ଭିତରେ କିନ୍ଦ୍ରୁଛି, ଓଲଟପାଲଟ ହେଉଛି, ସଜାଡ଼ି ହେଉଛି, ଦେଖୁଛି କେତେଜଣ ଅସ୍ପଷ୍ଟ ରୂପ, ଖଣ୍ଡ ଖଣ୍ଡ, କେଉଁଟା କାହା ସଙ୍ଗେ ମିଶି ଗୋଟା ଗୋଟା ହେଉଛି ।

 

ତା’ପରେ ତାକୁ ଲାଗିଲା ସେ କେତେବେଳୁ ଚାହିଁ ଦେଖୁଛି, ଆଉ ସେ ଅନୁଭବ କରୁଛି-। ଅନୁଭୂତି ଉଶ୍ୱାସ ମନର, ଆନନ୍ଦ କର, ନିଜଠିଁ ଏପରି ତଳିକୁ ସେ ତା’ ପାଦରେ ବାରିଛି ଯେଉଁଠି ସେ ନିଧଡ଼କ, ନିଶ୍ଚିନ୍ତ, ତା’ର କୌଣସି ସମସ୍ୟାହିଁ ନାହିଁ । ପୁରୁଣା ଚାଲିଯାଇଛି, ଯାଉ, ପଛକୁ ଆଡ଼ ଆଖିରେ ଅନାଇଁବାକୁବି ତା’ ମନ ହେଉନାହିଁ, ତ୍ୟାଗର ଆନନ୍ଦରେ ସେ ପୂର୍ଣ୍ଣ, ନୂଆ ଆସିଯାଇଛି, ସେତ ଅତି ପୁରୁଣା, ଜନ୍ମରୁ ତା’ଠିଁ ଥିଲା, ନା, ଖାଲି ଏ ଦେହରେ ନୁହେଁ, ଯେଉଁଦିନୁଁ ଏଇ ଅନ୍ଧାରି ଶୂନ୍ୟରେ କେଜାଣି କେଉଁଠୁ କେଉଁ ଅଶରୀର ଉଚ୍ଛ୍ୱାସ ଭିତରୁ ଅଲଗା ହୋଇ ସେ ‘ସେ’ ହୋଇଯାଇଛି, ତା’ପରେ କେତେ ରୂପ କେତେ ଶରୀର ଧରି କେଉଁଠି ଆବିର୍ଭାବ ହୋଇଛି ଆଉ ତା’ ଭିତରେ ଉପୁଜୁଛି ସୁଖଦୁଃଖ ଘେନିଲା ଭଳି, ବାହାରଠୁଁ ଭିତର ପରଠୁଁ ଆପଣା ସ୍ୱତନ୍ତ୍ର ବୋଲି ଗୋଟାଏ ଚେତନା, ସେଦିନୁଁ ଏଇତ ତା’ର ବାଗ, ତା’ର ଚିତ୍ତର ସ୍ୱରୂପ ! ଯେମିତି ଏ ଆକାଶରେ ଏତେ ନକ୍ଷତ୍ର । ସେମିତି ତ ସେ, ତାଙ୍କରି ଭିତରୁ ଜଣେ ! ଆଉ ସେମାନେବି କ’ଣ ତାହାରି ପରି ଦିନେ ଥିଲେ, ସେଉଠୁ ଗୋଟି ଗୋଟି ହୋଇ ଶୂନ୍ୟରେ ଝୁଲିବାକୁ ଘେନିଛନ୍ତି ଏ ଜୋତିରୂପ ?

 

ତରା ମାଳ ମାଳ ତାଉ ଦାଉ ଦାଉ ଅନ୍ଧାରି ଆକାଶକୁ ତୁନିତାନି ଅନାଇଁ ରହି କୌତୁହଳ ଓ କଳ୍ପନାରେ ସେଠିକି ଉଡ଼ିଯାଇ ବିସ୍ମୟ ଭାବର ଆନନ୍ଦ ପାଇବା ଅବସ୍ଥା ତା’ର କେଉଁ ପାଶୋରା ପିଲା କାଳର ଖେଳ, ପୁଣି ସେ ଯେମିତିକି ଲେଉଟି ଆସିଛି । ଶୀତ ରାତିର ଆକାଶ । ଚିକ୍‍କଣ କଳା ଦର୍ପଣରେ ସେମାନେ ଫୁଟିଛନ୍ତି, ଓଃ ! କେତେ ! କେତେ ! କି ସୁନ୍ଦର ! ତଳେ ୟେ ବିସ୍ତୃତ ଅନ୍ଧାରରେ କୁଆଡ଼େ ଗୋଳି ହୋଇଯାଇଛି, ଯେମିତି ଗିଲାସେ ପାଣିରେ ରୁଆଏ ଚିନି–ୟେ ନାହିଁ, ଅଛି ଅନ୍ଧାର, ଆଉ ଅଛନ୍ତି ହେଇ ସେମାନେ, ଆକାଶଯାକ ଜୁଳୁଜୁଳିଆ ପଞ୍ଝା ପଞ୍ଝା ।

 

ସବୁଦିନ ପରି ଏଇତ ଆକାଶ, କେତେ ପୂର୍ଣ୍ଣତାରେ ମଣ୍ଡଣି ହେଲେବି ଯେଉଁ ଶୂନ୍ୟକୁ ସେଇ ଶୂନ୍ୟ, ଆଭରଣ ପରି ଯେତେ ଯାହା ତା’ଠିଁ ଅପର ମଣିଷ କି ଘଟଣା ସଙ୍ଗେ ସମ୍ପର୍କ କି ସମ୍ବନ୍ଧ ତାକୁ ଖୋଲି ପକାଇ କେଉଁ କଣକୁ ଫୋପାଡ଼ି ଦେଲାପରେ ତା’ ଆପଣା ଚିତ୍ତର ତଳିତଳାନ୍ତ ପୂର୍ଣ୍ଣତା ପରି ସେ ଶୂନ୍ୟ, ତବତ, ଥମ୍ବିଲା ଥମ୍ବିଲା । କେତେ ସ୍ୱର ଗହଳି ସେଠି, କେତେ ରୂପ ଗହଳି-!

 

ସେ ଗୁରୁ, ଯେ ବାଟ ବତାଏ, ଧାରଣା ଦିଏ । ତାକୁ ଆଶ୍ରେ କଲେ ଭୟନାହିଁ, ବନ୍ଧନନାହିଁ, ଜଞ୍ଜାଳନାହିଁ ।

 

ବେଳ ଗଲା ।

 

ପୁଣି ପୁରୁଣା ବସାକୁ ଲେଉଟି ଆସୁଥିଲାବେଳର ଭାବ, ଯେମିତି ଆଖିରେ ନ ଦେଖିଲେବି ମନ ଭିତରେ ଦିଶି ଦିଶି ଯାଏ,–ଆଗ ଘର, ଆଗଛମା ଦୃଶ୍ୟ, କବାଟ, କୋଲପ, ଚାବି ମୋଡ଼ି କୋଲପ ଫେଇବା କବାଟ ମେଲା, ମନେମନେ ଅନୁଭବ କରିହୁଏ ଘର ଭିତରର ତାତି ଆଉ ଗନ୍ଧ ।

 

ସେ ଫେରିଆସୁଛି ।

 

ବାରି ହେଲାଣି,–ଶୀତ, କିଟି କିଟି ରାତି, ବେଳ କେତେ ହେଲାଣି ମନେପଡ଼ିଲାଣି । ମନେପଡ଼ିଗଲା,–ସେ ତ ସ୍ତ୍ରୀଲୋକ !

 

ଭିତରୁ ସତେକି ଉବୁକା ହସ ଆଗୁଳକୁ ବୁକେଇଲା । ଭାବିଲା ହଁ, ଦୁନିଆଁ କହୁଥିଲା,–ସ୍ତ୍ରୀ ଆଉ ପୁରୁଷ, ଉପମା ଦିଅନ୍ତି ଘିଅ ଆଉ ନିଆଁ, ସାପ ଆଉ ବେଙ୍ଗ,–କିଏ କାନ୍ଦି ଥିଲାଟି,– “ସୁନା ତାଟିଆରେ ଜାମୁକୋଳି ଲୋ ! ମୋ ବୋଉ ! ନୀଚ ଲୋକ ସଙ୍ଗେ ବେଭାର କଲୁ ଲୋ ! ମୋ ବୋଉ ! ପିମ୍ପୁଡ଼ି ଯେସନେ ଦୀପ ରୁଖାକୁ ଉଠିଲେ”

 

ଯାଃ ! ବାହୁନା ! ଜଗତଯାକର କ୍ରୋଧ ! ସେ କ’ଣ ସତ ! ଲାଜ କ’ଣ ସତ ! ଡର କ’ଣ ସତ !

 

ଅବା ଥିଲା ସେକାଳେ, ଯେତେବେଳେ ମନରେ ଧରି ଗୁଣି ହେଲାଭଳି ଆଉକିଛି ନଥିଲା, ଖାଲି ଲାଜ ନଇଲେ ଡର କଥା, ଏକୁଟିଆ ଥିଲେ ମନକୁ ଭୁଲେଇବାକୁ ସେଇଆ, ଲାଜ କି ଡରମିଶା ଅତୀତରେ କେଉଁଦିନର ଅଙ୍ଗେ ନିଭେଇଥିବା ସ୍ମୃତି, ନ ହେଲେ କାବ୍ୟ ପୁରାଣ, ହରଣ କି ମାରଣ, ଶେଷରେ ଶରଣହିଁ ନିଦାନ । ସାଙ୍ଗ ସୁଖ ଥିଲେ ଆଉ କାହା ସମ୍ପର୍କରେ ସେହି ଆଲୋଚନା-। ଯେ ସେକଥା ଲେଖେ, ସେଇ ଲାଜ ଡର ଭେଟ ଭେଟଣା କଥା କହି ମଣିଷକୁ ନଚାଏ ତତାଏ ତାକୁ କହନ୍ତି କବି !

 

ଉମା ଭାବି ଯାଉଥାଏ ସେକାଳ ଯାଇଛି ।

 

ନାନାଧନ୍ଦାରେ ପଡ଼ି ଏବର ମଣିଷର ସତେଅବା ଭୋକ ବୁଡ଼ିଯାଉଛି କି କମିଯାଇଛି । ମାରିବା ବଞ୍ଚିବା ସମସ୍ୟା ଆଗରେ ତା’ଠିଁ ଲାଜନାହିଁ କି ଡରନାହିଁ । ମଣିଷ ଜାତି ଏକାକାର ହେଉଛି, ଆଉଟା ଆଉଟି ହେଉଛି, ଜାତିଭେଦ ଯିବାକୁ ବସିଲାଣି । ସେମିତି ଦିନେ ଭେଦ ତୁଟିଯିବ ସ୍ତ୍ରୀ ଆଉ ପୁରୁଷ ଭିତରେ । ୟେ ମଣିଷକୁ ସେ ମଣିଷ, ଅନ୍ୟ ଭେଦ ରହିବ ନାଇଁ କହୁ କିଏ–ଆଗକାଳର ମହତପଣ, ସତିଆପଣ, ସାଧୁପଣ ଆଉ ନାହିଁ । ହେଲା । ତେବେ ଆଗକାଳର କାମୁକପଣବି ଫିକା ପଡ଼ିଯାଇଛି । ସତେ ଯେମିତି ଏ ଚିନ୍ତନଧର୍ମୀ ପୁରୁଷ କି ସ୍ତ୍ରୀଙ୍କ ତୃତୀୟ ଆଖିଆଗରେ ମଦନ ଭସ୍ମୀଭୂତ ହେବ ।

 

ତା’ପରେ ସେମାନେ ହେବେ ଯେମିତି ୟେ ଉଲକା ପରି–ଓଃ ! କେଡ଼େ ବେଗି ଧାଇଁଯାଇ କୁଆଡ଼େ ଲୁପ୍ତ ହେଲା ! କି ଆଲୁଅ ! କି ଗତି ! ଆଖି ପିଛୁଡ଼ାକେ ହେଉପଛେ ତା’ ଆୟୁଷ–ଆସନ୍ତା ଯୁଗର ସ୍ତ୍ରୀ ପୁରୁଷ ହେଲେ ହେବେ ଏମିତି ଉଲକା ପରି, ଧାଇଁ ଚାଲିବେ କେଉଁ ନିର୍ଲିପ୍ତ ଧାରଣାର ଉଦୁମୁଦା ଗତିରେ, ପରସ୍ପରକୁ ଧ୍ୱଂସ କଲେ କରିବେ ଆପଣା ମନଲାଖି କେଉଁ ନୀତିର ତାଡ଼ନାରେ ସିନା, ରାଗ କି ଅସୂୟାରେ ନୁହେଁ ।

 

ନିଷ୍ଠୁରତା ନଥାଉ, ଦୟା ନଥିବ, ବିରାଗ ନଥାଉ, ସ୍ନେହ ନଥିବ, ଦୁର୍ବଳତା ନଥାଉ, ମଣିଷପଣିଆଁ ନଥିବ । ତେବେ କି ସୃଷ୍ଟି ସେ ! କାହିଁକି ରହିବ ?

 

ଆଁ କରି ରମା ଆକାଶଆଡ଼କୁ ଅନାଇଁ ରହିଲା, ଯେମିତି ସେଉଠୁ ଉତ୍ତର ମିଳିବ ।

 

ନିଦୁଆ ନିଦୁଆ ହୋଇ ଘରକୁ ଲେଉଟି ଆସି କବାଟ କିଳି ଆଲୁଅ ନିଭେଇଲା ।

 

ଆଉ କେହି ନୁହେଁ, ଏକୁଟିଆ ରମା ଅନୁଭବ କରୁଥିଲା, ସେ ଘରେ ତାକୁ, ମୋତି ଓ ସୁରକୁ ଛାଡ଼ି ଆଉ ଜଣେ ମଣିଷ । ତା’ କାମ ଯେତେବେଳେ ସରେ ସେ ଘରକୁ ବାହୁଡ଼େ, ଦେଖେ ତାଙ୍କୁ, ଯୁଆଡ଼େ ଚାହିଁଲେ ତା’ ଘର ଧନ୍ଦା ଥିଲାବେଳେ ସେ ଏକରସେକର ହେଉଥାନ୍ତି, ସେ କାମ କରୁ କରୁ ଅନ୍ୟମନସ୍କ ହୋଇପଡ଼େ, ପୁଣି ଟିକିଏ ବେଳ ଗଲେ କାମ ମନେପଡ଼େ, ସେ ତରତର ହୁଏ । ଏକୁଟିଆ ଥିଲାବେଳେ ତା’ ଆଖି ଆଗେ ଆଗେ ସେ, ଗୋଟିଏ ଭାବୁକ ମୁହଁ ଯେ ତା’ରିପାଇଁ ଭାବେ, ଜିକି ଜିକି ଆଖି, ତାକୁ କେତେ କ’ଣ କହିଲା ପରି ହୁଏ, କହିପାରେନାହିଁ । ରମା ସେ ମୁହଁ ଉପରେ ଆଉ ସେ କାଳ୍ପନିକ ସାନ୍ନିଧ ଉପରେ ଲୟ ଲଗାଏ । କେହି ନଥାଉ ଘରେ, ଅବା ଥାଇବି ଶୋଇଥାନ୍ତୁ, ରାତି ବଢ଼ିଥାଉ, ନିଛାଟିଆ ଅନ୍ଧାର ରାତି, ରମା ଅନୁଭବ କରେ ସେ ଅଛନ୍ତି । ତାକୁ ଖୁସି ଲାଗେ । ସେ କୃତଜ୍ଞତାରେ ଗଦ୍‍ଗଦ୍ ହୁଏ ଯେ ଆଉ କେହି ତା’ କଥା ଭାବୁ ନଥିଲାବେଳେ ସେ ଭାବନ୍ତି, ସେହି ଏକା ତାକୁ ସଙ୍ଖୋଳି ଆସନ୍ତି । ବେଳେବେଳେ ତାଙ୍କ କଥା ଭାବୁ ଭାବୁ ତା’ ଭିତରେ ଉତ୍ତେଜନା ଖେଳିଯାଏ, ସେ ଝାଳରେ ଗାଧାଏ, ଛାତି ଭିତର ଠାରେ,–ସେ ବି ତା’ର ଏକପ୍ରକାର ଆନନ୍ଦ, ସେ ବାଧା ଦିଏନାହିଁ ।

 

ତା’ କାମ କେଉଁଠି ଅଟକେନାହିଁ, ବିଗିଡ଼େନାହିଁ ଦେହ ଆଉ ହାଲୁକା ଲାଗେ, ମନ ଆଉ ଫୁର୍ତ୍ତି, ଗୋଟିଏ ଆନନ୍ଦକର ନିର୍ଭର ତାକୁ ସାହସ ଓ ଉତ୍ସାହ ଦିଏ । ସେ ତାକୁ ଭାବେ ଅତି ଆପଣାର, ଅତି ବିଶ୍ୱାସୀ,–ଯେତେବେଳେ ତୁନି ହୋଇ ବସିଥାଏ, ମୁହଁ ତଳକୁ, ନିଃଶ୍ୱାସ ଖର, କେବେକେବେ ନିଜେ କିଛି ନକହୁଣୁ ମନେମନେ ତାଙ୍କରି ମୂର୍ତ୍ତିକୁ ଧ୍ୟାନ କରୁ କରୁ ସବୁ ଛାପିଲା ରୁନ୍ଧିଲା ମନ ଖେଦ ତାଙ୍କୁ ନିବେଦନ କରି ହୋଇଯାଏ, ସେହି ଯେତେ ଯାହା ଜାଣତା ମନରେ ଗୋଟି ଗୋଟି କରି ସେ ତାଲିକା କରିପାରେନାହିଁ, କିନ୍ତୁ ଯେତେ ଯାହା ତା’ର ଜୀଅନ୍ତା ଅସ୍ତିତ୍ୱ ସହିତ ଜଡ଼ିତ, ଦେହ ଭିତରର କେଉଁ ରୋଗ ପରି ଦେହରହିଁ ଉପାଦାନ ଯାହା, ଯଦିଚ ଅବାଞ୍ଛିତ । ତା’ପରେ ସେ ବଳ ପାଏ, ଟାଣୁଆ ନିର୍ଭରର ବଳ ଓ ସାହାଯ୍ୟ ପ୍ରତ୍ୟାଶାର ।

 

ସେହି ଯେଉଁ ଜଣକ, ଯେ ତା’ର କେହି ନୁହନ୍ତି ଅଥଚ ବାରମ୍ବାର ମନେପଡ଼ନ୍ତି,–ସେ କୁଶଳବାବୁ ।

 

ତାଙ୍କ ବିଷୟରେ ପ୍ରକୃତରେ ସେ କିଛି ଜାଣେନାହିଁ, ଖାଲି ଶୁଣାଶୁଣିରେ ଯେତିକି । ମଣିଷର ଯେତେ ଯାହା ଭଲଗୁଣ ବୋଲି ସେ ଭାବେ ସବୁ ତାଙ୍କଠିଁ ସେ ଆରୋପ କରେ, ସେ ଉଦାର, ପରୋପକାରୀ, ଦେଶପ୍ରେମୀ, ଆଦର୍ଶବାଦୀ, ଦେଶଗଢ଼ାଳି, ସେ ବୁଦ୍ଧିମାନ, ସ୍ୱାର୍ଥତ୍ୟାଗୀ, ରୁଚିମନ୍ତ, ସଂଯମୀ, ନିର୍ଲୋଭ, କର୍ମଠ । ସେ ନିଜ ଗୁଣରେ ସମ୍ମାନିତ, କିନ୍ତୁ ତାଙ୍କଠିଁ ଆତ୍ମାଭିମାନନାହିଁ, ନିଜର ବଡ଼େଇନାହିଁ, ନିଜେ ପଢ଼ୁଆଳରେ ବିନୀତ ହୋଇ ରହି ଅନ୍ୟମାନଙ୍କ ଉପକାର କରିଯିବା ତାଙ୍କର ସ୍ଵଭାବ । ସାଧାରଣ ମଣିଷ ଯେତେବେଳେ ନିଜ କଥା ଭାବୁଥାଏ ସେ ଭାବୁଥାନ୍ତି ଦେଶଯାକର କେମିତି ଭଲ ହେବ, ସେଥିପାଇଁ ଲାଗିଥାନ୍ତି ।

 

ସବୁଠୁ ବଡ଼ କଥା, ବ୍ୟକ୍ତିଗତ ଭାବରେ କୁଶଳବାବୁ ତା’ର ପରମ ହିତାକାଙ୍କ୍ଷୀ, ଅଯାଚିତ ଭାବରେ ସେ ତା’ ପ୍ରତି ଦୟାପରବଶ, ସେ ତାକୁ ନିଦା ଦେଇଛନ୍ତି, ପ୍ରଶଂସା କରିଛନ୍ତି, ତା’ଠିଁ କେତେ କ’ଣ ଗୁଣ ଆବିଷ୍କାର କରିଛନ୍ତି ।

 

ଆଉ, ତାକୁ ଲାଗେ, ମିଛ ନୁହେଁତ, ନିଶ୍ଚୟ ସେ ଗୁଣ, ସେ ଶକ୍ତି ତା’ଠିଁ ଅଛି, ବ୍ୟବହାର ହୋଇନାହିଁ, ନିଜକୁ ପ୍ରକଟାଇବାକୁ ସୁଯୋଗ ପାଇନାହିଁ, କିନ୍ତୁ ଅଛି । ନ ହେଲେ କୁଶଳବାବୁ ଚିହ୍ନି ନଥାନ୍ତେ । ମଣିଷ ଭିତରେ ମଣିଷପଣିଆଁହିଁ ତ ବଡ଼, ବହିପଢ଼ା ପାଠ, ବିଦ୍ୟାରୁ ମିଳିଥିବା ଜାଣିଲା ଭଳି ଜ୍ଞାନ, ଧନ ପ୍ରତିପତ୍ତି କ୍ଷମତାରୁ ମିଳିଥିବା ବଡ଼ପଣ ସେ ମଣିଷପଣିଆଁର ସମକକ୍ଷ ନୁହେଁ ।

 

ନିଜ ଉପରେ ତା’ର ବିଶ୍ୱାସ ବଢ଼ିଛି, ମନରେ ବଢ଼ିଛି ଐଶ୍ୱର୍ଯ୍ୟ, ତା’ ବି ତାଙ୍କରିପାଇଁତ ? ସେଥିପାଇଁ କି ପ୍ରତିଦାନ ସେ ଦେଇପାରେ ?

 

ଭାବୁ ଭାବୁ ସେ ଚମକି ପଡ଼େ–ତାଙ୍କ ପ୍ରତି ତା’ ନିଜଭିତରେ ଏହି ଯେଉଁ ଅନୁରକ୍ତି, ଯଦି ତାକୁ ବାହାର ଦୁନିଆଁ ଦେଖିପାରନ୍ତା ତେବେ କ’ଣ ବୋଲି ଭାବନ୍ତା ତାକୁ ? କି ସମ୍ପର୍କ ସେ ମନେମନେ ତାଙ୍କ ସଙ୍ଗେ କଳ୍ପନା କରିଛି ? ନିଜଭିତରେ ତାତି ଆସୁ ଆସୁ ସେ ପୁଣି ନିଶ୍ୱାସ ବନ୍ଦ କରି କାଠ ପରି ବସି ରହେ, ନିଜଭିତରେ ଅନୁଭବ କରିବାକୁ ଚେଷ୍ଟା କରେ ଶୀତ, ଅନ୍ଧାର ରାତି, ପଥୁରିଆ ଟାଙ୍ଗି, ଦମ୍ଭ ହୁଏ । ସ୍ମରଣ ଭିତରେ କେବେ କେବେ ତା’ ମଲା ସ୍ୱାମୀ ହରର ମୂର୍ତ୍ତି ଛାଇ ପରି ଆଗରେ ଉଭା ହୁଏ, ଆଉ ସେ ଲୁହ ବୁହାଏନାହିଁ, ଲାଗେନାହିଁ ହରନାହିଁ ବୋଲି ଅବା ଅଛି ବୋଲି, ଲାଗେନାହିଁ ହର ପ୍ରତି ତା’ର କିଛି କର୍ତ୍ତବ୍ୟ ଅଛି ବୋଲି କି କେବେ ଥିଲା ବୋଲି । ସେ ତା’ର ଘର କରିଥିଲା, ତାକୁ ଖୁସି କରିବାକୁ ଯତ୍ନ କରିଥିଲା, ଆଉ ତ ଦରକାର ପଡ଼ିନାହିଁ । ସତେ ଯେମିତି ସେ କାହାକୁ ପୋଷୁଥିଲା, ଦିଆ ଘେନା କରୁଥିଲା, ତା’ପରେ ସେ ସମ୍ବନ୍ଧ ତୁଟିଛି । ତା’ ନିଜର ସେଠୁ ପ୍ରତ୍ୟାଶା କିଛିନାହିଁ । ସେହି ନେବା ଜଣକ, ସେ ଖାଲି ରମାଠୁଁ ସେବାହିଁ ଲୋଡ଼ିଥିଲା, ସେ କେବେ ପଚାରି ଆସିନାହିଁ ରମା କେଉଁ ମଣିଷରେ ସୁମାରି, କ’ଣ ଅଛି ତା’ ଭିତରେ ଯାହା ଦାମୀ କି ଆଖିଦୁରୁଶିଆ, ତା’ ବୁଦ୍ଧି ବିଚାର ହୃଦୟ କେଉଁ ଦରର, କେତେ ତା’ ଶକ୍ତି-। ତାକୁ ବୁଝିବା, ଚିହ୍ନିବା, ମଣିଷ ବୋଲି ମର୍ଯ୍ୟାଦା ଦେବା,–ଏସବୁ ସେ ଦୁହିଁଙ୍କ ସମ୍ପର୍କରେ କେବେ ନଥିଲା ଆହୁରି ଉନ୍ନତିତର ଅନ୍ୟଜୀବନର ଧାରଣା ସେ ରମାକୁ କେବେ ଦେଇନାହିଁ, ତା’ ଘରୋଇ ଜୀବନ ବାହାରକୁ ଆଉ କେଉଁ ସଜ ପବନକୁ ଆଲୁଅକୁ ଯିବାକୁ ବାଟ ଦେଖାଇନାହିଁ, ତା’ ମନ ଉପରେ କୌଣସି ସ୍ଥାୟୀ ପ୍ରଭାବ ସେ ରଖି ଗଲାନାହିଁ ।

ସେ ଛାଇ ଅଦୃଶ୍ୟ ହୋଇଯାଏ ।

ପୁଣି ମନେପଡ଼ନ୍ତି କୁଶଳବାବୁ । ଲାଗେ ସେ ତାକୁ ନିର୍ଦ୍ଦେଶ ଦେଉଛନ୍ତି । –ନିଜଭିତରେ ଯେଉଁ ଶକ୍ତି ଶୋଇ ରହିଛି ତାକୁ ଚିଆଁଅଁ, ବ୍ୟବହାର କର, ସେଥିରେ ଜଗତର ମଙ୍ଗଳ ହେଉ, ସଂସାରରେ କେଡ଼େ କେଡ଼େ କାମ କରିବାକୁ ଅଛି, ଏଭଳି କାମ ଯାହାକୁ ଦେଖି ନିଜ ଅନ୍ତର ଭିତର କହିବ ଧନ୍ୟ ଧନ୍ୟ, ଜଗତ କହିବ ଧନ୍ୟ ଧନ୍ୟ । ଜୀବନର ମଙ୍ଗଳମୟ ଉଦ୍ଦେଶ୍ୟ ଅଛି, ମଣିଷ ଜୀବନ ନୁହେଁ ଖାଲି ଆଖିବୁଜି ସମୟ ବିତେଇବା, ନୀରସ ବିରସ ହୋଇ ଆଡ଼େଇ ହୋଇ ଉଢ଼ୁଆଳରେ ରହି ଶୋକସନ୍ତାପ କ୍ଷୋଭରେ ବୋଝତଳେ ମାଡ଼ିମକଚି ହୋଇ ପଡ଼ି ରହିବା, ଅପେକ୍ଷା କରିଥିବା କେବେ ୟେ ଆୟୁଷ ସରିଯିବ । ଉପଯୁକ୍ତ କର୍ମ କରି ଜୀବନକୁ ସାର୍ଥକ କରିବାର ଉଦାହରଣ ତା’ ଆଗରେ ଏଇ କୁଶଳବାବୁ, ଅନ୍ତର ଭିତରୁ ଆଗ୍ରହରେ ସେ ତାକୁ ଡାକୁଛନ୍ତି–ମୋ ପଛେ ପଛେ ଆସ, ସାଙ୍ଗେ ସାଙ୍ଗେ ଆସ ।

ରମା ଆଖି ବୁଜିଦିଏ, ଅନ୍ଧାର । ସେ ଅନ୍ଧାର ଭିତରେ ବୁଲି ବୁଲି ସେ ଥକି ପଡ଼େ, ସେତେବେଳେ ସେ ଦେଖେ ସାମ୍ନାରେ କୁଶଳବାବୁ । ସେ ସେଠୁ ପଳାଏ । ପୁଣି ଅନ୍ଧାରରେ ବୁଲା, ନିର୍ଜନ । ପୁଣି ସାମ୍ନାରେ କେହି ଜଣେ, ସେ କୁଶଳବାବୁ ।

ଦିନୁ ଦିନ ତା’ର ସାଧାରଣ କାର୍ଯ୍ୟ ଭିତରେ କଳ ପରି ଗତି କରି ଟିକିଏ ନିରୋଳା ପାଇଲେ ତାଙ୍କରି କଥାହିଁ ଭାବେ । କିନ୍ତୁ ସେ ଆଉ ଆସିନାହାନ୍ତି । ଭାବି ଭାବି ଆବେଗରେ ସେ ଯେତେବେଳେ ଟଣକି ଉଠିଛି, ଆଶଙ୍କା କରିଛି କାଳେ କେତେବେଳେ ସେ ଆସି ପହଞ୍ଚିବେ ଆଉ ତାଙ୍କୁ ଦେଖି ସେ ଥରିବ, କାନ୍ଦିବ, କ’ଣ ଏପରି ଦୁର୍ବଳତା ପ୍ରକାଶ କରିବ ଯହିଁରେ ନିଜକୁ ନିଜେ କ୍ଷମା କରିପାରିବନାହିଁ, ସେତେବେଳେ ଦେଖିଚି ଦିନପରେ ଦିନ ଗଲା, ସେ ଆସିଲେନାହିଁ ।

ମନେମନେ ତାଙ୍କ ସଙ୍ଗେ ସମ୍ପର୍କ ସହଜ କରିବାକୁ ସେ ଚେଷ୍ଟା କଲା, ଭଲ ମନ୍ଦ ଉଚିତ ଅନୁଚିତ ବୋଲି ଯେତେ ତା’ଠିଁ ଧାରଣା ଗଢ଼ା ହୋଇଥିଲା ଆପେ ତାକୁ ସଜାଇ ସଜାଇ ସେ ନିଜକୁ ଆୟତ୍ତ କରିବାକୁ ଲୋଡ଼ିଲା । ଦୁଇ ଓଳି ଚୁପ୍‍ଚାପ୍ ବସେ ଠାକୁର ପୂଜା କରି, ନିଜଠୁଁ ଭକ୍ତି ଉପୁଜାଇ ବିଶ୍ୱାସରେ ଠାକୁରଙ୍କୁ ଡାକେ ତାକୁ ବଳ ଦେବାକୁ, ଅଡ଼ୁଆ ସୂତା ଖେଳେଇ ଖେଳେଇ ସଜାଡ଼ିବାକୁ । ବୁଜା କବାଟ । ନିଛାଟିଆ ବଖୁରି । ତା’ ମୁହଁରେ ଆଖିରେ କେତେ ଭାବ ଖେଳେ । କେତେବେଳେ ଲୁହ ବୁହେ ।

 

କ୍ରମେ ନିଜକୁ ନିଜେ କଠୋରଭାବେ ରୋକ୍ ଠୋକ୍ ପଚାରିପାରିଲା, ଆଉ କି ପ୍ରକାର ସମ୍ପର୍କ ତା’ର ଦରକାର ? ଯାହା ସେ ମନ ଭିତରେବି ଉଚ୍ଚାରି ପାରେନାହିଁ, ତା’ ଚାରିକରେ ଭୟରେ ମୁଣ୍ଡୁଳି । ଯେତେ ମାଇପେ ଯେତେ ପ୍ରକାର ହଟହଟା ହୋଇଥିବାର ସେ ଶୁଣିଛି ଜାଣିଛି ସେହି କାହାଣୀରେ ସେ ଭୟର ତିଆରି । ନା, ସେ ହେବନାହିଁ ଲୋକହସା, ସହିପାରିବନାହିଁ, ମଲେବି ଛାଡ଼ି ପାରିବନାହିଁ ମର୍ଯ୍ୟାଦା, ସେ ପାଗଳ ହେବନାହିଁ, ହେବନାହିଁ, ମଣିଷ କରିବାକୁ ତା’ପାଇଁ ରହିଛି ତା’ ପୁଅଟି, ସୁର, ସେ ସୁରବୋଉ ।

 

ସଂସାରରେ ରହି କେତେ ଫଳ ସେ ଖାଇଛି, କେତେ ଫଳ ସେ ଖାଇନାହିଁ, ତଥାପି ତା’ର ଚଳିଯାଇଛି, କେଉଁଠି କିଛି ଅଟକିନାହିଁ । ବିଚାର ଯାହାକୁ ମଣେ ପାପ ବୋଲି ତା’ ସତେକି ଡହ ଡହ ଲୁହା, ନ ଧରୁଣୁ ପାଖକୁ ହାତ ନେଲେ ଚାଉଁକରେ ।

 

କୁଶଳବାବୁ ତା’ ହିତାକାଙ୍କ୍ଷୀ, କିନ୍ତୁ ମାନ୍ୟରେ ବଡ଼ ସାଙ୍ଗ ସରିସା ନୁହଁନ୍ତି । ଗୁରୁ ଗୋସେଇଁ ହେଲାଭଳି ସେ ବୟସ୍କବି ନୁହଁନ୍ତି ତାଙ୍କୁ ପୂଜା କଲେ କରିହେବ ମନେମନେ ।

 

ସମ୍ପର୍କ ସେତିକିରେ ରହିପାରେ,–ତାଙ୍କ ପ୍ରତି ଶ୍ରଦ୍ଧା, ସମ୍ମାନ, କୃତଜ୍ଞତା, ତାଙ୍କ ଆଦର୍ଶ ପ୍ରତି ମର୍ଯ୍ୟାଦା, ତାଙ୍କ ଉପଦେଶ ପ୍ରତି ନିଷ୍ଠା ସହକାରେ ଧ୍ୟାନ ।

 

ଏତିକିରେ କିଛି ସ୍ପଷ୍ଟ ହେଲାନାହିଁ, ହୃଦୟ ଭିତରେ କେତେ ଶବ୍ଦର ଗୋଳିଆ ଗୋଳି । ମୁଣ୍ଡ ଆସ୍ତେ ଆସ୍ତେ ବୁଲେଇ ଦେଉଛି । ଲାଗୁଛି, ଆଉ ସେ ଭାବିପାରିବନାହିଁ । ଠିକ୍ ସେତିକିବେଳେ ଥମ୍ବିଲା ମନ ଉପରେ ଝକ୍‍କରି ମାରିଲା ସତର୍କତାର ଚେତନା, କିଏ ଯେପରି କହୁଛି,–ନିଜକୁ ରୋକିବାକୁ ପଡ଼ିବ, କିଏ ଜାଣେ କିଏ କ’ଣ ?

 

ଚିନ୍ତା ଓଲଟା ଚାଲିଲା, କିଏ ଜାଣେ କୁଶଳବାବୁ କ’ଣ ? ଜଣେ ସ୍ୱତନ୍ତ୍ର ମଣିଷ, ତାଙ୍କର ଅଲଗା ସଂସାର, ଅଲଗା ଜୀବନ, ବାଟ ଚାଲୁ ଚାଲୁ ଗଛ ଛାଇତଳେ କେବେ ଦେଖା, ଝାଳ ମାରୁ ମାରୁ ହସି ହସି କଥାଭାଷା ସେତିକି ବେଳ । ତା’ପରେ ଯେଝା ବାଟରେ ଯେ, କିଏ କାହାର ? ସେ ପୁଣି ଠାକୁରଙ୍କୁ ସ୍ମରଣ କଲା । ଫୁଲର ବାସ୍ନା ଅନୁଭବ କଲା, ଦେହ ଉପରେ ପବନର ସ୍ପର୍ଶ ଅନୁଭବ କଲା, ଭାବିଲା ଆଖିଆଗରେ ଦେଖୁଛି ଫାଙ୍କା ଆକାଶର ଅଛିଣ୍ଡା ନେଳି । ତାକୁ ଲାଗିଲା ସେ ଦମ୍ଭ ହେଲା ।

 

କୁଶଳବାବୁ ଆସିଲେନାହିଁ, ସେ ଅଭ୍ୟାସ କଲା ବସି ବସି ନିଜକୁ ନିଜେ ଟାଣ କରିବ, ଅନୁଭବ କରିବ ସେ ସ୍ୱତନ୍ତ୍ର, ଦମ୍ଭିଲା । ଯେପରି ଜନ୍ମରୁ ତା’ର ସୃଷ୍ଟି ମା’ଟିଏ ପୁଅଟିଏ ହୋଇ, ସେତିକିରେ ସେ ସମ୍ପୂର୍ଣ୍ଣ । କୁଶଳବାବୁ ତାକୁ ଯେଉଁ ଉପଦେଶ ଦେଇଥିଲେ, ଲାଗୁଥିଲା ସେସବୁ ତା’ ନିଜ ମନ କଥା, ଅଛି, ଅପେକ୍ଷା କରିଛି ପାଗ ଯୋଗକୁ । ବେଳେବେଳେ ଗମ୍ଭୀର ହୋଇ ଦେଖୁଛି, ଆଗରେ ନୂଆ ନୂଆ କାମର ନୂଆ ଜୀବନ, କତିକି କତିକି ଆସୁଛି । ଜୀବନପଣ ଛାଡ଼ିଦେଇ ଉପରକୁ ଉପରକୁ ବଢ଼ି ଉଠୁଛି ।

 

ସେଠିବି ସେ ଏକୁଟିଆ ।

 

ଖାଲି ମା’ଟିଏ ପୁଅଟିଏ ।

 

ମାସେ ଖଣ୍ଡେ ଗଲା । ପୁଣି ଦିନେ କୁଶଳବାବୁ ଆସିଲେ । କ୍ଳାନ୍ତ ଓ ଚିନ୍ତିତ ଦିଶୁଥିଲେ । କହିଲେ ବୁଲିବାକୁ ପଡ଼ିଥିଲା, ଗୋଟିଏ ନୂଆ ଯୋଜନାବି ଚାଲିଛି, କ’ଣ ତା’ ସେ କହିଲେନାହିଁ । ଖାଲି ସାଧାରଣ କଥା ଭାଷା, ବେଶି ନୁହେଁ ।

 

ତା’ପରେ କୁଶଳବାବୁ ଆଉ କେତେଥରବି ଆସିଥିଲେ, ସେ ଆଉ ସଞ୍ଜ ଗଡ଼ିଗଲେ ଆସନ୍ତିନାହିଁ, ତାଙ୍କ ଆସିବା ବେଳ ସକାଳ ଓଳି, କେବେ ଉପର ଓଳି । କେଉଁଦିନ ଆସନ୍ତି ଠିକଣାବି ନଥାଏ, କିନ୍ତୁ ଯେତେବେଳେ ପହଞ୍ଚିଗଲେ ରମାକୁ ଲାଗେ, ଯେପରି ସେ ବହୁ କାଳର ଚିହ୍ନାଜଣା ମଣିଷ, ଯାହାଙ୍କ ସଙ୍ଗେ ସହଜ ସାଧାରଣ ହୋଇ କଥା ଭାଷା ହୋଇ ହୁଏ, ଆଉ ସେହିପରି ଜଣେ ଯାହାଙ୍କୁ ଦେଖିଲେ ମାଡ଼ିପଡ଼େନାହିଁ ଯେ ୟେ ତା’ଠୁଁ କ’ଣ ମାଗିବେ, କି ଛକ ପକ ଲାଗେନାହିଁ ଯେ ତା’ର ତାଙ୍କୁ କିଛି ମାଗିବାର ଅଛି ।

 

ଆଉ କେବେ ତାଙ୍କ କଥା ଭାଷା ଭିତରେ ଧର୍ମପ୍ରଚାରକର ଆବେଗ ତା’ ନିଘାରେ ପଡ଼ିନାହିଁ । ତା’ର ଭବିଷ୍ୟତର କାର୍ଯ୍ୟ ପନ୍ଥା ବିଷୟରେ ସେ ଯେଉଁ ପ୍ରସ୍ତାବ ଦେଇଥିଲେ ସେ ବିଷୟରେ ଅନେକ ଥର ଆଲୋଚନା ପଡ଼ିଛି କିନ୍ତୁ ତାକୁ ମତାଇଲା ଭଳି ସେ କଥା କହିନାହାଁନ୍ତି । ରମା ତାଙ୍କ ପ୍ରସ୍ତାବକୁ ଗ୍ରହଣ କରିସାରିଲା ପରେ ଯେମିତି ଯାହା ହୁଅନ୍ତା । କେଉଁଠି ସେ ରହନ୍ତା, କିପରି ସେ ଚଳନ୍ତା, କାହାକୁ କାହାକୁ ଭେଟନ୍ତା, କୁଆଡ଼େ ଯାଆନ୍ତା, ଏହିପରି ବ୍ୟବସ୍ଥା ଓ ବନ୍ଦୋବସ୍ତର ବିଷୟରେ ନାନାକଥା ସେ ଶାନ୍ତ ସ୍ଥିର ବିଷୟୀ–ବୁଦ୍ଧିରେ ବୁଝାଇଲା ପରି ତାକୁ ବୁଝାଇ ସାରିଛନ୍ତି । ସେଥିରେ ନାଟକୀୟ ଚମକ ନଥିଲା, ବିହ୍ୱଳତା ନଥିଲା । ସେ ଖାଲି ଦରକାରୀ ସମ୍ବାଦ, ଶୁଣି ଶୁଣି ମନେ ରହିଯାଇଛି । ଏଠୁ ଗଲେ ଆଗ ଓଳଙ୍ଗ ଆଶ୍ରମ, ସଂକ୍ଷେପରେ ‘ଆଶ୍ରମ’, ସେଠି କେତୋଟି ନାରୀକର୍ମୀ ଅଛନ୍ତି, ଗୋଟିଏ ସାନ ନି:ପ୍ରା: ସ୍କୁଲ ଚାଲେ, ବାରିବଗିଚା ଅଛି, ଗାଈଗୋରୁ ଅଛନ୍ତି, ମନ ଭୁଲାଇବାକୁ ନାନାଧନ୍ଦା । ସେଠି ସେମାନେ ଯତ୍ନ ନେବେ, ଲାଗିବ ଆପଣାର ପରିବାର ପରି, ଜଞ୍ଜାଳ ନଥାଇ ଶାନ୍ତିରେ ନିରୋଳାରେ କିଛି ଭାବିବା ଧ୍ୟାନ କରିବାକୁ ସେଠି ବହୁତ ସୁବିଧା । ଯେତେଦିନ ମନ ସେତେଦିନ ରହିଲେ ହେବ, ମନ କଲେ ସବୁଦିନେ ରହି ହେବ । ସେଇଠି ରହୁ ରହୁ ରମାର ଚିଠା ଅନୁସାରେ ଯୋଜନା ଘଟିଲା ପରି ରମାର ନୂଆ କାର୍ଯ୍ୟପନ୍ଥା ବଢ଼ି ବଢ଼ି ଉଠିବ । ତା’ପରେ ଯାହା ଘଟିବ ସେ ଇତିହାସ । ସେ ବିଷୟରେ ଅନ୍ତତଃ କୁଶଳବାବୁଙ୍କ ମନରେ ସନ୍ଦେହନାହିଁ, କେବେ ସ୍ୱପ୍ନ ଦେଖୁଥିଲେ, ରମାକୁ କହୁଥିଲେ ଉଚ୍ଛ୍ୱାସରେ, ତା’ପରେ ଆପଣା ପାଖେ ଆପଣାର ସ୍ୱପ୍ନ ହୋଇସାରିଛି ବାସ୍ତବ, ସତେ ଯେମିତି ନିଜେ ଅଙ୍ଗେ ନିଭେଇଲା ପରି, ତେଣୁ ତାକୁ ମନେପକାଇଲାବେଳେ ଆଉ ଉଚ୍ଛ୍ୱାସ ଉଠୁନାହିଁ, ସେ ଗୃହୀତ, ସେ ଧ୍ରୁବ । ସେଥିପାଇଁ ଆଉଥରେ ରମାର ମନ ନେବାକୁ ଚେଷ୍ଟା କରିବାକୁବି ସେ ଭାବିନାହାନ୍ତି ।

 

ରମାର ଆଖିରେ ସେଭଳି ଭବିଷ୍ୟତ କେବେ ଲାଗୁଥିଲା ଗୋଟାଏ ଅସ୍ପଷ୍ଟ ସ୍ୱପ୍ନ ଅନୁଭୂତି ପରି, ଯାହାକୁ ଭାବିଲେ ମନେପଡ଼ିଲା ପଡ଼ିଲା ପରି ଲାଗେ, ତା’ପରେ ଆଉ ମନେପଡ଼େନାହିଁ । କ୍ରମେ ତା’ ବିଚାରରେ ସେ ହେଲା ଜୀବନର ନାନାସମ୍ଭାବନା ଭିତରୁ ଗୋଟିଏ ସମ୍ଭାବନା, ସେପରି ସମ୍ଭାବନା ଅନେକଗୁଡ଼ିଏ କେହି ହେଲେ ଭାବିପାରିବ, ପ୍ରତି ସମ୍ଭାବନାକୁ ପଟ୍ଟଭୂମି କରି ନିଜକୁ ମନେମନେ ସେଠି ଥାପି କଳ୍ପନାରେ ସେଠି ଅଭିନୟ କରିପାରିବ, ହେଇଟି ଚାଲି ଚାଲି ସେ ଆଗେଇ ଆଗେଇ ଯାଉଛି, ଠା’କୁ ଠା’, ପାହାଚକୁ ପାହାଚ, ଗୋଟିଏ ମାଇଲ ଖୁଣ୍ଟିରୁ ଆଉ ଗୋଟିଏ ମାଇଲ ଖୁଣ୍ଟି । ଭାବି ଦେଖିଲେ କିଛି ବାଧାନାହିଁ, ଆଗକୁ ବହୁତ ଦୂରକୁ ଦିଶିଯାଏ, ତା’ ସେକରେ ଯେଉଁଠି ଠାଏ ହେଲେ ଗୋଟାଏ କଳା ପର୍ଦ୍ଦା, ଦୃଷ୍ଟି ଅଟକି ଯାଏ, ସେଥିରେବି ମନରେ କ୍ଷୋଭ ଆସେନାହିଁ, ବିଚାର ଆଶ୍ୱାସ ଦିଏ,–ସବା ଶେଷଯାକେ, ତଳିତଳାନ୍ତିଯାକେ କ’ଣ ମଣିଷର ଦୃଷ୍ଟି କେବେ ଭେଦିପାରେ ?

 

କିନ୍ତୁ ନାନାସମ୍ଭାବନା ତାଲିକା ଭିତରେ ଗୋଟାଏ ସମ୍ଭାବନା,–ଆପଣା ମନପାଇଁ ନୂଆ ନୂଆ ଚରାଭୂଇଁ, ଦେହ ହାତ କାମ କରୁଥାଏ ପୁରୁଣା ଓ ଅଭ୍ୟସ୍ତ ଶଗଡ଼ଗୁଳାରେ, ସମ୍ଭାବନା ଛାଏଁ ସମ୍ଭାବନା ପଡ଼ିରହେ ।

 

ଚାଲିଥାଏ ତା’ ଚାକିରି, ସେ ଗ୍ରାମସେବିକା । ତା’ ବି ଅଭ୍ୟାସରେ ପଡ଼ିଗଲାଣି, ଠିକଣା ବେଳ ପହଞ୍ଚିଲେ କେମିତି ସେ ବାହାରି ପଡ଼ିବ, କେଉଁ କେଉଁ ସ୍ଥାନ ଯିବ, ପିଲା ହେଉ ବଡ଼ ହେଉ ସ୍ତ୍ରୀଲୋକମାନଙ୍କୁ କ’ଣ କ’ଣ ସେ କହିବ, ବୁଝାଇବ, କି କି ଖବର ସଂଗ୍ରହ କରିବ, କିପରି କ’ଣ ଲେଖି ଉପରକୁ ପଠାଇବ, ସବୁ ତାଦ୍ୱାରା ଆପେ ଆପେ ହୁଏ, ଉପର ଲୋକେ କେହି ତା’ ଦୋଷ ବାଛିନାହାନ୍ତି, ସେ ତା’ କାମ ଦାମରେ ସବୁବେଳେ ଠିକ୍, ତା’ କାର୍ଯ୍ୟରେ ନିଷ୍ଠା ଓ ଆନ୍ତରିକତା ଅଛି, ଦାୟିତ୍ୱକୁ ପାରୁପର୍ଯ୍ୟନ୍ତେ ତୁଲାଏ, ଏ ବିଷୟରେ ସେମାନଙ୍କର ଏକମତ । ସମସ୍ତିଙ୍କର ଏକାପ୍ରକାର ଅଭିଯୋଗ ଯେ ସେ ଲାଜକୁଳୀଟିଏ, ଆପଣାକୁ ପ୍ରଚାର କି ପ୍ରକଟ କରିବାକୁ ନିଘା ଦିଏନାହିଁ, ମୁହଁକୁ ତଳକୁ ପୋତି କଥା କହେ, କାର୍ଯ୍ୟ ଛଡ଼ା ଅନ୍ୟ ସମୟରେ କରଛଡ଼ା ଦିଏ । ଉଦାର ହୋଇ କେଉଁ ଉପରିକ କେତେବେଳେ କହେ,– “ଏମାନଙ୍କ ଦେଇ ଯେତିକି ହେଉଛି ସେତିକି, ଆଉ ଅଧିକ ଆଶା କରି ଲାଭନାହିଁ । ଆମରି ଦେଶ ତ, ଏମାନେ ‘ଫରୱାର୍ଡ଼’ ହେଉ ହେଉ ଆହୁରି ବହୁତ ବେଳ ଲାଗିବ । କାମରେ ଫାଙ୍କି ନଦେଲେ ଯଥେଷ୍ଟ ।” ଆଉ କେଉଁ ଅଧୀର ଯୁବକ ଉପରିକ କ୍ଷୁବ୍‍ଧ ହୋଇ ଆକ୍ଷେପ କରେ,– “ଏମାନେ ସମସ୍ତେ କାଠକଣ୍ଢେଇ ପରି, ପୁରୁଣାକାଳିଆ ବେଶକୁ ବଦଳେଇ ଦେବା ହୁଏତ ଏଥିରୁ କେତେକଙ୍କ ପକ୍ଷରେ ସମ୍ଭବ ହୋଇପାରିଛି, କିନ୍ତୁ ପୁରୁଣାକାଳିଆ ମନୋଭାବ ଏମାନଙ୍କଠି କ୍ଵଚିତ ବଦଳିଛି । ଯେତେବେଳେ ଦେଖ ସଂକୋଚ, ଦ୍ଵିଧା । ଅଥଚ ଅନ୍ୟ ଦେଶରେ,– ଝିଅ ପିଲାଏ ପୁଅମାନଙ୍କୁ ଟପି କାହିଁ କେତେ ଦୂରକୁ ମାଡ଼ି ଗଲେଣି । ଏ ଯୋଜନାଟା ହୋଇନଥିଲା ଏମିତି ସଙ୍କୁଚିତା ଲାଜକୁଳୀ ଲଟାମାନଙ୍କୁ ଆଖିରେ ରଖି, ତାହେଲେ ଏଥିରେ ‘ଗ୍ରାମସେବିକା’ ବୋଲି ଗୋଟିଏ ଶ୍ରେଣୀହିଁ ନଥାନ୍ତା । ଯେ ଏଭଳି ନିଜକୁ ରୋକି ସାଇତି ଲାଜ ସଙ୍କୋଚ ରଖି ଚଳୁଥିବ ସେ କେତେ ଜଣଙ୍କୁ ଅବା ପ୍ରଭାବିତ କରିପାରିବ ? ତା’ ପ୍ରଭାବ କେଉଁଠି ଗଭୀର ହୋଇପାରେ, ବ୍ୟାପକ କେବେ ହେବନାହିଁ । ଯେମିତି କଣ୍ଟା ଝଣ୍ଟାକୁ, ପାଣି କାଦୁଅକୁ, ଖରା ଧାସକୁ ଡରି ଡରି ଚଳୁଥିଲେ ନିଜର ସୁସ୍ଥି ଆଉ ନିରାପତ୍ତା ରହିପାରେ ସିନା, କାମ ଉଠିବନାହିଁ, ଏକଥାବି ସେମିତି ଅବିକଳ ସେମିତି ।”

 

ଚାକିରିରେ ପଦୋନ୍ନତି ହେଉ ବୋଲି ଉଚ୍ଚ ଆଶା ନଥିଲା, ତେଣିକି ତା’ର ମନ କି ଧ୍ୟାନବି ନଥିଲା । ତା’ କାମ କାର୍ଯ୍ୟରେ କେଉଁ ଉପରିକି ସନ୍ତୁଷ୍ଟ ହେଲେ କି ଅସନ୍ତୁଷ୍ଟ ହେଲେ ଏ ଆଲୋଚନାବି ତା’ ମନରେ କେବେ ଉଠିନାହିଁ । ନିତ୍ୟକର୍ମ ଓ ନୀତି ଦିନର ଘରୋଇ ଦାୟିତ୍ୱ କଲାଭଳି ସେ ତା’ର ଚାକିରିବି କରେ, ଉପଭୋଗ କରିବାପାଇଁ ପାଏ ତା’ର ପରିବେଷ୍ଟିନୀ ଗଡ଼ି ଚାଲିଥିବା ଆପଣା ଜୀବନକୁ, ମନର ଭାବରାତିକୁ । ନାନାରଙ୍ଗର ନାନାଛବି, ନାନାସଙ୍ଗୀତ, ଖଟା ମିଠା ରାଗ ପିତ୍ତା ଆଦି ହୋଇ ନାନାରସ ସେଠି କେତେବେଳେ କେଉଁଟା ତା’ ଛାଆଁକୁ ଆସେ, ଛାଆଁକୁ ଯାଏ ।

 

ବାହାରର ନାନାଘଟଣା ତା’ ଆଖିବାଟେ କାନ ବାଟେ ଆସି ମୁଣ୍ଡରେ ପଶେ, ଖବରକାଗଜର ସମ୍ବାଦ, ସମାଜରେ ଶୁଣା କଥା, କୁଶଳବାବୁବି ବାହାରର ସମ୍ବାଦ କହିଯାଆନ୍ତି, ସେ ଲକ୍ଷ୍ୟ କରିଛି ଦୁଇଜଣ ଏକାଠି ହେଲେ ସମ୍ବାଦ ପରଶା ପରଶି ଆଗ ଆରମ୍ଭ ହୋଇଯାଏ । କିନ୍ତୁ କେତେବେଳେ କେଉଁ ଶୁଣା କି ପଢ଼ା ଘଟଣାକୁ ମନରେ ଧରି ସେ ଯେତେବେଳେ ଭାବିବାକୁ ଆରମ୍ଭ କରେ, ତାକୁ ଲାଗେ ଯେପରିକି ସେ ତହିଁରୁ ବ୍ୟକ୍ତିଗତ ଭାବରେ କିଛି ତାତ୍ପର୍ଯ୍ୟ ପାଇପାରୁନାହିଁ । ଏଥିରୁ ସେ ଏତିକି ବୁଝିଥିଲା ଯେ ସବୁ ଘଟଣା ସମସ୍ତିଙ୍କ ପକ୍ଷରେ ଘଟଣା ନୁହେଁ, ଜଣକ ପାଖରେବି ଏକା ଘଟଣାର ସବୁବେଳେ ସମାନ ତାତ୍ପର୍ଯ୍ୟ କି ମୂଲ୍ୟ ନଥାଏ ।

 

ଏ ଦୁନିଆଁରେ ଲୋକେ ଘଟଣା ଘଟଣା ବୋଲି ବାଈ,–ସତେରେ କ’ଣ ତା’ ? ସେ ନିଜକୁ ପଚାରେ । ଭିତରେ,–ଜଣେ, ନିଜେ । ତା’ଠୁଁ ଟିକିଏ ଆଡ଼େଇ ହେଲାପରି ହୋଇ ତା’ର ସୁଖଦୁଃଖ ଭାବିଲେ ସେତେବେଳେ ସେ ସବୁ ଲାଗେ ସ୍ମରଣୀୟ ଘଟଣା ପରି । ନିଜେ ଯେମିତି କେଉଁ ଗ୍ରହ ଉପଗ୍ରହ । ଆଉ, ବାହାରକୁ ଅନାଇଁଲେ, ଅସଂଖ୍ୟ ମଣିଷ, ଅକଳନ ସୃଷ୍ଟି, ନାନାପ୍ରକାର, ସବୁ ଏକାଠି ମିଶାଇଲେ ଗୋଟାଏ ବିରାଟ ବ୍ୟାପକତାର ଧାସ ଜାଲଜାଲୁଆ ହୋଇ ଆଖିଆଗରେ ନାଚେ, ଯେମିତି ଲମ୍ବି ରହିଛି ଶୀତଦିନର ଆକାଶ, ସେଥିରେ ପାଖ ପାଖ ମିଞ୍ଜି ମିଞ୍ଜି ହୋଇ ଅକଳନ ତାରା, ଆଖିଆଗରେ କେତେ ଉଲ୍‍କା ଖସୁଛି, କୁଆଡ଼େ ନିଶ୍ଚିହ୍ନ ହେଉଛି, ଆଉ ଲାଗୁଛି ସତେଯେପରି କେତେ ତାରା କୁଆଡ଼େ ଗଲେଣି ନିଭି । ଏମିତି ତ କେଉଁ ଅନାଦିକାଳରୁ ଚାଲିଆସିଛି ୟେ ସୃଷ୍ଟି ମୁହୂର୍ତ୍ତ ମୁହୂର୍ତ୍ତକେ ତା’ର କ୍ଷୁଦ୍ରତମ ଅଂଶକୁ ଘେନି ଯେଡ଼େ ବଡ଼ ଅଂଶକୁ ଅନାଇଲେ ସେଠି ନିଶ୍ଚୟ ଲାଗି ରହିଛି ଜାତିଜାତିକା ପରିବର୍ତ୍ତନ, ସେହି ପରିବର୍ତ୍ତନାହିଁ ଘଟଣା, କିଏ କରୁଛି ଏତେ ଘଟଣା, ଏ ସମଗ୍ର ସୃଷ୍ଟିରେ ? ଲାଗୁଛି, ସବୁ ଯେମିତି ଆପେ ଆପେ ହୋଇଯାଉଛି, ଗଜା ହେବାଠୁ ଶୁଖି ଝଡ଼ି ପଡ଼ିବାଯାକେ, ଅନ୍ୟମାନଙ୍କ ତୁଳନାରେ ଆଖିଦୁରୁଶିଆ ହୋଇ ଠିଆହୋଇ ରହିଥିବାଠୁଁ ଯେ ହଠାତ୍ ଭାଙ୍ଗି ଭୁଷୁଡ଼ି ପଡ଼ି ଲୁପ୍ତ ହେବାଯାକେ, ସବୁ ଛାଆଁକୁ ଛାଆଁ । ଆଉ ଲାଗୁଛି, ଏତେଠିଁ ଏତେ ଘଟଣାର କାରକ ହୋଇଅଛି କେଉଁ ଏକ ଅଦୃଶ୍ୟ ଶକ୍ତି, ସବୁଠି ତାହାରି ଅଦେଖା ହାତ କାମ କରୁଛି, କାହିଁକି କ’ଣ କରୁଛି ସେ ଜାଣେ, କାହାର କି ଭଲପାଇଁ କି ମନ୍ଦପାଇଁ, ଅବା ଆପଣାର କେଉଁ ଉଦ୍ଦେଶ୍ୟରେ; ଗଲାକାଳୁ ସେ ସେହି କଥା ଶୁଣିଆସିଛି, ତା’ର ଭାବ ଅନୁଭବ କରିବାକୁ ଚେଷ୍ଟା କଲେ ସେ ଲାଗେ ବିସ୍ମୟକର ।

 

ବସାରେ ଏକୁଟିଆଥିଲାବେଳେ ଯେତେବେଳେ କେଉଁ କାରଣରୁ ତା’ ମନ ଆନ୍ଦୋଳିତ ହୋଇଉଠେ, ଆଗେ ଯେପରି ମନୋଭାବ ଥିଲା ସେପରି ନ ହୋଇ ସେହି ଦିନଯାକ କି ତା’ ପରବର୍ତ୍ତୀ ଦିନମାନଙ୍କରେ ନୂଆ ଭାବକୁ ଆବୋରି ଧରି ନୂଆ ସ୍ଥିତିରେ ମନ କିଛିବେଳ ହେଲେ ରହେ, ଲାଗୁଥାଏ ସେ ନିଜେ ଜଣେ ନୂଆ ମଣିଷ, ଆଗର ମଣିଷଠୁଁ ସ୍ୱତନ୍ତ୍ର, ସେତେବେଳେ ସେ ଅନୁଭବ କରେ ଯେ ତା’ ଜୀବନରେ ଘଟଣାଟିଏ ଘଟୁଛି ।

 

ସେହିପରି ଘଟିଥିଲା ସେଦିନ ସକାଳେ, ଯେତେବେଳେ ଗାଧୋଇସାରି ପୂଜା କରିବାକୁ ମନ ହେବାରୁ ସେ ଓହ୍ଲେଇ ଯାଇଥିଲା ତା’ ଗେଣ୍ଡୁ କିଆରିକି, ଫୁଲ ତୋଳି । ଗଛରୁ ଫୁଲ ଛିଣ୍ଡାଇବା ପ୍ରବୃତ୍ତି ତା’ର କ୍ଵଚିତ ହୁଏ, ସାଧାରଣ ସମୟରେ ସେ ଭାବୁଥାଏ ଯେ ଯେଉଁଠି ଥାଇ ଆପଣା ବିକାଶରେ ସୁନ୍ଦର ଦିଶୁଛି ସେ ସେଇଠି ଥିଲେହିଁ ଭଲ, ଠାକୁର ସବୁଠି ଅଛନ୍ତି, ଯେଡ଼େ ଅରମା ଉହାଡ଼ରେ ଫୁଲଟିଏ ଫୁଟି ଛପି ରହିଥିଲେବି ତା’ର କର୍ତ୍ତା ତାକୁ ଦେଖି ଆନନ୍ଦ ପାଉଥିବେ, ତାକୁ ଛିଣ୍ଡାଇଆଣିଲେ ସେ ଖୁସି ହେବେ କି ନାହିଁ ତା’ ସଂଶୟର କଥା ।

କିନ୍ତୁ ସେ ଦିନର ପ୍ରବୃତ୍ତି ତା’ର ଭିନ୍ନେ । ସଂସାରଠୁଁ, ଏପରିକି ସୁରଠୁଁ କରଛଡ଼ା ଦେଇ ନିରୋଳାରେ ବସି ସେ ସଜାଇବ ସୌନ୍ଦର୍ଯ୍ୟ ସମ୍ଭାର, ତହିଁରେ ଆପଣା ମିଶାଇ ନୈବେଦ୍ୟ କରିଦେବ ଭଗବାନଙ୍କ ଉଦ୍ଦେଶ୍ୟରେ । ଯେ ସୌନ୍ଦର୍ଯ୍ୟର ଅସରନ୍ତି ଭଣ୍ଡାର, ପୁଣି ଏକାପ୍ରକାରର ନୁହଁନ୍ତି, ମୁହୂର୍ତ୍ତ ମୁହୂର୍ତ୍ତକେ ଅଣୁପରମାଣୁଠୁ ମଧ୍ୟ ଭିନ୍ନେ ଭିନ୍ନେ ସୌନ୍ଦର୍ଯ୍ୟ ଫୁଟାଇ ଲାଗିଥାନ୍ତି, ତାଙ୍କ ନାଖି କି ସମ୍ଭାର ସେ ସଜାଇବ ସେ ଚିନ୍ତା ତାକୁ ଅଟକାଇ ରଖିଥିଲା କିଛି ବେଳ ମୂକ ନିଶ୍ଚଳ କରି-। ତା’ପରେ ତା’ ଦୃଷ୍ଟି ପଡ଼ିଥିଲା ଗେଣ୍ଡୁ ଫୁଲ ଉପରେ, ଛନଛନିଆ ଶୁଖାପଖିଆ ଶାଗୁଆ ପତ୍ରମାନଙ୍କ ଉପରେ ଢେଉପରି ବିଛେଇ ହୋଇଛି ଗୋଲ ଗୋଲ ସୁନେଲି ଫୁଲଗୁଡ଼ିଏ କତିକିକତି ଲାଗିଲାଗିକା ।

ବେଡ଼ିଥାନ୍ତି ପ୍ରଜାପତିମାନେ, ଚାହୁଁ ଚାହୁଁ ମନେପଡ଼ିଗଲା ତା’ ପିଲାଦିନ, ସେତେବେଳେ କେତେ ସେ ସେମାନଙ୍କୁ ଅନେଇଛି, ଆଶ୍ଚର୍ଯ୍ୟହୋଇ କେତେ କ’ଣ ଭାବିଛି, କେତେ ଗୋଡ଼ାଇଛି ତାଙ୍କ ପଛରେ ! ଆଜି ପୁଣି ନିଘା କରୁଛି ସେମାନଙ୍କୁ, ତା’ ସହିତ ସତେଯେପରି ଅତୀତର ସେହି ବାଇ ଲାଗିଲା ସ୍ୱପ୍ନଗୁଡ଼ିକରୁ ଚେନାଏ ଚେନାଏ ତା’ କତିକି ଲେଉଟି ଆସୁଛି ।

ନାନାରଙ୍ଗର ଚିତ୍ର ବିଚିତ୍ର ହୋଇ ନାନାଆକାରର ପ୍ରଜାପତି ଦଳଦଳ, କି ଗଢ଼ଣ ! କି ବର୍ଣ୍ଣବିନ୍ୟାସ ! ଗତିରେ କି ଛନ୍ଦ ! ସେମାନେ ଉଡ଼ିଲାବେଳେବି ନାଚୁଥା’ନ୍ତି, ଯେପରିକି ଗୋଟିଏ ଗୋଟିଏ ଆନନ୍ଦର କଣିକା । ସେମାନେ ସତେଅବା ବିଧାତାର ଅନ୍ୟମାନଙ୍କ ପ୍ରତି ସ୍ମାରକ, ଯେ ଏ ଜୀବନରେ ଆନନ୍ଦ ଅଛି, ଏଠିବି ଦି’ଦିନ ବଞ୍ଚିହେବ ହାଲୁକା ଆଉ ସରସ ମନରେ, ଶାନ୍ତି, ନିରୀହତା, ଶୋଭା ଓ ଶିରୀ ଭିତରେ ଆପଣାକୁ ମିଶାଇ ଦେଇହେବ ।

ଅନେକ ସମୟ ପ୍ରଜାପତି ଦେଖାରେ ସେ କଟାଇଦେଲା ଖରା, ପ୍ରଜାପତି ଗେଣ୍ଡୁ ଫୁଲ, ଉପରେ ଆକାଶ, ତଳେ ନିଗହଳି ନିରୋଳା ।

 

ଗୋଟିଏ ଗୋଟିଏ ପ୍ରଜାପତିକୁ ଅନାଉଁ ଅନାଉଁ ତା’ ମନ କୁଆଡ଼େ ଭାସି ପଳାଏ, କେତେ ସ୍ମୃତିର ଅନୁଭୂତି ଉପରେ ପହଁରି ପହଁରି, ସେଥିରେ ନଥାଏ ଆହରଣ କି ସଞ୍ଚୟର ଦାୟିତ୍ୱ, ନ ପାଇବା କି କ୍ଷତି ସହିବାର ଅନୁଶୋଚନା, କାହାରି ଉପରେ ସାପେକ୍ଷ ହେବାର ଜଞ୍ଜାଳ, ଖାଲି ଗୋଟିଏ ଆନନ୍ଦ ଅନୁଭୂତି, ତା’ର ରୂପରେଖନାହିଁ । ସେ ସତେକି ଅସରନ୍ତି ଚେତନାଟିଏ, ତା’ର ଅନ୍ୟ ପରିଚୟହିଁ ନାହିଁ, ଆଉ କେଉଁ ମଣିଷ ସଙ୍ଗେ କୌଣସି ସମ୍ପର୍କହିଁ ନାହିଁ । ତା’ର ପୁଅବି ମନେନାହିଁ ଠିଆହୋଇ ଚାହିଁଛି । ନିଶ୍ୱାସ ଯାଉଛି ଆସୁଛି ।

 

ଗୋଟାଏ ଲମ୍ବା ନିଶ୍ୱାସରେ ଫୁଲର ବାସ୍ନା ସକାଳର ସଜପଣ ସବୁ ଆପଣା ଭିତରକୁ ଓଟାରିନେଇ ସେ ହଠାତ୍ ସ୍ମରଣ କଲା ତା’ର ସ୍ରଷ୍ଟାଙ୍କୁ, ଉଷତ ମନରେ ଯାହାଙ୍କୁ ପୂଜା କରିବ ବୋଲି ସେ ଫୁଲ ତୋଳି ବାହାରିଥିଲା । ନଇଁପଡ଼ି ଫୁଲଗଣ୍ଠିଏ ତୋଳିଲା, ତା’ପରେ ଆଉ ଠାଏ ଉହୁଁକିପଡ଼ି ଗଛକୁ ହାତବଢ଼ାଇଲା ।

 

ତା’ପରେ ସେ ଦେଖିଲା ଗେଣ୍ଡୁ ଗଛତଳେ ପଡ଼ିଛି ଗୋଟିଏ ପ୍ରଜାପତି, ଗୋଡ଼ଗୁଡ଼ିକ ନାଠିଦେଇଛି, ଗୋଟିଏ ପରରୁ ଟିକିଏ ଛିଣ୍ଡି ଯାଇଛି, ଗୋଟାଏ ଶୁଖିଲା ଅନାବନା ଫୁଲର ପାଖୁଡ଼ା ପରି ସେ ଧୂଳିରେ ପଡ଼ିରହିଛି । ବେଳେବେଳେ ଛଟପଟ ହେଉଛି, ପୁଣି ହେଉଛି ସ୍ଥିର, ନିଷ୍ପନ୍ଦ ।

 

ରମାର ମନଭିତରେ ଘଟଣାର ସଞ୍ଚାର ହେଲା । ଆଲୁଅ ମଉଳିଯାଇ ସତେଅବା ଘୋଟି ଆସିଲା ଅନ୍ଧାର, ଲାଗିଲା–ଜୀବନର ଗୋଟେ ନୂଆ ଦର୍ଶନ ସେହି ମାଟି ଉପରୁ ତାକୁ ଖତେଇହେଉଛି, ସବୁ ଓଲଟପାଲଟ ହୋଇଗଲା ।

 

ଏଇ ପ୍ରଜାପତିଟି, ଉଡ଼ୁଥିଲାବେଳେ ଦଳ ଭିତରେ ସେ ବି ହୋଇଥିଲା ଜଣେ, କେତେ ଆଡ଼େ ଯାଉଥିଲା, କିଏ କେତେ ତା’ ପାଖକୁ ଆସୁଥିଲେ, କେତେବେଳେ କିଏ ନିଶ୍ଚୟ ତାକୁ କହିଥିବ “କେଡ଼େ ସୁନ୍ଦରଟିଏ ।” ଆପେ ଖୁସିହୋଇ ଉଡ଼ି, ଦୁନିଆଁର ସୌନ୍ଦର୍ଯ୍ୟ, ନିରୀହତା ଭଲପଣିଆଁ ବଢ଼ାଇବାରେ ଆପଣାକୁ ଦାନ ଦେଇସାରି ସେ ଏକୁଟିଆ ପଡ଼ିରହିଛି ଏଇ ଗଛ ସନ୍ଧିରେ, ମରଣକୁ ଅପେକ୍ଷା କରିଛି । କିଏ ଆସୁଛି ଖୋଜି କ’ଣ ତା’ର ହେଲା !

 

ୟେ ଦୁନିଆଁ ପ୍ରଜାପତି ଦେଖି ଏବେବି ଖୁସି ହେଉଛି, ସେମାନଙ୍କୁ ପ୍ରଶଂସୁଛି, କିନ୍ତୁ ସେ ପ୍ରଶଂସା ସେ ଖୋଜାଲୋଡ଼ା ପ୍ରଜାପତି ଜାତିପାଇଁ, ଯେମିତି ସେ ପ୍ରଶସ୍ତି ଦିଏ ଶ୍ରମିକ, ଚିକିତ୍ସକ, ସନ୍ଥ, ଲେଖକ, ଶିଳ୍ପୀଜାତିଙ୍କୁ, କେତେ କେତେ ଉପକାରୀ ଦରକାରୀ ଶ୍ରେଣୀର ଲୋକଙ୍କୁ, ବ୍ୟକ୍ତିଗତ ଭାବରେ ଖୋଜାଲୋଡ଼ା ପାଏ ଖାଲି ସେହି ଯେ ନିଜେ ଉପରେ ପଡ଼ି ଏକରସେକର ହୋଇ ବୁଲିପାରେ, ଆପଣାକୁ ପ୍ରକଟ କରିପାରେ । ତା’ ଯେତେବେଳେ ପାରେନାହିଁ, ଦେହରେ ବଳ ନଥାଏ, ସ୍ୱାସ୍ଥ୍ୟ ନଥାଏ, ଅଣ୍ଟାରେ ଧନ ନଥାଏ, ସେହି ରୁଗ୍‍ଣ, ଅଭାବୀ, ଜଞ୍ଜାଳଗ୍ରସ୍ତ, ନୈରାଶ୍ୟପୀଡ଼ିତ ଲୋକଟି ତା’ର ଏକୁଟିଆ ପଡ଼ି ପଡ଼ି ମରେ, ଲୋକେ ତାକୁ ପାଶୋରିଯାଆନ୍ତି । ତା’ କତିକି ଆସନ୍ତିନାହିଁ, ତା’ ମଲା ହଜିଲା ପଚାରନ୍ତିନାହିଁ ।

 

ଜଗତ ପ୍ରତି ଅଭିମାନ ଉଛୁଳି ଉଠିଲାବେଳେ କେବେ କେବେ ସେ ଭାବୁଥିବ ପରା–”ମୁଁ ୟା ହୋଇଥିଲି, ତା’ ହୋଇଥିଲି, ମୁଁ ୟା କରିଛି, ତା’ କରିଛି ।” କିଏ ଖୋଲେ ସେ ମାଦଳାପାଞ୍ଜି ? କାହାର ପଡ଼ିଛି ଗରଜ ?

 

ସେ ପଙ୍‍କ୍ତିରେନାହିଁ, ସେ ନାହିଁ । କେହି ଭାବିବନାହିଁ କେବେ ଥିଲା କି ନଥିଲା ।

 

ହୁଏତ ଏ ଜୀବନରେ ନାନାସ୍ଥାନରେ ଦିନେ ସେ ଥିଲା, ଚେହେରା ଦେଖାଇ ପାଟିତୁଣ୍ଡ କରି ଗୋଡ଼ ହାତ ଛାଟି ଦଳରେ ବୁଲି ପାଇଥିଲା ବିଶିଷ୍ଟତା, କେଉଁ ଇସ୍କୁଲ ଘରେ କି ଖେଳପଡ଼ିଆରେ, କେଉଁ ଦଳରେ କି ମେଣ୍ଟରେ, କେଉଁ ସଭାଘରେ କି ମଞ୍ଚ ଉପରେ । ସରୁ ସରୁ ଝାଟି ପରି ହାତ ଗୋଡ଼, ଜୀର୍ଣ୍ଣ ଶୀର୍ଣ୍ଣ ଶୁକୁଟା ଦେହ ଯେ ସତେଅବା ସାନ ହୋଇଯାଇଛି, ଶୁକୁଟି ଯାଇଛି, ନିଛାଟିଆ ଘରେ ରୋଗୀ-କତରା ଉପରେ ଲମ୍ବ ହୋଇ ଶୋଇ ସେ ବି କେବେ ଭାବୁଥିବ–ମୋ ଯୌବନରେ ମୁଁ ଥିଲି ଆମ ଅଞ୍ଚଳର ଶ୍ରେଷ୍ଠ ପହିଲମାନ, ମାହାଳିଆ ମତେ ଡାକୁଥିଲେ ‘ରମା’ ବୋଲି ? ଖାସିଟାଏ ଦି’ଓଳିବି ଯାଏନାଇଁ । କୁସ୍ତି କସରତ୍ କରି ମୋର କେତେ ପଦକ, କେତେ ଉପହାର, କେତେ ସାର୍ଟିଫିକେଟ । ଖେଳ ଦେଖାଇବାକୁ ଥିଲେ କେତେ ଭିଡ଼ ! ଲୋକଙ୍କର କେତେ ଧରାଧରି, କେତେ ନାଲିଛାଲି ! ମୋର କେତେଠିଁ କେତେ ଫଟୋ !

 

ଆଜି ତା’ ଦେହର ଓଜନ ସାନ ପିଲା ଓଜନ ପରି, ସବୁ ହୁଗୁଳା ସବୁ ଅଡ଼ୁଆ ହୋଇଆସୁଛି । ବିଦାକାଠି ପରି ଛାତି ଉଠୁଛି ପଡ଼ୁଛି । କୋରଡ଼ ଭିତରେ ଆଖି ତଥାପି ଜିକି ଜିକି ଦିଶୁଛି, ହେଉପଛେ ଅଳ୍ପ ପାଉଁଶିଆ । ହୁଏତ ସେ ଏବେବି ଆଶା ରଖିଥିବେ ।

 

“ଏମିତି ପଡ଼ି ପଡ଼ି ମୁଁ ପୁଣି ଉଠିବି ଯେ !

 

ଝାଟିଦେଲେ ମାଟି ଯେବେ ହେଲେ ଲାଗିବ, ଯିବ କୁଆଡ଼େ ! ସଂସାରରେ କେତେ କ’ଣ ଆଶ୍ଚର୍ଯ୍ୟ ନ ଘଟୁଛି ଆଉ ୟେ କିବା କଥା ।”

 

ହୁଏତ ସେ କେଉଁ ରାଜ୍ୟବିହୀନ ରାଜା, କ୍ଷମତା ଚାଲିଯାଇଥିବା ନେତା, କଳାହରଣ ହୋଇଥିବା ଅର୍ଜ୍ଜୁନ, ସମ୍ପତ୍ତି ଧ୍ୱଂସ ହୋଇଥିବା ବଡ଼ ବେପାରୀ, ହୁଏତ ସେ କେହି ଜଣେ ଏପରି, କେତେବର୍ଷ ତଳେ ଯେ ହୋଇଥିଲା ଅତି ନାଁ ଡାକ, ଚାରିଆଡ଼େ ଅତି ଜଣାଶୁଣା, ତା’ ଦୁଆର ମୁହଁରେ ହାଟଯାକର ଭିଡ଼ ।

 

ସତ, ଶୁଖିଲା ଗଛରେ କୁଆଁଦେଲେ ପତ୍ର କଅଁଳିଲେ ଫୁଲ ଫୁଟିଲେ ପୁଣି ବେଢ଼ିଯିବେ ଚଢ଼େଇ, ପୁଣି ତାକୁ ଘେରି ଲାଗିବ ହୋ’ହା ଘୋ ଘା, ନିଜେ ଆଖିଦୁରୁଶିଆ ହୋଇ ଦୁନିଆଁର ଦାଣ୍ଡରେ ଠିଆହେଲେ ପୁଣି ସେ ମଣିଷଙ୍କୁ ଆକର୍ଷଣ କରିବ । ପୁଣି ଲୋକେ ତା’ଠିଁ ନାନାଗୁଣ ଆବିଷ୍କାର କରିବାକୁ ଆସିବେ, ତା’ଠୁଁ ସ୍ନେହ ଶରଧା ପାଇବାପାଇଁ ଗୁରେଇ ତୁରେଇ ହୋଇ ଗୋଳ କରିବେ ।

 

ନ ହେଲେ ସେ ଗଲା, ଯାଉ ନିଷ୍ପନ୍ଦ ହୋଇ କେଉଁ ନିଛାଟିଆ ହେମାଳ ବଖୁରିର ଅନ୍ଧାର ଭିତରେ, କେଉଁ ଅପନ୍ତରାରେ, ତା’ପରେ ଯେଉଁ ବିପଦ ଆହା ଚୁ’ ଚୁ’, କାହାପାଇଁ କାହାର ବାହୁନା ଅସରାଏ, ସେହି ଯେ ଦିନେ କେବେ ଭଲମନ୍ଦ ବୁଝିବାକୁ ଆସିପାରିନାହିଁ, ସେ ଆପଣା ମନ ଶାନ୍ତିପାଇଁ, ଆପଣା ବିବେକ ଆଗରେ ସାନ କୈଫିୟତଟିଏ, ଯେ ଗଲା ସେ ଗଲା ସେ ମୂକ ସହାନୁଭୂତି ତା’ପାଇଁ ନୁହେଁ ।

 

ତେବେ କ’ଣ ଏ ଜୀବନ, ଏ ସମାଜ, ଏ ସଂସାର ମାୟାଜାଲ ? ଜଣ ଜଣ ହୋଇ ବ୍ୟକ୍ତିମାନଙ୍କର ଏତେ ପ୍ରସ୍ତୁତି ଏତେ ଉଦ୍ୟମ ଉହାଡ଼ରେ ଯେଉଁ ଉଦ୍ଦେଶ୍ୟ କି ଅଭିସନ୍ଧି କାମ କରୁଛି ତା’ର ତାତ୍ପର୍ଯ୍ୟ କ’ଣ ? ତା’ର ପରିଣତି କେଉଁଠି ? ଯଦି ଜୀବନହିଁ ଏଇଆ ତେବେ ଲାଭ କ’ଣ କ୍ଷତି କ’ଣ ? ଅପର ପ୍ରତି ସ୍ନେହ କ’ଣ ଶତ୍ରୁତା କ’ଣ ?

 

ଗେଣ୍ଡୁ ଗଛ ପାଖେ ନଥ୍ କରି ବସିପଡ଼ି ରମା ସେହି ପଡ଼ିଯାଇଥିବା ପ୍ରଜାପତିଆଡ଼କୁ ଅନାଇଁ ଭାବରେ ବୁଡ଼ିଗଲା, ଆଖି ଆଗେ ଆଗେ ଚାଲିଲା ସତେ ଯେମିତି ସିନେମାର ଦୃଶ୍ୟ ।

 

ପୋକଜୋକ ପରି ମଣିଷ ଜନ୍ମ ହେଉଛି, ଆପଣାର ଇଚ୍ଛାରେ ନୁହେଁ ପରା, ଜନ୍ମଦାତାଙ୍କ ଇଚ୍ଛାରେ ନୁହେଁ ପରା, ଜନ୍ମ ହେଉଛି, ଏମିତି, ଆଉ କେଉଁ ଅଦେଖା ଶକ୍ତିର ଇଚ୍ଛାରେ ।

 

ଯେମିତି ନଈରେ ଆସେ ବଢ଼ି, ସମୁଦ୍ରରେଉଠେ ଜୁଆର, ସେମିତି ବଢ଼ି ଉଠୁଛି ଫୁଲି ଉଠୁଛି ତା’ର ଦେହ, ଶକ୍ତି, ବଳ ଆଉ ତେଜରେ, କ୍ଳାନ୍ତି ବାଧୁନାହିଁ, ଶ୍ରମ ବାଧୁନାହିଁ, ସେ ଦେହରେ ରୋଗ ଭେଦୁନାହିଁ । ସେ ମନରେ ଦୁଃଖ କି ଦୁଶ୍ଚିନ୍ତା ଭେଦୁନାହିଁ । ଖାଇବାକୁ ଯାହା ମିଳୁ ସେଥିରେ ସେ ପରିପୃଷ୍ଟ ହେଉଛି, ସବୁ ହଜମ କରି ପାର୍ କରିପାରୁଛି ଅସୁର ପରି । ସେତିକିବେଳେ ବେକ ସଳଖେଇ ଛାତି ଫୁଲେଇ ସେ ସୃଷ୍ଟି ଭିତରେ ଆପଣା ପ୍ରତିଷ୍ଠା ଆପଣା ପରାକାଷ୍ଠା ଅନୁଭବ କରିପାରୁଛି, ଯାହା ହୋଇଥାଉ ତା’ର ପରିସର, ହୋଇଥାଉ କାଠ କଟାଳି ମାଟି ଖୋଳାଳି କି ବରେଣ୍ୟ ଜନନାୟକ । ସେ ନିଜେ ହେତୁ-ବିତ୍ ।

 

ତା’ପରେ କାହା ଜୀବନରେ କେତେବେଳେ ବଢ଼ି ଛାଡ଼ି ଯାଉଛି, ଝଳି ମଉଳି ଯାଉଛି, ମାଟି ଛାଡ଼ିଯାଇ ଦିଶୁଛି ଖାଲି ଝାଟି, ସେ ଆଡ଼େଇ ହୋଇ ରହୁଛି କେଉଁ ଅନ୍ଧାରି କଣରେ, ସେତେବେଳେ ଲାଗୁଥିବ ତାକୁ ସବୁ ଭାଗ୍ୟ ତା’ ଭାଗ୍ୟ ତୁଟିଛି, ସବୁ ଏକ ଅଦେଖା ଶକ୍ତି, ସେ ଶକ୍ତିର ତା’ ପ୍ରତି ଦୟାନାହିଁ, ଏ ସଂସାରରେ ସ୍ନେହନାହିଁ, ବିଶ୍ୱାସନାହିଁ ଭଲକାମ କଲେ ପୁରସ୍କାରନାହିଁ କି ମନ୍ଦକାମ କଲେ ଦଣ୍ଡନାହିଁ, ଅନ୍ତରରେ ଶୁଣ ନିଃଶବ୍ଦ ବିଳାପର ଶେଷ ରାଗିଣୀ ଶୁଣୁ ଶୁଣୁ ସେ ଅପେକ୍ଷା କରିଥିବ ହଠାତ୍ କେତେବେଳେ ନିଶ୍ଚିହ୍ନ ହେବ ବୋଲି, ତା’ର ପ୍ରତିଦ୍ୱନ୍ଦ୍ୱୀ ତା’ ନିଜର ଅତୀତର ନାନାପର୍ଯ୍ୟାୟରେ ଦଳ ନିବିଡ଼ ବିକାଶ ପ୍ରକାଶ ସାଫଲ୍ୟରେ ନାନାଚିତ୍ର, ପଦାରେ ଯେତେବେଳେ ଠିଆହେବାକୁ ବଳନାହିଁ ମୁହଁ ଦେଖେଇବାକୁ ଲାଜ, ଆପଣା ଭିତରେ ସେତେବେଳେ ଅତୀତର ନାନାଥାକରେ ଆହୁରି ବଢ଼ିଆ ଆହୁରି ବଢ଼ିଆ ହୋଇ ନାନାରୂପରେ ସେ ନିଜେ, ତା’ର କେଉଁଠି ମୁଣ୍ଡ ଗୁଞ୍ଜିବା ସ୍ଥାନନାହିଁ, ଆଖିବୁଜି ଅବଶ ହୋଇ ଅଥବା ଛଟାଗାଳି ଖାଲି ପଡ଼ିରହିବ ଆଉ ଅପେକ୍ଷା କରିବା କେତେବେଳେ ୟେ ହେବ ଶେଷ, ତେଣିକି ଯାହାହେଉ ।

 

ଆଙ୍ଗୁଠି ଟିପରେ ଆସ୍ତେ ଛୁଇଁଦେଲା, ପ୍ରଜାପତିଟିର ଆଉ ହଲ୍‍ଚଲ୍‍ନାହିଁ, ଟିପ ବାଟେ ଚଢ଼ି ଆସିଲେ ପିମ୍ପୁଡ଼ି ଯୋଡ଼ିଏ ।

 

ସେତିକିବେଳେ ତା’ ମନ ଭିତର ଯେପରିକି ଦି’ଭାଗ ହୋଇଗଲା, ପାଖେ ସେ, ‘ମୁଁ’ ବୋଲି ଭାବିଲାମାତ୍ରେ ତା’ର ସବୁଯାକ ସଂସାରୀ ସମ୍ପର୍କମୟ ସତ୍ତା, ପାଖେ ଆଉ କିଏ ଜଣେ, ଯେ ଦେଖୁଛି, ହସୁଛି, ଅସଂପୃକ୍ତ ହୋଇ ରହି କହୁଛି–“ଦେଖିଲୁ ? ଦେଖିଲୁ ଏଥର ? ପା’, ପା’, ଆହୁରି ପାଇବୁ, ୟେବି ସବୁ ନୁହେଁ, ୟେବି ଶେଷ ନୁହେଁ ।”

 

କାନେଇଲା ପରି ଅପେକ୍ଷା କରି ରହିଲା, ଅନୁଭବ କଲା ଚାରିଆଡ଼େ ପୂରିଛି ବିରାଟ ଶୂନ୍ୟତା, ଶବ୍ଦନାହିଁ, ସବୁ ଶୂନ୍‍ଶାନ୍ ।”

 

ଭିତରେ କିଏ ତଥାପି କହୁଛି, “ଆହୁରି ଦେଖ୍, ଆହୁରି ବୁଝ୍ ।” କ୍ରମେ ଲାଗିଲା, ଜନ୍ମ ବିକାଶ, କ୍ଷୟ ଓ ମୃତ୍ୟୁର ଯେଉଁ ଅର୍ଥ ସେ ଯୋଖିଥିଲା ଗଢ଼ିଥିଲା ତା’ବି ସତ ନୁହେଁ, ସ୍ଥିର ହୋଇ ବିଛେଇ ହୋଇ ରହିଛି ଗ୍ରୁପ ଶୂନ୍ୟର ସମୁଦ୍ର, କେତେବେଳେ କେଉଁ ଫୋଟକାଟିଏ ଜନ୍ମୁଛି, କିଭଳି ବର୍ଣ୍ଣ କି ଆକାର ଘେନୁଛି, ସାବୁନ୍ ଫେଣର ଫୋଟକାପରି କେଉଁଆଡ଼େ ଘେନୁଛି ଗତି, କେତେବେଳେ କୁଆଡ଼େ ନିଶ୍ଚିହ୍ନ ହେଉଛି ।

 

ଭାବୁ ଭାବୁ ପୁଣି ଲାଗିଲା, ଏତିକିବି ଶେଷକଥା ନୁହେଁ, ଶୂନ୍ୟ ଶୂନ୍ୟ ନୁହେଁ, ସେ ଯେପରିକି ଏକ ସଦାପୂର୍ଣ୍ଣ ସକ୍ରିୟ ଇଚ୍ଛାଶକ୍ତି, ସବୁ କଲ୍ୟାଣ ସବୁ ଆନନ୍ଦର ଅକ୍ଷୟ ଭଣ୍ଡାର, ସେ ଆନନ୍ଦ ଏକ ନିରାଧାର ଚେତନା, ବ୍ୟକ୍ତି ଯାହାକୁ ଭାବେ ଭଲ କି ମନ୍ଦ, ଲାଭ କି କ୍ଷତି, ତା’ଠାରୁ ଭିନେ, ସ୍ୱତନ୍ତ୍ର ।

 

କ’ଣ କହୁଛି ଆପଣା ଭିତରର ଆର ଜଣକ ?

 

“ଆହୁରି ବାକି, ବହୁତ, ବହୁତ ବାକି,” ସେ କହୁଛି, “ସଂଜ୍ଞା ଦେଇ ହେବନାହିଁ, ଭାଷାରେ କହି ହେବନାହିଁ, ସବୁ ଖାଲି ଚେତନା ଭିତରେ ଅନୁଭୂତି, ଯେ ଯାହା ପାଇଲା ।”

 

ଫୁଲଗଣ୍ଠିକ ଆଞ୍ଜୁଳିରେ ଟେକି ସେଇଠି ସେ ଭଗବାନଙ୍କୁ ଦଣ୍ଡବତ କରି ସମର୍ପଣ କରିଦେଲା, ଗୋଡ଼ତଳେ ପଡ଼ିଲା ।

 

ଆଖିରୁ ପାଣି ପୋଛି ଉଠି ପଡ଼ିଲାବେଳକୁ ମନ ହାଲୁକା ଲାଗିଲା ।

 

ସେତିକିରେ ସରିଲାନାହିଁ, ମଲା ପ୍ରଜାପତିଟା ତା’ର ଚେତନା ଭିତରେ ରହିଗଲା । ଯେମିତି ସେଇଠି ତା’ କବର । ଅନହୁତି କେତେବେଳେ ସେ କବର ଫାଟି ଆଁ କରେ, ଆଉ ସେତେବେଳେ ଦିଶେ,–ବକଟେ ବକଟେ ଛିଣ୍ଡା କାଗଜ ଦି’ ଚିରୁଡ଼ା, ବାଇଗଣୀ ମିଶା ପାଉଁଶିଆ, ଯୋଡ଼ା ହୋଇଛି ଇଞ୍ଚେ ଲମ୍ବା ପାକେଲା ପାନଶିରରେ, ତା’ ଆଗରେ ଅତି ସରୁ ସରୁ ନେଳି କାଚମାଳି ଯୋଡ଼ିଏ ଖୋଷା ହୋଇଛି । ଆଉ ଉପରକୁ ତଳକୁ ହୋଇ କଳା କଳା ବଙ୍କା ବଙ୍କା ଗାରଗୁଡ଼ିଏ, ଭୁଲତାର ବାଳ ପରି ସରୁ ।

 

ରମା କେତେବେଳେ ବସି ଠାକୁରଙ୍କୁ ଧ୍ୟାନ କରିବାକୁ ଚେଷ୍ଟା କରୁଥାଏ, ସେହି ତା’ ମନର ବିଶ୍ରାମ ହୁଅନ୍ତା, ମନ ଶୀତଳ ହୁଅନ୍ତା । ସେ ଧ୍ୟାନରେ ଭାସିଉଠେ ସେହି ପ୍ରଜାପତିର ଛବି । ଆଉ କେତେବେଳେ ନଦେଖିଲା ଖୋଲି ଆଖି ଦୂର ଦିଗ୍‍ବଳୟଆଡ଼କୁ ମୋହିଁ ଦେଇ ସେ ଆପଣାଠୁଁ ପଳାଇ ପଳାଇ କୁଆଡ଼େ ବୁଲୁଥାଏ । ସେତେବେଳେବି ମନେପଡ଼େ ସେହି ଛବି । ସେ ଛବିହିଁ ନୁହେଁ, ଗୋଟାଏ ପ୍ରକାର ଭାବନାର ରୂପକ । ସେ ଭାବନା ଶାନ୍ତି କି ବିଶ୍ରାମର ନୁହେଁ ।

 

ମଲା ପ୍ରଜାପତିଟା ଯେମିତିକି ଗୋଟାଏ ସଙ୍କେତ, ଅଥବା ପରୀକ୍ଷା ଖାତା ଉପରେ ବଡ଼ ବଡ଼ ଅକ୍ଷରରେ ଲେଖା ହୋଇଥିବା ନମ୍ବର । ରମାର ମନ ଉଦ୍‍ବେଗରେ ଚଞ୍ଚଳ ହୋଇଉଠେ, ତା’ର ସ୍ୱାମୀ ହର ମନେପଡ଼େ । ଘୋଟେ ବୈରାଗ୍ୟ ।

 

ତା’ ସଙ୍ଗେ ସଙ୍ଗେ ମନେପଡ଼ିଯାଏ କଳ୍ପିତ ସ୍ମୃତି, କେତେବେଳେ କେଉଁ ଖିଆଲରେ ସେ ଜୁଡ଼ୁବୁଡ଼ୁ । ତା’ ଅର୍ଥ ସବୁବେଳେ ସେହି ଏକାପ୍ରକାର । ଖାଁ ଖାଁ ଦି’ପହର, ଉଦୁଉଦିଆ ଖରା, ଶୂନ୍‍ଶାନ୍ ବାଲିପଟା, ସେଠି ହୁତୁହୁତିଆ ପବନ ମୁଣ୍ଡ ଖପୁରି ଦାଡ଼ ଭିତରେ ପଶି ଗୋଟାକ ଉତ୍ତାରୁ ଆଉ ଗୋଟାକୁ ହାଉଳି କରାଇ ବୁଲି ବୁଲି ଯାଉଛି । କାହିଁ, ଆଉ କିଛିନାହିଁତ !

 

ମନ ମାନେନାଇଁ । ଭାବେ, ଆହୁରି ଥିବ, ଶୂନ୍ୟ ନୁହେଁ ପୂର୍ଣ୍ଣ, ବିକାଶ ନୁହେଁ, ଜୀବନ । ଶୁଖିଲା ବାଲିରେ ଶାଗୁଆ ଶିଉଳି ସରା ଗଢ଼ି ସୁଅ ବୁହାଇ ନେବାକୁ ପ୍ରାଣ ହାଇଁପାଇଁ ହୁଏ ।

 

ଆଉ ସେତେବେଳେ ତା’ ନିଶ୍ୱାସ ବାଟେ ବାରମ୍ବାର ପ୍ରତିଜ୍ଞା ଆତଯାତ ହୁଏ,–କ’ଣପାଇଁ ପୁରୁଣା କନାକତରା ପରି ଯାବୁଡ଼ି ଧରି ପଡ଼ିବାକୁ ହେବ ଜୀବନର ପୁରୁଣା ବାଗ ପୁରୁଣା ଚଳଣିକୁ ? ଚାକିରି, ଚାକିରି ଗାଁରେ ଘରକରଣା, ଯେମିତି ଅଛି ସେମିତି ଗୋଟାଏ ବେଢ଼ା–କ’ଣ ହେବ ସେଗୁଡ଼ାକ ?

 

ବାରମ୍ବାର ଇଚ୍ଛାହୁଏ, ସେ ହୁଅନ୍ତା ସେ, ମନ ଇଚ୍ଛା ସ୍ୱତନ୍ତ୍ର ହୋଇ କିଛି, ମୁଖାପିନ୍ଧା ନୁହେଁ, ଖେଳନା କଣ୍ଢେଇ ନୁହେଁ । ଜୀବନ ହୁଅନ୍ତା ନିଜ ମନଖୁସିରେ ଗୋଟାଏ ତୀର୍ଥ-ଯାତ୍ରା, ପରିଣତ ତା’ ବିଶ୍ୱାସ ଅନୁରୂପ ହୋଇଥାନ୍ତା,–ଯାତ୍ରା ଶେଷରେ ଦିଅଁ ଅବଶ୍ୟ ଦେଖିବ ବାଟଚଲାବି ନିଜ ଖିଆଲ ଓ ଖୁସିରେ ।

 

ପଛକୁ ଅନାଏ । ଅନୁଭବ କରେ, ତାକୁ କେହି ବାନ୍ଧିରଖିନାହିଁ; ରୋକି ହୋଇଛି ସେ ନିଜେ । ଆଶା, ଭରସା, ସ୍ନେହମମତା ଆପଣା ଭିତରୁ ବୁଢ଼ିଆଣୀଜାଲ କାଢ଼ିଲା ପରି କାଢ଼ି ସେ ନିଜକୁ ନିଜେ ଛନ୍ଦିଛି । ନ ହେଲେ ସତରେ କିଏ କାହାର ? କିଏ ମଲେ ଗଲେ ଆଉ କିଏ ପଛରେ ଗୋଡ଼ାଇଯାଏ ? ପୁଅ ମୁଣ୍ଡରେ ଆଉଁସେ, ବିଚିତ୍ର କାହାଣୀରେ ତାକୁ ଅନାଏଁ ଆଉ ଭାବେ,–ମୁଁ କ’ଣ ଆଉ ଖୋଜୁଛି ମୋ ବୋଉର କୋଡ଼ ? ଯେତେବେଳେ ଯେ ଯାହାର, ଆଉ ବେଳେ ନୁହେଁ । ଦୁଧଖିଆ ପୁଅ, ନିଶୁଆ ପୁଅ, ବାହାହେଲା ପୁଅ, ନାତିର ଅଜା ହୋଇଥିବା ପୁଅ, ଏମାନେ ସମସ୍ତେ ଭିନେ ଭିନେ ମଣିଷ । ଏଇ ମୋର ସୁର, ଦି’ ଭାଗ ହୋଇ ଅନ୍ତଫାଡ଼ି ଜନ୍ମ ଦେଇଛି । ସେ ବି ହେବ ସେଇଆ, ଭିନେ ମଣିଷ ।

 

ସମସ୍ତେ ବଦଳିଗଲେ, ବଦଳିବାହିଁ ତ ଜୀବନର କ୍ରମ, ବେଳକୁ ବେଳ ପାହାଚ ପାହାଚ-। ସେ ପାହାଚ ଉପରକୁ ଉପରକୁ କି ତଳକୁ ତଳକୁ କିଏ ପଚାରେ ? ସେ କାମ ପଣ୍ଡିତମାନଙ୍କର, ଯେ ପାଠପଢ଼ିଛନ୍ତି, ଯାହାଙ୍କର ଦିବ୍ୟଦୃଷ୍ଟି ଅଛି, ଯାହାଙ୍କଠି ଅଛି ଭଗବାନଙ୍କ ଦୟା-

 

ଶେଷରେ ତ ସେହି ଏକା ଦଶା ! ସେହି ପ୍ରଜାପତି ।

 

କେଉଁ ପାହାଚରୁ କିଏ ଖସେ ।

 

କାହାକୁ ଦୋଷ ଦେଇ ହେବନାହିଁ, ଯେଉଁ ଜୀବନର ତୋଡ଼ରେ ମଣିଷ ୟେ ସଂସାରକୁ ଆସେ ସେହି ତାକୁ ବଦଳାଏ, ଭିନେ ମଣିଷ କରେ, ମଣିଷର ଚାରାନାହିଁ । ପ୍ରତି ପାହାଚରେ ସାଙ୍ଗୀ ମିଳନ୍ତି, ପୁଣି ଆର ପାହାଚକୁ କିଏ ଥାଆନ୍ତି କିଏ କୁଆଡ଼େ ଯାଆନ୍ତି ।

 

ବୋଉ ତା’ର ବେପାର ଆଉ ଘରସଂସାର ଘେନି ଖୁସି । କାହା ଘରୁ ଚାଉଳ ଗଣ୍ଡିଏ ଉଧାର ଆଣିବା ଦିନ କେଉଁଦିନୁ ଅତୀତ । ବୋଉ ଆଉ ସଡ଼କ ଉପରେ ବେପାର ! ତା’ ପୁଣି ଏ ବୟସରେ । ଆଗେ ଯାହା ସ୍ୱପ୍ନରେବି ନଥିଲା । କିନ୍ତୁ ଆଜି ଯେ ଦେଖିଲେ ଭାବିବ ମାୟା ଦେବୀ ମୂଳରୁ ବ୍ୟବସାୟୀ, ପୋଖତ ବେପାରୀ । କୁଳମଣି ତାଙ୍କ ବେପାର କାର୍ଯ୍ୟରେ ଡାହାଣ ହାତ, କୁଳ ଆଉ ବେପାର । ତା’ବି ହେଲା । ବୋଉର ହୋଟେଲ ଭଲ ଚାଲିଛି, ଆରମ୍ଭ ହୋଇଛି ଚିନି ଅଟା ଆଦିର କଣ୍ଟରୋଳ ଦୋକାନ, ସେ ସବୁବେଳେ ବିଷୟୀ ଓ କାର୍ଯ୍ୟବ୍ୟସ୍ତ । ତା’ର ଆଉ ଗୋଟାଏ ଦାୟିତ୍ୱ ତୁଟିବ, ସାଧୁଭାଇ ବିଭା ହେବାକୁ ମଙ୍ଗିଛନ୍ତି । ବୋଉ ପାତ୍ରୀ ଠିକଣା କରୁଛି । ବୋଉ ଚାହେଁ ସାଧୁଭାଇ ଚାକିରି ଛାଡ଼ି ତା’ ବେପାର ଆଦରନ୍ତୁ, ଘର ବୁଝନ୍ତୁ, କିନ୍ତୁ ସାଧୁଭାଇ ସେ ବିଷୟରେ କିଛି ମତ ଠିକଣା କରିନାହାନ୍ତି । ବୋଉର ବୋହୂ ଆସିବ । ବୋଉର କୋଡ଼ପୋଛା ଝିଅ ତିଳ, କେଡ଼େ ଟିକିଟିଏ ହୋଇଥିଲା । ସେ ବି ତିନି କ୍ଲାସରେ ପଢ଼ିଲାଣି । ରଘୁର କେଡ଼େଛୁଣୁକା ହୋଇଗଲା ସେକେଣ୍ଡ କ୍ଲାସ । ସେ ଡେଙ୍ଗାରେ ବଢ଼ିଯାଉଛି, ଖେଳରେ ନାଁ ଡାକ, ବୋଉର ହାତବାରିଶି । ଜଗୁ ମ୍ୟାଟ୍ରିକୁଲେସନ ଓ ପ୍ରିୟୁନିଭର୍ସିଟି ପାଶ କରିସାରିଛି ପ୍ରଥମ ଶ୍ରେଣୀରେ ଗଲାଣି ଖଡ଼ଗପୁର ଆଇ ଆଇ ଟି ଇଲେକ୍‍ଟ୍ରିକେଲ ଇଞ୍ଜିନିୟରିଂ । ଭଲ ପଢ଼େ । ଖଞ୍ଜା ଭିତରୁ ସେ ପିଲାଟିଏ ବାହାରୁଛି । ଚାହୁଁ ଚାହୁଁ କେଇଟା ବରଷ । ତା’ପରେ ସେ ବିଦେଶବି ଯାଇପାରେ । ଲେଉଟି ଆସି କେଉଁଠି ବଡ଼ ଦାୟିତ୍ୱ ମୁଣ୍ଡେଇ ବଡ଼ ମଣିଷ ହେବ । ଦେଖି ହେଉଛି ଆଗକୁ । ଜଗୁ । ଭଗବାନ ତା’ର ଭଲ କରନ୍ତୁ ।

 

ବୋଉ ତା’ର ସ୍ୱତନ୍ତ୍ର ଜୀବନ ବିତାଉଛି ଏହିପରି । ସତେ କ’ଣ ରମା ବୋଲି କେହି ନଥିଲେ ତା’ର ନ ଚଳେ ?

 

ଦାଦି ଖୁଡ଼ିଙ୍କ ଘରେ ନାନାପରିବର୍ତ୍ତନ । ରୂପଭାଇ ବିଭା ହେଲେ ତାଙ୍କ ମାମୁର ଝିଅ ଇନ୍ଦିରାକୁ, ସହରରେ ବିଭାଘର ହେଲା, ରହନ୍ତି ବାଲିମେଳାରେ, କାହିଁ ଦୂର କୋରାପୁଟ ଜିଲ୍ଲା । ସେଠି ସେ ନିଯୁକ୍ତି ପାଇଛନ୍ତି । ଦାମ ଦାଦିଙ୍କ ଆଖିରେ କ୍ୟାଟାରାକ୍‍ଟ, ରୂପଭାଇ ପାଖେ ରହନ୍ତି । ଘରେ ଏକା ଖୁଡ଼ି, ଶୁଖି ସେମେଟି ଗଲେଣି, ଅର୍ଥାଭାବ ବାଧୁଛି । ରଙ୍ଗୀକୁ ବିଭା କରିବାକୁ ବହୁତ ପଇସା ଲାଗିଲା, ଶୀତଳବାବୁଙ୍କ ନାଁରେ ଅପବାଦ ରଟିଥିଲା, ତେଣୁ ସହଜ ହେଲାନାହିଁ । ହଲର ବିକା ହେଲା, ବହୁତ ଜମି ବିକା ହେଲା ।

 

ସେପଟେ ଶଶୁର ଘରେ । ରମା ଦିଅର ନରେନ୍ଦ୍ର ତେରବର୍ଷରେ ପାଠ ଆରମ୍ଭ କଲା, ଭଲ ଛାତ୍ର ବୋଲି ନାଁ ଅଛି । ମାଇନରରେ ବୃତ୍ତି ପାଇଲା, ଫୋର୍ଥ କ୍ଲାସରେ ପଢ଼େ, କିଏ କହୁଥିଲା କୁଆଡ଼େ ସୈନିକ ସ୍କୁଲକୁ ଯିବାକୁ ତା’ ଇଚ୍ଛା । ହଁ ! ନରି ! ହେବ ସେ ବି ! ଭଗବାନ କରନ୍ତୁ ।

 

ମୋହନପୁର ଏଠୁ ବେଶି ଦୂର ନୁହେଁ, ସେଠି ନଣନ୍ଦ ସୁନା ଓ ତା’ ସ୍ୱାମୀ ଡାକ୍ତର କୃଷ୍ଣ ଚରଣ । ସେମାନଙ୍କ ପ୍ରଶଂସା ରମା ଶୁଣିଛି, ଗଛପତ୍ର କହନ୍ତି । ଡାକ୍ତର ଶାନ୍ତ ଉଦାର ଅକ୍ଳାନ୍ତ ଓ ଅମୃତ ହସ୍ତ । ସୁନାର କ’ଣ ହେବ । ଭଗବାନ ତାଙ୍କର ଭଲକରୁ ।

 

ସେମାନେ କ’ଣ ଜାଣି ନଥିବେ ସେ ଏଠି ଅଛି ? ସେଥିକି ତା’ର ଛଳନାହିଁ । ସେ ନିଜେବି ତ ଯାଇନାହିଁ !

 

ଚିହ୍ନାଜଣା ଦୁନିଆଁରେ ମଣିଷ ଗହଳି ଭିତରେ କେଉଁ କାଳୁ ସେ ମୁହଁ ଲୁଚେଇଛି । ସେଇଠି ଥାଇ ସେ ହୋଇଛି ଅଦୃଶ୍ୟ, ସେଇ ତାକୁ ଭଲ ।

 

କେତେ କିଏ ମରି ଅଦୃଶ୍ୟ ହୁଅନ୍ତି, ଆଉ କେତେ ଜୀଅନ୍ତାରେ, ଯାହାଙ୍କ ଦୁଆରେ ଗାଡ଼ି ମଣିଷଙ୍କ ଗହଳି ଫାଟିପଡ଼ୁଥିଲା, ସେମାନେ ସେଇଠି ଥାଇ କେହି ତାଙ୍କୁ ଦେଖିପାରନ୍ତିନାହିଁ ।

 

ନା, ସେଥିରେବି ତା’ର କ୍ଷୋଭନାହିଁ ।

 

ସେମିତି, ମମତାର ବନ୍ଧନବି ନାହିଁ, ଥାଇତା ପଶର ଲୋଭନାହିଁ, ତା’ ସ୍ୱାମୀ ହରର ଥିଲା ସେ ଲୋଭ, ସେ ରହିଲାବି ନାହିଁ ।

 

କିନ୍ତୁ ଏହି ବନ୍ଧା ଚାକିରିରେ ଜୀବନ,–ପରିଚୟ ଆଉ ମୂଲ୍ୟ ସେ ‘ଗ୍ରାମସେବିକା’ ବୋଲି,–ମନ କହୁଛି ଏ ପାହାଚ ଖସି ଖସି ଛାଡ଼ି ଛାଡ଼ି ଯାଉଛି । ଏ ବି ଆଉ ତା’ ଲାଗି ନୁହେଁ । ବୁଝିହେଲାଣି,–ଆପଣା ବିଷୟରେ ଭାବିବାକୁ ଅବସର ନ ପାଇବ ବୋଲି ବୋଧହୁଏ ସେ ଏ ମାର୍ଗ ଧରିଥିଲା, ବାରମ୍ବାର ନିଜକୁ ଝୁଣି ନ ଖାଇଲେ ହେବ ସୁସ୍ଥ, ଶାନ୍ତ, ଆଉ ଓଲଟି ପୁଣି ସେଇଆହିଁ ହେଲା, ତେଣୁ ସେ ଯିବ । ଜୀବନର ଅର୍ଥ ଆଉ ସୁଆଦ ଖୋଜିବ ନିଜ ବାହାରେ ଆଉ କେଉଁଠି, କେଉଁ ନୂଆ କର୍ମସ୍ଥଳୀରେ, ଜନ୍ମ ପାଇଛି, କାହାର କାମରେ ଲାଗିବ ।

 

ହୁଏତ, କୁଶଳବାବୁ ନିର୍ଦ୍ଦେଶ ଦେଲାଭଳି ସେହି ଓଳଙ୍ଗ ଗାଁର ‘ଆଶ୍ରମ’ ତା’ର ଆର ପାହାଚ, ଆଉ କୁଆଡ଼େ ଉଡ଼ିଯିବା ଆଗରୁ ସେଇଠି ତା’ ବସା, କ୍ଷତି କ’ଣ ? ଗୋରୁ ଗାଈ ଗଛବୁରୁଛ ସେବା, ଟିକି ଟିକି ପିଲାଙ୍କୁ ପାଠପଢ଼ା, ନାରୀ କର୍ମୀ କେତୋଟିଙ୍କ ସଙ୍ଗେ ଏକ ପରିବାର ହୋଇ ରହି କିଛି କାମ । ମନ ମିଳିଲେ ସବୁଠି ଆପଣାର ଘର, ବନ୍ଧୁବାନ୍ଧବ, କୁଟୁମ୍ବ ପରିବାର । ମୋତିକୁ ଗାଁକୁ ପଠାଇ ସୁରକୁ ସେଠି ରଖି ସେ ଖୋଜିବ ଜନସେବାକାର୍ଯ୍ୟରେ ନୂଆ ପରିସର । ପାଉ ନ ପାଉ, ଖୋଜିବାହିଁ ତ ସାଧନା, ସାଧନାହିଁ ମନକୁ ଦେବ ଶାନ୍ତି ଓ ଆନନ୍ଦ ।

 

ପିଲା ଶୋଇଛି । ମୋତି ଶୋଇଛି । ଅନ୍ଧାର ରାତି, ଝିଙ୍କାରିର ଝିଁ ଝିଁ ସେ ରାତିକୁ ବ୍ୟକ୍ତିତ୍ୱ ଦେଇଛି । ତାହାରି ଆଗରେ ଚେଇଁ ଚେଇଁ ଆଖି ବୁଜି ଖଟରେ ଶୋଇରହି ରମା ମନେମନେ ଡାକୁଛି,–ତୁମେ ଅଛ, ମୁଁ ଜାଣିଚି, ଦୂରରେବି ଅଛ, ଖୁବ୍ କତିରେବି, ତୁମେ ମୋ ଭିତରେ, ମୋ ବାହାରେ, ଜହ୍ନ ରାତି କି ଅନ୍ଧାର ରାତି, ଶୀତ କି ଗ୍ରୀଷ୍ମ ସବୁ ତୁମରି ତ ରୂପ । ମୋ ଗୁହାରି ଶୁଣ, ମତେ ବାଟବତାଅ ।

 

ଆପଣା ମନର ପ୍ରସ୍ତୁତି ଆପେ ଆପେ ଆଗେଇ ଚାଲିଥାଏ । ବାହାରକୁ ସେ ଯେମିତି ସେମିତି, ନିର୍ଘଣ୍ଟ ଅନୁସାରେ କାମ କରିଯାଏ । କୁଶଳବାବୁ କେବେ କଦବା ଗଡ଼ିପଡ଼ନ୍ତି, ନିଜ ଦେଖନ୍ତରେ ଶେଖର ଯାହା ଅଭାବ ଅସୁବିଧା ସେ ସେହି ବିଷୟରେ କଥା ପକାନ୍ତି, ରମାର ମତ ଲୋଡ଼ନ୍ତି । ସେ ଗମ୍ଭୀର ହୋଇ ଭାବେ, ଯେମିତି ଧ୍ୟାନରେ ବୁଡ଼ିଲା । ତା’ପରେ ଅଳ୍ପକେ ନିଜର ମତବ୍ୟକ୍ତ କରେ । ତାଙ୍କର ଏଇ ସମ୍ପର୍କ ସେ ଆଦରି ନେଇଥିଲା ଆଉ ତାକୁ ମାଡ଼ିପଡ଼େନାହିଁ, ଚାଉଁ କରି ଲାଗେନାହିଁ, ସେ ନିଜେ ସ୍ତ୍ରୀ କି ପୁରୁଷ ସେକଥା ହେତୁ ପଡ଼େନାହିଁ, କୁଶଳବାବୁ ବଡ଼ କି ସାନ ସେ ଚେତନାବି ରହେନାହିଁ । ଯେମିତି ସେ ନିଜେ ସତେ ସତେ ଭାବ ଓ ପ୍ରେରଣାରେ କୂଅଟିଏ, ଆଉ କୁଶଳବାବୁ କେବେ କେବେ ଆସିବେ, ସେଥିରୁ ପାଣି ଲୋଟିଏ ନେବେ, ତା’ବି ପ୍ରତ୍ୟାଶିତ, ସ୍ୱାଭାବିକ ସେତେବେଳେ ସେ ହେବ ସତେ ଯେମିତି କଳସୀଟିଏ । ସେ ନିର୍ବୈକ୍ତିକ ହୁଏ ସଦିଚ୍ଛା, ଭାବ ଓ କର୍ମପ୍ରେରଣା ଛଡ଼ା ତାଙ୍କଠିଁ ଆଉ କିଛି ଦେଖେନାହିଁ । କୁଶଳବାବୁ ଯାହା କହନ୍ତି ତା’ ସମ୍ବାଦ, ସମ୍ବାଦ ଅଶେଷ । ସେ ଶୁଣେ । ତା’ପରେ ଯାହା ଆଲୋଚନା ହୁଏ ସେ ତାତ୍ତ୍ୱିକ ଓ ସଂକ୍ଷିପ୍ତ ।

 

ସେ ଦୁହେଁ ଏକମତ ଯେ ସଂସାରରେ ସଦ୍‍ଜ୍ଞାନର ଅଭାବନାହିଁ ମଣିଷ ଜାତି ଯେତେ ହଜାରବର୍ଷ ବଞ୍ଚିଲାଣି ତା’ ଭିତରେ ଯେ ବାରମ୍ବାର ସଞ୍ଚୟ କରି ଭବିଷ୍ୟତ ପାଇଁ ସାଇତି ଯାଇଛି ଧାରଣା, ଭଲ କ’ଣ ମନ୍ଦ କଣ; ଆନନ୍ଦ କ’ଣ ଦୁଃଖ କ’ଣ ତର୍କମାର୍ଗରେ ଧାରଣା ଧାରଣା ଭିତରେ ଅମେଳ ହୋଇପାରେ, କିନ୍ତୁ ବ୍ୟକ୍ତି କି ଗୋଷ୍ଠୀର ଅନୁଭୂତି ଭିତରେ ସ୍ପଷ୍ଟ ହୋଇ ବାରି ହୋଇ ପଡ଼ିରହିଛି ଯେ ଦେହ ଓ ମନର ସୁସ୍ଥି କ’ଣ, ସାଧାରଣଭାବେ ଜଣାଅଛି ଯେ ଦୁଃଖ କଷ୍ଟ କ’ଣ, ଦୁନିଆଁରେ ପରର ଦୁଃଖ ନ ବଢ଼ାଇ ନିଜର ଓ ଅନ୍ୟମାନଙ୍କର ଉପକାର କରି ଲୋକ ବଞ୍ଚିବା ଉଚିତ । ସେମାନେ ଏକମତ ଯେ ସଂସାରରେ ଅନେକ ମହାପୁରୁଷ ନିଜେ ଜୀବନ ବଞ୍ଚି ନାନାସଦ୍‍ଗୁଣମୟ ଆଦର୍ଶ ଜୀବନର ଦୃଷ୍ଟାନ୍ତ ଦେଇଯାଇଛନ୍ତି, କେହି ନ ଜାଣେ ଏପରିବି ନୁହେଁ; ବାଣୀ କି ନିର୍ଦ୍ଦେଶର ଅଭାବନାହିଁ ତଥାପି ଜାଣି ନ ଜାଣିଲା ପରି ସଂସାର ଘୁରୁଛି ଚକରେ, ଆଶାନ୍ତ ଅଭାବ ରହିଛି, ଚାଲିଛି, ବଢ଼ୁଛି, ଏ ଆଲୋଚନାରେ ନୂଆ କିଛିନାହିଁ । ଦରକାର ଖାଲି ଏତିକି,–କାର୍ଯ୍ୟ । କହିବାକୁ ସମସ୍ତେ । କରିବା ଲୋକର ଅଭାବ ।

 

ସଂସ୍ଥା ଗଢ଼ି ହୁଏ । କାମ କରିବାକୁ ଟଙ୍କାବି ମିଳେ । ଯାଏ କୁଆଡ଼େ ?

 

ଫଜରା ଫାଟି ନଥାଏ ତା’ର ନିଦ ଭାଙ୍ଗିଗଲା । ବଖୁରି ଭିତରେ ଅନ୍ଧାର ପାଣିଚିଆ ହେଲାଣି । ଶୀତକୁ ନ ଡରି ସେ ଝରକା ଖୋଲିଦେଲା । ଧୀରେ ପଶି ଆସିଲା ବାହାରର ସଜ ପବନ, ଖଟରେ ପଡ଼ିରହି ସେ ଅନୁଭବ କଲା, ଚହଳନାହିଁ, ପବନ ଅଦଳ ବଦଳ ହେଲା, ଯାହାଥିଲା ବୋଝ ବୋଝ ସେ ହେଲା ହାଲୁକା, ଯାହାଥିଲା ନିର୍ଜୀବା ହୋଇ ଏକାପରି, ଯେମିତି ପୋତା ହୋଇଥିବା ମଣିଷ ଚାକିରିରେ ମାଟି, ସେ ହେଲା ଜୀଅନ୍ତା, ତା’ର ଶୀତର ଦଂଶନବି ଜୀବନର ସୂଚନା । ଦୂରକୁ ଅନାଇଁଲା, ନାଲିଚା ଆକାଶରେ ସତେଅବା ଗମ୍ଭୀର ପ୍ରଶାନ୍ତ, ଅନ୍ଧାର ଜଳି ଯାଉଛି ଛାଁକୁ ଛାଁ, କେତେ କ’ଣ ବଦଳି ଯାଉଛି, ମନରେ ପୂରିଛି ଆନନ୍ଦ । ଏଇ ସଙ୍କେତ ତ ଯୁଗେ ଯୁଗେ ଦେଇଆସିଛି ପ୍ରକୃତି, ଯେତେ କଳା କିଟି କିଟି ହୋଇଥାଉ ରାତି, ସେ ରାତି ପାହିବ !

 

କଜଳପାତିର ଗୀତ ଶୁଭିଲା ।

 

ସେ ମନେମନେ କଳ୍ପନା କଲା, ଦେଉଳମାନଙ୍କରେ ଆଳତି ହେଉଛି, ଗାଧୋଇପାଧୋଇ ତୁନିତାନି ହୋଇ ଅପେକ୍ଷା କରି ରହିଛନ୍ତି ଥାଟପଟାଳି ମଣିଷ । ସମୁଦ୍ରକୂଳରେ ମଣିଷ ଗହଳି । ସମୁଦ୍ର ଢେଉ ଗଢ଼ାଉଛି । ସେମାନେ ଦିଗ୍‍ବଳୟକୁ ଚାହିଁ ଅପେକ୍ଷା କରିଛନ୍ତି । କାହାପାଇଁ ?

 

ପ୍ରାଣର ପ୍ରାଚୁର୍ଯ୍ୟରେ ତା’ର ଚେତନା ଭିତରେ ଅନୁଭୂତି ଆସିଲା, ତାହାରିପାଇଁ ତ !

 

ସେହି ତ ଶୂନ୍ୟେ ଶୂନ୍ୟେ ପଦ୍ମାସନରେ ବସି ଭାସି-ଭାସି ଆସୁଛି ଦିଗ୍‍ବଳୟରୁ କୂଳଆଡ଼କୁ, ସେ ଜଗତ-ଜନନୀ । ଏ ଉଷା ତାହାରି ଦେହର ଆଭା, ପବନରେ ଏ ସୁବାସ ତାହାରି ଦିବ୍ୟଶରୀରର, କଜଳପାତି ଚଢ଼େଇଟି ଆନନ୍ଦରେ ଅଧୀର ହୋଇ ଗୀତଗାଉଛି ତାହାରି ସକାଶେ ତ । ଜଗତ ତାହାରି ସର୍ଜନ, ଜଗତକୁ ତା’ର ପ୍ରତିକ୍ଷଣରେ ଆଶୀର୍ବାଦ, ସେ ଆସୁଛି, କତିକି କତି, କତିକି କତି ।

 

ଏମିତି କେତେଥର ସେ ଆସିଛି ଆଗରୁ, ସେମାନେ ଭୁଲିଛନ୍ତି । ପ୍ରତି ଅନ୍ତରରେ, ଅନ୍ତରୀକ୍ଷରେ, ଅନ୍ତରାଳରେ, ସବୁଠିଁ ସବୁବେଳେ ଅଛି ସେ, ଡାକିଲେ ଓ’କରେ, ବିଜୁଳି ପରି ଝକ୍ କରି ବତାଏ ବୁଦ୍ଧି, ସେମାନେ ଭୁଲିଛନ୍ତି । ସେମାନେ ଲୋଡ଼ନ୍ତି ଦଟଚମଟ, ନିଦା, ଆଖିଦୁରୁଶିଆ, ନ ହେଲେ ସେମାନେ ବୁଝନ୍ତିନାହିଁ ।

 

ଦୁନିଆଁ ଅସମ୍ଭାଳ ହେଲା, ତେଣୁ ପୁଣି ସେ ଆସିଛି ।

 

ସେ ଚାହେଁ ସମସ୍ତିଙ୍କୁ ପେଟପୂରା ଖାଇବାକୁ ମିଳୁ, ରହିବାକୁ ଥାନ ମିଳୁ, ବଞ୍ଚିବାର ସବୁ ଉପକରଣ ପ୍ରଚୁର ପରିମାଣରେ ମିଳୁ, ମିଳୁ ଶିକ୍ଷା, ଜ୍ଞାନ, ସଦ୍‍ବୁଦ୍ଧି, ସମସ୍ତେ ହୁଅନ୍ତୁ ଦେହ ଓ ମନରେ ନୀରୋଗ, ସମସ୍ତେ ପାଆନ୍ତୁ ଶିରୀ ସମୃଦ୍ଧି, ସୁଖ, ଆନନ୍ଦ, ପରସ୍ପରଙ୍କ ସ୍ନେହ ଶରଧା କରି ଜଗତଯାକ ଏକାଘରର ଆପଣାର ମଣିଷ ହୋଇ ଶାନ୍ତି ଆନନ୍ଦରେ ଦିନକାଟନ୍ତୁ, କାହାରି ମନରେ ନଥାଉ ଦୁଃଖ କି ଅଶାନ୍ତି, ହିଂସା, କପଟ, ମିଥ୍ୟା । ସମସ୍ତେ ତ ତାହାରି ସନ୍ତାନ ।

 

ମନେମନେ ଶ୍ରଦ୍ଧା ଓ ଆନନ୍ଦରେ ସେ ଲକ୍ଷେ ଧାରା ହୋଇ ବୋହି ଯାଉଥିଲା । ସମସ୍ତିଙ୍କି ଆଉଁସିବ, ସଜାଡ଼ିବ, ଭଲ କରିବ, ସମସ୍ତିଙ୍କ ମନରୁ ହରଣ କରି ନେବ ଦୁର୍ବୁଦ୍ଧି ଓ ଦୁଶ୍ଚିନ୍ତାର ବିଷ, ସହଜରେ ଆପେ ଆପେ ସମସ୍ତେ ଅନୁଭବ କରିପାରିବେ ଯେ ଆନନ୍ଦ ପାଇବାପାଇଁ ସେମାନଙ୍କର ଜନ୍ମ, ଆନନ୍ଦ ଅପହଞ୍ଚିତ ଆଦୌ ନୁହେଁ, ଭାବିଲେହିଁ ମିଳିଲା, ହାତପାଆନ୍ତିରେ ସବୁଠିଁ ରହିଛି ଆନନ୍ଦ, ଖାଲି ଶୂନ୍ୟରେ ପବନରେ ଆଲୁଅରେବି, ନେଉ ଯାହାର ଯେତେ ଇଚ୍ଛା । ସେହି ଏକା ପରିସ୍ଥିତିରେ ଏକା ଉପକରଣ ମଝିରେ ଥାଇ ଆନନ୍ଦ ପାଇବା ଲୋକ ଆନନ୍ଦ ପାଏ, କେଉଁ ନିଜସ୍ୱ ଶ୍ରମିକ, ସନ୍ଥ କି କବି, ଆନନ୍ଦ ଶୋଷିବାକୁ ଯାହାର ଶକ୍ତିନାହିଁ, ସେ ଅନ୍ଧ ରତ୍ନ ଝୁଣ୍ଟିଲାପରି ଆନନ୍ଦକୁ ଏଡ଼ି ଚାଲିଯାଏ, ନିଜକୁ ଯେଡ଼େ ବୁଦ୍ଧିଆ ବୋଲି ଭାବୁ, ଧନ ପାଉ, ମାନ ପାଉ, ଆଉ ଯାହା ପାଉ, ଆନନ୍ଦ ସେ ପାଏନାହିଁ । କିନ୍ତୁ ଏଣିକି ଆଉ ତା’ ହେବନାହିଁ, ସେ ଆସିଲାଣି, ଜଗତର ଜନନୀ, ସମସ୍ତେ ଆନନ୍ଦକୁ ପାଇପାରିବେ, କିଏ ଅନ୍ଧ କିଏ ମୁମୂର୍ଷୁ କିଏ କାଙ୍ଗାଳ କିଏ ଅବା ଭାଗ୍ୟବନ୍ତ ସେ ହୋଇଥାଉ ଯେପରି ।

 

ତା’ହେଲେ ଏଣିକି ସମାଜରେ, ଦେଶର ରାଜନୈତିକ ସଂସ୍ଥାରେ, ନାନାସାମାଜିକ ଅନୁଷ୍ଠାନରେ କେତେ କ’ଣ ବଦଳିଯିବ, ମଣିଷର ଚଳଣିହିଁ ବଦଳିଯିବ, କାରଣ ଯେତେ ଯାହା ଅଛି ସେସବୁ ଗଢ଼ାହୋଇଛି ମଣିଷର ନୈରାଶ୍ୟ, ସ୍ୱାର୍ଥାନ୍ଧତା, ହିଂସା, ଦ୍ୱେଷ, ଭୟ, ଅଶାନ୍ତିକୁ ଆଶ୍ରା କରି, ସବୁ କ୍ଷେତ୍ରରେ ଉଦ୍ୟମର ମୂଳଦୁଆ ସେତିକି, ମଣିଷର ସାମାଜିକ ଉନ୍ନତିକୁ ମାପ କରିବାକୁ ତାକୁହିଁ ଧରାଯାଏ ସେର ତରାଜୁ କରି । ଯିବ ସେସବୁ, ଜୀବନ ବଞ୍ଚିବା ସରଳ ହେବ, ଘରେ ତାଲା ପକାଇବା ଦରକାର ପଡ଼ିବନାହିଁ, ପରଠୁଁ ଝିଙ୍କିଆଣିବା, ଠୁଳ କରିବା, ହତିଆର ଗଢ଼ିବାବି ଦରକାର ପଡ଼ିବନାହିଁ । ଆଉ ଛଟପଟନାହିଁ, ହୁରୁହୁରୁନାହିଁ, କଷା ନ ହେଲା ଆଖିନାହିଁ, ଜାଲିଆତି ଟାଉଟରିନାହିଁ, ସଂସାର ରୋଗମୁକ୍ତ ହେବ । ସମସ୍ତେ ହେବେ ନିର୍ଭୀକ ନିଶ୍ଚିହ୍ନ, ସ୍ନେହୀ, ସୁଖୀ ।

 

ଶାନ୍ତି ଆନନ୍ଦରେ ସେ ଆଖିବୁଜି ଦେଇଥିଲା, ସତେଅବା ଆତନ୍ଦ ସହିତ ଏକ ହୋଇ ସେ ତା’ର ପିଣ୍ଡ ଫୋପାଡ଼ିଦେଇ ଚାଲିଯାଇଛି ।

 

ତା’ର ପୁଣି ନିଦ ଭାଙ୍ଗିଲାବେଳକୁ ଖରା ପଡ଼ିଥିଲା । ତା’ ପୁଅ ତଥାପି ଶୋଇଛି । ତାହାରି ଶୋଇଲା ମୁହଁକୁ ଅନାଇଁ ବସିବାକୁ ରମାକୁ ଖୁସି ଲାଗିଲା । ଭାବିଲା, ଜଗତଯାକ ସମସ୍ତେ ଏମିତି ଶୋଇ ପାରନ୍ତେ ଯଦି ! ନିଶ୍ଚିହ୍ନ, ନିଧଡ଼କ, ସରଳ, ଶାନ୍ତି, ଅନାଶ୍ରିତ ! ଯଦି ଆଗପଛ ଗତଆଗତ ନ ଭାବି ଲୟ ଲଗାଇ ପାରନ୍ତେ ଏମିତି ଆନନ୍ଦରେ ! ଏ ସଂସାରରେ ଦିନରାତି, ଗୋଟାକ ପରେ ଗୋଟାଏ ହୋଇ ଛଅଟି ଋତୁ, କେତେବେଳେ ଝାଞ୍ଜି କେତେବେଳେ କାକର, କେତେବେଳେ କେଉଁ ଯାତନା କେତେବେଳେ ଅବା ମରଣ-ଲାଗିଥିବ ଚାଲିଥିବ ଯେମିତି ଚାଲି ଆସିଛି । ତାହାରି ଭିତରେ ମଣିଷ ହୋଇପାରନ୍ତା ଏମିତି ନିର୍ଜଞ୍ଜIଳ, ଶାନ୍ତି, ଅକାତର !

 

କେବେ ସେ ଜଗତମାତା ହେବାର ଅନୁଭୂତି; କଳ୍ପନା କରିଥିଲା ତା’ ତା’ର ମନେନାହିଁ । ତା’ର ଭ୍ରୂଲତା ଉପରେ ବେଢ଼େଇ ହୋଇ ରହିଛି ହୁଗୁଳି ଯାଉଥିବା ନିଦ, ତା’ ପୁଅର ନିଦୁଆ ମୁହଁର ପ୍ରଶାନ୍ତି ତା’ ଅନ୍ତର ଭିତରେ ପ୍ରତିଫଳିତ ହେଉଛି, ସକାଳର କଅଁଳ ଖରାର ଧାରା ସ୍ଥିରପାଣି ଉପରେ ଛରିକି ପଡ଼ିଲାଭଳି, ସେହି ପାଣିତଳୁ କେଉଁ ଉହାଡ଼ରୁ ଭୁଟୁକି ଉଠିଲା ପରି ତା’ର ଅନ୍ତର ଭିତରୁ କ’ଣ ନୂଆ ଭାବ ଜନ୍ମ ହେଉଛି, ସେ ମୁକ୍ତି, ଆନନ୍ଦ ଓ ଅଶାର ।

 

ମନେପଡ଼ିଗଲା, ସେ ଚାକିରି ଛାଡ଼ିବ ଭାବିଥିଲି । ମନେମନେ କହିଲା,– “ଆଜି” ।

 

ପୁଅ ଉପରେ ନଇଁପଡ଼ି ପୁଅକୁ ଗେଲ କଲା ।

 

ମାସେ, ତିରିଶଟି ଦିନ । ଶୀତ ସରି ବସନ୍ତ । ରମାର ନୂଆ, ଘର, ନୂଆ ପରିବାର, ତା’ ନାଁ ଓଳଙ୍ଗ ଆଶ୍ରମ । ବାଡ଼ଘେରା ହୋଇ ଚାଳଘର ଧାଉଡ଼ିଏ, ଅରାଏ ବଗିଚା, କୂଅଟିଏ, ତିନୋଟି ଗାଈ, ଯୋଡ଼ିଏ ଦୁହାଁଳ, କରକୁ ଆଉ ଦି’ ବଖରା ଚାଳଘର, ଦିନବେଳେ ପିଲାଏ ଖୁନ୍ଦି ହୁଅନ୍ତି, ନାରୀକର୍ମୀମାନେ ପଢ଼ାନ୍ତି । ପିଲାଙ୍କୁ ପାଠପଢ଼ାଇବା, ଗାଁର ସ୍ତ୍ରୀଲୋକମାନଙ୍କୁ ଏକାଠି ଭେଳାଇବା, ତାଙ୍କ ସଙ୍ଗେ ଏକାଠି ପଢ଼ାପଢ଼ି ସିଲେଇ ଆଦି କରିବା, ଗାଁ’ଯାକ ଘର ଘର ବୁଲି କଳି ଭାଙ୍ଗିବା, ସଦୁପଦେଶ ଦେବା, ଯାହାର ଯେଉଁପରି ସାହାଯ୍ୟ ଦରକାର ପାରୁପର୍ଯ୍ୟନ୍ତେ ଅନ୍ୟମାନଙ୍କୁ କୁହାପୋଛି କରି ସେତକ ସାହାଯ୍ୟ କରାଇଦେବା ଏମିତି, କେତେ କାମ ଯେ ନାରୀକର୍ମୀ ପାଞ୍ଚ ଜଣକର, ରମାକୁ ମିଶାଇ ଛଅ ଜଣ । ଗାଁର ସ୍ୱାସ୍ଥ୍ୟ, ଗାଁର ପିଲାଛୁଆ, ଘରେ ଘରେ ସଫାସୁତୁରା ଚଳଣି, ବାରିବଗିଚା, ଏହାରି ଉପରେ ସେମାନଙ୍କର ଅଧିକ ନିଘା । ସେମାନେ ମନ ଖୁସିରେ ପରର ବାରିରେ ପରର କାମରେ ନିଜେ ଖଟନ୍ତି, କିଏ ବେମାର ପଡ଼ିଛି, ସେଠି ରୋଷେଇ କରିଦେବା, କେଉଁଠି କେବେ ଗୁହାଳ ପୋଛିଦେବା, କାହାର ଘର ଲିପିବା, ନିଜପାଇଁ ନିଜେ କାମ ତିଆରି କରନ୍ତି । ପାଞ୍ଚଜଣରୁ ଦି’ଜଣ ଏଠି ପାଞ୍ଚ ସାତବର୍ଷ ହେବ ରହିଲେଣି ! ରାଧୀ ନାନୀ ଆଉ ଶାରଦୀ ନାନୀ, ସତେ ଯେମିତି ଏଇ ଗାଁରେ ସେ ଦୁହିଁଙ୍କର ମୂଳରୁ ବାପଘର କି ଶାଶୁଘର, ଅନ୍ୟମାନେ ଆସନ୍ତି ରହନ୍ତି, ପୁଣି ଚାଲିଯାଆନ୍ତି ଆଉ କୁଆଡ଼େ କୁଆଡ଼େ,–ଅନ୍ୟ କେଉଁ ଆଶ୍ରମକୁ, ପାଖ କି ଦୂର କେଉଁ ପ୍ରାନ୍ତକୁ, ନ ହେଲେ ପୁଣି କେଉଁଠି ଆପଣା ଗୃହସ୍ଥଳୀକୁ, ଯେମିତି ଆଉ ତିନିହେଁ, ଶୋଭନା ଅପା, ଚନ୍ଦ୍ରମଣି ଅପା, ସୁନା ନାନୀ । ବହୁକାଳର ଏ ଓଳଙ୍ଗ ଆଶ୍ରମ । ଦିନ ଥିଲା ଯେତେବେଳେ ତା’ ନାଁରେ ହୁରି ପଡ଼ୁଥିଲା, ଖବରକାଗଜରେ ତା’ ନାଁ ବାରମ୍ବାର ଉଠୁଥିଲା, ସାମ୍ନାରେ ଏହି ଯେଉଁ ବଡ଼ ବରଓସ୍ତ, ତା’ ତଳେ ବିରାଟ ବିରାଟ ସଭା ହେଉଥିଲା, ଲୋକ ଥାଟପଟାଳି, ଆଶା ଉତ୍ତେଜନାମୟ ନାନାଧ୍ୱନିରେ ଏଠି ଆକାଶ ଫାଟିପଡ଼ୁଥିଲା । ଦେଶରେ କେତେଆଡ଼ୁ ଏଠିକି ଧାର ଛୁଟୁଥିଲା, ଏଠି ରହୁଥିଲେ କେତେବେଳେ କେଉଁ ବରେଣ୍ୟନେତା । ସ୍ୱାଧୀନତା ଆନ୍ଦୋଳନବେଳେ ଓଳଙ୍ଗ ଆଶ୍ରମ ହୋଇଥିଲା ଗୋଟିଏ ପ୍ରଭାବଶାଳୀ ଶକ୍ତିପୀଠ, ଯେଉଁମାନେ ପ୍ରାଣପଣେ ତାକୁ ବିରୋଧ କରୁଥିଲେ ତାଙ୍କର ନାନାଅଦୋଉତି ନାନାମଳମଳି ଓଳଙ୍ଗ ଆଶ୍ରମ ଅଙ୍ଗେ ନିଭେଇଛି, କେତେଥର ନିଆଁରେ ପାଉଁଶ ହୋଇ ପୁଣି ନୂଆ ହୋଇ ଗଢ଼ା ହୋଇ ଠିଆହୋଇଛି । ବରଓସ୍ତ ତଳେ ଢୁ ଢା ମାରପିଟ୍ ଧରପଗଡ଼ର ତାଣ୍ଡବଲୀଳା କେତେଥର ଅଭିନୀତ ହୋଇଛି, ତା’ପରେ ପୁଣି ବସିଛି ମେଳି, ସଭା, ପୁଣି ଠିଆହୋଇଛନ୍ତି ମଣିଷ । ଦେଶର ସେ ଘଡ଼ିସନ୍ଧିବେଳେ ସେମାନଙ୍କ ଆଶା, ସାହସ, ଧୈର୍ଯ୍ୟ ଅତୁଟ ରହିଛି ।

 

ତେବେ, ସେ ବେଳ ଚାଲିଯାଇଛି, ଓଳଙ୍ଗର ନାଁ କେହି କ୍ଵଚିତ ଏବେ ମନେପକାଇବେ ।

 

ଯେତେବେଳେ ଓଳଙ୍ଗ ପୀଠ ସେହି ଗଣ୍ଡ ମଫସଲ ଭିତରେ ଦୀପ ପରି ଜଳୁଥିଲା, ଆଲୁଅ ଦେଉଥିଲା । ଖଦୀ, ଗ୍ରାମ ସଙ୍ଗଠନ, ରଚନାତ୍ମକ କର୍ମ ସାମାଜିକ ଉନ୍ନୟନ, ଲୋକଚରିତ୍ର ଗଠନ, ଶିକ୍ଷା ଓ ସାଧାରଣଜ୍ଞାନର ପ୍ରସାର ନାନାକର୍ମସୂଚୀ ପ୍ରସାର ପାଉଥିଲା ଓଳଙ୍ଗ ଆଶ୍ରମକୁ କେନ୍ଦ୍ର କରି । କୋଡ଼ିଏ ଖଣ୍ଡି ଗାଁରେ ପ୍ରାୟ ଘରେ ଘରେ ଅରଟ ଚାଲୁଥିଲା, ପ୍ରତି ବାରିରେ କପା, ଗାଏଁ ଗାଏଁ ତନ୍ତ, ତେଲ ଘଣା, ସ୍ଥାନେ ସ୍ଥାନେ ଅଛୁଆଁ ପ୍ରଥା ଉଠାଉଠି, ପ୍ରତି ଗାଁରେ ନୂଆ କରି ଭାଗବତ ଟୁଙ୍ଗୀ ଅନୁଷ୍ଠାନ ଅଭ୍ୟୁତ୍‍ଥାନ ଓ ସେଇଠି ସମସ୍ତଙ୍କୁ ଭେଳାଇ ନାନାନିଷ୍ପତି ଅନୁସାରେ କାମ, ଯେଉଁ ଲୋକେ ଅଲଗା ଅଲଗା ହୋଇ ଆପଣା ଆପଣା ଘରେ ଆପଣା ଧନ୍ଦାରେ ବ୍ୟସ୍ତ ରହି ଭାବିବାକୁ ଅଭ୍ୟସ୍ତ ହୋଇଯାଇଥିଲେ ଯେ ତାଙ୍କ ବଳ ସୀମିତ, ଏଣ୍ଡୁଅ ଧାଉଡ଼ି କିଆବଣକୁ, ନିଜେ ମରୁଥିଲେ କେହି ପାଟିରେ ପାଣି ଟୋପାଏ ଦେବେନାହିଁ, ଓଳଙ୍ଗ ଆଶ୍ରମ ତାଙ୍କୁ ଏକାଠି କରି ଶିଖାଇଥିଲା ଯେ ଭାଇ ଭାଇ ହୋଇ ଛାତିକି ଛାତି ମିଶାଇ ଠିଆହେଲେ ମଣିଷର ଶକ୍ତି ହୋଇଯାଏ ଅଶେଷ, ଅସୀମ, ତା’ର ପରାଜୟନାହିଁ, ନିଜଠିଁ ହସ ନିଭି ଆସିଲେବି ଗୋଷ୍ଠୀର ହସ ଆନନ୍ଦରେ ସେ ସବୁବେଳେ ପ୍ରଫୁଲ୍ଲ ରହିପାରିବ, ମୁଁ ଆଉ ମୋର ବୋଲି ଯେଉଁ ସଂକୀର୍ଣ୍ଣ ଚେତନା ଜେଲଖାନାର ପାଚିରି ପରି ଜଣକୁ କାବୁ କରି ରଖିଛି ତାକୁ ତୁଟାଇ ପାରିଲେ ଗୋଟିକିଆ ମଣିଷ ହେବ ସହସ୍ରଶୀର୍ଷ, ସହସ୍ରପାଦ, ମଣିଷ ଜାତିର ଶକ୍ତିରୁ ସେ ଭାଗ ପାଇବ ।

 

ସେ ବି ସେହି ଚାଲିଗଲା ସମୟର କଥା ।

 

ସେତେବେଳେ ଓଳଙ୍ଗ ଆଶ୍ରମରେ ଯେଉଁମାନେ ଯେତେବେଳେ ନେତା ହୋଇ ରହିଥିଲେ, ସ୍ତ୍ରୀ ଅବା ପୁରୁଷ, ଗାଁ ଲୋକେ ତାକୁ ମଣୁଥିଲେ ଦେଶଯାକର ମା’ ବାପ ବୋଲି, ଋଷି, ସନ୍ଥ, ଗୁରୁଜନ, ଆଦର୍ଶ ବୋଲି, ତାଙ୍କୁ ସ୍ୱପ୍ନ ଦେଖୁଥିଲେ, ତାଙ୍କ କଥା ଭାବିଲାମାତ୍ରେ ଅନୁପ୍ରାଣିତ ହେଉଥିଲେ ।

 

ତା’ପରେ ଆସିଲା ନୂଆ ସମୟ, ନୂଆ ଚଳଣି, ଶକ୍ତି ପୀଠର ସଂଜ୍ଞା ବଦଳିଗଲା, ନୂଆ ପ୍ରକାର ଶକ୍ତିପୀଠ ଗଢ଼ିହୋଇଉଠିଲା ରାଜଧାନୀମାନଙ୍କରେ, ସହରରେ, ଶିଳ୍ପ ଅଞ୍ଚଳରେ, ନୂଆ ପ୍ରକାର ନେତା ଆସିଲେ, ଏମିତି କେତେ ଓଳଙ୍ଗ ପଡ଼ିରହିଲା ଗାଁଗହଳିରେ, ପୁରୁଣା ଅପୂଜା ଦେଉଳ ପରି, କେତେଠିଁ ଡିହବି ତାଷ ହୋଇଗଲା !

 

କିନ୍ତୁ ଓଳଙ୍ଗ ଆଶ୍ରମ ନାଁକୁ ହେଉପଛେ, ରହିଯାଇଥିଲା । ଦେଶରେ ବିପୁଳ ପରିବର୍ତ୍ତନ ଘଟିଗଲେବି ତଥାପି ବଞ୍ଚି ରହିଲା କର୍ମୀ-ଧର୍ମର ଧାର, ତା’ର ଆନୁଷ୍ଠାନିକ ସଂଗଠନ, ତାହାରି ସହିତ ସଂପୃକ୍ତ ହୋଇ ରହି ଓଳଙ୍ଗ ଆଶ୍ରମ ରହିଥିଲା । ସେଥିପାଇଁ କୁଶଳ କୁମାର ଦାସଙ୍କ ଉଦ୍ୟମ ବେଶି ଭାଗରେ ଦାୟୀ ।

 

ଏଠି ରମାକୁ ଛାଡ଼ି ସୁରର ପାଞ୍ଚଟି ମା’, ସେ ଏ ହାତରୁ ସେ ହାତ ହୋଇ ବୁଲେ, କାମକୁ ନ ଯାଇ ଯେ ଯେତେବେଳେ ଏଠି ଥାଏ ସେ ତାକୁ ଶରଧା କରେ, ଆଉ କାହାରି ଏଠି ପିଲା ନାହାଁନ୍ତି । ଗପିବା କି କାମ କରିବାକୁ ରମାର ସବୁବେଳେ ତହିଁରୁ କେହି ନ ହେଲେ କେହି ଥିବେ, ପଦାକୁ ଗଲେ ଗାଁଯାକ ଆପଣାର ମଣିଷ । ଓଳଙ୍ଗ ଆଶ୍ରମର ମୋହର ଯାହାଠିଁ ମାରିଛି ଲୋକେ ତା’ର ଅନ୍ୟ ପରିଚୟ ଲୋଡ଼ନ୍ତିନାହିଁ, ତା’ପାଇଁ ତାଙ୍କ ମନ ଖୋଲା, ହୃଦୟ ଶୀତଳ । ଆଶ୍ରମର ଚଳଣିପାଇଁ ସ୍ଥାୟୀ ବ୍ୟବସ୍ଥା ଅଛି, ମୁଠାଏ ଖାଇ ମୋଟାସୋଟା ପିନ୍ଧି ଚଳିବାପାଇଁ ଟାଣଟୁଣି ପଡ଼େନାହିଁ, ସଂଚାଳିକା ରାଧୀ ନାନୀ, ସେ ସତେ ଯେମିତି ସମସ୍ତିଙ୍କର ମା’ । ଏମାନେ ସତେ ଯେମିତି ରମାର ଅତି ଆପଣାର ମଣିଷ, ନିଜକୁ ଏଭଳି ଗଢ଼ିଛନ୍ତି ଯେ କଥାରେ କାର୍ଯ୍ୟରେ ସବୁବେଳେ ସାହାଯ୍ୟ କରିବାକୁ ପ୍ରସ୍ତୁତ, ଯାହା କହିଲେ କାହା ମନରେ କଷ୍ଟ ହୋଇପାରେ ତା’ ସେମାନେ ତୁଣ୍ଡରେ ଧରନ୍ତିନାହିଁ, କାହାର ବ୍ୟକ୍ତିଗତ କାହାଣୀ ଖୋଳା ତଡ଼ା କରିବାକୁ ତାଙ୍କ ମନରେ କୁତୂହଳନାହିଁ ।

 

କିନ୍ତୁ କେହି ନିଜର ସମସ୍ୟା ନିଜର ଦୁଃଖ କହିଲେ ସେମାନେ ସହାନୁଭୂତି ଦେଖାଇ ଶୁଣନ୍ତି, ଆପଣା ବିବେକ ବୁଦ୍ଧିରେ ତା’ପାଇଁ ଯେଉଁ ସମାଧାନ ସମ୍ଭବ ହୁଏତ ସେତିକି କହନ୍ତି, ନପାରିଲେ ବୁଝାନ୍ତି ଧୈର୍ଯ୍ୟ ଧରିବାକୁ, ଭଗବାନଙ୍କ ଉପରେ ସବୁ ଛାଡ଼ିଦେବାକୁ । ଆଉ ରାଧୀନାନୀଙ୍କର ତ କଥା କଥାକେ ଶ୍ରୀଭାଗବତର ପଦ, ସେ କହନ୍ତି ମଣିଷର ଯେଡ଼େ ବଡ଼ ସମସ୍ୟା ଥାଉ, ଯେଉଁ ପ୍ରକାରର ସମସ୍ୟା, ତା’ର ସମାଧାନର ବାଟ ଜଗନ୍ନାଥ ଦାସଙ୍କ ଭାଗବତରୁ ମିଳିବ, ପଦକୁ ହୃଦରେ ଧରି କାର୍ଯ୍ୟରେ ସାଧିପାରିଲେହିଁ ହେଲା ।

 

ଓଳଙ୍ଗ ଆଶ୍ରମ । ଖଦଡ଼ । ନିରାମିଷ । ସରଳତା । ଶ୍ରମ । ପବିତ୍ରତା । ବିନୟ । ସୌଜନ୍ୟ । ସେବା । ନିୟମିତ ଭାବରେ ସଦ୍‍ଗ୍ରନ୍ଥ ପାଠ, ଯେତେ ଅଳ୍ପ ବେଳ ମିଳୁ ପଛେ । ପ୍ରାର୍ଥନା । ଆପଣାକୁ ମୂଲ୍ୟ ଦେବାକୁ ଯାଇ ଶୋଇଲା ଆଗରୁ ଖାଲି ଆପଣା ଆଗରେ ଗୋଟିଏ ପରଖ ।

“ଆଜି ପାହାନ୍ତାରୁ ମତେ ଭଗବାନ ଏ ପୃଥିବୀରେ ଚେତନା ଦେଇ ଠିଆ କରାଇଥିଲେ, ଯେ ଚେତନା ପୁଣି ତାଙ୍କୁ ସମର୍ପଣ କରିଦେଉଛି, ତେବେ ମୁଁ ସତ୍‍କାମ ନିଃସ୍ୱାର୍ଥ କାମ କଲି କ’ଣ ? ଆଜିକି ଯେ ସଜ୍ଞାନରେ ବଞ୍ଚିଥିଲି ସେଥିପାଇଁ ଯୋଗ୍ୟ ହେଲି କେତେକରେ ? ଆଜି କେତେ ଭାବିଛି ନିଜ ସ୍ୱାର୍ଥ କଥା,–ନିଜ ସୁଖ ସୁବିଧା, ନିଜ ଦେହପା, ନିଜ କ୍ଳାନ୍ତି କି ବିଶ୍ରାମ କଥା, ନିଜ ନିନ୍ଦା ପ୍ରଶଂସା କଥା, ଆଉ କେତେ ଧ୍ୟାନ ଦେଇପାରିଛି ପରର ହିତକୁ ? ଆଜି ଯାହା କାମ ହେଲା ସେଥିରେ ନିଜପାଇଁ କେତେ କାମ କଲି, ପରପାଇଁ ନିଃସ୍ୱାର୍ଥ ଭାବରେ କେତେ କାମ କଲି ?” ସେ ଓଜନ ଖାଲି ନିଜ ପାଖେ ନିଜେ । ନିଜକୁ ଆକଟିବାକୁ ମନ ହେଲେ ପର ଆଗରେ ନିଜର ଦୋଷତ୍ରୁଟି କୁହାଯାଇପାରେ, ନିଜର ବାହାଦୂରୀ କେବେ ନୁହେଁ । ୟା’ କରିବି, ତା’କରିବି ବୋଲି ଭାକୁଚିଆଳି ହୋଇ ଗପିବାକୁ ନିଜ ଉପରେ ପୂରା କଟକଣା, ଯାହା ହୋଇପାରିବ ତା’ ହେବ କାର୍ଯ୍ୟରେ, ପରାମର୍ଶ ପାଇଁ କାହା ସଙ୍ଗେ ଆଲୋଚନା ହୋଇପାରେ, ଆତ୍ମପ୍ରଚାର ପାଇଁ ନୁହେଁ ।

ଗାଈଦୁଧ ଗାଁ’ରେ ବାଣ୍ଟିଦିଆଯାଏ, ଯାହାର ଆବଶ୍ୟକ ଥାଏ ତାକୁ, ସେମିତି ଯାଏ ବାରିର ପନିପରିବା ଯାହା ଦୋଓଟି ହୁଏ ତହିଁରୁ ବଡ଼ ଭାଗକ, ଫଳେବି ବହୁତ ଆଶ୍ରମର କାଗେଜି ଆକାରରେ, ବାସ୍ନାରେ, ବିପୁଳ ଆମଦାନିରେ, ସେ ଅଞ୍ଚଳଯାକରେ ଅସ୍ୱାଭାବିକ । ଲୋକେ କହନ୍ତି ସେ ଦେଶପ୍ରେମୀ ନିଷ୍ଠାପର ସନ୍ଥମାନଙ୍କ ସାଧନାର ଫଳ, ନଦେଲେ ଆଉ କାହା ବାରିରେ ନ ହୁଏ କାହିଁକି ? ଆଉ ସେମିତି ସେ ବାରିର କୋଶିଳା ଶାଗ, ନେଉଟିଆ ଶାଗ, କଞ୍ଚା ଲଙ୍କାମରିଚ ।

ଆଶ୍ରମର ପବିତ୍ରତା ଓ ଶାନ୍ତ ରମା ସତେଯେପରି ସେ ପବନରୁ ବାରି ପାରିଥିଲା । ଚାକିରି ଛାଡ଼ିଦେଇ ସେଠିକି ଉଠିଆସି ସେ ଦିନାକେତେ ସ୍ୱସ୍ଥିରେ ନିଃଶ୍ୱାସ ମାରିଥିଲା, ସେ ଯାହା ଲୋଡ଼ିଥିଲା ସତେଅବା ସେ ଜୀବନ ସେହିପରି, ସେ ଏଠି ସ୍ୱାଧୀନ, ସେ ତା’ ମନ ଖିଆଲରେ ତା’ ଜୀବନର ସୁଆଦ ଉପଭୋଗ କରିପାରିବ, ସେ ଏଠି ରହିଲେ ଜଗତଯାକର ଗହଳି ଭିତରେ ଥାଇ ସୁଦ୍ଧା ରହିଛି ଅଦୃଶ୍ୟ ହେଲାପରି, ନାରୀକର୍ମୀଙ୍କ ଗହଣ ଓ ସମାଦର ତାକୁ ଭାରି ଭଲଲାଗିଲା, ସକାଳେ ସାନ ପିଲାଙ୍କୁ ପଢ଼ାଇବା କାର୍ଯ୍ୟ ଅତି ରୁଚିକର ଲାଗିଲା, ସେ ସେଠି ଆପଣାର ହୋଇଗଲା ।

ଏପରି ସାତଦିନ ବିତିଲା । ତା’ପରେ ପୁଣି ସେ ଛଟପଟ ହେଲା–ଧନ୍ଦି ହେଲା ଯେ ସେତ ଖାଲି ବେଳ କଟାଉଛି, କରୁଛି କ’ଣ ?

ସଞ୍ଜବୁଡ଼େ ଯେତେବେଳେ ଆଶ୍ରମର ଚାରିପଟ ତୁନିତାନି ପଡ଼ିଯାଏ, ଦଣ୍ଡା କ୍ଷେତ ସବୁ ଲୁଚିଯାଏ ଅନ୍ଧାରରେ, ସାମ୍ନାକୁ ଅନାଇଁଲେ ସେ ଦେଖେ ସେହି ଯାଉଁଳି ଗଛ, ବରଟିଏ, ଓସ୍ତଟିଏ । ଯେମିତି ଆଉ କିଛିନାହିଁ, ଖାଲି ସେହି ଦି’ଜଣ । ଖୋର୍ଦ୍ଧା ଆଡ଼ୁ ଭୁବନେଶ୍ୱର ଆସିଲାବେଳକୁ ଠାଏ ଯେମିତି ଦୂରରେ ଦିଶେ–ଆଉ କିଛିନାହିଁ, ଦିଗ୍‍ବଳୟ ଆଗରେ ଖାଲି ଲିଙ୍ଗରାଜ ମହାପ୍ରଭୁଙ୍କ ଦେଉଳ, ପୁରୀ ଯାଉ ଯାଉ ଯେମିତି ଦିଶେ, ଆଉ କିଛିନାହିଁ, ଗୋଟିଏ ହଜିଯାଉଥିବା ସମତଳ ଉପରେ ଖାଲି ଜଗନ୍ନାଥ ଦେଉଳ, ବାରମ୍ବାର ସେମିତି ଅନୁଭୂତି ତା’ର ହୁଏ, ସେ ଭାବେ ସେ ଦେଖୁଛି ଯୋଡ଼ିଏ ବ୍ୟକ୍ତିତ୍ୱ । ଦିନବେଳେ କେତେଥର ସେ ଭାବିଚି, ଯଦି ସେ ଗଛ ଯୋଡ଼ିକରେ ମାଳତୀ ଆଉ ମଧୁମାଳତୀ ମାଡ଼ିପାରନ୍ତା, କେଡ଼େ ସୁନ୍ଦର ହୁଅନ୍ତା ! ସଞ୍ଜବୁଡ଼େ ତାଙ୍କୁ ସଜାଇ ସୁନ୍ଦର କଲାଭଳି ସମ୍ପର୍କ ଅନୁଭୂତି ସେ କଳ୍ପନା କରିପାରେନାହିଁ, ସେମାନେ ତାକୁ ମାଡ଼ିପଡ଼ନ୍ତି । ଲାଗେ, ଓଳଙ୍ଗ ଆଶ୍ରମ ଓ ଓଡ଼ିଶାରେ ଗାନ୍ଧୀଯୁଗର ଇତିହାସ ସହିତ ସେ ଗଛ ଦିହେଁ ନିବିଡ଼ଭାବେ ସଂଶ୍ଳିଷ୍ଠ, ଆଦର୍ଶବାଦ, ଆଚାର ନିଷ୍ଠା, ନୀତିମତ୍ତା, କଠିନ ବ୍ରତଚର୍ଯ୍ୟା, ନିଜ ଜୀବନରେ ସ୍ପଷ୍ଟ ଲକ୍ଷ୍ୟ ସ୍ଥିର କରି ସେହି ଉଦ୍ଦେଶ୍ୟରେ ଅକ୍ଳାନ୍ତ କର୍ମ, ନିଜପ୍ରତି ମମତାହୀନ ହୋଇ ରୁକ୍ଷ ଶ୍ରମ ଭିତରେ ଜୀବନ ବିତାଇ ତାଙ୍କ ଠାଣିରେ ଏଭଳି ପ୍ରକାରେ ନିର୍ଲିପ୍ତତା ଯେ ଦେଖିଲେ ଅତି ପାଖରେବି ଦୂର ଦୂର ଲାଗେ ଅଥଚ ମନପ୍ରାଣ ଟାଣି ହୋଇଯାଏ, ସେହିକଥା କହେ ଅତୀତ ଆଉ ତାହାରି ପ୍ରତୀକ ଏ ଯୋଡ଼ିଏ ଗଛ, ଏମିତି ତାକୁ ଲାଗେ ।

ସେମାନେ ଥିଲେ ଯୋଗୀ, ତାଙ୍କଠିଁ ଭୋଗ ଲିପ୍‍ସା ନଥିଲା ।

ସେମାନେ ଋଷି, ଯେତେ ତ୍ରୁଟି ଦୁର୍ବଳତା ଥାଇ ଚାଲାଖ ଚତୁର ହିସାବୀ ଛୋଟମନ ଛୋଟବୁଦ୍ଧି କୌଶଳ ଶସ୍ତା ମଣିଷ ନଥିଲେ । ସେମାନେ କହୁ ନଥିଲେ “ଆମ ପିଛା ଧରିଲେ ତୁମର ବ୍ୟକ୍ତିଗତ ଲାଭ ହେବ, ଯେଉଁ ପ୍ରକାରେ ହେଉ ।”

ଡାକି ହାକି କହୁଥିଲେ, “ଆସ, ମା’ର ସେବା କର, ନିଜକୁ ବଳି ଦିଅ, ଯଦି ମାରିବାକୁ ତୁମର ଡରନାହିଁ, ଯେବେ କଷ୍ଟ ଦୁର୍ଦ୍ଦଶା ବିପଦ ସହିବାକୁ ଡରନାହିଁ ତେବେ ଚାଲିଆସ, ନିଜକୁ ଉଜାଡ଼ି ଜାଳିପୋଡ଼ି ମଣିଷ ଜୀବନର ସାର୍ଥକତା ପାଅ ।”

ସେମାନେ,–କିଏ ଗାନ୍ଧିବାଦୀ, କିଏ ସନ୍ତ୍ରାସବାଦୀ, କିଏ କ’ଣ, କିନ୍ତୁ ଗଢ଼ଣରେ ଏକାକାଟର, ଦୁର୍ବଳତାକୁ ଘୃଣା କରୁଥିବା ଟାଣୁଆ ମଣିଷ, ନିଜକୁ ଉପରୋଧନାହିଁ, କର୍ମରେ ଲିପ୍ତ ରହି ବୈରାଗ୍ୟସାଧନ ତାଙ୍କ ସମସ୍ତିଙ୍କର ପନ୍ଥା ।

ଓଳଙ୍ଗ ଆଶ୍ରମ ରମାକୁ ଚେତେଇଦିଏ ସେହିମାନଙ୍କ କଥା ମନେପକାଇ ଦେଇ । ସେମାନେ ଅଶରୀରୀ ହେଲେଣି, ଖାଲି ସ୍ମୃତି, କେତେଦିନ ପରେ ହେବେ କିମ୍ବଦନ୍ତୀ । ତା’ପରେ ଗୋଟି ଗୋଟିକିଆ ହୋଇ ନାଁ ଅନୁସାରେ ମନେପଡ଼ିବେ ଅଳ୍ପ କେଇଜଣ, କିନ୍ତୁ କେତେଗୁଡ଼ିଏ ଗୁଣ ଗୋଟିଏ ପ୍ରକାର ଆଚରଣ ଥାଇ ଯେଉଁ କଳ୍ପିତ ରୂପ ମନେପଡ଼ିବ ସେହି ହେବ ସେମାନଙ୍କ ପ୍ରତୀକ, ତା’ର ନାଁ ନଥାଉ । ସ୍ୱପ୍ନିଳ, ଅବାସ୍ତବ, ଖାଲି ଭକ୍ତି ଓ ପୂଜାପାଇଁ ଧ୍ୟେୟ ହୋଇ କିଛି କାଳ ସେ ରୂପବି ସ୍ମରଣରେ ରହିଯିବ, ଯେଉଁଠୁ ସେ ଲୋପ ହେବ । ଇତିହାସ ବହିରୁ କେତେଟା ନାଁ ମିଳିବ, କିନ୍ତୁ ନାଁ ସହିତ ଯେଉଁ ରୂପର ସଙ୍କେତ ଥାଏ, ଯେ ଭାବ ଉପୁଜାଏ, ନାଁକୁ ଅର୍ଥ ଦିଏ, ସେ ଆଉ ନଥିବ । ସେମିତି ନାଁ ତ ବହୁତ ଅଛି ପୁରାଣମାନଙ୍କରେ, ମାଦଳାପାଞ୍ଜିରେ, ଇତିହାସରେ, କାନ୍ଥରେ ବାଡ଼ରେ, ଶହ ଶହ ନାଁ, ଯାହାର ନାଁ ତା’ ବ୍ୟକ୍ତିତ୍ୱକୁ ସେ ନାଁ ଶୁଣି ଭାବି ହୁଏନାହିଁ । ଏମିତି ରମା ଭାବୁଥିଲା । ଭାବୁଥିଲା, ହରବି ଗୋଟିଏ ନାଁ । ତେବେ ସେ ତ ଆଉ ୟେ ସଂସାରରେନାହିଁ । ଯେଉଁମାନେ ଅଛନ୍ତି ଅଥଚ କେବେ ଅତି ଆପଣାର ହୋଇଥିଲେବି ଏବେ ସେମାନଙ୍କ ସହିତ ତା’ର କାରବାରନାହିଁ, ଯେମିତି ରମାର ବାପଘର ଲୋକେ, ସେ ଖଞ୍ଜାର ଲୋକେ କେଡ଼େ ଶୀଘ୍ର ସେମାନେ ତା’ ପାଖରେ ହୋଇଯାଉଛନ୍ତି ନା !

 

ସେ ଉଦାସ ହୋଇ ସେହି ଦି’ମୂର୍ତ୍ତି ଗଛଙ୍କୁ ଅନାଏଁ, ତାଙ୍କର ଛାଇଛାଇଆ ରୂପକୁ, ତା’ ଆଖି ସେଇଠି ଲାଖିରହେ, ସେମାନେ ଓଳଙ୍ଗର ବେଶିଦୂର-ନୁହେଁ ସତ୍ୟ ଯୁଗର କର୍ମବୀର ଋଷି ଦୁଇଜଣ ।

 

ସେ ଦବିଯାଏ, ଆହୁରି ମନସ୍ତାପରେ ପଡ଼େ । ଭାବେ, ସେମାନେ ନିଜକୁ ତିଆରି କରି ଠିଆ କଲେ ପ୍ରକାଣ୍ଡ ରୂପରେ, ଆଉ ସେ କ’ଣ ହେଲା ? ସେହି ଗଛ ଗଣ୍ଠିରେ ଯେଉଁ ଛତୁ ଫୁଟେ, ଯେଉଁ ଫିମ୍ପି କି ଶିଉଳି ବସେ, ସେମିତିଆ ? କାହିଁ ତା’ଠିଁ ଟାଣପଣ, ବୁଦ୍ଧିବିଚାର, ପ୍ରସ୍ତୁତି, ସେ ହୃଦୟ, ସେ ମନ, ସେ କାମ, କାହିଁ କାଣିଚାଏ ? ନିଜ ଜୀବନରେ ତାଙ୍କପରି ସେ କେବେ ଦେଖିନାହିଁ ଜ୍ୟୋତି, କେବେ କଳିନାହିଁ ନିଜର କ’ଣ ଲୋଡ଼ା, ଦେଖିନାହିଁ ଆପଣାର ଲକ୍ଷ୍ୟ କ’ଣ, ଅନ୍ଧାରରେ ସେ ଭାଁ ବୁଲୁଛି ।

 

ଛାଇ ମୂର୍ତ୍ତିଙ୍କ ଭଙ୍ଗୀରେ ସେ ଦେଖେ ତା’ ପ୍ରତି ତିରସ୍କାର, ମନରେ ଯେ ଦୁର୍ବଳ, ଯେ ଥୁରୁ ଥୁରୁ, ଅପାରଗ ତା’ ପ୍ରତି ସେମାନଙ୍କର ସହାନୁଭୂତିନାହିଁ ।

 

ଭାବୁ ଭାବୁ ତା’ଠିଁ ସବୁ ଓଲଟପାଲଟ ହୋଇଯାଏ, ଭାବେ–ଅତି ସାଧାରଣ ନିରିମାଖି ଜୀବନଟାଏ, ଯେମିତି ଆଉ ହଜାରେ ହଜାରେ ମଣିଷଙ୍କର, ଏ ଜୀବନରେ ଆଉ କ’ଣ ଆଶ୍ଚର୍ଯ୍ୟ ପ୍ରକାରେ ଘଟିବ ତା’ଦ୍ଵାରା କ’ଣ ହେବ ବୋଲି ସେ ଭାବିଛି ? କାହିଁକି ଅବା ଏଠିକି ସେ ଆସିଛି ? ତା’ଠିଁ ବିଚାରରେ ଖିଅ ଛିଣ୍ଡିଯାଏ, ସେ ବିଭୋଳ ହୋଇ ଅନ୍ଧାରକୁ ଅନାଇଁରହେ । କେତେବେଳକେ, ଆଖି ପୋଡ଼େ, ତା’ପରେ ନିଗିଡ଼େ ଧାରା, କ୍ଳାନ୍ତ ହେଲାପରେ ସେ ପୁଣି କିଛି ସମୟପାଇଁ ଲେଉଟି ଆସେ ନ ଭାବି କଳପରି ଚଳିଯିବା ସ୍ଥିତିକୁ, ଯେମିତି ସେ ଏଠି ସବୁଦିନେ ଥିଲା, ଆଶ୍ରମର ସାଧାରଣ କର୍ମୀଟିଏ ।

 

ଦିନେ କୁଶଳବାବୁ ପୁଣି ଆସିଲେ । ଏଥର ଆଗଠୁଁ ବଳି ତାଙ୍କଠିଁ ଉତ୍ସାହ, ସେ ସହରରେ ବୁଲି ଉପଯୁକ୍ତ ସ୍ଥାନରେ ରମା ବିଷୟରେ ଆଲୋଚନା କରିଆସିଛନ୍ତି, ଯେଉଁମାନେ ତାଙ୍କ କଥା ମାନିବେ ବୋଲି ତାଙ୍କର ବିଶ୍ୱାସ ସେମାନେ କୁଆଡ଼େ ତାଙ୍କରି ପରି ଆଶା ଓ ଉତ୍ସାହରେ ଅପେକ୍ଷା କରି ରହିଛନ୍ତି, ସେମାନେ ରମାକୁ ଉଚ୍ଚ ଆସନ ଉଚ୍ଚ ଦାୟିତ୍ୱ ଦେବାକୁ ଆଗ୍ରହୀ, କୁଶଳବାବୁଙ୍କ ନିଷ୍ପତ୍ତି ଉପରେ ବିତର୍କ କରିବା ସେମାନଙ୍କର କଳ୍ପନା ବାହାରେ । ସମସ୍ତେ ଏକମତ, ଦେଶକୁ ଘର ପରି ମଣି ଦାୟିତ୍ୱ ସମ୍ଭାଳୁ ନାରୀ, ମା’ ସମସ୍ତେ ତାହାରି ସନ୍ତାନ, ଏପରି ଯଦି କେହି ଅଛି ବାହାରିପଡ଼ୁ ସେ ଆଗକୁ, ସେମାନେ ତା’ ଗୋଡ଼ ଧୂଳି ନେଇ ମୁଣ୍ଡରେ ମାରିବେ । ତେଣୁ ସହରକୁ ଯିବାକୁ ପଡ଼ିବ ।

 

କୁଶଳବାବୁଙ୍କୁ ସଙ୍ଗରେ ଘେନି ରାଧୀନାନୀଙ୍କ ସଙ୍ଗରେ ରମା ବଡ଼ ସହରରୁ ଗଲା । ସେଠି ବସା ‘କୁଆତାରା’ ଆଶ୍ରମରେ, ରହଣି ପନ୍ଦର ଦିନ ।

 

ହତା ଚାରିକରେ ପୁରୁଷେ ଉଞ୍ଚ ଇଟା ପାଚିରି, ସେଥିରେ ଗୋଟିଏ ଫାଟକ । ଭିତରେ ଚାରିକଣିଆ ହୋଇ ଖଞ୍ଜାଟିଏ, ଦର ବାର ବଖରା ମାଟିଘର, ଖପର୍ଲି ଛାତ, ତଳେ ତଲେଇ । ସ୍ଥାୟୀ ବାସିନ୍ଦା ବୋଲି ଏଠି କେହିନାହାନ୍ତି, କେତେବେଳେ କେଉଁ କର୍ମୀ, ସ୍ତ୍ରୀ କି ପୁରୁଷ କି ପରିବାର ଆସି ରହନ୍ତି, ଚାଲିଯାଆନ୍ତି । କିନ୍ତୁ ସଂଘର ନୀତି ଅନୁସାରେ କୁଆତାରା ଆଶ୍ରମ ଗୋଟିଏ କୋଠାଘର, ଯେ ଥାଉ, ସମସ୍ତେ ମିଶି ଏକ ପରିବାର । ସାଧାସିଧା ଭେକ ଓ ଚଳଣି, ସମସ୍ତେ ଖଦଡ଼ପିନ୍ଧା ଆଇଁଷଛଡ଼ା ମଣିଷ, ପୁରୁଷମାନେ ଖାଲି ଦେହ, ଖଣ୍ଡେ ମୋଟା ଧୋତି, ସ୍ତ୍ରୀଲୋକମାନେ ଖଣ୍ଡେ ଖଣ୍ଡେ ସାଧା ଶାଢ଼ୀ, ସାଧା ଜାମା । ସେମାନେ କୋଡ଼ି ଧରି ବାରି ହାଣନ୍ତି, କେବେ ଟୋକେଇ ଫାଉଡ଼ା ଝାଡ଼ୁ ଧରି ବାହାରି ପଡ଼ନ୍ତି ବାହାରେ ସଡ଼କ ଓ ନାଳିଆ ସଫା କରିବାକୁ, ସୂତା କାଟନ୍ତି, ଏକାଠି ପଙ୍ଗତରେ ଖାଇ ବସନ୍ତି, ଏକାଠି ବସି ଠାକୁରଙ୍କୁ ପ୍ରାର୍ଥନା କରନ୍ତି, ବହି ପଢ଼ନ୍ତି, କ’ଣ କ’ଣ ଲେଖନ୍ତି । ସେହି ଅତି ସାଧାରଣ ମଣିଷମାନଙ୍କ ମୁହଁକୁ ଚାହିଁଲେ ଜଣାପଡ଼େ ସେମାନେ ଅତି ଅସାଧାରଣ, ସେମାନେ ପାଠପଢ଼ିଛନ୍ତି, ନିଜ ବୁଦ୍ଧିରେ ସବୁ କଥା ଭାବିପାରନ୍ତି, ଉନ୍ନତ ବୁଦ୍ଧି ବିଚାର ଓ ନୀତି ଆଦର୍ଶ ଅଭ୍ୟାସ ମଣିଷର ମୁହଁରେ ଯେଉଁ ବିଶିଷ୍ଟ ଛପା ରଖିଯାଏ ରମା ସେଠି ସବୁଠିଁ ଦେଖେ ସେହିଆ । ଜାଣିହୁଏ, ସେମାନେ ସହିଛନ୍ତି, କାମ କରିଛନ୍ତି, ଆପଣା ରୁଚିରେ ୟେ ମାର୍ଗ ଧରିଛନ୍ତି, ନିଜର ‘ଲାଭ ଶୁଭ’ ତାଙ୍କ ଯୋଜନାରେ ନାହିଁ ।

 

ରମାର କୁତୂହଳ ହେଲା, ସେ ପଚାରି ପଚାରି ଆଉ କେତେ କଥା ଜାଣିଲା । ଏ ସଂଘର ନାନାକାମ, ଏ ଦେଶରେ ଓ ଏ ଦେଶ ବାହାରେ ନାନାସ୍ଥାନରେ । ବଢ଼ି, ବାଡ଼ି, ପୋଡ଼ି, ମରୁଡ଼ି, ବଡ଼ିଆବାଡ଼ି, ଦରବ କି ମଣିଷ ଭିଆଣ ବିପତ୍ତି କି ଅନାବୃଷ୍ଟି ପଡ଼ିଲେ ଏମାନେ ସେଠିକି ଯାଇ ଲୋକଙ୍କ ସେବା କରନ୍ତି, ଅବସ୍ଥା ସୁଧାରନ୍ତି, ବଣପାହାଡ଼ଠୁଁ ସମୁଦ୍ରଯାକେ ଯେଉଁଠି ଲୋକେ ଭୋକଉପାସରେ କଲବଲ ହୁଅନ୍ତି କି ଅବା କାହା ଶୋଷଣ ଅତ୍ୟାଚାର ଦାଉରେ, ଯେଉଁଠି ଲୋକେ ବାର ଅବସ୍ଥାରେ ପଡ଼ି ଚଳନ୍ତି ପଶୁପରି, ନା ବିଦ୍ୟା ନା ବୁଦ୍ଧି ନା ବିଚାର, ଏମାନେ ସେଇଠି ରହି ସେହି ଲୋକଙ୍କପାଇଁ କାମ କରନ୍ତି । ଆଉ ଅଇଚ୍ଛା ଲାଗିଛନ୍ତି ସମସ୍ତେ ଗୋଟାଏ ବଡ଼ କାମରେ, ସତେ ଯେମିତି ପଥରକୁ ତରଳେଇ କରିବେ ପାଣି, କୁହାପୋଛା କରି ଭଲବାଟ ବତେଇ ମଣିଷ ମନକୁ ଏପରି ବଦଳାଇ ଦେବେ ଯେ ସେ ଯାଚି ଯାଚି ପରକୁ ଆପଣା ଖାଇବା ଭାତରୁ ଭାଗ ଦେବ, ଜମିରୁ ସମ୍ପତ୍ତିରୁ ଭାଗ ଦେବ, ପରର ଭଲ କରିବା ଦାୟିତ୍ୱ ନେବ, ସଂସାରଯାକ ସ୍ନେହ, ବିଶ୍ରାମ, ସାହାଯ୍ୟ ସହଯୋଗ ପୂରି ରହିବ, କେହି କାହାର ଅନିଷ୍ଟ ପାଞ୍ଚିବବି ନାହିଁ । ସେମାନେ ଭଦ୍ର, ଶାନ୍ତ, ବିନୟୀ କିନ୍ତୁ ତାଙ୍କଠିଁ ନାହିଁ ଲୋକଦେଖାଣିଆ ଅତି ସୌଜନ୍ୟ, ଖୁସାମତ କରନ୍ତିନାହିଁ, ମନରଖା କଥା କହନ୍ତି ନାହିଁ, ଅଯଥା ନସରପସର ହୁଅନ୍ତିନାହିଁ, କଥାପଡ଼ିଲେ ନିଜ ମତ କହନ୍ତି ଠୋ ଠା କରି, ତାଙ୍କଠିଁ ଡରନାହିଁ କି କପଟନାହିଁ ।

 

ସେମାନେ ସମସ୍ତେ କାମିକା ମଣିଷ, କାର୍ଯ୍ୟବ୍ୟସ୍ତ । କିନ୍ତୁ ସେ କାମର ସତେକି ଶେଷନାହିଁ, ଗୋଟିଏ ସରିଲେ ଥାଉ ଗୋଟିଏ କାମ ଆପେ ପହଞ୍ଚେ । ଲାଗେ ତାଙ୍କ ଜୀବନର ଉଦ୍ଦେଶ୍ୟ ସେତିକି, ବିନା ବଚନିକାରେ କାମ କରିଯିବା, କିଏ କ’ଣ କହିଲା ଖାତିରନାହିଁ ।

 

ଆଉ ଏଇ ଦୀକ୍ଷାରେ ଥାଇ ସେମାନେ କ୍ଷମତା, ଧନ ସମ୍ପତ୍ତି ଆହରଣ, ନାଁ କମେଇବା, କାହାଠୁଁ ମାନ୍ୟମାନତା, ଭକ୍ତି ଏପରିକି କୃତଜ୍ଞତା ପାଇବା ଚିନ୍ତାଠୁଁ ବହୁତ ଦୂରରେ, ତାଙ୍କ ଜୀବନ ସହିତ ସେଗୁଡ଼ାକର ସମ୍ପର୍କନାହିଁ । ରମା ଚମକି ପଡ଼େ କାହା କାହା ପରିଚୟ ଆବିଷ୍କାର କଲା ସଙ୍ଗେ ସଙ୍ଗେ, କିଏ କେବେ କେଉଁଠି କ’ଣ ହୋଇଥିଲା, କ୍ଷମତାରେ କି ଧନରେ କି ପଦ ପଦବିରେ, ତାକୁ ଫୋପାଡ଼ି ଦେଇ ସଙ୍ଘକୁ ଚାଲିଆସିଛି, ଆଜି ପରସେବାରେ ଫକୀର ବାରବୁଲା ବ୍ରତ ଧରି ଲାଗିଛି । କୁଶଳବାବୁ ସେମାନଙ୍କୁ ଭକ୍ତି କରନ୍ତି, କିନ୍ତୁ କିଏ ଗୋଡ଼ ଘଷି ଦେବ ବୋଲି ଗୋଡ଼ ବଢ଼ାଇ ଦେବାକୁବି ତାଙ୍କମାନଙ୍କର ପ୍ରବୃତ୍ତିନାହିଁ, ସେପରି ପରିସ୍ଥିତି ହେଲେ ସେମାନେ ଛୁ ।

 

ସେ ବି ତ ତା’ପାଇଁ ହୁଅନ୍ତା ପନ୍ଥା, ଅତି ଚମତ୍କାର ! ସେ ଭାବେ । ଇଚ୍ଛା ହୁଏ ସେମାନେ ତାକୁ ଡାକନ୍ତେ !

 

କେହି ଡାକନ୍ତିନାହିଁ, କେହି ମତାନ୍ତିନାହିଁ । ରାଧୀନାନୀଙ୍କୁ ପଚାରନ୍ତେ ସେ ଅଧା ପାକୁଆପାଟି ଆଁ କରି ବିଚିତ୍ର ହସଟିଏ ହସିଲେ । କହିଲେ, “ମିଠା ଲାଗିବ ମା’, ସମସ୍ତଙ୍କୁ ରୁଚିବନାହିଁ । ବର୍ଷ ଉତ୍ତାରୁ ବର୍ଷ ପିଣ୍ଡାରେ ବସି ଅରଟ ଚଳେଇ ସୂତା କାଟିଲେବି କେଉଁ ଅପନ୍ତରାରେ ଟୁଙ୍ଗି ମାରି ମାଣ୍ଡିଆଯାଉ ଖାଇ ବଣୁଆଲୋକଙ୍କ ଘର ଲିପିଲେ, ତାଙ୍କ ଅଳିଆ ସଫା କଲେ ମଣିଷ ଗୋଟାଏ ଭଲ କାମ କରୁଛି ଆପଣା ଜୀବନ ସାର୍ଥକ କରୁଛି ଏଭଳି ବିଶ୍ୱାସ ସମସ୍ତିଙ୍କର ହେବ ତା’ ନୁହେଁ । କାମରେ ବିଶ୍ୱାସ ନଥିଲେ କ’ଣ ଚିଟା ଲାଗେ, ମନ ତ୍ରାହି ତ୍ରାହି ଡାକେ, ସରାଗ ମରିଯାଏ । ଯାହାର ପ୍ରାଣ ଡାକିବ ସେ ତ ବଳେ ଆସିବ, ତାକୁ ଆଉ କିଏ ଡାକିବା କ’ଣ ଲୋଡ଼ା ?”

 

ରାଧୀନାନୀବି ସେ ସଙ୍ଘର, ତାଙ୍କ ମନରେ ସନ୍ଦେହନାହିଁ । “ମୋ କଥା କାଇଁକି ପଡ଼ିଚିଲୋ ମା’, ବିଧାତା ଏଇ ମାର୍ଗ ମୋପେଇଁ ରଖିଥିଲା ମୋ ଗତି-ମୁକ୍ତିପାଇଁ । ତେଣୁ ଏଇଥିରେ ବଢ଼ିଲି, ଏଇଥିରେ ରହିଚି ରହିଥିବି । ମାଳି କୋଥଳି ପୂଜାପାଠ ମୋର ସବୁ ଏଇ କାମ, ଯାହା ଦେଖୁଚୁ ଆଉ ଭିନେ ନାଇଁ । ମୁଁ ମୋ ଦେବଦେବୀଙ୍କି ଆଖିରେ ଦେଖିଚି । ଆଇଥିଲେ ମହାତ୍ମାଜୀ । ଗୋପବାବୁ ଆଇଲେ ଡାକ ପକାନ୍ତି,–ଆଜି ପଖାଳ ସାଙ୍ଗକୁ ନେଉଟିଆ ଶାଗ କେରାଏ ହବ କି ନାଇଁ ନାନୀଲୋ ! ବିନୋବାଜୀ ଠାରେ ରହଣି ପକାଇଥିଲେ, କେଡ଼େ ସୁନ୍ଦର କରି ଏକାଦଶସ୍କନ୍ଧ ବୁଝୋଉଥିଲେ !” ରାଧୀନାନୀ ଅନ୍ୟମନସ୍କ ହେଲେ, ତାଙ୍କ ମୁହଁ ଖୁସିରେ ଉଜ୍ଜ୍ୱଳ ଦିଶୁଥାଏ । ଏ ସଙ୍ଘଆଡ଼କୁ ତା’ ମନ ଓଟାରି ହେଉଛି କହି କୁଶଳବାବୁଙ୍କୁବି ସେ ପଚାରିଲା ଜୀବନକୁ ଏମିତି ବିତେଇ ଦେଲେ କ’ଣ ନାଙ୍କରା ହୁଅନ୍ତା, ତୁଣ୍ଡ ମୁଣ୍ଡନାହିଁ ଖାଲି ସେବା । କୁଶଳବାବୁବି ତ ୟେ ସଙ୍ଘର ସମର୍ଥକ ।

 

କିନ୍ତୁ ସେ ଉତ୍ସାହ ଦେଲେନାହିଁ । କହିଲେ, “ଏଠି ଉଦ୍ଦେଶ୍ୟ ମହତ୍ ଓ ପବିତ୍ର, ଉପାୟ ତା’ର ଅନୁରୂପ, ତେଣୁ ତାଙ୍କ ପାଖରେ ମୁଣ୍ଡ ନଇଁପଡ଼ିବା ସ୍ୱାଭାବିକ । ଏମାନେ ଆଦର୍ଶବାଦୀ, ଆଚରଣରେ ସନ୍ଥ, ସେ ବିଷୟରେ ଅନ୍ୟ ମତନାହିଁ । କିନ୍ତୁ ପ୍ରକୃତରେ ଏମାନେ କରିପାରିଲେଣି କ’ଣ ? ୟାଙ୍କ ଆଦର୍ଶ ଦେଖି ବଦଳିଲେଣି ଆଉ କେତେ କ’ଣ ? କେବେ ବଦଳିବେ ? କାହିଁକି ବଦଳୁ ନାହାନ୍ତି ? ଭାବିବା କଥା ସେଇଆ । କାରଣ ୟେ କଳିକାଳ, ଲୋକଙ୍କ ଚରିତ୍ର ଏପରି ଯେ ପରଠିଁ ଉଚ୍ଚ ଆଦର୍ଶ ଦେଖିଲେ ସେମାନେ ଛାଏଁ ବଦଳି ଭଲ ହେବେ ଏପରି ନୁହେଁ । କରୁଥାଉ ଯେ ଯେତେ ପରପାଇଁ ବେଠି, ଜୀବନବି ଦେଉ, ଲୋକେ ସବୁ ଦାନ ନେବେ ଭଗବାନଙ୍କ ଆଶୀର୍ବାଦ ବୋଲି କି ନିଜ ଚାଇଁ ଚତୁରପଣର ମୂଳ ବୋଲି ଭାବି, ଆଉ କେଉଁଠି ଆଉ କି ପ୍ରକାର ଲାଭ ମିଳିବ ସେହି ଆଡ଼େ ମୋହିଁବେ, ଉପରୋଧ ରଖିବେନାହିଁ । ତା’ପରେ ପୁଣି ଆଉ କୁଆଡ଼େ ମୋହିଁବେ । ବାବାଜୀଟିଏ ଦେଖିଲେ କେହି ଭିକ ମୁଠିଏ ଦେଇପାରେ, ନିଜେ ବାବାଜୀ ହେବନାହିଁ ।

 

ଭକ୍ତିର ସ୍ଥାନ ଠାକୁର ଘର, ଯେମିତି ଶାସ୍ତ୍ରର ସ୍ଥାନ ପୋଥିଗାଦୀ କି ବହି ଆଲମାରୀ ।”

 

କୁଶଳବାବୁ ପୁଣି ଭାବି ଭାବି କହିଲେ,–“ଦରକାରଥିଲା ଆଖିଦୁରୁଶିଆ ଜାଗାଦେଖି ଗୋଟିଏ ନୂଆ ସମାଜ ପ୍ରତିଷ୍ଠା, ବଣପାହାଡ଼ରେ କି କେଉଁ ଗାଁଗାଉଁଲିରେ ନୁହେଁ, ଏମିତି ବଡ଼ ସହରରେ । ଦରକାର ଥିଲା ସହରର ଶିଳ୍ପ ମାଲିକ ବ୍ୟବସାୟୀ ମୂଲିଆ ଓ କାରିଗରଙ୍କୁ ଦୀକ୍ଷିତ କରିବା, ଯେମିତି ସେହିମାନେ ଅନ୍ୟମାନଙ୍କୁ ନିଜ ସମ୍ପତ୍ତିରୁ ରୋଜଗାରରୁ ଖାଇବା ପତ୍ରରୁ ଭାଗ ଦେବେ, ସମାଜର ଦାୟିତ୍ୱ ନେବେ । ଚାରିଆଡ଼େ ନାନାକାମରେ ଛତର ଛାଉଳ ହୋଇ ଛିଞ୍ଚାଡ଼ି ନ ହୋଇ ସବୁ କର୍ମୀ ଧରିଥାନ୍ତେ ଆଗ ସେମିତି ଗୋଟିଏ ଜାଗା । ଲାଗୁ ଯେତେ ମାସ କି ବର୍ଷ, ଯଦି ସେମାନେ ଜିତିଥାନ୍ତେ ତେବେ ସତକୁ ସତ ଗୋଟିଏ ନୂଆ ସମାଜର ମୂଳଦୁଆ ରହିଯାଇଥାନ୍ତା । ଯେଉଁ ଆଦର୍ଶର ସ୍ୱପ୍ନ ଦେଖୁଛନ୍ତି ତାକୁ ରକ୍ତମାଂସ ଦେଇ ଠିଆ କରିଥାନ୍ତେ । ସହରରୁ ସହରତଳି, ସହରତଳିରୁ ଆଖପାଖର ଗାଁ, ସେଉଠୁ ଗୋଟିଏ ବଡ଼ ଅଞ୍ଚଳ, ଦୁନିଆଁ ବଦଳନ୍ତା ପରା । ହେଲା କାହିଁ ? ଏଠିନାହିଁ ନଥିବା ଆଦର୍ଶବାଦ ଓ ଆତ୍ମତ୍ୟାଗର ନମୁନା ବହୁତ, କିନ୍ତୁ ପଥର ତରଳୁନାହିଁ, ଫାଟୁନାହିଁ, ପାଣି ଧାର ତାକୁ ଓଦା କରି ଆଉ କୁଆଡ଼େ ବୋହି ଯାଉଛି ବାଲିରେ ହଜିଯାଉଛି, ପଥର ଯେଉଁ ପଥରକୁ ସେହି ପଥର । ସ୍ଥାୟୀ ପ୍ରଭାବ କାହିଁ ? ଆପଣ ଏ ମାର୍ଗ ଧରିଲେ ନିଜର ଜୀବନ ଧନ୍ୟ ହୋଇପାରେ, କିନ୍ତୁ କରିପାରିବେ କେତେ କ’ଣ ?” ଦୀର୍ଘଶ୍ୱାସ ପକାଇ କୁଶଳବାବୁ ପୁଣି ବୁଝାଇଲେ ।

 

“ଡାକ୍ତରଖାନା ଯାଉନ୍ତୁ ଦେଖିବେ, ଡାକ୍ତରମାନେ ପାରୁପର୍ଯ୍ୟନ୍ତେ ଲାଗିଛନ୍ତି ରୋଗୀଙ୍କି ଭଲ କରିବେ । ରୋଗ ଥିବାଯାକେ ରୋଗୀ ଆଖିରେ ଡାକ୍ତର ଦେବତା, ରୋଗୀ ମନରେ ଭଗବତ୍ ଚିନ୍ତା ଈଶ୍ୱର ସ୍ମରଣ । ରୋଗ ଭଲ ହେଲାପରେ ? ସେ ରୋଗୀ ଡାକ୍ତରକୁ ମନେରଖିବନାହିଁ, କୃତଜ୍ଞତା ତ ସ୍ୱପ୍ନ । ତା’ଠିଁ ସେତେ ଈଶ୍ୱର ସ୍ମରଣବି ନଥିବ ନିଜ ସ୍ୱାର୍ଥ ଆଉ ଜଞ୍ଜାଳରେ ସେ ବୁଡ଼ି ରହିବ । ସେ ଦୁଷ୍ଟ ପୁଣି ସେ ଦୁଷ୍ଟାମି କରିବ, ତା’ର ଯେତେ ଦୁର୍ଗୁଣ ରୋଗ ଦୁର୍ବଳତାବେଳେ କେଉଁଠି ଲୁଚି ରହିଥିଲା ପୁଣି ସେ ସବଳ ହୋଇ ବାହାରିବ । ମତେ ଲାଗୁଛି ଏଠି ସେଠି ସାଧାରଣଲୋକଙ୍କ ଦୁଃଖ ଦୁର୍ଦ୍ଦଶାରେ ୟେ ଆତ୍ମତ୍ୟାଗୀ ସନ୍ଥ ଲୋକଙ୍କ ସେବା ଫଳବି ସେହି ଡାକ୍ତରଙ୍କ ସେବା ପରି । ଏମାନଙ୍କ ଜୀବନର ତାତ୍ପଯ୍ୟ ଏତିକି ଯେ ଏମାନେ ମଣିଷପଣିଆଁର ଆଦର୍ଶ ଦେଖାଇ ଯାଉଛନ୍ତି, ଯଦି ଅନ୍ୟ କିଏ ନିଜକୁ କଣ୍ଟିବାକୁ ମନ କରିବ ସେଇଥିରେ ସେ ନିଜକୁ କଣ୍ଟି ପାରିବ । ଆଦର୍ଶ ନୁହେଁ, ଯୋଜନା ଦରକାର ।”

“କ’ଣ ସେ ଯୋଜନା ?” ରମା ପଚାରିଲା, “ୟାଠୁଁ ବଳ କ’ଣ ଅଛି ?”

“ୟେ ତ ଯୋଜନା ନୁହେଁ, ୟେ ଉଚ୍ଛ୍ୱାସ । ଯୋଜନା ବାସ୍ତବ ପରିସ୍ଥିତିକୁ ବୁଝିବିଚାରି ଗୋଟାଏ ଲକ୍ଷ୍ୟ ଠିକ୍ କରି କାମ କରେ । ସେ ଗୋଟାଏ ଦାୟିତ୍ୱ । ତାକୁ ତୁଲେଇବାକୁ କ୍ଷମତା ଦରକାର । କ୍ଷମତା ଦିଆଯିବ, ଏପରି ଲୋକଙ୍କୁ ଦିଆଯିବ ଯେ ପ୍ରକୃତରେ ପୂଜ୍ୟ, ଆତ୍ମତ୍ୟାଗୀ, ନିଷ୍ଠାପର କର୍ମୀ, ବୁଦ୍ଧିମାନ୍, ବିଚାରବନ୍ତ, ପରିଶ୍ରମୀ, ପରୋପକାରୀ । ଯେମିତି ସ୍ୱୟଂ ଶ୍ରୀରାମ ।”

ରମା କହିଲା, “ସଂସାରରେ କେତେଜଣ ରାମଚନ୍ଦ୍ର ଜନ୍ମ ହୋଇସାରିଲେଣି ଯେ ଆପଣଙ୍କ ବିବେଚନାରେ କ୍ଷମତା ପାଇବାକୁ ହକ୍‍ଦାର ? ଯେଉଁମାନେ ସବୁ କ୍ଷମତା ପାଉଛନ୍ତି ତାଙ୍କ ଭିତରେ ଅଛନ୍ତି ସେଭଳି ?”

କୁଶଳବାବୁ କହିଲେ, “ସେମାନେ ଶ୍ରୀରାମ ନୁହଁନ୍ତି ସତ । ସଂସାରର ଆଉ ଦ୍ୱିତୀୟ ଶ୍ରୀରାମ ଜନ୍ମହେଲେନାହିଁ ୟେବି ସତ । କିନ୍ତୁ ଆମର ଉଦ୍ଦେଶ୍ୟ ରହିବ ଅବିକଳ ଶ୍ରୀରାମ ନ ହେଲେ ସୁଦ୍ଧା ଟିକିଏ ଟିକିଏ ସେମିତିଆ କାହାରିକି ବାଛିବା, କ୍ଷମତା ଚଳେଇବାକୁ ତାଙ୍କୁ ଅନୁନୟ କରିବା ୟାବି କ’ଣ ଅସମ୍ଭବ ।”

ରମା କହିଲା “ଅତଏବ ଆପଣବି ଯାହାକୁ ଯୋଜନା ବୋଲି ସ୍ୱପ୍ନ ଦେଖୁଛନ୍ତି ସେ ବି ଯୋଜନା ନୁହେଁ, ସ୍ୱପ୍ନ ଆଉ ଉଚ୍ଛ୍ୱାସ । ଏ ପନ୍ଥାଠୁଁ ଅଧିକା ସେ କେଉଁଗୁଣେ ?”

“ଅଧିକା ନୁହେଁ, ଭିନେ । ମୁଁ ଖୋଜୁଛି, ସେମିତି କିଛି ବ୍ୟବସ୍ଥା ଯେଉଁଥିରେ ବାର ଚାଉଳିଆ ହେବା କଥା ନଥିବ, କ୍ଷେତ୍ର ବାଛି ନେଲେଁ, ଏତିକି ଲମ୍ବ ଏତିକି ଓସାର । କାମ ମପାଚୁପା-। ଉଦ୍ଦେଶ୍ୟ ସ୍ପଷ୍ଟ, ସ୍ଥିର ଯେମିତି ତୀରର ଲାଖ ହେଲାଭଳି ମାଛ-ଆଖି । ତା’ପରେ ସେହି ଅନୁସାରେ କାମ, ଯେତେଦିନ ଲାଗୁ, ଯେତେଜଣ ଖଟନ୍ତୁ, ଜଣେ ମଲେ ତା’ ପଛରେ ସଂସ୍ଥା ଅଛି, ଯେ ହେଲେ ତା’ ସ୍ଥାନ ପୂରଣ କରିବ, ସେ କାମ ସରିଲେ ଆଉ କାମ, କ୍ଷେତ ବଢ଼ି ବଢ଼ି ଯିବ-। ଏମାନେ କ’ଣ ତା’ କରନ୍ତି ? ଠାଏ କିଛି କାମରେ ଥୋଡ଼ାଏ ଲାଗିଛନ୍ତି, ଉଚ୍ଛ୍ୱାସ ଆଉ କୁଆଡ଼େ ମୋହିଁଲା, ୟା’କୁ ଛାଡ଼ିଦେଇ ଚାଲିଲେ ତେଣେ, ଗ୍ରାମ ସଙ୍ଗଠନରୁ ଚାଲିଲେ ଶୁଦ୍ଧ-ଖାଦ୍ୟ ଆନ୍ଦୋଳନକୁ, ସେକାମ କରୁ କରୁ କେଉଁଠି ହାଣକାଟ ବନ୍ଦ କରିବା ଦରକାର ପଡ଼ିଗଲା, ଚାଲିଲେ ତେଣେ, ତା’ପରେ ଆଉ କେଉଁଠି ଭୂମିକମ୍ପ ସାହାଯ୍ୟ କାମ ଡାକ ପକାଇଲା, ପୁଣି ତେଣେ । ସବୁଠିଁ ଜୀବନ ପ୍ରାଣ ଦେଇ କାମ କଲେ, କିନ୍ତୁ କେଉଁଠି ଲାଗି ରହିଲେନାହିଁ, କେଉଁଠି ଚେର ମଡ଼ାଇଲେନାହିଁ, କ’ଣ ହେବ ?”

 

ରମା କହିଲା, “ସ୍ୱାର୍ଥ ଭିତରେ, ଲୋଭ, ହିଂସା, ଅଜ୍ଞାନ ଭିତରେ ମୁହୂର୍ତ୍ତେପାଇଁ ହେଉ ପଛେ ଏମିତି କେଉଁ କର୍ମୀଙ୍କ ଆତ୍ମତ୍ୟାଗଦ୍ୱାରା ସତ୍ୟ ମୁହଁ ଦେଖାଇ ଜଗତଯାକ ଲୋକଙ୍କୁ ଦର୍ଶନ ଦେବ, କହିବ ମୁଁ ଅଛି, ମତେ ମନେରଖ, କାଦୁଅରୁ ଝାଡ଼ିଝୁଡ଼ି ପୋଛିପାଛି ହୋଇ ଉଠ, ଦମ୍ଭ ଧର-। ୟାର ଯେଉଁ ପ୍ରଭାବ ସେ ସମାଜର ମଞ୍ଜ ଭିତରେ ପଶିବ ଓ କାମ କରିବ, ସେତିକି କ’ଣ ବଡ଼କଥା ନୁହେଁ ?”

 

କୁଶଳବାବୁଙ୍କ ମୁହଁରୁ କଳାପାଣି ବୋହିପଡ଼ିଲା । ଦୁଃଖରେ କହିଲେ “ଦେଖିପାରିଲାଣି ଯେ ଆପଣ ଏ ବିଷୟରେ ବହୁତ ଚିନ୍ତା କଲେଣି, ଧ୍ୟାନ କଲେଣି । କିନ୍ତୁ ବୁଝନ୍ତୁ ଏମାନେ ସବୁ ଖାଲି ବାବାଜୀ ଗୋସେଇଁମାନେ ଜୀବନକୁ ପାଣି ଛଡ଼େଇନେଇଛନ୍ତି ସତ, କିନ୍ତୁ ଦେହରେ ଜୀବନଥିବାଯାକେ ଏମାନେ ଚେଷ୍ଟା କରି ରହନ୍ତି ନିର୍ଜଞ୍ଜାଳ ହୋଇ, ଯାହା ମିଳୁ ପଛେ, ଖୁଦ କି ପେଜ, ତାକୁ ଠିକ୍ ସମୟରେ ଖାଆନ୍ତି, ଦିନବେଳେ ପରିଶ୍ରମ ଯେମିତି କରନ୍ତି ବିଶ୍ରାମବି ନିଅନ୍ତି, ବ୍ୟାୟାମ, ଠାକୁର ପୂଜା, ବହି ପଢ଼ା, ନିଦ, ସୂତାକଟା, ସବୁକାମ ପାଇଁ ବେଳ ପାଆନ୍ତି, ରାତିରେ ଜଲ୍‍ଦି ଶୁଅନ୍ତି ମେହେନତ କରନ୍ତି କିନ୍ତୁ ରୋଜଗାର କରନ୍ତିନାହିଁ, ସଂସାରରେ ରହନ୍ତି କିନ୍ତୁ ବ୍ୟକ୍ତିଗତ ସମସ୍ୟାରେ ଛଟପଟ ହୁଅନ୍ତିନାହିଁ ଯେମିତି ଚଳନ୍ତୁ ସତେକି ତାଙ୍କର ସମସ୍ୟାହିଁ ନାହିଁ, କିନ୍ତୁ ସଂସାରୀ ଲୋକର ଜୀବନ ଏଡ଼େ ସରଳ ନୁହେଁ, ୟା’ଙ୍କର ସମସ୍ୟାହୀନ ନୁହେଁ, ସେ ୟା’ଙ୍କୁ ଅନୁକରଣ କଲେ ତା’ ନିଜ ନାହାଖଣ୍ଡି ଚାଲିବ କେମିତି ?”

 

ରମା କହିଲା, “ସେ ବି ୟେ ଜୀବନ ଦେଖି ଲୋଭ କରୁ ଆଉ ମନକୁ ମନ ଭାବୁ ଯେ ସେ ବି ନିଜ ଜୀବନକୁ କରିବ ସରଳ ଓ ସମସ୍ୟାହୀନ, ତା’ କ’ଣ ଏଡ଼େ ଅସମ୍ଭବ ? ସେ ପ୍ରତିଜ୍ଞା କରୁ, ଅତି ଶସ୍ତା ଜିନିଷ ଓଳିଏ ଖାଇ ଭୋଜନ ଚଳେଇଦେବ, ଖଟିଲେ ଖାଇବ, ଧନ ସଞ୍ଚିବନାହିଁ ସଞ୍ଚିବ ସ୍ନେହ, ପ୍ରୀତି, କରୁଣା, ବନ୍ଧୁଭାବ, ସଦ୍‍ଗୁଣ, ବାରପଣ ସମସ୍ୟା ତ ତା’ର ଗଲା । ଏ କ’ଣ ଏଡ଼େ ଅସମ୍ଭବ ?”

 

କୁଶଳବାବୁ କହିଲେ, “ସମ୍ପୂର୍ଣ୍ଣ କାଳ୍ପନିକ, ନ ହେଲେ ସଂସାରଯାକର ଲୋକେ ସେଡ଼େ ସରଳ ବାଟ ଛାଡ଼ି କଠିନକୁ ଆଦରନ୍ତେନାହିଁ । ଆପଣା ସ୍ୱାର୍ଥ ଜଗିବା, ସ୍ୱାର୍ଥ ବଢ଼ାଇବା, ସଞ୍ଚିବା, ସନ୍ତାନମାନଙ୍କ ପାଇଁ ଆହରଣ କରି ସାଇତିବା ଏସବୁବି ମଣିଷର ପ୍ରବୃତ୍ତି । ଜଞ୍ଜାଳ ଖୋଜି ନିଜକୁ ସେଥିରେ ଛନ୍ଦିବାବି ମଣିଷର ପ୍ରବୃତ୍ତି । ରାତିକା ରାତି ସଂସାର ବଦଳିବନାହିଁ, ମଣିଷ ବଦଳିବେନାହିଁ । ସଂସାର ଯାହା ଅଛି ତାକୁ ସେମିତି ଗ୍ରହଣ କରି ତାହାରି ଭିତରେ ମଣିଷର ଉନ୍ନତି ଓ ଉପକାରର ବ୍ୟବସ୍ଥା କଲେ ସେ ଖାପିବ, କାମ ଦେବ, ନ ହେଲେନାହିଁ । ଆପଣ ଧନକୁ ପଛେ ବାଣ୍ଟିପାରନ୍ତି, ତା’ ଆଗରୁ ଧନକୁ ସୃଷ୍ଟି କରିବାକୁ ପଡ଼ିବ ତ, କରିବେ କିଏ ? ଜଞ୍ଜାଳ ମୁଣ୍ଡକୁ ନ ନେଲେ ଧନ ସମୃଦ୍ଧି ସୃଷ୍ଟିବି ହେବ କିପରି ?”

 

ରମା ପଚାରିଲା, “ସେଇ ଜଞ୍ଜାଳ ଭିତରୁ ଯଦି ନିଆଁ ବାହାରି ଘର ଘର ପୋଡ଼ି ଛାରଖାର କରିବ ତେବେ କ’ଣ ହେବ ?”

 

କୁଶଳବାବୁ ହସିଲେ, କହିଲେ, “ତା’ ହେବନାହିଁ ବୋଲି ତ ଆପଣଙ୍କ ନେତୃତ୍ୱ ଦରକାର-। ସମସ୍ତେ ଲେଙ୍ଗୁଟି ପିନ୍ଧି ପାଉଁଶ ବୋଳିହୋଇ ବଣରେ ପଶି କନ୍ଦା ମୂଳ ଡାଳ ପତରରେବି ଭୋକଉପାସରେ ଚଳିବାକୁ ମନ କଲେ କାହାରି ନେତୃତ୍ୱ କି ଉପଦେଶ ଦରକାର ପଡ଼ନ୍ତାନାହିଁ ।”

 

ତାଙ୍କ ଯୁକ୍ତି ରମାର ବିଶ୍ୱାସ ଜନ୍ମାଇ ପାରିଲାନାହିଁ, ତାଙ୍କ ବିଷୟରେ ତା’ର ଧାରଣା ଖର୍ବ ହେଲା ।

 

କିନ୍ତୁ ତା’ଉପରେ କେତେ ତାଙ୍କର ବିଶ୍ୱାସ ! ଆଖିବୁଜି କି ନିର୍ଭର ! ସେଇଆ ଭାବି ସେ ଆଉ ବିତର୍କ କଲାନାହିଁ ।

 

ମନକୁ ବୁଝାଇଲା ସଂସାରରେ କୌଣସି ମାର୍ଗ କୌଣସି ମତ ଅଦ୍ୱିତୀୟ ନୁହେଁ, ବୁଝିବାକୁ ଗଲେ ସବୁ ପରଖା ପରଖି ଆଉ ଅନୁଶୀଳନ, ଯହିଁରେ ଯାହାର ସନ୍ତୋଷ ।

 

କୁଶଳବାବୁ ଆଉ ତାକୁ ଗରୁଲାଗନ୍ତିନାହିଁ, ଆପେ ସେ ତା’ ଆଗରେ ଏକ ପ୍ରକାର ଭକ୍ତିର ଆସନରେ ନିଜକୁ ଖପାଇ ସାରିଛନ୍ତି, ତା’ରବି ଅଭ୍ୟାସ ହୋଇଗଲାଣି । ୟେ ଭକ୍ତ ଆପଣା ନିଷ୍ଠା, ବିଶ୍ୱାସ ଓ ଆନ୍ତରିକତା ସହକାରେ ପ୍ରତିମାକୁ ଜୀବନ୍ୟାସ ଦେବାକୁ ଚେଷ୍ଟା କଲାବେଳେ ରମା ଗମ୍ଭୀର ହୁଏ, ସତେ ଯେମିତି ମନେମନେ ଚେଷ୍ଟା କରେ ଆପଣା ଭିତରୁ କ’ଣ ଅଜଣା ଶକ୍ତିକୁ ପଦାକୁ ବାହାର କରିବାକୁ ।

 

ଯେତେବେଳେ କହେ, “ଭଗବାନ, ମୋତେ ବଳ ଦିଅ, ସଦ୍‍ବୁଦ୍ଧି ଦିଅ । “ଆଉ କେତେବେଳେ, ପଢ଼ା କଥା ଶୁଣା କଥାକୁ ହେଳି ଆପଣା ଭିତରେ କେଉଁ ଅଜଣା ଶକ୍ତିକୁ ତେଜିବାକୁ ଚେଷ୍ଟା କରେ, ସେହି ତା’ର ନୀରବ ଧ୍ୟାନ । ସେତେବେଳେ ସେ ମନକୁ ମନ କହେ–ଏଇ ମଣିଷ ଶରୀର ଭିତରେ ନାନାବିସ୍ମୟକର ଶକ୍ତିକେନ୍ଦ୍ର ରହିଛି, ଜଣା ତହିଁରୁ କାହିଁ କାଣିଚାଏ, ଆଉତକ ଅଜଣା । ତାକୁ ଚିଆଁଇ ପାରିଲେ, କାମରେ ଲଗାଇ ପାରିଲେ ମଣିଷବି ହୁଅନ୍ତା ମହାଶକ୍ତିଶାଳୀ, କେତେ କ’ଣ ଜାଣିପାରନ୍ତା, ଅନୁଭବ କରିପାରନ୍ତା, ସାଧିପାରନ୍ତା, ଏତେ ଶକ୍ତି ଥାଇ କିଛି ବ୍ୟବହାର ନ ହୋଇ ଏ ଦେହ ଯାଏ ମଶାଣିକି ଅଥଚ କୁଆଡ଼େ ଏଥିରେହିଁ ଶକ୍ତି ଅଛି ମରଣକୁବି ଜିଣିବାକୁ । ସେହି ଶକ୍ତି ମତେ ସାହାଯ୍ୟ କରୁ । ମୋ ଭିତରେ ଥିବା ବ୍ରହ୍ମ ନିଜର ଦୀପ୍ତି ପ୍ରକାଶ କରୁ । ତାହେଲେହେଁ ମୋ ଦେଇ ମଣିଷ ସମାଜର ମଙ୍ଗଳ କରିହେବ ।

 

ଭାବରେ ପୂରିରହୁ ନିରୋଳାରେ ବସି ସେ ସମସ୍ତିଙ୍କର ମଙ୍ଗଳ ପାଞ୍ଚେ ।

 

ନିଠେଇ ନିଠେଇ ଗୋଟି ଗୋଟି କରି ଶବ୍ଦାର୍ଥର ରୂପ ଧ୍ୟାନ କରି କରି ସଞ୍ଜବୁଡ଼େ ଜପେ ସର୍ବେ–ଭବନ୍ତୁ–ସୁଖିନଃ ଇତ୍ୟାଦି । ଅନୁମାନ କରେ, ତା’ରି ଡାକରେ ଝରିପଡ଼ୁଛି କରୁଣା, ଚାରିଆଡ଼େ ଦେଖୁଛି– ପୂର୍ଣ୍ଣ ସୃଷ୍ଟି, ସବୁ ସରସ, ପ୍ରଫୁଲ୍ଲ, ସୁସ୍ଥ, ବଳିଷ୍ଠ, ଆନନ୍ଦମୟ, ସମସ୍ୟାହୀନ । ତା’ର ହୃଦୟ ପୂରିଉଠେ । ସେ ଠାକୁରଙ୍କୁ ଦଣ୍ଡବତ ହୁଏ ।

 

କୁଶଳବାବୁ ରମାକୁ ସଙ୍ଗରେ ଘେନି ବଡ଼ ସହରରେ ବଡ଼ ମଣିଷମାନଙ୍କ ସଙ୍ଗେ ଚିହ୍ନା କରାଇବାକୁ ନେଇଗଲେ, ତାଙ୍କ ଯୋଜନାର ଅନ୍ତର୍ଭୁକ୍ତ ଥିଲା ସେ କାମ । ରମା ସହିବାକୁ ପ୍ରସ୍ତୁତ ହୋଇଯାଇଥିଲା, କିନ୍ତୁ ତା’ ମନରେ ବାରମ୍ବାର ଖେଣ୍ଟା ମାରୁଥାଏ ଗୋଟାଏ ଚିନ୍ତା–କୁଶଳବାବୁ ଯେତେ ତାକୁ ବୁଝାନ୍ତୁ ପଛେ ସେ ନିଜକୁ ବୁଝାଇ ପାରୁ ନଥାଏ ଯେ ଯେଉଁମାନେ ତା’ର ସମ୍ପୂର୍ଣ୍ଣ ଅଚିହ୍ନା, ଯେଉଁମାନେ ନିଜେ ନାନାପ୍ରକାର ଉଦ୍ୟମ କରି ବୁଦ୍ଧି ଖର୍ଚ୍ଚ କରି କ୍ଷମତା ଓ ଦାୟିତ୍ୱ ଆବୋରି ଦୃଢ଼ ଆସନରେ ବସିଛନ୍ତି ସେମାନେ କାହିଁକି ତାକୁ ଟିକିଏ ହେଲେ ପ୍ରାଧାନ୍ୟ ଦେବେ ? ଖାଲି କୁଶଳବାବୁଙ୍କ କଥାରେ ? ସେ ଜାଣେ, ଯେ ଯେଉଁଥିରୁ ଆନନ୍ଦ ପାଇବାକୁ ଅଭ୍ୟସ୍ତ ସେ ଖୋଜିବ ସେହି ବାଟ, ଜନସାଧାରଣଙ୍କ ସେବା କ୍ଷେତ୍ରରେ ତ୍ୟାଗର ଯୁଗ ସତେକି ଉଭେଇଯାଇଛି, ତା’ପରେ ଆସିଛି କ୍ଷମତାର ଯୁଗ, ସତେ ଯେମିତି କ୍ଷମତା ଓ ସ୍ୱୀକୃତି ନ ମିଳିଲେ ସେବା କରିବାକୁ ଉତ୍ସାହ କି ପ୍ରେରଣାବି ଆସେନାହିଁ, ସେତିକି କ୍ଷମତା ଅର୍ଜନ କରିବାକୁ କେତେ ଉପାୟରେ ଧନ, ମସ୍ତିସ୍କ, ନୀତି, ନିରାପତ୍ତା, ମର୍ଯ୍ୟାଦା ବ୍ୟୟ କରିବାକୁ ପଡ଼େ, ମୂଲ୍ୟ ଦେଇ ତାକୁ ପାଇବାକୁ ଆଉ ରଖିବାକୁ ପଡ଼େ, ସେ କ’ଣ ଏପରି ପଦାର୍ଥ ଯେ ଖାଲି କେହି ହିତାକାଙ୍କ୍ଷୀ, ବନ୍ଧୁ, କି ଗୁରୁଗୋସେଇଁ କହିଦେଲେ କେହି ତାକୁ ଛାଡ଼ିଦେବ ? ତେବେ କୁଶଳବାବୁ ବା ଏଡ଼େ ଅବୁଝା ହେଉଛନ୍ତି କାହିଁକି ? ଲୋକେ ନିଶ୍ଚୟ ବୁଝୁଥିବେ ତାଙ୍କଠୁଁ ପ୍ରତିଦ୍ୱନ୍ଦ୍ୱୀତାର ଆଶଙ୍କା କାହାରିନାହିଁ, ସେ ସହଜରେ ଚିଡ଼ାନ୍ତିବି ନାହିଁ, ଜନସାଧାରଣ ତାଙ୍କୁ ଯେଉଁଭଳି ଖାତିର କରନ୍ତି ତାଙ୍କୁ କିଏ ଚିଡ଼େଇଦେଲେ ତା’ ନିଜର ସ୍ୱାର୍ଥହାନି ଘଟିପାରେ, ଲାଭନାହିଁ, ତେଣୁ ଏଭଳିବି ସମ୍ଭବ ଯେ ଲୋକେ ତାଙ୍କ କଥାରେ ତୁଣ୍ଡରେ ‘ହୋଇ, ହୋଇ’ କହି ତାଙ୍କୁ ହାତରେ ରଖିବାକୁ ଇଚ୍ଛୁକ, କେତେବେଳେ ତାଙ୍କର କେଉଁ ନିର୍ଦ୍ଦୋଷ ଖିଆଲରେ ବାଧା ନ ଦେଲେ କେତେବେଳେ ତାଙ୍କର କେଉଁ ସାମାନ୍ୟ ଅଳିଟିଏ ମାନିନେଲେ ଯଦି ସେ ଖୁସି ତେବେ ଚତୁର ଲୋକେ ସେହିପରି କରୁଥିବେ, କିଏ ନାହିଁ କରିବ ?

 

କିନ୍ତୁ କୁଶଳବାବୁଙ୍କ ବିଶ୍ୱାସ ଅଟଳ, ତା’ର ତାଙ୍କୁ ଏକଥା କହିବାକୁ ତୁଣ୍ଡ ଫିଟେନାହିଁ ଯେ ଏ ସଂସାରରେ କରିବା ଲୋକହିଁ ଜୀବନକୁ ଉପଭୋଗ କରେ, ଦେଖିବା ଲୋକ ନୁହେଁ, ଉପଦେଶ ଦେବା ଲୋକ ନୁହେଁ ।

 

ବେଳେବେଳେ ସେ ଉଦାସ ହୋଇ ଭାବେ–ସୁଖର ଧାରଣାବି ଧାରଣାହିଁ, ପ୍ରତି ଲୋକର ଅଲଗା ଅଲଗା, ଖାଲି ମାୟା । ଯେଝା ଯେଝା ପୋଷା ମାୟାରେ ଯେ ଖୁସି । ଥାଉ ସେ ତା’ର । ତାକୁ କାଢ଼ି ନେଲେ ସେତିକିବି ଯିବ, ଆଉ ରହିବ କ’ଣ ? ଗୁଲୁ ଗୁଲୁ କରି କୁଶଳବାବୁଙ୍କ ମୁହଁକୁ ଅନାଏଁ, ଦୃଷ୍ଟି ଉଦାସ ଓ ନିର୍ବିକାର ।

 

“ଆଗ ଯିବା ବାଜିବାବୁଙ୍କ ପାଖକୁ, ସତ୍ୟବାଦୀ ଶିବ ସୁନ୍ଦରରାୟ । ତାଙ୍କୁ ଆପଣଙ୍କ କଥା କହିଚି ।”

 

ରମା ଉଦ୍‍ବିଗ୍ନା ହେଲା ।

 

କିଏ ଚିହ୍ନାପରିଚ ନୁହେଁ ତାଙ୍କ ଛବି ସଙ୍ଗରେ ? ବୟସ ଚାଳିଶି ହୁଏ ନ ହୁଏ, ବଡ଼ ମୁଣ୍ଡ, ବଡ଼ ନାକ, ପ୍ରକାଣ୍ଡ କପାଳ, ଗୋଲ ମୁହଁ, ସାମାନ୍ୟ ବସନ୍ତ ଚିହ୍ନ । ଡେଙ୍ଗା କିନ୍ତୁ ମୋଟାସୋଟାଥିବାରୁ ବାଙ୍ଗର ଦିଶନ୍ତି । ମୁହଁର ଠାଣି ମୁଖା ପର, ଆଖି ଚଢ଼ିଲା ପରି, ଦେଖିଲେ ଲାଗେ ଏଇଲାଗେ କସରତ ସାରି ଉଠି ଆସିଛନ୍ତି, ଦେହବଳର ଅବତାର । ଲୋକେ ରାଗିଲେ କହନ୍ତି ବାଜି ନୁହେଁ, ପାଜି । ପ୍ରଶଂସା କଲେ କହନ୍ତି ଏମିତି କେହି ହୋଇପାରିବନାହିଁ । ସୁନ୍ଦରରାୟ ନିଜେ ନିଜ ବଂଶ ପଦବୀରେ ଯୋଡ଼ିଲେ ‘ଶିବ’ ପଦ, ସେ ହେଲେ ସ୍ୱୟଂ–ସମ୍ପୂର୍ଣ୍ଣ, ସତ୍ୟ–ଶିବ–ସୁନ୍ଦରର ଏକ ନାମରେ ସମାହାର । ସେହି ଗୋଟିଏ ନା ସହିତ କେତେ ଦୁଃସାହସିକତା, କେତେ ଖ୍ୟାତି ଆଉ ଅପଖ୍ୟାତିର କାହାଣୀ କି କିମ୍ବଦନ୍ତୀ ଯୋଡ଼ା ହୋଇଛି, କିଏ ଡରେ, କିଏ ଘୃଣା କରେ, କିଏ ଶ୍ରଦ୍ଧା କି ସମ୍ମାନ କରେ, ଯେ ଭଲ କହୁ କି ମନ୍ଦ କହୁ କେହି ତାଙ୍କୁ ଭାବେନାହିଁ କାଠକଣ୍ଢେଇ ବୋଲି ଲୋକଙ୍କ ଧାରଣାରେ ସେ ସତେ ଯେମିତି ମଣିଷବେଶଧାରୀ ତୋଫାନ ।

 

ରମା ପଚାରିଲା, “ଆଗ ବାଜିବାବୁଙ୍କ ପାଖକୁ କାହିଁକି ? ସେଠୁ ତ ବୋଧହୁଏ ଦୂରରେ ରହିବା କଥା, କହନ୍ତିନାହିଁ,–ନଖିନାଞ୍ଚ ଶୃଙ୍ଗୀନାଞ୍ଚ–”

 

କୁଶଳବାବୁ କହିଲେ “କ୍ଷତି କ’ଣ ? ବାଜିବି ମୋ ସାଙ୍ଗଲୋକ, ହେଉ ପଛେ ଅବସ୍ଥାଚକ୍ରରେ ସେ ଜଣେ ପ୍ରତାପୀ ମଣିଷ, ସେ ବାଘ ନୁହେଁ । ଆମେ ଜାଣୁଁ ଶାଗ ପଖାଳ ଭୋଜନରେ ସେ ତୃପ୍ତ ହୁଏନାହିଁ, ତା’ର ପସନ୍ଦ ମାଂସ, ଛେନା, ଫଳ । ଜୀବନଯାକ ଦାରିଦ୍ର୍ୟର ଗୋଇଠା ଖାଇ ଖାଇ ସେ ଦାରିଦ୍ର୍ୟକୁ ଗୋଇଠା ମାରି ଧନ ସମ୍ପାଦିଛି, ତା’ବି ଜାଣୁଁ । ସେ କ୍ଷମତା ଚାହେଁ, କ୍ଷମତା ପାଇଛି, ସମସ୍ତେ ଜାଣନ୍ତି ସେ କ୍ଷମତା କିପରି । କିନ୍ତୁ ଆମେ ଜାଣୁଁ ସେ ସକ୍ରିୟ, ଜୀବନ୍ତ, ନିର୍ଭରଯୋଗ୍ୟ, ସେ ତା’ ଧନରେ ବହୁତ ଲୋକଙ୍କୁ ସାହାଯ୍ୟ କରେ, ଧନ ଓ କ୍ଷମତା ଭିତରେ ଥାଇ ସୁଦ୍ଧା ସେ ଏଭଳି ଖିଆଲ ଯେ ବେଳେବେଳେ ଲାଗେ, ୟେ କ’ଣ ଅନାସକ୍ତ ଯୋଗ ଅଭ୍ୟାସ କରିଛି ? ସେ ଯୋଗୀ ତପୀ ଆଦୌ ନୁହେଁ, ତା’ର ବହୁତ ପ୍ରକାର ଆସକ୍ତି ଅଛି, କିନ୍ତୁ ତା’ଠିଁ ମଣିଷପଣିଆଁ ଅଛି ଯେଉଁଟା ଅନେକ ଭଦ୍ର ସୁବୋଧ ମର୍ଯ୍ୟାଦାଶୀଳ ଲୋକଙ୍କଠିଁ ଦେଖାଯାଏନାହିଁ । ଗୋଟାଏ ପଟୁ ଦେଖିଲେ ବାଜି ଏକବାଜିଆ, ଜିଦିଖୋର, ଆତ୍ମମ୍ଭରୀ । କିନ୍ତୁ ପରପାଇଁ ନିଆଁରେ ପଶିବ । ଆପଣା ଜୀବନକୁ ପଣ କରି ସେ ଜୁଆ ଖେଳେ, ବିପଦ ତା’ର ଆରାମ, ସୁସ୍ଥି ତାକୁ କ୍ଳାନ୍ତି ଦିଏ, ବିଚିତ୍ର ପ୍ରକାରେ ଖୁଜୁବୁଜିଆ ମଣିଷ, ଥିରି ହୋଇ ରହିପାରେନାହିଁ-। ସେ ଦାୟିତ୍ୱ ତୁଲେଇପାରେ ।”

 

ରମା ଆଉ କିଛି କହିଲାନାହିଁ, କିନ୍ତୁ ତା’ ମୁହଁ ଶୁଖିଗଲା । ମନେପଡ଼ିଗଲା, କୁଶଳବାବୁଙ୍କ ନିର୍ଦ୍ଦେଶ ମାନି ୟେ ଅନୁଷ୍ଠାନରେ ମିଶି କାମ କରିବାକୁ ହେଲେ ଏମିତି କେତେ ବାଜିମାନଙ୍କ ସଙ୍ଗରେ ତାକୁ ଚଳିବାକୁ ପଡ଼ିବ ।

 

ବାଜି ସୁନ୍ଦରା, ମିଲ୍ ମାଲିକ, ଖଣି ମାଲିକ, ନାନାବ୍ୟବସାୟରେ ତା’ର ଅଂଶ, ଦୈନିକ ଖବରକାଗଜ ‘ବାର୍ତ୍ତା’ର ମାଲିକ, କେତେ ନାଟର ଗୋବର୍ଦ୍ଧନ, କ୍ଷମତାରେ ଏକପ୍ରକାର ଅଦ୍ୱିତୀୟ । ଏତେ ସବୁ ହୋଇପାରିଲା ଏଇ ପନ୍ଦରଟା ବର୍ଷରେ । କାହିଁ, ତା’ ଆଗରୁ ତ କିଛି ନଥିଲା ? ତେବେ ହେଲା କି ଉପାୟରେ ?

 

ଏକା ବାଜି ସୁନ୍ଦରା ନୁହନ୍ତି, ଶଶାଙ୍କ ଦାସ, ରଞ୍ଜୁ ରଥ, ଉପଇନ୍ଦ୍ର ଭଞ୍ଜ, ପଠାଣି ମହାନ୍ତି, ଚୁଇଁ ମହାପାତ୍ର, ଧନେଇଁ ଗରାବଡ଼ୁ, ସୋମୁ ମିଶ୍ର, ଯଯାତି କେଶରୀ ପଟ୍ଟନାୟକ, ସଭାଜନ ସାହୁ, ସହସ୍ରନାମ ଜେନା, ସମସ୍ତେ ସେହି ପନ୍ଦରଟା ବର୍ଷ ଭିତରେ । ଏପରି ଅନେକେ ।

 

ସେମାନଙ୍କ ସଙ୍ଗେ ତା’ର ସମ୍ବନ୍ଧ କ’ଣ ?

 

କୋଟି କୋଟି ସଂଖ୍ୟାରେ ମଣିଷଙ୍କୁ ବହିଛି ୟେ ପୃଥିବୀ, ଯେତେବେଳେ ଦେଖ, ଯେମିତି ସେଠି ପର୍ବତ ଆଉ ଖାଲ ଖୋଲ, ମାଟି ଆଉ ପାଣି, ସେମିତି ସେ ମଣିଷ ଗହଳି ଭିତରେ ନାନାଲୋକଙ୍କର ନାନାଅବସ୍ଥା । ଥୋଡ଼ାଏ ଥିବେ ଯେ ହୋଇଥିବେ ଧନ-କୁବେର, କ୍ଷମତାରେ ଇନ୍ଦ୍ର, ଆଜି ସେମିତିଆ ଲୋକଙ୍କ ଭିତରେ ଶୁଭେ ଏମାନଙ୍କ ନାଁ, ଆଉ ସତ୍ୟବାଦୀ ଶିବ ସୁନ୍ଦରରାୟ ନାଁ ଶୁଣିଲେ ସତେ ଯେମିତି ଗର୍ଭିଣୀଗାଈ ବାଟ ଛାଡ଼େ । ଅତୀତରେ ବହୁତ ଏମିତି ଥିଲେ, ଭବିଷ୍ୟତରେବି ଥିବେ ।

 

ତା’ର କି ଯାଏ ?

 

ଭାବୁ ଭାବୁ ବାଜି ସୁନ୍ଦରାଙ୍କ ଘର ହେଲା । ଅତି ସୁନ୍ଦର ବହୁମୂଲ୍ୟ ଦୋମାହାଲା କୋଠା-। ସତ ମାହାଲା କି ଦଶ ମାହାଲା ନହୋଇ ସେ କୋଠା ନିଜର ମୂଲ୍ୟ ବଢ଼ାଇଛି । ଏଡ଼େ ବଡ଼ ଦାମୀ ସହର ଭିତରେ ତା’ ହତା ଖୋଲା ଫରଚା, ସଜାସଜି ବଗିଚାରେ ପୂର୍ଣ୍ଣ, ଆଗରେ ଗୋଲ ହୋଇ ଅରାଏ ଘାସ ପଡ଼ିଆ ତା’ କରରେ ଘର ମୁହଁଯାକେ ଓସାର ସଡ଼କ । ପଦାରେ ବହୁତ ମଟରଗାଡ଼ି ଓ ରିକ୍ସା ଠୁଳ ହୋଇଛନ୍ତି । ଦିନ ଏଗାରଟା ବେଳ, ପ୍ରାୟ ତିନିଶହ ଲୋକ ଅପେକ୍ଷା କରିଛନ୍ତି, ଗେରୁଆ ପିନ୍ଧା ବାବାଜୀ, ମୁଣ୍ଡରେ ବେତାଏ ଜଟ, ସୁଟ୍ ପିନ୍ଧା ଆଧୁନିକ ଲୋକ, ବେପାରି, କୁଲି, ଚାକିରିଆ, ଦଳ ଦଳ ହୋଇ ରାଜନୈତିକ ଲୋକ, ଗାଁଗହଳିର ଟାଉଟର, ପ୍ରତ୍ୟେକେ ତାଙ୍କ ଦର୍ଶନ–ଅଭିଳାଷୀ । ସମସ୍ତିଙ୍କର ତାଙ୍କଠିଁ ସ୍ୱାର୍ଥ ଅଛି, ସମସ୍ତିଙ୍କର ବିଶ୍ୱାସ–ବାଜିବାବୁଙ୍କୁ କହିଦେଲେହିଁ ହେଲା । କାର୍ଯ୍ୟରେ ଯେ ସିଦ୍ଧି ମିଳିବ ଏଥିରେ ସନ୍ଦେହନାହିଁ । କାହାପାଇଁ କେଉଁ ବ୍ୟବସ୍ଥା ।

 

କୁଶଳବାବୁ ବ୍ୟୁହ ଭେଦି ଭେଦି ଆଗକୁ ଚାଲିଲେ, ତାଙ୍କ ପଛେ ପଛେ ରମା । ଆଗରେ ଗୋଟିଏ ବଖୁରି । କୁଶଳବାବୁ ସେ ଘରେ ପଶିଯିବାମାତ୍ରେ ଜଣେ ଅଭ୍ୟର୍ଥନାକାରୀ ଚଉକିରୁ ଠିଆହୋଇପଡ଼ି ତାଙ୍କୁ ଦଣ୍ଡବତ କରି ପାଖରେ ବସାଇଲେ ଓ ତା’ପରେ ଟେଲିଫୋନ୍ ଉଠାଇଲେ । ଦୁଇ ମିନିଟ୍‍ବି ହେବନାହିଁ, ବଖୁରିର ପଛକବାଟ ବାଟେ ସେ ଦୁହିଁକୁ ନେଇ ସେ ଆଉ ଗୋଟିଏ ବଖୁରି ଦୁଆର ମୁହଁକୁ ଗଲେ । କବାଟ ପେଲିଦେଲେ । କୁଶଳବାବୁ ଓ ରମା ଭିତରକୁ ଗଲେ, କବାଟ ବନ୍ଦ ହେଲା ।

 

ସାମ୍ନାରେ ଟେବୁଲ ସେପାଖେ ସତ୍ୟବାଦୀ ଶିବ ସୁନ୍ଦରରାୟ ।

 

ନମସ୍କାର ଓ କୁଶଳ ପ୍ରଶ୍ନ ଇତ୍ୟାଦି ଉତ୍ତାରୁ ବାଜିବାବୁ କୁଶଳବାବୁଙ୍କୁ କହିଲେ, “ଯାହାଙ୍କ କଥା ଆପଣ କହୁଥିଲେ ?”

 

କୁଶଳବାବୁ ହଁ କଲେ । ରମା ଲକ୍ଷ୍ୟ କଲା, ନଜାଣିଲାପରି କେତେଥର ବାଜିବାବୁଙ୍କ ଚାହାଣୀ ତା’ର ମୁହଁ ଉପରେ କେଞ୍ଚ କେଞ୍ଚ ବୁଲି ଆସିଲାଣି । ସେ ହଠାତ୍ ଠିଆହୋଇ ପଡ଼ିଲେ, ସେମାନଙ୍କଆଡ଼କୁ ପଛକରି ଗୋଟିଏ ଗୋଟିଏ ହୋଇ ଚାଲିଗଲେ ଘରର ଆର ମୁଣ୍ଡକୁ, ଯେପରି କ’ଣ ଭାବି ଭାବି ଅନ୍ୟମନସ୍କ ହୋଇ ଟହଲୁଛନ୍ତି, ତା’ପରେ ସେଇ ଦୂରରେ ଠିଆ ସିଧା ରମାର ମୁହଁକୁ ଅନାଇଁ ରହିଲେ, ତା’ ଆଖି ଉପରେ ତାଙ୍କର ଆଖି, ସେହିପରି ଭାବରେ ଅନାଇଁ ରହି ଗୋଟିଏ ଗୋଟିଏ ହୋଇ ସେମାନଙ୍କଆଡ଼କୁ ଆସି ଖଣ୍ଡେ ଦୂରରେ ଅଟକିଲେ, ଆଖିବୁଜି ଠିଆ ହେଲେ, କୁଶଳବାବୁଙ୍କ ମୁହଁକୁ ଅନାଇଁ କହିଲେ ।

 

“ଆପଣ ଭୁଲ କରୁନାହାନ୍ତି ତ କୁଶଳବାବୁ ?”

 

କୁଶଳବାବୁ ଚମକି ପଡ଼ିଲେ, କହିଲେ “ଭୁଲ ! କାହିଁ, ନାହିଁ ତ !”

 

ତାଙ୍କ ମୁହଁକୁ କଟାସ ପରି ଚାହିଁ ବାଜିବାବୁ କହିଲେ, “କେଜାଣି ! ଆପଣ ମୋର ନମସ୍ୟ, ଏଇ ନମସ୍ୟମାନଙ୍କ ଭୁଲକୁ ମୋର ଡର । ଏଇ ଭାବୁକ ଆଉ ଭାବପ୍ରବଣ ଲୋକମାନେ, ଏଇ ବାବାଜୀ ବୈଷମ ଜାତିଆ ଲୋକମାନେ, ଏଇ ଚେଇଁ ଚେଇଁ ସ୍ୱପ୍ନ ଦେଖୁଥିବା ଲୋକମାନେ ବିଚାର ନାଁରେ ଭୁଲ କରନ୍ତି ଆଉ ସେ ଭୁଲରେ ଲୋକଙ୍କ ଜୀବନ ଯାଏ । ଯେତେବେଳେ ବୋଦାକୁ ବଳି ଦିଆଯାଏ ଯେ ମନ୍ତ୍ର ପଢ଼ୁଥାଏ ତା’ ମୁହଁକୁ କେବେ ଅନେଇଁଛନ୍ତି ? ଯେମିତି ସେ ଚେଇଁନାହିଁ ସ୍ୱପ୍ନ ଦେଖୁଚି, ଆଉ ସେ ମୁହଁରେ କି ପ୍ରଶାନ୍ତ କି ଭାବୁକତା ! କି ତନ୍ମୟତା ! ସେ ବିଚରା ବୋଧହୁଏ ମନେମନେ ନିଜକୁହିଁ ପାଣି ଛଡ଼ାଇ ଦେଉଥାଏ, ଅଥଚ ହାଣ କୁରାଢ଼ୀ ପଡ଼େନାହିଁ ତା’ ବେକରେ, ପଡ଼େ ବୋଦାର ବେକରେ । ଆମେ କେତେଥର ସେ ଭାବୁକମାନଙ୍କୁ ବରଣ କରି, ତାଙ୍କ ଆଗରେ ଆଣ୍ଠୁ ମାଡ଼ି ହାତଯୋଡ଼ି ବସିଲୁ । ମୋ ଜୀବନଟା ବିତିଲା ତାଙ୍କରି ପଛେ ପଛେ ଧାଇଁ ଧାଇଁ । ନିରନ୍ନ ବେଠିଆ ହେବାହିଁ ସାର ହେଲା । ସେମାନେ ମାଖିଲେ ଚନ୍ଦନ ଅଗୁରୁ କୁଙ୍କୁମ-। ମୁଁ ତାଙ୍କପାଇଁ ଦଲିଲି ଗଞ୍ଜେଇ, ପଙ୍କ ସଫା କରି ପଙ୍କ ବୋଳି ହେଲି । ଗ୍ରାମ ଲୋକେ ପାଇଲେ କ’ଣ ? ନାଗଫେଣୀ ବଢ଼ିଲା ନା ଅକଣ୍ଟା ହେଲା ? ତେଣୁ ନିଜ ବାଟ ଧରିଲି । ତିନିବର୍ଷରେ ନିଜ ଦାରିଦ୍ର୍ୟ ଦୂର କଲି । ପରର ଦାରିଦ୍ର୍ୟ ଦୂର କରିବା ବେଶି କଷ୍ଟ ନୁହେଁ ଦେଖିଲି, ଖାଲି ଏଠୁ ଓଟାରି ଆଣି ସେଠି ବାଣ୍ଟି ଦେବା କାମ, ହାତରେ ଠେଙ୍ଗା ଥିଲେ ସେଡ଼େ ଅସମ୍ଭବ ନୁହେଁ । ଛାଡ଼ନ୍ତୁ କେତେ ବାଜେ ବକୁଛି, ତେବେ ଶ୍ରୀମଦ୍ ଭଗବଦ୍‍ଗୀତା ବିଷୟରେ ଭାଷଣ ଦେବାକୁ ତ ମୋର କେବେ ଯୋଗ୍ୟତା ନଥିଲା । ଯାହା କିଛି ମନ କଥା ଥାଏ, ଆପଣାର ଲୋକଙ୍କୁ ଦେଖିଲେ ତା’ ମନକୁ ସେ ଉତୁରି ପଡ଼େ ।”

 

ସେ ହସି ଦେଇ ବସି ପଡ଼ିଲେ । ରମା ସେ ହସର ବିଶିଷ୍ଟତା ଅନୁଭବ କଲା । ଅତି ସରଳ, ଅଖଳା, ମତଲବହୀନ ସେ ହସ, ସାନପିଲାର ହସ ପରି, ଦେଖିଲେ ଜମା ଲାଗେନାହିଁ ଯେ ଯେଉଁ ଲୋକ ଏପରି ହସି ଦେଇପାରେ ତା’ ଦେଇ କାହା ପ୍ରତି ନିଷ୍ଠୁରତା କେବେ ସମ୍ଭବ ହେବ । ମଣିଷ ମାରି ସାରି ଏପରି ହସ କେହି ହସି ପାରିଲେ ଦେଖିଲା ଲୋକ ଧନ୍ଦି ହେବ,–ମୋର ଦେଖିବାହିଁ ଭୁଲ, ନ ହେଲେ ଏଭଳି ଲୋକ କେବେ ମଣିଷ ମାରି ନପାରେ ।

 

ସେ ବସି ପଡ଼ିଲା ପରେ ଟିକିଏ ବେଳ ତୁନିତାନି, ଯେମିତି ଛକାଛକି ହୋଇ ଜଣେ ଆଉ ଜଣକୁ ଟାକି ରହିଲା ପରି ମନର ଭାବ । ଆଉ ରମା ତରତର କରି ଭାବିଯାଉଥାଏ,–ଏଠି କୁଶଳବାବୁ ରାଜଗୁରୁ ହୁଅନ୍ତୁ ପଛେ ବାଜିବାବୁହିଁ ରାଜା, ସେ କର୍ତ୍ତା, ସେ ମଙ୍ଗୁଆଳ, କିଏ ନଜାଣେ ସେ କଥା ! ତା’ ନିଜର କିଛି ପ୍ରୟୋଜନ ଅଛି ତାଙ୍କ ସଙ୍ଗରେ ?

 

ବାଜିବାବୁ କହିଲେ, “ଆପଣଙ୍କ ପ୍ରସ୍ତାବ ବିଷୟରେ ମୁଁ ମନଧ୍ୟାନ ଦେଇ ଚିନ୍ତା କରିଛି । ଆପଣ ଯାହା କହନ୍ତି ତହିଁରେ ମୋର ରାଜି, ଆଜି ମତେ ଯା’ କହିଲେ ମୁଁ ସାଙ୍ଗେ ସାଙ୍ଗେ ଏ ବୋଝ ଏଇଠି ଥୋଇଦେଇ ଚାଲିଯିବି । ଆପଣଙ୍କ ଇଚ୍ଛା, ଆମେ ମା’ ହାତରେ ଲଗାମ ଦେଇ ତା’ ପିଠିଆଡ଼େ ଆଶ୍ରା ନେବା, ଖୁବ୍ ଭଲ କଥା, ମା’ କାନି ଧରି ବାଟ ଚାଲୁଥିଲେ ମତେ ତ ପିଲାପରି ନିଶ୍ଚିନ୍ତ ଲାଗନ୍ତା । କିନ୍ତୁ ଲଗାମ୍ ସାଙ୍ଗେ ସାଙ୍ଗେ ମା’କୁ ଛାଟବି ଧରିବାକୁ ପଡ଼ିବ ଯେ । ମା’ରେ ମା’ ଅଛନ୍ତି, ସମସ୍ତେ ତା’ ପାରିବେନାହିଁ । ୟେ ମା’ ପାରିବଟି ?

 

କୁଶଳବାବୁ ହସିଲେ । ରମା ତଳକୁ ମୁହଁ ପୋତିଲା । ବାଜିବାବୁ ରମାକୁ କହିଲେ “କୁଶଳବାବୁଙ୍କର ଆଉ ମୋର ଉଦ୍ଦେଶ୍ୟ ଏକା । ଆଉ ଆମ ଗଢ଼ଣ ଯେମିତି ଭିନେ ଧରଣବି ଭିନେ । ଆପଣ ବୟସରେ ହେବେ ମୋର ଅଧା, ସମ୍ବନ୍ଧରେ ହେବେ ମୋ ମା’, ପୁଅ ଆଖିରେ ମା’ର ବୟସନାହିଁ । ହେଇ ଦେଖନ୍ତୁ କୁଶଳବାବୁ କିଛି କହୁନାହାନ୍ତି, ଉନ୍ନତ ଚିନ୍ତା କରୁ କରୁ ମଣିଷ ବସି ବସି ମୁଢ଼ି ଚିନାବାଦାମ ଚୋବୋଉଥାଏ, ଯେମିତି ସେଇଟାହିଁ ଜଗତରେ ବଡ଼ କାମ । ଚିନ୍ତା ଅବଶ୍ୟ ସବୁଠୁ ବଡ଼, ତେଣୁ ଆମେ ସବୁ ହାତ ଗୋଡ଼ ହେଲେ କୁଶଳବାବୁହିଁ ଏଡ଼େ ବଡ଼ ସଙ୍ଗଠନର ମସ୍ତିଷ୍କ । କିନ୍ତୁ ମୁଁ ମା’ର ହୁଣ୍ଡା ପୁଅ, ଆଗପଛନାହିଁ, ଖାଲଢିପନାହିଁ, ଲୁଚେଇବାକୁ କିଛିନାହିଁ, ମୁଁ ଅଧମ ।”

 

ତିନିହେଁ ହସିଲେ, ରମା ଓଠକୁ ଦାନ୍ତରେ ଚିପି ଚିପି ମୁହଁକୁ ତଳକୁ ପୋତି । ସେତିକିବେଳେ ତା’ ନିଘାରେ ପଡ଼ିଲା ବାଜିବାକୁ ତାକୁ ପୁଣି ଚାହୁଁଛନ୍ତି । ସେ ମୁହଁ ଟେକିଲାବେଳକୁ ଦେଖିଲା ତାଙ୍କ ଦୃଷ୍ଟି ଅନ୍ୟ ଆଡ଼େ ।

 

ତା’ପରେ ବେକ ଝାଙ୍କି ଦେଇ ସେ କହିଲେ,–“ଆମର ୟେ ଗୋଟିଏ ପୁରୁଣା ସଙ୍ଗଠନ-। ଦେଶ ଓ ସମାଜ ବଦଳିବାରେ ଲାଗିଛି, ତଥାପି ୟେ ସଙ୍ଗଠନ ବଞ୍ଚିଛି, ଗଲା ରବିବାର ‘ବାର୍ତ୍ତା’ କାଗଜ ଲେଉଟାଇବେ, ସେ ବିଷୟରେ ମୁଁ କିଛି ଲେଖିଛି । ଏତେ ବର୍ଷ ବଞ୍ଚିପାରିଲା କେମିତି ? ଆପଣ କହିପାରିବେ ?”

 

“କେତେ ଜଣଙ୍କ ତ୍ୟାଗ, ନିଷ୍ଠା, ଆନ୍ତରିକତା, ନୀତିମତ୍ତା, ଉଚ୍ଚଆଦର୍ଶବାଦ ଓ ପ୍ରଗାଢ଼ ଶ୍ରମ ଯୋଗୁଁ ।” ରମା କହିଲା ।

 

କୁଶଳବାବୁ ସାବାସ୍-ସାବାସ୍ କହିଲା ଭଳି ଉତ୍ସାହୀ ଭଙ୍ଗୀରେ ମୁଣ୍ଡ ହଲେଇଲେ ।

 

ବାଜିବାବୁ ହସିଲେ । କହିଲେ, “ୟେ ହେଲା ଖାତାରେ ଲେଖିଲା ଭଳି ପ୍ରଶ୍ନର ଉତ୍ତର । କାର୍ଯ୍ୟକ୍ଷେତ୍ରରେ କ’ଣ ୟେ ସତ ?”

 

କୁଶଳବାବୁ ଆକଟିଲା ପରି ଟାଣ ହୋଇ କହିଲେ, “ଯୁଗେ ଯୁଗେ ସତ ।”

 

ବାଜି ସୁନ୍ଦରା କହିଲେ, “କାର୍ଯ୍ୟକ୍ଷେତ୍ରରେ ଏହି ସବୁ ଉପାୟରେ କିଏ ଆଗ ଏମିତି ଦଶଜଣିଆ ଅନୁଷ୍ଠାନଟିଏ ଚଳେଇ ପାରିଲେ ସେଉଠୁ ମୁଁ ୟେ କଥା ମାନିବି । ଏଇ ଯାହା ଯାହା ଆପଣ କହିଗଲେ ସେଗୁଡ଼ିକ ସଂସାରରେ ବଞ୍ଚିବା ପକ୍ଷେ ଘୋର ଶତ୍ରୁ । ତ୍ୟାଗ ଆରମ୍ଭ କଲେ ପ୍ରାଣବି ତ୍ୟାଗ କରିବାକୁ ପଡ଼ିବ । ନିଷ୍ଠା ଓ ଆନ୍ତରିକତା ଥିଲେ କିଏ ଯଦି ଭକୁ ହୋଇ ନିଜ ପିଣ୍ଡାରେ ବସିଥିବ ଆଉ କିଏ ଖଣ୍ଡା ଉଞ୍ଚେଇ ଧର୍ମ ପ୍ରଚାର କରିବ । ନୀତି ଧରି ବାଟ ଚାଲୁଥିଲେ କେତେବେଳେ ନିଆଁରେ ପଶିବା ପଡ଼ିବ ତ କେତେବେଳେ ଅକାତ ପାଣିରେ, ବର୍ଷା କୁଟିଲେବି କାହା ଓଳିତଳେ ଲୋକ ଠିଆ ହେବନାହିଁ । ସେବାଟରେ ମରଣ ସୁନିଶ୍ଟିତ । ଆଦର୍ଶବାଦ ଅର୍ଥ ମୁଁ ବୁଝେନାହିଁ, ମାତୃଭାଷାରେ ମୁଁ ଦୁର୍ବଳ, ସେଥିପାଇଁ ପୂଜ୍ୟ ଆର୍ତ୍ତବାବୁ ବେଞ୍ଚ ଉପରେବି ଠିଆ କରେଇଥିବେ । ଆଦର୍ଶବାଦ ବୋଧହୁଏ ପେଟେ ଭୋକ ମୁହେଁ ଲାଜ’ ଭଙ୍ଗୀକି କହନ୍ତି, ନଇଲେ ଖଞ୍ଜ ଲୋକ ଯେତେବେଳେ ପାହାଡ଼ ଚଢ଼ିବା ସ୍ୱପ୍ନ ଦେଖୁଥାଏ ସେଇ ସ୍ୱପ୍ନକୁ ।”

 

କୁଶଳବାବୁ ହସିଲେ, କହିଲେ “ଆଜି ତୁମର କ’ଣ ହେଇଚି ବାଜି ?” ବାଜିବାବୁ ହସି ହସି ଉତ୍ତର ଦେଲେ । “ଆପଣଙ୍କୁ ଦେଖିଲେ ମୌଳିକ ଚିନ୍ତା କରିବାକୁ ମନ ଡାକେ । ସେଇଆ କରୁଛି । ଆମ ସଙ୍ଗଠନଟା ଯେ ନାନାଅବସ୍ଥା ଭିତରେ ଏପର୍ଯ୍ୟନ୍ତ ବଞ୍ଚି ପାରିଛି ସେଇଟାହିଁ ପ୍ରମାଣ ଯେ ଆମେ ନୀତିକୁ ଧରି ବୁଡ଼ିମରିବାକୁ ଖୋଜୁନାହିଁ । ଆମର ନିର୍ଦ୍ଦିଷ୍ଟ ନୀତି ନଥିଲା, ନାହିଁ, ଆମର ନୀତି ଅବସ୍ଥା ଦେଖି ବ୍ୟବସ୍ଥା ଯେତେବେଳେ ଯାହା । ଆମର ମୁହଁ ଏକ ନୁହେଁ ସହସ୍ର, ବଢ଼ି ହେଲେ ଆମେ ପାହାଡ଼ରେ ଚଢ଼ିବୁ ଆଉ ବଢ଼ି ଛାଡ଼ିଦେଲେ ଓହ୍ଲେଇ ପଡ଼ିବୁଁ ସମତଳକୁ ତେଣୁ ସବୁବେଳେ ଆମର ଜିତାପଟ । ଆଗେ ଲୋକଙ୍କୁ ଧ୍ୱନିର ଉନ୍ମାଦନା ଓଟାରି ଆଣୁଥିଲା, ଆମେ ଧ୍ୱନି ଦେଉଥିଲୁଁ । ତା’ପରେ ବେଳ ଆସିଲା ସେ କାଟୁକଲାନାହିଁ, ଲୋକେ ପ୍ରତିଶ୍ରୁତି ଲୋଡ଼ିଲେ, ଆମେବି ତୁଣ୍ଡ ପ୍ରତିଶ୍ରୁତି ଦେଲୁଁ, ସେମାନେ ଖୁସି ହେଉଥିଲେ । ଆହୁରି କିଛି କାଳ ଗଲା, ସେଉଠୁ ସେମାନେ ଆଉ ପ୍ରତିଶ୍ରୁତି ଶୁଣି ସନ୍ତୋଷ ହେଲେନାହିଁ, ଖୋଜିଲେ ନଗଦାନଗଦି କାରବାର । ଆମେ କହିଲୁଁ–“ୱାଜିବ କଥା” । ତା’ବି କଲୁଁ । ଆମେ ଆଗେ ଯାହା କହୁଥିଲୁଁ ଏବେ ସେଇଆ କହୁଚୁଁ, କିନ୍ତୁ ଆଗେ ଯାହା ଯାହା କରୁଥିଲୁଁ ଏବେବି ସେଇଆ କରୁଚୁ ବୋଲି କହି ଭାବିଲେ ସେ ଠକେଇରେ ପଡ଼ିଯିବ ।”

 

କୁଶଳବାବୁ ତାଙ୍କୁ ଆହୁରି ଗମ୍ଭୀର ହୋଇ ଅନାଇଁ ରହିଥାନ୍ତି । କହିଲେ “ଯଦି କହୁଚ ଅନୁଷ୍ଠାନ ବିଗିଡ଼ିଲା ସେଥିପାଇଁ ଦାୟୀ କିଏ ? ନିଜର ତନ୍ତ୍ରଟି, ତାକୁ ସିନା ସୁଧାରିଲେ ହେବ, ସେ ବିଷୟରେ ବ୍ୟସ୍ତ ହୋଇ ଗପିଲେ କ’ଣ ହେବ ?”

 

ବାଜିବାବୁ କହିଲେ, “ଅନୁଷ୍ଠାନ କହିଲେ କ’ଣ ଏକା ମୁଁ ? ମୁଁ ନୁହେଁ, ଆମ୍ଭେମାନେ, ବହୁବଚନ । ତା’ ଭିତରେ ଆପଣମାନେ ଆସନ୍ତି ଆଗ, ସାଧୁ ସନ୍ଥମାନେ, ଯେଉଁମାନେ ସବୁ ଜାଣିଶୁଣି ତଥାପି ଆଖି ବୁଜି ବସି ତପସ୍ୟା କରନ୍ତି, କ’ଣ ନା ଭଲ କହିବି, ଭଲ ଦେଖିବି, ଭଲ ଶୁଣିବି, କାଦୁଅକୁ ଓହ୍ଲେଇବି ନାଇଁ କି ଗୋଡ଼ ଧୋଇବିନାହିଁ । ଯେ କାଦୁଅରେ ପଶିବ, ବିଷ ପିଇବ, ଲଟରପଟର ହେବ, ତାକୁ କୁହାଯିବ କ’ଣ ନା ଦାଗୀ । ହଉ, ସେଇ ଦାଗୀ, ଗୁଣ୍ଡା ଭିତରୁ ଜଣେ ମୁଁ-। ଏବେବି ତ୍ରାହି ତ୍ରାହି ଡାକୁଚି । ଆଉ ଭରତ ହେବାକୁ ଇଚ୍ଛାନାହିଁ ବନବାସଟା ମତେ ବଢ଼େଇ ଦେଇ ଆପଣ ଏ ଦାୟିତ୍ୱଟା ହାତକୁ ନିଅନ୍ତୁ, ଆଉ ଯାହା ଭଲ ଦିଶୁଚି ତା’ କରନ୍ତୁ ।”

 

ଅଧା ଅଟ୍ଟାଳିଆ ଅଧା ପିଲାଳିଆ କଥା କହୁ କହୁ ବାଜିବାବୁଙ୍କ ସୁର କ୍ରମେ ଅଭିମାନିଆଁ ଶୁଭିଲା, କୁଶଳବାବୁ ଟେବୁଲ ଉପରେ କହୁଣୀ ଭରା ଦେଇ ତାଙ୍କଆଡ଼କୁ ଝୁଙ୍କି ପଡ଼ିଲେ ।

 

କହିଲେ “ସବୁ ବୁଝୁଚି ବାଜି । ତୁମେ ପରା ଲୁଦା ଭୀମ, ତୁମେ ଏଗୁଡ଼ା ଭାବିଲେ ଚଳିବ-?”

 

ବାଜିବାବୁ ହସିଲେ, କହିଲେ “ନା, ଭାବିବା ଛଳ କରିବା ଅଧିକାରବି ମୋର ନାଇଁ । ବେଳେବେଳେ ଭାବେ, ସାପଠିଁ ପଛେ କୃତଜ୍ଞତା ମିଳିବ ମଣିଷଠିଁ ତ ନାହିଁ, ତେବେ ମୁଁ ଖଟି ମରୁଚି କାହିଁକି ? ସବୁ ଜଳିବ ତ ଜଳୁ, କେତେ ମହା ମହା ତ ଗଲେଣି, ଆଉ ୟେ ଦେଶର ହିତକୁ ଖାଲି ଟେକି ଧରିବାକୁ ନିଖ ମରିଚି ମୋରି ମୁଣ୍ଡରେ ନା କ’ଣ ?”

 

“ଛାଡ଼ ସେ କଥା ବାଜି,” କୁଶଳବାବୁ କହିଲେ, “ଦିନକୁ ଅଠର କୋଡ଼ିଏ ଘଣ୍ଟା ଖଟି, ନାନାଅଡ଼ୁଆ ସମ୍ଭାଳି ତୁମ ମିଞ୍ଜାସ ଠିକଣାନାହିଁ । ୟେ ମହାଶୟାଙ୍କୁ ତୁମ ପାଖକୁ ଆଣିଥିଲି ଯେ, କାହିଁ ସେ କଥା ତ କିଛି ପଡ଼ିଲାନାହିଁ ?”

 

ଆଶ୍ଚର୍ଯ୍ୟ ହୋଇ ବାଜିବାବୁ କହିଲେ, “ତେବେ ଏତେ ବେଳଯାଏ ମୁଁ କହୁଥିଲି କ’ଣ ? ଖାଲି ଭଣ୍ଡାରଘର ଚାବି ପେନ୍ଥାକଧରେଇ ଦେଲେ ତ ସଇଲା ନାଇଁ, ବୁଝେଇବା ଦରକାର, ଭିତରେ କ’ଣ ଅଛି, ଖାଲି ସୁନା ରୁପା ନୁହେଁ, ସାପ କେତେ, ମୂଷା ଚୁଚୁନ୍ଦ୍ରା କେତେ, ଅସରପା କେତେ । ତା’ପରେ ଆସନ୍ତୁ ସେ, ଅନୁଷ୍ଠାନ ତାଙ୍କୁ ଗ୍ରହଣ କଲେ ମୋର ଆପତ୍ତିନାହିଁ, ଅନୁଷ୍ଠାନର ମତପାଇଁ ଆପଣ ଦାୟୀ । ଯେଉଁଠି କାମଟା ଲକ୍ଷ ଲକ୍ଷ ଜୀଅନ୍ତା ମଣିଷଙ୍କୁ ଘେନି, ତା’ର ରୂପରେଖ ଏପରି ନୁହେଁ ଯେମିତି କବାଟ କିଳି ଠାକୁରଙ୍କ ଆଗରେ ଲମ୍ବ ହୋଇ ଗୋଡ଼ତଳେ ପଡ଼ିଯିବା । କରିବ କରାଇବ, ନାଚିବ ନଚାଇବ, ମାରିବ ମରାଇବ, କ୍ରିୟା ଆଉ ଜିଲନ୍ତ ଉଭୟେ ଚାଲିବ ଏକ ପିଣ୍ଡରୁ । ସତେ ଆପଣ ମତେ ବିଶ୍ରାମ ଆଉ ଅବସରଦେବେ ମା’ ? ଦିଅନ୍ତୁ, ମୋର ଭାଗ୍ୟ ।”

 

ସେ ହସି ଦେଇ ରମାଆଡ଼କୁ ଅନାଇଁ ଦେଲେ । ରମା ପୁଣି ସତେକି ଝାଉଁଳି ପଡ଼ିଲା । କୁଶଳବାବୁ ତୁନି ହୋଇ ବସିଥାନ୍ତି । ବାଜିବାବୁ ପୁଣି କହିଲେ–

 

“ଏଥର ମୋ କଥାଟି ସରିବ, ଫୁଲ ଗଛଟି ମରିବ । ମୁଁ ଖାଲି କେଇଟା କାମିକା ନୀତି କଥା ଶୁଣେଇବି । ମୁଁ ଏକଥା ଶିଖିଲି ଯେ ସେ ଯେଉଁ ଜୀଅନ୍ତା ଦେବତାମାନେ ଆମର ଖାଉନ୍ଦ କି ମହାଜନ କି ଆଉ କ’ଣ, ତାଙ୍କୁ ତୁଲେଇବା ପାଇଁ ଆଗର ନୀତିର ଠିକ୍ ଓଲଟା ନୀତି ଦରକାର ପଡ଼େ ପ୍ରତ୍ୟେକ ବିଷୟରେ ଓଲଟା, ଯେ କୌଣସି ନୀତି ଗ୍ରନ୍ଥ ଧରି ତା’ର ଓଲଟା ଓଲଟା କଥା ଭାବିଗଲେ ଜଣାପଡ଼ିଯିବ, ସଂସାର କ୍ଷେତ୍ରରେ ସଫଳ ହେବାଲାଗି ଲୋକେ କେଉଁ କେଉଁ ଉପାୟରୁ ବେଶି ଲାଭ ପାଆନ୍ତି । ଧରନ୍ତୁ ମୁଁ କହିବି ।

 

ସର୍ବଦା ମିଥ୍ୟା କହିବ । କଦାପି ସତ୍ୟ କହିବନାହିଁ, କାହାରିକି ବିଶ୍ୱାସ କରିବନାହିଁ, ବିନା ସ୍ୱାର୍ଥରେ କାହା ସଙ୍ଗେ ସାଙ୍ଗ ହେବନାହିଁ, ଯେତେ ପାର ଚୋରି କରିବ, ନିଷ୍ଠୁର ଓ ସ୍ୱାର୍ଥପର ହେବ, ହତ୍ୟା କରିବ, ସର୍ବଦା ଲୁଣ୍ଠନ ଓ ଶୋଷଣରେ ବ୍ରତୀ ହେବ, ଚଳନ୍ତି ନିୟମ ଭାଙ୍ଗିବ, ସଂଭ୍ରମ ଓ ମର୍ଯ୍ୟାଦା ଭୁଲିଯିବ ।”

 

ରମା ଉଠି ପଡ଼ିଲା, କହିଲା “ମୁଁ ଯିବି ।”

 

ବାଜିବାବୁ ଅଳ୍ପ ହସି କୁଶଳବାବୁଙ୍କୁ କହିଲେ “ଦେଖିଲେ ତ, ମୋ ଅନୁମାନ ସେଡ଼େ ଭୁଲ ନୁହେଁ ବୋଧହୁଏ, ଠିକ୍ ସନ୍ଦେହ କରିଥିଲି, ଆପଣଙ୍କର ଭୁଲ ହୋଇଥିବ ।”

 

କୁଶଳବାବୁଙ୍କ ମୁହଁ ତମ ତମ ଦିଶିଲା । ନିଜକୁ ସମ୍ଭାଳି ନେଇ କହିଲେ “ମୁଁ ଏପରି ଆଶା କରି ନଥିଲି ବାଜି ।”

 

ବାଜିବାବୁ କହିଲେ “ସତ୍ୟର ଧାସ ସମସ୍ତିଙ୍କ ଦେହରେ ଯାଏନାହିଁ ।”

“ସେଥିପାଇଁ କାହାରିକି ଦୋଷ ଦେଇ ଦେବନାହିଁ । ଯାହା ଗଢ଼ଣ ଯେପରି ।”

କୁଶଳବାବୁ ପଚାରିଲେ, “ତାହେଲେ କ’ଣ କହୁଚ ?”

ବାଜିବାବୁ କହିଲେ “ଆପଣ ଯାହା କହିବେ ।”

“ମୁଁ ଆଉ କ’ଣ କହିବି ?”

ବାଜିବାବୁ କହିଲେ “ଜନସାଧାରଣଙ୍କ କାମରେ ଆଗଭର ହେବା ଆଗରୁ ସାଧାରଣ କ୍ଷେତ୍ର ବିଷୟରେ ଟିକିଏ ଧାରଣା ହୋଇଥିବା ଦରକାର । ସେଭଳି ଧାରଣା ତ ୟେ ମା’ଙ୍କର ନଥିଲା, ବର୍ତ୍ତମାନ ମୋ କଥା ଶୁଣି ଅବା କିଛି ହୋଇଥିବ । ତା’ପରେ ସେ ମତ ଠିକଣା କରିବେ ।"

"ଏମିତିଆ ଧାରଣଟାଏ ଦେବା କ’ଣ ପ୍ରୟୋଜନ ଥିଲା ?"

"ପଛେ ଚମକି ପଡ଼ି ଭିଡ଼ିକିବା ପରିବର୍ତ୍ତେ ଆଗରୁ ଜାଣିଶୁଣି ନିଜ ମତ ସ୍ଥିର କରି ଆସିବା ସବୁ କ୍ଷେତ୍ରରେ କାମ ଦିଏ । କଥାଗୁଡ଼ାକ କାନକୁ ଭଲ ଶୁଭିନଥିବ ମୁଁ ଜାଣେ, ତେବେ,–ସତ ଦିନେ ଫୁଟି ବାହାରନ୍ତା, ଆଗରୁ ଜାଣିବା ଭଲ ।”

“ଏଗୁଡ଼ା କ’ଣ ସତ ?”

“ସେକଥା ଆପଣ ପଚାରୁଛନ୍ତି କୁଶଳବାବୁ ?” ବାଜିବାବୁ ଆଖି ଖୋଷି ଅନାଇଁଲେ, “ଆମ ଅନୁଷ୍ଠାନରେ ଯେତେ ଯେ ଅଛନ୍ତି, କିଏ ସଂଚାଳକ, କିଏ ଉପଦେଷ୍ଟା, କିଏ ଶୁଭାକାଙ୍କ୍ଷୀ, ସମସ୍ତେ ସବୁ କଥା ଜାଣନ୍ତି । ସମସ୍ତିଙ୍କର ଇଚ୍ଛା ୟେ ଅନୁଷ୍ଠାନ ବଞ୍ଚିଥାଉ, ବଢ଼ୁଥାଉ, ଭଲରେ ଥାଉ-। ସମସ୍ତେ ଜାଣନ୍ତି, ତାକୁ ବଞ୍ଚେଇବା କି କି ଉପକରଣ ଦରକାର, ସେ କୋଉଠି ମିଳେ, କେମିତି ମିଳେ । କହିଲେ ଲାଜ କ’ଣ ? ସେଥିରେ ଲୁଚାଛପା କ’ଣ ? ନ ହେଲେ ଅନୁଷ୍ଠାନକୁ ଭାଙ୍ଗି ଦିଅନ୍ତୁ-।”

କୁଶଳବାବୁ କହିଲେ “ନା, ଏତେ ସରି ହେବ ମୁଁ ଭାବି ନଥିଲି । ମୁଁ ସ୍ୱୀକାର କରୁଛି, ଆମେ କୋହଳ ହେଇଛୁଁ । ଅନୁଷ୍ଠାନ ବଞ୍ଚୁ ଭାବୁଁ ଭାବୁଁ ଏକଥାବି ଭାବିବୁ–ଯେ କୌଣସି ଉପାୟରେ ହେଲେ ବଞ୍ଚୁ । ତା’ ବୋଲି ମିଛ, ପାପ ଆଉ ଦୁର୍ନୀତିକୁ ଗୋଟାଏ ନୀତିରେ ପରିଣତ କରିବା, ତା’ର ସଂଜ୍ଞା ପ୍ରଚାର କରିବା,–ଏଇଟା ବହୁତ ଦୂର ! ପଛେ ଜଳି ଯାଉ ୟେ ଅନୁଷ୍ଠାନ, ଆମର ଦରକାରନାହିଁ ।” ସେ ବିହ୍ଵଳ ହୋଇ ଠିଆହୋଇ ରହିଲେ ।

ବାଜିବାବୁ କହିଲେ, “ସେକଥା ଆପଣମାନେ ଭାବିବାର ଥିଲା, ଆମେ ନୋହୁ ।”

ବ୍ୟଙ୍ଗରେ ମୁହଁ ନେଫେଡ଼ି କୁଶଳବାବୁ ଠିଆହୋଇ ରହିଥାନ୍ତି । ବାଜିବାବୁ କହିଲେ, “ଆମେ କାହା ତଣ୍ଟି ଚିପିଲାବେଳେ କେବେ କହିନାହୁଁ ଆମେ ତାକୁ ଦୟା କରୁଛୁଁ । ଆମେ ମାଉଁସ ତରକାରୀକୁ ଶାଗ ବୋଲି କହି ନାହୁଁ, ଡିମ୍ବକୁ ପରିବା ବୋଲି କହିନାହୁଁ । ଆମେ ନିଜ ଦୋଷ ଦୁର୍ବଳତାକୁ ଲୁଚେଇ ଛପେଇ ପୁଣ୍ୟାତ୍ମା ବୋଲି ଭେକ ଦେଖାଇ ହୋଇ ନାହୁଁ ।”

 

“ଓ ! ତୁମେ ସବୁ ପ୍ରକୃତ ସତ୍ୟ–ଉପାସକ ! ଠିକ୍ !”

 

“ଭୁଲ୍ କହିନାହାନ୍ତି । ସତ୍ୟ ଖାଲି ବାସ୍ନାରେନାହିଁ, ଦୁର୍ଗନ୍ଧରେବି ଅଛି । ଯେ ଦୁର୍ଗନ୍ଧକୁ ଘୋଡ଼େଇ କାନରେ ବାସ୍ନା ଅତର ବୋଳା ତୁଳା ଖୋଷି ବାସେ ସେ ସତ୍ୟ ନୁହେଁ ।”

 

କୁଶଳବାବୁ କହିଲେ, “ତୁମର ବିଶ୍ରାମ ଦରକାର ବାଜି, ତୁମେ ଉତ୍‍କ୍ଷିପ୍ତ ।”

 

“ସେ ବିଶ୍ରାମ ମତେ ଦେବ ମୃତ୍ୟୁ ।”

 

ତାଙ୍କ ହାତ ପାପୁଲିକୁ ଧରି ପକାଇ କୁଶଳବାବୁ କହିଲେ “ବାଜି, ତୁମର ଆଉ ଏ ଅନୁଷ୍ଠାନ ଉପରେ ବିଶ୍ୱାସନାହିଁ । ତୁମେ କାହିଁକି ଘାଣ୍ଟିହେଉଛ ?

 

ସତ୍ୟବାଦୀ ଶିବ ସୁନ୍ଦର ରାୟ ଶୁଖିଲା ହସଟାଏ ହସି କହିଲେ “ସଂସାରଯାକ ଏତେ ଲୋକ, ଯେ ଯେଉଁ ପନ୍ଥା ଧରିଛି କ’ଣ ତହିଁରେ ତା’ର ବିଶ୍ୱାସ ଅଛି ବୋଲି ଧରିଛି ? ବିଶ୍ୱାସ ଅଛି ବୋଲି ଛଳନା ଦେଖାଇ କେବେ ମୋ ମନ ଏବାଟେ ମତେ ଆଣିଥିଲା, ଅଇଛା ୟେ ହୋଇଛି ମୋର ବୃତ୍ତି ବେଉସା । ସମସ୍ତିଙ୍କର ସେହିପରି । ନ ହେଲେ ସେ ଯୁଗବି ନାହିଁ, ସେ ରାମବି ନାହାନ୍ତି, ସେ ଅଯୋଧ୍ୟାବି ନାହିଁ ।"

 

ରମାଆଡ଼କୁ ଅନାଇଁ ଦେଇ ସେ ବିନୟରେ ହାତଯୋଡ଼ି ଠିଆ ହେଲେ । ତାଙ୍କର ଭଙ୍ଗୀ ବଦଳିଗଲା, ମୁହଁ ଅତି କଅଁଳ । ସହାନୁଭୂତି ଓ ନମ୍ରତାରେ ଢଳ ଢଳ ଦିଶିଲା । କହିଲେ, "ମୋକଥା ଧରିବେନାହିଁ ମା’, ୟେ ଆପଣଙ୍କର ଗୋଟାଏ ପାଗଳ ପୁଅ । ମୋ କଥା ଶୁଣି କ୍ଳାନ୍ତ ଲାଗିବଣି । ଦୋଷ କରିଥିଲେ କ୍ଷମା ଦେବେ । ଯାହା କହିଲି, ଭାବିବେ ଟିକିଏ । ଏଠି ବାଟଘାଟ ପାଣିପବନ ଏଇଆ । ତୁହାଇ ତୁହାଇ ତୋଫାନ ପିଟି ପିଟି ଯାଇଛି, ସବୁ ଭଙ୍ଗା ରୁଜା, ସବୁ ଅଳିଆ ଅବର୍ଦ୍ଧା । ତା’ରି ଭିତରେ ଆଗେ ଆଗେ ବାଟ ଦେଖାଇ ପାରିବେ ଯଦି ଆସନ୍ତୁ, ଡରିବେନାହିଁ, ଘୃଣାରେ ନାକ ଟେକିବେନାହିଁ, ଥକି ଯିବେନାହିଁ, ଚାଲିଥିବେ । ଆସନ୍ତୁ, ବହୁତ ବହୁତ କାମ ଅଛି ।"

 

ସ୍ୱପ୍ନ ପରି ଘଣ୍ଟାଟିଏ କଟିଗଲା । ସେମାନେ ଭିଡ଼ କାଟି କାଟି ସଡ଼କକୁ ଆସିଲେ । କରପଟିଆ ହୋଇ ଅରାଏ ଖାଲିଜାଗା, ସେଠି ଗୋଟାଏ ଝଙ୍କା ଓସ୍ତଗଛ ଛାଇ କରିଛି । ଯୋଡ଼ିଏ ରିକ୍ସାକୁ ହାତଠାରି ଡାକି ସେହି ଛାଇତଳେ ଠିଆହେଲେ କୁଶଳବାବୁ, ଆଗରେ ରମା । ଦୀର୍ଘଶ୍ୱାସ ପକାଇ କହିଲେ, “ବାଜି ବହୁତ ବଦଳିଛି, ଯାହା କହନ୍ତି କ୍ଷମତା ମଣିଷକୁ ଭ୍ରଷ୍ଟ କରେ, ସତ କଥା । ତା’ ବିଚାର ଯଦି ଏପରି ହେଲାଣି ଆଚାରବି ହେବଣି ସେହିପରି । ଏଣିକି ସେ ତା’ର ଯାଉ, ନିଜ ବେପାର ଧନ୍ଦାରେ ଲାଗି ରହିଥାଉ, ଅନୁଷ୍ଠାନର ଆର ବୈଠକରେ ସେମିତି ପ୍ରସ୍ତାବ ପକାଇବାକୁ ପଡ଼ିବ । ଅନ୍ୟ ଉପାୟନାହିଁ ।”

 

ରମା କହିଲା, “ଯେ ଯାଉ, ଯେ ଆସୁ, ମୋର ଏଠି କାମ କ’ଣ ?”

 

କୁଶଳବାବୁ କହିଲେ, “ବାଜିର କଥା ଶୁଣି ଭିଡ଼ିକିବା ଠିକ୍ ହେବନାହିଁ । ସମସ୍ତେ ବାଜି ନୁହନ୍ତି । ଆମର ନୂଆ ଦୃଷ୍ଟି ନୂଆ ତେଜ ଦରକାର, ବାଜିର ସ୍ଥାନ ଆପଣ ପୂରଣ କରିବେ ।”

 

ରମା କହିଲା “କାହା ସ୍ଥାନ ନେଲାଭଳି ଶକ୍ତି କି ଦକ୍ଷତା କି ମନ ମୋଠିନାହିଁ । ମୁଁ କେଉଁଠି ଠାଏ କିଛି କାମ କରିପାରିଲେ କେଡ଼େ କଥା ହୁଅନ୍ତା । ସେଥିପାଇଁବି ମୋର ଭାଗ୍ୟ କାହିଁ-?”

 

ରିକ୍ସା ଯୋଡ଼ିକ ଠିଆ ହେଲା ।

 

କୁଶଳବାବୁ କହିଲେ, “ନିଜପାଇଁ ଯାହାର କାମନା ନଥାଏ ତା’ର ସୌଭାଗ୍ୟ ସବୁବେଳେ, କାହିଁକି ନା ସେ ଏକା ମଣିଷ ଯେ ଆଖିରେ ଦେଖିପାରେ, ମନରେ ଭାବିପାରେ, ବିଚାର କରିପାରେ, ସ୍ୱାଧୀନ ମନରେ କାମ କରିପାରେ । ଆଗ ଥୋଡ଼ାଏ ଦେଖିଯାଉନ୍ତୁ ।”

 

ଯେଡ଼େ ନିର୍ଭର ଦେଇ କୁଶଳବାବୁ ରମାକୁ ବୁଝାଇଗଲେ ସୁଦ୍ଧା ତା’ ମନ ଭିତର ମାନିଲାନାହିଁ, ବାରମ୍ବାର ମନେପଡ଼ୁଥାଏ ସତ୍ୟବାଦୀ ଶିବ-ସୁନ୍ଦର-ରାୟଙ୍କ ମୁହଁ, ପ୍ରଳାପ କଲା ପରି ତାଙ୍କର କଥା କହିବା ଭଙ୍ଗୀ, ଆଉ ସେହି ନିରାଶିଆ ଅଖାଡ଼ୁଆ ଓଲଟା ଓଲଟା କଥାଗୁଡ଼ାକ, ଆଉ ସେ ଭାବୁଥାଏ,– “କୁଶଳବାବୁ, ବାଜିବାବୁ, ମୁଁ, ଏ ତିନି ଜଣଙ୍କ ଭିତରୁ ଜଣେ, ଦି’ ଜଣ କି ତିନିଜଣ ନିଶ୍ଚୟ ପାଗଳ, କେଉଁ ଜଣକ ? କିଏ କିଏ ? କୁଶଳବାବୁ ପାଗଳ ହୋଇ ସ୍ୱପ୍ନ ଦେଖୁଥିବେ, ବାଜିବାବୁ ପାଗଳ ହୋଇ ସବୁ ଓଲଟା ଦେଖୁଥିବେ, ଆଉ ମୋଠିଁ ପାଗଳାମି ନଥିଲେ ବୋଧହୁଏ ମୁଁ ଏଠିକି ଆସି ନଥାନ୍ତି, ଏମାନଙ୍କ କଥା ମୁଣ୍ଡରେ ପୂରେଇହିଁ ନଥାନ୍ତି ।” କିନ୍ତୁ ଏଡ଼େ ସହଜରେ ନିଷ୍ପତ୍ତିବି କରି ହୁଏନାହିଁ, ବାଜିବାବୁ ତୁଣ୍ଡରେ ଯାହା କହନ୍ତୁ ପଛେ, ସେ କେଡ଼େ ପାରିବାର ଲୋକ ତା’ ସମସ୍ତେ ଜାଣନ୍ତି, ଆଉ ଏତେ ବଡ଼ ମୁଣ୍ଡିଆଳ ହୋଇ କୁଶଳବାବୁଙ୍କୁ ସେ ସତେ ଯେମିତି ଗୁରୁ ଗୋସେଇଁ ଭଳି ଦେଖନ୍ତି ସେ ଧାରଣାବି ରମାର ହୋଇଥାଏ । ମନ କହୁଥାଏ, ଏ ବାଟ ନୁହେଁ, ପୁଣି ଦ୍ୱିଧାରେ ପଡ଼ି ନାକେଇଥାଏ, ଯେମିତି କୁତୂହଳରେ ଅପେକ୍ଷା କରିଛି କ’ଣ ଅଜଣା କଥା ଘଟିବ ବୋଲି ।

 

ରାଧୀନାନୀଙ୍କୁ ପରାମର୍ଶ ମାଗିଲା । ସେ ଖାଲି ହସିଦେଲେ । ବଳାଇବାରୁ କହିଲେ– “କ’ଣ ମୁଁ ଜଣେଁ ? କି ପରାମର୍ଶ ଦେବି ? ନିଜ ମନ ବଳେ କହିବ କେଉଁଟା ରୁଚୁଛି କେଉଁଟାନାହିଁ । ସମସ୍ତିଙ୍କୁ ସବୁ କଥା ତ ରୁଚେନାହିଁ । ସାଧାଖିଆ ଲୋକକୁ ମାଂସ ପଲୋଉ ଦେଲେ ଖାଲି ପଲୋଉ ବେଶି ମହଙ୍ଗା ବୋଲି କ’ଣ ତାକୁ ସେ ପାଟିରେ ଦେବ ?”

 

ତାଙ୍କର ସେହି ପୁରୁଣା ମତ, ନିଜ ରୁଚି କଳ ।

 

“କେମିତି ଜାଣିବି ନିଜ ରୁଚି କ’ଣ ?”

 

ପାକୁଆ ପାଟି ଆଁ କରି ହସିଲା, କହିଲେ “ନିଜେ ନ ଜାଣିଲେ ଆଉ କିଏ ଜାଣିବଲୋ ମା’ ? ଦି’ଟା ବାଗ ଅଛି, ମଝିରେ କିଛିନାହିଁ । କିଏ ଆପଣା ପିଣ୍ଡାରେ ଥିରି ହୋଇ ବସି ନିଜ ମନକୁ ନିଜେ କଲେ, ନିଜଭିତରେ ନିଜେ ଖୋଜେ, ନିଜ ରୁଚି ଜାଣିପାରେ । ଆଉ କିଏ ନିଜକୁ ବୁଝିବାକୁ ବଜାରଯାକ ଦେଖି ଦେଖି ବୁଲେ, ପରଖି ପରଖି ବୁଲେ, ଏଇଟା ନୁହେଁ ଏଇଟା ନୁହେଁ ବାଛୁ ବାଛୁ ଶେଷରେ ଯାଇ ଜାଣିପାରେ ତା’ର କ’ଣ ଦରକାର । ମୁଁ ନିଆଁନାଗୀ ଏତେ କଥା କ’ଣ ବତୋଉଚି ବା ? ସତେ ଯେମିତି ମୁଁ ପଣ୍ଡିତ ! କ’ଣ ଶୁଣିବ !”

 

ରମା ତୁନି ହେଲା । ଭାବିଲା, ସତ କଥା ବର ମଲାପରେ ଚାକିରି କରି ଆସିଲାଠୁଁ ଏଯାକେ ସେ ନିଜର ମନକୁ ରୁଚିକୁ ଅଣ୍ଡାଳି ଅଣ୍ଡାଳି ଖୋଜୁଛି, ପାଇନାହିଁ, ତା’ର ବଜାରବୁଲା ଜିନିଷ ଦେଖା ପରଖା ପରଖି ସରିନାହିଁ, ଆପଣା ଭିତରେ ଥୟ ନ କରିପାରିଲେ ଲାଗିଥିବ ବାହାରେ ଠାବ କରିବାକୁ ଭୁତବୁଲା, କି ବାଧିକା ! ଏ କ’ଣ ତା’ପାଇଁ ଲୋଡ଼ା ସତେ ?

 

କୁଶଳବାବୁ ପୁଣି ଥରେ ତାକୁ ଡାକି ନେଇଗଲେ ଆଉ ଜଣଙ୍କୁ ଭେଟିବାକୁ, ସେ ସ୍ୱାଧୀନ୍ଦ୍ରନାଥ ମହାପାତ୍ର, ବିଖ୍ୟାତ ଲୋକ । ଖବରକାଗଜରୁ ଓ ଶୁଣାଶୁଣିରେ ରମା ତାଙ୍କ ବିଷୟରେ ଧାରଣା କରିସାରିଥିଲା, କ୍ଷମତା ଓ ପ୍ରତିପତ୍ତିରେ ସେ ବହୁତ ବଡ଼, ତାଙ୍କ ପଛରେ ହଜାର ହଜାର ମଣିଷ, ବହୁକାଳୁ ସେ ବି ଦେଶରେ ସୁପରିଚିତ । ତାଙ୍କ ବିଷୟରେ ନାନାକାହାଣୀ, କେତେ ତ ଜୀବନମୂର୍ଚ୍ଛା । ଦୁଃସାହସିକତାର, କେତେ ଅସମ୍ଭବ ଉଦାରତାର, ଆଉ କେତେ, ଯାହା ଖାଲି ବଦ୍‍ନାମ୍, ପ୍ରକାର ପ୍ରକାରର, ନିଷ୍ଠୁରତା, ଶଠତା, ବିଶ୍ୱାସଘାତକତା ଓ ନୀଚତାର । ସେଥିରୁ କେଉଁଟା ସତ କେଉଁଟା ମିଛ ସେ ବିଷୟରେ ତା’ର ନିଜର ଧାରଣାନାହିଁ । ସେ ବି ଧନକୁବେର, କିଏ କହନ୍ତି ତାଙ୍କର ପୈତୃକ ସମ୍ପତ୍ତିକୁ ବ୍ୟବସାୟରେ ଖଟାଇ ସେ ବହୁଗୁଣ ବଢ଼ାଇ ବଢ଼ାଇ ହୋଇପାରିଛନ୍ତି ବଡ଼ ବ୍ୟବସାୟୀ, କେତେଠିଁ କେତେ ବ୍ୟବସାୟ କି ଶିଳ୍ପ ଅନୁଷ୍ଠାନ, କେତେଠିଁ କେତେ ଜମିବାଡ଼ି, ଆଉ କାହିଁରୁ କ’ଣ ଯାହା ଲୋକେ କଳ୍ପନା କରନ୍ତି । ଆଉ କିଏ କହନ୍ତି ସେସବୁ ଅନ୍ୟାୟଲବ୍‍ଧ ଧନ, ତାଙ୍କର ସ୍ୱୋପାର୍ଜିତ । କିନ୍ତୁ ରମା ଜାଣି ନଥିଲା ଯେ ସୁଧୀବାବୁ ମଧ୍ୟ କୁଶଳବାବୁଙ୍କ ବନ୍ଧୁ ଦଳର । ଡରି ଡରି ସେ କୁଶଳବାବୁଙ୍କୁ ପଚାରିଲା, “ବାଜିବାବୁ ହେଲେ କି ସୁଧୀବାବୁ ହେଲେ, ସେମାନେ କାହିଁ କେଉଁ ସ୍ତରର, ମୁଁ କାହିଁ କେଉଁଠି ଗାଁଗହଳିର ନଗଣ୍ୟ ମଣିଷ, ଜୀବନରେ କେବେହେଲେ ଏପରି ବେଳ ପଡ଼ିବନାହିଁ ଯେତେବେଳେ ତାଙ୍କ ସଙ୍ଗେ ମୋର ମୁହାଁମୁହିଁ ହେବା ଦରକାରବି ପଡ଼ିବ, କାହିଁକି ମତେ ନେଉଛନ୍ତି ସେଠିକି ?”

 

କୁଶଳବାବୁ ହସିଲେ, କହିଲେ, ସଂସାରରେ କେହି ନଗଣ୍ୟ ନୁହେଁ, କେହି ବଡ଼ ନୁହେଁ, କାହିଁକି ଆପଣ ନିଜକୁ ଏଡ଼େ ସାନ ଭାବୁଛନ୍ତି ? ମୁଁ ପରା କହୁଛି, ଆପଣ ସେମାନଙ୍କଠୁଁ ବହୁତ ବଡ଼-।”

 

“ପୁଣି ସୁଧୀବାବୁଙ୍କ ପାଖକୁ ମତେ ନେବେ ! ତାଙ୍କ ବିଷୟରେ ଲୋକେ ବାରକଥା କହନ୍ତି, ଘରେ ଘରେ ।”

 

କୁଶଳବାବୁ ଗମ୍ଭୀର ହୋଇଗଲେ । ତା’ପରେ ପୁଣି ତାଙ୍କ ମୁହଁରେ ହସ ଫୁଟିଲା, କହିଲେ, “ଆପଣଙ୍କ ସରଳତା ସଂସାରରେ ସବୁ କୁଟିଳତାକୁ ଜାଳି ଉଡ଼ାଇଦେବ । ତେବେ, କିଏ କ’ଣ କାହା ବିଷୟରେ କହିଲା ତାକୁ ସତ ବୋଲି ଭାବିଲେ ଉଚିତ ବିଚାର ହେବନାହିଁ, ତୁଣ୍ଡ ଅଛି ଲୋକେ ଏଣୁତେଣୁ କହିବେ, ସେଥିରେ କ’ଣ ଯାଏ ?”

 

“କେତେ ଲୋକଙ୍କ ବିଷୟରେ ନକହି ଆଉ କେତେ ଲୋକଙ୍କ ବିଷୟରେ କାହିଁକି ମନ୍ଦ କଥା କହିବେ ?”

 

“ତା’ ଉତ୍ତର କ’ଣ ଏଡ଼େ ସହଜରେ ଦେଇହବ ? କେଉଁ କହିବା ଲୋକର କେଉଁ ଉଦ୍ଦେଶ୍ୟ । ପଦାକୁ ଗୋଡ଼ କାଢ଼ିଲେହିଁ ଆମେ ନାନାଲୋକଙ୍କର ନାନାଉଦ୍ଦେଶ୍ୟ-ଜାଲ ଭିତରେ ବାଟ ଚାଲୁ, ପଦାରେ ଯାହାର ଯେତେ କାମ ତା’ର ନାଁ’ ଉପରେ ପ୍ରତିପତ୍ତି ଉପରେ ସେତିକି ବହଳରେ ଉଦ୍ଦେଶ୍ୟ ଜାଲ । କ’ଣ କରିବା ? କ’ଣ ଅଟକିଯିବା ? ଧରାଯାଉ କାହାଠିଁ କେଉଁ ଖରାପ ଗୁଣବି ଅଛି, ଯେମିତି ଦେହ ଭିତରେ କେଉଁ ରୋଗ, ଆମେ ଦେଖିବା ସତ୍ କାର୍ଯ୍ୟରେ ସେ ଲୋକର ଆଗ୍ରହ କେତେ ତତ୍ପରତା କେତେ ଦାନ କେତେ, ତା’ର କଲ୍ୟାଣତମ ବ୍ୟକ୍ତିତ୍ୱ ସଙ୍ଗେ ଆମର ସମ୍ପର୍କ, ତା’ର ମନ୍ଦପଣ ସଙ୍ଗେ ଆମର ସମ୍ପର୍କନାହିଁ, ସେଇଟା ତା’ ନିଜର ଦୁଃଖ ଆଉ ରୋଗ, ଯଦି ପାରିବା ତାକୁ ସଜାଡ଼ିବା ସୁଧାରିବା, ସେକଥା ପରେ । ସୁଧୀ ବିଷୟରେ ପଚାରିଲେ ମୁଁ କହିବି ସେ ବହୁଗୁଣେ ମହତ୍, ସକ୍ରିୟ, ଜୀବନ୍ତ । ତାକୁବି ଆପଣଙ୍କ ବିଷୟରେ କହିଛି, ଚାଲନ୍ତୁ ଯିବା ।”

 

ଗୋଟାଏ ବଡ଼ ହତା, ବଗିଚା ଭିତରେ ଘରଯାକେ ଲମ୍ବା ରାସ୍ତା । ବଡ଼ କୋଠା । ବହୁତ ଲୋକ । ଦିନ ଦଶଟାବେଳେ ସେମାନେ ପହଞ୍ଚିଲେ । ଡାହାଣ ପଟେ ସୁଧୀବାବୁ ବସିବା ବଖୁରି । ଖବର ଯାଉ ଯାଉ କବାଟ ଖୋଲିଗଲା । ଜଣେ ପାତଳ ଡେଙ୍ଗା ଗୋରା ଲୋକ, ବୟସ ଚାଳିଶି ହେବ, ଠିଆହୋଇ ସେମାନଙ୍କୁ ଦଣ୍ଡବତ ହୋଇ କହିଲେ, “ଆସନ୍ତୁ ଆସନ୍ତୁ, ମୁଁ କେମିତି ଜାଣିଥିଲି ଆପଣମାନେ ଆସିବେ ।”

 

କବାଟ ବନ୍ଦ ହେଲା । ସର୍ବତ ଥୁଆହେଲା । ଟେବୁଲ୍‍ ସେପାଖେ ସୁଧୀବାବୁ, ଏପାଖେ ଯୋଡ଼ିଏ ଚଉକିରେ ରମା ଓ କୁଶଳବାବୁ । ବଡ଼ ଘର, ଝରକା ବନ୍ଦ ଅଛି, ବିଜୁଳି ଆଲୁଅ ଜଳୁଛି । ରମା ଆଶ୍ଚର୍ଯ୍ୟ ହୋଇ ଅନାଇଁଲା ଘରର ସାଜସଜ୍ଜାକୁ ଆଲମାରୀ ଆଲମାରୀ ବହି, ବହୁତ ଛବି, ଫଟୋ, ନକ୍ସା, କିଛି ମୂର୍ତ୍ତି, ଦାମୀ ଫର୍ଣ୍ଣିଚର ଆଉ ଏପରି ଅଦୃଶ୍ୟ ହୋଇ କିଛି ଯାହା ଅଭିଭୂତ କରିଦିଏ ।

Unknown

 

ସୁଧୀବାବୁ କହିଲେ, “ବାଜି ମୋ ସଙ୍ଗରେ କଥାଭାଷା ହୋଇଥିଲା ।”

 

ଟିକିଏ ତୁନିତାନି ।

 

ସୁଧୀବାବୁ କୁଶଳବାବୁଙ୍କୁ ପଚାରିଲେ, “କ’ଣ କରିବା କୁହନ୍ତୁ ?”

 

କୁଶଳବାବୁ କହିଲେ, “ଆଗରୁ ତ କହିଛି ।”

 

ସୁଧୀବାବୁ କହିଲେ, “ଭାବିଛି ସେ କଥା ଆପଣ ଯାହା ଠିକଣା କରିଛନ୍ତି ସେହି କଥାହିଁ କରାଯିବ, ଅତି ଉତ୍ତମ ପନ୍ଥା, ଦେଶକୁ ଗୋଟାଏ ଆଖିଦୁରୁଶିଆ ଆଦର୍ଶ ଦେଖାଇଦେବା ଉଚିତ, ତୁଣ୍ଡ କଥାରେ ଲୋକଙ୍କୁ ଭୁଲେଇ ହେବ କେତେଦିନ ? ଦାୟିତ୍ୱ ତୁଲେଇବାକୁ ଏଇ ଯାହାଙ୍କୁ ଆପଣ ବାଛୁଛନ୍ତି ସେ ନିଶ୍ଚୟ ଅତି ଉପଯୁକ୍ତ, ସେ ବିଷୟରେ ଆଉ ଭିନ୍ନେ କଥା କହିବ କିଏ ? ବାଜିରବି ସେହିଆ ଉଦ୍ଦେଶ୍ୟ ।” କୁଶଳବାବୁ ଆଶ୍ଚର୍ଯ୍ୟ ହୋଇ ପଚାରିଲେ, “ବାଜିର ? ସେ ତ ଯେମିତିଭାବେ କଥା କହିଲା ମୁଁ ଭାବିଲି ତା’ର କ’ଣ ହେଇଚି ।”

 

ସୁଧୀବାବୁ କହିଲେ, “ନିଜ ଉଚ୍ଛ୍ଵାସ କେବେ ରୋକି ଶିଖିନାହିଁ, ଥରେ କହିବାକୁ ଆରମ୍ଭ କଲେ କ’ଣ ନାହିଁ କ’ଣ କହିଯାଏ, ଉଡ଼୍‍ଉଡ଼ିଆଟା । ଆମୁକୁ ଅଡ଼ୁଆରେ ପକାଏ ନିଜେବି ଅନୁତାପ କରେ । ମତେ କହୁଥିଲା, କୁଶଳବାବୁ କ’ଣ ଭାବିଥିବେ ।”

 

ସୁଧୀବାବୁ ଗମ୍ଭୀର । ମୁଖାପିନ୍ଧା ମୁହଁ ।

 

କୁଶଳବାବୁ କହିଲେ, “ତେବେ କ’ଣ କରିବା ?”

 

ସୁଧୀବାବୁ କହିଲେ, “ଅପେକ୍ଷା କରିବା ।”

 

କୁଶଳବାବୁ କହିଲେ, “ହୁଁ, ଅପେକ୍ଷା, ନା ?”

 

ସୁଧୀବାବୁ କହିଲେ, “ଲୋକଙ୍କୁ ଯାହାଙ୍କ ମାର୍ଫତରେ ଦେବେ ଲୋକେ ଆଗ ତାଙ୍କୁ ଚିହ୍ନିବା ତ ଦରକାର, ନା ନୁହେଁ ? ଲୋକେ କ’ଣ ? ସ୍ୱୟଂ ଭଗବାନବି ଆସିଲେ ଲୋକେ କହିବେ ଆଗ ଆମେ ଚିହ୍ନିବୁ ଜାଣିବୁ । ତେଣୁ ଆଗ ଦରକାର ସେମିତି କିଛି କାର୍ଯ୍ୟ ପନ୍ଥା । ୟେ ଆଜ୍ଞା ଆମ ଦଳରେ ବିଭିନ୍ନ ସ୍ଥାନ ବୁଲିବେ । ସାନ ବଡ଼ କେତେ କାର୍ଯ୍ୟର ଦାୟିତ୍ୱ ନେବେ । ସେଇଟା ଆମେ ଯୋଗାଡ଼ କରାଇବାକୁ ପଡ଼ିବ । ଲୋକଙ୍କ ମତକୁ ଆୟତ୍ତ କରିବାକୁ ପଡ଼ିବ, ସେଥିପାଇଁ ଯାହା ଯାହା ବନ୍ଦୋବସ୍ତ ତା’ କରାଯିବ । ମତେ ଛାଡ଼ି ଦିଅନ୍ତୁ ମୁଁ ସବୁ କରିଦେବି । ଟିକିଏ ବେଳ ଯିବ । ଲୋକେ ଚିହ୍ନିଯିବେ, ତା’ପରେ ଉପଯୁକ୍ତ ସମୟରେ ଉପଯୁକ୍ତ ଆସନ ଦିଆଯିବ । ଆମେ ସବୁତ ପ୍ରସ୍ତୁତ, ଖାଲି ଲୋକେ ପ୍ରସ୍ତୁତ ହେଲେ ହେଲା; ଇତ୍ୟବସରେ ଆଜ୍ଞାଙ୍କର ଅଭିଜ୍ଞତାବି ହୋଇଯାଇଥିବ । କହନ୍ତୁ, ଏଇଆ ଠିକ୍ ହେଲା ତ ?”

 

ସୁଧୀବାବୁ ରମାର ମୁହଁକୁ ଅନାଇଁଲେ, ତାଙ୍କୁ ଲାଗିଲା ତାଙ୍କ ଓଠରେ ଆଖିରେ ହସ ଫୁଟି ଉଠୁ ଉଠୁ ଲୁଚିଗଲା । ରମା କିଛି କହିଲାନାହିଁ ।

 

କୁଶଳବାବୁ କହିଲେ, “ସେଇଆ ଠିକ୍ ହେବ, ମୁଁ ତାଙ୍କୁ ବୁଝାଇବି ।” ସୁଧୀବାବୁ ଏଣୁତେଣୁ କଥାଭାଷା ହେଲେ, ରମା ବିଷୟରେ ପଚାରି ବୁଝିଲେ । ଖୁବ୍ ଭଦ୍ର, ମିଠା କଥା, ଅଳ୍ପ କଥା ଯେମିତି କି ଆପେ କହି ହୋଇଯାଉଛି, କଥାର ଉଦ୍ଦେଶ୍ୟନାହିଁ । ତାହାରି ଭିତରେ ସେ ପଚାରି ବୁଝି ନେଲେ ତା’ ବାପ ଘର କଥା, ଶାଶୁଘର କଥା, ସେ କ’ଣ ପଢ଼ିଛି, କେଉଁ ବିଷୟରେ ତା’ର କେତେ କ’ଣ ଜ୍ଞାନ, ନାନାକଥା ।

 

ତା’ପରେ କୁଶଳବାବୁଙ୍କୁ କହିଲେ, “ଆପଣଙ୍କ ପସନ୍ଦ ଖୁବ୍ ଚମତ୍କାର, ମୁଁ ଏକମତ । ଦେଶର ସବୁ ସମସ୍ୟାର ଦାୟିତ୍ୱ ନେବାକୁ, ଜନତାଙ୍କୁ ନେତୃତ୍ୱ ଦେବାକୁ, ନିର୍ଭୀକ ସଚ୍ଚୋଟ ନିର୍ଲୋଭ ନିଷ୍ଠାପର ଦେଶସେବାର ଆଦର୍ଶ ଦେଖାଇବାକୁ ଯେତେ ଯେତେ ଗୁଣ ଦରକାର ସବୁ ଏଠି ପୂରି ରହିଛି । ୟେ ଦେବୀ ଆପଣଙ୍କର ଗୋଟିଏ ଚମତ୍କାର ଆବିଷ୍କାର ।”

ଏ ପ୍ରଶଂସାର ବୋଝରେ ରମାର ମୁହଁ ତଳକୁ ଓହଳିପଡ଼ିଲା, ଆଉ ଠିକ୍ ସେତିକିବେଳେ ତା’ ଅନ୍ତର ଭିତରେ କିଏ ଯେପରି କହିଦେଲା, “ଏସବୁ ଅଯାଚିତ, ଏଥିରେ ବିପଦ ଅଛି ।” କୁଶଳବାବୁ କ’ଣ ଭାବୁଥିଲେ । ସୁଧୀବାବୁ କହିଲେ,

“ସବୁ ଅତି ଚମତ୍କାର । ଅଭାବ ଖାଲି ତାଲିମ୍ । କହନ୍ତୁ, ସତ କି ମିଛ ? ଆମେ ସବୁ ପଛରେ ଥିବୁଁ, ଯେତେବେଳେ ଯାହା ପ୍ରୟୋଜନ ସେତେବେଳେ ଆମେ ଅଛୁଁ । କିନ୍ତୁ ଯାହାଙ୍କପାଇଁ ଏତେ କଥା, ସେ ନିଜେ ତ ବଡ଼ ବଡ଼ କାମ ତୁଲେଇ ଶିଖିବା ଦରକାର ? ଘରେ ଘରେ ମା’ ଭଉଣୀ ଅଛନ୍ତି, ସେମାନଙ୍କଠିଁବି ସଦ୍ଦିଚ୍ଛା ସଦ୍‍ଗୁଣ ବହୁତ ଅଛି, ଯେ ଯେଉଁ କ୍ଷେତ୍ରରେ କାମ କରନ୍ତି କିଏ ବାପ ଘରେ କିଏ ଶାଶୁଘରେ କିଏ ବହୁକୁଟୁମ୍ବୀ ଘରବି ଚଳାନ୍ତି କିଏ ଦୁଃଖ କଷ୍ଟେ ନିଜ ନିଜ ସଂସାର ଚଳାନ୍ତି ସେଠି ତାଙ୍କର ଦକ୍ଷତା ବହୁତ, ସେ ଯାହା କରିପାରନ୍ତି ଆମେ ତା’ ପାରିବାନାହିଁ । କିନ୍ତୁ ବିନା ତାଲିମ୍‍ରେ ତାଙ୍କୁ ଯଦି ଆଣି କହିବା ଲୋକଙ୍କୁ ଚଳାଅ, ତାଙ୍କୁ ଅଡ଼ୁଆ ଲାଗିବ । ପ୍ରକୃତରେ ନେତୃତ୍ୱପାଇଁ ଅନେକେ ତ ଯୋଗ୍ୟ ପାରନ୍ତି କି ? ଆପଣ ଏଇଟା ଟିକିଏ ଭାବିବେ ।”

କୁଶଳବାବୁ କହିଲେ, “ଭାବିଛି । ତାଲିମ୍ ଅର୍ଥ–ଯାହାଥିଲା ଯେମିତି ଥିଲା ସବୁ ସେମିତି ଚଳାଇବାକୁ ଶିକ୍ଷା । ଯାହାଥିଲା ଯେମିତିଥିଲା ସେ ଠିକ୍ ନୁହେଁ ବୋଲି ତ ଆମେ ତାକୁ ବଦଳେଇବାକୁ ଖୋଜୁଛୁ, ସେଇଆକୁ ସେମିତି ବଞ୍ଚାଇ ରଖିବାଭଳି ତାଲିମ୍ କ’ଣ ହେବ ?”

ସୁଧୀବାବୁ କହିଲେ, “ହଠାତ୍ ପରିବର୍ତ୍ତନର ନାଁ ବିପ୍ଳବ ।”

 

“ସେଇ ବିପ୍ଳବ ତ ଦରକାର”, କୁଶଳବାବୁ କହିଲେ ।

 

ସୁଧୀବାବୁ କହିଲେ, “କାହାର ଦରକାର ? ଆପଣ କି ମୁଁ ଇଚ୍ଛା କରୁଥିବୁ, ବିପ୍ଳବ ହେଉ-। ଯାହାପାଇଁ ଆମେ ତା’ ଖୋଜୁଛୁଁ,–ଦେଶର ଜନତା, ସେ କ’ଣ ତା’ ଚାହେଁ ?”

 

ଦି’ଜଣଙ୍କର ଗୋଟାଏ ଯୁକ୍ତି ଆରମ୍ଭ ହୋଇଗଲା । ରମା କାନ ଡେରି ୟା ମୁହଁରୁ ତା’ ମୁହଁକୁ ଭାବାନ୍ତର ଲକ୍ଷ୍ୟ କଲା ।

 

କୁଶଳବାବୁ କହିଲେ, “ଜନତା ଯଦି ବିପ୍ଳବ ନ ଚାହିଁଥାନ୍ତା ତେବେ ଆମେବି ଏଠି ଥାଆନ୍ତୁ କାହିଁକି ? ଜନତା ସବୁବେଳେ ଚାହେଁ ଅଭାବ ଓ ଅନ୍ୟାୟ ବିରୁଦ୍ଧରେ ବିପ୍ଳବ ।”

 

ସୁଧୀବାବୁ କହିଲେ, “ଜନତା ଭିତରେ ସବୁପ୍ରକାର ଅଛନ୍ତି । ଗୋଟାଏ ଦଳକୁ ଯାହା ଲାଗେ ଅନ୍ୟାୟ ବୋଲି ଆଉ ଗୋଟାଏ ଦଳକୁ ତା’ ଲାଗିପାରେ ସମ୍ପୂର୍ଣ୍ଣ ନ୍ୟାୟସଙ୍ଗତ । ଗୋଟାଏ ଦଳ ଯଦି ଭାବୁଥାଏ ଅଭାବ ଘୋଟିରହିଛି ବୋଲି ଆଉ ଗୋଟାଏ ଦଳ ଭାବୁଥିବ ପ୍ରାଚୁର୍ଯ୍ୟର ଏଭଳି ସୁବର୍ଣ୍ଣଯୁଗ ଆଉ କେବେ ନଥିଲା । ଉଭୟ ଦଳଙ୍କ ଭାବନା ଠିକ୍, ଆଖିଆଗରେ ତ ଦେଖୁଥାଇଁ । ଜନତା କହିଲେ ଉଭୟ ଦଳଙ୍କୁ ବୁଝାଏ, ଗୋଟିକୁ ଛାଡ଼ି ଆଉ ଗୋଟିଏ ତ ନୁହେଁ । ତେବେ କେଉଁ ଜନତା ବିପ୍ଳବ ଚାହେଁ ?”

 

“ଜନତା ଭିତରୁ ସେହି ଗୋଷ୍ଠୀ ବିପ୍ଳବ ଚାହେଁ ଯେ ଚାରିଆଡ଼େ ଅନ୍ୟାୟ ଓ ଅଭାବ ଦେଖେ ।”

 

“ଚାହେଁ, ମାନେ ଭାବେ ଯେ ଅନ୍ୟାୟ ଓ ଅଭାବ ନ ରହୁ । କିନ୍ତୁ ସେଥିପାଇଁ ସେ କରେ କ’ଣ ? ନିଜେ କିଛି କରେ ? ନା ଭାବୁଥାଏ ଆଉ କିଏ କରିଦେଉ ?”

 

କୁଶଳବାବୁ କହିଲେ, “ସେ ବିପ୍ଳବ କରେ ।”

 

ସୁଧୀବାବୁ ମୁଣ୍ଡ ହଲେଇଲେ, କହିଲେ “ମୁଁ ଭାବେ, ବିପ୍ଳବକୁ ଜନତା କରାଏନାହିଁ, କରାନ୍ତି ବିପ୍ଳବୀ, ଆଗ୍ରହ ତାଙ୍କରି । ଜନତା ଯଦି ଉର୍ବରା ମାଟି ତାହେଲେ ବିପ୍ଳବୀମାନେ ଉଦ୍‍ଯୋଗୀ ଚାଷୀ । ସେମାନେ ମାଟି ଚିହ୍ନି ଚାଷ କରନ୍ତି, ଇତିହାସ ସେଇଆ କହେ ।” ସେ ବହି ଆଲମାରୀମାନଙ୍କଆଡ଼କୁ ଅନାଇଁଲେ, ତା’ପରେ କହିଲେ, “ଦିନେ ଆମେ ଅର୍ଥାତ୍ ଆମର ପୂର୍ବଶୂରୀମାନେବି ସେଇଆ କରିଥିଲେ ।”

 

କୁଶଳବାବୁ କହିଲେ, “ଏଇ ତଥ୍ୟରେ ତୁମେ ବିଶ୍ୱାସ କରୁଛ, ଯେ ବିପ୍ଳବକୁ ଜନତା କରେନାହିଁ, କରେ ବିପ୍ଳବୀ ? ତାହେଲେ ଜନତାକୁ କ’ଣ ଭାବୁଚ ? ଗୋରୁଗାଈ ? ଆଉ ବିପ୍ଳବୀକୁବି କ’ଣ ଭାବୁଚ ? ଡିକ୍‍ଟେଟର୍ ?”

 

ସୁଧୀବାବୁ କହିଲେ, “ସେ ପୁଣି ଇତିହାସର କଥା । ଜନତା ମଣିଷ କିନ୍ତୁ ଜନତା ସବୁବେଳେ ଚାହେଁ ସୁସ୍ଥି । ପରିବର୍ତ୍ତନ ଆଣିବାକୁ ଖୋଜିଲେ ସୁସ୍ଥିକୁ ଭାଙ୍ଗିବାକୁ ପଡ଼ିବ, ପୁରୁଣା ଅଭ୍ୟାସକୁ ଭାଙ୍ଗିବାକୁ ପଡ଼ିବ, ଅଭ୍ୟସ୍ତ ବସା, ତା’ ଚୌହିଦି, ସେଠା ଚଳଣି, ୟେ ସବୁ ଛାଡ଼ିବାକୁ ପଡ଼ିବ । ଜନତା ତା’ ଚାହେଁନାହିଁ, ପରିବର୍ତ୍ତନ ଆଣିବାକୁ ଯାହା ତ୍ୟାଗ ଦେବା ଦରକାର, ମୂଲ୍ୟ ଦେବା ଦରକାର ନିଜ ମନକୁ ତା’ ଦେବାକୁ ଆଗଭର ହୁଏନାହିଁ । ସେ ତା’ ନିଜ ଧନ୍ଦାରେ ଥାଏ, କିଏ ମତେଇଲେ ମାତିଯାଏ, ଅଡ଼େଇଲେ ଅଡ଼େଇ ହୁଏ । ସେ କାମ କରେ ଯେ ସେ ବିପ୍ଳବୀ । କିନ୍ତୁ ବିପ୍ଳବୀ ଯେ ବିପ୍ଳବ ଶେଷରେ ନେତା ହୁଏ ତା’ବି ନୁହେଁ । ସେ ବିପ୍ଳବ କରେ, ଅର୍ଥାତ୍ ଚାଷୀ ପରି ଫସଲ ଉପୁଯାଏ । ଅମଳ କଲାବେଳେ ସେ ହୁଏତ ନଥାଏ, ଅମଳ କରେ ଆଉ କିଏ । ଯାହା ଘାଟିଆସିଛି, ଘଟେ, ତାକୁ ଚାହିଁ ମୁଁ ଏକଥା କହୁଛି, ହେବା ଉଚିତ କ’ଣ ସେ ଭିନେ କଥା ।”

 

କୁଶଳବାବୁ କହିଲେ, “ତୁମର ଥିଓରୀ ଓ ପ୍ରାକ୍‍ଟିସ୍ ଉଭୟ ଟାଣ, ମୁଁ ଜାଣେ, କିନ୍ତୁ ମୁଁ ତୁମର ଥିଓରୀ ଗ୍ରହଣ କରିପାରୁନାହିଁ ସୁଧୀ, ମୋ ଆଖିରେ ଜନତାହିଁ ଖାଉନ୍ଦ, ଜନତାହିଁ ବଡ଼, ଜନତାହିଁ ଅସଲ, ସବୁ ଶକ୍ତି ତା’ରି ଠେଁଇଁ, ଆମେ ସେ ଜନତାର ଦାୟିତ୍ୱଧାରୀ ।”

 

ସୁଧୀବାବୁ ହସିଲେ, କହିଲେ, “ସେକଥା ମୋରବି ସୁଖସ୍ଥ ରହିଛି । କହିଲାବେଳେ ଭୁଲିବିନାହିଁ । କେହି ଯଦି ଭୁଲିଯାଏ ତା’ ଦିନକାଳ ସରିଲା କିନ୍ତୁ କାର୍ଯ୍ୟକ୍ଷେତ୍ରରେ ଦରକାର ପଡ଼େ କ’ଣ ? ମୋଟାବୁଦ୍ଧି ନୁହେଁ–ସୂକ୍ଷ୍ମବୁଦ୍ଧି, ସାହାଣମେଲା ନୁହେଁ–ଶୃଙ୍ଖଳା, ବହୁମତ ନୁହେଁ–ଏକମତ, ସ୍ପଷ୍ଟ ଏକଜୁଟ; ଉପରୋଧ ରଖା ଭାବୋଚ୍ଛ୍ଵାସ ନୁହେଁ, ନିର୍ମମ କାର୍ଯ୍ୟଦକ୍ଷତା । ଏକଥା କ’ଣ ଆପଣ ନାହିଁ କରିବେ ? ଶାସନ କି ଅନୁଷ୍ଠାନ ଗୋଡ଼ରେ ଚାଲେ, ହାତରେ କାମ କରେ, ସ୍ୱପ୍ନ କି ଭାବୋଚ୍ଛ୍ଵାସରେ ନୁହେଁ, ମନ୍ତ୍ର ଆବୃତ୍ତି କରି ନୁହେଁ, ସେଥିପାଇଁ ଧନବି ଦରକାର, ଜନବି ଦରକାର ପବନ ଖାଇ କେହି ବଞ୍ଚେନାହିଁ । ଭେଦାରେ କାମ ଚାଲେନାହିଁ, ଭିକମାଗି ଚାଲେନାହିଁ, ୟେ ବି ନିଷ୍ଠୁର ଆଉ ଅପ୍ରିୟ ସତ୍ୟ ।”

 

କୁଶଳବାବୁ କହିଲେ, “ଆହୁରି ଅପ୍ରିୟତର ସତ୍ୟ ଅଛି । ଜନତାର ଆଶା ବଢ଼ାଇ ଆଶା ପୂରଣ ନ କଲେ ସେ ଦେବତା ରୁଷ୍ଟ ହୋଇ ଦାଉସାଧେ ।”

 

ସୁଧୀବାବୁ କହିଲେ, “ଆଶା ନ ବଢ଼ାଇଲେ ଜନତାର ସମର୍ଥନ ମିଳେନାହିଁ । ଧର୍ମବି ଆଶା ବଢ଼ାଏ, ଏ ଜନ୍ମରେ ସବୁ ସୁଖ ସମୃଦ୍ଧି, ପରଜନ୍ମରେ ସ୍ୱର୍ଗ । ଆଶା ବଢ଼ାଇ ଶିଖିବାବି ବଡ଼ ଦକ୍ଷତା । ଆଶା ପୂରଣ କରିବା ଭିନେ କଥା, ଯେତିକି ସମ୍ଭବ ସେତିକି କରାଯାଇପାରେ, ତହିଁରୁ ଅଧିକା ନୁହେଁ ।”

 

“ତେଣୁ ବିପ୍ଳବ ଅନିବାର୍ଯ୍ୟ ।”

 

“ସେକଥାବି ସ୍ଵୀକାର୍ଯ୍ୟ, କିନ୍ତୁ ସେଥିରେ ଡରିବାର କିଛିନାହିଁ । ଯେ ଯେତେ ନୀତିକଥା କହି ପ୍ରତିଶ୍ରୁତି ଦେଇଥାଉ, ମଣିଷର ଆଶା ସେ ପୂରଣ କରିନାହିଁ, ତେଣୁ ମଣିଷଜାତି ସୃଷ୍ଟି ହେଲା ଦିନଠୁଁ ଶାସନ ଓ ଅନୁଷ୍ଠାନମାନଙ୍କରେ ପରିବର୍ତ୍ତନ ଲାଗି ରହିଛି । ଦେହର ମରଣ ପରି । ଦେହକୁ ମଣିଷ ରୋଗଦାଉରୁ ମରଣ ଦାଉରୁ ବଞ୍ଚାବାକୁ ଚେଷ୍ଟା କରେ, ଶେଷରେ ଦେହଟା ମରେ, ବିଚାର ଏତିକି ଯେ ବେଶିଦିନ ବଞ୍ଚିଲା ନା ଅଳ୍ପଦିନ । ଆମ ଅନୁଷ୍ଠାନ ଯୁଗେ ଯୁଗେ ନଥିଲା କି କାଳକାଳକୁ ନଥିବ । କେତେଦିନ ବଞ୍ଚିବ ତା’ ନିର୍ଭର କରୁଛି ରୋଗ ଚିହ୍ନି ଔଷଧ ଦେବା ଉପରେ । ଅର୍ଥାତ୍ ସତର୍କତା ଓ ନିରାପତ୍ତା ବ୍ୟବସ୍ଥା ଉପରେ । ଆମର ଯେତେ ପ୍ରତିଦ୍ୱନ୍ଦ୍ୱୀ, ଯେତେ ଶତ୍ରୁ ସେମାନେ ଡାଳେ ଡାଳେ ଗଲେ ଆମେ ପତ୍ରେ ପତ୍ରେ ଯିବୁଁ, ଆମ ଅନୁଷ୍ଠାନକୁ ବଞ୍ଚାଇ ରଖିବାକୁ ଯେତେବେଳେ ଯେଉଁ ଉପାୟ ଦରକାର ଆମେ ସବୁ କରୁଥିବୁ, ସେ ବିଷୟରେ ଆମେ କେବେ କୋହଳ ହେବୁଁନାହିଁ ଆପଣ ନିଶ୍ଚିନ୍ତ ରହନ୍ତୁ । ସେଥିପାଇଁ ଦରକାର ବଜ୍ରପରି ଟାଣ ସଙ୍ଗଠନ । ସେ ତା’ ମନକୁ ଟାଣ ହେବନାହିଁ, ହାତୁଡ଼ିରେ ପିଟି ପିଟି ପ୍ରତି ଇଞ୍ଚ ଜାଗାକୁ ବାରମ୍ବାର ପରଖ କରି ଯେଉଁଠି ଯାହା ଦୁର୍ବଳ ଥିବ ତାକୁ ଟାଣ କରୁଥିବୁଁ । ୟେ ହେଲା ମୂଳପିଣ୍ଡ, ୟେ ଅଛି ବୋଲି ଏଥିରେ ଯେଝା ସ୍ଥାନରେ ଯେ ଥାଇ କିଏ ପାଉଛି ଭକ୍ତି, କିଏ କ୍ଷମତା, କିଏ ନା, କିଏ କ’ଣ । ୟେ ନ ରହିଲେ ଆପଣମାନଙ୍କ ପରି ତ୍ୟାଗୀ ମନୀଷୀମାନଙ୍କଠୁଁ ଉପଦେଶ ଶୁଣିବାକୁବି ଲୋକ ଆସିବେନାହିଁ, ଆପଣମାନଙ୍କ ନିର୍ଦ୍ଦେଶ ମାନି କାମ କରିବା କଥା ତ ଦୂର କଥା !”

 

କୁଶଳବାବୁ କହିଲେ, “ତା’ ମାନେ, ଆମେ ଆରମ୍ଭ କଲୁ ଆଦର୍ଶବାଦ ଘେନି, ସେଥିପାଇଁ ଗଢ଼ିଲୁ ଅନୁଷ୍ଠାନ, ହେଲା ଗୋଟାଏ ବେଉସା ।”

 

ସୁଧୀବାବୁ କହିଲେ “ସେଇଆ । ଆରମ୍ଭବେଳେ ଘର ଚଳେଇବା ଦାୟିତ୍ୱ ନଥିଲା ।”

 

“ଆଦର୍ଶବାଦ ପାଇଁ ସିନା ଆମେ ସବୁ ଆସିଥିଲୁଁ, ବେଉସାପାଇଁ ତ ନୁହେଁ ।”

 

“ବେଉସା ଅଂଶଟା ୟାର ନିତିଦିନର ଚଳାଚଳ ବ୍ୟବସ୍ଥା, ୟାକୁ ଶତ୍ରୁଙ୍କ ଦାଉରୁ ବଞ୍ଚେଇ ରଖିବା ବ୍ୟବସ୍ଥା, ସେତକ ଛାଡ଼ିଦେଲେ ବାକି ସବୁ ଆଦର୍ଶବାଦ ।”

 

କୁଶଳବାବୁ ଉଠିଲେ, କହିଲେ “ତାହେଲେ ୟାଙ୍କ କଥା ?” ସୁଧୀବାବୁ ବିନୟ ସହକାରେ କହିଲେ, “ଆପଣ ମତେ ଖବର ଦେବେ । ମୋ ମତରେ, ଆଗ ତାଲିମ୍, ତା’ପରେ ଅଭିଜ୍ଞତା ଅର୍ଜନ, ତା’ପରେ ଦାୟିତ୍ୱ । ତାହା ହେବ, ପକ୍‍କା କାମ ହେବ । ଖୁବ୍ ଖୁସି ହେଲି । ଆପଣମାନେ ପରାମର୍ଶ କରି ମତେ ଯେତେବେଳେ କହିବେ ମୁଁ ସେତେବେଳେ ପ୍ରସ୍ତୁତ ।”

 

ସେମାନେ ଚାଲିଆସିଲେ । ପଦାରେ ଉଦୁଉଦିଆ ଖରା । ଆଗେ ଆଗେ ରମାର ରିକ୍ସା, ପଛେ ପଛେ ଆଉ ଗୋଟିଏ ରିକ୍ସାରେ କୁଶଳବାବୁ । ରମାର ମୁଣ୍ଡ ବୁଲାଇ ଦେଉଥାଏ । ଲାଗୁଥାଏ ଯେପରି ସେ ବେମାରିରୁ ଉଠିଛି । ମନର ସେହି ଅବସ୍ଥାରେ ସେ ନିଜ ପରିସ୍ଥିତିକୁ କଳନା କରୁଥାଏ-। ସେ କିଏ, କିଏ କେଉଁଠି ତା’ର, ଏଠି ସେ କୁଆଡ଼େ, କୁଶଳବାବୁ, ସୁଧୀବାବୁ, ବାଜିବାବୁ, ସେମାନଙ୍କ ଘରେ ଦେଖିଆସିଥିବା ନାନାଅଚିହ୍ନା ମୁହଁ,–ସେମାନେ ତା’ର କ’ଣ, ସେମାନଙ୍କ ସଙ୍ଗେ ତା’ର କି ସମ୍ପର୍କ ! କାହିଁକି କୁଶଳବାବୁଙ୍କ କଥାରେ ଆଦୌ ରାଜି ହୋଇ ସେ ଏଠିକି ଆସିଲା ! ତା’ ମନ ଉପରେ ତାଙ୍କର ଅବା କି ଅଧିକାର ?

 

ବାଟରେ କେତେ ଲୋକ, ସେମାନଙ୍କର କେତେ ଧନ୍ଦା, ଏମିତି ରାଜ୍ୟଯାକର ଲୋକ, ତା’ ଦେଇ କାହାର ବା କ’ଣ ହେବ ? କିଏ ଅବା ଲୋଡ଼ୁଛି ତାକୁ !

 

ଗରଜ କାହାର ପଡ଼ିଥିଲା ? ତା’ ନିଜର ନା ସେମାନଙ୍କର କାହାରି, ଯେ ସେ କାହାକୁ ଉଦ୍ଧାର କରିବାକୁ ଆସିଛି ?

 

ଲୋକ କାମ କରେ ନିଜ ମନର ଶାନ୍ତିପାଇଁ, ପର ଖାଲି ଉପଲକ୍ଷ ମାତ୍ର, ଯାହାର ଶାନ୍ତି ଯେଉଁ ବାଟରେ ସେ ସେହି ମାର୍ଗକୁ ଆଶ୍ରା କରେ ।

 

ତାହେଲେ, ଆଖିଆଗରେ ଏହି ଯେଉଁ ସଂସାର ସେ ଦେଖୁଛି, ଏତେ ପ୍ରକାର ଲୋକ ଏତେ ଦିଗରେ ଏତେ କାର୍ଯ୍ୟବ୍ୟସ୍ତତା, କ’ଣ ଏ ସବୁ ? ଯେମିତି ଅସଂଖ୍ୟ ଖଣ୍ଡିଆ ଭୂତ, ନିଜ ମନର ଉଦ୍‍ବେଗ ଘେନି ନିଜର ଶାନ୍ତିପାଇଁ ନିଜ ବାଟରେ ସେମାନେ ଧାଇଁଛନ୍ତି, ଯେଉଁଠି ଆଉ କାହା ସଙ୍ଗେ ସମ–ଉଦ୍ଦେଶ୍ୟ ସହ ସ୍ୱାର୍ଥ ଅଛି ସେଠି ସେତିକିବେଳ ପାଇଁ ଏକାଠି, ତା’ପରେ ସରିବାଯାକେ ପୁଣି ନିଜେ ଏକୁଟିଆ ଏକୁଟିଆ ଏହାରି ଭିତରେ ଚାଲିଛି ସେ । ନିଃସଙ୍ଗ, ନିଃସହାୟ-

 

ଆପଣା ଭିତରେ କେତେ ଶୁଭେଚ୍ଛା ଓ ସ୍ନେହ ସେ ଠୁଳ କରିଥିଲା, ସେ କାମରେ ଲାଗିବ ଜଗତଯାକର, ସଂସାରକୁ ବଦଳାଇ ମଣିଷସମାଜକୁ ସୁଖଶାନ୍ତିରେ ରଖିବାକୁ ଜୀବନକୁ ନିୟୋଜିତ କରିବ । ଆଉ ଅଇଚ୍ଛା ସୁଧୀବାବୁଙ୍କ ପାଖରୁ ଫେରିଲା ପରେ,–ମନ ପିତ୍ତା ପଡ଼ିଯାଇଛି, ନିଜର ସବୁ ଆବେଗ ଲାଗୁଛି ନିର୍ଲଜ୍ଜ ମୂର୍ଖତା ପରି, ଲାଗୁଛି ଦୁଃସାହସରେ ସେ ତିନିଗାର ଡେଇଁ ଚାଲିଯାଉଥିଲା, ନିଜ ପାଖେ ନିଜର କୈଫିୟତ୍‍ନାହିଁ ।

 

‘କୁଆତାରା’ ଆଶ୍ରମ ହେଲା । କୁଶଳବାବୁ ଆସିଲେ । ରମା ତାଙ୍କ ମୁହଁକୁ ଅନାଇଁଲା । ଲାଗିଲା, ଆଗରୁ ନ ଜଣାଇ ହଠାତ୍ କେତେବେଳେ ମଣିଷ ଜୀବନରେ କାହା ସଙ୍ଗେ ବିଦାବିଦିବେଳ ଆସେ’ ଆୟୋଜନ ପାଇଁ ସୁଯୋଗ ଦିଏନାହିଁ, ଯେତେ କବିତାମୟ ମରମଭାବର ଗୁଞ୍ଜନଉଠେ ସେ ସବୁ ପରେ,–ଦିନ ଦି’ପହରେ ସେମିତିବେଳ ତା’ ପକ୍ଷରେ ଆସିଛି, ଏହାପରେ କୁଶଳବାବୁବି ହେବେ କେତେ ଦୂରର, ସାତ ପର, କେଉଁ ପୂର୍ବଜନ୍ମର ସ୍ମୃତି । ସେ କ’ଣ ଜାଣନ୍ତି ?

 

ତାଙ୍କ ମୁହଁ ଝାଉଁଳି ପଡ଼ିଥାଏ, କିନ୍ତୁ ଲାଗୁଥାଏ, ତଥାପି ସେ ସ୍ୱପ୍ନ ଦେଖୁଛନ୍ତି ।

 

ସୁଧୀବାବୁ ଓ ବାଜିବାବୁଙ୍କ ତୁଣ୍ଡରୁ ଶୁଣିବାକୁ କଥାଗୁଡ଼ାକ ତା’ର ମନେପଡ଼ିଗଲା, ତା’ର ମୁହଁର ଭାବ କଠିନ ହୋଇଗଲା । ଯେପରି ଝରକା କବାଟ ବନ୍ଦ ଥିବା ଘରେ କେଜାଣି କେମିତି ସତେଅବା ଛୁଇଁ ଦେଇଗଲା ସଜ ପବନ ଟିକିଏ, ଲାଗିଲା ତା’ର ମନ ଭିତରର ନିବୁଜା ଅନ୍ଧାର କାଟି ବିଚାରର ବିଜୁଳି ଖେଳିଗଲା, ବହୁଦିନ ପରେ ସେ ଅନୁଭବ କଲା ମୁକ୍ତିର ଉଲ୍ଲାସ ।

 

ଦିହେଁ ବସିଥାନ୍ତି । ରମାର କୋଡ଼ରେ ତା’ ପୁଅ ସୁର, ପଦାକୁ ପିଠି କରି ମା’ ଛାତିତଳେ ସୁର ମୁହଁକୁ ଭୁଷିଥାଏ ।

 

କୁଶଳବାବୁ ହସିଦେଲେ, କହିଲେ, “ତା’ପରେ ?”

 

ମୁହଁକୁ ଲଦି ରମା କହିଲା, “ଏଠା କାମ ତ ମୋର ସରିଗଲା, ଆଜି ଫେରିଗଲେ ହେବ-। ଘରକୁ ଯିବି ।”

 

କୁଶଳବାବୁ ଆଶ୍ଚର୍ଯ୍ୟ ହେଲେ, କହିଲେ ‘‘ଏଠି କାମ ସରିଗଲା ନା ଆରମ୍ଭ ହେଲା ?”

 

ରମା କହିଲା, “ସରିଗଲା । ବାଜିବାବୁ ତ ବୁଝେଇ ସାରିଥିଲେ, ବାଜି ଯାହା ଥିଲା ସୁଧୀବାବୁ ବୁଝାଇଦେଲେ । ସେମାନଙ୍କଠିଁ ମୁଁ କୃତଜ୍ଞ ଯେ ସେମାନେ କିଛି ଲୁଚାଇ ନାହାନ୍ତି, ନ ହେଲେ ମୁଁ ମହରଗରୁ ଯାଇଁ କାନ୍ତାରରେ ପଡ଼ିଥାନ୍ତି । ମୁଁ ଯେଉଁଥିପାଇଁ ନୁହେଁ କାଣିଚାକର, ବି ପ୍ରବୃତ୍ତିନାହିଁ କି ଯୋଗ୍ୟତାନାହିଁ, ହାସ୍ୟାସ୍ପଦ ହେବା ଲାଗି ମୁଁ ଠିକ୍ ସେଇଆଡ଼େ ମୋହୁଁଥିଲି, ମୁଁ ମୋ ଭୁଲ ବୁଝିପାରିଛି ।”

 

କୁଶଳବାବୁ ଉଦ୍‍ବିଗ୍ନ ହୋଇ ପଡ଼ିଲେ, କହିଲେ “ଆଦୌ ନୁହେଁ, ଆଦୌ ନୁହେଁ, ଆପଣ ବୁଝିପାରିନାହାନ୍ତି । ତର ତର ହୁଅନ୍ତୁନାହିଁ, ମୁଁ ସବୁ ବୁଝାଇ ଦେବି ।”

 

“ବୁଝିବାର କ’ଣ ଅଛି, କହନ୍ତୁ ?” ରମା କହିଲା, “ଆପଣଙ୍କର ମୋ ପ୍ରତି ବହୁତ ଦୟା । କିନ୍ତୁ ସେ ଜିନିଷ ଯାହା, ସେ ମୋପାଇଁ ଆଦୌ ନୁହେଁ, ସମ୍ଭବତଃ ଆପଣଙ୍କ ପାଇଁବି ନୁହେଁ । ଆପଣ ଚାହାନ୍ତି ନୀତି, ଆଦର୍ଶ, ତତ୍ତ୍ୱ, ସମସ୍ତିଙ୍କର ମଙ୍ଗଳ । ସେମାନଙ୍କ ଆଖିରେ ଆଗ ଅନୁଷ୍ଠାନର ସଙ୍ଗଠନ, ତା’ର ନିରାପତ୍ତା, ଯାହା ପଛେ କରିବାକୁ ପଡ଼ୁ ସେ କେମିତି କ୍ଷମତା ଓ ପ୍ରତିପତ୍ତି ପାଇ ବଞ୍ଚି ରହିଥିବ, ସେହି କଥା । ନିଜ ଉଦ୍ଦେଶ୍ୟ କଣ୍ଠରେ ଦେଖିଲେ ତାଙ୍କରବି ଅନ୍ୟ ଚାରାନାହିଁ, ସେଥିପାଇଁ ନୀତି, ଆଦର୍ଶ, ଆଜିଠୁଁ ସେମାନେ ବହୁତ ଦୂରରେ । କେବେ ତାକୁ ଆଶା କରି ସେହି ଉଦ୍ଦେଶ୍ୟରେ ଅନୁଷ୍ଠାନ ଗଢ଼ିଥିଲେ ସିନା, ବର୍ତ୍ତମାନ ତାଙ୍କ ଦୃଷ୍ଟିରେ ଅନୁଷ୍ଠାନହିଁ ବଡ଼, ଅନୁଷ୍ଠାନହିଁ ନିଜେ ନିଜର ଉଦ୍ଦେଶ୍ୟ, ତା’ ମାନେ ଅନୁଷ୍ଠାନର ଛାଇତଳେ ସେମାନଙ୍କ ନିଜ ନିଜ ଆସନ, ନିଜ ନିଜ କ୍ଷମତା, ପ୍ରତିପତ୍ତି, ଲାଭ କି ଯାହା କିଛି । ତାହେଲେ ଆପଣ ସେଠି କିଏ ? କୌଣସି କାରଣ ଥିବ ଯେଉଁଥିପାଇଁ ସେମାନେ ଭାବୁଥିବେ ଯେ ମୁହାଁମୁଁହିରେ ଆପଣଙ୍କ କଥା ତଳେ ପକାଇଲେ ତାଙ୍କ ନିଜ ପକ୍ଷରେ କି ଅନୁଷ୍ଠାନ ପକ୍ଷରେ ଅସୁବିଧା ହେବ । କିନ୍ତୁ ଆପଣ ଓ ସେମାନେ ତ ଆକାଶ ପାତାଳ ତଫାତ ।”

କୁଶଳବାବୁ ବଲ ବଲ କରି ରମାର ମୁହଁକୁ ଅନାଇଁ ରହିଥିଲେ । ସତେ ଯେମିତି ଜୀବନରେ ପହିଲି ଥର ଶୁଣୁଛନ୍ତି ଏପରି କଥା । କହିଲେ, “ଆଶ୍ଚର୍ଯ୍ୟ ! ତଥାପି ସୁଧୀ କହିଲା ଆପଣଙ୍କୁ ତାଲିମ୍ ଦେବା ଦରକାର ।”

ରମା କହିଲା “ସେ ଠିକ୍ କହିଲେ । ଯେ ଗାଡ଼ିଟିଏ ଚଳୋଉଛି ତା’ର ଆଗ ତାଲିମ୍ ନେବା ଦରକାର ପଡ଼ୁଛି ଆଉ ଏଡ଼େ ବଡ଼ ଅନୁଷ୍ଠାନର କିଛି ଅଂଶ ହେଲେ ଯେ ଚଳେଇବ ତା’ର ତାଲିମ୍ ଦରକାର ପଡ଼ିବନାହିଁ ? ତେବେ ମୋ କଥା ଆଉ କାହିଁକି ? ମୁଁ ତ ସେ କାମପାଇଁ ଆଦୌ ଆଗ୍ରହୀ ନୁହେଁ । ଆପଣଙ୍କ କଥା ଭାବୁଥିଲି ।”

ସେ କହିଲେ, “ସେମାନେ ମୋ କଥାରୁ ବାହାର ହେବେନାହିଁ ।”

ରମା କହିଲା, “ବୋଧହୁଏ ଏପରି ବିଶ୍ୱାସ କରିବାର କାରଣନାହିଁ । ଅନୁଷ୍ଠାନ ବଞ୍ଚାଇ ରଖିବାପାଇଁ ଓ ତା’ ଜରିଆରେ ନିଜର ସ୍ୱାର୍ଥ ବଢ଼ାଇବା ପାଇଁ ଯେ ଯାହା ଅକଥା କରୁଥିବ ସେଥିରେ ତ ଆପଣଙ୍କର ସମର୍ଥନନାହିଁ, ବରଂ ତା’ ଆପଣଙ୍କ ନୀତି ବିରୋଧୀ ।”

ସେ କହିଲେ “ସେଥିପାଇଁ ମୁଁ ପାଞ୍ଚୁଛି ଅନୁଷ୍ଠାନର ସଂସ୍କାର ହେଉ, ବାଜି ଯାଉ, ସୁଧୀ ଯାଉ, ଯେତେ ଯେ ଅଛନ୍ତି ଯାହାଙ୍କର ନୀତି ଆଦର୍ଶରେ ବିଶ୍ୱାସନାହିଁ ଖାଲି ଅନୁଷ୍ଠାନଟାକୁ ବଞ୍ଚାଇ ରଖିବାପାଇଁ ଆଗ୍ରହ, ସେମାନେ ସମସ୍ତେ ଯାଉନ୍ତୁ, ଦରକାର ପଡ଼ିଲେ ଅନୁଷ୍ଠାନଟାବି ଧ୍ୱଂସ ହେଉ, ସତ୍ୟହିଁ ରହୁ, ପବିତ୍ରତାହିଁ ରହୁ, ସେହି କାମରେ ଆପଣଙ୍କ ସାହାଯ୍ୟ ଲୋଡ଼ୁଛି । ବାଜି ପାଖକୁ ଯିବା କି ସୁଧୀ ପାଖକୁ ଯିବା ତା’ର ପ୍ରାରମ୍ଭିକ କାର୍ଯ୍ୟ, ବହୁତ କଥା କରିବାକୁ ପଡ଼ିବ, ସବୁ ବାକି ।”

ରମା କହିଲା “ଆପଣଙ୍କ ଉଦ୍ୟମ ସଫଳ ହେଉ । ହେଲେ ମୁଁ ଖୁସି ହେବି । କିନ୍ତୁ ଏ ଯେଉଁ କାର୍ଯ୍ୟ, ଗୋଟାଏ ସଂସ୍ଥାକୁ ଭାଙ୍ଗି ଆଉ ଗୋଟାଏ ସଂସ୍ଥା ଥୋଇବା ଉଦ୍ୟମ, ସେ ଗୋଟାଏ ଭୟଙ୍କର ଲଢ଼େଇ, ତାକୁ ଚଳେଇବାକୁ ଦରକାର ବୁଦ୍ଧି, ଅଭିଜ୍ଞତା, ବିଚକ୍ଷଣତା, ନାନାଉପାୟ, ବହୁତ ପରିଶ୍ରମ, ହୁଏତ ଲହୁ ଲୁହାଣ, ସେଥିରେ ମୋ ଦେଇ କ’ଣ ହେବ ?”

“ବହୁତ କାମ ହେବ ।”

“ଲଢ଼େଇ ଭିତରକୁ ଯିବାକୁ ମୋର ଆଗ୍ରହନାହିଁ । ମତେ ସେ ରୂପେନାହିଁ । ନିଜେ ବୁଝୁଚି, ମୁଁ ସେଠି ଠିଆ ହେବାକୁ ଯୋଗ୍ୟ ନୁହେଁ । ତେଣୁ ରହିଲି । ଯାହା ରୁଚିବ ସେମିତି ଆଉ କିଛି କରିବି ।”

କୁଶଳବାବୁଙ୍କ ମୁହଁ ଶୁଖିଗଲା, କହିଲେ “ବୃଥା ଚାକିରିଟା–”ତରତର ହୋଇ ସେ କହିଲା, “ଛାଡ଼ିଦେଲି ମୋ ମନକୁ । ରୁଚିଲାନାହିଁ । କେମିତି ଦିନାକେତେ ରହିଗଲି ସେଇଆ ଆଶ୍ଚର୍ଯ୍ୟ ଲାଗୁଛି ।”

କୁଶଳବାବୁ କହିଲେ “ହଉ, ଆଉ ଅଇଚ୍ଛା ଚଳେଇବିନାହିଁ । କିନ୍ତୁ ଏତିକିରେ ସରିଲାନାହିଁ । ଆପଣ ପୁଣି ମୋ କଥା ଭାବିବେ । ମୁଁ ଅପେକ୍ଷା କରିଥିବି ।”

ରମା ଶୁଖିଲା ହସ ହସି ଠିଆହୋଇ ପଡ଼ିଲା । କୁଶଳବାବୁ ଠିଆ ହେଲେ, ନମସ୍କାର କଲେ, ବିଦା ହେବାକୁ ବସିଲେ । ଦୁହିଁଙ୍କ ଭିତରୁ ସତେ ଯେମିତି ଜଣକର ଆଉ ଜଣକୁ କହିବାର କିଛିନାହିଁ । ତାକୁ ଲାଗିଲା ସେ ଚାଲି ନ ଯାଉଣୁ ତା’ ଆଖିଆଗରେ କାହିଁ କେତେ ଦୂରକୁ ଚାଲିଯାଇ ସାରିଲେଣି, ଧୀରେ ଧୀରେ ଦୂରେଇ ଦୂରେଇ ତାଙ୍କ ବ୍ୟକ୍ତିତ୍ୱ ତା’ ଆଖିଆଗରେ ସାନ ହୋଇଗଲାଣି, ଗଲେଣି ସେ, ସେ ଆଉ ସେଠି ନାହାନ୍ତି । ଲାଗିଲା, ତା’ ନିଜ ମନର ଖିଆଲ ତାଙ୍କୁ ଗଢ଼ିଥିଲା, ଡାକି ଆଣିଥିଲା, ପୁଣି ତାଙ୍କୁ ବିଦା କରିଦେଇଛି ।

 

ସେ ଚାଲିଗଲା ପରେ ବହୁତ ବେଳ ସେଇଠି ସେ ପଦାକୁ ଅନେଇଁ ସେମିତି ବସି ରହିଲା, ମନ ଭିତରେ ଚାଲିଲା ତୀବ୍ର ସମାଲୋଚନା, ଯେପରି କୁଶଳବାବୁ ତା’ର ଚିହ୍ନା ମଣିଷ ନୁହଁନ୍ତି, ଖବରକାଗଜରୁ ପଢ଼ିଜାଣିଥିବା କେତେକ ସମ୍ବାଦର ସମଷ୍ଟି, ଯେମିତି ପଢ଼ି ମଣିଷଭାବେ କାହା ବିଷୟରେ ସେ ସବୁ ଜାଣିଛି ।

 

ସେହି ସମାଲୋଚନାର ନିଆଁ ଧାସରେ ତାକୁ ଦିଶିଲା, ତା’ ଆଖିଆଗରେ ସୁନ୍ଦର ରୂପଟିଏ ଜଳି ପାଉଁଶ ହୋଇଯାଉଛି, ଆଉ ସେ ରୂପ ଥିଲା ଖାଲି ଗୋଟିଏ ଖୋଳ କାଗଜ କନା ବଟା ତେନ୍ତୁଳି ମଞ୍ଜି, ମୁଣ୍ଡ ଆଉ ଅଠା ଆଉ ଏମିତି ନାନାଦ୍ରବ୍ୟ ବଟା ହୋଇ ମିଶି ସେ ତିଆରି ହୋଇଥିଲା ।

 

ମନରେ ପ୍ରଶ୍ନ ଉଠୁଥାଏ,–ସତେ କ’ଣ କୁଶଳବାବୁ ନିଷ୍ଠାପର ଆଦର୍ଶବାଦୀ ? ତେବେ କେମିତି ସେ ଏମାନଙ୍କ ସଙ୍ଗେ ସଂପୃକ୍ତ ? ନା ସେ କ’ଣ ମୋହଗ୍ରସ୍ତ ? ନା ଜଣେ ସାଧାରଣ ଦୁର୍ବଳ ମଣିଷ ଯେ ବଡ଼ ବଡ଼ କଥାଭାବେ, କହେ କରେନାହିଁ ? ନା ଦୁନିଆଁରେ ଦିଶୁଥିବା ନାନାବୁଢ଼ିଆଣୀ ଭିତରୁ ସେ ବି ଜଣେ କିନ୍ତୁ ଭିନେ ପ୍ରକାର ?

ମନ ଭିତରେ ସେ ତାଙ୍କୁ ଖରାପ ବୋଲି ଭାବିପାରିଲାନାହିଁ । ଭାବୁ ଭାବୁ ବାରମ୍ବାର ତାଙ୍କର ମୁହଁ ମନେପଡ଼ୁଛି । ଭାବିଲା, ହୁଏତ ସେ ଜଣେ ସରଳ, ସରଳବିଶ୍ଵାସୀ ମଣିଷ, ଯେ ବାରମ୍ବାର ଠକେଇରେ ପଡ଼େ, ଯାହାଠିଁ ଭଲପଣ ପୂରି ରହିଥିଲେବି ଯେ ନିଷ୍କ୍ରିୟ, ସ୍ୱପ୍ନ ଓ ଆଶାରେ ବଞ୍ଚୁ ବଞ୍ଚୁ ଦିନ ସରିଯାଏ ।

ଦୟାରେ ଦୀର୍ଘଶ୍ୱାସ ପକାଇଲା, କିନ୍ତୁ ଭାବିଲା, ସେ ତାଙ୍କୁ କୌଣସି ପ୍ରକାରେ ସାହାଯ୍ୟ କରିପାରିବନାହିଁ, କି ତାଙ୍କଦ୍ୱାରା ତା’ ସମସ୍ୟାର ସମାଧାନ ହେବନାହିଁ ।

ମନ ଭିତରୁ ତାଙ୍କ ସ୍ମୃତି ବିଦା କରିବାକୁ ସେ ସତେକି ଟାଣିଓଟାରି ବଳ ଠୁଳ କଲା, ଉଦୁମୁଦା ଲାଗିଲା, କେତେବେଳ ପରେ ଅନୁଭବ କଲା ସେ ବକା ପରି ପଦାକୁ ଅନାଇଁ ବସି ରହିଛି । ମନ ଭିତରେ କାନ୍ଦୁଣୁ-ମାନ୍ଦୁଣୁ ।

ଦି’ପହର ଆଶ୍ରମ ହେମ ଅପା, କନକ ଅପା, ବିମଳାଅପା, ରମା ଏକାଠି ଖାଇ ବସିଥିଲେ । ରାଧୀନାନୀ ପରଶୁ ଥିଲେ । ହେମ ଅପା ଓ ତାଙ୍କ ସ୍ଵାମୀ ଚନ୍ଦ୍ରବାବୁ ଚିଲିକାକୂଳରେ ସାତପଡ଼ାରେ ଥାଆନ୍ତି, କେଉଟ ଓ ନୋଳିଆ ବସ୍ତିରେ ସେବା ଓ ସଙ୍ଗଠନ କାମ କରନ୍ତି, ତାଙ୍କର ଯୋଡ଼ିଏ ସାନ ସାନ ପିଲା । କନକ ଅପା ଓ ବିମଳା ଅପା ଦୁର୍ଭେଦ୍ୟ କନ୍ଧମାଳରେ ସେହିପରି କାମ କରନ୍ତି । ସେମାନେ ସେଠିକି କାର୍ଯ୍ୟ ଉପଲକ୍ଷରେ ଆସି ଭେଟାଭେଟି ହୋଇଥିଲେ । ନିଜ କଥା ଆଗ ପକାଇଲା ରମା, କହିଲା “କୁଶଳବାବୁ ତାଙ୍କ ଅନୁଷ୍ଠାନରେ ମିଶିବାକୁ କହୁଥିଲେ, ମୋ ମନ ମାନୁନାହିଁ ।”

ହେମ ଅପା କହିଲେ “ମନ ନ ମାନିଲେ ନ ମିଶିବାହିଁ ତ ଉଚିତ ।” ରମା ପଚାରିଲା, “ସେ ଅନୁଷ୍ଠାନ ବିଷୟରେ ତୁମର ସବୁ ମତ କ’ଣ ଅପା ?”

ସେମାନେ ମୁହଁ ଚାହାଁଚାହିଁ ହୋଇ ହସିଲେ । ବିମଳା ଅପା କହିଲେ, “ସଂସାରରେ ନାନାବାଟ, ନାନାମତ, କାହାକୁ କେଉଁଟା ଭଲଲାଗେ, ଆମୁକୁ ସେ ଅନୁଷ୍ଠାନ ଭଲଲାଗୁଥିଲେ ଆମେବି ସେଥିରେ ଥାଆନ୍ତୁ, ତାଙ୍କୁ ୟେ ପନ୍ଥା ଭଲଲାଗୁଥିଲେ ସେ ଥାଆନ୍ତେ ଆମ ସଙ୍ଗରେ । ସେଥିରେ କ’ଣ ହେଲା ? ଯେଝା ମତ ଯେଝାକୁ ସୁହାଏ ।

“ତଥାପି, ଭଲମନ୍ଦ ତ ଅଛି ?”

ହେମଅପା କହିଲେ “ଥାଉ ତା’ର ସେ । ଦୋଷ ବାଛିଲେ ବେଳଯାଏ, ନିଜ ମନରେ ତିକ୍ତତା ବଢ଼େ । ତା’ ଅପେକ୍ଷା କାମ କରିବା ଭଲ ।”

ରମା କହିଲା, “କିନ୍ତୁ କୁଶଳବାବୁଙ୍କର ତ ୟେ ଅନୁଷ୍ଠାନ ପ୍ରତିବି ବହୁତ ସମର୍ଥନ ଅଛି । ନୁହେଁ ?”

ହେମ ଅପା ବୁଝାଇଲେ, “ୟେ ଅନୁଷ୍ଠାନର କବାଟ ଖୋଲା ରହିଥାଏ । ଯାହାର ଯେତେବେଳେ ଇଚ୍ଛା ହେବ ଯେତେଦିନ ଇଚ୍ଛା ହେବ ସେ ସମର୍ଥନ କରୁ, ମନ ହେଲେ ନ କରୁ, ମନଖୁସିର କଥା ।”

ସେମାନେ ହସିଲେ । ବିମଳା ଅପା କହିଲେ, “ସମର୍ଥନବି ନିଜ ଆନନ୍ଦପାଇଁ, କାମ କରିବାବି ନିଜ ଆନନ୍ଦପାଇଁ, ତେଣୁ ଯଦି କିଏ ଭାବିଲା ଏ ବାଟେ ଆନନ୍ଦ ଅଛି, ଆସୁ ।”

 

“ଖାଲି ନିଜ ଆନନ୍ଦପାଇଁ ଅପା ? ସେଇଥିପାଇଁ ତୁମେମାନେ ଏତେ ଦୁଃଖକଷ୍ଟ ଭୋଗି କେଉଁଠି ଯାଇ ଜୀବନମୁରୁଛା କାମ କରୁଛ ! ଚିଲିକାଠୁଁ ବଣପାହାଡ଼ଯାକେ !”

 

ବିମଳାଅପା କହିଲେ, “ଆନନ୍ଦ ନୁହେଁ କ’ଣ ଦୁଃଖ ? ଏଇ ଯେଉଁଠି ହେମ ଅପା କାମ କରନ୍ତି ସେଠି କାଦୁଅ, ପଙ୍କ, ଯୋକ, ଡଙ୍ଗାରେ ଗଲେ ଝଡ଼ି ତୋଫାନ, ବୋୟାର, ପିଇବା ପାଣି ଆଣିବାକୁ ଯାଅ କୋଶେ, ହଇଜା ଘର କରିଚି । ଡାକ୍ତର ନା ବଇଦ । ଆନନ୍ଦ ନ ଲାଗୁଥିଲେ କେହି ସେଠି ରହିପାରନ୍ତା ?”

 

ହେମଅପା ହସିଲେ, କହିଲେ “ତମ କଥା କହୁନା ? ବାଘ, ଭାଲୁ, ହାତୀ, ଅଗନାଗ୍ନି ବନସ୍ତ, ମଦ ନିଶାରେ ଟର୍‍ର ଅଶିକ୍ଷିତ ମଣିଷ, ଗଲେ ମଲେ ଦୁନିଆଁ ଜାଣିବନାଇଁ, ପାହାଡ଼ ଚଢ଼ୁ ଚଢ଼ୁ ଆଣ୍ଠୁଗଣ୍ଠି ଦରଜ ହେବ । ସେଇ ମେଳିଛିଆ ଗରିବଙ୍କ ସଙ୍ଗରେ ଚଳି ତାଙ୍କର ସେବା କରୁଛନ୍ତି, କେଡ଼େ ଆନନ୍ଦ !”

 

ସେମାନେ ହସିଲେ । କନକଅପା କହିଲେ, “ସତରେ ଏକା ଆନନ୍ଦଟା କର୍ମୀର । ନିଜ ଧନ୍ଦା ନିଜ ଜଞ୍ଜାଳ ଭାବିବାକୁ ତରନାହିଁ, ପରର ସେବା କରୁ କରୁ ମନ ଖୁସି । ଆଖିଆଗରେ ପଡ଼ିଥିବା କଣ୍ଟାଟାଏ ତ ବାଟରୁ ଆଡ଼େଇ ହେବ । କାହା ପିଣ୍ଡା ତ ଲିପି ହେବ । କାହା ପିଲାକୁ ହିପାଜିତ ତ କରିହେବ । କାହା ପିଠିରେ କେତେବେଳେ ପଡ଼ିହେବ । କିଛି ନ ହେଲେ କାହାକୁ ଦି’ପଦ ସାନ୍ତ୍ୱନା ତ ଦେଇହେବ । ଯେତିକି ହେଲା । ସେତିକିରେ ମନ ଭିତରେ କେମିତି ଓଳିଆପୋଳିଆ ଧୂଆପୋଛା ହେଲାପରି ଲାଗେ ।”

 

ରମା କହିଲା, “ଏ କାମର ଫଳବି ଫଳିବ ଦିନେ ନା ଦିନେ ।”

 

ହେମ ଅପା କହିଲେ “କି ଫଳ ?”

 

ରମା କହିଲା “ଆଜି ନ ହେଉ, ଦିନେ ନା ଦିନେ । ବଢ଼ି ବଢ଼ି ଚାଲିଥିବ ଯଦି ଜଗତରେ ସେବା ଓ ତ୍ୟାଗର ଆଦର୍ଶ, ଜଗତ ସୁନା ପାଲଟିବ ।”

 

ସେମାନେ ପୁଣି ହସିଲେ । ହେମ ଅପା କହିଲେ “ଦୂରକୁ ଦେଖୁଚ, ନା ? ବେଳ ଥିଲେ ଦେଖ । ଫଳ କଥା ତ ମୁଁ ବୁଝେନାଇଁ । ମୁଁ ତ ଦେଖେଁ କାହାକୁ ଦେହ ସଫାସୁତୁରା ଶିଖେଇଲାବେଳକୁ ତା’ ମନରେ କୁଆଡ଼ୁ କୁଆଡ଼ୁ ପଶିଲାଣି ଅଳିଆ, କେଉଁଠୁ ଅଭାବ ଅସୁବିଧା ଦୂର କରୁ କରୁ ଘୋଟି ଆସିଲାଣି ଅଶାନ୍ତି । ଠାଏ ଅରମା ସଫା କଲାବେଳକୁ ଜଙ୍ଗଲ ମାଡ଼ି ଆସିଲାଣି ଆଉ ଠାଏ କେଉଁଠି ଗଢ଼ୁ ଗଢ଼ୁ ପଡ଼ିଲାଣି ଭୁଷୁଡ଼ି । ହଉ, ଅଡ଼ୁଆ ହଉ, ନୂଆ କାମ ମିଳିଯିବ, ମଣିଷ ଲାଗି ପଡ଼ିବ ନୂଆ ଉତ୍ସାହରେ । କରୁଥିବ ଗଢ଼ୁଥିବ ସେତିକିରେ ଆନନ୍ଦ ପାଉଥିବ-। ଏମିତି ଆନନ୍ଦରେ ଆନନ୍ଦରେ ଦିନେ ଜୀବନ ସରିଯିବ ।”

 

ବିମଳା ଅପା କହିଲେ “ସେଇଆ ପରା । ଆଉ କି ଫଳ କିଏ ଭୁଞ୍ଜିବ ?”

 

ରମା କହିଲା “ଜଗତ ଧନ୍ୟ ଧନ୍ୟ କହିବ ।”

 

ହେମ ଅପା କହିଲେ “ସମସ୍ତେ ପ୍ରଶଂସା କରିବେନାହିଁ, ଯାହା ଖାଇବା ପତରରେ ଧୂଳି ପଡ଼ିବ ସେ ଦାଉସାଧିବ, ଯାହା ଖୋଇ ବାଧା ପାଇବ ସେ ଖାଇ ଗୋଡ଼େଇବ । ସେଥିରେ କ’ଣ ଯାଏ ? ପ୍ରଶଂସାବି ଫଳ, ଫଳକୁ ଅନେଇଁ ବସିଲେ ହାତ ବନ୍ଦ ।”

 

ଖିଆ ସରିଲା । ବସି ବସି ଟିକିଏବେଳ ବିଶ୍ରାମ ଓ ଗପ । ସେମାନଙ୍କ ସହଜ ଆନ୍ତରିକତା ତାକୁ ଭଲଲାଗୁଥାଏ, କିନ୍ତୁ ତା’ର ମନେପଡ଼ୁଥାଏ ସେ ଏ ଦଳର ନୁହେଁ, ତାଙ୍କର ପରମ୍ପରା ତା’ରନାହିଁ । କାନ୍ଥରେ ଏତେ ଛବି, ସେମାନେ ପ୍ରାତଃସ୍ମରଣୀୟ, ମଣିଷସମାଜର ମଙ୍ଗଳ କରିବେ ବୋଲି ଜୀବନ ବିତେଇ କର୍ମ କରିଗଲେ, ନିଜପାଇଁ ସଞ୍ଚିଗଲେ ପୁଣ୍ୟ ସ୍ମୃତି, ଗୋଟିକ ଗୋଟି ପବିତ୍ର ଇତିହାସ । ତାକୁ ଚିହ୍ନାଇ ଦିଆହୋଇଛି, ଏଇଠି କିଏ ବସି ବସି ଧ୍ୟାନ କରୁଥିଲେ, ଏଇଠି ବସି ସଦ୍‍ବିଚାର ଦେଉଥିଲେ, ହେଇ ସେଠି ଘେନିଥିଲେ ଅନ୍ତିମ ବିଶ୍ରାମ ।

 

“ଏ ଆମ୍ବଗଛ କିଏ ଲଗାଇଥିଲେ ଜାଣିଛ ?” ଏ ଇତିହାସରେ ଦାୟାଦ ହୋଇନାହିଁ ସେ, ଦାୟାଦ ସେମାନେ ।

 

ସେ ସତେକି ତାଙ୍କରି ହୋଇ ସ୍ୱପ୍ନ ଦେଖୁଥିଲେ, ମଣିଷ ପ୍ରତି ସହାନୁଭୂତିରେ ଛାତି ଥରିଉଠୁଥିବ, କରୁଣାର ଆବେଗରେ ମଣିଷ ଚାଲିଯିବ ପରପାଇଁ ବଞ୍ଚିବାକୁ, ନିଜକୁ ସମ୍ପୂର୍ଣ୍ଣଭାବେ ସମର୍ପଣ କରିଦେବ, ଶେଷରେ କାଠର ଛକି ଉପରେ ଶରୀରଟା ବିଛା ହୋଇ କଣ୍ଟା ପିଟା ହେବ, ମୁଣ୍ଡରେ କଣ୍ଟାର ମୁକୁଟ, କେଉଁ ଆତତାୟୀର ଗୁଳି, ଅଥବା ତପୋକ୍ଳିଷ୍ଟ ଶରୀରର ଅକାଳରେ ଶେଷ ନିକ୍ଷେପ କ୍ରିୟା ।

 

ସେହି ସ୍ୱପ୍ନର ଆକର୍ଷଣ ସେ ଅନୁଭବ କରୁଥିଲା । କିନ୍ତୁ ଦୀପର ଧାସ ଦେଖିବା କଳ୍ପନା ତାକୁ ପ୍ରଲୁବ୍‍ଧ କଲେବି ସଳିତା ତେଲ ଆଉ ଦୀପାଳି ଯେପରିକି ତା’ର ଆପଣାର ହୋଇପାରୁନାହିଁ-। ସେ ନିଜେ ଓଟାରି ହେଉଛି, ବାହାରି ପାରୁନାହିଁ ।

 

ତହିଁ ଆରଦିନ କୁଶଳବାବୁ ଆସିଥିଲେ, ଦିନ ସାଢ଼େ ଦଶଟା ହେବ, କିନ୍ତୁ ରମା ଆଉ ରାଧୀନାନୀ ତା’ର ଚାରି ଘଣ୍ଟା ଆଗରୁ ଚାଲିଯାଇ ସାରିଥିଲେ । କୁଶଳବାବୁ ଫେରିଗଲେ ।

 

ପୁଣି ଓଳଙ୍ଗ ଆଶ୍ରମ, ରମା ସେଠି ଦି’ଦିନରୁ ବେଶି ରହିପାରିଲାନାହିଁ, ଭିତରେ କ’ଣ ଅସ୍ଥିରତା ବଢ଼ି ବଢ଼ି ଉଠୁଛି । ଦିନେ ସଞ୍ଜବୁଡ଼େ ରାଧୀନାନୀଙ୍କୁ କହିଲା, “କ’ଣ କଲେ ମନ ଶାନ୍ତ ହୁଏ ଅପା ?”

 

“କାମ ।”

 

“କି କାମ କରିବି ?”

 

ତା’ ପିଠି ଆଉଁସି ଆଉଁସି ରାଧୀନାନୀ କହିଲେ, “ମନ କିଛି ଡାକୁନାହିଁ ?”

 

‘‘ଶୁଣିପାରୁନାହିଁ ତ ଅପା, ସେଇତ ଅଡ଼ୁଆ ।’’

 

ରାଧୀନାନୀ କହିଲେ, “ଶୁଭିବ, ଟିକିଏ ଡେରି ହେଲେ ହୋଇପାରେ, ସେତେଦିନଯାକେ ହାତରେ ଯେଉଁ କାମ ମିଳୁଛି ମନଟା ସେଇଥିରେ ଭୁଲେଇ ରଖ ଭଉଣୀ ।”

 

ଏଇ ଆଶ୍ରମରେ ରହି ପିଲାଙ୍କୁ ଗାଁ’ରେ ଏଣୁତେଣୁ କାମ କରି ସମୟ କଟାଇ ଦେଇ ହୁଅନ୍ତା ପରା, ମନ ଲାଗୁନାହିଁ । ରମା ମନକୁ ମନ ବୁଝିଲା, ତା’ର ଓ ଏମାନଙ୍କର ପ୍ରଭେଦ ମୂଳରୁ କେଉଁଠି; ଭଲମନ୍ଦ ଭାବି ଯୁକ୍ତି ଓ ବିଚାର ଉପରେ ସେ କହିପାରୁଛି ଏବାଟ ଭଲ, କିନ୍ତୁ ଅନ୍ତର ଭିତରେ ଯେଉଁ ନିଭୃତ ଚେତନା ମଣିଷକୁ ବାଟ ଧରାଏ ସେ ଏମାନଙ୍କୁ ଏ ବାଟ ଧରାଇଛି, ତାକୁ ଏପର୍ଯ୍ୟନ୍ତ ଏ ବାଟ ଧରାଇନାହିଁ ।

 

ରାଧୀନାନୀ କହିଲେ, “ମାଇକିନିଆ ଝିଅ ପକ୍ଷରେ ହାତ ଆଗରେ କାମ ଆଣିଦିଏ ତା’ ଘରକରଣା, ସେଇ କାମରେ ତା’ର ଦିନ ବିତିଯାଏ । ସେଇ ଘରେ ସେ ପରକୁ ସୁଖ ଆନନ୍ଦ ଦେବାକୁ ବଞ୍ଚେ, ତେଣୁ ସେ ବଳେ ଆନନ୍ଦ ପାଏ । ସେମିତିଆ ଘର ଆଉ ନେଞ୍ଜେରା; ଲୋକେ କହିବେ ଅତି ସାଧାରଣ, ଆନନ୍ଦବି ସେଇଆ, ଅତି ସାଧାରଣ ।”

 

ରମା ଦୀର୍ଘଶ୍ୱାସ ପକାଇଲା । ସେ ଶବ୍ଦରେ ରାଧୀନାନୀ ଚମକି ପଡ଼ିଲେ । କହିଲେ, “ଯେତେବେଳେ ବର ଘର କରିବା ବୟସ ଥାଏ ସେତେବେଳେ ବର ଘର କରିବାହିଁ ଉଚିତ । ବିଧବା ହୋଇ ରହିବା ଗୋଟିଏ ବ୍ରତ ପାଳିବା ପରି ସମସ୍ତିଙ୍କୁ ଅରାଏନାହିଁ । ବ୍ରାହ୍ମଣ ଜାତିରେ ବିଧବା ବିବାହ ଚଳିବା ପୁରୁଣା ହେଲାଣି, ଦେଶ ଭିତରେ ଯେଉଁମାନେ ସଂଖ୍ୟାରେ ବେଶି, ସବୁ କାଳେ ପରିଶ୍ରମ କରିବାର ମର୍ଯ୍ୟାଦା ବୁଝିଛନ୍ତି ତାଙ୍କ ଭିତରେ ତ ସେ ପ୍ରଥା କେଉଁକାଳୁ । ଆଉ ଥୋଡ଼ାଏ ଜାତି ଅଛନ୍ତି ଯେ ଚଳେଇ ନାହାନ୍ତି, ଅଳ୍ପ କେଇଜଣ ବୁଝିଲେଣି ସିନା ବାକିମାନେନାହିଁ, ସମାଜର ବୁଝାମଣା ତ ସେଇଆ, ଯାହା ଚଳେ ତା ଠିକ୍, ସତେ ଯେମିତି ସ୍ୱର୍ଗ ଆଉ ମୋକ୍ଷର ବାଟ ସେ, ନ ଚଳିବାଯାକେ ବୁଦ୍ଧି ବିଚାର କିଛି କାମ କରେନାହିଁ ।”

 

ରମା ତା’ ମୁହଁକୁ ତଳକୁ ପୋତିଥାଏ, ମୁହଁ ଜଳି ଯାଉଥାଏ । ଆସ୍ତେ ଆସ୍ତେ କହିଲା, “ସେଗୁଡ଼ାକର କ’ଣ ଅଛି ଅପା ?”

ରାଧୀନାନୀ ତା’ କାନ୍ଧ ଉପରେ ହାତ ଥୋଇ କହିଲେ, “ସବୁ ଅଛି । ହେଇ ମତେ ଅନା-। ତୁ ମୋ ଝିଅବି ହେଇପାରିଥାନ୍ତୁ, ସେମିତି ମୋ ବୟସ । ବକଟେ ଛୁଆ ଅଛି । ଆଜି ତା’ ବାପା ଥାଆନ୍ତା, ତୁ ଏମିତି ନିଜକୁ ନିଜେ ଖୋଜି ଖୋଜି ବୁଲୁଥାନ୍ତୁ କେଉଁ କାମ ଆଦରିଲେ ଶାନ୍ତିପାଇବି ବୋଲି ? ମୋର ତ ବିଶ୍ୱାସ ନାଇଁ । ହେଇଥିଲେ ସେ ବି ସାଙ୍ଗରେ ଥାଆନ୍ତା ।”

“ତା’ ବାପା ବଞ୍ଚିଥିଲେ ନଥିଲେ କ’ଣ ଯାଏ ଅପା ? ମୋ ମନ ତ ଛାଆଁକୁ ଡାକୁଚି ମୁଁ ଦୁନିଆଁରେ ଭଲ କରିବାକୁ ଜୀବନ ବିତେଇବି । ସମସ୍ତେ ଘରକରଣା କରିବେ କରନ୍ତୁ, ମୋର ହେଉ ପର-କରଣା ।

ରାଧୀନାନୀ କହିଲେ, “ସତେରେ ଯଦି ତେଣିକି ମନ ଡାକିଲା ସେ କ’ଣ ନିଜ ଗାଁରେ ରହି କରି ହେବନାହିଁ ? ଲୋକ ନିଜ ଘରେ ରହିବି ବାବାଜି ହେଇପାରେ, ତ୍ୟାଗୀ, ପରୋପକାରୀ, ସନ୍ଥ ସବୁ ହେଇପାରେ । ତେବେ, କେଉଁ ପ୍ରକାର କାମକୁ କେଉଁ ବାଟ । କେଉଁ କାମପାଇଁ ରାସ୍ତା ଧରିବାବି ଦରକାର ପଡ଼ିପାରେ । ତୋର ମା’ ପନ୍ଥାବି କ’ଣ, ତା’ ତ ଠିକଣା ହୋଇନାହିଁ ।”

“ହବ ଦିନେ ।”

“ହବ, ମୁଁ ନାହିଁ କରୁନାହିଁ । ତେବେ, ଯାହା ଦେଖୁଚି, ଶଶୁରଘର, ବାପଘର, କୌଣସିଟା ତତେ ବାନ୍ଧି ପାରିଲାନାହିଁ । କାହିଁକି ? ଜଳଜଳ ଦିଶି ଯାଉଛି । ଖାଇ ଗୋଡ଼ୋଉଚି । ବାନ୍ଧିବାକୁ ସେଠି ଡୋରନାହିଁ । ମନଟା ଦି’ଭାଗ, ବାଏଁ ଡାହାଣେ । ଗୋଟାଏ ଭାଗ କହୁଚି ମୁଁ ଦେଶର ଉପକାର କରି ଧନ୍ୟ ହେବି । ଆର ଭାଗକ ତୋ ବୟସରେ ତୋ ରକ୍ତମାଂସର ପ୍ରତିନିଧି, ସେ ଖୋଜୁଚି ସୁସ୍ଥ ଘରକରଣା । ଆଶା ନ ମେଣ୍ଟୁଣୁ ଯେଉଁ ଖେଳ ଭାଙ୍ଗିଯାଇଚି ମନ ଆହୁରି ଆହୁରି ଝୁରି ହେଉଛି ତା’ପାଇଁ । ହାଣି ଦେଲେବି ପାଟି ଫିଟିବନାହିଁ ସିନା, ତା’ ହାକୁ ହାକୁ ଯିବ କୁଆଡ଼େ ?”

ରାଧୀନାନୀଙ୍କ କଥା ଶୁଣୁ ଶୁଣୁ ରମାର ଆଖି ବାମ୍ଫେଇଲା, ତା’ପରେ ଆସ୍ତେ ଆସ୍ତେ ଟପ ଟପ ହୋଇ ଝରି ପଡ଼ିଲା ଲୁହ, ତା’ପରେ ଅସମ୍ଭାଳ ଲାଗିଲା, ସେ ମୁହଁରେ କାନି ମାଡ଼ିଦେଲା-

ରାଧୀନାନୀ ସାନ୍ତ୍ୱନା ଦେଲେନାହିଁ, ଅପେକ୍ଷା କରି ବସି ରହିଲେ ସହାନୁଭୂତିରେ, ସଞ୍ଜ ବଢ଼ିଲା । ଟିକିଏ ପରେ ନିଜକୁ ସମ୍ଭାଳି ନେଇ ରମା କହିଲା,

“ପଛ କଥା ମନେପଡ଼ିଗଲା ଅପା, ରୋକି ହେଲାନାହିଁ ।”

ରାଧୀନାନୀ କହିଲେ, “ସେ ତ ପଛ, ଆଗକୁ ଭାବିବାକୁ ପଡ଼ିବ ।”

ରମା କହିଲା, “ଭାବୁଚି, ବାଟ ଖୋଜୁଚି ।”

ନ ଶୁଣିଲା ପରି ରାଧୀନାନୀ କହିଲେ “ଯଦି ପୁଣି କେବେ ଯୋଗ ଘଟିବ କାହା ସଙ୍ଗେ ନୂଆ ଘର କରିବାକୁ, ତତେ ବିଭା ହେବାକୁ ଆଉ ତୋ ପୁଅର ଦାୟିତ୍ୱ ନେବାକୁ ସେ ରାଜି ହେବ ଆଉ ତୋ ମନ ତାକୁ ଗ୍ରହଣ କରିବାକୁ ରାଜି ହେବ ତେବେ ପଛେଇବୁ ନାଇଁ ।”

 

ରମା ଶଙ୍କି ଶଙ୍କି କହିଲା, “ସେ କ’ଣ ଧର୍ମ କଥା ?”

 

ରାଧୀନାନୀ କହିଲେ, “ହଁ, ଧର୍ମ କଥା, ସେ ଧର୍ମ ନା ମଣିଷ ଧର୍ମ । ନିଜ ଖୁସିରେ, ସ୍ଵଚ୍ଛନ୍ଦରେ ସହଜଭାବେ ସେ ବାଟକୁ ମନ ନ ଯିବ ତ ନ ଯାଉ, ସେ ବି ଗୋଟାଏ ପ୍ରକାର, ସେଥିପାଇଁ ବେଳ ଲାଗିବ । ଖାଲି ତର୍କରେ ତାକୁ ରୋକି ହେବନାହିଁ, ଶାନ୍ତି ମିଳିବନାହିଁ ।”

 

ରମା ତୁନି ତୁନି ଫୁସ୍ ଫୁସ୍ କରି କହିଲା, “ପୁଣି ବନ୍ଧନ ?”

 

ହଁ, ମନ ଯଦି ଖୋଜେ, ଯୋଗ ଯଦି ପଡ଼େ । କାହିଁ ସେ ଯୋଗ ମୁଁ ଜାଣେନାହିଁ । ମନ ପ୍ରସ୍ତୁତ ଥାଉ । ଯୋଗ ନ ଆସିଲେ ନାହିଁ, ତା’ ବୋଲି ମୁଁ କହୁନାହିଁ ସଂଯମ ଭାଙ୍ଗିବାକୁ, ସବୁ ଅଶାନ୍ତି, ନରକର ବାଟ ସେ । କିନ୍ତୁ, ପୁଣିଥରେ ବାହା ହବାକୁ ମନକୁ ପ୍ରସ୍ତୁତ କରି ରଖିପାରିଲେ ମନ ଭିତରେ ଯାହା କେମ୍ପା କୁଜା ହୋଇ ମୁର୍‍କୁଟି ଯାଇଛି ସେ ସଳଖ ହୋଇଯିବ, ମନ ହାଲୁକା ଲାଗିବ । କେତେବେଳେ କ’ଣ ଘଟିବ ତା’ଉପରେ କ’ଣ କାହାର ହାତ ଅଛି ? ଯାହା ହବ ତା’ ହବ-। କିନ୍ତୁ ୟେ ମନଟା ନିଜକୁ କ’ଣ ନାଇଁ କ’ଣ ବୋଲି ଭାବି ନେଇ ଗୋଟାଏ ପ୍ରକାର ଚେହେରା ଘେନି ବସିଥାଏ, ସେହି ଅନୁସାରେ ତା’ଠିଁ କାମ କରିବାକୁ ଶକ୍ତିଥାଏ । ଯଦି ଭାବୁଥିବୁ, ମୋର ସଂସାର ସରିଚି, ନିଜକୁ ବାଁରେଇ ବାଁରେଇ ପଳେଇ ପଳେଇ ବୁଲିବି, ସେ ମନ ଦେଇ କାମ ହେବ ସେମିତି ବିକଳିଆ, ନିର୍ଜୀବା । ଯଦି ଭାବୁଥିବୁ ମୋର ସବୁ ଅଛି, ବେଳ ଆସିଲେ ମୁଁ ପୁଣି ଘର ସଂସାର କରିପାରିବି, ତେବେ ଦମ୍ଭ ସାହସ ଆଶା କେବେ ଊଣା ହେବନାହିଁ । ଠାକୁରେ କରନ୍ତୁ, ସେଇଆ ହଉ, ଯେତେ ହେଲେ ପିଲାଟାଏ ତ !”

 

ରାଧୀନାନୀ ଅନ୍ଧାରରେ ଗୋଳି ହୋଇ ମିଶି ଯାଇଛନ୍ତି । ସେ ନୁହଁନ୍ତି, କଥା କହୁଚି ଅନ୍ଧାର । ଯେମିତି କେଉଁ ଦେଉଳର ଅନ୍ଧାରି ଗମ୍ଭୀର, ଶୂନ୍‍ଶାନ୍, ସେଇଠୁ କଥା ଶୁଭୁଛି ।

 

ସେଇ ସ୍ୱର କହୁଚି, ହରକୁ ତୁ ଭୁଲିଯା, ଆଗକୁ ଅନା । ଆଖିଆଗରେ ହର ଠିଆ ହେଉଛି, ଭାସି ଭାସି ଯାଉଛି ତା’ ମୁହଁ, ତା’ ଠାଣି, ଦିନ ଦିନକର କଥା । ସ୍ୱପ୍ନ ।

 

ରାଧୀନାନୀଙ୍କର ମୁହଁ ଖୋଲିଛି, ଆଉ ସେ ବି ତା ସଙ୍ଗରେ ସତେ ଯେମିତି ବୁଲି ବୁଲି ଦେଖୁଛନ୍ତି । କହିଲେ “ଗୋଟାକୁ କାଟି ନ ଦେଲେ ଆଉ ଗୋଟାକୁ ଧରି ହୁଏନାହିଁ, କାଟିବା କାମଟା ମମତା ତୁଟେଇବା କାମ ।”

 

ଅନ୍ଧାରରେ ବୋଉ’ ଡାକ ଶୁଭିଲା, ଗୁଲୁରୁ ଗୁଲୁରୁ ପାଟି, ଦୌଡ଼ି ଦୌଡ଼ି ଆସି ସୁର ତା’ ବୋଉ ପିଠିରେ ଲାଉ ହେଲା, ବେକକୁ ବେଢ଼ାଇ ଧରିଲା । ଶରଦୀ ନାନୀ କହିଲେ “ଆଉ ଭୁଲେଇ ରଖି ହେଲାନାଇଁ, ଖାଲି କହିଲା ବୋଉ କତିକି ଯିବି ।”

 

ରମା ସୁରକୁ ଗେଲ କରି କୋଡ଼କୁ ଆଉଜେଇଲା ।

 

ଶରଦୀ ନାନୀ କହିଲେ, “ୟାକୁ ଛାଡ଼ି ଆଉ କି କାମ କରିବ ? ଆଗ ପରା ୟେ । ୟେ ମଣିଷ ହେଲେ ଯୋଉ କଥା ।”

 

ରାଧୀନାନୀ କହିଲେ, “ସେଇଆ ପରା ।”

 

ତହିଁ ଆରଦିନ ସକାଳୁ ସେ ପୁଅକୁ ଘେନି ଓଳଙ୍ଗ ଆଶ୍ରମରୁ ଚାଲିଗଲା, ପାଞ୍ଚଟି ଅପା ସୁରକୁ ଗେଲ କଲେ, ରମାକୁ ବାରମ୍ବାର କହିଲେ ମନ ହେଲେ ଆସୁଥିବ, ଭୁଲିଯିବନାହିଁ, ଗାଁର ଶଗଡ଼ଟିଏ ଠିକଣା କରିଦେଲେ, ମଟର ବସ୍‍ଯାକେ ପହଞ୍ଚାଇ ଦେବ । ବାଟକୁ ସୁରପାଇଁ ଦେଲେ ଗଇଁଠା ପିଠା, ଦୁଧ ଆଉ ଗୁଡ଼, ରମାପାଇଁ ବୁଢ଼ା ଚକୁଳି ଚାରୋଟି ଓ ସନ୍ତୁଳା । ରମାକୁ ଲାଗିଲା, ସେ ଘର ଛାଡ଼ି ବିଦେଶ ଯାଉଛି ।

 

ଚାରିକୋଶ ଗଲେ ରଙ୍ଗଣିପୁର ଛକ, ହୁମୁରା ଛକରେ ଓହ୍ଲାଇବା ଭଳି ମଟର ବସ୍ ମିଳେ, ବାଟ ପନ୍ଦର କୋଶ ।

 

ଛାଇ ଲେଉଟାବେଳେ ମଟରରୁ ଓହ୍ଲାଇଲା । ଗାଁ ଛକ, କିନ୍ତୁ କାହିଁ ଆଉ ଗାଁ ? ଦୋକାନ ବଜାର ବଢ଼ିଯାଇଛି । ଏଇଠି କେଉଁଠି ତା’ ବୋଉର ହୋଟେଲ ଓ କଣ୍ଟ୍ରୋଲ ଦୋକାନ, କୁଳମଣି ବୁଝୁଥିବ । ସେଠିକି ଯିବାକୁ ମନହେଲାନାହିଁ । ଛକ ପାଖ ଗୁଡ଼ିଆଦୋକାନରୁ ମିଠେଇ ହାଣ୍ଡିଏ କିଣିଲାବେଳେ କେତେ ଲୋକ ଚାହୁଁଥିଲେ । ଭାରୁଆଟିଏ ଧରି ବିଛଣା ଟ୍ରଙ୍କ୍, ଜିନିଷପତ୍ର ବୁହାଇ ସେ ଗାଁ ବାଟ ଧରିଲା । କେଉଁ ଗାଁର ଅଚିହ୍ନା ମୂଲିଆ ଟୋକାଟିଏ, କଥା କହେନାହିଁ, ତୁନିତାନି ଚାଲେ । ମନେପଡ଼ିଲା, ଏମିତି ଥରେ ହାବୋଡ଼ିଥିଲା ଆନ୍ଧ୍ର ଦେଶର କୁଲିଟିଏ, କ’ଣ ଗୋଟିଏ କରୁଣ ସ୍ମୃତି ସେ ତା’ ଆଗରେ ବଖାଣିଥିଲା, କ’ଣ ସେ ? ମନେନାହିଁ ।

 

ସୁର ତଳେ ଚାଲିବାକୁ ଛଟପଟ । କିନ୍ତୁ ସୁରକୁ କାଖ କରି ରମା ବାଟ ଚାଲୁଥାଏ । ଆଉ ଭାବୁଥାଏ,– ସତେ ସେ ଘରକୁ ଫେରୁଛି ?

 

ଏଠିକି ସେ ଦୁଇବର୍ଷ ହେଲା ଆସିନାହିଁ, କିନ୍ତୁ ସେ ବ୍ୟବଧାନରେ ମାପ ଯେପରିକି ବର୍ଷ ସଂଖ୍ୟାରେ କରିବା ଅସମ୍ଭବ । ସମସ୍ତିଙ୍କଠୁଁ ସେ ଦୂରେଇ ଯାଇଛି, ଯେମିତି ସେ ଗୋଟାଏ ତାରା, କେତେ ତାରା ପୁଞ୍ଜି ପୁଞ୍ଜି ହୋଇ ତା’ କତିରେ କତିରେ ଥିଲେ, ତା’ ଚାରିକରେ ଘୁରୁଥିଲେ, ସେ ବି କାହା ଚାରିକରେ ଘୁରୁଥିଲା, ତା’ପରେ ତା’ର ସବୁ ସାଙ୍ଗ କଟିଯାଇଛି, ସେ ଏକୁଟିଆ ଦୂରକୁ ଦୂରକୁ ଚାଲିଯାଇଛି ଆଉ କେଉଁ ସୌରମଣ୍ଡଳ ଖୋଜି । ସେଇ ଦୂରେଇ ଯିବାର ମାପ ଦୁଇବର୍ଷ ନୁହେଁ ।

 

ଘର ଯହୁଁ ପାଖ ହଉଛି ସେ ଭାବୁଛି ସେହି ପଛରେ ଛାଡ଼ି ଦେଇ ଆସିଥିବା ଘରମାନଙ୍କ କଥା, ସେଥିରୁ ଯୋଡ଼ାଏ ବାସ୍ତବ, ସେଠି ସେ ଚାକିରି କଲାବେଳେ ଥିଲା, ଆଉ କେତେ ଠା’ ତା’ର କଳ୍ପନା, ହେଲେ ହୋଇପାରିଥାନ୍ତା, ହେଲାନାହିଁ । ତା’ ସଙ୍ଗେ ସଙ୍ଗେ କେତେ ମୁହଁ, କୁଶଳବାବୁ, ରାଧୀ ନାନୀ, ସେ ଯେଉଁ ଘରଣୀ ଯେ ତାକୁ ଘରେ ପୂରାଇ ନଥିଲା, କାହାକୁ ସେ କେଉଁଠି ସିଲେଇ ଶିଖେଇଥିଲା, ବାଜିବାବୁ, ସୁଧୀବାବୁ, ହେମଅପା । ସବୁ ଝଲସି ଉଠି ପୁଣି ହଜି ଯାଉଛି, ଏ ବାଟ, ଗଛବୁରୁଛ, ବାଡ଼, ଘର ଆଖିଆଗରେ ଝୁଲାଇ ଦେଉଛି ପୁରୁଣା ସ୍ମୃତି, ପୁରୁଣା ଚେତନା ପୁଣି ଚେଇଁ ଉଠୁଛି । ଉଦୁମୁଦା ଲାଗିଲା, ସେ ତା’ ଘରେ ପହଞ୍ଚିବ, ବୋଉକୁ ଭାଇଭଉଣୀଙ୍କି ଦେଖିବ, ସ୍ନେହରଙ୍କୁଣୀ ହୋଇ ଆହୁରି ତରତର ଚାଲିଲା । ଲାଗିଲା, ସେ ଘୋଳି ହୋଇ ପଡ଼ୁଛି, ଦେହ ଜଳୁଛି, ସେ ଗୋଟାଏ ପ୍ରକାର ଶାନ୍ତ ଝୁରି ହେଉଛି, ଅପେକ୍ଷା କରି ରହିଛି ତା’ପାଇଁ ସେ ବିଶ୍ରାମ ଓ ସେ ଶାନ୍ତି, ତା’ ବୋଉର କାନି ତଳ, ତା’ ସାନ ଭାଇ ଦୋ’ଟି ଓ ଭଉଣୀଟିର ଗେହ୍ଲା ଆଦର ।

 

ଦୁଆରମୁହଁରୁ ଡାକ ଛାଡ଼ିଲା,–“ବୋଉ !” ଭିତରକୁ ପଶିଗଲା । ତିଳ ବଡ଼ ବଡ଼ ଆଖି କରି ଠିଆହୋଇ ରହିଲା, ଦି’ବର୍ଷରେ କେଡ଼େ ଡେଙ୍ଗା ହୋଇଯାଇଛି । ତା’ପରେ କିଲିକାଲିଆ ହୋଇ ଦୌଡ଼ି ଆସି ସୁରକୁ କାଖେଇ ପକାଇଲା, ସୁର ପାଟି କରୁଥାଏ, ବିଧା ଚାପୁଡ଼ା ମାରୁଥାଏ । ଗୋଡ଼ ଛାଟୁଥାଏ । ରଘୁବି ବଢ଼ିଯାଇଛି, ଘର ଦୁଆର ମୁହଁରେ ଠିଆହୋଇ ଅଳ୍ପ ହସି ଦେଇ କହିଲା “ଆଇଲୁ ଅପା ?” ମାୟା ଦେବୀ ଘରୁ ବାହାରି ପଡ଼ିଲେ, କିଛି ନକହି ତୁନି ହୋଇ ଠିଆ ହେଲେ । ଟିକିଏ ଅଟକି ରହି ସୁରକୁ ତିଳ ହାତରୁ ଛଡ଼ାଇ ନେଇ କହିଲେ “କିରେ ଚଗଲା, ଖାଇବୁ କିଛି ? ଆ–”

 

ରମା ଘରେ ପଶି ଲୁଗା ବଦଳିଲା ।

 

ଅଭ୍ୟର୍ଥନା ବେସୁରା ଲାଗିଲା, ଅନ୍ଧାର ଭିତରେ ମନେପଡ଼ିଗଲେ ତା’ ବାପା, ସେ ଆଖିରୁ ଲୁହ ପୋଛିଲା ।

 

ମାୟା ଦେବୀ ପିଣ୍ଡାରେ ଅପେକ୍ଷା କରିଥିଲେ ସେ ପଦାକୁ ବାହାରୁ ବାହାରୁ ପଚାରିଲେ, “କୋଉଠୁ ଆଇଲୁ ଝିଅ ?”

 

“ଓଳଙ୍ଗ ଆଶ୍ରମରୁ ।”

 

“କାହା ଆଶ୍ରମ ସେ ? କ’ଣ ମଠ ବାଡ଼ି ?”

 

“ନାଁ”

 

ମାୟା ଦେବୀ ତା’ ମୁହଁକୁ କଟମଟ କରି ଅନାଇଁଥାନ୍ତି । କହିଲେ “ମୋତିଠୁଁ ଜାଣିଲି ତୁ ଆଉ ଚାକିରିରେ ନାହୁଁ । ସେଇଠୁ ଆଉ ଭାଷା ଖଣ୍ଡେବି ନାଇଁ, କୁଆଡ଼େ ଗଲୁ କ’ଣ କରୁଚୁ ତା’ ତୁଇ ଜାଣୁ କି ବିଧାତା ଜାଣନ୍ତି ।”

 

ରମାର କାନମୁଣ୍ଡା ଗରମ ହୋଇଗଲା କହିଲା “କ’ଣ କଲି ନ କଲି ତତେ କ’ଣ ଲେଖି ନଥାନ୍ତି ? କ’ଣ ତୁ ଭାବୁଚୁ ?”

 

ମୁହଁ ଥନ ଥନ କରି ମାୟା ଦେବୀ କହିଲେ, “ଖାଲି ଅଇଛା ଭାବୁଚି କହୁଚୁ ନା ଭାବି ଭାବି ମରୁଚି ? ହଇଲୋ, ତୁ ତ ଏମିତି ନଥିଲୁ ! କ’ଣ ତୋର ହେଲା ! ଯେ ଯାହା କହିଲେ ଶୁଣୁଚି, ତାଙ୍କ ମୁହଁରେ ନିଆଁ, ସେଥିରେ ମୋର କି ଯାଏ ? ତୋର ୟେ କି ରୀତି ? ଚାକିରି ନ କଲୁ, ଭାସିଗଲା, କିଏ ତତେ କହୁଥିଲା ଚାକିରି କର ? ତୁ ତ ସିଧାସଳଖେ ଘରକୁ ଚାଲିଆସିଥାନ୍ତୁ ଆଉ ବୁଲୁଥିଲୁ କୁଆଡ଼େ ବା ? ଆପେ ବୁଲିଲୁ, ୟେ ଛୁଆଟାକୁ ହରକତ କଲୁ ! ନା ଚିଠି ନା ପତର ! ତୋ ଆଖିରେ ୟେ ସଂସାରରେ ତୋର ଆପଣାର ବୋଲି ଏଠି କେହିନାହିଁ ? କାହା ଆଗରେ କହିବି ? ଭଗାରି ହସିବେ ସିନା !”

 

ମାୟା ଦେବୀ ପିଠି ବୁଲେଇ ମୁହଁରେ ଲୁଗା ମାଡ଼ିଦେଇ କାନ୍ଦି ପକେଇଲେ । ରମା ଠକ ଠକ ଥରୁଥାଏ । କହିଲା, "ବୋଉ ?" କାନ୍ଦୁରା ପାଟିରେ ମାୟା ଦେବୀ କହିଲେ, "ବୋଉ ତୋର ମରିଚି, ନଇଲେ ତୁ–" ରମା କହିଲା, ବୃଥା ତୁ ମତେ ଝିଙ୍ଗାସୁଚୁ ବୋଉ, କି ଅପରାଧ ମୁଁ କଲି ?" ମାୟା ଦେବୀ କହିଲେ, "ଅପରାଧ ମୋ’ରି, କ’ଣ ନା, ସେ ତ କେଡ଼େ ସୁଖରେ ଚାଲିଗଲେ, ମୁଁ କାହିଁକି ବଞ୍ଚିରହିଲି ?"

 

ରମାର ମୁଣ୍ଡ ଭିତରେ ତୋଫାନ ଗର୍ଜିଲା, ପିଣ୍ଡାରୁ ତଳକୁ ଓହ୍ଲେଇପଡ଼ି ସେ କହିଲା, "କ’ଣ ତୋ ମୁଣ୍ଡରେ ପଶିଚି ମୁଁ ଜାଣେନାଇଁ ବୋଉ । ମୁଁ ଆସିନାଇଁ, ଚିଠି ଦେଇନାଇଁ, ସତ । ମୋ ମନର ଅବସ୍ଥା କ’ଣ ତା’ ମତେବି ଜଣାନାଇଁ । ତେବେ ଅଇଛା ବୁଝୁଚି, ମୋର ସତେ କି କୋଉ କୁଳରେ ଠାବ ନାଇଁ । ତାହେଲେ କୁଆଡ଼େ ଯିବି କହ,–"

 

ତା’ପାଖକୁ ଆସି ତା’ହାତକୁ ଝାମ୍ପିନେଇ ଝାଙ୍କେଦେଇ ମାୟା ଦେବୀ କହିଲେ, “ଆ’ କ’ଣ ଖାଇବୁ ଆ, ଭାକୁଚିଆଳୀ ହ’ନା, ଉପାସରେ ମୁହଁ କଳାକାଠ; ପେଟ ହାଉ ହାଉ, ମୁଣ୍ଡ ଗରମ, ଆ’ଭାରି, ଆଉ ଉଚ୍ଚବାଚ ନାଇଁ, ତୁ ଆଇଚୁ ବୋଲି ସବୁ ସବୁ ଆସୁଥିବେ । ଆଇଲୁ ।”

 

ରମା ତୁନିହୋଇ ତା’ ବୋଉ ସଙ୍ଗରେ ଗଲା । ପୁଣି ସହଜ ଅବସ୍ଥା ଫେରିଆସିଲା, ଆଉ ରୁଷାରୁଷିନାହିଁ । ତା’ ବୋଉ ପଖାଳ ବାଢ଼ିଦେଲା, ଦହି, ପିଆଜ, ବଡ଼ି ଚଟଣି, ଶାଗ, ସବୁ ସତେ କି ତା’ପାଇଁ ସଜାହୋଇ ଥୁଆହୋଇଛି ।

 

"ଭାରି ସୁଆଦ ହେଇଚି ଶାଗ ଲୋ ବୋଉ", ପାଟିରେ ଗୁଣ୍ଡା ଥାଇ ସେ କହିଲା । "ତିଳ କରିଚି, କ’ଣ କରିଚି କେଜାଣି !" ତା’ ବୋଉ କହିଲା ।

 

“ତିଳକୁ ରାନ୍ଧି ଆସିଲାଣି ?”

 

“ଆସୁ ନ ଆସୁ ସବୁଥିକି ହମ ହମ । ଆଗୋ, ଦଶ ପୂରି ଏଗାର ଚାଲିଲା, ଆଗକାଳ ହେଇଥିଲେ ଆଉ ତିନି ଚାରିବର୍ଷରେ ପର ଘର କରନ୍ତା, ଶାଗ କେରାଏ ଖରଡ଼ି ଶିଖିଲା କ’ଣ ଭାରି ବଡ଼ କଥା ?”

 

ରମା ହସିଲା । କହିଲା” ଗଲା କୁଆଡ଼େ ?”

 

“ରଘୁ ତିଳ ତାଙ୍କ ଚଗଲା ଭଣଜାକୁ ନେଇ ଦିଗ୍‍-ବିଜୟ କରିବାକୁ ଯାଇଛନ୍ତି, ସମସ୍ତିଙ୍କୁ ଦେଖେଇବେ ‘ହେଇ ଦେଖ’, ଆଉ କ’ଣ ?”

 

ଏଠି ଖାଇ ବସୁ ବସୁ ପୁଣି ଏ ମାଟି ଏ ଘର ରମାକୁ ଆପଣାର କରିନେଉଛି, ମଝିରେ ଚାଲିଯାଇଥିବା ବୟସର ବ୍ୟବଧାନ ଲୋପ ହୋଇଯାଉଛି, ପଦାକୁ ଯେତେ ଯେଉଁଆଡ଼େ ତା’ର ଧାରଣା ଲମ୍ବିଯାଇଥିଲା ସବୁ ସଙ୍କୁଚିତ ହୋଇଯାଉଛି, ଲୋପ ହୋଇଯାଉଛି, ସବୁ ଏଇ ଘରକୁ ଆବୋରି ସୀମିତ । ତା’ ଜୀବନ ସତେ ଯେମିତି ଏକା ଅଛିଣ୍ଡା ଧାର, ଆରମ୍ଭ ହୋଇଥିଲା ଏଇ ଢିଅରେ କେବେ ତା’ ମନେନାହିଁ, ପଛକୁ ଭାବିଗଲେ ନିଜକୁ ଅନୁଭବ କରିହେଉଛି ଖାଲି ଏକାଧାରଣାରେ, ସେ ଏଇ ଘରର ମଣିଷ, ଅଧିକା ନୁହେଁ କି ଭିନ୍ନେ ନୁହେଁ ।

 

ସେ ଖାଇସାରି ମୁହଁ ଧୋଇଲା ପରେ ମାୟା ଦେବୀ କହିଲେ, “ଚାକିରି ଛାଡ଼ିଲୁ ଶୁଣି ଖୁସି ହୋଇଥିଲି, ମୋ ବୋଝ ତୁ ନେବୁ, ମୋ ଦୁଃଖ ଗଲା, ଆଉ କିଏ ବୁଝିବ ? ହଉ, ତୁ ଆଇଲୁ, ମୋର ଛୁଟି ।” ନିଜର ଆଶାକୁ ଅବିଶ୍ୱାସ କଲାଭଳି ପୁଣି ସେ କହିଲେ, “ଆଉ କୁଆଡ଼େ ଯିବୁ ନାଇଁଟି ! ମୋ ସୁନାଟି ପରା ।” କଟମଟ କରି ତା’ ମୁହଁକୁ ଅନାଇଲେ । କହିଲେ, “କେଜାଣି ଲୋ ! ଏ ଦୁନିଆଁ ଏମିତି ବଦଳୁଚି ! ତମକୁ ସବୁ ଜନ୍ମ ଦେଇଥାଇଁ ସିନା, ମନଟାମାନ ତ ତମ ନିଜର, ରାଇଜଯାକ ସେଇଆ । ଏତେଦିନକେ ସାଧୁଆ ବାହାଘର ହବାକୁ ଯାଉଚି, ଶୁଣାଶୁଣିରେ ତ ବୋହୂ ଭଲ, ପୁଣି ଭାବିଲାବେଳକୁ ମୋ ଛାତି ଥରୁଚି, ଭାଇଭଉଣୀ ସମସ୍ତିଙ୍କି ଏକାଠି ରୁଣ୍ଡେଇପୁଣ୍ଢେଇ ଘରକୁ ସାଇତିବ, ନା ଫିଟେଇବ ଭଗବାନଙ୍କୁ ଗୋଚର । ସାଧୁଆ ଧରଣ ତ ଜାଣୁ, ଚାକିରି କ’ଣ ଆଉ କେହି କରିନାହାନ୍ତି ଏକା ସେ ? ଘର ତା’ର ମନେପଡ଼େନାଇଁ । ବୋହୂ ପିଲାକୁ ସେ କି ଘରୁଆପଣ ଶିଖେଇବ ? ତୁ ଆସିଲୁ, ତତେ ଲାଗିଲା ।”

 

ରଘୁ ଓ ତିଳଙ୍କ ସଙ୍ଗରେ ଆସି ପହଞ୍ଚିଗଲା ରେବ, ତା’ର ଝିଅ ମୀନା, ପୁଅ କୁନା, ଛୁଆ ପୁଅ କାଖେଇ କୁଳମଣିର ଭାରିଯା କେତୀ, ହାଉଯାଉ ଲାଗିଗଲା ।

 

ରେବ ଗୋଲହୋଇ ଧାନ ଓଳିଆ ପରି ଫୁଲିଯାଉଛି, କହିଲା “ଦେଖେଁ କେମିତି ଦିଶୁଛନ୍ତି !”

 

ରଘୁ ଓ ତିଳ ଅଲଗା ଅଲଗା ପଢ଼ି ବସି ପଡ଼ିଲେ । ତାଙ୍କ ବୋଉ ଓ କୁଳମଣି ପରାମର୍ଶ ଦିଆନିଆ ବରଗା ବରଗିରେ ଲାଗିଗଲେ ।

 

ରମା ଲାଗିଗଲା ତା’ ନିତିଦିନିଆଁ ଘରକାମରେ । ତା’ ବୋଉ ତା’ ସାହାଯ୍ୟକୁ ଅପେକ୍ଷା କରିନାହାନ୍ତି, ଅନ୍ଧାରୁଆରୁ ଉଠି ବସି କାମ ଛିଣ୍ଡାଇଛନ୍ତି । ତଥାପି ରମାର ହାତ ଖଲ ଖଲ । ଛାଞ୍ଚୁଣିମୁଠାଟି ଟେକି ନେଲା । ନିଠେଇ ନିଠେଇ କେତେ କାମ । ତା’ପରେ ଦୁଆରେ ଆଉଥରେ ବଢ଼ିଣା ମରା । ତା’ପରେ ରୋଷେଇ ଘର । ଲାଙ୍ଗୁଡ଼ ପରି ପଛେ ପଛେ ଗୁଡ଼ୁରୁ ଗୁଡ଼ୁରୁ ହେଉଛି ସୁର । ମାୟା ଦେବୀ ପୁଣି ଲେଉଟି ଆସିଲାବେଳକୁ କେତେ କାମ ଆଗେଇ ଗଲାଣି । ଡାଲି ଫୁଟିଲାଣି । ତରକାରୀ ବନା ସରି କଟା ସରିଲାଣି । ସେ ଝିଅଆଡ଼କୁ ଅନାଇଁ ଦେଇ କହି ଆସୁଥିଲେ, “ଆଗେ ଯେମିତି ବିଜୁଳି ପରି କାମ କରୁଥିଲା ଏବେବି ସେମିତି, ଏକା ଜଣେ ଥିଲେ ଘରଭର୍ତ୍ତି” ତା’ପରେ ମନେପଡ଼ିଗଲା, ଦୀର୍ଘଶ୍ୱାସ ପକାଇ ମୁହଁ ବୁଲାଇ ସେଠୁ ଚାଲିଗଲେ । ଭାବୁଥିଲେ, କି କପାଳ ! କାହିଁକି ଏମିତି ହୁଏ !

 

ରମାର ଅନୁଭବ ହେଉଥାଏ, ୟେ ଯେମିତି ତା’ର ରୋଜିନା କାମ, ଭାବିବାକୁ ପଡ଼େନାହିଁ, ହାତ କାମ କରେ ।

 

ଖିଆପିଆ ସରିଲା । ଓଳିକର କାମ ଶେଷ ହେଲା । ଆସିଲା ଦ୍ୱିପ୍ରହର । ମାୟା ଦେବୀ ଶୋଇଲେ । କୋଡ଼ରେ ସୁର । ଏକୁଟିଆ ବସି ରହିଥିଲା ରମା ।

 

ସ୍ୱପ୍ନ ପରି ଲାଗୁଥାଏ, ସତେ କ’ଣ ଏ ତା’ର ଘର ? ଏଠି ସେ ରହିଥିବ ଜୀବନଯାକ ? ଏଠି ସତେକି ତା’ର ସ୍ୱତନ୍ତ୍ର ବ୍ୟକ୍ତିତ୍ୱନାହିଁ, ସେପରି ବ୍ୟକ୍ତିତ୍ୱକୁ କେହି ଚିହ୍ନନ୍ତିନାହିଁ ଯେ କେହି ତାକୁ ଶରଧା କରିବେ କି ତା’ ପ୍ରତି ବିରୋଧ କରିବେ, କେହି ଆଗ୍ରହୀ ନୁହନ୍ତି ତା’ ବିଷୟରେ କିଛି ଜାଣିବାକୁ କି ତା’ ପାଖକୁ ଆସି ଗପିବାକୁ, ସେମାନଙ୍କର ନିଜର ପରିସର ଭିତରେ ନିଜର ସମ୍ପର୍କ, ନିଜର କାମ, ଆଉ ସେ ଅଲୋଡ଼ା କାହୁଁ ଅଇଲା !

 

ଅଭିମାନରେ ମନ ଭିତର ଟଣକି ଉଠିଲା, ଆଖିରେ ପଲକ ପଡ଼ୁନାହିଁ ରମା ପଦାକୁ ଅନାଇଛି, କିଛି ଦେଖିପାରୁନାହିଁ, ଭାବନା ଲୋପ ହୋଇଯାଇ ଶୁଭୁଛି ମନ ଭିତରେ ଖାଲି ଘୁମୁରା କାନ୍ଦଣାର ଧ୍ୱନି ।

 

କେତେବେଳେ ସେହି ଧ୍ୱନିବି ହେଲା ତୁନି, ଧୀରେ ଧୀରେ ରହି ରହିକା ଶୁଭିଲା ସ୍ୱରହୀନ କ୍ଷୀଣ ମାର୍ମିକ ବାଣୀ, ଭିତର କଥା କହୁଛି ବାହାର ଉଦ୍ଦେଶ୍ୟରେ, କ’ଣ ଗୋଟାଏ ବୁଝାଇବାକୁ ଚେଷ୍ଟା କରୁଛି, ପାରୁନାହିଁ, ଚେଷ୍ଟା ଛାଡ଼ୁନାହିଁ । ରମା ଆଖି ବୁଜି ଦେଇ ନିଜ ଅନ୍ତରର କଥା ନିଜେ ବୁଝିବାକୁ ଚେଷ୍ଟା କଲା, ଭାବିଲା, ସେ ଧରିପାରୁଛି । ହଁ, ସେଇଆ ସେ ନିଜକୁ ବୁଝୋଉଛି,–ଯେ ବାହାରେ କିଛି ଅନ୍ତର୍ହିତ ହୋଇନାହିଁ, ଭିତରେହିଁ ଅଭାବ ପଡ଼ିଛି ବାହାରୁ ଗ୍ରହଣ କରିବା ଶକ୍ତି, ଗ୍ରହଣ କରିବା ଯନ୍ତ୍ର ଯାଇଛି ବିଗିଡ଼ି, ତା’ ମନରେ ଯୁକ୍ତିହିଁ ଅଛି, ହୃଦୟରେ ସ୍ନେହ କାହିଁ ? ପରଠୁଁ ସେ ଖୋଜୁଛି ସ୍ନେହ ଆଦର, କୁଆଡ଼େ ଗଲା ତା’ ନିଜ ଭିତରର ସେହି ସ୍ନେହ ଝଲ ଝଲ ଚୁମ୍ବକ ଯେ ପଦାରୁ ତା’ ଆକର୍ଷଣ କରେ ? ଅଶାନ୍ତ, ପୀଡ଼ିତ, ପରାହତ,–ଏହିପରି ସେ, କ୍ଳାନ୍ତିରେ ନଇଁପଡ଼ିଛି, ଆଲୁଅଆଡ଼କୁ ପିଠି ଡେରିଛି, ଅନ୍ଧାରଆଡ଼କୁ ମୁହଁ ।

 

ହସ ନ ଦେଲେ ହସ ମିଳେନାହିଁ, ହୃଦୟ ନ ଦେଲେ ମିଳେନାହିଁ ହୃଦୟ । ତେବେ କୁଆଡ଼େ ଗଲା ତା’ ଭିତରର ଐଶ୍ୱର୍ଯ୍ୟ ?

 

ଖାଲି ଭିକାରୁଣୀଟାଏ, କହେ ଦିଅ ମା’ ମୁଠିଏ, ଯାହାକୁ ଭିକମାଗେ ତା’ ଶିରୀ ଦେଖିଲେବି ଦେହରେ ଯାଏନାହିଁ, ପରର ଆନନ୍ଦ ଦେଖିଲେଭାବେ ନିଜ ଦୁଃଖ କଥା, ଆଉ ଅଧିକ କ’ଣ ସେ ?

 

ବୁଝୁଛି,, ପାରୁନାହିଁ, ଦୀର୍ଘଶ୍ୱାସ ପକାଇ ମରଣ ଭିତରୁ ଜୀବନ ଭିତରକୁ ଫୁଟି ବାହାରିବାକୁ ସେ ହାତଗୋଡ଼ ଛାଟୁଛି, ତା’ଠିଁ ସ୍ପନ୍ଦନର ଚିହ୍ନ ଖାଲି ଗୋଟାଏ ଚେତନା, ଗୋଟାଏ ଆକୁଳତା, ଶକ୍ତିନାହିଁ ।

 

ତା’ ମୁଣ୍ଡ ଘୁରେଇ ଦେଲା, ସେ ସେଇଠି ପଦାଆଡ଼କୁ ମୁଣ୍ଡ ରଖି କାନିପାରି ଗଡ଼ିପଡ଼ିଲା-। ଆଖି ବୁଜିଦେଲା । ଭାବିଥିଲା, ହୁଏତ ନିଦହିଁ ଦେବ ଶାନ୍ତି । ମୁଣ୍ଡ ଉପରେ ଦେହ ଉପରେ ଶୀତଳ ପବନର ଆଉଁସା ଅନୁଭବ କଲା । କାହିଁ ନିଦ ? କପାଳ ଉପରେ ଶିରଟାଏ ଟାଙ୍କି ହେଉଛି । ନାନାରୂପ ଧରି ଆଖିଆଗରେ ଠିଆ ହେଉଛି ଅଇଁଗୁଣିଆ ନିଃସହାୟତା । ତାକୁ ଛଟପଟ କରୁଛି ।

 

ନI, ଆଖି ବୁଜି ଶୋଇ ରହିଲେ ଶାନ୍ତିନାହିଁ ପରା । ସେ ପେଟେଇ ପଡ଼ି କହୁଣୀରେ ଭରା ଦେଇ ପାପୁଲି ଉପରେ ଗାଲ ଥୋଇ ପଦାକୁ ଅନାଇଁଲା, ଆଉ ଭାବିଲା । ଟାଣ ହୋଇ ଭାବିବାକୁ ଲାଗିଲା ଯେମିତି ଭାବି ଭାବି ସେ ସବୁ ସମସ୍ୟାର ସମାଧାନ କରିଦେବ । ନିଜ ପ୍ରତି ଉପରୋଧ କାଟି ଦେଇ ପୁଣି ଚାଲିଲା ତା’ର ଚିନ୍ତା ।

 

ଯେ ଭାବିଲା, ସେ ଦିନେ ଥିଲା, ତା’ପରେ ମରିଯାଇଛି । ଯେଉଁଠି ଜନ୍ମ ହୋଇଥିଲା ପୁଣି ସେଠିକି ଲେଉଟି ଆସିଛି ତା’ ଶବ, ସେହି ମାଟିରେ ସେ ପୋତା ହେବ । ତା’ରି ପିଠି ଉପରେ ଚାଲିଥିବ ଜୀବନର ସୁଅ, ସଂସାର ଖେଳୁଥିବ ଜୀବନର ଖେଳ, ସେ ଖାଲି ମାଟି ।

 

ଏଇ ଯେଉଁ ଦେହଟା ସେ ଦିନେ ହୋଇଥିଲା ଜୀବନର ଘର, ସେଠି ହୃଦୟ ଥିଲା, ରୁଚି ଅରୁଚି, ଥିଲା, ବିଚାର ଥିଲା, ସ୍ୱପ୍ନ ଥିଲା ।

 

ଆଉ ନାହିଁ ।

 

ଭିତର କାକର, ତାତିର ଧାସ ସେଠିନାହିଁ ।

 

ତା’ପରେ ମନେପଡ଼ିଲା, ଏକା ସେ ନୁହେଁ, ଏମିତି ତା’ ପରି କେତେ ଅଗଣିତ । ସେମାନେ ଜୀବନର ତାତିରେ କେବେ ଜୀଅନ୍ତା ଥିଲେ, ଚଞ୍ଚଳ ଥିଲେ, ତା’ପରେ ଶବ ହୋଇ ଖାଲି କଳମଣିଷ, ଖାଇବା ଆଞ୍ଚୋଇବା ପୁଣି ଖାଇବା, ଖାଲି ମୃତମୁଣ୍ଡକୁ ସାଇତି ରଖିବା ଉପାୟ । ଚାବିଦିଆ କଳଘଣ୍ଟା, ସେ ଜଣେନାହିଁ ସେ କାହିଁକି ଟିକ୍ ଟିକ୍ ହୁଏ, କାହିଁକି ତା’ର ଦୁଇକଣ୍ଟା ବୁଲେ । କେବେ କଳବି ଅଚଳ ହେବ, ଶବ ଟେକା ହେବ ଜୁଇ ଉପରକୁ । ଏଠି ଥିଲେ ସେହି ଦିନକୁ ଅପେକ୍ଷା କରିବାକୁ ପଡ଼ିବ, ଶଗଡ଼ ଚକର ଛାଇ ବୁଲିଲା ପରି ତାହାରି ଶବ ଉପରେ ପଡ଼ୁଥିବ କେତେ ଦିନ, କେତେ ରାତି ।

 

ବେକକୁ ସଳଖ କଲା, ଲାଗିଲା ଏବେବି ତା’ ଭିତର ଶୂନ୍ୟ ନୁହେଁ । ଆଖିଆଗରେ ଶବହିଁ କଳ୍ପନା କରି ସେ ନିଜକୁ ନିଜେ ବଳ ଦେଇ, “କିଏ ଡରୁଛି ? ମରଣ ତ ଜନ୍ମ ସଙ୍ଗେ ସଙ୍ଗେ ଆସେ, ଭିତରେ ବଢ଼ୁ ଯେଡ଼େ ବଡ଼ ହୋଇ ପୋଲ, ବାଉଁଶ ବଢ଼ିଯାଏ, ଉପରକୁ ଉପରକୁ ।”

 

ରମା ଭାବୁଥିଲା,–

 

ଆପଣାର ଯେ ସେ ହେବେ ପର, ଅଚିହ୍ନା, ଆଉ ତାଙ୍କ ଛାଇ ପଡ଼ିବନାହିଁ ମୁହଁ ଦିଶିବନାହିଁ, ସ୍ୱପ୍ନରେବି ଦିଶିବେନାହିଁ । ପର ହେଉଥିବେ ଆପଣାର, କିଏ କେତେ ଦିନପାଇଁ । ଚିହ୍ନାର ଜଣାର ଯେ, ସେ ବାରମ୍ବାର ବଦଳି ବଦଳି ଘେନୁଥିବେ କେତେ ନୂଆ ରୂପ । ଲୋକଙ୍କ ସଙ୍ଗେ ସମ୍ପର୍କ ବଦଳୁଥିବ ।

 

ସବୁ ଏଇ ଜୀବନରେ ।

 

ସତେ ଯେମିତି ଏକାଜନ୍ମ ଭିତରେ ଏକାମଣିଷର ନାନାପୁନର୍ଜନ୍ମ । ତା’ପରେ ଦିନେ,–ସେ ବି ସରିବ । ସେଉଠୁ କ’ଣ ହେବ ଜଣାନାହିଁ ।

 

ସେମିତି ଗୋଟିଏ ଗୋଟିଏ ହୋଇ କେତେ ସମ୍ପର୍କ ତା’ର ତୁଟି ଯାଇଛି, ଆଉ ସେ ଲେଉଟି ଆସିଛି ତା’ର ଜନମ ଡିହକୁ ।

 

କାହିଁ ଅବା ସେହି ଡିହ ? ସେ କ’ଣ ଥିଲା ଖାଲି ଗୋଟାଏ ସ୍ଥାନ ମାତ୍ର ?

 

ନା ।

 

ଯାହା ପାଖରେ ହେଉ, ବୋଧହୁଏ କୌଣସି ବସ୍ତୁକୁ ତାତ୍ପର୍ଯ୍ୟ କି ଅର୍ଥ ଦିଏ ତା’ ବିଷୟରେ ତା’ ନିଜର ସ୍ୱପ୍ନ,–ସେଇଥିପାଇଁ ତ କହନ୍ତି କାହା ଆଖିରେ ପଥର ତ କାହା ଆଖିରେ ଠାକୁର । ଆଉ ଏ ଡିହକୁ ଅର୍ଥ ଦେଲାଭଳି ତା’ ନିଜର ସ୍ୱପ୍ନ ଉଁ’ ଉଁ ନାହିଁ, ମନ ଏଠୁ ଉଡ଼ୁ ଉଡ଼ୁ ।

 

ଜଗୁ, ରଘୁ, ତିଳ,–ଏ ସଂସାର ବୋଉ ଆଦରିଛି । ବୋଉ ପଛେ ପଛେ ଅଛି ସାଧୁ ଭାଇ-। ନା, ସାଧୁ ଭାଇ ପଛରେ, ସମସ୍ତିଙ୍କ ପଛରେ ଆଗରେ ଭିତରେ ବାହାରେ ଚାରିଆଡ଼େ ଅଛି ଆଉ କେହି, ସେ ଅଜଣା, କିନ୍ତୁ ତାହାରି କଥା ରହେ, ଯାହାପାଇଁ ତା’ର ଯେଉଁ ବରାଦ ତାହାହିଁ ଘଟେ ।

 

ରମା ଅନୁଭବ କଲା, ସେ ପୁଣି ଚାଳ, ଚୁଲି, ଭାତ, ଲୁଗା, କଥା ଭାବୁଛି କେତେବେଳୁ । ନିଜପାଇଁ ଆଉ ସୁରପାଇଁ । ସତେତ, ଚାକିରି କରିଥିଲା, ମିଳୁଥିଲା । ଏଠି ଅଛି ବୁଢ଼ୀ ବୋଉ ଆଶ୍ରାରେ, ମିଳୁଛି । ଭାବିଲା ଭାତ, ଲୁଗା ଆଉ ଚାଳତଳ ପାଇବାପାଇଁ ଯେଉଁ ମଣିଷକୁ ଖଟିବାକୁ ପଡ଼େ, ଖାଲି ସେତିକିରେ ସରେନାହିଁ, ସେତିକିପାଇଁ ଯେଉଁ ଅବସ୍ଥା ସେ ଆଦରି ନିଏ ସେଥିରେ କେଡ଼େ ସୀମିତ ହୋଇଯାଏ ତା’ର ମାନଇଚ୍ଛା କାମ କରିବାର ପରିସର ! କାହିଁ ସଂସାରରେ ସେପରି ଜୀବିକା-ମାର୍ଗ, ଯେଉଁଥିରେ ଏଭଳି ସର୍ତ୍ତନାହିଁ ଯେ ମଣିଷ ସ୍ୱାଧୀନଭାବେ ଖଟିବା ଖାଇବା ପରିବର୍ତ୍ତେ ଖଟୁଥିବ ଆଉ ଚଳୁଥିବ କେତେ ଅଂଶରେ ପରର ମନ ଜଗି, ନିର୍ଦ୍ଦେଶ ମାନି ?

 

ସେଇଆ କରୁ କରୁ ସେ ବି ପଡ଼ିଯିବ ଯେ କୌଣସି ହେଲେ ଗୋରୁଗୋଠର ମଡ଼ା ବାଟରେ, ଦଳ ପଛେ ପଛେ ସେ ବି ଜଣେ, ଆଉ ମନ ଭିତରେ ଯେତେ ଯାହା ନୂଆ କାମ କରିବାର ଧାରଣା ଆଉ କଳ୍ପନା ଥିଲା, ସେମିତି ରହି ରହି କ୍ରମେ ସେ ଭୁଲି ହୋଇଯିବ, ନ ହେଲେ ସେ ଧାରଣାବି ଲାଗିବ ଭୁଲ ବୋଲି, ଅସମ୍ଭବ କି ଅବାସ୍ତବ ବୋଲି, ସେ ଯିବ ।

 

ତା’ର ନିଶ୍ୱାସ ବନ୍ଦ ହୋଇ ଆସିଲା, ଛଟପଟ ହୋଇ ସେ ଉଠିବସିଲା । ଶୂନ୍‍ଶାନ୍ ରାତି-। ଅନ୍ଧାର । ଜଳ ଜଳ ମିଟି ମିଟି ତାରା । ପିଣ୍ଡାରେ ଏକୁଟିଆ ସେ । ତଳକୁ ଓହ୍ଲେଇ ପଡ଼ିଲା । ତା’ ମନ ଭିତର ବାଚାଳ ହୋଇ ଉଠିଛି, ସେ ଆସ୍ତେ ଆସ୍ତେ ଏକରସେକର ଟହଲୁଛି । ସତେ ଯେମିତି ଯୁଗେ ଯୁଗେ ଅଙ୍ଗେ ନିଭେଇଥିବା ଅନୁଭୂତିରୁ ଉପୁଜିଥିବା ଜ୍ଞାନ ବିସ୍ମୃତିର ଅନ୍ଧାର ଭିତରେ ନକ୍ଷତ୍ରମାନଙ୍କ ପରି ଝଟକି ଉଠି ତାକୁ ନିର୍ଦ୍ଦେଶ ଦେଉଛି, ତା’ରି ମନ ଭିତରେ ବକ୍ତା ଆଉ ଶ୍ରୋତା ଉଭୟେ ।

 

ଏଇ ଚାଳତଳର ନିରାପତ୍ତା,–ବାରମ୍ବାର ଜନ୍ମ ହୋଇ କାମନା କରିଛି ମଣିଷ, ଚାଳ ଉଡ଼ିଯାଇଛି, ଜଳି ଯାଇଛି, ପଥର ଘର ଫଡ଼ା ଫଡ଼ା ହୋଇ ଫାଟି ଭାଙ୍ଗିପଡ଼ିଛି, କେତେଠିଁ ସେ ! କାହିଁ ତା’ର ସତ୍ତା !

 

ଏଇ ଭାତ ...ଠିକ୍, ଏଇ ଲୁଗା ଖଣ୍ଡିକ, ଏକ ଦେହ,–ଏମାନଙ୍କୁବି ବାରମ୍ବାର କାମନା କରିଛି ସେ, ହାତରେ ଧରିଥିବା ଭାତଗୁଣ୍ଡା କେବେ ଅଙ୍ଗାର ହୋଇଛି, ଲୁଗା ଚିରିଯାଇଛି, ଏ ଦେହ ହୋଇଛି ଜରା କି ବ୍ୟାଧି କି ଆଘାତରେ ଖିନ୍ନ ଭିନ୍ନ, ଏ ସୁନା ପିଞ୍ଜରାରୁ ବାରମ୍ବାର ଶାରୀ ଉଡ଼ିଯାଇଛି ।

 

ଏଇ ସନ୍ତାନ, ତାକୁବି ସେ ଜୀବନଠୁଁ ବଳି ବାରମ୍ଵାର କାମନା କରିଛି, କେତେଥର ତା’ କୋଳରେ ମରିଛି ସେ, କେତେଥର ପାଇଛି ଏପରି ଦଶା ଯାହା ମରଣଠୁଁ ବଳି, ରାକ୍ଷସ ହୋଇଛି । ତା’ବି ସେ ରୋଧି ପାରିବନାହିଁ ।

 

ସତରେ ଯଦି ଇନ୍ଦ୍ରିୟ ଅଗୋଚରରେ ଅଛନ୍ତି ଜଣେ କର୍ତ୍ତା ବୋଲି ସେ ବିଶ୍ୱାସ କରେ, ସ୍ୱୀକାର କରେ, ସେହି ଭିଆଏ ସେହି ବଢ଼ାଏ ସେହି ଧ୍ୱଂସ କରେ, ବିଶ୍ୱାସ କରେ–କୁରୁକ୍ଷେତ୍ର ଯୁଦ୍ଧରେ ଖାଲି ଶଙ୍ଖଟିଏ ବାଜୁଥାଏ ଚକ୍ରଟିଏ ଛେଦୁଥାଏ, ସେଇଥିରେ ଟଳି ପଡ଼ନ୍ତି ଅକ୍ଷୌଣୀ ଅକ୍ଷୌଣୀ ସେନା, ସେହି ଦିଏ ପିମ୍ପୁଡ଼ି ମୁହଁରେ ଆଧାର, ପୁଣି ହାତୀ ମୁହଁରେ, ତେବେ ନିଜର ଓ ନିଜ ସନ୍ତାନର ଭରଣପୋଷଣ ଚିନ୍ତାର ଦାୟିତ୍ୱ ସେ କାହିଁକି ମୁଣ୍ଡକୁ ନେଇ ନିଜକୁ ବନ୍ଦୀ ଘରେ ପୂରାଇ ରଖିଥିବା ନିରାପତ୍ତା ପାଇଁ ? କି ଭୟ କି ପ୍ରଲୋଭନ ତାକୁ ବାନ୍ଧି ରଖିପାରିବ ?

 

ଦୁନିଆଁ ଶୋଇ ରହିଛି ।

 

ଚେଇଁଥିଲାବେଳେବି ଦୁନିଆଁ ଶୋଇଛି, ସେ ଭୟରେ ଅଚେତ । ତା’ଠିଁ ମରଣର ଭୟ, ବ୍ୟାଧିର, ଅଭାବର, କ୍ଷତିର । ସେ ଗୁରେଇ ହୋଇ ପଡ଼ିରହିଛି ସ୍ୱାର୍ଥ ଓ ଲୋଭର ଜାଲରେ । ସେହି ନିଦରୁ କେବେ କଦବା ଚେଇଁ ଉଠନ୍ତି ଜଣେ, ଜଗତଯାକଙ୍କୁ ଡାକପକାନ୍ତି ।

 

ସେମିତି ରାତିରେ ଥରେ ଚେଇଁ ଉଠିଥିଲେ ବୁଦ୍ଧଦେବ । କେତେଜଣ ଗଲା, ତା’ ସଙ୍ଗେ ସଙ୍ଗେ ଗଲା ଭୟ, ମାୟା, ନିଜପାଇଁ ଭାବିବାର ଚିନ୍ତା କେତେ କ’ଣ ଆସିଲା, ତା’ ସହିତ ମୁକ୍ତି, ତାଙ୍କ ଡାକ ଶୁଣି କେତେ ଲୋକ ଉଠିଲେ, ତା’ପରେ ଦୁନିଆଁ ତାଙ୍କୁ ଆଡ଼େଇ ରଖି ପୂଜା କଲା ଦେବତା ବୋଲି ।

 

ସବୁ ତ ଜଣାଶୁଣା କଥା, ଈଶ୍ୱର ଅଛନ୍ତି, ତା’ବି ।

 

ଆଖି ଥାଇ ଦେଖୁନାହିଁ, ମନ ଥାଇ ବୁଝୁନାହିଁ ।

 

ସଂସାର ଦୁଃଖରେ ଦୁଲୁକୁଛି ।

 

ସେ ଚେଇଁ ଉଠିଛି । ଯିବ ।

 

ଶାନ୍ତ ହୋଇ ଯାଇ ଶୋଇପଡ଼ିଲା ।

 

ରମା ଯେତେବେଳେ ସକାଳୁ କାମସାରି ତା’ ବୋଉକୁ ଡାକି ନେଇ କହିଲା ସେ ପୁଣି ଯିବ, ମାୟା ଦେବୀ କାବା ହୋଇ ତା’ ମୁହଁକୁ ଚାହିଁ ରହିଲେ, ଦେଖିଲେ, ସେ ମୁହଁ କେମିତି ଆଉ ପ୍ରକାରେ । ତାଙ୍କ ମୁଣ୍ଡ ବୁଲେଇ ଦେଲା, କାନ୍ଥରେ ହାତ ଭରା ଦେଇ ସେ ତଥାପି ତାଙ୍କ ଝିଅ ମୁହଁକୁ ଅନାଇଁ ରହିଲେ, ସେଠି ମମତାନାହିଁ କି ବିଚାରନାହିଁ, ଉତ୍ସାହନାହିଁ କି ଉଦ୍‍ବେଗନାହିଁ, ଆଉ କିଛି ଅଜଣା ମୋହର ଆକର୍ଷଣବି ନାହିଁ, ଖାଲି ଯେମିତି ବାଟର ବାଟୋଇଟିଏ, ମନ ହେବାରୁ କାହା ଓଳିତଳେ ଛାଇରେ ଟିକିଏ ବସିଥିଲା, ଉଠିପଡ଼ି କହୁଛି “ଯାଉଛି ।”

 

ସେମିତି ଅନେଇଁ ରହିଥିଲାବେଳେ ତାଙ୍କୁ ଲାଗିଲା, ଆଜି ନୁହେଁ, କେବଠୁଁ ସେ ଝିଅ ଗଲାଣି ଚାଲି, ଆଗରେ ଠିଆହୋଇଛି ଗୋଟିଏ ରୂପ, କିଏ ଆଣି ଠିଆ କରିଦେଇଛି, ସେ ତ ଆଉ ଏଠିନାହିଁ !

 

ଧୀରେ ଧୀରେ ଘୁଞ୍ଚିଯାଇ ମାୟା ଦେବୀ ବସିପଡ଼ିଲେ, ମୁହଁକୁ ତଳକୁ ପୋତିଲେ । ସେହି ମାଟି ଘରର ଚଟାଣରେ ସେ ଦେଖୁଛନ୍ତି ଚଳନ୍ତା ଦୃଶ୍ୟ । କାଲିପରି ଲାଗୁଛି, କେଡ଼େ ବକଟେ ପିଲା ହୋଇ ରମା ଜନ୍ମ ହୋଇଥିଲା । ତା’ପରେ ହେଇ ତା’ର ପିଲାଦିନର ଖେଳ କଉତୁକ, ସବୁଦିନେ କୁହାର ବୋଲର, ଶାନ୍ତ, କ୍ଵଚିତ୍ ଅଝଟ ହୁଏ । ତା’ପରେ ହେଇ ସେଦିନ, ସେ ବିଭା ହୋଇଗଲା । ସେଇଠି ସେ ଅଟକିଗଲେ, ମୁହଁକୁ ଉପରକୁ ଟେକି ରମା ମୁହଁକୁ ଅନାଇଁଲେ, ପୁଣି ଚଞ୍ଚଳ ମୁହଁ ବୁଲେଇନେଲେ ।

 

ଭାବିଲେ–ହଁ, ରମା ବିଧବା ହେଲା, ବାଡ଼ୁଅ ରହିଥିଲେ ସେତିକି ବୟସରେ ତା’ର ବିଭାଘର ହେଉଥା’ନ୍ତା, ତା’ ମୁଣ୍ଡରୁ ସିନ୍ଦୂର ନିଭିଲା । ସେଇଥିପାଇଁ ତ ତା’ ମନ ଏମିତି ହୋଇଯାଇଛି !

 

ଶାଶୁଘର ଥାଇବି ନଥିଲା ପରି ।

 

କେଇଟା ଦିନର ଘରକରଣା, କୁଆଡ଼େ ସେ ଉଭେଇ ଗଲା !

 

ଉଡ଼ିଗଲା ଗେଣ୍ଡାଳିଆର ଝଡ଼ିପଡ଼ିଥିବା ପକ୍ଷୀଟାଏ, ସେଇ ତା’ର ପୁଅ ।

 

ଆୟୁଷ ଅଛି, ବୟସ ଆସୁଛି । ଜୀବନଟାଯାକ ପଡ଼ିଛି ।

 

ଆଉ କି ସୁଖ କି ଶାନ୍ତି !

 

ସେଇ ଘୃଣା ଭିତରେ ଭିତରେ ଖାଇଯାଉଥିବ ତା’ ମନକୁ । ସେ ନିଜକୁ ଭୁଲେଇ ରଖିପାରିଲା ସେ ପାରିଲା, ଯେ ନ ପାରିଲା ତ ନାହିଁ ।

 

ମନେପଡ଼ିଯାଉଛି କେତେ ବିଘଟନ, କାହାକୁ ରୋଗ ଧରେ, କାହା ମୁଣ୍ଡ ବିଗିଡ଼େ, କିଏ ଥାଏ ଥାଏ ହଠାତ୍ କ’ଣ ଗୋଟାଏ କରିଦିଏ, କ’ଣ କୁତ୍ସିତ, ଭୟାନକ, ରମା ସେମିତି କିଛି କରିନାହିଁ । ଲାଗୁଥିଲା ସେ ତା’ ମନକୁ ଭୁଲେଇପାରିଛି, ଯେମିତି ଥିଲା ସେମିତି, ବରଂ ବୁଦ୍ଧିରେ ଶିକ୍ଷାରେ ଆଗଠୁଁ ଆହୁରି ବଢ଼ିଛି । ମାୟା ଦେବୀ ନିଶ୍ଚିନ୍ତ ଥିଲେ, ବୈଧବ୍ୟର ଦୁଃଖ ସେ ହଜମ କରିପାରିଛି, ନିଜର ଅନିଷ୍ଟ କଲାଭଳି କିଛି ସେ କରିନାହିଁ । ତାଙ୍କର ସେ ସୁସ୍ଥି ସେ ବିଶ୍ୱାସ ଓଲଟି ପଡ଼ିଛି ।

 

ଲମ୍ବା ନିଶ୍ୱାସ ଛାଡ଼ି ସେ ପୁଣି ସତେ ଯେମିତି ସମସ୍ୟାର ମୁହାଁମୁଁହିଁ ହେଲେ, ତୁଣ୍ଡରୁ ବାହାରି ପଡ଼ିଲା “ଜନ୍ମ ଦେଇଚି ବୋଲି ତ କର୍ମ ଦେଇନାହିଁ ମା” !

 

ରମା କଥାଟାକୁ ଧରିଲା, କହିଲା “ସେକଥା କାହିଁକି ଉଠିଲା ବୋଉ ?” ତାଙ୍କ କଥାର ଯେପରିକି ଅର୍ଥନାହିଁ, ସେ କଥା ତା’ଠିଁ ଭେଦିଲାନାହିଁ, ପ୍ରତିଧ୍ୱନି କରି ଲେଉଟି ଆସିଲା ।

 

ମାୟା ଦେବୀ କହିଲେ “ନାହିଁ, ଏମିତି କହିଲି । ପୁଣି ତୁ ଯିବୁ ଶୁଣି ହଂସା ଉଡ଼ିଯାଉଚି । ବାୟାଣୀ ପରି କୁଆଡ଼େ ଆଉ ବୁଲୁଥିବୁ ? ଚାକିରିତ କରିବୁ ନାଇଁ କହୁଚୁ, କାହିଁକି ବା କରନ୍ତୁ ? ଆଉ କୁଆଡ଼େ କି କାମ ?”

 

ରମା କହିଲା “ଘରେ ବସି ଭଲଲାଗୁନାଇଁ ବୋଉ, କାମ ତ ପଡ଼ିଛି ଦୁନିଆଁସାରା, ଯେଉଁଠି ହେଲେ କାମ ମିଳିଯିବ । ମୁଁ ତ କାମରୁ ଧନ ସମ୍ପତ୍ତି ଖୋଜୁନାହିଁ, ଖାଲି ଚଳିବାମାନିଆଁ ବ୍ୟବସ୍ଥା, ଅସୁବିଧା ହେବନାହିଁ । ଏତିକି ଦରକାର, କାମ ମତେ ରୁଚିବ । ସେ ବି ସେଡ଼େ କଥା ନୁହେଁ, ଦୁଃଖୀରଙ୍କୀ ମୂଲିଆ ମୂରୁଖ ହତଭାଗା କେଇଜଣ ଥିବେ, ତାଙ୍କ ପିଲାଙ୍କୁ ମଣିଷ କଲେ ତାଙ୍କର କିଛି ଉପକାରରେ ଆସିଲେ ସେଭଳି କାମ ମତେ ଶାନ୍ତି ଦେବ ବୋଧହୁଏ ।”

 

ମାୟା ଦେବୀ କହିଲେ “ସେ ସବୁ କାମପାଇଁ ଭିନେ ଲୋକ ଅଛନ୍ତି, ତୋପାଇଁ ସେସବୁ ନୁହେଁ, ଛୁଆବାଲୀଟିଏ, ତୋ କାମ ଏଠି ରହି ଛୁଆକୁ ପାଳି ମଣିଷ କରିବା ।”

 

ରମା ଆଶ୍ଚର୍ଯ୍ୟ ହେଲା ଯେ ତା’ ବୋଉ ରାଗୁନାହିଁ, ଗାଳି ଦେଉନାହିଁ ଛଳ କରୁନାହିଁ । କେମିତି ନିର୍ଜୀବା ଉଦାସୀ ତା’ ସ୍ୱର, ଅଥଚ ମର୍ମସ୍ପର୍ଶୀ । ରମା କହିଲା, “ଯୋଉ ଛୁଆ ତ, ତା’ପାଇଁ ପୁଣି ଚିନ୍ତା ! ତାକୁ କାନିରେ ବାନ୍ଧି କାମ କରିହେବ । ଯେ ତାକୁ ଜନ୍ମ ଦେଇଚି ସେଇ ଭଗବାନ୍ ବଳେ ତା’ କଥା ବୁଝିବ ନ ହେଲେ ନ ବୁଝିବ, ମୋର କି ଯାଏ ?”

 

ମାୟା ଦେବୀ କହିଲେ “ଦୁଃଖୀରଙ୍କୀ ଗାଁରେ ତ ଭର୍ତ୍ତି, ତାଙ୍କୁ ଖୋଜିବାକୁ ପଦାକୁ ଯିବା ଦରକାର କ’ଣ ?”

 

ରମା କହିଲା “ଗାଁଟା ଯେମିତି ମୋ ଉପରେ ଗୋଟାଏ ଢାଙ୍କୁଣୀ ହୋଇ ସବୁବେଳେ ଉଗୁଡ଼େଇ ହୋଇଛି ସେମିତି ଲାଗେ, ନିଜ ଗାଁରେ ଥିବାଯାକେ ମଣିଷ ଆଗେ ଯାହା ଥିଲା ସେଇଆ, ଆଉ ନୂଆ କିଛି କରି ହେବନାହିଁ ।”

 

ମାୟା ଦେବୀ କହିଲେ, “ତୁ ସାତ ପର ଦୁଃଖୀରଙ୍କୀଙ୍କ ହିତ କରିବୁ ବୋଲି ଜୀବନକୁ ପାଣି ଛଡ଼େଇ ଦେଇ ବାହାରି ପଡ଼ୁଚୁ, ତୋ ବୋଉ, ତୋ ଭାଇଭଉଣୀ, ଏମାନେ କ’ଣ ତୋ ଆଖିରେ କେହି ନୁହନ୍ତି ? ସାତ ପରଙ୍କଠୁଁବି ଆହୁରି ପର ?”

 

ରମା କହିଲା “ଏଠି ରହି ତମର କି ଉପକାରରେ ଲାଗିପାରିବି ବୋଉ ? ମୁଁ ନଥିଲି କ’ଣ ଅଭାବ ପଡ଼ି ଯାଇଥିଲା ମୁଁ ଆସିଲି କ’ଣ ଘର ପୂରିଲା ? ମୁଁ ତ ଆଉ କେଉଁ ଗ୍ରହକୁ ଚାଲିଯାଉନାହିଁ କି ଆଉ କେଉଁ ଦେଶକୁବି ନୁହେଁ । ମୁଁ କ’ଣ ଆସୁ ନଥିବି ?”

 

ମାୟା ଦେବୀ ମୁଣ୍ଡକୁ ଝାଙ୍କି ଝାଙ୍କି ହଲେଇ ହଲେଇ କହିଲେ “ହଁ, ଆସିବୁ, ବୋଉ ମଲା ଖବର ଶୁଣି ସମସ୍ତିଙ୍କି ସଖୋଳିବାକୁ ଆସିବୁ ମା’ ।”

 

ରମା ତା’ ବୋଉକୁ କୁଣ୍ଢେଇପକାଇ ଲୁହ ଟଳଟଳ ଆଖିରେ ତା’ ମୁହଁକୁ ଅନାଇଁଲା । ତା’ ପାଟି ଥରିଲା । କହିଲା “ତୁ ଏମିତି କହି ମତେ ବାନ୍ଧି ପକାଇଲେ ମୁଁ ଆଉ କୁଆଡ଼େ ଯିବିନାଇଁ ବୋଉ, ତୋରି କତିରେ ଥିବି । ତେବେ, ମୁଁ ଭୁଲିଯିବି ମୋ ଭିତରେ ଜୀବନ ଅଛି, ନିଜ ମନନାଖି କିଛି ଭଲ କାମ କରିବାକୁ ଶକ୍ତି ସାମର୍ଥ୍ୟ ଅଛି, ଜାଣିବି ମୁଁ ଖାଲି ଶୁଖିଲା ଖୋଳପାଟାଏ, ବିଧାତା ରଖିଛି ବୋଲି ଅଛି, ପ୍ରାଣପଣେ ଡାକୁଥିବି ୟେ ବୋଝ ଖଲାସ କର, ଖାଲି ଗୋଟାଏ ଛାଇ ପରି ସଂସାରରେ ରହିବାକୁ ପ୍ରାଣ ଡାକୁନାଇଁ । ଯଦି କହିବୁ ସତରେ ମୁଁ ଏଠି ପଡ଼ିଥିବି ବୋଉ ।”

 

ତା’ ସ୍ୱରରେ ଖେଳୁଥିଲା ଅକୁହା ନିରାଶାର ରାଗିଣୀ । କଥାରେ ନୁହେଁ, ଯାହା କୁହା ହେଲାନାହିଁ ତାହାରି ଭିତରେ କ୍ଷଣକେ ମା’ ଝିଅଙ୍କ ଭିତରେ ଯେମିତିକି କ’ଣ ବୁଝାଶୁଝା ହୋଇଗଲା-। ମାୟା ଦେବୀ କହିଲେ,–” ସେକଥା ତ ମୁଁ କହିନାହିଁ ଝିଅ, ତୁ କିଏ ଆଉ ମୁଁ କିଏ ? ମୋରି ଦେହର ପ୍ରାଣର ଖଣ୍ଡେ ତ ତୁ । ତୁ କାଇଁ ଭାବୁଚୁ ମୁଁ ତତେ ଜୋର୍ କରି ବାନ୍ଧି ରଖିବି ? ତୋର ଯେଉଁଥିରେ ଶାନ୍ତି ମୋର ସେଇଥିରେ ଶାନ୍ତି । ୟେ ଦୁନିଆଁକୁ ଅନା, ଯାହା ଭଲ ଭାବୁଚୁ ତା’ କର । ସେଇଠୁ, ତୁ ଯଦି ତୋ ମନକୁ ନ ବୁଝେଇ ପାରିବୁ ଯାହା ଉଚିତ ଭାବିବୁ ତା’ ତୁ କରିବୁ, ତେଣିକି ମୁଁ ଓଲଟି ମୋ ମନକୁ ବୁଝେଇବି । ସେଇଆତ ଏତେଦିନଯାକ କରୁଚି, ଭାବିଲି ମୁଁ ଅଣ୍ଟା ନ ଭିଡ଼ିଲେ ଏଗୁଡ଼ାଙ୍କୁ ପୋଷିବ ପଚାରିବ କିଏ ? ନ ହେଲେ ଚିରସୁଖୀ ଯେ ସେ ମନ ଖୁସିରେ ଦିନ କଟେଇ ଚିତାକାଟି ଦେଇଛୁ’ କଲେ, ଘୋଷାରି ହେବାକୁ ପଡ଼ି ରହିଲି ମୁଁ !”

 

ଘରେ ଆଉ ଯେଉଁ କେଇଦିନ ଥିଲା ରମା ବେଳେବେଳେ ବିସ୍ମୟରେ ଭାବୁଥିଲା ତା’ ବୋଉ କଥା, ସେ ଦେଖିଛି ତାଙ୍କଠିଁ ଗୋଟିଏ ନୂଆ ରୂପ, ଆଶ୍ଚର୍ଯ୍ୟ ପ୍ରକାରେ ନିର୍ଲିପ୍ତ, ଉଦାର, ନିଧଡ଼କ । ଅଥଚ ସବୁ କାମ କରୁଛନ୍ତି, ବାଉଳାନାହିଁ, ହେଳାନାହିଁ, ବ୍ୟବସାୟ ଚାଲିଛି, ଖାଲି କୁଳମଣି ଉପରେ ନିର୍ଭର କରି ବସିଛନ୍ତି ତା’ବି ନୁହେଁ, ନିଜେ ବୁଝନ୍ତି, ବରଗନ୍ତି, ହିସାବ ଦେଖନ୍ତି, ନଷ୍ଟ ତ୍ରୁଟି ଅପବ୍ୟସ୍ତ ପ୍ରତି ସବୁବେଳେ ସତର୍କ, ହାରିଯିବା କି ଥକିଯିବାର ଚିହ୍ନବର୍ଣ୍ଣବି ନାହିଁ । ତାହାରି ଭିତରେ ଥାଇ ସେ ଆର ରୂପବି ଦିଶେ, ଏ ନିତିଦିନିଆ ଜୀବନ ଯେମିତିକି ପରର ଦାୟିତ୍ୱ ତୁଲେଇଲା ଭଳି, ନିଜେ ସେ ଏଥିରୁ ଅଲଗା, ୟାର ହାନିଲାଭରେ ସେ ନାହାନ୍ତି, ଆଉ କେଉଁଠି ତାଙ୍କ ନିଜ ଠା, ସେଠି ସେ ସ୍ଥିର । ସୁଖଦୁଃଖର ଚେତନା ତାଙ୍କୁ ଦୋହଲାଏନାହିଁ, ଯାହା ଆସୁ ସେ ସତେକି ପଥର ।

 

“କେମିତି ୟା ସାଧିଲା ବୋଉ ?” ରମା ଭାବେ, “ଶାସ୍ତ୍ର ପଢ଼ିବାର କେବେ ଜଣାନାହିଁ, ପୂଜା ଉଝାର ବାହୁଲ୍ୟନାହିଁ, ବିଦେଶ ଦେଖିନାହିଁ, କାଳକ ଗଲା ଏଇ ଡିହରେ ।”

 

ତା’ ବୋଉ ପ୍ରତି ତା’ର ସମ୍ଭ୍ରମ ହୁଏ, କିନ୍ତୁ ତା’ ବୋଉ ପରି ନିଜକୁ ଗଢ଼ିବ ବୋଲି ସେ ଭାବିପାରେନାହିଁ । “ବୋଉ ବୋଉ, ମୁଁ ମୁଁ, ଆମ ଗଢ଼ଣ ଭିନେ”, ସେ ଭାବେ, ନିଜକୁ ଦୋଷ ଦିଏନାହିଁ ।

 

ମାୟା ଦେବୀ ଆଉ ସେ କଥା ଉଠାନ୍ତିନାହିଁ, ଖାଲି ତାକୁ ତୁନିତାନି ହୋଇ ନିଘା କରନ୍ତି-। ଦିନେ କହୁ କହୁ କହିଲେ, “ସାଧାରଣ ଝିଅ ବୋହୂଙ୍କ ପରି ଗପିବା ଆଉ ଶୋଇବା ତତେ ରୁଚେ ନାଇଁ, ତିନିଦିନର ଦେହଘଷରା ଘରକାମକୁ ତୁ ହଟୁନାହିଁ ସିନା, ଖାଲି ସେତିକିରେ ତୋ ମନ ମାନୁନାହିଁ । ମୁଁ କହୁଥିଲି, ତୋ ମନକୁ ଭୁଲେଇବା ପାଇଁ ଗାଁରେ ଯଦି ଗୋଟିଏ ଚାହାଳି ପରି କରନ୍ତୁ, କି ଝିଅ ବୋହୂମାନଙ୍କୁ ଭେଳାଇ ଗାଁ ଲୋକଙ୍କର କାମରେ ଲାଗିଲା ଭଳି ଆଉ କିଛି କାମ କରନ୍ତୁ, କରାନ୍ତୁ, ତତେବି ଖୁସି ଲାଗନ୍ତା ।”

 

ରମା ଟିକିଏ ବେଳ ତୁନି ହୋଇ ରହିଲା । ତା’ ବୋଉ ବିଷୟରେ ତା’ର ଧାରଣା ଟିକିଏ କେମିତି ଦବି ଗଲା, ଭାବିଲା, କ’ଣ ୟେ ବିଚାରୁଚି ? ସବୁ ଦିନେ ମୁଁ ପିଲା ଥିବି ଆଉ ନିଜକୁ ଭୁଲେଇବା ପାଇଁ ଖେଳଣା ଘେନି ଖେଳୁଥିବି !

 

ବୋଉ କ’ଣ ବୁଝେନାଇଁ ଯେ ଦେହ ବେମାରିକୁ ବାହାରର ଔଷଧ କାଟେ, ମନ-ବେମାରକୁ ନୁହେଁ !

 

ମୁର୍ଦ୍ଦାରିଆ ହସ ହସି କହିଲା, “ମନ ଓଟରାଟା ଯମ-ଓଟରା ପରି ବୋଉ, କତରା ଘୋରି ହୋଇ ଶୋଇଲେ ସେ ଓଟରାରୁ ରକ୍ଷା ମିଳେନାଇଁ । କେଉଁ ଗୋଟାଏ କାମରେ ମନ ଭୁଲେଇବାକୁ ଚେଷ୍ଟା କରିବା ଯାହା ନିଜ ପାଖରେ ନିଜେ ପେଖେନା କରିବା ସେଇଆ, ସେଥିରେ ଲାଭ ?”

 

ମାୟା ଦେବୀ କହିଲେ, “ମନ କ’ଣ ଖାଲି ଜଣକର ?”

 

“ନା, ସେକଥା ମୁଁ କହୁ ନାଇଁ, ସମସ୍ତିଙ୍କର ମନ ଅଛି ଆଉ ସେ ମନ ଅଲଗା ଅଲଗା ଜିନିଷ, ଏକା ନୁହେଁ ।”

 

“ଚାହାଳି କରିବା କ’ଣ ଭଲ କାମ ନୁହେଁ ? କେତେ ଗରିବ ଗୁରୁବାଙ୍କ ପିଲାଏ ମଣିଷ ହେବେ, ବାଳୁଙ୍ଗା ହୋଇ ଡେଉଁଛନ୍ତି । ଗାଁ’ଝିଅ ବୋହୂ ପର ଚର୍ଚ୍ଚା କରୁଛନ୍ତି, ଆଗେ କେହି କେହି ହେଲେ ପୁରାଣ ପଢ଼ୁଥିଲେ, ତା’ବି ଆଉ ନାଇଁ । ଯେ ତେମେ ଦଶ ଆଡ଼ ଦେଖିଲ ନାନାଭଲ କଥା ଶିଖିଲ, ତାକୁ ତାଙ୍କୁ ବତାନ୍ତ, କେଡ଼େ ଉପକାର ହୁଅନ୍ତା, ଲୋକେ ଧନ୍ୟ ଧନ୍ୟ କହନ୍ତେ । ସବୁ ଭଲ କାମ ଆପଣା ଘରେ ରହି କରିହେବ, ସେଇ ଯେଉଁ ମନ କଥା କହିଲୁ ନା ମା; ଅସଲ ତା’ରି ଦୟା,

 

ଏହି ମନ ଯେବେ ପ୍ରସନ୍ନ ହୁଅଇ ଦିଅଇ ଅଭୟ ବର,

 

ଏହି ମନ ଯେବେ ପ୍ରସନ୍ନ ନ ହୁଏ କରୁଥାଏ ହରବର !

 

ସେଇଆ । ବୁଝିଲୁ ?”

 

ରମାର ମନେପଡ଼ିଲା, କେଉଁଠି ସେ ପଢ଼ିଚି ମହାକବିଙ୍କ ‘କୁମାର ସମ୍ଭବ’ର ଓଡ଼ିଆ ଅନୁବାଦରେ ଠାଏ । ଗୌରୀ ତପସ୍ୟା କରିବାକୁ ବାହାରିଛନ୍ତି, ତାଙ୍କ ବୋଉ ତାଙ୍କୁ ବୁଝାଉଛନ୍ତି ଯାନା, କାହିଁକି ଯିବୁ ? ଆମ ଘରେ ତ ସବୁ ଦେବତା ଅଛନ୍ତି, ୟା ବାହାରେ ଆଉ ପଦାରେ କିଏ ? ହସ ମାଡ଼ିଲା । କହିଦେଲେ ବୋଉ କ’ଣ ଭାବିବ !

 

କହିଲା “ତୁ ଯାହା କହୁନୁ ସବୁ ଠିକ୍‍ ଲୋ ବୋଉ, ଯେଉଁ କାମ ବତୋଉଛୁ ସେ ପ୍ରକୃତ ବଡ଼ କାମ । ମନ ହେଲେ, ମୋ ଦେଇ ଆସିଲେ, ସେଇ କାମ ମୁଁ କରିବି । ସେ ଏଠି ନୁହେଁ, ଆଉ କେଉଁଠି । ଏଠି ମୋ ମନ ଯାଉନାଇଁ, ମୁଁ ବୁଝୁଚି ଏଠି ମୋ ହାତଗୋଡ଼ ଚଳିବନାଇଁ ମୋ କୁଣ୍ଢ ପାଇବନାଇଁ, କେହି ମୋ କଥା ପାସଙ୍ଗରେ ପକାଇବେ ନାଇଁ, କାମ କଲେ ଲୋକହସା ହେବି, ସେ କାମରୁବି ମନ ଛାଡ଼ିଯିବ । ମିଛରେ କହନ୍ତି ଗାଁ କନିଆ ସିଙ୍ଗାଣିନାକୀ ! ଏ କାମ କି ୟେ କାମ ବୋଲି ବାଛି କ’ଣ ହେବ ? ମନର ଶାନ୍ତି ଖୋଜୁଛି, ଦେଖୁଚି ଏଠି ବସିଲେ ମିଳିବନାହିଁ । କେଉଁଠି କି କାମରେ ଲାଗିବି ସେହି ମନ ତା’ର ଠିକଣା କରୁ ।”

 

ମାୟା ଦେବୀ କହିଲେ, “ତୋ ଇଚ୍ଛା !” ସେଠୁ ଚାଲିଗଲେ । ଝିଅର ଯିବା କି ରହିବା ବିଷୟରେ ସେ ଆଶ୍ଚର୍ଯ୍ୟ ପ୍ରକାରେ ତୁନିତାନି ହୋଇଗଲେ । ଆଉ ସେ କଥାଉଠେନାହିଁ । କେହି ଜାଣନ୍ତିନାହିଁ । ଖାଲି ରମା ଅନୁଭବ କଲା ତା’ ବୋଉ ଦୂରେଇ ଦୂରେଇ ଯାଉଛନ୍ତି । ତାଙ୍କ ଦୃଷ୍ଟିରୁ ସେ କଳିପାରେନାହିଁ, ଅନୁସରଣ କରିପାରେନାହିଁ । ମୁହଁ ଯେମିତି ମୁଖା ।

 

ରମାକୁ ଲାଗିଲା, ତାଙ୍କ ଭିତରେ ଛଳ ପଶିଯାଇଛି, ଅତି ଗହନରେ ମନରେ ପୂରିଛି ଅଭିମାନ ।

 

ସେ ତା’ ବୋଉର ହୋଇଭାବେ, ତାଙ୍କ ଅଭିମାନ ଯଥାର୍ଥ । ବୁଢ଼ୀ ହୋଇ ଭୂଇଁରେ ନାକ ଘୋଷାରି ହେଲେବି ହାତରୁ କାମ ଛାଡ଼ିଲାନାହିଁ, ନେଞ୍ଜେରା ତୁଟିଲାନାହିଁ, ସବୁ ଭାର ମୁଣ୍ଡ ଉପରେ ଲଦା । ଜୀବନ ବିତିଗଲା, ସୁଖ ଭୋଗହିଁ କପାଳରେ ଲେଖାନାହିଁ, କିଏ ତାଙ୍କୁ କ’ଣ ସ୍ୱର୍ଗକୁ ନେବ-? ପଦ୍ଵଁପତ୍ରରେ ପାଣି ଟୋପାକ ପରି ତା’ ବୋଉ, ସବୁଥିରେ ଥାଇ କେଉଁଥିରେନାହିଁ, ନିଜେ ସେ ତା’ର କେଉଁ କାମରେ ଲାଗିଲା !

 

କିନ୍ତୁ ବୋଉ ପ୍ରତି ସହାନୁଭୂତିରେ ଯେତେବେଳେ ରମାର ଆଖି ଛଳ ଛଳ ହୁଏ, ତୁହାଇ ତୁହାଇ ଦୀର୍ଘଶ୍ୱାସ ଯାଏ, ସେତେବେଳେବି ମନ ଭିତରେ ରାଉ ରାଉ ହୋଇ ଚହଳ ପଡ଼େ,–ସେ ଯିବ, ଯିବ, ଯିବ, ରହିବନାହିଁ, ପାରିବନାହିଁ ।

 

ଯେମିତି ପତ୍ରଟିଏ ସ୍ୱାଭାବିକ ଭାବରେ ଝଡ଼ିପଡ଼େ, ସେଥିପାଇଁ ଆଗରୁ ହୁମ୍ ଦୁମ୍ ହୋ-ହୋ ଘୋ-ଘୋ କରେନାହିଁ, ଯେମିତି ଶିମିଳୀତୁଳା ତା’ର ଫଟା କୋଷା ଛାଡ଼ି ତା’ର ଗଛ ଛାଡ଼ି ନୀରବରେ ଶୂନ୍ୟେ ଶୂନ୍ୟେ ଧରେ ତା’ର ରାହା, କାହିଁ ବୋଲି କାହିଁ, ଦିନେ ବଢ଼ି ପାହାନ୍ତାରୁ ସେମିତି ଘର ଛାଡ଼ିଗଲା ରମା, ପୁଅକୁ କାଖ କଲା, ତା’ ବିଛଣା ଓ ବାକସରୁ ଭାର ବାହୁଙ୍ଗିରେ ବୋହି ନେଲା ପବନା, ସେ ତା’ ବୋଉର ହୋଟେଲରେ କାମ କରେ । ରଘୁ ଆଉ ତିଳଙ୍କୁ ସେ ଗେଲ କଲା, ସଙ୍ଗରେ ଆସିବାକୁ ମନାକଲା, ସେମାନେ ନିଦ ମଳ ମଳ ଆଖିରେ ଅନାଇଁ ଅନାଇଁ ଠିଆ ହେଲେ । ତାଙ୍କୁ କହିଗଲା, ସେ କାମରେ ଯାଉଛି । ତିଳ ହାଇ ମାରିଲା, କହିଲା “ଚଞ୍ଚଳ ଆସିବୁ ।” ରଘୁ କହିଲା, “ମୁଁ ବି ତୋ ସାଙ୍ଗରେ ଯାଇଥାନ୍ତି ଅପା, ଘରେ ବସି ବସି ଚିଡ଼ି ମାଡ଼ୁଛି ତୁ ଆଉଥରେ ଖରା ଛୁଟିବେଳେ ଯଦି ଯାଆନ୍ତୁ ମୁଁ ଯାଆନ୍ତି ।” ସେମାନେ ବୁଝିଲେନାହିଁ ସେ କୁଆଡ଼େ ଗଲା, କେବେ ଆସିବ । ରମା ତା’ ବୋଉ ଗୋଡ଼ତଳେ ମୁଣ୍ଡିଆ ମାରିଲା, କଇଁ ଆସିଲା ପରି ଲାଗୁଥାଏ, ସେ ରୋକୁଥାଏ । କାଠ ପରି ସେ ଠିଆହୋଇଥାନ୍ତି । ଉଠିପଡ଼ି ଆଉ ତାଙ୍କ ମୁହଁକୁ ଅନାଇଁ ପାରିଲାନାହିଁ, ତୁନି ତୁନି କହିଲା “ମୁଁ ଯାଉଚି ବୋଉ, ଏଁ ?” ସେ କିଛି କହିଲେନାହିଁ । ଖାଲି ସେ ଚାଲିଗଲା ପରେ, ହଠାତ୍ ସେ ଚହଲି ଉଠିଲେ, ଦୁଆରେ ଚଉରାମୂଳେ ଗୋଡ଼ତଳେ ପଡ଼ି ମୁଣ୍ଡକୁ ଢୁ ଢୁ କରି ଭୂଇଁରେ ବାଡ଼େଇଲେ, ପୁଣି ଘର ଭିତରେ ପଶି ଅନ୍ଧାରରେ ବିଛଣାରେ ମୁହଁମାଡ଼ି ଶୋଇ ରହିଲେ ।

 

ବାଟରେ ପବନା କହିଲା “ମୁଁ ଆଗେ ଆଗେ ଯାଏଁ ଦେଇ, ମଠ କଲେ ବୋଝ ମାଡ଼ିପଡ଼ିବ ।” ନ ହେଉ ସେଡ଼େ ଓଜନ, ତା’ର ଅଭ୍ୟାସନାହିଁ ।

 

ପୁଅକୁ କାଖ କରି ରମା ବାଟ ଚାଲିଥାଏ, ସୁର ତା’ କାନ୍ଧରେ ମୁହଁକୁ ମାଡ଼ି ଦେଇଛି ତା’ ବେକକୁ ବେଢ଼େଇ ଧରିଛି, ମା’ର ଚାଲିର ଉଠୁପଡ଼ ଝାଙ୍କ ତା’ ନିଦକୁ ବଢ଼ାଇ ଦେଇଛି । ଗଛଗୁଡ଼ିକ ଏବେବି ନିଦୁଆ ନିଦୁଆ, ସେଥିରୁ ଅନ୍ଧାର ଛାଡ଼ିନାହିଁ, ଅଳ୍ପ ନେଳିଚା ହୋଇ ପାହାନ୍ତା ଫିଟିଛି । ବେଳେବେଳେ ତୋଟା ଗହଳିରୁ କେଉଁ ଚଢ଼େଇମାନଙ୍କ କିଚିରିମିଚିରି, କିଏ ଅଳ୍ପକେ କ’ଣ ଗାଇ ଦେଇ ତୁନି ପଡ଼ି କାନୋଉଛି ଦୂରକୁ ଆଉ କା-କା ବୋବାଳି ଶୁଭୁଛି, ଚଢ଼େଇଙ୍କ ସ୍ୱର ନିଦରେ ବସିଲା ଶୁଭୁଛି, ଯେମିତି ଥଣ୍ଟ ଦି’ଫାଳି ଲାଗି ଲାଗି ଯାଉଛି । ମଝିରେ ମଝିରେ ଦୂରରୁ ଶୁଭୁଛି ଗୋଟିକିଆ କଜଳପାତୀଙ୍କ ଉଚ୍ଚାଟ ଡକାଡ଼କି, ନିଦୁଆ ମଠୁଆ ଛାଇଛାଇଆ ପାହାନ୍ତି ପହରେ ଆଶା ଉତ୍ସାହରେ ଚେଇଁ ଉଠିବାର ପ୍ରଥମ ସୂଚନା ପରି । ଶୀତଳ ପଡ଼ିଛି, ଅଳ୍ପ ସୁଲୁସୁଲିଆ ପବନ-। ଚଳପ୍ରଚଳ ଲାଗିନାହିଁ । ଘରେ ଘରେ ଏତେବେଳେବି ବହୁତ ଲୋକ ଶୋଇଥିବେ ।

 

କେମିତିଆ ବେଳ ୟେ ? ଭାବୁ ଭାବୁ ମନେପଡ଼ିଗଲା କେଉଁ ହଜିଲା ସ୍ମୃତିରୁ ଛିଲିକାଏ ଲେଖାଁ । ଦଳ ହୋଇ ଆଗ ବକି ପଡ଼ି ଝଡ଼ିଲା ପାଚିଲା ଆମ୍ବ ଗୋଟେଇ ଯାଉଥିଲା ସେ କେବେ, କେବେ ଯାଇଥିଲା କଇଁଫୁଲ ତୋଳି, କେବେ ବାଲିଛତୁ ତୋଳି, ଆଉ କେବେ ବୁଡ଼ ପାରିବାକୁ, ଡଙ୍ଗା ଭସେଇବାକୁ । ହେଉ ସେ ଯେଉଁ ଋତୁ, ଯେତେ ଦିନର କଥା, ସତେ ଯେମିତି ସେ ଦେଖିଥିଲା ଏମିତି ଛବି, ଏମିତି ବାସ୍ନା ବାରିଥିଲା । ଭାବୁ ଭାବୁ କେତେ ମୁହଁ, କେତେ ସମ୍ପର୍କର ସ୍ମୃତି । ସେ ଅନୁଭବ କରିପାରୁଛି ସବୁ ବଦଳି ଯାଇଛି, ସମୟ ତୋଡ଼ରେ କିଏ କୁଆଡ଼େ ଭାସିଯାଇଛି । ଗୋଟାଏ ଗୋଟାଏ ମୁହଁ ମନେପଡ଼ିଲେ ଦିଶେ ଗୋଟାଏ ଗୋଟାଏ ଇତିହାସ, ତା’ର ସ୍ଵଭାବ ବଦଳିବା, ଠା’କୁରୁ ଆଉ ଠାଏ ହେବା, ନିଶ୍ଚିହ୍ନ ଦେବା ।

 

ସେ ଚାଲିଛି, ହୁମୁରା ଛକରୁ ମଟର ଧରିବ । ଆଗରେ କ’ଣ ଅଛି ତା’ କଳ୍ପନା କରୁନାହିଁ, ପଛରେ କ’ଣ ରହିଲା ସେଥିପାଇଁ ମନ ମାଣ୍ଟେଇ ହେଉନାହିଁ । ଯେମିତି ସେ ଧରି ନେଇଛି, ଆଜି ତା’ର ଯିବାର ଥିଲା ସେ ଯାଇଛି ।

 

ମଟରରୁ ଓହ୍ଲାଇ ରଙ୍ଗଣିପୁର ଛକରୁ ଶଗଡ଼ ଗାଡ଼ି ପାଉ ପାଉ ଡେରି ହେଲା । ଓଳଙ୍ଗ ଆଶ୍ରମରେ ପହଞ୍ଚିଲାବେଳକୁ ଗୋରୁ ବାହୁଡ଼ାଣି ବେଳ । ରାଧୀନାନୀ ହସି ହସି ପାଛୋଟି ଦେବାକୁ ଆସିଲେ, ସୁରକୁ କାଖେଇ ପକାଇଲେ, କହିଲେ “କିରେ ବୁଢ଼ା, ମତେ ଚିହ୍ନିଚୁ ?”

 

ରମା କହିଲା, “ପୁଣି ଆସିଲି ଅପା ।”

 

“ଭଲ କଲୁ । ଆଗ ଗଲୁ ଗୋଡ଼ ହାତ ଧୋଇବୁ, ପାଣି ଟୋପେ ପି । ସୁରପାଇଁ କ୍ଷୀର ଟୋପେ ଦେଖେଁ, ଏଠି ଗାଈ ଚେର ଶୁଖିଲା ।” ଗାଁର ଚାଷୀ ଜଣେ ଯାଇଥିଲା, ଡାକ ପକାଇଲେ “ଆରେ ମାଗୁଣି, ଟିକିଏ ଶୁଣିଗଲୁ ଆଇଲୁ ମୋ ବାୟାଟା ପରା ।”

 

ଘଣ୍ଟାକ ପରେ ସଞ୍ଜ ପଡ଼ୁ ପଡ଼ୁ ସେମାନେ ବସି କଥାଭାଷା ହେଲେ । ଅପାମାନେ କୁଆଡ଼େ କୁଆଡ଼େ ଯାଇ କାମରେ ଲାଗିଛନ୍ତି, ଆଶ୍ରମରେ ରାଧୀନାନୀ ଏକୁଟିଆ । ଆଉ ତିନିଜଣ ଗଲେ ପୂର୍ଣ୍ଣମୀ ଦିନ ଏଠି କର୍ମୀମାନଙ୍କର ଗୋଟିଏ ସଭା ବସିବ, ସେତେବେଳେ ଅନେକେ ଅନେକେ ଆଡ଼ୁ ଆସି ଏକାଠି ହେବେ । ନାନାପ୍ରକାର କାର୍ଯ୍ୟ ଚାଲିଛି, ସେହି ସମ୍ପର୍କରେ ବିଭିନ୍ନ ବିଷୟରେ ଆଲୋଚନା ପଡ଼ିବ, ତା’ପରେ ଯେ ଯୁଆଡ଼େ ଯିବେ ।

 

“ସତେ ଯେମିତି ଜାଣିଲାପରି ଠିକଣାବେଳେ ମୁଁ ଆଇଲି” ରମା କହିଲା, “ସେତେବେଳେ ମୁଁ ବି କେଉଁଥିରେ ହେଲେ ଲାଗିଯିବି ।”

 

ରାଧୀନାନୀ କହିଲେ, “ହଁ, ଭୁଲିଯାଉଥିଲି, ଗୋଟାଏ ଖବର ଅଛି ଝିଅ । ଶୀତଳବାବୁ ଦି’ଥର ଆସିଥିଲେ । ଠିକଣା ଲେଖି ଦେଇ ଯାଇଛନ୍ତି, ଚିଠି ଲେଖିଦେଲେ ପୁଣି ଆସିବେ ।”

 

“କ’ଣ କହୁଥିଲେ ?”

 

“କହିଲେ, “ଦେଖାହେଲେ କହିବ, ଇଚ୍ଛା ହେଲେ ସେ ଗ୍ରାମସେବିକା ଚାକିରି ପୁଣି ମିଳିବ, ସେଥିପାଇଁ ଲୋକ ଅଭାବ, ଖାଲି ତାଙ୍କୁ କହିଦେବ ସେ ସବୁ ବ୍ୟବସ୍ଥା କରିଦେବେ ।”

 

“ଚାକିରି କରିବିନାହିଁ ବୋଲି ତ ଛାଡ଼ି ଦେଲି, ପୁଣି କ’ଣ ?”

 

“ଆଉ କହିଛନ୍ତି, ତାଙ୍କର ଅନୁରୋଧ, ଚାକିରି ନ କଲେ ତାଙ୍କ ସଙ୍ଘର ଗୋଟାଏ ବଡ଼ ଦାୟିତ୍ୱ ତୁ ନେ, ତାଙ୍କ ସମସ୍ତିଙ୍କର ଭାରି ଇଚ୍ଛା, ତତେ ସେ ଆଗରୁ ବାରମ୍ବାର ବୁଝେଇଛନ୍ତି, ସେହି ବିଷୟରେ ତୋ ସଙ୍ଗରେ ପୁଣି କଥାଭାଷା କରିବେ ।”

 

ରମା କହିଲା, “ସେହି ଯେଉଁ ବଣପାହାଡ଼ ଉପରେ ଅଗନାଗ୍ନି ବନସ୍ତରେ ଅରକ୍ଷ ଅଶିକ୍ଷିତ ମଣିଷଙ୍କପାଇଁ କନକ ଅପା ବିମଳା ଅପା କାମ କରନ୍ତି ସେଠି ତାଙ୍କ ସଙ୍ଘ କାମ କରେ ଅପା ?”

 

“କାଇଁ ମୁଁ ଜାଣିନାଇଁ ତ । ସେକଥା କାଇଁ ତୋ ମନେପଡ଼ିଲା ?”

 

“ସେମିତି ତ ଅନେକ ଲୋକ, ଅନେକ ଅଞ୍ଚଳ । ଶୀତଳବାବୁ ସେଠି ରହି କିଛି କରନ୍ତେନାହିଁ ?”

 

ରାଧୀନାନୀ କହିଲେ, “କେଜାଣି, ସେ ଜାଣିଥିବେ । ଯାହା କହିଥିଲେ ତା’ ମୁଁ କହିଦେଲି, ତେଣିକି ତୋ ଇଚ୍ଛା । ରମା କହିଲା, “ସଂସାରରେ ନାନାକାମ, ଯାହାକୁ ଯାହା ରୁଚେ । ସେ ଯାହା ଭାବୁଛନ୍ତି ନିଶ୍ଚୟ ତାଙ୍କ ଆଖିରେ ସେ ଭାରି ଭଲ । ମୋପାଇଁ ସେସବୁ ନୁହେଁ । ମୁଁ ତ ତାଙ୍କୁ ମନା କରିଦେଇଥିଲି ।”

 

ରାଧୀନାନୀ ଅପେକ୍ଷା କରି ରହିଲେ, “ରମା ବୋଧହୁଏ କ’ଣ କହିବ ।

 

ଟିକିଏ ରହି ରମା କହିଲା, “ତୁମେ ଥରେ କହିଥିଲ, ମନ ଭିତରୁ ଡାକ ଶୁଭିବ ଯେ କି କାମ ମୁଁ କରିବି । ମତେ ଲାଗିଲା ମୁଁ ଶୁଣିପାରୁଛ ସେ ଡାକ । ସେ ଡାକ କହୁଛି ଯେଉଁ ନାଁ ଜଣାନାହିଁ ବନସ୍ତରେ କି ଅପନ୍ତରାରେ ମଣିଷ ବିପଦ ଭିତରେ ଦୁଃଖ ଦୁର୍ଦ୍ଦଶା ଭିତରେ ଦିନ ବିତୋଉଛନ୍ତି, କେତେ ଅତ୍ୟାଚାର, ଶୋଷଣ, ଅବିଚାର ସହୁଛନ୍ତି, ତାଙ୍କର ଆଖି ଫିଟିନାହିଁ, ଗୋଡ଼ ଟଳ ଟଳ, ହାରିଗୁହାରିକି କେହିନାହିଁ, ସେଠି ତାଙ୍କରି ଭିତରୁ ଜଣେ ହୋଇ ରହି ଦେହରୁ ଝାଳ ବୁହାଇ ମନକୁ ଖଟାଇ ତାଙ୍କରି ଉପକାର କରିବାପାଇଁ ପରିଶ୍ରମ କରୁଥା, ଆଉ କିଛି ଲୋଡ଼ାନାହିଁ, ଆତ୍ମା ଶାନ୍ତି ପାଇବ ସେଇଥିରେ, ବଞ୍ଚିବା ଯଥାର୍ଥ ହେବ, ମରିବାବି ସାର୍ଥକ ହେବ ।”

 

ରାଧୀନାନୀ ତା’ କାନ୍ଧ ଉପରେ ହାତ ଥୋଇଲେ । କହିଲେ “ବୁଝିଲି, ନିଶାଧରିଲା, ବାଇ ଲାଗିଲା । ଆଉ ତୋ ପୁଅକୁ ରଖିବ କିଏ ?”

 

ରମା କହିଲା “କେତେ ପୁଅଝିଅ ସେଠିବି ଚଳୁଥିବ, ତାଙ୍କଠୁଁ କ’ଣ ୟେ ଏଡ଼େ ସାର ?”

 

ରାଧୀନାନୀ କହିଲେ, “ତା’ବି ଅଟକି ଯିବନାହିଁ ଯେ, କର୍ମୀମାନଙ୍କ ପିଲାମାନେ ଯେମିତି ପାଠପଢ଼ିବେ ସେଥିପାଇଁ କେତେ ସ୍ଥାନରେ ବ୍ୟବସ୍ଥା ଅଛି, ଅତି ସାନ ପିଲାବି ରହିପାରିବେ, ତେବେ, ମା’ କେଉଁଠି ପିଲା କେଉଁଠି ମା’ମାନେ ମଙ୍ଗିଲେ ହେଲା । ସେ ତ ପଛ କଥା । ତୁ କ’ଣ ସତେ ନିଷ୍ପତ୍ତି କଲୁ ଏଇ କାମ କରି ଜୀବନ ବିତେଇବୁ ? କ’ଣ ଏଥିରୁ ପାଇବୁ ଭାବିଚୁ ମା’ ? କହିଲୁ । ଜାଣିଚୁ ତ, ଏ କେମିତିଆ ! ଅର୍ଜନ ନାହିଁ, ସଞ୍ଚୟନାହିଁ, ଭୋଗ ବିଳାସନାହିଁ, ନାଁ ନାହିଁ କି ପ୍ରଶଂସାନାହିଁ, ଜୀବନଯାକ ଖାଲି ପରଙ୍କପାଇଁ ଖଟଣି । ସଂସାରରେ ଲୋକେ ଖୁସି ହୁଅନ୍ତି ନିଜେ କିଛି ପାଇଲେ, ୟାକୁ ଯେ ଆଦରେ ତାକୁ ଖୁସି ହେବାକୁ ପଡ଼େ ଖାଲି ନିଜେ କିଛି କାହାପାଇଁ କରିପାରିଲେ, ଦେଇପାରିଲେ । ଯଦି ପଛେ ସେଥିରେ ମନ ନମାନିବ ଲାଗିବ କେଡ଼େ ଭୁଲ କଲି, ଜୀବନଟା ଦେଲି ଉଜାଡ଼ି । ସେ ଯେଉଁ ହନ୍ତସନ୍ତ ବେଳ ସେତେବେଳେ କେଡ଼େ କଲବଲ କେଡ଼େ ଛଟପଟ ! ମଣିଷ ଜାଣିଶୁଣି ଯେଉଁ ମାର୍ଗ ଛାଡ଼ିଛି ସେହି ମାର୍ଗରେ ସଂସାରଯାକର ଲୋକେ ଚାଲି ଚାଲି କିଏ କେଉଁଠି ପହଞ୍ଚିଲେଣି କ’ଣ ସବୁ କଲେଣି ସେଇଆ ଭାବି ଭାବି ରାମ୍ପି ବିଦାରି ହେଉଥିବ-। ଯେଉଁ ସମୟ ଗଡ଼ିଯାଇଛି ତାକୁ ଆଉ ଲେଉଟାଇ ଆଣି ହେବନାହିଁ ।”

 

“ୟେ କ’ଣ ମୋ ମନ ବିଡ଼ୁଛନ୍ତି ?” ରମା ରାଧୀନାନୀଙ୍କ ମୁହଁକୁ ଅନାଇଁ ଭାବିଲା, “ନିଜେ ଏଇ ପନ୍ଥା ଅନୁସରଣ କରି ବୁଢ଼ୀ ହେଲେ, ତାକୁ କ’ଣ ସେ ପସନ୍ଦ କରନ୍ତିନାହିଁ ?” ମୁହଁ ଭଲ କରି ଦିଶୁନାହିଁ । ରାଧୀନାନୀଙ୍କ ସ୍ୱରରେ ଚତୁରତାର ଚିହ୍ନହିଁ ନାହିଁ, କ୍ଷୋଭବି ନାହିଁ, ଖାଲି ନିଷ୍କପଟ ଆନ୍ତରିକତା ।

 

ରମା କହିଲା “ହନ୍ତସନ୍ତ ମୁଁ ହେବିନାହିଁ ଅପା । ମତେ ତ ଠାକୁରେ ଏଇ କାମପାଇଁ ତିଆରି କରିଛନ୍ତି, “ସେ ହସିଦେଲା, କହିଲା “ଯାହା ଦେଇ ଯେଉଁ କାମ କରନ୍ତି ତାକୁ ସେମିତି ଗଢ଼ନ୍ତି । ଛୁଆଟା ତା’ର ଯେଉଁ ବନସ୍ତରେ ହେଲେ ଅରଣା ହୋଇ ବଢ଼ୁ, ଆଉ ତ ନେଞ୍ଜେରାନାହିଁ-।”

 

“ହଃ ! ଗୋଟାଏ କଥା !”

 

“ସତ । ମନଟା କେମିତି ହୋଇଯାଇଛି । ଛୁଆପାଇଁବି ଭାବେନାହିଁ । ଯେ ମତେ ଏ ସଂସାରକୁ ଆଣିଛି ସେ ତାକୁବି ଆଣିଛି, ତା’ କଥା ସେ ଵୁଝିବ । ତା’ ଭାଗ୍ୟ ମୋ ଇଚ୍ଛାରେ ବଦଳିବନାହିଁ । ତେବେ ମୋର ଚିନ୍ତା କ’ଣ ? ମୁଁ ବଢ଼ିଥିଲି କେତେ ଉପାସଭୋକରେ, ଅଭାବ ତ ଅଭାବ ବୋଲି ଲାଗିନାହିଁ । ଆଉ ଅଧିକା କ’ଣ ମିଳୁ ବୋଲି ମନ ଟାଉକା ହୋଇନାହିଁ, କିଛି ଆଣି ନଥିଲି ତ, କିଛି ରଖି ଯିବିନାହିଁ, କିଛି ସାଇତିବି ନାହିଁ । ତେବେ ହନ୍ତସନ୍ତ ହେବି କେଉଁଥିପାଇଁ ?”

 

ରାଧୀନାନୀ କହିଲେ, “ୟେ ମନ ରହିଲେ ସିନା !”

 

“କାହିଁକି ନ ରହିବ ?”

 

“କେଜାଣି ? ମନବି ବଦଳେ । ମହାତ୍ମାଜୀ ସମସ୍ତିଙ୍କ ଆଗରେ କେଡ଼େ ବଡ଼ ଆଦର୍ଶ ଥୋଇଲେ, କେତେ ଲୋକ ମାତି ଉଠିଲେ, ସେଥିରୁ କେତେ କେତେ ଲୋକ ବଦଳି ଗଲେ, ଆଉ କେଉଁବାଟ ଧରିଲେ । ଲୋକେ ଜାଣନ୍ତି ଏଥିରେ ନିଜର କିଛି ବୋଲି କିଛି ଲାଭ ହୁଏନାହିଁ, ସେଥିପାଇଁ ନୂଆ କର୍ମୀ ବେଶି ଆସନ୍ତିନାହିଁ, ଯେ ଆସନ୍ତି ଦିନାକେତେ ଗଲେବି କେତେ ଛାଡ଼ି ଦେଇ ଚାଲିଯାଆନ୍ତି । ସହଜେ ତ ନାରୀ କର୍ମୀ ବହୁତ ୠଣା, ଆଉ ଜୀବନଯାକ ତପସ୍ୟା କଲାପରି ଏଇ କାମକୁ ଯାବୁଡ଼ି ଧରିଥିବେ, ଏମିତିଆ ନାରୀ କର୍ମୀ ଆହୁରି ଅଭାବ । ତେବେ, ରହନ୍ତି, ନାହିଁ ନୁହେଁ, ଆସୁଛନ୍ତିବି କେତେ, ମଣିଷ ଜାତି ସଂସାରରେ ବଞ୍ଚିଥିବାଯାକେ ଆଦର୍ଶର ଡାକ କାହାକୁ ନା କାହାକୁ ଓଟାରୁଥିବ ଯେ, ବାଟ ଅସାଧ୍ୟ ସେଇଆ କହୁଛି ।”

 

ରମା କହିଲା “ମୋ ବୋଉବି ଏମିତି କେତେ କଥା ବୁଝୋଉଥିଲା ଅପା, ମୋ ମନ ବୁଝିଲାନାହିଁ । ମୁଁ କ’ଣ ଝୁଙ୍କରେ ଆସିଛି । ଯୁଆଡ଼ୁ ଭାବୁଛି ମତେ ଏଇ ବାଟହିଁ ଦିଶୁଛି । କାହା ଘେନି ୟେ ସଂସାର ? ମଣିଷଙ୍କ ଘେନି ତ ! ମୁଁ ଭାବିଛି ସଂସାରରେ ଏମିତି ଜାଗା ଏମିତି ଗାଁଗଣ୍ଡାବି ଥିବ ଯେଉଁଠି ମୁଁ ମଣିଷଙ୍କ ଭଲ ଲାଗି ଖଟି ପାରିଲେ ମୋ ଦେଇବି କାହାର କିଛି ହୋଇପାରିବ । କେଉଁଠି ସେ ଜାଗା ? ଯେଉଁଠି ଆଲୁଅ ଫିଟିଛି ସେଠି ତହୁଁ ବଳି ଅଛନ୍ତି, ମୋର ସେଠି ଦରକାରବି ନାହିଁ । କେଉଁ ଦୂର ପର୍ବତ, ଅକ୍ଷର, ଗାଁଗହଳି, ସେଇଠି ମୁଁ ରହିବି, କାମ କରିବି-।”

 

ରାଧୀନାନୀ ତାକୁ କୁଣ୍ଢେଇପକାଇଲା । କହିଲେ “ନୁଖୁରା ଶଳିତାରେବି ତୁ ଆଲୁଅ ଲଗେଇ ପାରିବୁ ମୋ ମା’, ଚାଲ ଯୁଆଡ଼େ ଖୁସି, ତୋ ସାଙ୍ଗେ ସଙ୍ଗେ ମୁଁ ବି ଯିବି ।”

Image